My Blog List

Showing posts with label କନ୍ତିଓ. Show all posts
Showing posts with label କନ୍ତିଓ. Show all posts

Wednesday, July 15, 2026

ଵିଂଶ ଶତାବ୍ଦୀର ଶେଷ ସୁର ଏଵଂ ଏକଵିଂଶ ଶତାବ୍ଦୀର ପ୍ରତିଧ୍ୱନି

ମୋର ଜନ୍ମ ସମୟରେ ଵେତାର ଯୁଗ ଶେଷ ହେଉଥିଲାବେଳେ ଦୂରଦର୍ଶନର ଯୁଗ ଉଦୟ ହେଉଥାଏ । ମୋର ମନେ ଅଛି ଆମେ ଛୋଟ ଛୋଟ ପିଲା ନବେ ଦଶକର ଆରମ୍ଭରେ ବେତାର ପାଖରେ ବସି ଗୀତ ଶୁଣୁଥିଲୁ । ସେତେବେଳେ ଗାଆଁ ଗହଳିରେ ମାଇକ୍ ଵା ଡାକବାଜିର ବଡ଼ ପ୍ରଚଳନ ଥିଲା । ଲମ୍ବା ଲମ୍ବା ଫନେଲ୍ ଆକାରର ମାଇକ୍‌ରୁ ହିନ୍ଦୀ ଓଡ଼ିଆ ଗୀତ ବାଜୁଥିଲା। ଅଶି ନବେ ଦଶକର ଲୋକମାନେ ସେଥିରୁ ଗୀତ ନାଟକ ଶୁଣିଥିଲେ । ନବେ ଦଶକର ମଧ୍ୟଭାଗ ପର୍ଯ୍ୟନ୍ତ ଗାଆଁରେ କାହାର ଵିଵାହ ଇତ୍ୟାଦି ଶୁଭ ଅଵସର ସମୟରେ ଡାକବାଜି ଲାଗିଲେ ଦିପହରିଆ ନାଟକ, ଗୀତିନାଟ୍ୟ ବଜାଯାଉଥିଲା ଏଵଂ ବୁଢ଼ାବୁଢ଼ୀ ,ମଧ୍ୟଵୟସ୍କ ଓ ପିଲାମାନେ ଶୁଣୁଥିଲେ । ଖୁଦୁରୁକୁଣୀ ଓଷା ସମୟରେ ତଅପୋଈକଥା ମାଇକ୍ ଯୋଗେ ବାଜୁଥିଲା ଏଵଂ ସମସ୍ତେ ଧ୍ୟାନ ସହକାରେ ଶୁଣୁଥିଲେ । ଆଜି ଭଳି ସେତେବେଳେ ଏତେ ଟିଵି ନଥିଲା ତେଣୁ ଏହି ସବୁର ବଡ଼ ଆଦର ଥିଲା । ଯୁଵକମାନେ,ମଧ୍ୟଵୟସ୍କମାନେ ଖଣ୍ଡେ ଖଣ୍ଡେ ରେଡିଓ ଧରି ବୁଲୁଥିଲେ । ଗାଆଁରେ ବରଗଛ ମୂଳେ ହେଉ ଵା ମଣ୍ଡପ ଉପରେ ହେଉ ରେଡିଓଟିଏ ନିଶ୍ଚିତ ଭାବେ ରହୁଥିଲା ଏଵଂ ଲୋକେ ଚାରି ପାଖରେ ବସି ଶୁଣୁଥିଲେ । ମୁଁ ବହୁତ ଛୋଟ ଥିଵା ବେଳେ ଆମ ଘରେ ଏକ ରେଡିଓ ଥିଲା ଏଵଂ ତାହା ପ୍ରାୟ ୨୦୦୮ ପର୍ଯ୍ୟନ୍ତ ଏକରୁ ଦୁଇ ଦଶନ୍ଧି ଯାଏଁ ବଞ୍ଚି ରହିଥିଲା । ଆମେ ସେ ରେଡିଓରୁ କଟକ ଓ ଯୋରନ୍ଦା ବେତାରକେନ୍ଦ୍ରରୁ ନାଟକ,ଗୀତ ଓ ସମ୍ବାଦ ଶୁଣି ଶୁଣି ବଡ଼ ହେଉଥିଲାବେଳେ ବାପା ୧୯୯୫ରେ ଗୋଟିଏ କଳାଧଳା କୋଣାର୍କ ଟିଵି କିଣି ଆଣିଲେ । ସେଇଠୁ ଦୂରଦର୍ଶନ ଦେଖିଵାର ସୁଯୋଗ ମିଳିଲା । ମୋ ଜୀଵନରେ ପ୍ରଥମଥର ଟିଵି ମୁଁ ଆମ ଗାଆଁର ଶ୍ରୀନଵଵିଶ୍ଵାଳଙ୍କ ଘରେ ଦେଖିଥିଲି । ସେତେବେଳେ ନଵଵିଶ୍ଵାଳଙ୍କ ଘରକୁ ଟିଵି ଦେଖିଵାକୁ ଅନେକ ଲୋକେ ଆସୁଥିଲେ । ଆମ କନ୍ତିଓ ପୁଟସାହି ପଞ୍ଚାୟତର ନୂଆସାହିରେ ପ୍ରଥମେ ଟିଵି ଜଣେ ବଣିଆ ଘର ଆଣିଥିଲେ ବି ଆମ ନିଜ ସାହି ଭାଲିଆତୈଳା ସାହିରେ  ପ୍ରଥମେ ଶ୍ରୀନଵଵିଶ୍ଵାଳ ହିଁ ଟିଵି ଆଣିଥିଲେ ‌। ସେ ଟିଵିଟି ବଡ଼ ଆକାରର ଲମ୍ବା ପରଦାଯୁକ୍ତ କୋଣାର୍କ ଟିଵି ଥିଲା । ଢେଙ୍କାନାଳରେ ଆମ ମାମୁଘରେ ମଧ୍ୟ ଏହିପରି ଏକ କୋଣାର୍କ ଟିଵି ଥିଲା । ସେ ଯାହାହେଉ ଦୂରଦର୍ଶନ ସହିତ ପରିଚୟ ହେଲାରୁ ନୂଆ ନୂଆ କଥା ଜାଣିଵାକୁ ମିଳିଲା । ଗୀତ ଶୁଣୁଥିଲୁ ଏବେ ଦେଖି ବି ପାରିଲୁ । ପୂର୍ଵେ ଲୋକେ ଏକାଠି ହୋଇ ନାଚ ଦେଖୁଥିଲେ ,ଦୂରଦର୍ଶନ ଯନ୍ତ୍ର ଆଗମନ ପରେ ସେଇ ଆଦିମ ପରମ୍ପରାକୁ ପାଥେୟ କରି ଗାଆଁରେ ସାମୁହିକ ଚଳଚ୍ଚିତ୍ର ଦର୍ଶନ କଲେ । ଏହାକୁ ସେତେବେଳର ଲୋକେ ଭିଡିଓ ଵା ଭିଡ଼ୁଅ କହୁଥିଲେ । ଗାଆଁରେ କାହାର ଵିଵାହ ଇତ୍ୟାଦି ଶୁଭ କାର୍ଯ୍ୟ ଅଵସରରେ ଭିଡ଼ୁଅ କରିଵା ଏକ ପରମ୍ପରାରେ ପରିଣତ ହୋଇଯାଇଥିଲା । କେହି କେହି ପ୍ରତିପତ୍ତି ଦେଖାଇଵାକୁ ଦୁଇ ତିନି କିମ୍ବା ପାଞ୍ଚରାତି ପର୍ଯ୍ୟନ୍ତ ଭିଡ଼ୁଅ କରୁଥିଲେ । ସେତେବେଳେ ଟିଵି ଓ ଵିସିଆର କି ଵିସିପି ଭଡ଼ାରେ ଦିଆଯାଉଥିଲା । ନବେ ଦଶକ ଶେଷ ଆଡ଼କୁ ଏହା ଚରମ ସ୍ଥିତିରେ ପହଞ୍ଚିଥିଲା । ଲୋକମାନେ ଦୂରଦର୍ଶନର ରାମାୟଣ ଓ ମହାଭାରତ ସିରିଏଲକୁ ଟଙ୍କା ସାଦି ଆୟୋଜନ କରୁଥିଲେ । ସନ୍ଧ୍ୟା ସାତଟା ଆଠଟା ବେଳକୁ ଗାଆଁ ଯାକର ଲୋକେ ବସି ମହାଭାରତ-ରାମାୟଣ ଦେଖୁଥିଲେ । ତେବେ ଏହା ମଧ୍ୟରେ ମାତ୍ର ଗୋଟିଏରୁ ଦେଢ଼ ଦଶନ୍ଧି ଭିତରେ ଵିସିଆର୍,ଵିସିପି ଓ ଵିସିଡି ଯାଇ ସିଡି ଚାଲି ଆସିଲା ।  ଟେପ୍ ରେକଡ଼ର୍ କ୍ୟାସେଟର ସ୍ଥାନ ଚାହୁଁ ଚାହୁଁ ସିଡି ନେଇଗଲା । 


ଏଣେ ଟିଵି ଜଗତରେ ମଧ୍ୟ ଅଦ୍ଭୁତପୂର୍ଵ ପରିଵର୍ତ୍ତନ ଦେଖା ଦେଇଥିଲା । ନବେ ଦଶକରୁ ପ୍ରାଇଵେଟ୍ ଚ୍ୟାନେଲ୍ ଭାରତରେ ଥିଲେ ବି ଗାଆଁ ଗହଳିରେ ପ୍ରାଇଵେଟ୍ ଟିଵି ଚ୍ୟାନେଲ୍ ଦେଖିଵାର ଆରମ୍ଭ ଏକଵିଂଶ ଶତାବ୍ଦୀର ପ୍ରାରମ୍ଭିକ କାଳରେ ହୋଇଥିଲା । ଧିରେ ଧିରେ ଗାଆଁ ଗଣ୍ଡାରେ ଟିଵି ସଂଖ୍ୟା ବଢ଼ିଲା । ପଇସାବାଲା ଲୋକେ ରଙ୍ଗୀନ ଟିଵି କିଣିଲେ । ପ୍ରତିପତ୍ତି ଦେଖାଇଵାକୁ ପ୍ରତିଯୋଗିତାମୂଳକ ଭାବେ ବଡ଼ ବଡ଼ ଟିଵି କିଣାଗଲା । ଆମ କନ୍ତିଓ ଗାଆଁର ନୂଆସାହିର ଜଣେ ଦିଜଣ ପଇସାବାଲା ଲୋକ ସେତେବେଳେ ଫ୍ଲାଟ୍ ଟିଵି ମଧ୍ୟ କିଣିଥିଲେ । ଟିଵି ସଂଖ୍ୟା ବଢ଼ିଲାରୁ ଜଣେ ଛତା ଆଣ୍ଟିନା କିଣି ଆଣି ମାସିକ ଶୁକ୍ଳ ବଦଳରେ ପ୍ରାଇଵେଟ୍ ଚ୍ୟାନେଲ୍‌ର ସର୍ଵିସ୍ ଦେଲେ । ଆମର ମଧ୍ୟ କିଛି ଦିନ ପାଇଁ ସେହି ସେଵା ନେଇ ପରେ ବନ୍ଦ କରି ଦେଇଥିଲୁ । ଆମ ଘର ସମ୍ମୁଖରେ ହୁରୁଦା ଭାଇଙ୍କର ଘରେ ତଥାପି ପ୍ରାଇଵେଟ୍ ଚ୍ୟାନେଲ୍‌ର ସର୍ଵିସ୍ ଅନେକ ଦିନ ଯାଏଁ ଚାଲୁ ରହିଲା । ସେତେବେଳେ ଆମ କୋଣାର୍କ ଟିଵି ସହିତ ଏକ ବୁଷ୍ଟର୍ ଲାଗିଥିଲା ଯାହା ସେଇ ଚ୍ୟାନେଲ୍‌ଗୁଡ଼ିକୁ ଟାଣି ଆଣୁଥିଲା । ମୁଁ ଆମ ୟାଗି ଆଣ୍ଟିନାରେ ନିଜର ବୁଦ୍ଧିମତ୍ତା ଖଟାଇ ଅନେକ ସରଞ୍ଜାମ ଲଗାଇ ସେସବୁ ଚିତ୍ରକୁ ସ୍ପଷ୍ଟ କରିଵାର ଚେଷ୍ଟାରେ ଲାଗି ରହୁଥିଲି । ସ୍କୁଲ୍ ପରେ ପିଲା ଖେଳୁଥିଵାବେଳେ ମୋର ବାଡ଼ିରେ ଗଛ ଲଗାଇଵା ପରେ ତାହା ଆଉ ଏକ କାମ ଥିଲା । ଦୂରଦର୍ଶନ ଛଡ଼ା ଡିଡି ମେଟ୍ରୋର ଚିତ୍ର ସ୍ପଷ୍ଟ ପାଇଁ ମଧ୍ୟ ଏଭଳି କରୁଥିଲି । ୨୦୦୩ରେ କିନ୍ତୁ ତତ୍କାଳୀନ ସରକାରଙ୍କ ମୁଣ୍ଡରେ କି ଦୁର୍ବୁଦ୍ଧି ପସିଲା ଯେ ସେ ଡିଡି ମେଟ୍ରୋ ଯାଗାରେ ଡିଡି ନ୍ୟୁଜ୍ ଚ୍ୟାନେଲ୍‌ର ପ୍ରସାରଣ ଆରମ୍ଭ କରିଦେଲେ । ସେହି ସମୟରେ ମୁଁ ହାଇସ୍କୁଲରେ ପଢ଼ୁଥିଲି । ଏହା ମୋ ଭଳି ମନୋରଞ୍ଜନ ପ୍ରେମୀ କିଶୋର ପାଇଁ ଏକ ଶକ୍ତ ଧକ୍କା ଥିଲା । ତେବେ 

ସାଟେଲାଇଟ୍ ଟିଵି ଆସିଵାରୁ ସେହି କଷ୍ଟ କିଛି ଦିନ ଭିତରେ ଉଭେଇ ଗଲା । ଆମ ଗାଆଁ ଲୋକମାନେ ସେତେବେଳେ ସାଟେଲାଇଟ୍ ଟିଵିକୁ ଷ୍ଟାର୍ କହୁଥିଲେ କାରଣ ଷ୍ଟାର୍ କମ୍ପାନୀର ସାଟେଲାଇଟ୍ ଟିଵି ସର୍ଵିସ୍ ଆମ ଗାଆଁରେ ଆରମ୍ଭ ହୋଇଥିଲା । ତାପରେ କିଛି ଵର୍ଷ ମଧ୍ୟରେ ଦେଖାଗଲା ଯେ ଲୋକେ ନିଜର ଵ୍ୟକ୍ତିଗତ ସାଟେଲାଇଟ୍ ଟିଵି ଆଣ୍ଟିନା ଓ ସର୍ଵିସ୍ କିଣି ଘର ଛାତରେ ଲଗାଇଵାକୁ ଲାଗିଲେ । ୧୬ ଡିସେମ୍ବର ୨୦୦୪ ମସିହାରେ ଆନୁଷ୍ଠାନିକ ଭାବେ DD Dth ସେଵା ଆରମ୍ଭ ହୋଇଥିଲା। ଆମ ଗାଆଁର ଜଣେ ଦିଜଣ ଏହାକୁ କିଣି ଆଣି ଲଗାଇଥିଲେ । ତେବେ ସେଥିରେ କେଵଳ କିଛି ନିର୍ଦ୍ଦିଷ୍ଟ ଦୂରଦର୍ଶନ ଚ୍ୟାନେଲ୍,ଅଲ ଇଣ୍ଡିଆ ରେଡିଓ ଚ୍ୟାନେଲ୍ ଏଵଂ ଅଳ୍ପ କିଛି ବେସରକାରୀ ଟିଵି ଚ୍ୟାନେଲ୍ ଆସୁଥିଲା । ସେହି ସମୟରେ ଓଡ଼ିଶାରେ ଇଟିଵି ବଡ଼ ଲୋକପ୍ରିୟ ଥିଲା । ସେହି ଚ୍ୟାନେଲଟିକୁ ଦେଖିଵା ପାଇଁ ଲୋକମାନେ ନାନା ଉପାୟ ଅଵଲମ୍ବନ କରୁଥିଲେ । ଯାହା ଘରେ ସକାଳୁ ସଞ୍ଜଯାଏଁ ଇଟିଵି ଲାଗୁଥିଲା ତାଘରେ ସବୁବେଳେ ଭିଡ଼ ଜମୁଥିଲା । ଗାଆଁ ଲୋକମାନେ ଟିଵି ପଛରେ ଏତେ ପାଗଳ ସୋଇଯାଇଥିଲେ ଯେ ୨୦୦୫ରେ ଗାଆଁ ଟ୍ରାନ୍ସଫର୍ମର୍ ପୋଡ଼ି ପାଞ୍ଚମାସ କରେଣ୍ଟ ନରହିଵାରୁ ବଡ଼ ଵ୍ୟାକୁଳ ହୋଇ ପଡ଼ିଥିଲେ । ସେ ଦିନିଆ ଟିଵି ଦେଖିଵାକୁ ଲୋକେ ଇନଵର୍ଟର୍ କିଣି ତାକୁ ପଣ୍ଡୁଆ,ଅଁଳାବେରେଣି କିମ୍ବା ଢେଙ୍କାନାଳରେ ଚାର୍ଜକରି ଆଣି ଵ୍ୟଵହାର କରୁଥିଲେ । ଆମ ଘରେ ବି ସେତେବେଳେ ଏକ ଇନଵର୍ଟର୍ ଥିଲା । ସେଦିନିଆ କରେଣ୍ଟ ନଥିଵାବେଳେ କିଛି ମାସ ପାଇଁ ଲୋକମାନେ ପୁଣି ରେଡିଓ ଧରିଵା ଆରମ୍ଭ କରିଥିଲେ । ଗାଆଁରେ ସେଦିନିଆ ବିଜୁଳି ନଥିଵାବେଳେ ହିମେଶ୍ ରେଶମିଆଙ୍କର ଆଶିକ୍ ବନାୟା ଆପନେ ଚଳଚିତ୍ର ଗୀତ "ଏକ ବାର୍ ଆଜା ଆଜା" ଗୀତକୁ ବଜେଇ ଲୋକେ ଡରେଇ କହୁଥିଲେ ଦେଖ ଏ ଗୀତ ବଜେଇଲେ ଭୂତ ଆସିଵ । କିଛି ସରଳ ଵିଶ୍ଵାସୀ ଲୋକେ ଏହାକୁ ଵିଶ୍ଵାସ କରି ଡରି ବି ଯାଉଥିଲେ । ଚାରି ପାଞ୍ଚ ମାସ ପରେ ବହୁତ ଧାଆଁ ଦଉଡ଼ ଓ ଟଙ୍କା ସଞ୍ଚୟ କଲାରୁ କନ୍ତିଓ ପୁଟସାହି ଗ୍ରାମପଞ୍ଚାୟତରେ ପୁଣି ଟ୍ରାନ୍ସଫର୍ମର ଲାଗିଲା । ସେତେବେଳେ ପଞ୍ଚାୟତକୁ ଗୋଟିଏ ମାତ୍ର ଟ୍ରାନ୍ସଫର୍ ଦିଆଯାଇଥିଲା ଯାହା ପୁଟସାହିର ତଳସାହି ଓ ଗୋଡ଼ିସାହି ମଝିରେ ରାସ୍ତାର ଏକ ପାଖରେ ଧାନପେଶା କଳ ପାଖରେ ଲାଗିଥିଲା । ପରେ ପଞ୍ଚାୟତରେ ଅସୁଵିଧା ହେଵାରୁ ଅନେକ ଟ୍ରାନ୍ସଫର୍ମର୍ ଲାଗିଲା ।  ଏହି ସବୁ ଭିତରେ ଚାହୁଁ ଚାହୁଁ ୨୦୦୭ ଚାଲି ଆସିଲା । ପ୍ରଥମ ଥର ଗାଆଁରେ ଲୋକେ  ଟି20 ଵିଶ୍ଵକପ୍‌ର ସିଧାପ୍ରସାରଣ ଦେଖିଲେ । ମୋର ମନେ ଅଛି ଆମ ସାହି କୁନା ଛୋଟରାୟ ତାଙ୍କ ଵ୍ୟକ୍ତିଗତ ସାଟେଲାଇଟ୍ ଟିଵିକୁ ସେହି ଖେଳ ସମୟରେ ସମସ୍ତେ ଦେଖିଵା ପାଇଁ ଦାଣ୍ଡରେ ଲଗାଇ ଦେଉଥିଲେ । ଆମେ ସବୁ ଟି20 ମ୍ୟାଚ୍ ଏହିପରି ଭାବେ ଦେଖିଥିଲୁ ଏଵଂ ଫାଇନାଲ ଭାରତ ଜିତିଵା ପରେ ଗାଆଁ ଉତ୍ସଵମୁଖର ହୋଇ ଯାଇଥିଲା । ଟିଵି ଯୁଗ ନିଜର ଚରମ ସ୍ଥିତିରେ ପହଞ୍ଚିଲାବେଳକୁ ମୋବାଇଲ ଯୁଗର ଆରମ୍ଭ ହୋଇଯାଇଥିଲା । 


