Monday, November 7, 2022

ବୋଇତ ଶବ୍ଦ ଯୁକ୍ତ ଓଡ଼ିଆ ଶବ୍ଦ ସମ୍ଭାର:



🔴(ଫଳ/ପନିପରିଵାରେ ବୋଇତ)
(କ)ବୋଇତାଳୁ— କେତେକ ଅଞ୍ଚଳରେ ଏହାକ କଖାରୁ କୁହାଯାଏ କେତେକ ଅଞ୍ଚଳରେ ମଖନା କୁହାଯାଏ । କଥିତ ହୁଏ ପୂର୍ଵକାଳରେ ବୋଇତିଆଳମାନେ ଏହାକୁ ବୋଇତରେ ନେଇଯାଉଥିଵାରୁ ଏହାର ନାମକରଣ ଏପରି କରାଯାଇଛି । ମତାନ୍ତରେ କଖାରୁ ଵା ବୋଇତାଳୁ ମୂଳତଃ ଏକ ଵୈଦେଶିକ ଲତିକା ଵିଶେଷତଃ ଆମେରିକା ମହାଦେଶର ଲତିକା ଅଟେ । ଏହା ଵୈଦେଶିକମାନଙ୍କ ଦ୍ଵାରା ପ୍ରଥମେ ଓଡ଼ିଶାକୁ ଅଣାଯାଇଥିଵାରୁ ଏହାର ନାମକରଣ ବୋଇତାଳୁ ହୋଇଥିଲା । ଅନ୍ୟ ଏକ ମତ ଅନୁସାରେ ବୋଇତାଳୁ ପରିଵାର ଖୋଳପାକୁ ଶୁଖାଇ ପୂର୍ଵକାଳରେ ପିଲାଏ ଡଙ୍ଗା କରି ଭସାଉଥିଲେ ଵା ବୋଇତ ଭସାଣୀ ସମୟରେ ଏହାର ଖୋଳପାକୁ ଡଙ୍ଗା କରି ଭସା ଯାଉଥିଲା ବୋଲି ବୋଇତାଳୁ ନାମକରଣ ହୋଇଛି ।

🔴(ଖେଳରେ ବୋଇତ)
(ଖ)କାଞ୍ଜିଗାତ ଖେଳର ଗାତକୁ କେତେକ ଅଞ୍ଚଳରେ ବୋଇତ ଓ କେତେକ ଅଞ୍ଚଳରେ କାଞ୍ଜିଗାତ କୁହାଯାଉଥିଲା । ଏ ଖେଳରେ ଗୋଟିଏ ଧାଡ଼ିରେ ୭ଟି ଗାତ ଥାଏ, କିନ୍ତୁ ୬ଟି ଗାତରେ ୧୨ଖଣ୍ଡି ଲେଖାଏଁ ସାର ରଖାଯାଏ । ଧାଡ଼ିର ଶେଷ ମୁଣ୍ଡର ଗାତଟି ଖେଳାଳିର କାଞ୍ଜିଗାତ ଵା ବୋଇତ। ସେଥିରେ କିଛି ସାର ନ ଥାଏ। ପ୍ରଥମେ ଜଣେ ଖେଳାଳି ଆପଣା ମନଇଚ୍ଛା ଗୋଟିଏ ଗଦାରୁ ସାରଯାକ ଉଠାଇ ଡାହାଣ ଆଡ଼କୁ ଥିଵା ପ୍ରତି ଗାତରେ (କେଵଳ ଵିପକ୍ଷର ଶେଷ ଗାତକୁ ଛାଡ଼ି) କଟେ ଲେଖାଏଁ ସାର ପକାଇଯାଏ। ଏହିପରି କରୁ କରୁ ଯେବେ ଆପଣାର ଗାତ ପାଖକୁ ଆସିଲା ବେଳକୁ ତା ହାତରେ ଥିଵା ସବୁ ସାରଯାକ ନିଃଶେଷିତ ହୋଇଯାଏ, ତେବେ ସେ ମଲା। ଏହିପରି କରୁ କରୁ ଯେବେ ଆପଣା ବୋଇତ ଗାତରେ ଅନ୍ଯ ଖେଳାଳିର ଗାତ ଅପେକ୍ଷା ବେଶି ସାର ଥିଵାର ଦେଖାଯାଏ ତେବେ ସେ ଜିତେ। ତା ପରେ ଅନ୍ଯ ଖେଳାଳି ଖେଳେ। 


