Saturday, April 25, 2026

Reunion : ଏକ ବାହାନା

ଏକବିଂଶ ଶତାବ୍ଦୀର ଦ୍ଵିତୀୟ ଦଶକର ମଧ୍ୟଭାଗରେ ଜଣେ ଆଧୁନିକ ଯୁଗର ଚଷାପିଲା ଗାଆଁ ବିଲ ମଝିରେ ଥିଵା ଏକ ଝୁମ୍ପୁଡ଼ି ଭିତରେ ବସି ହନୁମାଙ୍କଡ଼,ହାତୀ,ବାର୍ହା ଓ ଗୋରୁଗାଈଙ୍କୁ ଜଗିଥାଏ । 
ବାହାରୁ ଶୀତଳ ପଵନ ବହୁଥିଲେ ବି, ମୋବାଇଲ୍ ସ୍କ୍ରିନରୁ ବାହାରୁଥିଵା ଶବ୍ଦଗୁଡ଼ିକ ବେଶ୍ ଉଷ୍ମ ଥିଲା। ବାହାରେ ଝିପିଝିପି ଵର୍ଷା ହେଉଥିଲା ସତେ ଯେମିତି କୌଣସି ଅକୁହା କଥାର ପୃଷ୍ଠଭୂମି ପ୍ରସ୍ତୁତ କରୁଥିଲା।

ସେପଟୁ ବନ୍ଧୁମିଳନ ଵା 'Reunion' ପାଇଁ ବାରମ୍ବାର ମେସେଜ୍ ଆସୁଥିଲା। ସେ ହସିଲା—ସେଇ ପୁରୁଣା ହସ, ଯେଉଁଥିରେ ଟିକେ ଵିଦ୍ରୂପ ଆଉ ଅନେକ ଅନୁଭୂତି ମିଶି ରହିଥିଲା। ଆଙ୍ଗୁଠି ଗୁଡ଼ିକ କିବୋର୍ଡ୍ ଉପରେ ନାଚି ଉଠିଲେ।

"ଆଳୁ ପୋଡ଼ା ପଖାଳ ଭାତ ଖାଇ ବଡ଼ ହୋଇଥିଵା ଛୁଆ ଭୋଜି ପଛରେ ବାୟା ହୁଅନ୍ତି ନାହିଁ ।‌ ଯିଏ ଦିନକୁ ପାଞ୍ଚ ଅଡ଼ା ଖାଏ, ସିଏ ସବୁବେଳେ ଭୋଜି ଭୋଜି କହି ବୁଲୁଥାଏ।"

ଏହା କେଵଳ ଶବ୍ଦ ନଥିଲା, ଏହା ଥିଲା ମାଟିର ବାସ୍ନା ଏଵଂ ଆତ୍ମସମ୍ମାନର ଏକ ଚିତ୍କାର। ଯିଏ ନିଜ ଗାଆଁର ମାଟି ଆଉ ପଖାଳ କଂସାର ସ୍ୱାଦ ଚାଖିଛି, ତା’ ପାଇଁ ଏହି କୃତ୍ରିମ ଭୋଜିର ଚାକଚକ୍ୟ ଫିକା।
ସେପଟୁ ଉତ୍ତର ଆସିଲା, "ଭାଇ ତୋର ମେଣ୍ଟାଲିଟି ସେମିତି, ହେଲା!"

ତା ଭିତରେ ଥିଵା ସତ୍ୟଵାଦୀ ମଣିଷଟି ଟିକେ ଉତ୍ତେଜିତ ହୋଇଗଲା। ସେ ଜାଣିଥିଲା ଏହି 'ମେଣ୍ଟାଲିଟି' ପଛର ପ୍ରକୃତ ଚେହେରା। ସେ ପୁଣି ଟାଇପ୍ କଲା:

"ଭୋଜି ପାଇଁ ଲକ୍ଷେ ଟଙ୍କା ସମସ୍ତଙ୍କଠାରୁ ଭେଦା ରୂପେ ସାଦି କରି ତହିଁରୁ ତିରିଶ ହଜାର ଭୋଜିରେ ସାରି ବାକି ଷାଠିଏ ହଜାର ଚଳୁ କରିଦେଉଥିବା ଓଡ଼ିଆ ଆମକୁ ମେଣ୍ଟାଲିଟି କ’ଣ ଶିଖେଇବେ? ଭୋଜି ନାଆଁରେ କିଭଳି ଭ୍ରଷ୍ଟାଚାର ଚାଲେ ମୋତେ ଭଲଭାବେ ଜଣା।"

ତା ଆଖି ଆଗରେ ନାଚି ଉଠିଲା ସେହି ଭୋଜିର ଦୃଶ୍ୟ। ସେଠି ଖାଇଵା ଅପେକ୍ଷା 'ଦେଖେଇ ହେଵା'ର ପ୍ରତିଯୋଗିତା ଅଧିକ। କିଏ କେଉଁ ଗାଡ଼ି ଚଢୁଛି, କାହାର ମାଇପ କେତେ ସୁନା ପିନ୍ଧିଛି, ପୁଅ କେଉଁ ସ୍କୁଲରେ ପଢୁଛି, ଏପରିକି ନିଜ କୁକୁର-ବିଲେଇଙ୍କୁ ନେଇ ବି ବଡ଼ପଣିଆ। ସମସ୍ତେ ସେଠି ଏକ ଏକ ମୁଖା ପିନ୍ଧି ବୁଲନ୍ତି।

ଶେଷରେ ସଂକ୍ଷିପ୍ତ ଉତ୍ତର ଆସିଲା,"ତୁ ଯାହା ବୁଝୁଛୁ ବୁଝୁଥା, ଓକେ।"

ସେ ଏକ ଦୀର୍ଘଶ୍ୱାସ ଛାଡ଼ିଲା । ହସଟା ଏଥର ଟିକେ ଗଭୀର ଥିଲା। ସେ ଶେଷଥର ପାଇଁ ଲେଖିଲା:
"ସବୁ ବୁଝିଛି! ଦୁନିଆଟା ଯେମିତି ଏକ ପଙ୍କମୟ ପୋଖରୀ। ସମସ୍ତେ ନିଜ ସ୍ୱାର୍ଥରେ ଵ୍ୟସ୍ତ। ଏହି Reunion ଵା ବନ୍ଧୁମିଳନ ତ କେଵଳ ଏକ ବାହାନା। ଅସଲ ଉଦ୍ଦେଶ୍ୟ ହେଉଛି ଭ୍ରଷ୍ଟାଚାରର ପଇସା ଲାଭ ଓ ମାନ-ପ୍ରତିଷ୍ଠାର ପ୍ରଦର୍ଶନ।"

ଏହାପରେ ସ୍କ୍ରିନଟା ଶାନ୍ତ ହୋଇଗଲା। ସେପଟୁ ଆଉ କୌଣସି ଶବ୍ଦ ଆସିଲାନି। ବୋଧହୁଏ ସେ ଯେଉଁ ତିକ୍ତ ସତ୍ୟ କହୁ କହୁ କହିଦେଲା ସେ କଥା ଆନ ଜଣକର ସୌଖୀନ ଦୁନିଆର ଆଇନାକୁ ଭାଙ୍ଗି ଚୁରମାର୍ କରିଦେଇଥିଲା।

ସେ ମୋବାଇଲଟା ରଖିଦେଲା। ବାହାରେ ଵର୍ଷା ଏବେ କମିଯାଇଥିଲା, କିନ୍ତୁ ତା ମନ ଭିତରେ ସେହି ପୁରୁଣା ପଖାଳ କଂସାର ତୃପ୍ତି ଖେଳିଯାଉଥିଲା। ଦୁନିଆ ଯେତେ ଦେଖେଇ ହେଉଥାଉ, ସେ ତା ନିଜର ପ୍ରକୃତ ପରିଚୟ ଓ ଅସ୍ତିତ୍ବରେ ହିଁ ଖୁସି।

Sunday, April 19, 2026

ପ୍ରେସର କୁକର: ଏକ ଵୈଜ୍ଞାନିକ, ଐତିହାସିକ ଓ ସାମାଜିକ ଵିଚାର

ଏକ ସାଧାରଣ ଭାରତୀୟ ରୋଷେଇ ଘରର କଥା କଳ୍ପନା କରନ୍ତୁ — ସକାଳର ଵ୍ୟସ୍ତତା, ପିଲାମାନଙ୍କ ସ୍କୁଲ୍ ଯିଵା ପାଇଁ ପ୍ରସ୍ତୁତି, କାର୍ଯ୍ୟାଳୟକୁ ଯିଵା ପାଇଁ ଧାଆଁ ଧଉଡ଼ ଏଵଂ ତନ୍ମଧ୍ୟରେ ରୋଷେଇର ଦାୟିତ୍ୱ। ଏହି ସବୁ ଭିତରେ ଯେଉଁ ଉପକରଣ ସବୁଠାରୁ ଅଧିକ ଭରସାଯୋଗ୍ୟ ସାଥୀ ଭାବେ କାମରେ ଆସେ ତାହା ହେଉଛି ପ୍ରେସର କୁକର୍। 
ପୃଥିଵୀର ଅଳ୍ପ କେତୋଟି ଭାଷାରେ ପ୍ରେସର୍ କୁକର୍ ପାଇଁ କେତେକ ସ୍ଥାନୀୟ ଶବ୍ଦ ଅଛି । ଉଦାହରଣ ସ୍ୱରୂପ ମାଣ୍ଡାରିନ ଭାଷାରେ ପ୍ରେସର୍ କୁକର୍‌କୁ 
高壓鍋 (gāoyāguō), 壓力鍋 ଓ(yālìguō) କୁହାଯାଏ । Czech ଭାଷାରେ papiňák କୁହାଯାଏ । Danish ଭାଷାରେ trykkoger କୁହାଯାଏ । Dutch ଭାଷାରେ hogedrukpan ଓ snelkookpan କୁହାଯାଏ । Esperanto ଭାଷାରେ premmarmito କୁହାଯାଏ । Finnish ଭାଷାରେ painekattila ତଥା Hungarian ଭାଷାରେ kukta କୁହାଯାଏ । କୋରିଆନ୍ ଭାଷାରେ 압력솥(amnyeoksot) କୁହାଯାଏ ‌ ।ପାର୍ସୀ ଭାଷାରେ زودپز (zudpaz) କୁହାଯାଏ । ରୁଷି ଭାଷାରେ скорова́рка (skorovárka) ଓ ସ୍ପାନିଶ୍ ଭାଷାରେ ପ୍ରେସର୍ କୁକର୍‌କୁ marmita କୁହାଯାଏ । 
ଭାରତରେ pressure cooker ପାଇଁ ସାଧାରଣତଃ ସେଭଳି କୌଣସି କଥିତ ଦେଶୀୟ ଶବ୍ଦ ପ୍ରଚଳିତ ନାହିଁ। ହିନ୍ଦୀ ଭାଷାଭାଷୀ ଲୋକେ कुकर ଓ ଓଡ଼ିଶାର ଲୋକେ pressure cookerକୁ ପ୍ରେସର କହିଥାନ୍ତି । ହିନ୍ଦୀଭାଷୀ pressure cooker ପାଇଁ ଵିଜ୍ଞାନ ଲେଖାରେ ଵ୍ୟଵହାର ହେତୁ दाब-पाचक ଭଳି ଶବ୍ଦ ମଧ୍ୟ ଗଢ଼ିଛନ୍ତି। pressure cookerକୁ ବଙ୍ଗାଳୀ ନିଜ ଭାଷାରେ ପ୍ରେସାର କୁକାର ନାମରେ ଵ୍ୟଵହାର କରନ୍ତି । ତାମିଲ ଲୋକେ pressure cookerକୁ ଅଳ଼ୁତ୍ତଚ୍ ଚମୈୟଲ୍ କୁହନ୍ତି ‌। ଆଜିକାଲି ସଂସ୍କୃତ ସମ୍ବାଦ ଓ ପତ୍ରପତ୍ରିକାରେ pressure cookerର ପ୍ରତିଶବ୍ଦ ରୂପେ ବାଷ୍ପସ୍ଥାଳୀ ଓ ବାଷ୍ପପାଚକ ଶବ୍ଦ ଵ୍ୟଵହାର କରାଯାଉଛି। 
କିନ୍ତୁ ଭାରତରେ pressure cooker ପାଇଁ ସ୍ପାନିଶ୍ marmita ଭଳି ଛୋଟ ଓ ମଧୁର ଦେଶୀୟ ଶବ୍ଦ ପ୍ରଚଳିତ ନାହିଁ। ଯେହେତୁ ଏହା ଵୈଦେଶିକ ଦରଵ ଏଵଂ ଭାରତରେ ବହୁତ ପରେ କିଛି ଦଶନ୍ଧୀ ହେଲା ଵ୍ୟଵହୃତ ହେଉଅଛି ତେଣୁ ଅଧିକାଂଶ ଦେଶୀୟ ଭାଷାଗୁଡ଼ିକରେ ଏଥିପାଇଁ ଦେଶୀୟ ଶବ୍ଦ ସୃଷ୍ଟି ହୋଇପାରି ନାହିଁ । ତଥାପି ଓଡ଼ିଆ ସାହିତ୍ୟରେ pressure cooker ପାଇଁ ବାଷ୍ପସ୍ଥାଳୀ ଶବ୍ଦ ପ୍ରୟୋଗ କରାଯାଇପାରେ । 

ଭାରତରେ ପ୍ରେସର୍ କୁକର୍‌ର ଵ୍ୟଵହାର ବଢ଼ିଵା ଭିତରେ ସାମାଜିକ ଗଣମାଧ୍ୟମ ଆସିଗଲା । ଆମେ ଜାଣନ୍ତି ଯେ ସାମାଜିକ ଗଣମାଧ୍ୟମ ସବୁ ଜିନିଷକୁ ନେଇ ଭୟ ଓ ଭ୍ରମ ସୃଷ୍ଟି କରାଯାଉଛି, ପ୍ରେସର କୁକର ମଧ୍ୟ ଏହି ଗୁଜବର ଜାଲରେ ଫସିଯାଇଛି। କେହି କହୁଛି — "ଏଥିରୁ କର୍କଟ ରୋଗ ହୁଏ।" କେହି କହୁଛି — "ଏଥିରେ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ।" କେହି କହୁଛି — "ଏହାର ଆଲୁମିନିୟମ ଶରୀରରେ ଵିଷ ଭରିଦିଏ।"

ତେବେ ଏସବୁ କ’ଣ ସତ ? କ’ଣ ସତରେ ପ୍ରେସର୍ କୁକର୍ ଆମ ଶରୀର ପାଇଁ କ୍ଷତିକାରକ ? ପ୍ରେସର୍ କୁକର୍ ଵିଷୟରେ ଭଲ ଭାବରେ ନଜାଣିଲେ ଏହାର ଉତ୍ତର ବୁଝିଵା କଷ୍ଟସାଧ୍ୟ ହୋଇପାରେ । 

ପ୍ରେସର୍ କୁକର୍‌ର ଯିଏ ଉଦ୍ଭାଵକ ତାଙ୍କୁ ଜଗତ 
Denis Papin ନାମରେ ଜାଣେ । Papinଙ୍କ ଜନ୍ମ 22 August, 1647 ରେ ଫ୍ରାନ୍ସର Blois ସହରରେ ହୋଇଥିଲା । Denis Papin ଏକ Huguenot ପରିଵାରରେ ଜନ୍ମଗ୍ରହଣ କରିଥିଲେ ଏଵଂ ତାଙ୍କ ସମ୍ପ୍ରଦାୟ ଫ୍ରାନ୍ସରେ ସଂଖ୍ୟାଲଘୁ ଥିଲେ ତଥା ପ୍ରାୟତଃ ନିର୍ଯାତନାର ସମ୍ମୁଖୀନ ହେଉଥିଲେ। ହୁଏତ ଏଥିପାଇଁ Papinଙ୍କ ମନରେ ସବୁବେଳେ କିଛି ନୂଆ ଖୋଜିଵାର, କିଛି ଭଲକାମ କରିଵାର, ଏକ ଅଦୃଶ୍ୟ ଅସ୍ଥିରତା ଥିଲା।
ସେହି ସମୟ Europeର ଵୈଜ୍ଞାନିକ ଵିପ୍ଳଵର ସମୟ ଥିଲା। Galileoଙ୍କ ଦୂରଵୀକ୍ଷଣ ଆକାଶକୁ ଉନ୍ମୁକ୍ତ କରି ଦେଇଥିଲା। Newton ଲୋକଙ୍କୁ gravity ଵା ମଧ୍ୟାକର୍ଷଣ ଵିଷୟରେ ଜଣାଇଥିଲେ। ଏଵଂ ସେହି ଯୁଗରେ Papin ଭାବୁଥିଲେ — "ବାଷ୍ପର ଶକ୍ତିକୁ ମଧ୍ୟ କାମରେ ଲଗାଯାଇପାରିଵ ନାହିଁ କି?"

ତାଙ୍କ ଆଗରେ ଏକ ସମସ୍ୟା ଥିଲା — ସେହି ଯୁଗରେ ହାଡ଼କୁ ଫୁଟାଇ gelatin ବାହାର କରିଵା ବହୁତ କଷ୍ଟକର ଓ ସମୟସାପେକ୍ଷ କାମ ଥିଲା। ଗରିବ ଲୋକମାନେ ଘଣ୍ଟା ଘଣ୍ଟା ଧରି ହାଡ଼କୁ ପାଣିରେ ଫୁଟାଉଥିଲେ , କିନ୍ତୁ ସେଥିରୁ ପୋଷଣ କମ୍ ମିଳୁଥିଲା ।

Papin ଭାବିଲେ — "ଯଦି ପାତ୍ରକୁ ବନ୍ଦ କରିଦିଆଯାଏ ତାହେଲେ ପାତ୍ର ମଧ୍ୟସ୍ଥ ବାଷ୍ପ ବାହାରକୁ ଯାଇପାରିଵ ନାହିଁ । ଫଳରେ ଚାପ ବଢ଼ିବଳଵ। ଚାପ ବଢ଼ିଵା ଦ୍ୱାରା ତାପମାତ୍ରା ବଢ଼ିଵ। ଏଵଂ ତାପମାତ୍ରା ବଢ଼ିଵା ଦ୍ୱାରା ହାଡ଼ଗୁଡ଼ିକ ଶୀଘ୍ର ନରମ ହୋଇଯିଵ।” 

ଏହା ଏକ ସାଧାରଣ ଚିନ୍ତାଧାରା ଥିଲା, କିନ୍ତୁ ଏହା ପଛରେ ପଦାର୍ଥ ଵିଜ୍ଞାନର ଗଭୀର ନିୟମ ଲୁଚି ରହିଥିଲା।

Papin ଏକ ସିଲିଣ୍ଡର୍ ଆକାରର ପାତ୍ର ତିଆରି କଲେ — ଗରମ ଧାତୁର ସେହି ପାତ୍ରରେ ଏକ ଟାଇଟ୍ ଫିଟିଂ ଢାଙ୍କୁଣୀ ଥିଲା। ସେ ସେଥିରେ ପାଣି ଓ ହାଡ଼ ପକାଇ ନିଆଁ ଉପରେ ରଖିଲେ। ତାପମାତ୍ରା ବଢ଼ିଲା, ବାଷ୍ପ ତିଆରି ହେଲା, ଚାପ ବଢ଼ିଲା। ଏଵଂ ତା’ପରେ — ହାଡ଼ଗୁଡ଼ିକ ଏତେ ନରମ ହୋଇଗଲା ଯେ ସେଗୁଡ଼ିକ ଆଙ୍ଗୁଠିରେ ହିଁ ଭାଙ୍ଗି ଯାଉଥିଲା !

Papin ଏହି ଯନ୍ତ୍ରର ନାମ ରଖିଲେ — "Digester" ଵା "Steam Digester"।
କିନ୍ତୁ ଗୋଟିଏ ସମସ୍ୟା ଦେଖାଦେଲା । ଚାପ ଅଧିକ ବଢ଼ିଲେ ପାତ୍ରଟି ଫାଟି ଯାଉଥିଲା। ଏହା ଏକ ଗୁରୁତର ଵିପଦ ଥିଲା। Papin ଏଥିପାଇଁ ଏକ ଚମତ୍କାର ସମାଧାନ ବାହାର କଲେ । ସେ ଏକ ଛୋଟ ଗର୍ତ୍ତ କଲେ ଏଵଂ ତା’ ଉପରେ ଏକ ଓଜନିଆ ଲିଵର୍ ରଖିଲେ। ଯେତେବେଳେ ଚାପ ଏକ ନିର୍ଦ୍ଦିଷ୍ଟ ସୀମା ଅତିକ୍ରମ କରୁଥିଲା, ସେହି ଲିଵରଟି ଉପରକୁ ଉଠୁଥିଲା ଏଵଂ ବାଷ୍ପ ବାହାରକୁ ବାହାରି ଯାଉଥିଲା। ଏହା ଥିଲା ଵିଶ୍ୱର ପ୍ରଥମ safety valve !

