ସିଜର ଫେଡରିକ୍ ନାମରେ ଜଣେ ଇଟାଲୀୟ ଵଣିକ ଥିଲେ । ସେ ୧୫୬୩ ଖ୍ରୀଷ୍ଟାବ୍ଦରେ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆ ଵିଶେଷତଃ ପୂର୍ଵଭାରତୀୟ ଦ୍ଵୀପପୁଞ୍ଜଗୁଡି଼କୁ ବୁଲିଵାକୁ ଆସିଥିଲେ । ସେ ନିଜ ଦେଶକୁ ଫେରିଯାଇ ନିଜ ଯାତ୍ରାର ଵିଵରଣୀ ଇଟାଲୀୟ ଭାଷାରେ ଲେଖିଥିଲେ । ପରେ ସେହି ଯାତ୍ରା ଵିଵରଣୀକୁ ମାଷ୍ଟର୍ ଥୋମାସ୍ ହିକକ୍(Master thomas hikak) ନାମକ ଜଣେ ଲେଖକ ଇଂରାଜୀ ଭାଷାରେ ଅନୁଵାଦ କରିଥିଲେ । ସିଜର୍ ଫେଡରିକ୍ଙ୍କ ଯାତ୍ରା ଵିଵରଣୀର ଇଂରାଜୀ ଅନୁଵାଦିତ ସଂସ୍କରଣରେ ଓଡ଼ିଶାର ନୌଵାଣିଜ ତଥା ଚାଉଳ ଓ ଵସ୍ତ୍ର ରପ୍ତାନୀ ଵିଵରଣୀ ଵିଷୟରେ ଯାହା ଲେଖାଅଛି ତାହା ଏଠାରେ ପ୍ରଦତ୍ତ ହେଲା...
“Orissa was a fair Kingdom and a trusted one ...
Every year in the coast of orissa were laden five and twenty or thirty ships, great and small with rice and diverse sorts of fine and white bunbate(inflated style) cloth”
ଏହାର ଓଡ଼ିଆ ଭାଵାର୍ଥ ଏଇଆ ଯେ "ଓଡ଼ିଶା ଏକ ମନୋରମ ରମଣୀୟ ସ୍ଥାନ । ପ୍ରତିଵର୍ଷ ଓଡ଼ିଶା ବନ୍ଦରରୁ ଛୋଟ ବଡ଼ ପଚିଶ ତିରିଶ ଗୋଟି ବୋଇତରେ ଚାଉଳ ଓ ସୂକ୍ଷ୍ମ ଧଳାଵସ୍ତ୍ର ବୋଝେଇ ହୋଇ ଏଠାକୁ ଆସେ ।”
ସୂଚନାଯୋଗ୍ୟ ଯେ ସେ ସମୟରେ ଓଡ଼ିଶାର ନୌଵାଣିଜ୍ୟ କ୍ଷେତ୍ରରେ ସବୁଠାରୁ ଆଗରେ ଥିଲା ବାଲେଶ୍ଵର ଜିଲ୍ଲାର ଆଠଗୋଟି ବନ୍ଦର । ଏଥିରେ ସବା ଆଗରେ ଥିଲା ବାଲେଶ୍ଵର ଓ ପିପିଲି ବନ୍ଦର । ବୁଢ଼ାବଳଙ୍ଗ ନଦୀର ମୁହାଣ ନିକଟରେ ବାଲେଶ୍ବର ଆଗେ ଏକ ବଡ଼ ବନ୍ଦର ଥିଲା ।