🔴(ଜାହାଜରେ ଯାଉଥିଲେ ଯେଉଁମାନେ ସେମାନେ ବୋଇତିଆଳ ବୋଲାଉଥିଲେ)
ଗ) ବୋଇତିଆଳ— ପୂର୍ଵକାଳରେ ଵ୍ୟାପାରୀ ,ନାଵିକ,ପୂଜକ,ଜ୍ୟୋତିଷ, ଖଣ୍ଡାୟତ ଵା କ୍ଷତ୍ରିୟମାନେ ବୋଇତିଆଳ ରୂପେ ଯାଉଥିଲେ । ସାଧଵ ଵ୍ୟାପାରୀମାନେ ଵ୍ୟାପାର କରିଵାକୁ ଯାଉଥିଲେ । ପଥ ପ୍ରଦର୍ଶକ ଭାବେ ନାଵିକ ତଥା ଜ୍ୟୋତିଷମାନେ ମଧ୍ୟ ଯାଉଥିଲେ । ସେହିପରି ଶୁଭକାମନା ତଥା ପୂଜାର୍ଚ୍ଚନା ହେତୁ ବ୍ରାହ୍ମଣମାନେ ଯାଉଥିଲେ ଏଵଂ ଏସମସ୍ତଙ୍କୁ ବୋମ୍ବାଟିଆ ଵା ଜଳଦସ୍ୟୁଙ୍କଠାରୁ ରକ୍ଷା କରିଵା ହେତୁକ ଖଣ୍ଡାୟତ ଵା କ୍ଷତ୍ରିୟମାନେ ବୋଇତରେ ରକ୍ଷକର କାର୍ଯ୍ୟ ତୁଲାଉଥିଲେ । 

🔴(କୁଦର ନାମ ବୋଇତକୁଦ )
(ଘ)ବୋଇତକୁଦ— ବୋଇତ ଯେଉଁ କୁଦରେ ଲାଗେ ତାହା ବୋଇତକୁଦ ବୋଲାଏ । କୌଣସି କୌଣସି ନଦୀର ମୁହାଁଣରେ କୂଳ ଖୋଳା ହୋଇ କୂଳଆଡ଼କୁ ଲାଗି ଯେଉଁ କୁଦ ଦୁଇଟି କରାଯାଇ ଥାଏ ଓ ବୋଇତ ସମୁଦ୍ରରୁ ଆସି ଯହିଁର ମଝିରେ ରହେ ତାକୁ ବୋଇତକୁଦ କୁହାଯାଉଥିଲା । ପ୍ରାଚୀ ନଦୀକୂଳରୁ ପ୍ରାୟ ୧/୪ ମାଇଲ ଦୂର ଯାଏଁ ଜମି ଖୋଳାଯାଇ, ତାହାର ଦୁଇ ଦିଗରେ ଦୁଇଟି ମାଟିକୁଦ କରାଯାଇଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି । ସେହି ସ୍ତୂପ ଦ୍ୱୟର ମଧ୍ୟସ୍ଥାନକୁ ଆସି ବୋଇତମାନ ରହୁଥିଲା । ତୁଳସୀପୁର ନାମକ ସ୍ଥାନର କିୟତ୍ ଦୂରରେ ସେହିପରି ଗୋଟିଏ କୁଦରେ ଗୋଟିଏ ପ୍ରକାଣ୍ଡ ଲୁହା ଶାବଳ ପୋତା ଯାଇଥିଲା । ବୋଧହୁଏ ଦଉଡ଼ିଦ୍ୱାରା ବୋଇତମାନ ସେହି ଶାବଳରେ ଖଟାଇ ରଖା ଯାଉଥିଲା । 

🔴(ବୋଇତ ଲଙ୍ଗର ପକାଇଵାର ଓଡ଼ିଆ କ୍ରିୟା ପ୍ରତିଶବ୍ଦ)

(ଙ)ବୋଇତ ଖଟାଇଵା ଵା ବୋଇତ ଖଟେଇଵା—

ଆଗକାଳରେ ବୋଇତ ଵା ଜାହାଜକୁ କୌଣସି ସ୍ଥାନରେ ନଙ୍ଗର କରିଵାକୁ ବୋଇତ ଖଟାଇଵା/ଖଟେଇଵା କୁହାଯାଉଥିଲା । ଏ ଶବ୍ଦ ଅଧୁନା ପ୍ରାୟତଃ ଵିଲୁପ୍ତ । 


🔴(ବୋଇତ ସମ୍ବନ୍ଧୀୟ ପରମ୍ପରା)
(ଚ)ବୋଇତ ବନ୍ଦାଇଵା/,ବନ୍ଦେଇଵା

ବାଣିଜ୍ୟପୋତ ଵ୍ୟଵସାୟ ନିମନ୍ତେ ପ୍ରଥମେ ଅନୁକୂଳ କରିଯିଵା ସମୟରେ ଓ ବିଦେଶରୁ ଫେରିଆସିଵା ସମୟରେ ଆଗେ ସାଧଵ ବଣିକମାନଙ୍କ ସାଧବାଣୀ ସ୍ତ୍ରୀମାନେ ସାତଦୀପ ଆଦି ଦ୍ୱାରା ଵାଣିଜ୍ୟପୋତକୁ ବନ୍ଦାପନା କରୁଥିଲେ ତାକୁ ବୋଇତ ବନ୍ଦାଣ କୁହାଯାଉଥିଲା । ପରଵର୍ତ୍ତୀକାଳରେ ନୌଵାଣିଜ୍ୟ ବନ୍ଦ ହେଵା ପରେ ଏହା ସାଂସ୍କୃତିକ ପରମ୍ପରାରେ ପରିଣତ ହେଲା । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ବଣିକ ପରିଵାରର ସ୍ତ୍ରୀମାନେ ଫୁଲ ଓ ସାତଦୀପ ନେଇ ବୋଇତକୁ ବନ୍ଦାପନା କରୁଥିଲେ । ଭାଷାକୋଷ ଲେଖନ ସମୟରେ କାର୍ତ୍ତିକ ଅମାଵାସ୍ୟାର ପରଦିନ ଅତି ପ୍ରତ୍ୟୁଷରୁ ଓଡ଼ିଆ ଗୃହର ସ୍ତ୍ରୀମାନେ ଅଗଣାରେ ମୁରୁଜରେ ଏଵଂ ପୀଠରେ ବୋଇତର ଵା ଡଙ୍ଗାର ଚିତ୍ର ଲେଖି ସେହି କଳ୍ପିତ ବୋଇତ ଉପରେ ପେଟରା, ବାକସ ଓ ବାସନ ଆଦି ଆଣି ଜମା କରି ବୋଇତକୁ ବନ୍ଦାଉଥିଲେ । ଏ‌ହି ପରମ୍ପରା ଏବେ କେଵଳ ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ ମହାଶୟଙ୍କ ଭଳି କେତେକ ସାଧଵ ପରିଵାର ମଧ୍ୟରେ ହିଁ ସୀମିତ ହୋଇ ରହିଯାଇଛି । ସମ୍ଭଵତଃ ଏହି ଅନୁଷ୍ଠାନ ପ୍ରାଚୀନ ବଣିକମାନଙ୍କର ପ୍ରଥମ ସମୁଦ୍ରଯାତ୍ରାର ଅନୁକୂଳର ସ୍ମାରକ ଅଟେ । ସେହିପରି ରଜ ସଂକ୍ରାନ୍ତି ଵା ତତ୍ ପରଦିନ ଅର୍ଥାତ୍ ଠକୁରାଣୀଗାଧୁଆ ଦିନ ସକାଳେ ସ୍ତ୍ରୀମାନେ ଅଗଣାରେ ମୁରୁଜ ଆଦିରେ ବୋଇତର ଚିତ୍ର କାଟି ତାହା ଉପରେ ବାକ୍ସ ଆଦି ରଖି ବନ୍ଦାପନା ଓ ଲକ୍ଷ୍ମୀପୂଜା କରୁଥିଲେ ବୋଲି ଭାଷାକୋଷରେ ଲେଖାଅଛି। ଏହା ବୋଇତ ଫେରି ଆସିଵା ସମୟରେ କରାଯାଉଥିଵା ବନ୍ଦାପନାର ସ୍ମାରକ ବୋଲି ସହଜେ ଅନୁମେୟ କାରଣ ପୂର୍ଵକାଳରେ ସାଧାରଣତଃ ମହାଵିଷୁଵ ପଣା ସଂକ୍ରାନ୍ତିଠାରୁ ରଜସଂକ୍ରାନ୍ତି ମଧ୍ୟରେ ଵିଦେଶକୁ ଯାଇଥିଵା ବୋଇତିଆଳମାନେ ଘରକୁ ବାହୁଡ଼ି ଆସୁଥିଲେ ଏଵଂ ରଜସଂକ୍ରାନ୍ତି ବେଳକୁ ପ୍ରାୟ ସମସ୍ତ ବୋଇତିଆଳ ଗରକୁ ଫେରି ଆସୁଥିଲେ । ତାହା ପରେ ଫରି ଆସିଥିଵା ବୋଇତକୁ ବନ୍ଦାପନା କରାଯିଵା ସହିତ ମଙ୍ଗଳା ଓ ଗଙ୍ଗାମାତାଙ୍କର ପୂଜାର୍ଚ୍ଚନା କରାଯାଉଥିଲା । ରଜ ସଂକ୍ରାନ୍ତି ଵା ତତ୍ପରଦିନ ବୋଇତ ବନ୍ଦାଣ ପରମ୍ପରା ଆଉ ବଞ୍ଚିଛି କି ଲୁପ୍ତ ତାହା ଅସ୍ପଷ୍ଟ । 