ଛୋଟବେଳେ ମୁଁ ଟେଲିଫୋନରେ କଥା ହେଵାକୁ ବଡ଼ ଲାଜ କରୁଥିଲି । ଆମ ଗାଆଁର ଜଣେ ଦିଜଣ ଲୋକେ ଵ୍ୟଵସାୟିକ ଟେଲିଫୋନ୍ ଆଣିଲେ । ତନ୍ମଧ୍ୟରେ ଗୋଟିଏ ଟେଲିଫୋନ୍ କନ୍ତିଓ ପୁଟସାହି ଗୋଠ ଆଗକୁ ଥିଵା ଧାନପେଶା କଳର ମାଲିକ ରଖିଥିଲେ । 

ନବେ ଦଶକରେ ଆମ ବବା(ବଡ଼ବାପା) ବାହାର ରାଜ୍ୟରୁ ଫୋନ୍ କଲାବେଳେ ମମା(ବଡ଼ମାଆ)ଙ୍କ ସହିତ କେତେଥର ଯାଇଛି । ହେଲେ ଲାଜରେ କଥା ହୋଇନାହିଁ । ପରେ ଆମ ଦୋକାନରେ ମଧ୍ୟ ଵ୍ୟଵସାୟିକ କଏନ୍ ଗଳା ଟେଲିଫୋନ ଆସିଵାରୁ ୟେ ଲଜ୍ଜାବୋଧ ଛାଡ଼ି ଯାଇଥିଲା ।


୨୦୦୦ ମସିହା ବେଳକୁ ବୋଧହୁଏ ନୋକିଆ ମୋବାଇଲ ଫୋନ୍ ସହିତ ପରିଚିତ ହୋଇଥିଲି । ସେଦିନିଆ ଅନେକ ଲୋକେ ନୋକିଆର ସାଦା ଫୋନ୍ କିଣି ଆଣିଥିଲେ । ଆମ ଗାଆଁର କାଳିଆ ପଣ୍ଡା ସେହିପରି ଏକ ଫୋନ୍ କିଣି ଆଣି ତହିଁରେ ସାପ ଖେଳ ଖେଳୁଥିଲେ । ଆଜି ଯେମିତି ଗାଆଁରେ ପିଲାଏ ଗେମ୍ ଖେଳ ଦେଖାଦେଖି ହେଉଛନ୍ତି ସେତେବେଳେ ଆମେ ବି ସାପ ଖେଳାଳିଙ୍କ ପାଖରେ ବସି ସେ ଖେଳକୁ ଦେଖୁଥିଲୁ । ୨୦୦୫ ବେଳକୁ ଚାଇନା ସ୍ମାର୍ଟ ଫୋନ ବି ବଜାରକୁ ଆସିଗଲା । ଢେଙ୍କାନାଳରେ ୨୦୦୬ ଵା ୨୦୦୭ ବେଳକୁ ସର୍ଵପ୍ରଥମେ touch mobile ଫୋନ୍ ଜଣେ ଵ୍ୟଵହାର କରୁଥିଵାର ଦେଖିଥିଲି । ସେତେବେଳେ ମୋବାଇଲ ଚଳାଇଵା ସାତ ସପନ ଥିଲା । ୨୦୦୭ରେ ଵ୍ରଜକିଶୋର ସାହୁ ଭାଇଙ୍କର ଗୋଟିଏ ନୋକିଆ ଫୋଲ୍ଡିଂ ଫୋନ୍ ଯୋଗେ ଏୟାରଟେଲ ନେଟୱର୍କ ଦ୍ଵାରା ସର୍ଵପ୍ରଥମେ ଇଣ୍ଟରନେଟ ଚଳାଇଵାର ସୁଯୋଗ ପାଇଥିଲି । ଏହି ସମୟ ବେଳକୁ ଭାରତରେ ଇଣ୍ଟରନେଟ ଓ ମୋବାଇଲ ଫୋନ୍‌ର ଯୁଗ ଆରମ୍ଭ ହୋଇଯାଇଥିଲା ‌। ପ୍ରଥମେ ମୋ ଜୀଵନରେ ଦୁଇଗୋଟି Second hand ମୋବାଇଲ କିଣିଥିଲି । ତନ୍ମଧ୍ୟରେ ଗୋଟିଏ ଚାଇନିଜ ସାଇମ୍ବିଆନ୍ ଫୋନ୍ ଥିଲା । ତାପରେ ୨୦୦୯ ମାର୍ଚ୍ଚ ମାସରେ ନୋକିଆ ୨୬୨୬ ମୋବାଇଲ କିଣିଲି । ସେଇ ୨୦୦୯ରେ ପ୍ରଥମ କରି ଫେସବୁକରେ ଆଇଡି କରିଥିଲି । ସେତେବେଳେ ଫେସବୁକରେ ଆଜି ଭଳି ୟେ ରାଜନୀତି,କଳିଝଗଡ଼ା ନଥିଲା । ଲୋକମାନେ ନୂଆ ନୂଆ ଇଣ୍ଟରନେଟ୍ ଵ୍ୟଵହାର କରୁଥିଲେ ତେଣୁ ବଡ଼ ମଜା ଲାଗୁଥିଲା । ସକାଳୁ ସକାଳୁ ଗୁଡ୍ ମର୍ନିଂ ଏଵଂ ରାତିରେ ଗୁଡ୍ ନାଇଟ୍ ଇତ୍ୟାଦି ସନ୍ଦେଶ ଓ ଉପସ୍ଥାପନା ବହୁତ ହେଉଥିଲା । ସେତେବେଳେ ଅଧିକାଂଶ ଶିକ୍ଷିତ ଓ ପଇସାବାଲା ଲୋକେ ହିଁ ଇଣ୍ଟରନେଟ ଚଳାଉଥିଲେ । ଫେସବୁକ ସାରା ଇଂରାଜୀ ଭାଷା ଓ ଲିପିର ଏକାଧିପତ୍ୟ ଥିଲା । ଵ୍ୟଵହାରକାରୀ କମ୍ ଥିଲେ କିନ୍ତୁ ଯେତିକି ଥିଲେ ଅଧିକାଂଶ ବୁଦ୍ଧିଜୀଵୀ ଥିଲେ । ୨୦୧୦ ବେଳକୁ ସ୍ଥିତି ଟିକିଏ ବଦଳିଲା । ଲୋକେ ଏଣିକି ଫେସବୁକର ଅପଵ୍ୟଵହାର କରିଵା ଆରମ୍ଭ କଲେ । କିଏ ଫେସବୁକରେ ପ୍ରେମ କଲା,କିଏ ଫେସବୁକରେ ଲୋକଙ୍କୁ ଠକିଲା ପୁଣି ଆଉ କିଏ ଫେସବୁକରେ ରାଜନୀତି କରିଵାକୁ ଲାଗିଲା । ସେହି ସମୟରେ ବୁଦ୍ଧିଜୀଵୀମାନେ ବି ନିଜର ପ୍ରତିଭା ଦେଖାଇଵାକୁ ପ୍ରଯତ୍ନ କଲେ ‌। ଭଲ ଉପକରଣର ଅଭାଵ,ଵିଡିଓ ତିଆରି ଶୈଳୀରେ ଅଜ୍ଞାନତା ଓ ଅପଲୋଡ୍ ପାଇଁ ଡାଟା କମ୍ ଥିଲା ତେଣୁ ବହୁତ କମ୍ ଲୋକ ଵିଡିଓ ଅପଲୋଡ୍ କରିପାରୁଥିଲେ । କିନ୍ତୁ କିଛି ଲୋକ କମ୍ପ୍ୟୁଟର ତଥା ଉନ୍ନତ ମୋବାଇଲରେ ଫୋଟୋ ତିଆରି କରି ସେଥିରେ ଓଡ଼ିଆ ହିନ୍ଦୀରେ ଲେଖା ଲେଖି ପୋଷ୍ଟ କରୁଥିଲେ । ୨୦୧୦ ପର୍ଯ୍ୟନ୍ତ ଆମ ଗାଆଁର ହାତଗଣତି ଦୁଇ ତିନି ଜଣ ହିଁ ଫେସବୁକରେ ଆଇଡି କରିଥିଲେ ‌ । ସେ ସମୟରେ ଅନେକଙ୍କ ପାଖରେ ଉନ୍ନତ ମୋବାଇଲ ନଥିଲା କି ଉନ୍ନତ ଡାଟା କନେକ୍ଟିବିଟି ନଥିଲା । 2G ମୋବାଇଲ ଯୋଗେ ଅନେକେ ଇଣ୍ଟରନେଟ ଵ୍ୟଵହାର କରୁଥିଲେ । ସେ ସମୟର 2g ଫୋନ୍‌ରେ ଵିଶେଷ କିଛି ସୁଵିଧା ନଥିଲା । ତଥାପି ଇଣ୍ଟରନେଟ୍ ଭଲ ଚାଲୁଥିଲା । କେଵଳ ବଡ଼ ଫାଇଲ୍ ଡାଉନଲୋଡ ଓ ଅପଲୋଡ୍ କ୍ଷେତ୍ରରେ ସମୟ ଲାଗୁଥିଲା । ଅନେକ ଫୋନ୍‌ରେ ଓଡ଼ିଆ ଲେଖିଵାର ସୁଵିଧା ନଥିଲା । ନୋକିଆ ଭଳି କିଛି ଫୋନ୍ ଓଡ଼ିଶାରେ କିଣିଲେ ହିଁ ଓଡ଼ିଆ ଭାଷା ଲେଖିଵାର ସୁଵିଧା ମିଳୁଥିଲା । ଅନ୍ୟ ରାଜ୍ୟରେ ଫୋନ୍ କିଣୁଥିଵାରୁ ମୁଁ ଅନେକ ଵର୍ଷ ଯାଏଁ ପୂର୍ଣ୍ଣତଃ ଓଡ଼ିଆ ଲିପିରେ ଲେଖିଵାର ସୁଯୋଗ ପାଇନଥିଲି । ତଥାପି Panini keypad ଵ୍ୟଵହାର କରି ତା ବଳରେ ଆମେ ବଡ଼ କଷ୍ଟରେ ଓଡ଼ିଆ ଲେଖୁଥିଲୁ । ୨୦୦୭ରୁ ୨୦୧୫ ମଧ୍ୟରେ ଗୁଗଲ୍ ବ୍ଲଗ୍ ଓ ୱାର୍ଡ୍‌ପ୍ରେସ୍ ବ୍ଲଗର ବଡ଼ ପ୍ରଭାଵ ଥିଲା । ଅନେକ ଜ୍ଞାନୀ ଵିଦ୍ଵାନ ଵ୍ୟକ୍ତି ବ୍ଲଗ୍ ଜଗତରେ ସକ୍ରିୟ ଥିଲେ । ସେତେବେଳେ ହଜାର ହଜାର ହିନ୍ଦୀ, ଗୁଜରାଟୀ ଓ ଇଂରାଜୀ ବ୍ଲଗ୍ ପଢ଼ିଵାର ସୁଯୋଗ ମିଳିଥିଲା । ଧିରେ ଧିରେ ଅନେକ ହିନ୍ଦୀ ୱେବସାଇଟ୍ ଖୋଲିଵାକୁ ଲାଗିଲା । ଫଳତଃ ଅନେକ ହିନ୍ଦୀ ସାହିତ୍ୟ ପଢ଼ିଵାର ସୁଯୋଗ ମିଳିଲା । ସେହି ସମୟରେ ହାତଗଣତି ଓଡ଼ିଆ ୱେବସାଇଟ୍ ଥିଲା ‌। କିନ୍ତୁ ୨୦୧୨ ବେଳକୁ ଓଡ଼ିଆଙ୍କ ସଂଖ୍ୟା ଫେସବୁକରେ ବଢ଼ିଵାକୁ ଲାଗିଲା । କ୍ରମେ ରାଜନୈତିକ ଦଳଗୁଡ଼ିକ ନିଜ ନିଜର ପ୍ରତିପତ୍ତି ଓ ପ୍ରଚାର ପାଇଁ ସୋସିଆଲ ମିଡିଆକୁ ଵ୍ୟଵହାର କରିଵାକୁ ଲାଗିଲେ । ଏ କ୍ଷେତ୍ରରେ ବିଜେପି ସର୍ଵାଗ୍ରେ ଥିଲା । ସେହି ସମୟରେ ଶ୍ରୀ ନରେନ୍ଦ୍ର ଦାମୋଦର ମୋଦିଙ୍କ ସପକ୍ଷରେ ଅନେକ ପୋଷ୍ଟ ହେଉଥିଲା । ମୋବାଇଲ କିପାଡ୍‌ରେ ଭାରତୀୟ ଲିପି ଓ ଭାଷାଗୁଡ଼ିକ ସ୍ଥାନ ପାଇଵାରୁ ଲୋକେ ନିଜ ନିଜର ଭାଷାରେ ଲେଖିଵାକୁ ଲାଗିଲେ । ୨୦୧୨ରୁ ୨୦୧୬ ମଧ୍ୟରେ 3G ସେଵା ବି ଆରମ୍ଭ ହୋଇଥିଲା ତେଣୁ ପୂର୍ଵାପେକ୍ଷା ଇଣ୍ଟରନେଟର ଵ୍ୟଵହାର ବଢ଼ିଯାଇଥିଲା । ମୋବାଇଲ ଫୋନ ମଧ୍ୟ ପୂର୍ଵାପେକ୍ଷା ସହଜରେ ଉପଲବ୍ଧ ହେଲା ଫଳତଃ ଅନେକ ନୂଆ ନୂଆ ଲୋକ ସାମାଜିକ ଗଣମାଧ୍ୟମଗୁଡି଼କରେ ସକ୍ରିୟ ହେଲେ । ୧୦୧୩ରେ ମୁଁ ଏକ ସାମସଙ୍ଗ୍ ମୋବାଇଲ୍ କିଣିଵାରୁ ଓଡ଼ିଆ ଲିପିରେ ଲେଖିଵା ଆରମ୍ଭ କଲି ଏଵଂ ସେହି ସମୟରେ "କନ୍ତିଓଟୋକା" ବ୍ଲଗ୍ ଆରମ୍ଭ କରିଥିଲି ଯାହା ପରେ "କନ୍ତିଓକଥା" ରୂପେ ନାମିତ ହୋଇଅଛି । ଏହାପରେ ସବୁକିଛି ବଦଳିଵାକୁ ଲାଗିଲା । ଶ୍ରୀମୋଦି ଦେଶର ପ୍ରଧାନମନ୍ତ୍ରୀ ହେଲେ ଏଵଂ ଚାହୁଁ ଚାହୁଁ ଦୁଇ ଵର୍ଷ ମଧ୍ୟରେ ୫ ସେପ୍ଟେମ୍ବର ୨୦୧୬ରେ  Reliance Jio ମାଗଣା ଵଏସ୍ କଲ୍ ଏଵଂ ଅତି ଶସ୍ତାରେ ହାଇ-ସ୍ପିଡ୍ ଡାଟା ସହିତ ଏହାର ଵ୍ୟାଵସାୟିକ ୪ଜି ସେବା ଲଞ୍ଚ୍ କଲା, ତାହା ପରେ ସାରା ଦେଶରେ ପ୍ରକୃତ '୪ଜି ଡିଜିଟାଲ୍ କ୍ରାନ୍ତି' ଆସିଥିଲା। କିନ୍ତୁ ମୁଁ ୨୦୧୮ ପର୍ଯ୍ୟନ୍ତ ଜିଓର ସେଵା ନେଇ ନଥିଲି । ମୋ ପାଖରେ ୮୧୨ ସଂଖ୍ୟାରୁ ଆରମ୍ଭ ହେଉଥିଵା ଏକ ଏଆରଟେଲ୍ ନମ୍ବର ୨୦୦୮ରୁ ଥିଲା ତେଣୁ ମୁଁ ସେଥିରେ ହିଁ ଇଣ୍ଟରନେଟ ଚଳାଉଥିଲି । ମଝିରେ ମଝିରେ ୟୁନିନୋର୍,ଡୋକୋମୋ,ଆଇଡିଆ,ଵୋଡାଫୋନ୍,ବିଏସଏନଏଲ୍  ଓ ବିପିଏଲ୍ ଆଦି ସୀମ୍ ନେଇଥିଲି କିନ୍ତୁ ମୋ ପାଖରେ ଏଆଇରଟେଲ୍ ସୀମ୍ ସବୁବେଳେ ରହିଥିଲା । ତାପରେ ୨୦୧୮ରେ ମୋବାଇଲ ଚୋରୀ ହେଵା ପରେ ଯୋଉ ଜିଓ ସୀମ୍ ନେଲି ତାହା ଆଜି ବି ମୋ ପାଖରେ ଅଛି । ୨୦୧୩ରୁ ୨୦୨୬ ମଧ୍ୟରେ ୧୩ ଵର୍ଷ ହୋଇଗଲାଣି । ଏହି ତେର ଵର୍ଷରେ କିଏ କିଏ ଦୁଇଟା ଚାରିଟା ଲେଖାଏଁ ଛୁଆ ବେଇ ଦେଲେଣି,କାହାର କାହାର ସ୍ତ୍ରୀ ମଲାରୁ ଦ୍ଵିତୀୟ ହୋଇଗଲେଣି । ଅନେକ ଚିହ୍ନା ଜଣା ଲୋକ ମରି ହଜି ଗଲେଣି  । ଅନେକ ମେଞ୍ଚଡ଼ ମେଞ୍ଚଡ଼ ଛୁଆ ବଡ଼ ହୋଇ ଆଜି ବାହା ହୋଇ ଛୁଆ ବି କରି ଦେଲେଣି । ଆଉ ମୁଁ କ'ଣ କରିଛି ? ମେଞ୍ଚେ ବହି ପଢ଼ିଵା,ଗୁଡ଼ାଏ ଲେଖା ଲେଖିଵା,ସାତ ଆଠୋଟି ବ୍ଲଗ ତିଆରି କରିଵା ଛଡ଼ା ମୋର ଯୋଗଦାନ କ'ଣ ଏ ସମାଜ ପାଇଁ ? ମୁଁ ବି ଦିନେ ମରି ହଜି ଯିବି । ଆମ ସମସ୍ତଙ୍କୁ ଦିନେ ନା ଦିନେ ମରିଵାକୁ ହିଁ ହେଵ ଏଵଂ ଏହା ହିଁ ଏକମାତ୍ର ସତ୍ୟ । ସମୟ ସ୍ରୋତରେ ବହୁତ ଦରଵ ଆସିଛି ଏଵଂ ଚାଲି ଯାଇଛି ଯେମିତି  ନଦୀରେ ଜଳ ପ୍ରଵାହିତ ହୋଇଯାଏ । ଏଇ ଜୀଵନର କ୍ଷୁଦ୍ର ଜଳତରଙ୍ଗ ବି ଦିନେ ମହାକାଳର ସେହି ଅନନ୍ତ ପ୍ରଵାହରେ ନିଜକୁ ସମର୍ପି ଦେଵ। ପଛରେ ରହିଯିଵ କେଵଳ ସମୟର ବାଲୁକା ଶଯ୍ୟାରେ ଆଙ୍କି ହୋଇଥିଵା କିଛି ଶୀର୍ଣ୍ଣ ପାଦଚିହ୍ନ, ଅତୀତର ଝରକା କୋଣରେ ଝୁଲୁଥିଵା କିଛି ସୁନ୍ଦର ମୁହୂର୍ତ୍ତର ଜଳଛବି, ଆଉ ପଵନର ଶୀତଳ ସ୍ପର୍ଶରେ ଝଙ୍କୃତ ହେଉଥିଵା ଆମ ଅସ୍ତିତ୍ୱର କିଛି ଅକୁହା ଶବ୍ଦ। ମହାଶୂନ୍ୟର ଏହି ଵିଶାଳ ନୀରଵତା ଭିତରେ, ଆମେ ହସିଥିଵା ଓ ବଞ୍ଚିଥିଵା ସେହି ପ୍ରତିଟି ସ୍ପନ୍ଦନ ହିଁ ହୋଇ ରହିବ ଆମ ସ୍ମୃତିର ଏକମାତ୍ର ଧୂପଶିଖା ! 