ସିଜର ଫେଡରିକଙ୍କ ପୁସ୍ତକରୁ ଜଣାଯାଏ ଯେ ସେତେବେଳେ ବାଲେଶ୍ଵରରେ ଆଠଟି ବନ୍ଦର ଥିଲା । ଯଥା— ବାଲେଶ୍ଵର,ପିପିଲି, ଚାନ୍ଦବାଲି,ସାରଥା,ଛାନୁଆ,ଲଇଛଣପୁର,ଚୁଡ଼ାମଣି ଓ ଧାମରା । "ଯୁଗେ ଯୁଗେ ବାଲେଶ୍ଵର" ପୁସ୍ତକରୁ ଜଣାଯାଏ ଯେ ଆଗକାଳରେ ସ୍ଥାନୀୟ ଲୋକେ ନିଜ ପଣ୍ୟଦ୍ରଵ୍ୟ ବାଲେଶ୍ଵରକୁ ଵିକ୍ରି କରିଵାକୁ ଆଣିଵା ବେଳେ “ବ-ଅନଦର”କୁ ଯାଉଛୁ ବୋଲି କହୁଥିଲେ । ପୂର୍ଵେ ଏ ଅଞ୍ଚଳରେ ନୌଵାଣିଜ୍ୟ ଥିଲା,ବୋଇତ ନିର୍ମାଣ ହେଉଥିଲା ତଥା ଲଵଣ ପ୍ରସ୍ତୁତ କରାଯାଉଥିଲା ତେଣୁ ସତରଶହ ଶତାବ୍ଦୀ ଯାଏଁ ବାଲେଶ୍ଵର ଏକ ଵୈଭଵଶାଳୀ ଅଞ୍ଚଳ ଥିଲା । ୧୮୮୮ ଯାଏଁ ବାଲେଶ୍ଵରରେ ଲୁଣ ତିଆରି କାରଖାନା ଥିଵାରୁ ଲୋକଙ୍କୁ ସେତେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଵାକୁ ପଡ଼ୁନଥିଲା । କିନ୍ତୁ ନିମିକି ମାହାଲ ସୁଦୂର ମାନ୍ଦ୍ରାଜକୁ ଉଠେଇ ଦେଇ ବାଲେଶ୍ବରିଆଙ୍କୁ ରାତାରାତି ଇଂରେଜମାନେ କାଙ୍ଗାଳ କରିଦେଲେ । ଇଂରେଜମାନେ ଜନସାଧାରଣଙ୍କ ଦ୍ଵାରା ଲୁଣ ମାରିଵାକୁ ଆଇନ ବଳରେ ଅସିଦ୍ଧ ଘୋଷଣା କରି ଓଡ଼ିଆ ଲୋକଙ୍କୁ ଟିପେ ଲୁଣ ପାଇଁ ଚାରି ଦୁଆର ସୁଣ୍ଡିପିଣ୍ଡା ହେଵାକୁ ବାଧ୍ୟ କଲେ । ଚିନ୍ତା କରନ୍ତୁ କିଛି ଶହ ଵର୍ଷ ପୂର୍ଵେ ଯୋଉ ଜାତି ଏତେ ଆର୍ଥିକ ସମୃଦ୍ଧ ଥିଲା ସେ ଆଜି ଭାରତର ଏକ ଦରିଦ୍ର ଜାତିରେ କାହିଁକି ଗଣା ହେଉଛି ? କାରଣ ସ୍ପଷ୍ଟ ଯେତେ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରକୃତ ଓଡ଼ିଆ ଶାସକ ଥିଲେ, ଯେତେଦିନ ପର୍ଯ୍ୟନ୍ତ ଓଡ଼ିଶାରେ ଜାତି-ଏକତା ଥିଲା ଏଵଂ ଓଡ଼ିଶା ସ୍ଵାଧୀନ ଥିଲା ସେତେ ଦିନ ଯାଏଁ ଓଡ଼ିଶାରେ ଧନ ଧାନ୍ୟର ଅଭାଵ ନଥିଲା । ଯୋଉ ଦିନଠାରୁ ଦିଲ୍ଲୀ -କଲିକତା ଆଉ ମାନ୍ଦ୍ରାଜର ଲୋକଙ୍କ ନିକଟରେ ଓଡ଼ିଆ ଲୋକେ ପ୍ରଥମେ ରାଜନୈତିକ ତାପରେ ଆର୍ଥିକ ତଥା ଶେଷରେ ସାମାଜିକ ଓ ସାଂସ୍କୃତିକ ପରାଧୀନତା ସ୍ଵୀକାର କଲେ ସେଇ ଦିନଠାରୁ ଓଡ଼ିଶାର ଧିରେ ଧିରେ ରାଜନୈତିକ ଆର୍ଥିକ ସାମାଜିକ ସାଂସ୍କୃତିକ ଅଧୋଃପତନ ହୋଇ ଚାଲିଛି ।
