My Blog List

Showing posts with label ପର୍ବପର୍ବାଣୀ. Show all posts
Showing posts with label ପର୍ବପର୍ବାଣୀ. Show all posts

Monday, July 17, 2023

ବୋଲ୍ ବମ୍ : ଅର୍ଥ ଓ ଇତିହାସ

ଶ୍ରାଵଣ ମାସରେ ବୋଲବମ୍ ଯାତ୍ରା ହୁଏ ଯାହାକୁ ଉତ୍ତର ଭାରତରେ କାଵଁଡ୍ ଯାତ୍ରା ବି କୁହନ୍ତି । ବାରାଣସୀର କେତେକ ସାଧୁ ଓ ଶିଵଭକ୍ତ ସବୁ ଵର୍ଷ ଶ୍ରାଵଣମାସରେ ଗଙ୍ଗାନଦୀରୁ କାଉଡ଼ିରେ ପାଣି ଆଣି ଶିଵଙ୍କର ଜଳାଭିଷେକ କରୁଥିଲେ ।‌ ୧୯୬୦ରୁ ୧୯୮୦ ପର୍ଯ୍ୟନ୍ତ ଏହା କେଵଳ ଉତ୍ତର ପ୍ରଦେଶର ଏହି କ୍ଷୁଦ୍ର ଅଞ୍ଚଳ ମଧ୍ୟରେ ସୀମିତ ଥିଲା । କିନ୍ତୁ ୧୯୮୦ ପରେ ବଲିଉଡ୍ ତଥା ଦୂରଦର୍ଶନ ଦ୍ଵାରା ଏହି କାଵଁଡ୍ ଯାତ୍ରା ଅନ୍ୟ ଅଞ୍ଚଳରେ ମଧ୍ୟ ଲୋକପ୍ରିୟ ହେଲା । ଅଧୁନା ଗୁଜରାଟଠାରୁ ଓଡ଼ିଶା ଯାଏଁ ,ମହାରାଷ୍ଟ୍ରଠାରୁ ବଙ୍ଗ ପର୍ଯ୍ୟନ୍ତ 
ଲୋକେ କାଵଁଡ୍ ଯାତ୍ରା କରୁଛନ୍ତି ଓ ନିଜ ଅଞ୍ଚଳର ପ୍ରସିଦ୍ଧ ଶୈଵପୀଠକୁ ଜଳ ନେଇ ଭଗଵାନ ଶିଵଙ୍କର ଜଳାଭିଷେକ କରୁଛନ୍ତି ‌। ହିନ୍ଦୀରେ ଯାହାକୁ କାଵଁଡ୍ କୁହାଯାଏ ଓଡ଼ିଶାରେ ତାକୁ କାଉଡ଼ି କୁହାଯାଏ ତେଣୁ ଓଡ଼ିଶାରେ କାଉଡ଼ି ଧରି କରାଯିଵା ଯାତ୍ରାକୁ କାଉଡ଼ି ଯାତ୍ରା ବି କୁହାଯାଇଥାଏ । ଏ ଶବ୍ଦର ଵ୍ୟୁତ୍ପତ୍ତିକୁ ନେଇ ନାନା ମତ ପ୍ରଚଳିତ । କେହି କେହି କୁହନ୍ତି କାନ୍ଧ+ ଆଵର ଅଥଵା ସ୍କନ୍ଦଭାରରୁ କାଁଵଡ଼ ହୋଇଛି ।‌ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ଆମ ଓଡି଼ଆ ଭାଷାରେ ଗଉଡ଼ମାନଙ୍କ ଵ୍ୟଵହୃତ ଏକପ୍ରକାର ବାଡ଼ିକୁ କାଉଁରି କୁହାଯାଉଥିଲା ଯାହା ସ୍କନ୍ଦଭାରରୁ ସୃଷ୍ଟି ହୋଇଛି । ଆଉ କେତେକଙ୍କ ମତରେ ଏହି କାଁଵଡ଼ ଶବ୍ଦଟି ଏକ ଆଷ୍ଟ୍ରୋଏସୀୟ ଶବ୍ଦ *kāmaṭha(କାମଠ)ର ଆଧୁନିକ ରୂପ ଅଟେ । 

କିନ୍ତୁ ଆଗେ କାର୍ପଟିକ ବୋଲି ଏକ ଶବ୍ଦ ବି ପ୍ରଚଳିତ ଥିଲା । ଯେଉଁ ଵ୍ୟକ୍ତି ତୀର୍ଥରୁ ଜଳ ବୋହି ନେଇ ଅନ୍ଯ ସ୍ଥାନରେ ତାହା ଵିକ୍ରୟ କରି ପୋଷାକି ହେଉଥିଲା ତାକୁ ଲୋକେ କାର୍ପଟିକ କହୁଥିଲେ,ତୀର୍ଥଯାତ୍ରୀଙ୍କ ଦଳ ଓ ଯାତ୍ରୀ ଓ ତୀର୍ଥସେଵୀ ଵ୍ୟକ୍ତିଙ୍କୁ ବି କାର୍ପଟିକ କୁହାଯାଉଥିଲା । କିଛି ଲୋକଙ୍କ ଅନୁସାରେ ଏହି କାର୍ପଟିକ ଶବ୍ଦଟି ବଦଳିଯାଇ କାଁଵଡ଼ ହୋଇଅଛି ।‌ କାର୍ପଟିକ ଶବ୍ଦଟି କର୍ପଟ ଶବ୍ଦ ଆଧାରରେ ସୃଷ୍ଟି ହୋଇଛି ।କୌପୁନୀ,କାଛିଆ ଓ ଚିରାକନାକୁ କର୍ପଟ କୁହାଯାଏ । କାର୍ପଟିକମାନେ କୌପୁନୀ ପିନ୍ଧି ତୀର୍ଥସ୍ଥଳୀରେ ଜଳ ଯୋଗାଉଥିଲେ ତେଣୁ ସେମାନଙ୍କର ନାମକରଣ କାର୍ପଟିକ ହୋଇଥିଲା । 

ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କାଉଡ଼ି ଶବ୍ଦ ସ୍ଥାନ ପାଇନାହିଁ ଵରଂ କାଉଁଡ଼ି,କାବାଡ଼ ଓ କାବଡ଼ା ଶବ୍ଦ ଅଛି । ମୂର୍ଖ ଓଲୁ ନିର୍ବୁଦ୍ଧିଆ ଲୋକଙ୍କୁ ଆଗେ ଓଡ଼ିଶାର ଲୋକେ କାବାଡ଼ ଓ କାବଡ଼ା କହୁଥିଲେ ସେହିପରି 
ଡାବଲପୁଆ ଖେଳରେ ଘାଚି (ଗାତ) ନିକଟରୁ ପୁଆ ପଡ଼ିଥିଵା ସ୍ଥାନର ଦୂରତ୍ୱପରିମାପକ ଓ ସଂଖ୍ୟାସୂଚକ ସଂକେତଵିଶେଷକୁ କାଉଁଡ଼ି କୁହାଯାଉଥିଲଖ ।‌ ଡାବଲପୁଆ ଖେଳରେ 'କାଉଁଡ଼ି' ଅର୍ଥାତ୍ ଡାବଲରେ '୧' କାଠି ମାପର ନାମ କାଉଁଡ଼ି, ଦୁଇ କାଠି ଯେ ଦୁଉଡ଼ି, ତିନି କାଠି ମାପ ତିନିଲ, ଚାରି କାଠି ଚାରିଲ, ପାଞ୍ଚ କାଠି ପାଞ୍ଚଲ, ଛଅ କାଠି ଛଇଲ ଓ ସାତ କାଠି ମାପ ବଇଲ; ମୋଟ ୭ ବାଡ଼ିରେ ଖଣ୍ଡେ ହେଉଥିଲା । 

ଓଡ଼ିଶାରେ କାଵଁଡ୍ ଯାତ୍ରାକୁ ବୋଲବମ୍ ଯାତ୍ରା ବି କୁହାଯାଏ । ବୋଲ୍ ଓ ବମ୍ ଶବ୍ଦକୁ ନେଇ ବୋଲବମ୍ ଶବ୍ଦର ସୃଷ୍ଟି । ବୋଲବମ୍ ଶବ୍ଦର ଆକ୍ଷରିକ ଅର୍ଥ ବୋଲ୍ ବମ୍ ବମ୍ ଏଵଂ ଏହା ମୂଳତଃ ଏକ ହିନ୍ଦୀ ପଦ କାରଣ ପ୍ରଥମେ ହିନ୍ଦୀଭାଷୀ ମାନେ ବୋଲ୍ ବମ୍ ବୋଲ୍ ବମ୍ ବୋଲ୍ ବମ୍ ବମ୍ ଭୋଲେ'ର ଉଦ୍ଘୋଷର ସହିତ କାଁଵଡ଼ ଯାତ୍ରା କରୁଥିଲେ । ଅଵଶ୍ୟ ବୋଲ ଓ ବମ୍ ଶବ୍ଦଦ୍ଵୟ ସର୍ଵଭାରତୀୟ ସଂସ୍କୃତ ଶବ୍ଦ । ଭାରତରେ ଆଗେ ଗାଲଵାଦ୍ୟକୁ ବମ କୁହାଯାଉଥିଲା ଯାହାର ହିନ୍ଦୀ ହଳନ୍ତଵତ୍ ଉଚ୍ଚାରଣ ହେଉଛି ବମ୍ । ଗାଲକୁ ଫୁଲାଇ ପାଟି ମୁଦି ହାତର ଆଙ୍ଗୁଠିଦ୍ୱାରା ଗାଲର ଦୁଇ ପାଖ ଆଘାତ କଲେ ଓଠ ବାଟେ ପଵନ କ୍ରମଶଃ ବାହାରୁ ଥିଵା ବେଳେ ବମ୍ ବମ୍ ଭଳି ଶବ୍ଦ ଉତ୍ପନ୍ନ ହୁଏ ବୋଲି ଏହି ଧ୍ଵନି ଅନୁକରଣରୁ ବମ ଶବ୍ଦ ସୃଷ୍ଟି ହୋଇଛି । ପୁଣି ଡମ୍ବରୁ ଧ୍ଵନିକୁ ବି ବମ କୁହାଯାଉଥିଲା । ମହାଦେଵଙ୍କୁ ସ୍ତଵ କରିଵା ପୂର୍ଵରୁ ବମ୍, ବମ୍ ବମ୍, ବମ୍ ଭୋଳା ଓ ବମ୍ ଭୋଳାନାଥ ଆଦି ପଦ ଉଚ୍ଚାରଣ କରାଯାଏ। ଶିଵ ଉପାସକଙ୍କ ମଧ୍ୟରେ ଲୋକଵିଶ୍ଵାସ ପ୍ରଚଳିତ ଯେ ବମ୍ ବମ୍ ଉଚ୍ଚାରଣ କଲେ ଶିଵ ପ୍ରସନ୍ନ ହୁଅନ୍ତି । କୁହାଯାଏ ଯେ ଯେତେବେଳେ ଭଗଵାନ ଶିଵ କ୍ରୋଧିତ ହୋଇ ଦକ୍ଷଙ୍କର ମୁଣ୍ଡ କାଟିଦେଲେ, ସେତେବେଳେ ତାଙ୍କର ଗୋଟିଏ ଛେଳିର ମୁଣ୍ଡ ଲାଗିଥିଲା, ତେଣୁ ଦକ୍ଷ ଛେଳି ପରି କହିଵା ଆରମ୍ଭ କଲେ। ଏହି କାରଣରୁ ଲୋକମାନେ ଗାଲ ବଜାଇ ବେଳେ 'ବମ୍, ବମ୍' କୁହନ୍ତି ଏଵଂ ଏଭଳି କହିଵା ଦ୍ଵାରା ଭଗବାନ ଶିଵ ପ୍ରସନ୍ନ ହୁଅନ୍ତି ବୋଲି ଵିଶ୍ଵାସ କରନ୍ତି । 

ତେବେ ବୋଲ୍ ବମ୍ ଯାତ୍ରା ଵା କାଁଵଡ଼ ଯାତ୍ରାର ଇତିହାସ ସମ୍ବନ୍ଧିତ ଵିଶେଷ୍ୟ ତଥ୍ୟ ମିଳେନାହିଁ । କୌଣସି ପ୍ରାଚୀନ ଗ୍ରନ୍ଥରେ ଏହି ଯାତ୍ରା ଵିଷୟରେ ଉଲ୍ଲେଖ ଥିଵା ଜଣାଯାଏ ନାହିଁ ‌ । ୧୯୫୦ ପୂର୍ଵର କୌଣସି ଭାଷାର ଭାରତୀୟ ଅଭିଧାନରେ ମଧ୍ୟ ବୋଲ୍ ବମ୍ କିମ୍ବା କାଁଵଡ଼ ଯାତ୍ରା ଵିଷୟରେ କିଛି ବି ତଥ୍ୟ ଲିଖିତ ନାହିଁ । ତେଣୁ ବହୁତ ସମ୍ଭଵ ଏହି କାଁଵଡ଼ ଯାତ୍ରାଟି ଉତ୍ତର ଭାରତର ଗଙ୍ଗା କୂଳରେ ସୀମିତ ଥିଲା ଏଵଂ ଷାଠିଏରୁ ଅଶି ଦଶକ ମଧ୍ୟରେ ଧିରେ ଧିରେ ସେ ଅଞ୍ଚଳରେ ଲୋକପ୍ରିୟ ହୋଇ ଚଳଚ୍ଚିତ୍ର ଓ ଦୂରଦର୍ଶନ ଦ୍ଵାରା ପ୍ରଚାରିତ ହେଵାରୁ ଭାରତର ଅନ୍ୟ ଅଞ୍ଚଳରେ ଆଦୃତ ହୋଇଅଛି । କାଁଵଡ଼ ଯାତ୍ରାର ମୂଳ ଉଦ୍ଦେଶ୍ୟ ଜଳ ସଂରକ୍ଷଣ ଓ ପିପାସୁ ଲୋକଙ୍କୁ ଜଳଦାନର ମହତ୍ତ୍ଵ ଜଣାଇଵା ବୋଲି ଭାରତୀୟ ବୁଦ୍ଧିଜୀଵୀମାନେ ଵିଶ୍ଵାସ କରନ୍ତି । ହୁଏତ ତୀର୍ଥସ୍ଥଳୀରେ ଯାତ୍ରୀମାନଙ୍କୁ ଜଳପାନ କରାଉଥିଵା କାର୍ପଟିକମାନେ ହିଁ ଏହି କାଁଵଡ଼ ଯାତ୍ରାର ପ୍ରେରଣାଉତ୍ସ ହୋଇଥିବେ ।‌ ଏମନ୍ତ ମଧ୍ୟ ହୋଇପାରେ ଯେ ଶ୍ରାଵଣ ମାସରେ ଗଙ୍ଗାନଦୀ କୂଳରେ ଶିଵଙ୍କର ଜଳାଭିଷେକର ପ୍ରାଚୀନ ପରମ୍ପରା ରହିଥିଵ ଯାହା ଚାଳିଶ ପଚାଶ ଵର୍ଷ ତଳେ‌ ହଠାତ୍ ଲୋକପ୍ରିୟ ହୋଇଯାଇ ଆଜି ଭାରତରେ ଏକ ଶୈଵଯାତ୍ରାର ରୂପ ଧାରଣ କରିଅଛି !
•••••••••••••••••••••••••••

Friday, April 14, 2023

● ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସୀୟ ସନାତନୀ ନଵଵର୍ଷ : ମହାଵିଷୁଵ ପଣା ସଂକ୍ରାନ୍ତି●

ଅନେକେ ମହାଵିଷୁଵ ପଣା ସଂକ୍ରାନ୍ତିକୁ କେଵଳ "ଓଡ଼ିଆ ନଵଵର୍ଷ" ମନେ କରନ୍ତି କିନ୍ତୁ ପ୍ରକୃତରେ ଏହାକୁ “ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସୀୟ ନଵଵର୍ଷ” ଅଭିହିତ କରାଯାଏ ।‌ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆର ଅନେକ ଦେଶରେ ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ପାରମ୍ପରିକ ନଵଵର୍ଷ ପାଳିତ ହୋଇଥାଏ । ଭାରତରେ ମେଷ ସଂକ୍ରାନ୍ତିକୁ ନଵଵର୍ଷ ଭାବେ ତାମିଳନାଡୁ଼,କେରଳ,ଓଡ଼ିଶା,ପଶ୍ଚିମ ଵଙ୍ଗ,ଆସାମ,ବିହାର, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ,ହରିଆଣା, ପଞ୍ଜାବ ଆଦି ରାଜ୍ୟର ଅଧିଵାସୀ  ପାଳିଥାନ୍ତି । ଭାରତର ଵିଭିନ୍ନ ଅଞ୍ଚଳରେ ଏହି ନଵଵର୍ଷର ନାମ ମଧ୍ୟ ଭିନ୍ନ ଭିନ୍ନ ଅଟେ । 
ଵିଷୁଵ ସଂକ୍ରାନ୍ତିକୁ 'Buisu' ନାମରେ ତ୍ରୀପୁରାର ପାରମ୍ପରିକ ନଵଵର୍ଷ ଭାବେ ପାଳନ କରାଯାଏ । ଉତ୍ତରାଖଣ୍ଡର କୁମାଉନ୍ ଅଞ୍ଚଳରେ ଏହା "ବିଖୁ ଵା ବିଖାଉତି" ନାମରେ ନଵଵର୍ଷ ରୂପେ ପାଳିତ ହୁଏ । ସୁଦୂର ଦକ୍ଷିଣ ଭାରତରେ କେରଳୀ ଓ ତୁଲୁମାନେ 'ଵିଷୁ', କୋଡ଼ଵାଭାଷୀ ଲୋକେ "ଏଦମାୟର ଓଣ୍ଡ ଵା ଵିଷୁ ଚଙ୍ଗ୍ରାନ୍ଦି" ଓ ତାମିଲ ଭାଷାଭାଷୀ 'ପୁଥାଣ୍ଡୁ' 
ଭାବେ ମହାଵିଷୁଵ ପଣା ସଂକ୍ରାନ୍ତିକୁ ନିଜର ପାରମ୍ପରିକ ନଵଵର୍ଷ ରୂପରେ ପାଳିଥାନ୍ତି । 

ମେଷ ସଂକ୍ରାନ୍ତି ଦିନ ଆସାମ ଓ ମେଘାଳୟର ବୋଡ଼ୋ ଜନଜାତୀୟ ଲୋକଙ୍କ ପାରମ୍ପରିକ ନଵଵର୍ଷ Bwisagu ପାଳନ କରାଯାଉଥିଲାବେଳେ ଆସାମର ମୁଖ୍ୟ ଜନଜାତି ଅହୋମମାନଙ୍କ ଦ୍ବାରା ପାରମ୍ପରିକ ନଵଵର୍ଷ ରୂପରେ ଏହି ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ବିହୁ,ରଙ୍ଗୋଲୀ ବିହୁ ନାମରେ ପାଳିତ ହୋଇଥାଏ । ସେହିପରି ପଞ୍ଜାବ , ହିମାଚଳ ପ୍ରଦେଶ, ଦିଲ୍ଲୀ ଓ ହରିଆଣାର ଲୋକମାନେ ମହାଵିଷୁଵ ପଣା ସଂକ୍ରାନ୍ତିକୁ ଵୈଶାଖୀ ନାମରେ ପାଳନ କରନ୍ତି ଏଵଂ ଏହା ଏହି ଅଞ୍ଚଳର ଲୋକଙ୍କର ଏହା ପାରମ୍ପରିକ ନଵଵର୍ଷ ଅଟଇ । ନେପାଳୀ ଓ ବିହାରର ମୈଥିଳୀଭାଷୀ ଲୋକଙ୍କର ମଧ୍ୟ ମହାଵିଷୁଵ ପଣା ସଂକ୍ରାନ୍ତି ପାରମ୍ପରିକ ନଵଵର୍ଷ ଅଟେ । ମୈଥିଳୀଭାଷୀ ଜୁରଶୀତଳ ନାମରେ ମହାଵିଷୁଵ ପଣା ସଂକ୍ରାନ୍ତିକୁ ନଵଵର୍ଷ ଭାବେ ପାଳନ କରନ୍ତି ‌। ପୁଣି ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ପାଳିତ ହେଉଥିଵା 'ପୋହେଲା ବୈଶାଖ' ହେଉଛି ପଶ୍ଚିମଵଙ୍ଗ, ବାଙ୍ଗଲାଦେଶ,ତ୍ରିପୁରା ଓ ନେପାଳରେ ଵସଵାସ କରୁଥିଵା ବଙ୍ଗାଳୀ ସନାତନୀମାନଙ୍କର ପାରମ୍ପରିକ ନଵଵର୍ଷ । 
ଏହି ପଣା ସଂକ୍ରାନ୍ତି ଦିନ ଅରୁଣାଚଳ ପ୍ରଦେଶର Khamti, Singpho, Khamyang ଓ Tangsa ଜନଜାତି ତଥା ଆସାମର Tai Phake, Tai Aiton ଓ Turung ଜନଜାତୀୟ ଲୋକେ ଯେଉଁ ପାରମ୍ପରିକ ନଵଵର୍ଷ ପାଳନ କରନ୍ତି ତାକୁ Sangken କୁହାଯାଏ । ମିଜୋରାମ, ତ୍ରିପୁରା ଓ ବଙ୍ଗଳାଦେଶରେ ଵସଵାସ କରୁଥିଵା 
ଚକମା ଜନଜାତିର ପାରମ୍ପରିକ ନଵଵର୍ଷ Bizhu/Bizu ବି ମେଷ ସଂକ୍ରାନ୍ତି ଦିନ ପାଳିତ ହୁଏ । 

କେଵଳ ଭାରତ ହିଁ ନୁହେଁ ଭାରତ ବାହାରେ ଭାରତୀୟ ସଂସ୍କୃତିଦ୍ଵାରା ପ୍ରଭାଵିତ ଏଵଂ ପୂର୍ଵେ କଳିଙ୍ଗ ଦେଶର ଉପନିଵେଶ ଥିଵା ଅନେକ ଦେଶରେ ମଧ୍ଯ ମେଷ ସଂକ୍ରାନ୍ତିକୁ ପାରମ୍ପରିକ ନଵଵର୍ଷ ଭାବେ ପାଳନ କରାଯାଏ । ଯଥା—
ବର୍ମାର ପାରମ୍ପରିକ ନଵଵର୍ଷର ନାମ Thingyan,କାମ୍ଵୋଡି଼ଆର ପାରମ୍ପରିକ ନଵଵର୍ଷ Choul Chnam Thmey/ Moha Sangkran , ଶ୍ରୀଲଙ୍କାର ପାରମ୍ପରିକ ସିଂହଳୀ ନଵଵର୍ଷ Aluth Avurudda,ଲାଓସ୍ ଦେଶର ପାରମ୍ପରିକ ନଵଵର୍ଷ Pi Mai ,ଥାଇଲାଣ୍ଡର ପାରମ୍ପରିକ ନଵଵର୍ଷ Songkran, ପଶ୍ଚିମ ଚୀନରେ Dai ଆଦି କେତେକ ଜନଜାତିର ପାରମ୍ପରିକ ନଵଵର୍ଷ Pōshuǐ jié(ଚୀନରେ ଏହା Water-sprinkling festival ଭାବରେ ମଧ୍ୟ ଜଣାଶୁଣା) ଅଟେ । ନେପାଳରେ ମହାଵିଷୁଵ ପଣା ସଂକ୍ରାନ୍ତି ଦିନଠାରୁ ଵିକ୍ରମ ସମ୍ବଦ୍ ପଞ୍ଜିକାର ନୂତନ ଵର୍ଷ ଆରମ୍ଭ ହୁଏ ଏଵଂ ଏହି ଅଵସରରେ ବିଷ୍କା ଵା ବିଷ୍କାଟ୍ ଯାତ୍ରାର ଆୟୋଜନ କରାଯାଏ । ଏହାକୁ ନେପାଳର ରଥଯାତ୍ରା ମଧ୍ୟ କୁହାଯାଏ । 
ଉଲ୍ଲେଖଯୋଗ୍ୟ ଯେ ଏସବୁ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସୀୟ ପାରମ୍ପରିକ ନଵଵର୍ଷ ମହାଵିଷୁଵ ପଣା ସଂକ୍ରାନ୍ତି ତିଥିରେ ହିଁ ପାଳନ କରାଯାଏ । ତେଣୁ ଯଥାର୍ଥରେ ଦକ୍ଷିଣ ଏସିଆର ଅନେକ ଦେଶର ପାରମ୍ପରିକ ନଵଵର୍ଷ ହୋଇଥିଵାରୁ ମେଷ ସଂକ୍ରାନ୍ତି/ପଣାସଂକ୍ରାନ୍ତି/ସଂଗକୋରାନ୍‌କୁ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆର ପାରମ୍ପରିକ ନଵଵର୍ଷ ମଧ୍ଯ କୁହାଯାଇଥାଏ । 

ପୁଣି ମହାଵିଷୁଵ ପଣା ସଂକ୍ରାନ୍ତି ହେଉଛି ପ୍ରକୃତ ସନାତନୀ ନଵଵର୍ଷ । ମେଷ ସଂକ୍ରାନ୍ତି ପ୍ରକୃତ ସନାତନୀ ନଵଵର୍ଷ କାରଣ ଓଡ଼ିଆ, ବଙ୍ଗାଳୀ, ମୈଥିଳୀ,ମଲୟାଲମୀ,
 ତାମିଲ,ତୁଲୁ,ପଞ୍ଜାଵୀ,ଆସାମୀ ଇତ୍ୟାଦି ଅଧିକାଂଶ ମହାଭାରତୀୟ ଜାତିଙ୍କର ଏହି ଦିନ ହୁଏ ପାରମ୍ପରିକ ନଵଵର୍ଷ ।
 ସେଇଭଳି ହିନ୍ଦୁ(ଭାରତ), ବୌଦ୍ଧ(ଶ୍ରୀଲଙ୍କା, ବ୍ରହ୍ମଦେଶ ଇତ୍ୟାଦି) ଓ ସିଖ୍(ପଞ୍ଜାବ) ଆଦି ସନାତନୀ ଧର୍ମର ଲୋକେ ଆଜିର ଦିନରେ ହିଁ ପାରମ୍ପରିକ ନଵଵର୍ଷ ପାଳିଥାଆନ୍ତି । 
ଗୌତମ ବୁଦ୍ଧ ଏହିଦିନ ‘ଦିଵ୍ୟଜ୍ୟୋତି’ ପ୍ରାପ୍ତ ହୋଇଥିଵାରୁ ପ୍ରାୟ ସମସ୍ତ ବୌଦ୍ଧ ଦେଶରେ ମହାଵିଷୁଵ ପଣା ସଂକ୍ରାନ୍ତି ଦିନକୁ ଏକ ବଡ଼ ପର୍ଵ ଭାଵରେ ପାଳନ କରାଯାଏ । ପଞ୍ଜାଵରେ ବହୁପ୍ରଚୀନ କାଳରୁ ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ଵୈଶାଖୀ ଉତ୍ସଵ ପାଳିତ ହେଉଥିଲା । ୧୬୯୯ର ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ସିଖ୍‌ଗୁରୁ ଶ୍ରୀଗୋଵିନ୍ଦ ସିଂହ ଆନନ୍ଦପୁର ନିକଟରେ ଥିଵା କେଶଗଡ଼ ସାହିବଠାରେ ଖାଲସାପନ୍ଥ ପ୍ରତିଷ୍ଠା କରି ଶିଖ୍‌ମାନଙ୍କର ଧର୍ମଗୁରୁ ହୋଇଥିଲେ । ସେହି ଦିନଠାରୁ
ଶିଖ୍‌ମାନେ ଏହି ଦିଵସଟିକୁ ନଵଵର୍ଷ ଭାବେ ପାଳନ କରିଆସୁଛନ୍ତି । ମହା ଵିଷୁଵ ପଣା ସଂକ୍ରାନ୍ତି ଦିନ ଗୁରୁଦ୍ୱାରାମାନଙ୍କରେ କୀର୍ତ୍ତନ ଓ ଲଙ୍ଗର ଵ୍ୟଵସ୍ଥା ସହ ଵିଭିନ୍ନ ସ୍ଥାନରେ ନଗର କୀର୍ତ୍ତନ ଵା ଶୋଭାଯାତ୍ରା ଆୟୋଜନ କରାଯାଏ । ତା’ ସହିତ ପଞ୍ଜାଵର ଏହା ଅମଳ ଋତୁ ହୋଇଥିଵାରୁ ଏହି ଦିନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୁଏ । ଶାକ୍ତ ଓ ଶୈଵ ପନ୍ଥର ଭକ୍ତମାନଙ୍କ ପାଇଁ ମଧ୍ୟ ମହାଵିଷୁଵ ପଣା ସଂକ୍ରାନ୍ତି ଏକ ଗୁରୁତ୍ବପୂର୍ଣ୍ଣ ଦିଵସ । ପ୍ରାୟ ସବୁ ଦେଵୀପୀଠରେ ଏହିଦିନ ଚଣ୍ଡୀପାଠ,
ହୋମ ଯଜ୍ଞ କରାଯାଇଥାଏ । ବହୁ ଦୂର ଦୂରାନ୍ତରୁ ଲୋକମାନେ ଆସି ଦେଵୀଙ୍କୁ ଶାଢି଼, ଶଙ୍ଖା, ସିନ୍ଦୂର ଆଦି ଅର୍ପଣ କରି ଭୋଗ ଲଗାନ୍ତି ଓ ନୂତନ ଵର୍ଷରେ ସୁଖଶାନ୍ତି ପାଇଁ ପ୍ରାର୍ଥନା କରନ୍ତି । ଵୈଷ୍ଣଵମାନେ ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ତୁଳସୀ ପୂଜନ ଓ ହନୁମାନ ଜୟନ୍ତୀ ପାଳନ କରିଥାନ୍ତି । ତେଣୁ ଏକାଧିକ ସନାତନୀ ପନ୍ଥଦ୍ଵାରା ମହାଵିଷୁଵ ପଣା ସଂକ୍ରାନ୍ତି ଦିନକୁ ପାରମ୍ପରିକ ନଵଵର୍ଷ ଭାବେ ପାଳନ କରାଯାଉଥିଵାରୁ ଏହାକୁ "ସନାତନୀ ନଵଵର୍ଷ" ମଧ୍ୟ କୁହାଯାଏ । 

ନଵଵର୍ଷ ରୂପେ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆର ଵିଭିନ୍ନ ଦେଶରେ ପାଳିତ ହେଉଥିଵା ଏହି ସଂକ୍ରାନ୍ତିର ଵିଭିନ୍ନ ଭାରତୀୟ ନାମ ମଧ୍ୟ ଅଛି । ଏହାକୁ କେଵଳ ଓଡ଼ିଶାରେ ହିଁ ମହାଵିଷୁଵ ସଂକ୍ରାନ୍ତି,ଵିଷୁଵ ସଂକ୍ରାନ୍ତି,ପଣା ସଂକ୍ରାନ୍ତି ,ଜଳ ସଂକ୍ରାନ୍ତି, ପ୍ରଥମ ସଂକ୍ରାନ୍ତି, ଠେକି ବସା ସଂକ୍ରାନ୍ତି,ବସୁନ୍ଧରା ଘଡ଼ିବସା ସଂକ୍ରାନ୍ତି ,ଚୈତ୍ର ସଂକ୍ରାନ୍ତି,ଛତୁଆ ସଂକ୍ରାନ୍ତି ଓ ଚଡ଼କ ସଂକ୍ରାନ୍ତି ଇତ୍ୟାଦି କୁହାଯାଏ। 
 