Monday, August 4, 2025

ଭାରତରେ ଗୃଧ୍ର ସଂଖ୍ୟା କାହିଁକି ଲୋପ ପାଇଵାକୁ ବସିଥିଲା ?

ମୁଁ ଯେତେବେଳେ ଛୋଟ ପିଲାଟିଏ ଥିଲି ସେତେବେଳେ ହଠାତ୍ ଗାଆଁରେ ଵିଶେଷତଃ ଆମ କନ୍ତିଓ ଭାଲିଆତୈଳା ସାହିରେ ଅନେକ କୁକୁର ମରି ଯାଇଥିଲେ । ସେଦିନ ସକାଳୁ ଉଠି ଲୋକେ ଦେଖିଲେ ଅନେକଙ୍କ ଦାଣ୍ଡରେ ବାରିରେ ଗୁଡ଼ାଏ କୁକୁର ମରି ଶୋଇଛନ୍ତି । ଏତେ କୁକୁର ଏକାସାଙ୍ଗରେ କାହିଁକି ମଲେ ସେକଥା କେହି ଵିଚାର କଲେ ନାହିଁ ଅଗତ୍ୟା ଭୀଷଣ କଳିଗୋଳ ଲାଗିଗଲା । ଯିଏ ଯାହାକୁ ସନ୍ଦେହ କଲା ସମ୍ପିଲା । ସେଦିନିଆ ଜଣକର ସଙ୍ଖୀ ବିଲେଇକୁ କୁକୁରମାନେ ମାରିଦେଇଥିଲେ ତେଣୁ ଲୋକେ ତାକୁ ସନ୍ଦେହ କଲେ । ଆଉ ଜଣେ କୁକୁର ବିଲେଇଙ୍କୁ ଦେଖିଲେ ତଡ଼ି ତଡ଼ି ପିଟେ ବୋଲି ତାକୁ ବି ସନ୍ଦେହ କଲେ । ଜଣେ ତିର୍ଲା ଥରେ ଗୋଟାଏ କୁକୁର ଉପରେ ଫୁଟିଆଣି ଛାଟି ଦେଇଥିଵାରୁ ଲୋକେ ତାକୁ ବି ସନ୍ଦେହ କଲେ । କିଛି ଲୋକେ ସେସମୟର କିଶୋର ଓ ଯୁଵକମାନଙ୍କୁ ବି ସନ୍ଦେହ କଲେ । ମୋର ଠିକ୍ ମନେ ନାହିଁ ତେବେ କେହି ଜଣେ କହୁଥିଵାର ଶୁଣିଛି ଯେ ପିଲାଏ କୁଆଡ଼େ ଗୁଲୁଗୁଲା ଵା ତାଳଗୁଲୁଗୁଲାରେ ଵିଷ ମିଶାଇ କୁକୁରଙ୍କୁ ଖାଇଵାକୁ ଦେଇଥିଲେ ସେଥିଯୋଗୁଁ ଅନେକ କୁକୁର ମରି ଯାଇଥିଲେ । ଏମିତି ସନ୍ଦେହର କୁହୁଡ଼ି ପହଁରା ଓ ଭୀଷଣ କଟା ସମ୍ପା ଭିତରେ ସେଦିନଟା ଭାରି ଉତ୍ପାତରେ ବିତିଗଲା । Canine Distemper ଓ Canine Parvovirus ଭଳି ରୋଗ ସଂକ୍ରମଣ ଯୋଗୁଁ ଏକ ସମୟରେ ଅନେକ କୁକୁର ମରି ପାରନ୍ତି ତେବେ ଅନେକେ ସନ୍ଦେହ କଲେ ଯେ ହୁଏତ କେହି କୁକୁରଙ୍କୁ ମାରି ଦେଵାକୁ ଵିଷକ୍ରିୟା ପ୍ରୟୋଗ କରିଛି । 

 ତେବେ ସେଦିନ ଆଉ ଗୋଟିଏ ଘଟଣା ଘଟିଲା । ସରପଞ୍ଚ ଓ ଗାଆଁର ମୁଖ୍ୟ ମୁଖ୍ୟ ଲୋକେ ଵିଚାର ଆଲୋଚନା କରି କନ୍ତିଓ କଟା ପାଖ ଆମ୍ବତୋଟାର ଦକ୍ଷିଣକୁ ଗୋଟିଏ ବଡ଼ ଖାତ ଖୋଳି ମରି ଯାଇଥିଵା କୁକୁରଙ୍କୁ ପୋତିଵାର ଵ୍ୟଵସ୍ଥା କଲେ । ସେତେବେଳେ ଗାଆଁର ଲୋକେ ସହରଵାସୀଙ୍କ ପରି ହୁଏତ ସେତେ ଶିକ୍ଷିତ ନଥିଲେ କିନ୍ତୁ ସେମାନଙ୍କ ମଧ୍ୟରେ ବୁଦ୍ଧି ଵିଚାରର ଅଭାଵ ନଥିଲା । ସେମାନେ ଵିଷଖାଇ କିମ୍ବା ସଂକ୍ରମଣ କାରଣରୁ ମରିଥିଵା କୁକୁରଙ୍କ ଶଵକୁ କାଉ,ଶାଗୁଣା,ଚିଲ ଓ ଗୃଧ୍ର ଵା ଗିର୍‌ଧ ଖାଇ ନମରନ୍ତୁ ସେଥିପାଇଁ ତାହାକୁ ପୋତି ଦେଇଥିଲେ । 

କିନ୍ତୁ ଏହାର ପରେ ପରେ ଏମିତି ଏକ ଵିଷ ଗାଆଁ ଗଣ୍ଡାରେ ଵ୍ୟାପିଗଲା ଯୋଉଥିପାଇଁ ଗୃଧ୍ରମାନଙ୍କ ସଂଖ୍ୟା ସାରା ଭାରତରୁ ଲୋପ ପାଇଵାକୁ ବସିଥିଲା । ଗାଆଁରେ ସିନା ଲୋକେ ଅନେକ କୁକୁରଙ୍କ ଶଵ ଦେଖି ହଠାତ୍ ଏହାର ପ୍ରତିକାର କରିଦେଲେ ହେଲେ ମନୁଷ୍ୟ ଗୃହଠାରୁ ଦୂରରେ ରହୁଥିଵା ଓ ମଲା ଜୀଵର ମାଂସ ଖାଇ ବଞ୍ଚୁଥିଵା ଗୃଧ୍ରମାନଙ୍କର ସାମୁହିକ ମୃତ୍ୟୁ ଵିଷୟରେ ସେମାନଙ୍କୁ ଵିଶେଷ କିଛି ଜଣାନଥିଲା । ଗାଆଁ ଲୋକେ ଅଜାଣତରେ ଗୃଧ୍ରମାନଙ୍କର ବଂଶ ନାଶ କରୁଥିଲେ ବି ତାହା ଜାଣିପାରୁନଥିଲେ।
ଭାରତରେ ଗୃଧ୍ରସଂଖ୍ୟାର ହ୍ରାସ ୧୯୯୦ ଦଶକରେ ଆରମ୍ଭ ହୋଇଥିଲା। ଏହି ସମୟରେ, ଭାରତ, ପାକିସ୍ତାନ ଓ ନେପାଳରେ ଗୃଧ୍ରର ସଂଖ୍ୟା ୯୦%ରୁ ଅଧିକ ହ୍ରାସ ପାଇଥିଲା। ଭାରତରେ ମୁଖ୍ୟତଃ ନଅ ଜାତିର ଗୃଧ୍ରଙ୍କ ମଧ୍ୟରେ ତିନି ଜାତିର ଗୃଧ୍ର—Gyps bengalensis,Gyps tenuirostris ଓ Gyps indicus ଗମ୍ଭୀର ଭାବେ ପ୍ରଭାଵିତ ହୋଇଥିଲେ। ୧୯୮୦ ଦଶକରେ ଭାରତରେ ଲକ୍ଷ ଲକ୍ଷ ଗୃଧ୍ର ଥିଵା ବେଳେ, ୨୦୦୦ ଦଶକ ଆରମ୍ଭ ସୁଦ୍ଧା ଏମାନଙ୍କର ସଂଖ୍ୟା କିଛି ହଜାରକୁ ଖସି ଆସିଥିଲା। ଏହି ହ୍ରାସ ଏତେ ଦ୍ରୁତ ଏଵଂ ଵିପଜ୍ଜନକ ଥିଲା ଯେ ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ (IUCN) ଏହି ପକ୍ଷୀଜାତିଗୁଡିକୁ "ଗମ୍ଭୀର ଵିପଦଗ୍ରସ୍ତ" (Critically Endangered) ଶ୍ରେଣୀରେ ରଖିଥିଲା ।‌

ଦକ୍ଷିଣ ଏସିଆରେ ଗୃଧ୍ର ଲୋପର ମୁଖ୍ୟ କାରଣ ଥିଲା ଡାଇକ୍ଲୋଫେନାକ ନାମକ ଏକ ଅଣ-ଷ୍ଟେରଏଡ଼ ଆଣ୍ଟି-ଇନଫ୍ଲାମେଟୋରୀ ଔଷଧ (NSAID) ଯାହା ଗାଈ ଓ ଅନ୍ୟ ପଶୁମାନଙ୍କୁ ଯନ୍ତ୍ରଣା ଓ ପ୍ରଦାହ ଚିକିତ୍ସା ପାଇଁ ଦିଆଯାଉଥିଲା। ୧୯୯୦ ଦଶକରେ, ଡାଇକ୍ଲୋଫେନାକ୍ ଭାରତରେ ପଶୁମାନଙ୍କ ପାଇଁ ଏକ ଜନପ୍ରିୟ ଔଷଧ ହୋଇଥିଲା କାରଣ ଏହା ଶସ୍ତା ଓ ଅତ୍ୟନ୍ତ ପ୍ରଭାଵଶାଳୀ ଥିଲା। କିନ୍ତୁ, ଏହାର ପ୍ରଭାଵ ଗୃଧ୍ରମାନଙ୍କ ପାଇଁ ମାରାତ୍ମକ ପ୍ରମାଣିତ ହୋଇଥିଲା।

ଅନେକ ସମୟରେ ଡାଇକ୍ଲୋଫେନାକ ଦିଆଯାଇଥିଵା ପଶୁ ଵିଶେଷତଃ ଗାଈ ମରି ଯାଉଥିଲେ । ଲୋକେ ସେ ରୋଗଗ୍ରସ୍ତ ଗାଈକୁ ମରାଖଣ୍ଡିରେ ପକେଇ ଦେଉଥିଲେ । ଗୃଧ୍ରମାନେ ସେହି ଗାଈର ମାଂସ ଖାଇଵା ଯୋଗୁଁ ସେମାନଙ୍କ ଶରୀରରେ ଏହି ଔଷଧର ଅଵଶେଷ ପ୍ରବେଶ କଲା। ଗଵେଷଣାରୁ ଜଣାପଡି଼ଛି ଯେ ଡାଇକ୍ଲୋଫେନାକ ଗୃଧ୍ରମାନଙ୍କର ବୃକକ (Kidney) ଉପରେ ମାରାତ୍ମକ ପ୍ରଭାବ ପକାଇଥାଏ, ଯାହା ବୃକକ ଵିଫଳତା ଵା Renal Failure ଓ ମୃତ୍ୟୁର କାରଣ ହୋଇଥାଏ। ଏକ ଗଵେଷଣା ଅନୁସାରେ, ମାତ୍ର ୦.୧-୦.୮% ମୃତ ପଶୁମାନଙ୍କ ଶରୀରରେ ଡାଇକ୍ଲୋଫେନାକର ଉପସ୍ଥିତି ଗୃଧ୍ରସଂଖ୍ୟା ଏତେ ବଡ଼ ହ୍ରାସ ପାଇଁ ଯଥେଷ୍ଟ ଥିଲା।

ସହରୀକରଣ, ଜଙ୍ଗଲ ନିର୍ମୂଳନ ଏଵଂ କୃଷି ବ
ଵିସ୍ତାର ଯୋଗୁଁ ମଧ୍ୟ ଗୃଧ୍ରମାନଙ୍କର ଆଵାସ ସ୍ଥଳ ନଷ୍ଟ ହୋଇଛି। ଏମାନଙ୍କର ବସା ବାନ୍ଧିଵା ଓ ଖାଦ୍ୟ ଖୋଜିଵା ପାଇଁ ଉପଯୁକ୍ତ ସ୍ଥାନ କମିଯାଇଛି। ଆଧୁନିକ ପଶୁପାଳନ ପଦ୍ଧତି ଓ ମୃତ ପଶୁମାନଙ୍କୁ ଦାହ କିମ୍ବା ପୋତି ଦେଵାର ପ୍ରଚଳନ ଯୋଗୁଁ ଗୃଧ୍ରମାନଙ୍କ ପାଇଁ ଖାଦ୍ୟର ଉପଲବ୍ଧତା ହ୍ରାସ ପାଇଛି।ଡାଇକ୍ଲୋଫେନାକ ଵ୍ୟତୀତ ଅନ୍ୟ କୀଟନାଶକ ଓ ରାସାୟନିକ ପଦାର୍ଥ ମଧ୍ୟ ଗୃଧ୍ରମାନଙ୍କ ଉପରେ ପ୍ରଭାବ ପକାଇଛି। କୃଷି କ୍ଷେତ୍ରରେ ଵ୍ୟଵହୃତ କୀଟନାଶକ ଖାଦ୍ୟ ଶୃଙ୍ଖଳା ମାଧ୍ୟମରେ ଗୃଧ୍ରମାନଙ୍କ ଶରୀରରେ ପ୍ରଵେଶ କରେ। ଗୃଧ୍ରମାନଙ୍କର ଗୁରୁତ୍ୱ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତାର ଅଭାବ ମଧ୍ୟ ଏହି ସମସ୍ୟାକୁ ବଢ଼ାଇଛି।

ଗୃଧ୍ର ଲୋପର ଗମ୍ଭୀରତାକୁ ଦେଖି ଭାରତ ସରକାର ଏବଂ ଵିଭିନ୍ନ ସଂଗଠନ ଏହାର ସଂରକ୍ଷଣ ପାଇଁ ନାନା ପଦକ୍ଷେପ ଗ୍ରହଣ କରିଛନ୍ତି। ୨୦୦୬ ମସିହାରେ, ଭାରତ ସରକାର ପଶୁମାନଙ୍କ ପାଇଁ ଡାଇକ୍ଲୋଫେନାକର ଵ୍ୟଵହାର ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହା ବଦଳରେ, ମେଲୋକ୍ସିକାମ (Meloxicam) ନାମକ ଏକ ଵିକଳ୍ପ ଔଷଧକୁ ପ୍ରୋତ୍ସାହନ ଦିଆଯାଇଥିଲା, ଯାହା ଗୃଧ୍ରମାନଙ୍କ ପାଇଁ ନିରାପଦ ବୋଲି ପ୍ରମାଣିତ ହୋଇଥିଲା।

ଏହା ସହିତ, ଗୃଧ୍ର ସଂରକ୍ଷଣ ପାଇଁ ଵିଭିନ୍ନ ପ୍ରଜନନ କେନ୍ଦ୍ର (Vulture Breeding Centers) ସ୍ଥାପନ କରାଯାଇଛି। ହରିୟାଣା, ପଶ୍ଚିମବଙ୍ଗ, ଓ ଅସମରେ ଏଭଳି କେନ୍ଦ୍ରଗୁଡିକ ଗୃଧମାନଙ୍କୁ ପ୍ରଜନନ କରାଇ ପୁନଃ ପ୍ରକୃତିକୁ ଛାଡ଼ିଵାର କାର୍ଯ୍ୟ କରୁଛନ୍ତି। ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରି ସୋସାଇଟି (BNHS) ଏଵଂ ଅନ୍ୟାନ୍ୟ ସଂଗଠନ ଏହି କାର୍ଯ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଵା ପାଇଁ ମଧ୍ୟ ଵିଭିନ୍ନ ଅଭିଯାନ ଚାଲିଛି। ଗୃଧ୍ରମାନଙ୍କର ଗୁରୁତ୍ୱ ଓ ଏମାନଙ୍କ ସଂରକ୍ଷଣ ଆଵଶ୍ୟକତା ସମ୍ପର୍କରେ ଲୋକମାନଙ୍କୁ ଶିକ୍ଷିତ କରାଯାଉଛି।

୧୯୮୦ ଦଶକରେ ଭାରତରେ ଗୃଧ୍ର ସଂଖ୍ୟା ୪୦ ନିୟୁତରୁ ଅଧିକ ଥିଲା । ୧୯୯୦ ବେଳକୁ ଏହି ସଂଖ୍ୟା ଦୃତ ଵାସ୍ତୁଵାଦୀ ଵିକାଶ ଯୋଗୁଁ ହ୍ରାସ ପାଇଲା । ଏହାପରେ ଡାଇକ୍ଲୋଫେନାକ୍ ଔଷଧ ଯୋଗୁଁ ୧୯୮୦ ତୁଳନାରେ ଗୃଧ୍ରସଂଖ୍ୟା ୯୦% ହ୍ରାସ ପାଇଥିଲା । ୨୦୦୬ ରେ ଡାଇକ୍ଲୋଫେନାକ ଉପରେ ପ୍ରତିବନ୍ଧକ ପରେ ଗୃଧ୍ରସଂଖ୍ୟା ହ୍ରାସକୁ କିଛି ପରିମାଣରେ ନିୟନ୍ତ୍ରଣ କରାଯାଇଛି । ସାମ୍ପ୍ରତିକ ଆକଳନ ଅନୁସାରେ - Gyps bengalensis ପ୍ରାୟ ୬,୦୦୦,Gyps indicus ପ୍ରାୟ ୧୩,୦୦୦ ଓ Gyps tenuirostris ପ୍ରାୟ ୧,୦୦୦ ଭାରତରେ ଅଛନ୍ତି । ମୋଟ ଉପରେ କହିଵାକୁ ଗଲେ ପ୍ରାୟ ୨୦,୦୦୦ ଗୃଧ୍ର ଭାରତରେ ବଞ୍ଚି ଯାଇଛନ୍ତି ।