🔴(ବୋଇତ ସମ୍ବନ୍ଧୀୟ ପର୍ଵ)
(ଛ)ବୋଇତ ଭସାଣ—
ଓଡ଼ିଶାର ଲୋକେ ଅଧୁନା କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭସାଇଵାକୁ ନଦୀକୁ ପ୍ରତ୍ୟୂଷକୁ ଯାଉଅଛନ୍ତି । ଏହା ପ୍ରାଚୀନ ବୋଇତ ଗମନ ସ୍ମୃତିରେ ବଞ୍ଚି ରହିଥିଵା ଓଡ଼ିଆ ପରମ୍ପରା ମାତ୍ର । କାର୍ତ୍ତିକ ମାସରେ ଶ୍ରୀଲକ୍ଷ୍ମୀଙ୍କୁ ଆରାଧନା କରିସାରିଵା ପରେ ଵିଦେଶକୁ ଯିଵାକୁ ଥିଵା ବୋଇତରେ ମୂଲ୍ୟଵାନ ସୂକ୍ଷ୍ମ ଵସ୍ତ୍ର ଓ ସମ୍ବଲପୁରୀ ପାଟ ଆଦି ଵସ୍ତ୍ର,ଚିଲିକାରୁ ପ୍ରାପ୍ତ ମୋତି,ତାରକସି ଅଳଙ୍କାର,ଚାଉଳ ଓ ଭାରତୀୟ ମସଲା ତଥା ଭାରତୀୟ ଔଷଧ ଆଦି ବୋଝେଇ ହେଉଥିଲା । କାର୍ତ୍ତିକ ଅମାଵାସ୍ୟାରେ ବୋଝେଇ ହୋଇ ରହିଥିଵା ବୋଇତକୁ ବନ୍ଦାପନା କରାଯାଉଥିଲା ଏଵଂ କାର୍ତ୍ତିକ ପୂର୍ଣ୍ଣିମା ଦିନ ବୋଇତଗୁଡି଼କୁ ଓଡ଼ିଶାର ଲୋକେ ଵିଦା କରିଵାକୁ ନଦୀ ତଥା ସମୁଦ୍ର କୂଳକୁ ଆସୁଥିଲା । ଏହି ସମୟରେ ବୋଇତାଳଙ୍କ ଶୁଭ ମନାସିଵାକୁ ଯାଇ ଭଗଵାନ ଶିଵ,ଗଙ୍ଗାମାତା ତଥା ମାଆ ମଙ୍ଗଳାଙ୍କର ଆରାଧନା କରାଯାଉଥିଲା । 

