My Blog List

Showing posts with label ଦେଶାତ୍ମବୋଧକ. Show all posts
Showing posts with label ଦେଶାତ୍ମବୋଧକ. Show all posts

Sunday, August 26, 2018

ଉତ୍କଳ ସମ୍ମିଳନୀ ଉପଲକ୍ଷେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଵିରଚିତ ଉଦବୋଧନୀ କଵିତା

ନିଜ ଘରେ ବସି ନିର୍ଵାସନ ଦୁଃଖ
ଆମ୍ଭ କି ଲଲାଟ ଲିଖନ,
ମାତୃଭାଷା ମନା ଭାଇସଙ୍ଗ ବିନା
ଵିକଳ ହେଉଛି ଜୀଵନ । ପଦ ।

ଗୁହାରିଲେ ଦୁଃଖ ନୃପତି ଆଗରେ,
ତଡି଼ ଦେଉଛନ୍ତି ଛାମୁରୁ ରାଗରେ;
ନୁହେଁ ତାଙ୍କ ଦୋଷ,ବୁଝନ୍ତି ନାହିଁ ସେ
ଆମ୍ଭର କଥିତ ଵଚନ ।୧।

ଵିଦେଶୀ ସଦସ୍ୟ ଛନ୍ତି ନିକଟରେ,
କହି ଦେଉଛନ୍ତି ଶ୍ରଵଣପଟରେ;
ହସୁଛନ୍ତି ବୋଲି ବୁଝାଉଅଛନ୍ତି
କରୁଅଛୁଁ ଯେତେ ରୋଦନ ।୨।

ପରଦେଶୁଁ ଆସି ପରଦେଶଵାସୀ,
ଦେଉଛନ୍ତି ଆମ୍ଭ ଅନ୍ନ ଜଳ ଗ୍ରାସି;
ଭକୁଆ ପରାଏ ଭକ ଭକ ଚାହିଁ―
ରହିଅଛୁଁ ତାଙ୍କ ଵଦନ ।୩।

ଆମ୍ଭ ଧନ ଯୋଗେ ଲାଭ କରି ଜ୍ଞାନ,
ଆମ୍ଭରି ମସ୍ତକେ ଚରଣ ପ୍ରଦାନ―
କରି ଉଠୁଛନ୍ତି ସମ୍ରାଟ-ସଭାକୁ
ହରଷେ ଵିକାଶି ରଦନ ।୪।

ଆସିଅଛ ବଡ଼ ସୋଦରସକଳ,
ଦେଖି ଦଶା,କର ବୁଦ୍ଧି କଉଶଳ;
କୋଟି କଣ୍ଠେ ଗୋଟିସ୍ଵରେ ଉଚ୍ଚେ ଡାକ
କମ୍ପିଯାଉ ରାଜ ସଦନ ।୫।

