My Blog List
Wednesday, October 25, 2023
•ଶବ୍ଦଭେଦୀର ଜୀଵନ—୧୧(ହେଲମେଟ୍, ଶିରସ୍ତ୍ରାଣ ଓ ମଉଡ଼ା)•
Saturday, October 7, 2023
ବିଲୁଆ ଶବ୍ଦର ସ୍ତ୍ରୀଵାଚକ ରୂପ କ'ଣ ?
Thursday, September 22, 2022
ଚୋର ଓ ଜହ୍ନରା ଗଛ (ଶବ୍ଦଭେଦୀର ଜୀଵନ-୬)
Saturday, September 10, 2022
ଦକ୍ଷିଣ ଓଡ଼ିଶାର କଥିତ ଓଡ଼ିଆ ଭାଷାରେ ପ୍ରଚଳିତ ଜୂଷ୍ ଵା ଯୂଷ୍ ଶବ୍ଦ(ଶବ୍ଦଭେଦୀର ଜୀଵନ-୪)
Monday, January 24, 2022
ଶବ୍ଦଭେଦୀର ଜୀଵନ ଭାଗ -୩ (ପାର୍ଥୁକ ଓ ପାର୍ଥକ୍ୟ)
ମାଆ ବେଳେ ବେଳେ ଏମିତି କିଛି ଶବ୍ଦ ପ୍ରୟୋଗ କରନ୍ତି ଯେ ମୁଁ ଅଭିଧାନ ଆଡ଼େଇଵାକୁ ଵାଧ୍ୟ ହୁଏ ।
ଦିନେ କଥା ପ୍ରସଙ୍ଗରେ ମୋତେ କହିଲେ
“ମଅର କ'ଣ ଆଉ ଆଗ ଭଳି ପାର୍ଥୁକ ଅଛି ...”
ହଠାତ୍ ତାଙ୍କ ମୁଖରୁ ପାର୍ଥୁକ ଭଳି ଏକ ଶବ୍ଦ ଶୁଣି ଆଶ୍ଚର୍ଯ୍ୟ ହୋଇଗଲି ! ଆହା ମୋ ପାଇଁ ଇଏତ ନୂଆ ଶବ୍ଦଟିଏ କିନ୍ତୁ ମାଆ ବୁଝେଇଦେଲେ ବଳବହପ ଅର୍ଥରେ ଏ ଶବ୍ଦଟି ପ୍ରୟୋଗ କରାଯାଏ ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଦେଖି ସୁଖ ପାଇଲି । ଯାହା ହେଉ ପାର୍ଥୁକ ଶବ୍ଦଟି ଭାଷାକୋଷର ୪୭୯୪ତମ ପୃଷ୍ଠାରେ ଶ୍ରୀଗୋପାଳଚନ୍ଦ୍ର ପ୍ରହରାଜ ଯୋଡ଼ିଛନ୍ତି ।
ପାର୍ଥୁକ ଶବ୍ଦ ଆମ ଭାଷାରେ ଉଭୟ ଵିଶେଷ୍ୟ ଓ ଵିଶେଷଣ ଶବ୍ଦ ରୂପରେ ପ୍ରୟୋଗ କରାଯାଏ ।
ପାର୍ଥୁକର ଵିଶେଷ୍ୟ ଅର୍ଥ କ୍ଷମତା, ସାମର୍ଥ୍ୟ ଓ ବଳ ।
୧୯୨୯ ମସିହା ନଭେମ୍ବର ମାସ ୧୫ ତାରିଖରେ ପାର୍ଥୁକ ଶବ୍ଦଟି ବଳ , କ୍ଷମତା ଅର୍ଥରେ ଦୈନିକ ଆଶା ପତ୍ରିକାରେ ଵ୍ୟଵହାର କରାଯାଇଥିଲା ବୋଲି ଭାଷାକୋଷରେ ଏକ ଵାକ୍ୟ ଉଦାହରଣ ସହ ଦ୍ରଷ୍ଟଵ୍ୟ ମଧ୍ୟ ଅଛି ।
“ମୋର ଏ ଵିଷୟରେ ପାର୍ଥୁକ ସରିଗଲାଣି”
ତେବେ ପାର୍ଥୁକର ଵିଶେଷଣ ଅର୍ଥ ହେଉଛି ପାର୍ଥକ୍ୟ । ଵିଶେଷଣ ପାର୍ଥୁକ ଶବ୍ଦଟି ତତ୍ସମ ପାର୍ଥକ୍ୟର ଓଡ଼ିଆ ତଦ୍ଭଵ ରୂପ ଅଟଇ ବୋଲି ଭାଷାକୋଷରେ କୁହାଯାଇଛି ।
କିନ୍ତୁ ପାର୍ଥକ୍ୟ ଶବ୍ଦଟି ଏକ ଵିଶେଷ୍ୟ ଶବ୍ଦ ଏଵଂ
ଵିଚ୍ଛେଦ, ଵିଭିନ୍ନତା,ଵ୍ୟକ୍ତିତ୍ବ, ପ୍ରଭେଦ ଓ ଏକାକିତା ଆଦି ଏହାର ଅନେକ ଅର୍ଥ ଥିଲେ ହେଁ ଓଡ଼ିଆ ଭାଷାରେ ସାଧାରଣତଃ ପ୍ରଭେଦ ଅର୍ଥରେ ଏ ଶବ୍ଦର ବହୁଳ ଵ୍ୟଵହାର ହୋଇଥାଏ ।
ଆଜିକାଲି ଅଵଶ୍ୟ ଅନେକ ଓଡ଼ିଆ ଵୈଦେଶିକ ତଫାତ୍ ଓ ଫରକ ଶବ୍ଦର ପ୍ରୟୋଗ ପାର୍ଥକ୍ୟ ଅର୍ଥରେ କରୁଥିଵା ଦୃଶ୍ୟ ହୋଇଥାଏ କିନ୍ତୁ ପାର୍ଥକ୍ୟ,ପ୍ରଭେଦ ଶବ୍ଦଦ୍ଵୟ ତଥାପି ଓଡ଼ିଆ ଭାଷାରେ ଚଳୁଅଛି ।
ହିନ୍ଦୀଭାଷୀ फ़र्क़,इख्तिलाफ,तफात ଓ तनहा ଭଳି ଵୈଦେଶିକ ଶବ୍ଦଗୁଡି଼କର
ଵ୍ୟଵହାର ଅଧିକ କରନ୍ତି ଏଵଂ अंतर ତଥା भेद ଶବ୍ଦ କେତେକ ନିର୍ଦ୍ଦିଷ୍ଟ ଵାକ୍ଯଗଠନ କାଳରେ ହିନ୍ଦୀରେ ଵ୍ୟଵହୃତ ହୁଏ । ହିନ୍ଦୀଭାଷାରେ ପାର୍ଥକ୍ୟ ଓ ପ୍ରଭେଦ ଶବ୍ଦର ପ୍ରୟୋଗ ସେତେ ହୁଏ ନାହିଁ ।
ମାତ୍ର ଓଡ଼ିଆମାନେ ପାର୍ଥକ୍ୟ ଭଳି ଅନେକ ଶବ୍ଦକୁ ଆଜିଯାଏଁ ଵ୍ୟଵହାର କରି ସଂସ୍କୃତଭାଷାର ସମ୍ମାନ ବଞ୍ଚାଇ ରଖିଛନ୍ତି । କେତେକ କ୍ଷେତ୍ରରେ ଆଵଶ୍ୟକ ହେଵାରୁ ଓଡ଼ିଆ ଭାଷାରେ ପାର୍ଥକ୍ୟ ଶବ୍ଦଟି ଵିଶେଷଣ ରୂପେ ପ୍ରଚଳିତ ହେଵାରୁ ପାର୍ଥୁକରେ ପରିଣତ ହୋଇଥିଲା ।
ତେବେ ବହୁତ ଉଣ୍ଡାଉଣ୍ଡି ପରେ ମଧ୍ୟ ବଳ,କ୍ଷମତା ଓ ସାମର୍ଥ୍ୟ ଅର୍ଥରେ ଏକ ଵିଶେଷ୍ୟ ଶବ୍ଦ ରୂପରେ ପ୍ରୟୋଗ କରାଯାଉଥିଵା ପାର୍ଥୁକ ଶବ୍ଦର ସମୋଦ୍ଧୃତ ତତ୍ସମ ଶବ୍ଦରୂପ ମିଳିଲା ନାହିଁ ।
ସମ୍ଭଵତଃ ପାର୍ଥକ୍ୟ ଶବ୍ଦର ଏକ ଗୌଣ ଵା ଅଳ୍ପ ଵ୍ୟଵହୃତ ଅର୍ଥ ‘ଵ୍ୟକ୍ତିତ୍ଵ’ ଓଡ଼ିଆ ଭାଷାରେ ଭାଵଗତ ଆଧାରରେ ସାମର୍ଥ୍ୟ ,ବଳ ଓ କ୍ଷମତା ଆଦି ଅର୍ଥରେ ପ୍ରୟୋଗ କରାଯାଉଥିଲା ଏଵଂ ତାହା ପରେ ପାର୍ଥୁକରେ ପରିଵୃତ୍ତ ହୋଇଥିଲା ।
ସୁପ୍ରାଧାନ୍ଯ ଵା ଵ୍ୟକ୍ତି ଵିଶେଷର ସ୍ବତନ୍ତ୍ର୍ୟ,ଵିଶିଷ୍ଟତା ଓ ଵିଶେଷତ୍ବକୁ ଵ୍ୟକ୍ତିତ୍ଵ କୁହାଯାଏ । ଜଣେ ଲୋକର ବଳବହପ, ସାମର୍ଥ୍ୟ ଓ କ୍ଷମତା ଆଦି ହ୍ରାସ ଘଟିଲେ ସମାଜରେ ତାହାର ପ୍ରାଧାନ୍ୟ ହ୍ରାସ ହୋଇଥାଏ । ପ୍ରାଧାନ୍ୟ ହ୍ରାସଘଟିଥିଵା ଓ ବଳ,କ୍ଷମତା ତଥା ସାମର୍ଥ୍ୟ ହରାଇଥିଵା ଵ୍ୟକ୍ତିର ଵିଶିଷ୍ଟତା ମଧ୍ୟ ରହିନଥାଏ ।
ଅତଏଵ୍ ବଳ ବହପ,କ୍ଷମତା ଓ ସାମର୍ଥ୍ୟ ଅର୍ଥରେ ଵ୍ୟଵହୃତ ଓଡ଼ିଆ ପାର୍ଥୁକ ଶବ୍ଦଟି ପାର୍ଥକ୍ୟ ଶବ୍ଦର ପରିଵୃତ୍ତ ରୂପ ହୋଇଥାଇପାରେ । ସମୟକ୍ରମେ ପାର୍ଥକ୍ୟ ଶବ୍ଦର ଗୌଣ ଅର୍ଥ ‘ଵ୍ୟକ୍ତିତ୍ଵ’କୁ ପ୍ରାଧାନ୍ୟ ଦେଇ ପାର୍ଥୁକ ରୂପେ ବଳ ବହପ ,କ୍ଷମତା ଓ ସାମର୍ଥ୍ୟ ଅର୍ଥରେ ଚଳିଵାକୁ ଲାଗିଛି ।
ଅଵଶ୍ୟ ଓଡ଼ିଆ ତଥା ସଂସ୍କୃତ ଭାଷାରେ Difference ଅର୍ଥରେ ଅନେକ ଶବ୍ଦ ପ୍ରୟୋଗ କରାଯାଏ । ସଂସ୍କୃତରେ ପ୍ରଭେଦ,ଵିଭେଦ, ପାର୍ଥକ୍ୟ,ଭେଦ,ଭିନ୍ନ,ତାରତମ୍ୟ,ଅନ୍ତର,ଅମେଳ,ପ୍ରକରଣ,ପ୍ରକାର,ପରତା,ପରତ୍ଵ,ଦ୍ଵୈଧ,ପୃଥକ୍ତା,ଵିଭିନ୍ନତା,ଵିଭିନ୍ନତ୍ଵ,ବୈଲକ୍ଷଣ୍ୟ,ଵୈଲକ୍ଷ୍ୟ,ବ୍ୟତିରେକ,ଭିତ୍ତି,ଭିଦା, ମଧ୍ୟ ଓ ମହସ ଇତ୍ୟାଦି ଶବ୍ଦଗୁଡ଼ିକ ପାର୍ଥକ୍ୟ ଶବ୍ଦର ପର୍ଯ୍ୟାୟଵାଚୀ ଶବ୍ଦ ହୋଇଥିଵାବେଳେ ଓଡ଼ିଆ ଭାଷାରେ ପ୍ରୋକ୍ତ ତତ୍ସମ ଶବ୍ଦ ଛଡ଼ା
ଫାଙ୍ଗ,ତାରତମ,ଭିନ୍ନ,ଵିଭେଦ, ପାର୍ଥକ୍ୟ,ପାର୍ଥୁକ,ପାର୍ଥୁକ୍ୟ,ପ୍ରକାର,ଅମେଳ,ପରାଭିନ୍ନ,ପାରଥୁକ,ପାରଥୁକ୍ୟ,ଵିଭିନ୍ନତା ଓ ହେଜ ଭିନ୍ନାଭିନ୍ନ ଓ ଭେଦାଭେଦ ଆଦି ଶବ୍ଦଗୁଡ଼ିକୁ ପାର୍ଥକ୍ୟ ଅର୍ଥରେ ପ୍ରୟୋଗ କରାଯାଇଥାଏ ।
ଆମ ଭାଷାରେ ପାର୍ଥକ୍ୟ ଶବ୍ଦ ବହୁ ପ୍ରଚଳିତ ଥିଵାବେଳେ ଏଵଂ ପାର୍ଥକ୍ୟର ଗଣ୍ଡା ଗଣ୍ଡା ପର୍ଯ୍ୟାୟଵାଚକ ତତ୍ସମ ,ତଦ୍ଭଵ ଓ ଦେଶଜ ଶବ୍ଦ ଥାଉ ଥାଉ ଆଧୁନିକ ଯୁଗର ଓଡ଼ିଆମାନେ ଉତ୍ତର ଭାରତୀୟଙ୍କ ଦେଖାଦେଖି ଵୈଦେଶିକ ତଫାତ୍ ଓ ଫରକ ଏହି ଦୁଇଗୋଟି ଶବ୍ଦ ପ୍ରୟୋଗ କରିଵାରୁ ଏ ସମସ୍ତ ଶବ୍ଦଗୁଡି଼କ ଅଧୁନା ଅଳ୍ପ ଵ୍ୟଵହୃତ ହେଉଅଛି । ନିଜ ଭାଷାରେ ଶବ୍ଦ ଥିଵାବେଳେ ଅନ୍ୟ ଭାଷାରୁ ଶବ୍ଦ ଆହରଣ କରି ଵ୍ୟଵହାର କଲେ ଭାଷାର କେମିତି କିପରି ଲାଭ ହେଵ ?
Tuesday, November 16, 2021
ଶବ୍ଦଭେଦୀର ଜୀଵନ(୨) — ମୃଗତୃଷ୍ଣା
ଆଜକୁ ପ୍ରାୟ ସତର ଅଠର ଵର୍ଷ ତଳେ(୨୦୦୩-୨୦୦୪ ଶିକ୍ଷାଵର୍ଷ) ମୁଁ କନ୍ତିଓ ପୁଟସାହି ଗ୍ରାମପଞ୍ଚାୟତର ଉଚ୍ଚ ଵିଦ୍ୟାଳୟରେ (ନଵମ ଶ୍ରେଣୀରେ) ପାଠ ପଢୁ଼ଥାଇ । ସେତେବେଳେ ଆମର ଭୂଗୋଳ ଶିକ୍ଷକ ଥାଆନ୍ତି ୰ଶ୍ରୀରଵିନ୍ଦ୍ର ସାହୁ ମହାଶୟ । ଥରେ ଶ୍ରେଣୀଗୃହରେ ମରୁଭୂମି କଥା ପଡ଼ିଥାଏ ଏଵଂ ଶିକ୍ଷକ ମହାଶୟ ଏ ଵିଷୟରେ ବୁଝାଉଥାଆନ୍ତି । ସାହାରା ମରୁଭୂମିର କଥା ପଡ଼ିଥିଲା କିନ୍ତୁ ହଠାତ୍ ରଵି ସାର୍ ଆମ୍ଭମାନଙ୍କ ଆଡ଼କୁ ଅନାଇ ପଚାରିଲେ ଆଚ୍ଛା କହିଲ ପିଲେ ‘ମୃଗତୃଷ୍ଣା’ର ଅର୍ଥ କ'ଣ ?
କନ୍ତିଓ ପୁଟସାହି ଉଚ୍ଚ ଵିଦ୍ୟାଳୟ ଗ୍ରାମାଞ୍ଚଳରେ ଅଵସ୍ଥିତ ପୁଣି ସେଥିରେ ଯେଉଁମାନେ ସେତେବେଳେ ପାଠ ପଢୁ଼ଥିଲେ ତନ୍ମଧ୍ୟରୁ ଜଣେ ଅଧେକୁ ଛାଡି଼ଦେଲେ ଅନ୍ୟମାନେ ପ୍ରାୟ ପାଠବହି ଛଡ଼ା ଅନ୍ୟ ବହି ପଢୁ଼ଥିଵେ କି ନାହିଁ ସନ୍ଦେହ । ତେବେ ରଵି ସାର୍ ଭାବିଲେ ଯେହେତୁ ମୋର ଭୂଗୋଳ ଇତିହାସରେ ଭଲ ନମ୍ବର ରହୁଥିଲା କାଳେ ମୋତେ ଏହାର ଉତ୍ତର ଜଣାଥିଵ ତେଣୁ ସେ ମୋତେ ପଚାରିଲେ କିନ୍ତୁ ମୁଁ ଏହାର ଉତ୍ତର ଆଦୌ ଜାଣିନଥିଲି ।
ସେତେବେଳେ ଅଶିରୁ ଅଧିକ ଛାତ୍ରଛାତ୍ରୀ ନଵମ ଶ୍ରେଣୀରେ ପଢୁ଼ଥିଲେ କିନ୍ତୁ କେହି ମଧ୍ୟ ମୃଗତୃଷ୍ଣା ଶବ୍ଦର ଅର୍ଥ ଜାଣିନଥିଲେ । କାହାକୁ ବି ମୃଗତୃଷ୍ଣା ଶବ୍ଦର ଅର୍ଥ ଜଣାନଥିଵା ଦେଖି ଶିକ୍ଷକ ମହୋଦୟ ଟିକିଏ ନିରାଶ ହେଲେ କିନ୍ତୁ ସେ ସେଦିନ ଶ୍ରେଣୀଗୃହରେ ଏହି ଶବ୍ଦର ଅର୍ଥ ମରିଚୀକା ବୋଲି ସମସ୍ତଙ୍କୁ ଜଣାଇଥିଲେ ।
ଏହି ଘଟଣାଟି ମୋର ଅନ୍ୟ ସହପାଠୀମାନଙ୍କର ହେତୁ ଅଛି କି ନାହିଁ ଜାଣିନାହିଁ ତେବେ କେଜାଣି କାହିଁକି ଏହା ମୋର ଆଜି ବି ମନେଅଛି । ଉଚ୍ଚ ଵିଦ୍ୟାଳୟରେ ପଢୁ଼ଥିଵା ସମୟରେ ମୋର ଵିଭିନ୍ନ ଶବ୍ଦ ଵିଷୟରେ ଜାଣିଵାର ଆଗ୍ରହ ପୂର୍ଵାପେକ୍ଷା ବଢି଼ଯାଇଥିଲା । ମାତ୍ର ସେ ସମୟରେ ମୋ ପାଖରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭଳି କୌଣସି ଅଭିଧାନ ନଥିଲା କି ତାହା କେମିତି ଅତି ଆଵଶ୍ୟକ କେହି ହୃଦୟଙ୍ଗମ କରାଇନଥିଲେ ।
ଅଵଶ୍ୟ ଉଚ୍ଚ ଵିଦ୍ୟାଳୟରେ ଥରେ ସାହିତ୍ୟ ଶିକ୍ଷକ ଶ୍ରୀଶିଵ ରଥ ମହାଶୟ ଗୋଟିଏ ଶବ୍ଦର ଉଲ୍ଲେଖ କରିଥିଲେ । କିନ୍ତୁ ଶ୍ରୀଶିଵ ରଥ ମହାଶୟଙ୍କ ଦ୍ଵାରା ପ୍ରଦତ୍ତ ଉକ୍ତ ଶବ୍ଦ ଆଉ ମନେ ପଡୁନାହିଁ ହେଲେ ତାହାର ଅର୍ଥ ମନେ ଅଛି “ହଠାତ୍ ଶାଶୁମାଆଙ୍କୁ ନିଜ ସମ୍ମୁଖରେ ଦେଖି ଜ୍ବାଇଁ ନିଜ ଅସଜଡା଼ କେଶ ତଥା ପୋଷାକ ପତ୍ର ସଜାଡି଼ ନେଵା” ।
ସେହି ଵିସ୍ମୃତ ହୋଇଯାଇଥିଵା ଶବ୍ଦ ଓ ତାହାର ଅର୍ଥ କହି ଶିଵ ସାର୍ ଏହି ଭଳି ହଜାର ହଜାର ଶବ୍ଦ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପାଇପାରିଵ ବୋଲି ଆମକୁ କହିଥିଲେ । ମୋର ଝାପ୍ସା ମନେ ପଡୁଛି କେହି ଜଣେ ତାହା କେଉଁଠି ମିଳିଵ ପଚାରିଵାରୁ ସାର୍ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଆକାର ବହୁତ ବଡ଼ ,ମୂଲ୍ୟଵାନ ଓ ସହଜରେ ମିଳୁନଥିଵା କହିଥିଲେ । ସୌଭାଗ୍ୟକୁ ଆଜି ଅନ୍ତର୍ଜାଲରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପିଡିଏଫ୍ ଆକାରରେ ଉପଲବ୍ଧ ଅଛି ।
ସମ୍ଭଵତଃ ଶିଵ ସାର୍ ଯେଉଁ ଶବ୍ଦଟି ଆମକୁ ସେତେବେଳେ କହିଥିଲେ ତାହା “ଆଡ଼ଆଡ଼ ହେଵା” ହୋଇଥାଇପାରେ । ୨୦୦୪ ସମୟରେ ଯେତେବେଳେ ଶିଵ ସାର୍ ଆମକୁ ପଢ଼ାଉଥିଲେ ସେତେବେଳେ ଅନ୍ତର୍ଜାଲର ଵ୍ୟଵହାର ଆଜିଭଳି ନଥିଲା ତେଣୁ ସେ ଯଥା ସମ୍ଭଵ ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ କୌଣସି ପାଠାଗାରରେ କିଂଵା କାହାଘରେ ପାଇ ପଢି଼ଥିଵେ ଏଵଂ ପ୍ରାରମ୍ଭିକ କିଛି ପୃଷ୍ଠା ଆଡେ଼ଇଵା ମଧ୍ୟରେ ଏହି ଆଡ଼ ଆଡ଼ ହେଵା କ୍ରିୟାଶବ୍ଦଟି ତାଙ୍କର ଦୃଷ୍ଟିଗୋଚର ହୋଇଥିଵ । ମାତ୍ର ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ “ଆଡ଼ ଆଡ଼ ହେଵା” କ୍ରିୟାର ପାଞ୍ଚ ଛଅ ଗୋଟି ଅର୍ଥ ମଧ୍ୟରେ ଗୋଟିଏ ଅର୍ଥ ଲେଖାଅଛି
“ଲଜ୍ଜା , ଭୟ , ଅଭିମାନ କିଂଵା ସମ୍ଭ୍ରମ ଯୋଗୁଁ କୌଣସି ଵ୍ୟକ୍ତିଙ୍କ ସାମନାରେ ଵା ମୁହାଁମୁହିଁ ଠିଆ ନ ହୋଇ ସଙ୍କୋଚଯୁକ୍ତ ଓ ଏକପାଖିଆ ହେଵା । ଆମ ସମାଜରେ ଵୋହୂ ଶାଶୁ ଆଦି ଗୁରୁଜନଙ୍କୁ ଦେଖିଲେ ଆଡ଼ଆଡ଼ ହୁଏ।”
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଆଡ଼ ଆଡ଼ ହେଵା କ୍ରିୟା ଵିଷୟରେ ଥିଵା ଦ୍ରଷ୍ଟଵ୍ୟରେ ଶାଶୁ ଓ ସମ୍ଭ୍ରମ ଶବ୍ଦର ଉଲ୍ଲେଖରୁ ମୋର ହୃଦବୋଧ ହେଉଛି ଯେ ହୁଏତ ଆମର ସାହିତ୍ୟ ଶିକ୍ଷକ ଶ୍ରୀଶିଵ ରଥ ମହାଶୟ ଏହି ଶବ୍ଦଟି ମନେ ରଖିଥିଲେ ଓ ଆମକୁ ଜଣାଇଵା ସମୟରେ ଅର୍ଥ ସାମାନ୍ୟ ଭିନ୍ନ ହୋଇଯାଇଥିଲା ।
ଏମନ୍ତ ମଧ୍ୟ ହୋଇପାରେ ଯେ ଶିଵ ସାର୍ କହିଥିଵା ଶବ୍ଦଟି କୌଣସି ଭିନ୍ନ ଶବ୍ଦ ହୋଇଥିଵ କିନ୍ତୁ ମୋ ମନ କହୁଛି ତାହା ଆଡ଼ ଆଡ଼ ହେଵା ହିଁ ହୋଇଥିଵ ।
ତେବେ ସେ ଯାହା ହେଉ ଶିଵ ସାର୍ ଯେଉଁ ଶବ୍ଦଟି ଵିଷୟରେ ୨୦୦୪ ସମୟରେ କହିଥିଲେ ତାହାର ଅର୍ଥ ମନେ ଥିଲେ ବି ଆଜି ମୁଁ ସେ ଶବ୍ଦକୁ ଭୁଲି ଯାଇଛି ଏଵଂ ତାହା “ଆଡ଼ ଆଡ଼ ହେଵା” ହୋଇଥାଇପାରେ ବୋଲି ସନ୍ଦେହ କରୁଛି ।
ମାତ୍ର ରଵି ସାର୍ଙ୍କ ଦ୍ଵାରା ପ୍ରଥମେ ପରିଚିତ ହୋଇଥିଵା ମୃଗତୃଷ୍ଣା ଶବ୍ଦ ମୋର ମନେ ରହିଯାଇଛି । କୌଣସି ଶବ୍ଦ ବହୁ ପ୍ରଚଳିତ ହୋଇଥିଲେ ଵା ବାରମ୍ବାର ଵ୍ୟଵହାର କରୁଥିଲେ ତାହା ଆପେ ମନେ ରହିଯାଏ । ମୃଗତୃଷ୍ଣା ଶବ୍ଦକୁ ଓ ଏହାର ଅର୍ଥକୁ ଜାଣିଵାପରେ ମୁଁ ଅନେକ ସ୍ଥାନରେ ତାହାର ଵ୍ୟଵହାର କରିଥିଲି । ଶିକ୍ଷକ ଯେଉଁ ପାଠ ଦେଉଥିଲେ ସେଥିରେ ମଧ୍ୟ ସୁଯୋଗ ଉଣ୍ଡି ଏ ଶବ୍ଦ ଵ୍ୟଵହାର କରୁଥିଲି ତେଣୁ ତାହା ମନେ ରହିଛି ।
ଆଜି ଅନ୍ତର୍ଜାଲରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଉପଲବ୍ଧ ହେଵା ଯୋଗୁଁ ଏ ଅକିଞ୍ଚନ ଏହି ମୃଗତୃଷ୍ଣା ଶବ୍ଦ ଓ ଏହାର ପ୍ରତିଶବ୍ଦ ସମ୍ବନ୍ଧରେ ଅନେକ କଥା ଜାଣିପାରିଛି ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ମୃଗତୃଷ୍ଣା ଶବ୍ଦଟି ବହୁଵ୍ରୀହି ସମାସ ଆଧାରରେ ମୃଗର ଯାହା ତୃଷ୍ଣା ଜନ୍ମାଏ ଏହି ଅର୍ଥରେ ସୃଷ୍ଟି ହୋଇଅଛି । Mirage ଅର୍ଥରେ ମୃଗତୃଷ୍ଣିକା,ମୃଗତୃଟ୍,ମୃଗତୃଷ୍ମା ଓ ମୃଗତୃଷ୍ଣି ଆଦି ଶବ୍ଦ ମଧ୍ୟ ଵ୍ୟଵହାର ହୋଇଥାଏ ।
ମୃଗତୃଷ୍ଣା ଶବ୍ଦଟି ଓଡ଼ିଆ ଭାଷାରେ ଗୋଟିଏ ସାହିତ୍ୟିକ ଶବ୍ଦ ଭାବେ ଵ୍ୟଵହୃତ ହୋଇଥାଏ ଏଵଂ କଥିତ ଓଡ଼ିଆ ଭାଷାରେ ସେତେ ଵ୍ୟଵହାର ହୋଇନଥାଏ । ଜଗନ୍ନାଥ ଦାସ ତ ଓଡ଼ିଆ ଭାଗଵତରେ ଏ ଶବ୍ଦକୁ ଅନେକ ଥର ଵ୍ୟଵହାର କରିଛନ୍ତି
ଯଥା—
ଏ ଦୁଃଖ-ସୁଖ-ରୂପ-ଗର୍ତ୍ତେ ।
ଵିଷୟା-ମୃଗତୃଷ୍ଣା ପଥେ ।।
(ଚତୁର୍ଥ ସ୍କନ୍ଧ)
କ୍ଷୁଧାପୀଡି଼ତ ଯେବେ ହୋଇ ।
ନିଷ୍ଫଳ-ଵୃକ୍ଷକୁ ଧାମଇଁ ।।
କେବେ ଵା ମୃଗତୃଷ୍ଣା ଦେଖି ।
ତୃଷାରେ ଧାମଇଁ ନିରେଖି ।।
(ପଞ୍ଚମ ସ୍କନ୍ଧ)
ତୋ ମାୟା-ସଂସାର-ସାଗରେ ।
ସ୍ୱପ୍ନ ମୃଗତୃଷ୍ଣା ପ୍ରକାରେ ।
(ସପ୍ତମ ସ୍କନ୍ଧ)
ଏ ମୃଗତୃଷ୍ଣା ପ୍ରାୟ ରାଜ୍ୟ ।
ଏଣେ ଆମ୍ଭର ନାହିଁ କାର୍ଯ୍ୟ ।
(ଦଶମ ସ୍କନ୍ଧ)
ଚିଲିକା ଖଣ୍ଡକାଵ୍ୟରେ ମୃଗତୃଷ୍ଣା ଶବ୍ଦର ପ୍ରୟୋଗରେ
କଵିଵର ରାଧାନାଥ ରାୟ ଲେଖିଲେ
“ବସ୍ତୁ ନୁହଇ ସେ ଅଟଇଟି ଧୂମ,
ଅନ୍ୟନାମ ତାର ଆକାଶ କୁସୁମ,
ତୋହରି ପୁଳିନେ ମୃଗତୃଷ୍ଣା ପ୍ରାୟେ,
ମନ ମୃଗକୁ ସେ ଜଗତ ଭ୍ରମାଏ ।”
ସ୍ଵଭାଵକଵି ଗଙ୍ଗାଧର ମେହେର ତପସ୍ଵିନୀ କାଵ୍ୟରେ ଏ ଶବ୍ଦର ଵ୍ୟଵହାରରେ ଲେଖିଛନ୍ତି ...
“ସୁଖ-ଵିଷୟ-ଭୋଗ ତୃଷ୍ଣାର ପରି
ସଞ୍ଜାର କଲା ମୃଗତୃଷ୍ଣା ସୁନ୍ଦରୀ,
ତୂଳା ଉଡ଼ିଲା ତେଜି ଶାଳଳୀ ତରୁ;
କୃପଣ ଧନ କାଳେ ଉଡ଼େ ଖାତରୁ ।।”
‘ନିର୍ଝରିଣୀ’ରେ ନନ୍ଦକିଶୋର ବଳ ମଧ୍ୟ ମୃଗତୃଷ୍ଣା ଶବ୍ଦ ପ୍ରୟୋଗ କରିଛନ୍ତି...
“ଵିରାଟ ସେ ଦେଶ ନ ମିଳେ ଜଳ
ହସି ମୃଗତୃଷ୍ଣା ଦେଖାଏ ଛଳ।”
ସୂର୍ଯ୍ୟକିରଣରେ ହେଉଥିଵା ଜଳଭ୍ରମକୁ ଇଂରାଜୀରେ Mirage ତଥା କଥିତ ଓଡ଼ିଆ ଭାଷାରେ ଖରାନାଚ କୁହାଯାଏ । କେହି କେହି ଭାରତୀୟ ଭାବନ୍ତି ଯେ ଇଂରାଜୀର Mirage ଶବ୍ଦଟି ମରୀଚିକା ଶବ୍ଦରୁ ଗୃହୀତ କିନ୍ତୁ ଏହା ଏକ ଭ୍ରମ ଧାରଣା । ପ୍ରକୃତରେ Mirage ଶବ୍ଦଟି ଫ୍ରେଞ୍ଚ୍ ଭାଷାରୁ ନିଆଯାଇଛି ଏଵଂ mirer +ତଥା -age ଶବ୍ଦ ଯୁକ୍ତ କରି ଏ ଶବ୍ଦ ସୃଷ୍ଟି ହୋଇଛି । mirerର ଅର୍ଥ ଝଅଟ୍ ଦେଖିଵା ତଥା ଅନେଇ ରହିଵା ଓ -age ଏକ ଫ୍ରେଞ୍ଚ୍ ପ୍ରତ୍ୟୟ ଯାହା କାର୍ଯ୍ୟ କରିଵା ଅର୍ଥରେ ଆଗେ ପ୍ରୟୋଗ ହେଉଥିଲା ।
ତେବେ ଓଡ଼ିଶାରେ ମୃଗତୃଷ୍ଣା ଅପେକ୍ଷା ମରୀଚିକା ସହିତ ଅନେକ ଲୋକ ପରିଚିତ । ମୃଗତୃଷ୍ଣାକୁ ମରୀଚିଜଳ ଓ ମରୀଚିତୋୟ ମଧ୍ୟ କୁହାଯାଏ ଏଵଂ ଏ ସବୁ ଶବ୍ଦ ମଧ୍ୟରେ ଥିବା ମରୀଚି ଶବ୍ଦର ଅର୍ଥ କିରଣ ଅଟଇ । ଗ୍ରୀଷ୍ମକାଳରେ ଜଳଶୂନ୍ୟ ବାଲୁକାମୟ ମରୁଭୂମିରେ ପ୍ରଖର ସୂର୍ଯ୍ୟରଶ୍ମି ପତିତି ଓ ପ୍ରତିଫଳିତ ହୋଇ ତାହା ଦୂରରୁ ସ୍ବଚ୍ଛ ଜଳାଶୟ ପରି ପ୍ରତୀୟମାନ ହୁଏ । ତୃଷାର୍ତ୍ତ ମୃଗମାନେ ଓ ପିପାସାରେ ଶୁଷ୍କକଣ୍ଠ ପଥିକମାନେ ଜଳପାନ ଆଶାରେ ତଦ୍ଭିମୁଖରେ ଯେତିକି ଯେତିକି ଧାଵମାନ ହେଉଥାନ୍ତି, ତାହା ତେତିକି ତେତିକି ଦୂରକୁ ଘୁଞ୍ଚିଯିଵା ପରି ଦେଖା ଯାଉଥାଏ । ଫଳତଃ ଅଵଶେଷରେ ଉକ୍ତ ହତଭାଗ୍ଯ ଜୀଵ ଵା ଜୀଵଗଣ କ୍ଳାନ୍ତ ଓ ପିପାସାର୍ତ୍ତ ହୋଇ ମରିଯାଆନ୍ତି । ଏଥିପାଇଁ ପ୍ରଲୋଭନ ଵା ଵୃଥା ଆଶାକୁ ଲୋକେ ମୃଗତୃଷ୍ଣା ମରୀଚିକା ଵା ଖରାନାଚ ସଙ୍ଗେ ତୁଳନା କରିଥାନ୍ତି । ଫଳତଃ ଆମ ଭାଷାରେ ମୃଗତୃଷ୍ଣା ଶବ୍ଦଟି ଲକ୍ଷଣାର୍ଥ ଵୃଥା ଆଶା ଦେଖାଇଵାର ଛଳନା ଅର୍ଥରେ ସୁଦ୍ଧା ଵ୍ୟଵହାର ହୋଇଥାଏ ।
ଆଉ ଏକ ପ୍ରକାରର ମରୀଚିକା ରହିଛି । ଏହି ଧରଣର ମରୀଚିକାକୁ ମୃଗତୃଷ୍ଣା ନକହି ଚନ୍ଦ୍ରାଭାସ(ଚନ୍ଦ୍ର+ଆଭାସ) କୁହାଯାଏ । ଚନ୍ଦ୍ର ପରି ଆକାଶରେ ବେଳେ ବେଳେ ଦେଖାଯିଵା ଆଭାସକୁ ଚନ୍ଦ୍ରାଭାସ କୁହାଯାଏ । ସାଧାରଣତଃ ଏଭଳି ଆଭାସ ମେରୁ ପ୍ରଦେଶରେ ବରଫ ପ୍ରତିଫଳନ ଯୋଗୁଁ ହୋଇଥାଏ । ଏଥିଯୋଗୁଁ ଦୁଇଟି ଚନ୍ଦ୍ର ଵା ଦୁଇଗୋଟି ସୂର୍ଯ୍ୟ ଆକାଶରେ ଥିଵା ପ୍ରତୀତ ହୋଇଥାଏ ।
ପୁଣି ମେରୁପ୍ରଦେଶର Aurora Borealis ଵା Northern Lights ଭଳି ସାମୟିକ ଆଲୋକପୁଞ୍ଜ ମେରୁଜ୍ଯୋତିକୁ ସଂସ୍କୃତ ଗ୍ରନ୍ଥମାନଙ୍କରେ ଗନ୍ଧର୍ଵପୁର , ଗନ୍ଧର୍ଵନଗର ,ଗଗନପୁର, ହରିଶ୍ଚନ୍ଦ୍ରପୁର ଓ ଖପୁର କଳ୍ପନା କରାଯାଇଛି ଏମନ୍ତକି ମହାଭାରତରେ ମଧ୍ୟ ଏହାକୁ ଗନ୍ଧର୍ଵମାନଙ୍କର ଵାସସ୍ଥାନ ଅଭିହିତ କରାଯାଇଛି । ସୂର୍ଯ୍ୟଠାରୁ ନିର୍ଗତ ଜୀଵନହାରିଣୀ ସୌରତରଙ୍ଗ(ପ୍ରକୃତରେ ଏହା ଦୁଇଧାରିଆ ଖଣ୍ଡା କାରଣ ସୌରତରଙ୍ଗ ସୌରମଣ୍ଡଳକୁ ପ୍ରଵେଶ କରିଵାକୁ ଚେଷ୍ଟା କରୁଥିଵା ଗାମା ରେଡିଏସନ୍ ଭଳି ଵିଷାକ୍ତ ତତ୍ତ୍ଵକୁ ସୌରଜଗତଠାରୁ ଦୂରେଇ ରଖେ ତେଣୁ ଏହା ଏକ ଦୃଷ୍ଟିରୁ ଜୀଵନଦାୟିନୀ ମଧ୍ୟ) ସହ ପୃଥିଵୀର ଚୁମ୍ବକୀୟ ଵଳୟର ସଂଘର୍ଷ ଯୋଗୁଁ ଏହା ସୃଷ୍ଟି ହୋଇଥାଏ । ପୃଥିଵୀରେ ଏଭଳି ଅନେକ ମିଥ୍ୟା ଆଭାସ ଵା Mirage ରହିଛି ଯାହା ଦେଖିଦେଲେ ଅନେକେ ଭୟଭୀତ ହୋଇଯାଆନ୍ତି । Fata Morgana ନାମକ ମିଥ୍ୟା ଆଭାସ ସମୁଦ୍ର ତଥା ମରୁଭୂମି ମଧ୍ୟରେ ଦୃଶ୍ୟ ହୋଇଥାଏ । ଏହା ଏକ ଜାତୀୟ superior mirage ଓ ଭୟଙ୍କର । ଇଂଲଣ୍ଡରେ ଲୋକପ୍ରିୟ ଆର୍ଥର ଦନ୍ତକଥାର ନକାରାତ୍ମକ ଚରିତ୍ର Morgan le Fayର ନାମ ଆଧାରରେ ଏହି ଜାତୀୟ ମିଥ୍ୟା ଆଭାସର ନାମକରଣ ହୋଇଛି । ସେହିପରି Sundog,Brocken Spectre,Magnetic Hill ,Light Pillars,Water Sky,Green Flash,Omega Sun ଭଳି ଅନେକାନେକ Mirage ରହିଛି ଏଵଂ ଏଭଳି ଅନେକ ମିଥ୍ୟା ଆଭାସ ବହୁତ ଵିରଳ ଯାହା ଅନେକ ମାନଵ ନିଜ ଜୀଵନକାଳରେ କେବେ ଦେଖିନାହାନ୍ତି ।
ଏଯାଵତ୍ ଆଲୋଚନାରୁ ଆମେ ଜାଣିଲେ ଯେ ଅନେକ ଜାତୀୟ Mirage ଵା ମରୀଚିକା ଅଛି ଵା ଏ ପୃଥିଵୀପୃଷ୍ଠରେ ମନୁଷ୍ୟାଦି ଜୀଵଙ୍କୁ ଦୃଶ୍ୟ ହୋଇଥାଏ ତେବେ ମରୁମରୀଚିକା ଵା ଖରାନାଚକୁ ମୃଗତୃଷ୍ଣା କାହିଁକି କୁହାଯାଏ ?
ପୁରାଣରେ ଅଛି ଯେ ଗୋଟିଏ ଶଶକ ଗଳ୍ପାନ୍ତରରେ ମୃଗ ତୃଷ୍ଣାର୍ତ୍ତ ହୋଇ ମରୀଚିକା ଭ୍ରମରେ ଚନ୍ଦ୍ରଙ୍କୁ କିମ୍ବା ଚନ୍ଦ୍ରକିରଣ ଆଭାସିତ ମରୁପ୍ରାନ୍ତରକୁ ଗୋଟିଏ ଜଳାଶୟ ବୋଲି ମନେକରି ଜଳ ପାନ କରିଵାପାଇଁ ଦଉଡ଼ି ଦଉଡ଼ି ଯାଇ ଦେଖିଲା ଯେ ସେଠାରେ ପାଣି ନାହିଁ। ଏହା ଦେଖି ଶଶକର ହଂସା ଉଡ଼ିଗଲା ଓ ସେ ମରିଗଲା। ତାଙ୍କଠାରେ ଆଶା ରଖି ଶଶକ ପ୍ରାଣ ହରାଇଥିଵାରୁ ସେହି ଶଶକଟି ଛନ୍ଦ୍ରଙ୍କ ଦେହରେ କଳଙ୍କରୂପ ଲାଗିରହିଲା ଏବଂ ସେହିଦିନଠାରୁ ଚନ୍ଦ୍ର ଶଶାଙ୍କ ହେଲେ। ଏହି କାହାଣୀକୁ ଉପଲକ୍ଷ କରି ଚନ୍ଦ୍ରାଭାସ ଓ ମୃଗତୃଷ୍ଣା ଶବ୍ଦଟି ସୃଷ୍ଟି ହୋଇଥାଇପାରେ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଶବ୍ଦଗୁରୁ ଶ୍ରୀଗୋପାଳଚନ୍ଦ୍ର ପ୍ରହରାଜ ମହାଶୟ ଅନୁମାନ କରିଅଛନ୍ତି ।
କିନ୍ତୁ, ତୃଷ୍ଣା ଶବ୍ଦ ସହିତ ଅନ୍ୟ କୌଣସି କାରଣରୁ ମଧ୍ୟ ମୃଗ ଶବ୍ଦ ଲାଗିଥାଇପାରେ କି ? କ'ଣ ମୃଗ ଶବ୍ଦର ହରିଣ ଛଡ଼ା ଅନ୍ୟ କୌଣସି ଅର୍ଥରେ ମଧ୍ୟ ଵ୍ୟଵହାର ରହିଛି ?
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମୃଗ ଶବ୍ଦର ହରିଣ,ପଶୁ, ଯେକୌଣସି ଜନ୍ତୁ,ପ୍ରାର୍ଥନା; ଯାଚ୍ଞ୍ଜା ଵା ଭିକ୍ଷା,କପାଳରେ ଶୁଭ୍ର ଚିହ୍ନଯୁକ୍ତ ଥିଵା ହସ୍ତୀ,ଵୈଷ୍ଣଵମାନଙ୍କ କପାଳରେ ଧୃତ ତିଳକଚିହ୍ନର ପ୍ରକାର ଭେଦ (ଏହା ହରିଣ ଶିଙ୍ଗ ପରି ଦୋକନା),ମାର୍ଗଶୀର୍ଷ ମାସ,ମୃଗଶିରା ନକ୍ଷତ୍ର,ମକର ରାଶି, ଏକ ଜାତୀୟ ଯଜ୍ଞଵିଶେଷ,ମୃଗନାଭି ଵା କସ୍ତୂରୀ,ଅନ୍ବେଷଣ, ତତ୍ତ୍ବାନୁସନ୍ଧାନ ,ଶିକାର ଵା ମୃଗୟା ଓ ବିନ୍ଦୁ ଶାସ୍ତ୍ର ଵର୍ଣ୍ଣିତ ଚାରି ଜାତିର ପୁରୁଷ ମଧ୍ୟରୁ ଏକ ଜାତି ଆଦି ଅର୍ଥ ଉଲ୍ଲେଖ ରହିଛି ।
ସମ୍ଭଵତଃ ମୃଗ ଶବ୍ଦର ପ୍ରୋକ୍ତ ସମସ୍ତ ଅର୍ଥ ମଧ୍ୟରେ ଅନ୍ବେଷଣ ଵା ତତ୍ତ୍ବାନୁସନ୍ଧାନ ଅର୍ଥକୁ ଗ୍ରହଣ କରି ତାହା ତୃଷ୍ଣା ଶବ୍ଦ ସହିତ ଯୁକ୍ତ କରାଯାଇ ମୃଗତୃଷ୍ଣା ଶବ୍ଦଟି ସୃଷ୍ଟି ହୋଇଥାଇପାରେ । ଏମନ୍ତ ହୋଇପାରେ ଯେ ନିଜର ତୃଷ୍ଣା ମେଣ୍ଟାଇଵା ପାଇଁ ମରୁଭୂମି ମଧ୍ୟରେ ଜଳର ଅନୁସନ୍ଧାନ କରୁଥିଵା କୌଣସି ମୃଗକୁ ଦେଖି ଵା କଳ୍ପନା କରି କେହି ଏଭଳି ଏକ ଶବ୍ଦ ସୃଷ୍ଟି କରିଥିଲେ ଏଵଂ ତାହା ପରଵର୍ତ୍ତୀ କାଳରେ ଏକ ସର୍ଵଭାରତୀୟ ଶବ୍ଦରେ ପରିଣତ ହୋଇପାରିଛି ।
କ୍ରମଶଃ...
Wednesday, October 6, 2021
ଶବ୍ଦଭେଦୀର ଜୀଵନ ଭାଗ ୧ — ଚଉଦ
୨୦୧୦ ସମୟର କଥା । କୌଣସି କାରଣରୁ ମୋ ନୋକିଆ ଭ୍ରାମ୍ୟମାଣ(ଫୋନ୍)ଟି ଅଖଞ୍ଜ ହୋଇଗଲା । ମୁଁ ସେତେବେଳେ ସୁରଟ ନଗରରେ କାର୍ଯ୍ୟ କରୁଥିଲି । ସୁରଟ ନଗରର ପାଣ୍ଡେସରା ଅଞ୍ଚଳରେ ଅଵସ୍ଥିତ ସୁମୁଲ ଡେରୀ ନିକଟରେ ଥିଵା “ନୋକିଆ ସହାୟତା କେନ୍ଦ୍ର”କୁ ଯିଵାକୁ ହେଲା ।
ସେଠାରେ ସେତେବେଳେ ପାଞ୍ଚ ଛଅ ଜଣ ମହିଳା କର୍ମଚାରୀ କାର୍ଯ୍ୟ କରୁଥିଲେ । ତନ୍ମଧ୍ୟରୁ ଦୁଇ ଜଣ ମଧ୍ୟଵୟସ୍କା ମହିଳା ମଧ୍ୟ ଥିଲେ । ଜନୈକା ମଧ୍ୟ ଵୟସ୍କା ମହିଳାଙ୍କଠେଇଁ ମୋହର ପାଳି ପଡି଼ଲା । ମହିଳାଜଣକ ମୋହର ୩୧୧୦ ନୋକିଆ ଦୂରଜଙ୍ଗମଵାଣୀର କିସ ରୋଗ ଅଛି ବୋଲି ପଚାରି ବୁଝିଲେ । ଗୋଟିଏ କାଗଜରେ ନାଆଁ ଗାଆଁ ଠିକଣା ଦୂରଭାଷସଂଖ୍ୟା(ଫୋନ୍ ନମ୍ୱର୍) ଓ ଵୈପତ୍ର(ଵୈଷୟିକ ପତ୍ର/ଇ-ମେଲ୍) ଆଦି ଲେଖିଵାକୁ ଦେଲେ ।
କାଗଜରେ ଥିଵା ଆଵଶ୍ୟକ ଶୂନ୍ୟସ୍ଥାନମାନ ପୂର୍ଣ୍ଣ କରିଵା ଉତ୍ତାରୁ ସେ ଦେଵୀ ତାହା ମୋଠାରୁ ନେଇ ସବୁ ଠିକ୍ ଅଛି କି ନାହିଁ ଜାଣିଵା ପାଇଁ ଟିକିଏ ଆଖି ପକେଇ ଦେଖିଲେ ଏଵଂ ସେଥିରେ ନିଜର ସ୍ଵାକ୍ଷର ଦେଵା ସମୟରେ ମୋତେ ହିନ୍ଦୀରେ ପଚାରିଲେ ଏଵଂ ମୁଁ ମଧ୍ୟ ତାଙ୍କୁ ତାଙ୍କର ପ୍ରଶ୍ନର ଉତ୍ତର ହିନ୍ଦୀରେ ଦେଲି ।
ମହିଳା—ଆଚ୍ଛା କାଲି କେତେ ତାରିଖ ଥିଲା ...?
ମୁଁ — କାଲି ଚଉଦ(ହିନ୍ଦୀ ଵାକ୍ୟରେ ଓଡ଼ିଆ ଚଉଦ ଶବ୍ଦ ଵ୍ୟଵହାର) ତାରିଖ ଥିଲା...!
ମହିଳା — ଚଉଦ ମାନେ କ'ଣ ... ?
ମୁଁ — ଓଡ଼ିଆରେ fourteen ସଂଖ୍ଯାକୁ ଚଉଦ କୁହାଯାଏ ..!
ମହିଳା — ତାହେଲେ ତାକୁ ହିନ୍ଦୀରେ କାହିଁକି କହିଲନି
ମୁଁ — ମ୍ୟାଡମ୍ ତାହା କ'ଣ କହିଵାକୁ ହଵ !!! ଆପଣ ଜାଣିଛନ୍ତି !!! 😂
ମହିଳା ଜଣକ ଏହା ଶୁଣି ସାମାନ୍ୟ ସ୍ମିତହାସ୍ୟ କରି ମୋତେ କାଗଜଟିଏ ଧରେଇ ଦେଲେ ସେଇଠୁ ମୁଁ ଦୂରଚଳଭାଷକୁ ସହାୟତା କେନ୍ଦ୍ରରେ ସଜଡ଼ା ଯିଵା ହେତୁକ ଛାଡ଼ି ବସାକୁ ବାହୁଡ଼ି ଅଇଲି ...
ଏବେ ଆପଣମାନଙ୍କ ମନରେ ପ୍ରଶ୍ନ ଆସୁଥିଵ ଯେ
ନୋକିଆ ସହାୟତା କେନ୍ଦ୍ରର ପ୍ରୋକ୍ତ ମଧ୍ୟଵୟସ୍କା ମହିଳା ଜଣକ ପନ୍ଦର ଜୁନ୍ରେ କାର୍ଯ୍ୟାଳୟରେ ଥାଇ ବି କାହିଁକି ଗତକାଲି କେତେ ତାରିଖ ବୋଲି ପଚାରିଲେ ?
ସେ କାହିଁକି ଓଡ଼ିଆରେ ୧୪ ସଂଖ୍ୟାକୁ ଚଉଦ ତଥା ଇଂରାଜୀରେ ଫୋଟିନ୍ କହିଲାପରେ ବି ମୋତେ ତାହା ହିନ୍ଦୀରେ କହିଵାକୁ କହୁଥିଲେ ?
🤔🤔🤔
କଥା କ'ଣ କି ହିନ୍ଦୀରେ ୧୪ସଂଖ୍ୟାକୁ चौदह ଲେଖାଯାଏ କିନ୍ତୁ କହିଲାବେଳେ ସାଧାରଣତଃ ଚୌଦା,ଚୌଦାହ୍ ଏଵଂ କେତେକ ହିନ୍ଦୀଭାଷୀ ଅଞ୍ଚଳରେ ଚଉଦ ଶବ୍ଦକୁ ହଳନ୍ତଵତ୍ କରି ଚଉଦ୍ ମଧ୍ୟ କୁହାଯାଏ ।
ମାତ୍ର ଅହିନ୍ଦୀଭାଷୀ ଲୋକେ ହିନ୍ଦୀରେ କଥା ହେଲାବେଳେ चौदह ଶବ୍ଦକୁ ଚୋଦା ଉଚ୍ଚାରଣ କରିଦିଅନ୍ତି ଯାହା ହିନ୍ଦୀଭାଷାରେ ମୈଥୁନ ଅର୍ଥଜ ଅଶ୍ଳୀଳ ଶବ୍ଦ । ହିନ୍ଦୀଭାଷୀ ମହିଳାଜଣକ ଭାବିଥିଲା ମୁଁ ଅହିନ୍ଦୀଭାଷୀ ହୋଇଥିଵାରୁ ମୋତେ ହିନ୍ଦୀ ଜଣାନାହିଁ ଏଣୁ ମୁଁ चौद/चौदह ଶବ୍ଦକୁ चोदा ଉଚ୍ଚାରଣ କରିବି ମାତ୍ର ତାଙ୍କର ଅନୁମାନ ଭୁଲ୍ ହୋଇଗଲା । ଅସ୍ତୁ ଆମ ଭାଷାରେ ଚଉଦ ଓ ଚତୁର୍ଦ୍ଦଶ ଶବ୍ଦଦ୍ଵୟ ୧୪ ସଂଖ୍ଯା ପାଇଁ ଵ୍ୟଵହାର ହୋଇଥାଏ । ପ୍ରାକୃତର ଚଉଦ୍ଦହ ଓ ସଂସ୍କୃତର ଚତୁର୍ଦ୍ଦଶ ଶବ୍ଦ ସହିତ ଓଡ଼ିଆ ଚଉଦ, ହିନ୍ଦୀ ଚୌଦା ଓ ଚୌଦହ୍ , ବଙ୍ଗାଳୀ চোদ্দ ,ଅହମିଆ চৈধ্য ଓ ନେପାଳୀ चौध ଆଦି ଶବ୍ଦ ସମୋଦ୍ଧୃତ । କିନ୍ତୁ ଆଉ ଏକ ଶବ୍ଦ ମଧ୍ୟ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଚଉଦ ଅର୍ଥରେ ଵ୍ୟଵହାର ହୋଇଅଛି ତାହେଲା ବାର ବେନି ।
ବାର ଓ ବେନି = ୧୪ । ବେନି ଶବ୍ଦର ଅର୍ଥ ଦୁଇ । ବାର ସହିତ ବେନି ଵା ଦୁଇ ସଂଖ୍ଯା ମିଶିଲେ ୧୪ ସଂଖ୍ଯା ହୁଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଚଉଦ ସଂଖ୍ଯା ଅର୍ଥରେ ବାରବେନି ଶବ୍ଦ କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ଵୈଦୈହିଶ ଵିଳାସରେ ଵ୍ୟଵହାର କରିଛନ୍ତି ।
“ବାର ବେନି ପୁରସାର ମୋହନ ପୁଂସ”
(ଭଞ୍ଜ ଵୈଦେହୀଶିଳାସ)
ଏତଦଵ୍ୟତୀତ ଦ୍ବିସପ୍ତ,ମନୁ,ଇନ୍ଦ୍ର,ଲୋକ,ଶକ୍ର ଆଦି ଶବ୍ଦ ପ୍ରାଚୀନ କାଳରେ ୧୪ ସଂଖ୍ୟା ଅର୍ଥରେ ମଧ୍ୟ ଵ୍ୟଵହୃତ ହୋଇଅଛି ।