My Blog List

Showing posts with label ଗଞ୍ଜାମ. Show all posts
Showing posts with label ଗଞ୍ଜାମ. Show all posts

Saturday, September 10, 2022

ଦକ୍ଷିଣ ଓଡ଼ିଶାର କଥିତ ଓଡ଼ିଆ ଭାଷାରେ ପ୍ରଚଳିତ ଜୂଷ୍ ଵା ଯୂଷ୍ ଶବ୍ଦ(ଶବ୍ଦଭେଦୀର ଜୀଵନ-୪)




ଗଞ୍ଜାମ ଜିଲ୍ଲାର ପିଲାଙ୍କ ସହିତ ଖାଇଵା ବେଳେ ସେମାନେ ଅଣ ଵା ଝୋଳକୁ ପ୍ରାୟତଃ ଜୂଷ୍ ଵା ଯୂଷ୍ କହୁଥିଵା ଶୁଣିଛି । ଆଗେ ଭାବୁଥିଲି ହୁଏତ ଏ ଶବ୍ଦଟି ଇଂରାଜୀର juice ଶବ୍ଦର ଓଡ଼ିଆକରଣ ହୋଇଥିଵ କାରଣ ପ୍ରାୟତଃ ଗଞ୍ଜାମଵାସୀ ଭାଇମାନେ ଏ ଶବ୍ଦକୁ ଇଂରାଜୀର juiceଶବ୍ଦ ଭଳି ହଳନ୍ତଵତ୍ କରି ଜୂଷ୍ ଉଚ୍ଚାରଣ କରିଥାନ୍ତି ଏଵଂ କେହି କେହି ଜୂଷୁ ମଧ୍ୟ ଉଚ୍ଚାରଣ କରନ୍ତି । ଜଣେ ଗଞ୍ଜାମଵାସୀ ଭାଇଙ୍କ ମୁହଁରୁ ଏ ଜୂଷ୍ ଵା ଜୁଷୁ ଶବ୍ଦ ଶୁଣି ସେଦିନ ନିଜର ଅଜ୍ଞତା ଯୋଗୁଁ କହିଦେଇଥିଲି ଆରେ ଭାଇ ଏଇଟା ତ ଇଂରାଜୀ Juice ଶବ୍ଦର ଓଡ଼ିଆକରଣ କିନ୍ତୁ ଆମେ ଢେଙ୍କାନାଳଵାସୀ ଝୋଳ ଆଉ ଅ'ଅ'ଣ କହୁ । ମୁଁ ଜାଣିନି ସେ ଭାଇ ଆପଣା ମନରେ କ'ଣ ଭାବିଥିବେ । ତେବେ ଏହା ପରେ ପରେ ଦକ୍ଷିଣ ଓଡ଼ିଶାର ଅନେକ ଅନେକ ଲୋକଙ୍କ ମୁଖରୁ ଵିଶେଷତଃ ବୃଦ୍ଧ ଓ ମଧ୍ୟ ଵୟସ୍କ ଲୋକଙ୍କ ମୁହଁରୁ ଏ ଶବ୍ଦ ବାରମ୍ବାର ଶୁଣିଵାରୁ ମୋତେ କାହିଁକି ସନ୍ଦେହ ହେଲା । ତେଣୁ ଦକ୍ଷିଣୀ ଓଡ଼ିଆ କଥିତ ଶୈଳୀରେ ପ୍ରଚଳିତ ଏ ଶବ୍ଦ ଵିଷୟରେ ଜାଣିଵା ପାଇଁ ଵିଭିନ୍ନ ଭାଷାକୋଷାଦିରେ ଏଷଣା କରିଵାକୁ ଲାଗିଲି । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦେଖିଲି ଜୁଷ ବୋଲି ଏକ ଦେଶଜ ଵିଶେଷ୍ଯ ଶବ୍ଦ 'ଜୁଷ୍'ର ଉଲ୍ଲେଖ କରାଯାଇଛି ଏଵଂ ଏହାର ଅର୍ଥ ଲେଖାଅଛି "ସୁରୁଆ; ଡାଲି, ମାଂସ ଆଦି ସିଝା ହୋଇ ଥିବା ପାଣି; ଝୋଳ" । ଏଥିରୁ ଏତିକି ସ୍ପଷ୍ଟ ହୋଇଗଲା ଯେ ଦକ୍ଷିଣ ଓଡ଼ିଶାରେ ପ୍ରଚଳିତ ଜୁଷ୍ ଶବ୍ଦ ଏବେକାର ନୁହେଁ ଵରଂ ବହୁପୂର୍ଵକାଳରୁ ଏହି ଶବ୍ଦ ଚଳି ଆସୁଛି ।

