My Blog List

Showing posts with label ଭଜନ. Show all posts
Showing posts with label ଭଜନ. Show all posts

Thursday, July 16, 2020

ଦୟାର ସାଗର ପ୍ରଭୁ ଦୟାମୟ

ଦୟାର ସାଗର ତୁମେ କରୁଣାମୟ
କର ହେ ଦୟା ପ୍ରଭୁ ତୁମେ ଦୟମୟ ।।

ନଜାଣେ ମୁଁ ପୂଜା ମନ୍ତ୍ର ନଜାଣେ ମୁଁ ସ୍ତୁତି
ତୁମକୁ ମୁଁ ଜାଣେ ପ୍ରଭୁ ହେ ଯଦୁପତି !

ମାୟାର ସାଗରେ ପ୍ରଭୁ ଦୟାଟି କରି
ଉଦ୍ଧାରି ଆଣ ଆମକୁ ତୁମେ ଶ୍ରୀହରି !!

ନଜାଣେ ମୁଁ ପୂଜା ମନ୍ତ୍ର ନଜାଣେ ମୁଁ ସ୍ତୁତି
ତୁମକୁ ମୁଁ ଜାଣେ ପ୍ରଭୁ ହେ ଯଦୁପତି !

ଯେତେ ଜୀଵ ତରୁ ତୃଣ ସବୁ ତୁମ ମାୟା,
ତୁମ୍ଭ ଇଛା ବିନା ନୋହେ ଆଲୋକ କି ଛାୟା ‌।।

ତୁମ୍ଭର ପାଦପଦ୍ମେ  ପ୍ରଥନା ହେ ହରି
ଜନମେ ଜନମେ ରହୁ ହୃଦେ ଭକ୍ତି ଭରି ।।

ନଜାଣେ ମୁଁ ପୂଜା ମନ୍ତ୍ର ନଜାଣେ ମୁଁ ସ୍ତୁତି
ତୁମକୁ ମୁଁ ଜାଣେ ପ୍ରଭୁ ହେ ଯଦୁପତି !

Wednesday, July 11, 2018

ମୋହ ମନ, ମୋହରି ସେ ନୋହିଲା ରେ

ମୋହ ମନ,
ମୋହରି ସେ ନୋହିଲା ରେ.....!

ମୋ ମନ ମୋତେ ଭଗାରୀ
ନ ଭଜିଲା ରାମହରି...............
ଯମ ନେବ ଧରିକରି
ବୋଇଲା ରେ.......................!

ମୋହ ମନ,
ମୋହରି ସେ ନୋହିଲା ରେ..........

ଆସି ହେଲା ପ୍ରାନ୍ତକାଳ
ନ ଭଜିଲୁ ନନ୍ଦଵାଳ.......
ଯେତେ ଥିଲା ପୁଣ୍ୟଫଳ ସଇଲାରେ.......!

ମୋହ ମନ,
ମୋହରି ସେ ନୋହିଲା ରେ..........

ମୋ ମନ ମୋତେ ରସାଇ
ନାନା ଅମୃତେ ଭସାଇ
ଵିଷୟାରେ ଵିଷ ଦେଇ ମାରିଲାରେ.......!

ମୋହ ମନ,
ମୋହରି ସେ ନୋହିଲା ରେ.........

କହେ ସାଲଵେଗ ହୀନ
ଏହି ମୋର ନିଵେଦନ
ବୃନ୍ଦାବନ ଭ୍ରମଣ ମୋ ନୋହିଲା ରେ

ମୋହ ମନ,
ମୋହରି ସେ ନୋହିଲା ରେ............