🔴ବୋଇତ ସମ୍ବନ୍ଧୀୟ ଲକ୍ଷଣାର୍ଥକ ଶବ୍ଦ
(ଜ)ବୋଇତ ବୁଡ଼ିବା—

ଜାହାଜ ଶବ୍ଦ ଵୈଦେଶିକ ଆଗେ ଜାହାଜ ବୁଡ଼ିଵା ନକହି ଓଡ଼ିଆମାନେ ବୋଇତ ବୁଡ଼ିଵା କହୁଥିଲେ । ତେବେ ଏ ଶବ୍ଦଟି ଲକ୍ଷଣାର୍ଥ ଜୀଵିକା ନିର୍ଵାହର ଉପାୟ ଵା ଆଶା ଭାଙ୍ଗିଯିଵା ଅର୍ଥରେ ପ୍ରୟୋଗ କରାଯାଉଥିଲା । ଅଧୁନା ଏହାର ପ୍ରୟୋଗ କ୍ଵଚିତ ଦେଖାଯାଏ ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏ ଶବ୍ଦ ସ୍ଥାନିତ ହୋଇଅଛି । 

🔴ବୋଇତ ନାମରେ ତୁଠ
(ଝ)ବୋଇତ ଭଙ୍ଗା ତୁଠ— 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁଯାୟୀ ପୂର୍ଵେ ପୁରୀଜିଲ୍ଲା ଅଣିଆସାହି ଗ୍ରାମ ନିକଟରେ କୁଶଭଦ୍ରା ନଦୀର ତୁଠକୁ ବୋଇତ ଭଙ୍ଗା
ତୁଠ କୁହାଯାଉଥିଲା।ଜଗବନ୍ଧୁ ସିଂହଙ୍କ ପ୍ରାଚୀନ ଉତ୍କଳ ପୁସ୍ତକ ଅନୁସାରେ କିମ୍ବଦନ୍ତୀ ଅଛି ଯେ ପ୍ରାଚୀନ କାଳରେ ଏ ନଦୀରେ ବୋଇତ ଯାତାୟତ କରୁଥିଲା ଏଵଂ ଏଠାରେ ଖଣ୍ଡିଏ ବୋଇତ ଭାଙ୍ଗି ବୁଡ଼ି ଯାଇଥିଲା ।‌

🔴(ବୋଇତ ଵା ବୋଇତାଳ ନାମରେ ମନ୍ଦିର)
(ଞ)ବୋଇତାଳ ଦେଉଳ(ବୋଇତିଆଳ ଦେଉଳ, ବୈତାଳ ଦେଉଳ, ବୈତିଆଳ ଦେଉଳ)—
ଭୁବନେଶ୍ୱରରେ କପାଳୀ ଠାକୁରାଣୀଙ୍କ ଦେଉଳକୁ ବୋଇତାଳ ଦେଉଳ କୁହାଯାଏ ‌ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି ମନ୍ଦିର ଵିଷୟରେ ଲେଖାଅଛି ଯେ "ଏହା ବୋଇତର ଵା ଜାହାଜର ଆକାରରେ ନିର୍ମିତ ଓ ଜାହାଜର ୩ ଗୋଟି ମାସ୍ତୁଲ ପରି ଏହାର ୩ ଗୋଟି ଅଅଁଳା ଉପରେ ୩ ଗୋଟି ତ୍ରିଶୂଳ ଅଛି । ଏପରି ଗଢ଼ଣର ଦେଉଳ ଭୁବନେଉପରେ ଛଡ଼ା ଅନ୍ୟତ୍ର ଦେଖାଯାଏ ନାହିଁ । ଏହା ମାନ୍ଦ୍ରାଜ ଅଞ୍ଚଳର ଶିଳ୍ପକଳା ଅନୁସାରେ ରଚିତ । ଏ ଦେଉଳରେ କପାଳେଶ୍ୱରୀ ଠାକୁରାଣୀ ଅଛନ୍ତି ।"