ତଥାପି ସନ୍ଦେହ ଦୂର ହୋନଥାଏ ତେଣୁ ଇଂରାଜୀ ଭାଷାରେ ପ୍ରଚଳିତ Juice ଶବ୍ଦ ଵିଷୟରେ ଏଷଣା କରିଵାକୁ ଲାଗିଲି । ଜାଣିଵାକୁ ପାଇଲି ଯେ ଏହି ଇଂରାଜୀ Juice ଶବ୍ଦଟି ପୂର୍ଵେ ଏ ଭାଷାରେ jus ଓ juis, ଲେଖାଯାଉଥିଲା ଏଵଂ ଏହା ମୂଳତଃ ଫ୍ରେଞ୍ଚ ଶବ୍ଦ jus, jous, ସହିତ ସମୋଦ୍ଧୃତ । ପୁଣି ପ୍ରୋକ୍ତ ଫ୍ରେଞ୍ଚ ଶବ୍ଦଦ୍ଵୟ ମଧ୍ୟ ଲାଟିନ ଭାଷାରୁ ଗୃହୀତ ହୋଇଛି ‌। 
ପୁନଶ୍ଚ ମୂଳ ଲାଟିନ ଶବ୍ଦ jūs (“broth, soup, sauce”)ରୁ ଫ୍ରେଞ୍ଚ ଭାଷାର jus, jous ଆଦି ଶବ୍ଦ ସୃଷ୍ଟି ହୋଇଅଛି । 
ଇଂରାଜୀ ଭାଷାରେ ଫ୍ରେଞ୍ଚ ଭାଷାରୁ ଆସି jus ଓ juis ଶବ୍ଦ ପ୍ରଚଳନ ହେଵାରୁ ଏ ଭାଷାର ଜୁସ୍ ଅର୍ଥରେ ପ୍ରୟୋଗ କରାଯାଉଥିଵା, wos, woos (“juice”) ଆଦି ଶବ୍ଦ ଲୋପ ପାଇଗଲା ।  

ତେବେ ଗଞ୍ଜାମ ଜିଲ୍ଲାରେ ଅଣ ଵା ଝୋଳ ପାଇଁ ଯେଉଁ ଜୂଷ୍ ଶବ୍ଦ ପ୍ରଚଳିତ ତାହା ଇଂରାଜୀ ଭାଷାରୁ ନିଆଯାଇନାହିଁ ବୋଲି ମୋର ସେତେବେଳେ ଵିଶ୍ଵାସ ଜନ୍ମିଲା ଯେତେବେଳେ ମୁଁ ସଂସ୍କୃତ ଭାଷାରେ ଏକ ସମାର୍ଥକ ଶବ୍ଦ ପାଇଲି । ସେହି ସଂସ୍କୃତ ଶବ୍ଦଟି ବହୁକାଳରୁ ଭାରତଵର୍ଷରେ ପ୍ରଚଳିତ ଥିଲା । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସେହି ସଂସ୍କୃତ ଶବ୍ଦ ଯୂଷ ତଥା ଜୂଷ ବୋଲି ଉଲ୍ଲେଖ କରାଯାଇଛି। 

ଭାଷାକୋଷ ଅନୁସାରେ ସଂସ୍କୃତ ଭାଷାରେ ଜୂଷ ତଥା ଯୂଷ ବୋଲି ଏକ ଶବ୍ଦ ପ୍ରଚଳିତ ଥିଲା ଯାହାକୁ ଜୂଷ୍ ଧାତୁ ତଥା ଯୂଷ ଧାତୁରୁ ନିଷ୍ପନ୍ନ କରାଯାଇଥିଲା ଏଵଂ ଆଗେ ଭାରତରେ କ୍ୱାଥ; ଅଣ; ଝୋଳ; ଡାଲି ଆଦିର ଅଣକୁ ଜୂଷ ଵା ଯୂଷ କୁହାଯାଉଥିଲା । 

ମନେ ରଖିଵାକୁ ହେଵ ଯେ ସଂସ୍କୃତ ଭାଷାରେ ଏହିପରି ତିନୋଟି ଶବ୍ଦ ରହିଛି।

ଜୁଷ । ଏହି ଜୁଷ ଶବ୍ଦର ଅର୍ଥ ସେଵକ,ସହାୟକ,ପ୍ରଣୟୀ ଓ ପୂଜକ । ଏହି ଜୁଷ ଶବ୍ଦଟି ଜୁଷ୍ ଧାତୁରୁ ସେଵା କରିଵା ଅର୍ଥରେ ନିଷ୍ପନ୍ନ କରାଯାଇଛି। 

ଯୂଷ । ଏହି ଯୂଷ ଶବ୍ଦର ଅର୍ଥ ଝୋଳ ଵା କ୍ଵାଥ,ମୁଗ ଆଦିର ସିଝା ପାଣି ; ୧୮ ଗୁଣ, ମତାନ୍ତରରେ ୪ ଗୁଣ, ଜଳରେ ଡାଲି ସିଝା ହୋଇ ଥିଵା ପାଣି ଓ ବ୍ରହ୍ମଦାରୁ ଵା ତୁତ୍ ଵୃକ୍ଷ । ଏହି ଯୂଷ ଶବ୍ଦର ଅନ୍ୟ ରୂପ ଜୂଷ ଅଟେ । 