ମହାଵିଷୁଵ ପଣା ସଂକ୍ରାନ୍ତିର କଳିଙ୍ଗୀ ନୌଵାଣିଜ୍ୟ ପରମ୍ପରା ସହିତ ମଧ୍ୟ ସମ୍ପର୍କ ଅଛି । ଯେଉଁ ଯେଉଁ ଅଞ୍ଚଳରେ ଏକଦା କଳିଙ୍ଗୀମାନେ ନିଜ ସଂସ୍କୃତିର ପ୍ରଚାର ପ୍ରସାର କରିଥିଲେ ଵା ଯେଉଁ ସବୁ ଅଞ୍ଚଳରେ ପୂର୍ଵେ କଳିଙ୍ଗୀମାନଙ୍କର ସଂସ୍କୃତିର ସାଂସ୍କୃତିକ ସାମାଜିକ ରାଜନୈତିକ ପ୍ରଭାଵ ପଡି଼ଥିଲା ଆଜି ସେଇସବୁ ଅଞ୍ଚଳରେ ମହାଵିଷୁଵ ସଂକ୍ରାନ୍ତି ପାରମ୍ପରିକ ନଵଵର୍ଷ ଭାଵେ ପାଳିତ ହେଉଛି । ଆଗେ ସାଧଵମାନେ କାର୍ତ୍ତିକ ମାସ ଶେଷଦିନ ଦୂରଦେଶକୁ ବୋଇତ ଯାତ୍ରା କରୁଥିଲେ ଏଵଂ ମହା ଵିଷୁଵ ପଣା ସଂକ୍ରାନ୍ତି ପରଠାରୁ ରଜପର୍ଵ ପର୍ଯ୍ଯନ୍ତ ଵିଦେଶରୁ ବୋଇତ ଯୋଗେ ଫେରି ଆସୁଥିଲେ । ଆଗେ କାର୍ତ୍ତିକ ଅମାଵାସ୍ୟାର ପରଦିନ ଅତି ପ୍ରତ୍ୟୁଷରୁ ଓଡ଼ିଆ ଗୃହର ସ୍ତ୍ରୀମାନେ ଅଗଣାରେ ମୁରୁଜରେ ଏଵଂ ପୀଠରେ ବୋଇତର ଵା ଡଙ୍ଗାର ଚିତ୍ର ଲେଖି ସେହି କଳ୍ପିତ ବୋଇତ ଉପରେ ପେଟରା, ବାକସ ଓ ବାସନ ଆଦି ଆଣି ଜମା କରି ବୋଇତକୁ ବନ୍ଦାଉଥିଲେ । ସମ୍ଭଵତଃ ଏହି ଅନୁଷ୍ଠାନ ପ୍ରାଚୀନ ବଣିକମାନଙ୍କର ପ୍ରଥମ ସମୁଦ୍ରଯାତ୍ରାର ଅନୁକୂଳର ସ୍ମାରକ ଏଵଂ ରଜରେ ଠକୁରାଣୀଗାଧୁଆ ଦିନ ସକାଳେ ସ୍ତ୍ରୀମାନେ ଅଗଣାରେ ମୁରୁଜ ଆଦିରେ ବୋଇତର ଚିତ୍ର କାଟି ତାହା ଉପରେ ବାକ୍ସ ଆଦି ରଖି ବନ୍ଦାପନା ଓ ଲକ୍ଷ୍ମୀପୂଜା କରୁଥିଲେ । ସମ୍ଭଵତଃ ଏହା ବୋଇତ ଫେରି ଆସିଵା ସମୟରେ କରାଯାଉଥିଵା ବନ୍ଦାପନାର ସ୍ମାରକ । ବୋଇତ ଦ୍ଵାରା ଫେରି ଆସିଵା ପୂର୍ଵରୁ ସାଧଵମାନେ ଏହି ମହାଵିଷୁଵ ସଂକ୍ରାନ୍ତି ଦିନ କଳିଙ୍ଗର ଶ୍ରୀଲଙ୍କା ବ୍ରହ୍ମଦେଶ ଲାଓସ କାମ୍ବୋଡିଆ ଫିଲିପାଇନସ ଆଦି ଅଞ୍ଚଳରେ ପାରମ୍ପରିକ ପଣା ସଂକ୍ରାନ୍ତିକୁ ପାଳନ କରୁଥିଲେ ଯାହା ସେସବୁ ଅଞ୍ଚଳରେ ଆଜି ବି ବଞ୍ଚି ରହିଛି । ଓଡ଼ିଶାର ନୌଵାଣିଜ୍ୟ ପରମ୍ପରା ସହିତ ମେଷ ସଂକ୍ରାନ୍ତି ଵା ମହା ଵିଷୁଵ ପଣା ସଂକ୍ରାନ୍ତିର ଏକ ଵିଶିଷ୍ଟ ସମ୍ପର୍କ ରହିଛି । 
ସାଧଵମାନେ କାର୍ତ୍ତିକ ମାସରେ ନୌଵାଣିଜ୍ୟ କରିଵାକୁ ଦରିଆ ପାରି ଦେଶକୁ ଯାଇ ଵୈଶାଖ ମାସରେ ସ୍ଵଦେଶ ଫେରି ଆସୁଥିଲେ । ଫଳତଃ କେଵଳ ଓଡ଼ିଶା ନୁହେଁ ପୂର୍ଵେ ଯେଉଁ ଯେଉଁ ସ୍ଥାନରେ କଳିଙ୍ଗୀମାନଙ୍କର ଶାସନ ଓ ଉପନିଵେଶ ଥିଲା ସେହି ସେହି ସ୍ଥାନରେ ଵୈଶାଖ ମାସକୁ ମହତ୍ତ୍ୱପୂର୍ଣ୍ଣ ଵିଚାର କରାଯାଇଥିଲା । 
    
ତେବେ ଅନେକେ ହୁଏତ ଜାଣିନଥିବେ ଯେ ଆମର ଗୋଟିଏ ନୁହେଁ ଵରଂ ଦୁଇଗୋଟି ଵିଷୁଵ ସଂକ୍ରାନ୍ତି ଅଛି । ଆମ କଳିଙ୍ଗ ଦେଶୀୟ ସଂସ୍କୃତିରେ ଦୁଇଗୋଟି ଵିଷୁଵ ସଂକ୍ରାନ୍ତି ପାଳିତ ହେଵାର ପ୍ରଥା ରହିଛି । ଜଳ ଵିଷୁଵ ସଂକ୍ରାନ୍ତି ଓ
ମହା ଵିଷୁଵ ପଣା ସଂକ୍ରାନ୍ତି । ତୁଳା ସଂକ୍ରାନ୍ତି, କାର୍ତ୍ତିକ ସଂକ୍ରାନ୍ତି ଵା ଗର୍ଭଣା ସଂକ୍ରାନ୍ତିକୁ ଜଳ ଵିଷୁଵ ସଂକ୍ରାନ୍ତି କୁହାଯାଏ ଏଵଂ ମେଷ ସଂକ୍ରାନ୍ତି, ଚଡ଼କ ସଂକ୍ରାନ୍ତି,ଠେକିବସା ସଂକ୍ରାନ୍ତି ,ଛତୁଆ ସଂକ୍ରାନ୍ତି ଓ ପଣାସଂକ୍ରାନ୍ତି ଇତ୍ୟାଦି ନାମରେ ଜଣାଶୁଣା ସଂକ୍ରାନ୍ତି ଵିଶେଷକୁ ମହା ଵିଷୁଵ ସଂକ୍ରାନ୍ତି କୁହାଯାଏ । ଵୈଜ୍ଞାନିକମାନେ ପୃଥିଵୀ ମଧ୍ୟରେ କେତେକ କାଳ୍ପନିକ ରେଖା, ବିନ୍ଦୁ, ଵୃତ୍ତର କଳ୍ପନା କରିଛନ୍ତି ଏଵଂ ସେହି କଳ୍ପନାର ପ୍ରାଚୀନ ମୂଳ ଆଧାର ଭାରତୀୟ ଭୌଗୋଳିକ ଜ୍ଞାନ। କ୍ରାନ୍ତିଵୃତ୍ତ (Ecliptic) ଓ ନିରକ୍ଷଵୃତ୍ତ (Equator) ଏହି ଦୁଇଟି ଵୃତ୍ତ ଦୁଇଟି କାଳ୍ପନିକ ବିନ୍ଦୁ ସୃଷ୍ଟି କରିଥାନ୍ତି । ସେହି ଦୁଇ ବିନ୍ଦୁକୁ ମହାଵିଷୁଵ ଓ ଜଳଵିଷୁଵ ବିନ୍ଦୁ କୁହାଯାଏ । ଯେତେବେଳେ ମହାଵିଷୁଵ ବିନ୍ଦୁ ଉପରେ ସୌର କେନ୍ଦ୍ର ବିନ୍ଦୁ ସ୍ପର୍ଶ କରେ, ସେତେବେଳେ ମହାଵିଷୁଵ ସଂକ୍ରାନ୍ତି ହୁଏ । 

ମହାଵିଷୁଵ ପଣା ସଂକ୍ରାନ୍ତି ଓ ଦକ୍ଷିଣ ଏସିଆର ଜଳଵାୟୁ ମଧ୍ୟରେ ଗଭୀର ସମ୍ପର୍କ ଅଛି । ପ୍ରକୃତରେ ଏହି ପର୍ଵର କଳ୍ପନା ହିଁ ସ୍ଥାନୀୟ ଜଳଵାୟୁ ଆଧାରରେ ହୋଇଛି ‌। 
ସୌର ମେଷମାସରେ ପାଳିତ ହେଉଥିଵା ମହା ଵିଷୁଵ ସଂକ୍ରାନ୍ତି କେଵଳ ଓଡ଼ିଶାର ନୁହେଁ ସାରା ଦକ୍ଷିଣ ଏସିଆର ପାରମ୍ପରିକ ନଵଵର୍ଷ । ଆମ ଦକ୍ଷିଣ ଏସିଆର ସଂସ୍କୃତି ଏହି ଦକ୍ଷିଣ ଏସୀୟ ଜଳଵାୟୁ ଆଧାରରେ ନିର୍ଣ୍ଣୟ ହୋଇଅଛି । ଆମ ସଂସ୍କୃତିରେ ଗ୍ରୀଷ୍ମଋତୁଠାରୁ ଵର୍ଷ ଆରମ୍ଭର ନିୟମ ରହିଛି । ଗ୍ରୀଷ୍ମଋତୁ ଦୁଇ ମାସ - ଵୈଶାଖ ଓ ଜ୍ଯୈଷ୍ଠ । ଦକ୍ଷିଣ ଏସିଆରେ ଵୈଶାଖ ମାସଠାରୁ ଗ୍ରୀଷ୍ମପ୍ରବାହ ଆରମ୍ଭ ହୁଏ ସେଥିପାଇଁ ଭାରତ ସମେତ ଶ୍ରୀଲଙ୍କା, ମାଲେସିଆ,ଇଣ୍ଡୋନେସିଆ,ବ୍ରହ୍ମଦେଶ,ଥାଇଲାଣ୍ଡ ଆଦି ଅନେକ ଦେଶରେ ଏହି ଦିନ ପାରମ୍ପରିକ ନଵଵର୍ଷ ପାଳିତ ହୋଇଥାଏ । 
ମହାଵିଷୁଵ ପଣା ସଂକ୍ରାନ୍ତି ଋତୁଚକ୍ରର ଠିକ୍ ଆରମ୍ଭରେ ପାଳିତ ହୁଏ ଅର୍ଥାତ୍ ଗ୍ରୀଷ୍ମଋତୁର ଆରମ୍ଭ ସହିତ ଆମର ନଵଵର୍ଷ ଆରମ୍ଭ ହୋଇଥାଏ । ଆମ୍ବ,ବେଲ ଭଳି ଭାରତୀୟ ଫଳ ଓ ପୁଷ୍ପରେ ଵନ ଉପଵନ ଭରିଯାଏ । 
ଵର୍ଷ ଆରମ୍ଭ ସହିତ ସୂର୍ଯ୍ୟ ପ୍ରଖର ହୁଅନ୍ତି ଏଵଂ ନଵଵର୍ଷରେ କର୍ମଠ ହେଵା ଲାଗି ଶକ୍ତି ପ୍ରଦାନ କରନ୍ତି । ତୁଳସୀ ଭଳି ପଵିତ୍ର ଵୃକ୍ଷ ପରେ ଠେକି ବସା ଯାଇ ଜଳଦାନ କରିଵା ସହ ଲୋକଙ୍କୁ ପଣା ପାନ କରାଇ ଭଵିଷ୍ୟତରେ ରୌଦ୍ରତ୍ରାପରୁ ରକ୍ଷା ହେତୁ ଲକ୍ଷଣାର୍ଥ ଉପଦେଶ ଦେଵା ଭଳି ଏକମାତ୍ର ଭାରତୀୟ ସନତନୀ ନଵଵର୍ଷ ହେଉଛି ଆମ ମହା ଵିଷୁଵ ପଣା ସଂକ୍ରାନ୍ତି ! 
ମହାଵିଷୁଵ ପଣା ସଂକ୍ରାନ୍ତି ଦିନ କଳିଙ୍ଗ ଦେଶରେ ଵିଭିନ୍ନ ପର୍ଵପର୍ଵାଣୀ ପାଳିତ ହୋଇଥାଏ ଏଵଂ ଏଥିପାଇଁ ଏହା କଳିଙ୍ଗ ଦେଶର ଏକ ଅତି ଗୁରୁତ୍ବପୂର୍ଣ୍ଣ ପର୍ଵ ବୋଲି ସ୍ପଷ୍ଟ ଭାବରେ କୁହାଯାଇପାରେ ।

ମହା ଵିଷୁଵ ପଣା ସଂକ୍ରାନ୍ତି ଦିନ ଓଡ଼ିଶାର ସମସ୍ତ ପ୍ରାନ୍ତରେ ଦଣ୍ଡନୃତ୍ୟ, ଝାମୁ ଯାତ୍ରା,ଚଡ଼କ ଯାତ୍ରା ଓ ଶକ୍ତିପୀଠରେ ଉପାସନା (ତାରିଣୀ, ସମଲେଶ୍ୱରୀ, ସାରଳା, ଚଣ୍ଡୀ ଇତ୍ୟାଦି), ଜଳଦାନ ଏକ ପ୍ରକାରେ ଆୟୋଜିତ ହୁଏ, ଯାହାକି ଉଡ୍ର ସାଂସ୍କୃତିକ ଐକ୍ୟ ଓ ଜାତୀୟ ସଂହତିକୁ ପ୍ରତିପାଦିତ କରେ । ମହା ଵିଷୁଵ ପଣା ସଂକ୍ରାନ୍ତି ଅଵସରରେ ଓଡ଼ିଶାରେ ତୁଳସୀ ଗଛ ଉପରେ ଜଳ ପୂର୍ଣ୍ଣ ବସୁନ୍ଦରା ଘଟ ଦିଆଯାଏ ଓ ଵିଶେଷ ପୂଜାର ଆୟୋଜନ କରାଯାଏ । ଯେଉଁ ଘଡ଼ିର ତଳେ କଣାରୁ ପାଣି ଟୋପା ଟୋପା ବୋହି ତୁଳସୀ ଗଛ ଵା ଦେଵତାଙ୍କ ଉପରେ ପଡ଼େ ତାକୁ ବସୁନ୍ଧରା ଘଟ ଵା ଘଡ଼ି କୁହାଯାଏ । ପଣାସଂକ୍ରାନ୍ତିଠାରୁ ଏକ ମାସ ପର୍ଯ୍ୟନ୍ତ ତୁଳସୀ ଗଛ ଉପରେ ସବୁବେଳେ ଜଳଧାରା ଦେବା ନିମନ୍ତେ ସଚ୍ଛିଦ୍ର କଳସ ଵା ବସୁନ୍ଧରା ଘଡ଼ି ଟଙ୍ଗାଯାଏ । ଏହି ଘଡି଼କୁ ଧର୍ମଘଡି଼ ବି କୁହାଯାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ସିଂହଭୂମି ଆଦି କେତେକ ଅଞ୍ଚଳରେ ଚୈତ୍ର ମାସରେ ତୁଳସୀ ଗଛ ଉପରେ ଧର୍ମଘଡି଼ ସ୍ଥାପନ କରାଯାଏ । ତେବେ ଏ ପରମ୍ପରା ଅଧୁନା ଅନେକ ସ୍ଥାନରେ ଲୁପ୍ତ ହୋଇଯାଇଥିଵା ହୃଦବୋଧ ହୁଏ । ପଣା ସଂକ୍ରାନ୍ତି ପରଠାରୁ ରୌଦ୍ରତାପ ବୃଦ୍ଧି ପାଏ ତେଣୁ ଏହି ସଂକ୍ରାନ୍ତିରେ ଵୃକ୍ଷଜଗତ ଏଵଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିଵାରୁ ଏହାର ଅନ୍ୟ ନାମ ଜଳସଂକ୍ରାନ୍ତି ଅଟଇ ‌। 

ମହା ଵିଷୁଵ ପଣା ସଂକ୍ରାନ୍ତିଠାରୁ ବାୟୁର ଗତି କ୍ରମଶଃ ପ୍ରଖର ହୁଏ ଏଵଂ ଏହି ଦିନଠାରୁ 'କାଳଵୈଶାଖୀ' ପ୍ରଵାହିତ ହୋଇଥାଏ । ହନୁମାନ ହେଉଛନ୍ତି ଵାୟୁପୁତ୍ର ତଥା ପୁରାଣର କଥା ଅନୁସାରେ ସେ ନିଜ ବାଳପଣରେ ସୂର୍ଯ୍ୟଙ୍କୁ ଗିଳିଦେଵାକୁ ଉଦ୍ୟତ ହୋଇଥିଲେ । ଅତଃ କଳିଙ୍ଗଵାସୀ ଗ୍ରୀଷ୍ମଋତୁର ଆରମ୍ଭରେ ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ମହାଵିଷୁଵ ପଣା ସଂକ୍ରାନ୍ତିରେ ହନୁମାନ ଜୟନ୍ତି ପାଳନ କରିଥାନ୍ତି । ଶ୍ରୀମନ୍ଦିର ରୀତିନୀତିରେ ତେଣୁ ଏହି ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ହନୁମାନଙ୍କର ଵିଶେଷ ଆରାଧନା କରାଯାଏ । ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ଶ୍ରୀମନ୍ଦିରରେ ସକାଳ ଧୂପ ଶେଷ ହେଵା ଏଵଂ ହନୁମାନ ଠାକୁର ଆଜ୍ଞାମାଳ ପାଇଲା ପରେ ଝୁଲଣ ମଣ୍ଡପ ତଳେ ଥିଵା ଵିମାନରେ ବିଜେ କରନ୍ତି । ଚାରିଦ୍ୱାର ମହାଵୀର ଓ ବାର ଭାଇ ମହାଵୀରମାନଙ୍କୁ ଆଜ୍ଞାମାଳ ଦେଵା ପରେ ଵିମାନବଡ଼ୁମାନେ ଘଣ୍ଟ, ଛତା ଓ କାହାଳୀ ସହ ଜଗନ୍ନାଥ ବଲ୍ଲଭ ମଠକୁ ଵିଜେ କରାନ୍ତି । ହନୁମାନ ଵିମାନରେ ରହିଥିଵା ଅଵସ୍ଥାରେ ପୂଜାପଣ୍ଡା ଜଗନ୍ନାଥ ବଲ୍ଲଭ ମଠରେ ଵିରାଜିତ ମହାଵୀର (ହନୁମାନ)ମାନଙ୍କୁ ଆଜ୍ଞାମାଳ ଦିଅନ୍ତି ଓ ତା'ପରେ ଦରିଆ ମହାଵୀରଙ୍କୁ ଦେଵା ନିମନ୍ତେ ଯାଆନ୍ତି । ସେଠାରୁ ଫେରଲା ପରେ ମଠଠାରେ ଭୋଗ, ବନ୍ଦାପନା ହୁଏ । ତା'ପରେ ବାହୁଡ଼ା ଵିଜେ କରାଯାଏ ଓ ହନୁମାନ ଦକ୍ଷିଣଘରକୁ ଫେରନ୍ତି । ⁠ହନୁମାନ ଆଜ୍ଞାମାଳ ପାଇ ଯିବା ପରେ ଭୋଗମଣ୍ଡପ ଭୋଗ ଶେଷ ହୋଇ ମଇଲମ, ମହାସ୍ନାନ ଓ ନୂଆଲୁଗା ନୀତି ହୁଏ । ଚନ୍ଦନ ଲାଗି, ଛଅମୂର୍ତ୍ତିି ଅଳଙ୍କାର, ମାଳଫୁଲ ଓ କର୍ପୂର ଲାଗି ହୋଇ ବେଶ ହୋଇାଥାଏ । ଦ୍ୱିପ୍ରହର ଧୂପ ଭୋଗ ଆସିଵା ପରେ ମୁଦିରସ୍ତ ପ୍ରସାଦ ଲାଗି କରନ୍ତି । ତା'ପରେ ପୂଜାପଣ୍ଡା ଷୋଡ଼ଶ ଉପଚାରରେ ପୂଜା କରନ୍ତି । ଟେରା ପଡ଼ିଵା ପରେ ଜଣେ ପୂଜାପଣ୍ଡା ବଳିଅନ୍ନ ନେଇ ମନ୍ଦିର ଚାରିପାଖେ ଦିଗବଳି କରି ଭିତରକୁ ଯାଇ ଭୋଗ ମଣୋହି କରନ୍ତି । ଏହା ପରେ ପାଣି ପଡ଼ିଲେ ପଣ୍ଡା, ପତି ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି । ପୁରୀର ଵିଭିନ୍ନ ଜାଗା ଆଖଡା଼ରେ ଏହି ଦିନ ମାଟି କୁସ୍ତି କରାଯାଇଥାଏ । ନୂତନ ଭାବେ ପାରମ୍ପରିକ ଵସ୍ତ୍ରର ପରିଧାନ କରି ଜାଗା ଆଖଡାର ସଦସ୍ୟମାନେ ହନୁମାନଙ୍କର ଆଶୀର୍ଵାଦ ନେଵା ଦଣ୍ଡ ବୈଠକ ସହ କୁସ୍ତି କସରତ କରିଥାଆନ୍ତି । ସାଧାରଣତଃ ଏହି ଦିନ ମାଟି କୁସ୍ତି କରାଯାଇଥାଏ । ପୁରୀର ପ୍ରସିଦ୍ଧ ସିଦ୍ଧ ମହାଵୀରଙ୍କର ସହ ପୁରୀ ନିକଟସ୍ଥ ଶିରୁଳି ମହାବୀର ପୀଠରେ ଭକ୍ତରଙ୍କ ପ୍ରଵଳ ସମାଗମ ହୋଇଥାଏ ।  
ଏହିପରି ଭାବେ ଶ୍ରୀମନ୍ଦିରରେ ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ହନୁମାନଙ୍କର ଜୟନ୍ତୀ ପାଳିତ ହୋଇଥାଏ । 

ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ, ସନାତନୀମାନଙ୍କର ଏହି ଚାରିଗୋଟି ଧର୍ମ ମାସ ଅଟେ । ଏହି ଚାରି ମାସ ତଥା ଏହି ଚାରି ମାସର ପୂର୍ଣ୍ଣିମା ହିନ୍ଦୁଶାସ୍ତ୍ର ଅନୁସାରେ ପୁଣ୍ୟକାଳ। ଏହି ଚାରି ମାସର ଆଦ୍ୟ ଅକ୍ଷରଦ୍ୱାରା ଗଠିତ 'ଆ କା ମା ବୈ' ଶବ୍ଦ ମତ୍ସ୍ୟପୁରାଣରେ ଅଛି। 

"ଵିଷୁଵେ ଶତ ସାହସ୍ର ମାକାମାଵୈଫଳଂ ଲଭେତ୍”

ଅର୍ଥାତ୍ ଵିଷୁଵ(ଵୈଶାଖର ପଣା ସଂକ୍ରାନ୍ତି) ସଂକ୍ରାନ୍ତିରେ ଦାନପୁଣ୍ୟାଦି କଲେ ଶତ ସହସ୍ର 'ଆକାମାଵୈ' ଅର୍ଥାତ୍ ଉକ୍ତ ଚାରି ମାସ ଓ ଚାରି ପୂର୍ଣ୍ଣିମାରେ ଅନୁଷ୍ଠିତ ଦାନ ଓ ପୁଣ୍ୟର ଫଳ ଲାଭ ହୁଏ । ସେଥିପାଇଁ ମହା ଵିଷୁଵ ପଣା ସଂକ୍ରାନ୍ତିରେ ଧାନ୍ୟଧେନୁ ଦାନ କଲେ ବହୁ ସୌଭାଗ୍ୟ, ସୁଖ ଓ ପୁଣ୍ୟଲାଭ ହୁଏ ବୋଲି ଭାରତରେ ଲୋକଵିଶ୍ଵାସ ପ୍ରଚଳିତ ଥିଲା । ମହା ଵିଷୁଵ ପଣା ସଂକ୍ରାନ୍ତି ଦିନ ପଣାସଂକ୍ରାନ୍ତିରେ ଵ୍ରତଧାରୀ ପାଟୁଆମାନଙ୍କର ଦେଵୀ ଆସ୍ଥାନ ନିକଟରେ ନିଆଁରେ ଚାଲିଵା ଓ ବାଦ୍ୟ ସହିତ ଗୀତ ବୋଲି ନାଚିଵା ପର୍ବକୁ ପଟୁଆଯାତ ,ଝାମଯାତ ଓ ଝାମୁଚଲା ଇତ୍ୟାଦି କୁହାଯାଏ । ଅଞ୍ଚଳ ଭେଦରେ ଝାମୁଯାତ ଓ ପାଟୁଆ ଯାତ ଭିନ୍ନ ଭିନ୍ନ ହୋଇଥାଏ ।‌ ଢେଙ୍କାନାଳ ଆଦି କେତେକ ଅଞ୍ଚଳରେ ଲମ୍ବାଗାତ ସହ ତହିଁର ଦୁଇପଟେ ଦୁଇଗୋଟି ଗୋଲାକାର ଗାତ ଖୋଳିଦିଆଯାଏ । ମଝି ଲମ୍ବାଗାତରେ ରଡ଼ନିଆଁ ଦିଆଯାଏ ଓ ଦୁଇପାଖରେ ଜଳ ରହିଥାଏ । ଵ୍ରତଧାରୀମାନେ ମାନସିକ କରିଥିଵା ପିଲାଙ୍କୁ ଧରି ଏଇ ରଡ଼ନିଆଁ ଉପରେ ଚାଲିଯାଆନ୍ତି । କେତେକ ଅଞ୍ଚଳର ପାଟୁଆ ଯାତ୍ରା ଦିନ ସାତଟି ଗାତ ଭୂଇଁରେ ଖୋଳା ହୋଇ ସେଥିରେ ନିଆଁ ଦହକୁ ଥାଏ। ଅନ୍ଯ ଗୋଟିଏ ଗାତରେ ଦୁଧ ଓ ପାଣି ପୂର୍ଣ୍ଣ ଥାଏ। ଵ୍ରତଧାରୀ ବ୍ଯକ୍ତି ଦୁଧପାଣି ଥିଵା ଗାତରେ ଗୋଡ଼ ବୁଡ଼ାଇ ସାରି ତାପରେ ନିଆଁ ଜଳୁଥିବା ୭ଟି ଗାତରେ ଏକାଦିକ୍ରମେ ଗୋଡ଼ ଦେଇ ଦେଇ ଚାଲିଯାଏ ଓ ତାହା ଗୋଡ଼ରେ ଫୋଟକା ହୁଏ ନାହିଁ। କଟକ ଜିଲ୍ଲାର ବାଙ୍କି ଓ କେତେକ ଗଡ଼ଜାତରେ ଏ ଯାତ ହୁଏ। ସେ ଦିନ ଓ ତା ପରେ କେତେ ଦିନ ପର୍ଯ୍ୟନ୍ତ ଵ୍ରତଧାରୀମାନେ ବେଶ ପିନ୍ଧି ଗ୍ରାମ ଗ୍ରାମ ବୁଲି ବାଦ୍ୟ ସହ ନାଚନ୍ତି ଓ ଗୀତ ଗାଆନ୍ତି ।


