My Blog List

Showing posts with label ଓଡ଼ିଆ ଭାଷା. Show all posts
Showing posts with label ଓଡ଼ିଆ ଭାଷା. Show all posts

Tuesday, May 24, 2022

ଓଡ଼ିଆ ଭାଷାର ଟୋକା ଓ ପୁଅ ଭଳି ସମ୍ବୋଧନଵାଚକ ଶବ୍ଦ ଅଶ୍ଳୀଳ ?


ଓଡ଼ିଆ ଭାଷାରେ ଟୋକା,ଟୁକା,ଟୁକ,ଟୁକେଲ,ଟୋକୀ ଆଦି ଯେଉଁ ଶବ୍ଦଗୁଡ଼ିକ ପ୍ରଚଳିତ ସେ ସମସ୍ତ ଶବ୍ଦ ଅତି ପ୍ରାଚୀନ ଶବ୍ଦ ।  ସଂସ୍କୃତ ତୋକ ଶବ୍ଦ ସହିତ ଏସବୁ ଶବ୍ଦ ସମୋଦ୍ଧୃତ ।

ଭାରତରୁ ଆର୍ଯ୍ୟମାନଙ୍କ ଦ୍ଵାରା ୟୁରୋପ ଗମନ କାଳରୁ ଆଜିଯାଏଁ ଏହି ତୋକ ଶବ୍ଦ ଓଡ଼ିଆ ଭାଷାରେ ସାମାନ୍ୟ ପରିଵର୍ତ୍ତିତ ହୋଇ ଟୋକା,ଟୁକେଲ୍ ରୂପେ ପ୍ରଚଳିତ ହୋଇ ରହିଛି ।  ‌ । ଉତ୍ତର ଭାରତର ଅଧିକାଂଶ ଭାଷାରେ ସାଧାରଣତଃ ତୋକ ସହିତ ସମୋଦ୍ଧୃତ ବାଳକ ବାଳିକା ଅର୍ଥରେ ପ୍ରଚଳିତ ଶବ୍ଦ ନଥିଵା ସମୟରେ କେଵଳ ଶାସ୍ତ୍ରୀୟ ଓଡ଼ିଆ ଭାଷାରେ ଏକଦା ଵେଦରେ ପ୍ରୟୋଗ କରାଯାଇଥିଵା ତୋକ ଶବ୍ଦ ଆଜି ମଧ୍ୟ ଚଳୁଅଛି । ଏହା ସାଧାରଣ କଥା ନୁହେଁ ଵରଂ କୁହାଯାଇପାରେ ଯେ ଓଡ଼ିଆ ଜାତି ଏ ଶବ୍ଦକୁ ବଞ୍ଚାଇ ଜଣାଇ ଦେଇଛି ତା ଜାତି ଓ ଭାଷା ଆର୍ଯ୍ୟଗୋଷ୍ଠୀ ଓ ଭାଷାର କେତେ ନିକଟତର କେତେ ନିଵିଡ଼ !

ସଂସ୍କୃତ ତୋକଂ ଶବ୍ଦର ନିରୁକ୍ତି ଵିଷୟରେ କଳ୍ପଦ୍ରୁମ ସଂସ୍କୃତ ଅଭିଧାନରେ ଉଲ୍ଲେଖ ଅଛି

"ତୌତି ପୂରୟତି ଗୃହମିତି । ତୁ ପୂର୍ତ୍ତୌ + ବାହୁଳକାତ୍ କଃ ।”

ସେହିପରି ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ
“ତୁ ଧାତୁ = ବୃଦ୍ଧି ପାଇଵା+କ = ତୋକ”

ଋକଵେଦର ଅନେକ ସ୍ଥାନରେ ତୋକ ଶବ୍ଦ ଵ୍ୟଵହାର ହୋଇଛି
ଯଥା—
“ତୋକଂ ପୁଷ୍ଯେମ ତନୟଂ ଶତଂ ହିମାଃ ॥”
(ଋଗ୍ଵେଦ : ୧ । ୬୪ । ୧୪ ।)

“ପଶ୍ଵେ ତୋକାୟ ତତଯାୟ ଜୀଵସେ”
(ଋକଵେଦ: ୧୦ । ୩୫ । ୧୨)

ସେହିପରି ସଂସ୍କୃତ ଭାଗଵତରେ ମଧ୍ୟ ତୋକ ଶବ୍ଦର ପ୍ରୟୋଗ ହୋଇଥିଵା  ଦେଖାଯାଏ ।

“ତୋକେନ ଜୀଵହରଣଂ ଯଦୁଳୂକିକାୟାସ୍ତ୍ରୈମାସିକସ୍ଯ ଚ ପଦା ଶକଟୋଽପଵୃତ୍ତଃ ॥ ”
(ଭାଗଵତ:୨ । ୭ । ୨୭ ।)