ଜୂଷ ଓ ଯୂଷ ଶବ୍ଦଦ୍ଵୟ ଯଥାକ୍ରମେ ଜୂଷ୍ ଧାତୁ ଓ ଯୂଷ୍ ଧାତୁରୁ ଵଧ କରିଵା କିମ୍ବା ତୃପ୍ତ କରିଵା ଅର୍ଥରେ ନିଷ୍ପନ୍ନ ହୋଇଅଛି । ଯେତେବେଳେ ଝୋଳ ଵା ପନିପରିଵା ରସ କରାଯାଏ ତହିଁର ପରିଵାକୁ ବହୁତ ସମୟ ଯାଏଁ ନିଆଁରେ ବସାଇ ସିଝାଯାଏ । ପରିଵାକୁ ଏତେ ସିଝିଯାଏ ଯେ ତାହା ପ୍ରାୟତଃ ମିଶିଯାଏ ଏଵଂ ସେହି ମିଶ୍ରିତ ଖାଦ୍ୟଦ୍ରଵ୍ୟ ପୂର୍ଵେ ଯୂଷ ତଥା ଜୂଷ ବୋଲାଉଥିଲା । ଏଥିରୁ ଏହା ମଧ୍ୟ ସ୍ପଷ୍ଟ ହୁଏ ଯେ ଭାରତୀୟମାନେ ବହୁ ପ୍ରାଚୀନ କାଳରୁ ସୂପ୍ ବନାଇଵା ଜାଣିଥିଲେ । ପାଶ୍ଚାତ୍ୟ ଭାଷାଵିଦମାନେ ଏହାର ପ୍ରାକ୍ ଭାରୋଇରାନୀୟ ରୂପ *ȷ́uṣṭás ତଥା ଭାରୋୟୀୟ ଶବ୍ଦ *ǵus-tó-s ନିର୍ଣ୍ଣୟ କରିଛନ୍ତି । ପୁଣି ଏହାର ମୂଳ ଭାରୋପୀୟ ଧାତୁ ରୂପ *ǵews- (“to try, taste”) ନିର୍ଣ୍ଣିତ ହୋଇଛି । ସୂପ କଲାବେଳେ ଵା ଅନେକ ପରିଵା ମିଶାଇ ଝୋଳ ଅଥଵା କ୍ଵାଥ କଲାବେଳେ ସବୁ ଦ୍ରଵ୍ୟ ନିଜର ସ୍ଵରୂପ ହରାଇ ମିଶ୍ରିତ ହୁଅନ୍ତି ତେଣୁ ଏଠାରେ ମିଶିଯିଵାର ଭାବ ଲୁକ୍କାୟିତ ରହିଛି । ପାର୍ସୀ ଭାଷାରେ ସେଥିପାଇଁ ବନ୍ଧୁ ଅର୍ଥରେ ପ୍ରଚଳିତ دوست‎ (ଦୋସ୍ତ, “ବନ୍ଧୁ”) ଶବ୍ଦଟି ଏହି ମିଶ୍ରଣ ହେଵା ଅର୍ଥ ଘେନି ମୂଳ ଶବ୍ଦରୁ ସୃଷ୍ଟି ହୋଇଅଛି ବୋଲି ଭାଷାଵିଦଙ୍କ ମତ । 

ସେହିପରି ପ୍ରାଚୀନ 
ଆଵେସ୍ତାନ ଭାଷାରେ ମଧ୍ୟ ଜୂଷ ଵା ଯୂଷ ସହିତ ସମୋଦ୍ଧୃତ 𐬰𐬎𐬱𐬙𐬀‎(zušta)ବୋଲି ଏକ ଶବ୍ଦ ପ୍ରଚଳିତ ଥିଲା । ଲାଟିନ ଭାଷାର gustō (“I taste”) ଓ ପ୍ରାଚୀନ ଗ୍ରୀକ୍ ଶବ୍ଦ γεύω (geúō, “to taste”) ସହିତ ସଂସ୍କୃତ ଭାଷାର ଜୂଷ ଓ ଯୂଷ ଶବ୍ଦଦ୍ଵୟ ସମୋଦ୍ଧୃତ। 

ଭାରତୀୟ ଜୂଷ/ଯୂଷ ଶବ୍ଦଦ୍ଵୟର ମୂଳ ଭାରୋପୀୟ ଧାତୁ ǵews ଏଵଂ ଇଂରାଜୀ
Juice ଶବ୍ଦର ମୂଳ ଭାରୋପୀୟ ଧାତୁ ଶବ୍ଦ *yew(“to mix of meal preparation”) ଗୃହୀତ ହୋଇଛି । 

ହୁଏତ ଅତି ପ୍ରାଚୀନ କାଳରେ କୌଣସି ଏକ ମୂଳ ଭାରୋପୀୟ ଶବ୍ଦରୁ ଏ ଉଭୟ ଶବ୍ଦ ସୃଷ୍ଟି ହୋଇଅଛି କିନ୍ତୁ ଏ ଵିଷୟରେ ପାଶ୍ଚାତ୍ୟ ଭାଷାଵିଦମାନେ ସ୍ପଷ୍ଟ ଭାବରେ କିଛି କହିପାରିନାହାନ୍ତି । ବହୁ ପୁରାତନ କାଳରେ ଉଭୟ ଶବ୍ଦ ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ରୂପେ ଵିକଶିତ ହୋଇଛି ଏଵଂ ଇଂରାଜୀ ଉପନିଵେଶ କାଳରେ ଭାରତୀୟମାନେ ଵୈଦେଶିକ Juice ଶବ୍ଦ ସହିତ ପରିଚିତ ହୋଇଛନ୍ତି । ତେବେ କୁହାଯାଇପାରେ ଯେ ଝୋଳ ଅର୍ଥରେ ଗଞ୍ଜାମ ଜିଲ୍ଲାରେ ପ୍ରଚଳିତ ଜୂଷ ଵା ଜୁଷ ଶବ୍ଦଟି ଏକ ଭାରତୀୟ ମୂଳର ଶବ୍ଦ । ସାରା ଭାରତର ଲୋକେ ଝୋଳ ଅର୍ଥରେ ପ୍ରୟୋଗ କରାଯାଉଥିଵା ପ୍ରାଚୀନ ସଂସ୍କୃତ ଶବ୍ଦ ଯୂଷ ଵା ଜୁଷକୁ ଛାଡ଼ି ଦେଇଥିଵା ବେଳେ ଦକ୍ଷିଣ ଓଡ଼ିଶାର କଥିତ ଭାଷାରେ ଏ ଶବ୍ଦ ବଞ୍ଚିରହିଥିଵା କମ୍ ଗୌରଵର କଥା ନୁହଁଇ ।

Friday, July 9, 2021

ଆସ୍କା ଵା ଆସିକା(ନଗର) ନାମର ମୂଳ ଶବ୍ଦ କ'ଣ ?

ଓଡ଼ିଶାରେ ଆସିକାନଗରକୁ ଅଳ୍ପ ବହୁତେ ସମସ୍ତେ ଜାଣି ହିଁ ଥିବେ । ଗଞ୍ଜାମ ଜିଲ୍ଲାର ଏଇ ସହର "ସୁଗାର୍ ସିଟି" ଭାବରେ ବହୁପୂର୍ଵରୁ ପ୍ରସିଦ୍ଧ  ଆଉ ଆସ୍କା ୪୦ ଦେଶୀ କଡ଼ା ପାନୀୟରେ ବି ତ ଏଇ ନଗରର ନାଁ ରହିଛି ।

ଆସ୍କା ଵା ଆସିକାରେ ବହୁତ କିଛି ରହିଛି କିନ୍ତୁ ଅନ୍ତର୍ଜାଲରେ ଏ ନଗର ଵିଷୟରେ ସେତେ ତଥ୍ୟ ମିଳେ ନାହିଁ ।  ଗଞ୍ଜାମ ଜିଲ୍ଲାର କେନ୍ଦ୍ରସ୍ଥଳରେ ଥିଵା ଏଇ ନଗରଟି  ରାଜଧାନୀ ଭୁବନେଶ୍ୱର ଠାରୁ ୧୬୫ କିମି ଏଵଂ ଦକ୍ଷିଣ  ବ୍ରହ୍ମପୁରଠାରୁ ପାଖାପାଖି ୪୦ କିମି ଦୂରରେ ଅଵସ୍ଥିତ।

ଏହି ସହର ନିକଟରେ "ଋଷିକୁଲ୍ୟା" ଓ "ବଡନଦୀ"ର ସଙ୍ଗମ ହୋଇଛି। ଋଷିକୂଲ୍ୟା ନଗରକୁ ଦୁଇଭାଗରେ ଵିଭକ୍ତ କରିଥାଏ ଏଵଂ ତାହା ମାନଵର ଗଳା ନିକଟରେ ଥିଵା ଖାଦ୍ଯନଳୀ ଭଳି ଦେଖାଯାଏ ।

ଆସିକା ଵା ଆସ୍କା ନଗରର ଅଧିକାଂଶ ଜନଵସତି ଋଷିକୂଲ୍ୟା ଓ ବଡ଼ନଦୀ କୂଳରେ ରହିଥିଵାଵେଳେ
ଦୁଇଟି ଜାତୀୟ ରଜପଥ ଏନ୍.ଏଚ୍-୫୯ (NH-59, Gopalpur-Ahmedabad) ଏବଂ ଏନ୍.ଏଚ୍-୨୧୭ (NH -217, Bijayawada- Ranchi) ଏହା ମଧ୍ୟ ଦେଇ ଯାଇଛି ।