ଦଣ୍ଡନାଚ ସହିତ ମହାଵିଷୁଵ ପଣା ସଂକ୍ରାନ୍ତିର ଗଭୀର ସମ୍ପର୍କ ରହିଛି । 
ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ ଏହା ଓଡ଼ିଶାର କଟକ, ଅନୁଗୋଳ, ଢେଙ୍କାନାଳ ଆଦି ଵିଭିନ୍ନ ଅଞ୍ଚଳରେ ପାଳିତ ହେଉଥିଲେ ବି ଗଞ୍ଜାମ ଜିଲ୍ଲାର ଏହା ଏକ ପ୍ରମୁଖ ଲୋକ ପର୍ଵ ଅଟେ। ଦଣ୍ଡନାଚ ଗ୍ରାମାଞ୍ଚଳରେ କାମନା ଦଣ୍ଡ ଭାବେ ପରିଚିତ ତଥା ଠାକୁରାଣୀଙ୍କ ଆସ୍ଥାନ ନିକଟସ୍ଥ ଯେଉଁ ତୋଟାରେ କାମନା ଦଣ୍ଡ ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ପାଳିତ ହୁଏ ସେହି ତୋଟାକୁ କାମନା ତୋଟା କୁହାଯାଏ। ଚୈତ୍ର ମାସ ଆରମ୍ଭରୁ ଵୈଶାଖ ମାସ ପ୍ରଥମ ଦିନ ପର୍ଯ୍ୟନ୍ତ ଦଣ୍ଡନାଚ ଅନୁଷ୍ଠିତ ହୋଇଥାଏ । ଦଣ୍ଡରେ ମିଶିଥିଵା ଭକ୍ତଙ୍କୁ ଦଣ୍ଡୁଆ ଵା ଭୋକ୍ତା କୁହନ୍ତି । ଦଣ୍ଡୁଆ ଵା ଭୋକ୍ତାମାନେ ବହୁ କଷ୍ଟ କରି ଶରୀରକୁ ଦଣ୍ଡ ଦେଉଥିଵାରୁ ଏହି ନାଚକୁ ଦଣ୍ଡନାଚ କୁହାଯାଏ । ଦଣ୍ଡ ନାଚରେ ଯୋଗ ଦେଵା ଦ୍ୱାରା ମା'କାଳୀଙ୍କ ଅସୀମ କୃପାରୁ ପାପ ଓ ଦୁଖ ଦୂର ହୋଇ ମାନବ ଶାନ୍ତି ଓ ଧନ ପ୍ରାପ୍ତ ହୁଏ ବୋଲି ଓଡ଼ିଶାରେ ଲୋକଵିଶ୍ୱାସ ପ୍ରଚଳିତ । ଦଣ୍ଡନାଚରେ ୧୩ଜଣ ମୁଖ୍ୟଭୋକ୍ତା ଥାଆନ୍ତି ଏଵଂ ଏହି ୧୩ଜଣ ତେର ଵର୍ଷ ପାଇଁ ଅଂଶଗ୍ରହଣ କରିଵାକୁ ବାଧ୍ୟ । ସେମାନଙ୍କ ମଧ୍ୟରେ ଜଣେ ପାଟଭୋକ୍ତା ଥାଆନ୍ତି । ଭୋକ୍ତାମାନଙ୍କ ପାଇଁ କଠିନ ଆଚରଣ, ନିଷ୍ଠା ଏଵଂ ତ୍ୟାଗର ଵିଧିଵିଧାନ ଅଛି । ଦଣ୍ଡୁଆ ଵା ଭୋକ୍ତାମାନେ ଷୋହଳ ପ୍ରକାରର ଦଣ୍ଡ ପରମ୍ପରା ଅନୁସାରେ ଗ୍ରହଣ କରନ୍ତି ସେଗୁଡ଼ିକ ହେଲା: ଆହାର, ଉଜାଗର (ନିଦ୍ରା), ମୈଥୁନ ତ୍ୟାଗ, ଗୃହତ୍ୟାଗ, ପଦଗମନ, ଶ୍ମଶାନ, ନୃତ୍ୟ, ଧୂଳି, ପାଣି, ଅଗ୍ନି, ଗୃହଦଣ୍ଡ, ଅଙ୍ଗବଳୀ, ମେରୁପଟା (କଣ୍ଟା ଫୋଡ଼ିଵା), ଶୁଦ୍ଧିକ୍ରିୟା, କୁଳଭୋଜି ଓ ଅଗ୍ନି ପରିକ୍ଷା (ଅଗ୍ନିରେ ଚାଲିବା) । ଲିଆ, ପଣା ତଥା ମୁଗସିଝା ଏମାନଙ୍କର ଖାଦ୍ୟ ଏଵଂ ଦଣ୍ଡଯାତ ସମୟରେ ଦଣ୍ଡିଆ ଵା ଭୋକ୍ତାମାନଙ୍କ ପାଇଁ ରାଜସିକ ତଥା ତାମସିକ ଖାଦ୍ୟ ଭକ୍ଷଣ ନିଷେଧ ଅଟେ । ଭୋକ୍ତାମାନେ ଶିଵ, ପାର୍ଵତୀ, କାଳୀ, କଳସ, ବେତ, ଛତ୍ର, ବାନା, ଆଲଟ, ଚାମର, ଘଣ୍ଟ, ଢୋଲ, ମହୁରୀ, ଶଙ୍ଖ, ତୁରୀ ଧରି ଗାଁକୁ ଗାଁ ବୁଲନ୍ତି । ମାନସିକ କରିଥିଵା ଵ୍ୟକ୍ତି ସେମାନଙ୍କୁ ନିମନ୍ତ୍ରଣ କରନ୍ତି । ଷୋହଳ ସୁଆଙ୍ଗ ଦଣ୍ଡନାଚର ମୁଖ୍ୟ ଆକର୍ଷଣ । ଯଜମାନଙ୍କ ମନସ୍କାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରି ପାଣିଦଣ୍ଡ, ଧୂଳି ଦଣ୍ଡ, ଵଜ୍ର ଦଣ୍ଡ, ଅଗ୍ନି ଦଣ୍ଡ, ନୃତ୍ୟ ଦଣ୍ଡ ଆଦି ବରଣ କରନ୍ତି । ପ୍ରଚଣ୍ଡ ଖରାରେ ତତଲା ବାଲି ଉପରେ ଗଡ଼ି, ପିରାମିଡ଼ କରି ଭୋକ୍ତା/ଦଣ୍ଡୁଆମାନେ ପାଣିଦଣ୍ଡ ନୃତ୍ୟ ପରିବେଷଣ କରନ୍ତି । ଶିବ ପାର୍ଵତୀ, ଯୋଗିଯୋଗିଆଣୀ, କେଳା କେଳୁଣୀ, ଶବର ଶବରୁଣୀ, ହାଡ଼ି ହାଡ଼ିଆଣୀ, ଚଢ଼େୟା ଚଢ଼େୟାଣୀ, ବୀଣାକାର ଇତ୍ୟାଦି ସୁଆଙ୍ଗ ଦର୍ଶକମାନଙ୍କୁ ଆକୃଷ୍ଟ କରେ । ସୁଆଙ୍ଗବେଳେ ଚରିତ୍ରକୁ ଚାହିଁ ବେଶ ପୋଷାକ ପିନ୍ଧିଥାନ୍ତି ।ପୌରାଣିକ, କୃଷିଭିତ୍ତିକ ଏବଂ ସାଧାରଣ ଜୀଵନ ଦର୍ଶନର ପ୍ରଭାବ ଦଣ୍ଡନାଟ ସୁଆଙ୍ଗରେ ଦେଖିଵାକୁ ମିଳିଥାଏ । ଗଞ୍ଜାମ ଜିଲ୍ଲାର ଦଣ୍ଡନାଚରେ ଘୋଟଣା ନୃତ୍ୟ ଭଳି କେତେକ ସ୍ଵାତନ୍ତ୍ର୍ୟ ବି ରହିଛି । ଦଣ୍ଡନାଚରେ ଅତି ସରଳ ଗ୍ରାମୀଣ ଭାଷା ଵ୍ୟଵହାର କରାଯାଇଥାଏ । ଵିଷୁବ ସଂକ୍ରାନ୍ତି ଦିନ ଏହି ଦଣ୍ଡନାଚ ଶେଷ ହୁଏ ଏଵଂ ଏହି ଶେଷଦିନକୁ ମେରୁ ପୂଜା କୁହାଯାଏ । ପ୍ରଜ୍ଜ୍ୱଳିତ ଅଗ୍ନି ଉପରେ ମେରୁ ଖୁଣ୍ଟରେ ଝୁଲି ପାଟଭୋକ୍ତା ଭକ୍ତମାନଙ୍କ ପାଇଁ ଶାରିରୀକ କଷ୍ଟ ଗ୍ରହଣ କରନ୍ତି । ଘଣ୍ଟ, ଝାଞ୍ଜ ଓ ଢୋଲ ଇତ୍ୟାଦି ଵାଦ୍ୟଯନ୍ତ୍ର ବାଜୁଥିଵା ବେଳେ ଭୋକ୍ତାମାନଙ୍କ କଳାରୁଦ୍ରମଣିକି ଭଜ ହେ ଧ୍ୱନି ଶ୍ରଦ୍ଧାଳୁଙ୍କ ମନରେ ଭୟ ମିଶ୍ରିତ ଭକ୍ତି ଭାବ ସୃଷ୍ଟି କରିଥାଏ । ଏହାର ପରଦିନ କୁଳଭୋଜି ହୁଏ, ସମସ୍ତେ ଏକାଠି ବସି ଖାଆନ୍ତି ଓ ନିଜ ନିଜର ଶୁଦ୍ଧିକ୍ରିୟା କରି ଭୋକ୍ତାମାନେ ଘରକୁ ବାହୁଡ଼ନ୍ତି । ମହାଵିଷୁଵ ସଂକ୍ରାନ୍ତି ମାସଯାକ ପାଳିତ ହେଉଥିଵା ଦଣ୍ଡନାଚର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଵସ ହୋଇଥିଵାରୁ ଏହି ଦିନ ଶେଷ ଦଣ୍ଡ ଠାକୁରାଣୀ ଆସ୍ଥାନ ନିକଟରେ ଧୁମ୍‌ଧାମରେ ଆୟୋଜିତ ହୋଇଥାଏ । 

ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଆଦି ଉତ୍ତର ଓଡ଼ିଶା ଜିଲ୍ଲାମାନଙ୍କରେ ଲୋକେ ପଣାସଂକ୍ରାନ୍ତିକୁ ଚଡ଼କପର୍ଵ ଵା ଚଡ଼କଯାତ୍ରା ନାମରେ ପାଳନ କରିଥାନ୍ତି । ପାଟୁଆନାଚ,ଦଣ୍ଡଯାତ ପରି ଚଡ଼କଯାତ୍ରାରେ ଭାଗ ନେଉଥିଵା ଭୋକ୍ତା ଵା ପାଟୁଆମାନେ ମଧ୍ୟ ଦେଵତାଙ୍କୁ ପ୍ରସନ୍ନ କରାଇଵାକୁ ନିଜକୁ ନାନା ରୂପେ ଦଣ୍ଡିତ କରିଥାନ୍ତି । ଚଡ଼କ ଯାତ ଅଵସରରେ ଉତ୍ତର ଓଡ଼ିଶାରେ ଗରମ ଝୁଣାକୁ ପାଟୁଆମାନଙ୍କ ପିଠିକୁ ଫୋପାଡି଼ ସେମାନଙ୍କ ପିଠି ଚମକୁ ବଧିରା କରି ଦିଆଯାଏ। ଏହାପରେ ବନିଶୀକଣ୍ଟାପରି ଏକ ମୁନିଆଁ ହୁକକୁ ପିଠିରେ ଫୁଟାଇ ଦିଆଯାଏ ଓ ସେହି ହୁକକୁ ଦଉଡ଼ି ସାହାଯ୍ୟରେ ଏକ ନମନୀୟ ବାଉଁଶରେ ଗୋଟିଏ ପାଖରେ ଲଗାଯାଏ। ଏହି ନମନୀୟ ବାଉଁଶ ଵା ବାହୁଙ୍ଗୀକୁ ୨୦/୨୫ ହାତ ଉଚ୍ଚା ଏକ ବାଉଁଶ ଉପରେ ତରାଜୁ ପରି ରଖାଯାଏ। ଯେଉଁ ବାଉଁଶଟିରେ ପାଟୁଆକୁ ଓହଳା ଯାଇଥାଏ ତା’ର ଆରପାଖକୁ ଦଉଡି ଲଗାଇ ପାଟୁଆକୁ ଶୂନ୍ୟରେ ୭ରୁ ୨୧ ଘେରା ଘୁରାନ୍ତି। ତା’ପରେ ପାଟୁଆକୁ ସେଥିରୁ ମୁକ୍ତ କରନ୍ତି ଓ ସେ ମାସେ ଯାଏ ଗାଁରେ ବୁଲି ବାଜା ସହିତ ନାଚେ ଓ ଗୀତ ଗାଏ । ଦଣ୍ଡଯାତର ଦଣ୍ଡୁଆ ଵା ଭୋକ୍ତା ଆଉ ପାଟୁଆଯାତ ତଥା ଚଡ଼ ଯାତର ପାଟୁଆମାନେ ହିଁ ପ୍ରକୃତ ଅର୍ଥରେ
ଶୈଵ ଅଟନ୍ତି । ଶିଵ ପୂଜା ହିଁ ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ । ଏହି
ପାଟୁଆ ଯାତ୍ରାର ଉତ୍ପତ୍ତି ସମ୍ପର୍କରେ ଡଃ କୁଞ୍ଜବିହାରୀ ଦାଶ
ଲେଖିଛନ୍ତି— ”ବୌଦ୍ଧତନ୍ତ୍ରର ଆସ୍ଵାଦ ଲୋକେ ଭୁଲି ପାରିଲେ ନାହିଁ । ଏହା ଶୈଵଧର୍ମ ଭିତରେ ଶୈଵତନ୍ତ୍ରରେ ଦେଖାଦେଲା । ଶୈଵଧର୍ମର ନାଗା ସନ୍ନ୍ୟାସୀମାନେ ଶବ କଙ୍କାଳ ଉପରେ
ସାଧନା କଲେ । କେତେକ ଊର୍ଦ୍ଧବାହୁ, ଆକାଶମୁଖୀ ହୋଇ,କେତେକ ଵା ବୃକ୍ଷ ଶାଖାରେ ପଦ ଦୁଇ ବନ୍ଧନ କରି ଯଜ୍ଞକୁଣ୍ଡରେ ମୁଣ୍ଡ ଝୁଲାଇ ସାଧନା କରିଵାକୁ ଲାଗିଲେ । ଶିଵଙ୍କ ଅନୁଗ୍ରହ ଲାଭ ଏହି ସାଧନାର ଉଦ୍ଦେଶ୍ୟ । ଏହି ସଂପ୍ରଦାୟରୁ
ପାଟୁଆ, ଚଡ଼କ ପୂଜା ଓ ଦଣ୍ଡନାଟର ଜନ୍ମ । ଏହି ଅନୁସାରେ ଦେଖାଯାଏ ପାଟୁଆମାନେ ନାଚନ୍ତି ଓ ଗୀତ ଗାଆନ୍ତି। ଗୀତରେ
କେଵଳ ଶିଵପାର୍ବତୀଙ୍କର ସ୍ତୋତ୍ର ପାଠ କରାଯାଇଥାଏ । ସେମାନେ ଅଧିକାଂଶ ସମୟ ପ୍ରଚଣ୍ଡ ଖରାରେ ଓ ଅଗ୍ନି ମଧ୍ୟରେ
ଚାଲିଚାଲି ପିଠିରେ ବେତ୍ର ପ୍ରହାର କରି ଶିଵଙ୍କ ପ୍ରତି ନିଜର ଅଚଳାଭକ୍ତି ପ୍ରଦର୍ଶନ କରନ୍ତି । ଏହି ପାଟୁଆ ନାଟରେ ଵାଦ୍ୟ
ଭାଵରେ କେଵଳ ଢୋଲ ଵ୍ୟଵହାର କରାଯାଏ । ଏଥିରେ କିନ୍ତୁ ଅଭିନୟ ନଥାଏ । କେଵଳ ଭକ୍ତି ଭାବରେ ତନ୍ମୟ ନୃତ୍ୟ
ହିଁ ଏହାର ପ୍ରଧାନ କଥା ।” 

ଅସ୍ତୁ, ପାଟୁଆଯାତ,ଦଣ୍ଡନାଚ ତଥା ଚଡ଼କଯାତର ଵ୍ରତଧାରୀମାନେ ସମାଜକୁ କଠୋର ତାପ ସହ୍ୟ କରିଵାର ଶକ୍ତି ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥାନ୍ତି ‌। ଜୀଵନ ଯେତେ ଦୁଃଖମୟ ହେଲେ ବି ସେହି ଦୁଃଖ ଶୋକକୁ ଈଶ୍ବରଙ୍କର ଦଣ୍ଡ ଵା ପରୀକ୍ଷା ମନେ କରି ସହ୍ୟ କରିନେଲେ ଜୀଵନ ଈଶ୍ଵରମୟ ହୋଇଯାଏ । ତେବେ କଳିଙ୍ଗର ପାରମ୍ପରିକ ଦଣ୍ଡନାଚ,ପାଟୁଆଯାତ ଓ ଚଡ଼କଯାତ୍ରାରେ ଏକ ପ୍ରମୁଖ ଦିଵସ ଭାବରେ ମହାଵିଷୁଵ ପଣା ସଂକ୍ରାନ୍ତି କଳିଙ୍ଗୀମାନଙ୍କ ଦ୍ଵାରା ମାନ୍ୟତାପ୍ରାପ୍ତ ହୋଇଅଛି । 


ପୁଣି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ଆଗେ ମେଷ ସଂକ୍ରାନ୍ତି ଦିନ ଶିଶୁମାନଙ୍କ ପେଟରେ ଚଡ଼ୁ ଦେଵା ପ୍ରଥା ପ୍ରଚଳିତ ଥିଲା ଏଵଂ ଏହାକୁ ଲଛା କୁହାଯାଉଥିଲା । ଚଡ଼ୁ କାଠିକୁ ନିଆଁରେ ପଚାଇ ଶିଶୁମାନଙ୍କ ପେଟରେ ଲାଛି ଦେଲେ ପେଟରେ ଶିରା ଦୋଷ ଓ ନାଡ଼ୀ ଦୋଷ ଦେଖାଯାଏ ନାହିଁ ବୋଲି ଲୋକଵିଶ୍ଵାସ ପ୍ରଚଳିତ ଥିଲା । 

ସେହି ମହା ଵିଷୁଵ ପଣା ସଂକ୍ରାନ୍ତି ପୁଣି କଳିଙ୍ଗୀମାନଙ୍କ ପାଇଁ ହୋଇଯାଇଛି ପଣାପାଣିର ଏକ ଵୈଜ୍ଞାନିକ ଉତ୍ସଵ । 
ଵୈଶାଖମାସଠାରୁ ଗ୍ରୀଷ୍ମପ୍ରଵାହ ବୃଦ୍ଧି ପାଏ,ଵାୟୁର ବେଗ ବଢି଼ଯାଏ ଏଵଂ ଜଳାଭାଵ ଦେଖାଦିଏ । କଳିଙ୍ଗର ଲୋକେ ଏଥିରୁ ରକ୍ଷା ପାଇଵା ପାଇଁ ଗ୍ରୀଷ୍ମ ଦୁଇମାସ ଵୃକ୍ଷ ଓ ଜୀଵଙ୍କୁ ଜଳଦାନ କରନ୍ତି ତଥା ନିଜକୁ ଅଂଶୁଘାତରୁ ରକ୍ଷା କରିଵା ପାଇଁ ପଣାପାନ କରନ୍ତି । ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇଵା ସହ ପାଚନ ଶକ୍ତି ମଧ୍ୟ ବଢ଼ିଥାଏ । ଗରିଷ୍ଠ ଖାଦ୍ୟ ହଜମ ହେଉଥିଵାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ କରାଯାଏ । ଵୈଶାଖ ମାସର ପଣାସଂକ୍ରାନ୍ତି ଦିନ ଲୋକେ ବ୍ରାହ୍ମଣଙ୍କୁ ଛତା, ବିଞ୍ଚଣା, ଛତୁଆ ଓ ପଣା ଦାନ କରନ୍ତି। କଞ୍ଚା ଶସ୍ୟର ଚୂନାକୁ ଅଟା ଵା ଚୂନା କହନ୍ତି, ଭଜା ଶସ୍ୟର ଚୂନାକୁ ଛତୁ ଵା ଛତୁଆ କହନ୍ତି। ବୈଦ୍ୟଶାସ୍ତ୍ର ମତରେ ଯଵର ଛତୁ ଅଗ୍ନିଦୀପକ, ବଳକାରକ, ଲଘୁ, କଫପିତ୍ତନାଶକ, ଶୁକ୍ରବର୍ଦ୍ଧକ, ଶରୀରର ଉପଚୟକାରକ, ଭେଦକ, ତୃପ୍ତିକାରକ, ଶ୍ରାନ୍ତି, ବ୍ରଣ ଓ ନେତ୍ରରୋଗ ନାଶକ। ଏଥିପାଇଁ ତ ଭାରତରେ ଵୈଶାଖ ଶୁକ୍ଳପକ୍ଷରେ, ଵିଷୁଵ ସଂକ୍ରାନ୍ତି ଓ ଅକ୍ଷୟତୃତୀୟା ଦିନ ଯଵଚୂର୍ଣ୍ଣର ପିଣ୍ଡରେ ଶ୍ରାଦ୍ଧ କରାଯିଵାର ପରମ୍ପରା ବହୁ ପ୍ରାଚୀନ କାଳରୁ ପ୍ରଚଳିତ ଅଛି । ପୃଥିଵୀରେ ପାରମ୍ପରିକ ପର୍ଵ ତ ଅନେକ ଅଛି କିନ୍ତୁ ଏତେ ସବୁ ଦେଶରେ ଵିଭିନ୍ନ ରୂପରେ ଗୋଟିଏ ପର୍ଵକୁ ଶୈଵ,ଶାକ୍ତ,ଶିଖ୍, ବୌଦ୍ଧ,ଵୈଷ୍ଣଵ ଆଦି ପନ୍ଥର ଲୋକେ ପାଳନ କରିଵା କ୍ଵଚିତ ଦେଖାଯାଏ । ସବୁଠାରୁ ବଡ଼ କଥା ହେଲା ମହାଵିଷୁଵ ପଣା ସଂକ୍ରାନ୍ତି ଦିନଟି କଳିଙ୍ଗ ଦେଶର ଜାତୀୟ ଦିଵସ ଭାବରେ ମହା ଆଡ଼ମ୍ବରରେ ପାଳିତ ହୋଇଥାଏ । ଏହି ମହା ଵିଷୁଵ ପଣା ସଂକ୍ରାନ୍ତି ହିଁ ଆମର ପ୍ରକୃତ ପ୍ରାଚୀନ ନଵଵର୍ଷ ଯାହା ପ୍ରାୟ ଦୁଇ ସହସ୍ରାଧିକ ଵର୍ଷ ଧରି କଳିଙ୍ଗ ଦେଶର ପାରମ୍ପରିକ ନଵଵର୍ଷ ରୂପେ ପାଳିତ ହୋଇଆସୁଛି । ତେବେ ମହାଵିଷୁଵ ପଣା ସଂକ୍ରାନ୍ତି କେଵଳ କଳିଙ୍ଗର ହିଁ ନୁହେଁ ଭାରତର ଵିଭିନ୍ନ ଜନଜାତି ତଥା ଏସିଆର ଵିଭିନ୍ନ ଦେଶର ପାରମ୍ପରିକ ନଵଵର୍ଷ ରୂପରେ ଜଣାଶୁଣା ତେଣୁ ଏହା ଆଞ୍ଚଳିକ ନଵଵର୍ଷ ନୁହେଁ ଵରଂ ଏକ ଜାତୀୟ ତଥା ଅନ୍ତର୍ଜାତୀୟ ନଵଵର୍ଷ ଅଟେ । ମହାଵିଷୁଵ ପଣା ସଂକ୍ରାନ୍ତିର ଵ୍ୟାପକତା , ଵୈଜ୍ଞାନିକତା ଓ ଵିଶିଷ୍ଠତା ଏହାକୁ ଭାରତଵର୍ଷର ସବୁଠାରୁ ଶ୍ରେଷ୍ଠ ମହାନ ଉତ୍କୃଷ୍ଟ ସନାତନୀ ନଵଵର୍ଷ ଭାବେ ପ୍ରତିଷ୍ଠିତ କରିପାରିଛି ।

Friday, April 7, 2023

ଗଦବାମାନଙ୍କର କୃଷିଭିତ୍ତିକ ଘୋଟନା(ଘଟ୍‌ନା) ପର୍ଵ ଓ ଗଞ୍ଜାମର ଦଣ୍ଡନାଚରେ ଏହାର ସ୍ବରୂପ

ଦଣ୍ଡନାଚରେ ଵିଶେଷତଃ ଗଞ୍ଜାମର ଦଣ୍ଡନାଚରେ ଜନଜାତୀୟ ସଂସ୍କୃତିର ଵିଶେଷ ପ୍ରଭାଵ ପଡ଼ିଛି । ଗଞ୍ଜାମର ଦଣ୍ଡନାଚରେ ଜନଜାତୀୟ ସଂସ୍କୃତି ସହିତ ଜଡ଼ିତ ଘୋଟଣା ନାଚ ଓ ଗୀତ ପରିଵେଷଣ କରାଯାଏ ‌ । ଅନ୍ୟ ଅଞ୍ଚଳର ଦଣ୍ଡନାଚରେ ଏଭଳି ପରମ୍ପରା ପ୍ରଚଳିତ ଥିଵା ଜଣାଯାଏ ନାହିଁ । 

ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ଘୋଟଣା ଶବ୍ଦର ଅର୍ଥ ଓ ଵ୍ୟଵହାର ଭିନ୍ନ ଭିନ୍ନ ହୋଇଥାଏ । ଯେଉଁ ଦଣ୍ଡରେ ଘୋଟିଵା କାର୍ଯ୍ୟ ହୁଏ ତାକୁ ପୂର୍ଵାଞ୍ଚଳରେ ଘୋଟଣା କୁହାଯାଏ । ଓଡ଼ିଶାର କେତେକ ଉପକୂଳଵର୍ତ୍ତୀ ଅଞ୍ଚଳରେ ପଥର ଚକିକୁ ଲୋକେ ଘୋଟଣା କହିଥାନ୍ତି ।‌ କେତେକ ଅଞ୍ଚଳରେ ଶିଳ ଆଦି ବାଟଣା ୟନ୍ତ୍ରକୁ ଘୋଟଣା କୁହାଯାଏ । ଭାଙ୍ଗ ବଟା ଯାଉଥିଵା ଶିଳକୁ କିଛି ଅଞ୍ଚଳରେ ଘୋଟଣା କୁହାଯାଏ । କିନ୍ତୁ ଓଡ଼ିଶାର ଦକ୍ଷିଣାଞ୍ଚଳରେ ଘୋଟଣା ଶବ୍ଦର ଅର୍ଥ ଭିନ୍ନ ଅଟେ । ଏ ଅଞ୍ଚଳରେ ଆଗେ “ବିଲକୁ ସ୍ତ୍ରୀଲୋକମାନେ ଘରୁ ଖାଦ୍ୟ ନେଇଯିଵା” ପ୍ରଥାକୁ ଘୋଟଣା କୁହାଯାଉଥିଲା ‌ । କଥିତ ଓଡ଼ିଆ ଶବ୍ଦକୋଷରେ ମଧ୍ୟ ଘୋଟଣା ଶବ୍ଦର ଅର୍ଥ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଲକୁ ନିଆଯିଵା ଭାତ ବୋଲି ଉଲ୍ଲେଖ ରହିଛି । 


ଓଡ଼ିଆ ଘୋଟିଵା କ୍ରିୟାରୁ ଘୋଟଣା ଶବ୍ଦ ସୃଷ୍ଟି ହୋଇଛି । ବାଟିଵା,ଘାଣ୍ଟିଵା,ବେଢି଼ଵା,
ଘେରିଵା,ଘୋଡ଼ାଇଵା,ଢାଙ୍କିଵା,ଆଚ୍ଛାଦିଵା,ଵ୍ୟାପିଵା,ଆକ୍ରମଣ କରିଵା, ଆକ୍ରାନ୍ତ କରିଵା ଆଦି ଅର୍ଥରେ ଓଡ଼ିଆ ଭାଷାରେ ଘୋଟିଵା କ୍ରିୟା ଵ୍ୟଵହୃତ ହୋଇଥାଏ । ଘୋଟିଵା କ୍ରିୟାରୁ ଆଚ୍ଛାଦିଵା,ଘୋଡ଼ାଇଵା ଅର୍ଥ ଘେନି ଘୋଟଣା ଶବ୍ଦ ସୃଷ୍ଟି ହୋଇଛି । ପ୍ରକୃତରେ ବିଲକୁ ଖାଦ୍ୟ ନେଇ ଗଲାବେଳେ ଏହା ଉପରେ କାହାର କୁଦୃଷ୍ଟି ନପଡ଼ୁ ସେଥିପାଇଁ ମହିଳାମାନେ ତାକୁ ଯତ୍ନରେ ଘୋଡ଼ାଇ ନେଇଥାନ୍ତି । ସେଥିପାଇଁ ଏହାର ନାମକରଣ ଘୋଟଣା କରାଯାଇଛି । ଗଞ୍ଜାମରେ ଘୋଟଣା ଶବ୍ଦ ଏକ ବହୁପ୍ରଚଳିତ ଶବ୍ଦ ଥିଲା ତେଣୁ ସାହିତ୍ୟରେ ମଧ୍ୟ ଏ ଶବ୍ଦ ପ୍ରୟୋଗ କରାଯାଇଛି। 

“କେଉଁଠାରେ ପୁଣି କନ୍ଧ ବାମାଗଣ,
ହୋଇଥାନ୍ତି ଠିଆ ଘୋଟଣା ଘେନିଣ।”
(ତାରିଣୀଚରଣ. ଋଷିକୁଲ୍ୟା।)

ଗଞ୍ଜାମଵାସୀ ଆଜି ବି ଧୂଳିଦଣ୍ଡ ସମୟରେ ଘୋଟଣା ନାଚ ଓ ଘୋଟଣା ଗୀତ ଗାଇଥାନ୍ତି ‌। ଗଞ୍ଜାମ ଜିଲ୍ଲାରେ ଧୂଳିଦଣ୍ଡ ସମୟରେ ଦେଵୀ ମାଆଙ୍କ ଭୂମି ଚାଷ କରିଵା ଵିଧି ସବୁ ଅଭିନୀତ ହୋଇଥାଏ ଏଵଂ ତନ୍ମଧ୍ୟରେ “ଚଷା ପାଇଁ ବିଲକୁ ଘୋଟଣା ନେଇ ଯିଵା”, ମନ୍ଦିର ନିର୍ମାଣ କରିଵା, ହଳ ଚଳାଇଵା, ଲୁଗା ବୁଣିଵା, ହଳଦୀ ବାଟିଵା, କୂଅ ଖୋଳିଵା ଓ ଶସ୍ୟ ଅମଳ କରିଵା ଇତ୍ୟାଦି ଦୃଶ୍ୟକୁ ଟାହିଟାପରା ଦ୍ବାରା ପରିଵେଷଣ କରାହୁଏ ଯାହା ଦେଖିଵାକୁ ଆମୋଦକର ହୋଇଥାଏ । ଢେଙ୍କାନାଳ ଆଦି ଓଡ଼ିଶାର ଅନ୍ୟ ଅଞ୍ଚଳର ଧୂଳିଦଣ୍ଡରେ ଦେଵୀଙ୍କର ଚାଷାଵାସ ଵିଷୟରେ ଵର୍ଣ୍ଣନା ଥିଲେ ବି ତହିଁରେ ଘୋଟଣା ନୃତ୍ୟ ଓ ଗୀତ ନଥାଏ । ଏହା ଗଞ୍ଜାମ ଜିଲ୍ଲାର ଦଣ୍ଡର ଏକ ମୌଳିକତା । ପୂର୍ଵକାଳରେ ଗଞ୍ଜାମ ଜିଲ୍ଲାର ଧୂଳିଦଣ୍ଡରେ ପୁରୁଷମାନେ ମାଇପି ବେଶ ଧାରଣ କରି ବିଲକୁ ଖାଦ୍ୟ ନେଇ ଯିଵାର ଅଭିନୟ କରୁଥିଲେ । କ୍ରମଶଃ ଏଥିରେ କିନ୍ନରମାନେ ଭାଗ ନେଵାକୁ ଲାଗିଲେ । ଆଜିକାଲି ଷାଠିଏ ସତୁରୀ ଭାଗ ଦଣ୍ଡନାଚର ଘୋଟଣା ନୃତ୍ୟ ଓ ଗୀତ ପାଇଁ କିନ୍ନରମାନଙ୍କୁ ଦଣ୍ଡନାଚ ସମୟରେ ଡକାଯାଉଛି । ଧୂଳିଦଣ୍ଡ ସମୟରେ କିନ୍ନରମାନଙ୍କୁ ଯୋଡି଼ଵାକୁ ନେଇ ଏକପ୍ରକାରର ପ୍ରତିଯୋଗିତା ଲାଗିରହିଛି । କେତେକ ପାରମ୍ପରିକ ଘୋଟଣା ଗୀତକୁ ଛାଡ଼ି ଦେଲେ ଅଧିକାଂଶ ଘୋଟଣା ଗୀତ ପୂର୍ଵରୁ ଲେଖା ହୋଇନଥାଏ ଵରଂ ଗାୟକ ଦ୍ଵାରା ରଚିତ ହୋଇଥାଏ ଏଵଂ ଗାୟନ ସମୟରେ ଶବ୍ଦ ମନେ ନପଡି଼ଲେ ପରିଵର୍ତ୍ତିତ ମଧ୍ୟ ହୋଇପାରେ । ଅଧୁନା କେତେକ ଅଞ୍ଚଳରେ ଅଶ୍ଳୀଳ ଶବ୍ଦଯୁକ୍ତ କେତେକ ଘୋଟଣା ଗୀତ ଗାୟନ ଯୋଗୁଁ ଏହି ପ୍ରସଙ୍ଗକୁ ନେଇ ସାମାଜିକ ଗଣମାଧ୍ୟମରେ ତର୍କ ଵିତର୍କ ଆରମ୍ଭ ହୋଇଯାଇଥିଲା । 

ତେବେ ବହୁତ କମ୍ ଲୋକ ଜାଣିଥିବେ ଯେ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଠିକ୍ ଏହି ସମୟରେ ଗଦବା ଜନଜାତିର ଲୋକେ ଏକ କୃଷିଭିତ୍ତିକ ପର୍ଵ ପାଳନ କରିଥାନ୍ତି 
ଯାହାକୁ “ଘୋଟନା ଵା ଘଟ୍‌ନା ପରଵ୍” କୁହାଯାଏ । ଚଇତି ପର୍ଵ ଚୈତ୍ର ପୂର୍ଣ୍ଣିମାରେ ସମାପନ ପରେ ଗାଦବାମାନେ ଚାଷକର୍ମ ଆରମ୍ଭ କରନ୍ତି । ଵର୍ଷର ପ୍ରଥମ କୃଷି କର୍ମ ପାଇଁ ଜମିକୁ ହଳ କରିଵା ସକାଶେ ପୁରୁଷମାନେ ବାହାରି ଯାଆନ୍ତି । ଖାଇଵାବେଳ ହେଲେ ସ୍ତ୍ରୀମାନେ ଏହି ଅନ୍ନ ଵ୍ୟଞ୍ଜନାଦି ନେଇ ସେମାନଙ୍କୁ ଜମି(ବେଡ଼ା)ରେ ଖୁଆଇଥାନ୍ତି । ଏହି ଅନ୍ନ ଵ୍ୟଞ୍ଜନକୁ ‘ ଘଟନା’ କୁହାଯାଏ । ଘଟନା ପରଵ୍ ହେଉଛି ଗଦବାମାନଙ୍କ ବିହନ ବୁଣା ପର୍ଵ । ଏହି ପର୍ଵରେ ଗାଦବାମାନେ ଚୈତ୍ର ଶେଷ ଵା ଵୈଶାଖ ଆରମ୍ଭରେ ପ୍ରତିଘରୁ ବିହନ ସଂଗ୍ରହ କରି ଜମିରେ ବୁଣନ୍ତି । ବୁଣିଵା ପର୍ଵ ସରିଲା ପରେ ଘଟନା ପରଵ ଆରମ୍ଭ ହୁଏ । ଏହି ପରଵରେ ଘଟନା (ଘୋଟନା ଵା ଘୋଟଣା) ଖାଇଵା ପାଇଁ ସ୍ତ୍ରୀଲୋକମାନେ ଭାତ, ସାଦା ତିଅଣ, ମାଂସ ତରକାରୀ, ମାଛ ତରକାରୀ ଆଦି ସ୍ତ୍ରୀଲୋକମାନେ ଯେଝା ମତେ ରାନ୍ଧି ଜମିକୁ ଧରି ଯାଆନ୍ତି । ଏହାକୁ ଘୋଟଣାଖିଆ ‌ମଧ୍ୟ କୁହାଯାଏ । ହଳ କରିସାରିଵା ପରେ ସ୍ତ୍ରୀ ଲୋକମାନେ ପୁରୁଷମାନଙ୍କୁ ସେହି ‘ଘଟନା’କୁ ଭାଗବାଣ୍ଟି ଖୁଆଇଥାନ୍ତି । ଲଙ୍ଗଳକୁ ମଧ୍ୟ ଧୂଙ୍ଗିଆଧୂପ (ଧୂଆଁପତ୍ର) ଦ୍ଵାରା ପୂଜା କରି ଘଟନା ପରଵ ଶେଷ କରନ୍ତି । ଘଟନା ପର୍ଵରେ ବିଲକୁ ଯାଇ ଗଦବାମାନେ ମାଂସ ଭୋଜନ କରନ୍ତି । 

ଦକ୍ଷିଣ ଓଡ଼ିଶାରେ ଵିଶେଷତଃ ଗଞ୍ଜାମରେ “ବିଲକୁ ନିଆଯିଵା ଖାଦ୍ୟ”କୁ ଘୋଟଣା କୁହାଯାଏ ଏଵଂ ଦଣ୍ଡନାଚ ସମୟରେ ବିଲକୁ ଘୋଟଣା ନେଇଯିଵା ପ୍ରଥାକୁ ଅଭିନୟ ଦ୍ଵାରା ପ୍ରଦର୍ଶିତ କରିଯାଏ । ଏହି ଅଵସରରେ ଘୋଟଣା ନାଚ ଓ ଘୋଟଣା ଗୀତର‌ ଆୟୋଜନ କରାଯାଇଥାଏ । ଗଦବାମାନେ ମଧ୍ୟ ଏହି ଚୈତ୍ର ମାସ ଶେଷ ଓ ଵୈଶାଖ ମାସ ଆରମ୍ଭ ସମୟରେ ନିଜର କୃଷିଭିତ୍ତିକ ଘୋଟନା ଵା ଘଟ୍‌ନା ପର୍ଵ ପାଳନ୍ତି ଏଵଂ ଏଥିରେ ଗଦବା ଚାଷୀ ବିଲକୁ ବିହନ ବୁଣିଵାକୁ ଗଲାରୁ ସେମାନଙ୍କ ସ୍ତ୍ରୀମାନେ ଯେଉଁ ମାଂସ ମାଛ ଆଦି ରାନ୍ଧି ବିଲକୁ ନେଇ ଯାଆନ୍ତି ତାକୁ ସେମାନେ ଭକ୍ଷଣ କରିଥାନ୍ତି । ଅର୍ଥାତ୍ ଏ ଉଭୟ ପରସ୍ପର ସମ୍ବନ୍ଧିତ ଏଵଂ ଗଞ୍ଜାମଵାସୀ ନିଜ ଦଣ୍ଡନାଚ ମଧ୍ୟରେ ଗଦବାମାନଙ୍କର ଜନଜାତୀୟ ପର୍ଵକୁ ମନେ ରଖିଵାକୁ ଓ ଏହାର ମହତ୍ତ୍ଵକୁ ସମସ୍ତଙ୍କୁ ଜଣାଇଦେଵାକୁ ଯୋଡ଼ିଅଛନ୍ତି । ଦକ୍ଷିଣ ଓଡ଼ିଶାରେ ଅନେକ ଜନଜାତୀୟ ଲୋକେ ଵସଵାସ କରୁଥିଵାରୁ ଏହି ପରମ୍ପରା ଦଣ୍ଡନାଚରେ ମଧ୍ୟ ସ୍ଥାନ ପାଇପାରିଛି ।

(ତଥ୍ୟ ଉତ୍ସ : ପୂର୍ଣ୍ଣଚନ୍ଦ୍ର ଭାଷାକୋଷ,ଦେଶିଆ‌ ଜ୍ଞାନକୋଷ ; ସାହାଯ୍ୟ: ସନ୍ତୋଷ ପଟ୍ଟନାୟକ )

Sunday, March 5, 2023

ଦକ୍ଷିଣ ପଶ୍ଚିମ ଓଡ଼ିଶାର ଗୟଳ ନୃତ୍ୟ

ଆମର ଯେମିତି ଦକ୍ଷିଣ ଓଡ଼ିଶାରେ ବାଘନାଚ ଅଛି ଠିକ୍ ସେହିପରି ଦକ୍ଷିଣ ପଶ୍ଚିମ ଓଡ଼ିଶାରେ କୋୟା, ଗଣ୍ଡ ଆଦି ଜନଜାତୀୟ ଗୋଷ୍ଠୀଙ୍କର ବେଣ୍ଟଯାତ୍ରା (ଚୈତ୍ର ପର୍ଵ) କାଳରେ ଆୟୋଜିତ ହୋଇଥାଏ ଗୟଳ ନୃତ୍ୟ । 


ବାଘକୁ ଦୂରଚଳଭାଷ, ଦୂରଦର୍ଶନ ଓ ନନ୍ଦନକାନନରେ ସମସ୍ତେ ଦେଖିଥିବେ କିନ୍ତୁ ଗୟଳ ବୋଇଲେ ଅଧୁନା ଅନେକ ଲୋକ ଜାଣିନପାରନ୍ତି ତେଣୁ ଏ ଜୀଵ ଵିଷୟରେ ସାମାନ୍ୟ ଆଲୋଚନା କରିନେଵା ଉଚିତ୍ ହେଵ । 

 ଗାଈ ଵା ଗାଭୀକୁ bos ସ୍ତନ୍ୟପାୟୀ ବଂଶରେ ରଖାଯାଇଛି । ଏହି bos ବଂଶକୁ ଅନେକ ଉପବଂଶରେ ଵିଭକ୍ତ କରାଯାଇଛି ଏଵଂ ତନ୍ମଧ୍ୟରେ Bos ଉପବଂଶରେ ଭାରତୀୟ ଗୃହପାଳିତ ଗାଈ, ଆଫ୍ରିକୀୟ ଗାଈ,ଜେବୁ ଗାଈ ଓ ଟାଉରିନ୍ ଗାଈ ଥିଲାବେଳେ Bibos ଉପବଂଶରେ ଜଙ୍ଗଲୀ ଗୟଳ ଗୟଳ(Bos gaurus), ଗୃହପାଳିତ ଗୟଳ(Bos frontalis)ଙ୍କୁ ରଖାଯାଇଛି । 

ଗୃହପାଳିତ ଗୟଳ ଓ ଜଙ୍ଗଲୀ ଗୟଳ ଓଡ଼ିଶା,ବଙ୍ଗ, ଉତ୍ତର ପୂର୍ଵ ଭାରତ, ମିଆଁମାର ଓ ଚୀନରେ ଦେଖାଯାଆନ୍ତି । ଏମାନଙ୍କୁ ଓଡ଼ିଶାରେ ଗଏଳ,ଗଇଳ,ଗୟଳ ଓ ଗୃହପାଳିତ ଗୟଳର ଵୈଜ୍ଞାନିକ ନାମ Bos frontalis ହୋଇଥିଲା ବେଳେ 
ଜଙ୍ଗଲୀ ଗୟଳର ଵୈଜ୍ଞାନିକ ନାମ Bos gaurus ଅଟେ । ମଇଁଷିମାନଙ୍କର ଶିଙ୍ଗ ଚେପଟା କିନ୍ତୁ ଗୟଳମାନଙ୍କ ଶିଙ୍ଘ ଗୋଲ ହୋଇଥାଏ ।

 ଓଡ଼ିଆ ସାହିତ୍ୟରେ ଗୟଳମାନଙ୍କର ବହୁ ସ୍ଥାନରେ ଉଲ୍ଲେଖ କରାଯାଇଛି । 

ଓଡ଼ିଆ ଭାଗଵତର ତୃତୀୟ ସ୍କନ୍ଧରେ ଵିଭିନ୍ନ ଜୀଵଙ୍କ ସହ ଗୟଳର ନାମୋଲ୍ଲେଖ ଥିଵା ଦେଖାଯାଏ ...

"ଚକୋର ଚକ୍ରଵାକ ଵାଣୀ ।
ଅତି ଗଭୀର ପରିମାଣି ॥
ଗୟଳ ଶଲ୍ଲକ କୁଞ୍ଜର ।
କୁରଙ୍ଗ ହରିଣ ଶୂକର ॥"

ପୁଣି ଚତୁର୍ଥ ସ୍କନ୍ଧରେ ମଧ୍ୟ ଗୟଳ ଶବ୍ଦ ଏମନ୍ତ ଵ୍ଯଵହୃତ ହୋଇଛି

" ଵରାହ ଗୟଳ ହରିଣ ।
ଶଶା ମହିଷ ପଶୁଗଣ ॥
ମେଧ୍ୟ ଅମେଧ୍ୟ ପଶୁ ଯେତେ ।
ଇତ୍ୟାଦି ଜୀଵ ଯେ ଵନସ୍ତେ ॥”

ସେହିପରି ସାରଳା ମହାଭାରତରେ ଆମେ ଗୟଳର ଉଲ୍ଲେଖ ଥିଵା ଦେଖିଵାକୁ ପାଇଥାଆନ୍ତି ...

"ଵନ ଜୀଵମାନେ ପଳାଵନ୍ତି ଡରେ କୁତୂହୋଳେ
ଗଣ୍ଡା ଗୟଳ ହରଷେ ଧରଇ ବ୍ରିକୋଦର ॥"

ଶଶି ଶେଣା କାଵ୍ଯରେ ଵିଭିନ୍ନ ପ୍ରକାରର ଜୀଵଜନ୍ତଙ୍କ ଵର୍ଣ୍ଣନା ରହିଛି 

“ସିଂହ ଗଜ ଶଶା ମୃଗ ଶାର୍ଦ୍ଦୂଳ ।
ହରିଣ ଵରେହା ଗଣ୍ଡା ଗୟଳ ।
ମଇଁଷି ଘୋଡା ଫକୋଷ ଵଳେୟା ।
କପି ଖୁରାଣ୍ଟି କସ୍ତୂରୀ ଶାଳେୟା ।
ଶଅମ୍ବର ଶଶା । 
ଶୃଗାଳ ନେଉଳ ନେପାଳ ମୂଷା ॥”

ଉଭୟ ଗୃହପାଳିତ ଗୟଳ ଓ ଜଙ୍ଗଲୀ ଗୟଳଙ୍କ ମଧ୍ୟରେ କେତେକ ସାଦୃଶ୍ୟ ରହିଛି ତେବେ ଓଡ଼ିଶାର ଜନଜାତୀୟ ଲୋକେ ଜଙ୍ଗଲୀ ଗୟଳ Bos gaurusକୁ ଶିକାର କରୁଥିଲେ ‌। 

ବହୁଵର୍ଷ ପୂର୍ଵରୁ କୋଇତୁର,ଗଣ୍ଡ ଓ କୋୟା ଆଦି ଜନଜାତୀୟ ଗୋଷ୍ଠୀଙ୍କ ମଧ୍ୟରେ 
ଗୋଟିଏ ଲୋକଵିଶ୍ବାସ ଥିଲା ଯେ ଵନ୍ୟପଶୁ ଶିକାର କରି ସେହି ପଶୁର ରକ୍ତ ଦାର୍ଣ୍ଣିମାତା
ଵା ଧରିତ୍ରୀଙ୍କୁ ସମର୍ପଣ କଲେ ଭଲ ଵର୍ଷା ହୁଏ ଓ ମାଟି ମା’ ଭଲ ଫସଲ ଦିଅନ୍ତି ‌‌। 

ଏହି ଲୋକଵିଶ୍ଵାସକୁ ମୂଳକରି କୋଇତୁର, କୋୟା,ଗଣ୍ଡମାନଙ୍କର ପୂର୍ଵ ପୁରୁଷମାନେ ଥରେ ଚୈତ୍ର ପର୍ଵ ପାଳନ କରି ଶିକାରକୁ ଗଲେ । ପ୍ରଥମେ ସେମାନେ ଗୋଟିଏ ଗୟଳକୁ ଶିକାର କଲେ । ସେହି ଶିକାର ହୋଇଥିଵା ଗୟଳକୁ ବଣୁଆ
ଫୁଲର ମାଳ, କଅଁଳ ପତ୍ରର ଡାଳରେ ମଣ୍ଡଣି କରି କାନ୍ଧେଇକି ଗ୍ରାମ ଦେଵୀଙ୍କ ନିକଟରେ ବାଜା ବଜାଇ ମହା ଆନନ୍ଦରେ ବୁଢ଼ାବୁଢ଼ୀ ପିଲାଛୁଆଙ୍କୁ ନଚାଇଲେ । ଏହି ନୃତ୍ୟ ଅତି ଚମତ୍କାର ଦିଶିଲା ଏଵଂ ମନ ଆକର୍ଷକ ହେଲା । ଏହାପରେ ସେମାନେ ଯେତେଥର ଶିକାରକୁ ଗଲେ ଭଲ ଶିକାର ସବୁଦିନ ପାଇଲେ ।

ତେଣୁ ସେହିଦିନଠାରୁ ଭଲ ଶିକାର ମିଳିଵା ଆଶା ଓ ଵିଶ୍ବାସରେ ଚୈତ୍ର ପର୍ଵ ଶେଷ ଦିନ ଗୟଳର ଛାଞ୍ଚକରି ଗୟଳ ଶିଙ୍ଗ ଯୋଡ଼ି ଏମାନଙ୍କ ଜନଜାତୀୟ ଗାଁଆରେ ଲୋକେ ଲୋକ ନାଚନ୍ତି । 

ସେହିଦିନଠାରୁ ବାଉଁଶ
ପାତିଆରେ ଟୋକେଇବୁଣି ତହିଁରେ ଦୁଇଗୋଟି ଗୟଳ ଶିଙ୍ଗ ଯୋଡ଼ି ସେଥିରେ ଲାଲ ଓ କଳା ଆଦି ରଙ୍ଗବେରଙ୍ଗର କନା ବେଢ଼ାଇ, ଦୁଇ ପାର୍ଶ୍ଵରେ ଧଳା ପୋହଳା ଵା
କଉଡ଼ିର ମାଳ ବାନ୍ଧି କାଠ ମାଦଳ ଅଥଵା ଗୁଡ଼ରା ଵାଦ୍ୟର ନିନାଦ ସହ ନାଚ କରନ୍ତି ।


ସେହି ଗୟଳ ଶିଙ୍ଗ ବନ୍ଧା ଟୋକେଇ ମଧ୍ୟରେ ମୟୁରପୁଚ୍ଛ କିମ୍ବା କଳାବଣ କୁକୁଡ଼ାର
ଘନକୃଷ୍ଣ ଉଜ୍ଜ୍ଵଳ ପର ଖୋସା ଯାଇଥାଏ ।
ଆଜିକାଲି ଟୋକେଇ ପରିଵର୍ତ୍ତେ କପଡ଼ା ମଧ୍ୟ ଵ୍ୟଵହୃତ ହେଉଅଛି । ପୁରୁଷମାନେ ଲାଲ କିମ୍ବା କଳା ଲୁଗା ପିନ୍ଧି
ନାଚ କରନ୍ତି ଏଵଂ ସେମାନଙ୍କ ପାର୍ଶ୍ବରେ ସ୍ତ୍ରୀମାନେ ଝୁମୁକା ବାଡ଼ି ଧରି ନୃତ୍ୟ କରନ୍ତି ।
ସଂପ୍ରତି ଏହି ଗୟଳ ନୃତ୍ୟ ମାଲକାନଗିରି ଜିଲ୍ଲାର କୋୟା, ନବରଙ୍ଗପୁର ଜିଲ୍ଲାର
ଗଣ୍ଡ ତଥା ଛତିଶଗଡ଼ର ଗୋଣ୍ଡାମାନଙ୍କର ସର୍ଵଶ୍ରେଷ୍ଠ ନୃତ୍ୟଭାବେ ସର୍ଵଭାରତୀୟସ୍ତରରେ ମାନ୍ୟତା ଲାଭ କରିଛି । 


ତେବେ ଆଜି ବି ଓଡ଼ିଶାର ଅନେକେ ଗୟଳ ନୃତ୍ୟ ଵିଷୟରେ ଜାଣିପାରିନାହାନ୍ତି । ଏକ ସୀମିତ ଅଞ୍ଚଳରେ ଓ ନିର୍ଦ୍ଧିଷ୍ଟ ଜନଗୋଷ୍ଠୀ ମଧ୍ୟରେ ଆୟୋଜିତ ହେଉଥିଵାରୁ ବାଘନାଚ ପରି ଗୟଳ ନୃତ୍ୟ ସେତେଟା ଲୋକପ୍ରିୟ ହୋଇପାରିନାହିଁ । 

•••••••••••••••••••••••••••
ତଥ୍ୟ ଉତ୍ସ: ଦେଶିଆ ଜ୍ଞାନକୋଷ 
••••••••••••••••••••••••••••

Thursday, August 11, 2022

ଗହ୍ମା ପୂର୍ଣ୍ଣିମାରେ ବଳଦେଵଙ୍କ ଜନ୍ମ ଉତ୍ସଵ ଓ ରକ୍ଷା ବନ୍ଧନ ପରମ୍ପରା

ଓଡିଶା ସମେତ ପୂର୍ଵଭାରତର ଵିଭିନ୍ନ ସ୍ଥାନରେ ଶ୍ରାଵଣ ମାସର ପୂର୍ଣ୍ଣିମା ତିଥିକୁ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଶ୍ରାଵଣ ପୂର୍ଣ୍ଣିମା ଦିନ କୃଷ୍ଣଙ୍କର ବଡ଼ ଭାଇ ବଳରାମଙ୍କ ଜନ୍ମ ହୋଇଥିଲା ବୋଲି ପୁରାଣରେ କଥିତ ଅଛି । ବଳରାମ ମଧ୍ୟ ବଳଦେବ, ବଳଭଦ୍ର, ଓ ହଳଧର ଆଦି ଵିଭିନ୍ନ ନାମରେ ପୂଜା ପାଆନ୍ତି । 


ଆଗେ କଳିଙ୍ଗୋଡ୍ରୋତ୍କଳରେ ଗହ୍ମାପୂର୍ଣିମା ଦିନ ବଳଦେଵ ଜୀଉଙ୍କ ଵିଶେଷ ପୂଜାର୍ଚ୍ଚନା ହେଉଥିଲା । ପରମ୍ପରା ଅନୁଯାୟୀ ପ୍ରତି ଶ୍ରାଵଣ ପୂର୍ଣ୍ଣିମାରେ ପୁରୀ ଶ୍ରୀମନ୍ଦିର ଓ କେନ୍ଦ୍ରାପଡ଼ାର ବଳଦେଵ ଜୀଉ ଦେଉଳରେ ବଳଦେଵଙ୍କ ଜନ୍ମନୀତି ମହା ସମାରୋହରେ ପାଳିତ ହୋଇଥାଏ ।ଏହି ଦିନ ଗାଈ ଓ ବଳଦମାନଙ୍କୁ ପ୍ରଭୁ ବଳରାମଙ୍କ ପ୍ରତୀକ ଭାବେ ପୂଜା କରାଯାଇଥାଏ ।

ଗହ୍ମା ଶବ୍ଦ ଗୋମାତା ଶବ୍ଦରୁ ଆସିଛି ବୋଲି ଏକ ଲୋକପ୍ରିୟ ମତ ପ୍ରଚଳିତ । ଗାଈକୁ ହିନ୍ଦୁ ଶାସ୍ତ୍ରରେ ଗୋମାତା ବୋଲି କୁହାଯାଇଛି । ସମ୍ଭଵତଃ ଗୋମତା ଶବ୍ଦ କ୍ରମଶଃ ଗୋମା ଏଵଂ ପରେ ଗହ୍ମା ହୋଇଥାଇପାରେ । ଗାଭୀ ପୂଜନର ପର୍ଵ ହୋଇଥିଵାରୁ ଏମନ୍ତ ହୋଇଥିଵା ଅସମ୍ଭଵ ନୁହେଁ ।

ମତାନ୍ତରେ ଓଡ଼ିଆ ଗମାଇଵା କ୍ରିୟା ସହିତ ଗହ୍ମା ଶବ୍ଦ ସମୋଦ୍ଧୃତ ହୋଇଥାଇପାରେ । ଗମିଵା କ୍ରିୟାର ଅର୍ଥ ଗମନ କରିଵା ଵା ଯିଵା ଏଵଂ ଏହାର ଜିଣନ୍ତ ଧାତୁରୂପ ଗମାଇଵା ଅଟଇ । ଗମାଇଵା କ୍ରିୟାଟି ଅନ୍ୟଦ୍ଵାରା ଯିଵା,ଗତି କରାଇଵା, କାଟିଵା ଵା ଗତ କରିଵା,ପାରକରିଵା, ଅତିଵାହିତ କରିଵା, କଟାଇଵା,ହଜାଇଵା(ଗୁପ୍ତ ଧାତୁ),ଗମର କରିଵା ଵା ସଢ଼ାଇଵା ଅର୍ଥରେ ଆମ ଭାଷାରେ ପ୍ରୟୋଗ କରାଯାଏ । ଗହ୍ମାଡିଆଁ ସମୟରେ ପ୍ରଥମେ ଗୋଟିଏ ଅଣ୍ଡିରା ବାଛୁରିକୁ ନେଇ ଗମ୍ହାଵେଦୀକୁ ଡିଆଁଇ ଦେଵାର ଵିଧି ପ୍ରଚଳିତ ଏଵଂ ତତ୍ପରେ ମାନଵମାନେ ଵିଶେଷତଃ କିଶୋର/ଯୁଵକମାନେ ଗହ୍ମାଡିଆଁ କରିଥାନ୍ତି । ତେଣୁ ପ୍ରଥମେ ଲୋକେ ଅଣ୍ଡିରା ବାଛୁରୀକୁ ଗହ୍ମାଵେଦୀ ଡିଆଁଉଥିଵାରୁ ଗମାଇଵା କ୍ରିୟାର "ଅନ୍ୟଦ୍ଵାରା ଡିଆଁଇ ଗତି କରାଇଵା" ଅର୍ଥ ଘେନି ଗମା ଓ ପରେ ଗହ୍ମା ଶବ୍ଦ ସୃଷ୍ଟି ହୋଇଥିଵା ସମ୍ଭଵପର ହୃଦବୋଧ ହୁଏ । 


ଅନ୍ୟ ଏକ ମତ ଅନୁସାରେ ଗମା ଶବ୍ଦଟି ଆଗେ ମାଟିଗଦା ଵା ଉଚ୍ଚସ୍ଥାନ ଅର୍ଥରେ ପ୍ରୟୋଗ କରାଯାଉଥିଲା । ଏହାର ପ୍ରମାଣ ସ୍ବରୂପ ଆଜି ବି ଓଡ଼ିଶାରେ ବଡ଼ମୁଣ୍ଡିଆକୁ ଗହ୍ଭାମୁଣ୍ଡିଆ କୁହାଯାଏ ଏଵଂ ମାଟିଗଦା ତଥା ଉଚ୍ଚାସ୍ଥାନକୁ ଆଜି ମଧ୍ୟ ଗଡ଼ଜାତରେ ଗୁମା କୁହାଯାଏ ।‌ ଗହ୍ମାଡିଆଁ ସମୟରେ ଗହ୍ମାଵେଦୀ ମଧ୍ୟ ମାଟିଗଦାକୁ ନେଇ ଗଢ଼ାଯାଏ ତେଣୁ ହୁଏତ ଗହ୍ଭା,ଗୁମାର ମାଟିଗଦା ଵା ଉଚ୍ଚସ୍ଥାନ ଅର୍ଥ ଘେନି ଗହ୍ମାପୂର୍ଣ୍ଣିମା ଓ ଗହ୍ମାଡିଆଁର ନାମକରଣ କରାଯାଇଛି ।‌

ସେ ଯାହା ହେଉ ଆଗେ ନିଜ ନିଜ ଗୃହରେ ସମସ୍ତ ଉତ୍କଳୀୟ ପ୍ରଜା ଏହିଦିନ ଗାଈ ବଳଦମାନଙ୍କୁ ପୂଜା କରି ସେମାନଙ୍କୁ ପିଠା, ମିଷ୍ଟାନ୍ନ ଖୁଆଇଵା ସହ ସନ୍ଧ୍ୟାରେ ଗୃହ ସମ୍ମୁଖରେ ଘାସ ରଖୁଥିଲେ । ଚରିଵାକୁ ଯାଇଥିଵା ଗାଈ ଅପରାହ୍ନ ସମୟରେ ଫେରିଵା ବେଳେ ଲୋକେ ତାଙ୍କ ଦାଣ୍ଡଗୁଡି଼କରେ ରଖିଥିଵା ଘାସ ଖାଉଥିଲେ । ଆଜି ମଧ୍ୟ ଓଡି଼ଶାର କେତେକ ଅଞ୍ଚଳରେ ଏହି ପରମ୍ପରା ବଞ୍ଚିରହିଛି । 

ଗହ୍ମାପୂର୍ଣ୍ଣିମା ଦିନ ଗୋ (ଗାଭି)ଙ୍କ ପ୍ରତି ସାମାନ୍ୟତମ ଅନାଦର କରିବାକୁ ମଧ୍ଯ ସମସ୍ତଙ୍କୁ ବାରଣ କରାଯାଇଥାଏ । 


ଦକ୍ଷିଣ ଓଡ଼ିଶାର ଗ୍ରାମାଞ୍ଚଳରେ ଆଜି ବି ଗହ୍ମା ପୂର୍ଣ୍ଣିମାରେ ଗ୍ରାମ ପ୍ରାନ୍ତରରେ ଗୋଟିଏ ହସ୍ତପଦ ଅଙ୍କିତ ବଳଦ ଶୋଇଵା ଆକାରର ମୃତ୍ତିକା ସ୍ତୁପ ନିର୍ମାଣ କରାଯାଏ । ସେହି ଵଳୀଵୃର୍ଦ୍ଧାକୃତି ମୃତ୍ତିକା ସ୍ତୁପକୁ ହିଁ ଗହ୍ମାଵେଦୀ କହିଥାନ୍ତି । 
 

 ଗହ୍ମାଵେଦୀ ନିକଟରେ ଗ୍ରାମର ସାଧାରଣ ବଳଦେବ ପୂଜା ଓ ଭୋଗ ହୁଏ ତଥା ଶେଷରେ ଗୋଟିଏ ଅଣ୍ଡିରା ବାଛୁରୀକୁ ଏ ସ୍ତୁପକୁ ଆଡ଼ବାଗରେ ଡିଆଁନ୍ତି । ଅଣ୍ଡିରା ବାଛୁରୀକୁ ଗହ୍ମାଵେଦୀ ଡିଆଁଇଵା ପରେ କିଶୋର ଯୁଵକମାନେ ଗହ୍ମାଵେଦୀ ଉପରୁ ଲମ୍ଫ ପ୍ରଦାନ କରନ୍ତି । ଏହିପରି ଭାବେ ଗହ୍ମାପୂର୍ଣ୍ଣିମା ପର୍ଵ ସହ ମନୋରଞ୍ଜନ ଧର୍ମୀ କ୍ରୀଡ଼ା ଗହ୍ମା ଡିଆଁ ପରମ୍ପରା ଯୋଡ଼ି ହୋଇଛି । ଗହ୍ମାଡିଆଁ ପରେ ସେଠାରେ ହୋଇଥିବା ଭୋଗକୁ ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟନ କରାଯାଏ । 


ଆଗେ ପୁରୀଜିଲ୍ଲାର ଶାସନମାନଙ୍କରେ ଗହ୍ମାପୂର୍ଣ୍ଣମୀ ଦିନ ଗହ୍ମାଵେଦୀଠାରେ ହୋଇଥିଵା ଭୋଗରୁ ପ୍ରତ୍ଯେକ ମହାଜନଙ୍କ ଭାଗ ଅନୁସାରେ ମହାଜନଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ଭାଗ ଅନୁସାରେ ବଣ୍ଟାଯାଉଥିଲା ଏଵଂ ଏହାକୁ ଗହ୍ମା ହକରା କୁହାଯାଉଥିଲା ।‌ ଗହ୍ମାପୂର୍ଣ୍ଣିମୀଦିନ ଗହ୍ମାଵେଦୀଠାରେ ବଳଦେଵଙ୍କୁ ଭୋଗ ହୋଇଥିଵା ହକରା ନେବାକୁ ଉପସ୍ଥିତ ହେଵାପାଇଁ ବ୍ରାହ୍ମଣଶାସନ ଗ୍ରାମଵାସୀ ମହାଜନମାନଙ୍କୁ ନାମସୂଚୀ ଅନୁସାରେ ଜଣ ଜଣ କରି ଆହ୍ବାନ କରାଯାଉଥିଲା । ଏହି ଵିଧିକୁ ଲୋକେ ଗହ୍ମା ଡାକରା କହୁଥିଲେ । ଉଲ୍ଲେଖଯୋଗ୍ୟ ଯେ ଵିଵାହର ପ୍ରଥମ ଵର୍ଷମଧ୍ୟରେ କୁମାର ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା ଓ ଦୋଳ ପୂର୍ଣ୍ଣିମା ଛଡ଼ା ଗହ୍ମାପୂର୍ଣ୍ଣିମୀଦିନ ଶଶୁରଘରକୁ ଯିଵାପାଇଁ ଜ୍ବାଇଁକୁ ନିମନ୍ତ୍ରଣ କରାଯିଵାର ପରମ୍ପରା ଓଡ଼ିଶାରେ ପ୍ରଚଳିତ ଥିଲା ଏଵଂ ତାକୁ ମଧ୍ୟ ଗହ୍ମାଡାକରା କୁହାଯାଉଥିଲା । 

ଗହ୍ମା ଶବ୍ଦଯୁକ୍ତ କେତେକ ଗଡ଼ଜାତିଆ ଶବ୍ଦ ରହିଛି ଯାହା ପ୍ରମାଣ କରେ ଯେ ଏକଦା ଗଡ଼ଜାତରେ ମଧ୍ୟ ଗହ୍ମା ପୂର୍ଣ୍ଣିମାରେ ଗୋପୂଜା ପରମ୍ପରା ବହୁପରିମାଣରେ ପ୍ରଚଳିତ ଥିଲା । 

ସମ୍ବଲପୁରରେ ତେଲୁଣି ଵା ତେଲଗୁଣି ପୋକକୁ ଗମାକୀଡ଼ା, ଗମିକୀଡ଼ା,ଗମ୍‌କିରା,ଗମ୍‌ପୋକ୍ ,କନ୍ଧମାଳରେ ଗମାପୁକ୍ ତଥା ଢେଙ୍କାନାଳ ଓ ଅନୁଗୋଳରେ ଗମିପୋକ କୁହାଯାଏ । ଏହି ତେଲୁଣି ପୋକ ସାଧାରଣତଃ ଶ୍ରାଵଣ ମାସରେ ବହୁପରିମାଣରେ ଦୃଶ୍ୟ ହୋଇଥାନ୍ତି । ସୂଚନାଯୋଗ୍ୟ ଯେ ଗଡ଼ଜାତରେ ଧାନରେ ଲାଗୁଥିଵା ଏକପ୍ରକାରର ଧଳାପୋକକୁ ଗହ‌୍‌ମା ପୋକ୍ କୁହାଯାଏ କାରଣ ଏହା ଗମୁଆ ଗମୁଆ ଗନ୍ଧଯୁକ୍ତ ହୋଇଥାଏ । ବହୁତ ସମ୍ଭଵ ଗହ୍ଭାପୂର୍ଣ୍ଣିମାର ଗହ୍ମା ଶବ୍ଦ ଆଧାରରେ ତେଲୁଣି ପୋକର ଗମ୍‌କିରା ଓ ଗମିପୋଟ ନାମ ରଖାଯାଇଥିଲା । ଏହାର ପ୍ରମାଣ ସ୍ବରୂପ ଆଉ ଏକ ଶବ୍ଦ ଆମ ଭାଷାରେ ରହିଛି । ଓଡ଼ିଶାରେ ଗହ୍ମାପୂର୍ଣ୍ଣିମୀ ସମୟକୁ ଗଛରେ ପାଚି ଯାଇଥିଵା ଛୋଟ ନଡି଼ଆକୁ
ଗହ୍ମାକଠା କୁହାଯାଏ । ନଡ଼ିଆ କଷି ହେଵାଠାରୁ ପାଚିଵା ପର୍ଯ୍ୟନ୍ତ ୧୦ ମାସ ସମୟ ଲାଗେ । ମାର୍ଗଶିର ମାସରେ ଯେଉଁ ନଡି଼ଆ କଷି ଧରି ଥାଏ ତାହା ସାଧାରଣତଃ ଛୋଟ ଓ ଅପୁଷ୍ଟ ହୋଇଥାଏ ଏଵଂ ତାହା ଗହ୍ମାପୂର୍ଣ୍ଣିମୀକୁ ତୋଳା ହେଵା ସମୟରେ ସାଧାରଣ ନଡ଼ିଆ ଅପେକ୍ଷା ଛୋଟ (କଠା) ଥିବା ଦେଖାଯାଏ ଫଳତଃ ଏ ଜାତୀୟ ନଡି଼ଆକୁ ଗହ୍ମାକଠା କୁହାଯାଏ । 

ତେବେ ଆଜି ଗହ୍ମାପୂର୍ଣ୍ଣିମା ସହିତ ଯୋଡ଼ି ହେଲାଣି ରକ୍ଷା ବନ୍ଧନ ପରମ୍ପରା । ଭାଇ ଭଉଣୀଙ୍କ ପଵିତ୍ର ସମ୍ପର୍କକୁ ନେଇ ରକ୍ଷାବନ୍ଧନର ପରିକଳ୍ପନା । ଵୈଦିକକାଳରେ ଗୁରୁଶିଷ୍ୟ ପରମ୍ପରାରେ ଗୁରୁଙ୍କ ଦ୍ଵାରା ଶିଷ୍ୟକୁ ସୂତ୍ର ବନ୍ଧନର ପରମ୍ପରା ପ୍ରଚଳିତ ଥିଲା । କେତେକ ଗବେଷକଙ୍କ ମତରେ କ୍ରମଶଃ ସେହି ପରମ୍ପରା ପରିଵର୍ତ୍ତିତ ହୋଇ ରକ୍ଷାବନ୍ଧନର ରୂପ ନେଇଅଛି । ସେହିପରି ଯୁଦ୍ଧକ୍ଷେତ୍ରକୁ ଯାଉଥିଵା ଵୀର ହସ୍ତରେ ଭାରତୀୟ ସଧଵାମାନେ ରକ୍ଷାସୂତ୍ର ବାନ୍ଧୁଥିଲେ । ଯୁଦ୍ଧକୁ ଯାଉଥିଵା ଵୀରଙ୍କ ହସ୍ତରେ ଏହି ରକ୍ଷା ସୂତା ବାନ୍ଧି ତାଙ୍କ ମଙ୍ଗଳ ତଥା ବିଜୟ କାମନା କରାଯାଉଥିଲା । ଏହି ପରମ୍ପରା ଆଧାରରେ ମଧ୍ୟ ରାକ୍ଷୀ ପୂର୍ଣ୍ଣିମାର ପରମ୍ପରା ପ୍ରଚଳିତ ହୋଇଥିଵା ଅନୁମାନ କରାଯାଏ । ଆମ ତଥାକଥିତ ସମାଜରେ ନାରୀ ସର୍ଵଦା ଅବଳା ଓ ଦୁର୍ଵଳା ଭାବେ ଵିଵେଚିତ ହୋଇ ଆସିଛି ତେଣୁ ତା’ର ସୁରକ୍ଷା ନିତାନ୍ତ ଆଵଶ୍ୟକ । ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଦେଇ ତା’ର ସୁରକ୍ଷା କାମନା କରିଥାଏ । ମତାନ୍ତରରେ ଭାଇର ସୁରକ୍ଷା ପାଇଁ ଭଉଣୀ ଭାଇର ହାତରେ ରକ୍ଷାସୂତ୍ର ବାନ୍ଧି ଦିଏ । ଭାଇ ଭଉଣୀର ଏହି ଅନାଵିଳ ପ୍ରେମରୁ ରକ୍ଷା ବନ୍ଧନର ସୃଷ୍ଟି । ଏ ରକ୍ଷା ସୂତ୍ର ସମ୍ପର୍କର, କର୍ତ୍ତଵ୍ୟବଦ୍ଧତାର, ସ୍ନେହ ପ୍ରେମର, ସୁରକ୍ଷାର ଓ ଭରସାର ସେତୁ ଅଟଇ ।

କିନ୍ତୁ ଓଡ଼ିଶାରେ ଆଜକୁ ପ୍ରାୟ ୬୦-୭୦ ଵର୍ଷ ତଳେ ରକ୍ଷାବନ୍ଧନ ଏତେ ଲୋକପ୍ରିୟ ହୋଇନଥିଲା । ଭାଇମାନଙ୍କ ପାଇଁ ତାଙ୍କ ଭଉଣୀମାନେ କାର୍ତ୍ତିକ ଶୁକ୍ଳ ଦ୍ଵିତୀୟା ଦିନ ଯମ ଦ୍ଵିତୀୟା ଓଷା ଵା ଭାତୃଦ୍ବିତୀୟା ବ୍ରତ ରଖୁଥିଲେ । ଏହା ହିନ୍ଦୀ ଭାଷୀ ଅଞ୍ଚଳର ଭାଇଦୁଜ ବ୍ରତ ଭଳି ଏକ ପ୍ରକାରର ବ୍ରତ ଥିଲା । କେତେକ ଗଵେଷକଙ୍କ ମତରେ ପଶ୍ଚିମଭାରତର ଗାଣପତ୍ୟ ପନ୍ଥରୁ ଅନୁପ୍ରାଣିତ ହୋଇ ପ୍ରଥମେ ଉତ୍ତରଭାରତ ତଥା ବଙ୍ଗରେ ରକ୍ଷାବନ୍ଧନ ଆରମ୍ଭ ହୋଇଥିଲା କିନ୍ତୁ ଆଉ କେତେକ ଗଵେଷକ ଏହି ମତକୁ ଖଣ୍ଡନ କରନ୍ତି । କୁହାଯାଏ ପଶ୍ଚିମ ଭାରତରୁ ଲୋକପ୍ରିୟ ହୋଇ ଉତ୍ତରଭାରତରେ ପ୍ରଚଳିତ ହୋଇ ବଙ୍ଗ ଦେଇ ଓଡ଼ିଶାକୁ ଆସିଲା ରକ୍ଷାସୂତ୍ର ବନ୍ଧନର ନଵ୍ୟ ପରମ୍ପରା । ବୋଧହୁଏ ଓଡିଶାରେ ଵୈଷ୍ଣଵ ସମ୍ପ୍ରଦାୟର ପ୍ରଭାଵରେ ପରେ ଶ୍ରୀଜଗନ୍ନାଥ ମନ୍ଦିରରେ ରାକ୍ଷୀପୂର୍ଣ୍ଣିମା ପାଳନ କରାଯାଉଅଛି । ଆଜକୁ ଚାଳିଶ ପଚାଶ ଵର୍ଷ ତଳେ କେଵଳ ଓଡ଼ିଶାର ନଗରଵାସୀ ଧନୀକ ଧାର୍ମିକ ବୁଦ୍ଧିଜୀଵୀମାନଙ୍କ ମଧ୍ୟରେ ହିଁ ରକ୍ଷାବନ୍ଧନ ସୀମିତ ଥିଲା । ଓଡ଼ିଶାରେ ପ୍ରଥମେ ପ୍ରଥମେ ଯେତେବେଳେ ରକ୍ଷାବନ୍ଧନ ଆସିଲା ଓଡ଼ିଆ ଲୋକେ ତାହା ସମ୍ପୂର୍ଣ୍ଣ ଵୈଦିକ ରୀତିନୀତିରେ ପାଳନ କରୁଥିଲେ । 

ମନ୍ତ୍ର ଦ୍ୱାରା ଅଭିମନ୍ତ୍ରିତ ସୂତାକୁ ଶୁଦ୍ଧ ହଳଦୀଜଳରେ ବୁଡ଼ାଇ ଭଉଣୀମାନେ ତାଙ୍କ ଭାଇଙ୍କ ହାତରେ ରକ୍ଷାସୂତ୍ର ବାନ୍ଧୁଥିଲେ ।
ସେ ଦିନିଆ ରେଶମ ଡୋରିର ଵ୍ୟଵହାର ରକ୍ଷାବନ୍ଧନପାଇଁ ହେଉନଥିଲା କାରଣ ଲୋକ ଭାବୁଥିଲେ ଗୋଟାଏ ଜୀଵକୁ ମାରି ତା’ର ମୃତ ଶରୀରରୁ ଉତ୍ପାଦିତ ସୂତା ଭଲା କାହାର କିପରି ରକ୍ଷା କରି ପାରିଵ ! 

କ୍ରମେ ବଲିଉଡ ତଥା ଓଲିଉଡ ଚଳଚ୍ଚିତ୍ରରେ ରକ୍ଷାବନ୍ଧନ ପରମ୍ପରାର ପ୍ରଚାର ପ୍ରସାର ଯୋଗୁଁ ଆଜି ଓଡ଼ିଶାର ଘରେ ଘରେ ଲୋକେ ତହିଁରୁ ପ୍ରଭାଵିତ ହୋଇ ରାକ୍ଷୀ ବାନ୍ଧିଵା ଆରମ୍ଭ କରିଛନ୍ତି । 

ମାତ୍ର ସ୍ବାଧୀନତା ପରେ ପରେ ଦୂରଦର୍ଶନ, ଅଲ୍ ଇଣ୍ଡିଆ ରେଡିଓ, ସମ୍ବାଦପତ୍ର, ସାହିତ୍ୟ କୃତି, ଚଳଚ୍ଚିତ୍ର ଆଦି ଗଣମାଧ୍ୟମରେ ପ୍ରଚାର ଯୋଗୁଁ ଓଡ଼ିଆଙ୍କ ପାଇଁ ଆଜି ଗହ୍ମାପୂର୍ଣିମାଟା ରାକ୍ଷୀପୂର୍ଣ୍ଣିମା ହୋଇଯାଇଛି । ଆଜି ପରିସ୍ଥିତି ଏଭଳି ହୋଇଛି ଗହ୍ମା କହିଲେ କେତେକ ଲୋକ ରାକ୍ଷୀ ବୋଲି କହୁଛନ୍ତି କିନ୍ତୁ ପ୍ରକୃତରେ ଏହା ସମ୍ପୂର୍ଣ୍ଣ ଭ୍ରମାତ୍ମକ । ରାକ୍ଷୀ ସହିତ ଗହ୍ମାର କୌଣସି ସମ୍ପର୍କ ନାହିଁ ଅଧିକନ୍ତୁ ଗହ୍ମା ପୂର୍ଣ୍ଣିମା ଓଡ଼ିଶାର ନିଜସ୍ଵ ପାରମ୍ପରିକ ପର୍ଵ ଯାହା ଭାରତରେ ଅନ୍ୟତ୍ର ଦେଖିଵାକୁ ମିଳେନାହିଁ ।

•••••••••••••••••••••••••
ଶିଶିର ସାହୁ ମନୋଜ
କାମାକ୍ଷାନଗର, ଢେଙ୍କାନାଳ 
••••••••••••••••••••••••

Thursday, June 16, 2022

କଳିଙ୍ଗ ଦେଶରେ ଦୋଳି,ଦୋଳିଗୀତ ଓ ଲୋକଵିଶ୍ଵାସ

ଦୋଳି ଓ ଦୋଳିଖେଳ ଓଡ଼ିଶାରେ ବହୁ ପ୍ରାଚୀନ କାଳରୁ ପ୍ରଚଳିତ । ଆଗେ ଓଡ଼ିଶାରେ ସାଧାରଣତଃ ରଜ ଓ ଦୋଳ ପର୍ଵରେ ଦୋଳି ଖେଳା ଯାଉଥିଲା । ଏ ଦେଶରେ ଦୋଳ ଉତ୍ସଵ ସମୟରେ ଦୋଳମଣ୍ଡପରେ ଲୋକେ ଶ୍ରୀକୃଷ୍ଣଙ୍କୁ ଦୋଳି ଖେଳାନ୍ତି ଏଵଂ ଲୋକମାନେ ନିଜେ ରଜପର୍ଵରେ ଦୋଳି ଖେଳିଥାନ୍ତି । 

ଦୋଳି ଏକ ଓଡ଼ିଆ ଶବ୍ଦ ଏଵଂ ଓଡ଼ିଆ ଭାଷାର କ୍ରିୟା ଶବ୍ଦ ଦୋଳେଇଵା ମଧ୍ୟରେ ଥିଵା ମୂଳ ଓଡ଼ିଆ ଧାତୁ ଶବ୍ଦ ଦୋଳି ଧାତୁରୁ ସୃଷ୍ଟି ହୋଇଅଛି । ସଂସ୍କୃତ କ୍ରିୟା ଦୁଳ୍ ଧାତୁ ସହିତ ଓଡ଼ିଆ ଦୋଳି ଧାତୁ,ଦୋଳ ଓ ଦୋଳେଇଵା ଆଦି ଶବ୍ଦ ସମୋଦ୍ଧୃତ । ଓଡ଼ିଶାରେ ଦୋଳେଇଵା ଵା "to swing" ଅର୍ଥରେ ଆହୁରି ଅନେକ କ୍ରିୟା ଶବ୍ଦ ପ୍ରଚଳିତ । ଯଥା —

•ଉକୁଚି ହେଵା
(କେତେକ ଅଞ୍ଚଳରେ ଉକୁଚି ଦେଵା କ୍ରିୟା ଦୋଳିକୁ ପଟା ଓ ଦଉଡ଼ି ଗୁଡ଼ାଇ ଗଛରେ ଖୋସିଵା ଅର୍ଥରେ ମଧ୍ୟ ଵ୍ୟଵହୃତ ହୋଇଥାଏ) 

•ଓଳମିଵା/ଓଳମି ହେଵା — ତଳକୁ ଲମ୍ବିଵା ଓ ଦୋଳିଵା
(ସଂସ୍କୃତ ଅଵଲମ୍ବନ ସହିତ ସମୋଦ୍ଧୃତ ତଥା ଗଞ୍ଜାମ ଅଞ୍ଚଳରେ ପ୍ରଚଳିତ ବୋଲି ଭାଷାକୋଷରେ କଥିତ ହୋଇଛି)

•ଓହଳିଵା—
(ଝୁଲିବା ଲମ୍ବିବା ଦୋଳିବା ଆଦି ଅର୍ଥରେ ଏ ଶବ୍ଦ ଵ୍ୟଵହାର କରାଯାଇଥାଏ)

•ଝୁଲିଵା 
(ଏ କ୍ରିୟା ଶବ୍ଦଟି ଲଟକିବା,ତଳକୁ ଲମ୍ବି ଦୋହଲିଵା,ଫାସି ଲଟକାଇ ହେଵା ଵା ଫାସି ଘେନିଵା,ଢଳିଵା,ଇତସ୍ତତଃ ଦୋଳାୟମାନ ହେଵା,ଓହୋଳିପଡ଼ିଵା ଓ ଦୋଳିଵା ଆଦି ଅର୍ଥରେ ପ୍ରୟୋଗ ହୋଇଥାଏ)

•ଦୋଳିଵା
(ଏ କ୍ରିୟା ଶବ୍ଦଟି ଉଭୟ ଝୁଲିଵା ଓ ହଲିଵା ଅର୍ଥରେ ପ୍ରୟୋଗ ହୋଇଥାଏ)

•ଲଟକିଵା/ନଟକିଵା/ଲଡ଼କିଵା
(ଝୁଲିଵା,ଦୋଳିଵା ଓ ଝୁଲି ପଡି଼ଵା ଅର୍ଥଜ ଶବ୍ଦ)

•ଲୁଳିଵା
(ଏ ଶବ୍ଦଟି ଝୁଲିଵା, ଲଟକିଵା,ଦୋହଲିଵା,କ୍ଳାନ୍ତ ହେଵା, ଥକିଯିଵା,ମଉଳିଵା, ମ୍ଲାନହେଵା,ଝାଉଁଳିଵା ଆଦି ଅର୍ଥରେ ପ୍ରୟୋଗ ହୋଇଥାଏ)

•ଦୋଳି ପହଞ୍ଚାଇଵା( a swing)
(ଅନ୍ୟ ଵ୍ୟକ୍ତିକୁ ଦୋଳାରେ ଝୁଲାଇଵା)

•ପେଙ୍ଗିଵା/ପେଙ୍ଗା ମାରିଵା
(ସଂ—ପ୍ରେଙ୍ଖା = ଝୁଲିଵା/
ଗୋଡ଼ ଓ ବାହୁଦ୍ବାରା ବଳ ପ୍ରୟୋଗ କରି ନିଜେ ଦୋଳି ପହଞ୍ଚାଇ ହେଵା ଵା ଖେଳିଵା)

ଏତଦଵ୍ୟତୀତ ଏ ଦେଶରେ ଅନେକ ଜାତୀୟ ଦୋଳି ପ୍ରଚଳିତ ଯଥା — ଦଉଡ଼ି ଦୋଳି,ଡଙ୍ଗା ଦୋଳି, ଚକ୍ରି ଦୋଳି,
ପଟାଦୋଳି, ବାଉଁଶ ଦୋଳି,ରାମ ଦୋଳି ଓ ବାକ୍ସ ଦୋଳି ଇତ୍ୟାଦି ଇତ୍ୟାଦି



ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଦୋଳି ଶବ୍ଦର ବହୁଳ ପ୍ରୟୋଗ ହୋଇ ଳଥିଵା ଦେଖାଯାଏ । 

ଓଡ଼ିଆ ଲିଖିତ ସାହିତ୍ୟରେ ଦୋଳି :

ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗଵତର ଦଶମ ସ୍କନ୍ଧରେ ଦୋଳି ଶବ୍ଦର ପ୍ରୟୋଗ ଏମନ୍ତ ହୋଇଅଛି...

“ବସ୍ତ୍ର ବାନ୍ଧନ୍ତି ବୃକ୍ଷ ଡାଳେ । 
ଦୋଳି କରନ୍ତି କୁତୁହଳେ ॥”

କଵି ବଳରାମ ଦାସ ଜଗମୋହନ ରାମାୟଣରେ ଦୋଳି ଶବ୍ଦ ଵ୍ୟଵହାର କରି ଲେଖିଛନ୍ତି...

"ରତ୍ନସିଂହାସନେ ନେତର ଯେ ଦୋଳି ପାରି । ଵିଜୟ ନାରାୟଣ ବଡିମାପଣ ଛାଡି଼ ॥" 

ସେହିପରି କଵି ଦୀନକୃଷ୍ଣ ଦାସ(୧୬୫୦–୧୭୧୦) ତାଙ୍କ ରସକଲ୍ଲୋଳ କାଵ୍ୟରେ ମଧ୍ୟ ଦୋଳି ଶବ୍ଦ ପ୍ରୟୋଗ ପୂର୍ଵକ ଲେଖିଛନ୍ତି

"କନକର ଦୀପାଵଳୀ ଚାରି ପାରୁଶରେ ଜାଳି
ଚାରୁ ଚନ୍ଦ୍ରାତପମାନ ନେଇ ମଣ୍ଡିଲେ ।
କର୍ପୂର ଚନ୍ଦନ ଛରା ପକାଇ ସେ ପୁର ତୋରା
କରାଇ, ଅଳକାପୁରତୋରା ଖଞ୍ଜିଲେ ।
କନ୍ୟା ଖମ୍ବେ ଖଟାଇ ଦୋଳି
କୁମାରଙ୍କୁ ଶୁଆଇ ଦେଲେ ହୁଳହୁଳି ॥”

କଵିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲାଵଣ୍ଯଵତୀ କାଵ୍ୟରେ ଦୋଳି ଶବ୍ଦ ଵ୍ୟଵହାର କରାଯାଇ ଲେଖାଅଛି

"ସୂତିକାଗୃହରେ ଯେତେ ଵିଧି ଶେଷ କଲେ । ଦଶ ବିଂଶ ଦିନେ ଦୋଳି ଶୟନ ବିହିଲେ ଯେ ।”

ସେହିପରି କଵି ଵୈଦେହୀଶ ଵିଳାସ କାଵ୍ୟରେ ମଧ୍ୟ ଦୋଳି ଶବ୍ଦର ପ୍ରୟୋଗ କରି ପଦେ ରଚନା କରିଛନ୍ତି

"ବଡିମା-ତତି ଶୋଭାର ଶ୍ରୁତି ବିଶ୍ରାମ ଖଟ ଦୋଳି। 
ବୋଲି ପାଟଳି ପା ବୋଲୁଁ ଟଳିଲାର ଉପମା ଝଳି॥"

ଗୋପୀନାଥ ଦାସଙ୍କ ଖୁଦୁରୁକୁଣୀ ଓଷାଗୀତରେ ଆମେ ଦୋଳି ଶବ୍ଦ ଥିଵା ଦେଖିଵାକୁ ପାଇଥାନ୍ତି 

"ଭୋଜନ କରାଇଵ ଆଣି । 
କ‌ହି ଅପୂର୍ଵ ରସଵାଣୀ ॥
ଦୋଳିରେ ଦୋଳି ପଞ୍ଚାଇଵ । 
ନିମିଷେ ହେଳା ନ କରିଵ ॥

ସମାନ କଥା କଵି ଦୁଷ୍କର ନାୟକ ଖୁଦୁରୁକୁଣୀ ଗୀତ ଓ ତଅପୋଇ ଉପାଖ୍ୟାନରେ ଏମନ୍ତ ଉଲ୍ଲେଖ କରିଛନ୍ତି

"ବେଳ ଜାଣି ଅନ୍ନ କୁଙ୍କୁମ ଲେପନ ପାନ ଭାଙ୍ଗି ଦେଵ, ଦୋଳି ଖେଳାଇଵ, 
ଖଟେ ଶୁଆଇଵ, କଟୁ ନ କହିଵ”

ଆଗେ ସାଧାରଣତଃ ଶ୍ରୀକୃଷ୍ଣଙ୍କ ସମ୍ବନ୍ଧୀୟ କାଵ୍ୟ କଵିତାରେ ଦୋଳିଖେଳ ଵିଷୟରେ ଉଲ୍ଲେଖ ରହୁଥିଲା । କିନ୍ତୁ ଊନବିଂଶ ଶତାବ୍ଦୀ ପରଠାରୁ ଓଡ଼ିଆ କଵି ଲେଖକମାନେ ସାଧାରଣ ଜନତାଙ୍କ ଜୀଵନଯାପନ ଉପରେ ସାହିତ୍ୟ ଲେଖିଵାରେ ଵ୍ରତୀ ହେଲେ । ତେଣୁ ଓଡ଼ିଆ ଲୋକଙ୍କ ଗାଉଁଲି ଦୋଳିଖେଳ କଥାମାନ ସାହିତ୍ୟରେ ସ୍ଥାନ ପାଇଵାକୁ ଲାଗିଲା...

ରାଧାନାଥ ରାୟ ଉଷା କାଵ୍ୟରେ ଦୋଳି ଶବ୍ଦ ଵ୍ୟଵହାର କରି ଲେଖିଛନ୍ତି

"ଅସଂଖ୍ୟ କଳାପୀ ଵର୍ଣ୍ଣୋଜ୍ଜ୍ୱଳ ଚାରୁ-କଳପ ତୋଳି, ଵ୍ରତ‌ତୀ-ଦୋଳାରେ ଖେଳୁଥିଲେ ତ‌ହିଁ ଅନିଳେ ଦୋଳି”

କ୍ରମେ ଓଡ଼ିଆ ସାହିତ୍ୟରେ ଶିଶୁଗୀତ ରଚନାର ପରମ୍ପରା ଆରମ୍ଭ ହେଲା ଏଵଂ ବାଳକ ଵାଳିକା ତଥା କିଶୋର କିଶୋରୀଙ୍କର ପ୍ରିୟ ଦୋଳି ଖେଳର ଉଲ୍ଲେଖ ସେସବୁ ସାହିତ୍ୟରେ ସ୍ଥାନ ପାଇଲା

କଵା ନନ୍ଦକିଶୋର ବଳ ହୋଓରେ ବାଇଆ ହୋ” ଶିଶୁଗୀତରେ ଲେଖିଛନ୍ତି...

“କୋଳି ଖାଉ ଥାଉ ଶିଆରି ଲଟାରେ କୃଷ୍ଣ ଖେଳୁଥିବେ ଦୋଳି ଶିଆରି ବଣରେ ବାଇଆ ବସା ଗୋ ! ହୋଓରେ ବାଇଆ ହୋଓ !”

ସେହିଭଳି ଉଦୟନାଥ ଷଡ଼ଙ୍ଗୀ ତାଙ୍କ ଶିଶୁ କଵିତା "ଦୋଳି ଖେଳ"ରେ ଆଉ ପାଦେ ଆଗେଇ ଯାଇ ଲେଖିଲେ...

“ଦୋଳିରେ ଦୋଳି ପଵନ ଦୋଳି 
ଦୋଳି ଖେଳିଵା ଆସ
ଗଛର ଡାଳେ ଦୋଳିଟି ଝୁଲେ
ତଳେ କଅଁଳ ଘାସ”

ବହୁତ ପରେ ମାଗୁଣୀ ମହାପାତ୍ର(ଏହାଙ୍କର ୧୯୫୨ ମସିହାରେ ଦୋଳିଗୀତ ପ୍ରକାଶିତ)ଙ୍କ ଭଳି କିଛି ଉଦ୍ୟମୀ ଓଡ଼ିଆ ପ୍ରାଚୀନ କାଳରୁ କଥିତ ଓଡ଼ିଆ ଭାଷାର ଲୋକ ସାହିତ୍ୟରେ ପ୍ରଚଳିତ କେତେକ ମୁଖ୍ୟ ମୁଖ୍ୟ ରଜଦୋଳି ଗୀତକୁ ସଂଗ୍ରହ କରି ପ୍ରକାଶ କରିଥିଲେ। ପ୍ରକୃତରେ ଏମାନେ ରଚୟିତା ନଥିଲେ ଵରଂ ସମାଜର କଥିତ ଭାଷାରେ ପ୍ରଚଳିତ ଲୋକ ସାହିତ୍ୟକୁ ସଂଗ୍ରହ କରି ନିଜ ଅନୁସାରେ ବଦଳାଇ ଲୋକଙ୍କ ପାଖରେ ପହଞ୍ଚାଇଥିଲେ । କେହି କେହି ମାଗୁଣି ମହାପ୍ରାତ୍ରଙ୍କ ୧୯୫୨ ମସିହାରେ ପ୍ରକାଶିତ ପୁସ୍ତକକୁ ଦେଖି ଭାବନ୍ତି ଯେ ସେ ରଜ ଦୋଳି ଗୀତର ସୃଷ୍ଟିକର୍ତ୍ତା ମାତ୍ର ତାଙ୍କର ସେଭଳି ଭାବି ମତଵ୍ୟକ୍ତ କରିଵା ଠିକ୍ ନୁହେଁ ‌ । ମାଗୁଣି ମହାପାତ୍ର ଯେ କି ଆଜକୁ ସତୁରୀ ଵର୍ଷ ତଳେ ଖଣ୍ଡିଏ ପୁସ୍ତକ ପ୍ରକାଶ କରିଦେଇଥିଲେ ତାହା କ'ଣ ଏତେ ମାତ୍ରାରେ ଲୋକପ୍ରିୟ ହୋଇଗଲା ଯେ ୧୯୫୦ରୁ ୧୯୮୦-୯୦ ଯାଏଁ ରେଡ଼ିଓ,ଟିଵି, ସମ୍ବାଦପତ୍ର ପହଞ୍ଚି ନଥିଵା ବଣ ଜଙ୍ଗଲ ଘେରା ଦୁର୍ଗମ ଗ୍ରାମାଞ୍ଚଳରେ ପହଞ୍ଚି ଗଲା ?
ପୁନଶ୍ଚ ସତୁରୀ ଵର୍ଷ ମଧ୍ୟରେ ମାଗୁଣି ମହାପାତ୍ରଙ୍କ ଦ୍ଵାରା ସଂଗୃହୀତ କେତେଗୋଟି ଲୋକଗୀତ ଆଧାରରେ ସହସ୍ର ସହସ୍ର ଲକ୍ଷ ଲକ୍ଷ ରଜଦୋଳି ଗୀତ ବୌଦ୍ଧ, ସୋନପୁର,ଦେଵଗଡ଼ଠାରୁ ପୁରୀ ଯାଏଁ ବାଲେଶ୍ଵରଠାରୁ ଗଞ୍ଜାମ ତଥା ସିଂହଭୂମି ଯାଏଁ ସୃଷ୍ଟି ହୋଇଯାଇଥିଵା ମଧ୍ୟ ଯୁକ୍ତିଯୁକ୍ତ ଲାଗୁନାହିଁ ‌ । ନିଶ୍ଚୟ ତାଙ୍କର ବହୁ ପୂର୍ଵରୁ ଓଡ଼ିଶାରେ ରଜଦୋଳି ଗୀତ କଥିତ ଓଡ଼ିଆ ଭାଷାରେ ସୃଷ୍ଟି ହୋଇ ଚଳୁଥିଲା ଏଵଂ ତନ୍ମଧ୍ୟରେ କେତେକ ଵିଶିଷ୍ଟ ଗୀତକୁ ମାଗୁଣି ମହାପାତ୍ର ସଂଗ୍ରହ କରି ନିଜ ଶୈଳୀରେ ଲେଖି ପ୍ରକାଶ କରିଥିଲେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ୧୯୩୨ ମସିହାରେ ସଂକଳିତ ହୋଇ ପ୍ରକାଶ ପାଇଥିଲା ମାଗୁଣି ମହାପାତ୍ରଙ୍କ ରଜଗୀତ ବହି ପ୍ରକାଶ ହେଵାର ୧୫-୧୮ ଵର୍ଷ ପୂର୍ଵରୁ ସେଥିରେ ଅଵିଭକ୍ତ ସମ୍ବଲପୁର ଜିଲ୍ଲାରେ ପ୍ରଚଳିତ "ପରା(ପଡ଼ା/ସାହି)" ଶବ୍ଦ ତଳେ ସମ୍ବଲପୁରୀ ଓଡ଼ିଆରେ ପୂର୍ଵେ ପ୍ରଚଳିତ ଥିଵା ଏକ ଦୋଳୀଗୀତ ଉଲ୍ଲେଖ କରାଯାଇଛି...

"କାଁଚି କାଁଚି କାଁଚି, 
ଆମରି 'ପରା'କୁ ନ ଯିବୁ ନାଚି। 
ପୁଣ୍ଡା ତଲେ ଦେବି ଖାଁଚି।"

ଏଥିରୁ ଜଣାଯାଏ ଯେ ମାଗୁଣି ମହାପାତ୍ରଙ୍କ ବହୁ ପୂର୍ଵରୁ କେଵଳ ଉପକୂଳ ଓଡ଼ିଶା ହିଁ ନୁହେଁ ଵରଂ ଅଵିଭକ୍ତ ସମ୍ବଲପୁର ଜିଲ୍ଲା ଯାଏଁ ମଧ୍ୟ ଦୋଳୀ ଗୀତ ପ୍ରଚଳିତ ଥିଲା । ଆମ ଓଡ଼ିଶାରେ ଅଞ୍ଚଳ ଭେଦରେ ସହସ୍ରାଧିକ ଦୋଳିଗୀତ ପ୍ରଚଳିତ । 
ନିମ୍ନରେ କେତେକ ଜଣାଶୁଣା ଦୋଳିଗୀତ ପ୍ରଦତ୍ତ ହେଲା...

"ଵନସ୍ତେ ଡାକିଲା ଗଜ, 
ଵରଷକେ ଥରେ ଆସିଛି ରଜ ଲୋ, 
ଘେନି ନୂଆ ସଜବାଜ ।"

"ଦୋଳି ଉଡ଼େ ସାଇଁ ସାଇଁ ସଙ୍ଗାତ ଲୋ
ଦୋଳି ଉଡ଼େ ସାଇଁ ସାଇଁ
ମୋ ଭାଇ ଯୁଦ୍ଧରୁ ଫେରିଵା ପାଇଁ ଲୋ 
ଦୁଆରେ ବସିଛି ଚାହିଁ ।"

"କଳିଙ୍ଗ ଅଙ୍ଗ ଜିଣିଵ ସଙ୍ଗାତ ଲୋ , 
କଳିଙ୍ଗ ଅଙ୍ଗ ଜିଣିଵ
ହାତୀ ଘୋଡ଼ା ଚଢ଼ି ପଟୁଆର କରି ଭାଇ ମୋର ଆସୁଥିଵ ।"

"ରଜ ଦୋଳି କଟମଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ
ତୋ ଭାଇ ମୁଣ୍ଡରେ ଜଟ ।"

"ଦୋଳି ପଟା ଖେଳୁଥିଲି ଲୋ
ଦୋଳି ପଟା ଖେଳୁ ଥିଲି
ବାପା ଡାକି ଦେଲେ ଯଶୋଦା
ବୋଲି 
ହାତ ଧୋଇ ଭାତ ଦେଲି ଲୋ 
ହାତ ଧୋଇ ଭାତ ଦେଲି...।"

"ଗଛ ଦୋଳି ପଟା ଦୋଳି ସଙ୍ଗାତ ଲୋ
ଫୁଲ ଦୋଳି ଲୁଗା ଦୋଳି
କୋଳି ଖାଇ ଖାଇ ଦୋଳି
ଖେଳୁଥିଲେ ଦେଖିବେ ମାଇପେ ଭଳି ।"

"ପିତା ଶାଗ ବୁଦି ବୁଦି, 
ଭାଇ କାହା ସଙ୍ଗେ କଲେ ପୀରତି କଲା ଲୋ, 
ହାତୁ ଦେଇ ସୁନା ମୁଦି । "

"ଅରୁଆ ଚାଉଳ ଖିରି
ଝୁଣ୍ଟିଆ ଶବଦେ କମ୍ପାଇ ଦେଲା
ଏଇବାଟେ ଗଲା ଗୋରୀ"

"ଜାମୁ କୋଳି କଳା କଳା
ଦୋଳି ନ ବସୁଣୁ ବେଗ ତୁ 
ପଳା ଲୋ  
ଚାହିଁ ଥିବେ ଗଳା ମାଳା ।"

"ଆମ୍ୱୁଲ ମାଠିଆ ପେଟ
ଵରଷେ ଜଗିଲି ଗାଧୁଆ ତୁଠ
ଦିନେ ନ ପାଇଲି ଭେଟ"

"ଲାଜକୁରୀ ନୂଆ ଵୋହୂ
ସଙ୍ଗାତ ଲୋ  
ଲାଜକୁରୀ ନୂଆ
ବୋହୁ
ହୁଳହୁଳି ଦେବ କଣରେ ଥାଇ ଲୋ
ଜଳେ ଦୀପ ଦାଉ ଦାଉ ।"

"ଝଟ ଝଟଦୋଳି ଝୁଲା ସଙ୍ଗାତ ଲୋ ଝଟ ଝଟ ଝୁଲା ଦୋଳି
ଭାଇ ବନ୍ଦିଵା ମୋ ହୋଇଛି ପାଳି ଲୋ ନୂଆ‌ଵୋହୂ କଲା କଳି।"

"କୂଅରେ ପଡି଼ଲା ଇଟା
ଜୁଆଳି ବାଡିରେ ଭାଙ୍ଗିବ ଅଣ୍ଟାଲୋ
ଶିଖାଇବି ଧାନକୁଟା ।"

"ଆଖୁବାଡ଼ି ଖସଖସ
ଯାଦୁଆ ଡାକୁଛି ଯାଦୁଆଣୀକୁ
ରମ୍ପାରମ୍ପି ହେଵା ଆସ"

"ଆଠଗଡ଼ ବୋଇରାଣୀ
ଶୁଖିଲା ନଡି଼ଆ ପଇଡ ପାଣି
ବୁଢୀ଼ ଦିନେ ଭୁଆଷୁଣୀ"

"ଆଳି ରାଇଜର କେନ୍ଦୁ
ଆଳିଆ ଲେଖାରେ ବାଳିଆ ବନ୍ଧୁ
କେତେ ଲହରେଇ କାନ୍ଦୁ"

"କାଉ ବେକରେ ମାଳି
ତିନିଘର କଳି ଲଗେଇ ଦେଲା
ଏଇ ସରୁମୁହିଁ କାଳି"

"ଖଡୁ ଭଲକରି ମାଜ
ରାଜା ତ ଜାଣିଲେ,
ରାଇଜ ଜାଣିଲା
ଆଉ କାହିଁପାଇଁ ଲାଜ ।"

"ସାତଥର ଗଲି ଗଙ୍ଗା
ଥରେ ଚାଲିଗଲି ଚନ୍ଦରଭାଗା ଲୋ
ମୁହଁ ପଡି଼ଗଲା ରଙ୍ଗା"

"ପଛକଥା ମନେ ନାହିଁକି
ତାଳଗଛ ମୂଳେ ମାଡ଼ ମାରିଥିଲୁ
ବାଇଗଣ ପୋଡା ପାଇଁକି ।"

"ଚୋର ପଳେଇଲା ଖରେ
ଗହ୍ଲେଇନାନୀର ଧନୁଆ କଣ୍ଠି
ଛିଡି ପଡି଼ଗଲା ତଳେ ।"

"ଦୋଳିଆ ଭାଇରେ ଦୋଳିଆ ଭାଇ ,
ଦୋଳି ପହଞ୍ଚାଇ ଦେ
ଦୋଳିରେ ଯେତେକ କଉଡ଼ି ଅଛି
ସବୁ ପଛେ ଗଣି ନେ ।"

"ବିଲ ବରଗଛ ଛାଇ
ପରିହାସ ଛଳେ ଦେଲି ମୁଁ କହି
ମୋ ଗୁଣ୍ଠୁଣୀ ହାତୀ ଲୋ
ହସ ଖେଳେ ଦିନ ଯାଉ ବହି ।"

"ବଣରେ ଲାଗିଲା ନିଆଁ
ପିଠିରେ ଲଗାଇ ଦେବି ମୁଁ ଚିଆଁ
ମୋ ଭଉଣୀ ମାନେ ହୋ
କାହିଁ ନପାଇଵ ତୁମେ ରାହା ।"

"ନଈ ଅତଡା଼ରେ ଦୁବ
ଏକା ଗଲେ ସିନା ସରମ ହେଵ ଲୋ
ସଙ୍ଗେ ଯିବେ ଗଜାମୂଗ ।"

"ବାହାଲ‌ ଉପରେ ଲେମ୍ବୁ
ମରିଗଲେ‌ ପିଲା ପାଉଁଶ ‌ହେବୁ
ଏ ସୁଖ କାହୁଁ ‌ପାଇବୁ ?"

"ବାଉଁଶ ସରୁ ପଵନ
ଯେପରି ବହୁଛି ଥଣ୍ଡା
ପଵନ ଲୋ
ସେହିପରି ଆମ୍ଭ ମନ ।"

"ରାଶିରୁ ଛାଡ଼ିଲା ଚୋପା, 
ଗୋଡ଼ରେ ନାଇଛୁ ସରୁ ଅଳତା ଲୋ, 
ମଥାରେ ସିନ୍ଦୂର ଟୋପା ।"

"ମାଧୋଇ ଅଣ୍ଟାରେ ଗୋଠ
ଏଇ ଗୋଠ ଲାଗି ଯିବି କଟକ ଲୋ 
ଆଣିବି ସୁନା ମୁକୁଟ ।"

"ଉଡ଼ିଲା ଶୁଆ ନାହାକା, 
ଦୋଳିଟା କାହିଁକି ଲାଗୁଛି ଏକା ଲୋ, 
କାହା ଵିନା ଏକା ଏକା ।"

"ଅଦିନେ ଜହ୍ନି ରାଇତା
ଚନ୍ଦ୍ରମା ମୁଖଟି ଶୁଖି ଯାଇଛି ଲୋ
କହୁ ନାହାନ୍ତି ସେ କଥା ।"

"ପାଚିଲା ଭଇଁଚ କୋଳି, 
ବେକରେ ନାଇଚି ଗଜରା ମାଳି ଲୋ, 
ଝୁଲାଅ ରଜର ଦୋଳି ।" 

"ଇଙ୍କର ବଣର ଘାସ
‌ଦିନେ ଦେଖା ନାହିଁ  
କାଳେ ଦେଖା ନାହିଁ
ଆଜି ବଡ଼ ଵିଶୁଆସ ।"

"ପଣସ ପାଚିଲା ଵନେ, 
ଵନ ପୋଡ଼ିଗଲେ ଦୁନିଆ ଜାଣେ ଲୋ, 
ମନକଥା କିଏ ଜାଣେ ।"

"ଢିଙ୍କିରେ କୁଟିଲି ଗୋଲମରିଚ ଲୋ
ପାଆରେ ମାପିଲି ଘିଅ 
ଉପର ସାହିକି ଝିଅ ନଦେଵ ଲୋ
ମାରିବେ ଜାଉଁଳି ଡିହ ।"

"ଶଙ୍ଖ ମଲମଲ ଗିନା, 
ଦରଦ ଜାଣେଲୋ ଦରଦୀ ସିନା ଲୋ, 
ବଣିଆ ଚିହ୍ନେଟି ସୁନା ।"

"ବାରିକି ସୁନ୍ଦର କଦଳୀ ଗଛ ଲୋ
ପିଢାକୁ ସୁନ୍ଦର ପୋଇ
ଘରକୁ ସୁନ୍ଦର
ଦେଈ ଭାରିଜା‌ ଲୋ
ରଗଡି଼ଵ ମୁଗଜାଇ ।"

"ନିମ୍ବର ବୁକେ ଚନ୍ଦନ, 
ଦେଵତା ଗଢ଼ାଇଲା ନାରୀ ଜୀଵନ ଲୋ, 
ଦେଲା ତହିଁ ଯଉଵନ ।"

"ଢମଣା ଛାଡ଼ିଲା କାତି, 
ପୁରୁଷ ସିନାଲୋ ଭ୍ରମର ଜାତି ଲୋ, 
ନୂଆ ଖୋଜୁଥାନ୍ତି ନିତି ।"

"ପାକେଲା ବାଉଁଶ ବାଡ଼ି
ହସି କଥା କହ କୁସୁମ କଢି଼ ଗୋ
ଚାକିରୀ ଆସିଛି ଛାଡି଼।"

"ଭଲେ ଆସିଛ କି ମନ୍ଦେ ଆସିଛ
କୁମ୍ଭ ଧରି ଗୋଡ଼ ଧୁଅ
ତୁମରି ଭାରିଜା ପଦାରେ ଅଛନ୍ତି
କରମ ଆଦରି ଶୁଅ।"

"ବଣ ଭୁଆଁ ଛାଡେ ରଡି
ଘଡି଼ ଘଡି଼ ମା' ଡାକିବ ନାହିଁ ଲୋ ,
ଦୋଳିରୁ ଯିବି ମୁଁ ପଡ଼ି ।"

"ଚାନ୍ଦରେ କଳଙ୍କ ଚିହ୍ନ, 
ନଵ ଯଉଵନି କିଆଁ ଗୁମାନ ଲୋ, 
ଆସିଲେଣି ଜୀଵ ଧନ ।"

"ପୋଖରୀ ତୁଠ ପଥର, 
ତତେ ଦେଖିଥିଲି ବାଲି ବନ୍ଧରେ ଲୋ, 
ଆଖି ଥିଲା ଏଣେ ତୋର ।"

"ଦୋଳି ଦଉଡ଼ି ସାଜେ
ଯେଉଁ ପରଵତେ ବାଜେଣି ବାଜେଲୋ
ଗଙ୍ଗା ବାଲି ଖଡ଼ୁ ମାଜେ ।"

"ସାହାଡ଼ା ଗଛର ଛାଇ, 
ସେଦିନ କଥାକି ତୋ ମନେ ନାଇଁ ଲୋ, 
ଏତେ ଆନମନା କାହିଁପାଇଁ ।"

"ଦୋଳି ମୁଣ୍ଡେ ଦେଲି ଜଉ
ଏଇ ଜଉ ଟିକ ସଂସାରେ ଥାଉ ଲୋ
ଦୋଳି ଖେଳି ଦିନ ଯାଉ ।"

"ପର୍ଵତ ଶିଖରେ ଧାନ ଉସାଁଇଲି 
ମୟୂର ଖାଇଲା ଖୁଣ୍ଟି
ଆଣେଲୋ ଏବେ 
ଝୁମୁକି ଝାଣ୍ଟି ମୟୂର
ଗଲାଣି ଉଠି ।"

"ଖୋସାରେ ଖୋସିଲି ଫୁଲ, 
କେତେ ଦେଖାଉଛୁ ନୁଖୁରା ଗେଲରେ, 
ଭାଙ୍ଗି ଦେବି ତୋର ଗାଲ ।"

"ନଈର ଶୁଖିଲା ବାଲି, 
କେତେ ଫୁଲି ହେଉ ପୁଚୁକିଗାଲି ଲୋ, 
ଦେଖାଉଛୁ କେତେ ବେଲି ।"

"ବାଜିଲା ତେଲିଙ୍ଗି ବାଜା, 
ରସିକ ଯେ ଜାଣେ ସ୍ନେହର ମଜା ରେ, 
ସେ ସିନା ମୋ ମନ ରଜା ।"

"କେଲୁଣୀ ରାନ୍ଧୁଛି ଖେଚୁଡ଼ି ଭାତ
ଖେଚୁଡ଼ି ଭାତ ଲୋ 
କେଳା ବୋଲୁଅଛି ଗୀତ ।"

"ଲୁଚିଗଲା ମେଘେ ଚାନ୍ଦ, 
ଦୋଳି କଟକଟ କରେ ଶବଦ ଲୋ, 
ଵହନ୍ତେ ପଵନ ମନ୍ଦ ।"

"ଦୋଳି ହୁଏ ରଟରଟ, 
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ, 
ଦିଶୁଥାଏ ଝଟଝଟ ।"

"ପରଵତେ ଜଳେ ନିଆଁ, 
ପହଞ୍ଚାଇ ଦୋଳି ତେଣେ ନ ଚାହାଁ ଲୋ, 
ପୁଣି ହେଵ ବାଆଁ ଡାଁ ।"

"ଦୋଳି ମୁଣ୍ଡି କଟ‌କଟ
ଯେବେ ମୋ ଭାଇନା ବାହା
ହୋଇ ଯିବୁ
ଆଣିବି ଫୁଲ ମୁକୁଟ ।"

"ଉତୁରି ପଡ଼ିଲା ଦୁଧ, 
ଉଙ୍କି ମାରି ମାରି ଅନାଉ ଥାଏ ଲୋ, 
ନନ୍ଦର ଉଦିଆ ଚାନ୍ଦ ।"

"ଛତରା ବଜାର ହାଟ, 
ଛକି ବସିଥିଵ ଚଗଲା କାହ୍ନୁଲୋ, 
ଛନ୍ଦରେ ମାଗିଵ ଘାଟ ।"

"ଥୋଡ଼ମଞ୍ଜା କଲି ରାଇ, 
କଣ ନ କଲେ କଳା କହ୍ନାଇ ଲୋ, 
ମୁହଁକୁ ଯା ନ ଅନାଇ ।"

"କରମଙ୍ଗା କଲି ରାଇ, 
ମଥୁରାକୁ ଗଲେ କଳା କହ୍ନାଇ ଲୋ, 
କଣ୍ଟ ଦେଇ ଗଲେ କାହିଁ ।"

"ସାଉଁଟିଲି ବିଲ ଘଷି, 
କିମ୍ପାଇଁ ରାଧିକା ବସିଲା ରୁଷି ଲୋ, 
ଫୁଲ ଶେଜ ହେଲା ବାସି ।"

"କଟକଟ ହୁଏ ଦୋଳି,
ଭାଉଜଙ୍କ ମନ ଯାଇଛି ଜଳି ଲୋ, 
ଭାଇ ଵିଦେଶୁ ନଇଲେ ବୋଲି ।"

"ଗରଜେ କଳା ବଉଦ, 
ମୋତେ ତ ବରଷ ହେଲା ଚଉଦ ଲୋ, 
ଗଲାଣି ପିଲା ସୁଆଦ ।"

"ବଇଁଶୀ ବାଜିଲା କୁଞ୍ଜେ, 
ବଡ଼କଥା ବଡ଼ ଲୋକଙ୍କୁ ସାଜେ ଲୋ, 
ଛୋଟ କଲେ ଛାଟ ବାଜେ ।"

"ଲାଞ୍ଜ ଟେକିଗଲା ବାଘ, 
ମନେ ରଖିଥିବୁ ସାଙ୍ଗ
ନଇଁ ଚାଲୁଥିବୁ ବଡ଼ଙ୍କ ଆଗେ ଲୋ, 
ଲାଗିଵ ନାହିଁଟି ଦାଗ ।"

"ଛତୁ ଫୁଟେ ଵରଷାରେ
ମାରୁଛୁ ହାତ ନିଶରେ, 
ଛତରାଟା କେତେ ଛଇ ଦେଖାଉ ରେ, 
ଅଛି କି ତୋ ଭରସାରେ ।"

"କରଡ଼ି ଖସିଲା ଆମ୍ବ, 
ପର କାହୁଁ ଘର ପରାଣୀ ହେବେ ରେ, 
ମନ ଜାଣି ଖଞ୍ଜି ଦେଵ ।"

"ବିରାଡ଼ି ଛିଙ୍କିଲା ବଣେ, 
ଆଗରେ ଯାଉଛି ନାଗର ଜଣେ ଲୋ, 
ମୁଣ୍ଡି ଝାଡୁ ଖାଲି ପଣେ ।"

"ଅଦିନେ ପଣସ ସିଠା, 
ଵଚନରେ ଯାର ନ ଥାଏ ମିଠା ଲୋ, 
ସେଟା ବାଡ଼ ପକା କଣ୍ଟା । "

"ପାହାନ୍ତି ରାବିଲେ ପେଚା, 
ଯିଏ ହୋଇଥିଵ ସିଂହର ବଚା ଲୋ, 
ନ ଦେଵ ପଛଘୁଞ୍ଚା ।"

"ମଇଁଷି ଶିଙ୍ଗରେ ଖସା,
ମଉସା ପୁଆଟା ଏଡ଼େ ସହସା ଲୋ, 
ମତେ କଲା ଲୋକହସା ।"

"ଜାରା ମାରିଦେଲା ବାଣ, 
ଯାହାଠାରେ ଯାର ମିଶିଛି ମନ ଲୋ, 
ସେହି ଜାଣେ ତାର ଗୁଣ ।"

"କାଟି ଗଲି କଳାଦୁବ, 
ଝିଅ ଜନମରେ ଏତିକି ଲାଭ ଲୋ, 
ବନ୍ଧୁ ଘର ଅରଜିଵ ।"

"କାଳୀଗାଇ ଦୁଧ କ୍ଷୀରି, 
ନୂଆ ପୀରତିରେ ମଉଜ ଭାରି ଗୋ, 
ପୁରୁଣାଟି ନିମ୍ବ ପରି ।"

"ଆମ୍ବ ପତ୍ର ଗହଳିଆ, 
ପ୍ରୀତି ପଙ୍କେ ତୁହି ହେବୁ ଗୋଳିଆ ଲୋ, 
ତୋଫା ହେଵଟି ଧୁଳିଆ ।"

"ଥିରି ଥିରି ଚାଲେ ହାତୀ, 
ଥୟ ନ ହେଉଛି କିମ୍ପା ଏ ଛାତି ଲୋ, 
ଥକା ଦୋଳି ହେଲା ରାତି ।"

"ପାଚିଲା ଆମ୍ୱ ପଣସ, 
ଆସ ଭାଇମାନେ ଦୋଳିରେ ବସ, 
ନ କରି ମନ ଵିରସ l"

"ପାଚିଲା ଭଇଁଚ କୋଳି, 
ବେକରେ ନାଇଚି ଗଜରା ମାଳି ଲୋ, 
ଝୁଲାଅ ରଜର ଦୋଳି । "

"ଘୋଡା଼ ଗୋଡ଼ ଠାକୁ ଠାକୁ, 
ଆମେ ଯାଇଥିଲୁ ତୁମ ଗାଆଁକୁ, 
ନ କହିଲ ବସିଵାକୁ l"

"ଚାଳରେ ବସିଲା ବଣି, 
ରାଧା ଚାଲିଗଲେ ଯମୁନା ପାଣି, 
କୃଷ୍ଣ କଥା ମନ ଜାଣି l "

"ଚିରିଲି ବାଉଁଶ ବତା, 
ଉପରେ ବନ୍ଦୁଛି ସୂର୍ଯ୍ୟ ଦେଵତା, 
ତଳେ ବନ୍ଦେ ଵସୁମାତା l "

"ଜୟ ମା କିଚେକେଶ୍ୱରୀ, 
ତଵ ପାଦପଦ୍ମେ କରି ଗୁହାରୀ, 
ରଖ ମତେ ଦୟାକରି l"

"ଜାମୁକୋଳି ନଦବଦ, 
ଯିଏ ଖାଉଛନ୍ତି ହାଣ୍ଡିଆ ମଦ, 
ତା ସଙ୍ଗେ ପୀରତି ମନ୍ଦ l"

"ଥୋଡମଞ୍ଜା କଲି ରାଇ, 
ମଥୁରାକୁ ଗଲେ କଳା କହ୍ନାଇ ଲୋ, 
କଣ୍ଟ ଦେଇ ଗଲେ କାହିଁ ।"

"ପୋଖରୀ ତୁଠ ପଥର, 
ତତେ ଦେଖିଥିଲି ବାଲି ବନ୍ଧରେ ଲୋ, 
ଆଖି ଥିଲା ଏଣେ ତୋର ।"

"ଫୁଲ ଖୋସିଲି କାନରେ, 
ବରଷକେ ରଜ ଆସିଛି ଥରେ, 
ଦୋଳି ଖେଳିଵା ସାଙ୍ଗରେ l "

"ବାଜିଲା ତେଲିଙ୍ଗି ବାଜା, 
ରସିକ ଯେ ଜାଣେ ସ୍ନେହର ମଜା ରେ, 
ସେ ସିନା ମୋ ମନ ରାଜା ।"

"ବାଡିର ବାଡିଆ ଗବ, 
ମରି ହଜିଗଲେ ପାଉଁଶ ହେବ, 
ଏ ଭାବ କାହୁଁ ପାଇଵ ? "

"ବିରାଡ଼ି ଛିଙ୍କିଲା ବଣେ, 
ଆଗରେ ଯାଉଛି ନାଗର ଜଣେ ଲୋ, 
ମୁଣ୍ଡି ଝାଡୁ ଖାଲି ପଣେ ।"

"ମଦରଙ୍ଗା ଶାଗ ରାଇ, 
ପଖାଳ ଭାତକୁ ଚିଲିକା ଶୁଖୁଆ, 
ମାଣିକ ପାଟଣା ଦହି ।"

"ଶାଗ ଖରଡିଲି ଡାଙ୍ଗେ, 
ଶାଶୁ ଗାଳିଦେଲେ ନଣନ୍ଦ କହିଲେ, 
କାଲି ଯିବି ଭାଇ ସଙ୍ଗେ । "

"ସଜନା ଗଛର ଅଠା, 
ତତେ କହିଥିଲି ଗୁପତ କଥା ଲୋ, 
ଦାଣ୍ଡେ କଲୁ ହଟହଟା । "

ଦୋଳିକୁ ନେଇ ପ୍ରଚଳିତ ଲୋକଵିଶ୍ଵାସ:

ଦୋଳି ସମ୍ବନ୍ଧୀୟ ଅନେକ ଲୋକଵିଶ୍ଵାସ ଓଡ଼ିଶାରେ ପ୍ରଚଳିତ । ଯଥା—

(କ) ବେଙ୍ଗ ସମ୍ବନ୍ଧୀୟ ଲୋକଵିଶ୍ଵାସ 

କଥିତ ଅଛି ଯେ ରଜପର୍ଵରେ ଦୋଳି ନଖେଳିଲେ କାଠ ବେଙ୍ଗ ହୋଇ ଜନ୍ମ ଲଭିଵାକୁ ହୁଏ । ଦୋଳି ଖେଳିଵାକୁ ମନା କରୁଥିଵା ଅବୁଝା ପିଲାଏ ନିଜ ସଂସ୍କୃତି ପରମ୍ପରାକୁ ପାଳନ କରନ୍ତୁ ସେଥିପାଇଁ ଭୟମିଶ୍ରିତ ଏଭଳି ଏକ ଲୋକଵିଶ୍ଵାସର ପ୍ରଚଳନ ହୋଇଥିଵା ସମ୍ଭଵ । 

(ଖ)ସର୍ପ ସମ୍ବନ୍ଧୀୟ ଲୋକଵିଶ୍ଵାସ 

ଆମ ଓଡ଼ିଶାର ରଜୋତ୍ସଵ ସମୟରେ ତିନିଦିନ କାଳ ଓ ତତ୍ପରେ କେତେକ ଦିନ ଯାଏଁ ପିଲାଏ ସକାଳ ଦ୍ବିପହର ଓ ଅପରାହ୍ନରେ ଦୋଳି ଖେଳିଥାନ୍ତି । କିନ୍ତୁ ଏହି ସମୟରେ ସେମାନଙ୍କୁ ସନ୍ଧ୍ୟା ତଥା ରାତିରେ ଦୋଳି ଖେଳିଵାକୁ ବାରଣ କରାଯାଇଥାଏ । କାରଣ ଓଡ଼ିଶାରେ ଲୋକଵିଶ୍ଵାସ ପ୍ରଚଳିତ ଯେ ସନ୍ଧ୍ୟା ତଥା ରାତିରେ ଦୋଳି ଖେଳିଲେ ଦୋଳିର ଦଉଡ଼ି ସାପରେ ପରିଣତ ହୋଇଯାଏ । 

ଆଧୁନିକ ଯୁଗରେ କେହି କେହି ଏହାକୁ ଅନ୍ଧଵିଶ୍ଵାସ ବୋଲି ଅଭିହିତ କରୁଅଛନ୍ତି କିନ୍ତୁ ଏହି ଲୋକଵିଶ୍ଵାସ ପଛରେ ଥିଵା ଵୈଜ୍ଞାନିକ କାରଣକୁ ସେମାନେ ଉପଲଵ୍ଧି କରିନାହାନ୍ତି । 

ସାଧାରଣତଃ ଵର୍ଷାଋତୁ ସମୟରେ ଗଛମାନଙ୍କରେ ଵିଷାକ୍ତ ସର୍ପମାନେ ଵିଚରଣ କରିଥାନ୍ତି । ଲାଉଡଙ୍କିଆ,ଡାଳୁଆଗୋଖର ଆଦି ଅନେକ ସର୍ପ ଵୃକ୍ଷରେ ରହିଵାକୁ ବୁଲିଵାକୁ ପସନ୍ଦ କରନ୍ତି ‌ । ରାତ୍ରୀସମୟରେ ସେମାନେ ଦୋଳିର ଦଉଡ଼ି ଉପରକୁ ଚାଲି ଆସିଵା ଅସମ୍ଭଵ ନୁହେଁ ‌ । 

ନିଶ୍ଚୟ ପୂର୍ଵେ ଆମ ସମାଜରେ ଅନେକ ପିଲା ବଡ଼ ଲୋକଙ୍କ ଆକଟ ନମାନି ସନ୍ଧ୍ୟା ଵା ରାତିରେ ଗଛ ଡାଳରେ ବନ୍ଧାଥିଵା ଦୋଳି ଖେଳି ସରରପ ଦଂଶନର ଶିକାର ହୋଇଥିବେ ଯାହା ଫଳରେ ଏଭଳି ଏକ ଲୋକଵିଶ୍ଵାସ ସୃଷ୍ଟି ହୋଇଥିଵ । 

(ଗ) ଡାହାଣୀ/ ପିଶାଚୁଣୀ /ବ୍ରହ୍ମରାକ୍ଷସ /ଓଥରା ଆଦି ଅଶରୀରୀ ସମ୍ବନ୍ଧୀୟ ଲୋକଵିଶ୍ଵାସ 

ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ସନ୍ଧ୍ୟାରେ ଦୋଳି ଖେଳ ବନ୍ଦ କରି ଦୋଳିକୁ ସେଇମିତି ନ ଓହଳେଇ ଉକୁଚି ଦେଵା(ଖୋସି ଦେଵା)ର ପରମ୍ପରା ପ୍ରଚଳିତ । କୁହାଯାଏ ରାତିରେ ଦୋଳିକୁ ଓହଳେଇ ଛାଡ଼ି ଆସିଲେ ସେଥିରେ ମୃତ ଆତ୍ମାମାନେ ବସି ଦୋଳି ଖେଳନ୍ତି । ଆଉ କେତେକ ଅଞ୍ଚଳରେ ରାତିରେ ଦୋଳି ଖେଳିଲେ ଓଥରା ଓ ବ୍ରହ୍ମରାକ୍ଷସ ଇତ୍ୟାଦି ଅତୃପ୍ତ ଆତ୍ମାଙ୍କ ଯୋଗୁଁ ଡାଳ ଭାଙ୍ଗିଵା ତଥା ପ୍ରାଣ ନାଶ ହେଵାର ଲୋକଵିଶ୍ଵାସ ପ୍ରଚଳିତ । ସାଧାରଣତଃ ଗଛ ଦୋଳି କୌଣସି ମଟକା ଦୁର୍ଵଳ ଗଛଶାଖାରେ ବନ୍ଧାଯାଇଥିଲେ ଭାର ନ ସହିପାରି ଭାଙ୍ଗିଯାଏ । ଆଗକାଳରେ ରାତିରେ ଦୋଳି ଖେଳୁଥିଵା ସମୟରେ ଗଛର ଡାଳ ଭାଙ୍ଗି ପଡି଼ଗଲେ ଆଜି ଭଳି ହଠାତ୍ ଚିକିତ୍ସା ହୋଇପାରୁନଥିଲା । ତେଣୁ ରାତିରେ ଅଶୀରୀରୀମାନଙ୍କ ନାମରେ ଭୟ ଦେଖାଇ ଦୋଳି ଖେଳିଵାକୁ ବାରଣ କରାଯାଉଥିଲା । ପ୍ରକୃତରେ ରଜ ଏମିତି ଏକ ପର୍ଵ ଯାହା ଵିଷୟରେ ଯେତେ ଲେଖିଲେ ବି ସରିଵ ନାହିଁ । ତେବେ ସେ ଯାହା ହେଉ ରଜ ପର୍ଵ ,ଦୋଳି ଓ ଦୋଳି ଗୀତ ସମ୍ବନ୍ଧୀୟ ଆହୁରି ଗହନ ଗଵେଷଣା ଆଵଶ୍ୟକ ।


Wednesday, June 15, 2022

ପୃଥିଵୀର ଏକ ଶ୍ରେଷ୍ଠ,ଵୈଜ୍ଞାନିକ ଓ ପ୍ରାକୃତିକ ପର୍ଵ : ରଜପର୍ଵ"

"ରଜପର୍ଵ"ର ନାମ ମଧ୍ୟରେ 'ରଜ' ଶବ୍ଦଟି ଥିଵାରୁ ଓଡ଼ିଶାର କିଛି ଲୋକଙ୍କୁ ରଜୋତ୍ସଵର ରଜ ନାମଟି ଅଶ୍ଳୀଳ ବୋଧ ହେଉଅଛି । "ରଜସ୍ଵଳା" କଥାଟି କିଛି ଲୋକଙ୍କ ମନକୁ ପାଉନାହିଁ । କେହି କେହି ଵିଚ୍ଛିନ୍ନତାଵାଦୀ ଏହାକୁ ଭିତ୍ତିକରି ପ୍ରତିଵର୍ଷ ଉତ୍ତର, ଦକ୍ଷିଣ,ପୂର୍ଵ ତଥା ମଧ୍ୟ ଓଡ଼ିଶାର ଲୋକଙ୍କୁ ଅପମାନିତ କରୁଛନ୍ତି । 

ପୃଥିଵୀର କୋଉ ନାରୀ ହୋଇଅଛି ଯିଏ ଵିନା ରଜସ୍ଵଳାରେ ସନ୍ତାନ ଉତ୍ପତ୍ତି କରିଛି ?

ସୁଶ୍ରୁତଙ୍କ ସୂତ୍ରସ୍ଥାନର ଚତୁର୍ଦ୍ଦଶ ଅଧ୍ଯାୟରେ କୁହାଯାଇଛି

“ରଞ୍ଜିତାସ୍ତେଜସା ତ୍ଵାପଃ ଶରୀରସ୍ଥେନ ଦେହିନାମ୍ ।
ଅଵ୍ଯାପନ୍ନାଃ ପ୍ରସନ୍ନେନ ରକ୍ତମିତ୍ଯଭିଧୀୟତେ ॥
ରସାଦେଵ ସ୍ତ୍ରିୟା ରକ୍ତଂ ରଜଃସଂଜ୍ଞଂ ପ୍ରଵର୍ତ୍ତତେ ।
ତଦ୍ବର୍ଷାଦ୍ବାଦଶାଦୂର୍ଦ୍ଧ୍ଵଂ ଯାତି ପଞ୍ଚାଶତଃ କ୍ଷୟମ୍ ॥ 
ନାରୀଣାଂ ରଜସି ଚୋପଚୀୟମାନେ ଶନୈଃ ଶନୈଃ ସ୍ତନଗର୍ଭାଶୟଯୋନ୍ଯଭିଵୃଦ୍ଧିର୍ଭଵତି । 

ସେହିପରି ଵାଭଟଙ୍କର ଶାରୀରସ୍ଥାନ ପ୍ରଥମ ଅଧ୍ଯାୟରେ ଉଲ୍ଲେଖ ଅଛି

“ମାସି ମାସି ରଜଃସ୍ତ୍ରୀଣାଂ ରସଜଂ ସ୍ରଵତି ତ୍ର୍ଯହମ୍ । 
ଵତ୍ସରାଦ୍ଦ୍ଵାଦଶାଦୂର୍ଦ୍ଧଂ ଯାତି ପଞ୍ଚାଶତଃ କ୍ଷୟମ୍ ॥ ”

ତେଣୁ ରଜସ୍ଵଳା ଵିନା କୌଣସି ନାରୀ ସନ୍ତାନ ଉତ୍ପତ୍ତି କରିପାରିଵା ଅସମ୍ଭଵ । 
ପୃଥିଵୀମାତା ନାରୀ ଭାଵରେ କଳ୍ପିତା । ସାରା ଵିଶ୍ଵରେ ମାଟିକୁ ମାଆ କଳ୍ପନା କରାଯାଇଛି । ଏ କଳ୍ପନା ପୁଣି କପୋଳକଳ୍ପିତ ନୁହେଁ ଵରଂ ଆଧ୍ୟାତ୍ମିକ ଓ ଵୈଜ୍ଞାନିକ । 



 କେତେକ ସଭ୍ୟତାକୁ ଛାଡ଼ି ଦେଲେ ପୃଥିଵୀର ପ୍ରାୟ ୯୦% ଭାଗ ସଭ୍ୟତାରେ ପ୍ରକୃତିକୁ ଵା ପୃଥିଵୀକୁ ମାତା ରୂପରେ କଳ୍ପନା କରି Mother Nature ଵା Mother earth ଭାବେ ଅଭିହିତ କରାଯାଇଛି। 

ପ୍ରାଚୀନ ଇଜିପ୍ଟରେ ପୃଥିଵୀକୁ Geb ତଥା ଆକାଶକୁ Nut ରୂପେ କଳ୍ପନା କରାଯାଇଥିଲା । ଇଜିପ୍ଟର ଲୋକେ ପୃଥିଵୀକୁ ଦେଵ ଓ ଆକାଶକୁ ଦେଵୀ କଳ୍ପନା କରିଥିଲେ । ଏ ଅଞ୍ଚଳରେ ଜଳାଭାଵ ଉତ୍କଟ ଥିଲା ଏଵଂ ଆକାଶରୁ ଵର୍ଷା ହେଵା ଫଳରେ ସେମାନଙ୍କର ଜୀଵନଧାରଣ ସମ୍ଭଵ ହୋଇପାରୁଥିଲା ବୋଲି ସେମାନେ ଭୂମିକୁ ପୁରୁଷ ତଥା ଆକାଶକୁ ସ୍ତ୍ରୀ କଳ୍ପନା କରିଥିଲେ । 

ଇଜିପ୍ଟର ପ୍ରାଚୀନ ସଭ୍ୟତାକୁ ଛାଡ଼ି ଦେଲେ ପ୍ରାଚୀନ ଆମେରିକୀୟ ମାୟା- ଇନକା- ଆଜଟେକ୍ ସଭ୍ୟତା , ଅଧିକାଂଶ ଆଫ୍ରିକୀୟ ଜନଜାତୀୟ ସଭ୍ୟତା,ପ୍ରାଚୀନ ଗ୍ରୀକ୍-ରୋମାନ୍ ସଭ୍ୟତା, ପ୍ରାଚୀନ ଜର୍ମାନ୍-ନୋର୍ସ୍ ସଭ୍ୟତା,ପ୍ରାଚୀନ ଭାରତୀୟ ସଭ୍ୟତା ତଥା ପ୍ରାଚୀନ ଚୀନ ଦେଶୀୟ ସଭ୍ୟତାରେ ପୃଥିଵୀ ଵା ଭୂମିକୁ ଦେଵୀ ତଥା ମାତା ରୂପରେ କଳ୍ପନା କରାଯାଇଥିଲା । 


ପ୍ରାଚୀନ ଆମେରିକୀୟ ଲୋହିତ ଜନଜାତି Aztec ମାନେ ପୃଥିଵୀକୁ Tonantzin କହୁଥିଲେ ଯାହାର ଆକ୍ଷରିକ ଅର୍ଥ "ଆମ ମାଆ” ସେହିପରି Inca ଜାତୀୟ ଲୋକେ ପୃଥିଵୀକୁ Pachamama(ମାତା ପୃଥିଵୀ) କହୁଥିଲେ । ଚୀନ ଦେଶରେ ପୃଥିଵୀଙ୍କୁ Hou Tu ଓ Di Mu ନାମରେ ଦେଵୀ ରୂପରେ କଳ୍ପନା କରି ପୂଜା କରାଯାଉଥିଲା । ଭୀଏତନାମୀ ଲୋକେ ପୃଥିଵୀକୁ ଦେଵୀ Mẫu Địa ନାମରେ ଆରାଧନା କରୁଥିଲେ । ଆଫ୍ରିକାର ଘାନା ଦେଶର Bono ଜନଜାତିର ଲୋକେ ପୃଥିଵୀକୁ Asase Ya , Asase Yaa, Asaase Yaa , Asaase Afu ଓ 
Aberewaa ଆଦି ନାମରେ ଦେଵୀ ଭାବେ ପୂଜା କରୁଥିଲେ । Basque ଲୋକେ ସ୍ପେନ ଓ ଫ୍ରାନ୍ସ ଦେଶରେ ଵସଵାସ କରନ୍ତି । ସେମାନେ ପୂର୍ଵେ ପୃଥିଵୀକୁ Amalur,Ama Lur or Ama Lurra ଦେଵୀ ଭାବେ ପୂଜା କରୁଥିଲେ । Basque ଲୋକଙ୍କ ମଧ୍ୟରେ ଲୋକଵିଶ୍ଵାସ ପ୍ରଚଳିତ ଯେ ପୃଥିଵୀମାତା Amalur ଉଭୟ Ekhi(ସୂର୍ଯ୍ୟ) ଓ Ilazki(ଚନ୍ଦ୍ର) ଙ୍କ ଜନ୍ମଦାତ୍ରୀ । ଆଜି ବି Amalur ଦେଵୀଙ୍କୁ Basqueମାନେ ମାତୃଦିଵସ ଉପଲକ୍ଷେ ମନେ ପକାଇଥାନ୍ତି । ଗ୍ରୀକ୍‌ମାନେ ପୃଥିଵୀକୁ Gaia ଦେଵୀ ଭାବରେ ପୂଜା କରୁଥିଲେ ସେହିପରି ରୋମାନମାନେ ପୃଥିଵୀକୁ ଦେଵୀ Terra ଆଖ୍ୟା ଦେଇଥିଲେ । ସେଇଥିପାଇଁ ଆଜି ବି କେତେକ science fiction ଚଳଚ୍ଚିତ୍ରରେ ପୃଥିଵୀକୁ Terra ଅଭିହିତ କରାଯାଏ । ନୋର୍ସମାନେ ପୃଥିଵୀକୁ Jörð (Jord) ଦେଵୀ ରୂପରେ କଳ୍ପନା କରି ପୂଜୁଥିଲେ । ସେହିପରି ମଙ୍ଗୋଲୀୟ ଓ ତୁର୍କ ଦେଶର ଲୋକେ ପୃଥିଵୀକୁ ଦେଵୀ Umay (Eje), ଲିଥୁଆନିଆର ଲୋକେ ଦେଵୀ Žemyna,Māoriମାନେ ଦେଵୀ - Papatūānuku,Latvian ଲୋକେ ଦେଵୀ Zemes māte ଓ Māra 
 ଏଵଂ ଆରବ ଦେଶରେ ପ୍ରାକ୍ ଆରବୀୟ ଦେଵୀ alllat ରୂପେ ପୂଜାର୍ଚ୍ଚନା କରୁଥିଲେ । ଭାରତ ଵର୍ଷରେ ପୃଥିଵୀମାତାଙ୍କୁ ମହୀମାତା,ଭୂଦେଵୀ,ବସୁମତୀ, ଶକ୍ତି,ପ୍ରକୃତି, ଗାୟତ୍ରୀ ତଥା ଗୋମାତା ରୂପରେ ଜଣେ ଦେଵୀ ଭାବେ ଭିନ୍ନ ଭିନ୍ନ ପନ୍ଥରେ କଳ୍ପନା କରାଯାଇଛି । ଗୋଣ୍ଡୀମାନେ ଭୀମାଲଙ୍କୁ ପୃଥିଵୀ ଧାରଣକାରୀ ଦେଵ ତଥା ପୃଥିଵୀମାତାଙ୍କୁ ଭୂମ ଵା ଭୂମା ଅଭିହିତ କରିଅଛନ୍ତି । ଓଡ଼ିଶାର ଜନଜାତୀୟ ଅଞ୍ଚଳରେ ପୃଥିଵୀମାତା ଧରଣୀପେନୁ ଭାବେ ପୂଜା ପାଆନ୍ତି । 



ଅତଏଵ ଓଡ଼ିଶାର ଲୋକେ ପୃଥିଵୀକୁ ମାତା କଳ୍ପନା କରି ରଜୋତ୍ସଵ ପାଳନ କରିଵା କୌଣସି ଦିଗରୁ ଅଯୁକ୍ତିଯୁକ୍ତ ଅଵୈଜ୍ଞାନିକ ନୁହେଁ । 

ଯେହେତୁ ପୃଥିଵୀର ଅଧିକାଂଶ ଭୂଭାଗରେ ପୃଥିଵୀମାତା ନାରୀ ରୂପରେ କଳ୍ପିତା ଏଵଂ ଏ ଚରାଚର ପୃଥିଵୀରେ ତାଙ୍କର କୀଟଠାରୁ ମାନଵ ଯାଏଁ ଶୈଵାଳଠାରୁ ଦ୍ରୁମଯାଏଁ ଅସଂଖ୍ୟ ସନ୍ତାନ ସନ୍ତତି ତେଣୁ ସେ ପୁତ୍ରଵତୀ ମାତା ରଜୋଵତୀ ନହେଲେ ଏତେ ସନ୍ତାନ ଜାତ ହେବେ କି ?

ଏହି ଵିଚାରକୁ ଗ୍ରହଣ କରି ଓଡ଼ିଶାର ଲୋକେ ରଜପର୍ଵର କଳ୍ପନା କରିଅଛନ୍ତି । 

ତେବେ କେଵଳ ଓଡ଼ିଶାରେ ନୁହେଁ ଦକ୍ଷିଣ ଭାରତର ତାମିଲନାଡୁ, କର୍ଣାଟକ ତଥା କେରଳର ମଧ୍ୟ ଭାଗରେ ଵସଵାସ କରୁଥିଵା ତୁଲୁ ଭାଷୀ ଲୋକେ ମଧ୍ୟ ପୃଥିଵୀମାତା ତିନି ଦିନ ଧରି ରଜସ୍ଵଳା ହେଵାର ଵିଶ୍ଵାସ କରନ୍ତି ଏଵଂ ଫେବୃଆରୀ ୧୦ରୁ ଫେବୃଆରୀ ୧୪ ମଧ୍ୟରେ ଧରଣୀମାତାଙ୍କୁ ଆରାଧନା କରିଵା ହେତୁକ ಕೆಡ್ಡಸ(keḍḍasa) ଵା Keddaso ନାମରେ ଏକ ତ୍ରିଦିଵସୀୟ ପର୍ଵ ପାଳିଥାଆନ୍ତି । 

 ନାରୀମାନଙ୍କର ରଜଃସ୍ରାଵ ତିନିଦିନ ପର୍ଯ୍ୟନ୍ତ ହୁଏ ଓ ଚତୁର୍ଥଦିନ ରଜୋନିଵୃତ୍ତି ହୋଇଥାଏ । ଚତୁର୍ଥ ଦିଵସରେ ଋତୁ ସ୍ନାନାନନ୍ତର ପ୍ରଥମେ ପତିଙ୍କ ମୁଖ ଅଵଲୋକନ କରିଵା ଉଚିତ୍ କାରଣ ଋତୁସ୍ନାନର ଅଵ୍ୟଵହିତପରେ ଯେଉଁ ରୂପ ଦର୍ଶନ କରାଯାଏ ତଦନୁରୂପ ସନ୍ତାନ ଗର୍ଭରେ ଜନ୍ମେ ବୋଲି ଭାରତଵର୍ଷରେ ଲୋକଵିଶ୍ଵାସ ପ୍ରଚଳିତ। ଋତୁସ୍ରାଵ ହେଵା ପ୍ରକ୍ରିୟା ପ୍ରାକୃତିକ ଏଵଂ ଏଥିରେ ଲଜ୍ଜାବୋଧର କୌଣସି ସ୍ଥାନ ନାହିଁ । ପ୍ରକୃତି ଓ ପ୍ରକୃତିର ସମସ୍ତ ପ୍ରତିରୂପ ମଧ୍ୟରେ ଏହି ପ୍ରକ୍ରିୟା ସମଦୃଶ୍ଯ ହୁଏ ‌। 
 
ଭାରତୀୟ ଆଧ୍ୟାତ୍ମ ଶାସ୍ତ୍ରରେ ନାରୀକୁ ପ୍ରକୃତିଠାରୁ ଜାତ ଉଲ୍ଲେଖ କରାଯାଇଛି । ପୃଥିଵୀର ଜୀଵନୀଶକ୍ତି ହେଉଛି ପ୍ରକୃତି ।ଏହି ପ୍ରକୃତି ପ୍ରତ୍ୟେକ ଜୀଵିତ ଵସ୍ତୁ ମଧ୍ୟରେ ରହିଛି । ପ୍ରକୃତିର ଉପସ୍ଥିତି ଵିନା କୌଣସି ଗ୍ରହରେ ଜୀଵନ ଜାତ ହେଵା ଅସମ୍ଭଵ । ଏହି ପ୍ରକୃତିକୁ ଵୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଵିଚାର କରାଯାଇପାରେ । ମଙ୍ଗଳଗ୍ରହରେ Geographical ସକ୍ରିୟତା ନଥିଵାରୁ ସେଠାରେ Biographical ସକ୍ରିୟତା ସମ୍ଭଵ ହୋଇପାରିନାହିଁ । ଏ ଉଭୟ ପ୍ରକାରର ସକ୍ରିୟତାକୁ ହିଁ ସାମୁହିକ ଭାଵରେ ‘ପ୍ରକୃତି’ କୁହାଯାଇଛି । କୌଣସି ଗ୍ରହରେ ଜୀଵ ସୃଷ୍ଟି ପାଇଁ ଏ ଉଭୟ ତତ୍ତ୍ଵ ନିତାନ୍ତ ଆଵଶ୍ୟକ ‌। 


ତେଣୁ ଯେମିତି ନାରୀ ତିନିଦିନ ଋତୁମତୀ ହୋଇଥାଏ ଠିକ୍ ସେହିପରି ପୃଥିଵୀମାତା ଵା ପ୍ରକୃତି ତିନିଦିନ କାଳ ଋତୁମତୀ ହେଵା କଳ୍ପନା କରାଯାଇଛି । 

ତାହେଲେ ରଜପର୍ଵର ନିର୍ଦ୍ଧିଷ୍ଟ ତିନିଦିନ କେଉଁ ଆଧାରରେ ନିର୍ଣ୍ଣୟ କରାଗଲା ? 
 
ଭାରତଵର୍ଷରେ ଵର୍ଷାକାଳକୁ ଚର୍ତୁମାସ୍ୟା କୁହାଯାଏ ଯାହା ଆଷାଢ଼ ମାସରୁ ଆରମ୍ଭ ହୋଇ ଆଶ୍ଵିନ ମାସ ଯାଏଁ ଚାରିମାସ ରହିଥାଏ । ଆଷାଢ଼ ମାସର ଠିକ୍ ଏକଦିନ ପୂର୍ଵରୁ ରଜପର୍ଵର ପ୍ରଥମ ଦିନ ପହିଲି ରଜ ପାଳନ ହୋଇଥାଏ । ମଧ୍ୟମ ଦିଵସ ହେଉଛି ରଜ ସଂକ୍ରାନ୍ତି ଏହିଦିନକୁ ମିଥୁନ ସଂକ୍ରାନ୍ତି ମଧ୍ୟ କୁହାଯାଏ । 

ଏହି ଦିଵସତ୍ରୟରେ ଭାରତଵର୍ଷର କଳିଙ୍ଗ ଦେଶରେ ହଳ, ପୃଥିଵୀଖନନ, ଵୀଜବପନାଦି କୃଷିକର୍ମ ନିଷିଦ୍ଧ ହୋଇଥାଏ । ଵୃଷମାସର ଶେଷଦିନକୁ 'ପହିଲିରଜ' ଓ ମିଥୁନ ମାସର ସଂକ୍ରାନ୍ତି ଦିନକୁ ଭୂଇଁନଅଣ ଓ ମିଥୁନ ମାସର ଦ୍ବିତୀୟ ଦିନକୁ 'ଠାକୁରାଣୀ ଗାଧୁଆ' ବୋଲାଯାଏ। ପୃଥିଵୀ ରଜସ୍ବଳା ହେଵା ପରେ ମିଥୁନ ଦ୍ବିତୀୟ ଦିନ ଶୁଦ୍ଧି ସ୍ନାନ କରିଵାର ଶାସ୍ତ୍ରରେ ଲେଖାଅଛି। ଆମ ଦେଶରେ ହିନ୍ଦୁ ସ୍ତ୍ରୀମାନେ ପୃଥିଵୀମାତା ଆରାମ କରନ୍ତି ବୋଲି ସେମାନେ ନିଜେ ମଧ୍ୟ ତାଙ୍କ ପ୍ରକୃତି ଶକ୍ତିର ଅଂଶ ହୋଇଥିଵାରୁ ସମସ୍ତ ନାରୀଜାତିର ସମ୍ମାନାର୍ଥେ ଏ ତିନିଦିନ ରାନ୍ଧନ୍ତି ନାହିଁ ଏଵଂ ଭୂମି ଉପରେ ଖାଲି ଗୋଡ଼ରେ ଚାଲନ୍ତି ନାହିଁ ତଥା ଦୋଳି ଖେଳି ଉତ୍ସଵରୂପେ ଏହି ତିନିଦିନକୁ ପଳିଥାଆନ୍ତି।

ପୁନଶ୍ଚ ଅଧୁନା ସମାଜ ମଧ୍ୟରେ କେହି କେହି ରଜପର୍ଵରେ ଥିଵା ରଜ ଶବ୍ଦକୁ ଧରି ଯୁକ୍ତି ବାଢ଼ନ୍ତି ଯେ ଏ ପର୍ଵର ଏଭଳି ନାମକରଣ ଅଵୈଜ୍ଞାନିକ ମାତ୍ର ସେମାନେ ରଜ ଶବ୍ଦର ସୂକ୍ଷ୍ମ ଶବ୍ଦାନୁଶୀଳନ କରିନଥିଵାରୁ ଏଭଳି ମନ୍ତଵ୍ୟ ଦେଇ ପରୋକ୍ଷରେ ନିଜର ଅଜ୍ଞତା ତଥା ହୀନମାସିକତାର ହିଁ ପରିଚୟ ଦେଇଥାନ୍ତି ‌ । 

ତେବେ ଅନ୍ୟମାନଙ୍କର ଆକ୍ଷେପର ଶିକାର ହୋଇ ଉପକୂଳ ଓଡ଼ିଶାର କେତେକ ଲୋକ ଆଜିକାଲି ରଜ ଶବ୍ଦର ଭାଵନାତ୍ମକ ଵ୍ଯାଖ୍ଯା କରିଵାକୁ ଯାଇ ମତ ଦେଉଛନ୍ତି...

ର+ଜ=ରଜ
‘ର’ ର ଅର୍ଥ ସଂସାର, 
ଜ’ ର ଅର୍ଥ ଯୋଚିଵା

କିନ୍ତୁ ଏଭଳି ଶହ ଶହ ଵ୍ଯାଖ୍ଯା କରାଯାଇପାରେ
ଯଥା—
‘ର’ ର ଅର୍ଥ ରଚନା
‘ଜ’ ର ଅର୍ଥ ଜଳ

ଶବ୍ଦର ଏଭଳି ଵ୍ଯାଖ୍ଯା ଯେତେ ମନୋଜ୍ଞ, ଚିତ୍ତାକର୍ଷକ ଲାଗୁଥିଲେ ହେଁ ନିରୁକ୍ତି ଵ୍ଯାଖ୍ଯା ପରି ବୈଜ୍ଞାନିକ ଓ ପ୍ରାମାଣିକ ନୁହେଁ । 'ର' ଆଉ 'ଜ' ମିଶି ରଜ ଶବ୍ଦ ସୃଷ୍ଟି ହୋଇଛି ବୋଲି ମତ ଦେଵା ଶବ୍ଦତତ୍ତ୍ଵ ଦୃଷ୍ଟିରୁ ଅଵୈଜ୍ଞାନିକ ଓ ଭାରତୀୟ ନିରୁକ୍ତି ତତ୍ତ୍ଵର ଵିପରୀତ ଆଚରଣ । 

ଅନେକଙ୍କ ମତରେ ଆମ ସମାଜରେ ଏହି ତିନି ଦିନ ପୃଥିଵୀ ରଜସ୍ଵଳା ହେଵାର କଳ୍ପନା କରାଯାଇଥିଲା ବୋଲି ଏହି ପର୍ଵର ନାମକରଣ ରଜ ହୋଇଅଛି ।

"ପଣ୍ଡିତ ସର୍ଵସ୍ଵ" ଗ୍ରନ୍ଥରେ ପୃଥିଵୀମାତା ରଜସ୍ବଳା ହେଵାର ପ୍ରମାଣ ଵାକ୍ଯ ଅଛି ଏଵଂ ତାହା ହେଲା

“ଵୃଷାନ୍ତେ ମିଥୁନସ୍ଯାଦୈ ତଦ୍ଦ୍ବିତୀୟ ଦିନ ତ୍ରୟଂ ।
ରଜସ୍ବଳା ସ୍ଯାତ୍ ପୃଥିଵୀ କୃଷିକର୍ମଵିଗର୍ହିତଂ ॥

ହଳାନାଂ ଵାହନଂ ଚୈଵ ଵୀଜାନାଂ ଵପନଂ ତଥା । 
ତାଵଦେଵ ନ କୁର୍ଵୀତ ଯାଵତ୍ ପୃଥ୍ବୀ ରଜସ୍ବଳା ॥

ପୃଥ୍ବୀ ରଜସ୍ବଳାଯାଵତ୍ ଖନନଂ ଛେଦନଂ ତ୍ଯଜେତ୍ ।
ଅନ୍ଯ କର୍ମାଣି କୁର୍ଵାତ ପୈତ୍ରଂ ଦୈଵଂ ନମାନୁଷଂ ॥”

କିନ୍ତୁ ରଜ ଶବ୍ଦର ଅର୍ଥ କେଵଳ ରଜସ୍ଵଳା ନୁହେଁ ଵରଂ ଏହାର ବହୁ ଵିଧ ଅର୍ଥ ରହିଛି ।

ତିନିଗୋଟି ପ୍ରକୃତି ଵା ଗୁଣ ରହିଛି ସେହି ତାହା ହେଲା ସତ୍ତ୍ଵ,ରଜ,ତମ ଏଵଂ ତନ୍ମଧ୍ୟରେ ‘ରଜ’ ଗୁଣ ସୃଷ୍ଟିତତ୍ତ୍ଵର ଧ୍ଯୋତକ । 

‘ରଜ’ ତତ୍ତ୍ଵ ଯୋଗୁଁ ଜୀଵ ସୃଷ୍ଟି ସମ୍ଭଵ ହୁଏ । ଵର୍ଷାଋତୁ ଆଗମନ ସହ ପୃଥିଵୀରେ ଅନେକ କୀଟ ପତଙ୍ଗ ଓ କ୍ଷୁଦ୍ର ଵିଶାଳ ପାଦପ ଜାତ ହୋଇଥାନ୍ତି । ରଜ ପର୍ଵ ସମୟରେ ଓଡ଼ିଶାରେ ଵର୍ଷାରମ୍ଭ ଘଟେ ଏଵଂ କଳିଙ୍ଗ ଦେଶରେ ନଵ ପାଦପ ଓ କୀଟପତଙ୍ଗାଦି ଜାତ ହୋଇଥାନ୍ତି । ଏ କଥା ସମସ୍ତେ ମାନିଵେ ଯେ ପୃଥିଵୀର ଅନ୍ଯତମ ଶ୍ରେଷ୍ଠ ରାଷ୍ଟ୍ର ଭାରତଵର୍ଷର ଅଧିକାଂଶଭାଗରେ ହେଉଥିଵା ଵର୍ଷା ହିମାଳୟ ପରି ଵିଶାଳ ପର୍ଵତମାଳା ଯୋଗୁଁ ମୌସୁମୀ ଵାୟୁ ପ୍ରଭାଵରୁ ହୋଇଥାଏ । 
ଭାରତଵର୍ଷରେ ମୌସୁମୀର ଆଗମନ ହୁଏ ଜୁନ୍ ମାସର ୫ରୁ ୨୦ ଦିନାଙ୍କ ମଧ୍ୟରେ ଆଉ ରଜପର୍ଵ ବି ପାଳିତ ହୋଇଥାଏ ଏହି ଜୁନ୍ ମାସର ୧୩ରୁ ୧୬ ଦିନାଙ୍କ ମଧ୍ୟରେ । ତେଣୁ ଭାରତୀୟ ଜଳଵାୟୁ ଵିଶେଷତଃ କଳିଙ୍ଗ ଦେଶର ଜଳଵାୟୁ ଆଧାରରେ ଭାରତରେ ରଜପର୍ଵର କଳ୍ପନା କରାଯାଇଛି ଫଳତଃ ଏ ପର୍ଵ ସମୟରେ ପୃଥିଵୀରେ ଵିଶେଷତଃ କଳିଙ୍ଗ ଦେଶରେ ରଜଗୁଣ ଵୃଦ୍ଧି ପାଉଥିଵାରୁ ଏହି ପର୍ଵର ନାମ ରଜପର୍ଵ ହୋଇଅଛି । 

ରଜ ଶବ୍ଦର ଅନ୍ୟ ଏକ ଅର୍ଥ "ପୁଷ୍ପ ପରାଗ" ଅଟେ । ରଜ ଶବ୍ଦକୁ ସଂସ୍କୃତ ଭାଗଵତରେ ପରାଗ ଅର୍ଥରେ ପ୍ରୟୋଗ କରାଯାଇଛି...
  
“ପଦ୍ମକୋଶରଜୋ ଦିକ୍ଷୁ ଵିକ୍ଷିପତ୍ପଵନୋତ୍ସଵମ୍ ॥ ”
(ଭାଗଵତ । ୪ । ୨୪ । ୨୨ ।) 

ରଜ ପର୍ଵ ସମୟରେ ଓ ତତ୍ପରେ ଅନେକ ଵୃକ୍ଷରେ ପୁଷ୍ପ ଫୁଟେ ଏଵଂ ତହିଁରେ ମହୁମାଛି ତଥା ପ୍ରଜାପତିଙ୍କ ଦ୍ଵାରା ପରାଗ ସଙ୍ଗମ ଯୋଗୁଁ ସେ ଫୁଲ କ୍ରମଶଃ ଫଳ ଓ ଵୀଜରେ ପରିଣତ ହୋଇଥାଏ । ଏ ଦୃଷ୍ଟିରୁ ମଧ୍ୟ ଏହି ପର୍ଵରୁ ରଜପର୍ଵ କୁହାଯିଵା ସମୀଚିନ ହୃଦବୋଧ ହେଉଅଛି । 

ରଜ ଶବ୍ଦର ଅନ୍ୟ ଏକ ଅର୍ଥ ଆକାଶ ତଥା ପାଣି ଵା ଜଳ । ଋକଵେଦରେ ଜଳ ଅର୍ଥରେ ରଜ ଶବ୍ଦର ଵ୍ୟଵହାର ରହିଛି...

 “ଵିୟତ୍ତିରୋଧରୁଣମଚ୍ଯୁତଂ ରଜୋତିଷ୍ଠିପୋ ଦିଵ ଆତାସୁ ବର୍ହଣା । ”
(ଋଗ୍ଵେଦେ । ୧ । ୫୬ । ୫ ।)

ଆମେ ସମସ୍ତେ ଜାଣନ୍ତି ଯେ ରଜପର୍ଵ ସମୟରେ କଳିଙ୍ଗ ଦେଶରେ ମୌସୁମୀ ଆଗମନ ଯୋଗୁଁ ଵର୍ଷା ହୋଇଥାଏ । ଏହି ସମୟରେ ଵର୍ଷାଜଳ ପ୍ରାପ୍ତ ହେଉଥିଵାରୁ ଏ ପର୍ଵକୁ ରଜପର୍ଵ କୁହାଯିଵା ମଧ୍ୟ ଯୁକ୍ତିଯୁକ୍ତ ଅଟେ । 

ରଜ ଶବ୍ଦର ଆଉ ଏକ ଅର୍ଥ ରେଣୁ ଵା ଧୂଳି । ଏହି ଅର୍ଥରେ ଚରଣରଜ ଭଳି ଶବ୍ଦ ସୃଷ୍ଟି ହୋଇଅଛି ପୁନଶ୍ଚ ଶାସ୍ତ୍ରରେ ମଧ୍ୟ ରଜ ଶବ୍ଦ ରେଣୁ ଅର୍ଥରେ ଵ୍ୟଵହୃତ ।‌

“ପାଦାହତଂ ଯଦୁତ୍ଥାଯ ମୂର୍ଦ୍ଧାନମଧିରୋହତି ।
ସ୍ଵସ୍ଥାଦେଵାପମାନେଽପି ଦେହିନସ୍ତଦ୍ବସଂ ରଜଃ ॥ ”
(ମାଘେ । ୨ । ୪୬ ।)

ସାଧାରଣତଃ ରଜପର୍ଵ ସମୟରେ ଵର୍ଷା ହେଵାରୁ ପୂର୍ଵେ ଗ୍ରୀଷ୍ମଋତୁରେ ଆକାଶରେ ଉଡ଼ିବୁଲୁଥିଵା ଧୂଳିକଣା ଵର୍ଷାଜଳ ସହିତ ମିଶି ତଳକୁ ଚାଲି ଆସେ । ଫଳରେ ଆକାଶ ନିର୍ମଳ ତଥା ଵାୟୁ ସ୍ଵଚ୍ଛ ହୋଇଯାଏ । ଏଭଳି ସମୟରେ ରଜ ପର୍ଵ ପାଳିତ ହୋଇଥାଏ । 

ରଜ ଶବ୍ଦର ଅନ୍ୟ ଏକ ଅର୍ଥ ହେଲା ଭୁଵନ ଵା ପୃଥିଵୀମାତା । ଭୁଵନ ଶବ୍ଦର ଏକ ଅର୍ଥ ଚଉଦ ବ୍ରହ୍ମାଣ୍ଡ,ଆନ ଏକ ଅର୍ଥ ଜଳ ମଧ୍ୟ ଅଟଇ । ଗୃହ ତଥା ଜୀଵକୁ ମଧ୍ୟ ଭୁଵନ କୁହାଯାଏ । ସ୍ଵୟଂ ଧରଣୀମାତାଙ୍କୁ ଆରାଧନା କରିଵାର ପର୍ଵ ହେଉଛି ରଜପର୍ଵ ଏଵଂ ଯେହେତୁ ତାଙ୍କର ଏକ ନାମ "ରଜ" ତେଣୁ ସେହି ନାମ ଆଧାରରେ ଏହି ପର୍ଵର ରଜ ନାମକରଣ କରାଯାଇଛି। 

ହଳ କରାହୋଇଥିଵା କ୍ଷେତକୁ ରଜ କୁହାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି । ପ୍ରକୃତରେ ଆଗକାଳରେ ରଜ ପୂର୍ଵରୁ ବିଲରେ ହଳ କରି କୃଷକ ଵର୍ଷାକୁ ଅନାଇ ରହୁଥିଲା ଏଵଂ ଵର୍ଷା ଆଗମନ ପରେ କୃଷିକ୍ଷେତ୍ରରେ ଲାଗିପଡୁ଼ଥିଲା । ରଜ ପର୍ଵ ପୂର୍ଵରୁ କୃଷିକ୍ଷେତ୍ରକୁ ହଳ କରି ସେଥିରେ ଥିଵା ମାଟିକୁ ପିଟି ଗୁଣ୍ଡ କରି ଖେତକୁ ଚାଷୋପଯୋଗୀ କରିଥାଏ କୃଷକ । ଦକ୍ଷିଣ ପଶ୍ଚିମ ଓଡ଼ିଶାର "ଢେଲାପିଟଣା ପର୍ଵ" ଏହି କୃଷି ପ୍ରକ୍ରିୟାର ଏକ ସାଂସ୍କୃତିକ ରୂପ ।
 
ସେହିପରି ରଜ ଶବ୍ଦର ଅନ୍ୟ କେତେକ ଅର୍ଥ ହେଲା "ବାଦଲ ,ପ୍ରକାଶ, ଵାଷ୍ପ,ପାଉଁଶ ଓ ରାତ୍ରୀ" । 

ରଜଶବ୍ଦର ପ୍ରୋକ୍ତ ସମସ୍ତ ଅର୍ଥଗୁଡି଼କର ଵ୍ଯଵହାରରେ କଳିଙ୍ଗ ଦେଶର ରଜପର୍ଵ ସମୟର ଚିତ୍ର ଆଙ୍କାଯାଇପାରେ...

ଯଥା—
“ଵର୍ଷାଋତୁର ଆଗମନରେ 
ଆକାଶରେ ବାଦଲମାନେ ଜଳ ଵର୍ଷା କରୁଅଛନ୍ତି । 

ଵର୍ଷାକାଳ ଆସିଵା ଦେଖି ଚାଷୀମାନେ ବିଲରେ ହଳ କରୁଅଛନ୍ତି । 

ଵର୍ଷାଋତୁର ଆଗମନରେ ବୃକ୍ଷରେ ନଵ ପୁଷ୍ପ ପ୍ରଷ୍ଫୁଟିତ ହୋଇ ତାହାର ପରାଗ ଓ ଵାସ ଚାରିଆଡ଼େ ଖେଳିଯାଇଛି ।

ଗ୍ରୀଷ୍ମକାଳୀନ "ଧୂଳି ଉଡ଼ିଵା ପ୍ରକ୍ରିୟା" ଵର୍ଷା ହେଵା ଯୋଗୁଁ ବନ୍ଦ ହୋଇଯାଇଛି ଫଳରେ ଚାରିଆଡ଼େ ସ୍ଵଚ୍ଛ ନିର୍ମଳ ପରିଵେଶ ଦୃଷ୍ଟିଗୋଚର ହେଉଅଛି ।



 ଏଭଳି ସୁନ୍ଦର ପରିଵେଶରେ ରଜପର୍ଵର ଆଗମନ ହୋଇଗଲାରୁ କଳିଙ୍ଗରେ ସର୍ଵତ୍ର ସଜବାଜ ଆରମ୍ଭ ହୋଇଯାଇଛି,ଏଠାକାର ଭୁଵନମାନ ଚଳଚଞ୍ଚଳ ଵ୍ଯସ୍ତଵହୁଳ ହୋଇଉଠିଛି ।”

ପୁଣି ରଜ ଶବ୍ଦର ସୂକ୍ଷ୍ମ ନିରୁକ୍ତିତତ୍ତ୍ଵ ଆଧାରରେ ମଧ୍ୟ ଏହାର ଵ୍ୟାଖ୍ୟା କରାଯାଇପାରେ । 'ରଜ' ଶବ୍ଦକୁ ସଂସ୍କୃତ ଧାତୁଶବ୍ଦ ‘ରନ୍ଜ ଵା ରଞ୍ଜ୍’ ଧାତୁରୁ ନିଷ୍ପନ୍ନ କରଯାଇଛି । 

ଏ ଧାତୁଶବ୍ଦରୁ ନିମ୍ନଲିଖିତ ଅର୍ଥରେ ରକ୍ତ,ରଙ୍ଗ ଆଦି ଶହ ଶହ ଶବ୍ଦ ନିଷ୍ପନ୍ନ ହୋଇଅଛି

•ରଙ୍ଗକରିଵା; ରଙ୍ଗାଇଵା
•ଆସକ୍ତ ହେଵା; ଅନୁରକ୍ତ ହେଵା
•ରଞ୍ଜିତ ହେଵା; ରଙ୍ଗାଯିଵା
•ନାଲି ପଡ଼ିଵା
•ପ୍ରଣୟାସକ୍ତ ହେଵା
•ଆନନ୍ଦିତ ହେଵା
•ସନ୍ତୁଷ୍ଟ ହେଵା

ଆମ ପ୍ରାକୃତିକ ପର୍ଵ ‘ରଜ’ ସମୟରେ ବି
ପୃଥିବୀ ସବୁଜ ରଙ୍ଗରେ ରଙ୍ଗେଇଯାଏ, ଵର୍ଷା କାଳ ଆଗମନ ଯୋଗୁଁ ରଜଗୁଣରେ ବୃଦ୍ଧି ହେତୁ
ଚାରିଆଡ଼େ ସର୍ଵପ୍ରାଣିଙ୍କ ମନରେ ଅନୁରକ୍ତି,କାମନା ବୃଦ୍ଧି ପାଏ,ଜଗତଯାକରେ ସୁଖ ସନ୍ତୋଷ ଓ ଆନନ୍ଦମୟ ପରିଵେଶର ଆଗମନ ହୁଏ ।


ଏହା ହେଉଛି ରଜ ଶବ୍ଦ ଓ ରଜପର୍ଵ ମଧ୍ଯରେ ଥିଵା ପ୍ରାକୃତିକ ଗୂଢା଼ର୍ଥ ଯାହା ଏ ପର୍ଵର ମହାନତା ପ୍ରକଟ କରିଥାଏ । 

ତେଣୁ ଯଦି କେହି ରଜପର୍ଵକୁ ନେଇ ଓଡ଼ିଶାଵାସୀଙ୍କୁ ଵ୍ୟଙ୍ଗ୍ୟ କରୁଅଛି ତାହା ତାହାର ଅଜ୍ଞାନତା ଛଡ଼ା ଆଉ କ'ଣ ହୋଇପାରେ । 

ଯିଏ ରଜ ଶବ୍ଦର ନିରୁକ୍ତି ଜାଣିନାହିଁ,ରଜ ପର୍ଵର ତାତ୍ତ୍ଵିକ ଵୈଜ୍ଞାନିକ ଦିଗ ହୃଦୟଙ୍ଗମ କରିନାହିଁ କି ନାରୀଜାତି ତଥା ପ୍ରକୃତିମାତା ଵା ମାଟିମାଆର ସମ୍ମାନ କରିଵା ଶିଖିନାହିଁ କେଵଳ ସେହି ଅମାନଵୀୟ ଵ୍ୟକ୍ତି ହିଁ ରଜ ପର୍ଵକୁ ହୀନ ଦୃଷ୍ଟିରେ ଦେଖି ଓଡି଼ଶାଵାସୀଙ୍କୁ ଟାପରା କରିପାରେ । ନାରୀଜାତିକୁ ସମ୍ମାନ ଦେଇ ଜାଣିଥିଵା ପ୍ରତ୍ୟେକ ମାନଵ ରଜପର୍ଵ ଭଳି ଏକ ଶ୍ରେଷ୍ଠ ଵୈଜ୍ଞାନିକ ପର୍ଵର ମହତ୍ତ୍ଵ ନିଶ୍ଚିତ ଉପଲଵ୍ଧି କରିପାରେ । 

••••••••••••••••••••••

Sunday, June 12, 2022

“ବାଥୁଡ଼ୀ ଜନଜାତିରେ ରଜୋତ୍ସଵ ଓ ଦୋଳିଗୀତ”


ବାଥୁଡି ଓଡ଼ିଶାର ଅନ୍ୟତମ ଜନଜାତି  ।
ଏମାନଙ୍କର ମୂଳ ମାତୃଭାଷା ବାଥୁଡ଼ୀ ଓଡ଼ିଆ ।  ଓଡିଶାର ଉତ୍ତର ପଶ୍ଚିମାଞ୍ଚଳର ଏମାନେ ଅଧିଵାସୀ । କେଵଳ ଓଡ଼ିଶା ନୁହେଁ ଵରଂ ବାଥୁଡି ସମ୍ପ୍ରଦାୟର ଲୋକେ ଝାଡଖଣ୍ଡ ଓ ପଶ୍ଚିମବଙ୍ଗରେ ମଧ୍ୟ ଵସଵାସ କରୁଥିଵା ଜଣାଯାଏ ।

୨୦୧୧ ମସିହା ଜନଗଣନା ଅନୁସାରେ ସେମାନଙ୍କ ଜନସଂଖ୍ୟା ପ୍ରାୟ ୨୨୦,୮୫୯ ବୋଲି ଦର୍ଶାଯାଇଛି । ସେମାନଙ୍କୁ ଭାରତ ସରକାର ଏକ ଅନୁସୂଚିତ ଜନଜାତି ଭାଵରେ ଶ୍ରେଣୀଭୁକ୍ତ କରିଛନ୍ତି ।

ଵିଶେଷତଃ ବାଥୁଡି ସମ୍ପ୍ରଦାୟ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ପଞ୍ଚପୀର ମାଳଭୂମି ଓ ଶିମିଳିପାଳର ଜଙ୍ଗଲ ପରିସର , ବାଲେଶ୍ଵର ଜିଲ୍ଲାର ନୀଳଗିରି ଅଞ୍ଚଳ ତଥା କେନ୍ଦୁଝର ଜିଲ୍ଲାରେ ଵସଵାସ କରନ୍ତି । 

ବାଥୁଡ଼ୀମାନେ ଵିଶ୍ୱାସ କରନ୍ତି ଯେ,ସେମାନେ ବ୍ରହ୍ମାଙ୍କ ବାହୁରୁ ଉତ୍ପନ୍ନ । ତେଣୁ ଏମାନେ ବାଥୁଡ଼ୀ ବୋଲାଇଲେ ।
ବାଥୁଡି ସଂପ୍ରଦାୟର ଆଉ କେତେକ ଲୋକ ମତ ଦିଅନ୍ତି ଯେ , ବାସୁଳି ଵା ଵସୁମାତାଙ୍କର ବାର ପୁତ୍ର ଥିଲେ , ସେହି ପୁତ୍ରଙ୍କ ନାମ ଅନୁସାରେ ବାରଟି ବଂଶ ରହିଥିଲା । ଵସୁମାତା ଵା ବାସୁଳିଙ୍କ ସନ୍ତାନ ହୋଇଥିଵାରୁ ଏମାନେ କାଳକ୍ରମେ ବାଥୁଡ଼ୀ ଵିଦିତ ହେଲେ ।

କଥିତ ହୁଏ ପରଵର୍ତ୍ତୀ ସମୟରେ ବଂଶ ବୃଦ୍ଧି ହେଵାରୁ ବାଥୁଡି ବାର ଭାଇ ପୁଣି ୫୨ ବଂଶରେ ବିଭକ୍ତ ହେଲେ ।

ବାଥୁଡି ସଂପ୍ରଦାୟର ଲୋକମାନଙ୍କର ଆରାଧ୍ୟ ଦେଵତାଙ୍କ ମଧ୍ୟରେ ବଡାମ,ମହାଵୀର , ବାରଖଣ୍ଡା ବାଉନାଵୀର , ବାସୁଳି , ବାଉଳାଶୁଣି , ବଡ଼ପାଟ , ଵନଦୁର୍ଗା ଆଦି ଦେଵାଦେଵୀ ପ୍ରଧାନ । 

ନିମ୍ନରେ ବାଥୁଡ଼ୀ ଜନଜାତିର କେତେକ ଜଣାଶୁଣା ବଂଶ ଓ ବନ୍ଧନୀ ମଧ୍ୟରେ ଗୋତ୍ରର ନାମୋଲ୍ଲେଖ କରାଗଲା...

•ଗୋତ୍ର(ବଂଶ )
•ଶଙ୍ଖିଆଳ(ପାଣିପୋକ)
•ପଧୁରିଆ(ହସ୍ତୀ,ପରାଶର)
•ଖଣ୍ଡେଇ(ସାଲୁକ, କୁଶ , ନାଗେଶ୍ବର) •ମଢେଇ(ଗଣେଷ , ନାଗେଶ୍ବର)
•ପରିହାଳ (ଧାନଫୁଲ)
•ନାଇକ (ନାଗେଶ୍ବର)
•ଗାଆଣ (ପାଣିପୋକ)
•ରଣଶିଆ(ସାଲୁକ)
•କୁଅଁର(କୁଶ)
•ବିଶ୍ବାଳ(କୁଶ)
•ପାତ୍ର(ପାର୍ଷିଆଳ , ପାଣିପୋକ)
•ଜାମୁଡ଼ିଆ(ସାଲୁକ)
•କୁମ୍ଭାରିଆ(ଧାନଫୁଲ)
•ଗିରି (ଧାନଫୁଲ)
•ଝରିଆଳ (ନେତ)
•ମାଟିଆଣ (ନାଗେଶ୍ବର)
      
  ବାଥୁଡ଼ୀମାନଙ୍କ ମଧ୍ୟରେ ଅଧିକାଂଶ "ବାଥୁଡ଼ୀ ଓଡ଼ିଆ ଶୈଳୀ"ରେ  କଥାଭାଷା ହୋଇଥାନ୍ତି ଏଵଂ କିଛି ବାଥୁଡ଼ୀ ଲୋକ ହୋ ତଥା କୁଡ଼ମଲୀ ଶୈଳୀରେ ଭାଷାରେ ମଧ୍ୟ କଥାଵାର୍ତ୍ତା  କରିଥାନ୍ତି ।

ବାଥୁଡି ସଂପ୍ରଦାୟରେ ପାଳନ କରାଯାଉଥିଵା ଵିଭିନ୍ନ ପର୍ଵପର୍ଵାଣି ମଧ୍ୟରୁ ରଜ ପର୍ଵ ଅନ୍ୟତମ । ବାଥୁଡି ସମ୍ପ୍ରଦାୟ ପକ୍ଷରୁ ରଜ ପର୍ଵକୁ ଅତି ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥାଏ । ରଜପର୍ଵରେ ସେମାନେ ବାସୁକୀ ଵସୁମତାଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି । ରଜ ପର୍ଵ ସାଧାରଣତଃ ତିନିଦିନ ଧରି ପାଳନ କରାଯାଇଥାଏ ।
ବାଥୁଡ଼ୀ ଭାଷାରେ ରଜପର୍ଵର ପ୍ରଥମ ଦିନକୁ ପାଣି ବୁହା ରଜ, ଦ୍ଵିତୀୟ ଦିନକୁ ରଜ ଓ ଶେଷ ଦିନକୁ ରଜ ବାସୀ କୁହାଯାଏ ।  ଏହି ତିନି ଦିନ ବାଥୁଡ଼ୀମାନେ ଅନ୍ୟ ଓଡ଼ିଆମାନଙ୍କ ପରି କୃଷି କାର୍ଯ୍ୟରୁ ନିଜକୁ ନିଵୃତ୍ତ ରଖିଥାନ୍ତି। ଏହା ପରେ ଆରମ୍ଭ ହୁଏ କୃଷି କାମ।

ବାଥୁଡି ସଂପ୍ରଦାୟର ରଜ ପର୍ଵରେ ବୋଲାଯାଉଥିଵା ରଜ ଦୋଳିଗୀତ ହେଉଛି ମୁଖ୍ୟ ଆକର୍ଷଣ ।  ଦୋଳି ଖେଳ ସମୟରେ ସେମାନେ ଢାଙ୍ଗୁଆ - ଢାଙ୍ଗୁଳି, ସାଙ୍ଗସାଥି , ପ୍ରେମିକ-ପ୍ରେମିକାମାନଙ୍କୁ ଲକ୍ଷ୍ୟକରି ବିଭିନ୍ନ ପ୍ରକାର ଗୀତ ବୋଲିଥାନ୍ତି । ଏମାନଙ୍କର ରଜ ଦୋଳିଗୀତ ଗୁଡିକ ବହୁ ରାଗରାଗିଣୀ ଯୁକ୍ତ, ସ୍ବର ମଧୁର ଓ ଭାବ ସରସ ।
ଏହିସବୁ ଦୋଳୀଗୀତରେ ଓଡ଼ିଶାର ଅନ୍ୟ ଅଞ୍ଚଳ ପରି ଜୀଵନର ପ୍ରେମ-ଵିରହ , ଆନନ୍ଦ-ଉଲ୍ଲାସ , ଆମୋଦ-ପ୍ରମୋଦ , ଅଭାଵ-ଅନଟନ , ଦୁଃଖ ଦାରିଦ୍ର୍ୟର ଚିତ୍ର ପ୍ରସ୍ଫୁଟିତ ହୋଇଥାଏ ।

ନିମ୍ନରେ ବାଥୁଡ଼ୀ ଓଡ଼ିଆର କେତେକ ରଜଦୋଳୀ ଗୀତ ପ୍ରଦତ୍ତ ହେଲା...

"କବାଟରେ ଦୁଇକାନି
ତୋ ଦେହ ଛୁଇଁଲେ ପାତଳି ଲୋ
ମୋ ଦେହ ହାନି
ବାଜିଯିବ ନୁଗା କାନି ।"

"ବାଟରେ ଡେଙ୍ଗା କୁଳୁଚି
ନ ପାଇ ଭାଇ ତତେ ମରୁଛି ,
ତତେ ମରୁଛି ହେ
ନଯାଇ ପ୍ରାଣ ରହିଛି ।"

"ଦାଣ୍ଡେ ଦାଣ୍ଡେ ହଂସ ,
ମତେ ଦେଖି ପାତଳି ଲୋ
କି ନାଗି ହଁସ
ନାଗିଯିଵ ତିରି ଦୋଷ ।”

"ବାଡ଼ରେ ରୋଇଲି ବେତ
ପ୍ରଥମେ ବନ୍ଦିଲି ଗ୍ରାମ ଦେବତୀଙ୍କୁ
ଏ ଦଣ୍ଡବତ
ଅନୁକୂଳ ହେଲା ଏ ଗୀତ ।"

"ଆହାରେ ସଙ୍ଗାତ ମିତ
ଓଡ଼ିଶାର ଠାକୁର ଜଗତର ନାଥ
ଜଗତର ନାଥ ହୋ
ସଭିଏଁ ଗାଆନ୍ତି ଗୀତ ।"

"ଗୋଡରେ ଲେଖିଲି ହଂସ
ମୋତେ ଛାଡି଼ କାନ୍ତ ଯିବେ ଵିଦେଶ
ଯିବେ ଵିଦେଶ ହୋ
ସବୁ ହେବ ମୋର ଵିଷ ।”

"ଶୂନ୍ୟରେ ଉଡ଼ଇ ଶାରୀ
ଦୁଇଚାରି ଦିନେ ଆସିବି ଫେରି
ଆସିବି ଫେରି ହୋ
ରହିଥିବୁ ଦେହ ଧରି ।"

"ବେଲ ଗଡେ଼ ରାଇ ଗଡେ଼
ତତେ ଯେତେବେଳେ ମନରେ ପଡେ଼ ମନରେ ପଡେ଼ ହୋ
  ଦୁଇ ଆଖି ଲୁହ ଗଡେ଼ ।"
 
"ଛାଇନି ପତର ଛତା
ରହ କହିଦେବି ଦୁଃଖର କଥା
ଦୁଃଖର କଥା ହୋ
ଶୁଣିନେ ଖାଇଵ ମଥା ।"

"ବାଳିରି ବାଳିଆ ଗେବ
ଦିନୁ ଦିନୁ ଭାଇରେ ହେନୁ ଗରିବ
ହେନୁ ଗରିବ ହୋ
ଆଉ କି ରଖିବ ଭାବ ।"

ନିଜକୁ ଵସୁମାତା ବାସୁଳିଙ୍କର ସନ୍ତାନ ମନେ କରୁଥିଵାରୁ ପ୍ରକୃତି ମାତାଙ୍କର ଆରାଧନର ପର୍ଵ 'ରଜପର୍ଵ'କୁ ବାଥୁଡ଼ୀ ଜନଜାତିରେ ଏକ ମହତ୍ତ୍ୱପୂର୍ଣ୍ଣ ପର୍ଵ ଭାବେ ଵିଚାର କରାଯାଏ ।

ପୂର୍ଵ , ଦକ୍ଷିଣ ଓ ମଧ୍ୟ ଓଡ଼ିଶା ଭଳି ଉତ୍ତର ଓଡ଼ିଶାରେ ମଧ୍ୟ ରଜ ପର୍ଵ ଅନ୍ୟତମ ପ୍ରଧାନ ପର୍ଵ ଅଟଇ ଏଵଂ କେଵଳ ଓଡ଼ିଆମାନେ ହିଁ ନୁହେଁ ଏହାର ବାଥୁଡ଼ୀ ,କୁଡ଼ମଲୀ ଆଦି ଵିଭିନ୍ନ ଜନଜାତି ତଥା ଜୁଆଙ୍ଗ ଓ ଭୂୟାଁ ପରି କଳିଙ୍ଗୀ ଜନଜାତିଙ୍କ ମଧ୍ୟରେ ବି ରଜପର୍ଵ ପାଳନ କରିଵାର ପରମ୍ପରା ରହିଛି ।