ତେବେ ସତରଶହ ଶତାବ୍ଦୀ ପର୍ଯ୍ୟନ୍ତ ଏକ ସମୃଦ୍ଧ ନଗର ଥିଵା ବାଲେଶ୍ଵରର ନାମକରଣକୁ ନେଇ ଆମ୍ଭ ଦେଶର ଵିଦ୍ଵାନମାନଙ୍କ ମଧ୍ୟରେ ନାନା ମତ ପ୍ରଚଳିତ । ‘ଓଡ଼ିଆ ଭାଷାର ଉନ୍ମେଷ ଓ ଵିକାଶ’ ପୁସ୍ତକରେ ଡ. ଵାସୁଦେଵ ସାହୁ ମତ ଦେଇଛନ୍ତି ଯେ ବାଲେଶ୍ବର ମୂଳତଃ ଏକ ଯାଵନିକ ଶବ୍ଦ । ସମ୍ଭଵତଃ ଵାଲା-ଏ଼-ଶୋ଼ର ଶବ୍ଦ କ୍ରମେ ବାଲେଶ୍ବର ହୋଇଅଛି । ଏହା ଏକ ପାର୍ସୀ ଶବ୍ଦ ଓ ଏହାର ଅର୍ଥ ହେଲା ସମୁଦ୍ରକୂଳସ୍ଥ ସହର । ସେହିପରି ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଦୁଇଟି ପାର୍ସୀ ଶବ୍ଦ ଵାଲାଏ(ଉପରେ)+ସୋର(ସହର) ଶବ୍ଦ ଯୁକ୍ତ ହୋଇ ବାଲେଶ୍ବର ନାମ ହୋଇଛି ।
କେତେକ ଲୋକେ କହିଥାନ୍ତି ଯେ ବାଲି ଓ ସହର ଶବ୍ଦର ମିଶ୍ରଣରୁ ବାଲିସହର ଶବ୍ଦ ସୃଷ୍ଟି ହୋଇଥିଲା ଏଵଂ ତାହା କ୍ରମଶଃ ବାଲେସୋର ଓ ଶେଷରେ ବାଲେଶ୍ବର ହୋଇଅଛି । ଐତିହାସିକ ବାଲି ଦ୍ଵୀପକୁ ଏଠାରୁ ଯାତ୍ରା କରାଯାଉଥିଵାରୁ ପୂର୍ଵେ ବାଲେଶ୍ଵର ନଗରର ନାମକରଣ ମଧ୍ୟ ବାଲି ହୋଇଥିଲା ବୋଲି ଏମାନେ ଅନୁମାନ କରନ୍ତି । ତେବେ ଏହାର କୌଣସି ସ୍ପଷ୍ଟ ପ୍ରମାଣ ଥିଵା ଜଣାଯାଏ ନାହିଁ ଯେ ପୂର୍ଵେ ବାଲେଶ୍ଵର ନଗରର ନାମ ବାଲି ଦ୍ଵୀପ ଆଧାରରେ ବାଲି ହିଁ ଥିଲା । ଐତିହାସିକ କୁହନ୍ତି ଆଗେ ବାଲେଶ୍ଵର ନଗରର ନାମ କୋଶାମ୍ବ ଥିଲା ।
ଆଉ କିଛି ଲୋକ ମତ ଦିଅନ୍ତି ଯେ ଏ କୋଶାମ୍ବ ଵା ବାଲେଶ୍ଵର ନଗରକୁ ତୃତୀୟ ଶତାବ୍ଦୀରେ ଉତ୍କଳର ଜନୈକ ରାଜା ବାଲୁକେଶ୍ଵର ସ୍ଥାପନ କରିଥିଲେ ବୋଲି ଏ ନଗରର ନାମ ସର଼ଵପ୍ରଥମେ ତାଙ୍କ ନାମାନୁସାରେ ବାଲୁଙ୍କେଶ୍ୱର ନାମକରଣ ହୋଇଥିଲା ଯାହା ପରେ ପରେ ବାଲେଶ୍ଵର ହୋଇଅଛି ।ପୁଣି କିଛି ଲୋକ କୁହନ୍ତି ବାଲେଶ୍ବର ଓ ଏହାର ଆଖପାଖରେ ଶିଵଙ୍କ ପ୍ରଶିଦ୍ଧ ମନ୍ଦିର ଅନୁସାରେ ସେହି ମନ୍ଦିର ଥିଵା ସହର ସବୁର ନାମକରଣ ହୋଇଅଛି । ଉଦାହରଣ ସ୍ୱରୂପ ଜଳେଶ୍ବର,ପଞ୍ଚଲିଙ୍ଗେଶ୍ଵର,ଚନ୍ଦନେଶ୍ଵର,ଭୂଷଣ୍ଡେଶ୍ଵର,ଲଙ୍ଗଳେଶ୍ଵର ଆଦି ଅନେକ ଅଞ୍ଚଳ ଏଠାରେ ଅଛି । ଏସବୁ ଅଞ୍ଚଳରେ ଏହି ନାମରେ ଗୋଟିଏ ଗୋଟିଏ ମନ୍ଦିର ମଧ୍ଯ ଅଛି । ସେଇଭଳି ବହୁତ ସମ୍ଭବ ଏଠାରେ ଏକ ଅପ୍ରଶିଦ୍ଧ ଶିବ ମନ୍ଦିର ବାଲୁଙ୍କେଶ୍ଵର ନାମରେ ଏ ସହରର ନାମ ଅପଭ୍ରଂଶ ହୋଇ ବାଲେଶ୍ବର ହୋଇଥାଇପାରେ ।