Papin ନିଜର Digester ନେଇ Londonର Royal Societyକୁ ଗଲେ। ସେଠାରେ ସେ ଏହାର ପ୍ରଦର୍ଶନ କଲେ। ସେ ସେହି Digesterରେ ରୋଷେଇ କଲେ ଏଵଂ King Charles II ତଥା Royal Societyର ସଦସ୍ୟମାନଙ୍କ ଆଗରେ ପରଷିଲେ।

12 ଏପ୍ରିଲ୍, 1682ରେ ପ୍ରସିଦ୍ଧ ଦାର୍ଶନିକ ଓ ଡାଏରୀ ଲେଖକ John Evelyn ତାଙ୍କ ଡାଏରୀରେ ଲେଖିଥିଲେ ଯେ Papinଙ୍କ Digesterରେ ତିଆରି ଖାଦ୍ୟ ଅତ୍ୟନ୍ତ ସୁସ୍ୱାଦୁ ଥିଲା ଏଵଂ ହାଡ଼ଗୁଡ଼ିକ ଏତେ ନରମ ଥିଲା ଯେ ସେଥିରୁ gelatin ସହଜରେ ବାହାରି ଆସିଲା।

1681ରେ Papin ଏକ ଛୋଟ ପୁସ୍ତିକା ପ୍ରକାଶ କଲେ — "A New Digester or Engine for Softening Bones" — ଯହିଁରେ ସେ ଏହି ଯନ୍ତ୍ରର କାର୍ଯ୍ୟପ୍ରଣାଳୀ ଵିଷୟରେ ଵିସ୍ତୃତ ଭାବେ ବୁଝାଇଥିଲେ।

କିନ୍ତୁ Papinଙ୍କ ଜୀବନ ସୁଖଦ ନଥିଲା। ଧର୍ମ ପାଇଁ ନିର୍ଯାତନା, ଦାରିଦ୍ର୍ୟ ଓ ଅଵହେଳା ଇତ୍ୟାଦି ତାଙ୍କ ଜୀଵନର ସହଚର ହୋଇଗଲେ। ତାଙ୍କର Steam Digester ପ୍ରସିଦ୍ଧ ହେଲା, କିନ୍ତୁ ସେ ନିଜେ ଜଗତ ପାଇଁ ଅଜଣା ଅଶୁଣା ହୋଇ ରହିଗଲେ। ଵିଶ୍ୱାସ କରାଯାଏ ଯେ ତାଙ୍କର ମୃତ୍ୟୁ 1712 ମସିହାର Londonରେ ଦାରିଦ୍ର୍ୟ ମଧ୍ୟରେ ହୋଇଥିଲା।

କିନ୍ତୁ ତାଙ୍କର ଉଦ୍ଭାବନ ମରିଗଲା ନାହିଁ। ତାଙ୍କର 
safety valveର ଚିନ୍ତାଧାରା ପରଵର୍ତ୍ତୀ ସମୟରେ ବାଷ୍ପ ଇଞ୍ଜିନକୁ ଜନ୍ମ ଦେଲା ଯାହା ଶିଳ୍ପ ଵିପ୍ଳଵର ମୂଳଦୁଆ ସ୍ଥାପନ କଲା । Papinଙ୍କର Digester ଆଜି ପ୍ରତ୍ୟେକଙ୍କ ରୋଷେଇ ଘରେ "ପ୍ରେସର୍ କୁକର୍" ଭାବେ ଜୀଵିତ ଅଛି।

ଅଵଶ୍ୟ Papinଙ୍କ Digesterରୁ ଆଧୁନିକ ପ୍ରେସର କୁକର ପର୍ଯ୍ୟନ୍ତ ଯାତ୍ରା ବହୁତ ଲମ୍ବା। ଊନବିଂଶ ଶତାବ୍ଦୀରେ ଅନେକ ଉଦ୍ଭାଵକ ଏହି ଚିନ୍ତାଧାରା ଉପରେ କାମ କଲେ। କିନ୍ତୁ ଶିଳ୍ପ ସ୍ତରରେ ପ୍ରେସର କୁକିଂର ଵ୍ୟଵହାର ପ୍ରଥମେ କ୍ୟାନିଂ ଶିଳ୍ପରେ ହେଲା। 1874 ମସିହାରେ A.K. Shriver ପ୍ରଥମ ଵ୍ୟଵସାୟିକ ପ୍ରେସର କ୍ୟାନର୍ ତିଆରି କଲେ।
(ଇଂଲଣ୍ଡରେ ଆର୍ଚିବାଲ୍ଡ କେନରିକ୍ ଆଣ୍ଡ୍ ସନ୍ସ ଦ୍ୱାରା ନିର୍ମିତ ଏକ ଛଅ-କ୍ୱାର୍ଟ ପ୍ରେସର କୁକର, ପ୍ରାୟ ୧୮୯୦ ମସିହାରେ ତିଆରି ହୋଇଥିଲା ।)

ଘରୋଇ ଵ୍ୟଵହାର ପାଇଁ ଆଧୁନିକ ପ୍ରେସର୍ କୁକର୍ 1938 ରେ Alfred Vischer ତିଆରି କରିଥିଲେ ଯାହାର ନାମ ଥିଲା "Flex-Seal Speed Cooker"। 1939ରେ New York World's Fairରେ National Presto Industries ନିଜର ଆଲୁମିନିୟମ ପ୍ରେସର୍ କୁକର୍ ଉପସ୍ଥାପନ କରିଥିଲା ଯାହା ଆମେରିକୀୟ ଘରଗୁଡ଼ିକରେ ଅତ୍ୟନ୍ତ ଲୋକପ୍ରିୟ ହେଲା।
(Super cocotte décor SEB, 1973)

ଭାରତରେ ପ୍ରେସର କୁକରର କାହାଣୀ 1959ରେ ଆରମ୍ଭ ହୋଇଥିଲା ଯେତେବେଳେ TTK Prestige ଭାରତର ପ୍ରଥମ ଘରୋଇ ପ୍ରେସର କୁକର ତିଆରି କରିଥିଲା। ଏହା ଭାରତୀୟ ରୋଷେଇକୁ ବଦଳାଇ ଦେଇଥିଲା। ଡାଲି ଯାହା ପୂର୍ଵରୁ ଘଣ୍ଟା ଘଣ୍ଟା ଧରି ସିଝାଇଵାକୁ ହେଉଥିଲା, ଏବେ ତାହା କିଛି ମିନିଟ୍‌ ମଧ୍ୟରେ ପ୍ରସ୍ତୁତ ହୋଇଯାଉଛି। ପର୍ଵତ ଉପରେ ରହୁଥିଵା ଲୋକଙ୍କ ପାଇଁ ପ୍ରେସର୍ କୁକର୍ ବହୁତ ଉପଯୋଗୀ ହୋଇ ପାରିଛି । 
ତେବେ ଏହି ପ୍ରେସ୍ କୁକର୍ କେମିତି କାମ କରେ 
ତାହା ବୁଝିଵା ପାଇଁ ଆମକୁ ପଦାର୍ଥ ଵିଜ୍ଞାନର ଏକ ମୌଳିକ ନିୟମ ଜାଣିଵାକୁ ହେଵ।

ସାଧାରଣ ପରିସ୍ଥିତିରେ, ସମୁଦ୍ର ପତ୍ତନରେ, ପାଣି 100°Cରେ ଫୁଟେ। ଆମେ ସମସ୍ତେ ଏହା ଜାଣୁ। କିନ୍ତୁ ଏହି ତାପମାତ୍ରା ସ୍ଥିର ନୁହେଁ କାରଣ ଏହା ଵାୟୁମଣ୍ଡଳୀୟ ଚାପ ଉପରେ ନିର୍ଭର କରେ।

ଯେତେବେଳେ ଚାପ ବଢ଼େ, ପାଣିର ସ୍ଫୁଟନାଙ୍କ (Boiling point) ମଧ୍ୟ ବଢ଼େ। ପ୍ରେସର୍ କୁକର୍ ଭିତରେ ଯେତେବେଳେ ଢାଙ୍କୁଣୀ ବନ୍ଦ ଥାଏ ଏଵଂ ବାଷ୍ପ ବାହାରକୁ ଯାଇପାରେ ନାହିଁ ସେତେବେଳେ ପ୍ରେସର୍ କୁକର୍ ଭିତରେ ଚାପ ବଢ଼େ। ସାଧାରଣତଃ ପ୍ରେସର କୁକର ଭିତରେ ଚାପ ପାଖାପାଖି 1.03 bar ଵା 15 psi) ଅତିରିକ୍ତ ଥାଏ ଅର୍ଥାତ୍ ମୋଟ ଚାପ ପାଖାପାଖି 2 atmosphere ହୁଏ ।ଏହି ଵୃଦ୍ଧି ପାଇଥିଵା ଚାପରେ ପାଣିର ସ୍ଫୁଟଟାଙ୍କ ପାଖାପାଖି 121°C ହୋଇଯାଏ। ଏହି 121°Cର ତାପମାତ୍ରା ଯାହା ସାଧାରଣ ଫୁଟୁଥିଵା ପାଣିରୁ 21 ଡିଗ୍ରୀ ଅଧିକ ତାହା ରୋଷେଇର ଗତିକୁ ନାଟକୀୟ ଭାବେ ବଢ଼ାଇ ଦିଏ।

କେହି କେହି କୁହନ୍ତି ଯେ ପ୍ରେସର୍ କୁକର୍ ଭିତରେ Maillard Reaction ରାସାୟନିକ ପ୍ରକ୍ରିୟା ଘଟେ ଯାହା ଖାଦ୍ୟରେ ବାଦାମୀ ରଙ୍ଗ ଓ ଭଜା ସ୍ୱାଦ ଆଣିଥାଏ। ତେବେ ଏହି reaction 140-165°C ରେ ହୁଏ। ପ୍ରେସର କୁକର ଭିତରେ ତାପମାତ୍ରା କେଵଳ 121°C ପର୍ଯ୍ୟନ୍ତ ପହଞ୍ଚେ, ତେଣୁ Maillard Reaction ହୁଏ ନାହିଁ ଏଵଂ ଏଥିପାଇଁ ପ୍ରେସର କୁକରର ଖାଦ୍ୟ "ଭଜା" ସ୍ୱାଦ ଦିଏ ନାହିଁ ଵରଂ "ଫୁଟା" ଵା "ବାଷ୍ପରେ ରନ୍ଧା" ସ୍ୱାଦ ଦିଏ।

ମାଂସରେ Collagen protein ଥାଏ ଯାହା ଏହାକୁ ଶକ୍ତ କରିଥାଏ। 70°Cରୁ ଅଧିକ ତାପମାତ୍ରାରେ, Collagen ତତ୍ତ୍ଵ Gelatinରେ ପରିଵର୍ତ୍ତନ ହେଵାକୁ ଲାଗେ। କିନ୍ତୁ ଏହି ପ୍ରକ୍ରିୟା ଧୀର। ପ୍ରେସର୍ କୁକର୍ ଭିତରେ 121°Cରେ ଏହି ପରିଵର୍ତ୍ତନ ବହୁତ ଶୀଘ୍ର ହୁଏ ତେଣୁ ପ୍ରେସର୍ କୁକର୍ ଭିତରେ କୁକୁଡ଼ା ମାଂସ ଓ ମଟନ ବହୁତ ଶୀଘ୍ର ନରମ ହୋଇଯାଏ।
କିନ୍ତୁ ଆଜିକାଲି ସାମାଜିକ ଗଣମାଧ୍ୟମରେ ପ୍ରେସର୍ କୁକର୍‌ ସମ୍ବନ୍ଧରେ ଏତେ ଗୁଜବ ପ୍ରଚାରିତ ହେଉଛି ଯେ ଜଣେ ସାଧାରଣ ଗୃହିଣୀ ଵିଭ୍ରାନ୍ତ ହୋଇଯାଉଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଚାର କରାଯାଉଛି ଯେ "ପ୍ରେସର କୁକର ଭିତରେ ରୋଷେଇ କଲେ ସମସ୍ତ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ।" ମାତ୍ର ଏହା ଏକ ବଡ଼ ମିଥ୍ୟା। ସତ୍ୟ ହେଉଛି ପୋଷକ ତତ୍ତ୍ୱ ନଷ୍ଟ ହେଵାର ମୁଖ୍ୟ କାରଣ — ଅଧିକ ସମୟ ପର୍ଯ୍ୟନ୍ତ ଅଧିକ ତାପମାତ୍ରାରେ ରୋଷେଇ କରିଵା ଏଵଂ ଅଧିକ ଜଳର ଵ୍ୟଵହାର। ଜଳରେ ଦ୍ରଵଣୀୟ ଭିଟାମିନ୍ ମିଶି ଧୋଇ ହୋଇଯାଏ।

କିନ୍ତୁ ପ୍ରେସର କୁକର ଉଭୟ ସମସ୍ୟାର ସମାଧାନ କରେ । ପ୍ରେସର୍ କୁକର୍ ଭିତରେ ରୋଷେଇ କଲେ ବହୁତ କମ୍ ସମୟ ଵ୍ୟୟ ହୁଏ। ଯେଉଁ ଡାଲି 45 ମିନିଟରେ ସିଝୁଥିଲା, ତାହା ଏବେ 8-10 ମିନିଟରେ ସିଝିଯିଵ। କମ୍ ସମୟ ଯୋଗୁଁ କମ୍ ଉତ୍ତାପ ସଂସ୍ପର୍ଶ ଆସିଵାରୁ ଡାଲିରୁ କମ୍ ପୋଷକ ତତ୍ତ୍ୱ ହ୍ରାସ ହୁଏ।
ପୁଣି ପ୍ରେସର୍ କୁକର୍ ଭିତରେ କମ୍ ପାଣି ଦରକାର ହୁଏ। କମ୍ ପାଣି ଵ୍ୟଵହାର ହେଲେ କମ୍ ଲିଚିଂ ଘଟେ ଫଳତଃ ଅଳ୍ପ ଭିଟାମିନ୍ ହ୍ରାସ ହୁଏ । Oxidationରୁ ମଧ୍ୟ ପୋଷକ ତତ୍ତ୍ୱ ନଷ୍ଟ ହୁଏ। କିନ୍ତୁ 
ପ୍ରେସର୍ କୁକର୍ ଭିତରେ ଅମ୍ଳଜାନ କମ୍ ଥାଏ ତେଣୁ ବନ୍ଦ ପାତ୍ରରେ oxidation କମ୍ ହୁଏ।

Journal of Food Science ରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, broccoli କ୍ଷେତ୍ରରେ 
ସାଧାରଣ Boilingରେ Vitamin C ମାତ୍ର 66% ରହେ,Steamingରେ 78% ରହେ କିନ୍ତୁ Pressure cookingରେ ପାଖାପାଖି 90% ରହେ । Cleveland Clinicର ପୁଷ୍ଟିସାର ଵିଶେଷଜ୍ଞଙ୍କ ଅନୁଯାୟୀ ପ୍ରେସର୍ କୁକିଂ ପନିପରିବାରେ ପୋଷକ ତତ୍ତ୍ୱ ବଜାୟ ରଖିଵାର ସର୍ଵୋତ୍ତମ ଉପାୟଗୁଡ଼ିକ ମଧ୍ୟରୁ ପ୍ରଧାନ ଅଟେ।

Thiamine (B1), Riboflavin (B2) ଓ Niacin (B3) ଭଳି B-vitaminଗୁଡ଼ିକ ଉତ୍ତାପ ପ୍ରତି ସମ୍ବେଦନଶୀଳ କିନ୍ତୁ ପାଣିରେ ମଧ୍ୟ ଦ୍ରଵଣୀୟ। ପ୍ରେସର୍ କୁକର୍ ଭିତରେ କମ୍ ପାଣି ତଥା କମ୍ ରୋଷେଇ ସମୟ ଯୋଗୁଁ ଏଗୁଡ଼ିକ ଅଧିକ ପରିମାଣରେ ରହିଥାଏ। ଗାଜରରେ ମିଳୁଥିଵା beta-carotene ଏଵଂ ବିଲାତି ବାଇଗଣରେ ଥିଵା lycopene ଭଳି Antioxidants ମଧ୍ୟ 
ପ୍ରେସର କୁକିଂରେ ଅଧିକ bioavailable ହୋଇଯାନ୍ତି, କାରଣ cell walls ଭାଙ୍ଗିଯାଏ ଏଵଂ ଏହାକୁ ଭଲ ଭାବେ ଶୋଷଣ କରାଯାଇପାରେ।
ତେଣୁ ପ୍ରେସର୍ କୁକର୍ ଵ୍ୟଵହାର କରି ରୋଷେଇ କଲେ ସମସ୍ତ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ ନାହିଁ ଵରଂ ପୋଷକ ତତ୍ତ୍ଵ ରକ୍ଷାପାଏ ।

ଆଉ ଏକ ଅପପ୍ରଚାରରେ କୁହାଯାଉଛି ଯେ "ପ୍ରେସର୍ କୁକର୍ ମଧ୍ୟରେ ରୋଷେଇ କଲେ Acrylamide ତିଆରି ହୁଏ ଯାହା କର୍କଟ ରୋଗର କାରଣ ହୋଇଥାଏ ।" 

ଏହି କଥା ମଧ୍ୟ ସମ୍ପୂର୍ଣ୍ଣ ଭୁଲ୍। Acrylamide ଏକ ରାସାୟନିକ ଯୌଗିକ ଯାହା carbohydrate-rich ଖାଦ୍ୟକୁ ଯେତେବେଳେ ଶୁଖିଲା ଉତ୍ତାପରେ ଏଵଂ 140°Cରୁ ଅଧିକ ତାପମାତ୍ରାରେ ରୋଷେଇ କରାଯାଏ, ସେତେବେଳେ ତିଆରି ହୁଏ। ଏହା Maillard Reactionର ଏକ ଉପଜାତ।

180-200°Cରେ Fry ଵା ପରଜିଲେ Acrylamide ତିଆରି ହୋଇଥାଏ । 200°C+ ତାପମାତ୍ରାରେ Roast କଲେ ଵା ଭଜିଲେ Acrylamide ତିଆରି ହୋଇଥାଏ । 150-200°C ମଧ୍ୟରେ Bake କଲେ ଵା ଶୁଖିଲା ଉତ୍ତାପରେ ରୋଷେଇ କଲେ ମଧ୍ୟ Acrylamide ତିଆରି ହୋଇଥାଏ । 150°C+ ତାପମାତ୍ରାରେ Toast କଲେ ଵା ପୋଡ଼ିଲେ ମଧ୍ୟ Acrylamide ତିଆରି ହୋଇଥାଏ । 

କିନ୍ତୁ ପ୍ରେସର୍ କୁକର୍ ଯୋଗୁଁ Acrylamide ତିଆରି ହୁଏ ନାହିଁ । ପ୍ରେସର୍ କୁକର୍ ଭିତରେ ତାପମାତ୍ରା ସର୍ଵାଧିକ 121°C ପର୍ଯ୍ୟନ୍ତ ପହଞ୍ଚିଥାଏ । Acrylamide ତିଆରି ପାଇଁ ସର୍ଵନିମ୍ନ 140°C ଆଵଶ୍ୟକ। ଏହା ସହିତ, ପ୍ରେସର କୁକର ଭିତରେ ଆର୍ଦ୍ରତାଯୁକ୍ତ ଉତ୍ତାପ ଥାଏ ଏଵଂ ଓଦା ରୋଷେଇ ପରିଵେଶରେ Acrylamide reaction ହୁଏ ନାହିଁ।

European Food Safety Authority (EFSA) ଏଵଂ World Health Organization (WHO) ଅନୁଯାୟୀ, Acrylamideର ସମସ୍ୟା ମୁଖ୍ୟତଃ ଭଜା ଏଵଂ ବେକ୍ ହୋଇଥିଵା ଖାଦ୍ୟରେ ଅଛି, ଫୁଟା ଵା ପ୍ରେସର୍-କୁକର୍ ଦ୍ଵାରା ରନ୍ଧା ଖାଦ୍ୟରେ ନୁହେଁ। ତେଣୁ ଯଦି ଆପଣ ଚିପ୍ସ ଖାଉଛନ୍ତି ତେବେ Acrylamide ଵିଷୟରେ ଚିନ୍ତା କରନ୍ତୁ କାରଣ ସେ ଖାଦ୍ୟ ମଧ୍ୟରେ Acrylamide ଥାଇପାରେ । 

ଆଉ କିଛି ଲୋକ କୁହନ୍ତି ଯେ "ଦୈନନ୍ଦିନ ରୋଷେଇରେ ପ୍ରେସର୍ କୁକର୍ ଵ୍ୟଵହାର କଲେ ଶରୀରରେ ଅମ୍ଳତା ଵା Acidity ବଢ଼ିଥାଏ।"

ହେଲେ ଏହା ଏକ ସମ୍ପୂର୍ଣ୍ଣ ଭ୍ରମଧାରଣା ଯାହା ଭୁଲ ବୁଝାମଣାରୁ ଆସିଛି। ଦୈନନ୍ଦିନ ରୋଷେଇରେ ଆମେ ସୋଡ଼ିୟମଯୁକ୍ତ ମସଲା ଵ୍ୟଵହାର କରିଥାଉ, ଯାହା Acidity ବଢ଼ାଇଥାଏ। ଏହା ପ୍ରେସର୍ କୁକର୍ ସହିତ ଜଡ଼ିତ ନୁହେଁ। ସୋଡ଼ିୟମ ନିୟନ୍ତ୍ରଣ କରି ଆମେ Acidity କମାଇ ପାରିଵା। ପ୍ରେସର୍ କୁକର୍‌ରେ ରାନ୍ଧିଵା ସମୟରେ କମ୍ ସୋଡ଼ିୟମ ଵା ଲୁଣ ଵ୍ୟଵହାର କରନ୍ତୁ । ରୋଷେଇ ପରେ ସେଥିରେ କାକୁଡ଼ି, ତରଭୁଜ ମିଶାନ୍ତୁ । 

ଆହୁରି କିଛି ଲୋକ କୁହନ୍ତି "ପ୍ରେସର କୁକର ଭିତରେ ରୋଷେଇ କଲେ ଖାଦ୍ୟର ସ୍ୱାଦ ନଷ୍ଟ ହୋଇଯାଏ।"

ଏହା ସମ୍ପୂର୍ଣ୍ଣ ଭୁଲ୍। ପ୍ରେସର କୁକର ଭିତରେ ରନ୍ଧା ଖାଦ୍ୟ ସ୍ୱାଦିଷ୍ଟ ଥାଏ ଏଵଂ ଖାଦ୍ୟର ଗୁଣବତ୍ତା ବଜାୟ ରଖେ। ଗାଆଁ ଗଣ୍ଡାରେ ଆଜି ବି ତିଅଣ ଆଦି ଖାଦ୍ୟର ସ୍ବାଦ ଓ ସୁଵାସ ରକ୍ଷା ପାଇଁ ଘୋଡ଼ଣୀଟିଏ ଢାଙ୍କି ରଖାଯାଏ । ପ୍ରାଚୀନ ଲୋକେ ବି ଏକଥା ଜାଣିଥିଲେ ତେଣୁ ପ୍ରାୟ ସବୁ ଦେଶରେ ଘୋଡ଼ଣୀ ଢାଙ୍କି ରୋଷେଇ କରିଵାର ପାରମ୍ପରିକ ଵିଧି ରହିଛି । 

ଖାଦ୍ୟର ସ୍ୱାଦର ବଡ଼ ଅଂଶ ସୁଵାସରୁ ଆସିଥାଏ । ଖାଦ୍ୟ ରନ୍ଧା ସମୟରେ ମସଲା ଓ ଖାଦ୍ୟ ଦ୍ରଵ୍ୟରୁ ବାହାରୁଥିଵା ସୁଵାସ ଅଣୁଗୁଡ଼ିକ ଗରମରେ ସହଜରେ ବାଷ୍ପୀଭୂତ ହୋଇଯାଏ। ଖୋଲା କଢ଼େଇରେ ରାନ୍ଧିଲେ , ସେ ସୁଵାସ ଅଣୁଗୁଡ଼ିକ ଵାଷ୍ପରେ ମିଶି ଉଡ଼ିଯାଏ ତେଣୁ ଖାଦ୍ୟର ସ୍ୱାଦ କମିଯାଏ। କିନ୍ତୁ ଯେତେବେଳେ ଢାଙ୍କୁଣି ଦିଆଯାଏ କିମ୍ବା ପ୍ରେସର କୁକର ଭିତରେ ରନ୍ଧାଯାଏ ସେତେବେଳେ ବାଷ୍ପ ବାହାରକୁ ଯାଇପାରେନି ଏଵଂ 
ସେହି ସୁଵାସ ପୁଣି ଖାଦ୍ୟରେ ଫେରିଯାଏ ତେଣୁ ସ୍ୱାଦ ଅଧିକ ଗାଢ଼ ଲାଗେ ‌।

ତଥାପି ଢାଙ୍କୁଣି ଘୋଡ଼ାଇ କଡ଼େଇରେ ରାନ୍ଧିଲେ ମଧ୍ୟ ଫାଙ୍କ ବାଟ ଦେଇ ବାଷ୍ପ ସହିତ ସୁଵାସ ଉଡ଼ିଯାଏ କିନ୍ତୁ ପ୍ରେସର୍ କୁକର୍ କ୍ଷେତ୍ରରେ ଖାଦ୍ୟ ଶୀଘ୍ର ସିଜେ
ସୁଵାସ ଓ ପୋଷକତତ୍ତ୍ୱ ଅଧିକ ସମୟ ଧରି ଧରିରହେ ଏଵଂ ସ୍ୱାଦ ଭଲ ମିଶିଯାଏ ।‌ ଅଳ୍ପ ସମୟ ମଧ୍ୟରେ ମାତ୍ର ଦୁଇ ତିନୋଟି ସିଟିରେ ରୋଷେଇ ହୋଇଯାଉଥିଵାରୁ ଅନେକାଂଶରେ ଖାଦ୍ୟର ସୁଵାସ ବଞ୍ଚିଯାଏ ଏଵଂ ତାହା ହିଁ ଖାଦ୍ୟକୁ ସ୍ଵାଦିଷ୍ଟ କରିଦିଏ । 
ଅସ୍ତୁ “ପ୍ରେସର୍ କୁକର୍‌ରେ ରନ୍ଧା ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଅହିତକର।” ଏହି ଧାରଣା କେମିତି ଗଢ଼ିଉଠିଲା? 

