Wednesday, October 25, 2023

•ଶବ୍ଦଭେଦୀର ଜୀଵନ—୧୧(ହେଲମେଟ୍, ଶିରସ୍ତ୍ରାଣ ଓ ମଉଡ଼ା)•

ନଵମ ଶ୍ରେଣୀରେ ସଂସ୍କୃତ ଶିକ୍ଷକ ଶ୍ଵେତ ମହାଶୟ ଦିନେ ପ୍ରସଙ୍ଗଵଶତଃ ଆମ୍ଭମାନଙ୍କୁ ପ୍ରଶ୍ନ କଲେ “ଇଂରାଜୀ ହେଲମେଟ୍(Helmet) ଶବ୍ଦର ଓଡ଼ିଆ କ'ଣ ହେଵ ?” 

ଶ୍ରେଣୀ ଗୃହରେ ମୁଁ ଏକାକୀ ହାତ ଉଠେଇଥିଲି ତେଣୁ ଶ୍ଵେତ ମହାଶୟ ମୋର ଉତ୍ସାହ ଦେଖି ମୋତେ ପଚାରିଲେ। ମୁଁ ଉତ୍ତରରେ କହିଲି 'ସାଞ୍ଜୁ' ! ଶ୍ଵେତ ମହାଶୟ କହିଲେ ନା ଏହି ଉତ୍ତରଟି ଠିକ୍ ନୁହେଁ । ତାପରେ ଆଉ କେହି ଉତ୍ତର ନ ଦେଵାରୁ ସେ ହେଲମେଟ୍‌ର ଓଡ଼ିଆ 'ଶିରସ୍ତ୍ରାଣ' ହେଵ ବୋଲି ଜଣାଇ ଦେଲେ । 

ପୁଟସାହି ମାଧ୍ୟମିକ ଵିଦ୍ୟାଳୟରେ ପଢ଼ୁଥିଲାବେଳେ ଵିଦ୍ୟାଳୟ ପାଠାଗାରରୁ ‘ଟ୍ରୋଜାନ୍ ଘୋଡ଼ା’ ନାମରେ ଏକ ପୁସ୍ତକ ଆଣି ପଢ଼ିଥିଲି । ଏଥିରେ ଗ୍ରୀକ୍ ଦେଶର ପ୍ରାଚୀନ କଵି ହୋମରଙ୍କର ଇଲିଆଡ଼ ଓ ଓଡ଼େଶୀର କାହାଣୀ ଓଡ଼ିଆ ଭାଷାରେ ଗଦ୍ୟ ଆକାରରେ ଵର୍ଣ୍ଣିତ ହୋଇଥିଲା । ଟ୍ରୋଜାନ୍ ଘୋଡ଼ା ପୁସ୍ତକରେ ସାଞ୍ଜୁ ଶବ୍ଦ ବାରମ୍ବାର ପ୍ରୟୋଗ ହୋଇଥିଲା ତେଣୁ ତାହା ମନେଥିଲା । ଏହା ପୂର୍ଵରୁ ୧୯୯୫-୯୬ରେ ଜହ୍ନମାମୁଁ ପତ୍ରିକାରେ "ଭୁବନସୁନ୍ଦରୀ ଓ ରୂପଧରଙ୍କ ଯାତ୍ରା" ନାମରେ ସେହି ଇଲିଆଡ଼ ତଥା ଓଡ଼େଶୀର କାହାଣୀକୁ ହିଁ ଚରିତ୍ରମାନଙ୍କର ନାମ ପରିଵର୍ତ୍ତନ ସହିତ ପ୍ରକାଶ କରାଯାଇଥିଲା(ଯଥା- ହେଲେନଙ୍କୁ ଭୁବନସୁନ୍ଦରୀ ତଥା ଓଡ଼େଶିଅସ୍‌ଙ୍କୁ ରୂପଧର)। 