ଆଉ କେତେକଙ୍କ ମତରେ ବାଣେଶ୍ଵର ଭଗଵାନଙ୍କ ନାମାନୁସାରେ ଏ ନଗରର ନାମକରଣ ବାଣେଶ୍ୱର ହୋଇଥିଲା ଯାହା କ୍ରମେ ବାଲେଶ୍ଵର ହୋଇଅଛି । ଏହିପରି ଅନ୍ୟ ଏକ ନଗର ଜଳେଶ୍ଵର ମଧ୍ୟ ଏ ଜିଲ୍ଲାରେ ଥିଵାରୁ ଏହି ମତକୁ ଅନେକେ ଵିଶ୍ୱାସ କରନ୍ତି । ପୁରୁଣା ବାଲେଶ୍ଵର ନଗରରେ ଆଜି ବି ବାଣେଶ୍ୱର ଭଗଵାନଙ୍କ ମନ୍ଦିର ଅଵସ୍ଥିତ । ଏହି ମତକୁ ସେଥିପାଇଁ ଅଧିକ ଲୋକେ ଗ୍ରହଣ କରିଥାନ୍ତି ।
ଅନ୍ୟ ଏକ ମତ ଅନୁସାରେ ଅଵିଭକ୍ତ ବାଲେଶ୍ବର ଜିଲ୍ଲା ଯେହେତୁ ପ୍ରାଚୀନକାଳରୁ ଅଷ୍ଟାଦଶ ଶତାବ୍ଦୀ ଯାଏଁ ନୌଵାଣିଜ୍ୟ ଓ ନୌଯାତ୍ରା ପାଇଁ ଲୋକପ୍ରିୟ ଥିଲା ଏଵଂ ଏଠାରୁ ସାଧାରଣତଃ ବାଲିଦ୍ଵୀପକୁ ବୋଇତ ମାନ ଆତଯାତ ହେଉଥିଲା ତେଣୁ ଏ ବାଲି ଶବ୍ଦ ବଦଳିଯାଇ ପରଵର୍ତ୍ତୀ କାଳରେ ବାଲେଶ୍ବର ନାମ ହୋଇଛି । ବାଲେଶ୍ବରରେ ବାଲିଘାଟ ବନ୍ଦର ଓ ପରମିଟ ଘାଟ ତଥା ଉନବିଂଶ ଶତାବ୍ଦୀର ତୃତୀୟ ଵର୍ଷରେ ସୁନାମୀ ଯୋଗୁଁ ନଷ୍ଟ ଧ୍ଵଂସ ହୋଇଯାଇଥିଵା ପିପିଲି ଆଦି ଅନେକ ପୋତାଶ୍ରୟର ଐତିହାସିକ ଚିହ୍ନ ଆଜି ବି ଏ ଅଞ୍ଚଳରେ ଏହି ପ୍ରାଚୀନ ନୌଵାଣିଜ୍ୟ ତଥା ନୌଯାତ୍ରାର ପ୍ରମାଣ ଦେଇଥାଏ ।
ବାଲେଶ୍ଵର ନାମକରଣକୁ ନେଇ ଆଉ ଏକ ମତ ମଧ୍ୟ ଏଠାରେ ଉଲ୍ଲେଖଯୋଗ୍ୟ। କିଛି ଲୋକଙ୍କ ମତରେ ବାଲେଶ୍ଵର ନଗରର ପାଖରେ ଆଉ ଏକ ନଗର ଅଛି 'ସୋର' ଵା ସୋରୋ । ଏହି ସୋର ନଗର ସହିତ ବାଲି ଯୁକ୍ତ ହୋଇ ପ୍ରଥମେ ବାଲିସୋର ହୋଇଥିଵ ଏଵଂ ପରେ ତାହା ବାଲେସୋର ଓ ଶେଷରେ ବାଲେଶ୍ବର ହୋଇଥିଵ । ଏଭଳି ନାମକରଣର ଅନ୍ୟ କେତେକ ଉଦାହରଣ ଏଇ ଓଡ଼ିଶାରେ ହିଁ ଦେଖିଵାକୁ ମିଳିଯାଏ । ଢେଙ୍କାନାଳରେ ମହିମାଗାଦି ପାଇଁ ଜଣାଶୁଣା ଯୋରନ୍ଦା ପାଖରେ ଗୋଟିଏ ଗ୍ରାମ ରହିଛି ବାଲିଯୋରନ୍ଦା ।