ପ୍ରକୃତରେ ପ୍ରେସର୍ କୁକର୍ ଵିଷୟରେ ଅନେକ ଅପପ୍ରଚାରର ମୂଳ କାରଣ ହେଉଛି ଵିଜ୍ଞାନ ସମ୍ପର୍କରେ ଅପୂର୍ଣ୍ଣ ଜ୍ଞାନ। ସାଧାରଣତଃ ଲୋକମାନେ ଧାରଣା କରନ୍ତି ଯେ ଅଧିକ ତାପମାତ୍ରା ଓ ଚାପରେ ରନ୍ଧା ହେଲେ ଖାଦ୍ୟର ପୋଷକତତ୍ତ୍ୱ ନଷ୍ଟ ହୋଇଯାଏ। ଏହି ଧାରଣା ଆଂଶିକ ଭାବେ ଭୁଲ୍। 
ପ୍ରେସର୍ କୁକର୍‌ରେ ଖାଦ୍ୟ ଅତ୍ୟନ୍ତ କମ ସମୟରେ ରନ୍ଧା ହୁଏ, ଯାହା ଫଳରେ ଦୀର୍ଘ ସମୟ ତାପର ସମ୍ପର୍କରେ ରହେନାହିଁ ଏଵଂ ଅନେକ ସୂକ୍ଷ୍ମ ପୋଷକତତ୍ତ୍ୱ ରକ୍ଷିତ ରହିଥାଏ। 

ପୁଣି ମାନଵ ସ୍ୱଭାଵରେ ଏକ ସ୍ପଷ୍ଟ ଧାରା ଦେଖାଯାଏ—ପୁରୁଣା ପ୍ରଣାଳୀ ପ୍ରତି ଆସକ୍ତି ଓ ନୂଆ ପ୍ରତି ସନ୍ଦେହ। ପ୍ରାଚୀନ ରନ୍ଧନ ପଦ୍ଧତି, ଯେପରିକି ହାଣ୍ଡି ଵା ମାଟିର ପାତ୍ରରେ ଧୀରେ ଧୀରେ ଖାଦ୍ୟ ରନ୍ଧା, ଏକ “ପ୍ରାକୃତିକ” ଓ “ସ୍ୱାସ୍ଥ୍ୟକର” ପ୍ରକ୍ରିୟା ଭାବେ ଦୃଢ଼ ଧାରଣାରେ ପରିଣତ ହୋଇଥିଲା। ହେଲେ, ପ୍ରେସର୍ କୁକର୍ ଏକ ଯନ୍ତ୍ରନିର୍ଭର ଓ ଦ୍ରୁତ ପ୍ରକ୍ରିୟାକୁ ପ୍ରତିନିଧିତ୍ୱ କରିଥିଲା, ଯାହା ପ୍ରତି ସନ୍ଦେହ ଉତ୍ପନ୍ନ ହେବା ସ୍ୱାଭାଵିକ ଥିଲା। ଅତଃ କିଛି ଲୋକ ଏହି କାରଣରୁ ମଧ୍ୟ ପ୍ରେସର୍ କୁକର୍ ଵିଷୟରେ ଅପପ୍ରଚାର କରିଵାକୁ ପ୍ରେରିତ ହେଲେ । 

ପ୍ରେସର୍ କୁକର୍‌ର ଭୁଲ୍ ଵ୍ୟଵହାର ଯୋଗୁଁ ବେଳେବେଳେ ଦୁର୍ଘଟଣା ଘଟିଥାଏ, ଵିଶେଷକରି ଯଦି ସୁରକ୍ଷା ନିୟମ ପାଳନ କରାନଯାଏ। ଏପରି ଘଟଣାଗୁଡ଼ିକ ଲୋକମାନଙ୍କ ମନରେ ଗଭୀର ଭୟ ସୃଷ୍ଟି କରିଥାଏ। ମନୋଵୈଜ୍ଞାନିକ ଦୃଷ୍ଟିକୋଣରୁ ମାନଵମନ ନକାରାତ୍ମକ ଘଟଣାକୁ ଅଧିକ ସ୍ମରଣ କରେ ଏଵଂ ତହିଁର ସାଧାରଣ ନିଷ୍କର୍ଷକୁ ମହତ୍ତ୍ୱ ଦିଏ। ତେଣୁ ଗୋଟିଏ ଦୁଇଟି ଦୁର୍ଘଟଣା ଅନେକଙ୍କ ପାଖରେ ସାମୁହିକ ଭୟର କାରଣ ହୋଇଯାଇଥିଲା। ଏଥିଯୋଗୁଁ ମଧ୍ୟ ଅନେକେ ପ୍ରେସର୍ କୁକର୍ ଵିପକ୍ଷରେ ଅପପ୍ରଚାର କଲେ । 

ମାନଵସମାଜରେ ଏକ ଦୃଢ଼ ଧାରଣା ରହିଛି—“ଯାହା ସ୍ୱାଭାବିକ ତାହା ଭଲ।” ଏହାକୁ “natural is better” ବୋଲି କୁହାଯାଏ। ଏହି ଧାରଣା ଅନେକ ସମୟରେ ଵୈଜ୍ଞାନିକ ପ୍ରମାଣକୁ ଅଵହେଳା କରିଵାକୁ ମାନଵ ମନକୁ ବାଧ୍ୟ କରିଥାଏ। ପ୍ରେସର୍ କୁକର୍ ଦ୍ରୁତ ଓ ନିୟନ୍ତ୍ରିତ ପ୍ରକ୍ରିୟା ହେତୁ ଏହାକୁ “ଅପ୍ରାକୃତିକ” ବୋଲି ଵିଚାର କରାଯାଇଥିଲା, ଯାହା ଅପପ୍ରଚାରକୁ ଆହୁରି ଶକ୍ତିଶାଳୀ କରିଥିଲା।

ସାମାଜିକ ଗଣମାଧ୍ୟମ ପୂର୍ଵ ଯୁଗରେ ମଧ୍ୟ ଶୁଣା କଥା ଓ ଅପୂର୍ଣ୍ଣ ସୂଚନା ବହୁତ ଶୀଘ୍ର ଵ୍ୟାପିଯାଉଥିଲା। “ପ୍ରେସର୍ କୁକର୍‌ରେ ରାନ୍ଧିଲେ ଖାଦ୍ୟମାନ ଵିଷାକ୍ତ ହୁଏ” ପରି ଅନେକ ଦାବି କୌଣସି ଵୈଜ୍ଞାନିକ ଆଧାର ବିନା ଲୋକମାନଙ୍କ ମଧ୍ୟରେ ପ୍ରଚଳିତ ହୋଇଥିଲା। ସୂଚନା ଯାଞ୍ଚର ଅଭାବ ଏହି ଭ୍ରାନ୍ତ ଧାରଣାକୁ ଆହୁରି ପ୍ରସାରିତ କରିଥିଲା। ସାମାଜିକ ଗଣମାଧ୍ୟମ ଆସିଵା ପରେ ସେହି ଧାରଣାକୁ ଠିକ୍ ବୋଲି କିଛି ଲୋକ ଅପୂର୍ଣ୍ଣ ଵୈଜ୍ଞାନିକ ତଥ୍ୟ ସହିତ ଉପସ୍ଥାପନ କଲେ ଯାହା କ୍ଷୀପ୍ର ଗତିରେ ଵ୍ୟାପିଗଲା । 

ତେଣୁ ପ୍ରେସର୍ କୁକର୍ ଵିଷୟରେ ହୋଇଥିଵା ଅପପ୍ରଚାର ପ୍ରକୃତରେ ଵିଜ୍ଞାନର ତଥ୍ୟ ତୁଳନାରେ ମାନଵ ମନୋଵୃତ୍ତି, ସାମାଜିକ ଧାରଣା ଓ ସୂଚନାର ଅଭାବର ଫଳ। ଭୟ, ପାରମ୍ପରିକ ପଦ୍ଧତି ପ୍ରତି ଆସକ୍ତି ଓ ଅପୂର୍ଣ୍ଣ ଜ୍ଞାନ ମିଶି ଏକ ଏମିତି ଧାରଣା ଗଢ଼ିଥିଲା, ଯାହାକୁ ଵିଜ୍ଞାନ ସମର୍ଥନ କରେନାହିଁ।

ସେହିପରି, ଆମେ ଯେତେବେଳେ ନୂଆ ପ୍ରଯୁକ୍ତି ଵା ପ୍ରଣାଳୀକୁ ଆକଳନ କରୁ, ସେତେବେଳେ ଭୟ କିମ୍ବା ଶୁଣାକଥା ନୁହେଁ ଵରଂ ଵୈଜ୍ଞାନିକ ତଥ୍ୟ ଓ ଯୁକ୍ତିକୁ ଆଧାର କରିଵା ଆଵଶ୍ୟକ ଅଟେ।

ସତ କହିଵାକୁ ଗଲେ ପ୍ରେସ୍ କୁକର୍‌ରେ ରୋଷେଇ କରିଵାର ଅନେକ ଲାଭ ରହିଛି । 

ଆଧୁନିକ ଜୀଵନରେ ସମୟ ସବୁଠାରୁ ମୂଲ୍ୟଵାନ ସମ୍ବଳ। ପ୍ରେସର୍ କୁକର୍ ଏହି ସମ୍ବଳକୁ ବଞ୍ଚାଇଵାରେ ଅନନ୍ୟ। ସାଧାରଣ ରୋଷେଇରେ ଡାଲି ପ୍ରାୟ 45-60 ମିନିଟ୍‌ରେ ସିଝେ କିନ୍ତୁ ପ୍ରେସର କୁକର୍‌ରେ ଡାଲି 8-12 ମିନିଟ୍ ମଧ୍ୟରେ ସିଝିଯାଏ । ଏହି ସମୟର ସଞ୍ଚୟ କେଵଳ ସୁବିଧା ନୁହେଁ — ଏହା ସେହି ଲକ୍ଷ ଲକ୍ଷ ମହିଳାମାନଙ୍କ ସମୟ ବଞ୍ଚାଏ ଯେଉଁମାନେ ଅଫିସ୍ ଓ ଘର ଉଭୟ ପରିଚାଳନା କରନ୍ତି।

Gas cylinder କଥା କହିଲେ ଏକ ସାଧାରଣ ଭାରତୀୟ ଘରେ ସାଧାରଣ ରୋଷେଇରେ gas cylinder 45-50 ଦିନ ଚାଲେ କିନ୍ତୁ ପ୍ରେସର କୁକରର ନିୟମିତ ଵ୍ୟଵହାରରେ 75-90 ଦିନ ପର୍ଯ୍ୟନ୍ତ ଚାଲିପାରିଵ । ଏହା ପାଖାପାଖି 40-50% ଶକ୍ତି ସଞ୍ଚୟ କରିଥାଏ । Carbon footprint ଦୃଷ୍ଟିରୁ ମଧ୍ୟ କମ୍ gas burning ଯୋଗୁଁ କମ୍ CO2 emission ହୁଏ । ଫଳତଃ 
ପ୍ରେସର୍ କୁକର୍ ପରିଵେଶ ଅନୁକୂଳ ବୋଲି ମଧ୍ୟ କୁହାଯାଇପାରିଵ । ଵିଦ୍ୟୁତ୍‌ର induction cooker ସହିତ ମଧ୍ୟ ପ୍ରେସର କୁକରର ଦକ୍ଷତା ଅଧିକ।

ପୂର୍ଵରୁ ଆଲୋଚିତ ହୋଇଛି ଯେ,ପ୍ରେସର କୁକର ଭିତରେ Vitamin C ପ୍ରାୟ 90% ପର୍ଯ୍ୟନ୍ତ ସୁରକ୍ଷିତ ରହେ ଏଵଂ B-vitamins ମଧ୍ୟ କମ୍ ପାଣି ଓ କମ୍ ସମୟର କାରଣରୁ ଅଧିକ ରକ୍ଷିତ ହୁଏ। Antioxidantsଗୁଡ଼ିକର bioavailability ଭଲ ହୁଏ ଏଵଂ Minerals (ଲୌହ, ଦସ୍ତା) ଶୋଷଣ ଉନ୍ନତ ହୁଏ, କାରଣ Phytic acid କମିଯାଏ। ଏଥି ସହିତ Proteinsର ଗୁଣବତ୍ତା ବଜାୟ ରହେ ଓ Fiber ମଧ୍ୟ ସୁରକ୍ଷିତ ରହେ। ଏକ ଆକର୍ଷଣୀୟ ଅଧ୍ୟୟନ ଅନୁସାରେ ପ୍ରେସର କୁକର୍‌ରେ ରନ୍ଧନ କଲେ ଡାଲି ଜାତୀୟ ଶସ୍ୟରେ resistant starchର ପରିମାଣ ବଢ଼ିଥାଏ, ଯାହା ଅନ୍ତ୍ରର ଉପକାରୀ ବ୍ୟାକ୍ଟେରିଆ ପାଇଁ ବହୁତ ଲାଭଦାୟକ।

ପ୍ରେସର୍ କୁକର୍‌ରେ ରନ୍ଧା ଖାଦ୍ୟ ଅଧିକ ନରମ ହୁଏ। ଏଥିରେ ରନ୍ଧା ଖାଦ୍ୟ ଵୃଦ୍ଧଵୃଦ୍ଧା ଓ ଶିଶୁମାନଙ୍କ ପାଇଁ ହଜମ କରିବାକୁ ସହଜ ହୋଇଥାଏ । ଡାଲି, ଚଣା ଓ ଅନ୍ୟାନ୍ୟ ଲେଗ୍ୟୁମ୍ସ ଜାତୀୟ ଶସ୍ୟରେ ଥିଵା ଗ୍ୟାସ୍ ସୃଷ୍ଟିକାରୀ ତତ୍ତ୍ୱ "oligosaccharides" ପ୍ରେସର୍ କୁକର୍‌ରେ ଚାପ ଯୋଗୁଁ ଭାଙ୍ଗିଯାଏ ଫଳତଃ ଗ୍ୟାସ୍ ସମସ୍ୟା କମିଯାଏ। 

ଗହମ ଭଳି ଖାଦ୍ୟର ମଧ୍ୟ ପ୍ରେସର କୁକର୍ ମଧ୍ୟରେ ରନ୍ଧନ ଦ୍ୱାରା gluten ଗଠନରେ କିଛି ପରିଵର୍ତ୍ତନ ଘଟେ ଯାହା କିଛି ସମ୍ବେଦନଶୀଳ ଲୋକଙ୍କ ପାଇଁ ଅଧିକ ସହନୀୟ ହୋଇପାରେ। ଖାଦ୍ୟ ଚବାଇଵାରେ ଅସୁବିଧା ଭୋଗୁଥିଵା ଲୋକଙ୍କ ପାଇଁ ମଧ୍ୟ ଏହି ଧରଣର ନରମ ଖାଦ୍ୟ ଅତ୍ୟନ୍ତ ଉପଯୁକ୍ତ।

ପ୍ରେସର କୁକର ଖାଦ୍ୟ ସୁରକ୍ଷାକୁ ବଢ଼ାଏ। ପ୍ରାୟ 121°C ତାପମାତ୍ରାରେ ରନ୍ଧା ହେଵାରୁ ଏହା ଅଧିକାଂଶ କ୍ଷତିକାରକ ବ୍ୟାକ୍ଟେରିଆ ଓ ପ୍ୟାଥୋଜେନ୍‌ସ୍‌କୁ ନଷ୍ଟ କରିଦିଏ। Salmonella, E. coli ଓ Listeria ଭଳି ଜୀଵାଣୁ ସାଧାରଣ ତାପମାତ୍ରାରେ ମରିଯାଆନ୍ତି, ତେଣୁ ପ୍ରେସର କୁକର୍‌ରେ ରନ୍ଧନ ଏକ ସୁରକ୍ଷିତ ପଦ୍ଧତି ଭାବେ ପରିଚିତ। ଏହି କାରଣରୁ କ୍ୟାନିଂ ଶିଳ୍ପରେ ମଧ୍ୟ ଏହାର ଵ୍ୟଵହାର ହୁଏ।

ସ୍ୱାଦ ଓ ଗୁଣଗତା (texture) ଦୃଷ୍ଟିରୁ ପ୍ରେସର କୁକର୍‌ରେ ରନ୍ଧନ ଅତ୍ୟନ୍ତ ଉନ୍ନତ ଅଟେ। କଠିନ ମାଂସ ଖଣ୍ଡ ନରମ ହୋଇଯାଏ, ଡାଲିରେ creamy texture ଆସେ, ଏଵଂ ମସଲାଦରଵ ଖାଦ୍ୟର ଭିତରକୁ ଭଲ ଭାବରେ ମିଶିଯାଏ। ବିରିୟାନୀ କିମ୍ବା ପୁଲାଉ ଭଳି ଖାଦ୍ୟକୁ ପ୍ରେସର୍ କୁକର୍‌ରେ କଲେ ଏକ ଵିଶେଷ ସ୍ଵାଦ ଆସିଥାଏ।

ପ୍ରେସର କୁକର ଏକ ବହୁମୁଖୀ ଯନ୍ତ୍ର। ଏଥିରେ ଭାତ, ଡାଲି, ମାଂସ ତରକାରୀ,ପରିବା ତିଅଣ, ସୁପ୍, କେକ୍, ପୁଡିଂ, ଇଟିଲି ପର୍ଯ୍ୟନ୍ତ ଅନେକ ଖାଦ୍ୟ ଦରବ ତିଆରି କରାଯାଇପାରେ। ଆଧୁନିକ electric cookerଗୁଡ଼ିକରେ ତ slow cooker, steamer, sauté pan ଇତ୍ୟାଦି ଏକାଧିକ ଯନ୍ତ୍ରର କାମ ସମ୍ପନ୍ନ ହୋଇପାରେ ।

ପ୍ରେସର କୁକର୍ ରୋଷେଇ ଦ୍ଵାରା ଜଳ ଅପଚୟ କମ୍ ହୋଇଥାଏ । ସାଧାରଣ ରନ୍ଧା ପ୍ରଣାଳୀ ତୁଳନାରେ 50-70% କମ୍ ପାଣି ଲାଗେ ଏଵଂ ବନ୍ଦ ପରିଵେଶରେ ବାଷ୍ପ ପୁନଃ ଵ୍ୟଵହୃତ ହୁଏ। ଏହା ଫଳରେ ପୋଷକ ତତ୍ତ୍ୱ ନଷ୍ଟ ହୁଏନାହିଁ।

ସାମାଜିକ ଦୃଷ୍ଟିକୋଣରୁ, ପ୍ରେସର କୁକର ଆଧୁନିକ ଭାରତୀୟ ମହିଳାଙ୍କ ପାଇଁ ଏକ ସଶକ୍ତିକରଣର ପ୍ରତୀକ। ଏକ ପକ୍ଷରେ ସେମାନେ ଵୃତ୍ତିଗତ ଜୀଵନରେ ଵ୍ୟସ୍ତ, ଅନ୍ୟ ପକ୍ଷରେ ଘରୋଇ ଦାୟିତ୍ୱ ଵହନ କରିଵାକୁ ପଡ଼େ। ଏହି ପରିସ୍ଥିତିରେ ଦ୍ରୁତ ଓ ସୁସ୍ଥ ଖାଦ୍ୟ ପ୍ରସ୍ତୁତି ପାଇଁ ପ୍ରେସର୍ କୁକରର ଏକ ଭରସାଯୋଗ୍ୟ ସାଥୀ।

ତେବେ ଵିଭିନ୍ନ ପ୍ରେସର୍ କୁକର୍ ମଧ୍ୟରେ stainless steel ସବୁଠାରୁ ଭଲ ପସନ୍ଦ। Hard-anodized aluminum ମଧ୍ୟ ଭଲ ଵିକଳ୍ପ, କିନ୍ତୁ ଯେଉଁମାନେ ତଥାପି aluminumର ପ୍ରେସର୍ କୁକର୍ ଵ୍ୟଵହାର କରିଵାକୁ ଚାହୁଁନାହାନ୍ତି ସେମାନେ stainless steel ଜାତୀୟ ପ୍ରେସର୍‌ କୁକର୍ ଵ୍ୟଵହାର କରିପାରନ୍ତି । ପରିଵାରର ସଦସ୍ୟ ସଂଖ୍ୟା ଅନୁଯାୟୀ ଆକାର ବାଛିଵା ଦରକାର।

ଯଦିଓ ପ୍ରେସର କୁକର ସୁରକ୍ଷିତ, କିଛି ସତର୍କତା ଆଵଶ୍ୟକ। ପ୍ରେସର୍ କୁକର୍ ମଧ୍ୟରେ ଅଧିକ ଭରିଵା ଉଚିତ୍ ନୁହେଁ, ସବୁବେଳେ ପର୍ଯ୍ୟାପ୍ତ ପାଣି ରଖିଵା ଦରକାର, ଗ୍ୟାସ୍କେଟ୍ ଓ ଭାଲ୍ଭକୁ ନିୟମିତ ଯାଞ୍ଚ କରିଵା ଉଚିତ୍ ଏଵଂ ଗରମ କୁକର୍‌କୁ ଜୋରକରି ଖୋଲିଵା ଉଚିତ୍ ନୁହେଁ।

ପ୍ରେସର୍ କୁକର୍ କେଵଳ ଗୋଟିଏ ରୋଷେଇ ଉପକରଣ ନୁହେଁ—ଏହା ଵିଜ୍ଞାନ, ସମୟ ଓ ସମାଜର ଏକ ସୁନ୍ଦର ସମନ୍ୱୟ। Denis Papinଙ୍କ ସରଳ ଧାରଣାରୁ ଆରମ୍ଭ ହୋଇ ଆଜିର ଆଧୁନିକ ଘରେ ଏହା ଜୀବନକୁ ସହଜ, ସ୍ୱାସ୍ଥ୍ୟକର ଓ ସୁବିଧାଜନକ କରିଛି। ଭୟ ଓ ଗୁଜବ ତୁଳନାରେ ଵୈଜ୍ଞାନିକ ସତ୍ୟ ସ୍ପଷ୍ଟ କହେ—ଠିକ୍ ଭାବରେ ଵ୍ୟଵହାର କଲେ ପ୍ରେସର୍ କୁକର୍ ସୁରକ୍ଷିତ, ପୋଷକତତ୍ତ୍ୱ ସଂରକ୍ଷକ ଓ ପରିଵେଶବନ୍ଧୁ।
ତେଣୁ ରୋଷେଇରେ “ଚାପ” ନୁହେଁ, ଵରଂ “ଚାପରେ ସୁବିଧା”କୁ ଗ୍ରହଣ କରିଵା ହିଁ ବୁଦ୍ଧିମାନ ନିଷ୍ପତ୍ତି।


Saturday, April 18, 2026

ଚାରକୋଳି ଓ ଭଇଁଚକୋଳି ଗୋଟିଏ ଗଛର କୋଳି କି ?

ଓଡ଼ିଆ ଲୋକଙ୍କ ମଧ୍ୟରେ ଗୋଟିଏ ବଡ଼ ଭ୍ରମ ରହିଛି ଯେ ଚାରକୋଳି ଓ ଭଇଁଚ ଵା ବଇଞ୍ଚକୋଳି ଗୋଟିଏ ଗଛର କୋଳି ଅଟେ । ତେବେ ପ୍ରକୃତରେ ଏ ଉଭୟ ଭିନ୍ନ ଭିନ୍ନ ଗଛର କୋଳି ଅଟେ । ପ୍ରାଚୀନ ଶଶିସେଣା ପଦ୍ୟରେ ପ୍ରତାପ ରାୟ ଉଭୟ କୋଳିର ଉଲ୍ଲେଖ କରି ଲେଖିଛନ୍ତି:


“ଦାରାକ୍ଷ ଜେଉଟ ତାଳ ଖଜୁରୀ, 
ଭଇଁଚ ଚାର ଖଇର ସୁନାରୀ ।”

ଭଇଁଚ ଆଉ ଚାର ଅଲଗା ଅଲଗା କୋଳି ହୋଇନଥିଲେ କଵି ପ୍ରତାପ ରାୟ ଉଭୟ ନାଆଁ ଭିନ୍ନ ଭିନ୍ନ ଲେଖିଥାନ୍ତେ କି ?

ପିୟାଳ ଵା ଚାରକୋଳିର ଵୈଜ୍ଞାନିକ ନାମ Buchanania lanzan ଅଟେ ଏଵଂ ଏହା ଲଙ୍କାଆମ୍ବ କୁଳ Anacardiaceaeର ଅନ୍ତର୍ଭୁକ୍ତ ଏକ ଜାତୀୟ ଦକ୍ଷିଣ ଏସୀୟ ଵୃକ୍ଷ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି Buchanania lanzan ଗଛକୁ ପିୟାଳ ଓ ଚାରକୋଳି କୁହାଯାଇଛି । 
ସେହିପରି Flacourtia jangomasକୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଭଇଁଚ/ବଇଁଚ କୋଳି କୁହାଯାଇଛି । ଏହା Salicaceae କୁଳର ଗଛ । ତେଣୁ ଭଇଁଚ ଓ ଚାର ଭିନ୍ନ ଭିନ୍ନ କୋଳି କିନ୍ତୁ ପାଚିଲେ ଏକ ପ୍ରକାରର ଦେଖାଯାଏ ।
ଗଛର ଗଠନ ଦିଗରୁ ଦେଖିଲେ ଉଭୟ ଗଛ ସ୍ପଷ୍ଟ ଭାବରେ ଭିନ୍ନ। ପିୟାଳ ଵା ଚାରକୋଳି ଗଛ ମଧ୍ୟମ ଆକାରର ଓ ସାଧାରଣତଃ କଣ୍ଟାଵିହୀନ। ଏହାର ଶାଖା-ପ୍ରଶାଖା ସୁସଂଖଳିତ ଓ ଜଙ୍ଗଲ ଅଞ୍ଚଳରେ ସ୍ଥିର ଭାବରେ ବଢ଼େ। ଅପରପକ୍ଷରେ ଭଇଁଚ ଗଛର ଏକ ମୁଖ୍ୟ ପରିଚୟ ଏହାର ଶାଖାରେ ଥିଵା ବଡ଼ ବଡ଼ କଣ୍ଟା ଅଟେ । ଏହି ଅଣ୍ଟା ଭଇଁଚ ଗଛକୁ ପଶୁମାନଙ୍କଠାରୁ ସୁରକ୍ଷା ଦେଵାରେ ସହାୟକ ହୋଇଥାଏ।

ଉଭୟ ଗଛର କୋଳିଫଳ ମଧ୍ୟରେ କିଛି ସାମଞ୍ଜସ୍ୟ ଥିଲେ ମଧ୍ୟ, ମୂଳ ପାର୍ଥକ୍ୟ ଅଧିକ ସ୍ପଷ୍ଟ। ପିୟାଳ ଵା ଚାରକୋଳିର କୋଳି ସାଧାରଣତଃ ଗୁଚ୍ଛ (cluster) ଭାବରେ ହୋଇଥାଏ, ଯାହା ୟେ ଗଛର ଏକ ଵିଶେଷ ଲକ୍ଷଣ। କିନ୍ତୁ ଭଇଁଚଗଛର କୋଳି ଗୁଚ୍ଛ ଭାବରେ ହୁଏ ନାହିଁ ଵରଂ ଗୋଟିଏ ଦୁଇଟି କିମ୍ବା ଚାରୋଟି ଲେଖାଁଏ ପେନ୍ଥା ପେନ୍ଥା ହୋଇ ଡାଳରେ ଫଳେ। ଅଵଶ୍ୟ ଉଭୟ କୋଳି ଛୋଟ ଓ ଗୋଲାକାର, ଯାହା ଵାହ୍ୟ ଦୃଷ୍ଟିରୁ ସମାନ ପ୍ରତିଭାତ ହୁଏ ।

କୋଳର ରଙ୍ଗରେ ମଧ୍ୟ ଏକ ଆକର୍ଷଣୀୟ ସାମ୍ୟ ଅଛି। ପିୟାଳ ଵା ଚାରକୋଳି ପାଚିଲେ ଗାଢ଼ ବାଇଗଣୀ କିମ୍ବା କଳା ହୋଇଯାଏ। ଭଇଁଚକୋଳି ପାଚିଲେ ପ୍ରଥମେ ଲାଲ ଓ ପରେ ଗାଢ଼ ବାଇଗଣୀ କିମ୍ବା କଳା ରଙ୍ଗର ହୋଇପାରେ। ଏହି ରଙ୍ଗର ସାମ୍ୟ ଉଭୟ କୋଳିକୁ ଚିହ୍ନିଵାରେ ଦ୍ଵନ୍ଦ ଉତ୍ପନ୍ନ କରେ । 

ସ୍ୱାଦ ଦୃଷ୍ଟିରୁ ଉଭୟ ଗଛର କୋଳି ମଧ୍ୟରେ ମୂଳ ପାର୍ଥକ୍ୟ ଦେଖାଯାଏ। ପିୟାଳ (ଚାର) କୋଳି ସାଧାରଣତଃ ଖଟା-ମିଠା ମିଶ୍ରିତ ସ୍ୱାଦର ହୁଏ, କେବେ କେବେ ହାଲୁକା କଷା ସ୍ଵାଦ ମଧ୍ୟ ଥାଏ। ଅନ୍ୟପକ୍ଷରେ ଭଇଁଚକୋଳିର ସ୍ୱାଦ ତାହାର ପକ୍ଵ ଅଵସ୍ଥା ଉପରେ ନିର୍ଭର କରେ — କଞ୍ଚା ଅଵସ୍ଥାରେ ଏହା କଷା (astringent) ଥାଏ, କିନ୍ତୁ ପାଚିଗଲେ ଏହା ମୁଖ୍ୟତଃ ମିଠା ହୋଇଯାଏ, କେବେ କେବେ ହାଲୁକା ଖଟା ମିଶା ସ୍ଵାଦ ଅନୁଭଵ ହୁଏ ।

ଉଭୟ କୋଳିର ଆଭ୍ୟନ୍ତରୀଣ ଗଠନ ମଧ୍ୟ ଦଭିନ୍ନ। ପିୟାଳ ଵା ଚାରକୋଳିର ଫଳର ଭିତରେ ଥିବା ବାଦାମକୁ Cuddapah almond କୁହାଯାଏ ଯାହା ଅତ୍ୟନ୍ତ ପୁଷ୍ଟିକର ଓ ଅର୍ଥନୈତିକ ଭାବେ ମୂଲ୍ୟଵାନ। ଏହା ଭାରତର ଵିଭିନ୍ନ ଖାଦ୍ୟରେ ଵ୍ୟଵହୃତ ହୁଏ। ଭଇଁଚକୋଳିରେ ମୁଖ୍ୟ ଖାଦ୍ୟ ଅଂଶ ହେଉଛି ଫଳର ମାଂସଳ ଅଂଶ ମାତ୍ର ମଞ୍ଜିର ସେପରି କୌଣସି ଅର୍ଥନୈତିକ ମୂଲ୍ୟ ନାହିଁ।

ପିୟାଳ ଵା ଚାରକୋଳିର ପତ୍ର ଚଉଡ଼ା, ମୋଟା ଓ ଚକମକିଆ, ଯାହା ଏହାକୁ ଶୁଷ୍କ ଅଞ୍ଚଳରେ ଜଳ ସଞ୍ଚୟରେ ସାହାଯ୍ୟ କରେ। ଭଇଁଚକୋଳିର ପତ୍ର ତୁଳନାମୂଳକ ଭାବେ ପତଳା ଓ ଏହାର କଣ୍ଟାଯୁକ୍ତ ଶାଖା ସହିତ ମିଶି ଏକ ସୁରକ୍ଷାତ୍ମକ ଗଠନ ସୃଷ୍ଟି କରେ।

ଉଭୟ ଭଇଁଚ ଓ ଚାରକୋଳିର ଫୁଲ ମଧ୍ୟରେ ଅଧିକ ସାମ୍ୟ ଦେଖାଯାଏ। ଉଭୟ ଗଛର ଫୁଲ ଛୋଟ ଓ ଧଳା କିମ୍ବା ହାଲୁକା ସବୁଜ/ପୀତ ରଙ୍ଗର ହୁଏ। ଉଭୟର ଫୁଲ ସେତେ ବଡ଼ ଆକର୍ଷଣୀୟ ନୁହେଁ, କିନ୍ତୁ କୀଟପତଙ୍ଗ ଦ୍ୱାରା ପରାଗସଞ୍ଚାର ପାଇଁ ଉପଯୁକ୍ତ।

ଉଭୟ ଗଛ ଭିନ୍ନ ଉଦ୍ଭିଦକୁଳର ହେଲେ ମଧ୍ୟ ଉଭୟ ଗଛର ଵିଵର୍ତ୍ତନ ଓ ଫୁଲ ତଥା ଫଳ ମଧ୍ୟରେ ଚମତ୍କାର ସମାନତା ଦେଖାଯାଏ ଯାହାକୁ ଉଦ୍ଭିଦଵିଜ୍ଞାନରେ “ସମାନାନ୍ତର ଵିଵର୍ତ୍ତନ” (convergent evolution) କୁହାଯାଏ।

ପୃଥିଵୀରେ ସପୁଷ୍ପକ ଉଦ୍ଭିଦମାନଙ୍କର ଉଦ୍ଭବ ପ୍ରାୟ ୧୪୦ ମିଲିୟନ ଵର୍ଷ(୧୪ କୋଟି ଵର୍ଷ) ପୂର୍ଵରୁ କ୍ରିଟେସିଅସ୍ ଯୁଗରେ ଘଟିଥିଲା। ସେହି ସମୟରେ ଉଷ୍ଣ ଓ ଆର୍ଦ୍ର ପରିଵେଶ ନୂତନ ଉଦ୍ଭିଦ ଜାତି ଗଠନରେ ସହାୟକ ହୋଇଥିଲା। ଏହି ପରିଵେଶରେ ଭିନ୍ନ ଭିନ୍ନ କୁଳର ଗଛମାନେ ଆଲଗା ଆଲଗା ଭାବରେ ଵିଵର୍ତ୍ତିତ ହେଲେ। ଏହିପରି ଭାବରେ Anacardiaceae ଓ Salicaceae ଦୁଇଟି କୁଳର ଆରମ୍ଭ ହେଲା, ଯହିଁରୁ ପରେ ପିୟାଳ ଓ ଭଇଁଚ ଗଛ ଉଦ୍ଭବ ହେଲା।

ପ୍ରାୟ ୬୫ ମିଲିୟନ ଵର୍ଷ ପୂର୍ଵେ ଡାଇନୋସରମାନଙ୍କ ଵିଲୁପ୍ତି ହେଵା ପରେ ପୃଥିଵୀର ପରିଵେଶରେ ମହତ୍ତ୍ୱପୂର୍ଣ୍ଣ ପରିଵର୍ତ୍ତନ ଆସିଲା। ଏହା ପରେ ଜଙ୍ଗଲଗୁଡ଼ିକ ଵିସ୍ତାରିତ ହେଲା ଏଵଂ ଉଦ୍ଭିଦମାନେ ଦ୍ରୁତ ହାରେ ଵିଵର୍ତ୍ତିତ ହେଲେ । ଏହି ସମୟରେ Buchanania lanzan ଓ Flacourtia jangomas ଉଭୟ ଉଦ୍ଭିଦଙ୍କ ପୂର୍ଵଜ ଭିନ୍ନ ପଥରେ ଵିକଶିତ ହେଲେ, କିନ୍ତୁ ଉଭୟ ଉଦ୍ଭିଦର ପରିଵେଶ ଗୋଟିଏ ହିଁ ଥିଲା । ଉଷ୍ଣମଣ୍ଡଳୀୟ ଜଙ୍ଗଲ, ଶୁଷ୍କ ଓ ଅର୍ଦ୍ଧ-ଶୁଷ୍କ ଅଞ୍ଚଳ । ଉଭୟ ଉଦ୍ଭିଦ ତେଣୁ ଏହି ପରିଵେଶ ମଧ୍ୟରେ ଵିଵର୍ତ୍ତିତ ହେଲେ ।

ଏହି ସମାନ ପରିଵେଶଗତ ଚାପ (environmental pressure) ଉଭୟ ଗଛରେ କିଛି ସମାନ ଲକ୍ଷଣ ଉଦ୍ଭଵ କରାଇଲା। ଉଭୟ ଚାରକୋଳି ଓ ବଇଞ୍ଚ କୋଳି ଗଛରେ ଛୋଟ ଗୋଲାକାର କୋଳିଫଳ ହୁଏ, ଯାହା ପାଚିଲେ ଗାଢ଼ ରଙ୍ଗର (ଲାଲ, ବାଇଗଣୀ କିମ୍ବା କଳା) ହୋଇଯାଏ। ଏହି ଫଳ ପକ୍ଷୀ ଓ ପଶୁମାନଙ୍କୁ ଆକର୍ଷିତ କରେ, ଯାହା ଫଳର ବୀଜ ଵିସ୍ତାରକୁ ସହଜ କରେ। ଏହି ସାଧାରଣ ଵୈଶିଷ୍ଟ୍ୟ ଦେଖି ଲୋକମାନେ ଚାରକୋଳି ଓ ବଇଞ୍ଚ କୋଳି ଗଛକୁ ଗୋଟିଏ ଧରିନେଇଥାନ୍ତି କିନ୍ତୁ ଵୈଜ୍ଞାନିକ ଭାବରେ ସଂପୂର୍ଣ୍ଣ ଭିନ୍ନ ଭିନ୍ନ ଵୃକ୍ଷ।

ଆଧୁନିକ ଯୁଗରେ ଜଙ୍ଗଲ କଟା, ଜଳଵାୟୁ ପରିଵର୍ତ୍ତନ ଏଵଂ ମାନଵୀୟ କାର୍ଯ୍ୟକଳାପ ଯୋଗୁଁ ଚାରକୋଳି ଓ ବଇଞ୍ଚ ଵା ଭଇଁଛ କୋଳି ଗଛର ବଂଶ ଵିସ୍ତାର ପ୍ରଭାଵିତ ହୋଇଛି। ଆଜି ପିଜୁଳି,ଆତ,ବଢ଼ିଆଳ, ଅମୃତଭଣ୍ଡା ଭଳି ଵୈଦେଶିକ ଗଛ ଏହି ଦେଶୀୟ ଗଛଗୁଡ଼ିକର ଗ୍ରାମାଞ୍ଚଳରେ ସ୍ଥାନ ଅଧିକାର କରି ନେଇଛନ୍ତି । 
ଫଳତଃ ଗ୍ରାମାଞ୍ଚଳରେ ଏ ଉଭୟ ଗଛ ଆଉ ସହଜରେ ଦେଖିଵାକୁ ମିଳୁନାହିଁ । ଵର୍ତ୍ତମାନର ପିଢ଼ିରେ ଅନେକେ ଏହି ଦୁଇ ଦେଶୀୟ କୋଳି ଗଛର କୋଳି ହିଁ ଖାଇ ନାହାନ୍ତି ଯାହା ଅତ୍ୟନ୍ତ ଦୁଃଖ ପରିତାପର ଵିଷୟ ଅଟେ । ଅନେକ ମାନଵୀୟ ପ୍ରଭାଵ ସତ୍ତ୍ୱେ ଉଭୟ ଗଛର ଅନୁକଳନ କ୍ଷମତା ଯୋଗୁଁ ଚାରକୋଳି ଓ ବଇଞ୍ଚ କୋଳି ଗଛ ଏପର୍ଯ୍ୟନ୍ତ ଵିଲୁପ୍ତ ନହୋଇ ବଞ୍ଚି ରଖିଛି।

ଚାରକୋଳି ଓ ବଇଞ୍ଚକୋଳି ଗଛ ଆମ ଦେଶର ଦେଶୀୟ ଗଛ ତେଣୁ ଉଭୟ କୋଳିଗଛର ସୁରକ୍ଷା ଓ ବଂଶ ଵିସ୍ତାର ଆମର ଦାୟିତ୍ବ ହେଵା ଉଚିତ୍ । 

Monday, April 13, 2026

•ହିମାଳୟ ପର୍ଵତମାଳା ଗଠନର ସତ୍ୟ କାହାଣୀ(ଵ୍ୟଙ୍ଗ୍ୟ)•

ଏହି କଥା ଆପଣଙ୍କୁ ଅନ୍ଧଭକ୍ତମାନେ କେବେ କହିବେ ନାହିଁ ଯେ ହିମାଳୟ, ତହିଁରୁ ନିମ୍ନକୁ ବହି ଯାଇଥିଵା ନଦୀଗୁଡ଼ିକ ଏଵଂ ତିନି ସମୁଦ୍ରର ସୃଷ୍ଟି ଜବାହରଲାଲ ନେହେରୁ ନିଜେ କରାଇଥିଲେ। ଏହି ସୂଚନା ମୁଁ ଜାତୀୟ ଅଭିଲେଖାଗାରରୁ ପାଇଛି, ଏଵଂ ଏହା ଗୋଦି ମିଡିଆ କେବେ ବି ଆପଣଙ୍କୁ କହିଵ ନାହିଁ।

 ପୂର୍ଵକାଳର ଲୋକଙ୍କଠାରୁ ଶୁଣାଯାଏ ଯେ ୧୯୪୭ ପୂର୍ଵରୁ ପ୍ରଵଳ ଶୀତ ହେଉଥିଲା ଏଵଂ ଇଂରେଜମାନଙ୍କ ପାଇଁ ସେହି ପରିଵେଶ ଅନୁକୂଳ ଥିଲା। କିନ୍ତୁ ଇଂରେଜମାନଙ୍କ ସହ ଲଢ଼ୁଥିଵା ନେହେରୁଙ୍କୁ ଏହା ଆଦୌ ଭଲ ଲାଗୁନଥିଲା । ତାଙ୍କ ଦେଶଵାସୀ ଥଣ୍ଡାରେ ମରିଯାଆନ୍ତୁ ବୋଲି ସେ ଆଦୌ ଚାହୁଁ ନଥିଲେ ।

ସ୍ୱାଧୀନତା ମିଳିଵା ପରେ ପଣ୍ଡିତ ନେହେରୁ ମିଶରରୁ ପିରାମିଡ୍ ତିଆରି କରିଥିଵା କାରିଗରମାନଙ୍କୁ ଡକାଇ ହିମାଳୟ ତିଆରି କରିଵା କାମର ଠିକା ଦେଲେ। ତହୁଁ ପ୍ରଥମ ପଞ୍ଚଵର୍ଷୀୟ ଯୋଜନାରେ ଅଫଗାନିସ୍ତାନଠାରୁ ଆରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଉଚ୍ଚ ଉଚ୍ଚ ପର୍ଵତମାନ ଗଢ଼ାଗଲା । ସେହି ପର୍ଵତମାଳାକୁ ଆଜି ଆମ୍ଭେମାନେ ହିମାଳୟ ବୋଲି କୁହୁଅଛୁ। କିନ୍ତୁ ଏହି ସତ୍ୟ ଇତିହାସ ଆପଣଙ୍କୁ ଅନ୍ଧଭକ୍ତମାନେ କେବେହେଲେ ବି କହିବେ ନାହିଁ।

ହିମାଳୟ ପର୍ଵତମାଳାର ପର୍ଵତଗୁଡ଼ିକୁ ଗଢ଼ିଵା ପାଇଁ ଦକ୍ଷିଣ ଭାରତରୁ ମାଟି, ବାଲି ଓ ପଥର ଖୋଳି ଉତ୍ତର ଆଡ଼କୁ ନିଆଯାଇଥିଲା,ଫଳରେ ସେଠାରେ ବଡ଼ ବଡ଼ ଗାଡ଼ମାନ ସୃଷ୍ଟି ହୋଇଗଲା।

ହିମାଳୟ ପର୍ଵତମାଳାର ପର୍ଵତଗୁଡ଼ିକ ଅତ୍ୟଧିକ ଉଚ୍ଚ ହୋଇଯିଵାରୁ ସାଇବେରିଆରୁ ଆସୁଥିବା ଶୀତଳ ପଵନ ଭାରତକୁ ଆଉ ଆସି ପାରିଲା ନାହିଁ ଏଵଂ ୟେ ଦେଶର ଲୋକମାନେ ଥଣ୍ଡାରୁ ରକ୍ଷା ପାଇଲେ। ହିମାଳୟ ଗଢ଼ା ଯିଵାରୁ ଦେଶରେ ଵର୍ଷାର ପରିମାଣ ମଧ୍ୟ ବଢ଼ିଲା । ଏତେ ଫଳମୂଳ ପନିପରିବା ହେଲା ଯେ ଦେଶର ଲୋକେ ପେଟ ଫଟେଇ ଖାଇଲେ ଆଉ ତାପରେ ଗଦେ ଗଦେ ଛୁଆ ବେଇ ପକେଇଲେ । ହଠାତ୍ ସତୁରୀ ଵର୍ଷ ମଧ୍ୟରେ ଜନସଂଖ୍ୟା ତେଣୁ ୩୫ କୋଟିରୁ ୧୫୦ କୋଟି ହୋଇଗଲା । ନେହେରୁ ଲୋକଙ୍କ ହିତରେ ହିମାଳୟ ପର୍ଵତମାଳା ଗଢ଼ାଇଥିଲେ କିନ୍ତୁ ବିଜେପି ଓ RRSବାଲା ନିଜର ଵୋଟ୍ ବ୍ୟାଙ୍କ୍ ବଢ଼ାଇଵା ପାଇଁ ଲୋକଙ୍କୁ ଚାରିଟା ପାଞ୍ଚଟା ଲେଖାଏଁ ଛୁଆ ଜନ୍ମ କରିଵାକୁ କହିଲେ । ଫଳତଃ ଗେରୁଆବାଲାଙ୍କ ସେହି ପ୍ରଚାର ଯୋଗୁଁ ଛୁଆଙ୍କ ସଂଖ୍ୟା ଅଧିକ ହେଲା ତେଣୁ ଆଜି ଦେଶରେ ଏତେ ଅନ୍ଧଭକ୍ତ ହୋଇଯାଇଛନ୍ତି । 

ତେବେ ହିମାଳୟ ପର୍ଵତମାଳା ଗଢ଼ାଯିଵାର ମାତ୍ର ଗୋଟିଏ ଵର୍ଷ ମଧ୍ୟରେ ସେଠାକାର ପର୍ଵତଗୁଡ଼ିକରେ ଭାରି ପରିମାଣରେ ବରଫ ଜମିଗଲା ଏଵଂ ଗ୍ରୀଷ୍ମକାଳରେ ସେଠାରୁ ଗଙ୍ଗା, ଯମୁନା, ବ୍ରହ୍ମପୁତ୍ର, ସିନ୍ଧୁ, ଝେଲମ୍, ଚିନାବ୍, ରାଵି, ସତଲଜ୍ ଇତ୍ୟାଦି ଅନେକ ନଦୀ ତଳ ଆଡ଼କୁ ପ୍ରଵାହିତ ହେଲେ । 

ହିମାଳୟର ଦକ୍ଷିଣ ଭାଗରୁ ନିମ୍ନକୁ ପ୍ରଵାହିତ ସମସ୍ତ ନଦୀ ହିମାଳୟ ତିଆରି ପାଇଁ ଖୋଳାଯାଇଥିଵା ଗାଡ଼ଗୁଡ଼ିକୁ ଜଳରେ ପୂରଣ କରିଦେଲେ । ସେହି ଗାଡ଼ଗୁଡ଼ିକୁ ଆଜି ଜଗତ ଭାରତ ମହାସାଗର, ସିନ୍ଧୁସାଗର ଓ ମହୋଦଧି ନାମରେ ଜାଣେ । 

ସେ ସମୟରେ କେତେକ କଂଗ୍ରେସୀ ନେହେରୁଙ୍କୁ ଅନୁରୋଧ କରିକହିଥିଲେ ଯେ ତିନି ସମୁଦ୍ରର ନାମ ନେହେରୁ ମହାସାଗର, ମୋତି ସାଗର ଓ କମଳା ସାଗର ରଖାଯାଉ ଏଵଂ ହିମାଳୟର ନାମ ଇନ୍ଦିରା ପର୍ଵତମାଳା କରାଯାଉ। କିନ୍ତୁ ନେହେରୁଙ୍କର ନାମ ପ୍ରତିଷ୍ଠାର ଲୋଭ ଆଦୌ ନଥିଲା, ସେ ସଫା ସଫା ମନା କରିଦେଲେ। ଅସ୍ତୁ ବହୁତ ଅନୁରୋଧ ପରେ ସେ କେଵଳ ଭାରତ ରତ୍ନ ନେଵାକୁ ମାତ୍ର ସ୍ୱୀକାର କଲେ।

ଆଜିକାଲିର ମୂର୍ଖ ଅନ୍ଧଭକ୍ତମାନେ ହିମାଳୟରୁ ଗଡ଼ି ଆସୁଥିଵା ନଦୀଗୁଡ଼ିକର ପାଣି ପିଇ ପିଇ ନେହେରୁ ଓ କଂଗ୍ରେସକୁ ଗାଳି ଦେଉଛନ୍ତି ଯେ ସେମାନେ କିଛି କରିନାହାନ୍ତି। ଟିକେ ତ ଶରମ କର ଅଲାଜୁକିଆ ନାଉଁକା ନାଁବଜା ଅନ୍ଧଭକ୍ତଦଳ ! 
•••••••••••••••••••••••••••••
ମୂଳ ଵ୍ୟଙ୍ଗ୍ୟ ML Gurjar Lachipura ମହାଶୟ ଲେଖିଛନ୍ତି । ତେବେ ଅନେକ Sarcasm-blind ଵା ଵ୍ୟଙ୍ଗ୍ୟାନ୍ଧ ଲୋକ ଏହାର ପ୍ରକୃତ ଭାଵାର୍ଥ ବୁଝିପାରିବେ ନାହିଁ ତେଣୁ ତାହା ନିମ୍ନରେ ପ୍ରଦତ୍ତ ହେଲା । 

ମୂଳ ଲେଖକ ଗୁପ୍ତ ଅର୍ଥରେ କ’ଣ ଲେଖିଛନ୍ତି ବୁଝନ୍ତୁ:

କ—> “ପୂର୍ଵକାଳର ଲୋକଙ୍କଠାରୁ ଶୁଣାଯାଏ ଯେ ୧୯୪୭ ପୂର୍ଵରୁ ପ୍ରଵଳ ଶୀତ ହେଉଥିଲା ଏଵଂ ଇଂରେଜମାନଙ୍କ ପାଇଁ ସେହି ପରିଵେଶ ଅନୁକୂଳ ଥିଲା। କିନ୍ତୁ ନେହେରୁ ଚାହୁଁନଥିଲେ ଯେ ଦେଶଵାସୀ ସେହି ଶୀତରେ ମରିଯାଆନ୍ତୁ ।”

ଏଠାରେ ଲେଖକ କହୁଛନ୍ତି ଯେ ୧୯୪୭ ପୂର୍ଵରୁ ଦଙ୍ଗା ହେଉଥିଲା ଏଵଂ ଏ ଦଙ୍ଗା ପଛରେ ଇଂରେଜମାନଙ୍କ କୁଟନୀତି ଥିଲା । ହିନ୍ଦୁ ମୁସଲିମ୍ ଲଢ଼ିଲେ ଦେଶର ଏକତା ରହିଵ ନାହିଁ ଯାହା ଇଂରେଜମାନଙ୍କ ପାଇଁ ଅନୁକୂଳ କଥା। ନେହେରୁଙ୍କ ଭଳି ନେତାଏ ଚାହୁଁନଥିଲେ ଯେ ହିନ୍ଦୁମାନେ ସଂଗଠିତ ହୋଇ ପଠାଣଙ୍କ ବଂଶ ଲୋପ କରି ଦିଅନ୍ତୁ ତେଣୁ ସେମାନେ ଭାରତ ଵିଭାଜନ କରେଇ ଦେଲେ । 

ଖ—>
“ସ୍ୱାଧୀନତା ମିଳିଵା ପରେ ପଣ୍ଡିତ ନେହେରୁ ମିଶରରୁ ପିରାମିଡ୍ ତିଆରି କରିଥିଵା କାରିଗରମାନଙ୍କୁ ଡକାଇ ହିମାଳୟ ତିଆରି କରିଵା କାମର ଠିକା ଦେଲେ। ତହୁଁ ପ୍ରଥମ ପଞ୍ଚଵର୍ଷୀୟ ଯୋଜନାରେ ଅଫଗାନିସ୍ତାନଠାରୁ ଆରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଉଚ୍ଚ ଉଚ୍ଚ ପର୍ଵତମାନ ଗଢ଼ାଗଲା । ସେହି ପର୍ଵତମାଳାକୁ ଆଜି ଆମ୍ଭେମାନେ ହିମାଳୟ ବୋଲି କୁହୁଅଛୁ।”

ଭାରତର ସ୍ଵାଧୀନତା ଲାଭ ପରେ ଦେଶକୁ ତାହାର ମୂଳ ସାଂସ୍କୃତିକ ପରିଚୟ ସହିତ ଜଡ଼ିତ ନକରି ଵିଦେଶୀ ସଂସ୍କୃତିକୁ ମହତ୍ତ୍ୱ ଦିଆଗଲା । ସେ ସମୟର ଶାସକ ନେହେରୁ ଥିଲେ ତେଣୁ ଏଠାରେ ତାଙ୍କ ନାଆଁ ନେଇ ପରୋକ୍ଷରେ ତତ୍କାଳୀନ ଦୂରଦୃଷ୍ଟିହୀନ ସରକାରକୁ ଵ୍ୟଙ୍ଗ୍ୟ କରାଯାଇଛି । 
ଆଫଗାନିସ୍ତାନ ଠାରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଵ୍ୟାପ୍ତ ହିମାଳୟ ପର୍ଵତମାଳାର ଏକ ବଡ଼ ଅଂଶ ଚୀନ ଅକ୍ତିଆର କରି ନେଲା । ତିବ୍ବତକୁ ମଧ୍ୟ ଚୀନ ପରାଧୀନ କରିଦେଲା । ଏସବୁ ନେହେରୁଙ୍କ ପଞ୍ଚଶୀଳ ନୀତି ଯୋଗୁଁ ହେଲା । ଏଠାରେ ଲେଖକ ପଞ୍ଚଶୀଳ ନୀତିକୁ ପରୋକ୍ଷରେ ପ୍ରଥମ ପଞ୍ଚଵର୍ଷୀୟ ଯୋଜନା ରୂପେ ଚିତ୍ରଣ କରିଛନ୍ତି । ପିରାମିଡ୍ ଗଢ଼ୁଥିଵା ଵିଦେଶୀ ଅର୍ଥାତ୍ ଚୀନାଙ୍କ ଦ୍ଵାରା ନେହେରୁ ହିମାଳୟ ଗଢ଼ାଇଲେର ଅର୍ଥ ହେଲା ହିମାଳୟର ନକ୍ସା ହିଁ ବଦଳାଇ ଦେଲେ । ତିବ୍ବତର ସ୍ଵାଭିମାନ ଚାଲିଗଲା,ଭାରତର ବଡ଼ ଭୂଭାଗ ଚୀନ ନେଇଗଲା ‌।

ଗ—> "ହିମାଳୟ ପର୍ଵତମାଳାର ପର୍ଵତଗୁଡ଼ିକୁ ଗଢ଼ିଵା ପାଇଁ ଦକ୍ଷିଣ ଭାରତରୁ ମାଟି, ବାଲି ଓ ପଥର ଖୋଳି ଉତ୍ତର ଆଡ଼କୁ ନିଆଯାଇଥିଲା,ଫଳରେ ସେଠାରେ ବଡ଼ ବଡ଼ ଗାଡ଼ମାନ ସୃଷ୍ଟି ହୋଇଗଲା।" 

ଭାରତର ସ୍ଵାଧୀନତା ପରେ ପରେ ଭାରତର କେତେକ ଅଞ୍ଚଳରେ ଵିକାଶ ଅନ୍ୟ ଅଞ୍ଚଳ ଅପେକ୍ଷା ହୋଇ ପାରି ନଥିଲା । ତନ୍ମଧ୍ୟରୁ ଦକ୍ଷିଣ ଭାରତ ଅନ୍ୟତମ ଥିଲା । ଦକ୍ଷିଣ ଭାରତରୁ ଗାଡ଼ ଖୋଳି ଉତ୍ତର ଭାରତକୁ ଆଣିଵାର ଅର୍ଥ ଦକ୍ଷିଣ ଭାରତର ଖଣିଜ ଓ ଶ୍ରମିକ ଆଦି ସଂସାଧନ ଉତ୍ତର ଭାରତକୁ ଆସିଵା ଅଟେ । ପରେ ଦକ୍ଷିଣ ଭାରତରେ ସ୍ଥାନୀୟ ଦଳଗୁଡ଼ିକ ବହୁ ଦଶନ୍ଧି ଧରି ଶାସନ କରିଵାରୁ ଏହି ଗତି ଅଧୁନା ଓଲଟା ହୋଇଅଛି । ତେବେ ପ୍ରାରମ୍ଭରେ ଉତ୍ତର, ପଶ୍ଚିମରେ ଅଧିକାଂଶ କଳ କାରଖାନା ଥିଲା । 

ଘ—>“ହିମାଳୟ ପର୍ଵତମାଳାର ପର୍ଵତଗୁଡ଼ିକ ଅତ୍ୟଧିକ ଉଚ୍ଚ ହୋଇଯିଵାରୁ ସାଇବେରିଆରୁ ଆସୁଥିବା ଶୀତଳ ପଵନ ଭାରତକୁ ଆଉ ଆସି ପାରିଲା ନାହିଁ ଏଵଂ ୟେ ଦେଶର ଲୋକମାନେ ଥଣ୍ଡାରୁ ରକ୍ଷା ପାଇଲେ। ହିମାଳୟ ଗଢ଼ା ଯିଵାରୁ ଦେଶରେ ଵର୍ଷାର ପରିମାଣ ମଧ୍ୟ ବଢ଼ିଲା । ଏତେ ଫଳମୂଳ ପନିପରିବା ହେଲା ଯେ ଦେଶର ଲୋକେ ପେଟ ଫଟେଇ ଖାଇଲେ ଆଉ ତାପରେ ଗଦେ ଗଦେ ଛୁଆ ବେଇ ପକେଇଲେ । ହଠାତ୍ ସତୁରୀ ଵର୍ଷ ମଧ୍ୟରେ ଜନସଂଖ୍ୟା ତେଣୁ ୩୫ କୋଟିରୁ ୧୫୦ କୋଟି ହୋଇଗଲା । ନେହେରୁ ଲୋକଙ୍କ ହିତରେ ହିମାଳୟ ପର୍ଵତମାଳା ଗଢ଼ାଇଥିଲେ କିନ୍ତୁ ବିଜେପି ଓ RRSବାଲା ନିଜର ଵୋଟ୍ ବ୍ୟାଙ୍କ୍ ବଢ଼ାଇଵା ପାଇଁ ଲୋକଙ୍କୁ ଚାରିଟା ପାଞ୍ଚଟା ଲେଖାଏଁ ଛୁଆ ଜନ୍ମ କରିଵାକୁ କହିଲେ । ଫଳତଃ ଗେରୁଆବାଲାଙ୍କ ସେହି ପ୍ରଚାର ଯୋଗୁଁ ଛୁଆଙ୍କ ସଂଖ୍ୟା ଅଧିକ ହେଲା...”

ଏଠାରେ ଲେଖକ କହୁଛନ୍ତି ଯେ ଅନେକ ଶତ ଵର୍ଷର ପରାଧୀନତା ପରେ ଯେତେବେଳେ ଭାରତୀୟମାନେ ସ୍ଵାଧୀନତା ପାଇଲେ ସେମାନଙ୍କର ଧନ,ଉତ୍ସାହ ସବୁ ବଢ଼ିଲା ତେଣୁ ବଂଶ ବୃଦ୍ଧି ବି ହେଲା । କଂଗ୍ରେସ ସରକାରର ଖାମଖିଆଲି ମନୋଭାବ ଯୋଗୁଁ ଜନସଂଖ୍ୟା ନିୟନ୍ତ୍ରଣ ହୋଇପାରିଲା ନାହିଁ ବୋଲି ଲେଖକ ଏଠି ଵ୍ୟଙ୍ଗ୍ୟ କରିଛନ୍ତି ଏଵଂ ଯେଉଁ କଂଗ୍ରେସିଆମାନେ ବିଦେପି RRSକୁ ଜନସଂଖ୍ୟା ବଢ଼ିଵା ପାଇଁ ଦାୟୀ କରନ୍ତି ସେମାନଙ୍କୁ ଏକ ପ୍ରକାରର ଚିଡ଼ାଇଛନ୍ତି ।

ଙ—>ତେବେ ହିମାଳୟ ପର୍ଵତମାଳା ଗଢ଼ାଯିଵାର ମାତ୍ର ଗୋଟିଏ ଵର୍ଷ ମଧ୍ୟରେ ସେଠାକାର ପର୍ଵତଗୁଡ଼ିକରେ ଭାରି ପରିମାଣରେ ବରଫ ଜମିଗଲା ଏଵଂ ଗ୍ରୀଷ୍ମକାଳରେ ସେଠାରୁ ଗଙ୍ଗା, ଯମୁନା, ବ୍ରହ୍ମପୁତ୍ର, ସିନ୍ଧୁ, ଝେଲମ୍, ଚିନାବ୍, ରାଵି, ସତଲଜ୍ ଇତ୍ୟାଦି ଅନେକ ନଦୀ ତଳ ଆଡ଼କୁ ପ୍ରଵାହିତ ହେଲେ ।

ପରଵର୍ତ୍ତୀ କାଳରେ ଉତ୍ତର ଭାରତରେ ତଥା ଭାରତର ଅନ୍ୟାନ୍ୟ ଅଞ୍ଚଳରେ କେତେକ କଳ କାରଖାନାଗୁଡି଼କ ବନ୍ଦ ହେଲା କାରଣ ଅତି ସ୍ଵାଧୀନତା ମିଳିଵାରୁ ଭ୍ରଷ୍ଟାଚାର ଓ ଅନ୍ୟାନ୍ୟ କୁକର୍ମ ବଢ଼ିଲା । ସୈନିକ ଆନ୍ଦୋଳନ, ସରକାରୀ ପ୍ରୋତ୍ସାହନ ଅଭାଵରୁ ଏପଟେ କଳ କାରଖାନା ବନ୍ଦ ହେଲାବେଳେ ପଶ୍ଚିମ ଓ ଦକ୍ଷିଣ ଭାରତର କେତେକ ଅଞ୍ଚଳରେ କଳ କାରଖାନା ଅଧିକରୁ ଅଧିକ ସଂଖ୍ୟକ ଖୋଲିଵାକୁ ଲାଗିଲା । ତେଣୁ ଲୋକେ ସେହି ଅଞ୍ଚଳକୁ କାମ କରିଵାକୁ ଗଲେ । 

ଚ—>ସେ ସମୟରେ କେତେକ କଂଗ୍ରେସୀ ନେହେରୁଙ୍କୁ ଅନୁରୋଧ କରିକହିଥିଲେ ଯେ ତିନି ସମୁଦ୍ରର ନାମ ନେହେରୁ ମହାସାଗର, ମୋତି ସାଗର ଓ କମଳା ସାଗର ରଖାଯାଉ ଏଵଂ ହିମାଳୟର ନାମ ଇନ୍ଦିରା ପର୍ଵତମାଳା କରାଯାଉ। କିନ୍ତୁ ନେହେରୁଙ୍କର ନାମ ପ୍ରତିଷ୍ଠାର ଲୋଭ ଆଦୌ ନଥିଲା, ସେ ସଫା ସଫା ମନା କରିଦେଲେ। ଅସ୍ତୁ ବହୁତ ଅନୁରୋଧ ପରେ ସେ କେଵଳ ଭାରତ ରତ୍ନ ନେଵାକୁ ମାତ୍ର ସ୍ୱୀକାର କଲେ।

ଏଠାରେ ଲେଖକ କଂଗ୍ରେସୀଙ୍କର ନାମ ପ୍ରତିଷ୍ଠାର ଲୋଭକୁ ଵ୍ୟଙ୍ଗ୍ୟ କରି ଲେଖିଛନ୍ତି । ଭାରତରେ ଯେତେ ଯୋଜନା ହେଲା, ପ୍ରତିଷ୍ଠାନ ହେଲା ଖେଳ ପଡି଼ଆ ହେଲା ସେସବୁର ନାଆଁ ଗାନ୍ଧୀ ନେହେରୁ ପରିଵାରର ନାଆଁରେ ହେଲା । ନେହେରୁ ମଧ୍ୟ ନିଜକୁ ନିଜେ କେମିତି ଭାରତ ରତ୍ନ ଦେଇଥିଲେ ସେକଥା ଲେଖକ ଵ୍ୟଙ୍ଗ୍ୟାତ୍ମକ ଶୈଳୀରେ ଲେଖିଛନ୍ତି । 
••••••••••••×ו•••••••×ו••••••••••••

Sunday, April 12, 2026

କଵିଵର ରାଧାନାଥ ରାୟଙ୍କ ବାଣହରଣର ସାରାଂଶ ଓ ଵିଶ୍ଳେଷଣ

କଵିଵର ରାଧାନାଥ ରାୟଙ୍କ “ବାଣ ହରଣ” କ୍ଷୁଦ୍ର କାଵ୍ୟର ଦ୍ଵିତୀୟ ସର୍ଗର କିଛି ଅଂଶ "ମୁକୁଟ ଭୀକ୍ଷା" ନାମରେ ନବେ ଦଶକର ଵିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇଥିଲା ।‌ ନବେ ଦଶକର ପିଲାମାନଙ୍କୁ ମୂଳ ଦୀର୍ଘ କଵିତାର ନାଆଁ "ବାଣ ହରଣ" ବୋଲି ନଜଣାଇ ତହିଁର ଏକ କ୍ଷୁଦ୍ରାଂଶକୁ "ମୁକୁଟ ଭୀକ୍ଷା" ନାମରେ ଵିଦ୍ୟାଳୟ ପାଠ୍ୟକ୍ରମରେ ପଢ଼ାଯିଵାରୁ ସେସମୟର ଛାତ୍ରମାନେ ସେହି ନାମରେ ଏହା ସହିତ ପରିଚିତ ଅଟନ୍ତି । ଅସ୍ତୁ ଵିଦ୍ୟାଳୟ ପାଠ୍ୟକ୍ରମରେ ଯେଉଁଠାରୁ ବାଣ ହରଣ ଦୀର୍ଘ କଵିତାର ପଦଗୁଡ଼ିକୁ "ମୁକୁଟ ଭୀକ୍ଷା" ନାମରେ ପଢ଼ାଯାଉଥିଲା ସେହିଠାରୁ ଶେଷ ପର୍ଯ୍ୟନ୍ତ ନିମ୍ନରେ ପ୍ରଦତ୍ତ ହେଲା । 

   •ଵାଣ ହରଣ ଦ୍ଵିତୀୟ ସର୍ଗର ଶେଷାଂଶ•

ଆସ ଆସ ଅର୍ଜୁନ’’ ବୋଲନ୍ତି କୁରୁସାଇଁ, ‘‘କହ କେଉଁ କାର୍ଯ୍ୟ ଲାଗି ଆସିଲ, ହେ ଭାଇ ?”

ଵିନୟେ ଅର୍ଜୁନ ବନ୍ଦୁ ରାଜାଙ୍କ ଚରଣ, 
ବେନି ଭୂଜେ ଧରି ରାଜା ଦେଲେ ଆଲିଙ୍ଗନ।

ମହାଦରେ ନେଇ ରାଜା ଇନ୍ଦ୍ରର ନନ୍ଦନେ 
ନିଜ ହସ୍ତେ ବସାଇଲେ ରତ୍ନ-ସିଂହାସନେ।

ଆଉ ଯେତେ ପାତ୍ର ମନ୍ତ୍ରୀ ସଭା ମଧ୍ୟେ ଥିଲେ, ସମସ୍ତଙ୍କୁ ପାର୍ଥ ମିଷ୍ଟ ଵଚନେ ତୋଷିଲେ ।

ଶ୍ରମଯୁକ୍ତ ପାର୍ଥେ ଦେଖି ଆଦରେ ରାଜନ 
ସ୍ଵହସ୍ତେ ଵ୍ୟଜନ ଧରି କରନ୍ତି ଵ୍ୟଜନ।

ବୋଲଜି ଅର୍ଜୁନେ ଚାହିଁ, ‘‘କହ ଆହେ ଭାଇ, - ଆସିଲ ସଦନେ ମୋର କେଉଁ କାର୍ଯ୍ୟପାଇଁ ?

ନିଶାକାଳେ ଆଗମନ ଆଶ୍ଚର୍ଯ୍ୟ ଏ କଥା, 
କହ, ଭାଇ, ଆଗେ ଗୃହକୁଶଳ ବାରତା ।

ଅଛନ୍ତି ତ ସର୍ଵଶୁଭେ ରାଜା ଯୁଧିଷ୍ଠିର, ଭୀମ, 
ବେନି ମାଦ୍ରୀସୁତ, ଆଉ ଯେତେ ଵୀର ?

ଅଛନ୍ତି ତ ସର୍ଵଶୁଭେ କୁମାର ସକଳ ? ଦ୍ରୁପଦଦୁଲଣୀଙ୍କର ସବୁ ତ କୁଶଳ ?’’ 

ନିଵେଦନ୍ତେ ଧନଞ୍ଜୟ ଗୃହ-ଅନାମୟ ପ୍ରୀତି ପ୍ରକାଶିଲେ ଶୁଣି ଗାନ୍ଧାରୀ ତନୟ।

ବୋଇଲେ, ‘‘ବଚନ ମୋର ଶୁଣ, ପାର୍ଥଭାଇ,
ଵିଧିର ନିର୍ବନ୍ଧ କେବେ ଖଣ୍ଡି ହେଵ ନାହିଁ ।

ତୁମ୍ଭେ କି କାରଣେ ଆଜ ଆସିଲ ଏଠାବେ,
ମୋହ ପାଶେ ମନ ବଳାଇଲ କେଉଁ ଲାଭେ ? '

ଅର୍ଜୁନ ବୋଇଲେ, ‘‘ଯାହା କହିଲ ପ୍ରମାଣ,
ଵିଧିର ଵିଧାନ କେବେ ହେଵ ନାହିଁ ଆନ।

ମାତ୍ର ପୂର୍ଵ କଥା ରାଜା ଅଛଈ କି ମନେ,
ଚିତ୍ରସେନ ହସ୍ତୁ ଯେବେ ଉଦ୍ଧରିଲି ରଣେ
 ତୁମ୍ଭଙ୍କୁ ମହିଷୀ ସହ, ଯାଚିଥିଲ ଵର, 
ପଡ଼ଇ କି ମନେ ସେହି କଥା ନୃପଵର ?

ସେହି ଵର ପ୍ରାପ୍ୟ ମୋର ଅଛି ଆଜଯାଏ, ସେଥିଲାଗି ଶ୍ରୀଛାମୁକୁ ଆସିଲି ମୁଁ, ରାଏ।’’

ଅର୍ଜୁନର ଵାକ୍ୟ ଶୁଣି ରାଜା ଦୁର୍ଯ୍ୟୋଧନ 
ଦୀର୍ଘଶ୍ବାସ ତେଜି ମନେ ଭାବିଲେ ତକ୍ଷଣ ।

ଵୃଥା ହେଲା ସିନା ମୋର ସମସ୍ତ ଉଦ୍ୟମ,
ଵୃଥା ହେଲା ନାନା ଦେଶ ସୈନ୍ୟ-ସମାଗମ।

ଆମନ୍ତି ଆଣିଲି ସିନା ଵୃଥା ରାଜଦଳ,
ଭୀଷ୍ମର ପ୍ରତିଜ୍ଞା ହେଲା ସମସ୍ତ ଵିଫଳ ।

ଯୁଦ୍ଧକାଳେ ପାଣ୍ଡଵର ଉପୁଜିଲା ଭୟ, 
ଆସିଅଛି ସେଥିପାଇଁ ଵୀର ଧନଞ୍ଜୟ।

ଭୀତ ତ୍ରସ୍ତ ପାଣ୍ଡଵନାଥର ଆଜ୍ଞାମତେ,
ମାଗି ନେଵ ରାଜ୍ୟ ପରା ହେଉଛି ପରତେ !

ପଡ଼ୁଅଛି ମନେ ମୋର ପୂର୍ଵର ସେ କଥା,
 କ୍ଷତ୍ର ମୁହିଁ, କ୍ଷତ୍ର ଵାକ୍ୟ ନୁହଇ ଅନ୍ୟଥା।

ଏହା ଭାବି ଅଧୋମୁଖ ହୋଇ କୁରୁସାଇଁ କହିଲେ, ‘‘ସେ ଵରକଥା ମନେଅଛି, ଭାଇ।’’

ବୋଇଲେ ଅର୍ଜୁନ, ‘‘ଏବେ ଦିଅ ସେହି ବର,’’ ‘‘ଯା ମାଗିଵ ମାଗ’’ ରାଜା ବିହିଲେ ଉତ୍ତର ।

ବୋଇଲେ ଅର୍ଜୁନ, ‘‘ଆହେ କୌରଵପ୍ରଧାନ
ମୁକୁଟ ତୁମ୍ଭର ମୋତେ କର ଏବେ ଦାନ।’’

ଉଚ୍ଚହାସ୍ୟ କୁରୁପତି କହିଲେ ଵିସ୍ମିତେ,
‘‘ଆଶ୍ଚର୍ଯ୍ୟ ଲାଗିଲା ଶୁଣି ଵରକଥା ଚିତ୍ତେ।

ବଡ଼ ଭାଗ୍ୟହୀନ ତୁମ୍ଭେ, ହେ ଵୀର ପାଲ୍‌ଗୁନି, ଆସିଲ ଯା ଏଥି ଏହି ଵର ଲାଗି ପୁଣି ।

ରାଜ୍ୟ ଧନ ଅଶ୍ବ ହସ୍ତୀ ଵସ୍ତ୍ର ଆଭରଣ ଜନପଦ ବରାଙ୍ଗନା ଅଛି ଅଗଣନ, ତୁମ୍ଭ ସଙ୍ଗେ ଶତ୍ରୁଭାବ ଛାଡ଼ି ଏ ସକଳ, ବଳାଇଲ ମନ ଛାର ମୁକୁଟେ କେଵଳ !

ଭାଳିଥିଲି ରାଜ୍ୟ ମାଗି ନେଵ, ଧନଞ୍ଜୟ,
ଦେଇଥାନ୍ତି ରାଜ୍ୟ ମୁହିଁ ନାହିଁଟି ସଂଶୟ।

କି ଧନ ମାଗିଲ, ଭାଇ, ମୋର କେଉଁ ଦୋଷ ?
ତୁମ୍ଭଠାରେ ମୋର ବଡ଼ ହେଲାଟି ଆକ୍ରୋଶ।

ଆହା କେଉଁ ତୁଚ୍ଛ ଦ୍ରଵ୍ୟ ମାଗିଲ, ହେ ଭାଇ।’’
ଏହା କହି ଝୁରିହେଲେ କୌରବଗୋସାଇଁ।

ପାର୍ଥ ବୋଲେ, ‘‘ଏଥି କିବା ଦୁଃଖ କୁରୁନାହା, ଘଟିଲା ମୋ ଭାଗ୍ୟ ବିହି ଲେଖିଥିଲେ ଯାହା ।

ମୁକୁଟ ତୁମ୍ଭର ମୋତେ ଦିଅ ହେ ରାଜନ, 
ମୁକୁଟ ବିହୁନେ ନାହିଁ ଆନ ପ୍ରୟୋଜନ ।

ମୁକୁଟ ପାଇଲେ ମୁହିଁ ପାଇଲି ସମସ୍ତ, 
ନ ହୁଅ, ହେ ନରନାଥ, ମୋହୋପାଇଁ ଵ୍ୟସ୍ତ।’’

‘‘ନିଅ ତେବେ’’ ଏହା କହି ରାଜା ଦୁର୍ଯ୍ୟୋଧନ 
ମୁକୁଟ ଉତ୍ତାରି ପାର୍ଥେ କଲେକ ଅର୍ପଣ।

ମୁକୁଟ ଲଭିଣ ପାର୍ଥ ପ୍ରଫୁଲ୍ଲ ଅନ୍ତରେ ମେଲାଣି ମାଗିଲେ ରାଜା ପାଶେ ଯୋଡ଼କରେ ।

‘“କିପାଁ ଯିଵ ନିଶାଯୋଗେ ରହିଯାଅ, ଭାଇ’’, 
ଏହା କହି ଅଳି କଲେ କୌରଵଗୋସାଇଁ। 

ପାର୍ଥ ବୋଲେ, ‘‘କାଲି, ରାଏ, ପ୍ରଥମ ସଂଗ୍ରାମ,
କିପରି କରିବି ମୁହିଁ ଏଠାରେ ଵିଶ୍ରାମ ?

ଯାଇ କରିଵାକୁ ହେଵ ସୈନ୍ୟ-ସମାଵେଶ’’
ଉତ୍ତରିଲେ ‘‘ସତ ସତ’’ ବୋଲି କୌରଵେଶ ।

‘‘ଧର୍ମରାଜେ ଜଣାଇଵ ମୋହର ପ୍ରଣାମ,
କହିଵ ନିଶ୍ଚୟ କାଲି ପ୍ରଥମ ସଂଗ୍ରାମ ।’’ 

ଉଠିଲେ ମୁକୁଟ ଘେନି ଇନ୍ଦ୍ରର ନନ୍ଦନ, 
ଆଶିଷ ପ୍ରଣାମ ପାର୍ଥେ କଲେ ସଭାଜନ।

ସମାଦରେ ସବାନ୍ଧବେ ତହୁଁ କୁରୁରାଏ 
ପାର୍ଥ ସଙ୍ଗେ ସଙ୍ଗେ ଗଲେ ସିଂହଦ୍ଵାରଯାଏ ।

ଘୋର ଅନ୍ଧକାରେ ପାର୍ଥ ଯାଇ କିଛି ଦୂର, 
ଭେଟିଲେ ସହସା ପଥେ ବ୍ରହ୍ମାଣ୍ଡଠାକୁର। 
ନତି କଲେ କୃଷ୍ଣ ଵୀର ମୁକୁଟ ଦେଖାଇ,
 ସଭାର ସକଳ କଥା ଶ୍ରୀପଦେ ଜଣାଇ।

ବୋଇଲେ, ‘‘ହେ ମହାପ୍ରଭୁ, ମୋହ ପ୍ରତୀକ୍ଷାରେ 
ଏ ନିର୍ଜନେ ଥିଲ କିପାଁ ଏ ଘୋର ଅନ୍ଧାରେ ?''

କହନ୍ତି ଶ୍ରୀପତି, ‘‘ଶୁଣ, ଆହେ ଧନଞ୍ଜୟ,
ଏକା ଯେଣୁ ଥିଲ, ଚିତ୍ତେ ହେଲା ମହାଭୟ।

କାଳେ ଖଳ ଦୁର୍ଯ୍ୟୋଧନ ସାଧିଵ ଅହିତ, 
ତୁମ୍ଭ ପ୍ରତୀକ୍ଷାରେ ତେଣୁ ଥୁଲି ମୁଁ ଚିନ୍ତିତ।’’

ବୋଇଲେ ଅର୍ଜୁନ, ‘‘ତୁମ୍ଭ କୃପା ଯାହାଠାରେ,
ଭୀତ କିପାଁ ହେଵ ସେହି ଖଳର ବେଭାରେ ? 

ତୁମ୍ଭ କୃପାଫଳେ ମୁହିଁ ତ୍ରିଭୁଵନଜେତା,
କିସ କରି ପାରେ ମୋର କୁରୁ କ୍ଷୁଦ୍ରଚେତା ?

ତୋ କରୁଣାକଣା, ନାଥ ବାଞ୍ଛାକଳ୍ପତରୁ,
ତାରି ପାରେ ହେଳେ ମୋତେ ସବୁ ଵିପଦରୁ।

ଯାହାର ଅଭୟ-ଦୁର୍ଗ ତୋର ପଦ୍ମପାଦ,
 ଛୁଇଁଵ ତାହାକୁ କିପାଁ କେବେ ପରମାଦ ?’’
 ବୋଇଲେ ଅର୍ଜୁନେ ତହୁଁ କୃଷ୍ଣ ମହାଶୟ, 
‘‘ଶୀଘ୍ରଗତି ଭୀଷ୍ମ ପାଶେ ଯାଅ, ଧନଞ୍ଜୟ।

ଯାବତ ନ ଆସ ଫେରି ସେ ବାଣ ସହିତ, 
ତୁମ୍ଭ ପ୍ରତୀକ୍ଷାରେ ଏଥି ରହିବି, ଭୋ ମିତ।’’ 
‘‘ଯେ ଆଜ୍ଞା’’ ବୋଲିଣ ତହୁଁ କୁନ୍ତୀର ନନ୍ଦନ
 ନିଜ ଶିରେ ସେ ମୁକୁଟ ଦେଲେ ସେହିକ୍ଷଣ।

ମାୟାଦୁର୍ଯ୍ୟୋଧନବେଶ ବିରଚି କୌଶଳେ 
କୃଷ୍ଣେ କରି ନତି ଭୀଷ୍ମ -ଶିବିରକୁ ଗଲେ ।

ଏଣେ ଗଙ୍ଗାପୁତ୍ର ବସି ଶିବିର ମଧ୍ଯରେ 
ଅସ୍ତ୍ରେ ଭରା ଦେଇ ଵୀର ଭାବନ୍ତି ଅନ୍ତରେ,

‘‘ପ୍ରତିଜ୍ଞା ତ କଲି ମୁହିଁ ଵଧିବି ପାଣ୍ଡବ, 
କି ଅନର୍ଥ ଭିଆଇଲା ଦୁର୍ମତି କୌରଵ !

ଅଵିଚାରେ ସିନା ମୁହିଁ କଲି ସେହି ପଣ,
ଵିନାଶିବି ଧର୍ମବନ୍ତ ପାଣ୍ଡୁପୁତ୍ରଗଣ।

ପୂର୍ଵେ ବାଣ ଦେଇ ମୋତେ ବ୍ରହ୍ମାଣ୍ଡର ସାଇଁ, କହିଥିଲେ ନେବି ମୁହିଁ ଏ ବାଣ ଫେରାଇ।

ଉପସ୍ଥିତ ହେଲା ଏବେ ଏ ଵିଷମ କାଳ !
କିପାଁ ନ ନିଅନ୍ତି ବାଣ ଫେରାଇ ଗୋପାଳ ?’’

ଏହିରୂପେ ଭାଳୁଁ ଭାଳୁଁ ଗଙ୍ଗାର କୁମର
ଭେଟିଲେ ଶିବିରେ ତାଙ୍କୁ ପାର୍ଥ ଧନୁଦ୍ଧର।

ମାୟାଦୁର୍ଯ୍ୟୋଧନବେଶେ ଭେଟିଲେ ସେ ଯାଇଁ, 
ନତି କଲେ ପାଦେ ଶିର ଭୂମିରେ ନୁଆଇଁ।

ଶୁଭାଶିଷ କରି ଭୀଷ୍ମ ପୁଚ୍ଛିଲେ ଵିସ୍ମୟେ,
‘‘ଆସିଲ ଶିବିରେ, ଵୀର, ପୁଣି କି ବିଷୟେ ?”

କାଲି ଯୁଦ୍ଧେ ଅପାଣ୍ଡବା କରିବି ଧରଣୀ, 
କରିଛି ଏ ପଣ ତୁମ୍ଭ ଆଗେ, ନରମଣି।

ପୁଣି ବାହୁଡ଼ିଲ କିପାଁ, ଲାଗଇ ଵିସ୍ମୟ,
କି ମନ୍ତ୍ରଣା ଦେଲେ ପୁଣି କର୍ଣ୍ଣ ମହାଶୟ ?

କି ମନ୍ତ୍ରଣା ଦେଲା ପୁଣି ଶକୁନି ଦୁର୍ମତି ?
ସବୁ ଫେଡ଼ି କହ ମୋତେ, ଆହେ କୁରୁପତି।’’

ମାୟାଦୁର୍ଯ୍ୟୋଧନରୂପୀ କହନ୍ତି ଅର୍ଜୁନ,
‘‘ନିଵେଦିବି ପାଦେ କିପାଁ ଆସିଲି ମୁଁ ପୁଣ ।

ତୁମ୍ଭଠାରୁ ଵିଦା ହୋଇ ବାହୁଡ଼ି ନଵରେ ବସିଲି ସଭାରେ ଯାଇ ମହାହର୍ଷଭରେ।

କର୍ଣ୍ଣ ଦୁଃଶାସନ ଆଦି ଯେତେ ମନ୍ତ୍ରଗଣ 
ତୁମ୍ଭେ ସେନାପତି ଶୁଣି ସର୍ଵେ ହୃଷ୍ଟମନ।

ଆସିଲେ ଏସନକାଳେ ରାଜା ଯୁଧିଷ୍ଠିର 
ସଙ୍ଗେ ଘେନି ଚାରି ଭାଇ ପୁଣି ଯଦୁଵୀର,
ପୁତ୍ର ସହ ଵିରାଟ ଦ୍ରୁପଦ ନୃପଵର,
ମହାମୁନି ଵ୍ୟାସ ସତ୍ୟଵତୀର କୁମର।

ଆସିଲେ ସକଳେ ଯୁଦ୍ଧହେତୁ ଭୟ କରି,
ବୁଝାଇ କହିଲେ ମୋତେ ଦ୍ବୈପାୟନ ହରି,
‘“ନ ବଳାଅ ଏ ସମରେ ମତି, ନରପତି,
ତୁମ୍ଭର ମହିମା ଯେତେ ଖ୍ୟାତ ଵସୁମତୀ ।

ତୁମ୍ଭଙ୍କୁ ପାରିଵ ଜିଣି ବଳେ କି କୌଶଳେ 
ନାହିଁଟି ଏସନ ଵୀର ଏ ମହୀମଣ୍ଡଳେ ।
କେଉଁ ତୁଚ୍ଛ ଏଥି ପୁଣି ପଞ୍ଚ ପାଣ୍ଡୁସୁତ, 
ଵନେ ଭ୍ରମି ଭ୍ରମି ନାନା କଷ୍ଟେ ଅଭିଭୂତ ।

ଶରୀରପଞ୍ଜରେ କ୍ଷୀଣ ପ୍ରାଣ ମାତ୍ର ଧରି 
ଏମାନେ କି ତୁମ୍ଭ ସଙ୍ଗେ ଯୁଦ୍ଧେ ହେବେ ସରି ?

ସହାୟ ତୁମ୍ଭର ମହାମହା ଯୋଦ୍ଧାଗଣ, କୋଦଣ୍ଡଟଙ୍କାରେ ଯାଙ୍କ କମ୍ପେ ତ୍ରିଭୁଵନ।

ମହାବଳବନ୍ତ ତୁମ୍ଭେ, ପାଣ୍ଡଵେ ଦୁର୍ବଳ, 
ଶକ୍ତିହୀନ ସଙ୍ଗେ ଯୁଦ୍ଧ ଅଯଶ କେଵଳ।

ଶରଣ ତୁମ୍ଭର ଏବେ ନେଲେ ପଞ୍ଚଭାଇ,
ଶରଣ ସମ୍ଭାଳି ରଖ ସୁଯଶ ଗୋସାଇଁ।

ପଞ୍ଚଗ୍ରାମ ଦେଇ କର ଏହାଙ୍କୁ ପାଳନ, 
କୀର୍ତ୍ତି ରଖ ନରପତି କୀର୍ତ୍ତି ବଡ଼ ଧନ।’’

ନାରାୟଣ ଦୈପାୟନ ଏସନ ବୁଝାଇ 
ସମର୍ପିଣ ଦେଲେ ମୋର ହସ୍ତେ ପଞ୍ଚ ଭାଇ।

ଅଶ୍ରୁମୁଖେ ଯୁଧିଷ୍ଠିର କଲେ ପରିହାର,
‘‘ଲାଗିଲା ତୁମ୍ଭଙ୍କୁ ଆମ୍ଭ ପାଳନର ଭାର।’’

ଲଙ୍ଘି ନ ପାରିଲି ବ୍ୟାସ ଗୋଵିନ୍ଦର କଥା,
ପାଣ୍ଡଵର ଦୁଃଖେ ଦୁଃଖୀ ହେଲି ମୁଁ ସର୍ଵଥା।

ତାଙ୍କ ଦୁଃଖେ ଉପୁଜିଲା କରୁଣା ମୋହର,
ସେହିକ୍ଷଣି ତେଜିଲି ମୁଁ ବାସନା ଯୁଦ୍ଧର।

ପାଣ୍ଡଵଙ୍କୁ ପଞ୍ଚଗ୍ରାମ ଦେଲି ପିତାମହ,
ବାହୁଡ଼ିଲେ ସେହୁ ଵ୍ୟାସ ଶ୍ରୀନିଵାସ ସହ।

ତେଣୁ ମୁଁ ଆସିଲି ଦେବ ତୁମ୍ଭର ସଦନ, 
କିପାଁ ଯୁଦ୍ଧେ ଯିବ କାଲି ? କେଉଁ ପ୍ରୟୋଜନ ?

ନୋହିଲା ମରଣ ଦେଵ ପଞ୍ଚପାଣ୍ଡଵର,
ପଣ୍ଡ ହେଲା ଯୁଦ୍ଧର ଯେ ପ୍ରୟାସ ମୋହର ।’’

ଅସ୍ତ୍ରେ ଭରା ଦେଇ ଶୋଇଥିଲେ ଗଙ୍ଗାସୁତ, ମାୟାଦୁର୍ଯ୍ୟୋଧନ ଵାକ୍ୟେ ହରଷେ ଆପ୍ଲତ 
ହୋଇ ଉଠି ବସିଲେ ସେ ଶୟନେ ତକ୍ଷଣ, 
ପୁଲକେ ପ୍ରଫୁଲ୍ଲ ହେଲା ତାଙ୍କ ଅପଘନ।

ବୋଇଲେ, ‘‘ଯେ କଥା ଵୀର କହିଲ ଏକ୍ଷଣି,
କଥା ନୁହେଁ, ସୁଧାଵୃଷ୍ଟି କଲ, ନରମଣି।

ମୃତକୁ ଅମୃତ ଦେଲ, ଶରୀରେ ଇନ୍ଦ୍ରିୟ,
ଏଥୁଁ ବଳି ଆଉ ମୋର କିବା ଅଛି ପ୍ରିୟ ?

ଏ କର୍ମ ତୁମ୍ଭର ଯୋଗ୍ୟ, ଶୁଣ ହେ ରାଜନ,
ପାଣ୍ଡଵ ସଙ୍ଗତେ କଲ ପ୍ରୀତିରେ ମିଳନ।

ରଖିଲ ଅତୁଳ କୀର୍ତି ଅଖିଳ ଜଗତେ,
ଘୋଷିବେ ଯା କାଳକାଳ ଲୋକେ ନାନାମତେ ।’’

ଏହିରୂପେ ପ୍ରଶଂସିଲେ ଗଙ୍ଗାର ନନ୍ଦନ, 
ହର୍ଷେ ମାୟାଦୁର୍ଯ୍ୟୋଧନେ ଦେଲେ ଆଲିଙ୍ଗନ।

ବୋଇଲେ, ‘‘ହେ ବସ୍ତ୍ର, ନୋହି ପାଣ୍ଡବେ ବିମୁଖ 
ତାଙ୍କ ସଙ୍ଗେ ମିଳି ଏବେ ଭୁଞ୍ଜ ରାଜ୍ୟସୁଖ ।

ବୟୋଜ୍ୟେଷ୍ଠ ଗୁଣଜ୍ୟେଷ୍ଠ ପାଣ୍ଡୁକୁଳରାଣ,
ଜ୍ୟେଷ୍ଠ ବୋଲି ତାଙ୍କୁ ସଦା କରିଵ ସମ୍ମାନ।

ପାଣ୍ଡବଙ୍କୁ ରଖ ଏବେ ନେଇ ସ୍ୱନଵରେ,
ବିଦୁରଙ୍କ ଘରୁ ଆଣି କୁନ୍ତୀଙ୍କୁ ସତ୍ୱରେ।

ମାତୃଵତ୍ ପୂଜା ତାଙ୍କୁ ଦିଅ ପୂର୍ଵପରି,
ବାସନା ତୁମ୍ଭର ପୂର୍ଣ କରନ୍ତୁ ଶ୍ରୀହରି।’’ 

ବୋଇଲେ ଅର୍ଜୁନ, ‘‘ଆଜ୍ଞା ପାଳିବି ତୁମ୍ଭର,
ତଥାପି ହୃଦୟେ ଭୀତି ଅଛି ନିରନ୍ତର।

ଭ୍ରାତୃଗଣ ମଧ୍ୟେ ଦ୍ବନ୍ଦ୍ବ ଲାଗେ ସବୁକାଳେ,
ଭ୍ରାତାକୁ ପକାଏ ଭ୍ରାତା ଵିପଦର କାଳେ।

ଅକସ୍ମାତ ଘଟି ପାରେ ହିତେ ଵିପରୀତ,
ସତର୍କେ ରହିଵା ତେଣୁ ନିରତେ ଉଚିତ।

ତେଣୁ ଏ ମାଗୁଣି ମୋର, ଆହେ ମତିମାନ,
ପାଣ୍ଡଵେ ଵଧିବ ବୋଲି ଯେଉଁ ପଞ୍ଚ ବାଣ ଦେଖାଇଣ ଥିଲ ମୋତେ, ସେହି ପଞ୍ଚ ଶର ଅଭିରୁଚି ଯେବେ ମୋତେ ସମର୍ପଣ କର।’’

ଉତ୍ତରିଲେ ଭୀଷ୍ମ, ‘‘ଆହେ ସାଧୁ ଦୁର୍ଯ୍ୟୋଧନ, 
ସେ ବାଣେ ମୋହର ଆଉ କେଉଁ ପ୍ରୟୋଜନ ?