ଜହ୍ନମାମୁଁ ପତ୍ରିକାରେ ଗ୍ରୀକଯୋଦ୍ଧାମାନଙ୍କର ଵକ୍ରାକାର ଶିରସ୍ତ୍ରାଣ ଦେଖିଥିଵାରୁ ତଥା ପରେ ଟ୍ରୋଜାନ୍ ଘୋଡ଼ା ପୁସ୍ତକରେ ସେହି କାହାଣୀକୁ ପଢ଼ୁଥିଵା ବେଳେ ସାଞ୍ଜୁ ଶବ୍ଦ ବାରମ୍ବାର ପ୍ରୟୋଗ ହୋଇଥିଵାର ମନେ ଥିଵାରୁ ମୋ ମନରେ ହେଲମେଟ୍‌ର ଓଡ଼ିଆ ସାଞ୍ଜୁ ବୋଲି ଏକ ଭ୍ରମଧାରଣା ରହି ଯାଇଥିଲା । ତେବେ ୨୦୦୩ ଵା ୨୦୦୪ରେ ଏହି ଭ୍ରମଧାରଣାକୁ ଆମ ସଂସ୍କୃତ ଶିକ୍ଷକ ଶ୍ଵେତ ମହାଶୟ ଦୂର କରି ଦେଇଥିଲେ । 

କିନ୍ତୁ ସାଞ୍ଜୁର ଅର୍ଥ ଯଦି ହେଲମେଟ ନୁହେଁ ତେବେ ଏ ଶବ୍ଦର ପ୍ରକୃତ ଅର୍ଥ କ'ଣ ? 

ଶ୍ଵେତ ମହାଶୟ ସେତେବେଳେ ସାଞ୍ଜୁର ଅର୍ଥ ଆମ୍ଭମାନଙ୍କୁ କଵଚ ବୋଲି ଜଣାଇ ଦେଇଥିଲେ । ସାଞ୍ଜୁ ଶବ୍ଦର ଏହି ଅର୍ଥଟି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ବି ଅଛି । ଭାଷାକୋଷ ଅନୁସାରେ ସାଞ୍ଜୁ ଏକ ଓଡ଼ିଆ ଦେଶୀୟ ଶବ୍ଦ ଏଵଂ ଯୋଦ୍ଧାର ଦେହରକ୍ଷକ ପୋଷାକ,ତନୁତ୍ରାଣ; କବଚ ଵା ଵର୍ମ ତଥା ପକ୍ଷ ଅର୍ଥରେ ଏହି ଶବ୍ଦ ଆମ ଭାଷାରେ ଵ୍ୟଵହୃତ ହୋଇଥାଏ ।

କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ଵୈଦେହୀଶ ଵିଳାସ କାଵ୍ୟରେ ସାଞ୍ଜୁ ଶବ୍ଦକୁ ପକ୍ଷ ଅର୍ଥରେ ପ୍ରୟୋଗ କରି ଲେଖିଛନ୍ତି 

“ବଳ ହିମନ୍ତ ପର୍ଵତ ପ୍ରବଳ ଵାତଜନିତ ହେଵାରୁ ସାଞ୍ଜୁ ତଡ଼ିତ ରାକ୍ଷସ ବଂଶେ।” 

ହେଲେ କଵଚ ଅର୍ଥଜ ସାଞ୍ଜୁ କେମିତି ପକ୍ଷ ଅର୍ଥରେ ପ୍ରୟୋଗ ହୋଇପାରେ ? ବୋଧହୁଏ ପକ୍ଷୀମାନେ ବେଳେବେଳେ ଆକ୍ରମଣକାରୀଙ୍କଠାରୁ ନିଜକୁ ରକ୍ଷାକରିଵା ହେତୁ ନିଜ ପକ୍ଷକୁ ସାଞ୍ଜୁ ଭଳି ଵ୍ୟଵହାର କରୁଥିଵାରୁ ସାଞ୍ଜୁ ଶବ୍ଦକୁ କଵି ସମ୍ରାଟ ସେହି ଭାଵ ଘେନି ପକ୍ଷ ଅର୍ଥରେ ପ୍ରୟୋଗ କରିଛନ୍ତି । 