©ସ୍ଵଭାବକଵି ଗଙ୍ଗାଧର ମେହେର

Sunday, August 19, 2018

🇮🇳🇮🇳🇮🇳🇮🇳ଭାରତ🇮🇳🇮🇳🇮🇳🇮🇳

ଭାରତକୁ ତମେ ଖୋଜନି ପାଇବ ନାହିଁ ।
ସାକାର ରୂପେ ଜଗତରେ ଦେଖିବା ପାଇଁ ।।

ଖଣ୍ଡିତ ଏ ଇଣ୍ଡିଆ ନୁହଁ ଵିଶ୍ଵଗୁରୁ ଭାରତ ।
ଜ୍ଞାନ ବିଜ୍ଞାନରେ ପୂର୍ଣ୍ଣ ଶେଷ୍ଠ ଯା’ର ମହତ ।।

ଇଣ୍ଡିଆରେ ନାନା ଜାତୀୟତା ଧ୍ଵଜା ଧରି । ଜାତି,ଭାଷା,ଅଞ୍ଚଳ ନାମରେ ହୁଏ ମରାମରି ।।

ଭାରତକୁ ତମେ ଖୋଜନି ପାଇବ ନାହିଁ ।
ସାକାର ରୂପେ ଜଗତରେ ଦେଖିବା ପାଇଁ ।।

ସ୍ବାଧୀନତାର ରୁଧିର ଯହିଁ ସର୍ଵ ଜୀବ ମଧ୍ୟେଁ
ଆପାଦ ମସ୍ତକ ବହୁଅଛି ଏକତାର ବଳେ,

ସନାତନୀ,ସ୍ଵାଭିମାନୀ,ଜ୍ଞାନୀ ଓ ହୃଦୟଵାନ
ଯହିଁ ତାଙ୍କ ସହ ବାସ କରୁଥିବେ ଭଗବାନ,

ସେହି ଏକା ରାଷ୍ଟ୍ର ମଧ୍ୟେଁ ଶ୍ରେଷ୍ଠ ମହାନ ।
ମାଟିମାଆ ପାଦପଦ୍ମେଁ କରୁଁ ଶତ ନମନ ।।

Thursday, August 16, 2018

ମୁଁ ଅଖିଳ ଵିଶ୍ଵର ଗୁରୁ ମହାନ

ମୁଁ ଅଖିଳ ଵିଶ୍ଵର ଗୁରୁ ମହାନ,

ଦିଏ ଵିଦ୍ୟାର ଅମର ଦାନ,

ମୁଁ ଦେଖେଇଛି ମୁକ୍ତିମାର୍ଗ

ମୁଁ ହିଁ ଶିଖେଇଛି ବ୍ରହ୍ମଜ୍ଞାନ ।

ମୋର ଵେଦର ଜ୍ଞାନ ଅମର,

ମୋର ଵେଦର ଜ୍ୟୋତି ପ୍ରଖର,

ମାନବ ମନର ଅନ୍ଧକାର,

ବାଧା ଦିଏ କିବା ହେଇ ପଥର,

ମୋ ସ୍ଵର ନଭେ ଘଡର ଘଡର

ସାଗରର ଜଳେ ଝହର ଝହର

ଏକାନିରୁ ସେକାନି ଯାଏଁ

କରିପାରଇ ଜଗତୀ ସୌରଭ ଭୟ ।।

©ଅଟଲ ବିହାରୀ ବାଜପେୟୀଙ୍କ
ମେଁ ଅଖିଲ୍ ଵିଶ୍ଵ କା ଗୁରୁ ମହାନର  ଓଡ଼ିଆ ଭାବାନୁବାଦ

ସ୍ଵାଧୀନ ଭାରତ ମସ୍ତକ ନୋଇଁବ ନାହିଁ

ଗୋଟେ ଦୁଇଟି ନୁହେଁ କର ଶତ ଶତ ସନ୍ଧି-ଚୁକ୍ତି
ସ୍ଵାଧୀନ ଭାରତ ତା’ର ମସ୍ତକ ନୋଇଁବ ନାହିଁ ।।
ଅଗଣିତ ବଳିଦାନରୁ ଅର୍ଜିତ ଏ ସ୍ଵାଧୀନତା
ତ୍ୟାଗ, ତପ,ବଳ ଦ୍ଵାରା ରକ୍ଷିତ ଏ ସ୍ଵାଧୀନତା ।।
ପ୍ରାଣଠାରୁ ମଧ୍ଯ ପ୍ରିୟତର ଆମର ସ୍ଵାଧୀନତା
ଛଡେଇ ନେବାର ଷଡଯନ୍ତ୍ରକାରୀ ଲୋକଙ୍କୁ ।।
କହିଦିଅ ନିଆଁରେ ଖେଳିବା ବଡ଼ ମନ୍ଦ କଥା
ଆନଘରେ ନିଆଁ ଲଗେଇବାର ଯେଉଁ ସପନ ।।
ଆପଣା ଘରକୁ ହିଁ ଜଳେଇ ସ୍ଵୟଂ ଶାନ୍ତ ହୁଏ
ନିଜ ହାତରେ ତୁମେ ନିଜର କବର ଖୋଳନା ।।
ନିଜ ହାତେ ନିଜ ଗୋଡେ଼ କାତି ଚୋଟ ମାରନା
ଏ ମୂର୍ଖ ପଡୋଶୀ ଶିଘ୍ର ନିଜର ଆଖି ଖୋଲ
ସ୍ବାଧୀନତା ଅମୂଲ୍ୟ ତାହାର ମୂଲ୍ୟ କଳ ନା’ ।।
ହେଲେ ତମେ କି ଜାଣିବ ସ୍ଵାଧୀନତା କଣ୍
ତୁମକୁ ତ ମାଗଣା ମିଳିଛି ନା ସୁଖର ଭଣ୍ଡାର
ଦୁଃଖ କ୍ଲେଶ କଷ୍ଟ ତୁମେ ଆଦୌ ଭୋଗିନା ।।
ଇଂରେଜଙ୍କ ବଳରେ ଦୁଇ ଟୁକଡା ପାଇଛ
ମାଆକୁ ବାଣ୍ଟି ଲଜ୍ୟାବୋଧ ବି କରିନା ।।
ଆମେରିକା ର ଶସ୍ତ୍ରରେ ତୁମର ସ୍ଵାଧୀନତା ଜଗତେ ବଞ୍ଚେଇଦେବ  ବୋଲି ଭାବ ନା’   ।।
ଦସ କୋଡିଏ ଆରବ ଡଲାର ନେଇ କି
ତୁମେ ପ୍ରଳୟରୁ ବଞ୍ଚିଯିବ, ଏମନ୍ତ ଭାବ ନା’ ।।
ଭାବ ନା’,ଧମକ,ଜେହାଦୀ ନାରାରେ,
ହତିଆର ରେ କାଶ୍ମୀର ଅକ୍ତିଆର କରିନେବ !!
ଭାବ ନା’,ଆକ୍ରମଣରେ,ଅତ୍ୟାଚାରରେ,ସଂହାର ରେ ଭାରତର ମସ୍ତକ ନୁଆଁଇ ଦେବ !!
ଯେତେଦିନ ଯାଏଁ ଗଙ୍ଗାର ଧାର,
ସିନ୍ଧୁରେ ଜୁଆର,ଅଗ୍ନି ରେ ଜ୍ଵଳନ,
ସୂର୍ଯ୍ୟରେ ତପନ ରହିଥିବ ଶେଷ..
ସ୍ଵାତନ୍ତ୍ର୍ୟ ସମର ବେଦୀରେ ଅର୍ପିତ ହେଉଥିବ
ଅଗଣିତ ଜୀଵନ,ଯୌବନ ଅଶେଷ ।।

ଆମେରିକା କିୟଣ ସାରା ସଂସାର ମଧ୍ଯ ହେଉ ବିରୋଧୀ କିନ୍ତୁ ଭାରତର ଧ୍ଵଜ ନୋଇଁବ ନାହିଁ  ।
ଗୋଟେ ଦୁଇଟି ନୁହେଁ କର ଶତ ଶତ ସନ୍ଧି-ଚୁକ୍ତି
ସ୍ଵାଧୀନ ଭାରତ ତା’ର ମସ୍ତକ ନୋଇଁବ ନାହିଁ ।।

©ଅଟଳ ବିହାରୀ ବାଜପେୟୀ

Wednesday, August 15, 2018

ହିମାଦ୍ରୀ ତୁଙ୍ଗ ଶୃଙ୍ଗରେ ପ୍ରବୃଦ୍ଧ ଶୁଦ୍ଧ ଭାରତୀ

ହିମାଦ୍ରୀ ତୁଙ୍ଗ ଶୃଙ୍ଗରେ ପ୍ରବୃଦ୍ଧ ଶୁଦ୍ଧ ଭାରତୀ
ସ୍ଵୟଂପ୍ରଭା ସମୁଜ୍ଜ୍ଵଳା ସ୍ଵାଧୀନତା ମାଗୁଅଛି ।।

ଅମର୍ତ୍ତ୍ୟ ବୀର ପୁତ୍ର ଦୃଢ ପ୍ରତିଜ୍ଞ ବିଚାର ଧର
ବଢି ଚାଲ ବଢି ଚାଲ ପ୍ରଶସ୍ତ ପୁଣ୍ୟ ପଥ ର ।।

ଅସଂଖ୍ୟ କୀର୍ତ୍ତି-ରଶ୍ମିର ଵିକୀର୍ଣ୍ଣ ଦିଵ୍ୟ ଦେହରେ
ସୁପୁତ୍ର ମାତୃଭୂମିର ଶୂର ସହସୀ ବଢିଚାଲରେ ।।

ଆରତ ସୈନ୍ୟ ସିନ୍ଧୁରେ ସୁବାଡ଼ଵାଗ୍ନିରେ ଜଳ
ପ୍ରଵୀର ହୁଅ ଵିଜୟୀ ହୁଅ ବଢିଚାଲ ବଢିଚାଲ ।।

©ଜୟଶଙ୍କର ପ୍ରସାଦ(ହିନ୍ଦୀ)

Tuesday, August 14, 2018

ଉଠ ଧରା ର ଅମର ସପୁତ

ଉଠ,ଧରାର ଅମର ସପୁତ
ପୁନଃ ନଵ ନିର୍ମାଣ କର ।

ଜନ-ଜନର ଜୀବନେ ପୁଣ
ନଵ ସ୍ଫୁର୍ତ୍ତି, ନଵ ପ୍ରାଣ ଭର ।

ନୂଆ ପ୍ରାତଃ ୟେ ନୂଆ କଥା
ନଵ କିରଣ ଏ ଜ୍ୟୋତି ନୂଆ ।

ନଵ ଉନ୍ମାଦେ,ନଵ ତରଙ୍ଗେ
ନଵ ଆଶା ଅଛି ଶ୍ଵାସ ନୂଆ ।

ଯୁଗ–ଯୁଗରୁ ମୁକୁଳା ପୁଷ୍ପେ
ନଵ–ନୂଆ ହାସ୍ୟରସ ଭର ।

ଉଠ,ଧରା ର ଅମର ସପୁତ
ପୁନଃ ନଵ ନିର୍ମାଣ କର ।।1।।

ଡାଳେ-ଡାଳେ ବସି ବିହଗ
ନଵ ତାନରେ ଗାଉଛନ୍ତି ।

ଗୁଣୁ-ଗୁଣୁ,ଗୁଣୁ-ଗୁଣୁ କରି
ଭ୍ରମର ସୁଖରେ ଉଠୁଛନ୍ତି ।

ନଵଯୁଗର ନୂତନ ଵୀଣାରେ
ନୂଆ ରାଗ,ନଵ ଗାନ ଭର ।

ଉଠ,ଧରାର ଅମର ସପୁତ
ପୁନଃ ନଵ ନିର୍ମାଣ କର ।।2।।

କଳିକା ଯେତେ ହସୁଛନ୍ତି ସର୍ଵ
ଫୁଲସବୁ ନାଚୁଅଛନ୍ତି
ପୃଥିବୀ ମାତା ନଵପଲ୍ଲଵେ
ନଵ କାୟା ଲଭି ଅଛନ୍ତି ।