              ★★ବି:ଦ୍ର★★
ଭକ୍ତକଵି ସାଲଵେଗ ଏଠାରେ ମୋହାଚ୍ଛନ୍ନ ମନକୁ ଧିକ୍କାର କରିଅଛନ୍ତି କାରଣ ସବୁଠାରୁ ଦୃତଗତିମାନ ଏହି ମନ କାହାର ଆୟତ୍ତରେ ନଥାଏ । କେଵଳ ପ୍ରକୃତ ଯୋଗୀମାନେ ହିଁ ମନକୁ ଆୟତ୍ତ କରିପାରି ତହିଁ ବଳରେ ଯୋଗ ସାଧନାରେ ତଲ୍ଲୀନ ହୋଇପାରନ୍ତି । ଭକ୍ତକଵି ଏଠାରେ ମନକୁ ଜୀଵର ଶତୃ ବୋଲି କହି ଅଛନ୍ତି ଏବଂ ଆପଣାର ଉପମା ଛଳରେ ପ୍ରାପ୍ତ ଵୟସ୍କ ମାନଙ୍କୁ ସାଵଧାନ କରିଣ କହୁଅଛନ୍ତି ଯେ ହେ କୁଳବୃଦ୍ଧମାନେ ତୁମ୍ଭେମାନେ ଆସି ପ୍ରାନ୍ତକାଳରେ ପାଦ ଦେଲଣି ହେଲେ ତଥାପି ତୁମ୍ଭ ମାନଙ୍କର ଵିଷୟାସକ୍ତି କମୁନାହିଁ । ନାମଭଜନ ପାଇଁ ଯେ ଏ ଵିଷୟ ଵାସନା କେତେ ଵିଷତୁଲ୍ୟ ତାହା ଏହି ଗୀତରେ ଭକ୍ତକଵି ସ୍ପଷ୍ଟ ଭାବରେ ଵର୍ଣ୍ଣନା କରିଅଛନ୍ତି । ବୃନ୍ଦାବନଭ୍ରମଣ ଵିଷୟକ ଵାକ୍ୟରେ ଭକ୍ତକଵି କହିଛନ୍ତି
“କହେ ସାଲଵେଗ ହୀନ ଏହି ମୋର ନିଵେଦନ
ବୃନ୍ଦାବନ ଭ୍ରମଣ ମୋ ନୋହିଲା ରେ”
ଏଠାରେ
ଅନୁଭୁତ ହେଉଛି
ପ୍ରଥମତଃ ସେ ଭଜନପ୍ରେମୀ ଓ ନାମସଂକୀର୍ତ୍ତକଙ୍କଙ୍କୁ ଅନ୍ତତଃ ଥରୁଟିଏ
ବୃନ୍ଦାବନଧାମ ଯାତ୍ରା କରିବାକୁ କହୁଅଛନ୍ତି
ପୁନଶ୍ଚ ସ୍ଵୟଂ ର ବୃନ୍ଦାବନ ଯାତ୍ରା ଆଶା ଅଦ୍ୟାବଧି ପୂର୍ଣ୍ଣ ହୋଇନଥିବା ଵର୍ଣ୍ଣନା କରୁଛନ୍ତି ।
ସାଲଵେଗଙ୍କର ଏହି ବୃନ୍ଦାବନ ଯାତ୍ରା ସମ୍ପର୍କିତ ଆହୁରି କେତୋଟି ଭଜନ ମଧ୍ଯ ଅଛି ତନ୍ମଧ୍ୟରୁ
ଗୋଟିଏ
“ଜୀଵନରେ ଥିବି ଯେବେ ଯିବି ବୃନ୍ଦାବନ”