🔴ବୋଇତ ନାମରେ ଧାନର ନାମକରଣ
(ଟ)ବୋଇତାଳ ପଖିଆ —
ଏକ ଜାତୀୟ ମୋଟ ଓ ବଡ଼ ଧାନକୁ ବୋଇତାଳ ପଖିଆ କୁହାଯାଉଥିଲା । ଏହି ଧାନର ଏଭଳି ନାମକରଣ ପଛରେ କ'ଣ ଇତିହାସ ରହିଛି ତାହା ଅସ୍ପଷ୍ଟ । ପଖିଆ ଶବ୍ଦଟି ପକ୍ଷରୁ ସୃଷ୍ଟି ହୋଇଛି । ସମ୍ଭଵତଃ ବୋଇତ ଗମନ କାଳରେ ଏହା ଅମଳ କରାଯାଉଥିଲା ବୋଲି ଏହାର ଏଭଳି ନାମକରଣ ହୋଇଥିଲା । ବୋଧହୁଏ ବୋଇତରେ ବୋଇତିଆଳମାନେ ଯେଉଁ ଧାନର ଚାଉଳ ନେଇ ଯାଉଥିଲେ ଏହା ସେହି ବୋଇତପଖିଆ ଧାନ ଥିଲା କାରଣ ଏହା ଏକପ୍ରକାର ଉତ୍କୃଷ୍ଟ ଧାନ ଥିଲା ଯେହେତୁ ଆକାରରେ ମୋଟ ଲମ୍ବା ହେଉଥିଲା ।

🔴(ବୋଇତ ନାମରେ ଵସ୍ତ୍ର)
(ଠ)କଳା ବୋଇତ—
କଳାବୋଇତ— ଏକ ଜାତୀୟ କୃଷ୍ଣଵର୍ଣ୍ଣ ପଟ୍ଟଵସ୍ତ୍ରକୁ ଆଗେ କଳାବୋଇତ କୁହାଯାଉଥିଲା । କୃଷ୍ଣଵର୍ଣ୍ଣ ମୋଟା ସୂତାଲୁଗାକୁ ମଧ୍ୟ କଳାବୋଇତ କୁହାଯାଉଥିଲା । 

“ଝିଅକୁ ପିନ୍ଧାଏ କଳାବୋଇତ, ଉଡ଼େଇ ନଉଛି ଭୂତ। ”(ଧୋରେବାୟା ଶିଶୁଗୀତ।)

ସମ୍ଭଵତଃ ଏ ପାଟଵସ୍ତ୍ର ବୋଇତ ଦ୍ଵାରା ଵିଦେଶରେ ଵିକ୍ରୟ ହେଉଥିଲା ବୋଲି ଏଭଳି ନାମକରଣ ହୋଇଥିଲା । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏ ଶବ୍ଦ ସ୍ଥାନ ଲଭିଛି । 

🔴(ହାତୀ ନେଵା ଆଣିଵା କରାଯିଵା ବୋଇତ)
ହାତି ବୋଇତ—
ସମୁଦ୍ରରେ ହାତିଙ୍କୁ ବୋହିନେଵା ସକାଶେ ପ୍ରସ୍ତୁତ ଜାହାଜକୁ ହାତୀ ବୋଇତ କୁହାଯାଉଥିଲା । କୃପାସିନ୍ଧୁ ମିଶ୍ରଙ୍କ ଉତ୍କଳ ଇତିହାସରେ ଲିଖିତ ଅଛି ଯେ ଖାରବେଳ ଯେଉଁ 'ହାତି ବୋଇତ' ମାନ ପାଣ୍ଡ୍ୟ ରାଜାଙ୍କଠାରୁ ଅଧିକାର କରିଥିଲେ ସେମାନ ଆଶ୍ଚର୍ଯ୍ୟଜନକ ଥିଲା। କଳିଙ୍ଗ ବଣିକମାନେ ଏହିପରି ବଡ଼ ବଡ଼ ବୋଇତ ଚଳାଉଥିଲେ । 

ସେହିପରି ଓଡ଼ିଆ ଭାଷାରେ ବୋଇତ ମେଲିଵା,ବୋଇତ ରଖିଵା ଆଦି ଅନ୍ଯ ଅନେକ ଶବ୍ଦ ପ୍ରଚଳିତ ଥିଲା କିନ୍ତୁ କ୍ରମେ ବୋଇତର ପ୍ରଚଳନ ବନ୍ଦ ହେଵା ସହ ସେସବୁ ଶବ୍ଦ ଲୁପ୍ତ ହୋଇଗଲାଣି ।‌

(ତଥ୍ୟ — ଶବ୍ଦଗୁରୁ ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଦ୍ଵାରା ସଂକଳିତ ଶବ୍ଦକୋଣାର୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ସଂଗୃହୀତ)

No comments:

Post a Comment

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ...