My Blog List

Showing posts with label ଶବ୍ଦଭେଦୀର ଜୀଵନ. Show all posts
Showing posts with label ଶବ୍ଦଭେଦୀର ଜୀଵନ. Show all posts

Wednesday, October 25, 2023

•ଶବ୍ଦଭେଦୀର ଜୀଵନ—୧୧(ହେଲମେଟ୍, ଶିରସ୍ତ୍ରାଣ ଓ ମଉଡ଼ା)•

ନଵମ ଶ୍ରେଣୀରେ ସଂସ୍କୃତ ଶିକ୍ଷକ ଶ୍ଵେତ ମହାଶୟ ଦିନେ ପ୍ରସଙ୍ଗଵଶତଃ ଆମ୍ଭମାନଙ୍କୁ ପ୍ରଶ୍ନ କଲେ “ଇଂରାଜୀ ହେଲମେଟ୍(Helmet) ଶବ୍ଦର ଓଡ଼ିଆ କ'ଣ ହେଵ ?” 

ଶ୍ରେଣୀ ଗୃହରେ ମୁଁ ଏକାକୀ ହାତ ଉଠେଇଥିଲି ତେଣୁ ଶ୍ଵେତ ମହାଶୟ ମୋର ଉତ୍ସାହ ଦେଖି ମୋତେ ପଚାରିଲେ। ମୁଁ ଉତ୍ତରରେ କହିଲି 'ସାଞ୍ଜୁ' ! ଶ୍ଵେତ ମହାଶୟ କହିଲେ ନା ଏହି ଉତ୍ତରଟି ଠିକ୍ ନୁହେଁ । ତାପରେ ଆଉ କେହି ଉତ୍ତର ନ ଦେଵାରୁ ସେ ହେଲମେଟ୍‌ର ଓଡ଼ିଆ 'ଶିରସ୍ତ୍ରାଣ' ହେଵ ବୋଲି ଜଣାଇ ଦେଲେ । 

ପୁଟସାହି ମାଧ୍ୟମିକ ଵିଦ୍ୟାଳୟରେ ପଢ଼ୁଥିଲାବେଳେ ଵିଦ୍ୟାଳୟ ପାଠାଗାରରୁ ‘ଟ୍ରୋଜାନ୍ ଘୋଡ଼ା’ ନାମରେ ଏକ ପୁସ୍ତକ ଆଣି ପଢ଼ିଥିଲି । ଏଥିରେ ଗ୍ରୀକ୍ ଦେଶର ପ୍ରାଚୀନ କଵି ହୋମରଙ୍କର ଇଲିଆଡ଼ ଓ ଓଡ଼େଶୀର କାହାଣୀ ଓଡ଼ିଆ ଭାଷାରେ ଗଦ୍ୟ ଆକାରରେ ଵର୍ଣ୍ଣିତ ହୋଇଥିଲା । ଟ୍ରୋଜାନ୍ ଘୋଡ଼ା ପୁସ୍ତକରେ ସାଞ୍ଜୁ ଶବ୍ଦ ବାରମ୍ବାର ପ୍ରୟୋଗ ହୋଇଥିଲା ତେଣୁ ତାହା ମନେଥିଲା । ଏହା ପୂର୍ଵରୁ ୧୯୯୫-୯୬ରେ ଜହ୍ନମାମୁଁ ପତ୍ରିକାରେ "ଭୁବନସୁନ୍ଦରୀ ଓ ରୂପଧରଙ୍କ ଯାତ୍ରା" ନାମରେ ସେହି ଇଲିଆଡ଼ ତଥା ଓଡ଼େଶୀର କାହାଣୀକୁ ହିଁ ଚରିତ୍ରମାନଙ୍କର ନାମ ପରିଵର୍ତ୍ତନ ସହିତ ପ୍ରକାଶ କରାଯାଇଥିଲା(ଯଥା- ହେଲେନଙ୍କୁ ଭୁବନସୁନ୍ଦରୀ ତଥା ଓଡ଼େଶିଅସ୍‌ଙ୍କୁ ରୂପଧର)। 

ଜହ୍ନମାମୁଁ ପତ୍ରିକାରେ ଗ୍ରୀକଯୋଦ୍ଧାମାନଙ୍କର ଵକ୍ରାକାର ଶିରସ୍ତ୍ରାଣ ଦେଖିଥିଵାରୁ ତଥା ପରେ ଟ୍ରୋଜାନ୍ ଘୋଡ଼ା ପୁସ୍ତକରେ ସେହି କାହାଣୀକୁ ପଢ଼ୁଥିଵା ବେଳେ ସାଞ୍ଜୁ ଶବ୍ଦ ବାରମ୍ବାର ପ୍ରୟୋଗ ହୋଇଥିଵାର ମନେ ଥିଵାରୁ ମୋ ମନରେ ହେଲମେଟ୍‌ର ଓଡ଼ିଆ ସାଞ୍ଜୁ ବୋଲି ଏକ ଭ୍ରମଧାରଣା ରହି ଯାଇଥିଲା । ତେବେ ୨୦୦୩ ଵା ୨୦୦୪ରେ ଏହି ଭ୍ରମଧାରଣାକୁ ଆମ ସଂସ୍କୃତ ଶିକ୍ଷକ ଶ୍ଵେତ ମହାଶୟ ଦୂର କରି ଦେଇଥିଲେ । 

କିନ୍ତୁ ସାଞ୍ଜୁର ଅର୍ଥ ଯଦି ହେଲମେଟ ନୁହେଁ ତେବେ ଏ ଶବ୍ଦର ପ୍ରକୃତ ଅର୍ଥ କ'ଣ ? 

ଶ୍ଵେତ ମହାଶୟ ସେତେବେଳେ ସାଞ୍ଜୁର ଅର୍ଥ ଆମ୍ଭମାନଙ୍କୁ କଵଚ ବୋଲି ଜଣାଇ ଦେଇଥିଲେ । ସାଞ୍ଜୁ ଶବ୍ଦର ଏହି ଅର୍ଥଟି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ବି ଅଛି । ଭାଷାକୋଷ ଅନୁସାରେ ସାଞ୍ଜୁ ଏକ ଓଡ଼ିଆ ଦେଶୀୟ ଶବ୍ଦ ଏଵଂ ଯୋଦ୍ଧାର ଦେହରକ୍ଷକ ପୋଷାକ,ତନୁତ୍ରାଣ; କବଚ ଵା ଵର୍ମ ତଥା ପକ୍ଷ ଅର୍ଥରେ ଏହି ଶବ୍ଦ ଆମ ଭାଷାରେ ଵ୍ୟଵହୃତ ହୋଇଥାଏ ।

କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ଵୈଦେହୀଶ ଵିଳାସ କାଵ୍ୟରେ ସାଞ୍ଜୁ ଶବ୍ଦକୁ ପକ୍ଷ ଅର୍ଥରେ ପ୍ରୟୋଗ କରି ଲେଖିଛନ୍ତି 

“ବଳ ହିମନ୍ତ ପର୍ଵତ ପ୍ରବଳ ଵାତଜନିତ ହେଵାରୁ ସାଞ୍ଜୁ ତଡ଼ିତ ରାକ୍ଷସ ବଂଶେ।” 

ହେଲେ କଵଚ ଅର୍ଥଜ ସାଞ୍ଜୁ କେମିତି ପକ୍ଷ ଅର୍ଥରେ ପ୍ରୟୋଗ ହୋଇପାରେ ? ବୋଧହୁଏ ପକ୍ଷୀମାନେ ବେଳେବେଳେ ଆକ୍ରମଣକାରୀଙ୍କଠାରୁ ନିଜକୁ ରକ୍ଷାକରିଵା ହେତୁ ନିଜ ପକ୍ଷକୁ ସାଞ୍ଜୁ ଭଳି ଵ୍ୟଵହାର କରୁଥିଵାରୁ ସାଞ୍ଜୁ ଶବ୍ଦକୁ କଵି ସମ୍ରାଟ ସେହି ଭାଵ ଘେନି ପକ୍ଷ ଅର୍ଥରେ ପ୍ରୟୋଗ କରିଛନ୍ତି । 

ସେ ଯାହା ହେଉ ୨୦୦୩ ଵା ୨୦୦୪ରେ ଯେତେବେଳେ ସାଞ୍ଜୁର ଅର୍ଥ କଵଚ ତଥା Helmetର ଓଡ଼ିଆ ଶିରସ୍ତ୍ରାଣ ବୋଲି ଜାଣିଲି ସେ କଥା ସବୁଦିନ ପାଇଁ ମୋର ମନେ ରହିଗଲା । ତେବେ ହେଲମେଟ ଅର୍ଥଜ ଆଉ କେତେକ ମହାଭାରତୀୟ ଶାସ୍ତ୍ରୀୟ ଶବ୍ଦ ବି ଅଛି ଯଥା :ଉଷ୍ଣୀଶ,ମସ୍ତକାଵରଣ,
ମସ୍ତକାଵରଣୀ,ଶିରୋଭୂଷଣ,ମସ୍ତକରକ୍ଷଣୀ,ଖୋଳକ,ତ୍ରାଣ,ଶିରସ୍ତ୍ର,ଶୀର୍ଷକ,ଶୀର୍ଷଣ୍ୟ ଓ ଶିରସ୍କ ଇତ୍ୟାଦି ।‌

ମାତ୍ର ଏହାର ବହୁତ ଵର୍ଷ ପରେ ଯେତେବେଳେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପଢ଼ିଵାର ସୁଯୋଗ ମିଳିଲା ମୋତେ ଶିରସ୍ତ୍ରାଣ ଓ ହେଲମେଟ ଅର୍ଥଜ ଗୋଟିଏ ପ୍ରାକୃତ ମୂଳର ପ୍ରଚୀନ ଓଡ଼ିଆ ଶବ୍ଦ 'ମଉଡ଼ା' ପ୍ରାପ୍ତ ହେଲା । ପ୍ରାଚୀନ ପ୍ରାକୃତରେ ମଉଡ଼ ଶବ୍ଦର ଅର୍ଥ ମୁକୁଟ ଥିଲା ଏଵଂ ତହିଁର ପ୍ରାଚୀନ ରୂପ ଆଜି ବି ଓଡ଼ିଆ ଭାଷାରେ ପ୍ରୟୋଗ କରାଯାଏ(ଯଥା: ଓଡ଼ିଆ ଜାତିର ମଉଡ଼ମଣି~ଜଗନ୍ନାଥ)। ସେହି ପ୍ରାଚୀନ ମଉଡ଼ ଶବ୍ଦଟି ଓଡ଼ିଆ ଭାଷାରେ ଆଉଟିକେ ପରିଵର୍ତ୍ତିତ ହୋଇ ମଉଡ଼ା ରୂପେ ପାଗ, ଶିରସ୍ତ୍ରାଣ ଵା Helmet ଅର୍ଥରେ ଚଳୁଥିଲା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ । 
ସଂସ୍କୃତ ଶିକ୍ଷକ ମହାଶୟ ଶିରସ୍ତ୍ରାଣକୁ ଜାଣିଥିଲେ କିନ୍ତୁ ମଉଡ଼ା ଶବ୍ଦଟି ହେଲମେଟ ଅର୍ଥରେ ପ୍ରୟୋଗ କରାଯାଇପାରେ ବୋଲି ହୁଏତ ଜାଣିନଥିଲେ, ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ତାହା ଜାଣିହେଲା । 

ପୁଣି ହେଲମେଟ ଶବ୍ଦଟି ପଛରେ ବି ଗୋଟିଏ ରୋଚକ ଵ୍ୟୁତ୍ପତ୍ତି ଇତିହାସ ଅଛି । Helmet ଶବ୍ଦଟି ଲାଟିନ୍ ଭାଷାରୁ ଫ୍ରେଞ୍ଚ୍ ଭାଷା ଦେଇ ପ୍ରଚଳିତ ହୋଇଥିଲେ ବି ଏହା ମୂଳତଃ ଏକ ଜର୍ମାନିକ୍ ଶବ୍ଦ । ମଧ୍ୟଯୁଗରେ ହେଲମେଟ ଶବ୍ଦକୁ ଇଂରାଜୀ ଭାଷାରେ helmet ଓ helmett ତଥା ଫ୍ରେଞ୍ଚ୍ ଭାଷାରେ helmet ଓ heaumet ଲେଖାଯାଉଥିଲା । ଲାଟିନ ଶବ୍ଦ helmusରୁ ଫ୍ରେଞ୍ଚ୍ ଭାଷାରେ helmet,heaumet ଓ heaume ଇତ୍ୟାଦି ଶବ୍ଦ ପ୍ରଚଳନ ହୋଇଛି କିନ୍ତୁ ପ୍ରକୃତରେ ପ୍ରୋକ୍ତ ଲାଟିନ୍ ଶବ୍ଦ helmusଟି
ଏକ ଜର୍ମାନିକ୍ ମୂଳଜ Frankish ଭାଷାର *helm ଶବ୍ଦରୁ ନିଆଯାଇଥିଲା । ମଜାକଥା ହେଲା ଇଂରାଜୀ ଭାଷାରେ ଫ୍ରେଞ୍ଚ୍ ଭାଷା ମୂଳରୁ Helmet ଶବ୍ଦ ଵ୍ୟଵହାର ପୂର୍ଵରୁ ଜର୍ମାନିକ ମୂଳର ଏହି helm ଶବ୍ଦଟି ସାଧାରଣ ଜନଙ୍କ କଥିତ ଭାଷାରେ ସମ ଅର୍ଥରେ ପ୍ରୟୋଗ କରାଯାଉଥିଲା । 

ଅର୍ଥାତ୍ “ଆରେ ଢାମଣା ବୁଲି ବୁଲି ପୁଣି ସେହି ଅଗଣା ନ୍ୟାୟରେ ଜର୍ମାନିକ୍ ମୂଳର helm ଶବ୍ଦଟି ଲାଟିନ୍ ଭାଷାରେ helmus ହୋଇ ପୁଣି ଫ୍ରେଞ୍ଚ୍ ଭାଷାରେ helmet ରୂପେ ପରିଵର୍ତ୍ତିତ ହୋଇ ଶେଷକୁ ପଞ୍ଚଦଶ ଶତାବ୍ଦୀରେ ନିଜର ହିଁ ମୂଳ ଜର୍ମାନିକ ରୂପ helmକୁ ଇଂରାଜୀ ଭାଷାରୁ ହଟାଇ ନିଜେ ତା ସ୍ଥାନ ନେଇଗଲା । ତେବେ ଭାରତର ଯୋଦ୍ଧାମାନେ ଵିଭିନ୍ନ ଜାତୀୟ ପଗଡ଼ି ଓ ମୁକୁଟ ପିନ୍ଧି ଯୁଦ୍ଧ କରୁଥିଲେ । ତେଣୁ ପଗଡ଼ି ଅର୍ଥରେ ଠେକା,ପାଗ,ପଗଡ଼ି,ଖୋଳକା,ଟୋପି,ଖୋଲରି,ଡେଙ୍କା,ପଟୁକା,ପଟ୍ଟ,ପିରାଲୀ,ପୁଟ,ଵେଷ୍ଟକ,ରାଜପଟ୍ଟ,ଲପଟା,ଶିରୋଦାମ,ଶିରୋଵେଷ୍ଟ ଓ ଶୁକ ତଥା ମୁକୁଟ ଅର୍ଥରେ କିରୀଟ,ଚୂଡ଼ା,ଚୂଳ,ଟୋପର,ନିର୍ଯ୍ୟହ,ନିର୍ଯ୍ୟୁହ,ବନ୍ଧୁର,ମଉଡ଼,ମଉଡ଼ା,ମସ୍ତକଭୂଷଣ,ମଉଳ,ମଉଳି,ମକୁଟ,ମୂର୍ଦ୍ଧବେଷ୍ଟନୀ,ମୌଳି,ଶିଖା,ଶିଖାଭରଣ,ଶିରପା,ଶିରିପା,ଶେଖର ଓ ମୁକୁଟ ଭଳି ଅନେକ ଅନେକ ଦେଶୀୟ ତଥା ଶାସ୍ତ୍ରୀୟ ଭାରତୀୟ ଶବ୍ଦ ଚଳୁଅଛି। ଅତଏଵ ଆଧୁନିକ ଯୁଗରେ ଆମେ ଆମ ଓଡ଼ିଆ ଭାଷାରେ ହେଲମେଟ୍ ପାଇଁ ଶାସ୍ତ୍ରୀୟ ଶିରସ୍ତ୍ରାଣ ଶବ୍ଦ ଵ୍ୟଵହାର କରିପାରିଵା କିମ୍ବା ପ୍ରାଚୀନ ଓଡ଼ିଆ ଶବ୍ଦ ମଉଡ଼ା ମଧ୍ୟ ପ୍ରୟୋଗ କରିପାରିଵା ! 
   ×••••••••••••••••••••••••×

Saturday, October 7, 2023

ବିଲୁଆ ଶବ୍ଦର ସ୍ତ୍ରୀଵାଚକ ରୂପ କ'ଣ ?