ଆସ୍କା ନାମର ଉତ୍ପତ୍ତି ସମ୍ବନ୍ଧରେ ନାନାମତ ରହିଛି ।
🔴କିଛି ଲୋକ କୁହନ୍ତି ଗୋଟାଏ ତାମିଳ ଶବ୍ଦ ஆஸ்கா(āskā)ରୁ ଏ ସହରର ନାମକରଣ ଆସ୍କା ଵା ଆସିକା ହୋଇଅଛି । ତେଵେ ତାମିଳ ଲେକ୍ସିକାନ୍ ଅନୁସାରେ ଗଞ୍ଜାମ ଜିଲ୍ଲାର ଆସ୍କା ସହରରୁ ଆସୁଥିଵା ଚିନିକୁ ତାମିଳନାଡୁରେ ଆସ୍କା କୁହାଗଲା ଯାହା ଆଗକୁ ତାମିଳ ଭାଷାରେ ଚିନିଶବ୍ଦର ଏକ ପ୍ରତିଶବ୍ଦ ଭାଵେ ଵ୍ଯଵହୃତ ହେଵାକୁ ଲାଗିଲା । ଏଥିରୁ ସ୍ପଷ୍ଟ ହୁଏ ଯେ ଆସ୍କା ଶବ୍ଦଟି ମୂଳତଃ ତାମିଲ ଶବ୍ଦ ନୁହେଁ ଵରଂ ଆସ୍କା ନଗରରୁ ଚିନି ତାମିଲନାଡୁ ଯିଵାରୁ ଚିନିର ଏକ ତାମିଲ ପ୍ରତିଶବ୍ଦ ஆஸ்கா(āskā) ହୋଇଅଛି ।

🔴କେତେକଙ୍କ ମତରେ ସଂସ୍କୃତ ଭାଷାର 'ଆସିକ' ଶବ୍ଦ ସହିତ 'ଆସିକା' ଓ 'ଆସ୍କା' ଶବ୍ଦ ସମଦ୍ଧୃତ ହୋଇଥାଇପାରେ ।  "ଖଡ୍ଗଧରି ଯୁଦ୍ଧ କରିଵାକୁ" ସଂସ୍କୃତରେ 'ଆସିକ' କୁହାଯାଏ । ସମ୍ଭଵତଃ ପୂର୍ଵେ ଆସ୍କା ଅଞ୍ଚଳର ଲୋକେ ଖଡ୍ଗଯୁଦ୍ଧରେ ପାରଙ୍ଗମ ଥିଵାରୁ ସ୍ଥାନର ଏଭଳି ନାମକରଣ ହୋଇଥିଲା । ତେବେ ଆସିକ ଶବ୍ଦର ଓଡ଼ିଆ ଭାଷାରେ ସେତେ ଵ୍ୟଵହାର ଦୃଶ୍ୟ ହୁଏନାହିଁ ଏଵଂ ଅଳ୍ପ କେତୋଟି ସଂସ୍କୃତ ଅଭିଧାନରେ ଏ ଶବ୍ଦଟି ସ୍ଥାନ ପାଇଛି ।

🔴ସେହିପରି ଭିତର ଓଠ ଓ ଥୋଡ଼ି ମଧ୍ୟସ୍ଥ ଅଂଶକୁ ସଂସ୍କୃତରେ ଆସିକା କୁହାଯାଏ । ଆସ୍କା ଵା ଆସିକା ସହର ମଧ୍ୟ ମାନଚିତ୍ରରେ ଦେଖିଵାକୁ କୌଣସି ମାନଵ ମୁଖ ଓ ତାହାର ଖାଦ୍ୟନଳୀ ଭଳି ଦେଖାଯାଏ । ଅର୍ଥାତ୍ ଋଷିକୂଲ୍ୟା ନଦୀ ଆସ୍କା ନଗରର ପଶ୍ଚିମ ଭାଗରେ ଏଭଳି ପ୍ରଭାଵିତ ହେଉଛି ଯେ ତାହା ମାନଚିତ୍ରରେ ମାନଵର ମୁଖ ଓ ଖାଦ୍ୟନଳୀ ଭଳି ପ୍ରତିଭାତ ହେଉଛି । ବୋଧହୁଏ ଉକ୍ତ ସ୍ଥାନର ଆୟତନକୁ ଦୃଷ୍ଟିରେ ରଖି ଏଭଳି ନାମକରଣ ହୋଇଥିଲା ।

🔴କିଛି ଗଵେଷକ କୁହନ୍ତି ଜଉଗଡ଼ଠାରେ ଅଶୋକଙ୍କର ଶିଳାଲେଖ ରହିଛି । ସମ୍ଭଵତଃ ଅଶୋକଙ୍କଦ୍ଵାରା ଵା ତାଙ୍କ ସ୍ମୃତିରେ ଏ ନଗରର ନାମ ଅଶୋକ ଵା ଅଶୋକା ରଖାଯାଇଥିଲା ଏଵଂ ପରଵର୍ତ୍ତୀ ସମୟରେ ତାହାର ନାମ ପରିଵର୍ତ୍ତିତ ହୋଇଅଛି । ତେବେ ଏହି ମତକୁ ସ୍ପଷ୍ଟ କଲାଭଳି ଐତିହାସିକ ପ୍ରମାଣ ମିଳେନାହିଁ ।

🔴କେତେକ ଐତିହାସିକଙ୍କ ମତରେ ଆଗେ କୃଷ୍ଣାନଦୀତୀରରେ ଅଶ୍ମକ ରାଜ୍ୟ ଗଢି଼ଉଠିଥିଲା ।
ଅଶ୍ମକ ରାଜା ଅରୁଣ ସେନାପତି ନନ୍ଦିସେନଙ୍କ ସାହାଯ୍ୟରେ କଳିଙ୍ଗ ଆକ୍ରମଣ କରି ଅଶ୍ମକ ରାଜ୍ଯର ସୀମା ଋଷିକୂଲ୍ୟା ନଦୀ ଯାଏଁ ବଢା଼ଇଥିଲେ ଏଵଂ ସାମରିକ ଶକ୍ତି ମଜବୁତ କରିଵା ହେତୁ ତାଙ୍କ ରାଜ୍ୟର ନୂଆ ସୀମାରେ ଏକ ନଗରୀ ବସାଇଥିଲେ ଯାହା ପରଵର୍ତ୍ତୀକାଳରେ ଆସିକା ଵା ଆସ୍କା ନଗର ନାମରେ ପରିଚିତ ହୋଇଥିଲା । ତେଵେ ପ୍ରଥମ ଶତାବ୍ଦୀରେ କଳିଙ୍ଗଵୀର ଖାରଵେଳ କୃଷ୍ଣାନଦୀତୀରରେ ଅଵସ୍ଥିତ ସେହି ଅଶ୍ମକ ଵା ଅସକ ରାଜ୍ଯକୁ ପରାଭୂତ କରିଥିଵା ଉଦୟଗିରି ଅଭିଲେଖରେ ସ୍ପଷ୍ଟ ଵର୍ଣ୍ଣିତ ହୋଇଅଛି ।

Wednesday, July 7, 2021

ଵୈରୀଗଞ୍ଜନ ମହାନ୍ତିଙ୍କ ମୁଣ୍ଡକଟା

ଵୈରୀଗଞ୍ଜନ ମହାନ୍ତି ଘୁମୁସରର ଅଧିଵାସୀ ଥିଲେ । ସେ ଅତ୍ୟନ୍ତ ଚତୁର, ଵିଚକ୍ଷଣ ଓ ଵୀର ଥିଲେ । ତାଙ୍କ ଗୁଣରେ ମୁଗ୍ଧ ହୋଇ ନୟାଗଡ଼ ରଜା ତାଙ୍କୁ ମନ୍ତ୍ରୀ କରି ନେଇଥିଲେ । ନୟାଗଡ଼ର ରାଣୀ ଥିଲେ ଘୁମୁସର ରାଜାଙ୍କର ସହୋଦରା ଭଗିନୀ । ସେ ଅତ୍ୟନ୍ତ ସୁନ୍ଦରୀ ଥିଲେ । ଵୈରୀଗଞ୍ଜନଙ୍କର କାମଦୃଷ୍ଟି ନୟାଗଡ଼ ରାଣୀଙ୍କ ଉପରେ ପଡ଼ିଲା । ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ଗୁପ୍ତ ସ୍ନେହଭାଵ ଓ ପ୍ରଣୟର ଅଦାନ ପ୍ରଦାନ ମଧ୍ୟ ଚାଲିଲା । କଥା କିନ୍ତୁ ଲୁଚି ଛପିରହିଲା ନାହିଁ । ଘୁମୁସର ରାଜାଙ୍କ କାନରେ ମଧ୍ୟ ଏ ଖବର ପହଞ୍ଚିଲା । ଘୁମୁସର ରଜା ସେତେବେଳେ ଖାଇଵାକୁ ଯାଉଥାଆନ୍ତି । ସେ ସଙ୍ଗେ ସଙ୍ଗେ ସୈନ୍ୟମାନଙ୍କୁ ଆଦେଶ ଦେଲେ, ‘ଯାଅ—ଵୈରୀଗଞ୍ଜନର କଟାମୁଣ୍ଡ ଧରିଆସ ।  ଵୈରୀଗଞ୍ଜନର ମୁଣ୍ଡ ନ ଆସିଵା ପର୍ଯ୍ୟନ୍ତ ମୁଁ ଭାତ ଖାଇବି ନାହିଁ । ପ୍ରଥମେ ତାହାର ରକ୍ତରେ ଚିତା ଘେନବି ।”

ଘୁମୁସର ରାଜାଙ୍କ ଆଜ୍ଞା ପାଳନକରି ସୈନ୍ୟମାନେ ଅଵିଳମ୍ବେ ଘୋଡ଼ାରେ ଚଡ଼ି ନୟାଗଡ଼ ଗଲେ । ସେତେବେଳେ ଵୈରୀଗଞ୍ଜନ ମହାନ୍ତି ପିଣ୍ଡାରେ ବସି ତେଲ ଲଗାଉଥାନ୍ତି । ଘୁମୁସରର ସୈନ୍ୟମାନେ ତାଙ୍କୁ ଘେରିଗଲେ ।

ଭୀଷଣ ଲଢେ଼ଇ ହେଲା କିନ୍ତୁ ଵୈରୀଗଞ୍ଜନଙ୍କୁ କେହି କାବୁ କରିପାରୁନଥାନ୍ତି । ତେବେ କଥାରେ ଅଛି ଯୋଡା଼କୁ ଘୋଡ଼ା ସରି ନୁହେଁ ତେଣୁ ଶେଷରେ ଵୈରୀଗଞ୍ଜନ ହାରିଗଲେ ଏଵଂ ତାଙ୍କ ମୁଣ୍ଡ କଟା ହୋଇ ଘୁମୁସର ଅଣାଗଲା ।

ମୁଣ୍ଡକୁ ଥାଳୀରେ ଧରି ସୈନ୍ୟମାନେ ଗୀତ ଗାଇ ଗାଇ ଘୁମୁସର ଫେରିଲେ—
‘କେ କଂ, ହୋ ହା !
  ଵୈରୀଗଞ୍ଜନର ମୁଣ୍ଡ ଯାଉଛି
   କେ କଂ, ହୋ ହା ।’
  
ଵୈରୀଗଞ୍ଜନର ଦୁଇ ସ୍ତ୍ରୀ ଥିଲେ । ଜଣେ ଧର୍ମପତ୍ନୀ ଆର ଜଣକ ରକ୍ଷିତା । ନୟାଗଡ଼ ରାଜା ଵୈରୀଗଞ୍ଜନଙ୍କର ଦୁଇ ସ୍ତ୍ରୀ ଓ ଵାଳକ ପୁତ୍ର ଦୀନବନ୍ଧୁକୁ ନୟାଗଡ଼ରୁ ଵହିଷ୍କାର କରିଦେଲେ । ଘୁମୁସର ଓ ରସୁଲକୁଣ୍ଡା ଗଲେ ପ୍ରାଣପ୍ରତି ଵିପଦ ଜାଣି ସେମାନେ ଜୀଵନଵିକଳରେ ଆସି ଇଂରେଜମାନଙ୍କର ଶରଣ ପଶିଲେ ।

ଵୈରୀଗଞ୍ଜନଙ୍କର ପୁଅ ଦୀନବନ୍ଧୁ, ବଡ଼ହୋଇ ଇଂରେଜଙ୍କ ଅଧୀନରେ ଚାକିରୀ କଲେ । କୂଟ କପଟ କରି ପିତୃ-ହତ୍ୟାର ପ୍ରତିଶୋଧ ନେଵାପାଇଁ ସବୁ ରାଜାମାନଙ୍କୁ ଧରାଇଦେଲେ । ଘୁମୁସରର ରାଜା  ଵ୍ରଜରାଜ ଭଞ୍ଜ ଧରା ହୋଇ ଜେଲ୍ ଗଲେ । ଦୀନବନ୍ଧୁ ମହାନ୍ତି ଭାରତବର୍ଷରେ ପ୍ରଥମ ଓଡ଼ିଆ ଡେପୁଟି କଲେକ୍ଟର । ତାଙ୍କର ଅଚଳାଚଳ ସମ୍ପତ୍ତି ହେଲା ଓ ଖ୍ୟାତି ବଢି଼ଲା । ଢେଙ୍କାନାଳ, ବିସିପୋଡ଼ା ଆଦି ରାଜ୍ୟରେ ମଧ୍ୟ ଇଂରେଜଙ୍କ ହାତବାରସି ଭାଵରେ ଦୀନବନ୍ଧୁ ମହାନ୍ତି କାମ କରୁଥିଲେ ।

ଏଣୁ ପ୍ରଵାଦ ଅଛି—

‘‘ଦୀନବନ୍ଧୁ ତହସିଲ୍‌ଦାର,
ଢେଙ୍କାନାଳରୁ ବିସିପୋଡ଼ାକୁ
ରସୁଲକୁଣ୍ଡା ଲାଗିଚି ଭାର ।”

ଲୋକକଥାରେ ଏହି କାହାଣୀକୁ ଆହୁରି ଅତିରଞ୍ଜିତ କରାଯାଇ କୁହାଯାଏ । ଯଥା—

(କ) ଵୈରୀଗଞ୍ଜନ ମହାନ୍ତିଙ୍କ ମୁଣ୍ଡ ଅନେକ ଥର କାଟିଵାକୁ ପ୍ରଯତ୍ନ କଲେ ହେଁ ତାହା କଟୁନଥିଲା । ଦେଖାଗଲା ତାଙ୍କ ବେକରେ ଗୋଟିଏ ମନ୍ଥୁରା ଡେଉଁରିଆ ରହିଛି ଫଳତଃ ତାଙ୍କ ବେକ କାଟିଲେ ମଧ୍ୟ କଟୁନାହିଁ । ସେହି ଡେଉଁରିଆକୁ କାଢି଼ ଆଣିଵାରୁ ଵୈରିଗଞ୍ଜନଙ୍କ ମୁଣ୍ଡ କାଟିଵାକୁ ଘୁମସରର ସୈନିକମାନେ ସମର୍ଥ  ହେଲେ

(ଖ) ଵୈରୀଗଞ୍ଜନଙ୍କର ଦୁଇ ସ୍ତ୍ରୀ ଥିଲେ । ବୈରୀରଞନର ମୁଣ୍ଡ କଟିଵା କ୍ଷଣି ତାଙ୍କ ଵିଵାହିତ ପତ୍ନୀର ହାତରେ ଥିଵା  ସୁନାକାଚ ଫାଟିଗଲା । ଏଣୁ ସେ ସ୍ବାମୀଙ୍କୁ ଵିପତ୍ତି ପଡି଼ଛି ବୋଲି ଜାଣିପାରି ନୟାଗଡ଼ ଛାଡ଼ି ଚାଲିଯାଇଥିଲେ ।

(ଵି:ଦ୍ର— ଏହି ଲୋକକଥାଟି ଡକ୍ଟର ପ୍ରସନ୍ନ କୁମାର ମିଶ୍ରଙ୍କ ଓଡ଼ିଶାର କିଂଵଦନ୍ତୀ ପୁସ୍ତକରୁ ସଂଗୃହୀତ)

Tuesday, July 6, 2021

ବାଘ୍'ଦେବୀଙ୍କ ଜଳତୃଷ୍ଣା (କୁଲାଡ଼, ଗଞ୍ଜାମ ଜିଲ୍ଲା)

କୁଲଡ଼ ନିକଟରେ ଧନଞ୍ଜୟପୁର ନାମରେ ଏକ ଶାସନ । ସେଠାରେ ଥିଲେ ଜଣେ ବୁଢ଼ା ବ୍ରାହ୍ମଣ । ସେ ଜଣେ ଦେଵୀ ଭକ୍ତ, ଅତିନିଷ୍ଠାରେ ବାଘ୍-ଦେଵୀଙ୍କୁ ପୁଜାକରୁଥିଲେ ।

ଦିନକର ଘଟଣା । ବ୍ରାହ୍ମଣଜଣକ ବାଘ୍'ଦେଵୀଙ୍କୁ ଭୋଗ ଦେଵା ପାଇଁ ଏକ ହାଣ୍ଡି ମଦ୍ୟ ଓ ଶଗଡ଼େ କଦଳୀ ଆଣି ଥୋଇଛନ୍ତି, ପୁଜା ଶେଷ ହେଲେ ତାହା ଭେଗଦିଆଯିବ । ମନ୍ତ୍ର ପଢ଼ି ଧୂପ, ଦୀପ, ମାଳାଦି ଅର୍ପଣ କରସାରି ନୈଵେଦ୍ୟ ଦେଲେ । ନୈଵେଦ୍ୟରେ ପାଣି ବୁଲାଇସାରି ଆଖି ବୁଜି ପ୍ରଣାମକଲେ । ପ୍ରଣାମକରି ଉଠି ଆଖି ଖୋଲି ଦେଖନ୍ତି ତ ଆଉ ଗୋଟିଏ ହେଲେ କଦଳୀ କିମ୍ବା ଠୋପାଏ ହେଲେ ମଦ୍ୟ ନାହିଁ । ବାଘଦେଵୀ ସବୁ ଖାଇ ଓ ପିଇସାରିଛନ୍ତି ବୋଲି ବ୍ରାହ୍ମଣ ଜାଣି ମହାଖୁସି ହେଲେ । ସେ ଦେଖିଲେ ପ୍ରକୃତରେ ବାଘଦେଵୀଙ୍କ ମୁହଁ ହସ ହସ ଦଶୁଛି |

ବାଘଦେଵୀଙ୍କ ଇଚ୍ଛା ଜାଣି ତାପରଦିନ ମଧ୍ୟ ବ୍ରାହ୍ମଣ ସମ ପରିମାଣର କଦଳୀ ଓ ମଦ୍ୟ ନେଇ ଭେଗ ଲଗେଇଲେ । ସେ ଦିନ ମଧ୍ୟ ବାଘଦେଵୀ ସବୁ ଶେଷକରିଦେଲେ ।

ତୃତୀୟ ଦିନ ସେଇମିତି ଭେଗ ଲଗେଇଲେ । କିନ୍ତୁ ପ୍ରଣାମ କରୁଥିଵା ଅଵସ୍ଥାରେ ବ୍ରାହ୍ମଣ ଚୋରା ଆଖିରେ ଦେଵୀଙ୍କୁ ଚାହିଁଦେଲେ ।  ଦେଖିଲେ, ଦେଵୀ ସତକୁ ସତ ନିଜ ରୁପ ଧରି ଖାଉଛନ୍ତି ।

ସବୁ ଖାଇସାରି ମଦ୍ୟପାନ କଲାବେଳେ ବ୍ରାହ୍ମଣ ଦେଖୁଚି ବୋଲି ଦେଵୀ ଜାଣି ପାରିଲେ । ସେ ରାଗିଯାଇ କହିଲେ—‘‘ଦେ, ଆଉ କଣ୍ ଖାଇବି ଦେ ।’’ ବ୍ରାହ୍ମଣ ଡରିଯାଇ; କଣ କରିଵେ ଭବିପାରଲେ ନାହିଁ । ନିକଟରେ ଏକ ସରୋଵର ଥିଲା । ବ୍ରାହ୍ମଣ ସେଇ ଆଡ଼କୁ ହାତ ଦେଖାଇଦେଲେ ଏବଂ ଭୟରେ ଆଖି ବୁଜି ଦେଵୀଙ୍କ ପାଦ ତଳେ ଶୋଇଗଲେ । କିଛି ସମୟ ପରେ ଉଠି ଦେଖିଲେ ସେ ପୋଖରୀରେ ଠୋପାଏ ହେଲେ ପାଣି ନାହିଁ । ଦେଵୀ ସବୁ ପିଇଦେଇଛନ୍ତି ।