ପୋଡ଼ା କି ସିଜା ପରିଵା'କୁ ଚକଟି ଲୁଣ ଓ ଲଙ୍କାମରିଚ ଦେଇ ଓଡ଼ିଆମାନେ ପଖାଳ ଭାତ ଖାଆନ୍ତି । ପଖାଳ ଭାତ ଖାଇଲାବେଳେ ଲଙ୍କାମରିଚଟିଏ ଅଧିକାଂଶଙ୍କୁ ଲୋଡ଼ା ହୋଇଥାଏ । ପଖାଳଖିଆ ଓଡ଼ିଆ ଜାତି ପାଇଁ ଲଙ୍କାମରିଚ ଗୋଟିଏ ଅତି ଆଵଶ୍ୟକ ଖାଦ୍ୟ ଦରଵ ହୋଇଯାଇଛି ।
କଵିଵର ରାଧାନାଥ ରାୟ ତାଙ୍କର ଏକ କୃଷି ସମ୍ବନ୍ଧୀୟ କଵିତାରେ ଲଙ୍କାମରିଚ ଵିଷୟରେ ଲେଖିଥିଲେ
"ପାଚି ଫଳ ସୁରଙ୍ଗ ହୁଏ ଅତି କଟୁ
କଟୁ ହୋଇ ରସନା ରଞ୍ଜକରେ ପଟୁ
ଶାଳୀ ଗାଳି ପରାଏ ,ଆଦର ତାହାର
ଘରେ ଘରେ ଵ୍ୟଞ୍ଜନେ ଅଞ୍ଜନେ
,ସର୍ଵଦା ଵ୍ୟଵହାର ।"
ସେହିପରି ହାସ୍ୟ କଲ୍ଲୋଳରେ କଵିସୂର୍ଯ୍ୟ ଵଳଦେଵ ରଥ ଲଙ୍କାମରିଚର କଥା ପ୍ରସଙ୍ଗ କ୍ରମେ ଉଲ୍ଲେଖ କରିଛନ୍ତି
“କପିରାଜ ଜଣାଇଲେ , ‘ ମଣିମା ! ଲଙ୍କାମରିଚ ରାଗ , କଳାହାଣ୍ଡିଆ ତାଳ , ପିଲାମାନଙ୍କର ମାଆ ନ ଥାଇ ଲୟେ , କଳ୍ପ - ପ୍ରେମାଳଙ୍କାରରେ ଦତ୍ତ ସରସ ଚଉପଦୀ ବୋଲା ଯାଉଅଛି ।”
ଓଡ଼ିଶାରେ ଲଙ୍କାମରିଚ ଵା Red pepperର ଅନେକ ନାଆଁ । ଯଥା — ଆମିରି,କାଁଚ୍ମାରି,ଝାଳ ଵା ଝାଲ,ଲକା,ଲଙ୍କା,ନଙ୍କା,ନଂକମାରିଚ,
ନକମାରିଚ,ମିରି,ମର୍ଚି,ମିରିଚା,ମରିଚି,ମରିଚ,ନାଲିମରିଚ,ରଙ୍ଗମରିଚ,ଲଙ୍କା ମାରିଚ,ଲାଲ୍ ମିର୍ଚା ଓ ଲଙ୍କ ମାରିଚ ଇତ୍ୟାଦି । ତେବେ ମାନକ ଓଡ଼ିଆ ଭାଷାରେ Red pepperକୁ ଲଙ୍କାମରିଚ କୁହାଯାଉଛି ।
ତେବେ ଏହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଏ ଦେଶରେ ଆଜକୁ ୬୦୦ ଵର୍ଷ ତଳେ କୌଣସି ଲଙ୍କାମରିଚ ପାଦପ ନଥିଲା । କାରଣ ଲଙ୍କାମରିଚ ମୂଳତଃ ଏକ ଆମେରିକୀୟ ପାଦପ ଏଵଂ ୟୁରୋପୀୟମାନେ ଏହା ଭାରତକୁ ଆଣିଥିଲେ ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ “ଲଙ୍କାମରିଚ ନାମଟି ଏକ ଆଧୁନିକ ନାମ। ସଂସ୍କୃତରେ ପୂର୍ଵେ 'ମରିଚ'ର ଅର୍ଥ ଗୋଲମରିଚ ଵା କଳାମରିଚ ଥିଲା । ଲଙ୍କାମରିଚର ନାମ ୩୦୦ ଵର୍ଷ ପୂର୍ଵର ପ୍ରାଚୀନ ଵୈଦ୍ଯକ ଗ୍ରନ୍ଥମାନଙ୍କ (ଯଥା, ଭାଵପ୍ରକାଶ)ରେ ନାହିଁ। ଆଧୁନିକ କେତେକ ଵୈଦ୍ଯକ ଗ୍ରନ୍ଥରେ ଲଙ୍କାମରିଚ ପାଇଁ (ଯଥା— ଵୈଦ୍ଯକ ଶବ୍ଦ ସିନ୍ଧୁ କୋଷ) କୁମରିଚ ଓ ଜ୍ୱାଳାମରିଚ ଶବ୍ଦର ପ୍ରୟୋଗ ଦେଖାଯାଇଛି। ଏ ଗୁଳ୍ମର ଆଦି ନିଵାସ ଆମେରିକା ଏଵଂ ସେଠାରୁ ପର୍ଟୁଗୀଜ୍ ମାନେ ପ୍ରଥମେ ଏହାକୁ ଦକ୍ଷିଣ ଭାରତର ଗୋଆ, କାଲିକଟ ଆଦି ସ୍ଥାନକୁ ଆଣିଲେ। ସେହିଠାରୁ ଏହାର ଚାଷ ଭାରତରେ ଵିସ୍ତୃତ ହେଲା।”
କେତେକ ଭାଷାଵିଦ୍ କୁହନ୍ତି ଏ ଗଛ ଯେହେତୁ ଇନକା,ଆଜଟେକ୍ସ,ମାୟା ସଭ୍ୟତାର ଦେଶ ଆମେରିକା ମହାଦେଶଦ୍ଵୟରୁ ଆସିଥିଲା ଏଵଂ ସେ ସବୁ ଭୂଭାଗର ପ୍ରାଚୀନ ଅଧିଵାସୀଙ୍କ ଵିଷୟରେ ଜାଣିଵା ପରେ ଭାରତୀୟମାନେ ସେମାନଙ୍କୁ ପୁରାଣୋକ୍ତ ଅସୁରରାଜ୍ୟ କଳ୍ପନା କରିଥିଲେ । ତେଣୁ ଏ ଗଛର ନାମ ଆମଭାଷାରେ ରକ୍ଷନଗରୀ ଲଙ୍କାପୁରୀ ଆଧାରରେ ଲଙ୍କାମରିଚ ଦିଆଯାଇଛି । ତେବେ ଲଙ୍କା ମରିଚ ନକହି ହିନ୍ଦୀଭାଷୀମାନେ ସାଧାରଣତଃ chilli pepper କୁ ଲାଲ୍ ମିର୍ଚ୍ଚ କୁହନ୍ତି ।
କେତେକ ଗଵେଷକଙ୍କ ମତରେ ଲଙ୍କାମରିଚ ଶବ୍ଦରେ ଥିଵା ଲଙ୍କା ଶବ୍ଦଟି ଆଷ୍ଟ୍ରିକ ଭାଷା ମୂଳର ଶବ୍ଦ ଏଵଂ ଦକ୍ଷିଣ ଓଡ଼ିଶାରେ ଏହି ଲଙ୍କା ଶବ୍ଦ ଆଗେ ଓଡ଼ିଆ ଭାଷାରେ ଦୂର ଓ ଦୂରସ୍ଥାନ ଅର୍ଥରେ ପ୍ରଚଳିତ ଥିଲା । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଲଙ୍କା ଶବ୍ଦର ଦେଶଜ ଅର୍ଥ ଲେଖାଅଛି "ଯଥେଷ୍ଟ" ଏଵଂ ଏ ଶବ୍ଦ ତତ୍କାଳୀନ ଗଞ୍ଜାମ ଜିଲ୍ଲାରେ ପ୍ରଚଳିତ ଥିଲା ବୋଲି ମଧ୍ୟ ଉଲ୍ଲେଖ ରହିଛି । ସମ୍ଭଵତଃ ପୂର୍ଵେ ଓଡ଼ିଶାରେ ଲଙ୍କା ଶବ୍ଦଟି ଦୂର,ଦୂରସ୍ଥାନ ଅର୍ଥରେ ଵ୍ୟଵହୃତ ହେଉଥିଲା କିନ୍ତୁ ସମୟ ସହିତ ଏହା ଯଥେଷ୍ଟ ଅର୍ଥରେ ପ୍ରୟୋଗ ହେଵାକୁ ଲାଗିଲା । ସମୁଦ୍ର ପାର ଦୂରସ୍ଥାନରୁ ଅଣାଯାଇ ଭାରତରେ ଲଗାଯାଇ ଥିଵା କେତେକ ଗଛକୁ ଏହି ଆଧାରରେ ଲଙ୍କା ଶବ୍ଦ ଯୁକ୍ତ କରି ଅଭିହିତ କରାଯାଇଅଛି ।