ଆର୍ଯ୍ୟମାନେ କ୍ରମଶଃ ଭାରତରୁ ୟୁରୋପ ଯାଏଁ ଵ୍ୟାପିଥିଲେ ଏଵଂ ତାଙ୍କ ସହ ଯାଇଥିଲା ସେସମୟର ଭାରତୀୟ ଆର୍ଯ୍ୟଭାଷା । ସେ ସମୟରେ ପ୍ରଚଳିତ ଭାରତୀୟ ଆର୍ଯ୍ୟଭାଷାର ତୋକ ଶବ୍ଦ ସହିତ ସମୋଦ୍ଧୃତ ତତ୍କାଳୀନ ମୂଳ ଶବ୍ଦଟି  ୟୁରୋପରେ ଯାଇ ଵିଭିନ୍ନ ରୂପେ ପ୍ରଚଳିତ ହେଲା ।

ଏହାର ପ୍ରମାଣ ସ୍ଵରୂପ ୟୁରୋପର ଆର୍ଯ୍ୟଭାଷା ସମୂହ ମଧ୍ୟରେ ସବୁଠାରୁ ଶୁଦ୍ଧ ଭାଷା ଭାବେ ଖ୍ୟାତ ଲିଥୁଆନିଆରେ  ଆଜି ବି taukai ବୋଲି ଏକ ଶବ୍ଦ ଚଳୁଅଛି ଯାହା ସଂସ୍କୃତ ଭାଷାର ତୋକ,ତୁ ଧାତୁ ତଥା ଓଡ଼ିଆ ଭାଷାର ଟୋକା ସହିତ ସମୋଦ୍ଧୃତ ।

ଅଵଶ୍ୟ ଲିଥୁଆନିଆ ଭାଷାରେ taukai ଶବ୍ଦଟି  grease(melted Grease,to spread Grease), ମୋଟା ତଥା ଚର୍ବି ଅର୍ଥରେ ପ୍ରୟୋଗ ହୋଇଥାଏ ।

ପ୍ରକୃତରେ ସଂସ୍କୃତ ଭାଷାର ଯେଉଁ "ତୁ ଧାତୁ" ଶବ୍ଦରୁ ତୋକ ଶବ୍ଦ ନିଷ୍ପନ୍ନ କରାଯାଇଛି ତହିଁରୁ  ବୃଦ୍ଧି ପାଇଵା,ଵ୍ୟାପିଵା ତଥା ବଢି଼ଵା,ପୂର୍ଣ୍ଣ ହେଵା,ଵଧ କରିଵା,ପୀଡ଼ା କରିଵା  ଆଦି ଵିଭିନ୍ନ ଅର୍ଥ ଘେନା ନାନାଦି ଶବ୍ଦ ନିଷ୍ପନ୍ନ ହୋଇଅଛି।

ଶରୀରରେ ଚର୍ଵି ବଢି଼ଥାଏ  ପୁଣି ଗ୍ରୀସ୍ ମଧ୍ୟ ଵ୍ୟାପେ ତେଣୁ ଲିଥୁଆନିଆ ଭାଷାରେ ପ୍ରୟୋଗ ହେଉଥିଵା taukai ଶବ୍ଦଟି ଆଜି ଭିନ୍ନ ଅର୍ଥରେ ଚଳୁଥିଲେ ହେଁ ଏହାର ମୂଳ ପ୍ରାଚୀନ ଅର୍ଥକୁ ବଞ୍ଚାଇ ରଖିଛି ।

