ଓଡ଼ିଆ ଭାଷାର “ଉଷତ ଵା ଉଷତ୍” ଏକ ନିଆରା ମୌଳିକ ଶବ୍ଦ । ବହୁ ପ୍ରାଚୀନ କାଳରୁ ଏହି ଶବ୍ଦଟିର “କଥିତ ତଥା ସାହିତ୍ୟ ପ୍ରୟୋଗ” ହେଇ ଆସୁଛି ! କିନ୍ତୁ ସମୟ ସହିତ ଏ ଶବ୍ଦର ଵ୍ୟଵହାର ପୂର୍ବାଞ୍ଚଳର କଥିତ ଓଡ଼ିଆ ଶୈଳୀ ତଥା ମାନକ ଓଡ଼ିଆରେ ସ୍ଵଳ୍ପ ହେବାକୁ ଲାଗିଲା ଏବଂ ଆଜି ପରିସ୍ଥିତି ଏମିତି ଯେ ଏହି ଶବ୍ଦଟି ଏବେ ଓଡ଼ିଶାର ସୀମିତ ଅଞ୍ଚଳରେ ଚଳୁଅଛି ।
ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏ ଶବ୍ଦର ଭିନ୍ନ ଭିନ୍ନ ରୂପ ଚଳୁଅଛି
ଯେମିତିକି
↓
★ଉଶଦ୍―ଦେବଗଡ଼(ବିଶେଷ୍ୟ)ଆନନ୍ଦ
★ଉଷ୍.ନାକ୍–ସୁଵର୍ଣ୍ଣପୁର(ବି…)ଆନନ୍ଦ, ଖୁସି
★ଉଷତ―(ବି/ବିଣ.)ମାନକ.ଓଡ଼ିଆ-ଆନନ୍ଦ, ଖୁସି
★ଉଷ୍ମାଗ୍(ବି.)ବରଗଡ଼―ଖୁସି ଆନନ୍ଦ ଆମୋଦ
★ଉସନାକି(ବି.ବିଣ)ଦେବଗଡ଼,ସୁବର୍ଣ୍ଣପୁର,ବୌଦ୍ଧ―ଆନନ୍ଦ
★ଉଷତ୍(ବି.)ସମ୍ଵଲପୁରୀ-ଆନନ୍ଦ
★ଉଷତ(ବିଣ).ସଂସ୍କୃତ-ଆନନ୍ଦିତ
(କଥିତ ଓଡ଼ିଆ ଶବ୍ଦକୋଷ-୨୦୧୮(ପ୍ରକାଶକ=ଓ.ଭା.ପ୍ର.)
ଓଡ଼ିଆ ଭାଷାର ପ୍ରାଚୀନ କାବ୍ୟ କବିତାରେ ମଧ୍ଯ ଏ ଶବ୍ଦ ଆଗେ ଚଳୁଥିଲା । ଉଦାହରଣ ସ୍ୱରୂପ
ଉପେନ୍ଦ୍ର ଭଞ୍ଜଙ୍କ ପ୍ରେମସୁଧାନିଧିରେ
ଅଛି
“ଦିନେ ଯେ ଉଚିତେ ଚିତ୍ତେ
କି ଘେନି *ଉଷତେ* ସତେ
କେତେକେ ଲେଖି ଇଙ୍ଗିତେ ଗୀତେ !” (ପ୍ରେମସୁଧାନିଧି)
କିନ୍ତୁ ପରେ ସମୟ ସହିତ ଉଭୟ କଥିତଭାଷା ଓ ସାହିତ୍ୟରେ ଏହାର ପ୍ରୟୋଗ ବହୁପରିମାଣରେ ହ୍ରାସ ପାଇଅଛି ।
ତେବେ ଓଡ଼ିଶାର ପଶ୍ଚିମ ତଥା ଦକ୍ଷିଣ ପଶ୍ଚିମରେ ବିଭିନ୍ନ ଓଡ଼ିଆ ଭାଷା ଶୈଳୀରେ ଏ ଶବ୍ଦକୁ ସ୍ଥାନୀୟ ଲୋକେ ଏବେବି ବଞ୍ଚେଇ ରଖିପାରିଛନ୍ତି । ଏ ଶବ୍ଦର ଓଡ଼ିଆ ଭାଷାରେ ପ୍ରୟୋଗ କଅମ ହେବାର କାରଣ ବାବଦରେ ଏକ ସାଧାରଣ ମତ ଲୋକପ୍ରିୟ ...
‘କୁହାଯାଏ ପ୍ରାଚୀନ ଓଡ଼ିଆ ପଦ୍ୟ ଓ କଥିତ ଭାଷାରେ ଉଷତ ଶବ୍ଦ ର ପ୍ରୟୋଗ ଥିଲା କିନ୍ତୁ ମୋଗଲ,ମରାଠା ତଥା ଇଂରେଜ ଶାସନକାଳରେ ଆନନ୍ଦ ଅର୍ଥରେ ପାର୍ସୀ “ଖୁସି” ଶବ୍ଦ ର ବ୍ୟବହାର ବଢିଲା ପରଠାରୁ ଏ ଶବ୍ଦ କୁ ଉପକୂଳ ର କେହି ମୌଖିକ ବ୍ୟବହାର କରୁନାହାନ୍ତି (ସାହିତ୍ୟ ବ୍ୟବହାର ହେଉଚି) କିନ୍ତୁ ଏ ଶବ୍ଦ ଏବେ ବି ଗଡଜାତ ଓ ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଯଥାବତ୍ ଚଳୁଅଛି !’
No comments:
Post a Comment