ଓଡ଼ିଆ ଭାଷାରେ Red pepperକୁ କାହିଁକି ଲଙ୍କାମରିଚ କୁହାଯାଏ ତାହା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି । ଭାଷାକୋଷ ଅନୁଯାୟୀ— "Red pepper ଦକ୍ଷିଣ ଦିଗରୁ ଦରିଆପାରିରୁ ଏ ଦେଶକୁ ପ୍ରଥମେ ଆସିଥିଵାରୁ ଓଡ଼ିଆମାନେ ଏହା ଲଙ୍କାଦ୍ଵୀପରୁ ଆସିଥିଵା ଅନୁମାନ କରି ଏହାକୁ ଲଙ୍ଗାମରିଚ ନାମ ଦେଇ ଅଛନ୍ତି। ଏହିପରି ପୂର୍ଵେ ଵିଦେଶରୁ ଆସିଥିଵା ଲଙ୍କା ଆମ୍ବ, ଲଙ୍କା ସିଝୁ, ଲଙ୍କା ପଣସ, ଲଙ୍କା ଗବ ଶବ୍ଦମାନ ଭାଷାରେ ଚଳିଅଛି।”
କେହି କେହି କୁହନ୍ତି ଶ୍ରୀଲଙ୍କାର ନାମରୁ ଲଙ୍କା ଶବ୍ଦ ସୃଷ୍ଟି ହୋଇଛି, ଶ୍ରୀରାମଚନ୍ଦ୍ରଙ୍କ ସହିତ ଵା ତାଙ୍କ ପଛେ ପଛେ ଭାରତକୁ ଚାଲିଆସିଥିଵା କିଛି ସିଂହଳଵାସୀ ଶ୍ରୀଲଙ୍କାରୁ ଲଙ୍କାମରିଚ ଗଛ ଭାରତକୁ ଆଣିଥିଲେ । କିନ୍ତୁ ଏହି ମତ ସମ୍ପୂର୍ଣ୍ଣ ଅମୂଳକ ,ଅଵୈଜ୍ଞାନିକ ତଥା ପ୍ରମାଣହୀନ । ଲଙ୍କାମରିଚ ମୂଳତଃ ଆମେରିକୀୟ ପାଦପ ଵିଶେଷତଃ ମଧ୍ୟ ଓ ଦକ୍ଷିଣ ଆମେରିକାରେ ଏ ଗଛ ହଜାର ହଜାର ଵର୍ଷ ଧରି "ଆଦିମ ଲୋହିତ ଭାରତୀୟ"ଙ୍କ ଦ୍ଵାରା ଚାଷ ହେଉଥିଲା । ଓଡ଼ିଆ ଭାଷାରେ Red pepperକୁ ଲଙ୍କାମରିଚ କୁହାଯାଉଥିଵାରୁ ଏହି ଗଛକୁ ନେଇ ଏଭଳି ଭ୍ରାନ୍ତ ଧାରଣା ଜନ୍ମ ନେଇଛି । ଲଙ୍କାମରିଚ ଶବ୍ଦ ସହିତ ଶ୍ରୀଲଙ୍କାର କୌଣସି ସମ୍ପର୍କ ନାହିଁ ଵରଂ ଭାରତ ଭଳି ଶ୍ରୀଲଙ୍କାକୁ ମଧ୍ୟ ୟୁରୋପୀୟମାନେ ଲଙ୍କାମରିଚ ନେଇ ଯାଇଥିଲେ।
ଆଜକୁ ପ୍ରାୟ 13.8 ନିୟୁତ ଵର୍ଷ ପୂର୍ଵେ, ଦକ୍ଷିଣ / ମଧ୍ୟ ଆମେରିକାର Solanaceae ପାଦପ ପରିଵାରର ଏକ ଉଦ୍ଭିଦ "କ୍ୟାପସାଇସିନଏଡ୍ ପ୍ରୋଟିନ୍" ଯୁକ୍ତ କୋଳି ଆକାର ପରି ଫଳ ସୃଷ୍ଟି କରିଥିଲା ! କ୍ୟାପସାଇସିନଏଡ୍ ଯୋଗୁଁ ଲଙ୍କାମରିଚର ରଙ୍ଗ ଲାଲ୍ ହୋଇଥାଏ । ଏହି କୋଳି ରାଗ ଥିଵା ଯୋଗୁଁ ସ୍ତନ୍ୟପାୟୀ ପ୍ରାଣୀମାନେ ଖାଇପାରୁନଥିଲେ କିନ୍ତୁ ପକ୍ଷୀମାନେ ସେ କୋଳିକୁ ସହଜରେ ଖାଇପାରୁଥିଲେ । ସେହି ପ୍ରାଚୀନ ମୂଳ ପାଦପରୁ ପରେ Capsicum ପ୍ରଜାତି(Genus)ର କୋଡ଼ିଏରୁ ଶତେଇଶ ଗୋଟି ଲଙ୍କାମରିଚ ଜାତି(species) ସୃଷ୍ଟି ହୋଇଛି । ସାରା ଵିଶ୍ଵରେ ଵ୍ୟାପକ ଭାବରେ ଚାଷ ହେଵାରୁ ଲଙ୍କାମରିଚଗଛର ଇତିମଧ୍ୟରେ ୫୦୦୦୦ରୁ ଅଧିକ cultivar ଵା ଚାଷ କିସମ ମଧ୍ୟ ମାନଵକୃତ ପରିଵର୍ତ୍ତନ ତଥା Capsicum ଜାତୀୟ ଗଛଗୁଡ଼ିକ ମଧ୍ୟରେ ସଙ୍କର କିସମ ସୃଷ୍ଟି କରିଵାର ପ୍ରାକୃତିକ କ୍ଷମତା ଯୋଗୁଁ ସୃଷ୍ଟି ହୋଇଛି । ପରିଣାମ ସ୍ବରୂପ "ଭୁତ୍ ଜଲକିଆ ଵା ନାଗା ଜଲକିଆ" ଭଳି ଅତି ରାଗ ଲଙ୍କା ଭାରତର ପୂର୍ଵୋତ୍ତର ରାଜ୍ୟ ଆସାମରେ ଵିକଶିତ ହୋଇପାରିଛି ।
ଭାରତରେ ଅନେକ ପ୍ରକାରର ଲଙ୍କାମରିଚ କିସମ ଥିଵାରୁ ଅନେକେ ଵିଶ୍ଵାସ କରନ୍ତି ନାହିଁ ଯେ ଲଙ୍କାମରିଚ ଏକ ଵୈଦେଶିକ ପାଦପ । ତେବେ
ଦକ୍ଷିଣ ଆମେରିକାରେ ଛଅରୁ ସାତ ହଜାର ଵର୍ଷ ପୂର୍ଵେ ଲଙ୍କାମରିଚ ଚାଷ ହେଉଥିଵାର ଵୈଜ୍ଞାନିକ ପ୍ରମାଣ ମିଳିଛି । ପଶୁମାନେ ଉତ୍କଟ ରାଗ ଯୋଗୁଁ ସିନା ଲଙ୍କାମରିଚ ଖାଇପାରନ୍ତି ନାହିଁ କିନ୍ତୁ ପକ୍ଷୀମାନେ ଲଙ୍କାମରିଚ ଖାଇଵାର ଦୃଶ୍ୟ ହୋଇଥାଏ । ତେଣୁ କେହି କେହି ଅନୁମାନ କରନ୍ତି ଯେ ପକ୍ଷୀମାନଙ୍କ ଦ୍ଵାରା କୋଡ଼ିଏରୁ ସତେଇଶ ଗୋଟି ଲଙ୍କାମରିଚ ଜାତୀୟ ଗଛ ମଧ୍ୟରୁ କେତେକ ଲଙ୍କାମରିଚ ଜାତୀୟ ଗଛର ମଞ୍ଜି ଦକ୍ଷିଣ ଆମେରିକାରୁ ମଧ୍ୟ ଆମେରିକାରେ ଆସି ପହଞ୍ଚିଥିଲା । ଦକ୍ଷିଣ ଓ ମଧ୍ୟ ଆମେରିକାରେ ରହୁଥିଵା ପ୍ରାଚୀନ ଅଧିଵାସୀମାନେ ହଜାର ହଜାର ଵର୍ଷ ଧରି ଲଙ୍କାମରିଚକୁ ଖାଦ୍ୟ ତଥା ଔଷଧ ଭାବରେ ଵ୍ୟଵହାର କରୁଥିଲେ । ପ୍ରାଚୀନ ଆମେରିକୀୟ ଜନଜାତୀୟ ସଂସ୍କୃତିରେ ଲଙ୍କାମରିଚ ମହତ୍ତ୍ୱପୂର୍ଣ୍ଣ ଥିଲା ।