ସେହିପରି Polishଭାଷାର tuk (“lard”) ପ୍ରାଚୀନ ଇଂରାଜୀ ଭାଷାର þēoh, ପ୍ରାଚୀନ ନୋର୍ସ ଭାଷାର þjó (“thigh/ଜଙ୍ଘ”),ରସିଆନ୍ ଭାଷାର тук (tuk, “fat/ମୋଟା,ଚର୍ବି”) , ଇଂରାଜୀ ଭାଷାର thigh(ଜଙ୍ଘ), ପ୍ରାଚୀନ ଆଇରିଶ୍ ଭାଷାର tón ତଥା ଆଧୁନିକ ଆଇରିଶ ଭାଷାର tóin(Anus/ପିଚା),Latvian ଭାଷାର tàuki(ମୋଟା,ଚର୍ବି)Latgalian ଭାଷାର tyukt' (“ଫୁଲିଵା) ଏଵଂ ସଂସ୍କୃତ ଭାଷାର ତୁକ୍(“ବାଳକ”),ତୁଚ୍(“offspring, children),ତୁଚେ(ବାଳିକା) ତୋକ୍ମ( “a young shoot, offspring”)
ଇତ୍ୟାଦି ଶବ୍ଦ ମଧ୍ୟ ମୂଳତଃ ସଂସ୍କୃତ ତୋକ ଶବ୍ଦ ମଧ୍ୟରେ ଥିଵା ତୁ ଧାତୁ ସହିତ ସହିତ ସମୋଦ୍ଧୃତ ଅଟଇ । ପ୍ରୋକ୍ତ ସମସ୍ତ ଶବ୍ଦ ମଧ୍ୟରେ ମୂଳ ଭାଵାର୍ଥ ବୃଦ୍ଧି ପାଇଵା ଆଜି ବି ବଞ୍ଚି ରହିଛି ।

ମୂଳ ଆର୍ଯ୍ୟଭାଷା ପ୍ରାଚୀନ ଆର୍ଯ୍ୟମାନଙ୍କ ଦ୍ଵାରା ଭାରତରୁ ୟୁରୋପ ଗଲା ସମୟରେ "ତୁ ଧାତୁ"ର ପୁରାତନ ରୂପ ସେମାନଙ୍କ ସହିତ ଯାଇଥିଲା । ପାଶ୍ଚାତ୍ୟ ଭାଷାଵିଦମାନେ ଆର୍ଯ୍ୟଭାଷାର ସେହି ମୂଳ ଶବ୍ଦଟି *tewk(germ, seed, sprout, offspring) ବୋଲି ଅନୁମାନ କରିଛନ୍ତି ।

ଭାରତରୁ ୟୁରୋପକୁ ଆର୍ଯ୍ୟଗମନ ପରେ ପରେ ଭାରତରେ ପ୍ରଚଳିତ ପ୍ରାକୃତ , ଵିଭାଷା ଓ ଅପଭ୍ରଂଶ ଆଦିର ମାନକିକରଣ ହୋଇ ଆଧୁନିକ ସଂସ୍କୃତ ଭାଷାର ଜନ୍ମ  ହେଲା । ଆଧୁନିକ ସଂସ୍କୃତ ଭାଷାରେ ମୂଳ ଆର୍ଯ୍ୟଭାଷାର  *tewk ଶବ୍ଦକୁ ଆହୁରି କ୍ଷୁଦ୍ରକାରରେ ଭାଙ୍ଗି ତହିଁରେ 'ତୁ ଧାତୁ'ର କଳ୍ପନା କରାଗଲା । ତାପରେ ସେହି ତୁ ଧାତୁରୁ ତୁଵର(ହରଡ଼),ତୁବି(ଲାଉ),ତୁମୁଳ(ଅତିଶୟ),ତୋୟ(ଜଳ) ଓ ତୋକ ଭଳି ଅନେକ ଶବ୍ଦ ନିଷ୍ପନ୍ନ କରାଯାଇଛି । ଏହି ଆଧାରରେ ଭାରତରେ ବାଳକ ତଥା ବାଳିକା ଅର୍ଥରେ ସଂସ୍କୃତ ଭାଷାରେ ତୋକ ଓ ତୋକୀ ତଥା ଓଡ଼ିଆ ଭାଷାରେ ଟୋକା ଓ ଟୋକୀ ଶବ୍ଦ ପ୍ରଚଳିତ ହେଲା ।

ଆଜି ଉପକୂଳଵର୍ତ୍ତୀ ଓଡ଼ିଶାରେ ଟୋକା ଓ ଟୋକୀ ଶବ୍ଦକୁ ଅଶ୍ଳୀଳ ଵିଵେଚିତ କରାଯାଏ ।  ଅନେକେ କୁହନ୍ତି  'ଟୋକା/ଟୋକୀ'ବୋଲି ଯେଉଁ ସମ୍ବୋଧନ କରାଯାଏ ତାହା ଆଦୌ ଶ୍ରଵଣ ମଧୁର ନୁହେଁ। ଉପକୂଳର ଝିଅ ମାନଙ୍କୁ "ଟୋକି","ଟୁକୀ"  ବୋଲି କହିଲେ ସେମାନେ ରାଗିଯାଆନ୍ତି ।ସେହିପରି ଉପକୂଳର ଯୁଵକମାନଙ୍କୁ ଟୋକା ବୋଲି ସମ୍ବୋଧନ କଲେ ସେମାନେ ଭାବନ୍ତି ଏଭଳି ସମ୍ବୋଧନ କରୁଥିଵା ଵ୍ୟକ୍ତି ମୋତେ ରାଗରେ ଆକ୍ଷେପ କରୁଛି ।

