ଏକବିଂଶ ଶତାବ୍ଦୀର ଦ୍ଵିତୀୟ ଦଶକର ମଧ୍ୟଭାଗରେ ଜଣେ ଆଧୁନିକ ଯୁଗର ଚଷାପିଲା ଗାଆଁ ବିଲ ମଝିରେ ଥିଵା ଏକ ଝୁମ୍ପୁଡ଼ି ଭିତରେ ବସି ହନୁମାଙ୍କଡ଼,ହାତୀ,ବାର୍ହା ଓ ଗୋରୁଗାଈଙ୍କୁ ଜଗିଥାଏ ।
ବାହାରୁ ଶୀତଳ ପଵନ ବହୁଥିଲେ ବି, ମୋବାଇଲ୍ ସ୍କ୍ରିନରୁ ବାହାରୁଥିଵା ଶବ୍ଦଗୁଡ଼ିକ ବେଶ୍ ଉଷ୍ମ ଥିଲା। ବାହାରେ ଝିପିଝିପି ଵର୍ଷା ହେଉଥିଲା ସତେ ଯେମିତି କୌଣସି ଅକୁହା କଥାର ପୃଷ୍ଠଭୂମି ପ୍ରସ୍ତୁତ କରୁଥିଲା।
ସେପଟୁ ବନ୍ଧୁମିଳନ ଵା 'Reunion' ପାଇଁ ବାରମ୍ବାର ମେସେଜ୍ ଆସୁଥିଲା। ସେ ହସିଲା—ସେଇ ପୁରୁଣା ହସ, ଯେଉଁଥିରେ ଟିକେ ଵିଦ୍ରୂପ ଆଉ ଅନେକ ଅନୁଭୂତି ମିଶି ରହିଥିଲା। ଆଙ୍ଗୁଠି ଗୁଡ଼ିକ କିବୋର୍ଡ୍ ଉପରେ ନାଚି ଉଠିଲେ।
"ଆଳୁ ପୋଡ଼ା ପଖାଳ ଭାତ ଖାଇ ବଡ଼ ହୋଇଥିଵା ଛୁଆ ଭୋଜି ପଛରେ ବାୟା ହୁଅନ୍ତି ନାହିଁ । ଯିଏ ଦିନକୁ ପାଞ୍ଚ ଅଡ଼ା ଖାଏ, ସିଏ ସବୁବେଳେ ଭୋଜି ଭୋଜି କହି ବୁଲୁଥାଏ।"
ଏହା କେଵଳ ଶବ୍ଦ ନଥିଲା, ଏହା ଥିଲା ମାଟିର ବାସ୍ନା ଏଵଂ ଆତ୍ମସମ୍ମାନର ଏକ ଚିତ୍କାର। ଯିଏ ନିଜ ଗାଆଁର ମାଟି ଆଉ ପଖାଳ କଂସାର ସ୍ୱାଦ ଚାଖିଛି, ତା’ ପାଇଁ ଏହି କୃତ୍ରିମ ଭୋଜିର ଚାକଚକ୍ୟ ଫିକା।
ସେପଟୁ ଉତ୍ତର ଆସିଲା, "ଭାଇ ତୋର ମେଣ୍ଟାଲିଟି ସେମିତି, ହେଲା!"
ତା ଭିତରେ ଥିଵା ସତ୍ୟଵାଦୀ ମଣିଷଟି ଟିକେ ଉତ୍ତେଜିତ ହୋଇଗଲା। ସେ ଜାଣିଥିଲା ଏହି 'ମେଣ୍ଟାଲିଟି' ପଛର ପ୍ରକୃତ ଚେହେରା। ସେ ପୁଣି ଟାଇପ୍ କଲା:
"ଭୋଜି ପାଇଁ ଲକ୍ଷେ ଟଙ୍କା ସମସ୍ତଙ୍କଠାରୁ ଭେଦା ରୂପେ ସାଦି କରି ତହିଁରୁ ତିରିଶ ହଜାର ଭୋଜିରେ ସାରି ବାକି ଷାଠିଏ ହଜାର ଚଳୁ କରିଦେଉଥିବା ଓଡ଼ିଆ ଆମକୁ ମେଣ୍ଟାଲିଟି କ’ଣ ଶିଖେଇବେ? ଭୋଜି ନାଆଁରେ କିଭଳି ଭ୍ରଷ୍ଟାଚାର ଚାଲେ ମୋତେ ଭଲଭାବେ ଜଣା।"
ତା ଆଖି ଆଗରେ ନାଚି ଉଠିଲା ସେହି ଭୋଜିର ଦୃଶ୍ୟ। ସେଠି ଖାଇଵା ଅପେକ୍ଷା 'ଦେଖେଇ ହେଵା'ର ପ୍ରତିଯୋଗିତା ଅଧିକ। କିଏ କେଉଁ ଗାଡ଼ି ଚଢୁଛି, କାହାର ମାଇପ କେତେ ସୁନା ପିନ୍ଧିଛି, ପୁଅ କେଉଁ ସ୍କୁଲରେ ପଢୁଛି, ଏପରିକି ନିଜ କୁକୁର-ବିଲେଇଙ୍କୁ ନେଇ ବି ବଡ଼ପଣିଆ। ସମସ୍ତେ ସେଠି ଏକ ଏକ ମୁଖା ପିନ୍ଧି ବୁଲନ୍ତି।
ଶେଷରେ ସଂକ୍ଷିପ୍ତ ଉତ୍ତର ଆସିଲା,"ତୁ ଯାହା ବୁଝୁଛୁ ବୁଝୁଥା, ଓକେ।"
ସେ ଏକ ଦୀର୍ଘଶ୍ୱାସ ଛାଡ଼ିଲା । ହସଟା ଏଥର ଟିକେ ଗଭୀର ଥିଲା। ସେ ଶେଷଥର ପାଇଁ ଲେଖିଲା:
"ସବୁ ବୁଝିଛି! ଦୁନିଆଟା ଯେମିତି ଏକ ପଙ୍କମୟ ପୋଖରୀ। ସମସ୍ତେ ନିଜ ସ୍ୱାର୍ଥରେ ଵ୍ୟସ୍ତ। ଏହି Reunion ଵା ବନ୍ଧୁମିଳନ ତ କେଵଳ ଏକ ବାହାନା। ଅସଲ ଉଦ୍ଦେଶ୍ୟ ହେଉଛି ଭ୍ରଷ୍ଟାଚାରର ପଇସା ଲାଭ ଓ ମାନ-ପ୍ରତିଷ୍ଠାର ପ୍ରଦର୍ଶନ।"
ଏହାପରେ ସ୍କ୍ରିନଟା ଶାନ୍ତ ହୋଇଗଲା। ସେପଟୁ ଆଉ କୌଣସି ଶବ୍ଦ ଆସିଲାନି। ବୋଧହୁଏ ସେ ଯେଉଁ ତିକ୍ତ ସତ୍ୟ କହୁ କହୁ କହିଦେଲା ସେ କଥା ଆନ ଜଣକର ସୌଖୀନ ଦୁନିଆର ଆଇନାକୁ ଭାଙ୍ଗି ଚୁରମାର୍ କରିଦେଇଥିଲା।
ସେ ମୋବାଇଲଟା ରଖିଦେଲା। ବାହାରେ ଵର୍ଷା ଏବେ କମିଯାଇଥିଲା, କିନ୍ତୁ ତା ମନ ଭିତରେ ସେହି ପୁରୁଣା ପଖାଳ କଂସାର ତୃପ୍ତି ଖେଳିଯାଉଥିଲା। ଦୁନିଆ ଯେତେ ଦେଖେଇ ହେଉଥାଉ, ସେ ତା ନିଜର ପ୍ରକୃତ ପରିଚୟ ଓ ଅସ୍ତିତ୍ବରେ ହିଁ ଖୁସି।
No comments:
Post a Comment