My Blog List

Sunday, August 26, 2018

ଉତ୍କଳ ସମ୍ମିଳନୀ ଉପଲକ୍ଷେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଵିରଚିତ ଉଦବୋଧନୀ କଵିତା

ନିଜ ଘରେ ବସି ନିର୍ଵାସନ ଦୁଃଖ
ଆମ୍ଭ କି ଲଲାଟ ଲିଖନ,
ମାତୃଭାଷା ମନା ଭାଇସଙ୍ଗ ବିନା
ଵିକଳ ହେଉଛି ଜୀଵନ । ପଦ ।

ଗୁହାରିଲେ ଦୁଃଖ ନୃପତି ଆଗରେ,
ତଡି଼ ଦେଉଛନ୍ତି ଛାମୁରୁ ରାଗରେ;
ନୁହେଁ ତାଙ୍କ ଦୋଷ,ବୁଝନ୍ତି ନାହିଁ ସେ
ଆମ୍ଭର କଥିତ ଵଚନ ।୧।

ଵିଦେଶୀ ସଦସ୍ୟ ଛନ୍ତି ନିକଟରେ,
କହି ଦେଉଛନ୍ତି ଶ୍ରଵଣପଟରେ;
ହସୁଛନ୍ତି ବୋଲି ବୁଝାଉଅଛନ୍ତି
କରୁଅଛୁଁ ଯେତେ ରୋଦନ ।୨।

ପରଦେଶୁଁ ଆସି ପରଦେଶଵାସୀ,
ଦେଉଛନ୍ତି ଆମ୍ଭ ଅନ୍ନ ଜଳ ଗ୍ରାସି;
ଭକୁଆ ପରାଏ ଭକ ଭକ ଚାହିଁ―
ରହିଅଛୁଁ ତାଙ୍କ ଵଦନ ।୩।

ଆମ୍ଭ ଧନ ଯୋଗେ ଲାଭ କରି ଜ୍ଞାନ,
ଆମ୍ଭରି ମସ୍ତକେ ଚରଣ ପ୍ରଦାନ―
କରି ଉଠୁଛନ୍ତି ସମ୍ରାଟ-ସଭାକୁ
ହରଷେ ଵିକାଶି ରଦନ ।୪।

ଆସିଅଛ ବଡ଼ ସୋଦରସକଳ,
ଦେଖି ଦଶା,କର ବୁଦ୍ଧି କଉଶଳ;
କୋଟି କଣ୍ଠେ ଗୋଟିସ୍ଵରେ ଉଚ୍ଚେ ଡାକ
କମ୍ପିଯାଉ ରାଜ ସଦନ ।୫।

©ସ୍ଵଭାବକଵି ଗଙ୍ଗାଧର ମେହେର

No comments:

Post a Comment