କିନ୍ତୁ ଅଧିକାଂଶ ଭାଷାଵିଦ କୁହନ୍ତି ଯେ ବାଲେଶ୍ବର ନାଁ ପର୍ତ୍ତୁଗୀଜ ଶବ୍ଦ ବେଲ -ଇ -ଶୋର ବା ପୋତାଶ୍ରୟ ଵା ସମୁଦ୍ର କୂଳ ସହରରୁ ସୃଷ୍ଟି । ପର୍ତ୍ତୁଗାଲୀ ଭାଷାରେ ଥିଵା ଯେଉଁ ଶବ୍ଦଟି ଵିଷୟରେ ଭାଷାଵିଦମାନେ ଉଲ୍ଲେଖ କରନ୍ତି ସେ ଶବ୍ଦଟି କେହି ଠିକ୍ରେ ଜଣାଇ ପାରନ୍ତି ନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପର୍ତ୍ତୁଗାଲୀ ଭାଷାରେ ପୋତାଶ୍ରୟ ଓ ପୋର୍ଟ୍ର ନିମ୍ନଲିଖିତ ପ୍ରତିଶବ୍ଦ ସବୁ ରହିଛି ।
ଯଥା—porta,portão,portinhola,porto,bombordo,escotilha,orifício,praia,costa,margem,orla ଓ a escora ଇତ୍ୟାଦି ।
ଏହି ସବୁ ଶବ୍ଦ ମଧ୍ୟରେ a escora ଶବ୍ଦଟି କୁ ଛାଡ଼ି ଦେଲେ ଅନ୍ୟ କୌଣସି ଶବ୍ଦରୁ ବାଲେଶ୍ଵର ଶବ୍ଦ ସୃଷ୍ଟି ହେଵା ଅସମ୍ଭଵ । ଏହି a escora ଶବ୍ଦଟିରୁ ସୋରୋ ଓ ବାଲେଶ୍ଵର ଶବ୍ଦ କେମିତି କିପରି କେଉଁ ପରିଵୃତ୍ତି ପ୍ରକ୍ରିୟାରେ ସୃଷ୍ଟି ହୋଇଅଛି ତାହା ଆଜିଯାଏଁ କୌଣସି ଭାଷାଵିଦ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିନାହାନ୍ତି । ପର୍ତ୍ତୁଗୀଜ୍ ଶବ୍ଦ a escora ଅପେକ୍ଷା ଇଂରାଜୀ shore ଶବ୍ଦ ସହିତ ଵରଂ ଓଡ଼ିଆ ସୋର ଵା ସୋରୋ ଓ ବାଲେଶ୍ଵରର ଅଧିକ ସାମଞ୍ଜସ୍ୟ ଦୃଶ୍ୟ ହୋଇଥାଏ । ସମ୍ଭଵତଃ shore ସହିତ ଵାହ୍ୟ ସାମ୍ୟ ଥିଵାରୁ ବାଲା -ଏ -ସୋରରୁ ବାଲେଶ୍ଵର ନାମକରଣ କରାଯାଇଛି ବୋଲି କେହି କେହି ଅନୁମାନ କରି ମତ ଦେଵା ଆରମ୍ଭ କରିଥିଲେ ।
ପୁନଶ୍ଚ ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଗକାଳରେ ଵୟସ୍କ ଲୋକେ ବାଲେଶ୍ଵରକୁ ବାଲିସର କହୁଥିଲେ । ଓଡ଼ିଆ ଭାଷାରେ ବାଲୁକାମୟ ସ୍ଥାନ,ବାଲୁ ଯୁକ୍ତ ପୋଖରୀ ଯେଉଁଠି ବାଲି ତଳେ ନିର୍ମଳ ଜଳ ଦୃଶ୍ୟ ହୋଇଥାଏ ଉକ୍ତ ସ୍ଥାନକୁ ବାଲିସରା କୁହାଯାଏ । ତାହେଲେ କ'ଣ ବାଲିସରା ଵା ବାଲିସର ଶବ୍ଦରୁ ବାଲେଶ୍ଵର ଶବ୍ଦ ସୃଷ୍ଟି ହୋଇଅଛି ?