ନୂତନ ମଙ୍ଗଳମୟ ଧ୍ଵନିର
ଝଙ୍କୃତ ଜଗ-ଉଦ୍ୟାନ କର ।
ଉଠ,ଧରା ର ଅମର ସପୁତ
ପୁନଃ ନଵ ନିର୍ମାଣ କର ।।3।।

ସରସ୍ଵତୀ ର ପାଵନ ମନ୍ଦିର
ଶୁଭ ସମ୍ପତ୍ତି ତୁମରି
ତୁମେ ମାନେ ସର୍ବେ ତାହାର
ରକ୍ଷକ ଓ ପୂଜାରୀ ।

ଶତ-ଶତ ଦୀପ ଜାଳି ଜ୍ଞାନର
ନଵଯୁଗର ଆହ୍ଵାନ କର ।
ଉଠ,ଧରା ର ଅମର ସପୁତ ।
ପୁନଃ ନଵ ନିର୍ମାଣ କର ।4।।

ମୂଳ ରଚନା-द्वारिका प्रसाद माहेश्वरी

Sunday, August 5, 2018

ବଞ୍ଚୁନାହିଁ ଯଦି ଦେଶାପାଇଁ ତିଳେ ତେବେ ତୁମ୍ଭେ ଜଣେ ଅପରାଧୀ


ଯାହା ହେଉ ପଛେ ଧର୍ମ  ଯାହାର
ହୋଇଥାଅ ଯିଏ ଯୋଉ ମଦଵାଦୀ ।

ବଞ୍ଚୁନାହିଁ ଯଦି ଦେଶ ପାଇଁ ତିଳେ
ତେବେ ସିଏ ଜଣେ ଅପରାଧୀ ।

ଯାହାର ଅନ୍ନ-ଜଳର ଋଣଭାର
ଆମ୍ଭ ଶରୀର ପରେ ରହିଛି ରହିବ !

ଯା’ ପଵନେ ଶ୍ଵାସ ନେଉ ବୋଲି
ଜୀବନ ଆମ ବଞ୍ଚିରହିଛି ରହିବ ।

ତାହାରି ମାଟିରେ ଖେଳିଅଛୁ
କେତେ କଥା ପୁଣ ଶିଖିଛେ ଶିଖିବା ।

ତା ପାଇଁ ଯଦି  ନ ବୁହାଉ ଲହୁକୁ
ଜଗତେ ଉଚ୍ଚ ନା ହେଇଚେ ହୋଇବା ।

ଲାଭ ନାହିଁ ଯେତେ ଧନ ମାନ ଥାଇ
ଯଦି ଦେଶପାଇଁ ତା ନହୁଅଇ ଖର୍ଚ୍ଚ ।

ନିଜ ପେଟ ପାଇଁ ସ୍ଵାର୍ଥେ ଧନ ସଞ୍ଚି
ଯଦି ଆନକୁ ଯାତନା ଦେଇ କି ଅର୍ଜ ।

ସ୍ଵାର୍ଥ ଲଭେ ଯାର ଜୀବନେ ପ୍ରାଧାନ୍ୟ
ସେଭଳି ଜୀବନ ଜାତୀୟତା ହୀନ ।

ନୁହେଁ ଦେଶଭକ୍ତ ସେ କେବଳ ଜୀବ
ବଞ୍ଚିଅଛି ଖାଲି ଖାଇକି ବ୍ୟଞ୍ଜନ ।

ହୋଇ ଥାଇ ପାରେ ସେ ଜଣେ
ବଡ଼ ଜ୍ଞାନୀ ଗୁଣି କି ବିଦୁଷୀ  !

ଜୀବନ ଉତ୍ସର୍ଗ ନକଲା ଦେଶପାଇଁ ଯଦି
ତେବେ ସିଏ ଜଣେ ଅପରାଧୀ ।

उदयप्रताप सिंहଙ୍କର ଏକ ଦେଶାତ୍ମବୋଧକ କବିତା ଅନୁକରଣରେ.....

Saturday, July 7, 2018

ଭାଇକଳି

ଉତ୍କଳେ ଜନମ ଉତ୍କଳେ ମରଣ;
ଉତ୍କଳ ଅନ୍ନରେ ଜୀଵନଧାରଣ ।
ପରାପର ଭାଵ ପୋଷିବୁଁ କିପାଁଇ,
ମାତା ସମ୍ଵନ୍ଧରେ ସର୍ଵେ ଭାଇ ଭାଇ ।
ଭିନ୍ନାଭିନ୍ନ ଭାବ ବହିବାର ଜନ-
ମୋ କ୍ଷୁଦ୍ରବୁଦ୍ଧିରେ ସେ ତ ଅକିଞ୍ଚନ ।
କର ଯୋଡି଼ ତାକୁ ବୋଲୁଅଛି ଭାଇ !
ଏକ କୁ ଅରେକ ଦ୍ଵନ୍ଦ ଭୂଲିଯାଇ;
ଆସ କରୁଁ ମାତୃଦେଶର ଉନ୍ନତି,
ଫେଡୁ଼ ଜନ୍ମଭୂମି ଦୁର୍ଦ୍ଦଶା ଦୁର୍ଗତି ।
ଯେତେଦିନ ଭାଇ ନହେବ ମିଳିତ,
ନ ମେଣ୍ଟିବ ଦେଶ ଦୁର୍ଦ୍ଦଶା କିଞ୍ଚିତ ।
ହିନ୍ଦୁ ମୁସଲମାନ ଖ୍ରୀଷ୍ଟାନ ଜଇନ―
କେଵଳ ଧର୍ମରେ ସିନା ଭିନ୍ନାଭିନ୍ନ ।
ଧର୍ମ ଜାଣ ଭାଇ ପରକାଳ ପାଇଁ,
ପୃଥ୍ଵୀର ସନ୍ତାନ ଏହା ଭୂଲ ନାହିଁ ।
ଯା ପୂର୍ଵ ପୁରୁଷ ଵିଦେଶୀ ନିଶ୍ଚୟ,
ଧ ଭୂଲ ସେ ଲୋକ ଉତ୍କଳ ତନୟ ।
ହୁଅନ୍ତୁ ବଙ୍ଗଳୀ ତେଲଙ୍ଗା ମରାଟୀ―
ତୁମ୍ଭ ଦେହ ଗଢା଼ ଉତ୍କଳର ମାଟି
ଦୁଇ ଦିନ ପାଇଁ ନାହଁ ତ ଏ ଦେଶେ,
ବଂଶ ଅନୁକ୍ରମେ ରହିବ ଵିଶେଷେ ।
ଦୁର୍ଭିକ୍ଷ ଦୁର୍ଦ୍ଦଶା ପଡି଼ଲେ ଉତ୍କଳେ,
ମିଳିମିଶି ଭାଇ ଭୁଞ୍ଜିବୁ ସକଳେ ।
“ଭାଇ ଭାଇ ମଧ୍ୟ ନଲଗାଅ କଳି,
ପରିଚୟ ଦିଅ ନିଜକୁ ଉତ୍କଳୀ" !
ସାକସନ୍ ଜର୍ମାନ ଗ୍ରୀକ୍ ଓନ୍ଦଲାଜ୍,
ଇଂଲଣ୍ଡର ଵାସୀ ସମସ୍ତେ ଇଂରାଜ ।
ଉତ୍କଳେ ଜନମି ବୋଲ ଅନ୍ୟ ଜାତି,
ହାମବଡା଼ ଏଟା ନିଶ୍ଚୟ ଅଖ୍ୟାତି ।
ହିଂସା ଦ୍ଵେଷ ବହି ଦ୍ଵନ୍ଦ ପରସ୍ପର
କଲେ ନିଶ୍ଚେଁ ହେବ ଦୁର୍ଦ୍ଦଶା ତୁମ୍ଭର ।
ହେଉ ପଛେ ତୁମ୍ଭେ ଥିଲା ବଡ଼ଜାତି,
ଏବେ ତ ଉତ୍କଳ ଦେଶ ପୁଅ ନାତି ।
ଜନ୍ମଭୂମି ଆଉ ଜନନୀ ଏମାନେ
ଶାସ୍ତ୍ରରେ କଥିତ ସ୍ଵରଗ ସମାନେ ।
ଯେ ବୋଲେ ନିଜକୁ ଵିଦେଶୀୟ ଲୋକ―
ନିଶ୍ଚେ ସେହି ମାତୃଭୂମିର ନିନ୍ଦୁକ ।
ଆସ ଭାଇ ମାନେ କରୁଛି ଜୁହାର,
ମିଳିମିଶି କରୁଁ ଦେଶ ଉପକାର ।