“ବୃନ୍ଦାବନେ ବଂଶୀ କେ ବଜାଇଲା”
ଖୁବ୍ ଲୋକପ୍ରିୟ ହୋଇଅଛି ।★★★★■

Sunday, March 25, 2018

ଜୟ ଜୟ ଜଗନ୍ନାଥ

ଜୟ ଜୟ ଜଗନ୍ନାଥ ଜଗତ ଜୀଵନ ।
ଜୟ ଜୟ ଜଗନ୍ନାଥ ପରମ କାରଣ ।।■୧■

ଜୟ ଜୟ ଜଗନ୍ନାଥ ତୁ ପରମାନନ୍ଦ ।
ଜୟ ଜୟ ଜଗନ୍ନାଥ ତୁହି ଆଦିକନ୍ଦ ।।■୨■

ଜୟ ଜୟ ଜଗନ୍ନାଥ ଦୀନଜନ ବନ୍ଧୁ ।
ଜୟ ଜୟ ଜଗନ୍ନାଥ କୃପାଜଳ ସିନ୍ଧୁ ।।■୩■

ଜୟ ଜୟ ଜଗନ୍ନାଥ କରୁଣା ଵାରିଧି ।
ଜୟ ଜୟ ଜଗନ୍ନାଥ ଅନାଦି ତୁ ଆଦି ।।■୪■

ଜୟ ଜୟ ଜଗନ୍ନାଥ ପରମ ପୁରୁଷ ।
ଜୟ ଜୟ ଜଗନ୍ନାଥ କମଳା ଵିଳାସ ।।■୫■

ଜୟ ଜୟ ଜଗନ୍ନାଥ ନୀଳଗିରିଵାସୀ ।
ଜୟ ଜୟ ଜଗନ୍ନାଥ ପରଂବ୍ରହ୍ମରାଶି ।।■୬■

ଜୟ ଜୟ ଜଗନ୍ନାଥ ଚତୁର୍ଧା ମୂରତି ।
ଦୀନ ଅଚ୍ୟୁତ ତୋ ଦାସ ସଦା ଦିନରାତି ।।■୭■

କଵି:-ଶ୍ରୀ ଅଚ୍ୟୁତାନନ୍ଦ ଦାସ

Saturday, March 17, 2018

କାହ୍ନୁ ହେ,ବଂଶୀ କେ ଦେଲା ତୋତେ ।

କାହ୍ନୁ ହେ,ବଂଶୀ କେ ଦେଲା ତୋତେ ।
ରାଧା ରାଧା ବୋଲି ଡାକେ ନିରତେ ।।
ବଂଶୀ କେ ଦିଅନ୍ତା ମୋହର ହସ୍ତେ ।
ଭସାଇ ଦିଅନ୍ତି ଯମୁନା ତଟେ ।।
କୁଳଛଡା଼ ବଂଶୀ କୁଳ ଛଡା଼ଇ ।
ବଂଶୀ ସିନା ଦେଲା ପ୍ରୀତି ବଢା଼ଇ ।।
ତୁ ନନ୍ଦସୁତ ମୁଁ ରାଜକୁମାରୀ ।
ବଂଶୀ ସିନା ଦେଲା ପରଚ କରି ।।
ଲୁଚି ଲୁଚି ଯାଇ ବଂଶୀ ସଙ୍ଗତେ ।
ଖୋଜି ଖୋଜି ବଂଶୀ ଡାକଇ ମୋତେ ।।
ଗୋପପୁରେ ଗୋପୀ ନାହାନ୍ତି କେତେ ।
ମୋ ନାମ ଜାଣିଲା ବଂଶୀ କେମନ୍ତେ ।।
ଜାତି ତା’ର କଣ୍ଟା ବାଉଁଶ ଖଣ୍ଡ ।
ତହିଁ ବଢା଼ଇଛି କୁସୁମ କାଣ୍ଡ ।।
ଅକଳଙ୍କ ଘରେ କୁଳଚ଼ନ୍ଦ୍ରମା ।
କହେ ସାଲଵେଗ ବଂଶୀ ଗାରିମା ।।

(ଭକ୍ତ କବି ସାଲଵେଗ ପଦ୍ୟାଵଳୀରୁ)

Thursday, March 1, 2018

ତୁମ୍ଭ ପତିତପାବନ ନାମ ଭେଳା ହୋ ଚକାଡୋଳା

ତୁମ୍ଭ ପତିତପାବନ ନାମ ଭେଳା ହୋ ଚକାଡୋଳା !
ତୁମ୍ଭେ ଥାଉଁ ଥାଉଁ ମୋ ବୁଡି଼ଲା ଭେଳା
ହୋ ଚକାଡୋଳା !
ଦିନେ ମୋ ମନ ସପନ ଗଲା,
ଗରୁଡ଼ ପଛରେ ରହିଥିଲା ହୋ...।।
କହେ ସାଲଵେଗ ମୋ ମନ ମୋହିଲେ,
ଲୁଚିଯାଉ ପାଦପଦ୍ମକୁ (୧) ।
ମନ ତୁ ଚାହୁଁ କି ନା ରେ,
ଵଳିୟାର ଭୁଜ ବଳଦେଵଙ୍କୁ ।।
ଗରୁଡ଼ ପଛରେ ରହି ଦେଖୁଥିବୁ
ହରି ବଳରାମ ସହୋଦରାଙ୍କୁ..(୨) ।
ତାଳୁରେ ତାଙ୍କର ତ୍ରିମୁଣ୍ଡିଚୁଳ
ଭଲ ଶୋହିଅଛି ଵିମ୍ଵାଧରକୁ ...(୩) ।

(ଭକ୍ତକବି ସାଲଵେଗଙ୍କ ରଚନାଵଳୀରୁ ସଂଗୃହିତ)