ବାଲେଶ୍ଵର ନଗରର ୫୦୦ ଵର୍ଷ ଵା ତା ପୂର୍ଵଵର୍ତ୍ତୀ ନାମ କ'ଣ ଥିଲା ତାହାର ଯୁକ୍ତିଯୁକ୍ତ ତଥ୍ୟ ଏ ଅକିଞ୍ଚନ କୌଣସି ସ୍ଥାନରୁ ଏଯାଵତ୍ ପ୍ରାପ୍ତ କରି ପାରିନାହିଁ । ବାଲେଶ୍ଵରର ହିଁ କେତେକ ସ୍ଥାନୀୟ ଵିଦ୍ଵାନ କୁହନ୍ତି ଆଗେ ବାଲେଶ୍ଵର ବୋଲି କୌଣସି ନଗର ନଥିଲା ତେଣୁ ପ୍ରାଚୀନ ଇତିହାସରେ ଏ ନଗରର ନାମ ମିଳେନାହିଁ । ଅଵଶ୍ୟ କେତେକ ଐତିହାସିକ ପୁସ୍ତକରେ ବାଲେଶ୍ଵରର ପ୍ରାଚୀନ ନାମ କୋଶାମ୍ବ ଥିଵା ଉଲ୍ଲେଖ ଅଛି ।
ସୋର ଶବ୍ଦ ସହିତ ବାଲି ଶବ୍ଦ ଯୁକ୍ତ ହୋଇ ବାଲିସୋର ହୋଇଥିଵା ଏଵଂ ପରେ ତାହା ଇଂରାଜୀ ଭାଷାରେ ରୋମାନ ଲିପିରେ balasore ଲେଖାଯିଵା ଯୋଗୁଁ କ୍ରମଶଃ ବାଲାସୋର,ବାଲେସୋର ଓ ବାଲେଶ୍ଵର ହୋଇଥିଵା ମଧ୍ୟ ଅସମ୍ଭଵ ନୁହେଁ ।
ଆମେ ସମସ୍ତେ ଜାଣନ୍ତି ଯେ ବାଲେଶ୍ଵର ଜିଲ୍ଲାରେ ସୋର ବୋଲି ଗୋଟିଏ ନଗର ଅଛି । କିନ୍ତୁ ଯଦି ସୋର'ର ନାମରେ ବାଲି ଶବ୍ଦ ଯୁକ୍ତ ହୋଇ ବାଲେସୋର ଓ ଶେଷରେ ବାଲେଶ୍ବର ହୋଇଅଛି ତାହେଲେ ଆମକୁ ସେଇ ସୋର ନଗରର ନାମକରଣ ପଛର ଇତିହାସ ମଧ୍ଯ ଦେଖିଵାକୁ ହେଵ । ହୁଏତ ସୋର ଶବ୍ଦଟି ଏକ ଜନଜାତୀୟ ସାନ୍ତାଳୀ ଶବ୍ଦ ହୋଇଥିଵ ଯେହେତୁ ଉତ୍ତର ଓଡ଼ିଶାରେ ସାନ୍ତାଳମାନେ ବହୁସଂଖ୍ୟାରେ ରହୁଛନ୍ତି। କିନ୍ତୁ ସାନ୍ତାଳମାନେ ଏଭଳି କୌଣସି ଶବ୍ଦ ଵ୍ୟଵହାର କରୁଥିଵାର ଜଣାଯାଏ ନାହିଁ ଏଵଂ ସୋର ଅଞ୍ଚଳରେ ମଧ୍ୟ ସେତେ ସାନ୍ତାଳୀ ନାହାନ୍ତି ।
କଵିଵର ରାଧାନାଥ ରାୟଙ୍କ ଜନ୍ମ ଓ ପୈତୃକ ଗୃହ ସୋର ନଗର ନିକଟସ୍ଥ କେଦାରପୁର ଅଞ୍ଚଳରେ ହୋଇଥିଲା । ରାଧାନାଥ ରାୟ ଉଷା କାବ୍ୟରେ ଲେଖିଛନ୍ତି
"ରଣ ଵିଶାରଦ ଶୂରଙ୍କର ସ୍ଥଳି ସୋର ଵିଦିତ କମଳାଳଙ୍କୃତ ସର ରାଜେ ଯହିଁ ସ୍ମରଣାତୀତ"