ନେଇ ସେହି ବାଣ ରଖ ଯହିଁ ଇଚ୍ଛା ତଵ,
ତୁମ୍ଭର ମଙ୍ଗଳ ସଦା କରନ୍ତୁ କେଶଵ।’’

ଏହା କହି ଅସ୍ତ୍ରାଗାରେ ପଶି ଵୀରମଣି 
ବାଣ ଆଣି ସମର୍ପିଲେ ଅର୍ଜୁନେ ସେକ୍ଷଣି।

ବାଣ ଦେଖି ପାର୍ଥ ହେଲେ ମନେ ମନେ ଭୀତ, ପଞ୍ଚପାଣ୍ଡବର ଶିର ସେ ବାଣେ ଅଙ୍କିତ।

ଦେଖି ହେଲେ ଧନଞ୍ଜୟ ଵିସ୍ମୟେ ଆପୂତ, 
ବାଣ ଧରି ସବିନୟେ ନମି ଗଙ୍ଗାସୁତ, 
ବାହାରିଲେ ହୃଷ୍ଟମନେ ଶିବିରମଧ୍ଯରୁ, 
ଭେଟିଲେ ନିର୍ଜନେ ଯାଇ ବାଞ୍ଛା କଳ୍ପତରୁ ।

ବାଣ ଦେଖି ନାରାୟଣ ହେଲେ ବଡ଼ ପ୍ରୀତ, ବୋଇଲେ, ‘‘ଅସାଧ୍ଯ ଆଜ ସାଧିଲ, ହେ ମିତ ।’’

ବେନି ସଖା ତହୁଁ ଯାଇ ପାଣ୍ଡବ ଶିବିରେ ଦେଖାଇଲେ ସେହି ବାଣ ରାଜା ଯୁଧିଷ୍ଠିରେ।

ମୁଖର ଶିବିର ହେଲା ଆନନ୍ଦ ଉତ୍ସଵେ, ଆନନ୍ଦେ ଗଦ୍ଗଦ ସର୍ଵେ ସ୍ତବିଲେ କେଶଵେ।
ତେବେ ବାଣ ହରଣରେ ଥିଵା ଦୁର୍ଯୋଧନ ମୁକୁଟ ଭୀକ୍ଷା ତଥା ଭୀଷ୍ମଙ୍କଠାରୁ ପାଞ୍ଚୋଟି ବାଣ ହରଣର କାହାଣୀକୁ ଗଭୀର ଭାବରେ ବୁଝିଵାକୁ ହେଲେ ଆମକୁ ପ୍ରଥମେ ମହାଭାରତର ସ୍ୱରୂପ, ତାହାର ଐତିହାସିକ ଗଠନ ଏଵଂ ସାହିତ୍ୟିକ ଵିକାଶକୁ ଧ୍ୟାନ ଦେଵାକୁ ହେଵ। ମହାଭାରତ ଏକ ସାଧାରଣ କାହାଣୀ ନୁହେଁ; ଏହା ହେଉଛି ଏକ “ଜୀବନ୍ତ ସଂସ୍କୃତିଗ୍ରନ୍ଥ”, ଯାହା ଶତାବ୍ଦୀ ଧରି ମଣିଷର କଳ୍ପନା, ଆସ୍ଥା ଓ ଅନୁଭୂତି ସହ ଜଡ଼ିତ ରହିଛି। ଏହି କାରଣରୁ ଏହାର ଅନେକ ସଂସ୍କରଣ, ଅନେକ ଉପଖ୍ୟାନ ଏଵଂ ଅନେକ ସାହିତ୍ୟିକ ପୁନର୍ରଚନା ଦେଖିଵାକୁ ମିଳେ। “ବାଣ ହରଣ” ଏହିପରି ଏକ ଉପଖ୍ୟାନ, ଯାହା ସରଳ ଭାବରେ ମୂଳ ମହାଭାରତର ଅଂଶ ନୁହେଁ, କିନ୍ତୁ ସାହିତ୍ୟିକ ଦୃଷ୍ଟିରୁ ଅତ୍ୟନ୍ତ ସମୃଦ୍ଧ ଓ ଆକର୍ଷଣୀୟ। ଓଡ଼ିଆ ସାହିତ୍ୟରେ ଏହି କାହାଣୀକୁ ଅମର କରିଥିଵା ମହାନ କଵି ହେଲେ କଵିଵର ରାଧାନାଥ ରାୟ। ସାରଳା ମହାଭାରତରେ ଏହି ଦୁଇ କାହାଣୀ ନାହିଁ କିନ୍ତୁ ସେଇ ଅଭାବକୁ କଵିଵର ରାଧାନାଥ ରାୟ ବାଣ ହରଣ ଲେଖି ପୂରଣ କରି ଅଛନ୍ତି । ସେ ଏହି କାହାଣୀକୁ ଯେପରି ନାଟ୍ୟମୟ ଓ ଭାବପ୍ରଵଣ ଭାବରେ ଉପସ୍ଥାପନ କରିଛନ୍ତି, ତାହା ପାଠକଙ୍କୁ ମନୋମୁଗ୍ଧ କରିଦିଏ। ବାଣ ହରଣ ଦୀର୍ଘକଵିତାର ଆରମ୍ଭରେ ଦୁର୍ଯ୍ୟୋଧନଙ୍କ ଆତିଥ୍ୟ ଓ ସ୍ନେହର ଚିତ୍ରଣ ଦେଖାଯାଏ—

“ଆସ, ଆସ ଅର୍ଜୁନ,” ବୋଲନ୍ତି କୁରୁସାଇଁ,
“କହ, କେଉଁ କାର୍ଯ୍ୟ ଲାଗି ଆସିଲ ହେ ଭାଇ।”

ଏହି ପଦଗୁଡ଼ିକରେ ଦୁର୍ଯ୍ୟୋଧନଙ୍କ ଚରିତ୍ରର ଏକ ଅନ୍ୟ ଦିଗ ପ୍ରକାଶିତ ହୁଏ। ସାଧାରଣତଃ ଆମେ ଦୁର୍ଯ୍ୟୋଧନଙ୍କୁ ଏକ ଅହଂକାରୀ ଓ ଦୁର୍ମତି ରାଜା ଭାବେ ଦେଖୁଥାଉ, କିନ୍ତୁ ଏଠାରେ ସେ ଏକ ସହୃଦୟ ଓ ଆଦରଶୀଳ ଆତିଥ୍ୟଦାତା ଭାବେ ଦେଖାଯାଉଛନ୍ତି। ଏହା କଵିଙ୍କ କଳା—ସେ ଚରିତ୍ରକୁ ଏକମାତ୍ର ଦୃଷ୍ଟିକୋଣରୁ ନୁହେଁ, ବହୁମୁଖୀ ଭାବରେ ପ୍ରସ୍ତୁତ କରନ୍ତି।

ପରେ ଅର୍ଜୁନଙ୍କ ଵିନୟ ଓ ନମ୍ରତା ପ୍ରକାଶ ପାଇଛି—

“ଵିନୟେ ଅର୍ଜୁନ ବନ୍ଦୁ ରାଜାଙ୍କ ଚରଣ,
ବେନିଭୂଜେ ଧରି ରାଜା ଦେଲେ ଆଲିଙ୍ଗନ।”

ଏହି ଚିତ୍ରଣ ଦେଖାଏ ଯେ ଯୁଦ୍ଧରେ ଶତ୍ରୁ ହୋଇଥିଲେ ମଧ୍ୟ, ମାନଵୀୟ ସମ୍ପର୍କ ଓ ଶିଷ୍ଟାଚାର କେବେ ବି ନଷ୍ଟ ହୁଏନି। ଏହା ଭାରତୀୟ ସଂସ୍କୃତିର ଏକ ଗଭୀର ମୂଲ୍ୟ—“ଶତ୍ରୁତାରେ ମଧ୍ୟ ମର୍ଯ୍ୟାଦା”ଏଵଂ କଵିଵର ଏହାକୁ ସୁନ୍ଦର ଭାବରେ ଲେଖି ଯାଇଛନ୍ତି ‌। 

କାହାଣୀର ମୂଳ ନାଟ୍ୟମୟ ମୋଡ଼ ସେତେବେଳେ ଆସେ ଯେତେବେଳେ ଅର୍ଜୁନ ପୂର୍ଵରୁ ଦିଆଯାଇଥିବା ଵରକୁ ସ୍ମରଣ କରାନ୍ତି—

“ମାତ୍ର ପୂର୍ଵ କଥା ରାଜା, ଅଛଇ କି ମନେ,
ଚିତ୍ରସେନ ହସ୍ତୁ଼ଁ ଯେବେ ଉଦ୍ଧରିଲି ରଣେ।”

ଏଠାରେ ମହାଭାରତର ଏକ ପ୍ରମାଣିତ ଘଟଣାକୁ ଆଧାର କରାଯାଇଛି ଏଵଂ ସେହି ପ୍ରସଙ୍ଗଟି ଅର୍ଜୁନଙ୍କ ଦ୍ୱାରା ଦୁର୍ଯ୍ୟୋଧନଙ୍କୁ ଚିତ୍ରସେନ ଗନ୍ଧର୍ଵଙ୍କ ବନ୍ଧନରୁ ଉଦ୍ଧାର କରାଯିଵା ଅଟେ । ଏହା ମୂଳ ମହାଭାରତରେ ଥିଵା ଏକ ପ୍ରକୃତ ଉଲ୍ଲେଖିତ ପ୍ରସଙ୍ଗ। ଏହି ପ୍ରସଙ୍ଗକୁ କଵି ଏକ କଳ୍ପନାଶୀଳ ମୋଡ଼ ଦେଇଛନ୍ତି, ଯହିଁରୁ ଗଢ଼ିଉଠିଛି “ମୁକୁଟ ଭୀକ୍ଷା ଓ ବାଣ ହରଣ”ର ମୂଳ କାହାଣୀ।

ଅର୍ଜୁନଙ୍କ ସରଳ ଓ ଆଶ୍ଚର୍ଯ୍ୟଜନକ ଭାବରେ ଦୁର୍ଯ୍ୟୋଧନଙ୍କ ମାଗୁଛନ୍ତି—

“ମୁକୁଟ ତୁମ୍ଭର ମୋତେ କର ଏବେ ଦାନ।”

ଏହି ଏକ ପଦରେ ସମଗ୍ର କାହାଣୀର ରହସ୍ୟ ଓ ନାଟ୍ୟମୟତା ଲୁଚିଥାଏ। ଦୁର୍ଯ୍ୟୋଧନ ଆଶ୍ଚର୍ଯ୍ୟ ହୋଇ କହନ୍ତି—

“ଆହା, କେଉଁ ତୁଚ୍ଛ ଦ୍ରଵ୍ୟ ମାଗିଲ ହେ ଭାଇ।”

ଏଠାରେ ଦୁର୍ଯ୍ୟୋଧନଙ୍କ ମନୋଭାବ ଗଭୀର ଭାବରେ ଵ୍ୟକ୍ତ ହୋଇଛି। ସେ ଭାବିଥିଲେ ଯେ ଅର୍ଜୁନ ରାଜ୍ୟ ମାଗିବେ କିମ୍ବା ଯୁଦ୍ଧ ବନ୍ଦ କରିଵା ପାଇଁ କହିବେ, କିନ୍ତୁ ସେ ମାଗିଲେ କେଵଳ ଏକ ମୁକୁଟ। ଏହା ଦୁର୍ଯ୍ୟୋଧନଙ୍କ ଦୃଷ୍ଟିରେ ଏକ ତୁଚ୍ଛ ଦାବି ଥିଲା, କିନ୍ତୁ ଏହାର ପଛରେ ଥିଲା ଗଭୀର କୌଶଳ ଯାହା ସେତେବେଳେ ସେ ବୁଝି ପାରିନଥିଲେ।

ଶେଷରେ ଦୁର୍ଯ୍ୟୋଧନ ତାଙ୍କର ସତ୍ୟ ପାଳନ କରି ମୁକୁଟ ଦାନ କରନ୍ତି—

“ନିଅ ତେବେ!” ଏହା କହି ରାଜା ଦୁର୍ଯ୍ୟୋଧନ,
ମୁକୁଟ ଉତ୍ତାରି ପାର୍ଥେ କଲେକ ଅର୍ପଣ।”

ଏଠାରେ ଦୁର୍ଯ୍ୟୋଧନଙ୍କ ଚରିତ୍ରର ଏକ ମହାନ ଦିଗ ଦେଖିଵାକୁ ମିଳେ—ସେ ଵଚନ ପାଳନ କରନ୍ତି, ଯଦିଓ ସେ ଶତ୍ରୁଙ୍କୁ ଲାଭ ଦେଉଛନ୍ତି। ଏହା “କ୍ଷତ୍ରିୟ ଧର୍ମ”ର ଏକ ଉଦାହରଣ। କଵିଵର ରାଧାନାଥ ରାୟଙ୍କ ଦ୍ଵାରା ଏଠାରେ ଵଚନ ପାଳନ କେମିତି ସମସ୍ତଙ୍କୁ କରିଵା ଉଚିତ୍ ତାହା ପରୋକ୍ଷରେ ଶିକ୍ଷା ଦେଇଛନ୍ତି । 

ତେବେ ଦୁର୍ଯ୍ୟୋଧନଙ୍କ ଠାରୁ ମୁକୁଟ ପାଇଵା ପରେ, ଅର୍ଜୁନ ଯେତେବେଳେ କୃଷ୍ଣଙ୍କୁ ଭେଟନ୍ତି, ସେଠାରେ କାହାଣୀର ମୂଳ କୌଶଳ ଆରମ୍ଭ ହୁଏ। କୃଷ୍ଣ ତାଙ୍କୁ ସୂଚନା ଦେଇ କହନ୍ତି—

“ଶୀଘ୍ରଗତି ଭୀଷ୍ମ ପାଶେ ଯାଅ, ଧନଞ୍ଜୟ, 
ଯାଵତ ନ ଆସ ଫେରି ସେ ବାଣ ସହିତ…”

ଏହି ପଦରେ ଗୋଟିଏ ଦୈଵୀୟ ଯୋଜନାର ସୂଚନା ମିଳେ। ଅର୍ଜୁନ ତାହାପରେ ଦୁର୍ଯ୍ୟୋଧନଙ୍କ ରୂପ ଧାରଣ କରନ୍ତି—
“ମାୟାଦୁର୍ଯ୍ୟୋଧନଵେଶ ଵିରଚି କୌଶଳେ…”
ଏଠାରେ “ମାୟା” ଶବ୍ଦଟି ଅତ୍ୟନ୍ତ ଅର୍ଥଵହ। ଏହା କେଵଳ ଵେଶ ପରିଵର୍ତ୍ତନ ନୁହେଁ ଵରଂ ଏକ ଯୁଦ୍ଧନୀତି, ଯାହା ଧର୍ମର ସୁରକ୍ଷା ପାଇଁ ପାଳିଵାକୁ ହେଉଛି।

ଏବେ ଆସୁଛି ସେଇ ମୂଳ ପ୍ରସଙ୍ଗ—ଅର୍ଜୁନଙ୍କ ଭୀଷ୍ମଙ୍କ ସମ୍ମୁଖୀନ ହେଵା ପ୍ରସଙ୍ଗ । ଭୀଷ୍ମ ସେତେବେଳେ ଗଭୀର ଚିନ୍ତାରେ ମଗ୍ନ—

“ପ୍ରତିଜ୍ଞା ତ କଲି ମୁହିଁ ଵଧିବି ପାଣ୍ଡଵ, 
କି ଅନର୍ଥ ଭିଆଇଲା ଦୁର୍ମତି କୌରଵ !”
ଏହି ପଦରେ ଭୀଷ୍ମଙ୍କ ଅନ୍ତର୍ଦ୍ୱନ୍ଦ୍ୱ ସ୍ପଷ୍ଟ। ସେ ଜାଣନ୍ତି ଯେ ପାଣ୍ଡଵମାନେ ଧର୍ମପକ୍ଷୀ, ତଥାପି ତାଙ୍କ ପ୍ରତିଜ୍ଞା ତାଙ୍କୁ ବାନ୍ଧି ରଖିଛି।

ଏହି ସମୟରେ ଅର୍ଜୁନ (ମାୟାଦୁର୍ଯ୍ୟୋଧନରୂପେ) ଭୀଷ୍ମଙ୍କୁ ନମନ କରି କହନ୍ତି—
“ନିଵେଦିବି ପାଦେ କିପାଁ ଆସିଲି ମୁଁ ପୁଣ…”
ଏଠାରେ ତାଙ୍କର ଭାଷା, ଶୈଳୀ ଓ ଵ୍ୟଵହାର ସଂପୂର୍ଣ୍ଣ ଦୁର୍ଯ୍ୟୋଧନଙ୍କ ଭଳି। ସେ ଏକ କଳ୍ପିତ କାହାଣୀ ରଚନା କରନ୍ତି—
“ପାଣ୍ଡଵଙ୍କୁ ପଞ୍ଚଗ୍ରାମ ଦେଲି ପିତାମହ…”
ଏହି ମିଥ୍ୟା କଥା ଶୁଣି ଭୀଷ୍ମ ଅତ୍ୟନ୍ତ ପ୍ରସନ୍ନ ହୋଇଯାନ୍ତି ଏଵଂ କୁହନ୍ତି—
“କଥା ନୁହେଁ, ସୁଧାଵୃଷ୍ଟି କଲ, ନରମଣି…”
ଏହାରୁ ବୁଝାଯାଏ ଯେ ଭୀଷ୍ମଙ୍କ ମନର ଗଭୀରତାରେ ପାଣ୍ଡଵଙ୍କ ପ୍ରତି ସ୍ନେହ ଓ କରୁଣା ଥିଲା। ସେ ଚାହୁଁଥିଲେ ଯୁଦ୍ଧ ନ ହେଉ।
ଏହି ଅଵସରକୁ ଉପଯୋଗ କରି ଅର୍ଜୁନ ତାଙ୍କର ପ୍ରକୃତ ଲକ୍ଷ୍ୟକୁ ସାଧନ କରନ୍ତି—
“ପାଣ୍ଡଵେ ଵଧିବ ବୋଲି ଯେଉଁ ପଞ୍ଚ ବାଣ… ସେହି ପଞ୍ଚ ଶର ମୋତେ ସମର୍ପଣ କର।”
ଏହି ଅନୁରୋଧଟି ହେଉଛି ସମଗ୍ର କାହାଣୀର ମୂଳ ବିନ୍ଦୁ। ଭୀଷ୍ମ କୌଣସି ସନ୍ଦେହ ବିନା ସେହି ବାଣ ଦେଇଦିଅନ୍ତି—
“ଏହା କହି ଅସ୍ତ୍ରାଗାରେ ପଶି ଵୀରମଣି, ବାଣ ଆଣି ସମର୍ପିଲେ ଅର୍ଜୁନେ ସେକ୍ଷଣି।”
ଏଠାରେ ଭୀଷ୍ମଙ୍କ ଭରସା, ସରଳତା ଓ ମହାନତା ପ୍ରକାଶ ପାଏ। ସେ କେବେ ଭାବି ନଥିଲେ ଯେ ଏହା ଏକ କୌଶଳ।
ଯେତେବେଳେ ଅର୍ଜୁନ ସେହି ବାଣକୁ ଦେଖନ୍ତି—
“ପଞ୍ଚପାଣ୍ଡବର ଶିର ସେ ବାଣେ ଅଙ୍କିତ।”
ଏହି ପଦରେ ଏକ ଭୟାଵହ ସତ୍ୟ ପ୍ରକାଶିତ ହୁଏ ଯେ ସେହି ବାଣ ପାଣ୍ଡଵମାନଙ୍କ ଵିନାଶ ପାଇଁ ନିର୍ଦ୍ଦିଷ୍ଟ ଥିଲା। ଏହାକୁ ହରଣ କରି ଅର୍ଜୁନ କେଵଳ ଏକ ଯୁଦ୍ଧକୌଶଳ ନୁହେଁ ଵରଂ ନିଜ ପରିଵାରକୁ ନିଶ୍ଚିତ ମୃତ୍ୟୁରୁ ବଞ୍ଚାଇଲେ। ପରେ ଅର୍ଜୁନ ଯେତେବେଳେ କୃଷ୍ଣଙ୍କୁ ବାଣ ଦେଖାଇଲେ, ସେତେବେଳେ କୃଷ୍ଣଙ୍କ ପ୍ରଶଂସା ଵାକ୍ୟ ଶୁଣିଲେ—
“ଅସାଧ୍ୟ ଆଜ ସାଧିଲ, ହେ ମିତ।”
ଏହି ଏକ ପଦରେ ସମଗ୍ର କାହାଣୀର ସାର ଲୁଚିଛି ଏଵଂ ତାହା"ଅସମ୍ଭଵକୁ ସମ୍ଭଵ କରିଵା" ଅଟେ ।

କିନ୍ତୁ ଏଠାରେ ଏକ ପ୍ରଶ୍ନ ଉଠେ ଯେ ଏହି କାହାଣୀ କ’ଣ ମୂଳ ମହାଭାରତର ଅଂଶ କି ?

ଅନେକ ମହାଭାରତ ଧାରାଵାହିକରେ ଏହି ଘଟଣାକୁ ନାଟ୍ୟ ରୂପାନ୍ତର ସହିତ ଚିତ୍ରଣ କରାଯାଇଛି। ତେବେ 
ଐତିହାସିକ ଓ ପାଠ୍ୟସମୀକ୍ଷାତ୍ମକ ଦୃଷ୍ଟିରୁ ଦେଖିଲେ ମୂଳ ମହାଭାରତରେ ମୁକୁଟ ଭୀକ୍ଷା ଓ ବାଣ ହରଣ ପ୍ରସଙ୍ଗ ହିଁ ନାହିଁ। Bhandarkar Oriental Research Institute ଦ୍ୱାରା ସମ୍ପାଦିତ Critical Edition ମହାଭାରତର ସବୁଠାରୁ ନିର୍ଭରଯୋଗ୍ୟ ସଂସ୍କରଣ ବୋଲି ଗ୍ରହଣ କରାଯାଏ। ଏହି ସଂସ୍କରଣରେ “ମୁକୁଟ ଭୀକ୍ଷା” ଵା “ପାଞ୍ଚ ଅମୋଘ ବାଣ ହରଣର” କାହାଣୀ ନାହିଁ। ଏହାକୁ ପରଵର୍ତ୍ତୀ କାଳରେ ଯୋଡ଼ାଯାଇଥିବା ଏକ “interpolation” ବୋଲି ମାନାଯାଏ।

ମୂଳ ମହାଭାରତରେ ଭୀଷ୍ମଙ୍କ ପତନ ଅନ୍ୟ ଭାବରେ ଘଟିଥାଏ। ସେଠାରେ ଶିଖଣ୍ଡୀଙ୍କୁ ଆଗରେ ରଖି ଅର୍ଜୁନ ବାଣଵର୍ଷା କରନ୍ତି। ସାରଳା ମହାଭାରତରେ ମଧ୍ୟ ସାରଳା ଦାସ ଏହା ଉଲ୍ଲେଖ କରିଛନ୍ତି ।‌ଭୀଷ୍ମ ଶିଖଣ୍ଡୀଙ୍କୁ ସ୍ତ୍ରୀ ଭାବି ତାଙ୍କ ଉପରେ ଆକ୍ରମଣ କରନ୍ତି ନାହିଁ, ଯାହାର ଫଳରେ ସେମାନଙ୍କ ପତନ ଘଟେ। ଏହା ଏକ ପ୍ରମାଣିତ ଓ Critical Editionରେ ଥିଵା ପ୍ରକୃତ ପ୍ରସଙ୍ଗ ଅଟେ।

ଏହିପରି, ଦ୍ଵିସର୍ଗଯୁକ୍ତ "ବାଣ‌ ହରଣ" ଦୀର୍ଘ କଵିତା ଆମକୁ ଏକ ଗଭୀର ସତ୍ୟ ବୁଝାଏ ଯେ ମହାଭାରତ ଏକ “ଫିକ୍ସଡ୍ ଟେକ୍ସଟ୍” ନୁହେଁ ଵରଂ ଏକ “ଏଵଲ୍ଭିଂ ଟ୍ରାଡିସନ୍” ଅଟେ । ସମୟ ସହିତ ଲୋକମାନେ ଏହାରେ ନୂତନ କାହାଣୀ ଯୋଡ଼ିଛନ୍ତି, ଯାହା ଏହାକୁ ଅଧିକ ଆକର୍ଷଣୀୟ ଓ ନାଟ୍ୟମୟ କରିଛି।

ସାହିତ୍ୟିକ ଦୃଷ୍ଟିରୁ “ବାଣ ହରଣ” ଏକ ଅପୂର୍ଵ ସୃଷ୍ଟି। ଏଥିରେ ନାଟକୀୟତା, ଚରିତ୍ର ଚିତ୍ରଣ ଓ ଭାବନାର ଗଭୀରତା ଅତ୍ୟନ୍ତ ଉଚ୍ଚସ୍ତରୀୟ। ଏହା ଆମକୁ କେଵଳ ମନୋରଞ୍ଜନ ନୁହେଁ ଵରଂ ମାନଵୀୟ ମୂଲ୍ୟ,ଉଦାରତା,ଵଚନ ପାଳନ ଓ କୌଶଳ—ସମ୍ପର୍କରେ ମଧ୍ୟ ଶିକ୍ଷା ଦେଉଛି।

କଵିଵର ରାଧାନାଥ ରାୟଙ୍କ “ବାଣ ହରଣ” ନିଶ୍ଚିତ ଭାବରେ ଏକ ସାହିତ୍ୟିକ ରତ୍ନ, ଯାହା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି। କିନ୍ତୁ ଏହାକୁ ମୂଳ ମହାଭାରତର ଅଂଶ ଭାବେ ଗ୍ରହଣ କରିଵା ଠିକ୍ ନୁହେଁ ଯେହେତୁ ମୂଳ ପ୍ରାମାଣିକ ମହାଭାରତରେ ଏହି ଘଟଣାକ୍ରମ ନାହିଁ । ତଥାପି ଏହା ଏକ କଳ୍ପନାମୟ, କିନ୍ତୁ ଅତ୍ୟନ୍ତ ସୁନ୍ଦର ଉପଖ୍ୟାନ, ଯାହା ଆମ ସାହିତ୍ୟ ଓ ସଂସ୍କୃତିକୁ ଆହୁରି ଗଭୀର ଓ ରୋମାଞ୍ଚକ କରିଦେଇଛି। ଯଦିଓ ଏହା ମୂଳ ମହାଭାରତର ପ୍ରାମାଣିକ ଅଂଶ ନୁହେଁ, ତଥାପି ଏହା ଓଡ଼ିଆ ସାହିତ୍ୟରେ ଏକ ଅମର ସୃଷ୍ଟି ହୋଇ ରହିଛି। ନବେ ଦଶକର ଛାତ୍ରଛାତ୍ରୀମାନଙ୍କ ପାଇଁ “ମୁକୁଟ ଭୀକ୍ଷା” ରୂପେ ପଢ଼ାଯାଇଥିଵା ଏହି ପଦାଵଳୀର କିଛି ଅଂଶ ଆଜି ମଧ୍ୟ ଆମର ସ୍ମରଣୀୟ ହୋଇ ରହିଛି।

Sunday, April 5, 2026

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ ରୀତି ସହିତ ମିଶି ନୂତନ ରୂପ ଧାରଣ କରେ। ଏହାର ଏକ ସ୍ପଷ୍ଟ ଉଦାହରଣ “ଜିନିସ୍” ଶବ୍ଦର “ଜିନିଷ୍”ରେ ପରିଣତ ହେଵା ଅଟେ । ଏହା କେଵଳ ଏକ ସାଧାରଣ ଵ୍ୟଵହାର ନୁହେଁ ଵରଂ ଓଡ଼ିଆ ଭାଷାର ଐତିହାସିକ ଧ୍ୱନି ପରିଵର୍ତ୍ତନ, ସ୍ୱର ପ୍ରଭାବ ଓ sibilant ଧ୍ୱନିର ଅନୁକୂଳନର ଏକ ମନୋରଞ୍ଜକ ଉଦାହରଣ।

“ଜିନିଷ ଵା ଜିନିସ୍” ଶବ୍ଦଟି ମୂଳତଃ ଆରବୀ “jins” (جنس) ଓ ପାର୍ସୀ “jins” ରୁ ଆସିଛି ।‌ 
ମୂଳ ଆରବୀର جِنْس (jins) ଶବ୍ଦର ଅର୍ଥ ଥିଲା ପ୍ରକାର,କିସମ ଏଵଂ جِنْسِيَّة (jinsiyya)ର ଅର୍ଥ ଥିଲା ଜାତୀୟତା । କିନ୍ତୁ ଏହି ଶବ୍ଦଟି ମୂଳତଃ ଆରବୀ ଶବ୍ଦ ନଥିଲା । ଏହା ପ୍ରାଚୀନ Syriac ܓܸܢܣܵܐ (gensā) ଶବ୍ଦରୁ ଆରବୀ ଭାଷାରେ ପ୍ରଚଳିତ ହୋଇଥିଲା । ସେହିପରି Syriac ܓܸܢܣܵܐ (gensā) ଶବ୍ଦଟି ପ୍ରାଚୀନ ଗ୍ରୀକ୍ 
 γένος (génos) ସହିତ ସମ୍ବନ୍ଧିତ ବୋଲି ଭାଷାଵିଦମାନେ ମତ ଦିଅନ୍ତି । ଏହି ମୂଳ ଗ୍ରୀକ୍ ଶବ୍ଦର ପ୍ରାକ୍ ଭାରୋପୀୟ ଶବ୍ଦରୂପ *ǵénh₁os (“race, lineage”) ନିର୍ଣ୍ଣୟ କରାଯାଇଛି । ଏ ଦୃଷ୍ଟିରୁ ଜିନିଷ ଶବ୍ଦ ସହିତ ସଂସ୍କୃତ ଜନ ଓ ଜନସ୍(Race) ଶବ୍ଦର ସଗୋତ୍ରୀୟ ସମ୍ପର୍କ ରହିଛି ।

ତେବେ ଆରବୀ “jins” (جنس) ଶବ୍ଦଟି ପାର୍ସୀ ଭାଷା ମାଧ୍ୟମରେ ଭାରତକୁ ପ୍ରଵେଶ କରିଥିଲା।
ମଧ୍ୟଯୁଗରେ ଆରବୀ ଓ ପାର୍ସୀ ଭାଷା ଭାରତରେ ଵ୍ୟାପାର ଓ ପ୍ରଶାସନ ମାଧ୍ୟମରେ ଵ୍ୟାପକ ଭାବେ ପ୍ରଚଳିତ ହୋଇଥିଲା। ଵ୍ୟଵସାୟୀମାନେ ସେମାନଙ୍କର ଵ୍ୟାପାର କାର୍ଯ୍ୟରେ “jins” ଶବ୍ଦଟିକୁ ଵିଭିନ୍ନ ପ୍ରକାରର ସାମଗ୍ରୀ ବୁଝାଇଵା ପାଇଁ ଵ୍ୟଵହାର କରୁଥିଲେ। ଯେପରି, କୌଣସି ଵ୍ୟାପାରୀ କହୁଥିଲେ—“ମୋ ପାଖରେ ଵିଭିନ୍ନ jins ଅଛି”—ତାହାର ଅର୍ଥ ହେଉଥିଲା ସେଠାରେ ଅନେକ ପ୍ରକାରର ସାମଗ୍ରୀ ଉପଲବ୍ଧ ଅଛି। ଏଠାରୁ ଧୀରେ ଧୀରେ ଅର୍ଥରେ ଏକ ସୂକ୍ଷ୍ମ ପରିଵର୍ତ୍ତନ ଘଟିଲା। ପ୍ରଥମେ “jins” ମାନେ ଥିଲା “ପ୍ରକାର”, କିନ୍ତୁ ଵ୍ୟଵହାରରେ ଏହା “ସେହି ପ୍ରକାରର ସାମଗ୍ରୀ” ବୁଝାଇଵାକୁ ଲାଗିଲା। ପରେ ଏହାର ଅର୍ଥ ଆହୁରି ସରଳ ହୋଇ “ସାମଗ୍ରୀ” କିମ୍ବା “ମାଲ” ହେଇଗଲା। ଏହିପରି ଭାବେ ଏହି ଶବ୍ଦଟି ହିନ୍ଦୁସ୍ତାନୀ ଭାଷାରେ ପ୍ରଵେଶ କରି “ଜିନ୍ସ” ରୂପେ ଵ୍ୟଵହୃତ ହେଲା, ଯାହାର ଅର୍ଥ ହେଲା ଵ୍ୟାପାରୀ ସାମଗ୍ରୀ।
ପରଵର୍ତ୍ତୀ କାଳରେ ଏହି ଶବ୍ଦଟି ଓଡ଼ିଆ ଭାଷାକୁ ପ୍ରଵେଶ କରିଵା ସମୟରେ ଧ୍ୱନିରେ କିଛି ପରିଵର୍ତ୍ତନ ଘଟିଲା। “jins” ଧୀରେ ଧୀରେ “ଜିନିସ” ଓ ପରେ “ଜିନିଷ” ରୂପେ ପରିଣତ ହେଲା। ଏହି ସମୟରେ ଏହାର ଅର୍ଥ ଆହୁରି ଵିସ୍ତାରିତ ହୋଇଗଲା। ଏହା କେଵଳ ଵ୍ୟାପାରୀ ସାମଗ୍ରୀରେ ସୀମିତ ରହିଲା ନାହିଁ ଵରଂ ଯେକୌଣସି ଵସ୍ତୁ କିମ୍ବା ପଦାର୍ଥକୁ ଉଦ୍ଧୃତ କରିଵାକୁ ଲାଗିଲା। ଏପଟେ ଭାରତୀୟ ମୂଳର ଵସ୍ତୁ,ଦ୍ରଵ୍ୟ ଓ ଦରଵ ଭଳି ଶାସ୍ତ୍ରୀୟ ତଥା ଦେଶୀୟ କଥିତ ଶବ୍ଦମାନ ଵୈଦେଶିକ 'ଜିନିଷ' ଶବ୍ଦର ବହୁଳ ଵ୍ୟଵହାର ଯୋଗୁଁ କଥିତ ଭାଷାରୁ ଅପସରି ଗଲା । 

ଭାରତର ଵିଭିନ୍ନ ଭାଷାରେ ଆରବୀ ମୂଳର “jins” (جنس) ଶବ୍ଦଟି ପାର୍ସୀ ଭାଷା ଦେଇ ଆସି ଭିନ୍ନ ଭିନ୍ନ ରୂପ ଧାରଣ କଲା । ଯଥା ଓଡ଼ିଆ ଭାଷାରେ ଜିନିଷ ଓ ଜିନିସ, ହିନ୍ଦୀରେ जिंस (jins),ପଞ୍ଜାବୀରେ ਜਿਨਸ (jinas), ଗୁଜରାଟୀରେ જણસ (jaṇas), ମରାଠୀରେ जिन्नस (jinnas) ଓ ବଙ୍ଗଳା ଭାଷାରେ জিনিস (jiniś) ଇତ୍ୟାଦି । ତେବେ ଓଡ଼ିଆ ଭାଷାରେ ଏହି ଜିନିଷ ଵା ଜିନିଷ ଶବ୍ଦର ଵ୍ୟଵହାର ସର୍ଵାପେକ୍ଷା ଅଧିକ ହୋଇଥାଏ ।‌


କିନ୍ତୁ ଏଠାରେ ପ୍ରଶ୍ନ ଆସେ ଯଦି ମୂଳ ଆରବୀରେ ଜିନିସ୍ ଶବ୍ଦରେ ଦନ୍ତ୍ୟ ସ ଥିଲା ତାହେଲେ ଓଡ଼ିଆ ଭାଷାରେ ଜିନିସ୍ ଶବ୍ଦଟି ପରେ ଜିନିଷ କାହିଁକି ହୋଇଗଲା ? 

ଵାସ୍ତଵ ପକ୍ଷରେ ଏହାର ଗୋଟିଏ ନୁହେଁ ଅନେକ କାରଣ ରହିଛି । ଓଡ଼ିଆରେ ଜିନିସ୍ ଶବ୍ଦରେ ଥିଵା ମୂଳ “ସ” (/s/) ଧ୍ୱନିଟି ଲେଖନରେ ପ୍ରାୟତଃ “ଷ” ଅକ୍ଷରରେ ରୂପାନ୍ତରିତ ହୋଇଛି। 

ଏହାର ଏକ କାରଣ ସମୀପସ୍ଥ ସ୍ୱରର ପ୍ରଭାବ ଵା Vowel Influence ଓ Coarticulation ହୋଇଥାଇପାରେ । ଜିନିସ୍ ଶବ୍ଦଟିର ମଧ୍ୟରେ ଥିଵା “ଇ”*(/i/) ଏକ high front vowel ଵା ଉଚ୍ଚ ଅଗ୍ର ସ୍ଵର ଧ୍ଵନି ଅଟେ । ଏହି ସ୍ୱର ପରେ ଉଚ୍ଚାରଣ କରିଵା ସମୟରେ ଜିଭର ସ୍ଥାନ ସାମାନ୍ୟ ପଛକୁ ଯାଇ ଧ୍ୱନିଟିକୁ ଅଧିକ ମୂର୍ଦ୍ଧନ୍ୟ କରିଦେଇଥାଏ। ଫଳରେ “ସ” ଧ୍ୱନି “ଷ” (/ʂ/) ଭଳି ଅନୁଭଵ ହୁଏ। ଏହା ଏକ ସାଧାରଣ coarticulation ପ୍ରକ୍ରିୟା, ଯେଉଁଥିରେ ପୂର୍ଵ ଧ୍ୱନି ପରଵର୍ତ୍ତୀ ଧ୍ୱନିକୁ ପ୍ରଭାଵିତ କରେ। ପ୍ରାଚ୍ୟ ପାରମ୍ପରିକ ଭାଷାଵିଜ୍ଞାନରେ ଏହାକୁ ଷତ୍ଵ ଵିଧି ଦୃଷ୍ଟିରୁ ଵ୍ୟାଖ୍ୟା କରାଯାଇପାରେ ଯଦିଓ ପ୍ରାଚୀନ ଵ୍ୟାକରଣ ଶାସ୍ତ୍ରରେ ଷତ୍ଵ ଵିଧିର ନିୟମ ସୀମିତ ।

ଧ୍ୱନି ଅନୁକୂଳନ ଵା Assimilation ଯୋଗୁଁ ମଧ୍ୟ ଏହି ପରିଵର୍ତ୍ତନ ହୋଇଥିଵାର ସମ୍ଭାଵନା ଦୃଶ୍ୟ ହୋଇଥାଏ । “ନି” (/ni/) ଉଚ୍ଚାରଣ କରିଵା ବେଳେ ଜିଭ ଆଗ ଭାଗରେ ଥାଏ। ତା’ପରେ ଆସୁଥିଵା “ସ” କୁ ଉଚ୍ଚାରଣ କରିଵା ସମୟରେ ଜିଭର ସ୍ଥାନ ସାମାନ୍ୟ ପରିଵର୍ତ୍ତନ ହୋଇ ଏହା regressive assimilationର ରୂପ ନେଇପାରେ। ଏହା place of articulationର ଏକ ସୂକ୍ଷ୍ମ ଶିଫ୍ଟ ଅଟେ।

ହୁଏତ ପ୍ରାଚୀନ ଓଡ଼ିଆ ପଣ୍ଡିତମାନେ ଜିନିଷ ଶବ୍ଦ କ୍ଷେତ୍ରରେ ଏଭଳି ଉଚ୍ଚାରଣ ଭିନ୍ନତା ଦେଖି ଦନ୍ତ୍ୟ 'ସ' ପରିଵର୍ତ୍ତେ ମୂର୍ଦ୍ଧନ୍ୟ 'ଷ' ଲେଖିଵା ଆରମ୍ଭ କରିଥିଲେ ଫଳତଃ ଜିନିସ ଶବ୍ଦ ଓଡ଼ିଆରେ କ୍ରମଶଃ ଜିନିଷ ହୋଇଅଛି । କାଳକ୍ରମେ ଲୋକମାନେ ଜିନିସ ନଲେଖି ଜିନିଷ ଲେଖିଲେ କାରଣ ଓଡ଼ିଆ ଵିଦ୍ଵାନମାନେ ଜିନିଷ ଶବ୍ଦକୁ ସାଧୁ ଵିଚାର କଲେ ।
ଓଡ଼ିଆ ଭାଷାର ଏକ ବିଶେଷ ଧ୍ୱନିତାତ୍ତ୍ୱିକ ଗୁଣ ହେଉଛି ଯେ ଲିପିରେ ତିନୋଟି ସିବିଲାଣ୍ଟ ଅକ୍ଷର ଥିଲେ ମଧ୍ୟ (ଶ — ତାଲଵ୍ୟ,ଷ — ମୂର୍ଦ୍ଧନ୍ୟ,ସ — ଦନ୍ତ୍ୟ) ଆଧୁନିକ ଓଡ଼ିଆ ଉଚ୍ଚାରଣରେ ଏହି ତିନୋଟି ପ୍ରାୟ ସମାନ ଭାବରେ /s/ ହୋଇଯାଏ। ଏହି ସିବିଲାଣ୍ଟ ଧ୍ୱନିର ମର୍ଜର ଵା phonological merger ଯୋଗୁଁ ବିଦେଶୀ /s/ କୁ ଲେଖନରେ ସହଜରେ ଷ ରୂପରେ ଅନୁକୂଳିତ କରାଯାଏ, ବିଶେଷକରି /i/ ଭଳି ଉଚ୍ଚ ଅଗ୍ର ସ୍ୱର ପରେ।

ତେଣୁ “ଜିନିସ୍” ଶବ୍ଦଟି “ଜିନିଷ୍” ହେଵା ଏକ ସରଳ ଲେଖନ ପରିଵର୍ତ୍ତନ ନୁହେଁ। ଏହା ଓଡ଼ିଆ ଭାଷାର ଗତିଶୀଳ ପ୍ରକୃତିକୁ ପ୍ରତିଫଳିତ କରେ । ଓଡ଼ିଆ ଭାଷାରେ ଵିଦେଶୀ ଉତ୍ସର ଧ୍ୱନି ସ୍ଥାନୀୟ ସ୍ୱର ପ୍ରଭାବ, ଅନୁକୂଳନ ଓ ଐତିହାସିକ ଲେଖନ ରୀତି ସହିତ ମିଶି ନୂଆ ରୂପ ନେଇଥାଏ। ଏହା କେଵଳ ଏକ ଶବ୍ଦର କାହାଣୀ ନୁହେଁ ଵରଂ ଓଡ଼ିଆ ଭାଷାର ଧ୍ୱନିତତ୍ତ୍ୱର ଏକ ଜୀଵନ୍ତ ଉଦାହରଣ, ଯେଉଁଥିରେ ସିବିଲାଣ୍ଟ ଧ୍ୱନିର ମୂର୍ଦ୍ଧନ୍ୟକରଣ ପ୍ରଵୃତ୍ତି ଓ ଵ୍ୟଵହାରଗତ ଵିକାଶ ସ୍ପଷ୍ଟ ଦେଖାଯାଏ।

ଏହି ପ୍ରକ୍ରିୟାକୁ ଭାଷାଵିଜ୍ଞାନରେ phonological nativization କୁହାଯାଏ, ଯାହା ଓଡ଼ିଆରେ ଆରବୀ, ପାର୍ସୀ, ପର୍ତ୍ତୁଗୀଜ ଓ ଇଂରାଜୀ ଋଣଶବ୍ଦ ସହ ବହୁଳ ଭାବେ ଦେଖାଯାଏ। ଏହା ଉପରେ ଵିସ୍ତୃତ ଗଵେଷଣା ମଧ୍ୟ ହୋଇଛି । ଶଶିକାନ୍ତ ତରାଇଙ୍କ ଡକ୍ଟରେଟ୍ ଥିସିସ୍: Phonological Nativization of Arabic, Portuguese and English Loanwords (IIT Madras, 2011)”ରେ ଏ ଵିଷୟରେ ଵିସ୍ତାର କରି ଆଲୋଚନା କରାଯାଇଛି ।

ଓଡ଼ିଆ ଭାଷା ଏପରି ଅନେକ ଶବ୍ଦ ସହିତ ନିଜକୁ ସମୃଦ୍ଧ କରିଚାଲିଛି। ଯଦି ଏହି ପ୍ରକ୍ରିୟାକୁ ଭଲ ଭାବରେ ଅନୁଶୀଳନ କରାଯାଏ, ତେବେ ଭାଷାର ଜୀଵନ୍ତତା ଓ ପରିଵର୍ତ୍ତନଶୀଳତା ଆହୁରି ସ୍ପଷ୍ଟ ହୁଏ। ଏହି ପରିଵର୍ତ୍ତନ କୌଣସି ଏକମାତ୍ର ନିୟମର ଫଳ ନୁହେଁ ଵରଂ ଇତିହାସ, ଉଚ୍ଚାରଣ ଓ ଵ୍ୟଵହାରର ମିଳିତ ପରିଣାମ ଅଟେ ।


Reunion : ଏକ ବାହାନା

ଏକବିଂଶ ଶତାବ୍ଦୀର ଦ୍ଵିତୀୟ ଦଶକର ମଧ୍ୟଭାଗରେ ଜଣେ ଆଧୁନିକ ଯୁଗର ଚଷାପିଲା ଗାଆଁ ବିଲ ମଝିରେ ଥିଵା ଏକ ଝୁମ୍ପୁଡ଼ି ଭିତରେ ବସି ହନୁମାଙ୍କଡ଼,ହାତୀ,ବାର୍ହା ଓ ଗୋରୁଗାଈଙ...