ସେ ଯାହା ହେଉ ୨୦୦୩ ଵା ୨୦୦୪ରେ ଯେତେବେଳେ ସାଞ୍ଜୁର ଅର୍ଥ କଵଚ ତଥା Helmetର ଓଡ଼ିଆ ଶିରସ୍ତ୍ରାଣ ବୋଲି ଜାଣିଲି ସେ କଥା ସବୁଦିନ ପାଇଁ ମୋର ମନେ ରହିଗଲା । ତେବେ ହେଲମେଟ ଅର୍ଥଜ ଆଉ କେତେକ ମହାଭାରତୀୟ ଶାସ୍ତ୍ରୀୟ ଶବ୍ଦ ବି ଅଛି ଯଥା :ଉଷ୍ଣୀଶ,ମସ୍ତକାଵରଣ,
ମସ୍ତକାଵରଣୀ,ଶିରୋଭୂଷଣ,ମସ୍ତକରକ୍ଷଣୀ,ଖୋଳକ,ତ୍ରାଣ,ଶିରସ୍ତ୍ର,ଶୀର୍ଷକ,ଶୀର୍ଷଣ୍ୟ ଓ ଶିରସ୍କ ଇତ୍ୟାଦି ।‌

ମାତ୍ର ଏହାର ବହୁତ ଵର୍ଷ ପରେ ଯେତେବେଳେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପଢ଼ିଵାର ସୁଯୋଗ ମିଳିଲା ମୋତେ ଶିରସ୍ତ୍ରାଣ ଓ ହେଲମେଟ ଅର୍ଥଜ ଗୋଟିଏ ପ୍ରାକୃତ ମୂଳର ପ୍ରଚୀନ ଓଡ଼ିଆ ଶବ୍ଦ 'ମଉଡ଼ା' ପ୍ରାପ୍ତ ହେଲା । ପ୍ରାଚୀନ ପ୍ରାକୃତରେ ମଉଡ଼ ଶବ୍ଦର ଅର୍ଥ ମୁକୁଟ ଥିଲା ଏଵଂ ତହିଁର ପ୍ରାଚୀନ ରୂପ ଆଜି ବି ଓଡ଼ିଆ ଭାଷାରେ ପ୍ରୟୋଗ କରାଯାଏ(ଯଥା: ଓଡ଼ିଆ ଜାତିର ମଉଡ଼ମଣି~ଜଗନ୍ନାଥ)। ସେହି ପ୍ରାଚୀନ ମଉଡ଼ ଶବ୍ଦଟି ଓଡ଼ିଆ ଭାଷାରେ ଆଉଟିକେ ପରିଵର୍ତ୍ତିତ ହୋଇ ମଉଡ଼ା ରୂପେ ପାଗ, ଶିରସ୍ତ୍ରାଣ ଵା Helmet ଅର୍ଥରେ ଚଳୁଥିଲା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ । 
ସଂସ୍କୃତ ଶିକ୍ଷକ ମହାଶୟ ଶିରସ୍ତ୍ରାଣକୁ ଜାଣିଥିଲେ କିନ୍ତୁ ମଉଡ଼ା ଶବ୍ଦଟି ହେଲମେଟ ଅର୍ଥରେ ପ୍ରୟୋଗ କରାଯାଇପାରେ ବୋଲି ହୁଏତ ଜାଣିନଥିଲେ, ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ତାହା ଜାଣିହେଲା । 

ପୁଣି ହେଲମେଟ ଶବ୍ଦଟି ପଛରେ ବି ଗୋଟିଏ ରୋଚକ ଵ୍ୟୁତ୍ପତ୍ତି ଇତିହାସ ଅଛି । Helmet ଶବ୍ଦଟି ଲାଟିନ୍ ଭାଷାରୁ ଫ୍ରେଞ୍ଚ୍ ଭାଷା ଦେଇ ପ୍ରଚଳିତ ହୋଇଥିଲେ ବି ଏହା ମୂଳତଃ ଏକ ଜର୍ମାନିକ୍ ଶବ୍ଦ । ମଧ୍ୟଯୁଗରେ ହେଲମେଟ ଶବ୍ଦକୁ ଇଂରାଜୀ ଭାଷାରେ helmet ଓ helmett ତଥା ଫ୍ରେଞ୍ଚ୍ ଭାଷାରେ helmet ଓ heaumet ଲେଖାଯାଉଥିଲା । ଲାଟିନ ଶବ୍ଦ helmusରୁ ଫ୍ରେଞ୍ଚ୍ ଭାଷାରେ helmet,heaumet ଓ heaume ଇତ୍ୟାଦି ଶବ୍ଦ ପ୍ରଚଳନ ହୋଇଛି କିନ୍ତୁ ପ୍ରକୃତରେ ପ୍ରୋକ୍ତ ଲାଟିନ୍ ଶବ୍ଦ helmusଟି
ଏକ ଜର୍ମାନିକ୍ ମୂଳଜ Frankish ଭାଷାର *helm ଶବ୍ଦରୁ ନିଆଯାଇଥିଲା । ମଜାକଥା ହେଲା ଇଂରାଜୀ ଭାଷାରେ ଫ୍ରେଞ୍ଚ୍ ଭାଷା ମୂଳରୁ Helmet ଶବ୍ଦ ଵ୍ୟଵହାର ପୂର୍ଵରୁ ଜର୍ମାନିକ ମୂଳର ଏହି helm ଶବ୍ଦଟି ସାଧାରଣ ଜନଙ୍କ କଥିତ ଭାଷାରେ ସମ ଅର୍ଥରେ ପ୍ରୟୋଗ କରାଯାଉଥିଲା । 

ଅର୍ଥାତ୍ “ଆରେ ଢାମଣା ବୁଲି ବୁଲି ପୁଣି ସେହି ଅଗଣା ନ୍ୟାୟରେ ଜର୍ମାନିକ୍ ମୂଳର helm ଶବ୍ଦଟି ଲାଟିନ୍ ଭାଷାରେ helmus ହୋଇ ପୁଣି ଫ୍ରେଞ୍ଚ୍ ଭାଷାରେ helmet ରୂପେ ପରିଵର୍ତ୍ତିତ ହୋଇ ଶେଷକୁ ପଞ୍ଚଦଶ ଶତାବ୍ଦୀରେ ନିଜର ହିଁ ମୂଳ ଜର୍ମାନିକ ରୂପ helmକୁ ଇଂରାଜୀ ଭାଷାରୁ ହଟାଇ ନିଜେ ତା ସ୍ଥାନ ନେଇଗଲା । ତେବେ ଭାରତର ଯୋଦ୍ଧାମାନେ ଵିଭିନ୍ନ ଜାତୀୟ ପଗଡ଼ି ଓ ମୁକୁଟ ପିନ୍ଧି ଯୁଦ୍ଧ କରୁଥିଲେ । ତେଣୁ ପଗଡ଼ି ଅର୍ଥରେ ଠେକା,ପାଗ,ପଗଡ଼ି,ଖୋଳକା,ଟୋପି,ଖୋଲରି,ଡେଙ୍କା,ପଟୁକା,ପଟ୍ଟ,ପିରାଲୀ,ପୁଟ,ଵେଷ୍ଟକ,ରାଜପଟ୍ଟ,ଲପଟା,ଶିରୋଦାମ,ଶିରୋଵେଷ୍ଟ ଓ ଶୁକ ତଥା ମୁକୁଟ ଅର୍ଥରେ କିରୀଟ,ଚୂଡ଼ା,ଚୂଳ,ଟୋପର,ନିର୍ଯ୍ୟହ,ନିର୍ଯ୍ୟୁହ,ବନ୍ଧୁର,ମଉଡ଼,ମଉଡ଼ା,ମସ୍ତକଭୂଷଣ,ମଉଳ,ମଉଳି,ମକୁଟ,ମୂର୍ଦ୍ଧବେଷ୍ଟନୀ,ମୌଳି,ଶିଖା,ଶିଖାଭରଣ,ଶିରପା,ଶିରିପା,ଶେଖର ଓ ମୁକୁଟ ଭଳି ଅନେକ ଅନେକ ଦେଶୀୟ ତଥା ଶାସ୍ତ୍ରୀୟ ଭାରତୀୟ ଶବ୍ଦ ଚଳୁଅଛି। ଅତଏଵ ଆଧୁନିକ ଯୁଗରେ ଆମେ ଆମ ଓଡ଼ିଆ ଭାଷାରେ ହେଲମେଟ୍ ପାଇଁ ଶାସ୍ତ୍ରୀୟ ଶିରସ୍ତ୍ରାଣ ଶବ୍ଦ ଵ୍ୟଵହାର କରିପାରିଵା କିମ୍ବା ପ୍ରାଚୀନ ଓଡ଼ିଆ ଶବ୍ଦ ମଉଡ଼ା ମଧ୍ୟ ପ୍ରୟୋଗ କରିପାରିଵା ! 
   ×••••••••••••••••••••••••×

No comments:

Post a Comment

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ...