ବଡ଼ ଭୋକ ବାବୁ ! ବଡ଼ ଭୋକ ଆଜି ଖାଇବାକୁ ଦିଅ ଭାତ,
ହକ୍ ପାଉଣା ଗଣ୍ଡାକ ପାଇଁ କେତେ ଵା ପାତିବୁ ହାତ ?
ଯେଉଁ ଧାନ ଆମେ ବୁଣିଲୁ କାଟିଲୁ ସେଇ ଧାନ ଦିଅ ଆଣି,
ପିଡି଼ତ ଆତ୍ମା ଗର୍ଜି ଉଠଇ ଶୁଣ ତା ଵିପୁଳ ବାଣୀ
ଚାରିଆଡେ ଆଜି ଶୁଭୁଛି ଶୁଣ ହେ ଭୋକିଲା ଜୀଵନ କଥା,
ଧନଦଉଳତେ ଦୁନିଆ ଉଛୁଳେ,ଧନିକ ଫୁଲାଏ ମଥା ।
ଗରିବ ବାପୁଡା ମରେ ଦୁଇ ଓଳି ପେଟ ପାଇଁ ଖଟି ଖଟି,
ଝାଳବୁହା ତା’ର ମିହଂତ ନେଇ ଧନିକ ମାରୁଛି ପଟି ।
ଦୁନିଆରେ ଯେତେ ନିଅଣ୍ଟ ଅଭାବ ଶୋଷଣ ରହିଛି ପୂରି,
ଧନିକ ହାତର କାରସାଦି ସବୁ,ମାରି ସେ ଶୋଷଣ-ଛୁରୀ
ଦିହରୁ ଆମର କଲାଣି ବାହାର କଙ୍କାଳ ଆଉ ହାଡ଼,
ହା’ ହୁତାଶରେ କମ୍ପି ଉଠଇ ଧରଣୀର ଚାରିଆଡ଼ ।
ମଣିଷର ଗୋଡ଼ ଚିପୁଛି ଭାଇ ହେ ମଣିଷ ପୁଅର ବେକ,
ମଣିଷ ମାଉଁସ ମଣିଷ ଖାଉଛି ନଦେଖିବା କଥା ଦେଖ ।
ଭୋକ,ଉପାସରେ ଉକୁଣୀ ପରାଏ ଝଡୁଛି ମଣିଷ ପୁଅ,
ଶ୍ୟାମଳା ଧରଣୀ ହେଲାଣି ମଶାଣି ବହୁଛି ରକତ
ସୁଅ
ଭାଳଇ ମୂଲିଆ କଵି....
ମଣିଷର ଯୁଗ କେବେ ସେ ଆସିବ ?
ଉଠିବ ନୂତନ ରବି
©ସଚ୍ଚି ରାଉତରାୟ
No comments:
Post a Comment