ନବେ ଦଶକରେ ମୁଁ ଯେତେବେଳେ କନ୍ତିଓ ନୂଆସାହି ପ୍ରାଥମିକ ଵିଦ୍ୟାଳୟରେ ପଢ଼ୁଥିଲି ସେତେବେଳେ ଆମ ଵିଦ୍ୟାଳୟ ପଛପଟେ ଥିଵା ମରାଖଣ୍ଡିରେ ଆମେ ସବୁବେଳେ ଗୃଧ୍ର ଦେଖୁଥିଲୁ । ବେଳେବେଳେ ସେମାନେ ଵିଦ୍ୟାଳୟ ହତା ଭିତରକୁ ବି ଚାଲି ଆସୁଥିଲେ । ପିଲାଏ ସେମାନଙ୍କୁ ଘଉଡ଼ାଇଵାକୁ ବଡ଼ ମଜା ପାଉଥିଲେ । କିଛି ପିଲା ଏ ବଡ଼ ପକ୍ଷୀଙ୍କୁ ଡରି ଦୂରେଇ ରହୁଥିଲେ ।‌ ତଳେ ଶୋଇ ଶୋଇ ଆମେ ପିଲାବେଳେ ଦୂର ଆକାଶରେ ସେମାନଙ୍କୁ ଉଡ଼ୁଥିଵାର ଦେଖି ମନରେ କେତେ କ'ଣ କଳ୍ପନା କରୁଥିଲୁ । କିନ୍ତୁ ହଠାତ୍ କିଛି ଵର୍ଷ ମଧ୍ୟରେ ଆଉ ଗୃଧ୍ର ଦେଖାଗଲେ ନାହିଁ । ମୁଁ ସେତେବେଳେ ଅନେକ ଲୋକଙ୍କୁ ଏହାର କାରଣ ପଚାରିଥିଲି । ବହୁତ ଵର୍ଷ ପରେ Earth Matter ନାମକ ଏକ ଦୂରଦର୍ଶନର ଧାରାଵାହିକରେ ଏହାର ପ୍ରକୃତ ଉତ୍ତର ମୋତେ ମିଳିଥିଲା । 


Tuesday, October 31, 2023

ଗାଆଁ କଳି

ଆମ କନ୍ତିଓ ପୁଟସାହି ପଞ୍ଚାୟତରେ ମୋଟ ତିନୋଟି ଗାଆଁ; କନ୍ତିଓ, ପୁଟସାହି ଓ ଜକା । କନ୍ତିଓରେ ତିରିଶରୁ ଅଧିକ ଜାତି ଥିଲାବେଳେ ପୁଟସାହି ଓ ଜକାରେ କଳତୁଆ ଚଷା(ସମ୍ଭଵତଃ କୁଳତା ଚଷାଙ୍କ ଗୋଷ୍ଠୀର) ଅଧିକ ସଂଖ୍ୟାରେ ଵସଵାସ କରନ୍ତି । କନ୍ତିଓ ତଥା ପୁଟସାହି,ଏଇ ଦୁଇ ଗାଆଁ ମଧ୍ୟରେ ମଝିରେ ମଝିରେ ଵିଵାଦ ହୋଇଯାଏ । ସେତେବେଳେ ଦୁଇ ଗାଆଁ ମଧ୍ୟରେ ଭାରତ-ପାକିସ୍ଥାନ ଭଳି ହିଂସା ଦ୍ଵେଷ ଘୃଣାର ପରିଵେଶ ଜାତ ହୋଇଯାଏ । ଆଜକୁ ପ୍ରାୟ ବାର ତେର ଵର୍ଷ ତଳର ଘଟଣା । କନ୍ତିଓ ପୁଟସାହି ହାଇସ୍କୁଲ ଛକ ପାଖରେ କେତେକ ଯାଗାକୁ ନେଇ କନ୍ତିଓ ଆଉ ପୁଟସାହି ଗାଆଁ ମଧ୍ୟରେ ଗୋଷ୍ଠୀ କନ୍ଦଳ ଆରମ୍ଭ ହୋଇସାରିଥାଏ । ଏହାର କେତେକ ଦିନ ପରେ ଦୁଇ ଗାଆଁ ମଧ୍ୟରେ ଘୃଣା ଦ୍ଵେଷ ଆହୁରି ବଢ଼ିଗଲା । ଆମ ଭଉଣୀର ବାହାଘର ପୂର୍ଵରୁ ଆସବାବପତ୍ର ଗଢ଼ାଯିଵାକୁ ପୁଟସାହି ଗାଆଁର ଜଣେ ବଢ଼େଇଙ୍କୁ କାମ ଦିଆଯାଇଥାଏ । କିନ୍ତୁ ଆମରି ଗାଆଁ ଲୋକ ତାହା ହେଵାକୁ ଦେଲେ ନାହିଁ । ଉଭୟ ଗାଆଁର ଲୋକ ପରସ୍ପରର ଗାଆଁକୁ ଯିବେ ନାହିଁ ବୋଲି ଗୋଟେ ନିୟମ କରିଦିଆଗଲା । ଫଳତଃ ପୁଟସାହି ପରିଵା ବେପାରୀ ତଥା କ୍ରେତା ଆଉ କନ୍ତିଓ ମଙ୍ଗଳବାର ହାଟକୁ ଆସି ପାରିଲେ ନାହିଁ । ମଣିଷଙ୍କ ପରେ ଜୀଵଙ୍କ ଗାଆଁ ପ୍ରଵେଶ ଉପରେ ବ୍ୟାନ୍ ଲାଗିଲା । ଉଭୟ ଗାଆଁର ଗାଈ,ବଳଦ ଅନ୍ୟ ଗାଆଁକୁ ଯାଇ ବନ୍ଧା ହେଲେ । ବୁଲାକୁକୁର ଆଉ ବିଲେଇଙ୍କୁ ବି ଲୋକେ ଅନ୍ୟ ଗାଆଁରୁ ଆସିଲେ ତଡ଼ି ତଡ଼ି ପିଟିଲେ । ଅଵଶ୍ୟ ପକ୍ଷୀମାନଙ୍କ ଉପରେ କେହି କଟକଣା ଲଗାଇ ପାରିଲେ ନାହିଁ । ଏହି ଵିଵାଦ ଵର୍ଷେ ଦେଢ଼ ଵର୍ଷ କାଳ ରହିଲା କିନ୍ତୁ ନିର୍ଵାଚନରେ ପୁଟସାହିର ଲୋକ ସରପଞ୍ଚ ହେଵାରୁ ଦ୍ଵେଷ ହିଂସାଭାଵ କିଞ୍ଚିତ୍ କମ୍ ହୋଇଥାଏ । ଏହି ସମୟରେ ମୁଁ ଗାଆଁକୁ ଯାଇଥାଏ । ଆଜିକାଲି ସିନା ମୁଁ ବହିପଢ଼ା ଓ ଲେଖାଲେଖି ଭିତରେ ପଶି ସେତେ ଗାଆଁ ବୁଲୁ ନାହିଁ କିନ୍ତୁ ସେ ସମୟରେ ଗାଆଁକୁ ଆସିଲେ ସାଇକେଲ ଧରି ବୁଲାବୁଲି କରୁଥିଲି । ଦିନେ ମୁଁ ସାଇକେଲ ଧରି ପୁଟସାହି ଗାଆଁର ଉପରତଇଳା ସାହିରେ ବୁଲୁଥିଲା ବେଳେ ଜଣେ ବୁଢ଼ା ପଚାରିଲା ହଇରେ ପୁଅ ତୋ ଘର କଉଠି, ମୁଁ ତାକୁ କହିଲି ମୋ ଘର ଭାରତରେ ଆଉ ମୁଁ ଭାରତୀୟ ! ବୁଢ଼ା କୁଟୀଳ ହସ ହସିଲା ସତ ହେଲେ କିଛି କହିଲା ନାହିଁ । ସେଦିନ ସେମିତି କିଛି ହେଲା ନାହିଁ କିନ୍ତୁ ଦୁଇ ତିନିଦିନ ପରେ ଗୋଟିଏ ବଡ଼ ଧରଣର ଘଟଣା ହଠାତ୍ ମୋହରି ଆଖି ଆଗରେ ଘଟିଗଲା । 

କନ୍ତିଓ ତଥା ପୁଟସାହି ଗାଆଁର ମଝିରେ ପଞ୍ଚାୟତ ସଡ଼କର ପଶ୍ଚିମ(ମାନଚିତ୍ରରେ ଦକ୍ଷିଣ)କୁ ଗୋଟିଏ ଗାଈଗୋଠ ଅଛି । ସେ ଗୋଠରେ କିଛି ପିଲା କ୍ରିକେଟ୍ ଖେଳୁଥାନ୍ତି ଏଵଂ ମୁଁ ଘରୁ ସାଇକେଲ ଧରି ହାଇସ୍କୁଲ କାଜୁଫିଲ୍ଡ ଆଡ଼େ ଯିଵାକୁ ବାହାରୁଥାଏ । ମୁଁ ଭାଲିଆତଇଳାକୁ ପଞ୍ଚାୟତ ସଡ଼କ ସହିତ ସଂଯୁକ୍ତ କରୁଥିଵା ଗ୍ରାମପଥରେ ତଥା ପୁଟସାହି ଦେଵୀପୀଠଙ୍କ ଉତ୍ତର(ମାନଚିତ୍ରରେ ପଶ୍ଚିମ)ରେ ଥାଏ ଏତିକି ବେଳେ ଦେଖିଲି ଗାଈଗୋଠ ମଧ୍ୟରେ କ୍ରିକେଟ୍ ଖେଳୁଥିଵା ଦୁଇଜଣ ପିଲାଙ୍କ ମଧ୍ୟରେ ଵିଵାଦ ହୋଇଗଲା । ମୁଁ ସେଇଠି ଅଟକି ଯାଇ କ'ଣ ହେଉଛି ଦେଖିଵା ଭିତରେ କନ୍ତିଓ ଗାଆଁର ଧୋବାସାହି(ଏବେ ନୂଆ ନାଆଁ କ'ଣ ଦେଇଛନ୍ତି ମୁଁ ଜାଣିନାହିଁ ଆଗେ ଆମେ ଧୋବାସାହି କହୁଥିଲୁ)ର ପିଲାଟିଏ ସହ ପୁଟସାହିର ମଝିସାହିରେ ରହୁଥିଵା ଗୋଟିଏ ପିଲାର ମାରପିଟ୍ ଲାଗିଗଲା । ଭାଲିଆତଇଳା ପଛପଟେ ଚିଞ୍ଚଭାଇଙ୍କ ଦୋକାନ ଥିଲା ଏଵଂ ସେଠାରେ କିଛି ଯୁଵ ବସିଥିଲେ । ସେମାନେ ଧାଇଁ ଯାଇ ପୁଟସାହିର ପିଲାଙ୍କୁ ଧରି ଆଣି କନ୍ତିଓ ପାଲା ପଡ଼ିଆରେ ବସେଇ ଦେଲେ । କନ୍ତିଓଟା ଯାକର ଲୋକ ସେଠି ଏକାଠି ହୋଇଗଲେ । ମାର ମାର ପିଟ ପିଟର ଧ୍ବନି ଶୁଣାଯାଉଥାଏ । ଲୋକେ ପାଗଳ ହୋଇଯାଇଥିଲେ । ଲୋକେ ବିଲ ବାଡ଼ିରୁ ଧାଆ ହାତୁଡ଼ି ପକେଇ ଦୌଡ଼ିଲେ,ଛାଡ଼ା ଫେରିଵାକୁ ଯାଇଥିଵା ଲୋକ ନିତ୍ୟକର୍ମ ଅଧାରୁ ଉଠି ଦୌଡ଼ିଲା । ଲୋକେ ଡକହକା ହୋଇ ପାଲା ପଡ଼ିଆକୁ ଯାଉଥାନ୍ତି । ମୁଁ ବି ଘରେ ସାଇକେଲ ରଖି ପାଲା ପଡ଼ିଆକୁ ଗଲି । ସେତେବେଳକୁ ପୂରା କନ୍ତିଓ ସେଠି ଏକାଠି ହୋଇଯାଇଥାଏ । ଏତିକିବେଳେ ପୁଟସାହିର ସରପଞ୍ଚ ତୁମିସିଂହାରୁ ପୋଲିସ ଧରି ସେଠାରେ ପହଞ୍ଚିଗଲା। ଲୋକେ ପଛଘୁଞ୍ଚା ଦେଲେ ନାହିଁ ଵରଂ ପୋଲିସଙ୍କୁ ପିଟିଵାକୁ କିଛି ଯୁଵକ ଉଦ୍ୟତ ହେଲେ । ଵୟସ୍କ ଲୋକେ ବୁଝାମଣା କରି ଯେମିତି ହେଲେ କଥାଟାକୁ ଶାନ୍ତ କଲେ । ତେବେ ସ୍ଥିତି ଶାନ୍ତ ହେଲା ଯାଏଁ ପୁଟସାହି ଉପ୍ରା ସ୍କୁଲରେ ପୋଲିସ ଦଳେ ରହି ନିଇତି କୁକୁଡ଼ା ମୋଡ଼ି ଖାଇଲେ ଏଵଂ କେତେକ ଦିନ ପରେ ବାହୁଡ଼ିଗଲେ । ମୋର ମନେ ଅଛି ସେତେବେଳେ ମୋ ଆଗରେ ମୋର କିଛି ଗାଆଁ ଭାଇ ଭଉଣୀ ପୁଟସାହି ଲୋକଙ୍କ ନିନ୍ଦା କରିଵାରୁ ମୁଁ ସେମାନଙ୍କୁ ରାଷ୍ଟ୍ରଵାଦ ଵିଷୟରେ କେତେକ କଥା କହି ନିଜର ଵିଚାର ପ୍ରକଟ କରିଥିଲି । 

ତେବେ ଉଭୟ ଗାଆଁ ମଧ୍ୟରେ ଏ ଵିଵାଦ ଗୋଟିଏ ଵ୍ୟକ୍ତିଗତ ଝଗଡ଼ାରୁ ଆରମ୍ଭ ହୋଇଥିଲା ବୋଲି ପରେ ଲୋକଙ୍କଠାରୁ ପଚାରି ବୁଝିଲି । ଆଜକୁ ପ୍ରାୟ ପଚାଶ ଵର୍ଷ ତଳେ ତଳକନ୍ତିଓ(ଵର୍ତ୍ତମାନ ଗ୍ରାମଠାରୁ ଦେଢ଼ କିମି ଦକ୍ଷିଣରେ ଵା ମାନଚିତ୍ରର ପୂର୍ଵରେ ବ୍ରାହ୍ମଣୀ ନଦୀ କୂଳରେ ପୁରୁଣା କନ୍ତିଓ । ଆଗେ ଏଇଠି ଗାଆଁ ଥିଲା, ଷାଠିଏ ଦଶକରେ ଲୋକେ ଉପରକୁ ଉଠି ଆସିଛନ୍ତି)ରେ ଦୁଇଜଣ ଲୋକଙ୍କ ମଧ୍ୟରେ ଶିଵମନ୍ଦିର କାହାର ଏହି ପ୍ରସଙ୍ଗରେ ଵିଵାଦ ହୋଇଯାଇଥିଲା । ପୁଟସାହିର ଲୋକ କହିଲା ଆମର,କନ୍ତିଓ ଲୋକ କହିଲା ଆମର । ଏହି ଵ୍ୟକ୍ତି ଵିଵାଦ କ୍ରମେ ପଞ୍ଚାୟତ ଵିଵାଦର ରୂପ ନେଲା । ସେବେଠାରୁ ଉଭୟ ଗ୍ରାମର ଲୋକଙ୍କ ମଧ୍ୟରେ ଗୋଟିଏ ହିଂସା ଦ୍ଵେଷ ଭାଵ ରହିଲା ଏଵଂ ମଝିରେ ମଝିରେ ଦେଖିଵାକୁ ମିଳିଲା । ଆଜକୁ ବାର ଵର୍ଷ ତଳର ଵିଵାଦ ବି ଗୋଟିଏ ଵ୍ୟକ୍ତିଗତ ଵିଵାଦ ହିଁ ଥିଲା କିନ୍ତୁ ତାକୁ ଗାଆଁ ଲୋକେ ଫେଣେଇ ପଞ୍ଚାୟତ ଵିଵାଦ କରିଵାକୁ ଚେଷ୍ଟା କରିଥିଲେ । 
ସୌଭାଗ୍ୟକୁ ଵର୍ତ୍ତମାନ ସମୟରେ ଉଭୟ ଗ୍ରାମ ମଧ୍ୟରେ ସେତେ ଵାଦଵିଵାଦ ନାହିଁ କିନ୍ତୁ କେଜାଣେ କେଉଁଦିନ ଦୁର୍ଭାଗ୍ୟ ଉପସ୍ଥିତ ହେଵ ଏଵଂ ପୁଣି କୋଉ ଗୋଟେ ଵ୍ୟକ୍ତିଗତ ଵିଵାଦ ଉଭୟ ଗାଆଁ ମଧ୍ୟରେ ସାମାଜିକ ସାଂସ୍କୃତିକ ଫାଟ ସୃଷ୍ଟି କରିଦେଵ ! ସାଧୁ ଏ ଵ୍ୟକ୍ତିଗତ ଵିଵାଦ ଗୋଟିଏ ଗୋଟିଏ ଦିଆସିଲି କାଠି ତାକୁ କୁଟାକାଠି ଲୁଣ୍ଡା ଧରେଇଲେ ବଢ଼େଇଲେ ସେ ପୂରା ଗାଆଁ ବି ଜଳେଇ ପାରେ । ଆଗରୁ ବି ଏମିତି ହୋଇଛି ଭଵିଷ୍ୟତରେ ବି ହେଵ !!!

Saturday, October 28, 2023

ଭଲ ନା ଭାଲିଆତଇଳା

ଓଡ଼ିଶାର ସବୁ ଅଞ୍ଚଳରେ କିଛି ନା କିଛି ସ୍ବତନ୍ତ୍ର ଢ଼ଗ ଚଳୁଅଛି ଯାହା ସେହି ଅଞ୍ଚଳ ମଧ୍ଯରେ ସୀମିତ ରହିଯାଇଥାଏ ! ଆମ ଗ୍ରାମ ପଞ୍ଚାୟତ କନ୍ତିଓ ପୁଟସାହିରେ ମଧ୍ଯ ସେହିପରି ଏକ ଢ଼ଗ ଚଳୁଅଛି ତାହା ହେଲା

     "ଭଲ ନା ଭାଲିଆତଇଳା"

ଯେତେ ବେଳେ ଵ୍ୟକ୍ତିଵିଶେଷ ଵା କୌଣସି ଵସ୍ତୁ ଭଲ ନ ହୋଇ ବି କେହି ତାକୁ ଭଲ ବୋଲି କହେ ସେତେବେଳେ ଆମ ଗାଁର ଲୋକେ ଏଇ ପଦକ କହନ୍ତି -“ଭଲ ନା ଭାଲିଆତଇଳା ?”

କିନ୍ତୁ 'ଭାଲିଆତଇଳା' କଅଣ ?
ଆମ କନ୍ତିଓ ଗ୍ରାମର ସବୁଠାରୁ ବଡ଼ ସାହି ହେଉଛି ଏହି ଭାଲିଆତଇଳା ସାହି ! ବାରମ୍ବାର ଵନ୍ଯାରେ କ୍ଷତିଗ୍ରସ୍ତ ହେବା ଯୋଗୁଁ ୧୯୬୦ ପରେ ବ୍ରାହ୍ମଣୀନଦୀ କୂଳରେ ଥିଵା ପୁରୁଣା କନ୍ତିଓ ଵା ତଳକନ୍ତିଓରୁ ଆମ ଗାଁ ଲୋକେ ଏକ ଦେଢ଼ କିମି ପଶ୍ଚିମକୁ ଉଠି ଆସିଥିଲେ । ସେମାନେ ପ୍ରଥମେ ନୂଆସାହି ତାପରେ ଭାଲିଆତଇଳା,ଗୁଡ଼ିସାହି ଓ ଭୈରଙ୍ଗସାହି(ଭୈରଵୀସାହିର ପରିଵୃତ୍ତ ରୂପ) ଆଦିରେ ରହିଵାକୁ ଲାଗିଲେ । 

ଜନଵସତି ଗଢ଼ି ଉଠିଵା ଆଗରୁ ଏହି ଭାଲିଆତଇଳା ସାହିଟି ଶାଳ,ଗମ୍ଭାରୀ,ମହୁଲ ,କେନ୍ଦୁ ଓ ଵିଶେଷତଃ ଭାଲିଆ ଗଛର ନଟା ଵା ଵଣ ଥିଲା । କ୍ରମେ ଲୋକେ ଏହାର କେତେକ ଭାଗକୁ ମଶାଣି ଭଳି ଵ୍ୟଵହାର କଲେ ଏଵଂ ସର୍ଵଶେଷରେ ଆଜି ଏଠି ଏକ ବଡ଼ ସାହି ଗଢ଼ି ଉଠିଛି ! ମନୁଷ୍ଯଙ୍କ ଆଗମନ ଯୋଗୁଁ ଏବେ ଏ ସାହିରେ ଗୋଟିଏ ବି ଭାଲିଆଗଛ ବଞ୍ଚିଯାଇନାହିଁ ହଁ କେଉଁଠି କେଉଁଠି ଆଜି ବି ହଣାଯାଇଥିଵା କେନ୍ଦୁ ଗଛ ଆଉଥରେ ବଡ଼ ହେଵାକୁ ଚେଷ୍ଟା କରୁଥିଲେ ହେଁ ନିର୍ଦ୍ଦୟୀ ମାନବ ତାକୁ ଅନ୍ଧଵିଶ୍ବାସ ତଥା ଆପଣା ସ୍ବାର୍ଥପାଇଁ ବଢ଼ିଵାକୁ ଦେଉନି !

ତେବେ ଢଗକୁ ଦେଖି ମନରେ ପ୍ରଶ୍ନ ଉଠୁଛି ଏଠାରେ ଭାଲିଆତଇଳା ଶବ୍ଦ କାହିଁକି ଵ୍ୟଵହାର ହୋଇଥିବ ? 

ଏହି ସାହି ପୂର୍ଵେ ଏକ ମରାଖଣ୍ଡି ଥିଲା । ମରାଖଣ୍ଡି ବୋଇଲେ ମଶାଣି ଭଳି ସ୍ଥାନ ଯେଉଁଠି (କଟା)ବାଳ,ଭଙ୍ଗା କାଚ, ଛିଣ୍ଡା ଯୋତା,ଚିରାଲୁଗା ଓ ଭଙ୍ଗା ହାଣ୍ଡି ଇତ୍ଯାଦି ଅପଵିତ୍ର ପଦାର୍ଥ ଫିଙ୍ଗାଯାଏ । ଏ ଭୂମିକୁ ଆଗେ ହୀନ ବା ନିମ୍ନ ମନେ କରାଯାଉଥିଲା । ଭୂତ ଭୟ ଓ ଭାଲିଆ ଫଳ ଯୋଗୁଁ ଘାଆ ହେଵା ଭୟରେ ଲୋକେ ଏଠାକୁ ଵିଶେଷ ଆସୁନଥିଲେ । ପୁଣି ଭାଲିଆତଇଳା ନାଁରେ ତଇଳା ଶବ୍ଦର ଅର୍ଥକୁ ଵିଚାର କରାଯାଉ । ଓଡ଼ିଆ ଭାଷାରେ ତଇଳା ଵା ତଇଲା ଶବ୍ଦଟି
ଉଚ୍ଚଜମି,ତଉଲିଆ,ବିରଙ୍ଗା ଭୂମି;ଜଙ୍ଗଲ ପୋଡ଼ି ଚାଷ କରାଯାଉଥିଵା ଭୂମି,ଜଙ୍ଗଲ କଟାଯାଇ ଆବାଦ କରାଯାଇଥିଵା ଭୂମି,ଚାଷ ହେଉନଥିଵା ଅନୁର୍ବର ଚାଷ ଅନୁପଯୁକ୍ତ ଭୂମି ଇତ୍ଯାଦି ଅର୍ଥରେ ପ୍ରୟୋଗ କରାଯାଏ । ସେହିପରି ତଇଳା ସାଦୃଶ୍ୟ ଆଉ କିଛି ଓଡ଼ିଆ ଶବ୍ଦ ହେଲା...

(କ)ତର୍ଲା-ଶାଳଛତ୍ର,ନିମ୍ନଭୂମି
(ଖ)ତଲ-ତଳ,ଭୂମି,ନିମ୍ନ
(ଗ)ତଲି-ତଳ,ତଳ ଅଞ୍ଚଳ,ତଳେ,ଧାନ ଚାରାଗଛ
(ଘ)ତଳିଆ-ତଳେ ଥିଵା ସ୍ଥାନ,ଖାଲଜମି,ତଳି ଉତାରିଵା ସ୍ଥାନ
(ଙ)ତଉଲ-ଜଙ୍ଗଲ ମଧ୍ଯସ୍ଥ ଗ୍ରାମ(ଜଙ୍ଗଲ କଟାଯାଇ ଗଢ଼ାଯାଇଥିଵା ଜନଜାତୀୟ ଗାଁ)

ତେଣୁ ଯେହେତୁ ଏଠାରେ ଭାଲିଆ ଗଛ ବହୁତ ଥିଲା ଏଵଂ ଏହା ଏକ ତଇଳା ଭୂମି ଥିଲା ତେଣୁ ଏହାକୁ ଭାଲିଆ ତଇଳା କୁହାଗଲା । ଭାଲିଆତଇଳା ଏକ ସମୟରେ ଆମ ଗ୍ରାମବାସୀଙ୍କ ଦୃଷ୍ଟିରେ ଏକ ହୀନ,ନିମ୍ନ ଓ ଅନୁପଯୁକ୍ତ ଭୟପ୍ରଦ ସ୍ଥାନ ଥିଲା ଏଵଂ ପରେ ଆଵଶ୍ଯକ ପଡ଼ିଲାରୁ ଏହି ଉଚ୍ଚଭୂମିରୁ ଜଙ୍ଗଲ କଟାଯାଇ ଏଠାରେ ଜନଵସତି ଗଢ଼ାଯାଇଛି । ବହୁତ ସମ୍ଭବ ଯେତେବେଳେ ଭାଲିଆତଇଳା ଆମ ଗାଁ ଲୋକଙ୍କ ପାଇଁ ଅନାବଶ୍ଯକ ଥିଲା ସେତେବେଳେ ଏହି 'ଭଲ ନା ଭାଲିଆତଇଳା' ଢଗଟି ଚଳିଵା ଆରମ୍ଭ ହୋଇଥିବ ! କିନ୍ତୁ ଗଞ୍ଜାମରେ ମଧ୍ୟ କୁହନ୍ତି "ଭଲ ନା ଭାଲିଆତେଲ" । ତେଣୁ ବହୁତ ସମ୍ଭଵ ଭାଲିଆତେଲ ଶବ୍ଦଟି କନ୍ତିଓରେ  ଭାଲିଆତଇଳା ସାହି ଅନୁସାରେ ଭାଲିଆତଇଳା ହୋଇଯାଇଥାଇପାରେ । 

........

Thursday, September 22, 2022

ଚୋର ଓ ଜହ୍ନରା ଗଛ (ଶବ୍ଦଭେଦୀର ଜୀଵନ-୬)

କନ୍ତିଓ ପୁଟସାହି ଗ୍ରାମ ପଞ୍ଚାୟତର ଜକା ଗ୍ରାମଵାସିନ୍ଦା ଜଗବନ୍ଧୁ ବାବୁ ଆମ ଭାଲିଆତୈଳାର ମଧ୍ୟଭାଗରେ 
ବଡ଼ ଦୋକାନଟିଏ ଦେଇଥିଲେ । ଏହା ଆଜକୁ ପାଖାପାଖି ଚାଳିଶ ଵର୍ଷ ତଳର‌ କଥା । ସେତେବେଳେ ଆମ ପଞ୍ଚାୟତ ତଥା ଆଖପାଖ ଗ୍ରାମର ଲୋକେ ତାଙ୍କୁ ଆଦରରେ ଜଗବାବୁ ଡାକୁଥିଲେ । ସେସମୟରେ ଜଗବାବୁଙ୍କ 
ଦୋକାନ ଭାଲିଆତୈଳା ତଥା କନ୍ତିଓ ପୁଟସାହି ପଞ୍ଚାୟତର ସବୁଠାରୁ ବଡ଼ ଦୋକାନ ‌ଥିଲା । 

ଅଵଶ୍ୟ ଆମ ସାହିରେ ସେତେବେଳେ ବାଣି ତେଲୀ, କୈଳାସ ପଣ୍ଡା,ବ୍ରହ୍ମାପଣ୍ଡା ଓ ଧନୀ ଜେନା ଆଦିଙ୍କ ଦୋକାନ ମଧ୍ୟ ଥିଲା । 
କିନ୍ତୁ ଜଗବାବୁଙ୍କ ଦୋକାନ ବହୁତ ବଡ଼ ଥିଲା । ପୁରୁଖା ଲୋକେ କୁହନ୍ତି ଅନ୍ୟ କୋଉଠି ମିଳୁ କି ନମିଳୁ ସେତେବେଳେ ଲୋକ ଉଣ୍ଡୁଥିଵା ସବୁ ଦରଵ ଜଗବାବୁଙ୍କ ଦୋକାନରେ ମିଳୁଥିଲା । 

ସେ ଯେଉଁ ସ୍ଥାନରେ ଦୋକାନ ଦେଇଥିଲେ ସେ ଯାଗାଟି ପ୍ରକୃତରେ ସୁମନ୍ତ ପ୍ରଧାନ, ଲେମ୍ବୁଆ ପ୍ରଧାନ,ରତନା ପ୍ରଧାନ ଓ ଡମ୍ବରୁ ପ୍ରଧାନ ଭାଇଙ୍କର ଥିଲା ଏଵଂ ସେ ଟଙ୍କା ଦେଇ ସେ ସ୍ଥାନ କିଣି ସେଠାରେ ଇଟାର ଦୁଇ ବଖରା କୋଠାଘର କରାଇଥିଲେ । 

ଜଗବାବୁଙ୍କ ଦୋକାନରେ ପ୍ରସାଧନ ସାମଗ୍ରୀଠାରୁ ତେଜରାତି ସାମଗ୍ରୀ ଯାଏଁ ସବୁ ମିଳୁଥିଲା ‌ । ଵୟସ୍କ ଲୋକେ କୁହନ୍ତି ତାଙ୍କ ଦୋକାନ ଛୋଟିଆ ଗୋଦାମ ଭଳି ଥିଲା ‌। କେତେକ ଵର୍ଷ ନିଜେ ଦୋକାନ ଚଳାଇଵାପରେ ଜଗବାବୁଙ୍କ ଚାକିରୀ ଆମ କନ୍ତିଓ ପୁଟସାହି ପଞ୍ଚାୟତ ଉଚ୍ଚ ଵିଦ୍ୟାଳୟରେ ହୋଇଗଲା । ତେଣୁ ସେ କେତେକ ପିଲାଙ୍କୁ ଦୋକାନ ସମ୍ଭାଳିଵା କାର୍ଯ୍ୟ ଦେଇ ଵିଦ୍ୟାଳୟରେ ପଢ଼ାଇଵାକୁ ଯାଉଥାନ୍ତି ‌। 

ଜଗବାବୁଙ୍କ ଦୋକାନରେ ସୁମାରି ଜାଣିଥିଵା ପିଲାଏ ସକାଳେ ଓ ବେଳେବେଳେ ସନ୍ଧ୍ୟାରେ ମଧ୍ୟ ଯାଇ ବସୁଥିଲେ । ଆମ ବାପା ମଧ୍ୟ ବେଳେ ବେଳେ ଯାଇ ଜଗବାବୁଙ୍କ ଦୋକାନରେ ବସି ବିକିଥିଵା କଥା କହିଥାନ୍ତି । ସେ ଯାହାହେଉ ଜଗବାବୁଙ୍କ ଦୋକାନରେ ଵିଶେଷ କରି ଧରଣୀ ଜେନା ହିଁ ବସୁଥିଲେ ଓ ଦୋକାନ ସମ୍ଭାଳିଵାରେ ତାଙ୍କ ଯୋଗଦାନ ସର୍ଵାଧିକ ରହୁଥିଲା । 

ଜଗବାବୁଙ୍କର ଦୋକାନରୁ ବହୁତ ଲାଭ ହେଉଥିଲା କିନ୍ତୁ ଗୋଟିଏ ପଟେ ଦୋକାନ ଆଉ ଏକ ପଟେ ସରକାରୀ ଚାକିରୀ ଉଭୟ ମଧ୍ୟରେ ଶେଷକୁ ଚାକିରୀକୁ ଅଧିକ ମହତ୍ତ୍ଵ ଦେଵାକୁ ଲାଗିଲେ । ଧରଣୀ ଜେନାଙ୍କୁ ଯୋଗ୍ୟ ଜାଣି କେତେକ ଦିନ ପରେ ଜଗବାବୁ ନିଜ ଦୋକାନ ଧରଣୀ ଜେନାଙ୍କୁ ସମ୍ପୂର୍ଣ୍ଣ ଦେଇଦେଇଥିଲେ । ଧରଣୀ ଜେନା କେତେକ ଦିନ ଯାଏଁ ସୁରୁଖୁରୁରେ ଦୋକାନ ଚଳାଇଲେ । 

ସେଇଦିନିଆ ଥରେ କଣ୍ଟାପାଳର ଦୁଇଜଣ ଲୋକ ଧରଣୀଜେନାଙ୍କ ଦୋକାନକୁ ବାକି ପାଇଁ ଆସିଲେ କିନ୍ତୁ ଧରଣୀବାବୁ ବାକି ତ ଦେଲେ ନାହିଁ ଓଲଟା ସେମାନଙ୍କୁ ବହେ ଅପମାନ କଲେ । ସେମାନେ ଅଭାଵୀ ଲୋକ ଥିଲେ ତାଙ୍କୁ ସେସବୁ କଥା ବହୁତ ବାଧିଲା । ସେମାନେ ଧରଣୀ ଜେନାଙ୍କର ଦୋକାନ ଚୋରୀ କରିଵାକୁ ଯୋଜନା କରି ଦଣ୍ଡା ବାଟେ ଘରକୁ ଫେରିଲେ । ବାଟ ଯାକ ସୋଦି ସୋଦି ଚଦି ଚଦି ଗଲେ । ସେଦିନିଆ ଧରଣୀ ଜେନାଙ୍କର ବାପା ଦୋକାନ ବାରଣ୍ଡାରେ ଶୋଉଥାନ୍ତି । 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୋ ଆଈଘର ଜଗବାବୁଙ୍କ ଦୋକାନର ଉତ୍ତର(ମାନଚିତ୍ରରେ ପଶ୍ଚିମ) ପଟରେ ରହିଥିଲା ଏଵଂ ମୋ ଆଈ ଶ୍ରୀମତି ପାର୍ଵତୀ ସାହାଣୀ ସେ ସମୟରେ ଗାଆଁରେ ରହୁଥିଲେ । 

ସେଦିନ ସୋମବାର ଥିଲା । ମୋ ଆଈ ପାର୍ଵତୀ ସାହାଣୀଙ୍କର ଦେହ ଭଲ ନଥିଲା ତେଣୁ ସେ ରାତିଯାକ ଶୋଇପାରି ନଥିଲେ ଏଵଂ ବାରମ୍ବାର ବାରିପଟକୁ ଯାଆ ଆସ କରୁଥାନ୍ତି । ରାତି ତିନିଟାରେ ମୋ ଆଈ ବାରିପଟେ ଥିଲାବେଳେ ତାଙ୍କୁ କେତେକ ଅସ୍ପଷ୍ଟ ଶବ୍ଦ ଶୁଣାଗଲା । କେହି ଜଣେ ଗାଳି କରୁଥିଵାର ସେ ଶୁଣିଵାକୁ ପାଇଲେ ‌। ସେ ଯୁଗରେ ଜଗବାବୁଙ୍କ ଦୋକାନ ବରଣ୍ଡାରେ ଭେଣ୍ଡିଆମାନେ ବସି ରାତିରେ ଗୁଲିଖଟି କରନ୍ତି । ତେଣୁ ଆଈ ଅଧିକ ଧ୍ୟାନ ନଦେଇ ଶୋଇପଡି଼ଲେ । 

କଣ୍ଟାପାଳିଆ ଚୋର ସେତେବେଳକୁ ଜଗବାବୁଙ୍କ ଦୋକାନ ପଛକଟରେ ଥିଵା ଜହ୍ନରା ନଟି ଭିତରେ ପଶି ସିନ୍ଧିଗାତ ଖୋଳୁଥାନ୍ତି ଆଉ ଧରଣୀ ଜେନାଙ୍କୁ ଅସ୍ପଷ୍ଟ ଶବ୍ଦରେ ସୋଦୁଥାନ୍ତି । ସେତେବେଳେ ଜଗବାବୁଙ୍କ ଦୋକାନ ପଛପଟେ ଜହ୍ନରା ନଟି ଥିଲା ତେଣୁ ଲୋକେ ଏମାନଙ୍କୁ ଦେଖିଵା ସହଜ ନଥିଲା । 

ଚୋରମାନେ ସିନ୍ଧି ଖୋଳି ଦୋକାନରେ ଯାହା ଥିଲା ସବୁ ନେଇଗଲେ । ସକାଳୁ ଦେଖିଲାବେଳକୁ ଦୋକାନରେ କାଣି କଉଡି଼ଟିଏ ବି ନଥିଲା । ସେ କାଳରେ ଲୋକେ ପୋଲିସକୁ ଫେରାଦ ଦେଵାକୁ ଡରୁଥିଲେ ,ନାଲିପଗଡି଼ ଦେଖିଲେ ଲୋକଙ୍କ ବୁଦ୍ଧି ହଜିଯାଉଥାଇ । ତେଣୁ ଆଗେ କୁଲାବୁଲା ହେଲା ,ନଖ ଦର୍ପଣ ହେଲା କିନ୍ତୁ ଚୋରର ନାଆଁ ଗାଆଁ ଠିକଣା ଜଣାଗଲା ନାହିଁ । କିଛି ଫଳ ନମିଳିଵାରୁ ଶେଷକୁ ପୋଲିସ ପାଖକୁ କଥା ଗଲା । 

କୁଲାବୁଲା କ'ଣ ବୋଇଲେ ଆଜିକାଲିର ଲୋକେ ବୋଧହୁଏ ବୁଝିନପାରନ୍ତି ତେବେ ଆଗେ କୌଣସି ଵସ୍ତୁ ଚୋରି ଗଲେ ଚୋରର ନାମ ଜାଣିଵା ପାଇଁ ଗୋଟିଏ କୁଲାକୁ କଇଁଚି ଵା କଣ୍ଟାମୁନ ଉପରେ ରଖି ମନ୍ତ୍ର ପଢ଼ି ଯାହା ନାମ ଧରିଲାକ୍ଷଣି କୁଲାଟା ବୁଲିଯାଏ ସେହି ଵ୍ୟକ୍ତି ଚୋର ବୋଲି ଅନୁମାନ କରାଯାଏ , ଏପରି ରୀତିରେ ଯେ ଚୋର ଧରାଯାଉଥାଇ । ପୁଣି ନଖଦର୍ପଣ ଦ୍ଵାରା ନଖକୁ ଦର୍ପଣ କରି ଗୁଣିଆମାନେ ଅତୀତରେ ଘଟିତ ଘଟଣା ଦେଖିପାରନ୍ତି ବୋଲି କହିଥାନ୍ତି ‌ ।

ତେବେ ଦୋକାନ ଚୋରୀ ହେଵା ପରେ ଧରଣୀଜେନାଙ୍କ ବାପା ହଟିଆ ଜେନା ବହୁତ ରାଗିଗଲେ । ସେ ଦୋକାନ ପଛପଟେ ଉଠିଥିଵା ଜହ୍ନରା ଗଛ ଓପାଡି଼ ପକାଇଲେ ।‌ କଣ୍ଟାପାଳିଆ ଚୋର ଦୋକାନ ଚୋରୀ କରିଛନ୍ତି ବୋଲି ସମସ୍ତେ ଅନୁମାନ କଲେ କିନ୍ତୁ ଯେଉଁମାନଙ୍କୁ ସନ୍ଦେହ କରାଯାଉଥିଲା ସେମାନଙ୍କୁ ଆଉ କେବେ ଏ ଅଞ୍ଚଳରେ ଦେଖାଯାଇନଥିଲା । 

ଜହ୍ନରା ଗଛ ନାଆଁ ଶୁଣି ମୋ ମନରେ ସନ୍ଦେହ ହେଵାରୁ ମାଆଙ୍କୁ ପଚାରିଲି ସେ ଗଛଟା କେମିତିଆ ? 

ମାଆ କହିଲେ ଜହ୍ନରା ଗଛ ଦେଖିଵାକୁ ମକାଗଛ ଭଳି ଏଵଂ ଜହ୍ନରା ଗଛର ଫୁଲ ମଧ୍ୟ ମକା ଗଛର ଫୁଲ ପରି କିନ୍ତୁ ଜହ୍ନରା ଗଛର ଶସ୍ୟ ପେଣ୍ଡା ପେଣ୍ଡା ହୋଇ ଫଳିଥାଏ । ମୋର ମନେ ପଡ଼ିଲା ଏମିତି ଏକ ଗଛକୁ ହିନ୍ଦୀରେ ज्वार କହିଥାନ୍ତି । ମାଆଙ୍କୁ Sorghum bicolor ଖାଦ୍ୟଶସ୍ଯର ଚିତ୍ର ଦେଖାଇଲି । କେତେକ ଚିତ୍ର ଦେଖାଇଲାପରେ ମାଆ କହିଲେ ହଁ ଜହ୍ନରା ଗଛ ଏହିପରି ହୋଇଥାଏ । Sorghum ଜାତୀୟ ଗଛକୁ ଭାରତରେ 
ଯଵନାଳ,ଯଵାକାର ଓ ଜୂର୍ଣ୍ଣ ଆଦି କୁହାଯାଉଥିଲା । 


ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଜୁଆର ଶବ୍ଦ ତଳେ ଏ ଗଛ ଵିଷୟରେ ନିମ୍ନୋକ୍ତ ଦ୍ରଷ୍ଟଵ୍ୟ ରହିଛି... 

“ଏ ଗଛ ଆଖୁ ପରି ବଢ଼େ, ଏଥିର ନଡ଼ା ଶକ୍ତ ଓ ସିଧା । ଏଥିରେ ପେଣ୍ଡା ପେଣ୍ଡା ହୋଇ ଅଗରେ କେଣ୍ଡାମାନ ଧରେ। ଭାରତର ଉତ୍ତରପଶ୍ଚିମ ପ୍ରଦେଶମାନଙ୍କରେ, ପଞ୍ଜାବ, ବୋମ୍ବାଇ ଓ ମାନ୍ଦ୍ରାଜ, ଅଞ୍ଚଳରେ ଏହାର ଚାଷ ହୁଏ। ଏହା ସେ ଅଞ୍ଚଳରେ ମନୁଷ୍ୟମାନଙ୍କର ଗୋଟିଏ ପ୍ରଧାନ ଖାଦ୍ୟ। ଏହା ବର୍ଷା ଓ ଶୀତ ଋତୁରେ ଫଳେ।”


ଜହ୍ନରାକୁ ପ୍ରାଚୀନ କାଳରେ ଦେଵଧାନ୍ୟ କୁହାଯାଉଥିଲା ଫଳତଃ ଓଡ଼ିଶାରେ ପରେ ଏହାର ଏକ ଦେଶଜ ନାମ ପ୍ରଚଳିତ ହେଲା "ଦେଧାନ" । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦେଧାନ ଶବ୍ଦର ଅର୍ଥ ଯଵନାଳ ଓ ଜୁଆରା ଲେଖାଅଛି । 

ଭାଷାକୋଷରେ ଦେଧାନର ଵୈଦ୍ୟକଗୁଣ ଉଲ୍ଲେଖ କରିଵାକୁ ଯାଇ କୁହାଯାଇଛି ଯେ "ଏହା ଶୀତଳ, ମଧୁର, କଷାୟ ରସ, ଲୋହିତ ଵର୍ଣ୍ଣ, ଶ୍ଳେଷ୍ମା ଓ ପୀତନାଶକ, ଅଵୃଷ୍ୟ, ରୁକ୍ଷ, ଲଘୁ ଓ କ୍ଳେଦକାରକ। ଭାରତର ଉତ୍ତର ପଶ୍ଚିମ ଅଞ୍ଚଳରେ ଏହାର ନଡ଼ାକୁ ଗୋରୁ ଖାଆନ୍ତି।”

କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଵା କଥିତ ଓଡ଼ିଆ ଶବ୍ଦକୋଷରେ ଢେଙ୍କାନାଳରେ ପ୍ରଚଳିତ ଥିଵା ଜହ୍ନରା ଶବ୍ଦ ସ୍ଵତନ୍ତ୍ର ଭାବେ ଉଲ୍ଲେଖ କରାଯାଇନାହିଁ । 

ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଜହ୍ନା ଶବ୍ଦ ଵିଷୟରେ ଅନେକ କଥା ଉଲ୍ଲେଖ କରାଯାଇଛି । 


ଭାଷାକୋଷ ଅନୁସାରେ ଓଡ଼ିଶାରେ ଜହ୍ନା ବୋଲି ଏକ ଖାଦ୍ୟଶସ୍ୟ ଆଗେ ଚାଷ କରାଯାଉଥିଲା ଏଵଂ ସେହି ଶବ୍ଦର ଅନ୍ୟ କେତେକ ରୂପ ହେଲା ଜନାର ଓ ଜହ୍ନାର । 
ସମ୍ଭଵତଃ ଏହି ଜହ୍ନା ଶବ୍ଦର ଅନ୍ୟ ଏକ ରୂପ ଢେଙ୍କାନାଳରେ ପ୍ରଚଳିତ ଥିଵା ଜହ୍ନରା ଶବ୍ଦ ଅଟେ । 
 
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ଖାଦ୍ୟଶସ୍ୟକୁ ଜହ୍ନା,ଜନାର୍,ଜନା ଓ ଜହ୍ନରା କୁହାଯାଉଥିଲା । 

ଢେଙ୍କାନାଳ ଭଳି କେତେକ ଅଞ୍ଚଳରେ Sorghum ଜାତୀୟ ଗଛକୁ ଜହ୍ନା ତଥା ଜହ୍ନରା କୁହାଯାଉଥିଲା । ଭୁଟ୍ଟା, ଜନାର ଵା ବାଜରା ଜାତୀୟ ଗଛକୁ କେତେକ ଅଞ୍ଚଳରେ ଲୋକେ ଜହ୍ନା କହୁଥିଲେ । ଫୁଟିଫୁଟିକା ଵା ଅମରପୋଇ ଗୁଳ୍ମକୁ ମଧ୍ୟ କିଛି ଅଞ୍ଚଳରେ ଜହ୍ନା କୁହାଯାଉଥିଲା । ଓଡ଼ିଶାର ପଶ୍ଚିମାଞ୍ଚଳରେ ସେହିପରି ମକାକୁ ଜନା କୁହାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଲିଖିତ ହୋଇଛି । ଭାଷାକୋଷରେ ଜହ୍ନରାର ଆଉ ଏକ ପ୍ରତିଶବ୍ଦ ପନରା ମଧ୍ୟ ମିଳିଲା । 


ଏବେ ପୂର୍ଵ କଥାକୁ ଫେରିଵା...
ଜଗବାବୁଙ୍କ ଦୋକାନ ଧରଣୀଧର ଜେନାଙ୍କୁ ମିଳିଵା ପରେ ସେ କେତେକ ଦିନ ତାକୁ ଉତ୍ତମ ଭାବରେ ଚଳାଇଥିଲେ କିନ୍ତୁ ସେ ଦୋକାନ ଚୋରୀ ଯିଵାରୁ ତାଙ୍କ ମନୋଵଳ ଭାଙ୍ଗିଗଲା । 

ହେଲେ କିଛି ଦିନ ପରେ ଧରଣୀଧର ଜେନା ନିଜ ପୈତୃକ ଗୃହ ସମ୍ମୁଖରେ ଦୋକାନଟିଏ କରିଲେ କିନ୍ତୁ ତାହା ଜଗବାବୁଙ୍କ ଦୋକାନ ପରି ସେତେ ଉଧେଇ ପାରିଲା ନାହିଁ ତେଣୁ ଭାଙ୍ଗିଗଲା । ତାପରେ ସେ ଅନେକ ଵର୍ଷ କଟକନଗରରେ କଦଳୀ ବେପାର କରିଲେ ଏଵଂ ଦୁଇପୁତ୍ର ତଥା ଚାରି କନ୍ୟାଙ୍କୁ ମଣିଷ କଲେ । 

ଜଗବାବୁଙ୍କ ଦୋକାନ ଚୋରୀ ହେଵାର ଅନେକ ଵର୍ଷ ପରେ ମୋହର ଜନ୍ମ ହେଵାରୁ ଆମ ବାପା ଆଳୁ ବେପାର ଛାଡ଼ି ଜଗବାବୁଙ୍କର ଯୋଉଠି ଦୋକାନ ଥିଲା ତହିଁର ଉତ୍ତର(ମାନଚିତ୍ରରେ ପଶ୍ଚିମ)କୁ ମୋ ଆଈଙ୍କ ଘରର ବରଣ୍ଡାରେ ଦୋକାନଟିଏ ଦେଲେ ।  

ଜଗବାବୁ ତ ତାଙ୍କ ଦୋକାନକୁ ସମ୍ପୂର୍ଣ୍ଣ ଭାବେ ଧରଣୀ ଜେନାଙ୍କୁ ସମର୍ପି ଦେଇଥିଲେ ତେଣୁ ଦୋକାନ ଚୋରୀ ଘଟଣା ତାଙ୍କୁ ସେତେଟା ଆହତ କରିନଥିଲା । ସେ ଅନେକ ଵର୍ଷ ଯାଏଁ ଵିଦ୍ଯାଳୟରେ ଶିକ୍ଷକତା କଲେ । ଦିନେ ତାଙ୍କ ସ୍ତ୍ରୀଙ୍କ ସହିତ କୌଣସି ଘଟଣାକୁ ନେଇ ମନାନ୍ତର ହେଵାରୁ ଘର ଛାଡ଼ି କୁଆଡେ଼ ଚାଲିଗଲେ ଯେ ଚାଲିଗଲେ । ସେ ମଲେଣି କି ବଞ୍ଚିଛନ୍ତି ସେକଥା କେହି ଜାଣନ୍ତି ନାହିଁ ଯଦି କିଏ ଜାଣିଥିବେ ସେ କେଵଳ ସେଇ କାଳିଆ ସାଆନ୍ତ। 

ଲୋକେ ଵିଶ୍ଵାସ କରନ୍ତି ଯେ ଯୋଉ ଦିନଠାରୁ ଜଗବାବୁଙ୍କ ଦୋକାନ ପଛପଟରୁ "ଜହ୍ନରା ଗଛ" ଓପଡ଼ାଗଲା ସେଦିନଠାରୁ ସେ ଗଛ ଆଉ ଆମ ଅଞ୍ଚଳରେ ଦେଖାଗଲା ନାହିଁ ‌। ସତେ ଯେମିତି ଚୋରୀର ଦୋଷୀ ଭାବେ ଦୈଵ ଦଣ୍ଡ ଲଭି ସେ ଗଛ ଆଉ କୋଉଠି ଉଠିଲା ନାହିଁ ‌ ।

Tuesday, November 16, 2021

ଶବ୍ଦଭେଦୀର ଜୀଵନ(୨) — ମୃଗତୃଷ୍ଣା


ଆଜକୁ ପ୍ରାୟ ସତର ଅଠର ଵର୍ଷ ତଳେ(୨୦୦୩-୨୦୦୪ ଶିକ୍ଷାଵର୍ଷ) ମୁଁ କନ୍ତିଓ ପୁଟସାହି ଗ୍ରାମପଞ୍ଚାୟତର ଉଚ୍ଚ ଵିଦ୍ୟାଳୟରେ (ନଵମ ଶ୍ରେଣୀରେ) ପାଠ ପଢୁ଼ଥାଇ । ସେତେବେଳେ ଆମର ଭୂଗୋଳ ଶିକ୍ଷକ ଥାଆନ୍ତି ୰ଶ୍ରୀରଵିନ୍ଦ୍ର ସାହୁ ମହାଶୟ । ଥରେ ଶ୍ରେଣୀଗୃହରେ ମରୁଭୂମି କଥା ପଡ଼ିଥାଏ ଏଵଂ ଶିକ୍ଷକ ମହାଶୟ ଏ ଵିଷୟରେ ବୁଝାଉଥାଆନ୍ତି । ସାହାରା ମରୁଭୂମିର କଥା ପଡ଼ିଥିଲା କିନ୍ତୁ ହଠାତ୍ ରଵି ସାର୍ ଆମ୍ଭମାନଙ୍କ ଆଡ଼କୁ ଅନାଇ ପଚାରିଲେ ଆଚ୍ଛା କହିଲ ପିଲେ ‘ମୃଗତୃଷ୍ଣା’ର ଅର୍ଥ କ'ଣ ?

କନ୍ତିଓ ପୁଟସାହି ଉଚ୍ଚ ଵିଦ୍ୟାଳୟ ଗ୍ରାମାଞ୍ଚଳରେ ଅଵସ୍ଥିତ ପୁଣି ସେଥିରେ ଯେଉଁମାନେ ସେତେବେଳେ ପାଠ ପଢୁ଼ଥିଲେ ତନ୍ମଧ୍ୟରୁ ଜଣେ ଅଧେକୁ ଛାଡି଼ଦେଲେ ଅନ୍ୟମାନେ ପ୍ରାୟ ପାଠବହି ଛଡ଼ା ଅନ୍ୟ ବହି ପଢୁ଼ଥିଵେ କି ନାହିଁ ସନ୍ଦେହ  । ତେବେ ରଵି ସାର୍ ଭାବିଲେ ଯେହେତୁ ମୋର ଭୂଗୋଳ ଇତିହାସରେ ଭଲ ନମ୍ବର ରହୁଥିଲା କାଳେ ମୋତେ ଏହାର ଉତ୍ତର ଜଣାଥିଵ ତେଣୁ ସେ ମୋତେ ପଚାରିଲେ କିନ୍ତୁ ମୁଁ ଏହାର ଉତ୍ତର ଆଦୌ ଜାଣିନଥିଲି ।

ସେତେବେଳେ ଅଶିରୁ ଅଧିକ ଛାତ୍ରଛାତ୍ରୀ ନଵମ ଶ୍ରେଣୀରେ ପଢୁ଼ଥିଲେ କିନ୍ତୁ କେହି ମଧ୍ୟ ମୃଗତୃଷ୍ଣା ଶବ୍ଦର ଅର୍ଥ ଜାଣିନଥିଲେ । କାହାକୁ ବି ମୃଗତୃଷ୍ଣା ଶବ୍ଦର ଅର୍ଥ ଜଣାନଥିଵା ଦେଖି ଶିକ୍ଷକ ମହୋଦୟ ଟିକିଏ ନିରାଶ ହେଲେ କିନ୍ତୁ ସେ ସେଦିନ ଶ୍ରେଣୀଗୃହରେ ଏହି ଶବ୍ଦର ଅର୍ଥ ମରିଚୀକା ବୋଲି ସମସ୍ତଙ୍କୁ ଜଣାଇଥିଲେ ।‌

ଏହି ଘଟଣାଟି ମୋର ଅନ୍ୟ ସହପାଠୀମାନଙ୍କର ହେତୁ ଅଛି କି ନାହିଁ ଜାଣିନାହିଁ ତେବେ କେଜାଣି କାହିଁକି ଏହା ମୋର ଆଜି ବି ମନେଅଛି । ଉଚ୍ଚ ଵିଦ୍ୟାଳୟରେ ପଢୁ଼ଥିଵା ସମୟରେ ମୋର ଵିଭିନ୍ନ ଶବ୍ଦ ଵିଷୟରେ ଜାଣିଵାର ଆଗ୍ରହ ପୂର୍ଵାପେକ୍ଷା ବଢି଼ଯାଇଥିଲା । ମାତ୍ର ସେ ସମୟରେ ମୋ ପାଖରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭଳି କୌଣସି ଅଭିଧାନ ନଥିଲା କି ତାହା କେମିତି ଅତି ଆଵଶ୍ୟକ କେହି ହୃଦୟଙ୍ଗମ କରାଇନଥିଲେ ।

ଅଵଶ୍ୟ ଉଚ୍ଚ ଵିଦ୍ୟାଳୟରେ ଥରେ ସାହିତ୍ୟ ଶିକ୍ଷକ ଶ୍ରୀଶିଵ ରଥ ମହାଶୟ ଗୋଟିଏ ଶବ୍ଦର ଉଲ୍ଲେଖ କରିଥିଲେ । କିନ୍ତୁ ଶ୍ରୀଶିଵ ରଥ ମହାଶୟଙ୍କ ଦ୍ଵାରା ପ୍ରଦତ୍ତ ଉକ୍ତ ଶବ୍ଦ ଆଉ ମନେ ପଡୁନାହିଁ  ହେଲେ ତାହାର ଅର୍ଥ ମନେ ଅଛି “ହଠାତ୍ ଶାଶୁମାଆଙ୍କୁ ନିଜ ସମ୍ମୁଖରେ ଦେଖି ଜ୍ବାଇଁ ନିଜ ଅସଜଡା଼ କେଶ ତଥା ପୋଷାକ ପତ୍ର ସଜାଡି଼ ନେଵା” । 

ସେହି ଵିସ୍ମୃତ ହୋଇଯାଇଥିଵା ଶବ୍ଦ ଓ ତାହାର ଅର୍ଥ କହି ଶିଵ ସାର୍ ଏହି ଭଳି ହଜାର ହଜାର ଶବ୍ଦ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପାଇପାରିଵ ବୋଲି ଆମକୁ କହିଥିଲେ । ମୋର ଝାପ୍ସା ମନେ ପଡୁଛି କେହି ଜଣେ ତାହା କେଉଁଠି ମିଳିଵ ପଚାରିଵାରୁ ସାର୍ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଆକାର ବହୁତ ବଡ଼ ,ମୂଲ୍ୟଵାନ ଓ ସହଜରେ ମିଳୁନଥିଵା କହିଥିଲେ । ସୌଭାଗ୍ୟକୁ ଆଜି ଅନ୍ତର୍ଜାଲରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପିଡିଏଫ୍ ଆକାରରେ ଉପଲବ୍ଧ ଅଛି ।

ସମ୍ଭଵତଃ ଶିଵ ସାର୍ ଯେଉଁ ଶବ୍ଦଟି ଆମକୁ ସେତେବେଳେ କହିଥିଲେ ତାହା “ଆଡ଼ଆଡ଼ ହେଵା” ହୋଇଥାଇପାରେ । ୨୦୦୪ ସମୟରେ ଯେତେବେଳେ ଶିଵ ସାର୍ ଆମକୁ ପଢ଼ାଉଥିଲେ ସେତେବେଳେ ଅନ୍ତର୍ଜାଲର ଵ୍ୟଵହାର ଆଜିଭଳି ନଥିଲା ତେଣୁ ସେ ଯଥା ସମ୍ଭଵ ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ କୌଣସି ପାଠାଗାରରେ କିଂଵା କାହାଘରେ ପାଇ ପଢି଼ଥିଵେ ଏଵଂ ପ୍ରାରମ୍ଭିକ କିଛି ପୃଷ୍ଠା ଆଡେ଼ଇଵା ମଧ୍ୟରେ ଏହି ଆଡ଼ ଆଡ଼ ହେଵା କ୍ରିୟାଶବ୍ଦଟି ତାଙ୍କର ଦୃଷ୍ଟିଗୋଚର ହୋଇଥିଵ ।‌ ମାତ୍ର ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ “ଆଡ଼ ଆଡ଼ ହେଵା” କ୍ରିୟାର ପାଞ୍ଚ ଛଅ ଗୋଟି ଅର୍ଥ ମଧ୍ୟରେ ଗୋଟିଏ ଅର୍ଥ ଲେଖାଅଛି 

“ଲଜ୍ଜା , ଭୟ , ଅଭିମାନ କିଂଵା ସମ୍ଭ୍ରମ ଯୋଗୁଁ କୌଣସି ଵ୍ୟକ୍ତିଙ୍କ ସାମନାରେ ଵା ମୁହାଁମୁହିଁ ଠିଆ ନ ହୋଇ ସଙ୍କୋଚଯୁକ୍ତ ଓ ଏକପାଖିଆ ହେଵା । ଆମ ସମାଜରେ ଵୋହୂ ଶାଶୁ ଆଦି ଗୁରୁଜନଙ୍କୁ ଦେଖିଲେ ଆଡ଼ଆଡ଼ ହୁଏ।”

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଆଡ଼ ଆଡ଼ ହେଵା କ୍ରିୟା ଵିଷୟରେ ଥିଵା ଦ୍ରଷ୍ଟଵ୍ୟରେ ଶାଶୁ ଓ  ସମ୍ଭ୍ରମ ଶବ୍ଦର ଉଲ୍ଲେଖରୁ ମୋର ହୃଦବୋଧ ହେଉଛି ଯେ ହୁଏତ ଆମର ସାହିତ୍ୟ ଶିକ୍ଷକ ଶ୍ରୀଶିଵ ରଥ ମହାଶୟ ଏହି ଶବ୍ଦଟି ମନେ ରଖିଥିଲେ ଓ ଆମକୁ ଜଣାଇଵା ସମୟରେ ଅର୍ଥ ସାମାନ୍ୟ ଭିନ୍ନ ହୋଇଯାଇଥିଲା ।

ଏମନ୍ତ ମଧ୍ୟ ହୋଇପାରେ ଯେ ଶିଵ ସାର୍ କହିଥିଵା ଶବ୍ଦଟି କୌଣସି ଭିନ୍ନ ଶବ୍ଦ ହୋଇଥିଵ କିନ୍ତୁ ମୋ ମନ କହୁଛି ତାହା ଆଡ଼ ଆଡ଼ ହେଵା ହିଁ ହୋଇଥିଵ ।

ତେବେ ସେ ଯାହା ହେଉ ଶିଵ ସାର୍ ଯେଉଁ ଶବ୍ଦଟି ଵିଷୟରେ ୨୦୦୪ ସମୟରେ କହିଥିଲେ ତାହାର  ଅର୍ଥ ମନେ ଥିଲେ ବି ଆଜି ମୁଁ  ସେ ଶବ୍ଦକୁ ଭୁଲି ଯାଇଛି ଏଵଂ ତାହା “ଆଡ଼ ଆଡ଼ ହେଵା” ହୋଇଥାଇପାରେ ବୋଲି ସନ୍ଦେହ କରୁଛି ।

ମାତ୍ର ରଵି ସାର୍‌ଙ୍କ ଦ୍ଵାରା ପ୍ରଥମେ ପରିଚିତ ହୋଇଥିଵା ମୃଗତୃଷ୍ଣା ଶବ୍ଦ ମୋର ମନେ ରହିଯାଇଛି । କୌଣସି ଶବ୍ଦ ବହୁ ପ୍ରଚଳିତ ହୋଇଥିଲେ ଵା ବାରମ୍ବାର ଵ୍ୟଵହାର କରୁଥିଲେ ତାହା ଆପେ ମନେ ରହିଯାଏ । ମୃଗତୃଷ୍ଣା ଶବ୍ଦକୁ ଓ ଏହାର ଅର୍ଥକୁ ଜାଣିଵାପରେ ମୁଁ ଅନେକ ସ୍ଥାନରେ ତାହାର ଵ୍ୟଵହାର କରିଥିଲି । ଶିକ୍ଷକ ଯେଉଁ ପାଠ ଦେଉଥିଲେ ସେଥିରେ ମଧ୍ୟ ସୁଯୋଗ ଉଣ୍ଡି ଏ ଶବ୍ଦ ଵ୍ୟଵହାର କରୁଥିଲି ତେଣୁ ତାହା ମନେ ରହିଛି ।‌

ଆଜି ଅନ୍ତର୍ଜାଲରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଉପଲବ୍ଧ ହେଵା ଯୋଗୁଁ ଏ ଅକିଞ୍ଚନ ଏହି ମୃଗତୃଷ୍ଣା ଶବ୍ଦ ଓ ଏହାର ପ୍ରତିଶବ୍ଦ ସମ୍ବନ୍ଧରେ ଅନେକ କଥା ଜାଣିପାରିଛି ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ମୃଗତୃଷ୍ଣା ଶବ୍ଦଟି ବହୁଵ୍ରୀହି ସମାସ ଆଧାରରେ ମୃଗର ଯାହା ତୃଷ୍ଣା ଜନ୍ମାଏ ଏହି ଅର୍ଥରେ ସୃଷ୍ଟି ହୋଇଅଛି । Mirage ଅର୍ଥରେ ମୃଗତୃଷ୍ଣିକା,ମୃଗତୃଟ୍,ମୃଗତୃଷ୍ମା ଓ ମୃଗତୃଷ୍ଣି ଆଦି ଶବ୍ଦ ମଧ୍ୟ ଵ୍ୟଵହାର ହୋଇଥାଏ ।

ମୃଗତୃଷ୍ଣା ଶବ୍ଦଟି ଓଡ଼ିଆ ଭାଷାରେ ଗୋଟିଏ ସାହିତ୍ୟିକ ଶବ୍ଦ ଭାବେ ଵ୍ୟଵହୃତ ହୋଇଥାଏ ଏଵଂ କଥିତ ଓଡ଼ିଆ ଭାଷାରେ ସେତେ ଵ୍ୟଵହାର ହୋଇନଥାଏ ।  ଜଗନ୍ନାଥ ଦାସ ତ ଓଡ଼ିଆ ଭାଗଵତରେ ଏ ଶବ୍ଦକୁ ଅନେକ ଥର ଵ୍ୟଵହାର କରିଛନ୍ତି
ଯଥା—

ଏ ଦୁଃଖ-ସୁଖ-ରୂପ-ଗର୍ତ୍ତେ ।
ଵିଷୟା-ମୃଗତୃଷ୍ଣା ପଥେ ।।
(ଚତୁର୍ଥ ସ୍କନ୍ଧ)

କ୍ଷୁଧାପୀଡି଼ତ ଯେବେ ହୋଇ ।
ନିଷ୍ଫଳ-ଵୃକ୍ଷକୁ ଧାମଇଁ ।।
କେବେ ଵା ମୃଗତୃଷ୍ଣା ଦେଖି ।
ତୃଷାରେ ଧାମଇଁ ନିରେଖି ।।
(ପଞ୍ଚମ ସ୍କନ୍ଧ)

ତୋ ମାୟା-ସଂସାର-ସାଗରେ ।
ସ୍ୱପ୍ନ ମୃଗତୃଷ୍ଣା ପ୍ରକାରେ ।
(ସପ୍ତମ ସ୍କନ୍ଧ)

ଏ ମୃଗତୃଷ୍ଣା ପ୍ରାୟ ରାଜ୍ୟ ।
ଏଣେ ଆମ୍ଭର ନାହିଁ କାର୍ଯ୍ୟ ।
(ଦଶମ ସ୍କନ୍ଧ)

ଚିଲିକା ଖଣ୍ଡକାଵ୍ୟରେ ମୃଗତୃଷ୍ଣା ଶବ୍ଦର ପ୍ରୟୋଗରେ
କଵିଵର ରାଧାନାଥ ରାୟ ଲେଖିଲେ

“ବସ୍ତୁ ନୁହଇ ସେ ଅଟଇଟି ଧୂମ,
ଅନ୍ୟନାମ ତାର ଆକାଶ କୁସୁମ,
ତୋହରି ପୁଳିନେ ମୃଗତୃଷ୍ଣା ପ୍ରାୟେ,
ମନ ମୃଗକୁ ସେ ଜଗତ ଭ୍ରମାଏ ।”

ସ୍ଵଭାଵକଵି ଗଙ୍ଗାଧର ମେହେର ତପସ୍ଵିନୀ କାଵ୍ୟରେ ଏ ଶବ୍ଦର ଵ୍ୟଵହାରରେ ଲେଖିଛନ୍ତି ...

“ସୁଖ-ଵିଷୟ-ଭୋଗ ତୃଷ୍ଣାର ପରି
ସଞ୍ଜାର କଲା ମୃଗତୃଷ୍ଣା ସୁନ୍ଦରୀ,
ତୂଳା ଉଡ଼ିଲା ତେଜି ଶାଳଳୀ ତରୁ;
କୃପଣ ଧନ କାଳେ ଉଡ଼େ ଖାତରୁ ।।”

‘ନିର୍ଝରିଣୀ’ରେ  ନନ୍ଦକିଶୋର ବଳ ମଧ୍ୟ ମୃଗତୃଷ୍ଣା ଶବ୍ଦ ପ୍ରୟୋଗ କରିଛନ୍ତି...

“ଵିରାଟ ସେ ଦେଶ ନ ମିଳେ ଜଳ
ହସି ମୃଗତୃଷ୍ଣା ଦେଖାଏ ଛଳ।”

ସୂର୍ଯ୍ୟକିରଣରେ ହେଉଥିଵା ଜଳଭ୍ରମକୁ ଇଂରାଜୀରେ Mirage ତଥା କଥିତ ଓଡ଼ିଆ ଭାଷାରେ ଖରାନାଚ କୁହାଯାଏ ‌। କେହି କେହି ଭାରତୀୟ ଭାବନ୍ତି ଯେ ଇଂରାଜୀର Mirage ଶବ୍ଦଟି ମରୀଚିକା ଶବ୍ଦରୁ ଗୃହୀତ କିନ୍ତୁ ଏହା ଏକ ଭ୍ରମ ଧାରଣା । ପ୍ରକୃତରେ Mirage ଶବ୍ଦଟି ଫ୍ରେଞ୍ଚ୍ ଭାଷାରୁ ନିଆଯାଇଛି ଏଵଂ mirer +ତଥା -age ଶବ୍ଦ ଯୁକ୍ତ କରି ଏ ଶବ୍ଦ ସୃଷ୍ଟି ହୋଇଛି । mirerର ଅର୍ଥ  ଝଅଟ୍ ଦେଖିଵା ତଥା ଅନେଇ ରହିଵା ଓ -age ଏକ ଫ୍ରେଞ୍ଚ୍ ପ୍ରତ୍ୟୟ ଯାହା କାର୍ଯ୍ୟ କରିଵା ଅର୍ଥରେ ଆଗେ  ପ୍ରୟୋଗ ହେଉଥିଲା ।

ତେବେ ଓଡ଼ିଶାରେ ମୃଗତୃଷ୍ଣା ଅପେକ୍ଷା ମରୀଚିକା ସହିତ ଅନେକ ଲୋକ ପରିଚିତ । ମୃଗତୃଷ୍ଣାକୁ  ମରୀଚିଜଳ ଓ ମରୀଚିତୋୟ ମଧ୍ୟ କୁହାଯାଏ ଏଵଂ ଏ ସବୁ ଶବ୍ଦ ମଧ୍ୟରେ ଥିବା ମରୀଚି ଶବ୍ଦର ଅର୍ଥ କିରଣ ଅଟଇ ।  ଗ୍ରୀଷ୍ମକାଳରେ ଜଳଶୂନ୍ୟ ବାଲୁକାମୟ ମରୁଭୂମିରେ ପ୍ରଖର ସୂର୍ଯ୍ୟରଶ୍ମି ପତିତି ଓ ପ୍ରତିଫଳିତ ହୋଇ ତାହା ଦୂରରୁ ସ୍ବଚ୍ଛ ଜଳାଶୟ ପରି ପ୍ରତୀୟମାନ ହୁଏ । ତୃଷାର୍ତ୍ତ ମୃଗମାନେ ଓ ପିପାସାରେ ଶୁଷ୍କକଣ୍ଠ ପଥିକମାନେ ଜଳପାନ ଆଶାରେ ତଦ୍‌ଭିମୁଖରେ ଯେତିକି ଯେତିକି ଧାଵମାନ ହେଉଥାନ୍ତି, ତାହା ତେତିକି ତେତିକି ଦୂରକୁ ଘୁଞ୍ଚିଯିଵା ପରି ଦେଖା ଯାଉଥାଏ । ଫଳତଃ ଅଵଶେଷରେ ଉକ୍ତ ହତଭାଗ୍ଯ ଜୀଵ ଵା ଜୀଵଗଣ କ୍ଳାନ୍ତ ଓ ପିପାସାର୍ତ୍ତ ହୋଇ ମରିଯାଆନ୍ତି । ଏଥିପାଇଁ ପ୍ରଲୋଭନ ଵା ଵୃଥା ଆଶାକୁ ଲୋକେ ମୃଗତୃଷ୍ଣା ମରୀଚିକା ଵା ଖରାନାଚ  ସଙ୍ଗେ ତୁଳନା କରିଥାନ୍ତି  । ଫଳତଃ ଆମ ଭାଷାରେ ମୃଗତୃଷ୍ଣା ଶବ୍ଦଟି ଲକ୍ଷଣାର୍ଥ ଵୃଥା ଆଶା ଦେଖାଇଵାର ଛଳନା ଅର୍ଥରେ ସୁଦ୍ଧା ଵ୍ୟଵହାର ହୋଇଥାଏ ।

ଆଉ ଏକ ପ୍ରକାରର ମରୀଚିକା ରହିଛି । ଏହି ଧରଣର ମରୀଚିକାକୁ ମୃଗତୃଷ୍ଣା ନକହି ଚନ୍ଦ୍ରାଭାସ(ଚନ୍ଦ୍ର+ଆଭାସ) କୁହାଯାଏ ।  ଚନ୍ଦ୍ର ପରି ଆକାଶରେ ବେଳେ ବେଳେ ଦେଖାଯିଵା ଆଭାସକୁ ଚନ୍ଦ୍ରାଭାସ କୁହାଯାଏ । ସାଧାରଣତଃ ଏଭଳି ଆଭାସ ମେରୁ ପ୍ରଦେଶରେ ବରଫ ପ୍ରତିଫଳନ ଯୋଗୁଁ ହୋଇଥାଏ । ଏଥିଯୋଗୁଁ ଦୁଇଟି ଚନ୍ଦ୍ର ଵା ଦୁଇଗୋଟି ସୂର୍ଯ୍ୟ ଆକାଶରେ ଥିଵା ପ୍ରତୀତ ହୋଇଥାଏ ।‌

ପୁଣି ମେରୁପ୍ରଦେଶର Aurora Borealis ଵା Northern Lights ଭଳି ସାମୟିକ ଆଲୋକପୁଞ୍ଜ ମେରୁଜ୍ଯୋତିକୁ ସଂସ୍କୃତ ଗ୍ରନ୍ଥମାନଙ୍କରେ ଗନ୍ଧର୍ଵପୁର , ଗନ୍ଧର୍ଵନଗର ,ଗଗନପୁର, ହରିଶ୍ଚନ୍ଦ୍ରପୁର ଓ ଖପୁର କଳ୍ପନା କରାଯାଇଛି ଏମନ୍ତକି  ମହାଭାରତରେ ମଧ୍ୟ ଏହାକୁ ଗନ୍ଧର୍ଵମାନଙ୍କର ଵାସସ୍ଥାନ ଅଭିହିତ କରାଯାଇଛି । ସୂର୍ଯ୍ୟଠାରୁ ନିର୍ଗତ ଜୀଵନହାରିଣୀ ସୌରତରଙ୍ଗ(ପ୍ରକୃତରେ ଏହା ଦୁଇଧାରିଆ ଖଣ୍ଡା କାରଣ ସୌରତରଙ୍ଗ ସୌରମଣ୍ଡଳକୁ ପ୍ରଵେଶ କରିଵାକୁ ଚେଷ୍ଟା କରୁଥିଵା ଗାମା ରେଡିଏସନ୍ ଭଳି ଵିଷାକ୍ତ ତତ୍ତ୍ଵକୁ ସୌରଜଗତଠାରୁ ଦୂରେଇ ରଖେ ତେଣୁ ଏହା ଏକ ଦୃଷ୍ଟିରୁ ଜୀଵନଦାୟିନୀ ମଧ୍ୟ)  ସହ ପୃଥିଵୀର ଚୁମ୍ବକୀୟ ଵଳୟର ସଂଘର୍ଷ ଯୋଗୁଁ ଏହା ସୃଷ୍ଟି ହୋଇଥାଏ । ପୃଥିଵୀରେ ଏଭଳି ଅନେକ ମିଥ୍ୟା ଆଭାସ ଵା Mirage ରହିଛି ଯାହା ଦେଖିଦେଲେ ଅନେକେ ଭୟଭୀତ ହୋଇଯାଆନ୍ତି ।  Fata Morgana ନାମକ ମିଥ୍ୟା ଆଭାସ ସମୁଦ୍ର ତଥା ମରୁଭୂମି ମଧ୍ୟରେ ଦୃଶ୍ୟ ହୋଇଥାଏ । ଏହା ଏକ ଜାତୀୟ superior mirage ଓ ଭୟଙ୍କର । ଇଂଲଣ୍ଡରେ ଲୋକପ୍ରିୟ ଆର୍ଥର ଦନ୍ତକଥାର ନକାରାତ୍ମକ ଚରିତ୍ର Morgan le Fayର ନାମ ଆଧାରରେ ଏହି ଜାତୀୟ ମିଥ୍ୟା ଆଭାସର ନାମକରଣ ହୋଇଛି । ସେହିପରି Sundog,Brocken Spectre,Magnetic Hill ,Light Pillars,Water Sky,Green Flash,Omega Sun ଭଳି ଅନେକାନେକ Mirage ରହିଛି ଏଵଂ ଏଭଳି ଅନେକ ମିଥ୍ୟା ଆଭାସ ବହୁତ ଵିରଳ ଯାହା ଅନେକ ମାନଵ ନିଜ ଜୀଵନକାଳରେ କେବେ ଦେଖିନାହାନ୍ତି  ।

ଏଯାଵତ୍ ଆଲୋଚନାରୁ ଆମେ ଜାଣିଲେ ଯେ ଅନେକ ଜାତୀୟ Mirage ଵା ମରୀଚିକା ଅଛି ଵା ଏ ପୃଥିଵୀପୃଷ୍ଠରେ ମନୁଷ୍ୟାଦି ଜୀଵଙ୍କୁ ଦୃଶ୍ୟ ହୋଇଥାଏ ତେବେ ମରୁମରୀଚିକା ଵା ଖରାନାଚକୁ ମୃଗତୃଷ୍ଣା କାହିଁକି କୁହାଯାଏ ?

