Sunday, May 19, 2024

ଓଡ଼ିଆ ଵର୍ଣ୍ଣମାଳାରେ 'ୱ' ଲିପୀମର ଆଵଶ୍ୟକତା ଓ ଏହାର ଵୈଜ୍ଞାନିକତା

ଓଡ଼ିଆ ଵର୍ଣ୍ଣମାଳାରେ କେହି କେହି 'ୱ'କୁ ଦେଖି ସନ୍ଦେହରେ ପଡ଼ି ପ୍ରଶ୍ନ କରନ୍ତି ଯେ ଏଠାରେ ସ୍ବର ଵର୍ଣ୍ଣରେ ଅର୍ଥାତ୍ 'ଓ' ଵର୍ଣ୍ଣରେ 'ବ' ଫଳା କେମିତି ଲାଗିଵ ? 

ଉଲ୍ଲେଖଯୋଗ୍ୟ ଯେ 'ୱ' ପ୍ରକୃତରେ ଏକ ଦ୍ଵିସ୍ଵର ଅର୍ଥାତ୍ 
'ଉ' ଆଉ 'ଅ'ର ମିଶ୍ର ଉଚ୍ଚାରଣ ହେଉଛି - ୱ ; ଏହିପରି ଆଉ ଏକ ଦ୍ଵିସ୍ଵର ଲିପୀମ ଆମ ଲିପିରେ ଅଛି ଏଵଂ ତାହା 'ୟ' ଅଟେ । 'ଇ' ଓ 'ଅ'ର ମିଶ୍ର ଉଚ୍ଚାରଣ 'ୟ' ଅଟେ ତେଣୁ ଏହାକୁ ସୂଚାଇଵାକୁ ପ୍ରାଚୀନ ଉତ୍କଳୀୟମାନେ 'ଯ' ତଳେ 2 ପରି ଏକ ଅଧୋବିନ୍ଦୁ ଵ୍ୟଵହାର କରିଥିଲେ । ତେବେ ଓଡ଼ିଆ ଭାଷାରେ ତାୱା ହାୱା ୱିକେଟ୍ ଭଳି କେତେକ ଵୈଦେଶିକ ଶବ୍ଦ ପ୍ରୟୋଗ କରାଗଲାରୁ ବହୁତ ପରେ 'ୱ' ବୋଲି ଏକ ଦ୍ଵିସ୍ଵର ଲିପୀମ ଲୋଡ଼ା ହୋଇଥିଲା । 

ତେବେ ଏହି 'ୱ'କୁ ସୃଷ୍ଟି କରିଵା ପାଇଁ ତତ୍କାଳୀନ ପଣ୍ଡିତମାନେ 'ଉ' ଏଵଂ 'ଅ' ଵର୍ଣ୍ଣର ମୂଳ ଉଡ୍ରଲିପି ରୂପକୁ ଵ୍ୟଵହାର କରିଥିଲେ । 'ୱ'କୁ ଯେମିତି ସହଜରେ ଲେଖି ହେଵ ତାକୁ ଦୃଷ୍ଟିରେ ରଖି 'ଅ' ର ମୂଳ ଓଡ଼ିଆ ରୂପକୁ 'ଉ' ର ମୂଳ ଓଡ଼ିଆ ରୂପ ଉପରେ ଥୋଇ ସ୍ଵତନ୍ତ୍ର 'ୱ' ଲିପୀମର ଗଠନ କରାଯାଇଥିଲା(ଏହା କେମିତି କରାଯାଇଥିଲା ତାହା ଚିତ୍ରରେ ଦର୍ଶାଯାଇଛି) । 


ଏଠାରେ ଜାଣି ରଖିଵାକୁ ହେଵ ଯେ ସବୁ ଭାରତୀୟ ଇଣ୍ଡିକ୍ ଲିପିର ଜନନୀ ବ୍ରାହ୍ମୀ ଲିପି ଅଟେ ଏଵଂ ଓଡ଼ିଆ ଲିପିର ଅ,ଦେଵନାଗରୀ अ, ଗୁଜରାଟୀ અ ଆଦି 'ଅ'ର ଯେତେ ଇଣ୍ଡିକ୍ ସ୍ଵରୂପ ରହିଛି ସେସବୁର ମୂଳ ହେଉଛି ବ୍ରାହ୍ମୀ ଲିପିର 𑀅 ! ସେହିପରି ବ୍ରାହ୍ମୀ ଲିପିର 𑀉(ଉ)ରୁ କ୍ରମଶଃ ଓଡ଼ିଆରେ ଉ,ଦେଵନାଗରୀରେ उ ଆଉ ଗୁଜରାଟୀରେ ઉ ହୋଇଛି । ଓଡ଼ିଆ ଲିପିର ପ୍ରାରମ୍ଭିକ ପର୍ଯ୍ୟାୟରୁ ଏହି ବ୍ରାହ୍ମୀ ଲିପୀମ 𑀉ଟି ସଂହରି ସଂହରି(ବଦଳି ବଦଳି) ଆଜି 'ଉ' ହୋଇଛି । 

ଆଜି ବି ଧ୍ୟାନ ସହକାରେ ଦେଖିଲେ ସମସ୍ତ ଇଣ୍ଡିକ୍ ଲିପିର 'ଉ' ସ୍ଵରୂପ ମଧ୍ୟରେ ବ୍ରାହ୍ମୀ ଲିପିର ମୂଳ '𑀉(ଉ)' ସ୍ଵରୂପ ଦୃଶ୍ୟ ହୋଇଥାଏ । 

ତେଣୁ ଯେଉଁମାନେ 'ୱ'ରେ ଯାହାକୁ 'ଓ' ଭାବୁଛନ୍ତି ତାହା 'ଅ'ର ମୂଳ ଅଂଶ ଆଉ ଯାହାକୁ 'ବ ଫଳା' ଭାବୁଛନ୍ତି ତାହା 'ଉ'ର ମୂଳ ଅଂଶ ! 'ଅ'ରୁ ମୁଣ୍ଡଳା ଓ ବାଡ଼ି କାଟି ଦିଅନ୍ତୁ ଆଉ 'ଉ' ରୁ ମଧ୍ୟ ମୁଣ୍ଡଳା ତଥା ଛାଟ କାଟି ଦିଅନ୍ତୁ । ତାପରେ ଉଭୟକୁ ଉପର ତଳ କରି ପରସ୍ପର ଉପରେ ରଖି ଦିଅନ୍ତୁ ଦେଖିବେ ତାହା 'ୱ' ହୋଇଯିଵ ।

ଵୈଦେଶିକ ଆରବୀ ପାର୍ସୀ ଶବ୍ଦରେ ଯେଉଁଠି و(ୱାୱ୍) ଥାଏ ଏଵଂ ଇଂରାଜୀ ଆଦି ଭାରୋପୀୟ ଭାଷାରେ ଯେଉଁଠି 'W' ଥାଏ ,ସେହି ସବୁ ଶବ୍ଦଗୁଡ଼ିକୁ ଓଡ଼ିଆ ଭାଷାରେ ଲେଖିଲାବେଳେ 'ୱ' ଲିପୀମର ଆଵଶ୍ୟକ ହୋଇଥାଏ । ଭାରତରେ ଓଡ଼ିଆ ଲିପି ଛଡ଼ା ଆଉ କୌଣସି ଲିପିରେ ଆରବୀ 'و'(ୱାୱ୍) ତଥା ଇଂରାଜୀ 'w'କୁ ଲେଖି ପାରିଵାର ସାମର୍ଥ୍ୟ ନାହିଁ ‌। ଅନ୍ୟାନ୍ୟ ଭାରତୀୟ ଲିପିଗୁଡ଼ିକରେ ଆରବୀ 'و'(ୱାୱ୍) ତଥା ଇଂରାଜୀ 'w'ଯୁକ୍ତ ଵୈଦେଶିକ ଶବ୍ଦଗୁଡ଼ିକୁ ଲେଖିଵା ପାଇଁ କାମଚଳା ଧନ୍ଦାରେ ଅନ୍ତ୍ୟସ୍ତ ସ୍ପର୍ଶ ସଂଘର୍ଷୀ ଅଵର୍ଗ୍ୟ 'ଵ' ଵ୍ୟଵହାର କରାଯାଏ କିନ୍ତୁ ଧ୍ଵନିତତ୍ତ୍ଵ ଦୃଷ୍ଟିରୁ 'ୱ','ବ' ଆଉ 'ଵ' ଭିନ୍ନ ଭିନ୍ନ ଅଟେ ‌। ଵର୍ଗ୍ୟ 'ବ' ଉଚ୍ଚାରଣ ସମୟରେ ଦୁଇ ଓଠ ଲାଗେ ,ଦ୍ଵିସ୍ଵର 'ୱ' ଉଚ୍ଚାରଣ ସମୟରେ ଦୁଇ ଓଠ ଲାଗିନଥାଏ ଵରଂ ବାହାରକୁ ଖୋଲିଥାଏ ଏଵଂ ସ୍ପର୍ଶ ସଂଘର୍ଷୀ ଅନ୍ତ୍ୟସ୍ତ 'ଵ' ଉଚ୍ଚାରଣ ସମୟରେ ଉପର ଦାନ୍ତ ସହିତ ତଳ ଉଠ ସାମାନ୍ୟ ସ୍ପର୍ଶ କରିଥାଏ । ଏଣୁ ଉଚ୍ଚାରଣ ଦୃଷ୍ଟିରୁ ବ,ଵ ତଥା ୱ ଭିନ୍ନ ଭିନ୍ନ ଅଟେ । ଏହା ହିଁ ଓଡ଼ିଆ ଲିପିର ଵୈଜ୍ଞାନିକତା ଯାହା ବଙ୍ଗାଳୀ ହିନ୍ଦୀ ଭାଷାର ଲିପିରେ ନାହିଁ !!!
.............................

ହାତୀର ଗୋଡ଼

ଆଫ୍ରିକାର ଜଣେ ଯୁଵକ ଏକ ଛୋଟ ହାତୀଟିକୁ ଗୋଟାଏ ଗୋଡ଼ ଟେକି ଟେକି ଚାଲୁଥିଵାର ଦେଖିଲା। ସେ ନିକଟତର ହେଲାରୁ ଜାଣିଲା ଯେ ହାତୀର ଗୋଡରେ କଣ୍ଟା ଗଳିଯାଇଛି । ଯୁଵକଟି ସାଵଧାନତାର ସହିତ ଥିରି କରି କଣ୍ଟାଟି ବାହାର କରି ଦେଲେ । ହାତୀଟି ଏଥର ଭଲରେ ଚାଲିପାରିଲା ତେଣୁ ଉଷତ ହୋଇ ଶୁଣ୍ଢ ଉପରକୁ ଉଠାଇ ଉଚ୍ଚ ସ୍ୱରରେ ପେଁକାଳି ବଜେଇଲା। ତହୁଁ ସେହି ଛୋଟ ହାତୀଟି ଯୁଵକକୁ ଧନ୍ୟଵାଦ ଜଣାଇଵା ପାଇଁ ତା ଆଡକୁ ଅନାଇ ଶୁଣ୍ଢ ଉପରକୁ କରି ଚାଲିଗଲା | ଇତିମଧ୍ୟରେ ୨୦ ଵର୍ଷ ବିତିଗଲାଣି ଏଵଂ ଉକ୍ତ ଯୁଵକଜଣକ ପ୍ରୌଢ଼ ‌ହେଲାଣି । ଦିନେ ସେ ଵ୍ୟକ୍ତି ଏକ ପ୍ରାଣୀ ଉଦ୍ୟାନରେ ଥିଲା । ଦେଖିଲା ଗୋଟେ ହାତୀ ତା ଆଡ଼କୁ ଏକ ଲୟରେ ଅନାଇ ରହିଛି ଏଵଂ ମଝିରେ ମଝିରେ ଶୁଣ୍ଢ ଉପରକୁ ଟେକୁଛି ପୁଣି ଗୋଡ଼ ଉପରକୁ ସାମାନ୍ୟ ଉଠାଇ ତଳେ ରଖୁଛି ଆଉ ପେଁକାଳି ବଜାଉଛି । ଲୋକଟି ମନେ ମନେ ଭାଵନା କଲା ସତେ କ'ଣ ଇଏ ସେଇ ଛୋଟ ହାତୀଟି ଯାହା ପାଦରେ କଣ୍ଟା ପଶିଯାଇଥିଲା ଯେ ମୁଁ ତାକୁ କାଢ଼ି ଦେଇଥିଲି ? 
ହାତୀଟି ଉକ୍ତ ଲୋକକୁ ବାରମ୍ବାର ଅନାଇ ରହି ସେହିପରି ଶୁଣ୍ଢ ଟେକି ଗୋଡ଼ ଉଠାଇ ପେଁକାଳି ବଜାଇଵାରୁ ଲୋକର ଵିଶ୍ଵାସ ବଢ଼ି ବଢ଼ିଗଲା । ଶେଷରେ ଵ୍ୟକ୍ତିର ଵିଶ୍ଵାସ ଏତେ ବଢ଼ିଗଲା ଯେ ସେ ହାତୀ ଚାରିପଟେ ଘେରା ଯାଇଥିଵା ତାରବାଡ଼ ପାର କରି ହାତୀ ପାଖରେ ପହଞ୍ଚିଗଲା । ଵ୍ୟକ୍ତିକୁ ନିଜ ନିକଟରେ ଦେଖି ହାତୀଟି ତାକୁ ଘଡ଼ିଏ ଅନାଇ ରହିଲା ଏଵଂ ତତ୍ପରେ ପୂର୍ଵ ଭଳି ଗୋଡ଼ ଟେକିଲା ଶୁଣ୍ଢ ଟେକିଲା ପେଁକାଳି ବଜାଇଲା ଆଉ ଶେଷରେ ସେଇ ଲୋକଟାକୁ ନିଜ ପାଦ ତଳେ ଦଳି ମାରିଦେଲା । ବୋଧହୁଏ ଏଇ ହାତୀଟା ସେ କୋଡ଼ିଏ ଵର୍ଷ ତଳର ହାତୀ ନଥିଲା 

Sunday, May 5, 2024

ଯଜ୍ଞନିନ୍ଦା(ମହାଭାରତ କଥା)


ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସେ ବ୍ରାହ୍ମଣ ସ୍ଵର୍ଗପ୍ରାପ୍ତି ହେତୁ ଯଜ୍ଞ କରିଵାକୁ ଇଚ୍ଛା ପ୍ରକଟ କଲେ । ଯେଉଁଠି ବ୍ରାହ୍ମଣ ନିଵାସ କରୁଥିଲେ ସେଠି ଅନ୍ନ ନାମରେ ସୁଆଁ ମିଳୁଥିଲା,ଡାଲି ଭାବେ ହରଡ଼ ମିଳୁଥିଲା ଏଵଂ ପରିବା ଭାବେ ବ୍ରାହ୍ମୀ ଲତା ହିଁ ଉପଲବ୍ଧ ଥିଲା । ତେବେ ଉକ୍ତ ବ୍ରାହ୍ମଣଙ୍କ ତପସ୍ୟା ଯୋଗୁଁ ଏହି କଟୁ ଖାଦ୍ୟଶସ୍ୟଗୁଡ଼ିକ ମଧ୍ୟ ରସଯୁକ୍ତ ତଥା ଋଚିକର ହୋଇଯାଇଥିଲା । ବ୍ରାହ୍ମଣ ସତ୍ୟ ଯଜ୍ଞ ପାଇଁ ପ୍ରାଣୀ ହିଂସା ନକରି ସାତ୍ତ୍ୱିକ ଗୁଣ ବଳରେ ଫଳ ମୂଳ ପୁଷ୍ପାଦି ଦ୍ଵାରା ସ୍ଵର୍ଗପ୍ରାପ୍ତି ହେତୁ ଯଜ୍ଞର ଆୟୋଜନ କଲେ । ଶୁକ୍ରାଚାର୍ଯ୍ୟଙ୍କ ବଂଶଜ ପର୍ଣ୍ଣାଦ ଋଷି ଏହି ଯଜ୍ଞରେ ହୋତାର କାର୍ଯ୍ୟ ନିର୍ଵାହ କରୁଥିଲେ । ସେହି ଵନରେ ବ୍ରାହ୍ମଣ ସତ୍ୟଙ୍କ ସହଵାସୀ ଏକ ମୃଗ ରହୁଥିଲା । ଯଜ୍ଞ ସମୟରେ ସେହି ମୃଗ ଆସି ମନୁଷ୍ୟ ଭାଷାରେ ବ୍ରାହ୍ମଣ ସତ୍ୟଙ୍କୁ କହିଲେ "ହେ ବ୍ରାହ୍ମଣ ତୁମେ ଯଜ୍ଞ ନାମରେ ବଡ଼ ଦୁଷ୍କର୍ମ କରୁଅଛ,ଯଦି କରାଯାଉଥିଵା ଯଜ୍ଞ ମନ୍ତ୍ର ଓ ଅଙ୍ଗ ହୀନ ହୁଏ ତେବେ ତାକୁ ଦୁଷ୍କର୍ମ ହିଁ ଵିଚାର କରାଯିଵ ତେଣୁ ତୁମେ ଯଜ୍ଞକୁ ମୋତେ ସମର୍ପି ନିନ୍ଦାରହିତ ହୋଇ ସ୍ଵର୍ଗପ୍ରାପ୍ତି କର । ତଦନନ୍ତର ଯଜ୍ଞରୁ ସାକ୍ଷାତ ସାଵିତ୍ରୀ ଆଵିର୍ଭୁତ ହୋଇ ସେହି ମୃଗକୁ ଯଜ୍ଞ ହେତୁ ଆହୁତି ଦେଵାକୁ ଉପଦେଶ କଲେ କିନ୍ତୁ ବ୍ରାହ୍ମଣ ସତ୍ୟ ସହଵାସୀ ମୃଗର ଵଧ କରିପାରିଵେ ନାହିଁ ବୋଲି ସ୍ପଷ୍ଟ ଜଣାଇ ଦେଲେ ‌। ସତ୍ୟ ବ୍ରାହ୍ମଣ ସାଵିତ୍ରୀ ଦେଵୀଙ୍କ ଆଡ଼କୁ ହାତ ଯୋଡ଼ି ଠିଆ ହୋଇ ରହିଲେ କିନ୍ତୁ ମୃଗ ଆଉଥରେ ନିଜର ଯଜ୍ଞରେ ଆହୁତି ଦେଵାକୁ ବ୍ରାହ୍ମଣଙ୍କୁ ଅନୁରୋଧ କଲା ମାତ୍ର ଏହା ଶୁଣି ବ୍ରାହ୍ମଣ ମୃଗକୁ କୁଣ୍ଢାଇ ଧରିଲେ ଏଵଂ ସେଠାରୁ ଚାଲିଯିଵାକୁ ଅନୁରୋଧ କଲେ । ତହୁଁ ସେ ମୃଗ ଆଠ ପାଦ ଆଗକୁ ଯାଇ ଫେରି ଆସି ସତ୍ୟଙ୍କୁ କହିଲା ହେ ବ୍ରାହ୍ମଣ ତୁମେ ଵିଧିପୂର୍ଵକ ମୋର ଵଧ କର , ଏତଦ୍ବାରା ମୁଁ ପରମଗତି ଲାଭ କରିବି । ମୁଁ ତୁମକୁ ଦିଵ୍ୟଦୃଷ୍ଟି ପ୍ରଦାନ କରୁଛି,ତୁମେ ତଦ୍ଵାରା ଦେଖ ଆକାଶରେ ସ୍ୱର୍ଗଲୋକର ଦିଵ୍ୟ ଅପ୍ସରାମାନେ ଦଣ୍ଡାୟମାନ ଅଛନ୍ତି ପୁଣି ମହାତ୍ମା ଗନ୍ଧର୍ଵମାନଙ୍କ ଵିଚିତ୍ର ଵିମାନ ମଧ୍ୟ ଶୋଭା ପାଉଅଛି । ତହୁଁ ସତ୍ୟ ନାମକ ସେହି ବ୍ରାହ୍ମଣ ଦିଵ୍ୟଦୃଷ୍ଟି ଲଭି ସ୍ଵର୍ଗଲୋକର ସୌନ୍ଦର୍ଯ୍ୟ ଅନେକ କାଳ ଯାଏଁ ଉପଭୋଗ କରିଵାକୁ ଲାଗିଲେ । ତାଙ୍କ ମନର ଭାଵ ପରିଵର୍ତ୍ତିତ ହେଲା,ସେ ଵିଚାରିଲେ ମୃଗକୁ ଆହୁତି ଦେଲେ ନିଶ୍ଚିତ ସେ ଏଭଳି ସ୍ଵର୍ଗପ୍ରାପ୍ତି କରିପାରିଵେ । ମୃଗକୁ ହତ୍ୟାକରି ସ୍ଵର୍ଗପ୍ରାପ୍ତି କରିଵାର ଵିଚାର ବ୍ରାହ୍ମଣ ସତ୍ୟଙ୍କ ମନକୁ ଆସିଵା ମାତ୍ରେ ତାଙ୍କର ତପସ୍ୟାରେ ଅର୍ଜିତ ସମସ୍ତ ପୁଣ୍ୟ ନାଶ ଗଲା । ନିଜର ଆହୁତି ଦେଵାକୁ ବାରମ୍ବାର ସତ୍ୟ ବ୍ରାହ୍ମଣଙ୍କୁ ଅନୁରୋଧ କରୁଥିଵା ମୃଗ ପ୍ରକୃତରେ ସ୍ଵୟଂ ଧର୍ମ ଭଗଵାନ ଥିଲେ । ବ୍ରାହ୍ମଣଙ୍କ ପରୀକ୍ଷା ନେଵାକୁ ସେ ବ୍ରାହ୍ମଣଙ୍କ ନିକଟରେ ମୃଗ ରୂପେ ଵାସ କରୁଥିଲେ । ତେବେ ଧର୍ମ ଭଗଵାନଙ୍କୁ ବ୍ରାହ୍ମଣଙ୍କ ପୁଣ୍ୟ ନାଶ ଯିଵା ଦେଖି ଦୟା ହେଲା ତେଣୁ ସେ ନିଜର ପରିଚୟ ପ୍ରଦାନ କରି ବ୍ରାହ୍ମଣଙ୍କର ଯଜ୍ଞ ସମ୍ପନ୍ନ କରାଇଥିଲେ । 

ଏହି କାହାଣୀଟି ଶୁଣାଇ ସାରି ଭୀଷ୍ମ କହିଲେ ହେ ଵତ୍ସ ଯୁଧିଷ୍ଠିର ! 

“ଅହିଂସା ସକଳୋ ଧର୍ମୋ ହିଂସାଧର୍ମସ୍ତଥାହିତଃ ।
ସତ୍ୟଂ ତେଽହଂ ପ୍ରଵକ୍ଷାମି
ଯୋ ଧର୍ମଃ ସତ୍ୟଵାଦିନାମ୍ ॥”

ଅର୍ଥାତ୍ ଅହିଂସା ହିଁ ସମ୍ପୂର୍ଣ୍ଣ ଧର୍ମ ଅଟେ । ସେହିପରି ହିଂସା ଅଧର୍ମ ଓ ହାନିକାରକ ହୋଇଥାଏ । ଏବେ ମୁଁ ତୁମକୁ ସତ୍ୟର ମହତ୍ତ୍ଵ କହୁଛି ଯାହା ସତ୍ୟଵାଦୀମାନଙ୍କର ପରମ ଧର୍ମ ଅଟେ । 

ମହାଭାରତ ଶାନ୍ତିପର୍ଵର ମୋକ୍ଷଧର୍ମପର୍ଵସ୍ଥ ଯଜ୍ଞନିନ୍ଦା ନାମ ଦ୍ଵିସତ୍ୟାଧିକ ଦୁଇଶତତମ ଅଧ୍ୟାୟରେ ଏହି କଥା ରହିଛି । 

ଓଡ଼ିଆ ଵର୍ଣ୍ଣମାଳାରେ 'ୱ' ଲିପୀମର ଆଵଶ୍ୟକତା ଓ ଏହାର ଵୈଜ୍ଞାନିକତା

ଓଡ଼ିଆ ଵର୍ଣ୍ଣମାଳାରେ କେହି କେହି 'ୱ'କୁ ଦେଖି ସନ୍ଦେହରେ ପଡ଼ି ପ୍ରଶ୍ନ କରନ୍ତି ଯେ ଏଠାରେ ସ୍ବର ଵର୍ଣ୍ଣରେ ଅର୍ଥାତ୍ 'ଓ' ଵର୍ଣ୍ଣରେ 'ବ' ...