My Blog List

Showing posts with label ୟୁରୋପ. Show all posts
Showing posts with label ୟୁରୋପ. Show all posts

Friday, March 13, 2026

Salem witch trials : ଆମେରିକୀୟ ଇତିହାସର ଏକ କଳା ଅଧ୍ୟାୟ

୧୬୯୨ ମସିହାର ଶୀତଦିନ। "ମାସାଚୁସେଟ୍ସ୍‌ ବେ କଲୋନି"ର ଉତ୍ତର ସୀମାରେ ଥିଵା ଏକ ଛୋଟ ଗାଁ ଥିଲା — ସେଲମ୍ ଵିଲେଜ୍। ଚାରିପଟକୁ ଘଞ୍ଚ ଜଙ୍ଗଲ, ସଂକୀର୍ଣ୍ଣ ପଥ, ଏଵଂ ଲମ୍ଵା ଲମ୍ଵା ଶୀତ ରାତି। ଦିନରେ ମଧ୍ୟ ସୂର୍ଯ୍ୟକିରଣ ଗଛର ଘଞ୍ଚ ପତ୍ର ମଧ୍ୟରେ ଛାଣି ହୋଇ ଭୂମିରେ ପଡ଼ିଲା ବେଳେ, ଲାଗୁଥିଲା ସତେ ଯେପରି କେହି ଆଲୋକ ଉପରେ ପରଦା ପକାଇ ଦେଇଛି। ଏହି ଗାଁରେ ପ୍ୟୁରିଟାନ୍ ଲୋକମାନେ ରହୁଥିଲେ । ଏଠାକାର ସ୍ଥାନୀୟ ଲୋକମାନେ ନୈଷ୍ଠିକ ଖିରସ୍ତାନୀ ଏଵଂ ଏହି ରିଲିଜନର କଠୋର ନିୟମ ମଧ୍ୟରେ ବାନ୍ଧି ହୋଇ ଜୀଵନ ନିର୍ଵାହ କରୁଥିଲେ । ନୈଷ୍ଠିକ ଖିରସ୍ତାନୀ ହୋଇଥିଵାରୁ God ଓ Devil ମଧ୍ୟରେ ସଦାସର୍ଵଦା ଚାଲିଥିଵା ସେହି ତଥାକଥିତ ଅଦୃଶ୍ୟ ଯୁଦ୍ଧରେ ପୂର୍ଣ୍ଣ ଵିଶ୍ୱାସ ରଖୁଥିଲେ। ସେମାନଙ୍କ ପାଇଁ ଦୁନିଆ ଦୁଇଟି ଭାଗରେ ଵିଭକ୍ତ ଥିଲା — ଆଲୋକ ଓ ଅନ୍ଧକାର,God ଓ Devil, ପଵିତ୍ର ଓ ଶାପିତ।

ତେବେ ସେହିଦିନିଆ ଏହି ଗାଁରେ ଗୋଟିଏ ରାତିରେ, ଏମିତି କିଛି ଘଟିଲା ଯାହା ସବୁକିଛି ବଦଳାଇ ଦେଲା। ଫେବୃଆରୀ ମାସର ଏକ ଶୀତଳ ରାତିରେ, ପାଷ୍ଟର ସାମୁଏଲ୍ ପାରିଙ୍କ ଘରେ ଅଜବ ଚିତ୍କାର ଶୁଣାଗଲା। ତାଙ୍କ ନଅ ଵର୍ଷର ଝିଅ ବିଟି ପାରି ଏଵଂ ଏଗାର ଵର୍ଷର ଭାଣିଜୀ ଆବିଗେଲ୍ ୱିଲିୟମ୍ସ୍ ହଠାତ୍ ଅଜବ ଵ୍ୟଵହାର କରିଵାକୁ ଲାଗିଲେ। ସେମାନେ ବିଛଣାରେ ଛଟପଟ ହେଵାକୁ ଲାଗିଲେ, ସେମାନଙ୍କ ଶରୀର ବଙ୍କା ହେଵାକୁ ଲାଗିଲା, ମୁହଁରୁ ଅସ୍ପଷ୍ଟ ଓ ଭୟଙ୍କର ଶବ୍ଦ ବାହାରିଲା ଏଵଂ ବେଳେବେଳେ ସେମାନେ ଚେତା ହରାଇଲେ।

ଘର ଲୋକମାନେ ଭୟଭୀତ ହୋଇଗଲେ। ପାଷ୍ଟର ପାରି ପ୍ରଥମେ ଭାବିଲେ ଯେ ହୁଏତ ଏହା କୌଣସି ରୋଗ। ସେ ଗାଁ ଡାକ୍ତର ୱିଲିୟମ୍ ଗ୍ରିଗ୍ସ୍‌ଙ୍କୁ ଡାକିଲେ।
ଡାକ୍ତର ଉଭୟ ଝିଅଙ୍କୁ ପରୀକ୍ଷା କଲେ, ସେମାନଙ୍କ ନାଡ଼ି ପରକ୍ଷୀଲେ, ଆଖି ପରୀକ୍ଷା କଲେ, ଜ୍ୱର ଯାଞ୍ଚ କଲେ।

ତା’ପରେ ଧୀରେ କହିଲା —

"ଏହା କୌଣସି ସାଧାରଣ ରୋଗ ନୁହେଁ। ଏହା... ଶାପ ଵା କଳାଯାଦୁର ପ୍ରଭାବ ହୋଇଥାଇପାରେ।"

ଏହି ଗୋଟିଏ ଵାକ୍ୟ। ଏଵଂ ଏହି ଗୋଟିଏ ଵାକ୍ୟ ଗାଁରେ ନିଆଁ ଲଗାଇ ଦେଲା।

ପ୍ୟୁରିଟାନ୍ ସମାଜରେ ଡାହାଣୀମାନଙ୍କ ଭୟ ପୂର୍ଵରୁ ଥିଲା। ଚର୍ଚ୍ଚରେ ପାଷ୍ଟରମାନେ ଶିକ୍ଷା ଦେଉଥିଲେ ଯେ ଡେଵିଲ୍ ନିଜର ସେଵକ ଡାହାଣୀମାନଙ୍କୁ ପଠାଇ ଭଗଵାନଙ୍କ ଭକ୍ତମାନଙ୍କର କ୍ଷତି କରେ। ବାଇବେଲର ପୁରାତନ ନିୟମ Book of Exodus—22:18ରେ ଲେଖାଅଛି “Thou shalt not suffer a witch to live.” ଅର୍ଥାତ୍ ଡାହାଣୀମାନଙ୍କୁ ଵଞ୍ଚିଵାକୁ ଦେଵା ଉଚିତ୍ ନୁହେଁ।

ଏଵଂ ଏବେ — ଡାକ୍ତର ନିଜେ କହିଦେଲେ ଯେ ଏହା କଳାଯାଦୁ। ଗାଁରେ ଗୁଜବ ଵ୍ୟାପିଗଲା। ସ୍ଥାନୀୟ ଲୋକମାନେ ପରସ୍ପରକୁ ସନ୍ଦେହ ଦୃଷ୍ଟିରେ ଦେଖିଵାକୁ ଲାଗିଲେ। ଘରେ ରାତିରେ କଵାଟ ଵନ୍ଦ ହେଵାକୁ ଲାଗିଲା।

ସେହି witch କିଏ? ସେ କେଉଁଠି ଲୁଚିଛି?

କିଛି ଦିନ ମଧ୍ୟରେ ବିଟି ଓ ଆବିଗେଲ୍ ଭଲ ହୋଇଗଲା ପରେ ତିନି ଜଣ ମହିଳାଙ୍କ ନାଆଁ କହିଲେ। 

ପ୍ରଥମ ନାମ ଥିଲା — Tituba (ଟିଟୁବା)।
ଟିଟୁବା, ପାଷ୍ଟର ପାରିଙ୍କ ଦାସୀ ଥିଲେ, ଯିଏ ବାର୍‌ବାଡୋସ୍ ଦ୍ୱୀପରୁ ଆସିଥିଲେ। ଗାଁରେ ଶୁଣିଵାକୁ ମିଳୁଥିଲା ଯେ ସେ ପିଲାମାନଙ୍କୁ ଅତୃପ୍ତ ଆତ୍ମାମାନଙ୍କ ଵିଷୟରେ, ଅଦୃଶ୍ୟ ଶକ୍ତି ଵିଷୟରେ,ପିଶାଚ-ପିଶାଚୁଣୀ ଓ କଳାଯାଦୁର କାହାଣୀ କହୁଥିଲେ ।

ଝିଅମାନେ କହିଲେ — "ଟିଟୁବା ଆମକୁ Devilର ସେଵା କରିଵାକୁ କହୁଛି।"

ଦ୍ୱିତୀୟ ନାମ ଥିଲା — ସାରା ଗୁଡ୍। ଜଣେ ଗରିବ ଭିକାରୀ ମହିଳା, ଯାହାକୁ ଗାଁ ଲୋକେ ପୂର୍ଵରୁ ପସନ୍ଦ କରୁନଥିଲେ।

ତୃତୀୟ ନାମ ଥିଲା — ସାରା ଓସବର୍ଣ୍ଣ୍। ଜଣେ ମହିଳା ଯିଏ ସମାଜର ପାରମ୍ପରିକ ନିୟମ ମାନୁନଥିଲେ।

ଏହି ତିନି ଜଣଙ୍କୁ ଗିରଫ କରାଗଲା।

କୋର୍ଟରେ ଟିଟୁବାଙ୍କୁ ପଚରାଉଚରା କରାଗଲା।
ପ୍ରଥମେ ସେ ମନା କଲେ। ତା’ପରେ — ହୁଏତ ଭୟରୁ, ହୁଏତ ବଞ୍ଚିଵା ପାଇଁ — ସେ ଏକ ଭୟଙ୍କର କାହାଣୀ କହିଲେ।

ସେ କହିଲା —"ହଁ, ମୁଁ ଡେଵିଲ୍‌କୁ ଦେଖିଛି। ସେ ଏକ କଳା ବହି ଧରି ଆସିଥିଲା। ସେ କହିଲା — ଏଥିରେ ଦସ୍ତଖତ କର ଏଵଂ ମୁଁ ଦସ୍ତଖତ କରି ଦେଇଛି।" ସେ ଏହା ମଧ୍ୟ କହିଲା ଯେ ୟେ ଗାଁରେ ଆହୁରି ଅନେକ witch ଅଛନ୍ତି। ସେ ନାମ କହିଲା ନାହିଁ, କିନ୍ତୁ ତାହା ଯଥେଷ୍ଟ ଥିଲା।

ଟିଟୁବାଙ୍କ ଏହି ସ୍ୱୀକାରୋକ୍ତି ତାଙ୍କୁ ଫାଶୀରୁ ଵଞ୍ଚାଇଲା, କାରଣ କୋର୍ଟ "ସହଯୋଗୀ ସାକ୍ଷୀ" ମାନଙ୍କୁ କ୍ଷମା କରୁଥିଲା। Tituba ଆଦାଲତରେ witchcraft କଥା ସ୍ଵୀକାର କରିଥିଵାରୁ ତାଙ୍କୁ ସହଜରେ ମାରି ଦିଆଯାଇନଥିଲା, କିନ୍ତୁ ତାଙ୍କୁ ଜେଲ୍‌ରେ ରଖାଗଲା। ସେ ୧୬୯୨ରୁ ୧୬୯୩ ପର୍ଯ୍ୟନ୍ତ ପ୍ରାୟ ଏକ ଵର୍ଷ ଜେଲ୍‌ରେ ରହିଥିଲେ। ସେ ସମୟରେ ଜେଲ୍‌ର ଖର୍ଚ୍ଚ ମଧ୍ୟ ବନ୍ଦୀଙ୍କ ମାଲିକଙ୍କୁ ଦେଵାକୁ ପଡୁଥିଲା। ତାଙ୍କ ମାଲିକ Samuel Parris ଜେଲ୍ ଖର୍ଚ୍ଚ ଦେଵାକୁ ଇଚ୍ଛା କଲେ ନାହିଁ।
ତେଣୁ ସେ ଜେଲ୍‌ରେ ରହିଗଲେ। ୧୬୯୩ରେ ଜଣେ ଅଜଣା ବ୍ୟକ୍ତି ଜେଲ୍‌ର ଖର୍ଚ୍ଚ ଦେଇ Titubaଙ୍କୁ କିଣିନେଲେ। ତାପରେ ସେ କେଉଁଠି ଗଲେ, କେମିତି ଜୀଵନ କଟାଇଲେ ଇତିହାସରେ ଏହାର ନିଶ୍ଚିତ ତଥ୍ୟ ମିଳେନି। ତେଣୁ ଐତିହାସିକମାନେ କହନ୍ତି 
Titubaଙ୍କ ଜୀବନର ପରଵର୍ତ୍ତୀ ଅଧ୍ୟାୟ ଇତିହାସରେ ଅଦୃଶ୍ୟ ହୋଇଯାଇଛି। ହୋଇପାରେ
ଅନ୍ୟତ୍ର Tituba ଦାସୀ ଭାବେ ଜୀଵନ କଟାଇଥିବେ
କିମ୍ବା କୌଣସି ଅନ୍ୟ ଦ୍ୱୀପ କିମ୍ବା ଉପନିଵେଶକୁ ନେଇଯାଇଥିବେ କିନ୍ତୁ ତାହାର ପ୍ରମାଣ ମିଳିନାହିଁ।

ତେବେ Titubaଙ୍କ ବୟାନ ପରେ କୋର୍ଟ ଉତ୍ସାହିତ ହୋଇଗଲା। ଲୋକମାନେ ଭୟଭୀତ ହୋଇଗଲେ ଏଵଂ ଅଭିଯୋଗର ଶୃଙ୍ଖଳା ଆରମ୍ଭ ହେଲା।

ସେତେବେଳେ ଏହି ଵିଚାରରେ ଏକ ପ୍ରକାରର "ପ୍ରମାଣ" ଵ୍ୟଵହାର କରାଯାଉଥିଲା ଯାହା ଆଜିର କୌଣସି କୋର୍ଟରେ ଗ୍ରହଣୀୟ ହେଵ ନାହିଁ —

"ସ୍ପେକ୍ଟ୍ରାଲ୍ ଏଭିଡେନ୍ସ ଵା ଆତ୍ମାର ପ୍ରମାଣ।" 

ମେ ୧୬୯୨ ରେ ଗଭର୍ଣ୍ଣର ୱିଲିୟମ୍ ଫିପ୍ସ ଏକ ସ୍ୱତନ୍ତ୍ର କୋର୍ଟ — କୋର୍ଟ ଅଫ୍ ଓୟର୍ ଆଣ୍ଡ୍ ଟର୍ମିନର୍ — ଗଠନ କଲେ।

ଏହି କୋର୍ଟର ସବୁଠାରୁ ବଡ଼ ଓ ମାରାତ୍ମକ ଵୈଶିଷ୍ଟ୍ୟ ଥିଲା — ସ୍ପେକ୍ଟ୍ରାଲ୍ ଏଭିଡେନ୍ସ୍‌କୁ ସ୍ୱୀକୃତି।

ଏହାର ଅର୍ଥ ଥିଲା — ଯଦି କେହି ଦାବି କରେ ଯେ ସେ କୌଣସି ଅଭିଯୁକ୍ତର "ଆତ୍ମା" କିମ୍ବା "ଛାୟା" ଦେଖିଛି ଯିଏ ତାକୁ କଷ୍ଟ ଦେଉଥିଲା — ତେବେ ଏହାକୁ କୋର୍ଟରେ ଵୈଧ ପ୍ରମାଣ ବୋଲି ମାନୁଥିଲେ।
ଏହି ପ୍ରମାଣ ଯାଞ୍ଚ କରାଯାଇପାରୁନଥିଲା, କାଟି ହେଉନଥିଲା। ଅଭିଯୁକ୍ତର ରକ୍ଷା ପାଇଁ କୌଣସି ପନ୍ଥା ନଥିଲା। ଏହି ନିୟମ ସମ୍ପୂର୍ଣ୍ଣ ଵିଚାରକୁ ଏକ ଯୁକ୍ତିହୀନ, ନିର୍ଦ୍ଦୟ ପ୍ରକ୍ରିୟାରେ ପରିଣତ କଲା।

ଅର୍ଥାତ୍ — ଯଦି କେହି କହେ, "ମୁଁ ରାତିରେ କାହାର ଆତ୍ମା ଦେଖିଲି ଯିଏ ମୋତେ କଷ୍ଟ ଦେଉଥିଲା" — ତେବେ କୋର୍ଟ ଏହାକୁ ପ୍ରମାଣ ବୋଲି ମାନୁଥିଲା।
ଏହି ନିୟମ ଶହ ଶହ ନିରୀହ ଲୋକଙ୍କୁ ଅଭିଯୁକ୍ତ କରିଦେଲା।

ଥରେ ପ୍ରକ୍ରିୟା ଆରମ୍ଭ ହେଵା ପରେ ଅଭିଯୋଗ କରିଵା ସହଜ ହୋଇଗଲା। ଯେଉଁମାନେ ଅଭିଯୋଗ କରୁଥିଲେ, ସେମାନଙ୍କୁ ସମାଜରେ "ପୀଡ଼ିତ" ର ମାନ୍ୟତା ମିଳୁଥିଲା। ଯେଉଁମାନେ ମନା କରୁଥିଲେ, ସେମାନେ ସନ୍ଦେହୀ ହୋଇଯାଉଥିଲେ। ଯେଉଁମାନେ ସ୍ୱୀକାର କରୁଥିଲେ ଏଵଂ ଅନ୍ୟମାନଙ୍କ ନାମ ନେଉଥିଲେ, ସେମାନେ ଵଞ୍ଚିଯାଉଥିଲେ। ଏହି ଵ୍ୟଵସ୍ଥା ଏକ ଭୟଙ୍କର ଚକ୍ର ସୃଷ୍ଟି କଲା।

ବାର ଵର୍ଷ ଵୟସ୍କା ଆନ୍ ପୁଟନମ୍ ଜୁନିୟର ସର୍ଵାଧିକ ଲୋକଙ୍କ ଵିରୋଧରେ ଡାହାଣୀ ଅଭିଯୋଗ କରିଥିଲା। ସେ ନିଜକୁ 'ଡାହାଣୀ ଵା Witch'ଦ୍ଵାରା ପୀଡ଼ିତ ଦେଖାଇ ଡଜନ ଡଜନ ଲୋକଙ୍କ ଉପରେ ଅଭିଯୋଗ ଆଣିଥିଲା । 

ଜୁନ୍ ୧୬୯୨ରେ ପ୍ରଥମ ଫାଶୀ ହେଲା।

ବ୍ରିଜେଟ୍ ବିଶପ୍‌ଙ୍କୁ ଗ୍ୟାଲୋସ୍ ହିଲ୍‌ରେ ଫାଶୀ ଦିଆଗଲା। ତାଙ୍କର "ଅପରାଧ" ଥିଲା — ଅଜବ ପୋଷାକ ପିନ୍ଧିଵା ଏଵଂ ରାତିରେ ଘରେ ନରହି ବାହାରେ ବୁଲିଵା। ତା’ପରେ ଜଣକ ପରେ ଜଣେ ଏହିପରି ୧୯ ଲୋକଙ୍କୁ ଏହିପରି ଫାଶୀ ମିଳିଲା।
୨୦୦ ଲୋକଙ୍କୁ witch ସନ୍ଦେହରେ ଅଭିଯୁକ୍ତ କରାଯାଇଥିଲା । ପାଞ୍ଚଜଣ ପୁରୁଷ ଓ ଚଉଦ ଜଣ ମହିଳାଙ୍କୁ ଫାଶୀ ଦିଆଗଲା । ଜଣେ ପୁରୁଷକୁ ପଥର ତଳେ ଚାପି ଦିଆଗଲା । ଅନ୍ୟ ପାଞ୍ଚଜଣ ଜେଲ୍ ମଧ୍ୟରେ ଅନାହାର ଓ ରୋଗ ଯୋଗୁଁ ମରିଥିଲେ । କେତେକଙ୍କୁ witch ସନ୍ଦେହ କରାଯାଇ ଘର ଜଳେଇ ଦିଆଗଲା । ଅନେକଙ୍କୁ ଅସଦାଚରଣ କରାଗଲା । ଛୋଟ ପିଲାମାନଙ୍କୁ witch ସନ୍ଦେହ କରାଯାଉଥିଵା ମହିଳାମାନଙ୍କ ଉପରକୁ ପଥର ଫିଙ୍ଗିଵାକୁ ଉତ୍ସାହିତ କରାଗଲା । 
ରେବେକା ନର୍ସ ୭୧ ଵର୍ଷୀୟା ମହିଳା ଥିଲେ, ଗାଁରେ ତାଙ୍କର ବହୁତ ସମ୍ମାନ ଥିଲା। ତାଙ୍କ ପରିଵାର ତାଙ୍କ ପାଇଁ ଏକ ଆଵେଦନରେ ସ୍ୱାକ୍ଷର କରିଥିଲେ ଯେଉଁଥିରେ ୩୯ ଜଣ ଲୋକ ସ୍ୱାକ୍ଷର କରିଥିଲେ। ପ୍ରଥମ ଜୁରି ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । କିନ୍ତୁ ଯେତେବେଳେ କୋର୍ଟର ଵିଚାରପତି ୱିଲିୟମ୍ ଷ୍ଟୋଟନ ଜୁରିଙ୍କୁ ପୁନଃ ଵିଚାର କରିଵାକୁ କହିଲେ, ସେତେବେଳେ ନିଷ୍ପତ୍ତି ବଦଳାଇ ଦିଆଗଲା। ଜୁଲାଇ ୧୬୯୨ ରେ ରେବେକା ନର୍ସଙ୍କୁ ଫାଶୀ ଦିଆଗଲା।

ଜର୍ଜ୍ ବରୋଜ୍‌ଙ୍କ ମାମଲା ଵିଶେଷ ଭାଵରେ ଉଲ୍ଲେଖନୀୟ ଅଟେ। ସେ ଜଣେ ପୂର୍ଵତନ ପାଷ୍ଟର ଥିଲେ। ଫାଶୀ ଘାଟିକାରେ ସେ Lord's Prayer ସମ୍ପୂର୍ଣ୍ଣ ଭାବେ ଏଵଂ ଵିନା କୌଣସି ଭୁଲ୍‌ରେ ପଢ଼ିଲେ । ସେହି ସମୟରେ ଏହା ଵିଶ୍ୱାସ କରାଯାଉଥିଲା ଯେ କୌଣସି Witch ଏହା କରିପାରିଵ ନାହିଁ। ଭିଡ଼ ଦ୍ୱିଧାବୋଧ କଲା। କିନ୍ତୁ କଟନ ମାଥର ନାମକ ଜଣେ ପ୍ରଭାଵଶାଳୀ ପାଷ୍ଟର୍ ଘୋଡ଼ା ପିଠିରେ ବସି ଭିଡ଼କୁ ବୁଝାଇଲେ ଯେ ଏହା ଡେଵିଲ୍‌ର ଏକ କୌଶଳ। ତାଙ୍କ କଥାରେ ପ୍ରଭାଵିତ ହୋଇ ଜର୍ଜ୍ ବରୋଜ୍‌ଙ୍କୁ ଫାଶୀ ଦିଆଗଲା।

ସବୁଠାରୁ ଦୁଃଖଦାୟକ କାହାଣୀ ଥିଲା ଜାଇଲ୍ସ କୋର୍‌ଙ୍କର। ଜାଇଲ୍ସ କୋର ଜଣେ ୮୦ ଵର୍ଷୀୟ ଚାଷୀ ଥିଲେ। ତାଙ୍କ ଉପରେ ମଧ୍ୟ ଅଭିଯୋଗ ଲାଗିଥିଲା। କିନ୍ତୁ ସେ କୋର୍ଟରେ plea ଦେଵାକୁ ମନା କରିଦେଲେ।

ସେହି ସମୟର ଆଇନ ଅନୁଯାୟୀ ଯେଉଁମାନେ ପ୍ଲି ଦେଉନଥିଲେ, ସେମାନଙ୍କୁ peine forte et dure ଅର୍ଥାତ୍ ଛାତିରେ ପଥର ରଖି ସ୍ୱୀକାରୋକ୍ତି କରାଇଵା ଭଳି ନିର୍ଦ୍ଦୟ ଦଣ୍ଡ ଦିଆଯାଇପାରୁଥିଲା। ୧୭ ସେପ୍ଟେମ୍ଵର ୧୬୯୨ ରେ ଜାଇଲ୍ସ କୋରଙ୍କୁ ଭୂଇଁରେ ଶୁଆଇ ତାଙ୍କ ଛାତିରେ ପଥର ରଖାଗଲା। ଦୁଇ ଦିନ ଧରି ଏହି ପ୍ରକ୍ରିୟା ଚାଲିଲା। ଲୋକମାନେ କହିଲେ ଯେ ଯେତେବେଳେ ପଥର ରଖିଥିଵା ଶେରିଫ୍ ପଚାରିଲେ — "ତୁମେ Plea ଦେଉଛ କି?" — ଜାଇଲ୍ସ କୋର ପ୍ରତିଥର ସମାନ ଉତ୍ତର ଦେଲେ —

"ଆହୁରି ପଥର ରଖ।" 

ତାଙ୍କର ମୃତ୍ୟୁ ଏକ ଶାନ୍ତ ଵିଦ୍ରୋହ ଥିଲା — ସେ କୋର୍ଟକୁ ନିଜର ସମ୍ପତ୍ତି ଜଵତ କରିଵାର ସୁଯୋଗ ଦେଲେ ନାହିଁ, କାରଣ ବିନା ଵିଚାରରେ ଦୋଷୀ ସାଵ୍ୟସ୍ତ ହେଲେ ସମ୍ପତ୍ତି ପରିଵାରକୁ ମିଳୁଥିଲା।

ଏମିତି ଅନେକ ଲୋକଙ୍କୁ witch ସନ୍ଦେହ କରି ଫାଶୀ ଦିଆଗଲା । ଶେଷରେ ଅକ୍ଟୋଵର ୧୬୯୨ରେ ଗଭର୍ଣ୍ଣର ୱିଲିୟମ୍ ଫିପ୍ସ୍ ହସ୍ତକ୍ଷେପ କଲେ।
କାରଣ ତାଙ୍କ ନିଜ ସ୍ତ୍ରୀଙ୍କୁ witch ସନ୍ଦେହ କରି ଅଭିଯୋଗ ଆସିଥିଲା। ଗଭର୍ଣ୍ଣର ୱିଲିୟମ୍ ଫିପ୍ସ୍ କୋର୍ଟ ବନ୍ଦ କଲେ। ସ୍ପେକ୍ଟ୍ରାଲ୍ ଏଭିଡେନ୍ସକୁ ଅଵୈଧ ଘୋଷଣା କଲେ। ୧୬୯୩ରେ ବାକି ସମସ୍ତ ଅଭିଯୁକ୍ତଙ୍କୁ ମୁକ୍ତ କରାଗଲା।

୧୭୦୨ରେ ମାସାଚୁସେଟ୍ସ ଵିଧାନସଭା ଏହି ଵିଚାରଗୁଡ଼ିକୁ ଅଵୈଧ ଘୋଷଣା କଲେ। ୧୭୧୧ରେ ପୀଡ଼ିତ ପରିଵାରଗୁଡ଼ିକୁ କିଛି କ୍ଷତିପୂରଣ ଦିଆଗଲା।
୧୯୫୭ରେ ମାସାଚୁସେଟ୍ସ ସରକାର ଆନୁଷ୍ଠାନିକ ଭାବେ କ୍ଷମା ମାଗିଲେ। ୨୦୦୧ରେ ଆନୁଷ୍ଠାନିକ ଭାବେ ବାକି ସମସ୍ତ ଅଭିଯୁକ୍ତଙ୍କ ନାମ ନିର୍ଦ୍ଦୋଷ ଘୋଷଣା କରାଗଲା।

ଆନ୍ ପୁଟନମ ଜୁନିୟର — ଯିଏ ସବୁଠାରୁ ଅଧିକ ଅଭିଯୋଗ ଆଣିଥିଲେ — ୧୭୦୬ରେ ଚର୍ଚ୍ଚରେ ସର୍ଵସାଧାରଣରେ କ୍ଷମା ମାଗିଲେ। ସେ କହିଲେ —

"ମୁଁ ଯାହା କରିଥିଲି ତାହା ଡେଵିଲ୍‌ର କୌଶଳରୁ ନୁହେଁ, ଵରଂ ମୋର ନିଜର ଅଜ୍ଞତା ଏଵଂ ଭ୍ରମରୁ ହୋଇଥିଲା। ଏଵଂ ମୁଁ ସେମାନଙ୍କୁ କ୍ଷମା ମାଗୁଛି ଯେଉଁମାନେ ମୋ ଯୋଗୁଁ କଷ୍ଟ ପାଇଛନ୍ତି।"

ଆଜି ସେଲମ୍, ମାସାଚୁସେଟ୍ସଠାରେ ସେଲମ୍ ୱିଚ୍ ଟ୍ରାୟଲ୍ସ ମେମୋରିଆଲ୍ ଅଛି — ଯେଉଁଠାରେ ପ୍ରତ୍ୟେକ ମୃତ ଵ୍ୟକ୍ତିଙ୍କ ନାମ ପାଇଁ ଏକ ପଥରର ବେଞ୍ଚ୍ ଅଛି। ଏହା ପାଖରେ ୱିଚ୍ ହାଉସ୍ ଅଛି — ଵିଚାରପତି ଜୋନାଥନ୍ କୋରୱିନ୍‌ଙ୍କ ଘର, ଯାହା ସେହି ସମୟର ଏକମାତ୍ର ଵଞ୍ଚିଯାଇଥିଵା ଘର ଅଟେ। ପ୍ରତିଵର୍ଷ ହଜାର ହଜାର ଲୋକ ସେଠାକୁ ଆସନ୍ତି।କିଛି ଇତିହାସ ଜାଣିଵାକୁ, କିଛି ଶ୍ରଦ୍ଧାଞ୍ଜଳି ଦେଵାକୁ।

ସେଲମ୍ ୱିଚ୍ ଟ୍ରାୟଲ୍ସ ମେମୋରିଆଲ୍ ଏକ ଶାନ୍ତ ଏଵଂ ମର୍ଯ୍ୟାଦାସମ୍ପନ୍ନ ସ୍ଥାନ। ଏଠାରେ ୧୯ଟି ପଥରର ବେଞ୍ଚ୍ ଅଛି, ଯେଉଁଥିରେ ପ୍ରତ୍ୟେକ ପୀଡ଼ିତଙ୍କ ନାମ ଖୋଦିତ ହୋଇଛି। ଲୋକମାନେ ସେଠାରେ ଫୁଲ ରଖନ୍ତି, ମହମଵତୀ ଜଳାନ୍ତି। ଏହା ଏମିତି ଏକ ସ୍ଥାନ ଯେଉଁଠାରେ ଅତୀତର ଯନ୍ତ୍ରଣାକୁ ମନେ ରଖାଯାଏ। ଏହି ସ୍ମାରକୀ କେଵଳ ସେହି ଲୋକମାନଙ୍କୁ ସମ୍ମାନ ଦିଏ ନାହିଁ ଯେଉଁମାନେ ପ୍ରାଣ ହରାଇଛନ୍ତି, ଵରଂ ଏହା ସେହି ସମୟର ପ୍ରତିଫଳନ ପାଇଁ ମଧ୍ୟ ଉଦ୍ଦିଷ୍ଟ — ଯେପରି କେବେ ପୁଣି ଏପରି କିଛି ନଘଟୁ।

ଆଜି ସେଲମ୍ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ। ଲୋକମାନେ ସେଠାକୁ କେଵଳ ଭୂତ କାହାଣୀ ଶୁଣିଵା ପାଇଁ ନୁହେଁ, ଵରଂ ପ୍ରକୃତ ଇତିହାସ ବୁଝିଵା ପାଇଁ ଆସନ୍ତି। ସେଲମ୍ ୱିଚ୍ ମ୍ୟୁଜିୟମ୍‌ରେ ପୁରୁଣା ଦଲିଲ, କଳାକୃତି ଏଵଂ ପ୍ରଦର୍ଶନୀ ଅଛି। ଲୋକମାନେ ସେହି witch trialଗୁଡ଼ିକର ଵାସ୍ତଵତା ଵିଷୟରେ ଜାଣନ୍ତି — କିପରି ଭୟ ଅହିଂସାକୁ ନଷ୍ଟ କରିଦେଇଥିଲା। ସ୍କୁଲ୍‌ର ପିଲାମାନେ ଫିଲ୍ଡ୍ ଟ୍ରିପ୍‌ରେ ଆସନ୍ତି, ଐତିହାସିକମାନେ ଗଵେଷଣା କରନ୍ତି, ଲେଖକମାନେ ପ୍ରେରଣା ଖୋଜନ୍ତି।

ପ୍ରତି ଅକ୍ଟୋଵର ମାସରେ ସେଲମ୍‌ରେ ସେଲମ୍ ୱିଚ୍ ଟ୍ରାୟଲ୍ସ ରି-ଏନେକ୍ଟ୍‌ମେଣ୍ଟ୍ ଆୟୋଜନ କରାଯାଏ। ସ୍ଥାନୀୟ ଲୋକମାନେ ସେହି ସମୟର ପୋଷାକ ପିନ୍ଧି ସେହି ଘଟଣାଗୁଡ଼ିକୁ ପୁନର୍ଵାର ଦେଖାନ୍ତି। କିନ୍ତୁ ଏହା କେଵଳ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ନୁହେଁ। ଏହା ଏକ ଶିକ୍ଷା — ଯେପରି ଲୋକମାନେ ସେହି ଦୁଃଖଦ ଘଟଣାର ଗୁରୁତ୍ୱ ବୁଝିପାରନ୍ତୁ।


Salem Witch Trials ଘଟଣାର ପ୍ରକୃତ କାରଣ ଵିଷୟରେ ଆଜି ପର୍ଯ୍ୟନ୍ତ ଅନେକ ଗଵେଷଣା ହୋଇଛି । ଐତିହାସିକ ଓ ଗଵେଷକମାନେ ଏହି ଘଟଣା ପଛରେ ଅନେକ କାରଣ ଖୋଜି ପାଇଛନ୍ତି । 

ସେଲ୍‌ମ ଘଟଣାର ଏକ ପ୍ରସିଦ୍ଧ ବୈଜ୍ଞାନିକ ବ୍ୟାଖ୍ୟା 1976 ମସିହାରେ ମିଳିଥିଲା। ଵୈଜ୍ଞାନିକ ଲିଣ୍ଡା ଆର. କାପୋରାଲ୍ ଏହି ତତ୍ତ୍ୱ ପ୍ରସ୍ତାବ କରିଥିଲେ ଯେ "Salem Witch Trials"ର ମୁଖ୍ୟ କାରଣ ଥିଲା ergot fungus ଵା କବକର ସଂକ୍ରମଣ। ଏହି କବକ rye ଶସ୍ୟ(Secale cereale) ଏବଂ ଅନ୍ୟାନ୍ୟ ଶସ୍ୟରେ ବଢ଼ିଥାଏ ତଥା ଏଥିରେ ergotamine ନାମକ ଏକ ରାସାୟନିକ ପଦାର୍ଥ ଥାଏ ଯାହା LSD ସହିତ ସମାନ। LSDର ପୂରା ନାମ Lysergic Acid Diethylamide ଅଟେ । ଏହା ଏକ ଶକ୍ତିଶାଳୀ psychedelic drug — ଅର୍ଥାତ୍ ଏହା ମସ୍ତିଷ୍କ ଉପରେ ଏତେ ଗଭୀର ପ୍ରଭାଵ ପକାଏ ଯେ ଵ୍ୟକ୍ତି ଅସଲ ଜଗତ ଏଵଂ କଳ୍ପନା ମଧ୍ୟରେ ପ୍ରଭେଦ କରିପାରେ ନାହିଁ। LSD ପ୍ରଥମ ଥର 1938 ମସିହାରେ ସ୍ୱିସ୍ ରସାୟନ ଵିଜ୍ଞାନୀ Albert Hofmann ପ୍ରସ୍ତୁତ କରିଥିଲେ। ଏହା ପ୍ରଥମେ ଏକ ଔଷଧ ଭାବେ ତିଆରି ହୋଇଥିଲା, କିନ୍ତୁ ପରୀକ୍ଷା ସମୟରେ ଏହାର ତୀଵ୍ର ମନଃ-ପ୍ରଭାବ ଜଣାପଡ଼ିଲା। ଏହା ଅର୍ଗଟ୍ ଫଙ୍ଗସ୍‌ରୁ ମିଳୁଥିଵା Lysergic Acidରୁ ତିଆରି — ଏଣୁ Salem Witch Trials ସହ ଏହାର ଯୋଗସୂତ୍ର ଅଛି।

LSD ମସ୍ତିଷ୍କର serotonin receptor ଉପରେ କାର୍ଯ୍ୟ କରେ। ଏହା ଖାଇଲେ—ଅଵାସ୍ତଵ ଦୃଶ୍ୟ ଦେଖାଯାଏ ଵା visual hallucinations ହୁଏ । ରଙ୍ଗ, ଶବ୍ଦ, ସ୍ପର୍ଶ ଅଲଗା ଅନୁଭୂତ ହୁଏ । ସମୟ ଓ ସ୍ଥାନ ର ବୋଧ ନଷ୍ଟ ହୁଏ । ଗଭୀର ଭ୍ରମ ଓ ଭୟ ଆସିପାରେ । LSDର ଏକ ଛୋଟ ଡୋଜ୍ ୮–୧୨ ଘଣ୍ଟା ପର୍ଯ୍ୟନ୍ତ ମନକୁ ପ୍ରଭାଵିତ କରିଥାଏ। 

ଠିକ୍ ସେହିପରି Convulsive ergotismର ଲକ୍ଷଣଗୁଡ଼ିକ ହେଲା: ମାନସିକ ବିକୃତି ଵା Psychosis,ଭ୍ରମ ଵା Hallucinations,ଶରୀରର ମାଂସପେଶୀ ହଲଚଲ ହେଵା ଵା Muscle spasms ଏଵଂ ଚର୍ମରେ କିଛି ପୋକ ଵା ବିଛା ଚାଲୁଥିଵା ଭଳି ଲାଗିଵା ଇତ୍ୟାଦି। ଏହି ସବୁ ଲକ୍ଷଣ 1692 ମସିହାର ସେଲ୍‌ମର ଐତିହାସିକ ରେକର୍ଡରେ ଦେଖିଵାକୁ ମିଳିଛି। 

ଲିଣ୍ଡା କାପୋରାଲ୍, ସେଲ୍‌ମର ତତ୍କାଳୀନ ଲୋକଙ୍କ ଡାଏରୀରେ ଦେଖିଲେ ଯେ 1691 ମସିହାର ପାଣିପାଗ ଗରମ, ଆର୍ଦ୍ର ଓ ଵର୍ଷାଯୁକ୍ତ ଥିଲା, ଯାହା ଏର୍ଗଟ୍ କବକ ବଢ଼ିଵା ପାଇଁ ସବୁଠାରୁ ଉପଯୁକ୍ତ ଥିଲା। ପ୍ରାୟ ସମସ୍ତ ଅଭିଯୋଗ କରିଥିଵା ଝିଅମାନେ ପଶ୍ଚିମ ସେଲମ୍ ଵିଲେଜ୍ ଅଞ୍ଚଳର ଥିଲେ, ଯେଉଁଠାରେ କବକ ବଢ଼ିଵା ପାଇଁ ଉପଯୁକ୍ତ ପରିଵେଶ ଥିଲା। ସେହି ସମୟରେ Rye ଶସ୍ୟ ସେଲମ୍‌ର ମୁଖ୍ୟ ଖାଦ୍ୟ ଶସ୍ୟ ଥିଲା।
Rye ଏକ ଶକ୍ତ cereal grain ଯାହା Poaceae ପରିଵାରର ଅନ୍ତର୍ଭୁକ୍ତ ଏଵଂ ଏହା ଗହମ ଓ ବାର୍ଲି ସହିତ ଘନିଷ୍ଠ ଭାବେ ଜଡ଼ିତ। ସମଶୀତୋଷ୍ଣ ଅଞ୍ଚଳରେ ଵିଶେଷ କରି Europe ଓ Russiaରେ ଚାଷ କରାଯାଉଥିବା rye, ଅଳ୍ପ ଉର୍ଵର ମାଟି ତଥା ଶକ୍ତ ପାଗକୁ ସହ୍ୟ କରିଵା ପାଇଁ ଜଣାଶୁଣା।

ଏହାର ପତ୍ରଗୁଡ଼ିକ ଗହମ ଅପେକ୍ଷା ଲମ୍ବା ଏଵଂ ଏହାର ଦାନାଗୁଡ଼ିକ ଛୋଟ ଓ ଗାଢ଼ ରଙ୍ଗର ହୋଇଥାଏ ‌। ଏହା -30°C ପର୍ଯ୍ୟନ୍ତ ତାପମାତ୍ରା ଏଵଂ ଅମ୍ଳୀୟ ମାଟିକୁ ସହ୍ୟ କରିପାରେ । ଏହାର ଚେରଗୁଡ଼ିକ ବହୁତ ଗଭୀର ଭାବେ ଵିସ୍ତାରିତ ହୋଇଥାଏ, ଯାହା ଏହାକୁ ମୃତ୍ତିକା ସଂରକ୍ଷଣ ପାଇଁ ଉତ୍କୃଷ୍ଟ କରିଥାଏ । ଐତିହାସିକ ଭାବେ, ଯେଉଁ ଅଞ୍ଚଳରେ ଗହମ ଭଲ ଭାବେ ହେଉନଥିଲା, ସେହି ଶକ୍ତ ମାଟିରେ rye ଏକ ଗୁରୁତ୍ୱପୂର୍ଣ୍ଣ ଶସ୍ୟ ହୋଇ ରହିଥିଲା। ଏହା Russian rye bread (ଯାହାକୁ "black bread" କୁହାଯାଏ) ଏଵଂ Polish rye whiskey ଭଳି ପାରମ୍ପରିକ ଖାଦ୍ୟର ମୁଖ୍ୟ ଆଧାର। ଏହାର ଅଧିକ fiber ଓ protein ଯୋଗୁଁ ଏହାକୁ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ବୋଲି ମନେ କରାଯାଏ।

Rye ପ୍ରଥମେ ସପ୍ତଦଶ ଶତାବ୍ଦୀର ଆରମ୍ଭରେ ଆମେରିକାକୁ ୟୁରୋପୀୟମାନଙ୍କ ଦ୍ଵାରା ଆସିଥିଲା। Dutch ଲୋକମାନଙ୍କ ଦ୍ବାରା ୧୬୨୫ ଅଗଷ୍ଟ ମାସରେ Manhattan Island (New Amsterdam)ରେ ପ୍ରଥମ American-grown rye ଅମଳ କରାଯାଇଥିଲା। ଏହି ଶସ୍ୟ Lynn, Massachusetts (1633) ଓ Jamestown, Virginia (1628)ରେ ମଧ୍ୟ ଚାଷ କରାଗଲା। Rye ମୁଖ୍ୟତଃ "ଅମ୍ଳୀୟ ବାଲୁକାମୟ ହିମନଦୀୟ ମାଟି" ଵା acidic sandy glacial soils ପାଇଁ ଉପଯୁକ୍ତ ଥିଲା, ଯାହା ଆମେରିକୀୟ ପୂର୍ଵ ଉପକୂଳର ଅନେକ ଅଞ୍ଚଳରେ ଦେଖିଵାକୁ ମିଳେ। ଏହା ଶୀତ ଋତୁରେ ବହୁତ ଭଲ ଭାବରେ ବଢ଼େ ଏଵଂ ରୋଗ ପ୍ରତିରୋଧକ ଶକ୍ତି ରଖୁଥିଵାରୁ ଏହା ଏକ ଭଲ ଶୀତକାଳୀନ ଫସଲ ଥିଲା । ଅଵଶ୍ୟ ଆଧୁନିକତାର ଚାପରେ ପଡ଼ି ୧୯୫୦ ଦଶକରୁ ଆମେରିକାରେ ryeର ଵ୍ୟଵହାର ବହୁତ କମିଯାଇଛି। ଯଦିଓ rye କେବେ ବି ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ ଵିଶେଷ କରି ଉତ୍ତର ଓ ପୂର୍ଵ ୟୁରୋପରେ ଏହା ଏକ ମୁଖ୍ୟ ଖାଦ୍ୟ ଭାବରେ ଆଜି ବି ଚାଷ କରାଯାଉଛି, କିନ୍ତୁ ଆମେରକୀୟ ଚାଷକ୍ଷେତ୍ରରେ ଓ ରୋଷେଇ ଘରେ ଏହାର ଵ୍ୟଵହାର ବହୁତ କମିଯାଇଛି । 
Salem Witch Trials ସମୟରେ, rye ପ୍ରକୃତରେ Massachusetts Bay Colonyର ଅନେକ ଗୋରା ଲୋକଙ୍କ ପାଇଁ ଏକ ମୁଖ୍ୟ ଶସ୍ୟ ଥିଲା, କିନ୍ତୁ ଏହା ସେମାନଙ୍କର ଏକମାତ୍ର ଵା ସବୁଠାରୁ ଭଲ ଵିକଳ୍ପ ନଥିଲା।

Rye ଥିଲା Massachusetts Bay Colonyର ଏକ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଶସ୍ୟ ଵିଶେଷ କରି ସେହି ଗୋରା ଵସତିଵାସୀଙ୍କ ପାଇଁ ଯେଉଁମାନେ ଗହମ କିଣିଵା ପାଇଁ ସକ୍ଷମ ନଥିଲେ। Purdueର ଗଵେଷଣା ଅନୁଯାୟୀ, rye "ଗହମ ଅପେକ୍ଷା ଏକ ଶସ୍ତା ଶସ୍ୟ ଥିଲା ଏବଂ ergot ଭଳି ରୋଗ ଦ୍ୱାରା ଏହା କମ୍ ପ୍ରଭାଵିତ ହେଉଥିଲା," ଯାହା ଏହାକୁ ସୀମିତ ଆର୍ଥିକ ସମ୍ବଳ ଥିଵା ସମୁଦାୟଗୁଡ଼ିକ ପାଇଁ ଏକ ସୁଲଭ ବିକଳ୍ପ ଭାବରେ ଗଢ଼ି ତୋଳିଥିଲା । 
Salemର ସାମାଜିକ ଓ ଅର୍ଥନୈତିକ ସଂରଚନା ଏହି ଶସ୍ୟ ଵ୍ୟଵହାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପ୍ରଦାନ କରେ। Salem Town, ଯେଉଁଠି ଧନୀ ଵ୍ୟଵସାୟୀ ଏଵଂ ବନ୍ଦର ସହରର ଲୋକ ରହୁଥିଲେ, ସେଠାରେ ଲୋକମାନେ ଗହମ ଭଳି ଭଲ ଶସ୍ୟ କିଣିଵାକୁ ସକ୍ଷମ ଥିଲେ। କିନ୍ତୁ, Salem Village - ଯାହା ଏକ "ଦରିଦ୍ର, ଗ୍ରାମାଞ୍ଚଳ କୃଷି କ୍ଷେତ୍ର" ଥିଲା ଏଵଂ "ଅଧିକାଂଶ ଚାଷୀ ଓ ସେଵକ" ମାନେ ରହୁଥିଲେ - ସେଠାରେ ଖାଦ୍ୟର ମୁଖ୍ୟ ଉତ୍ସ rye ଥିଲା ‌। ଅର୍ଥାତ୍ Salem Villageର ଗରିବ ଗୋରା ବସତିଵାସୀମାନେ ସେମାନଙ୍କର "କେଵଳ rye କିଣିଵା" କ୍ଷମତା ଯୋଗୁଁ , ସେମାନଙ୍କ ଖାଦ୍ୟର ମୁଖ୍ୟ ଅଂଶ ଭାବରେ rye ଵ୍ୟଵହାର କରୁଥିଲେ।

ଏହା କେଵଳ ଖାଦ୍ୟର ଏକ ଉତ୍ସ ନଥିଲା ଵରଂ ବସତିଵାସୀଙ୍କ ଵିଭିନ୍ନ ଅର୍ଥନୈତିକ ଶ୍ରେଣୀ ମଧ୍ୟରେ ଥିଵା ସାମାଜିକ ଓ ଆର୍ଥିକ ଅସମାନତାର ଏକ ସୂଚକ ଥିଲା। ଏହି ଦରିଦ୍ର ସମୁଦାୟଗୁଡ଼ିକ ଦ୍ୱାରା ଅଧିକ rye ଵ୍ୟଵହାରକୁ ଐତିହାସିକ ଭାବେ "ଈଶ୍ୱର ଗରିବ ଶ୍ରେଣୀକୁ ଦଣ୍ଡ ଦେଉଛନ୍ତି" ବୋଲି ଵ୍ୟାଖ୍ୟା କରାଯାଇଥିଲା । 

Salem Townର ଧନୀ ଗହମ ଵ୍ୟଵହାରକାରୀ ଏଵଂ Salem Villageର rye ଶସ୍ୟ ଉପରେ ନିର୍ଭରଶୀଳ ଲୋକଙ୍କ ମଧ୍ୟରେ ଥିଵା ଏହି ଅର୍ଥନୈତିକ ପାର୍ଥକ୍ୟ, ergot theory ଭଳି ଵ୍ୟାଖ୍ୟାଗୁଡ଼ିକ ସହିତ ସମାନ ଅଟେ, ଯାହା ଦର୍ଶାଏ ଯେ କିପରି ଖାଦ୍ୟ ଶସ୍ୟ Salem Witch Trials ସମୟରେ ସାମାଜିକ ଉତ୍ତେଜନା ଓ ମାନସିକ ଚାପ ସହିତ ଜଡ଼ିତ ହୋଇଥାଇପାରେ। ଅଵଶ୍ୟ ergot theoryକୁ କେତେକ ଗଵେଷକ ଗ୍ରହଣ କରନ୍ତି ନାହିଁ । 

Ergot fungus ଵା କବକ ଥିଵା ଶସ୍ୟ ଯଦି ଗାଁର ଖାଦ୍ୟରେ ଥାନ୍ତା, ତେବେ ଗାଁର ଅନେକ ଲୋକ ଏକେ ପ୍ରକାର ଲକ୍ଷଣ ଦେଖାଇଵା ଉଚିତ୍ ଥିଲା।
କିନ୍ତୁ Salem Witch Trials ସମୟରେ ଲକ୍ଷଣ ମୁଖ୍ୟତଃ କେଵଳ କିଛି ଝିଅଙ୍କ ମଧ୍ୟରେ ଦେଖାଯାଇଥିଲା। ଗାଁର ଅନ୍ୟ ଲୋକମାନେ ସେହିପରି ଲକ୍ଷଣ ଦେଖାଇନଥିଲେ। ଏହା ergot poisoning ସହ ସମ୍ପୂର୍ଣ୍ଣ ମେଳ ଖାଉନାହିଁ।

Ergot poisoning ସାଧାରଣତଃ ଦୁଇ ପ୍ରକାର । 
Convulsive ergotism (ଝଟକା, ଭ୍ରମ) ଓ 
Gangrenous ergotism (ହାତ-ପାଦ ସ୍ଥିର ନରହିଵା ) । 

ଐତିହାସିକ ରେକର୍ଡରେ Salemର ଲୋକମାନଙ୍କ ମଧ୍ୟରେ gangrene, ଅଙ୍ଗ ଶୁଷ୍କ ହେଵା ଵା ଶରୀର କଳା ହେଵା ଭଳି ଲକ୍ଷଣ ମିଳେନାହିଁ। ତେଣୁ ଅନେକ ଗଵେଷକ କହନ୍ତି ଯେ ergot poisoning ହେଲେ ଏହି ଲକ୍ଷଣ ମଧ୍ୟ ଦେଖାଯିଵା ଉଚିତ୍ ଥିଲା।

Ergot poisoning ସାଧାରଣତଃ ଖାଦ୍ୟ ଖାଇଲା ପରେ ନିୟମିତ ଭାବେ ହୁଏ। କିନ୍ତୁ Salemର ରେକର୍ଡ ଅନୁସାରେ ଝିଅମାନଙ୍କର ଲକ୍ଷଣ କେବେ ଆସୁଥିଲା କେବେ ହଠାତ୍ ଥମିଯାଉଥିଲା ।‌ ପୁଣି କେବେ ନୂଆ ଅଭିଯୋଗ ଆସିଲେ ଆଉଥରେ ଆରମ୍ଭ ହୋଇଯାଉଥିଲା ତେଣୁ ଏହା ବହୁତ ସମ୍ଭଵ ମନୋଵୃତ୍ତିକ ଅଥଵା ସାମାଜିକ ପ୍ରତିକ୍ରିୟା ଭଳି ହୃଦବୋଧ ହୁଏ ।

Ergot fungus ସାଧାରଣତଃ ଗରମ ଓ ଆର୍ଦ୍ର ସମୟରେ ବଢ଼େ। କିନ୍ତୁ Salemର ପ୍ରଥମ ଲକ୍ଷଣ ଶୀତକାଳ (February 1692)ରେ ଦେଖାଯାଇଥିଲା। ଏହା ମଧ୍ୟ ergot theory ପାଇଁ ଏକ ସନ୍ଦେହ ସାଵ୍ୟସ୍ତ ହୋଇଅଛି ।

ଅନେକ ଅଭିଯୋଗ ସଚେତନ ଭାବେ କରାଯାଇଥିଵା ସମ୍ଭାଵନା ଅଧୀକ । ଝିଅମାନେ ହୁଏତ ଧ୍ୟାନ ଆକର୍ଷଣ କରିଵାକୁ ଏଭଳି କରିଥାଇପାରନ୍ତି । ତାପରେ ସୁଯୋଗ ଦେଖି 
କିଛି ଲୋକ ଵ୍ୟକ୍ତିଗତ ଶତ୍ରୁତା ଯୋଗୁଁ ଆଉ 
କିଛି ଲୋକ ସମ୍ପତ୍ତି ଦଖଲ କରିଵା ପାଇଁ
ଅଭିଯୋଗ କରିଥିଲେ। 

ଐତିହାସିକ ଓ ଗଵେଷକମାନେ ତେଣୁ Salem Witch Trials ଘଟଣାର ସାମାଜିକ-ରାଜନୈତିକ ମୂଳ କାରଣ ମଧ୍ୟ ଖୋଜିଵାକୁ ଚେଷ୍ଟା କରିଛନ୍ତି । ମୁଖ୍ୟ ସଂଘର୍ଷ ଥିଲା ପାରମ୍ପରିକ ପ୍ୟୁରିଟାନ ଜୀଵନଶୈଳୀ (ଧର୍ମପରାୟଣତା ଓ ସରଳ ଚାଷୀ ଜୀଵନ) ବନାମ ଦ୍ରୁତ ଗତିରେ ବଢ଼ୁଥିଵା ପୁଞ୍ଜିଵାଦୀ ଵ୍ୟଵସାୟିକ ଚିନ୍ତାଧାରା ମଧ୍ୟରେ। ଐତିହାସିକ ପଲ୍ ବଏର୍ ଓ ଷ୍ଟିଫେନ୍ ନିସେନବମ୍‌ଙ୍କର ବହି Salem Possessedରେ ଦର୍ଶାଇଛନ୍ତି ଯେ ଅଧିକାଂଶ ଅଭିଯୋଗକାରୀ ପୁଟନମ୍ ଗୋଷ୍ଠୀର ଥିଲେ ଯେଉଁମାନେ କୃଷି କରୁଥିଲେ। କିନ୍ତୁ ଅଧିକାଂଶ ଅଭିଯୁକ୍ତ ପୋର୍ଟର ଗୋଷ୍ଠୀର ଥିଲେ ଯେଉଁମାନେ ଵ୍ୟଵସାୟ କରୁଥିଲେ। ଏହା ଏକ ଗଭୀର ଅର୍ଥନୈତିକ ଓ ସାଂସ୍କୃତିକ ସଂଘର୍ଷର ପ୍ରତିଫଳନ ଥିଲା, ଯାହା "ଡାହାଣୀ" ଅଭିଯୋଗ ମାଧ୍ୟମରେ ସାମ୍ନାକୁ ଆସିଥିଲା।

ଏହି ଵିଚାରଗୁଡ଼ିକ ସେତେବେଳେ ହୋଇଥିଲା ଯେତେବେଳେ ଔପନିବେଶିକ ଚାର୍ଟର ସାମୟିକ ଭାବେ ବନ୍ଦ ଥିଲା ଏଵଂ ଇଂଲଣ୍ଡ ଓ ଔପନିବେଶିକ ଅଞ୍ଚଳ ମଧ୍ୟରେ ରାଜନୈତିକ ଓ ଧାର୍ମିକ ତିକ୍ତତା ଥିଲା। ୧୬୯୨ ମସିହାରେ ସେଲମ୍ ଵିଲେଜ୍‌ରେ କୌଣସି ସ୍ପଷ୍ଟ ରାଜନୈତିକ ନେତୃତ୍ୱ ନଥିଲା। ଗ୍ରାମର ନୂତନ ପାଳକ ସାମୁଏଲ୍ ପ୍ୟାରିସ୍‌ଙ୍କ ଅନୁଗାମୀ ଓ ଵିରୋଧୀଙ୍କ ମଧ୍ୟରେ ଵିଵାଦ ଥିଲା।
୧୬୮୯ ମସିହାରେ ମାସାଚୁସେଟ୍ସର ପୁରୁଣା ଚାର୍ଟର ରଦ୍ଦ ହୋଇଯାଇଥିଲା। ଦୁଇ ଵର୍ଷ ଧରି ସେଠାରେ କୌଣସି ସରକାରୀ ନିୟନ୍ତ୍ରଣ ନଥିଲା। ଏହି ଆଇନଶୂନ୍ୟତା ମଧ୍ୟରେ ସ୍ୱତନ୍ତ୍ର ଅଦାଲତଗୁଡ଼ିକ "spectral evidence" ଵା ସ୍ୱପ୍ନ ଓ ଦର୍ଶନକୁ ଆଧାର କରି ନିଷ୍ପତ୍ତି ନେଉଥିଲେ। 

ସେଲ୍‌ମ ଵିଲେଜ୍‌ର କଠୋର ଵାସ୍ତଵତା ମଧ୍ୟରେ ଥିଲା 1689 ମସିହାର King Philip's Warର ପ୍ରଭାଵ, ଯାହା Salem Witch Trials ଘଟଣା ସମୟରେ ଚାଲିଥିଲା। 

Wabanaki Confederacyର ଯୋଦ୍ଧାମାନେ ଓ ଫରାସୀ ସୈନ୍ୟମାନେ ସେ ସମୟରେ Maine, New Hampshire ଓ ଉତ୍ତର Massachusetts ଅଞ୍ଚଳରେ ବ୍ରିଟିଶ୍ ଔପନିବେଶିକମାନଙ୍କ ଗ୍ରାମ ଓ ସୀମାନ୍ତ ବସତିଗୁଡ଼ିକୁ ଆକ୍ରମଣ କରୁଥିଲେ। ଏହି ଆକ୍ରମଣ ଯୋଗୁଁ ଅନେକ ପରିଵାର ନିଜ ପ୍ରିୟଜନଙ୍କୁ ହରାଇଲେ, ଅନେକ ଘରବାଡ଼ି ଧ୍ୱଂସ ହେଲା ଏଵଂ ଅନେକ ଲୋକ ଭୟଭୀତ ଅଵସ୍ଥାରେ ଅନ୍ୟ ସୁରକ୍ଷିତ ଗ୍ରାମକୁ ପଳାଇ ଆସିଲେ।

ଏହି ପରିସ୍ଥିତି ସମାଜରେ ଏକ ସାମୂହିକ ଆଘାତ ଓ ଅସ୍ଥିରତା ସୃଷ୍ଟି କରିଥିଲା। ଲୋକମାନଙ୍କ ମନରେ ପୂର୍ଵରୁ ଭୟ, ଅନିଶ୍ଚିତତା ଓ ଆତଙ୍କ ବସା ବାନ୍ଧିଥିଲା। ଏହିପରି ଦୁର୍ଵଳ ମାନସିକ ପରିଵେଶରେ ଯେତେବେଳେ Salem Witch Trials ସମୟରେ “ଡାହାଣୀ” ଅଭିଯୋଗର କଥା ଉଠିଲା, ସେହି ଭୟ ଓ ଅସ୍ଥିରତା ତାହାକୁ ଆହୁରି ତୀଵ୍ର କରିଦେଲା। ଫଳସ୍ୱରୂପ, ସମାଜର ଏହି ଦୁର୍ଵଳ ମାନସିକ ଅଵସ୍ଥା Witch ଅଭିଯୋଗର ଵିଶୃଙ୍ଖଳାକୁ ଅତିଶୟ ଉତ୍ତେଜିତ କରିଦେଲା।

Salem Witch Trialsଗୁଡ଼ିକ ୟୁରୋପର ପଞ୍ଚଦଶରୁ ସପ୍ତଦଶ ଶତାବ୍ଦୀ ମଧ୍ୟରେ ଚାଲିଥିଵା Witch Hunts ପରମ୍ପରାର ଶେଷ ସମୟ ଥିଲା। ଇଂରେଜ ଔପନିଵେଶିକମାନେ Witch ସମ୍ବନ୍ଧୀୟ ଵିଚାରଧାରାକୁ ନିଜ ସହିତ ଆମେରିକାକୁ ନେଇ ଆସିଥିଲେ। Salem Witch Trials ପୂର୍ଵରୁ ମଧ୍ୟ ନିଉ ଇଂଲଣ୍ଡର ଅନ୍ୟ ଅଞ୍ଚଳଗୁଡ଼ିକରେ ଅନେକ ଲୋକଙ୍କ ଉପରେ Witch ହେଵାର ଅଭିଯୋଗ ଆସିଥିଲା।

Devil ଵା ସଇତାନ କିଛି ଲୋକଙ୍କୁ "Witch" କରି ଅନ୍ୟମାନଙ୍କୁ କଷ୍ଟ ଦେଵାର ଶକ୍ତି ଦିଏ - ଏହା ଚତୁର୍ଦ୍ଦଶ ଶତାବ୍ଦୀରୁ ୟୁରୋପରେ ଆରମ୍ଭ ହୋଇଥିଲା ଏଵଂ ନିଉ ଇଂଲଣ୍ଡର ଉପନିଵେଶଗୁଡ଼ିକରେ ଵ୍ୟାପକ ଭାବେ ଵ୍ୟାପିଥିଲା। 
ସେହି ଵିଚାରଧାରା ପରେ ଆମେରିକୀୟ ଉପନିଵେଶଗୁଡ଼ିକରେ ୟୁରୋପୀୟ ଲୋକେ ପ୍ରଚାର କଲେ । 

ଆମେରିକାରେ ଥିଵା ନ୍ୟୁ ଇଂଲ୍ୟାଣ୍ଡ ଉପନିଵେଶର ପ୍ୟୁରିଟାନ୍ ସମାଜ ଭାବୁଥିଲା ଯେ ପୃଥିଵୀରେ ଭଲ ଓ ମନ୍ଦ ଶକ୍ତିର ନିରନ୍ତର ସଂଘର୍ଷ ଚାଲିଛି। ସେମାନଙ୍କ ଵିଶ୍ୱାସ ଅନୁସାରେ Godଙ୍କ ସହିତ Devil ମଧ୍ୟ ମଣିଷମାନଙ୍କ ଜୀଵନରେ ହସ୍ତକ୍ଷେପ କରିଥାଏ। ଏହି ଧାରଣା ସେ ସମୟର ଧର୍ମପ୍ରଚାରକ ଓ ଲେଖକମାନଙ୍କ ଲେଖା ଓ ଉପଦେଶ ମାଧ୍ୟମରେ ସମାଜରେ ଆଉ ଶକ୍ତିଶାଳୀ ହୋଇଥିଲା।

ଏହି ପ୍ରଭାଵଶାଳୀ ଧର୍ମଗୁରୁମାନଙ୍କ ମଧ୍ୟରୁ ଜଣେ ଥିଲେ Cotton Mather। ସେ ନ୍ୟୁ ଇଂଲ୍ୟାଣ୍ଡର ଜଣେ ପ୍ରସିଦ୍ଧ ପ୍ୟୁରିଟାନ୍ ପାଦ୍ରୀ ଓ ଲେଖକ ଥିଲେ। ସେ ଅନେକ ଧାର୍ମିକ ପୁସ୍ତକ ଓ ଲେଖା ରଚନା କରିଥିଲେ, ଯେଉଁଥିରେ ସେ Devil ଵା ସଇତାନର ଅସ୍ତିତ୍ୱ ଓ Witch ତଥା ପିଶାଚମାନଙ୍କ କାର୍ଯ୍ୟକଳାପକୁ ଵାସ୍ତଵ ଘଟଣା ଭାବରେ ଵର୍ଣ୍ଣନା କରୁଥିଲେ। ତାଙ୍କ ଲେଖାରେ ଏହି ଧାରଣା ଦେଖାଯାଏ ଯେ କିଛି ଲୋକ ସଇତାନ ଵା Devil ସହ ଚୁକ୍ତି କରି ଅତିପ୍ରାକୃତିକ ଶକ୍ତି ପାଇଥାନ୍ତି ଏଵଂ ସେମାନେ ଅନ୍ୟ ଲୋକଙ୍କୁ କ୍ଷତି କରିପାରନ୍ତି।

ଏପରି ଲେଖା ଓ ଧାର୍ମିକ ଉପଦେଶର ପ୍ରଭାବରେ ସମାଜର ସାଧାରଣ ଲୋକମାନଙ୍କ ମନରେ ଏକ ପ୍ରକାରର ଭୟ ଓ ସନ୍ଦେହର ପରିଵେଶ ଗଢ଼ିଉଠିଲା। ଯଦି କାହାର ହଠାତ୍ ରୋଗ ହେଉଥିଲା, ଅଜଣା ଭାବରେ ଶରୀର ଯନ୍ତ୍ରଣା ହେଉଥିଲା ଵା ମହାମାରୀ ଵ୍ୟାପୁଥିଲା, ପଶୁମାନେ ମରିଯାଉଥିଲେ କିମ୍ବା ଫସଲ ନଷ୍ଟ ହେଉଥିଲା, ତେବେ ଲୋକମାନେ ସେଥିର ପ୍ରାକୃତିକ କିମ୍ବା ଵୈଜ୍ଞାନିକ କାରଣ ନଖୋଜି ବହୁତ ସମୟରେ ପିଶାଚର କାର୍ଯ୍ୟକଳାପ କିମ୍ବା “witchର ପ୍ରଭାବ” ବୋଲି ଭାବୁଥିଲେ। କାରଣ ସେମାନେ ଆଗରୁ ଧାର୍ମିକ ଶିକ୍ଷାରେ ଏହି କଥା ଶୁଣିଥିଲେ ଯେ Devil ମଣିଷମାନଙ୍କ ମଧ୍ୟରେ ପିଶାଚ ଓ ଡାହାଣୀମାନଙ୍କ ମାଧ୍ୟମରେ କାମ କରିଥାଏ।

ଏହିପରି ଭୟ, ଖିରସ୍ତାନୀ ଅନ୍ଧଵିଶ୍ୱାସ ଓ ସାମାଜିକ ସନ୍ଦେହ ମିଶି ଏକ ଏମିତି ପରିସ୍ଥିତି ସୃଷ୍ଟି କଲା ଯେ ଅନେକ ଲୋକ ଅନ୍ୟମାନଙ୍କ ଉପରେ ପିଶାଚ ଓ Witch ଵା Witch ହେଵାର ଅଭିଯୋଗ କରିଵାକୁ ଲାଗିଲେ। ଶେଷରେ ଏହା ଆମେରିକାର ଇତିହାସରେ ପ୍ରସିଦ୍ଧ ଓ ଦୁଃଖଦ ଘଟଣା ଭାବରେ ପରିଚିତ Salem Witch Trialsକୁ ଜନ୍ମ ଦେଲା। ଏହି ଅଭିଯୋଗ ଓ ଭୟର ପରିଣାମରେ ଅନେକ ନିର୍ଦୋଷ ଲୋକଙ୍କୁ ଗିରଫ କରାଗଲା, ଆଦାଲତରେ ଚାଲାଣ ହେଲା ଏଵଂ କିଛି ଲୋକଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ ଦିଆଗଲା।
ସାମୁଏଲ୍ ପ୍ୟାରିସ୍‌ଙ୍କ ଦାସୀ ଟିଟୁବା(Tituba) ନିଜ ସ୍ୱାମୀ ଜନ୍ ଏଵଂ ପଡ଼ୋଶୀ ମେରୀ ସିବଲଙ୍କ ସହିତ ମିଶି Rye ଅଟା ଏଵଂ "ପୀଡ଼ିତା" ଝିଅମାନଙ୍କ ପରିସ୍ରା ଦ୍ୱାରା ଏକ "witch Cake" ତିଆରି କରିଥିଲେ ଏଵଂ ତାକୁ ଏକ କୁକୁରକୁ ଖୁଆଇଥିଲେ, ଯାହାଫଳରେ ଝିଅମାନଙ୍କ ଉପରେ କିଏ Witch ପ୍ରଭାବ ପକାଉଛି ତାହା ଜଣାପଡ଼ିପାରିଵ। 

ଟିଟୁବା ଗିରଫ ହେଲେ ଏଵଂ ତାଙ୍କ ଉପରେ ପ୍ରବଳ ଚାପ ପ୍ରୟୋଗ କରାଗଲା। ତାଙ୍କର ଯେଉଁ ସ୍ୱୀକାରୋକ୍ତି ସାମ୍ନାକୁ ଆସିଲା, ତାହା ସମ୍ପୂର୍ଣ୍ଣ ପରିସ୍ଥିତିକୁ ବଦଳାଇ ଦେଲା। ସେ କେଵଳ ନିଜ ଉପରେ ଥିବା ଅଭିଯୋଗ ସ୍ୱୀକାର କଲେ ନାହିଁ, ଵରଂ ଅନ୍ୟ ଅନେକ ଲୋକଙ୍କ ନାମ ମଧ୍ୟ କହିଲେ। ଟିଟୁବାଙ୍କ ଏହି ସ୍ୱୀକାରୋକ୍ତି - ଯେଉଁଥିରେ ସେ କହିଲେ ଯେ ସେ ସଇତାନ ପାଇଁ କାମ କରୁଛନ୍ତି - ବୋଧହୁଏ ସମ୍ପୂର୍ଣ୍ଣ ଘଟଣାକୁ ଏକ ଭିନ୍ନ ଦିଗକୁ ନେଇଗଲା। ଯାହା ଏକ ଛୋଟ ଘଟଣା ଭାବେ ଆରମ୍ଭ ହୋଇଥିଲା, ତାହା ଏକ ମହାମାରୀ ରୂପ ନେଇଗଲା।

ତେବେ ଯଦି "ସ୍ପେକ୍ଟ୍ରାଲ୍ ଏଭିଡେନ୍ସ" ଭଳି କାନୁନ୍ ଏଵଂ ଆଇନଗତ ଵିଫଳତା ନଥାନ୍ତା ତେବେ କେବେହେଲେ ବି Salam witch trial ହୋଇନଥାନ୍ତା । ଏହି ଵିଚାରଗୁଡ଼ିକର ଵିଶୃଙ୍ଖଳିତ ପ୍ରକୃତି ଆମେରିକୀୟ ନ୍ୟାୟିକ ପ୍ରକ୍ରିୟାରେ ଅନେକ ପରିଵର୍ତ୍ତନ ଆଣିଲା, ଯେଉଁଥିରେ ଓକିଲ ପାଇଵାର ଅଧିକାର, ଅଭିଯୋଗକାରୀଙ୍କଠାରୁ ପ୍ରଶ୍ନ କରିଵାର ଅଧିକାର ଏଵଂ "ଦୋଷୀ ସାବ୍ୟସ୍ତ ନହେଵା ପର୍ଯ୍ୟନ୍ତ ନିର୍ଦ୍ଦୋଷ" ନୀତି ଅନ୍ତର୍ଭୁକ୍ତ ଥିଲା। 

ସ୍ୱପ୍ନ ଏଵଂ ଦର୍ଶନକୁ ପ୍ରମାଣ ଭାବେ ଗ୍ରହଣ କରିଵା ମୂଳତଃ ଏକ ତ୍ରୁଟିପୂର୍ଣ୍ଣ ଵ୍ୟଵସ୍ଥା ଥିଲା। ଯେତେବେଳେ ଜଣେ କହିପାରିଵ ଯେ ସେ "କାହାର ଆତ୍ମାକୁ" ନିଜ ସ୍ୱପ୍ନରେ କଷ୍ଟ ଦେଉଥିଵାର ଦେଖିଛି, ଏଵଂ ଏହାକୁ ଅଦାଲତରେ ପ୍ରମାଣ ଭାବେ ଗ୍ରହଣ କରାଯିଵ - ତେବେ ନ୍ୟାୟ ଅସମ୍ଭଵ ହୋଇଯାଏ। 

ପୁଣି ଆଧୁନିକ ଗଵେଷକମାନେ ଵିଶ୍ୱାସ କରନ୍ତି ଯେ ପୀଡ଼ିତମାନେ Mass Conversion Disorderର ଶିକାର ଥିଲେ - ଯାହାକୁ ସାମୂହିକ ମାନସିକ ରୋଗ କିମ୍ବା ସାମୂହିକ ହିଷ୍ଟେରିଆ କୁହାଯାଏ ।ଯେତେବେଳେ କୌଣସି ଗୋଷ୍ଠୀରେ ରୋଗର ଲକ୍ଷଣ ଶୀଘ୍ର ଵ୍ୟାପିଥାଏ, ଯାହାର କୌଣସି ଜୈଵିକ କାରଣ ନଥାଏ, ତାହା ଏହି କାରଣରୁ ହୋଇଥାଏ। 

ଯେତେବେଳେ ଏକ ସମାଜରେ ଭୟ, ଅନ୍ଧଵିଶ୍ୱାସ ଏଵଂ ପରସ୍ପର ପ୍ରତି ଅବିଶ୍ୱାସ ଏକାଠି ଥାଏ ଏଵଂ ଯେତେବେଳେ ଜଣେ ଝିଅର ଲକ୍ଷଣ ଦେଖି ଅନ୍ୟ ଜଣକର ସମାନ ଲକ୍ଷଣ ଦେଖାଯାଏ ସେତେବେଳେ ଏହି ମାନସିକ ସଂକ୍ରମଣ ସତ୍ୟ ଭଳି ଅନୁଭଵ ହୁଏ। କୌଣସି ଗୋଟିଏ ଵ୍ୟାଖ୍ୟା କେବେ ବି ଏହି ଭ୍ରମର ସମ୍ପୂର୍ଣ୍ଣ ହିସାବ ଦେଇପାରିଵ ନାହିଁ। 

କିନ୍ତୁ ପ୍ରଶ୍ନ ଉଠେ ଏମିତି କ’ଣ ହେଲା ଯେ ୟୁରୋପ ଓ ଆମେରିକାରେ ପଞ୍ଚଦଶରୁ ଅଷ୍ଟାଦଶ ଶତାବ୍ଦୀ ମଧ୍ୟରେ ଅନେକ Witch Hunt ହୋଇଥିଲା ଏଵଂ ମହିଳାମାନେ ହିଁ କାହିଁକି ଏହାର ସର୍ଵାଧିକ ଶିକାର ହୋଇଥିଲେ ?

ଐତିହାସିକ ଓ ଵୈଜ୍ଞାନିକମାନେ କୁହନ୍ତି ଏହାର ଏକ କାରଣ Little Ice Age ହୋଇଥାଇପାରେ ଯାହା ୧୩୦୦ରୁ ୧୮୫୦ ମଧ୍ୟରେ ଦେଖାଯାଇଥିଲା । ଏହି ସମୟକାଳ ମଧ୍ୟରେ ପୃଥିଵୀର ଅନେକ ଅଞ୍ଚଳ ସାଧାରଣ ତୁଳନାରେ ଅଧିକ ଥଣ୍ଡା ହୋଇଥିଲା। 

ଏହି Little Ice Age ଏକ ଛୋଟ ଶୀତଯୁଗ ନୁହେଁ, ଵରଂ ଏକ ଦୀର୍ଘ ଥଣ୍ଡା ଜଳବାୟୁ ଅଵଧି ଥିଲା।ଉତ୍ତର ଗୋଲାର୍ଦ୍ଧର ତାପମାତ୍ରା କମିଗଲା । ଗ୍ଲେସିଅର୍ ବଢ଼ିଗଲା । ବହୁତ ଦେଶରେ ଶୀତକାଳ ବହୁତ କଠିନ ହୋଇଗଲା । ସାଧାରଣତଃ ତାପମାତ୍ରା ପ୍ରାୟ 0.6°C ପର୍ଯ୍ୟନ୍ତ କମିଥିଲା। 

Little Ice Age ସମୟରେ ଵିଶ୍ୱର ଅନେକ ଅଞ୍ଚଳରେ ବଡ଼ ପରିଵର୍ତ୍ତନ ଦେଖାଗଲା। ଶୀତକାଳ ବହୁତ ଲମ୍ବା ଓ ଥଣ୍ଡା ହୋଇଥିଲା । ଗ୍ରୀଷ୍ମ ଋତୁ ମଧ୍ୟ କମ୍ ଉଷ୍ମ ଓ ଥଣ୍ଡା ଥିଲା। ବହୁତ ସ୍ଥାନରେ ବରଫ ଓ ଝଡ଼ ବଢ଼ିଗଲା । ଫସଲ ନଷ୍ଟ ହେଉଥିଲା । ଭାରତ ଭଳି ଉଷ୍ମପ୍ରଧାନ ଦେଶରେ ଵର୍ଷା କମ୍ ହେଲା, ଦୁର୍ଭିକ୍ଷ ଓ ମହାମାରୀ ଵ୍ୟାପିଲା । ପ୍ରାୟ ସର୍ଵତ୍ର ଖାଦ୍ୟ ଅଭାଵ ବଢ଼ିଥିଲା । ଆଲ୍ପସ୍ ପାହାଡ଼ର ଗ୍ଲେସିଅର୍ ଗାଁ ଓ ଜମିକୁ ଢାଙ୍କିଦେଇଥିଲା ।
ସମୁଦ୍ରର ବରଫ ବଢ଼ିଗଲା । ଭାରତ ଓ ଚୀନ ଭଳି ଦେଶର କେତେକ ସ୍ଥାନରେ ଦୀର୍ଘ ଖରା ମଧ୍ୟ ହୋଇଥିଲା । 

ଵୈଜ୍ଞାନିକମାନେ ଏହା ପଛରେ sunspot activity କମିଵା,ବଡ଼ ଆଗ୍ନେୟ ଉଦ୍ଗିରଣ, ସମୁଦ୍ରିକ ସ୍ରୋତରେ ପରିଵର୍ତ୍ତନ,ପ୍ରାକୃତିକ ଜଳଵାୟୁ ଚକ୍ରରେ ଅସନ୍ତୁଳନ ଏହାର କେତେକ ମୁଖ୍ୟ କାରଣ ଥିଲା ବୋଲି ଵିଭିନ୍ନ ପ୍ରମାଣ ଆଧାରରେ ମତ ଦିଅନ୍ତି । 

Little Ice Age ସମୟରେ ଇଉରୋପ୍ ଓ ଉତ୍ତର ଆମେରିକାର ଜଳଵାୟୁ ସାଧାରଣତଃ ଥଣ୍ଡା ହୋଇଯାଇଥିଲା। ଏହି ଦୀର୍ଘ ଥଣ୍ଡା ଅବଧି କେଵଳ ପ୍ରକୃତିକୁ ନୁହେଁ, ମାନଵସମାଜ ଓ ଲୋକମାନଙ୍କ ମନୋଭାବକୁ ମଧ୍ୟ ପ୍ରଭାଵିତ କରିଥିଲା। ଅନେକ ଐତିହାସିକ ଓ ସମାଜଶାସ୍ତ୍ରୀ କହନ୍ତି ଯେ ଏହି ଜଳଵାୟୁ ପରିଵର୍ତ୍ତନ ଏକ ପ୍ରକାର ଭୟ ଓ ଅନିଶ୍ଚିତତାର ପରିଵେଶ ସୃଷ୍ଟି କରିଥିଲା, ଯାହା Witch ଶିକାର ଵା witch hunts ବଢ଼ିଵାରେ ମଧ୍ୟ ଭୂମିକା ନେଇଥିଲା।

Little Ice Age ସମୟରେ ୟୁରୋପ ଓ ଆମେରିକାରେ ଗ୍ରୀଷ୍ମ ଋତୁ ଥଣ୍ଡା ହୋଇଯାଉଥିଲା । 
ଵର୍ଷା ଓ ବରଫ ବଢ଼ିଯାଇଥିଲା । ଶୀତକାଳ ବହୁତ କଠିନ ହୋଇଯାଇଥିଲା । ଏହାର ପରିଣାମରେ ଅନେକ ସ୍ଥାନରେ ଫସଲ ନଷ୍ଟ ହେଇଥିଲା ଓ ଖାଦ୍ୟ ଅଭାବ ଦେଖାଯାଇଥିଲା। ଯେତେବେଳେ ଲୋକମାନେ ବାରମ୍ବାର ଦୁର୍ଭିକ୍ଷ, ରୋଗ ଓ ଦୁର୍ଭାଗ୍ୟ ଦେଖୁଥିଲେ, ସେମାନେ ଏହାର କାରଣ ବୁଝିପାରୁନଥିଲେ। ସେ ସମୟରେ ଆଧୁନିକ ଵିଜ୍ଞାନ ଏତେ ଉନ୍ନତ ନଥିଲା। ଖରାପ ଜଳଵାୟୁ,ଫସଲ ନଷ୍ଟ,ହଠାତ୍ ରୋଗ ଓ ପଶୁମାନଙ୍କ ମୃତ୍ୟୁ ଆଦିର
ଵୈଜ୍ଞାନିକ କାରଣ ଲୋକମାନେ ଜାଣୁନଥିଲେ। ଅତଃ ଅନେକେ ଭାବୁଥିଲେ ଯେ Devil ବା Witchମାନେ ଏହାର ପଛରେ ଅଛନ୍ତି। ଭାରତରେ ମଧ୍ୟ ଏହି ସମୟରେ ଦୁର୍ଭିକ୍ଷ ଓ ମହାମାରୀ ବହୁତ ବଢ଼ିଵାରୁ ସମାଜରେ ଗୁଣିଗାରେଡ଼ି, ଭୂତ ପ୍ରେତ ଓ ଠାକୁରାଣୀ ରୁଷ୍ଟ ହେଵା ଯୋଗୁଁ ମହାମାରୀ ଵ୍ୟାପିଵା ଇତ୍ୟାଦି ଆନ୍ଧଵିଶ୍ଵାସ ବଢ଼ିଥିଲା । 
ତେବେ ୟୁରୋପରେ ଏହି ଭୟ ଓ ଅସୁଵିଧା ଦୀର୍ଘ ସମୟ ଚାଲିଥିଵାରୁ ଲୋକମାନଙ୍କ ମଧ୍ୟରେ ସନ୍ଦେହ ବଢ଼ିଗଲା।ଯଦି କାହାର ଫସଲ ନଷ୍ଟ ହୋଇଯାଉଥିଲା,ଘରେ ରୋଗ ହୋଇଯାଉଥିଲା,ପଶୁମାନେ ମରିଯାଉଥିଲେ
ତେବେ ସେମାନେ କାହାକୁ Witch ଵା witchର କାମ ବୋଲି ଅଭିଯୋଗ କରୁଥିଲେ ।‌
୧୬ଶତାବ୍ଦୀ ଓ ୧୭ଶତାବ୍ଦୀରେ ଇଉରୋପ୍‌ର ଅନେକ ଦେଶରେ Witch ଶିକାର ଵା Witch hunts ବହୁତ ବଢ଼ିଗଲା। ହଜାର ହଜାର ଲୋକଙ୍କୁ Witch ବୋଲି ଅଭିଯୋଗ କରାଗଲା ଓ ଅନେକଙ୍କୁ ମାରି ଦିଆଗଲା। ଈହୁଦୀ,ରୋମା ତଥା ପଠାଣ ଆଦି ଅଣଖିରସ୍ତାନୀ ଏଥିର ଶିକାର ହେଲେ । ସବୁ ସମ୍ପ୍ରଦାୟର ମହିଳାମାନେ ସର୍ଵାଧିକ କ୍ଷତିଗ୍ରସ୍ତ ହେଲେ । ଏହି ପରିସ୍ଥିତିର ପ୍ରଭାବ ଆମେରିକାରେ ମଧ୍ୟ ଦେଖାଗଲା, ଯାହା ପରେ Salem Witch Trials (୧୬୯୨) ଭଳି ଘଟଣାକୁ ଜନ୍ମ ଦେଲା।

ସେଲମ୍ ଵିଲେଜ୍‌ରେ ମଧ୍ୟ ସାମାଜିକ-ଅର୍ଥନୈତିକ ତିକ୍ତତା ଥିଲା। ଅର୍ଥନୀତିଜ୍ଞ ଏମିଲି ଓଷ୍ଟର ଗଵେଷଣା କରିଥିଲେ ଯେ ଯେତେବେଳେ ଫସଲ ନଷ୍ଟ ହୁଏ ଏଵଂ ଖାଦ୍ୟର ଅଭାବ ଦେଖାଦିଏ, ସମାଜ ଏହାର ଦୋଷ କାହାର ମୁଣ୍ଡରେ ଲଦି ଦେଵାକୁ ସୁଯୋଗ ଉଣ୍ଡୁଥାଏ ଯାହାକୁ ହିନ୍ଦୀ ଭାଷାରେ बलि का बकरा ଆଉ ଇଂରାଜୀ ଭାଷାରେ scapegoats କୁହାଯାଏ। ତେଣୁ କିଛି ଲୋକଙ୍କୁ ଏଥିପାଇଁ Witch ଆଖ୍ୟା ଦେଇ ମାରିଦିଆଗଲା । ଭାରତରେ ମଧ୍ୟ ଏହି ସମୟରେ ଖରା ବଢ଼ିଵା,ଵର୍ଷା ନହେଵା,ଦୁର୍ଭିକ୍ଷ ଓ ମହାମାରୀର ଦୋଷୀ କୋକୁଆ ନାମକ ଏକ ଅଜ୍ଞାତ ପକ୍ଷୀକୁ କରାଯାଇଥିଲା ଏଵଂ କୋକୁଆ ନାଆଁରେ ଅନେକ ଅଜଣା ପକ୍ଷୀଙ୍କୁ ମାରି ଦିଆଯାଇଥିଲା । 

ମଧ୍ୟଯୁଗୀୟ ୟୁରୋପରେ Witch ଓ ପିଶାଚ ସନ୍ଦେହ କରି ହଜାର ମହିଳା ଓ ଈହୁଦୀମାନଙ୍କ ହତ୍ୟା କରାଯାଇଥିଲା । ବିଲେଇମାନଙ୍କୁ ମଧ୍ୟ ଡାହାଣୀର ଛଦ୍ମରୂପ କିମ୍ବା Witch ସହାୟକ ଵିଚାର କରି ଅତ୍ୟା କରାଯାଉଥିଲା । ଏହି ଚିନ୍ତାଧାରା ୟୁରୋପୀୟ ଔପନିଵେଶିକମାନଙ୍କ ସହିତ ଆମେରିକା ଆସିଲା ଯାହା Salem Witch Trials (୧୬୯୨–୧୬୯୩) ସମୟରେ ଦେଖିଵାକୁ ମିଳିଥିଲା । 
କିନ୍ତୁ Salem Witch Trialsରେ ଯେତେ ଲୋକ ଅଭିଯୁକ୍ତ ହେଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଥିଲେ। ଐତିହାସିକମାନେ କହନ୍ତି ଯେ ଏହାର ପଛରେ କେଵଳ ଖିରସ୍ତାନୀ ଵିଚାର ନୁହେଁ ଵରଂ ବହୁ ପରିମାଣରେ ସାମାଜିକ ଓ ସାଂସ୍କୃତିକ କାରଣ ମଧ୍ୟ ଜଡ଼ିତ ଥିଲା।

୧୭ଶତାବ୍ଦୀର ପ୍ୟୁରିଟାନ୍ ସମାଜରେ ମହିଳାଙ୍କ ସାମାଜିକ ସ୍ଥିତି ଅତ୍ୟନ୍ତ ନିମ୍ନ ଥିଲା। ସେମାନଙ୍କୁ ସାଧାରଣତଃ ପୁରୁଷଙ୍କ ଅଧୀନ ରହିଵାକୁ ପଡୁଥିଲା । ସମ୍ପତ୍ତି ଅଧିକାର କମ୍ ଥିଲା । ସମାଜିକ ନିଷ୍ପତ୍ତିରେ ଭୂମିକା ନଥିଲା । ଏହି କାରଣରୁ ମହିଳାମାନେ ସହଜରେ ସନ୍ଦେହର ଲକ୍ଷ୍ୟ ହୋଇଯାଉଥିଲେ।

ସେ ସମୟରେ ଖିରସ୍ତାନୀ ସମାଜରେ ଵିଶ୍ୱାସ ଥିଲା ଯେ ମହିଳାମାନେ ସଇତାନଙ୍କ ପ୍ରଭାବରେ ଶୀଘ୍ର ପଡ଼ନ୍ତି । ମହିଳାମାନେ ଭାବୁକ ଓ ଦୁର୍ଵଳ । ଏହି ପ୍ରକାରର ଧାରଣା ଡାଏନ୍ ଅଭିଯୋଗକୁ ମହିଳାଙ୍କ ଉପରେ ବଢ଼ାଇଦେଲା।

ଵିଧଵା,ନିର୍ଦ୍ଧନ ମହିଳା,ସମାଜ ସହ ମିଶିନଥିଵା ମହିଳା,ଵିଵାଦ କରୁଥିଵା ମ‌ହିଳାମାନଙ୍କୁ ଅଧିକ ସନ୍ଦେହ କରାଯାଉଥିଲା। Sarah Good ଗରିବ ଭିକ୍ଷୁକୀ ଥିଲେ । Sarah Osborne ସମାଜର ପ୍ରଥା ଭଙ୍ଗ କରିଥିଲେ । Tituba ଦାସୀ ଏଵଂ ଵିଦେଶୀ ମୂଳର ଥିଲେ । ଏହି କାରଣରୁ ସେମାନେ ସହଜରେ ଅଭିଯୁକ୍ତ ହେଲେ।

କେତେକ ସମୟରେ witch ଅଭିଯୋଗ ଵ୍ୟକ୍ତିଗତ ଵିଵାଦ ସହିତ ମଧ୍ୟ ଜଡିତ ଥିଲା । ପଡ଼ୋଶୀ ସହ ଝଗଡ଼ା,ଜମି ଵିଵାଦ ଓ ପରିଵାରିକ ଶତ୍ରୁତା ଯୋଗୁଁ 
ଲୋକେ ମହିଳାଙ୍କ ଵିପକ୍ଷରେ Witch ଅଭିଯୋଗ କରୁଥିଲେ । Salem Witch Trials ସମୟରେ ଗାଁରେ ଭୟ ଓ ଗୁଜବ ଦ୍ରୁତ ଭାବେ ପ୍ରସାରିତ ହେଉଥିଲା। ଯେତେବେଳେ କେହି ଜଣେ ଅଭିଯୋଗ କରୁଥିଲେ, ଅନ୍ୟମାନେ ମଧ୍ୟ ସେହି କଥାକୁ ସମର୍ଥନ କରୁଥିଲେ। ଏଭଳି ଭାବରେ ଅନେକ ନିର୍ଦୋଷ ମହିଳା ଅଭିଯୁକ୍ତ ହୋଇଗଲେ।

ଏତଦଵ୍ୟତୀତ Salem Witch Trials ସମ୍ବନ୍ଧରେ ଅନ୍ୟ ଏକ ବିବାଦୀୟ ତତ୍ତ୍ୱ ଅନୁସାରେ ପୀଡ଼ିତ ଝିଅମାନେ Encephalitis Lethargica ରୋଗରେ ପୀଡ଼ିତ ଥିଲେ ଯାହା ପୋକ ଓ ପକ୍ଷୀଙ୍କ ଦ୍ୱାରା ବ୍ୟାପିପାରେ। ଏହାର ଲକ୍ଷଣଗୁଡ଼ିକ ହେଲା ଜ୍ଵର,ମୁଣ୍ଡବିନ୍ଧା,ଅଳସୁଆମି,ଦ୍ୱିଗୁଣ ଦୃଷ୍ଟି,ବେକରେ ଜଡ଼ତା,ଵ୍ୟଵହାରରେ ପରିଵର୍ତ୍ତନ ଓ ହାତ ଗୋଡ଼ ହଲଚଲ ହେଵା ଇତ୍ୟାଦି । ଲୌରୀ ୱିନ୍ କାର୍ଲସନ ତାଙ୍କର ୧୯୯୯ରେ ପ୍ରକାଶିତ ବହି A Fever in Salemରେ ଯୁକ୍ତି କରିଥିଲେ ଯେ ଅଭିଯୋଗକାରୀଙ୍କ ମଧ୍ୟରୁ କିଛି ଲୋକ ୧୬୯୧ ଵର୍ଷର ଶୀତଦିନ ଏଵଂ ୧୯୯୨ ଵର୍ଷର ଵସନ୍ତ ସମୟରେ ଏହି ଲକ୍ଷଣଗୁଡ଼ିକ ଦେଖାଇଥିଲେ। ତଥାପି ଅନେକ ଐତିହାସିକ ଏହି ମତକୁ ଗ୍ରହଣ କରିନାହାନ୍ତି। 

ମୋଟ୍ ଉପରେ କହିଵାକୁ ଗଲେ Salem Witch Trials କୌଣସି ଗୋଟିଏ କାରଣରୁ ହୋଇନଥିଲା। ଏକ ଦୃଢ଼ ସଇତାନ-ବିଶ୍ୱାସ, ସେଲମ୍ ଵିଲେଜ୍‌ର ପରିଵାରଗୁଡ଼ିକ ମଧ୍ୟରେ କଳହ, ନିକଟସ୍ଥ ସେଲମ୍ ଟାଉନ୍ ସହିତ ଵିଭାଜନ, ସାମ୍ପ୍ରତିକ ଵସନ୍ତ ମହାମାରୀ ଏଵଂ ଯୁଦ୍ଧର ଭୟ ମିଶି ଏପରି ଏକ ପରିଵେଶ ସୃଷ୍ଟି କଲା ଯେ ଭୟ ଓ ଅଵିଶ୍ବାସ ମାତ୍ରାଧିକ ବଢ଼ିଗଲା। 

ଆଜି ଏହି ଘଟଣାକୁ ଜାତିଗତ ଅଜ୍ଞତା, ଖିରସ୍ତାନୀ ଅନ୍ଧଵିଶ୍ୱାସ ଏଵଂ ଦୀର୍ଘଦିନରୁ ବଢ଼ିଥିଵା ସାମାଜିକ ତିକ୍ତତାର ପରିଣାମ ଭାବେ ଦେଖାଯାଏ ।‌ଆମେରିକୀୟ ଇତିହାସରେ ଏହା ସାମାଜିକ ଵିଭାଜନ, ଖିରସ୍ତାନୀ ମୌଳିଵାଦ, ମିଥ୍ୟା ଅଭିଯୋଗ ତଥା ନ୍ୟାୟିକ ପ୍ରକ୍ରିୟାର ଵିଫଳତା ଵିଷୟରେ ଏକ ସ୍ଥାୟୀ ଶିକ୍ଷା।

ଜୁଲାଇ ୨୦୨୨ରେ, ମାସାଚୁସେଟ୍ସର ଅପିଲ୍ ଅଦାଲତ ଶେଷରେ ଏଲିଜାବେଥ୍ ଜନସନ ଜୁନିୟରଙ୍କୁ ଆଧିକାରିକ ଭାବେ ନିର୍ଦ୍ଦୋଷ ଘୋଷଣା କଲେ । ୧୬୯୨ ମସିହାରେ Witch ଭାବେ ଦୋଷୀ ସାଵ୍ୟସ୍ତ ହୋଇଥିଵା ଏଲିଜେବେଥ୍ ଜନସନ୍, ମାସାଚୁସେଟ୍ସର ଶେଷ ଵ୍ୟକ୍ତି ଥିଲେ। 

Salem Witch Trials ଆମକୁ ମନେ ପକାଇଦିଏ ଯେ ଯେତେବେଳେ ଭୟ ସତ୍ୟ ଉପରେ ଵିଜୟୀ ହୁଏ, ଯେତେବେଳେ ସାମାଜିକ ଵିଭାଜନ ନ୍ୟାୟକୁ ଅତିକ୍ରମ କରେ ଏଵଂ ଯେତେବେଳେ ଆଇନ ଦୁର୍ଵଳ ପଡ଼ିଯାଏ ସେତେବେଳେ କୌଣସି ବି ସମାଜ ଏପରି ଭୟଙ୍କର ଭୁଲ କରିପାରେ। 

ସେଲମ୍‌ର ଏହି Salem Witch Trials ଘଟଣା ଆମକୁ ଶିଖାଏ ଯେ ଭୟ ଓ ଗୁଜବ କେବେ କେବେ ସତ୍ୟଠାରୁ ଅଧିକ ଶକ୍ତିଶାଳୀ ହୋଇଯାଏ। ଯେତେବେଳେ ସମାଜରେ ସନ୍ଦେହ, ଅନ୍ଧଵିଶ୍ୱାସ ଓ ଘୃଣା ବଢ଼ିଯାଏ, ସେତେବେଳେ ସର୍ଵଧିକ କ୍ଷତି ନିର୍ଦ୍ଦୋଷ ଓ ଦୁର୍ଵଳ ଲୋକମାନଙ୍କର ହିଁ ହୋଇଥାଏ ।

ଇତିହାସର ଏହି ଦୁଃଖଦ କାହାଣୀ ଆମକୁ ସତର୍କ କରେ—ଯଦି ସମାଜ ଵିଵେକ, ସହାନୁଭୂତି ଓ ନ୍ୟାୟକୁ ହରାଇଦିଏ, ତେବେ ସମାଜ ଵିଭାଜିତ ହୋଇପାରେ ଏଵଂ ତହିଁର ଗମ୍ଭୀର ପରିଣତି ଅନେକଙ୍କୁ ଭୋଗିଵାକୁ ପଡ଼ିଥାଏ । ସେହିପାଇଁ ସେଲମ୍‌ର ସ୍ମୃତି କେଵଳ ଇତିହାସ ନୁହେଁ; ଏହା ଆଗାମୀ ପିଢ଼ି ପାଇଁ ଏକ ସତର୍କ ସନ୍ଦେଶ।



Sunday, March 1, 2026

ଝଡ଼ର ଢାଲ — Tordenskjold

୨୬ ଜୁଲାଇ ୧୭୧୫ ଦିନ ଉତ୍ତର ସାଗରର Lindesnes ତଟ ନିକଟସ୍ଥ ଜଳରେ ଏକ ଅଦ୍ଭୁତ ଘଟଣା ଘଟିଥିଲା। ଯେପରି ସମୁଦ୍ରର ପ୍ରତ୍ୟେକ ଲହଡ଼ି କୌଣସି ରହସ୍ୟକୁ ନିଜ ଗଭୀରତାରେ ଲୁଚାଇ ରଖିଥିଲା। ଯେପରି ଆକାଶର ମେଘମାଳା କୌଣସି ଅକଥିତ କାହାଣୀର ସାକ୍ଷୀ ହେଵାକୁ ଆସିଥିଲେ। ଯେପରି ପଵନ ନିଜେ ରହି ଦେଖିଵାକୁ ଚାହୁଁଥିଲା ଯେ ଆଜି କ’ଣ ଘଟିଵ।

୨୬ ଜୁଲାଇ, ସନ୍ ୧୭୧୫ ଦିନ Norwayର ସବୁଠାରୁ ଦକ୍ଷିଣ ମୁଣ୍ଡରେ ଅଵସ୍ଥିତ Lindesnes ତଟ। ଏଠାରେ ଦୁଇଟି ସମୁଦ୍ର ଉତ୍ତର ସାଗର ଓ Skagerrak ସାଗର ମିଶନ୍ତି, ଆଉ ଯେତେବେଳେ ସେମାନେ ମିଶନ୍ତି, ଲହଡ଼ିଗୁଡ଼ିକ ଉଚ୍ଚ ହୋଇଯାଏ, ପଵନ ତୀକ୍ଷ୍ଣ ହୋଇଯାଏ, ଆଉ ପାଣିର ସ୍ରୋତଗୁଡ଼ିକ ପରସ୍ପର ସହ ମିଶି ନାଵିକମାନଙ୍କ ପାଇଁ ଜାଲ ବିଛାଇଦିଏ। ଏହି ଵିପଦପୂର୍ଣ୍ଣ, ଏହି ଅନିଶ୍ଚିତ ଜଳରେ ସେହି ସକାଳେ ଏକ ଜାହାଜ ଧୀରେ ଧୀରେ ଆଗକୁ ବଢ଼ୁଥିଲା। ତାହାର ନାଁ ଥିଲା — Løvendals Galej। ଡେନମାର୍କ-Norway ନୌସେନାର ଏକ ଛୋଟ 'ଗାଲେ' ଜାହାଜ।ଆକାରରେ ଛୋଟ, ତୋପରେ କମ୍, ଚାଳକଦଳ ମଧ୍ୟ ସୀମିତ। କିନ୍ତୁ ତାହାର ଡେକ୍ ଉପରେ ଯେଉଁ ଵ୍ୟକ୍ତି ଠିଆ ହୋଇଥିଲେ — ସେ କୌଣସି ଅର୍ଥରେ ଛୋଟ ନ ଥିଲେ। ତାଙ୍କର ଵୟସ ତେଇଶ ଚବିଶ ଵର୍ଷରୁ ଅଧିକ ନ ଥିଲା। କିନ୍ତୁ ସେ ଅତ୍ୟନ୍ତ ଉତ୍ସାହୀ,ନିଡର ଓ ଚତୁର ଥିଲେ ଏଵଂ ତାଙ୍କର ନାଁ ଥିଲା — Peter Wessel।

ଆଉ ସେହିଦିନ ସେ ଯାହା କଲେ, ତାହା ଇତିହାସର ପୁସ୍ତକରେ ଚିରକାଳ ପାଇଁ ଲିଖିତ ହୋଇଗଲା। ଏମନ୍ତ ନୁହେଁ ଯେ ସେ ୟା ପୂର୍ଵରୁ କୌଣସି ବଡ଼ ଯୁଦ୍ଧ ଜିତିଥିଲେ। ଏପରି ନୁହେଁ ଯେ ସେ କୌଣସି ବଡ଼ ଶତ୍ରୁକୁ ପରାସ୍ତ କରିଥିଲେ। ଵରଂ ସେ ଏପରି କିଛି କଲେ ଯାହା ବୋଧହୁଏ ଆଉ କେହି ଭାବିଵାକୁ ମଧ୍ୟ ଚିନ୍ତା କରି ନ ଥିଲେ। Peter Wesselଙ୍କ ଜନ୍ମ ଏକ ଵ୍ୟଵସାୟୀ ପରିଵାରରେ ୧୬୯୧ ମସିହାରେ Trondheimରେ ହୋଇଥିଲା। ପିତା ଚାହୁଁଥିଲେ ପୁଅ ଵ୍ୟଵସାୟ ଶିଖୁ, ହିସାବ-ନିକାଶ କରୁ, ଦୋକାନ ଚଳାଉ। କିନ୍ତୁ Peterଙ୍କ ଦୃଷ୍ଟି ସର୍ଵଦା ଦୂର କ୍ଷିତିଜ ଉପରେ ଥିଲା — ଯେଉଁଠାରେ ଆକାଶ ଓ ସମୁଦ୍ର ପରସ୍ପର ସହ ମିଶନ୍ତି। ବାଲ୍ୟାଵସ୍ଥାରୁ ସେ ବନ୍ଦରରେ ଘଣ୍ଟାଏ ବିତାଉଥିଲେ। ଜାହାଜଗୁଡ଼ିକୁ ଦେଖୁଥିଲେ। ନାଵିକମାନଙ୍କର କଥା ଶୁଣୁଥିଲେ। ସେମାନଙ୍କର କାହାଣୀ ଶୁଣି ସେ ଅଜଣା ବନ୍ଦର ଓ ଦୂର ଦେଶ ଦେଖିଵାକୁ ଆଗ୍ରହୀ ହେଉଥିଲେ । ଏହି ଆଗ୍ରହ ଏତେ ବଢ଼ିଲା ଯେ ଯେତେବେଳେ ସେ ମାତ୍ର ବାର ଵର୍ଷର ଥିଲେ, ଘର ଛାଡ଼ି ପଳାଇଗଲେ।

ଏକ ଵ୍ୟଵସାୟୀ ଜାହାଜରେ ସେ ଛୋଟମୋଟ କାମ କରିଵାକୁ ଲାଗିଲେ। ଵର୍ଷ ପରେ ଵର୍ଷ ବିତିଗଲା। ସେ ସମୁଦ୍ରର ଭାଷା ଶିଖିଲେ — ଲହଡ଼ିକୁ ପଢ଼ିଵା, ପଵନକୁ ବୁଝିଵା, ତାରାରୁ ରାସ୍ତା ଖୋଜିଵା ଇତ୍ୟାଦି ଜାଣିଲେ । ଆଉ ତା ସହିତ ଯୁଦ୍ଧର କଳା ମଧ୍ୟ ଶିଖିଲେ — ତୋପ ଚଳାଇଵା, ଶତ୍ରୁକୁ ଚିହ୍ନିଵା, ସଙ୍କଟରେ ଶାନ୍ତ ରହିଵା ଇତ୍ୟାଦି । ତାଙ୍କର ଵୀରତ୍ୱର ଚର୍ଚ୍ଚା ଶୀଘ୍ର ନୌସେନା ପର୍ଯ୍ୟନ୍ତ ପହଞ୍ଚିଲା। Denmark-Norwayର ରାଜା ତାଙ୍କୁ ନିଜ ନୌସେନାରେ ସ୍ଥାନ ଦେଲେ। ଆଉ ଧୀରେ ଧୀରେ, ନିଜର ଯୋଗ୍ୟତା ବଳରେ, ସେ ଏକ ଜାହାଜର ଅଧିନାୟକ ହୋଇଗଲେ।


ସେହି ସମୟରେ ଇଉରୋପରେ ଡେନମାର୍କ-Norway ଓ Sweden ମଧ୍ୟରେ ମହାନ ଉତ୍ତରୀୟ ଯୁଦ୍ଧ ଵା Great Northern War ଚାଲିଥିଲା । ସମୁଦ୍ରର ଏହି ଲଢ଼େଇ ଦୈନନ୍ଦିନ ଘଟଣା ଥିଲା। ଆଉ Peter Wessel ପ୍ରତ୍ୟେକ ଲଢ଼େଇରେ କିଛି ନୂଆ, କିଛି ଅପ୍ରତ୍ୟାଶିତ ଘଟଣା ଘଟାଉଥିଲେ। କିନ୍ତୁ ୨୬ ଜୁଲାଇ, ୧୭୧୫ର ଦିନଟି ସବୁଠାରୁ ଭିନ୍ନ ଥିଲା।

ସେଦିନ ସନ୍ଧ୍ୟା ହେଵାକୁ ଆଉ କିଛି ବେଳ ବାକି ଥାଏ ଠିକ୍ ସେହି ସମୟରେ ଦୂରରେ ଏକ ଵିଶାଳ ବୋଇତ ଦେଖାଗଲା । ସେହି ବୋଇତଟିର ନାଆଁ Løvendals Galej ଥିଲା ଏଵଂ ତାହା ଧୀରେ ଧୀରେ Lindesnes ତଟ ନିକଟକୁ ଆସୁଥିଲା। Peter Wessel ଡେକ୍ ଉପରେ ଠିଆ ହୋଇଥିଲେ ଏଵଂ ତାଙ୍କର ଦୃଷ୍ଟି କ୍ଷିତିଜ ଉପରେ ଥିଲା । ପଵନ ତୀଵ୍ର ଥିଲା, ଲହରୀ ଉଚ୍ଚ ଥିଲା। ଜାହାଜ ହଲୁଥିଲା, କିନ୍ତୁ Wesselଙ୍କ ପାଦ ଦୃଢ଼ ଥିଲା — ଯେପରି ସେ ଜାହାଜର ଅଂଶ, ଜାହାଜ ତାଙ୍କର ଅଂଶ।
ସେହିସମୟରେ — ମାସ୍ତୁଲ ଉପରେ ଵସିଥିଵା ପ୍ରହରୀ ଚିତ୍କାର କଲା।
“ଜାହାଜ! ଉତ୍ତର-ପୂର୍ଵ ଦିଗରୁ ଆସୁଛି!”
Wessel ଦୂରଵୀକ୍ଷଣ ଉଠାଇଲେ। ଆଖିରେ ଲଗାଇଲେ। ଧ୍ୟାନ ଦେଇ ଦେଖିଲେ।
ଦୂର — ବହୁତ ଦୂର — କିନ୍ତୁ ଜାହାଜଟି ସ୍ପଷ୍ଟ ଦେଖାଯାଉଥିଲା। ସେ ଏକ ଵିଶାଳ ଜାହାଜ। ତାହାର ପାଲ ପଵନରେ ଖୋଲି ରହିଥିଲା, ଯେପରି ଗର୍ଵରେ ଛାତି ଟାଣି ଚାଲୁଥିଲା। ତାହାର ମାସ୍ତୁଲ ଉପରେ ହଲୁଥିଲା ନୀଳ ଓ ସୁନେଲି ପତକା । ସିଏ
Swedenର ପତକା । Wesselଙ୍କ ଆଖି ଏକ କ୍ଷଣ ପାଇଁ ସଙ୍କୁଚିତ ହେଲା। ସେ ଜାହାଜର ଆକାର ଦେଖିଲେ, ତୋପଗୁଡ଼ିକ ଦେଖିଲେ, ଡେକ୍ ଉପରେ ସୈନିକମାନଙ୍କର ହଲଚଲ ଦେଖିଲେ। ସେହିଟିର ନାଆଁ ଜାହାଜ ଥିଲା — Hvita Örn। ଅର୍ଥାତ୍ “ଧଳା ଛଞ୍ଚାଣ”।

Sweden ନୌସେନାର ଏକ ଶକ୍ତିଶାଳୀ ଫ୍ରିଗେଟ୍। Løvendals Galej ବୋଇତଠାରୁ ଅନେକ ଗୁଣ ବଡ଼। ତାହାରେ ଅଧିକ ତୋପ, ଅଧିକ ସୈନିକ, ଅଧିକ ବାରୁଦ ଥିଲା। ଅନ୍ୟ କୌଣସି ଅଧିନାୟକ ବୋଧହୁଏ ପଛକୁ ହଟିଵାର ଆଦେଶ ଦେଇଦେଇଥାନ୍ତା। Wessel ଦୂରଵୀକ୍ଷଣ ତଳକୁ କଲେ। ତାଙ୍କ ଓଠରେ ସ୍ମିତହାସ୍ୟ ଥିଲା।
“ଯୁଦ୍ଧ ପାଇଁ ପ୍ରସ୍ତୁତି କର।” 

ଜଣେ ପୁରାତନ ଅଭିଜ୍ଞ ଯୋଦ୍ଧା Reinhold von Segebaden ସ୍ଵିଡେନର Hvita Örn ଜାହାଜର ଅଧିନାୟକ ଥିଲେ । ସେ ଡଜନରୁ ଅଧିକ ଲଢ଼େଇ ଲଢ଼ିଥିଲେ। ତାଙ୍କ କେଶ ଧଳା ହେଵାକୁ ବସିଥିଲା, ମୁଖରେ ସମୁଦ୍ରିକ ପଵନର ରେଖା ଟାଣି ହୋଇଯାଇଥିଲା, ଆଉ ଆଖିରେ ସେହି ଥଣ୍ଡା, ଗଣନାତ୍ମକ ଚମକ ଥିଲା ଯାହା କେଵଳ ଦୀର୍ଘ ଅଭିଜ୍ଞତାରୁ ଆସିଥାଏ ।

ଯେତେବେଳେ ସେ "ଡାନିଶ୍ ଗାଲେ" କୁ ଦେଖିଲେ, ଏକ କ୍ଷଣ ପାଇଁ ତାଙ୍କ ଓଠରେ ହାଲୁକା ହସ ଆସିଲା। ହ୍ୟାକ୍ ଏତେ ଛୋଟ ଜାହାଜ।
ତଥାପି — Segebaden ନିଜ ସାଥୀମାନଙ୍କୁ କହିଥିଲେ — “ଛୋଟ ଶତ୍ରୁକୁ କଦାପି ତୁଚ୍ଛ କର ନାହିଁ। କାରଣ ଛୋଟ ସାପର ଵିଷ ବହୁତ” ସେ ନିଜ ତୋପଗୁଡ଼ିକୁ ପ୍ରସ୍ତୁତ କରାଇଲେ। ନିଜ ସୈନିକମାନଙ୍କୁ ସତର୍କ କଲେ। କିନ୍ତୁ ତାଙ୍କ ମନରେ ଏକ ଆତ୍ମଵିଶ୍ୱାସ ଥିଲା — ଆମେ ନିଶ୍ଚୟ ଜିତିବୁ। ଆକାର, ଶକ୍ତି, ହତିଆର — ସବୁ ଆମ ପକ୍ଷରେ ଅଛି । ଦୁଇ ଜାହାଜ ପରସ୍ପର ନିକଟତର ହେଲା। ପଵନ ତୀଵ୍ର ହେଲା।ଷଲହରୀ ଆହୁରି ଉଚ୍ଚ ହେଲା।
ଆଉ ତା’ପରେ ଯୁଦ୍ଧର ଆରମ୍ଭ ହୋଇଗଲା ‌। 
Hvita Örnରୁ ପ୍ରଥମ ତୋପ ଗର୍ଜିଲା। ଧମାକା ହେଲା। ଧୂଆଁ ଉଠିଲା। ଗୋଳା ସନସନ କରି ଆସି Løvendals Galejରୁ କିଛି ଦୂରରେ ପାଣିରେ ପଡ଼ିଲା। ପାଣିରୁ ଏକ ଉଚ୍ଚ ରେଖା ଉଠି ଛପ୍ କରି ପଡ଼ିଲା। Wessel ଝଟକାରେ ଜାହାଜର ମୁହଁ ବଦଳାଇଲେ।
“ଦୁଇ ତୋପ — ଏକାଠି — ଏବେ!” ଡାନିଶ୍ ତୋପଗୁଡ଼ିକ ଗର୍ଜିଲା। ଏକ ଗୋଳା Hvita Örnର ଡେକ୍ ସହ ଧକ୍କା ହେଲା। କାଠ ଉଡ଼ିଲା। ଧୂଆଁ ଉଠିଲା। କୋଉଠି ଏକ ଚିତ୍କାର ଶୁଣାଗଲା। ଯୁଦ୍ଧ ଆରମ୍ଭ ହୋଇଗଲା। ପ୍ରକୃତ, ନିଷ୍ଠୁର, ଭୀଷଣ ଯୁଦ୍ଧ ହେଲା । ଜାହାଜଗୁଡ଼ିକ ପରସ୍ପର ଆଖପାଖରେ ଘୁରୁଥିଲା ସତେ ଯେପରି ଦୁଇଟି ଶିକାରୀ ପଶୁ ପରସ୍ପରକୁ ଆକ୍ରମଣ କରୁଛନ୍ତି । ପ୍ରତ୍ୟେକ ମୋଡ଼ରେ ତୋପ ଦାଗ ହେଉଥିଲା। ପ୍ରତ୍ୟେକ ଗୋଳା ସହ କାଠ ଭାଙ୍ଗୁଥିଲା, ଧୂଆଁ ଉଠୁଥିଲା, ନିଆଁ ଲାଗୁଥିଲା। ଡେକ୍ ଉପରେ ସୈନିକମାନେ ଦୌଡ଼ୁଥିଲେ, ତୋପ ପୁଣି ଭରୁଥିଲେ, ଆହତ ସାଥୀମାନଙ୍କୁ ତଳକୁ ନେଉଥିଲେ। Peter Wessel ସର୍ଵତ୍ର ଥିଲେ — ଡେକ୍‌ରେ, ପାଲ ନିକଟରେ, ତୋପଖାନା ନିକଟରେ । ସେ ଚିତ୍କାର କରୁଥିଲେ, ନିର୍ଦ୍ଦେଶ ଦେଉଥିଲେ, ନିଜେ ମୋର୍ଚ୍ଚାରେ ରହୁଥିଲେ। ତାଙ୍କ ସ୍ୱର ତୋପର ଘଡ଼ଘଡ଼ ଶବ୍ଦ ମଧ୍ୟରେ ମଧ୍ୟ ଶୁଣାଯାଉଥିଲା।
ସୈନିକମାନଙ୍କ ପାଇଁ ସେ କେଵଳ ଅଧିନାୟକ ନ ଥିଲେ — ସେ ଉତ୍ସାହ ଥିଲେ,ସାହସ ଥିଲେ, ଆଶା ଥିଲେ। ଘଣ୍ଟାଏ ଵିତିଗଲା। ଦୁଇ ଜାହାଜ ପରସ୍ପରକୁ ବହୁତ ଆଘାତ କରିଥିଲେ। Hvita Örnର ଏକ ପାଲ ଫାଟିଗଲା। Løvendals Galejର ଡେକ୍‌ରେ ଏକ ସ୍ଥାନରେ ନିଆଁ ଲାଗିଥିଲା — ଯାହାକୁ କୌଣସି ମତେ ଲିଭାଇ ଦିଆଗଲା। ଦୁଇ ପକ୍ଷରୁ ସୈନିକ ଆହତ ହୋଇଥିଲେ। କିନ୍ତୁ ଯୁଦ୍ଧ ଏବେ ମଧ୍ୟ ସମାନ ସ୍ଥିତିରେ ଥିଲା। ବଡ଼ ଜାହାଜର ଶକ୍ତି ଓ ଛୋଟ ଜାହାଜର ଚଞ୍ଚଳତା ଉଭୟ ପରସ୍ପରକୁ ଗମ୍ଭୀର ଚ୍ୟାଲେଞ୍ଜ ଦେଇଥିଲେ। 

ତେବେ ତୋପଖାନାର ଜଣେ ବୁଢ଼ା ମୁଖ୍ୟ ଭୟ ମିଶା ମୁଖରେ ଦୌଡ଼ି ଆସି Wesselଙ୍କ ପାଖରେ ପହଞ୍ଚିଲା। ସେ ନଇଁକରି କିଛି କହିଲା।
Wesselଙ୍କ ଭ୍ରୁଲତା ଏକ କ୍ଷଣ ପାଇଁ ସଙ୍କୁଚିତ ହେଲା।
“କେତେ ବଳିଛି?” ବୃଦ୍ଧଙ୍କୁ Wessel ପଚାରିଲେ ‌। 
“ଅଧା ଘଣ୍ଟାର। ଅଧିକ ହେଲେ ଅଧିକ। ତା’ପରେ ଏକ ଗୋଳା ଵି ନାହିଁ।” ନିରାଶ ହୋଇ ଵୃଦ୍ଧ ଜଣକ ଉତ୍ତର ଦେଲେ । 

ଏହି ଖବର ଅନ୍ୟ କୌଣସି ଅଧିନାୟକ ପାଇଁ ଏକ ଵାକ୍ୟରେ ପରାଜୟର ଘୋଷଣା ହୋଇଥାନ୍ତା।
ବାରୁଦ ଶେଷ। ଗୋଳା ଶେଷ। ତେଣେ ଶତ୍ରୁ ଏବେବି ପୂରା ଉତ୍ସାହରେ ଲଢ଼ୁଛି । ଅର୍ଥାତ୍ ଏବେ ଦୁଇଗୋଟି ବାଟ ବଞ୍ଚିଯାଆଛି — ଯୁଦ୍ଧରୁ ପଳାୟନ ନହେଲେ ଆତ୍ମସମର୍ପଣ ।

କିନ୍ତୁ ଏହାପରେ Peter Wessel ଯାହା କଲେ, ତାହା ତାଙ୍କୁ Peter Wesselରୁ Tordenskjold କରିଦେଲା। ସେ ଏକ କ୍ଷଣ ପାଇଁ କିଛି ଭାବିଲେ।
ସମୁଦ୍ରକୁ ଦେଖିଲେ। Hvita Örnକୁ ଦେଖିଲେ। ତା’ପରେ ଆକାଶକୁ ଅନାଇଲେ ।

ଆଉ ତାପରେ ତାଙ୍କ ମୁହଁରେ ସେହି ଭୀଷଣ ଯୁଦ୍ଧ ମଧ୍ୟରେ, ସେହି ସଙ୍କଟର ମୁହୂର୍ତ୍ତରେ ଏକ ହସ ଆସିଲା। ଏପରି ହସ ଦେଖି କେହି ବୁଝି ପାରୁ ନ ଥିଲେ ଯେ ଏ ଵ୍ୟକ୍ତି ପାଗଳ ନା ଅତ୍ୟନ୍ତ ଚତୁର।
ବୋଧହୁଏ ଉଭୟ । Wessel ଆଦେଶ ଦେଲେ
“ଧଳା ପତକା ଉଠାଅ।”

ସମସ୍ତେ ସ୍ତଵ୍ଧ ହୋଇଗଲେ । ଡେକ୍‌ରେ ଏକ କ୍ଷଣ ପାଇଁ ନିରଵତା ଦେଖାଗଲା । ତୋପର ଘଡ଼ଘଡ଼ ଶବ୍ଦ ବନ୍ଦ ହେଲା। ସୈନିକମାନେ ପରସ୍ପରକୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ । ଜଣେ ଯୁଵ ସୈନିକ ଆଗକୁ ଆସିଲା, ତାର ସ୍ୱରରେ ଦ୍ୱିଧା ଥିଲା ସେ ପଚାରିଲା —“ଅଧିନାୟକ… ଧଳା ପତକାର ଅର୍ଥ ତ ଆତ୍ମସମର୍ପଣ—”
“ଜାଣେ।” Wesselଙ୍କ ସ୍ୱର ଶାନ୍ତ ଥିଲା। ସମ୍ପୂର୍ଣ୍ଣ ଶାନ୍ତ। ଯେପରି ତୋଫାନ ପୂର୍ଵର ନିସ୍ତଵ୍ଧତା।
“କିନ୍ତୁ ଆଜି ଆମେ ଭିନ୍ନ ଖେଳ ଖେଳିଵା।”

Wessel ନିଜର ସବୁଠାରୁ ଵିଶ୍ୱସ୍ତ ଦୂତକୁ ଡାକିଲେ। ଜଣେ ଲମ୍ଵା, ମଜବୁତ ଶରୀରର ଵ୍ୟକ୍ତି — ଯିଏ ବହୁ ଵର୍ଷ ଧରି Wesselଙ୍କ ସହ ଥିଲା, ଯିଏ ତାଙ୍କର ପ୍ରତ୍ୟେକ ଲଢ଼େଇ ଦେଖିଥିଲା। Wessel ତା’ର କାନ ପାଖରେ ନଇଁ କିଛି କହିଲେ। ଦୂତ ଏକ କ୍ଷଣ ପାଇଁ Wesselଙ୍କୁ ଦେଖିଲା — ଯେପରି ଵିଶ୍ୱାସ ହେଉ ନାହିଁ ଯେ ସେ ଠିକ୍ ଶୁଣିଛି କି ନାହିଁ ।
ତା’ପରେ — ତା’ର ମୁହଁରେ ମଧ୍ୟ ସେହି ହସ ଆସିଲା। ସେ ସଂକ୍ଷେପରେ ଉତ୍ତର ଦେଲା “ଆଜ୍ଞା, ଅଧିନାୟକ। ଆପଣଙ୍କ ଆଦେଶ ମୁତାବକ ସବୁ କରାଯିଵ । ”

ଏକ ଛୋଟ ଡଙ୍ଗା ପାଣିରେ ଓହଳାଗଲା। ଧଳା କପଡ଼ା — ଧଳା ପତକା ପରି — ଉପରକୁ କରାଗଲା।
ଆଉ ଦୂତ Hvita Örn ଆଡ଼କୁ ଯାତ୍ରା କଲା।
Hvita Örnରେ Sweden ଜାହାଜରେ ଧଳା ପତକା ଦେଖି ସବୁ ଆଶ୍ଚର୍ଯ୍ୟ ହୋଇଗଲେ। Segebaden ଦୂରବୀନରୁ ଦେଖିଲେ। ସତରେ ଧଳା ପତକା ଥିଲା। ଡାନିଶ୍ ଡଙ୍ଗା ସେମାନଙ୍କ ଆଡ଼କୁ ଆସୁଥିଲା।
ସେ ନିଜ ଅଧିକାରୀମାନଙ୍କୁ ଦେଖିଲେ। “ଏତେ ଶୀଘ୍ର ଏମାନେ ପରାଜୟ ସ୍ଵୀକାର କରିନେଲେ ?”
ତାଙ୍କର ଆଶା ନ ଥିଲା। ଲଢ଼େଇ ତ ଏବେବି ସମାନ ସ୍ଥିତିରେ ଥିଲା। ସେ ଭାବିଥିଲେ — ଆଉ କିଛି ଘଣ୍ଟା ଲାଗିଵ। କିନ୍ତୁ ନାହିଁ। ଯୁଦ୍ଧ ତାହେଲେ ଶେଷ ହୋଇଗଲା । ସ୍ଵୀଡେନର ଛୋଟ ଡଙ୍ଗାଟି ଆସି Hvita Örnର କଡ଼ରେ ପହଞ୍ଚିଲା। ଦୂତକୁ ଉପରକୁ ଟାଣି ଣାଗଲା। Segebaden ସାମ୍ନାରେ ଆସିଲେ। ସେ ଦୂତକୁ ଗମ୍ଭୀର ଦୃଷ୍ଟିରେ ଦେଖିଲେ।
“ତୁମର ଅଧିନାୟକ ଆତ୍ମସମର୍ପଣ କରୁଛନ୍ତି କି?”
ଦୂତ ମସ୍ତକ ସିଧା କଲା। ତା’ର ସ୍ୱରରେ ଏକ ଅଦ୍ଭୁତ ଔପଚାରିକତା ଥିଲା — ଯେପରି ସେ କୌଣସି ଅତ୍ୟନ୍ତ ଗମ୍ଭୀର ସନ୍ଦେଶ ଦେଉଛି। 

“ମହୋଦୟ, ଆମର ଅଧିନାୟକ Peter Wessel ଆପଣଙ୍କୁ ଵିନମ୍ର ନିଵେଦନ କରୁଛନ୍ତି।”

“—ହଁ—?”

“ଆମ ଜାହାଜର ବାରୁଦ ଓ ଗୋଳା ଶେଷ ହେଵାକୁ ଯାଉଛି। ଯଦି ଆପଣ ଯୁଦ୍ଧ ଜାରି ରଖିଵାକୁ ଚାହୁଁଛନ୍ତି ତେବେ ଦୟାକରି ଆମକୁ କିଛି ବାରୁଦ ଓ ଗୋଳା ଉଧାର ଦେଇଦିଅନ୍ତୁ।”

ଏକଥା ଶୁଣିଵା ମାତ୍ରକେ ସେହି ମୁହୂର୍ତ୍ତରେ Hvita Örnର ଡେକ୍‌ରେ ଏକ କ୍ଷଣ ପାଇଁ ସମ୍ପୂର୍ଣ୍ଣ ନିସ୍ତଵ୍ଧତା ଵ୍ୟାପିଗଲା। କେହି କହିଲେ ନାହିଁ। ପଵନ ବହୁଥିଲା। ଲହରୀ ଉଠୁଥିଲା-ପଡ଼ୁଥିଲା। ଦୂରରେ ଡାନିଶ୍ ଜାହାଜ ହଲୁଥିଲା।
ଆଉ ତା’ପରେ —
କୌଣସି ଏକ ସୈନିକଠାରୁ ହସ ଆରମ୍ଭ ହେଲା।
ତା’ପରେ ଦ୍ୱିତୀୟଠାରୁ। ତା’ପରେ ତୃତୀୟଠାରୁ।
ଆଉ ଚାହୁଁ ଚାହୁଁ Hvita Örnର ସମ୍ପୂର୍ଣ୍ଣ ଡେକ୍ ହସରେ ଭରିଗଲା। ଅଭିଜ୍ଞ ସୈନିକ, ଆଘାତପ୍ରାପ୍ତ ନାଵିକ, କଡ଼ା ଅଧିକାରୀ — ସମସ୍ତେ ହସୁଥିଲେ। 

ଯୁଦ୍ଧ ମଧ୍ୟରେ ଶତ୍ରୁପକ୍ଷକୁ ବି ବାରୁଦ ମାଗି ଯୁଦ୍ଧ ଜାରି ରଖିଵାକୁ ଅନୁରୋଧ କରାଯିଵ ବୋଲି କିଏ ଭାବିଥିଲା? Segebaden ମଧ୍ୟ ହସି ପଡ଼ିଲେ।
ପ୍ରଥମେ ହାଲୁକା ହସ। ତା’ପରେ ଖୋଲାଖୋଲି।
ସେ ଏହା କଦାପି ଭୁଲି ପାରିବେ ନାହିଁ ।ଯେତେବେଳେ ହସ କିଛି କମିଲା, ସେ ଦୂତ ଆଡ଼କୁ ଦେଖିଲେ। ଏବେବି ତାଙ୍କ ମୁହଁରେ ହସ ଥିଲା, କିନ୍ତୁ ଆଖି ଗମ୍ଭୀର ଥିଲା।

“ଫେରି ଯାଅ। ତୁମର ଅଧିନାୟକଙ୍କୁ କୁହ —”
ସେ ଏକ କ୍ଷଣ ରହି ଭାବିଲେ।
“— ଆମେ ଯୁଦ୍ଧ ମଧ୍ୟରେ ବାରୁଦ ଵିକ୍ରି କରୁନା।”

ସେଠାରୁ ଫେରି ଆସି ଦୂତଟି ସେ ଆସିଥିଵା ଛୋଟ ଡଙ୍ଗାରେ ଵସିଲା ଏଵଂ Løvendals Galej ଆଡ଼କୁ ଲେଉଟି ଗଲା । Wessel ଡେକ୍‌ରେ ଠିଆ ହୋଇଥିଲେ। ସେ ଦୂରରୁ ଦୂତର ମୁହଁ ଦେଖିଲେ — ତା’ର ହସୁଥିଵା ଆଖି। ସେମାନେ ଉତ୍ତର ବୁଝିଗଲେ। ଦୂତ ଉପରକୁ ଆସି Segebadenଙ୍କ କଥା ପୁନରାଵୃତ୍ତି କଲା। Wessel ହସିଲେ।
“ଭଲ ଉତ୍ତର।” ସେ ଏକ କ୍ଷଣ ପାଇଁ Hvita Örn ଆଡ଼କୁ ଦେଖିଲେ। ଦୂରରେ — Segebaden ଡେକ୍‌ରେ ଠିଆ ହୋଇଥିଲେ। ସେ ନିଜ ହାତ ଉଠାଇଲେ। ଯୁଦ୍ଧ ମଧ୍ୟରେ ଶତ୍ରୁପ୍ରତି ଏହା ଏକ ଅଭିଵାଦନ ଥିଲା। ଏହାର ଉତ୍ତରରେ Wessel ମଧ୍ୟ ନିଜ ଟୋପି ଖୋଲିଲେ ଏଵଂ ନଇଁ କରି ଅଭିଵାଦନ କଲେ। ସେହି ଦୁଇ ଅଧିନାୟକ ଦୁଇ ଶତ୍ରୁ ହୋଇ ବି ଏକ କ୍ଷଣ ପାଇଁ ସବୁ ଶତ୍ରୁତା ଭୁଲି ପରସ୍ପରକୁ ସମ୍ମାନ ଜଣାଇଲେ ‌ । ସେହିଦିନର ଲଢ଼େଇ କୌଣସି ନିଷ୍କର୍ଷରେ ପହଞ୍ଚି ନ ଥିଲା। Løvendals Galejରେ ଯେତିକି ବାରୁଦ ଵଳିଥିଲା, ତାହାକୁ ସତର୍କତାରେ ଵ୍ୟଵହାର କଲେ। କିଛି ଗୋଳା ଦାଗ ହେଲା। Hvita Örn ମଧ୍ୟ ଜବାବ ଦେଲା। କିନ୍ତୁ ଧୀରେ ଧୀରେ — ଦୁଇ ଜାହାଜ ପରସ୍ପରଠାରୁ ଦୂର ହେଵାକୁ ଲାଗିଲେ। ସନ୍ଧ୍ୟା ହେଵାକୁ ଯାଉଥିଲା।
ଆକାଶର ରଙ୍ଗ ବଦଳୁଥିଲା — ଧୂସରରୁ ନାଲିଆ, ନାଲିଆରୁ ଗାଢ଼ ଲାଲ୍। ଉତ୍ତର ସାଗରର ଲହରୀଗୁଡ଼ିକ ସେହି ରଙ୍ଗର ହୋଇଯାଇଥିଲା।
ତୋପଗୁଡ଼ିକ ଥଣ୍ଡା ହୋଇଗଲା। ବାରୁଦର ଗନ୍ଧ ପଵନରେ ମିଶି ଗଲା । ଆଉ ଦୁଇ ଜାହାଜ ନିଜ ନିଜ ଦିଗରେ ଆଗକୁ ବଢ଼ିଗଲା। ଇତିହାସର ପୁସ୍ତକରେ ଲେଖାଗଲା ଯେ ସେହିଦିନର ଲଢ଼େଇ ଅନିର୍ଣ୍ଣୟକ ରହିଲା। କେହି ଜିତିଲେ ନାହିଁ। କେହି ହାରିଲେ ନାହିଁ। କିନ୍ତୁ ଯାହା ଘଟିଲା ତାହା ଜୟଠାରୁ ବଡ଼ ଥିଲା।

ଏ ଘଟଣାର ଖବର ଚାରିଆଡ଼େ ଵ୍ୟାପିଗଲା।
ନାଵିକରୁ ନାଵିକ ପର୍ଯ୍ୟନ୍ତ। ବନ୍ଦରରୁ ବନ୍ଦର ପର୍ଯ୍ୟନ୍ତ। ଦରଵାରରୁ ଦରଵାର ପର୍ଯ୍ୟନ୍ତ।
“ଶୁଣିଛ କି? Peter Wessel ଯୁଦ୍ଧ ମଧ୍ୟରେ ଶତ୍ରୁଠାରୁ ବାରୁଦ ମାଗିଥିଲେ।” ପ୍ରଥମେ ଲୋକେ ହସୁଥିଲେ। ତା’ପରେ ଭାବୁଥିଲେ। ତା’ପରେ ମୁଣ୍ଡ ହଲାଉଥିଲେ।କାରଣ ଏଥିରେ କେଵଳ ହାସ୍ୟ ନ ଥିଲା। ଏଥିରେ ଥିଲା — ଅସାଧାରଣ ସାହସ। ଯେତେବେଳେ ଗୋଳା ଶେଷ ହୋଇଯାଏ ଏଵଂ ଶତ୍ରୁ ଶକ୍ତିଶାଳୀ ହୁଏ, ସେତେବେଳେ ପଳାଇଵା ସହଜ। କିନ୍ତୁ ପଛଘୁଞ୍ଚା ନଦେଇ ଯୁଦ୍ଧକ୍ଷେତ୍ରରେ ଥାଇ ବାରୁଦ ମାଗିଵା ୟୁରୋପର ଇତିହାସରେ ଅତି ଵିରଳ‌ ଥିଲା । Wesselଙ୍କ ଅଦମ୍ୟ ମନୋଵଳ ଓ ସାହସର ଚର୍ଚ୍ଚା ହେଲା। ଯୁଦ୍ଧ ସମୟରେ Wesselଙ୍କ ସୈନିକମାନେ ତାଙ୍କର କୁଟିଳ ହସ ଦେଖି ଭୟଭୀତ ହେଲେ ନାହିଁ। ସେମାନେ ଭାବିଲେ, ଯେତେବେଳେ ଆମର ଅଧିନାୟକ ଏହି ଅଵସ୍ଥାରେ ମଧ୍ୟ ହସିପାରନ୍ତି, ତେବେ ଆମେ କାହିଁକି ଭୟଭୀତ ହେବୁ? ଏଥିରେ ଥିଲା ଅଦ୍ଭୁତ ଚାତୁରୀ। ଧଳା ପତକା ଉଠାଇ ସମୟ କିଣିଲେ। ଶତ୍ରୁକୁ ଆଶ୍ଚର୍ଯ୍ୟଚକିତ କଲେ। ଆଉ ଯେତେବେଳେ ଉତ୍ତର ମିଳିଲା ସେତେବେଳେ ବଳିଥିଵା ବାରୁଦକୁ ଆହୁରି ଵିଚାରପୂର୍ଵକ ଵ୍ୟଵହାର କଲେ। Peter Wesselଙ୍କ ଏହି କାହାଣୀ — Denmark, Norway, Sweden — ସବୁଠାକୁ ପହଞ୍ଚିଲା।
ଆଉ ତା’ ସହିତ ପହଞ୍ଚିଲା ଏକ ନାଆଁ "Tordenskjold" । କିଛିଦିନ ପରେ Denmark-Norwayର ରାଜା Frederick IV Peter Wesselଙ୍କୁ ଦରଵାରକୁ ଡାକିଲେ। ରାଜା ତାଙ୍କର ଵୀରତ୍ୱର କାହାଣୀ ଶୁଣିଥିଲେ। ସେହିଦିନର ବାରୁଦ ଘଟଣା ମଧ୍ୟ ଶୁଣିଥିଲେ। ରାଜା ତାଙ୍କୁ ଏକ ଏକ ଉପାଧି ଦେଲେ "Tordenskjold" ।
Norwayର ଭାଷାରେ ଏହାର ଅର୍ଥ “ଵଜ୍ରର ଢାଲ” ଵା Thunder Shield ଅଟେ। ଆଉ Peter Wessel ଯିଏ ଜଣେ ଵ୍ୟଵସାୟୀଙ୍କ ପୁଅ ଥିଲେ, ଯିଏ ଵାର ଵର୍ଷ ଵୟସରେ ଘର ଛାଡ଼ିଥିଲେ, ଯିଏ ସମୁଦ୍ରକୁ ଭଲପାଉଥିଲେ ସେ ହୋଇଗଲେ Tordenskjold। ଏକ ନାଁ ଯାହା ଇତିହାସରେ ଚିରକାଳ ପାଇଁ ଗୁଞ୍ଜରିଵ। ପ୍ରକୃତ ତୋଫାନ
କିନ୍ତୁ ସେହିଦିନ ପରେ ମଧ୍ୟ Tordenskjoldଙ୍କ କାହାଣୀ ରହିଲା ନାହିଁ। ସେ ଲଢ଼ିଵାକୁ ଲାଗିଲେ। ଜିତିଵାକୁ ଲାଗିଲେ। ଆଉ କେତେକ ସମୟରେ ହାରିଵାକୁ ମଧ୍ୟ ଲାଗିଲେ — କିନ୍ତୁ ସର୍ଵଦା ନିଜର ଢଙ୍ଗରେ। Great Northern War ସମୟରେ ସେ ଅନେକ ଏପରି ଲଢ଼େଇ ଲଢ଼ିଲେ ଯାହା ଅସମ୍ଭଵ ଲାଗୁଥିଲା। Marstrandର ଲଢ଼େଇରେ ସେ ଏକ ସଶକ୍ତ Swedish କିଲ୍ଲା ଉପରେ ଏପରି ଛଳ କଲେ ଯେ କମ୍ ସୈନିକ ସହିତ ମଧ୍ୟ ଜୟ ଲାଭ କଲେ। ସେ ରାତିସାରା ନିଜ ସୈନିକମାନଙ୍କୁ ଵିଭିନ୍ନ ରାସ୍ତାରେ ଘୁରାଇଥିଲେ — ଯାହାଦ୍ୱାରା ଶତ୍ରୁକୁ ଲାଗିଲା ଯେ ତାଙ୍କ ପାଖରେ ବଡ଼ ସୈନ୍ୟଵାହିନୀ ଅଛି। Dynekilenର ଲଢ଼େଇରେ ସେ Swedish ଜାହାଜଗୁଡ଼ିକର ଏକ ସମ୍ପୂର୍ଣ୍ଣ ବହର(Fleet)କୁ ଏପରି ସ୍ଥାନରେ ଘେରିଲେ ଯେଉଁଠାରୁ ସେମାନେ ପଳାଇ ପାରିବେ ନାହିଁ। ପ୍ରତ୍ୟେକ ଲଢ଼େଇରେ Tordenskjold ଏକ କଥା ପ୍ରମାଣ କଲେ ଯେ ଶକ୍ତି କେଵଳ ଅସ୍ତ୍ରଶସ୍ତ୍ରରେ ନୁହେଁ ଶକ୍ତି ଥାଏ ଚିନ୍ତାଧାରା,ସାହସ ଓ ମନୋଵଳରେ। 
କିନ୍ତୁ Tordenskjoldଙ୍କ ଜୀଵନ ଦୀର୍ଘ ନ ଥିଲା।
ସନ୍ ୧୭୨୦ରେ ମାତ୍ର ତିରିଶ ଵର୍ଷ ଵୟସରେ — Hannoverରେ ଵ୍ୟକ୍ତିଗତ ଵିଵାଦ ଯୋଗୁଁ ଦ୍ୱନ୍ଦ୍ୱଯୁଦ୍ଧରେ ତାଙ୍କର ମୃତ୍ୟୁ ହେଲା। 
ଯେଉଁ ଵ୍ୟକ୍ତି ଶହ ଶହ ତୋପ ଯୋଗୁଁ ମରିଲେ ନାହିଁ — ସେ ଏକ ଖଣ୍ଡା ଆଘାତ ଯୋଗୁଁ ମରିଗଲେ।
କହାଯାଏ ସେହିଦିନ Norwayର ସମ୍ପୂର୍ଣ୍ଣ ସମୁଦ୍ର କାନ୍ଦିଥିଲା। କିନ୍ତୁ ମୃତ୍ୟୁ ଯାହା କରି ପାରିଲା ନାହିଁ, ସମୟ ମଧ୍ୟ ତାହା କରି ପାରିଲା ନାହିଁ — Tordenskjoldଙ୍କ ନାଁ ଅମର ହୋଇଗଲା।
Norwayରେ ଆଜି ବି ତାଙ୍କର ମୂର୍ତ୍ତି ଅଛି। ତାଙ୍କ ନାଆଁରେ ଜାହାଜ, ରାସ୍ତା, ଵିଦ୍ୟାଳୟ ଅଛି।
ଆଉ ଯେତେବେଳେ Norwayର ପିଲାମାନେ ସମୁଦ୍ର ଆଡ଼କୁ ଦେଖନ୍ତି — ତେବେ କୋଉଠି ନା କୋଉଠି ସେମାନଙ୍କୁ ଲାଗେ —କୋଉଠି ଦୂରରେ, ସମୁଦ୍ର ଲହରୀଗୁଡ଼ିକ ମଧ୍ୟରେ, ଏକ ଛୋଟ ଜାହାଜ ଅଛି। ତାହାର ଡେକ୍ ଉପରେ ଏକ ଯୁଵକ ଠିଆ ହୋଇଛନ୍ତି ଆଉ ସେ ହସୁଛନ୍ତି। ସେହି ଏକ ମୁହୂର୍ତ୍ତ ଯାହା ସବୁଠାରୁ ବଡ଼ ଥିଲା କିନ୍ତୁ ଏହି ସବୁ ଲଢ଼େଇ ମଧ୍ୟରେ — ଏହି ସବୁ ଜୟ ମଧ୍ୟରେ — ଏକ ମୁହୂର୍ତ୍ତ ସବୁଠାରୁ ଭିନ୍ନ ଥିଲା। ୨୬ ଜୁଲାଇ, ୧୭୧୫।
Lindesnesର ତଟର ସେହି ଘଟଣା ।
ଯେତେବେଳେ ଗୋଳା ଶେଷ ହୋଇଯାଇଥିଲା। ଯେତେବେଳେ ପରାଜୟ ନିକଟତର ଥିଲା। ଯେତେବେଳେ କୌଣସି ରାସ୍ତା ଦେଖାଯାଉ ନ ଥିଲା।
ଆଉ Peter Wessel ହସି କହିଥିଲେ — “ଧଳା ପତକା ଉଠାଅ। ଆଉ ଶତ୍ରୁଠାରୁ ବାରୁଦ ମାଗ।”
ଏହି ଏକ ମୁହୂର୍ତ୍ତରେ — ଏହି ଏକ ଵାକ୍ୟରେ — Peter Wessel ଵିଶ୍ୱକୁ କହିଦେଇଥିଲେ ଯେ ପ୍ରକୃତ ନେତୃତ୍ୱ କ’ଣ ହୁଏ। ପ୍ରକୃତ ନେତୃତ୍ୱ ତାହା ନୁହେଁ ଯାହା ସବୁ ଠିକ୍ ଥିଵା ସମୟରେ ଆଗକୁ ବଢ଼େ। ପ୍ରକୃତ ନେତୃତ୍ୱ ତାହା ଯାହା ସବୁ ଭୁଲ୍ ହେଵା ସତ୍ତ୍ୱେ ମଧ୍ୟ — ହସେ। ଚିନ୍ତା କରେ। ଆଉ ରାସ୍ତା ବାହାର କରେ। ପରାଜୟର ସବୁଠାରୁ ନିକଟରେ ପହଞ୍ଚି ମଧ୍ୟ ହସି ପାରିଵା — ଏହା ହିଁ Tordenskjoldଙ୍କର ପ୍ରକୃତ ଢାଲ ଥିଲା।
ତୋପଗୁଡ଼ିକରେ ଜଙ୍ଗ୍ ଲାଗିଯାଏ। ଜାହାଜଗୁଡ଼ିକ ଭାଙ୍ଗିଯାଏ। ବାରୁଦ ଶେଷ ହୁଏ।
କିନ୍ତୁ ସାହସ — ସାହସ କଦାପି ଶେଷ ହୁଏ ନାହିଁ।
ଆଜି ବି ଯେତେବେଳେ ଉତ୍ତର ସାଗରରେ ଝଡ଼ ଆସେ। ଯେତେବେଳେ Lindesnesର ଚଟ୍ଟାଣରୁ ଲହରୀଗୁଡ଼ିକ ଧକ୍କା ଖାଏ। ଯେତେବେଳେ ରାତିର ଅନ୍ଧାରରେ ପଵନ ସନସନ କରେ। ସେତେବେଳେ ଲାଗେ — କୋଉଠୁ ଏକ ସ୍ୱର ଆସୁଛି। ଧୀରେ। ବହୁତ ଧୀରେ। କିନ୍ତୁ ସ୍ପଷ୍ଟ। Tordenskjold ! Tordenskjold ! ଝଡ଼ର ଢାଲ। ଯାହା ଭାଙ୍ଗି ନାହିଁ। ଯାହା ନଇଁ ନାହିଁ। ଯାହା ଭୀଷଣ ଝଡ଼ ତୋଫାନ ମଧ୍ୟରେ ବି ହସୁଥିଲା। ଆଉ ଇତିହାସ — ଯିଏ ସତ୍ୟକୁ ମନେ ରଖେ ସିଏ ଆଜି ବି କହୁଛି:
ସେହିଦିନ Lindesnes ନିକଟରେ ଯାହା ଘଟିଥିଲା, ତାହା କୌଣସି ସାଧାରଣ ସାମୁଦ୍ରିକ ଲଢ଼େଇ ନ ଥିଲା। ତାହା ଜଣେ ମଣିଷର କାହାଣୀ ଥିଲା — ଯିଏ ଦେଖାଇଦେଲେ ଯେ ଯେତେବେଳେ ଅସ୍ତ୍ରଶସ୍ତ୍ର ଶେଷ ହୋଇଯାଏ ସେତେବେଳେ ବୁଦ୍ଧି ଓ ସାହସ ହିଁ ସବୁଠାରୁ ବଡ଼ ହତିଆର ହୁଏ।

Sunday, October 26, 2025

କ’ଣ ଇଂଲଣ୍ଡ ଓ ୟୁରୋପରେ ଆଗେ ଜଣେ ଜଣେ ଚାଳିଶଟି ଲେଖାଏଁ ଵିଵାହ କରୁଥିଲେ ?

ଥରେ ଏକ ଭାଷଣରେ ରାଜୀଵ ଦିକ୍ଷୀତ ଇଂଲଣ୍ଡର ସଂସ୍କୃତିରେ ଵିଵାହ ଓ ଛାଡ଼ପତ୍ର ସମ୍ଵନ୍ଧରେ କହିଥିଲେ “इंग्लैंड की सभ्यता में एक सबसे खराब बात जो आपको कभी पसंद नहीं आएगी, वह यह है कि वहां एक स्त्री और एक पुरुष जिंदगी भर साथ नहीं रहते। वे एक-दूसरे को बदलते रहते हैं, जैसे हम कपड़े बदलते हैं। एक पुरुष की कई स्त्रियां हो सकती हैं, और एक स्त्री के कई पुरुष हो सकते हैं। मेरे कई दोस्त हैं इंग्लैंड और यूरोप में, जिनकी 40-40 शादियां हो चुकी हैं और वे 41वीं करने को भी तैयार हैं।”
ତେଵେ ରାଜୀଵ ଦକ୍ଷୀତଙ୍କ ଏହି ମନ୍ତଵ୍ୟ କେତେ ଦୂର ଯଥାର୍ଥ ଚାଲନ୍ତୁ ଏ ଵିଷୟରେ ଆଲୋଚନା କରି ଦେଖିଵା ! 

ରୋମାନ୍ କାଳ ପୂର୍ଵର ୟୁରୋପୀୟ ସଭ୍ୟତାଗୁଡ଼ିକରେ ଵିଵାହ ପ୍ରଥା ଵହୁତ ଵିଵିଧ ଓ ସାଂସ୍କୃତିକ ମୂଲ୍ୟଵୋଧ ଆଧାରିତ ଥିଲା। ଗ୍ରୀକ୍, କେଲ୍ଟିକ୍, ପ୍ରାଚୀନ ଜର୍ମାନ୍, ନୋର୍ସ୍ ଓ ସାକ୍ସନ୍ ସଂସ୍କୃତିଗୁଡ଼ିକରେ ଵିଵାହ କେଵଳ ଦୁଇ ଵ୍ୟକ୍ତିଙ୍କ ମଧ୍ୟରେ ସମ୍ପର୍କ ନୁହେଁ, ଵରଂ ପରିଵାର, ସମାଜ ଏଵଂ ଧର୍ମୀୟ ଵିଶ୍ୱାସର ଏକ ମହତ୍ୱପୂର୍ଣ୍ଣ ଅଂଶ ଥିଲା। ଏହି ସଭ୍ୟତାଗୁଡ଼ିକରେ ଵିଵାହ ପ୍ରଥା ପ୍ରାୟତଃ ପରିଵାର ଦ୍ୱାରା ନିର୍ଦ୍ଧାରିତ ହେଉଥିଲା ଯେଉଁଥିରେ ଅର୍ଥନୈତିକ, ସାମାଜିକ ଏଵଂ ରାଜନୈତିକ ଉଦ୍ଦେଶ୍ୟ ମୁଖ୍ୟ ଭୂମିକା ନେଉଥିଲା। ଉଦାହରଣ ସ୍ୱରୂପ, ପ୍ରାଚୀନ ଗ୍ରୀକ୍ ସମାଜରେ ଵିଵାହ ଏକ ଆଇନଗତ ଚୁକ୍ତି ଭାଵରେ ଦେଖାଯାଉଥିଲା, ଯେଉଁଥିରେ କନ୍ୟାର ପିତା ତାଙ୍କୁ ଵରର ହାତରେ ସମର୍ପଣ କରୁଥିଲେ। କେଲ୍ଟିକ୍ ସଂସ୍କୃତିରେ ମହିଳାମାନଙ୍କର ଅଧିକାର ଅଧିକ ଥିଲା ଏଵଂ ଵିଵାହ ଏକ ସମାନତାର ସମ୍ପର୍କ ଭାଵରେ ଵିଵେଚିତ ହେଉଥିଲା। ପ୍ରାଚୀନ ଜର୍ମାନ୍ ଜାତିଗୁଡ଼ିକରେ ଵିଵାହ ପ୍ରଥା ପ୍ରାୟତଃ କ୍ରୟ-ଵିକ୍ରୟ ଭଳି ଥିଲା, ଯେଉଁଥିରେ ଵର କନ୍ୟାର ପରିଵାରକୁ ଯୌତୁକ ଦେଉଥିଲେ। ନୋର୍ସ୍ ଏଵଂ ସାକ୍ସନ୍ ସମାଜରେ ଵିଵାହ ଧର୍ମୀୟ ଅନୁଷ୍ଠାନ ଏଵଂ ପରିଵାର ସମ୍ମାନର ସଂଯୋଗ ଥିଲା। ଏହି ପ୍ରଥାଗୁଡ଼ିକ ସମୟ ସହିତ ଵିକଶିତ ହୋଇଛି, କିନ୍ତୁ ପ୍ରାଚୀନ ପରମ୍ପରାର କେତେକ ଉପାଦାନ ଆଜି ଵି ଆଧୁନିକ ଵିଵାହ ରୀତିରେ ଦେଖାଯାଏ।

ପ୍ରାଚୀନ ଗ୍ରୀକ୍ ସଭ୍ୟତାରେ ଵିଵାହ ପ୍ରଥା ଵହୁତ ନିୟମିତ ଏଵଂ ସାମାଜିକ ଆଧାରିତ ଥିଲା। ଗ୍ରୀକ୍ ସମାଜରେ ଵିଵାହ ଏକ ଆଇନଗତ ଏଵଂ ଧର୍ମୀୟ ଅନୁଷ୍ଠାନ ଥିଲା ଯାହା ପ୍ରାୟତଃ ପରିଵାର ଦ୍ୱାରା ନିର୍ଦ୍ଧାରିତ ହେଉଥିଲା। କନ୍ୟାମାନେ ସାଧାରଣତଃ ୧୪ ରୁ ୧୬ ଵର୍ଷ ଵୟସରେ ଵିଵାହ କରୁଥିଲେ, ଵରମାନେ ୩୦ ଵର୍ଷ ଵୟସ୍କ ର୍ଯ୍ୟନ୍ତ ହେଉଥିଲେ। ଵିଵାହ ପୂର୍ଵରୁ ଏକ ଯୌତୁକ ଦିଆଯାଉଥିଲା, ଯାହା କନ୍ୟାର ପିତାଙ୍କ ଦ୍ୱାରା ପ୍ରଦାନ କରାଯାଉଥିଲା। ଵିଵାହ ଅନୁଷ୍ଠାନ ତିନି ଦିନ ଵ୍ୟାପି ଥିଲା: ପ୍ରୋଲିଆ (ପ୍ରସ୍ତୁତି ଦିଵସ), ଗାମୋସ୍ (ଵିଵାହ ଦିଵସ) ଏଵଂ ଏପୋଲିଆ (ପରଵର୍ତ୍ତୀ ଦିଵସ)। ପ୍ରୋଲିଆରେ କନ୍ୟା ଏଵଂ ଵର ଦେଵତାମାନଙ୍କୁ ଵଳିଦାନ ଦେଉଥିଲେ ଏଵଂ ପରିଵାର ଉପହାର ଵିନିମୟ କରୁଥିଲେ। ଗାମୋସ୍ ଦିନରେ କନ୍ୟାକୁ ଵରର ଘରକୁ ନିଆଯାଉଥିଲା, ଯେଉଁଥିରେ ଏକ ଶୋଭାଯାତ୍ରା ଏଵଂ ଭୋଜି ହେଉଥିଲା। ଏପୋଲିଆରେ ନୂଆ ଦମ୍ପତିଙ୍କୁ ଉପହାର ଦିଆଯାଉଥିଲା। ଗ୍ରୀକ୍ ଵିଵାହରେ ମହିଳାମାନଙ୍କର ଭୂମିକା ପ୍ରାୟତଃ ପରିଵାର ସଂରକ୍ଷଣ ଏଵଂ ସନ୍ତାନ ଉତ୍ପାଦନରେ ସୀମିତ ଥିଲା, କିନ୍ତୁ ସ୍ପାର୍ଟା ଭଳି କିଛି ନଗରରାଜ୍ୟରେ ମହିଳାମାନଙ୍କର ଅଧିକ ସ୍ୱାଧୀନତା ଥିଲା।

କେଲ୍ଟିକ୍ ସଂସ୍କୃତିରେ ଵିଵାହ ପ୍ରଥା ଅଧିକ ସମାନତାପୂର୍ଣ୍ଣ ଏଵଂ ପ୍ରକୃତି ସହିତ ଜଡ଼ିତ ଥିଲା। କେଲ୍ଟ୍‌ଲୋକମାନେ ପ୍ରାଚୀନ ଯୁରୋପରେ ଵାସ କରୁଥିଲେ ଏଵଂ ସେମାନଙ୍କର ଵିଵାହ ଅନୁଷ୍ଠାନ ପ୍ରାୟତଃ ଜଳାଶୟ ନିକଟରେ ହେଉଥିଲା, ଯାହା ଦେଵତାମାନଙ୍କର ଆଶୀର୍ଵାଦର ପ୍ରତୀକ ଥିଲା। ହ୍ୟାଣ୍ଡଫାଷ୍ଟିଙ୍ଗ୍ ଏକ ମୁଖ୍ୟ ରୀତି ଥିଲା, ଯେଉଁଥିରେ ଵର ଏଵଂ କନ୍ୟାଙ୍କ ହାତକୁ ରିଵନ୍ ଦ୍ୱାରା ଵାନ୍ଧାଯାଉଥିଲା, ଯାହା ସେମାନଙ୍କର ଏକତାର ପ୍ରତୀକ। କେଲ୍ଟ୍ ମହିଳାମାନେ ସ୍ୱାଧୀନ ଥିଲେ ଏଵଂ ସେମାନଙ୍କର ଵିଵାହରେ ସହମତି ଆଵଶ୍ୟକ ଥିଲା। ଵିଵାହରେ ଵହୁଵିଵାହ ଅନୁମୋଦିତ ଥିଲା ଏଵଂ ଆଇନରେ ତିନି ପ୍ରକାରର ପତ୍ନୀର ଵର୍ଗୀକରଣ ଥିଲା। ଵିଵାହ ଅନୁଷ୍ଠାନରେ ଵଳିଦାନ, ଆଶୀର୍ଵାଦ ଏଵଂ ପ୍ରାର୍ଥନା ଅନ୍ତର୍ଭୁକ୍ତ ଥିଲା। ଅତିଥିମାନେ ପାଣିରେ ପଥର ଫୋପାଡ଼ି ଇଚ୍ଛା ପ୍ରକାଶ କରୁଥିଲେ। ଏହି ପ୍ରଥାଗୁଡ଼ିକ ଆଜି ଵି ଆଇରିଶ୍ ଏଵଂ ସ୍କଟିଶ୍ ଵିଵାହରେ ଦେଖାଯାଏ।

ପ୍ରାଚୀନ ଜର୍ମାନ୍ ଜାତିଗୁଡ଼ିକରେ ଵିଵାହ ପ୍ରଥା ପ୍ରାୟତଃ ପରିଵାର ଦ୍ୱାରା ଆୟୋଜିତ ଥିଲା। ମହିଳାମାନେ ୧୭ ଵର୍ଷ ପରେ ଏଵଂ ପୁରୁଷମାନେ ୨୨ ଵର୍ଷ ପରେ ଵିଵାହ କରୁଥିଲେ। ଵିଵାହ ଦୁଇ ପ୍ରକାରର ଥିଲା: ଯୌତୁକ ଆଧାରିତ ଏଵଂ ପ୍ରେମ ଆଧାରିତ। ମହିଳାମାନେ ଦୁର୍ଵ୍ୟଵହାରର କ୍ଷେତ୍ରରେ ଵିଵାହ ଵିଚ୍ଛେଦ କରିପାରୁଥିଲେ। ଫ୍ରିଡେଲେହେ ନାମକ ଏକ ପ୍ରଥା ଥିଲା, ଯାହା ପ୍ରେମ ଵିଵାହକୁ ସୂଚିତ କରୁଥିଲା। ଵିଵାହରେ ବହୁଵିଵାହ ଅନୁମୋଦିତ ଥିଲା, କିନ୍ତୁ କନ୍ୟାମାନଙ୍କ ଶୁଦ୍ଧତା ଆଵଶ୍ୟକ ଥିଲା। ଏହି ପ୍ରଥାଗୁଡ଼ିକ ଜର୍ମାନ୍ ସମାଜର ସାମାଜିକ ଗଠନକୁ ପ୍ରତିଫଳିତ କରୁଥିଲା।

ନୋର୍ସ୍ କିମ୍ଵା ଵାଇକିଙ୍ଗ୍ ସଂସ୍କୃତିରେ ଵିଵାହ ଏକ ଚୁକ୍ତିଭିତ୍ତିକ ଵ୍ୟଵସ୍ଥା ଥିଲା। ଵିଵାହ ଶୁକ୍ରଵାରରେ ହେଉଥିଲା, ଯାହା ଫ୍ରିଗ୍ କିମ୍ଵା ଫ୍ରେୟା ଦେଵୀଙ୍କର ଦିନ ଥିଲା। ହ୍ୟାଣ୍ଡଫାଷ୍ଟିଙ୍ଗ୍, ତରୱାଲ ଅନୁଷ୍ଠାନ ଏଵଂ ମିଡ୍ ପାନୀୟ ଵିନିମୟ ମୁଖ୍ୟ ରୀତି ଥିଲା। ଵର ଏଵଂ କନ୍ୟା ଵିଵାହ ପୂର୍ଵରୁ ସ୍ନାନ କରୁଥିଲେ। ଵିଵାହରେ ଦେଵତାମାନଙ୍କୁ ଵଳିଦାନ ଦିଆଯାଉଥିଲା। ମହିଳାମାନେ ଵିଵାହ ଵିଚ୍ଛେଦ କରିପାରୁଥିଲେ ଏଵଂ ସମ୍ପତ୍ତି ଅଧିକାର ରଖୁଥିଲେ। ଏହି ପ୍ରଥାଗୁଡ଼ିକ ନୋର୍ସ୍ ସମାଜର ଯୋଦ୍ଧା ସଂସ୍କୃତିକୁ ପ୍ରତିଫଳିତ କରୁଥିଲା।

ସାକ୍ସନ୍ କିମ୍ଵା ଆଙ୍ଗ୍ଲୋ-ସାକ୍ସନ୍ ସଂସ୍କୃତିରେ ଵିଵାହ ପ୍ରଥା ପ୍ରାୟତଃ କ୍ରୟ ଆଧାରିତ ଥିଲା। ଵର କନ୍ୟାର ପରିଵାରକୁ ଯୌତୁକ ଦେଉଥିଲେ। ଵିଵାହ ଅନୁଷ୍ଠାନରେ ତରୱାଲ ଵିନିମୟ, ହାତ ଵନ୍ଧନ ଏଵଂ ଭୋଜି ଅନ୍ତର୍ଭୁକ୍ତ ଥିଲା। ମହିଳାମାନେ ଵିଵାହ ଵିଚ୍ଛେଦ କରିପାରୁଥିଲେ ଏଵଂ ସମ୍ପତ୍ତି ଅଧିକାର ରଖୁଥିଲେ। ଵିଵାହ ପୂର୍ଵରୁ ଦମ୍ପତି ସ୍ନାନ କରୁଥିଲେ ଏଵଂ ଵିଵାହ ଦିନରେ ଉପହାର ଵିନିମୟ ହେଉଥିଲା। ଏହି ପ୍ରଥାଗୁଡ଼ିକ ଆଙ୍ଗ୍ଲୋ-ସାକ୍ସନ୍ ଆଇନର ଅଂଶ ଥିଲା।

ଏହି ସଭ୍ୟତାଗୁଡ଼ିକର ଵିଵାହ ପ୍ରଥାର ଵିସ୍ତାର କରିଵାକୁ ଗଲେ, ଆମେ ଦେଖୁ ଯେ ସେମାନେ ସାମାଜିକ ଗଠନ, ଧର୍ମ ଏଵଂ ଅର୍ଥନୀତିର ପ୍ରତିଫଳନ ଥିଲେ। ପ୍ରାଚୀନ ଗ୍ରୀକ୍‌ରେ ଵିଵାହ ପୁରୁଷପ୍ରଧାନ ଥିଲା ଯେଉଁଥିରେ ମହିଳାମାନେ ପରିଵାରର ଅଂଶ ହୋଇଯାଉଥିଲେ। କନ୍ୟାର ପିତା ଵରକୁ ଚୟନ କରୁଥିଲେ, ଏଵଂ ଯୌତୁକ ଏକ ମହତ୍ୱପୂର୍ଣ୍ଣ ଅଂଶ ଥିଲା। ଵିଵାହ ଶୋଭାଯାତ୍ରାରେ କନ୍ୟାକୁ ଘୋଡ଼ାଗାଡ଼ିରେ ନିଆଯାଉଥିଲା ଏଵଂ ଵରଘରେ ଭୋଜି ହେଉଥିଲା। ଦେଵୀ ହେରାଙ୍କର ଆଶୀର୍ଵାଦ ଆଵଶ୍ୟକ ଥିଲା କାରଣ ସେ ଵିଵାହର ଦେଵୀ ଥିଲେ। ଶୀତକାଳୀନ ଵିଵାହ ଲୋକପ୍ରିୟ ଥିଲା କାରଣ ଏହା ହେରାଙ୍କର ପ୍ରିୟ ସମୟ ବୋଲି ଲୋକଵିଶ୍ଵାସ ପ୍ରଚଳିତ ଥିଲା। ଵିଵାହରେ ଵଳିଦାନ ଏଵଂ ନୃତ୍ୟ ଅନ୍ତର୍ଭୁକ୍ତ ଥିଲା। ଵିଵାହ ଵିଚ୍ଛେଦ ସମ୍ଭଵ ଥିଲା, କିନ୍ତୁ ପୁରୁଷମାନଙ୍କ ପାଇଁ ସହଜ ଥିଲା।

କେଲ୍ଟିକ୍ ଵିଵାହରେ ମହିଳାମାନଙ୍କର ସ୍ଥିତି ଉଚ୍ଚ ଥିଲା। ସେମାନେ ସମ୍ପତ୍ତି ରଖିପାରୁଥିଲେ ଏଵଂ ଵିଵାହ ଵିଚ୍ଛେଦରେ ଅଧିକାର ପାଇଥିଲେ। ଵିଵାହ ଅନୁଷ୍ଠାନରେ କାଇମ୍ ନାମକ ଏକ ପ୍ରାର୍ଥନା ଥିଲା, ଯାହା ସୁରକ୍ଷାର ପ୍ରତୀକ। ହ୍ୟାଣ୍ଡଫାଷ୍ଟିଙ୍ଗ୍ ରୀତି ଆଜି ବି ଲୋକପ୍ରିୟ, ଯେଉଁଠାରେ ହାତକୁ ବନ୍ଧାଯାଏ । ଵିଵାହରେ ମୁଦି ବିନିମୟ,ଵରକନ୍ୟା ମିଶି ଆଲୋକ ପ୍ରଜ୍ଵଳନ ଏଵଂ ଶପଥ ନେଵା ଅନ୍ତର୍ଭୁକ୍ତ ଥିଲା। କେଲ୍ଟ୍ ଲୋକମାନେ ପ୍ରକୃତି ଦେଵତାମାନଙ୍କୁ ଵିଶ୍ୱାସ କରୁଥିଲେ ତେଣୁ ଵିଵାହ ଵହିର୍ଭୂମିରେ ହେଉଥିଲା। ଵିଵାହ ପରେ ଦମ୍ପତି ଏକ ନୂଆ ଜୀଵନ ଆରମ୍ଭ କରୁଥିଲେ । 

ପ୍ରାଚୀନ ଜର୍ମାନ୍ ଜାତିଗୁଡ଼ିକରେ ଵିଵାହ ଏକ ସାମାଜିକ ଚୁକ୍ତି ଥିଲା। ପରିଵାରମାନେ ଵିଵାହ ନିର୍ଦ୍ଧାରଣ କରୁଥିଲେ ଏଵଂ ଯୌତୁକ ଦିଆଯାଉଥିଲା। ମହିଳାମାନେ ସ୍ୱାମୀର ସହାୟକ ଭାଵରେ ଵିଚାର୍ଯ୍ୟ ହେଉଥିଲେ କିନ୍ତୁ ସେମାନଙ୍କର ମଧ୍ୟ ସମାଜରେ ଅଧିକାର ଥିଲା। ଵିଵାହରେ ଵହୁଵିଵାହ ଅନୁମୋଦିତ ଥିଲା କିନ୍ତୁ କନ୍ୟାମାନଙ୍କର ଚରିତ୍ର ଶୁଦ୍ଧତା ଉପରେ ଗୁରୁତ୍ୱ ଦିଆଯାଉଥିଲା। ଵିଵାହ ଅନୁଷ୍ଠାନରେ ଉପହାର ଵିନିମୟ ଏଵଂ ଭୋଜି ଦେଵାର ଵ୍ୟଵସ୍ଥା ପ୍ରଚଳିତ ଥିଲା। ଏହି ପ୍ରଥାଗୁଡ଼ିକ ଜର୍ମାନ୍ ଆଇନରେ ଲିପିଵଦ୍ଧ ଥିଲା। ଵିଵାହ ଵିଚ୍ଛେଦରେ ମହିଳାମାନେ ଯୌତୁକ ଫେରସ୍ତ ପାଉଥିଲେ।

ନୋର୍ସ (Norse) ଵିଵାହରେ ଧାର୍ମିକ ଅଂଶ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ଥିଲା। ଦେଵତାମାନଙ୍କୁ (ଯଥା- ଓଡିନ୍ ଵା ଫ୍ରେୟା) ଆଶୀର୍ଵାଦ କାମନା କରି ବଳି ଦିଆଯାଉଥିଲା। ହ୍ୟାଣ୍ଡଫାଷ୍ଟିଙ୍ଗ୍ ରୀତିରେ ଵର ଓ କନ୍ୟାଙ୍କ ହାତକୁ ଏକ ପଟିରେ ବାନ୍ଧି ସେମାନେ ପରସ୍ପର ପ୍ରତି ଶପଥ ନେଉଥିଲେ। ଅସ୍ତ୍ର ଅନୁଷ୍ଠାନରେ ଵର କନ୍ୟାକୁ ସୁରକ୍ଷାର ପ୍ରତୀକ ଭାବେ ଖଣ୍ଡା ଵା ଅନ୍ୟ ଅସ୍ତ୍ର ପ୍ରଦାନ କରୁଥିଲେ। ମିଡ୍ ପାନୀୟ ଵିନିମୟ ଏକତା ଓ ପ୍ରେମର ପ୍ରତୀକ ଥିଲା। ଵିଵାହ ପରେ ଦମ୍ପତି ଏକ ହନିମୁନ୍ ଭଳି ସମୟ ବିତାଉଥିଲେ ଏଵଂ ଏହି ସମୟରେ ସେମାନେ ମିଡ୍ ପାନ କରି ସୁଖମୟ ଦାମ୍ପତ୍ୟ ଜୀଵନ ପାଇଁ ଆଶୀର୍ଵାଦ କାମନା କରୁଥିଲେ। ତତ୍କାଳୀନ ସମୟରେ ମହୁ (honey), ଜଳ ଓ ଖମୀର (yeast) ମିଶାଇ fermentation ପ୍ରକ୍ରିୟା ଦ୍ବାରା ଏକ ପ୍ରାଚୀନ ମଦ୍ୟପାନୀୟ ତିଆରି ହେଉଥିଲା ଯାହାର ନାଆଁ ଥିଲା ମିଡ୍। ନୋର୍ସ ସଂସ୍କୃତିରେ ଏହା ପଵିତ୍ର ଵିଵେଚିତ ହେଉଥିଲା ଏଵଂ ଧାର୍ମିକ ଅନୁଷ୍ଠାନ ତଥା ଉତ୍ସଵଗୁଡ଼ିକରେ ଵ୍ୟଵହୃତ ହେଉଥିଲା। ଵିଵାହରେ, ମିଡ୍ ଵିନିମୟ ଏକ ଗୁରୁତ୍ଵପୂର୍ଣ୍ଣ ରୀତି ଥିଲା ଏଵଂ ଵର ଓ କନ୍ୟା ଏକ ସାଧାରଣ ପାତ୍ରରୁ ମିଡ୍ ପାନ କରୁଥିଲେ। ଏହା ସେମାନଙ୍କ ମଧ୍ୟରେ ଏକତା, ପାରସ୍ପରିକ ପ୍ରତିବଦ୍ଧତା ଓ ପ୍ରେମର ପ୍ରତୀକ ଥିଲା। ଏହା ମଧ୍ୟ ଦେଵତାମାନଙ୍କୁ ସମ୍ମାନ ଜଣାଇଵା ଏଵଂ ସେମାନଙ୍କ ଆଶୀର୍ଵାଦ ଲାଭର ଏକ ଉପାୟ ଥିଲା ବୋଲି ସ୍ଥାନୀୟ ଲୋକଵିଶ୍ଵାସ ରହିଥିଲା । ବିବାହ ପରେ, ଦମ୍ପତି ଏକ ମାସ ପର୍ଯ୍ୟନ୍ତ (ଵା ଏକ "ମହୁ ଚନ୍ଦ୍ର") ମିଡ୍ ପାନ କରୁଥିଲେ, ଯାହା ସୁଖ ଓ ସମୃଦ୍ଧ ଦାମ୍ପତ୍ୟ ଜୀଵନର ପ୍ରତୀକ ଥିଲା। ଏହି ରୀତିରୁ "ହନିମୁନ" (honeymoon) ଶବ୍ଦଟି ଉତ୍ପନ୍ନ ହୋଇଥିଵା ଵିଶ୍ବାସ କରାଯାଏ, ଯେହେତୁ "honey" (ମହୁ) ଏଵଂ "moon" (ଚନ୍ଦ୍ର/ମାସ) ଏହି ପରମ୍ପରା ସହ ଜଡ଼ିତ।

ସାକ୍ସନ୍ ଵିଵାହରେ କ୍ରୟ ପ୍ରଥା ପ୍ରଚଳିତ ଥିଲା। ଵର କନ୍ୟାର ମୂଲ୍ୟ ଦେଉଥିଲେ। ଵିଵାହ ଅନୁଷ୍ଠାନରେ ହାଲୋଇଙ୍ଗ୍, ଯୌତୁକ ଵିନିମୟ ଏଵଂ ତରୱାଲ ଦାନ ଥିଲା। ମହିଳାମାନେ ଵିଵାହ ଵିଚ୍ଛେଦରେ ଅଧିକାର ରଖୁଥିଲେ। ଵିଵାହ ପରିଵାରର ସମ୍ମାନ ଵଢ଼ାଉଥିଲା।

ଏହି ପ୍ରଥାଗୁଡ଼ିକର ତୁଳନା କରିଵାକୁ ଗଲେ, ଆମେ ଦେଖୁ ଯେ ଗ୍ରୀକ୍ ଏଵଂ ଜର୍ମାନ୍ ସଂସ୍କୃତିରେ ପୁରୁଷପ୍ରଧାନତା ଅଧିକ ଥିଲାବେଳେ କେଲ୍ଟିକ୍ ଏଵଂ ନୋର୍ସ୍ ପରମ୍ପରାରେ ମହିଳାମାନଙ୍କର ସ୍ଥିତି ଉନ୍ନତ ଥିଲା। ସମସ୍ତ ୟୁରୋପୀୟ ପରମ୍ପରାରେ ଯୌତୁକ, ଵଳିଦାନ ଏଵଂ ଭୋଜି ସାଧାରଣ ଥିଲା। ଏହି ପ୍ରଥାଗୁଡ଼ିକ ଆଧୁନିକ ଵିଵାହର ଆଧାର ସ୍ଥାପନ କରିଛି।

ରୋମାନ ସଭ୍ୟତାରେ ଵିଵାହ (matrimonium) ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଓ ରାଜନୈତିକ ପ୍ରତିଷ୍ଠାନ ଥିଲା। ରୋମାନ ସମାଜରେ ଵିଵାହ ମୁଖ୍ୟତଃ ପରିଵାରର ସମ୍ପତ୍ତି, ସାମାଜିକ ସ୍ଥିତି ଓ ରାଜନୈତିକ ସମ୍ପର୍କକୁ ସୁଦୃଢ଼ କରିଵା ପାଇଁ ଵ୍ୟଵହୃତ ହେଉଥିଲା। ରୋମାନ ଵିଵାହ ଦୁଇ ପ୍ରକାରରେ ଵିଭକ୍ତ ଥିଲା । 
1.cum manu 
ଏଥିରେ ସ୍ତ୍ରୀ ପୁରୁଷଙ୍କ ଅଧୀନତାରେ ଆସୁଥିଲେ
2.sine manu
ଏଥିରେ ସ୍ତ୍ରୀ ତାଙ୍କ ପିତାଙ୍କ ଅଧୀନରେ ରହୁଥିଲେ
ପରଵର୍ତ୍ତୀ କାଳରେ sine manu ଵିଵାହ ଅଧିକ ଲୋକପ୍ରିୟ ହୋଇଥିଲା, ଯାହା ସ୍ତ୍ରୀମାନଙ୍କୁ ଅପେକ୍ଷାକୃତ ଅଧିକ ସ୍ୱାଧୀନତା ପ୍ରଦାନ କରୁଥିଲା।

ରୋମାନ ସମାଜରେ ଏକଵିଵାହ ମୁଖ୍ୟ ପ୍ରଥା ଥିଲା, ଏଵଂ ଵିଵାହ ଏକ ସ୍ଥାୟୀ ସମ୍ପର୍କ ଭାଵେ ଗଣା ହେଉଥିଲା। ତଥାପି, ଛାଡ଼ପତ୍ର (divortium) ରୋମାନ ଆଇନରେ ଅନୁମୋଦିତ ଥିଲା ଏଵଂ ଏହା ଉଭୟ ପୁରୁଷ ଓ ସ୍ତ୍ରୀ ପାଇଁ ସମ୍ଭଵ ଥିଲା। ଛାଡ଼ପତ୍ରର କାରଣ ମଧ୍ୟରେ ଵ୍ୟଭିଚାର, ଵନ୍ଧ୍ୟାତ୍ୱ ଵା ଅନ୍ୟାନ୍ୟ ସାମାଜିକ କାରଣ ଥାଇପାରେ। କିନ୍ତୁ ଛାଡ଼ପତ୍ର ସାଧାରଣ ନଥିଲା ଏଵଂ ଏହା ସାମାଜିକ ସମ୍ମାନ ଉପରେ ପ୍ରଭାଵ ପକାଇପାରୁଥିଲା। ରୋମାନ ସମାଜରେ ଦାମ୍ପତ୍ୟ ନୈତିକତା ସ୍ତ୍ରୀମାନଙ୍କ ପାଇଁ ଅଧିକ କଠୋର ଥିଲା, କାରଣ ସେମାନଙ୍କର ଵିଶ୍ୱସ୍ତତା ପରିଵାରର ସମ୍ମାନ ଓ ଵଂଶାନୁକ୍ରମ ସହ ଜଡ଼ିତ ଥିଲା। ପୁରୁଷମାନେ ଵିଵାହ ଵାହାରେ ସମ୍ପର୍କ ରଖିପାରୁଥିଲେ, କିନ୍ତୁ ଏହା ସାମାଜିକ ଭାଵେ ସମ୍ପୂର୍ଣ୍ଣ ଗ୍ରହଣୀୟ ନଥିଲା।

ରୋମାନ ସଭ୍ୟତାରେ ଵିଵାହର ସ୍ଥାୟୀତ୍ୱ ଓ ନୈତିକତା ଉପରେ ଗୁରୁତ୍ୱ ଦିଆଯାଉଥିଲା, ଯାହା ରାଜୀଵ ଦୀକ୍ଷିତଙ୍କ ମନ୍ତଵ୍ୟକୁ ଖଣ୍ଡନ କରେ। ତାଙ୍କର ଦାଵି ଯେ ୟୁରୋପୀୟ ସଂସ୍କୃତିରେ ଵିଵାହ ଅସ୍ଥିର ଓ ଅନୈତିକ, ରୋମାନ କାଳରେ ପ୍ରଯୁଜ୍ୟ ନୁହେଁ। ରୋମାନ ସମାଜରେ ଵିଵାହ ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଚୁକ୍ତି ଥିଲା, ଏଵଂ ଛାଡ଼ପତ୍ର ଯଦିଓ ଅନୁମୋଦିତ ଥିଲା, ଏହା ଅସାଧାରଣ ଥିଲା।

ମଧ୍ୟଯୁଗୀୟ ୟୁରୋପରେ (ପ୍ରାୟ ୫୦୦-୧୫୦୦ ଖ୍ରୀଷ୍ଟାବ୍ଦ) ଵିଵାହ ପ୍ରଥା ଖ୍ରୀଷ୍ଟୀୟ ଧର୍ମର ପ୍ରଭାଵରେ ଗଢ଼ି ଉଠିଥିଲା। ଖ୍ରୀଷ୍ଟୀୟ ଚର୍ଚ୍ଚ ଵିଵାହକୁ ଏକ ପଵିତ୍ର ସଂସ୍କାର (sacrament) ଭାଵେ ଗ୍ରହଣ କରିଥିଲା, ଯାହା ଈଶ୍ୱରଙ୍କ ସମ୍ମୁଖରେ ଏକ ଅଵିଛେଦ୍ୟ ଵନ୍ଧନ ଥିଲା। ଏକଵିଵାହ ଏକମାତ୍ର ଗ୍ରହଣୀୟ ଵିଵାହ ପ୍ରଥା ଥିଲା ଏଵଂ ଛାଡ଼ପତ୍ର ଚର୍ଚ୍ଚର ନିୟମ ଅନୁସାରେ ପ୍ରାୟତଃ ନିଷିଦ୍ଧ ଥିଲା। କେଵଳ ଅତ୍ୟନ୍ତ ଵିରଳ କ୍ଷେତ୍ରରେ, ଯେପରିକି ଵ୍ୟଭିଚାର ଵା ଵିଵାହର ଅଵୈଧତା (annulment) ପ୍ରମାଣିତ ହେଲେ, ଵିଵାହ ଭାଙ୍ଗିଵା ସମ୍ଭଵ ହେଉଥିଲା।

ମଧ୍ୟଯୁଗୀୟ ସମାଜରେ ଵିଵାହ ମୁଖ୍ୟତଃ ପରିଵାର ଓ ସମ୍ପତ୍ତି ସମ୍ଵନ୍ଧୀୟ ଚୁକ୍ତି ଥିଲା, ଵିଶେଷତଃ ଉଚ୍ଚ ଶ୍ରେଣୀ ଓ ରାଜଵଂଶୀୟ ପରିଵାରମାନଙ୍କ ମଧ୍ୟରେ ଏଭଳି ଵିଵାହ ସମ୍ପର୍କ ଗଢ଼ିଉଠୁଥିଲା । ସାଧାରଣ ଜନତାଙ୍କ ମଧ୍ୟରେ ମଧ୍ୟ ଵିଵାହ ଏକ ସ୍ଥାୟୀ ଵନ୍ଧନ ଭାଵେ ଗଣା ହେଉଥିଲା, ଏଵଂ ଦାମ୍ପତ୍ୟ ନୈତିକତା ଖ୍ରୀଷ୍ଟୀୟ ମୂଲ୍ୟଵୋଧ, ଯେପରିକି ଵିଶ୍ୱସ୍ତତା ଓ ପରିଵାରର ପଵିତ୍ରତା, ଉପରେ ଆଧାରିତ ଥିଲା। ଵିଵାହ ଵାହାରେ ସମ୍ପର୍କ ଵା ଵ୍ୟଭିଚାର ସାମାଜିକ ଓ ଧାର୍ମିକ ଦୃଷ୍ଟିରୁ ନିନ୍ଦନୀୟ ଥିଲା, ଏଵଂ ଏହା ପାଇଁ କଠୋର ଦଣ୍ଡର ଵ୍ୟଵସ୍ଥା ଥିଲା।

ମଧ୍ୟଯୁଗୀୟ ୟୁରୋପରେ ଵିଵାହର ସ୍ଥାୟୀତ୍ୱ ଓ ନୈତିକତା ଉପରେ ଗୁରୁତ୍ୱ ଦିଆଯାଉଥିଲା, ଯାହା ରାଜୀଵ ଦୀକ୍ଷିତଙ୍କ ମନ୍ତଵ୍ୟକୁ ଆହୁରି ଖଣ୍ଡନ କରେ। ତାଙ୍କର ଦାଵି ଯେ ୟୁରୋପୀୟ ସଂସ୍କୃତିରେ ଵିଵାହ ଅସ୍ଥିର ଓ ଅନୈତିକ, ମଧ୍ୟଯୁଗୀୟ କାଳରେ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଖ୍ରୀଷ୍ଟୀୟ ଚର୍ଚ୍ଚର ପ୍ରଭାଵରେ ଵିଵାହ ଏକ ପଵିତ୍ର ଓ ଅଵିଛେଦ୍ୟ ଵନ୍ଧନ ଭାଵେ ଗଣା ହେଉଥିଲା।

ଆଧୁନିକ ୟୁରୋପରେ (୧୬ତମ ଶତାବ୍ଦୀରୁ ଵର୍ତ୍ତମାନ ପର୍ଯ୍ୟନ୍ତ) ଵିଵାହ ପ୍ରଥା ଓ ଦାମ୍ପତ୍ୟ ନୈତିକତା ଵିଭିନ୍ନ ସାମାଜିକ, ଅର୍ଥନୈତିକ ଓ ଧାର୍ମିକ ପରିଵର୍ତ୍ତନରେ ଵିକଶିତ ହୋଇଛି।

ପୁନର୍ଜାଗରଣ ଓ ସଂସ୍କାର ଯୁଗ (୧୬ତମ-୧୭ଶ ଶତାବ୍ଦୀ) ସମୟରେ ଵିଵାହକୁ ଅଧିକ ଵ୍ୟକ୍ତିଗତ ଓ ଭାଵନାତ୍ମକ ସମ୍ପର୍କ ଭାଵେ ଦେଖିଵାକୁ ଆରମ୍ଭ କରିଥିଲା। ପ୍ରୋଟେଷ୍ଟାଣ୍ଟ ସଂସ୍କାର ଵିଵାହକୁ ଏକ ଧାର୍ମିକ ସଂସ୍କାର ଭାଵେ ଗ୍ରହଣ କରିଵା ବଦଳରେ ଏହାକୁ ଏକ ସାମାଜିକ ଚୁକ୍ତି ଭାବେ ଗ୍ରହଣ କରିଥିଲା, ଯାହା ଛାଡ଼ପତ୍ରକୁ କିଛି କ୍ଷେତ୍ରରେ ଅନୁମୋଦନ କରିଥିଲା।

୧୮ଶ ଓ ୧୯ଶ ଶତାବ୍ଦୀରେ ଶିଳ୍ପ ଵିପ୍ଲଵ ଓ ଆଧୁନିକୀକରଣ ସହିତ ଵିଵାହ ପ୍ରଥାରେ ପରିଵର୍ତ୍ତନ ଆସିଥିଲା। ଵିଵାହ ଅଧିକାଂଶ ସମୟରେ ପ୍ରେମ ଓ ଵ୍ୟକ୍ତିଗତ ପସନ୍ଦ ଉପରେ ଆଧାରିତ ହେଵାକୁ ଆରମ୍ଭ କରିଥିଲା, ଯାହା ପୂର୍ଵରୁ ପରିଵାର ଓ ସମାଜ ଦ୍ୱାରା ନିର୍ଦ୍ଧାରିତ ହେଉଥିଲା। ଛାଡ଼ପତ୍ର ଆଇନ ମଧ୍ୟ ଅଧିକ ଉଦାର ହେଵାକୁ ଆରମ୍ଭ କରିଥିଲା, ଵିଶେଷତଃ ୨୦ଶ ଶତାବ୍ଦୀରେ ଏହାର ପ୍ରଭାବ ବଢ଼ିଥିଲା । ଇଂଲଣ୍ଡରେ ୧୯୬୯ ମସିହାରେ Divorce Reform Act ପାରିତ ହେଵା ଦ୍ୱାରା ଛାଡ଼ପତ୍ର ଅଧିକ ସହଜ ହୋଇଥିଲା।

ଆଧୁନିକ ୟୁରୋପରେ ଵିଵାହ ଏକ ଵ୍ୟକ୍ତିଗତ ପସନ୍ଦ ଓ ପ୍ରେମ ଆଧାରିତ ସମ୍ପର୍କ ଭାଵେ ଗଣା ହୁଏ ଏଵଂ ଛାଡ଼ପତ୍ର ଅଧିକ ଗ୍ରହଣୀୟ ହୋଇଛି। ତଥାପି, ରାଜୀଵ ଦୀକ୍ଷିତଙ୍କ ମନ୍ତଵ୍ୟ ଯେ ୟୁରୋପୀୟ ସମାଜରେ ଵିଵାହ କପଡ଼ା ବଦଳାଇଵା ପରି ଅସ୍ଥିର ଅତ୍ୟନ୍ତ ଅତ୍ୟୁକ୍ତିପୂର୍ଣ୍ଣ। Eurostat ରିପୋର୍ଟ ଅନୁସାରେ, ୨୦୨୧ ମସିହାରେ ୟୁରୋପୀୟ ସଂଘରେ crude divorce rate (ପ୍ରତି ୧୦୦୦ ଲୋକରେ ଛାଡ଼ପତ୍ର) ପ୍ରାୟ ୧.୬ ଥିଲା, ଯାହା ସୂଚାଇଥାଏ ଯେ ଅଧିକାଂଶ ଵିଵାହ ସ୍ଥାୟୀ ରହୁଛି, କିନ୍ତୁ per 100 marriages ମେଟ୍ରିକ୍‌ରେ ପ୍ରାୟ ୪୮-୫୦% ଵିଵାହ ଛାଡ଼ପତ୍ରରେ ଶେଷ ହୁଏ।" ତଥାପି ୟୁରୋପୀୟ ସମାଜରେ ଦାମ୍ପତ୍ୟ ନୈତିକତା ଵିଶ୍ୱସ୍ତତା, ପାରସ୍ପରିକ ସମ୍ମାନ ଓ ସମାନତା ଉପରେ ଆଧାରିତ। ଯିଏ ଯାହା ସହିତ ଇଚ୍ଛା କଲା ମୈଥୁନ କଲା ,ଯିଏ ଯାହା ସହିତ ଚାହିଁଲା ସଂସର୍ଗ କରି ସନ୍ତାନ ଉତ୍ପତ୍ତି କରାଇଲା ଏଭଳି ସରଳୀକରଣ ଚଳଚ୍ଚିତ୍ରରେ ବଢ଼େଇ ଚଢ଼େଇ ପ୍ରସ୍ତୁତ କରାଯାଏ କିନ୍ତୁ ଵାସ୍ତଵ ସମାଜ ବହୁତ ଭିନ୍ନ । 

ରାଜୀଵ ଦୀକ୍ଷିତଙ୍କ ମନ୍ତଵ୍ୟ ଯେ ୟୁରୋପୀୟ ସଂସ୍କୃତିରେ ଵିଵାହ ଅସ୍ଥିର ଏଵଂ ଏକ ଵ୍ୟକ୍ତିର ଜୀଵନରେ ୪୦-୪୦ଟି ଵିଵାହ ହୁଏ, ତାହା ଐତିହାସିକ ଓ ଆଧୁନିକ ତଥ୍ୟ ଆଧାରରେ ଭ୍ରାନ୍ତିମୂଳକ। ପ୍ରାଚୀନ ୟୁରୋପୀୟ ସଭ୍ୟତା, ରୋମାନ କାଳ ଓ ମଧ୍ୟଯୁଗୀୟ କାଳରେ ଵିଵାହ ଏକ ସ୍ଥାୟୀ ଓ ନୈତିକତା ଆଧାରିତ ସଂସ୍ଥା ଥିଲା। ଆଧୁନିକ ଯୁଗରେ ମଧ୍ୟ ଯଦିଓ ଛାଡ଼ପତ୍ର ଅଧିକ ଗ୍ରହଣୀୟ ହୋଇଛି, ଅଧିକାଂଶ ଵିଵାହ ସ୍ଥାୟୀ ରହୁଛି ଏଵଂ ଏକାଧିକ ଵିଵାହର ହାର ଅତ୍ୟନ୍ତ ଅଳ୍ପ ଅଟେ । ଇଂଲଣ୍ଡ ଓ ୟୁରୋପରେ ଏକାଧିକ ଵିଵାହ (serial marriages) ଅସାଧାରଣ ଏଵଂ ୪୦ଟି ଵିଵାହର ଦାଵି କୌଣସି ସାଂଖ୍ୟିକୀ ଵା ଐତିହାସିକ ତଥ୍ୟ ଦ୍ୱାରା ସମର୍ଥିତ ନୁହେଁ।

ଏହା ସହିତ, ୟୁରୋପୀୟ ସଂସ୍କୃତିକୁ ଅନୈତିକ ଭାଵେ ଚିତ୍ରଣ କରିଵା ଏକ ଅସମ୍ପୂର୍ଣ୍ଣ ଦୃଷ୍ଟିକୋଣ। ୟୁରୋପୀୟ ସମାଜରେ ଦାମ୍ପତ୍ୟ ନୈତିକତା ସମୟ ସହିତ ଵିକଶିତ ହୋଇଛି କିନ୍ତୁ ଏହା ଵିଶ୍ୱସ୍ତତା, ସମ୍ମାନ ଓ ସମାନତା ଉପରେ ଆଧାରିତ। ରାଜୀଵ ଦୀକ୍ଷିତଙ୍କ ମନ୍ତଵ୍ୟ ୟୁରୋପୀୟ ସଂସ୍କୃତିର ଏକ ଅତିଶୟୋକ୍ତିପୂର୍ଣ୍ଣ ଓ ଭ୍ରାନ୍ତିମୂଳକ ଚିତ୍ର ଉପସ୍ଥାପନ କରେ, ଯାହା ଐତିହାସିକ ଓ ଆଧୁନିକ ତଥ୍ୟ ଦ୍ୱାରା ଖଣ୍ଡିତ ହୁଏ। ନିଜ ଦେଶ,ସମାଜ ଓ ସଂସ୍କୃତିକୁ ଟେକିଵା ପାଇଁ ଅନ୍ୟର ଦେଶ,ସମାଜ ଓ ସଂସ୍କୃତିକୁ ହୀନ ନ୍ୟୂନ ପ୍ରମାଣ କରିଵାକୁ ଚେଷ୍ଟା କରିଵା ଠିକ୍ ନୁହେଁ। 

•••••••••••••••••••••••••••••••••
ତଥ୍ୟ ଉତ୍ସ:
1.Frier, Bruce W., and Thomas A. J. McGinn. A Casebook on Roman Family Law. Oxford University Press, 2004.

2.Shaw, Brent D. "Marriage and Family in Ancient Rome." Journal of Roman Studies, vol. 77, 1987, pp. 30-46.

3.Green, Monica H. The Trotula: A Medieval Compendium of Women's Medicine. University of Pennsylvania Press, 2001.

4.Duby, Georges. Love and Marriage in the Middle Ages. University of Chicago Press, 1994.

5.Tacitus. Germania. Translated by J. B. Rives, Oxford University Press, 1999.

6.Pomeroy, Sarah B. Goddesses, Whores, Wives, and Slaves: Women in Classical Antiquity. Schocken Books, 1995.

7.Ellis, Peter Berresford. The Celtic People: A History. Running Press, 2002.

8.Jesch, Judith. Women in the Viking Age. Boydell Press, 1991.

9.Eurostat. Marriage and Divorce Statistics. European Union, 2021.

10.Coontz, Stephanie. Marriage, a History: From Obedience to Intimacy, or How Love Conquered Marriage. Penguin Books, 2006.


Sunday, July 13, 2025

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା । ଏହା Dancing Mania ନାମରେ ଏକ କୁଖ୍ୟାତ ଅଵିଶ୍ୱାସନୀୟ ସାମାଜିକ ଘଟଣା, ଯେଉଁଥିରେ ଶତ ଶତ ଲୋକ ନିୟନ୍ତ୍ରଣ ବାହାରେ ନାଚୁଥିଲେ, ଥକିଯାଇ ଅଚେତ ହେଵା ପର୍ଯ୍ୟନ୍ତ କିମ୍ବା ମୃତ୍ୟୁ ପର୍ଯ୍ୟନ୍ତ। Dancing Maniaର ନାଚ ଆଜିକାଲିର କ୍ଲବ୍ କିମ୍ବା ଯାତ୍ରାପାର୍ଟି ନାଚ ପରି ନଥିଲା ।‌ Dancing maniaର ନାଚ ମୃତ୍ୟୁ ପୂର୍ଵର ଵିକଳ ନୃତ୍ୟ ଥିଲା କିନ୍ତୁ ଏ ନୃତ୍ୟ କାହିଁକି କୋଉଥିପାଇଁ ହେଉଥିଲା ତାହା ସେତେବେଳେ କେହି ଜାଣିପାରିନଥିଲେ । 
ମଧ୍ୟଯୁଗୀୟ ୟୁରୋପର ଵିଭିନ୍ନ ଦେଶରେ ଭିନ୍ନ ଭିନ୍ନ ସମୟରେ Dancing mania ଦେଖାଯାଇଥିଲା । ୧୩୭୪ ମସିହାରେ, ଜର୍ମାନୀର ଆଖେନ୍ ନଗରରେ ଏକ ଅଜଣା ଶକ୍ତି ଜନତାଙ୍କୁ କଵଳିତ କଲା। ଜଣେ ଵ୍ୟକ୍ତି ରାସ୍ତାରେ ହଠାତ୍ ନାଚିଵଂ ଆରମ୍ଭ କଲେ ଏଵଂ କିଛି ସମୟ ମଧ୍ୟରେ ଅନ୍ୟମାନେ ତାଙ୍କ ସହ ଯୋଗ ଦେଲେ। ଏହି ନାଚ କୌଣସି ସଙ୍ଗୀତ ଵା ଉତ୍ସଵର ଅଂଶ ନଥିଲା; ଏହା ଥିଲା ଏକ ଅନିୟନ୍ତ୍ରିତ, ଅସ୍ତଵ୍ୟସ୍ତ ଗତିଯୁକ୍ତ ତାଳ ଲୟହୀନ ମୃତ୍ୟର ନୃତ୍ୟ । ଏହି ନୃତ୍ୟ ଲୋକଙ୍କ ଇଚ୍ଛାକୃତ ନଥିଲା । କୌଣସି ଶକ୍ତି କଵଳରେ ପଡ଼ି ଲୋକମାନେ ନାଚି ନାଚି କାନ୍ଦୁଥିଲେ, ଚିତ୍କାର କରୁଥିଲେ ଏଵଂ କେତେକ କ୍ଷଣ ପରେ ଅଚେତ ହୋଇ ପଡ଼ି ଯାଉଥିଲେ କିମ୍ବା ମରିଯାଉଥିଲେ। ଏହି ଘଟଣା ରାଇନ୍ ନଦୀ ଅଞ୍ଚଳ ଦେଇ ଫ୍ରାନ୍ସ, ଇଟାଲୀ ଓ ନେଦରଲ୍ୟାଣ୍ଡସ୍‌କୁ ଵ୍ୟାପିଗଲା। 

Dancing Mania ସମ୍ବନ୍ଧୀୟ ସବୁଠାରୁ ପ୍ରସିଦ୍ଧ ଘଟଣା ୧୫୧୮ରେ, ଷ୍ଟ୍ରାସବୁର୍ଗରେ ଘଟିଥିଲା । ସେହି ଵର୍ଷ ଜୁଲାଇ ମାସରେ ଏହି ନଗରର ଫ୍ରାଉ ଟ୍ରଫେଆ ନାମକ ଜଣେ ମହିଳା ରାସ୍ତାରେ ନାଚିଵା ଆରମ୍ଭ କଲେ। ତାଙ୍କ ନାଚ ଦେଖି ଅନ୍ୟମାନେ ଯୋଗ ଦେଲେ, ଏଵଂ ଦିନକ ମଧ୍ୟରେ ଶତାଧିକ ଲୋକ ଏକ ଅଜଣା ଉନ୍ମାଦରେ ନାଚୁଥିଲେ। ଏହି ଘଟଣା ଦୁଇ ମାସ ଚାଲିଥିଲା ଏଵଂ ଅନେକେ ଥକା, ଅଂଶୁଘାତ ଓ ହୃଦଘାତ ଯୋଗୁଁ ମୃତ୍ୟୁଵରଣ କରିଥିଲେ। ସମକାଳୀନ ଵିଵରଣୀ ଅନୁଯାୟୀ Dancing maniaର ଶିକାର ହୋଇ ଦିନକୁ ୧୫ ଜଣ ପର୍ଯ୍ୟନ୍ତ ମରୁଥିଲେ। ତେବେ ଷ୍ଟ୍ରାସବୁର୍ଗର ଘଟଣା ପୂର୍ଵରୁ ବି ଅନୁରୂପ ଘଟଣା ୧୨୩୭ରେ ଶିଶୁମାନଙ୍କ ମଧ୍ୟରେ ଓ ୧୩୪୭ରେ ଇଟାଲୀରେ ଦେଖାଯାଇଥିଲା। ଇଟାଲୀରେ ଏହାକୁ ଟାରାଣ୍ଟିଜମ୍ କୁହାଯାଉଥିଲା, ଯାହା ଟାରାଣ୍ଟୁଲା ବୁଢ଼ିଆଣୀର କାମୁଡ଼ା ସହ ଜଡ଼ିତ ଥିଲା ବୋଲି ଵିଶ୍ଵାସ କରାଗଲା ।

ମଧ୍ୟଯୁଗୀୟ ୟୁରୋପୀୟମାନେ ଏହାକୁ ଦୈଵୀ ଶାପ ଵା ସେଣ୍ଟ ଵିଟସ୍‌ଙ୍କ ଅଭିଶାପ ବୋଲି ଵିଶ୍ୱାସ କରୁଥିଲେ। କେତେକ ଏହାକୁ ଭୂତଗ୍ରସ୍ତତା ଵା ମନ୍ତ୍ରବଳ ଦ୍ୱାରା ଘଟୁଥିଵା ଵ୍ୟାଖ୍ୟା କରୁଥିଲେ। କିନ୍ତୁ ଆଧୁନିକ ଵିଜ୍ଞାନ ଆଧାରରେ Dancing Mania କାହିଁକି ଘଟିଥିଲା ତତ୍ ସମ୍ବନ୍ଧୀୟ ଅନେକ ଥିଓରୀ ଉପସ୍ଥାପନ କରାଯାଇଛି । 

ମାସ୍ ସାଇକୋଜେନିକ୍ ଇଲନେସ୍ (MPI) ତନ୍ମଧ୍ୟରେ ସବୁଠାରୁ ଗ୍ରହଣୀୟ ଥିଓରୀ। ମଧ୍ୟଯୁଗୀୟ ଇଉରୋପ ଏକ ଅସ୍ଥିର ସମୟରେ ଥିଲା ।‌ ବ୍ଲାକ୍ ଡେଥ୍ (ପ୍ଲେଗ୍) ଲକ୍ଷ ଲକ୍ଷ ଲୋକଙ୍କ ଜୀଵନ ନେଇଥିଲା, ଦାରିଦ୍ର୍ୟ ଓ ଅନାହାର ଵ୍ୟାପକ ଥିଲା ଏଵଂ ଧର୍ମୀୟ ଉତ୍ତେଜନା ଲୋକଙ୍କ ମନରେ ଭୟ ଓ ଅନିଶ୍ଚିତତା ସୃଷ୍ଟି କରିଥିଲା। ଏହି ମାନସିକ ଚାପ ଏକ ସାମୂହିକ ମନୋଵୈଜ୍ଞାନିକ ପ୍ରତିକ୍ରିୟା ସୃଷ୍ଟି କରିଥାଇପାରେ, ଯେଉଁଥିରେ ଜଣେ ଵ୍ୟକ୍ତିଙ୍କ ଆଚରଣ ଅନ୍ୟମାନଙ୍କୁ ସଂକ୍ରମିତ କରୁଥିଲା। ଏହା ଏକ ସାମାଜିକ “ମହାମାରୀ” ଥିଲା, ଯହିଁରେ ମନୁଷ୍ୟ ମନର ମାନସିକ ସଂକ୍ରମଣ ଶାରୀରିକ ରୋଗ ସଂକ୍ରମଣ ଅପେକ୍ଷା ଅଧିକ ଶକ୍ତିଶାଳୀ ଥିଲା।

ଏର୍ଗଟ୍ ପଏଜନିଂ ଥିଓରୀ ଅନୁଯାୟୀ, ଏର୍ଗଟ୍ ନାମକ ଏକ ଫଙ୍ଗସ୍, ଯାହା Rye(Secale cereale) ଶସ୍ୟରେ ଜନ୍ମେ, ଏହାର କାରଣ ହୋଇଥାଇପାରେ। ଏର୍ଗଟ୍‌ ଫଙ୍ଗସ୍‌ରେ LSD ପରି ହାଲୁସିନୋଜେନିକ୍ ରାସାୟନିକ ପଦାର୍ଥ ଥାଏ, ଯାହା ଖାଦ୍ୟ ମାଧ୍ୟମରେ ଶରୀରରେ ପ୍ରଵେଶ କରି Convulsions, ହାଲୁସିନେସନ୍ ଓ ଅନିୟନ୍ତ୍ରିତ ଆଚରଣ ଘଟାଇଥାଇପାରେ।ଯେହେତୁ Dancing mania ସମ୍ବନ୍ଧୀୟ ଘଟଣା ଶସ୍ୟ ଉପରେ ନିର୍ଭରଶୀଳ ଅଞ୍ଚଳରେ ଅଧିକ ଦେଖାଯାଇଥିଲା ତେଣୁ ଏହି କାରଣରୁ Dancing mania ଘଟଣାଗୁଡ଼ିକ ଘଟିଥିଵା କେହି କେହି ଵିଶ୍ଵାସ କରନ୍ତି । 

ମଧ୍ୟଯୁଗୀୟ ଇଉରୋପରେ ଆଜି ଭଳି ଵୈଜ୍ଞାନିକ ଵିଶ୍ଵାସ ପରିଵର୍ତ୍ତେ ଧର୍ମିକ ଵିଶ୍ଵାସ ଅଧିକ ଦୃଢ଼ ଥିଲା । ଭାରତରେ ଆମେ ମଝିରେ ମଝିରେ ଗୋଟିଏ ଗୋଟିଏ ଖିରସ୍ତାନୀ ଅନୁଷ୍ଠାନ ଦ୍ଵାରା ଲୋକଙ୍କୁ ଧର୍ମ ନାଆଁରେ ନଚାଉଥିଵାର ଦେଖିଵାକୁ ପାଆନ୍ତି । ସେତେବେଳେ ବି ୟୁରୋପର ଖିରସ୍ତାନୀଙ୍କ ମଧ୍ୟରେ ଏ ଧରଣର ଧାର୍ମିକ ଉନ୍ମାଦ ଓ ଅନ୍ଧଵିଶ୍ଵାସ ପ୍ରବଳ ମାତ୍ରାରେ ରହିଥିଲା । ତତ୍କାଳୀନ ୟୁରୋପୀୟମାନେ ଵିଶ୍ୱାସ କରୁଥିଲେ ଯେ ନାଚ ମାଧ୍ୟମରେ ସେମାନେ ଦୈଵୀ ଶକ୍ତି ସହ ସଂଯୋଗ ସ୍ଥାପନ କରୁଛନ୍ତି ବା ଅଭିଶାପରୁ ମୁକ୍ତି ପାଉଛନ୍ତି। ଇଟାଲୀରେ, ଟାରାଣ୍ଟିଜମ୍ ଏ ଧରଣର ଏକ ଲୋକଵିଶ୍ୱାସରୁ ଉତ୍ପନ୍ନ ହୋଇଥିଲା ।‌ସେତେବେଳେ ଇଟାଲୀର ଖିରସ୍ତାନୀ ଭାବୁଥିଲେ ଟାରାଣ୍ଟୁଲା ବୁଢ଼ିଆଣୀର ଵିଷକୁ ନାଚ ମାଧ୍ୟମରେ ଦୂର କରାଯାଇପାରେ । ଏହି ଵିଶ୍ୱାସ ଏକ ସାଂସ୍କୃତିକ ରୀତିରେ ପରିଣତ ହୋଇଥିଲା, ଯେଉଁଥିରେ ଟାରାଣ୍ଟେଲା ନାମକ ନୃତ୍ୟ ଏହାର ଅଂଶ ହେଲା। ଏହି ଥିଓରୀକୁ ଵିଶ୍ଵାସ କରୁଥିଵା ଲୋକେ କୁହନ୍ତି Dancing mania ଭଳି ଘଟଣା ତତ୍କାଳୀନ ଖିରସ୍ତାନୀ ସମାଜ ମଧ୍ୟରେ ଵ୍ୟାପିରହିଥିଵା ଅନ୍ଧଵିଶ୍ଵାସ ଯୋଗୁଁ ଦେଖାଦେଇଥିଲା ।‌

କେହି କେହି ଗଵେଷକ ଏହାକୁ ହାପରା ରୋଗ ଵା ଅନ୍ୟ ନ୍ୟୁରୋଲୋଜିକାଲ ଅଵସ୍ଥା ସହ ଯୋଡ଼ିଛନ୍ତି। କିନ୍ତୁ Dancing mania ଏକ ଏକ ସାମୂହିକ ଘଟଣା ଥିଵାରୁ, ଏକମାତ୍ର ନ୍ୟୁରୋଲୋଜିକାଲ କାରଣ ଅପେକ୍ଷା ସାମାଜିକ ଓ ମନସ୍ତାତ୍ତ୍ୱିକ କାରଣ ଅଧିକ ପ୍ରଭାଵଶାଳୀ ହେଇଥିଵା ସମ୍ଭଵ ।

ତେବେ ମଧ୍ୟଯୁଗୀୟ ୟୁରୋପରେ Dancing Maniaର ଫଳାଫଳ ଥିଲା ଭୟାଵହ।ଷ୍ଟ୍ରାସବୁର୍ଗରେ ଥକା, ହୃଦଘାତ ଵା ଅନ୍ୟ ଶାରୀରିକ କାରଣରୁ ଶତାଧିକ ଲୋକ ମୃତ୍ୟୁଵରଣ ମରିଥିଲେ। ତତ୍କାଳୀନ କର୍ତ୍ତୃପକ୍ଷ ଏହାକୁ ନିୟନ୍ତ୍ରଣ କରିଵା ପାଇଁ ଅଜଣା ଉପାୟ ଅଵଲମ୍ବନ କରିଥିଲେ। କେତେକ ସ୍ଥାନରେ, ନାଚକୁ ପ୍ରୋତ୍ସାହିତ କରାଯାଇଥିଲା, କାରଣ ସେମାନେ ଭାବୁଥିଲେ ଏହା ଦୈଵୀ ଅଭିଶାପରୁ ମୁକ୍ତି ଦେଵ। ଅନ୍ୟ ସ୍ଥାନରେ, ନାଚକୁ ନିଷେଧ କରାଯାଇଥିଲା, କିନ୍ତୁ ଏହା ଅଧିକ ଉତ୍ତେଜନା ସୃଷ୍ଟି କରିଥିଲା। ଧର୍ମୀୟ ନେତାମାନେ ମନ୍ତ୍ର ଓ ପ୍ରାର୍ଥନା ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରିଵାକୁ ଚେଷ୍ଟା କରିଥିଲେ, କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏହା ଅସଫଳ ହୋଇଥିଲା।

ଏହି ଘଟଣା ସମାଜରେ ଏକ ଗଭୀର ପ୍ରଭାଵ ଛାଡ଼ିଥିଲା। ଏହା ଧର୍ମୀୟ ଓ ସାମାଜିକ ସଂସ୍କାର ପାଇଁ ଚାପ ସୃଷ୍ଟି କରିଥିଲା ଏଵଂ ଲୋକଙ୍କ ମଧ୍ୟରେ ଭୟ ଓ ଅନ୍ଧଵିଶ୍ୱାସକୁ ଆହୁରି ବଢ଼ାଇଥିଲା। ଦୀର୍ଘକାଳୀନ ଦୃଷ୍ଟିରୁ, Dancing Mania ମନୋଵିଜ୍ଞାନ ଓ ସାମୂହିକ ଆଚରଣ ଉପରେ ଗଵେଷଣାର ଏକ ପ୍ରମୁଖ ଵିଷୟ ହୋଇଛି।

ଅସ୍ତୁ ଆଧୁନିକ ଯୁଗରେ, Dancing Mania ଏକ ରହସ୍ୟମୟ ଐତିହାସିକ ଘଟଣା ଭାବେ ସାହିତ୍ୟ, ଚଳଚ୍ଚିତ୍ର ଓ କଳାରେ ସ୍ଥାନ ପାଇଛି। ୧୮୩୨ରେ ଜଷ୍ଟସ୍ ହେକର୍‌ଙ୍କ ପୁସ୍ତକ "The Dancing Mania"ରେ ଏହା ଵିଷୟରେ ପ୍ରଥମ ଵିସ୍ତୃତ ଵିଵରଣୀ ପ୍ରକାଶ ପାଇଥିଲା, ଯାହା ଗଵେଷକମାନଙ୍କୁ ଏହାର ମନସ୍ତାତ୍ତ୍ୱିକ ଓ ସାମାଜିକ କାରଣ ଅନୁସନ୍ଧାନ କରିଵାକୁ ପ୍ରେରିତ କରିଥିଲା। ମଧ୍ୟଯୁଗୀୟ ଚିତ୍ରକଳାରେ, ଏହି ଘଟଣାକୁ ଅସହାୟ ଓ ଉନ୍ମାଦଗ୍ରସ୍ତ ଲୋକଙ୍କ ଚିତ୍ର ମାଧ୍ୟମରେ ଚିତ୍ରଣ କରାଯାଇଛି।

ଆଧୁନିକ ଚଳଚ୍ଚିତ୍ର ଓ ଡକ୍ୟୁମେଣ୍ଟାରୀରେ, ଷ୍ଟ୍ରାସବୁର୍ଗ ଘଟଣାକୁ ଏକ ଅଜଣା ମହାମାରୀ ଭାବେ ଚିତ୍ରଣ କରାଯାଇଛି। ଏହାକୁ ଆଧୁନିକ ସାମୂହିକ ହିଷ୍ଟେରିଆ ଘଟଣା, ଯେପରିକି ୨୦୧୧ରେ ନ୍ୟୁୟର୍କର "ଲେ ରୟ ହାଇସ୍କୁଲ"ରେ ହଠାତ୍ ଦେଖାଦେଇଥିଵା "ଟିକ୍ ଡିଜଅର୍ଡର" ସହ ତୁଳନା କରାଯାଏ। 

Dancing Mania ଘଟଣାଗୁଡ଼ିକର ଇତିହାସରୁ ମଧ୍ୟଯୁଗୀୟ ୟୁରୋପୀୟମାନେ କେତେ ଧାର୍ମିକ ଅନ୍ଧଵିଶ୍ଵାସୀ ଥିଲେ ତାହା ଜଣାପଡ଼େ । ତେବେ ଏହି ଧାର୍ମିକ ଅନ୍ଧଵିଶ୍ଵାସର କୁପ୍ରଭାଵକୁ ଅନୁଭଵ କରି ୟୁରୋପୀୟ ସମାଜର ବୁଦ୍ଧିଜୀଵିମାନେ ଏଥିରୁ ସମାଜକୁ ମୁକୁଳାଇଵା ପାଇଁ ପନ୍ଦରଶହ ଶତାବ୍ଦୀରୁ କାର୍ଯ୍ୟ ଆରମ୍ଭ କରିଦେଲେ । ୟୁରୋପରେ ପଞ୍ଚଦଶ ଶତାବ୍ଦୀର ପୁନର୍ଜାଗରଣ(Renaissance) ତଥା ଷୋଡ଼ଶ ଶତାବ୍ଦୀର ଵୈଜ୍ଞାନିକ ଵିପ୍ଳଵ ଯୋଗୁଁ ୟୁରୋପୀୟ ସମାଜ ବଡ଼ କଷ୍ଟରେ ଧାର୍ମିକ ଅନ୍ଧଵିଶ୍ଵାସରୁ ମୁକୁଳି ପାରିଥିଲା । ଯଦି ସେତେବେଳେ ୟୁରୋପୀୟ ସମାଜରେ ବହୁ ଶତାବ୍ଦୀ ଵ୍ୟାପ୍ତ ସାଂସ୍କୃତିକ, ଧାର୍ମିକ ଓ ଵୈଜ୍ଞାନିକ କ୍ରାନ୍ତି ଘଟିନଥାନ୍ତା ତେବେ ଆଜି ବି ୟୁରୋପର ଖିରସ୍ତାନୀ Dancing Maniaର ଶିକାର ହୋଇ ଦାଣ୍ଡ ବାଟରେ ନାଚୁଥାଆନ୍ତେ । 
••••••••••••••••••••••••••••••

Sunday, May 7, 2023

ୟୁରୋପୀୟମାନେ ଵାରଗୁଡି଼କର ନାମ କିିପରି ରଖିଥିଲେ ?


ସପ୍ତାହକ ସାତଦିନ ପୁଣି ସେଇ ସାତଦିନର ଆମ ଭାଷାରେ ଅନେକ ନାମ ବି ରହିଛି । 
ରଵିଵାରକୁ ଅର୍କଵାର,ଆଦିତ୍ଯଵାର,
ସୂର୍ଯ୍ଯଵାର,ସୂର୍ଯ୍ଯାୟଣଵାର,ଭାନୁଵାର,ଗଭାସ୍ତିଵାର ଓ ଭଟ୍ଟାରକଵାର କୁହାଯାଏ ।‌
ସୋମବାରକୁ ଚନ୍ଦ୍ରଵାର,ଚନ୍ଦ୍ରାୟଣଵାର ଓ ଶଶିଵାର କୁହାଯାଏ । ମଙ୍ଗଳଵାରକୁ 
ଅଙ୍କାରକଵାର,କୁଜଵାର,କୁଳଵାର ଓ ଭୌମଵାର କୁହାଯାଇଥାଏ । ବୁଧଵାରକୁ ପଣ୍ଡିତଵାର ତଥା ସୌମ୍ଯଵାର କହିଥାନ୍ତି । 
ଗୁରୁଵାରକୁ ବୃହସ୍ପତିଵାର,ଲକ୍ଷ୍ମୀଵାର,ମାଣବସାଵାର,ଅଙ୍ଗାରଵାର ଓ ବାକ୍ପତିଵାର ମଧ୍ୟ କୁହାଯାଇଥାଏ ।ଶୁକ୍ରଵାରର ଆଉ ଦୁଇଗୋଟି ନାମ ହେଲା ଅନୁକୁଳଵାର ଓ ଭୃଗୁଵାର । ସେହିପରି ଶନିଵାରକୁ କୃତାନ୍ତଵାର,ଶୌରିଵାର,ସୂର୍ଯ୍ଯସୂତଵାର,ଶନୈଶ୍ଚରଵାର ଓ ପଙ୍ଗୁଵାର କହିଥାନ୍ତି । ଭାରତୀୟ ଜ୍ୟୋତିଷଶାସ୍ତ୍ରାନୁସାରେ ରଵି,ମଙ୍ଗଳ,ବୃହସ୍ପତି ଓ ଶନି ପୁରୁଷଗୁଣଯୁକ୍ତ ଵାର ହୋଇଥିଵାବେଳେ ସୋମ,ବୁଧ ଓ ଶୁକ୍ର ସ୍ତ୍ରୀଗୁଣପ୍ରଧାନ ବାର ଏଵଂ ମଙ୍ଗଳ ଓ ଶୁକ୍ରକୁ କୁଳଵାର ଭାବେ ଵିଵେଚିତ କରାଯାଏ । 

ପୃଥିଵୀରେ ସୋମ,ମଙ୍ଗଳ,ବୁଧ,ଗୁରୁ,ଶୁକ୍ର,ଶନି ଓ ରଵି ଇତ୍ୟାଦି ସାତ ଦିନରେ ସାତଗୋଟି ଵାରର କଳ୍ପନା କରାଯାଇଛି। ପ୍ରାଚୀନ ଭାରତୀୟମାନେ ଖାଲି ଆଖିରେ ଦୃଶ୍ୟ ହେଉଥିଵା ପାଞ୍ଚୋଟି ଗ୍ରହ, ଗୋଟିଏ ଉପଗ୍ରହ ତଥା ଏକ ନକ୍ଷତ୍ରର ନାମକୁ ନେଇ ସାତଗୋଟି ଵାରର ନାମକରଣ କରିଥିଲେ ‌। ୟୁରୋପୀୟମାନେ ବି ଏହି ପ୍ରଣାଳୀରେ ସାତଗୋଟି ଵାରର ନାମକରଣ କରିଛନ୍ତି ‌। 

ସୋମଵାରକୁ ଇଂରାଜୀ ଭାଷାରେ Monday କୁହାଯାଏ ଏଵଂ ଏ ଶବ୍ଦରେ ଯେଉଁ mon ଅଛି ତାହା ଚନ୍ଦ୍ର ଅର୍ଥଜ moon ଶବ୍ଦ ସହିତ ସମୋଦ୍ଧୃତ ଅଟେ । ପ୍ରାଚୀନ ଇଂରାଜୀ ଭାଷାରେ ଏହି Monday ଶବ୍ଦଟି mōnandæġ (“ଚନ୍ଦ୍ରଙ୍କ ଦିନ”) ଏଵଂ ଇଂରାଜୀ ଯେଉଁ ପ୍ରାକ୍ ପଶ୍ଚିମ ଜର୍ମାନିକ ଭାଷାରୁ ସୃଷ୍ଟି ହୋଇଛି ତହିଁରେ ସୋମଵାରକୁ *mānini dag କୁହାଯାଉଥିଲା । ଜର୍ମାନିକ ଲୋକେ ଚନ୍ଦ୍ରର ଅଧିଷ୍ଠାତା ଦେଵଙ୍କୁ mānini,Máni ଓ Manan କହୁଥିଲେ ଏଵଂ ତାଙ୍କ ନାମରେ ସୋମଵାରର ନାମକରଣ କରିଥିଲେ ।‌ ଲାଟିନ ଭାଷାରେ ବି ଆଗେ ସୋମଵାରକୁ diēs Lūnae କୁ଼ହାଯାଉଥିଲା ଯହିଁରେ Lūnaeର ଅର୍ଥ ସୋମ ଵା ଚନ୍ଦ୍ର ଅଟଇ ।‌

ଇଂରାଜୀ ଭାଷାରେ ମଙ୍ଗଳଵାରକୁ Tuesday କୁହାଯାଏ ଏଵଂ ଏହାର ମଧ୍ୟଯୁଗୀୟ ରୂପ Tewesday ତଥା ପ୍ରାଚୀନ ଇଂରାଜୀ ରୂପ tīwesdæġ (“ମଙ୍ଗଳଵାର”) ଥିଲା ।‌ ପ୍ରାଚୀନ ଜର୍ମାନିକ୍ ଭାଷାରେ ମଙ୍ଗଳଵାରକୁ *Tīwas dag କୁ଼ହାଯାଉଥିଲା ଯାହାର ଆକ୍ଷରିକ ଅର୍ଥ “Tiwଙ୍କ ଦିନ ଅଟେ । Tiw ହେଉଛନ୍ତି ଜର୍ମାନିକ ଓ ନୋର୍ସ୍ ପୁରାଣଗାଥାର ଜଣେ ଦେଵତା Týr ଯେକି ମଙ୍ଗଳଗ୍ରହର ଅଧିଷ୍ଠାତା ଦେଵ ଅଟନ୍ତି ।‌ Týrଙ୍କୁ ଯୁଦ୍ଧର ଦେଵତା ବି ଅଭିହିତ କରାଯାଏ । Týrଙ୍କୁ ପ୍ରାଚୀନ ଇଂରାଜୀରେ Tiw କୁ଼ହାଯାଉଥିଲା ଯାହା ପରେ tue ହୋଇଅଛି । ମଜାକଥା ହେଲା ଏହି Tiw,Týr ଓ tue ଶବ୍ଦର ସମୋଦ୍ଧୃତଗତ ସମ୍ପର୍କ ଆମ ଭାରତର ଦେଵ,ଦେଓ ଶବ୍ଦ ସହିତ ରହିଛି ଅର୍ଥାତ୍ ଏ ସମସ୍ତ ଶବ୍ଦର ଗୋଟିଏ ମୂଳ ଭାରୋପୀୟ ଶବ୍ଦରୂପ ବହୁତ ପୂର୍ଵେ ପ୍ରଚଳିତ ଥିଲା । ସେହିପରି ଲାଟିନ୍ ଭାଷାରେ ବି ମଙ୍ଗଳଵାରକୁ diēs Mārtis କୁ଼ହାଯାଉଥିଲା ଯହିଁରେ Mārtis ହେଉଛି ମଙ୍ଗଳ ଅର୍ଥରେ ଵ୍ୟଵହୃତ ହେଉଥିଵା mars ଶବ୍ଦର ଏକ ରୂପ ‌। 


ବୁଧଵାରକୁ ଇଂରାଜୀ ଭାଷାରେ Wednesday କୁହାଯାଏ ଏଵଂ ଏହି ଶବ୍ଦର ପ୍ରାଚୀନ ଇଂରାଜୀ ରୂପ wēdnesdæġ(wēdneଙ୍କ ଵାର ଵା ଦିନ) ଥିଲା । ଏହି Wednesdayରେ ଯେଉଁ wēdne ଅଛି ତାହା ପ୍ରାଚୀନ ଜର୍ମାନିକ୍ ଦେଵତା Woden ତଥା ନୋର୍ସ ଦେଵତା Odinଙ୍କର ପ୍ରାଚୀନ ଇଂରାଜୀ ନାମ ଅଟେ । ଅର୍ଥାତ୍ ଜର୍ମାନିକ ଲୋକେ ନିଜର ସର୍ଵପିତା ସର୍ଵୋଚ୍ଚ ଭଗଵାନ Woden ଵା Odin ଙ୍କ ନାମାନୁସାରେ ବୁଧଵାରର ନାମକରଣ କରିଥିଲେ । ଜର୍ମାନିକ ଦେଵତା Odin ଵା Wodenଙ୍କର ରୋମାନ୍ ଦେଵତା Mercuryଙ୍କ ସହିତ ଅନେକ ସମାନତା ରହିଛି ।‌ ଯେମିତିକି ରୋମାନମାନେ ଵିଶ୍ଵାସ କରନ୍ତି ଯେ Mercury ରୋମାନ୍ ଲିପିର ସୃଷ୍ଟିକର୍ତ୍ତା ସେହିପରି ଜର୍ମାନିକ ଲୋକେ ଵିଶ୍ଵାସ କରୁଥିଲେ ଯେ ଓଡି଼ନ୍ runic ଲିପିର ଉଦ୍ଭାଵକ । Mercury ଓ odin ଉଭୟଙ୍କୁ ଦାଢ଼ି ଦ୍ଵାରା ଚିତ୍ରିତ କରାଯାଏ ।‌ ଉଭୟ Mercury ଓ odin ନିଜ ଇଚ୍ଛା ଅନୁସାରେ ଵିଭିନ୍ନ ରୂପ ଧାରଣ କରିପାରନ୍ତି ଏଵଂ ସେମାନେ ମାୟାଵୀ ତଥା ଯାଦୁଵିଦ୍ୟାରେ ଧୁରନ୍ଧର ବୋଲି ଵିଭିନ୍ନ କାହାଣୀ ରହିଛି । Mercury ଓ odin ଉଭୟେ ଜ୍ଞାନ ଓ ବୁଦ୍ଧିର ଦେଵତା ।‌ ଦୁଇ ଦେଵତାଙ୍କ ଗୁଣ ମଧ୍ୟରେ ଏହିପରି ଆହୁରି ଅନେକ ସମାନତା ରହିଛି ।‌ ଅଵଶ୍ୟ ବୁଧ ଗ୍ରହର ନୋର୍ସ ଅଧିଷ୍ଠାତା ଦେଵ ହେଉଛନ୍ତି Loki କିନ୍ତୁ odinଙ୍କର ମରକ୍ୟୁରୀଙ୍କ ସହିତ ସାମଞ୍ଜସ୍ୟ ଥିଵାରୁ ତାଙ୍କ ନାମାନୁସାରେ ବୁଧଗ୍ରହର ଜର୍ମାନିକ ନାମକରଣ ହୋଇଥିଲା । Odin,hermes ଓ Mercuryଙ୍କ ପରି ଭାରତରେ ବୁଧଗ୍ରହର ଅଧିଷ୍ଠାତା ଦେଵତା 'ବୁଧ' ମଧ୍ୟ ଜ୍ଞାନୀ ଥିଵା ଜଣାଯାଏ । ବୁଧ ଶବ୍ଦକୁ ବୁଧ୍ ଧାତୁରୁ ଜାଣିଵା ଅର୍ଥରେ ନିଷ୍ପନ୍ନ କରାଯାଇଛି ଏଵଂ ବୁଧ ଶବ୍ଦର ଅନ୍ୟ ଏକ ଅର୍ଥ ଜ୍ଞାନୀ ଅଟେ । ତେବେ ଗ୍ରୀକ୍ ଦେଵତା ହର୍ମିସ୍ ଓ ରୋମାନ୍ ଦେଵତା ମରକ୍ୟୁରୀ 
ଉଭୟେ ବୁଧଗ୍ରହର ଅଧିଷ୍ଠାତା ଦେଵ ଅଟନ୍ତି ଏଵଂ ମରକ୍ୟୁରୀଙ୍କ ନାମାନୁସାରେ ଲାଟିନରେ ବୁଧଵାରର ନାମ diēs Mercuriī (“Mercuryଙ୍କ ଵାର”) ରଖାଯାଇଥିଲା । 

ଗୁରୁଵାରକୁ ଇଂରାଜୀ ଭାଷାରେ Thursday କୁହାଯାଏ ଏଵଂ ପ୍ରାଚୀନ ଇଂରାଜୀ ଭାଷାରେ ଏହା þurresdæġ (“Thurଙ୍କ ଦିନ") ରୂପରେ ପ୍ରଚଳିତ ଥିଲା । Thursday ଶବ୍ଦରେ ଯେଉଁ Thur ଶବ୍ଦ ଅଛି ତାହା ଜଣେ ପ୍ରାଚୀନ ଜର୍ମାନିକ୍ ଦେଵତାଙ୍କର ନାମ ଅଟେ । ପ୍ରାଚୀନ ଜର୍ମାନିକ୍ ଲୋକମାନଙ୍କର ଏହି ଦେଵତାଙ୍କର Thunor, Donar,thur ଓ thor ଆଦି ଅନେକ ନାମ ରହିଛି ଏଵଂ ସେ ଵିଜୁଳି ତଥା ବୃହସ୍ପତି ଗ୍ରହର ଅଧିଷ୍ଠାତା ଦେଵତା ଭାବରେ ଜଣାଶୁଣା । ଲାଟିନ ଭାଷାରେ ଗୁରୁଵାରକୁ diēs Jovis କୁ଼ହାଯାଉଥିଲା ଯାହାର ଆକ୍ଷରିକ ଅର୍ଥ Jovisଙ୍କ ଵାର ଵା ଦିନ ଅଟେ । ଜର୍ମାନିକ ଭଗଵାନ thorଙ୍କ ଭଳି Jovis ବି ବୃହସ୍ପତି ଗ୍ରହ ତଥା ଵିଜୁଳିର ରୋମାନ୍ ଅଧିଷ୍ଠାତା ଦେଵ ଅଟନ୍ତି । ପ୍ରକୃତରେ Jovis ନାମଟି ରୋମାନ୍ ଭଗଵାନ Jupiterଙ୍କର ଅନ୍ୟନାମ ଅଟେ । 

ଇଂରାଜୀ ଭାଷାରେ ଶୁକ୍ରଵାରକୁ Friday କୁହାଯାଏ ଏଵଂ ଏହାର ପ୍ରାଚୀନ ଇଂରାଜୀ ରୂପ frīġedæġ(frīġeଙ୍କ ଦିନ) ଥିଲା ।
ଜର୍ମାନିକ ଲୋକେfrīġe, Frījā, Freyjaଓ Frigg ନାମରେ ଜନୈକା ଦେଵୀଙ୍କର ଆରାଧନା କରୁଥିଲେ ଏଵଂ ଏହି ଦେଵୀଙ୍କ ନାମାନୁସାରେ ଇଂରାଜୀ ଭାଷାରେ ଶୁକ୍ରଵାରର friday ନାମକରଣ କରାଯାଇଛି । ନୋର୍ସ ଦେଵୀ Freyja ଵା Frigg ପ୍ରେମ ତଥା ଶୁକ୍ର ଗ୍ରହର ଅଧିଷ୍ଠାତ୍ରୀ ଦେଵୀ ଅଟନ୍ତି । ଉଲ୍ଲେଖଯୋଗ୍ୟ ଯେ ଆମ ଭାରତୀୟ ପ୍ରିୟା(ପତ୍ନୀ) ଶବ୍ଦ ସହିତ ଜର୍ମାନିକ ଶବ୍ଦ Friggର ସଗୋତ୍ରୀୟ ସମ୍ପର୍କ ଅଛି । ତେବେ ଲାଟିନ ଭାଷାରେ ଶୁକ୍ରଵାରକୁ diēs Veneris(venusଙ୍କ ଦିନ) କୁ଼ହାଯାଉଥିଲା ଏଵଂ Veneris ହେଉଛି ରୋମାନ୍ ଦେଵୀ venusଙ୍କର ଅନ୍ୟନାମ । ନୋର୍ସ ଦେଵୀ Freyja ଵା Friggଙ୍କ ପରି ରୋମାନ୍ ଦେଵୀ Venus ମଧ୍ୟ ଶୁକ୍ରଗ୍ରହ,ସୌନ୍ଦର୍ଯ୍ୟ ଓ ପ୍ରେମର ଅଧିଷ୍ଠାତ୍ରୀ ଦେଵୀ ଅଟନ୍ତି । 

ଶନିଵାରକୁ ଇଂରାଜୀ ଭାଷାରେ Saturday କୁହାଯାଏ ଏଵଂ ଏହାର ପ୍ରାଚୀନ ଇଂରାଜୀ ରୂପ sæternesdæġ (“sæterneଙ୍କ‌ ଦିନ”) ଅଟେ । sæterne ଶବ୍ଦଟି ରୋମାନ୍ ଶବ୍ଦ Sāturnusରୁ ଗୃହୀତ ହୋଇଛି । ସେହିପରି ଲାଟିନ୍ ଭାଷାରେ ଶନିଵାରକୁ dies Saturni କୁହାଯାଉଥିଲା । Saturn କୃଷି,ପ୍ରଳୟ,ସମୟ,ନଵସୃଷ୍ଟି,ଧନ,ମୁକ୍ତି ତଥା ଶନିଗ୍ରହର ରୋମାନ୍ ଅଧିଷ୍ଠାତା ଦେଵତା ଅଟନ୍ତି । ଏହି Saturnଙ୍କ ନାମାନୁସାରେ ଶନିଵାରର ଇଂରାଜୀ ନାମକରଣ କରାଯାଇଛି । 

ଇଂରାଜୀ ଭାଷାରେ ରଵିଵାରକୁ Sunday କୁହାଯାଏ ଏଵଂ ଏହା ସ୍ପଷ୍ଟ ଯେ sun ଵା ସୂର୍ଯ୍ୟଙ୍କ ନାମାନୁସାରେ ରଵିଵାରର ଇଂରାଜୀ ନାମକରଣ ହୋଇଥିଲା । ସାରା ପୃଥିଵୀର ଅନେକ ସଂସ୍କୃତିରେ ସୂର୍ଯ୍ୟ ଓ ଚନ୍ଦ୍ର ଉଭୟଙ୍କୁ ପୁରୁଷ ଅଭିହିତ କରାଯାଇଥିଵା ବେଳେ ଜର୍ମାନିକ ଲୋକଗାଥାରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ Máni ତଥା Sól ନାମରେ ମହିଳା ଭାବରେ ଵିଵେଚିତ କରାଯାଇଥିଲା । ଜର୍ମାନିକ ପୁରାଣଗାଥା ଅନୁସାରେ Máni ଓ Sól ଦୁଇ ଭଉଣୀ ଏଵଂ ଉଭୟେ ଏ ସଂସାରକୁ ଆଲୋକ ପ୍ରଦାନ କରୁଛନ୍ତି। ଏହି ଜର୍ମାନିକ୍ ଦେଵୀ Sólଙ୍କ ନାମାନୁସାରେ ରଵିଵାରର ଇଂରାଜୀ ନାମକରଣ Sunday ହୋଇଛି ‌। ପୂର୍ଵେ ଇଂରାଜୀ ଭାଷାରେ ସୂର୍ଯ୍ୟର ଅଧିଷ୍ଠାତ୍ରୀ ଦେଵୀ Sólଙ୍କୁ sonne ଓ sunne କୁହାଯାଉଥିଲା ଯାହା ପରଵର୍ତ୍ତୀ କାଳରେ sun ହୋଇଅଛି । ରୋମାନମାନେ ରଵିଵାରକୁ diēs Sōlis କହୁଥିଲେ । ରୋମାନ୍ Sōlis ଵା sol କିନ୍ତୁ  
ଜଣେ ରୋମ୍ ଦେଵ ଥିଲେ(ଗ୍ରୀକ୍ ଦେଵତା Apolo ସୂର୍ଯ୍ୟର ଅଧିଷ୍ଠାତା ଦେଵ ଅଟନ୍ତି)। ଏହି sol ଦେଵତାଙ୍କର ଏକ ପର୍ଵ ଆଜକୁ ଦି ସହସ୍ରାଧିକ ଵର୍ଷ ତଳେ ରୋମରେ ପାଳିତ ହେଉଥିଲା ଏଵଂ ପ୍ରକୃତରେ ତାହା ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ସହିତ ସମ୍ବନ୍ଧିତ ପର୍ଵ ଥିଲା । ପ୍ରାୟ ୨୦୦୦ ଵର୍ଷ ତଳେ ୨୫ ଡିସେମ୍ବରରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିଲା ଏଵଂ ସେହି ସମୟରେ ଭାରତରେ ମକର ସଂକ୍ରାନ୍ତି ମଧ୍ୟ ପାଳିତ ହେଉଥିଲା ।‌ ପ୍ରତି ଅଶି ଵର୍ଷରେ ସଂକ୍ରାନ୍ତି ଗୋଟିଏ ଗୋଟିଏ ଦିନ ଘୁଞ୍ଚି ଘୁଞ୍ଚି ଯାଏ ଫଳତଃ ଆଜି ୧୪-୧୫ ଜାନୁଆରୀରେ ମକର ସଂକ୍ରାନ୍ତି ପାଳିତ ହେଉଛି । ସେ ଯାହାହେଉ ରୋମାନ ଦେଵତା solଙ୍କର ସେହି ପର୍ଵକୁ ପରେ ଖ୍ରୀଷ୍ଟିଆନମାନେ ଜିଶୁଙ୍କ ଜନ୍ମଦିନ ଭାବେ Christmas ନାମରେ ପାଳନ କରୁଅଛନ୍ତି । 



ପ୍ରୋକ୍ତ ଆଲୋଚନାରୁ ଆମେ ଜାଣିଲେ ଯେ ଯେମିତି ଆମ ଭାରତରେ ସୌରମଣ୍ଡଳର ଦୃଶ୍ୟ ଗ୍ରହ ଉପଗ୍ରହ ଓ ସୂର୍ଯ୍ୟ ତଥା ଏଗୁଡ଼ିକର ଅଧିଷ୍ଠାତା ଦେଵତାଙ୍କ ନାମାନୁସାରେ ଵାରଗୁଡି଼କର ନାମକରଣ ହୋଇଛି ଠିକ୍ ସେହିପରି ୟୁରୋପୀୟମାନେ ମଧ୍ୟ ନିଜ ଵାରଗୁଡି଼କର ନାମକରଣ କରିଥିଲେ । ତେବେ ୟୁରୋପର ମୂଳ ସଂସ୍କୃତି ଆଜି ଲୋପ ପାଇଛି ଏଵଂ ସେହି ସଂସ୍କୃତିର ଶଵ ଏହି ଵାରଗୁଡି଼କର ନାମ ଭଳି କିଛି ସାଂସ୍କୃତିକ ଶବ୍ଦ ମଧ୍ୟରେ ପଡ଼ିରହିଛି ।‌ 

ଭାରତୀୟମାନେ ଏବେ ବି ନିଜ ସଂସ୍କୃତିକୁ ବଞ୍ଚାଇ ରଖିଛନ୍ତି ତେଣୁ ସେମାନେ ଭଲ ଭାବରେ ଜାଣନ୍ତି ଯେ କେଉଁ ଗ୍ରହ , ଉପଗ୍ରହ ଓ ନକ୍ଷତ୍ରର ଅଧିଷ୍ଠାତା ଦେଵତା କିଏ କିନ୍ତୁ ଅଧିକାଂଶ ୟୁରୋପୀୟ ନିଜ ମୂଳ ସଂସ୍କୃତିକୁ ତ୍ୟାଗକରିଦେଇ ଥିଵାରୁ ସେମାନେ ନିଜ ଭାଷାରେ ପ୍ରଚଳିତ ଵାରଗୁଡି଼କର ନାମ ପଛରେ ଥିଵା ସାଂସ୍କୃତିକ ପକ୍ଷଟି ଵିଷୟରେ ଜାଣିନଥାନ୍ତି । ଏହା ହିଁ ସଂସାରର ନିୟମ ,ପରର ସଂସ୍କୃତି ଗ୍ରହଣ କଲେ ନିଜର ସଂସ୍କୃତି ଲୋପ ପାଇଯାଏ !!!