ପୁରାଣରେ ଅଛି ଯେ ଗୋଟିଏ ଶଶକ ଗଳ୍ପାନ୍ତରରେ ମୃଗ ତୃଷ୍ଣାର୍ତ୍ତ ହୋଇ ମରୀଚିକା ଭ୍ରମରେ ଚନ୍ଦ୍ରଙ୍କୁ କିମ୍ବା ଚନ୍ଦ୍ରକିରଣ ଆଭାସିତ ମରୁପ୍ରାନ୍ତରକୁ ଗୋଟିଏ ଜଳାଶୟ ବୋଲି ମନେକରି ଜଳ ପାନ କରିଵାପାଇଁ ଦଉଡ଼ି ଦଉଡ଼ି ଯାଇ ଦେଖିଲା ଯେ ସେଠାରେ ପାଣି ନାହିଁ। ଏହା ଦେଖି ଶଶକର ହଂସା ଉଡ଼ିଗଲା ଓ ସେ ମରିଗଲା। ତାଙ୍କଠାରେ ଆଶା ରଖି ଶଶକ ପ୍ରାଣ ହରାଇଥିଵାରୁ ସେହି ଶଶକଟି ଛନ୍ଦ୍ରଙ୍କ ଦେହରେ କଳଙ୍କରୂପ ଲାଗିରହିଲା ଏବଂ ସେହିଦିନଠାରୁ ଚନ୍ଦ୍ର ଶଶାଙ୍କ ହେଲେ। ଏହି କାହାଣୀକୁ ଉପଲକ୍ଷ କରି ଚନ୍ଦ୍ରାଭାସ ଓ ମୃଗତୃଷ୍ଣା ଶବ୍ଦଟି ସୃଷ୍ଟି ହୋଇଥାଇପାରେ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଶବ୍ଦଗୁରୁ ଶ୍ରୀଗୋପାଳଚନ୍ଦ୍ର ପ୍ରହରାଜ ମହାଶୟ ଅନୁମାନ କରିଅଛନ୍ତି ।

କିନ୍ତୁ,  ତୃଷ୍ଣା ଶବ୍ଦ ସହିତ ଅନ୍ୟ କୌଣସି କାରଣରୁ ମଧ୍ୟ ମୃଗ ଶବ୍ଦ ଲାଗିଥାଇପାରେ କି ? କ'ଣ ମୃଗ ଶବ୍ଦର ହରିଣ ଛଡ଼ା ଅନ୍ୟ କୌଣସି ଅର୍ଥରେ ମଧ୍ୟ ଵ୍ୟଵହାର ରହିଛି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମୃଗ ଶବ୍ଦର ହରିଣ,ପଶୁ, ଯେକୌଣସି ଜନ୍ତୁ,ପ୍ରାର୍ଥନା; ଯାଚ୍ଞ୍ଜା ଵା ଭିକ୍ଷା,କପାଳରେ ଶୁଭ୍ର ଚିହ୍ନଯୁକ୍ତ ଥିଵା ହସ୍ତୀ,ଵୈଷ୍ଣଵମାନଙ୍କ କପାଳରେ ଧୃତ ତିଳକଚିହ୍ନର ପ୍ରକାର ଭେଦ (ଏହା ହରିଣ ଶିଙ୍ଗ ପରି ଦୋକନା),ମାର୍ଗଶୀର୍ଷ ମାସ,ମୃଗଶିରା ନକ୍ଷତ୍ର,ମକର ରାଶି, ଏକ ଜାତୀୟ ଯଜ୍ଞଵିଶେଷ,ମୃଗନାଭି ଵା କସ୍ତୂରୀ,ଅନ୍ବେଷଣ, ତତ୍ତ୍ବାନୁସନ୍ଧାନ ,ଶିକାର ଵା ମୃଗୟା ଓ ବିନ୍ଦୁ ଶାସ୍ତ୍ର ଵର୍ଣ୍ଣିତ ଚାରି ଜାତିର ପୁରୁଷ ମଧ୍ୟରୁ ଏକ ଜାତି ଆଦି ଅର୍ଥ ଉଲ୍ଲେଖ ରହିଛି ।

ସମ୍ଭଵତଃ ମୃଗ ଶବ୍ଦର ପ୍ରୋକ୍ତ ସମସ୍ତ ଅର୍ଥ ମଧ୍ୟରେ ଅନ୍ବେଷଣ ଵା  ତତ୍ତ୍ବାନୁସନ୍ଧାନ ଅର୍ଥକୁ ଗ୍ରହଣ କରି ତାହା ତୃଷ୍ଣା ଶବ୍ଦ ସହିତ ଯୁକ୍ତ କରାଯାଇ  ମୃଗତୃଷ୍ଣା ଶବ୍ଦଟି ସୃଷ୍ଟି ହୋଇଥାଇପାରେ । ଏମନ୍ତ ହୋଇପାରେ ଯେ ନିଜର ତୃଷ୍ଣା ମେଣ୍ଟାଇଵା ପାଇଁ ମରୁଭୂମି ମଧ୍ୟରେ ଜଳର ଅନୁସନ୍ଧାନ କରୁଥିଵା କୌଣସି ମୃଗକୁ ଦେଖି ଵା କଳ୍ପନା କରି କେହି ଏଭଳି ଏକ ଶବ୍ଦ ସୃଷ୍ଟି କରିଥିଲେ ଏଵଂ ତାହା ପରଵର୍ତ୍ତୀ କାଳରେ ଏକ ସର୍ଵଭାରତୀୟ ଶବ୍ଦରେ ପରିଣତ ହୋଇପାରିଛି ।

କ୍ରମଶଃ...

Thursday, June 17, 2021

କୋକୁଆ ଭୟ

ପ୍ରାୟ ଛ ସାତ ଵର୍ଷ ତଳର କଥା । ଗ୍ରୀଷ୍ମକାଳ ସେ ସମୟରେ ଆମ ଗାଆଁ କନ୍ତିଓରେ ଵିଦ୍ୟୁତ ସେତେ ରହୁନଥିଲା । ପ୍ରାୟ ସବୁଦିନ ସନ୍ଧ୍ୟା ସମୟରେ ବିଜୁଳି କଟିଯାଉଥିଲା ।

ଏପ୍ରିଲ ମାସର ମଧ୍ୟ ଭାଗରେ ଗୋଟିଏ ଅଦ୍ଭୁତ ଜୀଵର ଶବ୍ଦ ଶୁଣାଗଲା🙄

କେତେବେଳେ ପାଲା ପଡି଼ଆରେ ତ କେତେବେଳେ ହାଟ ତୋଟାରେ ତ ଆଉ କେବେ ରାଉତ ସାହି ମଧ୍ୟରୁ କୌଣସି ଏକ ଅଜଣା ଜୀଵ ଶବ୍ଦ କରୁଥିଵା ଲୋକେ ଶୁଣିଵାକୁ ପାଆନ୍ତି ।🤔

ମଇ ମାସ ଆସୁ ଆସୁ ଏ ଵିଷୟରେ ଗାଆଁ ଦାଣ୍ଡରେ ହାଟ ବାଟରେ ସବୁଠି ଚର୍ଚ୍ଚା ହେଵାକୁ ଲାଗିଲା ।‌ କିନ୍ତୁ ବହୁତ ଲୋକ ଡରିଵା ଆରମ୍ଭ କରିଦେଇଥିଲେ । ରାତିରେ ପଦାକୁ ବାହାରିଵାକୁ ସୁଦ୍ଧା ଅନେକେ ଅମଙ୍ଗ ହେଉଥିଲେ । ଡରିକରି ଲୋକେ କହିଲେ ଏଇଟା କୋକୁଆ ନାମକ ଜୀଵ ...

ଆମ ଗାଆଁର ଇଷ୍ଟଦେଵୀ ସୁମୁଦାଶୁଣୀଙ୍କଠାରେ ଛଉନାଚ ହେଲା ବଳି ପଡି଼ଲା ତଥାପି ସେ ଜୀଵର ବୋଇବାଇଵା ବନ୍ଦ ହେଲା ନାହିଁ ...🙄

ସେ ଜୀଵ ମଧ୍ୟ ଏକପ୍ରକାରର ନୁହେଁ ଭିନ୍ନ ଭିନ୍ନ ସମୟରେ ନାନା ଶବ୍ଦ କରୁଥାଏ । କିଏ କହେ ସେଇଟା ଚାରିଗୋଡି଼ଆ ତ ଆଉ କେହି କେହି କହନ୍ତି ସେଇଟା ଗୋଟାଏ ପକ୍ଷୀ । କେତେକ ଲୋକ ସେ କୋକୁଆ ନାମକ ଜୀଵର ଆକାର ପ୍ରକାରକୁ ନେଇ ଯୁକ୍ତି ତର୍କ କରି ମଧ୍ୟ ବାଡିଆପିଟା ଲାଗିଯାଇଥିଲେ ।

କିନ୍ତୁ କିଛି ସାହସୀ ପିଲାଙ୍କ ମନରେ ସନ୍ଦେହ ଜାତ ହେଲା । ସେମାନେ ଏକଵିଂଶ ଶତାବ୍ଦୀର ପିଲା, ଆଖିରେ ନଦେଖିଲାଯାଏଁ ହାତରେ ନଧରିଲା ଯାଏଁ ମାନନ୍ତି ନାହିଁ ।

ଗାଆଁ ପିଲାଏ ଏକାଠି ହୋଇ ଗୁପ୍ତରେ ଗାଆଁ ଜଗିଵା ଆରମ୍ଭ କରିଦେଲେ ।

ରାତି ହେଉ ଵା ଦିନ କୋଉଠି ଟିକେ ଚେଁ ହେଲେ ଏମାନେ ଠେଙ୍ଗା ଧରି ପହଞ୍ଚି ଯାଆନ୍ତି । 😄

ଥରେ ଦିଟା ଟୋକା ସନ୍ଧ୍ୟା ସମୟରେ ପୋଖରୀପଣି ଯାଇଥିଲେ । ତହିଁରେ ଜଣେ ବଗୁଲିଆ ଚୁ ଚାଁ କରି ବୋବେଇ ଦେଲା । ଏ ପିଲା ଯାକ କୋଉଠି ଥିଲେ କେଜାଣି ପ୍ରଵଳ ବେଗରେ ତାଙ୍କ ପାଖରେ ପହଞ୍ଚି ସେ ଦିଟାଙ୍କୁ ଉତ୍ତମ ମଧ୍ଯମ ଖୋବି ଦେଲେ । 😂

ଗାଆଁ ଜଗାରେ କିଛି ଦିନ ଗଡ଼ି ଗଲା...

ଦିନେ ଗାଆଁର ଜଣେ ଵୟସ୍କ ଵ୍ୟକ୍ତିଙ୍କର ଅନ୍ତିମ ସମୟ ଆସିଗଲାଣି ବୋଲି ଶୁଣାଗଲା...

ହଠାତ୍ ସେ ଜୀଵଟି ତିନୋଟି  ସ୍ଥାନରେ ଭିନ୍ନ ଭିନ୍ନ ଶବ୍ଦ କରି ବୋବେଇଥିଵା ଜଣାଗଲା । ପିଲାଏ ତିନି ଭାଗରେ ଵିଭକ୍ତ ହୋଇ ଭାଲିଆତୈଳା ସାହିର ତିନିପଟକୁ ଘେରି ଉଣ୍ଡିଵାକୁ ଲାଗିଲେ । ସନ୍ଧ୍ୟା ସମୟ ପିଲାଏ ଦୌଡା଼ଦୌଡି଼ କଲା ଭିତରେ ଗୋଟିଏ ନୁହେଁ ତିନି ତିନିଟା କୋକୁଆଙ୍କୁ ଧରିଲେ 🤔🤔🤔

ସେଇ ତଥାକଥିତ କୋକୁଆମାନେ ଆମ ଗାଆଁର ପିଲାମାନଙ୍କୁ ବହୁତ ଦୌଡା଼ଇଲେ ଓ ଶେଷରେ ଦିଟାକୁ କନ୍ତିଓ କଟା ପାଖରେ ଧରାଗଲା🙄

ସେମାନେ ପ୍ରକୃତରେ ଆମ ଭାଲିଆତୈଳା ସାହିର ଉପରମୁଣ୍ଡର ପିଲା ଥିଲେ ଏଵଂ ତାଙ୍କ ସହିତ ଆହୁରି ଅନେକ ପିଲା ମିଶିଥିଵା ଶୁଣାଯାଏ 😄😂🤣

ଭାଲିଆତୈଳା ସାହିରେ ଉପରମୁଣ୍ଡର ପିଲା ମଝିସାହିର ଲୋକଙ୍କୁ ଡରେଇଵା ପାଇଁ ଏସବୁ ଲୀଳା କରିଥିଲେ
ବୋଲି ପରେ ପ୍ରଚାର ହେଲାରୁ ଯାଇ ଲୋକେ ଶାନ୍ତିରେ ନିଃଶ୍ୱାସ ମାରିଲେ 😂😂👏

Monday, May 25, 2020

ତେନ୍ତୁଳିଆପଡା଼ ଗାଆଁର କଥା...

ବ୍ରାହ୍ମଣୀ ନଦୀର ପୂର୍ଵ ପାର୍ଶ୍ବରେ ତେନ୍ତୁଳିଆପଡା଼ ଗାଆଁ । ଆମ କନ୍ତିଓ ଗାଁର ଵୃଦ୍ଧଵୟସ୍କ ଲୋକ କହନ୍ତି ସେ ଗାଁରେ କୁଆଡେ଼ ଆଗେ ଖରାଦିନିଆ ହଟାତ୍ ନିଆଁ ଲାଗିଯାଉଥିଲା । ତେଣୁ ତେନ୍ତୁଳିଆପଡା଼ ଗାଁର ଲୋକେ ଦିନ ଓଳିଟା ବିଲରେ ରହି ସେଇଠି ହାଣ୍ଡି ବସେଇ ରୋଷେଇ କରି ଖାଉଥିଲେ ।

ଯୁଗ ବଦଳିଲାଣି...

ସେଇବାଟ ଦେଇ ରେଳଲାଇନ୍ ଗଲା । ସେ ଗାଁ ନିକଟସ୍ଥ ସଦାଶିବପୁର ଠାରେ ଏକ ଲୋକାଲ୍ ଟ୍ରେନ୍ ଷ୍ଟେସନ ଖୋଲିଲା । ଗାଁ ଲୋକ ଚାଲାକ ହେଲେ ଦଶ ପାଞ୍ଚଲୋକଙ୍କ ସହ ନିଇତି ମିଶିଲେ । ବେପାର ବଣିଜକରି ଧୀରେ ଧୀରେ ଧନୀ ହେଲେ ....

ଅଶି ଦଶକ ରେ ସେଇ ଗାଁରେ ଏକ ପଲିଷ୍ଟର କପଡା଼ ତିଆରି କାରଖାନା ଖୋଲିଥିଲା । କେତୋଟି ବର୍ଷ ମାତ୍ର ଚାଲିଲାପରେ ବାମପନ୍ଥୀଙ୍କ ଧର୍ମଘଟ ଆଉ କଂଗ୍ରେସିଆଙ୍କ ଖାଅଲୁଟ ନୀତି ଯୋଗୁଁ କମ୍ପାନୀ ବନ୍ଦ ହେଲା ଯେ ହେଲା ଏଯାବତ ବନ୍ଦ ଅଛି ।

ତେନ୍ତୁଳିଆ ପଡା଼ ସହ ଆମ ଗାଁର ବହୁତ ପୁରୁଣା ସମ୍ପର୍କ ରହିଅଛି । ଦୁଇ ଗାଆଁ ମଝିରେ ବ୍ରାହ୍ମଣୀ ନଦୀ ବହିଯାଇଛି ଦୂରକୁ ବହୁ ଦୂରକୁ ଯାଇ କଳିଙ୍ଗସାଗରରେ ମିଶିଛି ।

ଆଗେ କନ୍ତିଓ ଓ ତେନ୍ତୁଳିଆପଡା଼ ଲୋକଙ୍କ ଆର୍ଥିକ ସ୍ଥିତି ସମାନ ଥିଲା ତେଣୁ ସେ ଗାଆଁରୁ ଝିଅ କନ୍ତିଓ ଗାଆଁରେ ବାହା ହେଉଥିଲେ ଏଵଂ କନ୍ତିଓ ଗାଆଁର ଝିଅ ମଧ୍ୟ ତେନ୍ତୁଳିଆପଡା଼ରେ ବାହା ହେଉଥିଲେ ।

ତେନ୍ତୁଳିଆପଡା଼ରେ ପଲିଷ୍ଟର କମ୍ପାନୀ ବସିଲାରୁ ସେ କମ୍ପାନୀକୁ ଚଢା଼ ମୂଲ୍ୟରେ ମାଆମାଟି ଭିଟାମାଟି ବିକିଥିଵା ଲୋକେ ଆର୍ଥିକ ସ୍ଵଚ୍ଛଳ ହୋଇଗଲେ ,କେହି କେହି ଦୋକାନ ଦେଇ ତ କେତେକ ରାଜନୀତି କରି ଧନୀ ହେଲେ । କିଛି ଲୋକ ଗାଆଁପାଖରେ ଚାକିରୀ ପାଇ ସ୍ଵଚ୍ଛଳ ହେଲେ ।

ଫଳରେ ତେନ୍ତୁଳିଆପଡା଼ ସହ ଆର୍ଥିକ ଅନଗ୍ରସର କନ୍ତିଓ ଗ୍ରାମର ଥିଵା ଵୈଵାହିକ ସମ୍ପର୍କ ଆଉ ସୁଦୃଢ଼ ରହିଲା ନାହିଁ ...

ଆଜି କାଁ ଭାଁ ଆଠ ଦଶ ଵର୍ଷରେ ପଟେ ଅଧେ କନ୍ତିଓ ଝିଅ ତେନ୍ତୁଳିଆପଡା଼ରେ ବାହା ହେଉଛନ୍ତି ସତ କିନ୍ତୁ ସେ ଗାଆଁରୁ କେହି ବାହା ହୋଇ କନ୍ତିଓକୁ ଝିଅ ଆଣିଵା ଆଉ ଶୁଣାଯାଏନାହିଁ ।

ମୋ ଆଈର ପୈତୃକ ଗ୍ରାମ ତେନ୍ତୁଳିଆପଡା଼, ମୋ ସ୍ଵର୍ଗତା ବଡ଼ ମମା(ପ୍ରଥମ ବଡ଼ମାଆ)ଙ୍କର ବାପଘର ସେହି ତେନ୍ତୁଳିଆପଡା଼ର ଗ୍ରାମରେ ଏଵଂ ଆହୁରି ଅନେକ ବନ୍ଧୁ ବାନ୍ଧବ ସମ୍ପର୍କୀୟଙ୍କ ଘର ସେଇ ଗାଆଁରେ ...

ଆଜିକାଲି ତେନ୍ତୁଳିଆପଡା଼ର ଲୋକେ କଟକର ଆଠଗଡ଼,ଓଡ଼ପଡା଼ ଓ ଢେଙ୍କାନାଳ ସଦରର ଧନୀକମାନଙ୍କୁ ତାଙ୍କ ଝିଅ ଦିଅନ୍ତି ଏଥିପାଇଁ ଵେଳେ ଵେଳେ ଵିଵାଦ ବି ହୁଏ  ...

କିଛି ଵର୍ଷ ତଳେ କଟକର ଅଚଳକୋଟ ଗାଆଁର ଏକ ବର ପିଲା ମଦ ପିଇ ତେନ୍ତୁଳିଆପଡା଼ ବାହା ହଵାକୁ ଆସିଥିଲା ଓ ଅଭଦ୍ର ଵ୍ଯଵହାର ଯୋଗୁଁ ସେ ଗାଆଁର ଲୋକ ବର ସହ ବରଯାତ୍ରୀଙ୍କୁ ଉତ୍ତମ ମଧ୍ଯମ ଦେଇ ଵିଦା କରିଦେଇଥିଲେ 🤣🤣🤣