Sunday, April 26, 2026

ଭଵିଷ୍ଯତରେ ଜୈଵ ଇନ୍ଧନର ଅଭାବ ହେଲେ ମଣିଷ କ’ଣ କରିବେ ?

The Long Descent ବହିରେ ଲେଖକ John Michael Greer ଲେଖିଛନ୍ତି ଯେ ଆଧୁନିକ ଶିଳ୍ପ ସଭ୍ୟତାର ମୂଳ ଶକ୍ତି fossil fuels, ଵିଶେଷ କରି petroleum (ତେଲ) ଉପରେ ନିର୍ଭର କରେ। କିନ୍ତୁ ଏହି ସମ୍ପଦ ଅସୀମ ନୁହେଁ। ଯେତେବେଳେ ତେଲ ଉତ୍ପାଦନ ଧୀରେ ଧୀରେ କମିଵ, ସେତେବେଳେ ସଭ୍ୟତାର ଜଟିଳ ଅର୍ଥନୈତିକ ଓ ପ୍ରାଯୁକ୍ତିକ ପ୍ରଣାଳୀ ମଧ୍ୟ କ୍ରମେ ଦୁର୍ଵଳ ହେଵ। ଲେଖକଙ୍କ ମତାନୁସାରେ ସଭ୍ୟତାର ପତନ ହଠାତ୍ ଘଟେ ନାହିଁ। ଏହା ଏକ ଦୀର୍ଘ ଓ ପର୍ଯ୍ୟାୟକ୍ରମିକ ପ୍ରକ୍ରିୟା। ଇତିହାସରେ ଯେପରିକି ଅନେକ ସଭ୍ୟତା ଧୀରେ ଧୀରେ ଅଵନତି ହୋଇଥିଲା, ସେପରି ଆଧୁନିକ ଶିଳ୍ପ ସଭ୍ୟତା ମଧ୍ୟ ଏକ ଦୀର୍ଘ “descending staircase” ଭଳି ପର୍ଯ୍ୟାୟରେ ଅବନତି କରିପାରେ।

ଏହି ପ୍ରକ୍ରିୟାରେ କେବେ କେବେ ଅର୍ଥନୈତିକ ସଙ୍କଟ,
ଶକ୍ତି ଅଭାବ,ରାଜନୈତିକ ଅସ୍ଥିରତା,
ସାମାଜିକ ପରିଵର୍ତ୍ତନ ଘଟିଵ, ତାପରେ କିଛି ସମୟ ପାଇଁ ସ୍ଥିରତା ଆସିଵ, ତହୁଁ ପୁଣି ଏକ ନୂଆ ସଙ୍କଟ ଆସିଵ। ଏଭଳି କ୍ରମେ ସମାଜର ଜଟିଳତା କମିଯିଵ।

ଲେଖକଙ୍କ ଧାରଣା ଅନୁସାରେ, ଯଦି ଶସ୍ତା ଓ ପ୍ରଚୁର ତେଲ ଉପଲବ୍ଧ ନ ରହେ, ତେବେ ବଡ଼ ଶିଳ୍ପ ଓ ଵୈଶ୍ଵିକ ଵ୍ୟାପାର କମିଯିଵ, ସ୍ଥାନୀୟ ଅର୍ଥନୀତି ଓ କୃଷି ଗୁରୁତ୍ୱପୂର୍ଣ୍ଣ ହେଵ,ଉଚ୍ଚ ଶକ୍ତି ଭୋଗ କରୁଥିଵା ପ୍ରଯୁକ୍ତି କମିଯିଵ ଏଵଂ ସମାଜ ଧୀରେ ଧୀରେ pre-industrial life ଵା ପ୍ରାକ୍-ଶିଳ୍ପ ଶୈଳୀର ଜୀଵନ ଆଡ଼କୁ ଫେରିପାରେ ।

ଲେଖକ Richard Heinberg ମଧ୍ୟ ତାଙ୍କ ବହି The Party's Overରେ କହନ୍ତି ଯେ ଆଧୁନିକ ଜଗତର ଅର୍ଥନୀତି ଓ ଜୀଵନଶୈଳୀ ଶସ୍ତା ଓ ପ୍ରଚୁର petroleum ଉପରେ ଭିତ୍ତି କରି ଗଢ଼ିଉଠିଛି। କିନ୍ତୁ ପୃଥିଵୀରେ petroleum ଅସୀମ ନୁହେଁ। ଗୋଟିଏ ସମୟ ଆସିଵ ଯେତେବେଳେ ତେଲ ଉତ୍ପାଦନ ସର୍ଵାଧିକ ସ୍ତରକୁ ପହଞ୍ଚି ପରେ ଧୀରେ ଧୀରେ କମିଵ। Heinberg ଏହି ଘଟଣାକୁ Peak Oil ନାଆଁ ଦେଇଛନ୍ତି।

ଏହି ପରିସ୍ଥିତିରେ ଲୋକମାନେ ପୁଣି ସୂର୍ଯ୍ୟ ଶକ୍ତି ଓ ପ୍ରାକୃତିକ ସମ୍ପଦ ଭିତ୍ତିକ “solar economy” ଭଳି ପୁରୁଣା ପ୍ରଣାଳୀକୁ ଅନୁସରଣ କରିପାରନ୍ତି। ମନୁଷ୍ୟ ପୁଣି ପୂର୍ଣ୍ଣତଃ ଚାଷ କରିବେ, ହାତର କାମ ଓ ସ୍ଥାନୀୟ ସମ୍ପଦ ଉପରେ ଅଧିକ ନିର୍ଭର କରିବେ।
ଏହି ସ୍ଥିତିରେ କାଠ (wood fuel) ପୁଣି ଏକ ମୁଖ୍ୟ ଜାଳେଣି ହୋଇପାରେ, କାରଣ ତେଲ ଓ ଅନ୍ୟ ଉଚ୍ଚ-ଶକ୍ତି ଇନ୍ଧନ ଦୁର୍ଲଭ ହୋଇଯିଵ।

ପୁଣି The Long Descent ରେ ଲେଖକ John Michael Greer କହନ୍ତି ଯେ renewable energy ଵା ପୁନର୍ନଵୀକରଣ ଶକ୍ତି ଉପକାରୀ ହେଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ଭାବେ fossil fuel ଆଧାରିତ ଶିଳ୍ପ ସଭ୍ୟତାକୁ ବଦଳାଇପାରିଵ ନାହିଁ। ସେ ଏ ସମ୍ବନ୍ଧରେ କିଛି ମୁଖ୍ୟ କାରଣ ଦେଇଛନ୍ତି।

ତେଲ, କୋଇଲା ଓ ପ୍ରାକୃତିକ ଗ୍ୟାସରେ ଅଧିକ ଶକ୍ତି ଘନତ୍ଵ ଵା energy density ଥାଏ। କିନ୍ତୁ ସୂର୍ଯ୍ୟ, ପଵନ ଭଳି renewable energy ଉତ୍ସରେ ଏହି ଶକ୍ତି ଅଧିକ ଛିଟିଯାଇଥାଏ। ଏହିକାରଣରୁ ବଡ଼ ଜମି,ବହୁ ଯନ୍ତ୍ର,ବହୁ ସଂରଚନା ଆଵଶ୍ୟକ ହୁଏ ।

ସୋଲାର ପ୍ୟାନେଲ୍, ୱିଣ୍ଡ ଟର୍ବାଇନ୍, ବ୍ୟାଟେରୀ ଇତ୍ୟାଦି ତିଆରି କରିଵା ପାଇଁ ଖଣି ଖୋଦନ,
ଇସ୍ପାତ ଓ ଧାତୁ ଶିଳ୍ପ ଏଵଂ ଦୀର୍ଘ ଦୂରତାର ପରିଵହନ ଦରକାର ହୁଏ। ଏସବୁ ଆଜି ପର୍ଯ୍ୟନ୍ତ ତେଲ ଓ କୋଇଲା ଉପରେ ନିର୍ଭରଶୀଳ ଥିଲା ।

ତାଛଡ଼ା Renewable energy ସବୁବେଳେ ମିଳେ ନାହିଁ ।ସୂର୍ଯ୍ୟ ରାତିରେ ନଥାଏ,ପଵନ ସବୁବେଳେ ବହେ ନାହିଁ । ସେହିପାଇଁ ଏହାକୁ ସ୍ଥିର ଭାବରେ ଚାଲୁ ରଖିଵାକୁ storage technology ବା backup power ଲୋଡ଼ା ପଡ଼େ ।

ଆଧୁନିକ ସଭ୍ୟତାରେ ଵିଶାଳ ସହର,ଵିମାନ ଯାତାୟାତ,ଵୈଶ୍ଵିକ ଵ୍ୟାପାର ଓ ବଡ଼ ଶିଳ୍ପ ପାଇଁ ଅତ୍ୟଧିକ ଶକ୍ତି ପ୍ରୟୋଜନୀୟ । Greerଙ୍କ ମତରେ renewable energy ଏତେ ବଡ଼ ଶକ୍ତି ଆଵଶ୍ୟକତାକୁ ପୂରଣ କରିବାକୁ ଶକ୍ତ ଓ ସମର୍ଥ ନୁହେଁ।
ଲେଖକଙ୍କ ଧାରଣା ଅନୁସାରେ renewable energy ଉପକାରୀ ହେଵ, କିନ୍ତୁ ଏହା ଆଧୁନିକ ଉଚ୍ଚ-ଶକ୍ତି ସଭ୍ୟତାକୁ ପୁରାପୁରି ରକ୍ଷା କରିପାରିଵ ନାହିଁ। ତେଣୁ ଭଵିଷ୍ୟତରେ ସମାଜ — ଛୋଟ,
ସ୍ଥାନୀୟ ତଥା କମ୍ ଶକ୍ତି ଵ୍ୟଵହାର କରୁଥିଵା
ପ୍ରଣାଳୀକୁ ଅନୁସରଣ କରିପାରେ। ଏହିକାରଣରୁ ସେ କହନ୍ତି ଯେ ଲୋକମାନେ ପୁଣି କାଠ ଭଳି ପ୍ରାକୃତିକ ଜାଳେଣି ଉପରେ ଅଧିକ ନିର୍ଭର କରିପାରନ୍ତି।

ସମ୍ପଦ କମିଲେ ସଭ୍ୟତା ନୂଆ ସମ୍ପଦ ନୁହେଁ, ନିଜର ପୁରୁଣା ଢଞ୍ଚାକୁ ଭାଙ୍ଗି ବଞ୍ଚିଵାକୁ ଚେଷ୍ଟା କରେ—ଏହି ତତ୍ତ୍ବକୁ John Michael Greer ତାଙ୍କ ବହିରେ “catabolic collapse” ନାମରେ ଉଲ୍ଲେଖ କରିଛନ୍ତି ।

The Party's Over ପୁସ୍ତକର ଲେଖକ Richard Heinberg ମଧ୍ୟ ସମାନ କଥା ତାଙ୍କ ବହିରେ ଭିନ୍ନ ଶୈଳୀରେ ଲେଖିଛନ୍ତି । Heinberg ଵ୍ୟାଖ୍ୟା କରନ୍ତି ଯେ ତେଲ ଉତ୍ପାଦନ ଏକ ଘଣ୍ଟା ଆକାରର ରୂପ ଵା bell-shaped curve ଅନୁସରଣ କରେ । ପ୍ରଥମେ ଖୋଜାଯାଏ,ପରେ ଦ୍ରୁତ ବଢ଼େ,ତାପରେ ଏକ ସର୍ଵୋଚ୍ଚ ସ୍ଥାନ Peak Oil ସ୍ଥିତିକୁ ପହଞ୍ଚେ ଏଵଂ ପରେ ଧୀରେ ଧୀରେ କମିଯାଏ । Peak Oil ପରେ ତେଲ ଉପଲବ୍ଧତା କମିଯିଵାରୁ ଵିଶ୍ୱ ଅର୍ଥନୀତିରେ ବଡ଼ ପରିଵର୍ତ୍ତନ ଆସିପାରେ।

Heinberg କହନ୍ତି ଯେ ଆଧୁନିକ ସମାଜର ପ୍ରାୟ ସବୁ କ୍ଷେତ୍ର ତେଲ ଉପରେ ନିର୍ଭର । cars, airplanes ଭଳି ଯାତାୟାତ କ୍ଷେତ୍ରରେ,
କୃଷିରେ fertilizers, tractors ଆଦିରେ,
ଶିଳ୍ପ ଓ ଉତ୍ପାଦନ କ୍ଷେତ୍ରରେ ଓ ଵୈଶ୍ଵିକ ଵ୍ୟାପାର ଆଦିରେ ଜୀଵାଶ୍ମ ଇନ୍ଧନ ଅତି ଉପାଦେୟ । ତେଣୁ ପେଟ୍ରୋଲିୟମ କମିଗଲେ ଏହି ସମସ୍ତ ପ୍ରଣାଳୀ ଅସ୍ଥିର ହୋଇପାରେ।

Heinberg ମତାନୁସାରେ Peak Oil ପରେ ମନୁଷ୍ୟ ସମାଜକୁ କମ୍ ଶକ୍ତିର ଜଗତରେ ଅନୁକୂଳ ହେଵାକୁ ପଡ଼ିବ। ସ୍ଥାନୀୟ କୃଷି ବଢ଼ିଵ,ଵୈଶ୍ଵିକ ଵ୍ୟାପାର କମିପାରେ,ଶକ୍ତି ସଞ୍ଚୟ ଓ ସରଳ ଜୀଵନ ଶୈଳୀ ଦରକାର ହେଵ ଏଵଂ ସମୁଦାୟ ଆଧାରିତ ଅର୍ଥନୀତି ବଢ଼ିପାରେ । ଲେଖକ Heinbergଙ୍କ ଭାଷାରେ Peak Oil ଏକ ସମ୍ପୂର୍ଣ୍ଣ ଧ୍ୱଂସର ଘଟଣା ନୁହେଁ, କିନ୍ତୁ ଏହା ମନୁଷ୍ୟ ସଭ୍ୟତାକୁ ବଡ଼ ପରିଵର୍ତ୍ତନର ଦିଗକୁ ନେଇଯାଇପାରେ।
ସେ ଜୋର ଦେଇ କହନ୍ତି ଯେ ମନୁଷ୍ୟ ସମାଜକୁ କମ୍ ଶକ୍ତି ଉପରେ ଆଧାରିତ ଏକ ସ୍ଥିର ଓ ସରଳ ଜୀବନ ଶୈଳୀ ଗଢ଼ିଵାକୁ ହେଵ।

ତେବେ Greerଙ୍କ The Long Descent ବହିରେ ଥିଵା “catabolic collapse” ଧାରଣାକିଛି ଗଵେଷକଙ୍କ ପାଇଁ ଆକର୍ଷଣୀୟ ହେଲେ ମଧ୍ୟ, ସମସ୍ତ ଵୈଜ୍ଞାନିକ ଏହା ସହିତ ସହମତ ନୁହନ୍ତି।

କିଛି ଶକ୍ତି-ଵିଶ୍ଳେଷକ କହନ୍ତି ଯେ Greer ଭଵିଷ୍ୟତର ନୂତନ ପ୍ରଯୁକ୍ତିକୁ କମ୍ ମହତ୍ତ୍ୱ ଦେଇଛନ୍ତି। ଉନ୍ନତ battery storage,
nuclear power ଓ advanced renewable systems ଇତ୍ୟାଦି ଶକ୍ତିଉତ୍ସଗୁଡ଼ିକ ଭଵିଷ୍ୟତରେ ଶକ୍ତି ସମସ୍ୟାକୁ କିଛି ଅଂଶରେ ସମାଧାନ କରିପାରେ ବୋଲି ସେମାନେ କହନ୍ତି।

ତାଛଡ଼ା ଇତିହାସରେ ମନୁଷ୍ୟ ସମାଜ ଅନେକଥର ଶକ୍ତି ଉତ୍ସ ବଦଳାଇଛି। ମଣିଷମାନେ କାଠ ଛାଡ଼ି କୋଇଲା ଜାଳିଲେ ପୁଣି କୋଇଲାରୁ ତେଲ ଓ ପ୍ରାକୃତିକ ଗ୍ୟାସ୍ ଆଡ଼କୁ ବି ଗଲେ । ଅଧୁନା
ମନୁଷ୍ୟମାନେ ତେଲରୁ ଵିଭିନ୍ନ ଶକ୍ତି ଉତ୍ସ ଆଡ଼କୁ ଅଗ୍ରସର ହେଉଛନ୍ତି । ସେହିପାଇଁ କିଛି ଵୈଜ୍ଞାନିକ ମତ ଦିଅନ୍ତି ଯେ ଏହା ଭଵିଷ୍ୟତରେ ମଧ୍ୟ ଘଟିପାରେ।

ସେହିପରି କିଛି ଐତିହାସିକ କହନ୍ତି ଯେ ସଭ୍ୟତାର ଅବନତି ସରଳ ମଡେଲ୍‌ରେ ବୁଝାଯାଏ ନାହିଁ।
ଉଦାହରଣ ସ୍ୱରୂପ John Michael Greer ତାଙ୍କ ବହିରେ Fall of the Western Roman Empireର ଉଲ୍ଲେଖ କରି ଲେଖିଥିଲେ ଯେ ଏହି ସାମ୍ରାଜ୍ୟର ପତନ ପରେ ଲୋକମାନେ ରୋମାନ୍ ସହର ଓ ଭବନ ଭାଙ୍ଗି ତାହାର ପଥର ଵ୍ୟଵହାର କରୁଥିଲେ। ଏହାକୁ ସେ catabolic collapseର ଉଦାହରଣ ଭାବେ ଦେଖନ୍ତି।

ତେବେ କେତେକ ଐତିହାସିକ କୁହନ୍ତି ଯେ ପଶ୍ଚିମ ରୋମାନ୍ ସାମ୍ରାଜ୍ୟର ପତନ ପରେ ମଧ୍ୟ
ଅନେକ ଅଞ୍ଚଳରେ ସଂସ୍କୃତି ଓ ଵ୍ୟାପାର ଚାଲିଥିଲା।
ଏହିକାରଣରୁ collapse ମଡେଲ୍ ସବୁ ସ୍ଥାନରେ ଏକା ପ୍ରକାରର ନୁହେଁ।

ସେହିପରି କିଛି ଅର୍ଥନୀତିଵିଦଙ୍କ ମତରେ ମନୁଷ୍ୟ ସମାଜ ଅତ୍ୟଧିକ adaptable ଵା ଅନୁକୂଳନଶୀଳ । ମଣିଷର ନୂଆ ସମାଧାନ ଖୋଜିଵାର କ୍ଷମତା ଅଧିକ । ତେଣୁ ସମାଜ ଧୀରେ ଧୀରେ ନୂଆ ପ୍ରଣାଳୀ ଗଢ଼ିପାରେ, ଯାହା Greerଙ୍କ ଅନୁମାନଠାରୁ ଅଧିକ ସ୍ଥିର ହୋଇପାରେ।

ଅତଃ Greerଙ୍କ “catabolic collapse” ଧାରଣା ଅନେକଙ୍କୁ ଆକର୍ଷିତ କରେ, କିନ୍ତୁ କିଛି ଵୈଜ୍ଞାନିକ କୁହନ୍ତି ଯେ ଭଵିଷ୍ୟତ ପ୍ରଯୁକ୍ତି,ମନୁଷ୍ୟର ସୃଜନଶୀଳତା ଓ ନୂଆ ଶକ୍ତି ଉତ୍ସ ଆଦି କାରଣରୁ ସଭ୍ୟତା ଅଵଶ୍ୟ collapse ହେଵ ବୋଲି ଧରିନେଵା ଠିକ୍ ନୁହେଁ।

ମୋଟ୍ ଉପରେ କହିଵାକୁ ଗଲେ ଜନ୍ ମାଇକେଲ୍ ଗ୍ରୀର୍ ଏବଂ ରିଚାର୍ଡ୍ ହାଇନ୍ବର୍ଗଙ୍କ ଧାରଣା ସ୍ପଷ୍ଟ କରେ ଯେ ପେଟ୍ରୋଲିୟମ୍ ଉତ୍ପାଦନର ଶୀର୍ଷ ସ୍ତର ପରେ ଆଧୁନିକ ଶିଳ୍ପ ସଭ୍ୟତା ହଠାତ୍ ଧ୍ୱଂସ ନୁହେଁ ଵରଂ ଏକ ଦୀର୍ଘ, ପର୍ଯ୍ୟାୟକ୍ରମିକ ଓ କ୍ୟାଟାବଲିକ୍ ଅଵନତିର ମାର୍ଗରେ ଅଗ୍ରସର ହେଵ। ପୁନର୍ନଵୀକରଣ ଶକ୍ତି ଯଦିଓ ଉପକାରୀ ହେଵ, ତଥାପି ଏହା ଜୀଵାଶ୍ମ ଇନ୍ଧନର ଉଚ୍ଚ ଶକ୍ତି ଘନତ୍ୱ ଓ ନିରନ୍ତରତାକୁ ପୂରଣ କରିପାରିଵ ନାହିଁ ଏଵଂ ସମାଜକୁ ଛୋଟ, ସ୍ଥାନୀୟ ତଥା କମ୍-ଶକ୍ତି ଆଧାରିତ ପ୍ରାକ୍-ଶିଳ୍ପ ଜୀଵନ ଆଡ଼କୁ ଲେଉଟାଇ ଦେଵ। ତେଣୁ ଭଵିଷ୍ୟତ ସରଳ, ସମୁଦାୟ ଆଧାରିତ ଓ ପ୍ରାକୃତିକ ସମ୍ପଦ ଉପରେ ନିର୍ଭରଶୀଳ ହେଵ ବୋଲି ଉଭୟ ଲେଖକ ଚେତାଵନୀ ଦେଇଛନ୍ତି। ଯଦିଓ କିଛି ଵୈଜ୍ଞାନିକ ଓ ଐତିହାସିକ ଏହି ମଡେଲ୍‌କୁ ନେଇ ପ୍ରଶ୍ନ କରନ୍ତି ଏଵଂ ନୂତନ ପ୍ରଯୁକ୍ତି, ମନୁଷ୍ୟର ଅନୁକୂଳନଶୀଳତା ଓ ଇତିହାସିକ ପରିଵର୍ତ୍ତନକୁ ଆଧାର କରି ଆଶାବାଦୀ ରହନ୍ତି, ତଥାପି ଏହି ଚର୍ଚ୍ଚା ଆମକୁ ଏକ ଗୁରୁତ୍ୱପୂର୍ଣ୍ଣ ସତ୍ୟ ଵିଷୟରେ ଭାବିଵାକୁ ବାଧ୍ୟ କରେ ଯେ ସୀମିତ ଶକ୍ତି ସମ୍ପଦ ଉପରେ ନିର୍ମିତ ସଭ୍ୟତା ଚିରସ୍ଥାୟୀ ନୁହେଁ। ତେଣୁ ଆଜିର ପ୍ରସ୍ତୁତି ଏଵଂ ସରଳ ଜୀଵନଶୈଳୀକୁ ଆପଣାଇଵା ହିଁ ଭଵିଷ୍ୟତର ସବୁଠାରୁ ବୁଦ୍ଧିମାନ୍ ପଥ ହୋଇପାରେ।

No comments:

Post a Comment

ଭଵିଷ୍ଯତରେ ଜୈଵ ଇନ୍ଧନର ଅଭାବ ହେଲେ ମଣିଷ କ’ଣ କରିବେ ?

The Long Descent ବହିରେ ଲେଖକ John Michael Greer ଲେଖିଛନ୍ତି ଯେ ଆଧୁନିକ ଶିଳ୍ପ ସଭ୍ୟତାର ମୂଳ ଶକ୍ତି fossil fuels, ଵିଶେଷ କରି petroleum (ତେଲ) ଉପରେ ନିର୍...