Monday, January 22, 2018

●●●●ଗୋଟିଏ ପ୍ରାଥନା●●●●


【ମଙ୍ଗଳ】

ମହାପ୍ରଭୋ ! ବେଳେମାତ୍ର ଦେଉନ୍ତୁ ଦର୍ଶନ,

ଅନ୍ଧକାରେ ହେଉଛି ତ ବ୍ୟାକୁଳ ମୋ ମନ

ଯେ ରୂପ ଦେଖିଲେ ତ ପ୍ରଭୂ ! ଲଭିବି ସାନ୍ତ୍ଵନା,

ଦେଖାଅ ଅଭୟ ରୂପ,ନ କର ବଞ୍ଛନା ।

ପାଇ ତୁମ୍ଭଙ୍କୁ ଚିତ୍ତ ହେଉଛି ଚଞ୍ଚଳ,

ଜାଣତ ହେ ପ୍ରଭୋ ! ମନ ନିତାନ୍ତ ଦୂର୍ବଳ

ତୁମ୍ଭର ମହିମା ଛାୟା ପଡୁ଼ ମୋ ହୃଦୟେ,

ସୁଖେ ଦୁଃଖେ ନିରିଖିବି ସକଳ ସମୟେ ।

ଦର୍ଶନ କରିବି ସୁଖେ ହେ ଜଗତସାଇଁ,

ଦ୍ଵିତୀୟ ପ୍ରାଥନା ମୋର ଆଉ କିଛି ନାହିଁ ।

ଲଭେଁ ସ୍ଵର୍ଗବାସ ଅବା ଭୀଷଣ ଦୁର୍ଗତି,

ଯାହା ଇଛା ଦିଅ ପ୍ରଭୋ ! ନାହିଁ ମୋ ଆପତ୍ତି ।

ଏତିକି ପ୍ରାଥନା ମୋର ଆହେ ଭଗବାନ !

ଆପଣା ସାକ୍ଷାତେ ତାହା କରିବେ ବିଧାନ

○●●●●●●●●●●●●●●○
@ବ୍ୟାସକବି ଫକୀରମୋହନ ସେନାପତି
○●●●●●●●●●●●●●●○



Tuesday, January 16, 2018

●ଉତ୍କଳ ବନ୍ଦନା- ଭକ୍ତକବି ମଧୁସୂଦନ ରାଓ●

(୧)

ଜୟ ମା ଜନମଭୂମି,
ଉଦାର ଉତ୍କଳ ଭୂମି,
ତୋର ସ୍ନେହ-କୋଳେ ମା ଗୋ ଜନ୍ମ ଆମ୍ଭର ।
କୋଟି ସୁତ ଘେନି କୋଳେ,
ପାଳୁଅଛୁ ସ୍ନେହ ଭୋଳେ,
ତୁହି ମା କରୁଣାମୟୀ କରି ଆଦର ।
ତୋ ବକ୍ଷର ଅମୃତ ରସ,
ସୁଖୀ କରୁଛି ମା କୋଟି କୋଟି ମାନସ ।

(୨)

ତୁହି ମା ଶୋଭାସଦନ
ସିନ୍ଧୁ ଧୁଅଇ ଚରଣ
କେତେ ନଦୀ ଗିରିବନ ଶୋଭେ ତୋ ଦେହେ ।
ଧର୍ମର ତୁ କାମଧେନୁ
ପୁଣ୍ୟମୟ ତୋର ରେଣୁ
କେତେ ମହାତୀର୍ଥ ଧରିଅଛୁ ମା ସ୍ନେହେ ।
କୋଟି କୋଟି ପୁରୁଷ ନାରୀ
ତୋର ପାଦ ତଳେ ବସି ମୁକ୍ତି-ଭିକାରୀ ।

(୩)

କେତେ କେତେ ତପୋଧନ
କେତେ ସାଧୁ ମହାଜନ
ତୋର ସିନ୍ଧୁତଟେ ଅବା ଗିରି କନ୍ଦରେ
ତପସ୍ୟା ସାଧନ କରି
ହୃଦେ ମହାଭବ ଧରି
ପ୍ରଚାରିଲେ ଯୁଗଧର୍ମ ଆନନ୍ଦ ଭରେ ।
ଶଙ୍କରାଦି ମହତ୍ମା ଜନେ
ବିମୋହିତ ତୋର ଦିବ୍ୟ ଜ୍ୟୋତି ଦର୍ଶନେ ।

(୪)

କେତେ କେତେ ଧର୍ମବୀର
ନିର୍ମିଲେ ମହାମନ୍ଦିର
ଯଯାତି ଲଲାଟ-ଇନ୍ଦୁ ଅନଙ୍ଗଭୀମ ।
ପୁଣି କେତେ ଯୁଦ୍ଧବୀରେ
ଯଶ ଅର୍ଜିଲେ ମହୀରେ
ରଣେ ପରକାଶି ବଳ ବୀର୍ଯ୍ୟ ଅସୀମ ।
ତୁହି ମା ଗୋ ବୀରଜନନୀ
ତୋ ଯଶରେ ପୂରିଥିଲା ଏ ଅବନୀ ।

(୫)

ଜନମିଲେ ତୋ କୋଳରେ
ସାରଳାଦି କବି-ବରେ
ପୂର୍ଣ୍ଣ ତୋର କାବ୍ୟକୁଞ୍ଜ ଅମର ଗୀତେ ।
ତୋ ମହିମା ତୋ ଗୌରବ
ତୋହର ପୁଣ୍ୟ ବିଭବ
ସୁମରି,ମା ମାତୃଭୂମି,ତୋର ଅତୀତେ,
ନମଇ ମା ଭକତିଭରେ
ଅଧମ ଅକ୍ଷମ ସୁତ ତୋ ଚରଣେ ।

●ଭକ୍ତକବି ମଧୁସୂଦନ ରାଓ●

Monday, January 15, 2018

ଏକ ପୁରୁଣା ଜଣାଣ

ତୁ ଆତ୍ମା ସର୍ବଭୂତେ ପୂରି,
ବସୁ ଗୁପତ ରୂପ ଧରି ।
ସକଳ ଦେଖୁ ତୁ ନୟନେ,
ତୋତେ ନ ଦେଖେ ସର୍ବଜନେ ।
କେ ତୋତେ ତ୍ରୀଭୂବନେ ଜାଣେ,
କେ ଅବା ସୁଷ୍ମରେଣୁ ଗଣେ ।
ତୁ ପ୍ରଭୁ ଜଗତ ଜୀବନ,
ଦରିଦ୍ର ପ୍ରାଣିଙ୍କର ଧନ ।
ଅଶେଷ ଭୂବନ-କାରଣ,
ତୁ ନାଥ ଜଗତ ତାରଣ ।
ଯାଠାରେ ହେଉ ତୁ ସଦୟ,
ଜ୍ଞାନ ତା ହୃଦରୁ ଉଦୟ ।
ତୁ ଆତ୍ମା ସର୍ବଜୀବ ପତି,
ସୁଗୁରୁ–ଜ୍ଞାନ–ଗମ୍ୟ–ଗତି ।
ସାଧୁଙ୍କୁ ଦିଶୁ ତୁ ନିର୍ମଳ,
ଖଳ ଲୋଚନେ ଯେହ୍ନେ କାଳ ।
ତୋହର ଆଦି ଅନ୍ତ ନାହିଁ,
ପ୍ରକୃତି ତୋତେ ନ ଜାଣଇ ।
ଭୂତ-ଭବିଷ୍ୟ-ବର୍ତ୍ତମାନ,
ସୃଜନ ତୋର ଭଗବାନ ।
ତୋହର ଶତ୍ରୁ ମିତ୍ର ନାହିଁ,
ତୋର ଭିଆଣ ସର୍ବଦେହୀ ।
ବ୍ରହ୍ମାଣ୍ଡ ମାଳ ମାଳ ହୋଇ,
ତୋ ଲୋମକୂପେ ବିରାଜଇ ।
ମୋ ଦେହେ ଜାଳି ଜ୍ଞାନ ଦୀପ,
ଅଜ୍ଞାନ ଖଣ୍ଡ ବିଶ୍ଵରୂପ ।

Wednesday, January 10, 2018

●ଗଣେଶ ବନ୍ଦନା●

ଜୟତୁ ଦଧିବାମନ ପ୍ରସନ୍ନେ ରୁଦ୍ର ଦେବତା
ମଙ୍ଗଳ ବିଘ୍ନରାଜ ଭୂତ ଭବିଷ୍ୟ ଜ୍ଞାତା ।୧।

ମଙ୍ଗଳ ସଦାନନ୍ଦ ଦେବ ଲମ୍ଵୋଦର
ସପତ ସିନ୍ଧୁ ଗୋପ୍ୟଗଲା ଯାହାର ଉଦର ।୨।

ମଙ୍ଗଳ ପରମବ୍ରହ୍ମ ସରୂପ ବୀଣାୟେକ
ପାଶ ଅଂକୁଶ ଗଜବଦନ ଅଟ ତ୍ରିୟମ୍ଵକ ।୩।

ମେରୁ ତତ୍ତୁଲ୍ୟ ଯାହାର କିଞ୍ଚିତ ବେନି ଆଖି
ଅବନିକେ ଚାହିଁଲେ ତୁ ଯେ କୋଟି ବ୍ରହ୍ମାଣ୍ଡ ଦେଖି ।୪।

ଡିବି ଡିବି ବଜାଇ ଯାହାର ଡାକି ଡମ୍ବୁରୁ
ହୃଦେ ପଇତା ଯାହାର ଅନନ୍ତ ନାଗ ଫେରୁ ।୫।

ସ୍ଵାମୀ ତ୍ରିପୁର ବଧଗଲା ଯାହାର ବୁଦ୍ଧିବଳେ
ବିନୟେ ଅନୁବ୍ରତେ ନାଥ ମୁଁ ତୁମ୍ଭର ପାଦତଳେ ।୬।

ଲଙ୍ଗଟ ଭ୍ରୁଙ୍ଗଟ ଯେ ବିକଟ ବକ୍ରନାଟେ
ମହାଭରହ ତାଣ୍ଡବ ଆରୋପଣ ସଙ୍କଟେ ।୭।

ଶ୍ରୀ ବିଘ୍ନରାଜ ଶ୍ରୀ ଚରଣ କମଳେ
ମମ ଚିତ୍ତ ଭଜି ହୋ ତହିଁ ରହୁ ଭ୍ରସଳେ ।୮।

ବ୍ୟାସଙ୍କର ସ୍ରିଜନେ ଦେବ ପ୍ରସନ୍ନ ବିଘ୍ନରାଜ
କରଣ ହୋଇ ଲେଖନ କଲୁଟି ଅଇଶୁର୍ଯ୍ୟ ।୯।

ୟେ ସଂସାର ମଧ୍ୟେ ମୁହିଁ ଦେଖିଲି ସେ ସରୂପ
ତୁହି ସେ ହରନ୍ତା ଦେବ କଳିକାଳ ଦର୍ପ ।୧୦।

କଳିଯୁଗ ବଞ୍ଚନ୍ତା ନାଥ ପ୍ରସନ୍ନେ ପରମଯୋଗୀ
ଦିନକର ବିବାଦେଣ ତୁ କାଳସର୍ପ ଭାଞ୍ଜି ।୧୧।

ସଦୟେ ନାରାୟଣ ତୁ ପ୍ରସନ୍ନେ ରୁଦ୍ରକାଶୀ
ଶୁଦ୍ରମୁନି ସାରଳା ଦାସ ତଲୟେ ଅଭ୍ୟାସି ।୧୨।

(ଉଦଯୋଗ ପର୍ବ,ସାରଳା ମହାଭାରତ)

Friday, September 1, 2017

ଅଚ୍ୟୁତାନନ୍ଦ ଦାସ ଗୀତିକବିତା-୭

ଅଶୂନ୍ୟ ହୋଇଣ ଯେ ଥିଲାକ ଏକ ସ୍ଥାନ
ଅଦଭୂତ ସ୍ବରୂପେ ହୋଇଲା ଏକ ଶୂନ୍ୟ ।
ସେହି ଶୂନ୍ୟ ମଧ୍ୟରେ ଯେ ନିରାକାର ସ୍ଥିତି
ନିରାକାର ଅଙ୍ଗରୁ ପରମ ବ୍ରହ୍ମମୂର୍ତ୍ତୀ ।
ପରମ ବ୍ରହ୍ମ ଠାରୁ ସ୍ଫୁରିଲାକ ଧ୍ବନୀ
ସେ ଧ୍ବନୀ ସ୍ଫୁରିଲା ଯେ ଚତୁର କଳା ଘେନି ।
ଚତୁଃକାଳେ ବ୍ରହ୍ମରନ୍ଧ୍ରେ ହୋଇଣ କବାଟି
ଅର୍ଦ୍ଧମାତ୍ରା ମଧ୍ୟରେ ବଜ୍ରକଳା ପାଲଟି  ।
ପୂରିଲାକ ଷଡ଼ଯନ୍ତ୍ର ଅଧଃ ଉର୍ଦ୍ଧ୍ବ ଠାଇଁ
ପଶି ନ ପାରିଣ ତହିଁ ଲେଉଟିଲା ବାଇ ।
ସେ ବାୟୁ ଲେଉଟିଣ ବହିଲାକ ଉଜାଣି
ଲାଗିଲାକ ଲୟ ଜ୍ୟୋତି ମଣ୍ଡଳକୁ ପୁଣି ।
ଶ୍ବେତ ତିଳକ ଉପରେ ଲାଗିଲାକ ଲୟ
ଲୟ ଲାଗନ୍ତେଣ ଯେ ଦିଶିଲା ଶୂନ୍ୟମୟ ।
ଶୂନ୍ୟ ଦିଶନ୍ତେଣ ଯେ ଅଶୂନ୍ୟ ଦୃଶ୍ୟ ହୁଏ
କହନ୍ତି ଅଚ୍ୟୁତ ଗୁରୁ ଆଜ୍ଞା କର ଲୟେ ।

ଅଚ୍ୟୁତାନନ୍ଦ ଦାସ ଗୀତିକବିତା-6

ବାଇ ମନରେ, ବସି ଅବନା ବନ ।
ଅବନା ବନିଲେ ଅମାପ ମାପିବୁ,
ବିଦ୍ୟାରେ ତୋର ହୋଇବ ଧନ୍ୟ ।
ଅମାସ୍ୟା ନିଶିରେ ଚନ୍ଦ୍ର ଦର୍ଶନ
ଅହର୍ନିଶ ଯହିଁ ପ୍ରଦୀପ ଜଳଇ
ଦୀପ ତେଜେ ଅଣଚାଶ ପବନ ।
ଅଣାକାର ଘରେ ନାମ ସଂକୀର୍ତ୍ତନ,
ଶବଦରେ ନାହିଁ ହରି ଭଜନ
ଶହେ ଛୁଆ ଘେନି ହରିଣୀ ଶୋଇଛି,
ବ୍ୟାଘ୍ର ଆଣି ତାକୁ ଦିଏ ଭୋଜନ ।
ନିର୍ଝର କନ୍ଦରେ ପହଁରୁଛି ହଂସ,
ଅଥଳ ଜଳେ ହରିଣୀ ଆସନ
ଚାରିମେଘ ଘୋଟି କଲେ ଜଳବୃଷ୍ଟି,
ମରୁଡି଼ରେ କୃଷି ହେଲେ ଦହନ ।
ଶୂନ୍ୟରେ ଶୂନ୍ୟରେ ଦେଉଳ ହୋଇଛି
ଦେଉଳ ଗୋଟିକ ଜଳେ ନିର୍ମାଣ
ଏମନ୍ତ ଦେଉଳ ବିନ୍ଧାଣି ଗଢିଛି,
ଅମୁଦା ଦେଉଳେ ଦିଅଁ ଦର୍ଶନ ।
ନିର୍ଦ୍ଧନର ଘର ବହି ନେଲେ ଚୋର,
ବାଟରେ ବସି କରନ୍ତି ରୋଦନ
ଧରାଗଲେ ଚୋର ହୋଇବ ଅମର
କହଇ ଅଚ୍ୟୁତ ମୂଢ଼ ଅଜ୍ଞାନ ।