@ଫକୀର ମୋହନ ସେନାପତି

Tuesday, June 5, 2018

●ବନ୍ଦେ ଉତ୍କଳ ଜନନୀ●

ବନ୍ଦେ ଉତ୍କଳ ଜନନୀ
ଶ୍ୟାମ-ଶିଖରୀ-ଶିରା
ସିନ୍ଧୁ ବିଧୌତା
ପଵନ-ନଦ-ନଦୀ-ତରଙ୍ଗ-ଧୌତା
ଶଵଳିତ ସୁନ୍ଦର ଧରଣୀ
ବନ୍ଦେ ଉତ୍କଳ ଜନନୀ ।୧।

ମନ୍ଦିରମୟୀ ତଵ କପୋଳ ତଳେ,
କେତେ ଶହ ଵର୍ଷ ର କାହାଣୀ ଝଳେ,
ଯେତେ ଇତିହାସ ଗତ ନୟନ ତଳେ,
ନାହିଁଛି ଜଗତେ ତା’ର ସ୍ମରଣୀ,
ବନ୍ଦେ ଉତ୍କଳ ଜନନୀ ।୨।

ତଵ ପୋତ ରାଜି ଦିନେ ନୀଳ ସାଗରେ,
ତଵ ସଭ୍ୟତା ଦୂର ଦେଶ ଭାଗରେ ବୋହି ନେଲା ।
ସେହି ଗୌରବ ରାଗରେ ରଞ୍ଜିତ ଶତ-ଦେଶ,
ଦ୍ଵୀପ କାହାଣୀ,
ବନ୍ଦେ ଉତ୍କଳ ଜନନୀ ।୩।

ତୋର ମନ୍ଦିରେ କେତେ ସାଧକ ଆସି
ମୁକ୍ତି ଖୋଜିଲେ ଜାଳି ଵାସନା ରାଶି,
ଧର୍ମର ଉର୍ମି ତୋ ବେଳାରୁ ଭାସି
ପ୍ଲାଵିତ କରିଛି କେତେ ଭୂମି ଜନନୀ,
ବନ୍ଦେ ଉତ୍କଳ ଜନନୀ ।୪।

ଜାହ୍ନବୀ ଗୋଦାବରୀ ସେଵିଲେ ଦିନେ
ପଦ ତୋର ଉତ୍ତରେ ପୁଣି ଦଖିଣେ,
ଯେ ଦେଶ ଗଲା ତୋ ପୁଅ,
ସେ ଦଶ ଜିଣେ
ଵିଜୟଵାହିନୀ ତୋର ସରଣୀ
ବନ୍ଦେ ଉତ୍କଳ ଜନନୀ ।୫।

ରାଜା ତୋର ରଞ୍ଜିଲା ଶ୍ୟାମଳ ଭାଲ,
ରଚି ଚାରୁ ମନ୍ଦିର ମୁକୁଟ ଜାଳ,
ଜଗତେ କେତେ କାହିଁଛି ତୁଳନା ତା’ର,
କଳାଵତୀ ଉତ୍କଳ ଧରିଣୀ,
ବନ୍ଦେ ଉତ୍କଳ ଜନନୀ ।୬।

ସେ ଦିନ ସେ ଗଉରବ ନାହିଁ ମା ଆଉ
ଖଡ୍ଗ ଧରେ ନାହିଁ ଓଡ଼ିଆ ଵାହୁ,
ନ ଆସେ ଓଡ଼ିଆ ରାଜା ଵିଜୟେ କାହୁଁ
ମୁଖରିତ କରି ତୋର ସରଣୀ
ବନ୍ଦେ ଉତ୍କଳ ଜନନୀ ।୭।

ସେକାଳ ଆସିବ ଆଉ ଫେରି କି ଥରେ,
ବୋଇତ ଭାସିବ ପୁଣି ନୀଳ ସାଗରେ,
ଗୋଦାବରୀ-ଜାହ୍ନବୀ ଧୋଇବେ ଜଳେ,
ପୁଣି ଏହି ତାଳ-ନୀଳ-ଵେଳା ଧରଣୀ
ବନ୍ଦେ ଉତ୍କଳ ଜନନୀ ।୮।

©ଡ଼ ମାୟାଧର ମାନସିଂହ

Wednesday, May 30, 2018

ଜୟ ଜୟ ଜୟ ପ୍ରିୟ ଭାରତ

ଜୟ ଜୟ ଜୟ ପ୍ରିୟ ଭାରତ ଜନୟେ ତ୍ରୀଦିଵ୍ୟଧାତ୍ରୀ -2
ଜୟ ଜୟ ଜୟ ଶତ ସହସ୍ର ନରନାରୀ
ହୃଦୟନେତ୍ରୀ- 2

ଜୟ ଜୟ ଜୟ ପ୍ରିୟ ଭାରତ ଜନୟେ ତ୍ରୀଦିଵ୍ୟଧାତ୍ରୀ-1

ଜୟ ଜୟ ଶସ୍ୟଶ୍ୟାମଳ
ସୁଶ୍ୟାମଚଳଚଳାଞ୍ଚଳ-2
ଜୟ ଵସନ୍ତ କୁସୁମ ଲତା ଚଳିତ ଲଳିତ
ଚୂର୍ଣ୍ଣ କୁନ୍ତଳ-1

ଜୟ ମଦୀୟ ହୃଦୟାଶୟ ଲାକ୍ଷାଋଣ
ପଦ ଯୁଗଳ

-ଜୟ ଜୟ ଜୟ ପ୍ରିୟ ଭାରତ ଜନୟେ ତ୍ରୀଦିଵ୍ୟଧାତ୍ରୀ

ଜୟ ଦିଶାନ୍ତ ଗତସକୁନ୍ତ ଦିଵ୍ୟ ଗାନ କରି ତୋଷଣ-2
ଜୟ ଗାୟକ ଵୈକାଳିକ ଗଳା ଵିଷାଳ ପଟ୍ଟ ଵିହରଣ
ଜୟ ମଦୀୟ ମଧୁରଗେୟ ଚୁମ୍ଵିତ ସୁନ୍ଦର ଚରଣ
-ଜୟ ଜୟ ଜୟ ପ୍ରିୟ ଭାରତ ଜନୟେ ତ୍ରୀଦିଵ୍ୟଧାତ୍ରୀ -2
ଜୟ ଜୟ ଜୟ ଶତ ସହସ୍ର ନରନାରୀ
ହୃଦୟନେତ୍ରୀ
ଜୟ ଜୟ ଜୟ ପ୍ରିୟ ଭାରତ ଜନୟେ ତ୍ରୀଦିଵ୍ୟଧାତ୍ରୀ


★ମୂଳ ରଚନା-ଦେବୁଳପଲ୍ଲୀ ଭେଙ୍କଟ କୃଷ୍ଣଶାସ୍ତ୍ରୀ★

Saturday, February 3, 2018

ମଧୁସୂଦନ ଦାସ ସି.ଆଇ.ଇ (ଫକୀର ମୋହନ ସେନାପତି)


****ରାଗ-ଚକ୍ରକେଳି****

ଧନ୍ୟ ! ଧନ୍ୟ ! ଧନ୍ୟ ! ମଧୁସୂଦନ !
ଉତ୍କଳ ମାତାର ଯୋଗ୍ୟ ନନ୍ଦନ !
ଦେଲ ଉତ୍କଳ କୁ ନଵଜୀଵନ,
ଶିଖାଇଲ ଲୋକେ ଜାତି ଵନ୍ଦନ ।
ଜାତୀୟ ଜୀଵନ ବୋଲେ କାହାକୁ
ଦେଖାଇଲ ଦେଶଵାସୀ ଭ୍ରାତାଙ୍କୁ ।
କଥା ନୁହେଁ ଏହା ଦେଖେଁ ପ୍ରମାଣ,
ଦେଶହିତ ଵ୍ରତେ ସଁପିଛ ପ୍ରାଣ ।
କୋଟି ପରମାଣ ଉତ୍କଳ ଲୋକ,
ସମସ୍ତଙ୍କ କାହିଁ ଘୁଞ୍ଚିବ ଦୁଃଖ ।
ଗୋଟା ଦେଶପାଇଁ ଭାଳୁଛି ଜଣେ,
ଏକଥା ଯେ କାଳେ ପଡେ଼ ମୋ ମନେ ।
ହୃଦୟରେ ମୋର ହୁଏ ପ୍ରତ୍ୟୟ,
ଦୈଵ ଶକ୍ତି ଏହା ଅଟେ ନିଶ୍ଚୟ ।
କେତେ କଷ୍ଟେ ପଡି଼ ଅର୍ଜିଲ ଧନ,
ଫୋପାଡ଼ି ଦେଇଛ ଦେଶ କାରଣ ।
ଶିଳ୍ପକାର୍ଯ୍ୟେ ବିଂଶ ସହସ୍ର ଟଙ୍କା,
ଦେଲ ଢାଳି ଦେଖି ଲାଗେ ତାଟକା ।
ଆହାର ନିଦ୍ରାରେ ନଥାଏ ଜ୍ଞାନ,
କରୁଥାଅ ବସି ନିର୍ଜନେ ଧ୍ୟାନ ।

କି ଉପାୟେ ହେବ ଦେଶମଙ୍ଗଳ,
ଜପୁଅଛି ଵୀଜ ମନ୍ତ୍ର କେଵଳ ।
ଜାତିର ଗୌରଵ ଜାତିର ଧନ,
ବୃଦ୍ଧିରେ ଦେଇଛ ଧନ-ଜୀଵନ ।
ମତ୍ତ-ପାନକରି କି ସୋମରସ,
ଅକାତରେ ଫିଙ୍ଗି ଦେଲ ସର୍ଵସ୍ଵ ।
ଧନ୍ୟ ! ଧନ୍ୟ ! ତୁମ୍ଭ ଜୀଵନ ଵ୍ରତ,
ଦେଖା ଥାଉ, ଶୁଣାନାହିଁ ଏମନ୍ତ ।
ତୁମ୍ଭ କାର୍ଯ୍ୟାଵଳୀ ତୁମ୍ଭ କଳ୍ପନା,
ପୃଥ୍ବୀ ଇତିହାସେ ନାହିଁ ତୁଳନା ।
ଦେଖାଯାଅ ଦେଶ ହିତ କାରଣ,
କେ କରେ ଵକ୍ତୃତା, କେ ଦିଏ ଧନ ।
ମାତ୍ର ତୁମ୍ଭେ ସର୍ଵ ଧନ ଜୀଵନ,
ଶକ୍ତି,ସାମରଥ,କଳ୍ପନା ମନ,
ସବୁ ଢାଳିଦେଇ ନହୋଇ ତୁନି,
ଦିଵା ନିଶି ବସି ଭାଳୁଛ ପୁଣି ।
ମୋ ଜାତିର ହେଉ ସମ୍ମାନ ବୃଦ୍ଧି,
କେ ଲୋକ ର ହେବ ଏଭଳି ବୁଦ୍ଧି ।
ତୁମ୍ଭର ଚରିତ୍ର ଓ ଇତିହାସ,
ପାଉନାହିଁ ଭାଷା କରେଁ ପ୍ରକାଶ ।
ଯେତେକାଳ ଥିବ ଉତ୍କଳୀଜାତି,
ଯାଵତ ଚନ୍ଦ୍ରାର୍କେ ରଟିବ ଖ୍ୟାତି ।
ଉପମା ଦେବାକୁ ତୁମ୍ଭ ସଙ୍ଗରେ,
ଖୋଜିଲି ତ ସର୍ଵ ଇତିହାସ ରେ ।
ଜଗତରେ ଲୋକ ନଯାଏ ଦେଖା,
ତୁମ୍ଭର ଉପମା ତୁମ୍ଭେ ହିଁ ଏକା ।
କେତେ କୋଟିପତି କେତେ ଭୂପତି,
ଗଲେ―ଧନ ରଖି ଯାଇଅଛନ୍ତି,
ତୁମ୍ଭେ ଚାଲିଗଲେ(ଚାଲିଗଲ) ତୁମ୍ଭର ଧନ
ଵାଣ୍ଟି ଵାଣ୍ଟି ନେବେ(ନେଲେ) କୋଟିଏ ଜନ ।
ତୁମ୍ଭ ଧନଵାଣ୍ଟେ ରୀତି ଦେଖିଛି,
ପ୍ରତିଜଣ ଭାଗେ ପଡି଼ବ କିଛି ।
“ଯାଉଥିଲା ଗୋଟା ଜାତିଟା ଭାସି ,
ରକ୍ଷା କରିଅଛ ସ୍ଵର୍ଗରୁ ଆସି" ।
ଉତ୍କଳୀ ଜାତିର ଆଗୁଆ ହୋଇ,
ପାଞ୍ଚଶ ଵରଷ ଦେଲ ଆଗେଇ ।


Friday, January 19, 2018

●ଭାରତ ମହିମା●

ଜୟ , ଜୟତି ଜୟତି ପ୍ରାଚୀନ ଭାରତ

ଜୟ ନଗର,ଗ୍ରାମ ଅଭିରାମ ଭାରତ

ଜୟ,ଜୟତି ଜୟତି ସୁଖ-ଧାମ ଭାରତ

ଜୟ, ସରସିଜ-ମଧୁକର ନିକଟ ଭାରତ

ଜୟ ଜୟତି ହିମାଳୟ-ଶିଖର-ଭାରତ

ଜୟ ଜୟତି ବିନ୍ଧ୍ୟ-କନ୍ଦର ଭାରତ

ଜୟ ମଳୟଜ ମେରୁ ମଂଦର ଭାରତ

ଜୟ ଶୈଳସୁତା ସୁରସରୀ ଭାରତ

ଜୟ ଯମୁନା-ଗୋଦାବରୀ ଭାରତ

ଜୟ ଜୟତି ସଦା ସ୍ଵାଧୀନ ଭାରତ

ଜୟ ଜୟତି ଜୟତି ପ୍ରାଚୀନ ଭାରତ

(ଶ୍ରୀଧର ପାଠକଙ୍କ ଏକ ମୂଳ ହିନ୍ଦୀ କବିତା ହିନ୍ଦ ମହିମାର ର ଓଡ଼ିଆ ଅନୁବାଦ)

କେଉଁ ଜାତି ବର୍ବର ?

(ରାଗ -ଆଶାବରୀ)

“ସୁଜଳା,ସୁଫଳା,ଶସ୍ୟଶ୍ୟାମଳା ପ୍ରକୃତି”

ଲଲାଟେ,ସୂର୍ଯ୍ୟର ବିନ୍ଦୁ ସୁନ୍ଦର ଆକୃତି ।

ସକଳ ବିଜ୍ଞାନ, ଜ୍ଞାନ ,ସକଳ ସୌନ୍ଦର୍ଯ୍ୟ,

ବିଭବ, ସମ୍ପଦ ,ବିତ୍ତ,ସକଳ ଐଶ୍ୱର୍ଯ୍ୟ,

ସାମର୍ଥ୍ୟ,ଗୌରବ,ସର୍ବ ଅପରୂପ ଶିରୀ

ସୂର୍ଯ୍ୟ କିରଣରୁ ପ୍ରାପ୍ତ ହୁଏ ବସୁନ୍ଧରୀ ।

ପ୍ରକୃତି ର ଶିରୀ ସୂର୍ଯ୍ୟ କିରଣ ଯେମନ୍ତ

ତେସନେ ରମଣୀ  ଶିରୀ ଅଟଇ ସତୀବ୍ତ ।

ବାଳକ ମାନଙ୍କ ଶିରୀ ଅଟେ ସରଳତା,

ମାନବଜାତି ର ବାକ୍ୟ ଶିରୀ ମଧୁରତା,

ପୁରୁଷ ଶ୍ରୀ ଅଟେ ବୀର୍ଯ୍ୟ,ଜାତି ଶିରୀ ଭାଷା,

ଯାହା ଘେନି ଜାତି କରେ ଉନ୍ନତି ପ୍ରତ୍ୟାଶା ।

ଭାଷା ହିଁ ଜୀବନୀ ଶକ୍ତି ଭାଷାମାନଙ୍କର,

ଯେ ଜାତିର ଭାଷା ହୀନ ସେ ଜାତି ବର୍ବର ।





ଭାରତୀ ବନ୍ଦନା (ଭକ୍ତକବି ମଧୁସୂଦନ ରାଓ)


ଭଗବତୀ ଭାରତୀ ! ତବ ଚରଣ ତଳେ
ବିକଶିତ ମାନସ-କମଳ ଦଳେ
ମଧୁମୟ ଉତ୍ସବ-ଦୀପ ଜଳେ
ଜୟ ଜୟ ଭାରତୀ ଦେବୀ !

ଋଷିଗଣ ସୂରିଗଣ କବିଗଣ ପ୍ରାଣସମାଜେ
ଜନନୀ ବାଣୀ ! ତବ ଆସନ ରାଜେ,
ବିଶ୍ଵମୋହିନୀ ତୁମ ବୀଣା ବାଜେ,
ଜୟ ଜୟ ଭାରତୀ ଦେବୀ !

ଶ୍ରୁତି ଇତିହାସ ନାଟକ କାବ୍ୟକଳା
ଦର୍ଶନ ବିଜ୍ଞାନ ତବ କୀରତି ଅମଳା,
ଗୌରବେ ପୁଣ୍ୟ ସୌରରେ ସଦା ବିମଳା,
ଜୟ ଜୟ ଭାରତୀ ଦେବୀ !

ଭାରତ ଅନ୍ତର ଦୀପିତ କର ତବ କିରଣେ,
ଅମୃତ ସମ୍ପଦ  ତବ ବର ଚରଣେ,
ନିଅ ଭାରତେ ତବ ଧ୍ରୁବ ସତ୍ୟ ଗଗନେ
ଜୟ ଜୟ ଭାରତୀ ଦେବୀ !

@ଭକ୍ତ କବି ମଧୁସୂଦନ ରାଓ

ଜୟଗାନ-ଭକ୍ତକବି ମଧୁସୂଦନ ରାଓ

(୧)
ଜୟ ଦେବୀ ! ଜନ୍ମଭୂମି
କୀର୍ତ୍ତି-କୀରୀଟଧାରିଣୀ ।
ବନ୍ଦେ ଦେବୀ !
ଆଶାମୟୀ ନିଗୂଢ଼ ଶକ୍ତିଶାଳିନୀ ।
(୨)
ଯୁଗ ଯୁଗାନ୍ତ ମୋହ-ଅନ୍ତେ
ଯାଗ ମା ବୀର୍ଯ୍ୟଶାଳିନୀ
ବିଭୁ ପ୍ରସାଦେ ଜ୍ୟୋତିର୍ମୟୀ
ହୁଅ ମା ଦୀନପାଳିନୀ.
(୩)
ଭୟ ଅବସାଦ ପାଷାଣ ଭାର
ହର ମା ଭୟହାରିଣୀ !
ନବ ନବ ଆଶା ନବୀନ ତେଜ
ଦିଅ ମା ଭର୍ଗ-ଶାଳିନୀ ।
(୪)

ମିଳନ ଆନନେ ଅମଳ ହାସ୍ୟ
ପ୍ରକାଶ ଜଗନ୍ନୋହିନୀ ।
ସେ ମୁଖ ପ୍ରତିଭା ମହିମା ଦେଖି
ପଳାଉ ଦୁଃଖ ଯାମିନୀ ।

(୫)
ତବ ଜାଗରଣୀ ଅଭୟ ଗୀତି
ଗାଅ ମା ଦୀକ୍ଷା-ଦାୟିନୀ ।
ଶୋଣିତ ମୋହର ଉଠୁ ମା ନାଚି
ଶୁଣି ତବ ଗୀତ ରାଗିଣୀ ।

(୬)

ଏ ପ୍ରାଣ ଅର୍ପଇ ଚରଣେ ତୋହର
ଘେନ ମା ପ୍ରାଣ-ଦାୟିନୀ ।
ଦେ ମା ଶକ୍ତି ଦେ ମା ବୀର୍ଯ୍ୟ
ସର୍ବ-କଲ୍ୟାଣରୂପିଣୀ ।

@ଭକ୍ତକବି ମଧୁସୂଦନ ରାଓ

Thursday, January 18, 2018

●ଉତ୍କଳ ଆହ୍ଵାନ●

{ରାଗ-ତ୍ରପଟା(ପଞ୍ଚମ ବିରାଡ଼ି)}

ଉଠ ହେ ଉତ୍କଳବାସୀ,
ଦୂରେ ଫିଙ୍ଗି ଦୁଃଖରାଶୀ,
ଛେଦି ଜଡତାର ନାଗପାଶ,
ସକଳ ଦୁରିତଜିଣା
ବିଶ୍ଵରାଣୀ ବାଣୀ-ବୀଣା
ବାଜେ ପୂରି ଉତ୍କଳ ଆକାଶେ ହେ ନରନାରୀ ,
ଅଶୋକ ଅଭୟ ସେ ସଂଗୀତ,
ଅନନ୍ତ ଅମୃତେ ଉଚ୍ଛ୍ବାସିତ,
ଜଳେ ସ୍ଥଳେ ଆକାଶରେ
ଋଷି-କବି-ମାନସରେ
ସୁଗମ୍ଭୀର ମନ୍ଦ୍ରେ ନିନାଦିତ ହେ ।୧।

ଆଜି ଏହି ସାୟନ୍ତନ
ସାହିତ୍ୟ ସଭା ପ୍ରାଙ୍ଗଣ
ସେ ଅନାଦି ନାଦ ଆଳାପନେ
ପୁଲକ ପୂରିତ ପ୍ରାଣ,
ମର୍ମେ ମର୍ମେ କମ୍ପମାନ
ଅପୂର୍ବ ବସନ୍ତ ସମୀରଣେ ହେ ନରନାରୀ,
ପ୍ରାଣରାଣୀ-ପଦତଳେ
ପ୍ରାଣ-ଶତଦଳଦଳେ
ହସୁଅଛି କନକ କିରଣ,
ଆଶା ପ୍ରୀତି ବିଶ୍ଵାସର
ସୁମାନସ-ସରୋବର
ହିଲ୍ଲୋଳିତ ଶୀତଳ ଶୋଭନ ହେ ।୨।

ଗାଉଛନ୍ତି ବାଣୀଶ୍ଵରୀ
ଶ୍ରୀକରେ ସେ ବୀଣା ଧରି
ମହା ଆହ୍ଵାନ ର ମହାଗୀତି,
ସକଳ ଲାଞ୍ଛନା ଲାଜ
ଅନୃତ ଅହନ୍ତା ବ୍ୟାଜ
ଦୂର ହେଉ ଅକାରଣ ଭୀତି ହେ ନରନାରୀ,
କେ ଆଉ ଜଡ଼ତା-ପାଶେ
ଜଞ୍ଜାଳ ର କାରାବାସେ
ରହିଥିବ ପଡି଼ ଅବସାଦେ,
ଦେଖ ଦେଖ କେତେ ଜାତି
ଚାଲାଚନ୍ତି ଦିବାରାତି
ଶୁଣି ସେ ସୁସଙ୍ଗୀତ ସୁସମ୍ଵାଦେ ହେ  ।୩।

ଚାଲ ଉତ୍କଳ ସନ୍ତାନ,
ସମ୍ମୁଖେ ଅମୃତ ଧାମ
ମାଜି ନେତ୍ର-ଜ୍ଞାନ ଅଞ୍ଜନରେ
ହୁଅ ସର୍ବେ ଅଗ୍ରସର
ଧରି ପରସ୍ପର କର
ଜୀବନର ବ୍ରତ ସାଧନରେ ହେ ନରନାରୀ,

ଦେଖି ଦେବୀ ପ୍ରେମମୁଖ,
ଯାଉ ହେ ସକଳ ଦୁଃଖ,
ପୂରୁ ଆଶା ସ୍ଫୁରୁ ଭାଷା ପ୍ରାଣେ,
ଦିବ୍ୟ ଜ୍ଞାନ ଶୁଦ୍ଧ ପ୍ରୀତି
ସ୍ଵରଗର ପୁଣ୍ୟ ନୀତି
ଉତ୍କଳର ବଢାଉ ସମ୍ମାନ ହେ......।୪।


●●●●ଭକ୍ତ କବି ମଧୂସୁଦନ ରାଓ●●●●

ଉତ୍କଳ ବନ୍ଦନା-ଭକ୍ତ କବି ମଧୁସୂଦନ ରାଓ

ଆସ ବ୍ରହ୍ମବାଣୀ ରାଣୀ ଏ ଉତ୍କଳ ଭୂବନେ,

ଧୋଇ  ପ୍ରାଣ ରାଜ ଦେବି ପ୍ରାଣବେଦୀ ଆସନେ ।
ମୋହେ ଅନ୍ଧ ଉତ୍କଳ-ଚିତ୍ତ ଅକ୍ଷମ ତବ ଦର୍ଶନେ,

ମାର୍ଜିତ କର ଧ୍ଯାନ ନେତ୍ର ମନ୍ତ୍ରପୂତ ଅଞ୍ଜନେ ।

ଦେଖାଅ ଜନନୀ ଉତ୍ସବମୟୀ ତୁମ୍ଭ ପ୍ରେମ ଆନନେ,

ସେ ପ୍ରେମେ ଲାଗୁ ମା ମହାମହୋତ୍ସବ ଉତ୍କଳର ପ୍ରାଙ୍ଗଣେ ।

ଜାଗରଣୀ ବୀଣା ବାଜି ଉଠୁ ତୋର ଉତ୍କଳ କୁଞ୍ଜ କାନନେ,

ଜଗାଇ କୋବିଦ ଋଷି କବିପ୍ରାଣ ଦିବ୍ୟଗାଥା ପ୍ରେରଣେ ।

ପୂରାଅ ଆଶା ସ୍ଫୁରାଅ ଭାଷା ନବପ୍ରାଣ ସ୍ଫନ୍ଦନେ,

କର ମା  ଦୀକ୍ଷିତ ନରନାରୀବୃନ୍ଦେ ସତ୍ୟମନ୍ତ୍ର ସାଧନେ ।

@ଭକ୍ତ କବି ମଧୁସୂଦନ ରାଓ

ଉତ୍କଳ ସଂଗୀତ-ଭକ୍ତକବି ମଧୁସୂଦନ ରାଓ

ବାରେ ଡାକ ହେ ଉତ୍କଳ ସୁତେ
ମା ଉତ୍କଳଭୂମି ଜନନୀ
ପାନ କର ମା-ନାମ-ଅମୃତେ
ଗାଅ ମା ମା ରଜନୀ

୨

ବାରେ ଚିନ୍ତ ପ୍ରେମ ଭକ୍ତିଭରେ
ଜନନୀ ବିଭବ ଗୌରବେ
ଜନନୀ ଜନ୍ମଭୂମି ପୟରେ
ବନ୍ଦ ହେ ଜୟ ଜୟ ରବେ

୩

ଧର୍ମକ୍ଷେତ୍ର ଉତ୍କଳ ର ଜୟ
ଯୁଗ ଯୁଗ ବ୍ୟାପୀ ଭାରତେ
ବୌଦ୍ଧ ଗୁମ୍ଫା ବୌଦ୍ଧ କୀର୍ତ୍ତିଚୟ
ରାଜଇ ପର୍ବତେ ପର୍ବତେ ।

୪.

ଶୈବତୀର୍ଥ ଶ୍ରୀଭୂବନେଶ୍ଵର
ନିରୁପମରୂପେ ବିରାଜେ
ଶତ ଶତ ମନ୍ଦିର ସୁନ୍ଦର
ଶୋଭଇ ଅପରୂପ ସାଜେ

୫

ଶୁଭସ୍ତମ୍ଭ ବୈତରଣୀ ତଟେ
ଦେଖ ହେ ନୟନ ବିସ୍ଫାରି;
ବିରାଜିତ ତୁଙ୍ଗେ ବ୍ୟୋମପଟେ
ଉତ୍ସାହ ଅଭୟ ସଞ୍ଚାରି ।

୬

ନିରେଖ ହେ ମହୋଦଧି ତୀରେ
ନୀଳାଚଳ ଧାମେ ଶ୍ରୀକ୍ଷେତ୍ରେ
ହିନ୍ଦୁହୃଦ ଆକୁଳ ଅଧୀରେ
ଦେଖିବାକୁ ଯେ ଧାମ ନେତ୍ରେ ।

୭

ସ୍ମର ବାରେ ହେ ଉତ୍କଳବାସୀ
କୋଣାର୍କ ଶିଳା ଶିଳ୍ପ ରତ୍ନେ
ଆହା କି ମୋହନ ରୂପ ରାଶି
ଉନ୍ମାଳିତ ଶିଳ୍ପୀ ର ଯତ୍ନେ ।

୮

ଏହି ସେହି ଉତ୍କଳ ଧରିତ୍ରୀ
ଯହିଁ ଧୌଳୀ,ଜୌଗଡ଼ ରାଜେ
ଶିଳାକ୍ଷରେ ଯହିଁ ଜୀବେମୈତ୍ରୀ
ଘୋଷିତ ଅଶୋକ ସାମ୍ରାଜ୍ୟେ

୯

ଏହି ସେହି ଉତ୍କଳ-ଧରଣୀ
ଯହିଁ ହରିନାମ ପ୍ରଚାରି,
ଦେଖାଇଲେ ଭକତି-ସରଣୀ
ଶ୍ରୀ ଚୈତନ୍ୟ ପ୍ରେମ ଭିଖାରୀ ।

୧୦
ମହାନଦୀ-ବ୍ରାହ୍ମଣୀ-ସେବିତ ।
ସୁବର୍ଣ୍ଣରେଖା-ଋଷିକୂଲ୍ୟା
ବୈତରଣୀ-ପ୍ରବାହ ପ୍ଲାବିତ
ଉତ୍କଳା-ସୁଷମା-ଅତୁଲ୍ୟା ।

୧୧

ମହୋଦଧି ଦିଗନ୍ତ ବିସ୍ତାରି
ଚିଲିକା ହ୍ରଦ ଜଳରାଶି
ଅଟବୀ-ଅଚଳ-ବ୍ରଜଧାରୀ
ଉତ୍କଳ ଚିତ୍ତ ଉଲ୍ଲାସୀ ।

୧୨

ଶିଳାବନ୍ଧବେଷ୍ଟିତ କଟକେ
ଭଗ୍ନ ବାରବାଟୀ ଅଦୂରେ
ସ୍ମର ବାରେ କଳ୍ପନା-ଛଟକେ
ପୂରୁବ ଯଶୋଧନ ଶୂରେ ।

୧୩
ପୂରୁବ ଉନ୍ନତ ପଦଭ୍ରଷ୍ଟ
ହେ ଉତ୍କଳ ନବ୍ୟ ସମାଜ !
ଉତ୍କଳ ର କି ଦୁର୍ଗତି କଷ୍ଟ
ଉତ୍କଳୀୟେ ଦେଖ ହେ ଆଜ ।

୧୪

ଆଜି ଝାଡ଼ଖଣ୍ଡ ଜନପଦ
ଭଞ୍ଜ ଭୂମି ଆଦି ବିରାଜେ,
ପୁରାତନ ଗୌରବ ସମ୍ପଦ
ଚିତ୍ରମାତ୍ର ଓଡ୍ରସମାଜେ ।

୧୫
ଏବେ ଦେଖ ବ୍ରିଟିଶ ସୁରାଷ୍ଟ୍ରେ
ଧୀରେ ଲଭି ନବ ଚେତନା
ପଞ୍ଜାବରେ ବଙ୍ଗେ ମହାରାଷ୍ଟ୍ରେ
ଲାଗିଛି କର୍ମର ସାଧନା ।

୧୬

ଅଳସ ନିଶ୍ଚେଷ୍ଟ ମ୍ରିୟମାଣ
ଉତ୍କଳୀୟେ ନରୁହ ଆଉ,
କର୍ମର ସାଧନେ ଦିଅ ଦିଅ ପ୍ରାଣ,
ଲାଜ ହୀନତା ଚାଲିଯାଉ ।

୧୭

ଅରଜ ହେ କର୍ମର ସମ୍ପଦ,
‛କର୍ମ ହିଁ ଧର୍ମ’ ମନ୍ତ୍ର ଜପି
ହୁଅ ସତ୍ୟଜ୍ଞାନ-ବିଶାରଦ
ବଳ ବୁଦ୍ଧି ସର୍ବ ଅରପି ।

୧୮

ଜ୍ଞାନ-କର୍ମ-ତପସ୍ୟା ର ବଳେ
ଏ ଭାରତ-ମହୀ-ମଣ୍ଡଳେ
ଜିଣି ସିଦ୍ଧି ଭବରଙ୍ଗ ତଳେ
ଉଜ୍ଵଳ କର ହେ ଉତ୍କଳେ ।