ସୋରଵାସୀଙ୍କ ମଧ୍ୟରେ ଗୋଟିଏ ଲୋକଵିଶ୍ଵାସ ପ୍ରଚଳିତ ଯେ ସୋର ଅଞ୍ଚଳ ସୂର ଵା ଵୀରମାନଙ୍କର ଭୂମି ଥିଲା ବୋଲି ଏ ଅଞ୍ଚଳର ନାମକରଣ ସୂର ହୋଇଥିଲା ଯାହା ପରେ ସୋର ହୋଇଅଛି ।
ତାହେଲେ ‘ସୋର'ର ଠିକ୍ ପଶ୍ଚିମ ପାର୍ଶରେ ବାଲିସୋର ବୋଲି କୌଣସି ସ୍ଥାନ ଥିଲା କି ? ସେହି ପାଖରେ ବାଲିଆପାଳ ବୋଲି ସ୍ଥାନଟିଏ ମଧ୍ୟ ଅଛି । ବାଲିଆ ମାଟି ଯୁକ୍ତ ହୋଇଥିଵାରୁ ସମ୍ଭଵତଃ ଏଭଳି ନାମ ଦିଆଯାଇଥାଇପାରେ । ତାହେଲେ କ'ଣ ବାଲେଶ୍ଵର ନଗରର ମାଟି ବାଲିଆ ?
ବାଲେଶ୍ଵର ଜିଲ୍ଲାର ମାଟି ସମ୍ବନ୍ଧରେ କରାଯାଇଥିଵା ଏକ ଗଵେଷଣାରୁ ଜଣାଯାଏ ଯେ ଏ ଜିଲ୍ଲାରେ ମୁଖ୍ୟତଃ ଚାରିପ୍ରକାରର ମାଟି ଦେଖାଯାଏ । Saline soil ଵା ଲୁଣିମାଟି, alluvial soil ଵା ପଟୁମାଟି,sandy soil ଵା ବାଲିଆ ମାଟି ଏଵଂ laterite soil ଵା ମାଙ୍କେଡ଼ା (ପଥର )ମାଟି । ଅନୁସନ୍ଧାନରୁ ଜାଣିପଡ଼ିଛି ଯେ ଲୁଣିମାଟି(saline soil) ବାଲେଶ୍ଵର ଜିଲ୍ଲାର ଭୋଗରାଇ,ବାଲିଆପାଳ, ବାଲେଶ୍ଵର,ରେମୁଣା,ବାହାନଗା ଓ ସୋର ବ୍ଲକରେ ଦେଖିଵାକୁ ମିଳେ ।
ସେହିପରି ପଟୁମାଟି(Alluvial soil) ସିମୁଳିଆ,ସୋର,ରେମୁଣା, ବାଲେଶ୍ଵର,ବସ୍ତା,ଭୋଗରାଇ ଓ ଜଳେଶ୍ଵର ବ୍ଲକରେ ଦେଖିଵାକୁ ମିଳିଥାଏ ।
Laterite soil ଵା ମାଙ୍କେଡ଼ା ପଥର ମୁଖ୍ୟତଃ ଜଳେଶ୍ଵରର ରାଇବଣିଆ ଅଞ୍ଚଳ,ବସ୍ତା,ରେମୁଣା, ନୀଳଗିରି,ଅଉପଡ଼ା ଓ ଖଇରା ବ୍ଲକରେ ମିଳେ ।
କିନ୍ତୁ sandy soil ଵା ବାଲିଆମାଟି ଵିଶେଷ କରି ବାଲେଶ୍ଵର,ରେମୁଣା, ଅଉପଡ଼ା, ବାହାନଗା,ସୋର,ସିମୁଳିଆ ଓ ଖଇରା ବ୍ଲକରେ ଦେଖାଯାଏ ।
ବାଲେଶ୍ଵର ବ୍ଲକରେ ମୁଖ୍ୟତଃ ଲୁଣିମାଟି ସମୁଦ୍ର କୁଳ ଅଞ୍ଚଳରେ ଓ ପଟୁମାଟି ବୁଢ଼ାବଳଙ୍ଗ ନଦୀ ପାର୍ଶ୍ଵରେ ମିଳିଥାଏ କିନ୍ତୁ ପୁରୁଣା ବାଲେଶ୍ଵର ଯେଉଁଠାରେ ବାଣେଶ୍ୱର ଭଗଵାନଙ୍କ ମନ୍ଦିର ଅଵସ୍ଥିତ ସେଠାକାର ମାଟି ବାଲିଆ ଏଵଂ କେଉଁଠି କେଉଁଠି ପଟୁ ମାଟି ମଧ୍ୟ ମିଳିଥାଏ ବୋଲି ସ୍ଥାନୀୟ ଲୋକଙ୍କୁ ପଚାରିଵାରୁ ଜାଣିଵାକୁ ମିଳିଛି । ତେଣୁ ବହୁତ ସମ୍ଭଵ ବାଲି ସହିତ ବାଲେଶ୍ଵର ନଗରର କୌଣସି ନା କୌଣସି ସମ୍ପର୍କ ଥାଇପାରେ ବୋଲି ହୃଦବୋଧ ହେଉଅଛି । ଏସବୁ ଆଲୋଚନରୁ ହୃଦୟଙ୍ଗମ ହେଉଅଛି ଯେ ସୋର ସହିତ ବାଲି ଶବ୍ଦ ଯୁକ୍ତ ହୋଇ ମଧ୍ୟ ବାଲିସୋର ଓ ଶେଷରେ ବାଲେଶ୍ବର ହୋଇଥାଇପାରେ।
ଏଠାରେ ସୂଚନାଯୋଗ୍ୟ ଯେ ସଂସ୍କୃତରେ ସୋର ଶବ୍ଦର ଏକ ଅର୍ଥ "ଵକ୍ରଗତି" । ଆମେ ମାନଚିତ୍ର ଦେଖିଲେ ସ୍ପଷ୍ଟ ଭାବରେ ଜାଣିପାରନ୍ତି ଯେ ବାଲେଶ୍ଵର ଓ ସୋର ଏ ଉଭୟ ଅଞ୍ଚଳର ବେଳାଭୂମି କିଭଳି ଵକ୍ରକାର ଦୃଶ୍ୟ ହୋଇଥାଏ । ତାହେଲେ କ'ଣ ସୋର ନଗରର ନାମକରଣ ଵକ୍ରଗତି ଲାଭ କରିଥିଵା ବେଳାଭୂମି ନିକଟରେ ସ୍ଥିତ ନଗର ଭାବେ ପୂର୍ଵେ କରିଯାଇଥିଲା ଏଵଂ ଏହାର ପୂର୍ଵରେ କିଛି ଦୂରରେ ଅନ୍ୟ ଏକ ନଗରୀକୁ ବାଲିସୋର ନାମ ଦିଆଯାଇଥିଲା ଯାହା ପରେ ବାଲେଶ୍ଵର ହୋଇଅଛି ?
ସଂସ୍କୃତ ବାଲେଶ୍ଵରରେ ଏମିତି ଅନେକ ସ୍ଥାନର ନାମ ସଂସ୍କୃତମୂଳର ଯଥା ପାଂସକୁଲି ! ବାଲେଶ୍ଵର ଜିଲ୍ଲାର ଏହି ଛୋଟ ନଗରଟି ରାଜପଥ ନିକଟରେ ଅଵସ୍ଥିତ । ସଂସ୍କୃତ ଭାଷାରେ ପାଂଶୁକୁଳୀ ଶବ୍ଦର ଅର୍ଥ ରାଜପଥ । ତେଵେ ଏହି ସମସ୍ତ ମତ ମଧ୍ୟରେ କେଉଁ ମତଟି ଯୁକ୍ତିଯୁକ୍ତ ତାକୁ ନେଇ ଵିଦ୍ଵାନମାନଙ୍କ ମଧ୍ୟରେ ଵିଵାଦ ଛିଣ୍ଡିନାହିଁ । ବାଲେଶ୍ଵର ନଗରର ଅତୀତ ଇତିହାସ ଆଜି ବି ଅନେକାଂଶରେ ଅନାଲୋଚିତ ହୋଇରହିଛି। ଏଭଳି ପରିସ୍ଥିତିରେ ବାଲେଶ୍ଵର ନଗର ନାମକରଣ ପଛରେ ଥିଵା ନାନା ମତ ମଧ୍ୟରେ କୌଣସି ଗୋଟିଏକୁ ଅଧିକ ମହତ୍ତ୍ଵ ଦେଵା ଅପେକ୍ଷା ଏ ଵିଷୟରେ ଆହୁରି ଅଧିକରୁ ଗଵେଷଣା କରାଯିଵା ନିତାନ୍ତ କର୍ତ୍ତଵ୍ୟ ।
No comments:
Post a Comment