ଜଣେ ଚିହ୍ନା ଲୋକଙ୍କ ଘରେ ଏକ ଘରୋଇ ଦୂରଦର୍ଶନ କେନ୍ଦ୍ରର ଜନୈକା ଉପସ୍ଥାପିକା ଆସିଥିଲେ ‌। ଗୃହକର୍ତ୍ତା ମୋର ଚିହ୍ନା, ଗୃହକର୍ତ୍ତାଙ୍କର ଦୂରଦର୍ଶନ ଉପସ୍ଥାପିକା ଚିହ୍ନା ।‌

ମୁଁ ଗୃହକର୍ତ୍ତାଙ୍କର ଦ୍ଵିତୀୟ ତାଳ ପାହାଚ ଉପରେ ବସିଥାଏ ଏଵଂ ତାଙ୍କ କଥା ଶୁଣୁଥାଏ । ଗୃହକର୍ତ୍ତାଙ୍କ ପୁଅ ମୋଠାରୁ ଦଶ ବାର ଵର୍ଷ ସାନ ,ତେଣୁ ତାକୁ ମନରେ କ'ଣ ଗୋଟିଏ ଵିଚାର କରି ପଚାରି ଦେଲି “ଆଚ୍ଛା ବିଲୁଆର ସ୍ତ୍ରୀଲିଙ୍ଗ କ'ଣ ହେଵ” , ସେ ଅଳ୍ପ ହସି କହିଲା “ବିଲେଇ ନୁହେଁ” ! 

ଆଜି ମୋତେ ଗୃହକର୍ତ୍ତା କହୁଥିଲେ 
“ଏତେ ବଡ଼ ଉପସ୍ଥାପିକା ଆମ ଘରକୁ ଆସିଥିଲେ ତାଙ୍କ ଆଗରେ ଗୋଟେ ଛୋଟଲୋକିଆ ପିଲା ଭଳି ବିଲୁଆର ଲିଙ୍ଗ କାହିଁକି ପଚାରୁଥିଲ, ତାଙ୍କ ସହିତ ଆସିଥିଵା “ଚିତ୍ରୋତ୍ତୋଳକ” ତୁମେ ଗଲାପରେ କହୁଥିଲେ କୋଉଠିକାର ମଫୁ ପିଲାଟା କେଜାଣି ଭଦ୍ରାମୀ ଶିଖିନି...!”

ସବୁ ଶବ୍ଦର ସ୍ତ୍ରୀଵାଚକ ଵା ପୁଂଵାଚକ ଶବ୍ଦ ନଥାଏ । କେତେକ ଶବ୍ଦ କେଵଳ ପୁଂଵାଚକ, କେତେକ ଶବ୍ଦ କେଵଳ ସ୍ତ୍ରୀଵାଚକ , କେତେକ ଶବ୍ଦ ବହୁଲିଙ୍ଗଵାଚକ ଏଵଂ ଅନେକ ଶବ୍ଦ କ୍ଳୀଵଲିଙ୍ଗଵାଚକ ହୋଇଥାଏ । ଇଂରାଜୀ ଭାଷାରେ Gendered ଓ Gender-neutral ଏହିପରି ଦୁଇପ୍ରକାରର ଶବ୍ଦ ରହିଛି । ଯଥା Policeman ଏକ Gendered ଶବ୍ଦ କିନ୍ତୁ
Police officer ଶବ୍ଦଟି ଗୋଟିଏ Gender-neutral ଶବ୍ଦ ଅଟେ ‌। 


କିନ୍ତୁ ବିଲୁଆ Gender-neutral ଶବ୍ଦ ନୁହେଁ ଵରଂ ଏହାର ଏକ ସ୍ତ୍ରୀଵାଚକ ଶବ୍ଦ ଆମ ଭାଷାରେ ଅଛି ଏଵଂ ତାହା ପ୍ରାଚୀନ ସାହିତ୍ୟରେ ସୁଦ୍ଧା ଵ୍ୟଵହୃତ ହୋଇଅଛି ବୋଲି ଅନେକ ଓଡ଼ିଆ ହୁଏତ ଜାଣିନଥିବେ । 

ବିଲୁଆ ଶବ୍ଦର ସେହି ସ୍ତ୍ରୀଵାଚକ ଓଡ଼ିଆ ଶବ୍ଦଟି ବିଲୁଆଣୀ ଅଟେ ଏଵଂ ଏହା ଗଞ୍ଜାମ ଭୂମିର କଵି କୃଷ୍ଣସିଂହ ତାଙ୍କ କୃଷ୍ଣ ମହାଭାରତର ଶାନ୍ତିପର୍ଵରେ ପ୍ରୟୋଗ କରିଯାଇଛନ୍ତି । 

“ବିଲୁଆ ବିଲୁଆଣୀ ତାକୁ ଖାଇ ସାରି,
ବରଷା ଶେଷ ଦେଖି ଦରିରୁ ବାହାରି।”
 (କୃଷ୍ଣସିଂହ. ମହାଭାରତ ଶାନ୍ତି)

ତେଣୁ ବିଲୁଆ ଶବ୍ଦର ମଧ୍ୟ ସ୍ତ୍ରୀଵାଚକ ରୂପ ବିଲୁଆଣୀ ଆମ ଭାଷାରେ ରହିଛି କିନ୍ତୁ 
ବିଲୁଆର ସ୍ତ୍ରୀଲିଙ୍ଗ କ'ଣ ଏହା ହଠାତ୍ ଅନେକ ଓଡ଼ିଆଙ୍କ ମୁଣ୍ଡକୁ ଢୁକେ ନାହିଁ । 

ପୂର୍ଵୋକ୍ତ ଚିତ୍ରୋତ୍ତୋଳକ ଦ୍ଵୟଙ୍କ ମୁଣ୍ଡକୁ ବି ବିଲୁଆ ଶବ୍ଦର ସ୍ତ୍ରୀଵାଚକ ରୂପ କ'ଣ ଏ ପ୍ରଶ୍ନର ଉତ୍ତର ଢୁକିନଥିଵ କିନ୍ତୁ ସେମାନେ ସ୍ଥାନ କାଳ ପାତ୍ର ଆଦିର ବାହାନା ଦେଇ ମୁଁ ପଚାରିଥିଵା ପ୍ରଶ୍ନର ଉଦ୍ଦେଶ୍ୟ ନବୁଝି ମୋହର ଗାଆଁ ,ମୋ ଜନ୍ମଭୂମି ତଥା ମୋତେ ନିନ୍ଦିଦେଲେ ! 

ସେ ଯାହାହେଉ ହାସ୍ୟ,ରୋଷ,ଆନନ୍ଦ,କୋଳାହଳ ଓ ଵିଷାଦ ଆଦି ଯେକୌଣସି ସ୍ଥିତିରେ ବି ଆମେ ଯାହା ବୋଲିଥାଆନ୍ତି ଵା କରୁଥାଆନ୍ତି ସେ ସମସ୍ତ କାର୍ଯ୍ୟ ମଧ୍ୟରେ ଵିଜ୍ଞାନ ଲୁଚି ରହିଥାଏ । ସଂସାରର କୌଣସି ଦ୍ରଵ୍ୟ ତଥା ତାହାର କ୍ରିୟା ଓ ପ୍ରତିକ୍ରିୟା କେବେ ବି ଵ୍ୟର୍ଥ ନୁହେଁ ! 




Thursday, September 22, 2022

ଚୋର ଓ ଜହ୍ନରା ଗଛ (ଶବ୍ଦଭେଦୀର ଜୀଵନ-୬)

କନ୍ତିଓ ପୁଟସାହି ଗ୍ରାମ ପଞ୍ଚାୟତର ଜକା ଗ୍ରାମଵାସିନ୍ଦା ଜଗବନ୍ଧୁ ବାବୁ ଆମ ଭାଲିଆତୈଳାର ମଧ୍ୟଭାଗରେ 
ବଡ଼ ଦୋକାନଟିଏ ଦେଇଥିଲେ । ଏହା ଆଜକୁ ପାଖାପାଖି ଚାଳିଶ ଵର୍ଷ ତଳର‌ କଥା । ସେତେବେଳେ ଆମ ପଞ୍ଚାୟତ ତଥା ଆଖପାଖ ଗ୍ରାମର ଲୋକେ ତାଙ୍କୁ ଆଦରରେ ଜଗବାବୁ ଡାକୁଥିଲେ । ସେସମୟରେ ଜଗବାବୁଙ୍କ 
ଦୋକାନ ଭାଲିଆତୈଳା ତଥା କନ୍ତିଓ ପୁଟସାହି ପଞ୍ଚାୟତର ସବୁଠାରୁ ବଡ଼ ଦୋକାନ ‌ଥିଲା । 

ଅଵଶ୍ୟ ଆମ ସାହିରେ ସେତେବେଳେ ବାଣି ତେଲୀ, କୈଳାସ ପଣ୍ଡା,ବ୍ରହ୍ମାପଣ୍ଡା ଓ ଧନୀ ଜେନା ଆଦିଙ୍କ ଦୋକାନ ମଧ୍ୟ ଥିଲା । 
କିନ୍ତୁ ଜଗବାବୁଙ୍କ ଦୋକାନ ବହୁତ ବଡ଼ ଥିଲା । ପୁରୁଖା ଲୋକେ କୁହନ୍ତି ଅନ୍ୟ କୋଉଠି ମିଳୁ କି ନମିଳୁ ସେତେବେଳେ ଲୋକ ଉଣ୍ଡୁଥିଵା ସବୁ ଦରଵ ଜଗବାବୁଙ୍କ ଦୋକାନରେ ମିଳୁଥିଲା । 

ସେ ଯେଉଁ ସ୍ଥାନରେ ଦୋକାନ ଦେଇଥିଲେ ସେ ଯାଗାଟି ପ୍ରକୃତରେ ସୁମନ୍ତ ପ୍ରଧାନ, ଲେମ୍ବୁଆ ପ୍ରଧାନ,ରତନା ପ୍ରଧାନ ଓ ଡମ୍ବରୁ ପ୍ରଧାନ ଭାଇଙ୍କର ଥିଲା ଏଵଂ ସେ ଟଙ୍କା ଦେଇ ସେ ସ୍ଥାନ କିଣି ସେଠାରେ ଇଟାର ଦୁଇ ବଖରା କୋଠାଘର କରାଇଥିଲେ । 

ଜଗବାବୁଙ୍କ ଦୋକାନରେ ପ୍ରସାଧନ ସାମଗ୍ରୀଠାରୁ ତେଜରାତି ସାମଗ୍ରୀ ଯାଏଁ ସବୁ ମିଳୁଥିଲା ‌ । ଵୟସ୍କ ଲୋକେ କୁହନ୍ତି ତାଙ୍କ ଦୋକାନ ଛୋଟିଆ ଗୋଦାମ ଭଳି ଥିଲା ‌। କେତେକ ଵର୍ଷ ନିଜେ ଦୋକାନ ଚଳାଇଵାପରେ ଜଗବାବୁଙ୍କ ଚାକିରୀ ଆମ କନ୍ତିଓ ପୁଟସାହି ପଞ୍ଚାୟତ ଉଚ୍ଚ ଵିଦ୍ୟାଳୟରେ ହୋଇଗଲା । ତେଣୁ ସେ କେତେକ ପିଲାଙ୍କୁ ଦୋକାନ ସମ୍ଭାଳିଵା କାର୍ଯ୍ୟ ଦେଇ ଵିଦ୍ୟାଳୟରେ ପଢ଼ାଇଵାକୁ ଯାଉଥାନ୍ତି ‌। 

ଜଗବାବୁଙ୍କ ଦୋକାନରେ ସୁମାରି ଜାଣିଥିଵା ପିଲାଏ ସକାଳେ ଓ ବେଳେବେଳେ ସନ୍ଧ୍ୟାରେ ମଧ୍ୟ ଯାଇ ବସୁଥିଲେ । ଆମ ବାପା ମଧ୍ୟ ବେଳେ ବେଳେ ଯାଇ ଜଗବାବୁଙ୍କ ଦୋକାନରେ ବସି ବିକିଥିଵା କଥା କହିଥାନ୍ତି । ସେ ଯାହାହେଉ ଜଗବାବୁଙ୍କ ଦୋକାନରେ ଵିଶେଷ କରି ଧରଣୀ ଜେନା ହିଁ ବସୁଥିଲେ ଓ ଦୋକାନ ସମ୍ଭାଳିଵାରେ ତାଙ୍କ ଯୋଗଦାନ ସର୍ଵାଧିକ ରହୁଥିଲା । 

ଜଗବାବୁଙ୍କର ଦୋକାନରୁ ବହୁତ ଲାଭ ହେଉଥିଲା କିନ୍ତୁ ଗୋଟିଏ ପଟେ ଦୋକାନ ଆଉ ଏକ ପଟେ ସରକାରୀ ଚାକିରୀ ଉଭୟ ମଧ୍ୟରେ ଶେଷକୁ ଚାକିରୀକୁ ଅଧିକ ମହତ୍ତ୍ଵ ଦେଵାକୁ ଲାଗିଲେ । ଧରଣୀ ଜେନାଙ୍କୁ ଯୋଗ୍ୟ ଜାଣି କେତେକ ଦିନ ପରେ ଜଗବାବୁ ନିଜ ଦୋକାନ ଧରଣୀ ଜେନାଙ୍କୁ ସମ୍ପୂର୍ଣ୍ଣ ଦେଇଦେଇଥିଲେ । ଧରଣୀ ଜେନା କେତେକ ଦିନ ଯାଏଁ ସୁରୁଖୁରୁରେ ଦୋକାନ ଚଳାଇଲେ । 

