ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଵିଵାହ ଵେଦିରେ ଵରକନ୍ୟାଙ୍କ ହାତରେ ଦୁବ ବରକୋଳିପତ୍ର ଓ ଅରୁଆଚାଉଳ ସହିତ ବନ୍ଧାଯିଵା ହଳଦିଆ ସୂତାକୁ ହିଁ ଆଗେ ମଙ୍ଗଳସୂତ୍ର ତଥା ମଙ୍ଗଳପରିସର କୁହାଯାଉଥିଲା । ଏହି ସୂତାର ଅନ୍ୟନାମ କରସୂତ୍ର, ବାଡ଼ୁଅ ସୂତା ଓ କୌତୁକ ସୂତ୍ର ଇତ୍ୟାଦି ।
ଏଠାରେ ମଙ୍ଗଳ ପରିସର ଶବ୍ଦ ଉଲ୍ଲେଖଯୋଗ୍ୟ । ପରିସର ଶବ୍ଦର ଏକ ଅର୍ଥ ମାଲ୍ୟ ଵା ହାର ତେଣୁ ସମ୍ଭଵତଃ ଭାରତରେ ଅନ୍ୟତ୍ର ଏହି ଆଧାରରେ ମଙ୍ଗଳସୂତ୍ର ନାଆଁରେ ହାର ପିନ୍ଧିଵା ପ୍ରଚଳିତ ହୋଇଥିଵ । ଏମନ୍ତ ମଧ୍ୟ ହୋଇପାରେ ଯେ ପୂର୍ଵେ କିଛି ନଵଵିଵାହିତା ମହିଳା ଵିଵାହକାଳୀନ କରସୂତ୍ରକୁ ସାଇତି ସେଥିରେ ମାଳି ଗୁନ୍ଥି ପିନ୍ଧିଥିବେ ଯାହା ପରେ ମଙ୍ଗଳସୂତ୍ର ହାରର ପରମ୍ପରାକୁ ଜନ୍ମ ଦେଇଥିଵ ।
ହିନ୍ଦୀ ଶବ୍ଦ ସାଗର ଶବ୍ଦକୋଷ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପୂର୍ଵରୁ ସଂକଳିତ ହୋଇଥିଲା । ସେଥିରେ ମଧ୍ୟ ମଙ୍ଗଳସୂତ୍ର ଶବ୍ଦ ରହିଛି ଏଵଂ ଏହାର ଦୁଇଗୋଟି ଅର୍ଥ ଲେଖା ହୋଇଛି ।
(କ).ସେହି ସୂତ୍ର ଯାହା ଶୁଭ ଅଵସରରେ ହାତରେ ବନ୍ଧାଯାଏ(वह तागा जो किसी देवता के प्रसाद रूप में किसी शुभ अवसर पर कलाई में बाँधा जाता है) ।
(ଖ).ସେହି ସୂତ୍ର ଵା ହାର ଯାହା ସଧଵା ସ୍ତ୍ରୀ ନିଜ ଗଳାରେ ପିନ୍ଧେ । ଏହି ପରମ୍ପରା ଏବେ ପ୍ରାୟତଃ ମହାରାଷ୍ଟ୍ରରେ ପ୍ରଚଳିତ ଅଛି(वह सूत्र या सिकड़ी जो सधवा स्त्रियाँ गले में पहनती हैं । अब इसका अधिकतर महाराष्ट्र में प्रचार है ।)
ହିନ୍ଦୀ ଶବ୍ଦ ସାଗରରେ ମଙ୍ଗଳସୂତ୍ର ସମ୍ବନ୍ଧୀୟ ତଥ୍ୟରୁ ଅନୁମାନ କରାଯାଇପାରେ ଯେ ପ୍ରଥମେ ପଶ୍ଚିମ ଭାରତ ଓ ଦକ୍ଷିଣ ଭାରତରେ(ସମ୍ଭଵତଃ🤔) ମଙ୍ଗଳସୂତ୍ର ନାମରେ ହାର ପିନ୍ଧିଵାର ପ୍ରଥା ରହିଥିଵ ଯାହା Bollywood କୃପାରୁ ସାରା ଭାରତର ହିନ୍ଦୁ ଲୋକେ ଗ୍ରହଣ କରିନେଇଛନ୍ତି ।
ଅଳଙ୍କାର ସମ୍ବନ୍ଧରେ ଗଵେଷଣା କରିଥିଵା ଐତିହାସିକା ଡକ୍ଟର ଉଷା ବାଳକୃଷ୍ଣ ମଙ୍ଗଳସୂତ୍ର ସମ୍ବନ୍ଧରେ କୁହନ୍ତି “There was no concept in ancient India of a marriage being solemnised through a mangal sutra as we know of it today with diamonds, pendants and the like,” !
ମଙ୍ଗଳସୂତ୍ର ଆଗରୁ ବି ଥିଲା କିନ୍ତୁ ତାହା ବେକରେ ସୂନା ରୂପା ମଣି ଖଚିତ ହାର ରୂପେ ନୁହେଁ ଵରଂ ଵିଵାହକାଳୀନ କରସୂତ୍ର ରୂପେ ବନ୍ଧା ଯାଉଥିଲା । ହୁଏତ ସମୟ ସହ ମହିଳାମାନେ ମଙ୍ଗଳସୂତ୍ର ନାମରେ ଜଣାଶୁଣା କରସୂତ୍ରକୁ ଵିଵାହ ପରେ ବେକରେ ପିନ୍ଧିଵା ଆରମ୍ଭ କରିଥିବେ ଯାହା ପରେ ମଙ୍ଗଳସୂତ୍ର ହାରର ରୂପ ନେଇଅଛି ।
No comments:
Post a Comment