ପୂର୍ଵେ ୟୁରୋପରେ ସେତେ ମସଲାଦ୍ରଵ୍ୟର ଚାଷ ହେଉନଥିଲା ଵରଂ ୟୁରୋପୀୟମାନେ ଵିଭିନ୍ନ ମସଲାଦ୍ରଵ୍ୟ ପାଇଁ ଭାରତ ଉପରେ ନିର୍ଭରଶୀଳ ଥିଲେ । ୟୁରୋପୀୟମାନେ ଭାରତୀ ମରିଚ କଳାମରିଚ ଵା ଗୋଲମରିଚ ତଥା ପିପ୍ପଳୀକୁ Pepper କହୁଥିଲେ । ଏହି Pepper ଶବ୍ଦଟି ସଂସ୍କୃତର ପିପ୍ପଳୀରୁ ସୃଷ୍ଟି ହୋଇଛି । ପ୍ରକୃତରେ ଉଭୟ ଗୋଲମରିଚ ଓ ପିପ୍ପଳୀକୁ ପାଶ୍ଚାତ୍ୟ ସଂସ୍କୃତି ର ଲୋକେ ଆଗେ pepper କହୁଥିଲେ । ଯେହେତୁ ଏ ଉଭୟ ଏକ ପରିଵାରର ପାଦପ ପୁଣି ପ୍ରାୟ ଏକା ପ୍ରକାରର ଗୁଣ ଵହନ କରନ୍ତି
ତେଣୁ ୟୁରୋପୀୟମାନେ ଏଭଳି ନାମକରଣ କରିଥିଲେ । ଭାରତୀୟ ମାନେ ଆଗେ ଗୋଲମରିଚ,ପିପ୍ପଳି ତଥା ଧଳାମରିଚ(ସଜନା ଗଛର ମଞ୍ଜି) ଆଦିର ଵ୍ୟଵହାରରେ ଖାଦ୍ୟ ତିକ୍ତ ସ୍ଵାଦ ପାଇଁ କରୁଥିଲେ । ଦକ୍ଷିଣ ଏସିଆ ରେ ପ୍ରାୟ ୨୦୦୦ ଖ୍ରୀଷ୍ଟପୂର୍ଵରୁ କଳାମରିଚ,ପିପ୍ପଳୀ ଓ ଧଳାମରିଚ ଆଗରୁ ବ୍ୟବହାର ହୋଇ ଆସୁଛି ।
ଐତିହାସିକ J. Innes Miller ଲେଖିଛନ୍ତି
“while pepper was grown in southern Thailand and in Malaysia, its most important source was India, particularly the Malabar Coast, in what is now the state ofKerala”
କେରଳର ପ୍ରାଚୀନ ଲୁପ୍ତ ବନ୍ଦର Muzirisin
ଗୋଲମରିଚ ରପ୍ତାନୀ ପାଇଁ ସାରା ଵିଶ୍ଵରେ
ଲୋକପ୍ରିୟ ଥିଵା ଅନେକ ଵୈଦେଶିକ ଐତିହାସିକ ତଥ୍ୟାତ୍ମକ ପାଣ୍ଡୁଲିପି ଗୁଡିକରୁ ମିଳୁଅଛି । କୁହାଯାଏ କଳାମରିଚ ଲଙ୍କାମରିଚ ଜଗତକୁ ମିଳିଵା ପୂର୍ଵରୁ "black gold" ର ଆଖ୍ୟା ଲାଭ କରିଥିଲା ଏମନ୍ତକି ଆଗେ ଗୋଲମରିଚର ଵ୍ୟଵହାର commodity money ଭାବରେ ବି ହେଉଥିଲା ।
ଷୋହଳଶହ ଶତାବ୍ଦୀ ପୂର୍ଵରୁ ଗୋଲମରିଚ ଓ ପିପ୍ପଳୀ ଜାଵା,ସୁନ୍ଦା, ସୁମାତ୍ରା, ମାଡାଗାସ୍କର, ମାଲେସିଆ ,ଭାରତ ଓ ଚୀନ ଆଦି ଦେଶର ଖାଦ୍ୟଦ୍ରଵ୍ୟର ଏକ ମୁଖ୍ୟ ଅଙ୍ଗ ଥିଲା । ଗୋଲମରିଚକୁ ହିଁ ଆଗେ କେଵଳ ମରିଚ କୁହାଯାଉଥିଲା ତେଣୁ ପ୍ରାଚୀନ ସାହିତ୍ୟ ତଥା ପୁରାଣାଦି ଗ୍ରନ୍ଥରେ ଆମ୍ଭେମାନେ ଯେଉଁ ମରିଚ ଶବ୍ଦ ଉଲ୍ଲେଖ ଥିଵା ଦେଖନ୍ତି ତାହା ପ୍ରକୃତରେ ଗୋଲମରିଚ ଅର୍ଥରେ ପ୍ରୟୋଗ କରାଯାଇଥିଲା ।
ଉଦାହରଣ ସ୍ୱରୂପ ବଳରାମ ଦାସଙ୍କ ଜଗମୋହନ ରାମାୟଣରେ ମରିଚ ଶବ୍ଦ ପ୍ରୟୋଗ କରାଯାଇଛି
"ବସିଲା ଘୃତ ଆବର ଦେଲେ ଅଦା ଲୁଣ । ନିରମିଷ ଆମିଷ ଯେ ଅନେକ ତିଉଣ॥
ହେଙ୍ଗୁ ଜିରା ମରିଚ ନଡ଼ିଆ ଦୁଧ ଛେନା ।
ଘୃତରେ କରି ନାନାଦି ପିଷ୍ଟକ ରଚନା ॥”
ଏଠାରେ ଵ୍ୟଵହାର ହୋଇଥିଵା ମରିଚ ଶବ୍ଦର ଅର୍ଥ ଗୋଲମରିଚ ଅଟେ କାରଣ ବଳରାମ ଦାସଙ୍କ ସମୟରେ ଵା ତାପରେ ଲଙ୍କାମରିଚ ନୂଆ ନୂଆ ଭାରତକୁ ଆସିଥିଵାରୁ ସର୍ଵତ୍ର ଲୋକପ୍ରିୟ ହୋଇନଥିଵା ସହଜେ ଵିଶ୍ଵାସଯୋଗ୍ୟ ।
ସଂସ୍କୃତ କଳ୍ପଦ୍ରୁମ ଅଭିଧାନରେ 'ମରିଚଂ' ଶବ୍ଦର ନିରୁକ୍ତି ଲେଖାଅଛି “ମ୍ରିୟତେ ନଶ୍ଯତି ଶ୍ଲେଷ୍ମାଦିକମନେନେତି । ମୃ + ବାହୁଳକାତ୍ ଇଚଃ ।” ଗୋଲମରିଚର ସଂସ୍କୃତ ପର୍ଯ୍ୟାୟଵାଚକ ଶବ୍ଦଗୁଡ଼ିକ ହେଲା ପଵିତମ୍, ଶ୍ଯାମମ୍,କୋଳମ୍ ,ଵଲ୍ଲୀଜମ୍ ,ଊଷଣମ୍ ,ଯଵନେଷ୍ଟମ୍ ,ଵୃତ୍ତଫଳମ୍ ,ଶାକାଙ୍ଗମ୍ ,ଧର୍ମ୍ମପତ୍ତନମ୍ , କଟୁକମ୍ , ଶିରୋଵୃତ୍ତମ୍ , ଵୀରମ୍ , କଫଵିରୋଧି ,ମୃଷମ୍ ,ସର୍ଵ୍ଵହିତମ୍ ,କୃଷ୍ଣମ୍ ଓ ଵେଲ୍ଲଜମ୍ ଇତ୍ୟାଦି । ସୁଶ୍ରୁତଙ୍କ ସୂତ୍ରସ୍ଥାନର ୩୮ ଅଧ୍ଯାୟରେ ଗୋଲମରିଚକୁ ହିଁ ମରିଚ ଭାବେ ଉଲ୍ଲେଖ କରାଯାଇଛି
“ପିପ୍ପଳୀମରିଚଶୃଙ୍ଗଵେରାଣି ତ୍ରିକଟୁକମ୍ ॥”
ମୁସଲମାନମାନେ କନସ୍ଟାଣ୍ଡିନୋପଲ୍ ଅଧିକାର କରିନେଲା ପରେ ଦକ୍ଷିଣ ଏସୀୟ ବାଣିଜ୍ୟ ପଥ
ଦେଇ ଆଉ ଇଉରୋପରେ ଭାରତୀୟ ମସଲା ଵିଶେଷ କରି ଗୋଲମରିଚ ଓ ପିପ୍ପଳୀ ସହଜରେ ପହଞ୍ଚି ପାରିଲା ନାହିଁ । ଯଦି ଵା କିଛି ପରିମାଣରେ ପହଞ୍ଚିଲା ତାହାର ମୂଲ୍ୟ ଆକାଶଛୁଆଁ ହେଲା । ତେଣୁ ନିଜ ଥଣ୍ଡା ଦେଶରେ ଜନ୍ମିତ ଶରୀରକୁ କଟୁ ରାଗ ରସ ଆସ୍ଵାଦ ସୁଖରେ
ରେ ଭରିଵା ପାଇଁ ଇଉରୋପୀୟ ମାନେ ଅନେକ ଗୁଡିଏ ଜଳଯାତ୍ରା କରିଥିଲେ । ସଵୁ ୟୁରୋପୀୟ ଜାତିମାନଙ୍କ ମଧ୍ୟରେ ସ୍ପେନ ତଥା ପର୍ତ୍ତୁଗୀଜମାନେ ସର୍ଵାଧିକ ଜଳଯାତ୍ରା କରୁଥିଲେ ।
କଲମ୍ବସ ଭାରତକୁ ଉଣ୍ଡୁ ଉଣ୍ଡୁ ଆମେରିକାର ଭୂଭାଗ ପାଇଵା ପରେ ପର୍ତ୍ତୁଗୀଜମାନେ ହାଇତି ଦ୍ଵୀପରେ ପ୍ରଥମେ ଲଙ୍କାମରିଚ ଜାତୀୟ ଏକ ଗଛ ଜାତିର ସନ୍ଧାନ ପାଇ ଏହାର ନାମ ଦେଇଥିଲେ pimiento , ଏହି pimiento ଭାରତୀୟ ଗୋଲମରିଚର ୟୁରୋପୀୟ ପ୍ରତିଶବ୍ଦ ଥିଲା । ଆଜିକାଲି ସାଧାରଣତଃଶିମିଳା ଲଙ୍କାକୁ pimiento କୁହାଯାଉଛି ।
ଇଂରାଜୀରେ ଲଙ୍କାମରିଚକୁ Chili pepper କୁହାଯାଏ ଏଵଂ ଏହି Chili ଶବ୍ଦଟି ଆଜଟେକ୍ ମୂଳ ଆମେରିକୀୟ ଆଦିଵାସୀମାନଙ୍କର Nahuatl ଭାଷାରୁ ନିଆଯାଇଛି । ଏହାର ମୂଳରୂପ chīlli ଥିଲା । ପର୍ତ୍ତୁଗୀଜମାନେ ଭାରତ,ପାରସ୍ୟ, ଇଣ୍ଡୋନେସିଆ ଆଦି ଅନେକ ଦେଶରେ ଲଙ୍କାମରିଚ ଗଛକୁ ପ୍ରଥମେ ପହଞ୍ଚାଇଥିଲେ । କିନ୍ତୁ ଲଙ୍କାମରିଚ ଭାରତରେ ଏଭଳି ଭାବେ ଵ୍ୟାପିଗଲା ଯେ ପାଞ୍ଚଶହ ଵର୍ଷ ମଧ୍ୟରେ ଗୋଲମରିଚ ଵା କଳାମରିଚ,ପିପ୍ପଳି ତଥା ଧଳାମରିଚ(ସଜନା ମଞ୍ଜି)ର ସ୍ଥାନ ସମ୍ପୂର୍ଣ୍ଣ ଭାବରେ ନେଇଗଲା ।
ଲଙ୍କାମରିଚ ଏକ ଅଦ୍ଭୁତ ପାଦପ । ଏଥିରେ ଗୋଟିଏ ଯାଦୁ ଵା କିମିଆ ଅଛି ବୋଲି ପ୍ରାଚୀନ ଆମେରିକୀୟ ମୂଳନିଵାସୀ ଵିଶ୍ଵାସ କରୁଥିଲେ । ସେମାନଙ୍କ ଅନୁମାନ ସତ ବି ହୋଇଛି କାରଣ ପୃଥିଵୀର ଆଦ୍ର ତଥା ଶୁଷ୍କ ମରୁଭୂମି ଅଞ୍ଚଳଗୁଡି଼କୁ ଛାଡ଼ିଦେଲେ ପୃଥିଵୀରେ ପ୍ରାୟ ସର୍ଵତ୍ର ଲଙ୍କାମରିଚର ଚାଷ ହେଉଅଛି । ପୁଣି ପୃଥିଵୀର ସବୁ ଦେଶର ଲୋକେ ଲଙ୍କାମରିଚ ସହିତ ପରିଚିତ । ପୃଥିଵୀର ଏମିତି କୌଣସି ଦେଶ ନଥିଵ ଯେଉଁ ଦେଶରେ ଲଙ୍କାମରିଚ ମିଳୁନଥିଵ ।
ଲଙ୍କାମରିଚ ପ୍ରଜାତି Capsicumରେ ମୁଖ୍ୟତଃ ୨୦ରୁ ୨୭ଗୋଟି ମୂଳ ଜାତି ତଥା ୫୦୦୦୦ରୁ ଅଧିକ cultivar ଵା ଚାଷ କିସମ ରହିଛି । ମାତ୍ର ପାଞ୍ଚଶହ ଵର୍ଷ ମଧ୍ୟରେ ଲଙ୍କାମରିଚର ୨୦ରୁ ୨୭ଟି ମୂଳ ପାଦପଜାତି ମଧ୍ୟରୁ ପଚାଶ ହଜାରରୁ ଅଧିକ ଚାଷ କିସମ କେମିତି ସୃଷ୍ଟି ହୋଇଗଲା ତାହା ଆଜି ବି ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦିଏ ।
ଵୈଜ୍ଞାନିକମାନେ କୁହନ୍ତି ଏହି ୫୦୦୦୦ ଲଙ୍କାମରିଚ ଚାଷକିସମ ଵା cultivar ମଧ୍ୟରେ କେଵଳ ଚାରିହଜାର ଚାଷକିସମ(cultivar) ଲଙ୍କାମରିଚ ଜାତି Capsicum annuum ସହିତ ସମ୍ପର୍କିତ । ସେହିପରି ୬୦୦୦ରୁ ଅଧିକ ଲଙ୍କାମରିଚ ଚାଷ କିସମର ମୂଳ ଲଙ୍କାମରିଚ ଜାତି ଵିଷୟରେ ସମ୍ପୂର୍ଣ୍ଣ ଦ୍ଵନ୍ଦ୍ଵହୀନ ତଥ୍ୟ ମିଳିପାରିନାହିଁ । ଏଥିରୁ ସହଜେ ହୃଦବୋଧ ହୁଏ ଯେ କେତେ ଭୀଷଣ ଭାବରେ ଗତ ପାଞ୍ଚଶହ ଶତାବ୍ଦୀ ମଧ୍ୟରେ ନାନା ଚାଷକିସମ ସୃଷ୍ଟି ହୋଇଛି । କେତେକ ଜଣାଶୁଣା ଲଙ୍କାମରିଚ ଚାଷକିସମ ଓଡ଼ିଶାରେ ବହୁଳ ଭାବରେ ଲଗାଯାଏ ଯଥା — କୋଳିଲଙ୍କାମରିଚ,ଠିଆଲଙ୍କାମରିଚ,ଧଳାଲଙ୍କାମରିଚ,ରାଗ ଲଙ୍କାମରିଚ ଵା ଜହରି ଲଙ୍କାମରିଚ,ସଜି ଲଙ୍କାମରିଚ,ଦକ୍ଷିଣୀ ଲଙ୍କାମରିଚ ଓ ଧାନୁଆ ଲଙ୍କାମରିଚ ଇତ୍ୟାଦି ।
ଲଙ୍କାମରିଚ ତୀଵ୍ର, କଟୁରସ, ଉଷ୍ଣଵୀର୍ଯ୍ୟ, ଅଗ୍ନିବର୍ଦ୍ଧକ ଓ ରୁଚିକର। ପ୍ରାୟ ସମସ୍ତ ରୋଗପକ୍ଷରେ ଏହା ଅନିଷ୍ଟକର କିନ୍ତୁ ଭାରତୀୟମାନେ ଏହାକୁ ଅଧୁନା ଏତେ ପରିମାଣରେ ଵ୍ୟଵହାର କରୁଛନ୍ତି ଯେ ହୃଦରୋଗ, ମଧୁମେହ,ଅର୍ଶାଦି ଵିଭିନ୍ନ ରୋଗ ଭୋଗ କରୁଛନ୍ତି । ଲଙ୍କାମରିଚ ଗୋଟିଏ ଦୁଇଧାରିଆ ଖଣ୍ଡାପରି ଏହାକୁ ବୁଝି ଵିଚାରି ଖାଦ୍ଯଦ୍ରଵ୍ୟରେ ଵ୍ୟଵହାର କଲେ ଏଵଂ ଯଥା ସମ୍ଭଵ ଭାରତୀୟ ମରିଚ କଳାମରିଚ ଵା ଗୋଲମରିଚକୁ ମହତ୍ତ୍ଵ ଦେଲେ ଭାରତୀୟମାନେ ନିରୋଗ ରହିପାରନ୍ତେ ।
No comments:
Post a Comment