ନିଜ ଘରେ ବସି ନିର୍ଵାସନ ଦୁଃଖ
ଆମ୍ଭ କି ଲଲାଟ ଲିଖନ,
ମାତୃଭାଷା ମନା ଭାଇସଙ୍ଗ ବିନା
ଵିକଳ ହେଉଛି ଜୀଵନ । ପଦ ।
ଗୁହାରିଲେ ଦୁଃଖ ନୃପତି ଆଗରେ,
ତଡି଼ ଦେଉଛନ୍ତି ଛାମୁରୁ ରାଗରେ;
ନୁହେଁ ତାଙ୍କ ଦୋଷ,ବୁଝନ୍ତି ନାହିଁ ସେ
ଆମ୍ଭର କଥିତ ଵଚନ ।୧।
ଵିଦେଶୀ ସଦସ୍ୟ ଛନ୍ତି ନିକଟରେ,
କହି ଦେଉଛନ୍ତି ଶ୍ରଵଣପଟରେ;
ହସୁଛନ୍ତି ବୋଲି ବୁଝାଉଅଛନ୍ତି
କରୁଅଛୁଁ ଯେତେ ରୋଦନ ।୨।
ପରଦେଶୁଁ ଆସି ପରଦେଶଵାସୀ,
ଦେଉଛନ୍ତି ଆମ୍ଭ ଅନ୍ନ ଜଳ ଗ୍ରାସି;
ଭକୁଆ ପରାଏ ଭକ ଭକ ଚାହିଁ―
ରହିଅଛୁଁ ତାଙ୍କ ଵଦନ ।୩।
ଆମ୍ଭ ଧନ ଯୋଗେ ଲାଭ କରି ଜ୍ଞାନ,
ଆମ୍ଭରି ମସ୍ତକେ ଚରଣ ପ୍ରଦାନ―
କରି ଉଠୁଛନ୍ତି ସମ୍ରାଟ-ସଭାକୁ
ହରଷେ ଵିକାଶି ରଦନ ।୪।
ଆସିଅଛ ବଡ଼ ସୋଦରସକଳ,
ଦେଖି ଦଶା,କର ବୁଦ୍ଧି କଉଶଳ;
କୋଟି କଣ୍ଠେ ଗୋଟିସ୍ଵରେ ଉଚ୍ଚେ ଡାକ
କମ୍ପିଯାଉ ରାଜ ସଦନ ।୫।
©ସ୍ଵଭାବକଵି ଗଙ୍ଗାଧର ମେହେର
No comments:
Post a Comment