ସେଇଦିନିଆ ଥରେ କଣ୍ଟାପାଳର ଦୁଇଜଣ ଲୋକ ଧରଣୀଜେନାଙ୍କ ଦୋକାନକୁ ବାକି ପାଇଁ ଆସିଲେ କିନ୍ତୁ ଧରଣୀବାବୁ ବାକି ତ ଦେଲେ ନାହିଁ ଓଲଟା ସେମାନଙ୍କୁ ବହେ ଅପମାନ କଲେ । ସେମାନେ ଅଭାଵୀ ଲୋକ ଥିଲେ ତାଙ୍କୁ ସେସବୁ କଥା ବହୁତ ବାଧିଲା । ସେମାନେ ଧରଣୀ ଜେନାଙ୍କର ଦୋକାନ ଚୋରୀ କରିଵାକୁ ଯୋଜନା କରି ଦଣ୍ଡା ବାଟେ ଘରକୁ ଫେରିଲେ । ବାଟ ଯାକ ସୋଦି ସୋଦି ଚଦି ଚଦି ଗଲେ । ସେଦିନିଆ ଧରଣୀ ଜେନାଙ୍କର ବାପା ଦୋକାନ ବାରଣ୍ଡାରେ ଶୋଉଥାନ୍ତି । 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୋ ଆଈଘର ଜଗବାବୁଙ୍କ ଦୋକାନର ଉତ୍ତର(ମାନଚିତ୍ରରେ ପଶ୍ଚିମ) ପଟରେ ରହିଥିଲା ଏଵଂ ମୋ ଆଈ ଶ୍ରୀମତି ପାର୍ଵତୀ ସାହାଣୀ ସେ ସମୟରେ ଗାଆଁରେ ରହୁଥିଲେ । 

ସେଦିନ ସୋମବାର ଥିଲା । ମୋ ଆଈ ପାର୍ଵତୀ ସାହାଣୀଙ୍କର ଦେହ ଭଲ ନଥିଲା ତେଣୁ ସେ ରାତିଯାକ ଶୋଇପାରି ନଥିଲେ ଏଵଂ ବାରମ୍ବାର ବାରିପଟକୁ ଯାଆ ଆସ କରୁଥାନ୍ତି । ରାତି ତିନିଟାରେ ମୋ ଆଈ ବାରିପଟେ ଥିଲାବେଳେ ତାଙ୍କୁ କେତେକ ଅସ୍ପଷ୍ଟ ଶବ୍ଦ ଶୁଣାଗଲା । କେହି ଜଣେ ଗାଳି କରୁଥିଵାର ସେ ଶୁଣିଵାକୁ ପାଇଲେ ‌। ସେ ଯୁଗରେ ଜଗବାବୁଙ୍କ ଦୋକାନ ବରଣ୍ଡାରେ ଭେଣ୍ଡିଆମାନେ ବସି ରାତିରେ ଗୁଲିଖଟି କରନ୍ତି । ତେଣୁ ଆଈ ଅଧିକ ଧ୍ୟାନ ନଦେଇ ଶୋଇପଡି଼ଲେ । 

କଣ୍ଟାପାଳିଆ ଚୋର ସେତେବେଳକୁ ଜଗବାବୁଙ୍କ ଦୋକାନ ପଛକଟରେ ଥିଵା ଜହ୍ନରା ନଟି ଭିତରେ ପଶି ସିନ୍ଧିଗାତ ଖୋଳୁଥାନ୍ତି ଆଉ ଧରଣୀ ଜେନାଙ୍କୁ ଅସ୍ପଷ୍ଟ ଶବ୍ଦରେ ସୋଦୁଥାନ୍ତି । ସେତେବେଳେ ଜଗବାବୁଙ୍କ ଦୋକାନ ପଛପଟେ ଜହ୍ନରା ନଟି ଥିଲା ତେଣୁ ଲୋକେ ଏମାନଙ୍କୁ ଦେଖିଵା ସହଜ ନଥିଲା । 

ଚୋରମାନେ ସିନ୍ଧି ଖୋଳି ଦୋକାନରେ ଯାହା ଥିଲା ସବୁ ନେଇଗଲେ । ସକାଳୁ ଦେଖିଲାବେଳକୁ ଦୋକାନରେ କାଣି କଉଡି଼ଟିଏ ବି ନଥିଲା । ସେ କାଳରେ ଲୋକେ ପୋଲିସକୁ ଫେରାଦ ଦେଵାକୁ ଡରୁଥିଲେ ,ନାଲିପଗଡି଼ ଦେଖିଲେ ଲୋକଙ୍କ ବୁଦ୍ଧି ହଜିଯାଉଥାଇ । ତେଣୁ ଆଗେ କୁଲାବୁଲା ହେଲା ,ନଖ ଦର୍ପଣ ହେଲା କିନ୍ତୁ ଚୋରର ନାଆଁ ଗାଆଁ ଠିକଣା ଜଣାଗଲା ନାହିଁ । କିଛି ଫଳ ନମିଳିଵାରୁ ଶେଷକୁ ପୋଲିସ ପାଖକୁ କଥା ଗଲା । 

କୁଲାବୁଲା କ'ଣ ବୋଇଲେ ଆଜିକାଲିର ଲୋକେ ବୋଧହୁଏ ବୁଝିନପାରନ୍ତି ତେବେ ଆଗେ କୌଣସି ଵସ୍ତୁ ଚୋରି ଗଲେ ଚୋରର ନାମ ଜାଣିଵା ପାଇଁ ଗୋଟିଏ କୁଲାକୁ କଇଁଚି ଵା କଣ୍ଟାମୁନ ଉପରେ ରଖି ମନ୍ତ୍ର ପଢ଼ି ଯାହା ନାମ ଧରିଲାକ୍ଷଣି କୁଲାଟା ବୁଲିଯାଏ ସେହି ଵ୍ୟକ୍ତି ଚୋର ବୋଲି ଅନୁମାନ କରାଯାଏ , ଏପରି ରୀତିରେ ଯେ ଚୋର ଧରାଯାଉଥାଇ । ପୁଣି ନଖଦର୍ପଣ ଦ୍ଵାରା ନଖକୁ ଦର୍ପଣ କରି ଗୁଣିଆମାନେ ଅତୀତରେ ଘଟିତ ଘଟଣା ଦେଖିପାରନ୍ତି ବୋଲି କହିଥାନ୍ତି ‌ ।

ତେବେ ଦୋକାନ ଚୋରୀ ହେଵା ପରେ ଧରଣୀଜେନାଙ୍କ ବାପା ହଟିଆ ଜେନା ବହୁତ ରାଗିଗଲେ । ସେ ଦୋକାନ ପଛପଟେ ଉଠିଥିଵା ଜହ୍ନରା ଗଛ ଓପାଡି଼ ପକାଇଲେ ।‌ କଣ୍ଟାପାଳିଆ ଚୋର ଦୋକାନ ଚୋରୀ କରିଛନ୍ତି ବୋଲି ସମସ୍ତେ ଅନୁମାନ କଲେ କିନ୍ତୁ ଯେଉଁମାନଙ୍କୁ ସନ୍ଦେହ କରାଯାଉଥିଲା ସେମାନଙ୍କୁ ଆଉ କେବେ ଏ ଅଞ୍ଚଳରେ ଦେଖାଯାଇନଥିଲା । 

ଜହ୍ନରା ଗଛ ନାଆଁ ଶୁଣି ମୋ ମନରେ ସନ୍ଦେହ ହେଵାରୁ ମାଆଙ୍କୁ ପଚାରିଲି ସେ ଗଛଟା କେମିତିଆ ? 

ମାଆ କହିଲେ ଜହ୍ନରା ଗଛ ଦେଖିଵାକୁ ମକାଗଛ ଭଳି ଏଵଂ ଜହ୍ନରା ଗଛର ଫୁଲ ମଧ୍ୟ ମକା ଗଛର ଫୁଲ ପରି କିନ୍ତୁ ଜହ୍ନରା ଗଛର ଶସ୍ୟ ପେଣ୍ଡା ପେଣ୍ଡା ହୋଇ ଫଳିଥାଏ । ମୋର ମନେ ପଡ଼ିଲା ଏମିତି ଏକ ଗଛକୁ ହିନ୍ଦୀରେ ज्वार କହିଥାନ୍ତି । ମାଆଙ୍କୁ Sorghum bicolor ଖାଦ୍ୟଶସ୍ଯର ଚିତ୍ର ଦେଖାଇଲି । କେତେକ ଚିତ୍ର ଦେଖାଇଲାପରେ ମାଆ କହିଲେ ହଁ ଜହ୍ନରା ଗଛ ଏହିପରି ହୋଇଥାଏ । Sorghum ଜାତୀୟ ଗଛକୁ ଭାରତରେ 
ଯଵନାଳ,ଯଵାକାର ଓ ଜୂର୍ଣ୍ଣ ଆଦି କୁହାଯାଉଥିଲା । 


ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଜୁଆର ଶବ୍ଦ ତଳେ ଏ ଗଛ ଵିଷୟରେ ନିମ୍ନୋକ୍ତ ଦ୍ରଷ୍ଟଵ୍ୟ ରହିଛି... 

“ଏ ଗଛ ଆଖୁ ପରି ବଢ଼େ, ଏଥିର ନଡ଼ା ଶକ୍ତ ଓ ସିଧା । ଏଥିରେ ପେଣ୍ଡା ପେଣ୍ଡା ହୋଇ ଅଗରେ କେଣ୍ଡାମାନ ଧରେ। ଭାରତର ଉତ୍ତରପଶ୍ଚିମ ପ୍ରଦେଶମାନଙ୍କରେ, ପଞ୍ଜାବ, ବୋମ୍ବାଇ ଓ ମାନ୍ଦ୍ରାଜ, ଅଞ୍ଚଳରେ ଏହାର ଚାଷ ହୁଏ। ଏହା ସେ ଅଞ୍ଚଳରେ ମନୁଷ୍ୟମାନଙ୍କର ଗୋଟିଏ ପ୍ରଧାନ ଖାଦ୍ୟ। ଏହା ବର୍ଷା ଓ ଶୀତ ଋତୁରେ ଫଳେ।”


ଜହ୍ନରାକୁ ପ୍ରାଚୀନ କାଳରେ ଦେଵଧାନ୍ୟ କୁହାଯାଉଥିଲା ଫଳତଃ ଓଡ଼ିଶାରେ ପରେ ଏହାର ଏକ ଦେଶଜ ନାମ ପ୍ରଚଳିତ ହେଲା "ଦେଧାନ" । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦେଧାନ ଶବ୍ଦର ଅର୍ଥ ଯଵନାଳ ଓ ଜୁଆରା ଲେଖାଅଛି । 

ଭାଷାକୋଷରେ ଦେଧାନର ଵୈଦ୍ୟକଗୁଣ ଉଲ୍ଲେଖ କରିଵାକୁ ଯାଇ କୁହାଯାଇଛି ଯେ "ଏହା ଶୀତଳ, ମଧୁର, କଷାୟ ରସ, ଲୋହିତ ଵର୍ଣ୍ଣ, ଶ୍ଳେଷ୍ମା ଓ ପୀତନାଶକ, ଅଵୃଷ୍ୟ, ରୁକ୍ଷ, ଲଘୁ ଓ କ୍ଳେଦକାରକ। ଭାରତର ଉତ୍ତର ପଶ୍ଚିମ ଅଞ୍ଚଳରେ ଏହାର ନଡ଼ାକୁ ଗୋରୁ ଖାଆନ୍ତି।”

କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଵା କଥିତ ଓଡ଼ିଆ ଶବ୍ଦକୋଷରେ ଢେଙ୍କାନାଳରେ ପ୍ରଚଳିତ ଥିଵା ଜହ୍ନରା ଶବ୍ଦ ସ୍ଵତନ୍ତ୍ର ଭାବେ ଉଲ୍ଲେଖ କରାଯାଇନାହିଁ । 

ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଜହ୍ନା ଶବ୍ଦ ଵିଷୟରେ ଅନେକ କଥା ଉଲ୍ଲେଖ କରାଯାଇଛି । 


ଭାଷାକୋଷ ଅନୁସାରେ ଓଡ଼ିଶାରେ ଜହ୍ନା ବୋଲି ଏକ ଖାଦ୍ୟଶସ୍ୟ ଆଗେ ଚାଷ କରାଯାଉଥିଲା ଏଵଂ ସେହି ଶବ୍ଦର ଅନ୍ୟ କେତେକ ରୂପ ହେଲା ଜନାର ଓ ଜହ୍ନାର । 
ସମ୍ଭଵତଃ ଏହି ଜହ୍ନା ଶବ୍ଦର ଅନ୍ୟ ଏକ ରୂପ ଢେଙ୍କାନାଳରେ ପ୍ରଚଳିତ ଥିଵା ଜହ୍ନରା ଶବ୍ଦ ଅଟେ । 
 
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ଖାଦ୍ୟଶସ୍ୟକୁ ଜହ୍ନା,ଜନାର୍,ଜନା ଓ ଜହ୍ନରା କୁହାଯାଉଥିଲା । 

ଢେଙ୍କାନାଳ ଭଳି କେତେକ ଅଞ୍ଚଳରେ Sorghum ଜାତୀୟ ଗଛକୁ ଜହ୍ନା ତଥା ଜହ୍ନରା କୁହାଯାଉଥିଲା । ଭୁଟ୍ଟା, ଜନାର ଵା ବାଜରା ଜାତୀୟ ଗଛକୁ କେତେକ ଅଞ୍ଚଳରେ ଲୋକେ ଜହ୍ନା କହୁଥିଲେ । ଫୁଟିଫୁଟିକା ଵା ଅମରପୋଇ ଗୁଳ୍ମକୁ ମଧ୍ୟ କିଛି ଅଞ୍ଚଳରେ ଜହ୍ନା କୁହାଯାଉଥିଲା । ଓଡ଼ିଶାର ପଶ୍ଚିମାଞ୍ଚଳରେ ସେହିପରି ମକାକୁ ଜନା କୁହାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଲିଖିତ ହୋଇଛି । ଭାଷାକୋଷରେ ଜହ୍ନରାର ଆଉ ଏକ ପ୍ରତିଶବ୍ଦ ପନରା ମଧ୍ୟ ମିଳିଲା । 


ଏବେ ପୂର୍ଵ କଥାକୁ ଫେରିଵା...
ଜଗବାବୁଙ୍କ ଦୋକାନ ଧରଣୀଧର ଜେନାଙ୍କୁ ମିଳିଵା ପରେ ସେ କେତେକ ଦିନ ତାକୁ ଉତ୍ତମ ଭାବରେ ଚଳାଇଥିଲେ କିନ୍ତୁ ସେ ଦୋକାନ ଚୋରୀ ଯିଵାରୁ ତାଙ୍କ ମନୋଵଳ ଭାଙ୍ଗିଗଲା । 

ହେଲେ କିଛି ଦିନ ପରେ ଧରଣୀଧର ଜେନା ନିଜ ପୈତୃକ ଗୃହ ସମ୍ମୁଖରେ ଦୋକାନଟିଏ କରିଲେ କିନ୍ତୁ ତାହା ଜଗବାବୁଙ୍କ ଦୋକାନ ପରି ସେତେ ଉଧେଇ ପାରିଲା ନାହିଁ ତେଣୁ ଭାଙ୍ଗିଗଲା । ତାପରେ ସେ ଅନେକ ଵର୍ଷ କଟକନଗରରେ କଦଳୀ ବେପାର କରିଲେ ଏଵଂ ଦୁଇପୁତ୍ର ତଥା ଚାରି କନ୍ୟାଙ୍କୁ ମଣିଷ କଲେ । 

ଜଗବାବୁଙ୍କ ଦୋକାନ ଚୋରୀ ହେଵାର ଅନେକ ଵର୍ଷ ପରେ ମୋହର ଜନ୍ମ ହେଵାରୁ ଆମ ବାପା ଆଳୁ ବେପାର ଛାଡ଼ି ଜଗବାବୁଙ୍କର ଯୋଉଠି ଦୋକାନ ଥିଲା ତହିଁର ଉତ୍ତର(ମାନଚିତ୍ରରେ ପଶ୍ଚିମ)କୁ ମୋ ଆଈଙ୍କ ଘରର ବରଣ୍ଡାରେ ଦୋକାନଟିଏ ଦେଲେ ।  

ଜଗବାବୁ ତ ତାଙ୍କ ଦୋକାନକୁ ସମ୍ପୂର୍ଣ୍ଣ ଭାବେ ଧରଣୀ ଜେନାଙ୍କୁ ସମର୍ପି ଦେଇଥିଲେ ତେଣୁ ଦୋକାନ ଚୋରୀ ଘଟଣା ତାଙ୍କୁ ସେତେଟା ଆହତ କରିନଥିଲା । ସେ ଅନେକ ଵର୍ଷ ଯାଏଁ ଵିଦ୍ଯାଳୟରେ ଶିକ୍ଷକତା କଲେ । ଦିନେ ତାଙ୍କ ସ୍ତ୍ରୀଙ୍କ ସହିତ କୌଣସି ଘଟଣାକୁ ନେଇ ମନାନ୍ତର ହେଵାରୁ ଘର ଛାଡ଼ି କୁଆଡେ଼ ଚାଲିଗଲେ ଯେ ଚାଲିଗଲେ । ସେ ମଲେଣି କି ବଞ୍ଚିଛନ୍ତି ସେକଥା କେହି ଜାଣନ୍ତି ନାହିଁ ଯଦି କିଏ ଜାଣିଥିବେ ସେ କେଵଳ ସେଇ କାଳିଆ ସାଆନ୍ତ। 

ଲୋକେ ଵିଶ୍ଵାସ କରନ୍ତି ଯେ ଯୋଉ ଦିନଠାରୁ ଜଗବାବୁଙ୍କ ଦୋକାନ ପଛପଟରୁ "ଜହ୍ନରା ଗଛ" ଓପଡ଼ାଗଲା ସେଦିନଠାରୁ ସେ ଗଛ ଆଉ ଆମ ଅଞ୍ଚଳରେ ଦେଖାଗଲା ନାହିଁ ‌। ସତେ ଯେମିତି ଚୋରୀର ଦୋଷୀ ଭାବେ ଦୈଵ ଦଣ୍ଡ ଲଭି ସେ ଗଛ ଆଉ କୋଉଠି ଉଠିଲା ନାହିଁ ‌ ।

Saturday, September 10, 2022

ଦକ୍ଷିଣ ଓଡ଼ିଶାର କଥିତ ଓଡ଼ିଆ ଭାଷାରେ ପ୍ରଚଳିତ ଜୂଷ୍ ଵା ଯୂଷ୍ ଶବ୍ଦ(ଶବ୍ଦଭେଦୀର ଜୀଵନ-୪)




ଗଞ୍ଜାମ ଜିଲ୍ଲାର ପିଲାଙ୍କ ସହିତ ଖାଇଵା ବେଳେ ସେମାନେ ଅଣ ଵା ଝୋଳକୁ ପ୍ରାୟତଃ ଜୂଷ୍ ଵା ଯୂଷ୍ କହୁଥିଵା ଶୁଣିଛି । ଆଗେ ଭାବୁଥିଲି ହୁଏତ ଏ ଶବ୍ଦଟି ଇଂରାଜୀର juice ଶବ୍ଦର ଓଡ଼ିଆକରଣ ହୋଇଥିଵ କାରଣ ପ୍ରାୟତଃ ଗଞ୍ଜାମଵାସୀ ଭାଇମାନେ ଏ ଶବ୍ଦକୁ ଇଂରାଜୀର juiceଶବ୍ଦ ଭଳି ହଳନ୍ତଵତ୍ କରି ଜୂଷ୍ ଉଚ୍ଚାରଣ କରିଥାନ୍ତି ଏଵଂ କେହି କେହି ଜୂଷୁ ମଧ୍ୟ ଉଚ୍ଚାରଣ କରନ୍ତି । ଜଣେ ଗଞ୍ଜାମଵାସୀ ଭାଇଙ୍କ ମୁହଁରୁ ଏ ଜୂଷ୍ ଵା ଜୁଷୁ ଶବ୍ଦ ଶୁଣି ସେଦିନ ନିଜର ଅଜ୍ଞତା ଯୋଗୁଁ କହିଦେଇଥିଲି ଆରେ ଭାଇ ଏଇଟା ତ ଇଂରାଜୀ Juice ଶବ୍ଦର ଓଡ଼ିଆକରଣ କିନ୍ତୁ ଆମେ ଢେଙ୍କାନାଳଵାସୀ ଝୋଳ ଆଉ ଅ'ଅ'ଣ କହୁ । ମୁଁ ଜାଣିନି ସେ ଭାଇ ଆପଣା ମନରେ କ'ଣ ଭାବିଥିବେ । ତେବେ ଏହା ପରେ ପରେ ଦକ୍ଷିଣ ଓଡ଼ିଶାର ଅନେକ ଅନେକ ଲୋକଙ୍କ ମୁଖରୁ ଵିଶେଷତଃ ବୃଦ୍ଧ ଓ ମଧ୍ୟ ଵୟସ୍କ ଲୋକଙ୍କ ମୁହଁରୁ ଏ ଶବ୍ଦ ବାରମ୍ବାର ଶୁଣିଵାରୁ ମୋତେ କାହିଁକି ସନ୍ଦେହ ହେଲା । ତେଣୁ ଦକ୍ଷିଣୀ ଓଡ଼ିଆ କଥିତ ଶୈଳୀରେ ପ୍ରଚଳିତ ଏ ଶବ୍ଦ ଵିଷୟରେ ଜାଣିଵା ପାଇଁ ଵିଭିନ୍ନ ଭାଷାକୋଷାଦିରେ ଏଷଣା କରିଵାକୁ ଲାଗିଲି । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦେଖିଲି ଜୁଷ ବୋଲି ଏକ ଦେଶଜ ଵିଶେଷ୍ଯ ଶବ୍ଦ 'ଜୁଷ୍'ର ଉଲ୍ଲେଖ କରାଯାଇଛି ଏଵଂ ଏହାର ଅର୍ଥ ଲେଖାଅଛି "ସୁରୁଆ; ଡାଲି, ମାଂସ ଆଦି ସିଝା ହୋଇ ଥିବା ପାଣି; ଝୋଳ" । ଏଥିରୁ ଏତିକି ସ୍ପଷ୍ଟ ହୋଇଗଲା ଯେ ଦକ୍ଷିଣ ଓଡ଼ିଶାରେ ପ୍ରଚଳିତ ଜୁଷ୍ ଶବ୍ଦ ଏବେକାର ନୁହେଁ ଵରଂ ବହୁପୂର୍ଵକାଳରୁ ଏହି ଶବ୍ଦ ଚଳି ଆସୁଛି ।

ତଥାପି ସନ୍ଦେହ ଦୂର ହୋନଥାଏ ତେଣୁ ଇଂରାଜୀ ଭାଷାରେ ପ୍ରଚଳିତ Juice ଶବ୍ଦ ଵିଷୟରେ ଏଷଣା କରିଵାକୁ ଲାଗିଲି । ଜାଣିଵାକୁ ପାଇଲି ଯେ ଏହି ଇଂରାଜୀ Juice ଶବ୍ଦଟି ପୂର୍ଵେ ଏ ଭାଷାରେ jus ଓ juis, ଲେଖାଯାଉଥିଲା ଏଵଂ ଏହା ମୂଳତଃ ଫ୍ରେଞ୍ଚ ଶବ୍ଦ jus, jous, ସହିତ ସମୋଦ୍ଧୃତ । ପୁଣି ପ୍ରୋକ୍ତ ଫ୍ରେଞ୍ଚ ଶବ୍ଦଦ୍ଵୟ ମଧ୍ୟ ଲାଟିନ ଭାଷାରୁ ଗୃହୀତ ହୋଇଛି ‌। 
ପୁନଶ୍ଚ ମୂଳ ଲାଟିନ ଶବ୍ଦ jūs (“broth, soup, sauce”)ରୁ ଫ୍ରେଞ୍ଚ ଭାଷାର jus, jous ଆଦି ଶବ୍ଦ ସୃଷ୍ଟି ହୋଇଅଛି । 
ଇଂରାଜୀ ଭାଷାରେ ଫ୍ରେଞ୍ଚ ଭାଷାରୁ ଆସି jus ଓ juis ଶବ୍ଦ ପ୍ରଚଳନ ହେଵାରୁ ଏ ଭାଷାର ଜୁସ୍ ଅର୍ଥରେ ପ୍ରୟୋଗ କରାଯାଉଥିଵା, wos, woos (“juice”) ଆଦି ଶବ୍ଦ ଲୋପ ପାଇଗଲା ।  

ତେବେ ଗଞ୍ଜାମ ଜିଲ୍ଲାରେ ଅଣ ଵା ଝୋଳ ପାଇଁ ଯେଉଁ ଜୂଷ୍ ଶବ୍ଦ ପ୍ରଚଳିତ ତାହା ଇଂରାଜୀ ଭାଷାରୁ ନିଆଯାଇନାହିଁ ବୋଲି ମୋର ସେତେବେଳେ ଵିଶ୍ଵାସ ଜନ୍ମିଲା ଯେତେବେଳେ ମୁଁ ସଂସ୍କୃତ ଭାଷାରେ ଏକ ସମାର୍ଥକ ଶବ୍ଦ ପାଇଲି । ସେହି ସଂସ୍କୃତ ଶବ୍ଦଟି ବହୁକାଳରୁ ଭାରତଵର୍ଷରେ ପ୍ରଚଳିତ ଥିଲା । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସେହି ସଂସ୍କୃତ ଶବ୍ଦ ଯୂଷ ତଥା ଜୂଷ ବୋଲି ଉଲ୍ଲେଖ କରାଯାଇଛି। 

ଭାଷାକୋଷ ଅନୁସାରେ ସଂସ୍କୃତ ଭାଷାରେ ଜୂଷ ତଥା ଯୂଷ ବୋଲି ଏକ ଶବ୍ଦ ପ୍ରଚଳିତ ଥିଲା ଯାହାକୁ ଜୂଷ୍ ଧାତୁ ତଥା ଯୂଷ ଧାତୁରୁ ନିଷ୍ପନ୍ନ କରାଯାଇଥିଲା ଏଵଂ ଆଗେ ଭାରତରେ କ୍ୱାଥ; ଅଣ; ଝୋଳ; ଡାଲି ଆଦିର ଅଣକୁ ଜୂଷ ଵା ଯୂଷ କୁହାଯାଉଥିଲା । 

ମନେ ରଖିଵାକୁ ହେଵ ଯେ ସଂସ୍କୃତ ଭାଷାରେ ଏହିପରି ତିନୋଟି ଶବ୍ଦ ରହିଛି।

ଜୁଷ । ଏହି ଜୁଷ ଶବ୍ଦର ଅର୍ଥ ସେଵକ,ସହାୟକ,ପ୍ରଣୟୀ ଓ ପୂଜକ । ଏହି ଜୁଷ ଶବ୍ଦଟି ଜୁଷ୍ ଧାତୁରୁ ସେଵା କରିଵା ଅର୍ଥରେ ନିଷ୍ପନ୍ନ କରାଯାଇଛି। 

ଯୂଷ । ଏହି ଯୂଷ ଶବ୍ଦର ଅର୍ଥ ଝୋଳ ଵା କ୍ଵାଥ,ମୁଗ ଆଦିର ସିଝା ପାଣି ; ୧୮ ଗୁଣ, ମତାନ୍ତରରେ ୪ ଗୁଣ, ଜଳରେ ଡାଲି ସିଝା ହୋଇ ଥିଵା ପାଣି ଓ ବ୍ରହ୍ମଦାରୁ ଵା ତୁତ୍ ଵୃକ୍ଷ । ଏହି ଯୂଷ ଶବ୍ଦର ଅନ୍ୟ ରୂପ ଜୂଷ ଅଟେ । 

ଜୂଷ ଓ ଯୂଷ ଶବ୍ଦଦ୍ଵୟ ଯଥାକ୍ରମେ ଜୂଷ୍ ଧାତୁ ଓ ଯୂଷ୍ ଧାତୁରୁ ଵଧ କରିଵା କିମ୍ବା ତୃପ୍ତ କରିଵା ଅର୍ଥରେ ନିଷ୍ପନ୍ନ ହୋଇଅଛି । ଯେତେବେଳେ ଝୋଳ ଵା ପନିପରିଵା ରସ କରାଯାଏ ତହିଁର ପରିଵାକୁ ବହୁତ ସମୟ ଯାଏଁ ନିଆଁରେ ବସାଇ ସିଝାଯାଏ । ପରିଵାକୁ ଏତେ ସିଝିଯାଏ ଯେ ତାହା ପ୍ରାୟତଃ ମିଶିଯାଏ ଏଵଂ ସେହି ମିଶ୍ରିତ ଖାଦ୍ୟଦ୍ରଵ୍ୟ ପୂର୍ଵେ ଯୂଷ ତଥା ଜୂଷ ବୋଲାଉଥିଲା । ଏଥିରୁ ଏହା ମଧ୍ୟ ସ୍ପଷ୍ଟ ହୁଏ ଯେ ଭାରତୀୟମାନେ ବହୁ ପ୍ରାଚୀନ କାଳରୁ ସୂପ୍ ବନାଇଵା ଜାଣିଥିଲେ । ପାଶ୍ଚାତ୍ୟ ଭାଷାଵିଦମାନେ ଏହାର ପ୍ରାକ୍ ଭାରୋଇରାନୀୟ ରୂପ *ȷ́uṣṭás ତଥା ଭାରୋୟୀୟ ଶବ୍ଦ *ǵus-tó-s ନିର୍ଣ୍ଣୟ କରିଛନ୍ତି । ପୁଣି ଏହାର ମୂଳ ଭାରୋପୀୟ ଧାତୁ ରୂପ *ǵews- (“to try, taste”) ନିର୍ଣ୍ଣିତ ହୋଇଛି । ସୂପ କଲାବେଳେ ଵା ଅନେକ ପରିଵା ମିଶାଇ ଝୋଳ ଅଥଵା କ୍ଵାଥ କଲାବେଳେ ସବୁ ଦ୍ରଵ୍ୟ ନିଜର ସ୍ଵରୂପ ହରାଇ ମିଶ୍ରିତ ହୁଅନ୍ତି ତେଣୁ ଏଠାରେ ମିଶିଯିଵାର ଭାବ ଲୁକ୍କାୟିତ ରହିଛି । ପାର୍ସୀ ଭାଷାରେ ସେଥିପାଇଁ ବନ୍ଧୁ ଅର୍ଥରେ ପ୍ରଚଳିତ دوست‎ (ଦୋସ୍ତ, “ବନ୍ଧୁ”) ଶବ୍ଦଟି ଏହି ମିଶ୍ରଣ ହେଵା ଅର୍ଥ ଘେନି ମୂଳ ଶବ୍ଦରୁ ସୃଷ୍ଟି ହୋଇଅଛି ବୋଲି ଭାଷାଵିଦଙ୍କ ମତ । 

ସେହିପରି ପ୍ରାଚୀନ 
ଆଵେସ୍ତାନ ଭାଷାରେ ମଧ୍ୟ ଜୂଷ ଵା ଯୂଷ ସହିତ ସମୋଦ୍ଧୃତ 𐬰𐬎𐬱𐬙𐬀‎(zušta)ବୋଲି ଏକ ଶବ୍ଦ ପ୍ରଚଳିତ ଥିଲା । ଲାଟିନ ଭାଷାର gustō (“I taste”) ଓ ପ୍ରାଚୀନ ଗ୍ରୀକ୍ ଶବ୍ଦ γεύω (geúō, “to taste”) ସହିତ ସଂସ୍କୃତ ଭାଷାର ଜୂଷ ଓ ଯୂଷ ଶବ୍ଦଦ୍ଵୟ ସମୋଦ୍ଧୃତ। 

ଭାରତୀୟ ଜୂଷ/ଯୂଷ ଶବ୍ଦଦ୍ଵୟର ମୂଳ ଭାରୋପୀୟ ଧାତୁ ǵews ଏଵଂ ଇଂରାଜୀ
Juice ଶବ୍ଦର ମୂଳ ଭାରୋପୀୟ ଧାତୁ ଶବ୍ଦ *yew(“to mix of meal preparation”) ଗୃହୀତ ହୋଇଛି । 

ହୁଏତ ଅତି ପ୍ରାଚୀନ କାଳରେ କୌଣସି ଏକ ମୂଳ ଭାରୋପୀୟ ଶବ୍ଦରୁ ଏ ଉଭୟ ଶବ୍ଦ ସୃଷ୍ଟି ହୋଇଅଛି କିନ୍ତୁ ଏ ଵିଷୟରେ ପାଶ୍ଚାତ୍ୟ ଭାଷାଵିଦମାନେ ସ୍ପଷ୍ଟ ଭାବରେ କିଛି କହିପାରିନାହାନ୍ତି । ବହୁ ପୁରାତନ କାଳରେ ଉଭୟ ଶବ୍ଦ ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ରୂପେ ଵିକଶିତ ହୋଇଛି ଏଵଂ ଇଂରାଜୀ ଉପନିଵେଶ କାଳରେ ଭାରତୀୟମାନେ ଵୈଦେଶିକ Juice ଶବ୍ଦ ସହିତ ପରିଚିତ ହୋଇଛନ୍ତି । ତେବେ କୁହାଯାଇପାରେ ଯେ ଝୋଳ ଅର୍ଥରେ ଗଞ୍ଜାମ ଜିଲ୍ଲାରେ ପ୍ରଚଳିତ ଜୂଷ ଵା ଜୁଷ ଶବ୍ଦଟି ଏକ ଭାରତୀୟ ମୂଳର ଶବ୍ଦ । ସାରା ଭାରତର ଲୋକେ ଝୋଳ ଅର୍ଥରେ ପ୍ରୟୋଗ କରାଯାଉଥିଵା ପ୍ରାଚୀନ ସଂସ୍କୃତ ଶବ୍ଦ ଯୂଷ ଵା ଜୁଷକୁ ଛାଡ଼ି ଦେଇଥିଵା ବେଳେ ଦକ୍ଷିଣ ଓଡ଼ିଶାର କଥିତ ଭାଷାରେ ଏ ଶବ୍ଦ ବଞ୍ଚିରହିଥିଵା କମ୍ ଗୌରଵର କଥା ନୁହଁଇ ।

Monday, January 24, 2022

ଶବ୍ଦଭେଦୀର ଜୀଵନ ଭାଗ -୩ (ପାର୍ଥୁକ ଓ ପାର୍ଥକ୍ୟ)


ମାଆ ବେଳେ ବେଳେ ଏମିତି କିଛି ଶବ୍ଦ ପ୍ରୟୋଗ କରନ୍ତି ଯେ ମୁଁ ଅଭିଧାନ ଆଡ଼େଇଵାକୁ ଵାଧ୍ୟ ହୁଏ ।

ଦିନେ କଥା ପ୍ରସଙ୍ଗରେ ମୋତେ କହିଲେ

“ମଅର କ'ଣ ଆଉ ଆଗ ଭଳି ପାର୍ଥୁକ ଅଛି ...”

ହଠାତ୍ ତାଙ୍କ ମୁଖରୁ ପାର୍ଥୁକ ଭଳି ଏକ ଶବ୍ଦ ଶୁଣି ଆଶ୍ଚର୍ଯ୍ୟ ହୋଇଗଲି ! ଆହା ମୋ ପାଇଁ ଇଏତ ନୂଆ ଶବ୍ଦଟିଏ କିନ୍ତୁ ମାଆ ବୁଝେଇଦେଲେ ବଳବହପ ଅର୍ଥରେ ଏ ଶବ୍ଦଟି ପ୍ରୟୋଗ କରାଯାଏ ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଦେଖି ସୁଖ ପାଇଲି । ଯାହା ହେଉ ପାର୍ଥୁକ ଶବ୍ଦଟି ଭାଷାକୋଷର ୪୭୯୪ତମ ପୃଷ୍ଠାରେ ଶ୍ରୀଗୋପାଳଚନ୍ଦ୍ର ପ୍ରହରାଜ ଯୋଡ଼ିଛନ୍ତି ।

ପାର୍ଥୁକ ଶବ୍ଦ ଆମ ଭାଷାରେ ଉଭୟ ଵିଶେଷ୍ୟ ଓ ଵିଶେଷଣ ଶବ୍ଦ ରୂପରେ ପ୍ରୟୋଗ କରାଯାଏ ।
ପାର୍ଥୁକର ଵିଶେଷ୍ୟ ଅର୍ଥ  କ୍ଷମତା, ସାମର୍ଥ୍ୟ ଓ ବଳ ।

୧୯୨୯ ମସିହା ନଭେମ୍ବର ମାସ ୧୫ ତାରିଖରେ ପାର୍ଥୁକ ଶବ୍ଦଟି ବଳ , କ୍ଷମତା ଅର୍ଥରେ ଦୈନିକ ଆଶା ପତ୍ରିକାରେ ଵ୍ୟଵହାର କରାଯାଇଥିଲା ବୋଲି ଭାଷାକୋଷରେ ଏକ ଵାକ୍ୟ ଉଦାହରଣ ସହ ଦ୍ରଷ୍ଟଵ୍ୟ ମଧ୍ୟ ଅଛି ।

“ମୋର ଏ ଵିଷୟରେ ପାର୍ଥୁକ ସରିଗଲାଣି”

ତେବେ ପାର୍ଥୁକର ଵିଶେଷଣ ଅର୍ଥ ହେଉଛି ପାର୍ଥକ୍ୟ ।  ଵିଶେଷଣ ପାର୍ଥୁକ ଶବ୍ଦଟି ତତ୍ସମ ପାର୍ଥକ୍ୟର ଓଡ଼ିଆ ତଦ୍ଭଵ ରୂପ ଅଟଇ ବୋଲି ଭାଷାକୋଷରେ କୁହାଯାଇଛି ।

କିନ୍ତୁ  ପାର୍ଥକ୍ୟ ଶବ୍ଦଟି ଏକ ଵିଶେଷ୍ୟ ଶବ୍ଦ ଏଵଂ
ଵିଚ୍ଛେଦ, ଵିଭିନ୍ନତା,ଵ୍ୟକ୍ତିତ୍ବ, ପ୍ରଭେଦ ଓ ଏକାକିତା ଆଦି ଏହାର ଅନେକ ଅର୍ଥ ଥିଲେ ହେଁ ଓଡ଼ିଆ ଭାଷାରେ ସାଧାରଣତଃ ପ୍ରଭେଦ ଅର୍ଥରେ ଏ ଶବ୍ଦର ବହୁଳ ଵ୍ୟଵହାର ହୋଇଥାଏ ।

ଆଜିକାଲି ଅଵଶ୍ୟ ଅନେକ ଓଡ଼ିଆ ଵୈଦେଶିକ ତଫାତ୍ ଓ ଫରକ ଶବ୍ଦର ପ୍ରୟୋଗ ପାର୍ଥକ୍ୟ ଅର୍ଥରେ କରୁଥିଵା ଦୃଶ୍ୟ ହୋଇଥାଏ କିନ୍ତୁ ପାର୍ଥକ୍ୟ,ପ୍ରଭେଦ ଶବ୍ଦଦ୍ଵୟ  ତଥାପି ଓଡ଼ିଆ ଭାଷାରେ ଚଳୁଅଛି ।

ହିନ୍ଦୀଭାଷୀ फ़र्क़,इख्तिलाफ,तफात ଓ तनहा ଭଳି ଵୈଦେଶିକ ଶବ୍ଦଗୁଡି଼କର
ଵ୍ୟଵହାର ଅଧିକ କରନ୍ତି ଏଵଂ अंतर ତଥା भेद ଶବ୍ଦ କେତେକ ନିର୍ଦ୍ଦିଷ୍ଟ ଵାକ୍ଯଗଠନ କାଳରେ ହିନ୍ଦୀରେ ଵ୍ୟଵହୃତ ହୁଏ । ହିନ୍ଦୀଭାଷାରେ ପାର୍ଥକ୍ୟ ଓ ପ୍ରଭେଦ ଶବ୍ଦର ପ୍ରୟୋଗ ସେତେ ହୁଏ ନାହିଁ ।

ମାତ୍ର ଓଡ଼ିଆମାନେ ପାର୍ଥକ୍ୟ ଭଳି ଅନେକ ଶବ୍ଦକୁ ଆଜିଯାଏଁ ଵ୍ୟଵହାର କରି  ସଂସ୍କୃତଭାଷାର ସମ୍ମାନ ବଞ୍ଚାଇ ରଖିଛନ୍ତି ।  କେତେକ କ୍ଷେତ୍ରରେ ଆଵଶ୍ୟକ ହେଵାରୁ ଓଡ଼ିଆ ଭାଷାରେ ପାର୍ଥକ୍ୟ ଶବ୍ଦଟି ଵିଶେଷଣ ରୂପେ ପ୍ରଚଳିତ ହେଵାରୁ ପାର୍ଥୁକରେ ପରିଣତ ହୋଇଥିଲା ।

ତେବେ ବହୁତ ଉଣ୍ଡାଉଣ୍ଡି ପରେ ମଧ୍ୟ ବଳ,କ୍ଷମତା ଓ ସାମର୍ଥ୍ୟ ଅର୍ଥରେ ଏକ ଵିଶେଷ୍ୟ ଶବ୍ଦ ରୂପରେ ପ୍ରୟୋଗ କରାଯାଉଥିଵା ପାର୍ଥୁକ ଶବ୍ଦର ସମୋଦ୍ଧୃତ ତତ୍ସମ ଶବ୍ଦରୂପ ମିଳିଲା ନାହିଁ ।‌

ସମ୍ଭଵତଃ ପାର୍ଥକ୍ୟ ଶବ୍ଦର ଏକ ଗୌଣ ଵା ଅଳ୍ପ ଵ୍ୟଵହୃତ ଅର୍ଥ  ‘ଵ୍ୟକ୍ତିତ୍ଵ’ ଓଡ଼ିଆ ଭାଷାରେ ଭାଵଗତ ଆଧାରରେ ସାମର୍ଥ୍ୟ ,ବଳ ଓ କ୍ଷମତା ଆଦି ଅର୍ଥରେ ପ୍ରୟୋଗ କରାଯାଉଥିଲା ଏଵଂ ତାହା ପରେ ପାର୍ଥୁକରେ ପରିଵୃତ୍ତ ହୋଇଥିଲା ।

ସୁପ୍ରାଧାନ୍ଯ ଵା ଵ୍ୟକ୍ତି ଵିଶେଷର ସ୍ବତନ୍ତ୍ର୍ୟ,ଵିଶିଷ୍ଟତା ଓ ଵିଶେଷତ୍ବକୁ ଵ୍ୟକ୍ତିତ୍ଵ କୁହାଯାଏ । ଜଣେ ଲୋକର ବଳବହପ, ସାମର୍ଥ୍ୟ ଓ କ୍ଷମତା ଆଦି ହ୍ରାସ ଘଟିଲେ ସମାଜରେ ତାହାର ପ୍ରାଧାନ୍ୟ ହ୍ରାସ ହୋଇଥାଏ । ପ୍ରାଧାନ୍ୟ ହ୍ରାସଘଟିଥିଵା ଓ ବଳ,କ୍ଷମତା ତଥା ସାମର୍ଥ୍ୟ  ହରାଇଥିଵା ଵ୍ୟକ୍ତିର ଵିଶିଷ୍ଟତା ମଧ୍ୟ ରହିନଥାଏ ।

ଅତଏଵ୍ ବଳ ବହପ,କ୍ଷମତା ଓ ସାମର୍ଥ୍ୟ ଅର୍ଥରେ ଵ୍ୟଵହୃତ ଓଡ଼ିଆ ପାର୍ଥୁକ ଶବ୍ଦଟି ପାର୍ଥକ୍ୟ ଶବ୍ଦର  ପରିଵୃତ୍ତ ରୂପ ହୋଇଥାଇପାରେ ।  ସମୟକ୍ରମେ ପାର୍ଥକ୍ୟ ଶବ୍ଦର ଗୌଣ ଅର୍ଥ ‘ଵ୍ୟକ୍ତିତ୍ଵ’କୁ ପ୍ରାଧାନ୍ୟ ଦେଇ ପାର୍ଥୁକ ରୂପେ ବଳ ବହପ ,କ୍ଷମତା ଓ ସାମର୍ଥ୍ୟ ଅର୍ଥରେ ଚଳିଵାକୁ ଲାଗିଛି ।

ଅଵଶ୍ୟ ଓଡ଼ିଆ ତଥା ସଂସ୍କୃତ ଭାଷାରେ Difference ଅର୍ଥରେ ଅନେକ ଶବ୍ଦ ପ୍ରୟୋଗ କରାଯାଏ । ସଂସ୍କୃତରେ ପ୍ରଭେଦ,ଵିଭେଦ, ପାର୍ଥକ୍ୟ,ଭେଦ,ଭିନ୍ନ,ତାରତମ୍ୟ,ଅନ୍ତର,ଅମେଳ,ପ୍ରକରଣ,ପ୍ରକାର,ପରତା,ପରତ୍ଵ,ଦ୍ଵୈଧ,ପୃଥକ୍ତା,ଵିଭିନ୍ନତା,ଵିଭିନ୍ନତ୍ଵ,ବୈଲକ୍ଷଣ୍ୟ,ଵୈଲକ୍ଷ୍ୟ,ବ୍ୟତିରେକ,ଭିତ୍ତି,ଭିଦା,  ମଧ୍ୟ ଓ ମହସ ଇତ୍ୟାଦି ଶବ୍ଦଗୁଡ଼ିକ ପାର୍ଥକ୍ୟ ଶବ୍ଦର ପର୍ଯ୍ୟାୟଵାଚୀ ଶବ୍ଦ ହୋଇଥିଵାବେଳେ ଓଡ଼ିଆ ଭାଷାରେ ପ୍ରୋକ୍ତ ତତ୍ସମ ଶବ୍ଦ ଛଡ଼ା
ଫାଙ୍ଗ,ତାରତମ,ଭିନ୍ନ,ଵିଭେଦ, ପାର୍ଥକ୍ୟ,ପାର୍ଥୁକ,ପାର୍ଥୁକ୍ୟ,ପ୍ରକାର,ଅମେଳ,ପରାଭିନ୍ନ,ପାରଥୁକ,ପାରଥୁକ୍ୟ,ଵିଭିନ୍ନତା ଓ ହେଜ ଭିନ୍ନାଭିନ୍ନ ଓ ଭେଦାଭେଦ ଆଦି ଶବ୍ଦଗୁଡ଼ିକୁ ପାର୍ଥକ୍ୟ ଅର୍ଥରେ ପ୍ରୟୋଗ କରାଯାଇଥାଏ ।

ଆମ ଭାଷାରେ ପାର୍ଥକ୍ୟ ଶବ୍ଦ ବହୁ ପ୍ରଚଳିତ ଥିଵାବେଳେ ଏଵଂ ପାର୍ଥକ୍ୟର ଗଣ୍ଡା ଗଣ୍ଡା ପର୍ଯ୍ୟାୟଵାଚକ ତତ୍ସମ ,ତଦ୍ଭଵ ଓ ଦେଶଜ ଶବ୍ଦ ଥାଉ ଥାଉ  ଆଧୁନିକ ଯୁଗର ଓଡ଼ିଆମାନେ ଉତ୍ତର ଭାରତୀୟଙ୍କ ଦେଖାଦେଖି ଵୈଦେଶିକ ତଫାତ୍ ଓ ଫରକ ଏହି ଦୁଇଗୋଟି ଶବ୍ଦ ପ୍ରୟୋଗ କରିଵାରୁ ଏ ସମସ୍ତ ଶବ୍ଦଗୁଡି଼କ ଅଧୁନା ଅଳ୍ପ ଵ୍ୟଵହୃତ ହେଉଅଛି । ନିଜ ଭାଷାରେ ଶବ୍ଦ ଥିଵାବେଳେ ଅନ୍ୟ ଭାଷାରୁ ଶବ୍ଦ ଆହରଣ କରି ଵ୍ୟଵହାର କଲେ ଭାଷାର କେମିତି କିପରି ଲାଭ ହେଵ ?





Tuesday, November 16, 2021

ଶବ୍ଦଭେଦୀର ଜୀଵନ(୨) — ମୃଗତୃଷ୍ଣା


ଆଜକୁ ପ୍ରାୟ ସତର ଅଠର ଵର୍ଷ ତଳେ(୨୦୦୩-୨୦୦୪ ଶିକ୍ଷାଵର୍ଷ) ମୁଁ କନ୍ତିଓ ପୁଟସାହି ଗ୍ରାମପଞ୍ଚାୟତର ଉଚ୍ଚ ଵିଦ୍ୟାଳୟରେ (ନଵମ ଶ୍ରେଣୀରେ) ପାଠ ପଢୁ଼ଥାଇ । ସେତେବେଳେ ଆମର ଭୂଗୋଳ ଶିକ୍ଷକ ଥାଆନ୍ତି ୰ଶ୍ରୀରଵିନ୍ଦ୍ର ସାହୁ ମହାଶୟ । ଥରେ ଶ୍ରେଣୀଗୃହରେ ମରୁଭୂମି କଥା ପଡ଼ିଥାଏ ଏଵଂ ଶିକ୍ଷକ ମହାଶୟ ଏ ଵିଷୟରେ ବୁଝାଉଥାଆନ୍ତି । ସାହାରା ମରୁଭୂମିର କଥା ପଡ଼ିଥିଲା କିନ୍ତୁ ହଠାତ୍ ରଵି ସାର୍ ଆମ୍ଭମାନଙ୍କ ଆଡ଼କୁ ଅନାଇ ପଚାରିଲେ ଆଚ୍ଛା କହିଲ ପିଲେ ‘ମୃଗତୃଷ୍ଣା’ର ଅର୍ଥ କ'ଣ ?

କନ୍ତିଓ ପୁଟସାହି ଉଚ୍ଚ ଵିଦ୍ୟାଳୟ ଗ୍ରାମାଞ୍ଚଳରେ ଅଵସ୍ଥିତ ପୁଣି ସେଥିରେ ଯେଉଁମାନେ ସେତେବେଳେ ପାଠ ପଢୁ଼ଥିଲେ ତନ୍ମଧ୍ୟରୁ ଜଣେ ଅଧେକୁ ଛାଡି଼ଦେଲେ ଅନ୍ୟମାନେ ପ୍ରାୟ ପାଠବହି ଛଡ଼ା ଅନ୍ୟ ବହି ପଢୁ଼ଥିଵେ କି ନାହିଁ ସନ୍ଦେହ  । ତେବେ ରଵି ସାର୍ ଭାବିଲେ ଯେହେତୁ ମୋର ଭୂଗୋଳ ଇତିହାସରେ ଭଲ ନମ୍ବର ରହୁଥିଲା କାଳେ ମୋତେ ଏହାର ଉତ୍ତର ଜଣାଥିଵ ତେଣୁ ସେ ମୋତେ ପଚାରିଲେ କିନ୍ତୁ ମୁଁ ଏହାର ଉତ୍ତର ଆଦୌ ଜାଣିନଥିଲି ।

ସେତେବେଳେ ଅଶିରୁ ଅଧିକ ଛାତ୍ରଛାତ୍ରୀ ନଵମ ଶ୍ରେଣୀରେ ପଢୁ଼ଥିଲେ କିନ୍ତୁ କେହି ମଧ୍ୟ ମୃଗତୃଷ୍ଣା ଶବ୍ଦର ଅର୍ଥ ଜାଣିନଥିଲେ । କାହାକୁ ବି ମୃଗତୃଷ୍ଣା ଶବ୍ଦର ଅର୍ଥ ଜଣାନଥିଵା ଦେଖି ଶିକ୍ଷକ ମହୋଦୟ ଟିକିଏ ନିରାଶ ହେଲେ କିନ୍ତୁ ସେ ସେଦିନ ଶ୍ରେଣୀଗୃହରେ ଏହି ଶବ୍ଦର ଅର୍ଥ ମରିଚୀକା ବୋଲି ସମସ୍ତଙ୍କୁ ଜଣାଇଥିଲେ ।‌

ଏହି ଘଟଣାଟି ମୋର ଅନ୍ୟ ସହପାଠୀମାନଙ୍କର ହେତୁ ଅଛି କି ନାହିଁ ଜାଣିନାହିଁ ତେବେ କେଜାଣି କାହିଁକି ଏହା ମୋର ଆଜି ବି ମନେଅଛି । ଉଚ୍ଚ ଵିଦ୍ୟାଳୟରେ ପଢୁ଼ଥିଵା ସମୟରେ ମୋର ଵିଭିନ୍ନ ଶବ୍ଦ ଵିଷୟରେ ଜାଣିଵାର ଆଗ୍ରହ ପୂର୍ଵାପେକ୍ଷା ବଢି଼ଯାଇଥିଲା । ମାତ୍ର ସେ ସମୟରେ ମୋ ପାଖରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭଳି କୌଣସି ଅଭିଧାନ ନଥିଲା କି ତାହା କେମିତି ଅତି ଆଵଶ୍ୟକ କେହି ହୃଦୟଙ୍ଗମ କରାଇନଥିଲେ ।

ଅଵଶ୍ୟ ଉଚ୍ଚ ଵିଦ୍ୟାଳୟରେ ଥରେ ସାହିତ୍ୟ ଶିକ୍ଷକ ଶ୍ରୀଶିଵ ରଥ ମହାଶୟ ଗୋଟିଏ ଶବ୍ଦର ଉଲ୍ଲେଖ କରିଥିଲେ । କିନ୍ତୁ ଶ୍ରୀଶିଵ ରଥ ମହାଶୟଙ୍କ ଦ୍ଵାରା ପ୍ରଦତ୍ତ ଉକ୍ତ ଶବ୍ଦ ଆଉ ମନେ ପଡୁନାହିଁ  ହେଲେ ତାହାର ଅର୍ଥ ମନେ ଅଛି “ହଠାତ୍ ଶାଶୁମାଆଙ୍କୁ ନିଜ ସମ୍ମୁଖରେ ଦେଖି ଜ୍ବାଇଁ ନିଜ ଅସଜଡା଼ କେଶ ତଥା ପୋଷାକ ପତ୍ର ସଜାଡି଼ ନେଵା” । 

ସେହି ଵିସ୍ମୃତ ହୋଇଯାଇଥିଵା ଶବ୍ଦ ଓ ତାହାର ଅର୍ଥ କହି ଶିଵ ସାର୍ ଏହି ଭଳି ହଜାର ହଜାର ଶବ୍ଦ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପାଇପାରିଵ ବୋଲି ଆମକୁ କହିଥିଲେ । ମୋର ଝାପ୍ସା ମନେ ପଡୁଛି କେହି ଜଣେ ତାହା କେଉଁଠି ମିଳିଵ ପଚାରିଵାରୁ ସାର୍ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଆକାର ବହୁତ ବଡ଼ ,ମୂଲ୍ୟଵାନ ଓ ସହଜରେ ମିଳୁନଥିଵା କହିଥିଲେ । ସୌଭାଗ୍ୟକୁ ଆଜି ଅନ୍ତର୍ଜାଲରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପିଡିଏଫ୍ ଆକାରରେ ଉପଲବ୍ଧ ଅଛି ।

ସମ୍ଭଵତଃ ଶିଵ ସାର୍ ଯେଉଁ ଶବ୍ଦଟି ଆମକୁ ସେତେବେଳେ କହିଥିଲେ ତାହା “ଆଡ଼ଆଡ଼ ହେଵା” ହୋଇଥାଇପାରେ । ୨୦୦୪ ସମୟରେ ଯେତେବେଳେ ଶିଵ ସାର୍ ଆମକୁ ପଢ଼ାଉଥିଲେ ସେତେବେଳେ ଅନ୍ତର୍ଜାଲର ଵ୍ୟଵହାର ଆଜିଭଳି ନଥିଲା ତେଣୁ ସେ ଯଥା ସମ୍ଭଵ ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ କୌଣସି ପାଠାଗାରରେ କିଂଵା କାହାଘରେ ପାଇ ପଢି଼ଥିଵେ ଏଵଂ ପ୍ରାରମ୍ଭିକ କିଛି ପୃଷ୍ଠା ଆଡେ଼ଇଵା ମଧ୍ୟରେ ଏହି ଆଡ଼ ଆଡ଼ ହେଵା କ୍ରିୟାଶବ୍ଦଟି ତାଙ୍କର ଦୃଷ୍ଟିଗୋଚର ହୋଇଥିଵ ।‌ ମାତ୍ର ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ “ଆଡ଼ ଆଡ଼ ହେଵା” କ୍ରିୟାର ପାଞ୍ଚ ଛଅ ଗୋଟି ଅର୍ଥ ମଧ୍ୟରେ ଗୋଟିଏ ଅର୍ଥ ଲେଖାଅଛି 

“ଲଜ୍ଜା , ଭୟ , ଅଭିମାନ କିଂଵା ସମ୍ଭ୍ରମ ଯୋଗୁଁ କୌଣସି ଵ୍ୟକ୍ତିଙ୍କ ସାମନାରେ ଵା ମୁହାଁମୁହିଁ ଠିଆ ନ ହୋଇ ସଙ୍କୋଚଯୁକ୍ତ ଓ ଏକପାଖିଆ ହେଵା । ଆମ ସମାଜରେ ଵୋହୂ ଶାଶୁ ଆଦି ଗୁରୁଜନଙ୍କୁ ଦେଖିଲେ ଆଡ଼ଆଡ଼ ହୁଏ।”

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଆଡ଼ ଆଡ଼ ହେଵା କ୍ରିୟା ଵିଷୟରେ ଥିଵା ଦ୍ରଷ୍ଟଵ୍ୟରେ ଶାଶୁ ଓ  ସମ୍ଭ୍ରମ ଶବ୍ଦର ଉଲ୍ଲେଖରୁ ମୋର ହୃଦବୋଧ ହେଉଛି ଯେ ହୁଏତ ଆମର ସାହିତ୍ୟ ଶିକ୍ଷକ ଶ୍ରୀଶିଵ ରଥ ମହାଶୟ ଏହି ଶବ୍ଦଟି ମନେ ରଖିଥିଲେ ଓ ଆମକୁ ଜଣାଇଵା ସମୟରେ ଅର୍ଥ ସାମାନ୍ୟ ଭିନ୍ନ ହୋଇଯାଇଥିଲା ।

ଏମନ୍ତ ମଧ୍ୟ ହୋଇପାରେ ଯେ ଶିଵ ସାର୍ କହିଥିଵା ଶବ୍ଦଟି କୌଣସି ଭିନ୍ନ ଶବ୍ଦ ହୋଇଥିଵ କିନ୍ତୁ ମୋ ମନ କହୁଛି ତାହା ଆଡ଼ ଆଡ଼ ହେଵା ହିଁ ହୋଇଥିଵ ।

ତେବେ ସେ ଯାହା ହେଉ ଶିଵ ସାର୍ ଯେଉଁ ଶବ୍ଦଟି ଵିଷୟରେ ୨୦୦୪ ସମୟରେ କହିଥିଲେ ତାହାର  ଅର୍ଥ ମନେ ଥିଲେ ବି ଆଜି ମୁଁ  ସେ ଶବ୍ଦକୁ ଭୁଲି ଯାଇଛି ଏଵଂ ତାହା “ଆଡ଼ ଆଡ଼ ହେଵା” ହୋଇଥାଇପାରେ ବୋଲି ସନ୍ଦେହ କରୁଛି ।

ମାତ୍ର ରଵି ସାର୍‌ଙ୍କ ଦ୍ଵାରା ପ୍ରଥମେ ପରିଚିତ ହୋଇଥିଵା ମୃଗତୃଷ୍ଣା ଶବ୍ଦ ମୋର ମନେ ରହିଯାଇଛି । କୌଣସି ଶବ୍ଦ ବହୁ ପ୍ରଚଳିତ ହୋଇଥିଲେ ଵା ବାରମ୍ବାର ଵ୍ୟଵହାର କରୁଥିଲେ ତାହା ଆପେ ମନେ ରହିଯାଏ । ମୃଗତୃଷ୍ଣା ଶବ୍ଦକୁ ଓ ଏହାର ଅର୍ଥକୁ ଜାଣିଵାପରେ ମୁଁ ଅନେକ ସ୍ଥାନରେ ତାହାର ଵ୍ୟଵହାର କରିଥିଲି । ଶିକ୍ଷକ ଯେଉଁ ପାଠ ଦେଉଥିଲେ ସେଥିରେ ମଧ୍ୟ ସୁଯୋଗ ଉଣ୍ଡି ଏ ଶବ୍ଦ ଵ୍ୟଵହାର କରୁଥିଲି ତେଣୁ ତାହା ମନେ ରହିଛି ।‌

ଆଜି ଅନ୍ତର୍ଜାଲରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଉପଲବ୍ଧ ହେଵା ଯୋଗୁଁ ଏ ଅକିଞ୍ଚନ ଏହି ମୃଗତୃଷ୍ଣା ଶବ୍ଦ ଓ ଏହାର ପ୍ରତିଶବ୍ଦ ସମ୍ବନ୍ଧରେ ଅନେକ କଥା ଜାଣିପାରିଛି ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ମୃଗତୃଷ୍ଣା ଶବ୍ଦଟି ବହୁଵ୍ରୀହି ସମାସ ଆଧାରରେ ମୃଗର ଯାହା ତୃଷ୍ଣା ଜନ୍ମାଏ ଏହି ଅର୍ଥରେ ସୃଷ୍ଟି ହୋଇଅଛି । Mirage ଅର୍ଥରେ ମୃଗତୃଷ୍ଣିକା,ମୃଗତୃଟ୍,ମୃଗତୃଷ୍ମା ଓ ମୃଗତୃଷ୍ଣି ଆଦି ଶବ୍ଦ ମଧ୍ୟ ଵ୍ୟଵହାର ହୋଇଥାଏ ।

ମୃଗତୃଷ୍ଣା ଶବ୍ଦଟି ଓଡ଼ିଆ ଭାଷାରେ ଗୋଟିଏ ସାହିତ୍ୟିକ ଶବ୍ଦ ଭାବେ ଵ୍ୟଵହୃତ ହୋଇଥାଏ ଏଵଂ କଥିତ ଓଡ଼ିଆ ଭାଷାରେ ସେତେ ଵ୍ୟଵହାର ହୋଇନଥାଏ ।  ଜଗନ୍ନାଥ ଦାସ ତ ଓଡ଼ିଆ ଭାଗଵତରେ ଏ ଶବ୍ଦକୁ ଅନେକ ଥର ଵ୍ୟଵହାର କରିଛନ୍ତି
ଯଥା—

ଏ ଦୁଃଖ-ସୁଖ-ରୂପ-ଗର୍ତ୍ତେ ।
ଵିଷୟା-ମୃଗତୃଷ୍ଣା ପଥେ ।।
(ଚତୁର୍ଥ ସ୍କନ୍ଧ)

କ୍ଷୁଧାପୀଡି଼ତ ଯେବେ ହୋଇ ।
ନିଷ୍ଫଳ-ଵୃକ୍ଷକୁ ଧାମଇଁ ।।
କେବେ ଵା ମୃଗତୃଷ୍ଣା ଦେଖି ।
ତୃଷାରେ ଧାମଇଁ ନିରେଖି ।।
(ପଞ୍ଚମ ସ୍କନ୍ଧ)

ତୋ ମାୟା-ସଂସାର-ସାଗରେ ।
ସ୍ୱପ୍ନ ମୃଗତୃଷ୍ଣା ପ୍ରକାରେ ।
(ସପ୍ତମ ସ୍କନ୍ଧ)

ଏ ମୃଗତୃଷ୍ଣା ପ୍ରାୟ ରାଜ୍ୟ ।
ଏଣେ ଆମ୍ଭର ନାହିଁ କାର୍ଯ୍ୟ ।
(ଦଶମ ସ୍କନ୍ଧ)

ଚିଲିକା ଖଣ୍ଡକାଵ୍ୟରେ ମୃଗତୃଷ୍ଣା ଶବ୍ଦର ପ୍ରୟୋଗରେ
କଵିଵର ରାଧାନାଥ ରାୟ ଲେଖିଲେ

“ବସ୍ତୁ ନୁହଇ ସେ ଅଟଇଟି ଧୂମ,
ଅନ୍ୟନାମ ତାର ଆକାଶ କୁସୁମ,
ତୋହରି ପୁଳିନେ ମୃଗତୃଷ୍ଣା ପ୍ରାୟେ,
ମନ ମୃଗକୁ ସେ ଜଗତ ଭ୍ରମାଏ ।”

ସ୍ଵଭାଵକଵି ଗଙ୍ଗାଧର ମେହେର ତପସ୍ଵିନୀ କାଵ୍ୟରେ ଏ ଶବ୍ଦର ଵ୍ୟଵହାରରେ ଲେଖିଛନ୍ତି ...

“ସୁଖ-ଵିଷୟ-ଭୋଗ ତୃଷ୍ଣାର ପରି
ସଞ୍ଜାର କଲା ମୃଗତୃଷ୍ଣା ସୁନ୍ଦରୀ,
ତୂଳା ଉଡ଼ିଲା ତେଜି ଶାଳଳୀ ତରୁ;
କୃପଣ ଧନ କାଳେ ଉଡ଼େ ଖାତରୁ ।।”

‘ନିର୍ଝରିଣୀ’ରେ  ନନ୍ଦକିଶୋର ବଳ ମଧ୍ୟ ମୃଗତୃଷ୍ଣା ଶବ୍ଦ ପ୍ରୟୋଗ କରିଛନ୍ତି...

“ଵିରାଟ ସେ ଦେଶ ନ ମିଳେ ଜଳ
ହସି ମୃଗତୃଷ୍ଣା ଦେଖାଏ ଛଳ।”

ସୂର୍ଯ୍ୟକିରଣରେ ହେଉଥିଵା ଜଳଭ୍ରମକୁ ଇଂରାଜୀରେ Mirage ତଥା କଥିତ ଓଡ଼ିଆ ଭାଷାରେ ଖରାନାଚ କୁହାଯାଏ ‌। କେହି କେହି ଭାରତୀୟ ଭାବନ୍ତି ଯେ ଇଂରାଜୀର Mirage ଶବ୍ଦଟି ମରୀଚିକା ଶବ୍ଦରୁ ଗୃହୀତ କିନ୍ତୁ ଏହା ଏକ ଭ୍ରମ ଧାରଣା । ପ୍ରକୃତରେ Mirage ଶବ୍ଦଟି ଫ୍ରେଞ୍ଚ୍ ଭାଷାରୁ ନିଆଯାଇଛି ଏଵଂ mirer +ତଥା -age ଶବ୍ଦ ଯୁକ୍ତ କରି ଏ ଶବ୍ଦ ସୃଷ୍ଟି ହୋଇଛି । mirerର ଅର୍ଥ  ଝଅଟ୍ ଦେଖିଵା ତଥା ଅନେଇ ରହିଵା ଓ -age ଏକ ଫ୍ରେଞ୍ଚ୍ ପ୍ରତ୍ୟୟ ଯାହା କାର୍ଯ୍ୟ କରିଵା ଅର୍ଥରେ ଆଗେ  ପ୍ରୟୋଗ ହେଉଥିଲା ।

ତେବେ ଓଡ଼ିଶାରେ ମୃଗତୃଷ୍ଣା ଅପେକ୍ଷା ମରୀଚିକା ସହିତ ଅନେକ ଲୋକ ପରିଚିତ । ମୃଗତୃଷ୍ଣାକୁ  ମରୀଚିଜଳ ଓ ମରୀଚିତୋୟ ମଧ୍ୟ କୁହାଯାଏ ଏଵଂ ଏ ସବୁ ଶବ୍ଦ ମଧ୍ୟରେ ଥିବା ମରୀଚି ଶବ୍ଦର ଅର୍ଥ କିରଣ ଅଟଇ ।  ଗ୍ରୀଷ୍ମକାଳରେ ଜଳଶୂନ୍ୟ ବାଲୁକାମୟ ମରୁଭୂମିରେ ପ୍ରଖର ସୂର୍ଯ୍ୟରଶ୍ମି ପତିତି ଓ ପ୍ରତିଫଳିତ ହୋଇ ତାହା ଦୂରରୁ ସ୍ବଚ୍ଛ ଜଳାଶୟ ପରି ପ୍ରତୀୟମାନ ହୁଏ । ତୃଷାର୍ତ୍ତ ମୃଗମାନେ ଓ ପିପାସାରେ ଶୁଷ୍କକଣ୍ଠ ପଥିକମାନେ ଜଳପାନ ଆଶାରେ ତଦ୍‌ଭିମୁଖରେ ଯେତିକି ଯେତିକି ଧାଵମାନ ହେଉଥାନ୍ତି, ତାହା ତେତିକି ତେତିକି ଦୂରକୁ ଘୁଞ୍ଚିଯିଵା ପରି ଦେଖା ଯାଉଥାଏ । ଫଳତଃ ଅଵଶେଷରେ ଉକ୍ତ ହତଭାଗ୍ଯ ଜୀଵ ଵା ଜୀଵଗଣ କ୍ଳାନ୍ତ ଓ ପିପାସାର୍ତ୍ତ ହୋଇ ମରିଯାଆନ୍ତି । ଏଥିପାଇଁ ପ୍ରଲୋଭନ ଵା ଵୃଥା ଆଶାକୁ ଲୋକେ ମୃଗତୃଷ୍ଣା ମରୀଚିକା ଵା ଖରାନାଚ  ସଙ୍ଗେ ତୁଳନା କରିଥାନ୍ତି  । ଫଳତଃ ଆମ ଭାଷାରେ ମୃଗତୃଷ୍ଣା ଶବ୍ଦଟି ଲକ୍ଷଣାର୍ଥ ଵୃଥା ଆଶା ଦେଖାଇଵାର ଛଳନା ଅର୍ଥରେ ସୁଦ୍ଧା ଵ୍ୟଵହାର ହୋଇଥାଏ ।

ଆଉ ଏକ ପ୍ରକାରର ମରୀଚିକା ରହିଛି । ଏହି ଧରଣର ମରୀଚିକାକୁ ମୃଗତୃଷ୍ଣା ନକହି ଚନ୍ଦ୍ରାଭାସ(ଚନ୍ଦ୍ର+ଆଭାସ) କୁହାଯାଏ ।  ଚନ୍ଦ୍ର ପରି ଆକାଶରେ ବେଳେ ବେଳେ ଦେଖାଯିଵା ଆଭାସକୁ ଚନ୍ଦ୍ରାଭାସ କୁହାଯାଏ । ସାଧାରଣତଃ ଏଭଳି ଆଭାସ ମେରୁ ପ୍ରଦେଶରେ ବରଫ ପ୍ରତିଫଳନ ଯୋଗୁଁ ହୋଇଥାଏ । ଏଥିଯୋଗୁଁ ଦୁଇଟି ଚନ୍ଦ୍ର ଵା ଦୁଇଗୋଟି ସୂର୍ଯ୍ୟ ଆକାଶରେ ଥିଵା ପ୍ରତୀତ ହୋଇଥାଏ ।‌

ପୁଣି ମେରୁପ୍ରଦେଶର Aurora Borealis ଵା Northern Lights ଭଳି ସାମୟିକ ଆଲୋକପୁଞ୍ଜ ମେରୁଜ୍ଯୋତିକୁ ସଂସ୍କୃତ ଗ୍ରନ୍ଥମାନଙ୍କରେ ଗନ୍ଧର୍ଵପୁର , ଗନ୍ଧର୍ଵନଗର ,ଗଗନପୁର, ହରିଶ୍ଚନ୍ଦ୍ରପୁର ଓ ଖପୁର କଳ୍ପନା କରାଯାଇଛି ଏମନ୍ତକି  ମହାଭାରତରେ ମଧ୍ୟ ଏହାକୁ ଗନ୍ଧର୍ଵମାନଙ୍କର ଵାସସ୍ଥାନ ଅଭିହିତ କରାଯାଇଛି । ସୂର୍ଯ୍ୟଠାରୁ ନିର୍ଗତ ଜୀଵନହାରିଣୀ ସୌରତରଙ୍ଗ(ପ୍ରକୃତରେ ଏହା ଦୁଇଧାରିଆ ଖଣ୍ଡା କାରଣ ସୌରତରଙ୍ଗ ସୌରମଣ୍ଡଳକୁ ପ୍ରଵେଶ କରିଵାକୁ ଚେଷ୍ଟା କରୁଥିଵା ଗାମା ରେଡିଏସନ୍ ଭଳି ଵିଷାକ୍ତ ତତ୍ତ୍ଵକୁ ସୌରଜଗତଠାରୁ ଦୂରେଇ ରଖେ ତେଣୁ ଏହା ଏକ ଦୃଷ୍ଟିରୁ ଜୀଵନଦାୟିନୀ ମଧ୍ୟ)  ସହ ପୃଥିଵୀର ଚୁମ୍ବକୀୟ ଵଳୟର ସଂଘର୍ଷ ଯୋଗୁଁ ଏହା ସୃଷ୍ଟି ହୋଇଥାଏ । ପୃଥିଵୀରେ ଏଭଳି ଅନେକ ମିଥ୍ୟା ଆଭାସ ଵା Mirage ରହିଛି ଯାହା ଦେଖିଦେଲେ ଅନେକେ ଭୟଭୀତ ହୋଇଯାଆନ୍ତି ।  Fata Morgana ନାମକ ମିଥ୍ୟା ଆଭାସ ସମୁଦ୍ର ତଥା ମରୁଭୂମି ମଧ୍ୟରେ ଦୃଶ୍ୟ ହୋଇଥାଏ । ଏହା ଏକ ଜାତୀୟ superior mirage ଓ ଭୟଙ୍କର । ଇଂଲଣ୍ଡରେ ଲୋକପ୍ରିୟ ଆର୍ଥର ଦନ୍ତକଥାର ନକାରାତ୍ମକ ଚରିତ୍ର Morgan le Fayର ନାମ ଆଧାରରେ ଏହି ଜାତୀୟ ମିଥ୍ୟା ଆଭାସର ନାମକରଣ ହୋଇଛି । ସେହିପରି Sundog,Brocken Spectre,Magnetic Hill ,Light Pillars,Water Sky,Green Flash,Omega Sun ଭଳି ଅନେକାନେକ Mirage ରହିଛି ଏଵଂ ଏଭଳି ଅନେକ ମିଥ୍ୟା ଆଭାସ ବହୁତ ଵିରଳ ଯାହା ଅନେକ ମାନଵ ନିଜ ଜୀଵନକାଳରେ କେବେ ଦେଖିନାହାନ୍ତି  ।

ଏଯାଵତ୍ ଆଲୋଚନାରୁ ଆମେ ଜାଣିଲେ ଯେ ଅନେକ ଜାତୀୟ Mirage ଵା ମରୀଚିକା ଅଛି ଵା ଏ ପୃଥିଵୀପୃଷ୍ଠରେ ମନୁଷ୍ୟାଦି ଜୀଵଙ୍କୁ ଦୃଶ୍ୟ ହୋଇଥାଏ ତେବେ ମରୁମରୀଚିକା ଵା ଖରାନାଚକୁ ମୃଗତୃଷ୍ଣା କାହିଁକି କୁହାଯାଏ ?

ପୁରାଣରେ ଅଛି ଯେ ଗୋଟିଏ ଶଶକ ଗଳ୍ପାନ୍ତରରେ ମୃଗ ତୃଷ୍ଣାର୍ତ୍ତ ହୋଇ ମରୀଚିକା ଭ୍ରମରେ ଚନ୍ଦ୍ରଙ୍କୁ କିମ୍ବା ଚନ୍ଦ୍ରକିରଣ ଆଭାସିତ ମରୁପ୍ରାନ୍ତରକୁ ଗୋଟିଏ ଜଳାଶୟ ବୋଲି ମନେକରି ଜଳ ପାନ କରିଵାପାଇଁ ଦଉଡ଼ି ଦଉଡ଼ି ଯାଇ ଦେଖିଲା ଯେ ସେଠାରେ ପାଣି ନାହିଁ। ଏହା ଦେଖି ଶଶକର ହଂସା ଉଡ଼ିଗଲା ଓ ସେ ମରିଗଲା। ତାଙ୍କଠାରେ ଆଶା ରଖି ଶଶକ ପ୍ରାଣ ହରାଇଥିଵାରୁ ସେହି ଶଶକଟି ଛନ୍ଦ୍ରଙ୍କ ଦେହରେ କଳଙ୍କରୂପ ଲାଗିରହିଲା ଏବଂ ସେହିଦିନଠାରୁ ଚନ୍ଦ୍ର ଶଶାଙ୍କ ହେଲେ। ଏହି କାହାଣୀକୁ ଉପଲକ୍ଷ କରି ଚନ୍ଦ୍ରାଭାସ ଓ ମୃଗତୃଷ୍ଣା ଶବ୍ଦଟି ସୃଷ୍ଟି ହୋଇଥାଇପାରେ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଶବ୍ଦଗୁରୁ ଶ୍ରୀଗୋପାଳଚନ୍ଦ୍ର ପ୍ରହରାଜ ମହାଶୟ ଅନୁମାନ କରିଅଛନ୍ତି ।

କିନ୍ତୁ,  ତୃଷ୍ଣା ଶବ୍ଦ ସହିତ ଅନ୍ୟ କୌଣସି କାରଣରୁ ମଧ୍ୟ ମୃଗ ଶବ୍ଦ ଲାଗିଥାଇପାରେ କି ? କ'ଣ ମୃଗ ଶବ୍ଦର ହରିଣ ଛଡ଼ା ଅନ୍ୟ କୌଣସି ଅର୍ଥରେ ମଧ୍ୟ ଵ୍ୟଵହାର ରହିଛି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମୃଗ ଶବ୍ଦର ହରିଣ,ପଶୁ, ଯେକୌଣସି ଜନ୍ତୁ,ପ୍ରାର୍ଥନା; ଯାଚ୍ଞ୍ଜା ଵା ଭିକ୍ଷା,କପାଳରେ ଶୁଭ୍ର ଚିହ୍ନଯୁକ୍ତ ଥିଵା ହସ୍ତୀ,ଵୈଷ୍ଣଵମାନଙ୍କ କପାଳରେ ଧୃତ ତିଳକଚିହ୍ନର ପ୍ରକାର ଭେଦ (ଏହା ହରିଣ ଶିଙ୍ଗ ପରି ଦୋକନା),ମାର୍ଗଶୀର୍ଷ ମାସ,ମୃଗଶିରା ନକ୍ଷତ୍ର,ମକର ରାଶି, ଏକ ଜାତୀୟ ଯଜ୍ଞଵିଶେଷ,ମୃଗନାଭି ଵା କସ୍ତୂରୀ,ଅନ୍ବେଷଣ, ତତ୍ତ୍ବାନୁସନ୍ଧାନ ,ଶିକାର ଵା ମୃଗୟା ଓ ବିନ୍ଦୁ ଶାସ୍ତ୍ର ଵର୍ଣ୍ଣିତ ଚାରି ଜାତିର ପୁରୁଷ ମଧ୍ୟରୁ ଏକ ଜାତି ଆଦି ଅର୍ଥ ଉଲ୍ଲେଖ ରହିଛି ।

ସମ୍ଭଵତଃ ମୃଗ ଶବ୍ଦର ପ୍ରୋକ୍ତ ସମସ୍ତ ଅର୍ଥ ମଧ୍ୟରେ ଅନ୍ବେଷଣ ଵା  ତତ୍ତ୍ବାନୁସନ୍ଧାନ ଅର୍ଥକୁ ଗ୍ରହଣ କରି ତାହା ତୃଷ୍ଣା ଶବ୍ଦ ସହିତ ଯୁକ୍ତ କରାଯାଇ  ମୃଗତୃଷ୍ଣା ଶବ୍ଦଟି ସୃଷ୍ଟି ହୋଇଥାଇପାରେ । ଏମନ୍ତ ହୋଇପାରେ ଯେ ନିଜର ତୃଷ୍ଣା ମେଣ୍ଟାଇଵା ପାଇଁ ମରୁଭୂମି ମଧ୍ୟରେ ଜଳର ଅନୁସନ୍ଧାନ କରୁଥିଵା କୌଣସି ମୃଗକୁ ଦେଖି ଵା କଳ୍ପନା କରି କେହି ଏଭଳି ଏକ ଶବ୍ଦ ସୃଷ୍ଟି କରିଥିଲେ ଏଵଂ ତାହା ପରଵର୍ତ୍ତୀ କାଳରେ ଏକ ସର୍ଵଭାରତୀୟ ଶବ୍ଦରେ ପରିଣତ ହୋଇପାରିଛି ।

କ୍ରମଶଃ...

Wednesday, October 6, 2021

ଶବ୍ଦଭେଦୀର ଜୀଵନ ଭାଗ ୧ — ଚଉଦ

୨୦୧୦ ସମୟର କଥା । କୌଣସି କାରଣରୁ ମୋ ନୋକିଆ ଭ୍ରାମ୍ୟମାଣ(ଫୋନ୍)ଟି ଅଖଞ୍ଜ ହୋଇଗଲା । ମୁଁ ସେତେବେଳେ ସୁରଟ ନଗରରେ କାର୍ଯ୍ୟ କରୁଥିଲି । ସୁରଟ ନଗରର ପାଣ୍ଡେସରା ଅଞ୍ଚଳରେ ଅଵସ୍ଥିତ ସୁମୁଲ ଡେରୀ ନିକଟରେ ଥିଵା “ନୋକିଆ ସହାୟତା କେନ୍ଦ୍ର”କୁ ଯିଵାକୁ ହେଲା ।

ସେଠାରେ ସେତେବେଳେ ପାଞ୍ଚ ଛଅ ଜଣ ମହିଳା କର୍ମଚାରୀ କାର୍ଯ୍ୟ କରୁଥିଲେ । ତନ୍ମଧ୍ୟରୁ ଦୁଇ ଜଣ ମଧ୍ୟଵୟସ୍କା ମହିଳା ମଧ୍ୟ ଥିଲେ । ଜନୈକା ମଧ୍ୟ ଵୟସ୍କା ମହିଳାଙ୍କଠେଇଁ ମୋହର ପାଳି ପଡି଼ଲା । ମହିଳାଜଣକ ମୋହର ୩୧୧୦ ନୋକିଆ ଦୂରଜଙ୍ଗମଵାଣୀର କିସ ରୋଗ ଅଛି ବୋଲି ପଚାରି ବୁଝିଲେ । ଗୋଟିଏ କାଗଜରେ ନାଆଁ ଗାଆଁ ଠିକଣା ଦୂରଭାଷସଂଖ୍ୟା(ଫୋନ୍ ନମ୍ୱର୍) ଓ ଵୈପତ୍ର(ଵୈଷୟିକ ପତ୍ର/ଇ-ମେଲ୍) ଆଦି ଲେଖିଵାକୁ ଦେଲେ ।

କାଗଜରେ ଥିଵା ଆଵଶ୍ୟକ ଶୂନ୍ୟସ୍ଥାନମାନ ପୂର୍ଣ୍ଣ କରିଵା ଉତ୍ତାରୁ ସେ ଦେଵୀ ତାହା ମୋଠାରୁ ନେଇ ସବୁ ଠିକ୍ ଅଛି କି ନାହିଁ ଜାଣିଵା ପାଇଁ ଟିକିଏ ଆଖି ପକେଇ ଦେଖିଲେ ଏଵଂ ସେଥିରେ ନିଜର ସ୍ଵାକ୍ଷର ଦେଵା ସମୟରେ ମୋତେ ହିନ୍ଦୀରେ ପଚାରିଲେ ଏଵଂ ମୁଁ ମଧ୍ୟ ତାଙ୍କୁ ତାଙ୍କର ପ୍ରଶ୍ନର ଉତ୍ତର ହିନ୍ଦୀରେ ଦେଲି ।

ମହିଳା—ଆଚ୍ଛା କାଲି କେତେ ତାରିଖ ଥିଲା  ...?

ମୁଁ — କାଲି ଚଉଦ(ହିନ୍ଦୀ ଵାକ୍ୟରେ ଓଡ଼ିଆ ଚଉଦ ଶବ୍ଦ ଵ୍ୟଵହାର) ତାରିଖ ଥିଲା...!

ମହିଳା — ଚଉଦ ମାନେ କ'ଣ ... ?

ମୁଁ — ଓଡ଼ିଆରେ fourteen ସଂଖ୍ଯାକୁ ଚଉଦ କୁହାଯାଏ ..!

ମହିଳା — ତାହେଲେ ତାକୁ  ହିନ୍ଦୀରେ କାହିଁକି କହିଲନି

ମୁଁ — ମ୍ୟାଡମ୍ ତାହା କ'ଣ କହିଵାକୁ ହଵ !!! ଆପଣ ଜାଣିଛନ୍ତି !!! 😂

ମହିଳା ଜଣକ ଏହା ଶୁଣି ସାମାନ୍ୟ ସ୍ମିତହାସ୍ୟ କରି ମୋତେ କାଗଜଟିଏ ଧରେଇ ଦେଲେ ସେଇଠୁ ମୁଁ ଦୂରଚଳଭାଷକୁ ସହାୟତା କେନ୍ଦ୍ରରେ ସଜଡ଼ା ଯିଵା ହେତୁକ ଛାଡ଼ି ବସାକୁ ବାହୁଡ଼ି ଅଇଲି ...

ଏବେ ଆପଣମାନଙ୍କ ମନରେ ପ୍ରଶ୍ନ ଆସୁଥିଵ ଯେ
ନୋକିଆ ସହାୟତା କେନ୍ଦ୍ରର ପ୍ରୋକ୍ତ ମଧ୍ୟଵୟସ୍କା ମହିଳା ଜଣକ ପନ୍ଦର ଜୁନ୍‌ରେ କାର୍ଯ୍ୟାଳୟରେ ଥାଇ ବି କାହିଁକି ଗତକାଲି କେତେ ତାରିଖ ବୋଲି ପଚାରିଲେ ?

ସେ କାହିଁକି ଓଡ଼ିଆରେ ୧୪ ସଂଖ୍ୟାକୁ ଚଉଦ ତଥା ଇଂରାଜୀରେ ଫୋଟିନ୍ କହିଲାପରେ ବି ମୋତେ ତାହା ହିନ୍ଦୀରେ କହିଵାକୁ କହୁଥିଲେ ?
🤔🤔🤔

କଥା କ'ଣ କି ହିନ୍ଦୀରେ ୧୪ସଂଖ୍ୟାକୁ चौदह ଲେଖାଯାଏ କିନ୍ତୁ କହିଲାବେଳେ ସାଧାରଣତଃ ଚୌଦା,ଚୌଦାହ୍  ଏଵଂ କେତେକ ହିନ୍ଦୀଭାଷୀ ଅଞ୍ଚଳରେ ଚଉଦ ଶବ୍ଦକୁ ହଳନ୍ତଵତ୍ କରି ଚଉଦ୍ ମଧ୍ୟ କୁହାଯାଏ ।

ମାତ୍ର ଅହିନ୍ଦୀଭାଷୀ ଲୋକେ ହିନ୍ଦୀରେ କଥା ହେଲାବେଳେ चौदह ଶବ୍ଦକୁ  ଚୋଦା ଉଚ୍ଚାରଣ କରିଦିଅନ୍ତି ଯାହା ହିନ୍ଦୀଭାଷାରେ ମୈଥୁନ ଅର୍ଥଜ ଅଶ୍ଳୀଳ ଶବ୍ଦ । ହିନ୍ଦୀଭାଷୀ ମହିଳାଜଣକ ଭାବିଥିଲା ମୁଁ ଅହିନ୍ଦୀଭାଷୀ ହୋଇଥିଵାରୁ  ମୋତେ ହିନ୍ଦୀ ଜଣାନାହିଁ ଏଣୁ ମୁଁ चौद/चौदह ଶବ୍ଦକୁ चोदा ଉଚ୍ଚାରଣ କରିବି ମାତ୍ର ତାଙ୍କର ଅନୁମାନ ଭୁଲ୍ ହୋଇଗଲା ।‌ ଅସ୍ତୁ ଆମ ଭାଷାରେ ଚଉଦ ଓ ଚତୁର୍ଦ୍ଦଶ ଶବ୍ଦଦ୍ଵୟ ୧୪ ସଂଖ୍ଯା ପାଇଁ ଵ୍ୟଵହାର ହୋଇଥାଏ । ପ୍ରାକୃତର ଚଉଦ୍ଦହ ଓ ସଂସ୍କୃତର ଚତୁର୍ଦ୍ଦଶ ଶବ୍ଦ ସହିତ ଓଡ଼ିଆ ଚଉଦ, ହିନ୍ଦୀ ଚୌଦା ଓ ଚୌଦହ୍ , ବଙ୍ଗାଳୀ চোদ্দ ,ଅହମିଆ চৈধ্য  ଓ ନେପାଳୀ  चौध ଆଦି ଶବ୍ଦ ସମୋଦ୍ଧୃତ । କିନ୍ତୁ ଆଉ ଏକ ଶବ୍ଦ ମଧ୍ୟ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଚଉଦ ଅର୍ଥରେ ଵ୍ୟଵହାର ହୋଇଅଛି ତାହେଲା  ବାର ବେନି ।
ବାର ଓ ବେନି = ୧୪ । ବେନି ଶବ୍ଦର ଅର୍ଥ ଦୁଇ । ବାର ସହିତ ବେନି ଵା ଦୁଇ ସଂଖ୍ଯା ମିଶିଲେ ୧୪ ସଂଖ୍ଯା ହୁଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଚଉଦ ସଂଖ୍ଯା ଅର୍ଥରେ  ‌ବାରବେନି ଶବ୍ଦ କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ଵୈଦୈହିଶ ଵିଳାସରେ ଵ୍ୟଵହାର କରିଛନ୍ତି ।‌

“ବାର ବେନି ପୁରସାର ମୋହନ ପୁଂସ”
(ଭଞ୍ଜ ଵୈଦେହୀଶିଳାସ)

ଏତଦଵ୍ୟତୀତ ଦ୍ବିସପ୍ତ,ମନୁ,ଇନ୍ଦ୍ର,ଲୋକ,ଶକ୍ର ଆଦି ଶବ୍ଦ ପ୍ରାଚୀନ କାଳରେ ୧୪ ସଂଖ୍ୟା ଅର୍ଥରେ ମଧ୍ୟ ଵ୍ୟଵହୃତ ହୋଇଅଛି ।