★ଅଚ୍ୟୁତାନନ୍ଦ ଦାସ ଗୀତିକବିତା-୫★

ଜ୍ୟୋତି ପରେ ଦିବ୍ୟ ଜ୍ୟୋତି ଅମଣ୍ଡଳା ସ୍ଥାନ
ନିର୍ବାତ ମନ୍ଦିରରେ ବିଜୟ ଭଗବାନ ହେ ।

ନିତ୍ୟ ନିରଗୁଣ ସେ ପରମ ପାଶେ ଯାଇ
ଶୁକଳ ବର୍ଣ୍ଣ ସ୍ବରୂପେ ଜ୍ୟୋତି ବିରାଜଇ ।

ଏକଇ ଚରଣେ ଉଭା ଅନ୍ତରୀକ୍ଷ ରୂପୀ
ଚରଣେ ଅମୃତ କ୍ଷରୀ ଅମୃତରେ ବ୍ୟାପୀ ହେ ।

ସତ୍ବ ରଜ ତମ ତିନି ପାଦରୁ ଉଦିତ
ସେ ପାଦ ସେବଇ ଦୀନ ପାମର  ଅଚ୍ୟୁତ ହେ ।

○○○○ଅଚ୍ୟୁତାନନ୍ଦ ଦାସ ଗୀତିକବିତା-4-○○○○

ବୋହୂ ବାଳ ଅବଳାରେ,ଖେଳଇ ବାର ଜଣର ।
ବାର ଜଣ ଛାଡ଼ି     ତେରକୁ ଗମିଲେ
        ବୋହୂର ପୁରିବ କାଳ  ।
ଏ ବାର ଭିତରେ     ପୁରୂଷ ଖେଳଇ
ସେ ବାରେ ଖେଳଇ ବୋହୂ
ବୋହୂ ପୁଅ ଦୁହେଁ ଓଲଟ ପାଲଟ
ବାରଣ ନ ଯାଇ କେହୁ ।
ବାହାରରେ ବାର   ଭିତରରେ ବାର
ବାର ବତିଶିରେ ଘର
ଅକାରଣ ବୋହୂ ବାରଣ ନ ଯାଇ
କଲା ବାର ବାର ଘର  ।
ପୁଅକୁ ବୟସ ଶହେ କୁ ଷାଠିଏ ଯେ
ବୋହୂ ତ ଷୋଳ ବରଷୀ
ପଚିଶ ଭେଣ୍ଡିଆ  ଘେନି କରି ବୋହୂ
ଖେଳ ଖେଳୁଥାଇ ବସି ।
ବୋହୂ ମୋର ଧନ ବୋହୂ ମୋ ଜୀବନ
ବୋହୂ ଲାଗି ଏତେ ସରି
ପାମର ଅଚ୍ୟୁତ ଭାବରେ ଭଣିଲେ
କର ଭବ ଜଳୁଁ ପାରି ।

*ଅଚ୍ୟୁତାନନ୍ଦ ଦାସ*

ଅଚ୍ୟୁତାନନ୍ଦ ଗୀତି କବିତା -3

ବାଇମନ ହୋ, ବସି ହଂସକୁ ଖେଳା
ହଂସ ଉଡି଼ଗଲେ ବୁଡ଼ିବ ଭେଳା ।

ପୋଖରୀ ଗୋଟିଏ ଚାରି ଚୌରସ
ଡିମ୍ବ ପାଡି଼ଅଛି ଅଣ୍ଡିରା ହଂସ ।

ଶୁଖିଲା ପୋଖରୀ ମାରେ ଲହଡି଼
ଡିମ୍ବ ଅଛି ଛୁଆ ଗଲାଣି ଉଡି଼ ।

ଡିମ୍ବ ଗୋଟିକେ ତିନି ତିନି ଛୁଆ
ସୁଜ୍ଞାନୀ ହୋଇଲେ କହିବ ଏହା ।

ସର୍ପକୁ ମଣ୍ଡୁକୀ କରୁଛି ଗେଲ
ଯୂଇ ବୃକ୍ଷେ ଅଛି ମନ୍ଦାର ଫୁଲ  ।

ଏକ ଦେଉଳରେ *ଦଶ କବାଟ*
କେଉଁ ଠାରେ ଅଛି କଳପ ବଟ ।

ଶୂନ୍ୟରେ କାହୁଁ ବାଜୁଛି ବୀଣା
କେଉଁ ଠାରେ ଅଛି ଗୋପ ପାଟଣା ।

ଗୀତ ଷଡ଼ପଦ ଅର୍ଥ ବହୁତ
ଭାବରେ ଭଣିଲେ *ଦାସ ଅଚ୍ୟୁତ ।

*ଦଶଟି କବାଟ* ଅର୍ଥାତ ଶରୀର ର ନବ ରନ୍ଧ୍ର ସହ ଦଶମ ବ୍ରହ୍ମରନ୍ଧ୍ର ?
*ଅଚ୍ୟୁତାନନ୍ଦ ଦାସଙ୍କ ଦ୍ବାରା ଭଣିତ ଭକ୍ତି ଗୀତ ।