ତେବେ ଓଡ଼ିଶାର ଯଦି କୌଣସି ଅଞ୍ଚଳରେ ଶବ୍ଦଟିଏ ଅଶ୍ରାଵ୍ୟ ମନେହୁଏ,ତାହା ନିଶ୍ଚୟ ମାନକ ଓଡ଼ିଆରେ ଗ୍ରହଣୀୟ ନୁହେଁ । କିନ୍ତୁ, ସମାନ ଶବ୍ଦ ଅନ୍ୟ ଏକ ଅଞ୍ଚଳରେ ସ୍ଵାଭାଵିକ ହୋଇପାରେ । ଗଡ଼ଜାତ ତଥା ଦକ୍ଷିଣ ଓଡ଼ିଶାରେ 'ଟୁକା', 'ଟୁକୀ' ଅଶ୍ଳୀଳ ନୁହେଁ  । ପଶ୍ଚିମ ଓଡ଼ିଶାରେ ବି ଟୁକା ଓ ଟୁକେଲ୍ ଶବ୍ଦଦ୍ଵୟ ସାଧୁ ଶବ୍ଦ ।  ତାହେଲେ ଉପକୂଳ ଓଡ଼ିଶାର ଲୋକଙ୍କ ପାଇଁ ଟୋକା ଓ ଟୋକୀ ଶବ୍ଦ ଅଶ୍ଳୀଳ କାହିଁକି ହୋଇଗଲା ?

ଏହାର ସବୁଠାରୁ ବଡ଼ କାରଣ ହେଉଛି ଲୋକସାହିତ୍ୟ , ଲିଖିତ ସାହିତ୍ୟ ତଥା କଥିତ ଭାଷାରେ ଟୋକା ତଥା ଟୋକୀ ଶବ୍ଦର ଵ୍ୟଙ୍ଗାର୍ଥକ ପ୍ରୟୋଗ ।

ନିମ୍ନରେ କିଛି ଓଡ଼ିଆ ଲୋକ ସାହିତ୍ୟ ମଧ୍ୟରୁ କେତେକର ଉଦାହରଣ ଦିଆଗଲା ଯହିଁରେ ଟୋକା/ଟୋକୀ ଶବ୍ଦର ଵ୍ୟଙ୍ଗାର୍ଥକ ପ୍ରୟୋଗ ହୋଇଅଛି

"ଏ ଟୋକାଟା କାହାର ବେଟା
ଏ ଟୋକିଟୀ କାହାର ବେଟୀ”

"ପିନ୍ଧିଥିଲି ପାଟ ସାଢ଼ୀ ଜାତି ନଵ ବୋଲି ପଠାଣଟୋକା ଦୁଆଇ ବସିଲା ମାଡ଼ି”

“ଟୋକାଙ୍କୁ ସୁନ୍ଦର ବସନ୍ତ ପଞ୍ଚମୀ, ଟୋକୀଙ୍କି ସୁନ୍ଦର ନେତ।
ବୁଢ଼ୀଙ୍କି ସୁନ୍ଦର ରାଈ ଦୋମୋଦର,
ବୁଢ଼ାଙ୍କୁ ସୁନ୍ଦର ଶୀତ” !

“ବାପ ବଙ୍କା ପୁଣ ସଳଖା ନାତି ଟୋକା ଭାରି ପାରକା(ପ୍ରହେଳିକା)”

“ଦୂତି ! ମୁଇଁ ତୋ କୋନ୍ତା କରସି ଗୋ। ନନ୍ଦପୁଅର କଥା ମତେ କେନ୍ତାକେନ୍ତା ଲାଗସି ଗୋ।

ଦିଶୁଥାଇସି କଲିଆ ଟର୍ଟର୍ ପିନ୍ଧୁ ଥାଇସି ହଲ୍‌ଦିଆ ଜର୍ଜର୍ ଧୋବ ଫର୍‌ଫର୍‌ଟେ ଜଅନ୍ ବାଗିର୍ଟେ ବେକେ ଓହ୍ଲାଇ ଥାଇସି ଗୋ।

ଯିବାବେଲ୍‌କେ ଯମ୍ନା ଜଲେ ବସି ଥାଇସି କଦମ୍ ତଲେ ମତେ ଅନାଇ କାଲିଆ ଟୋକା କାଇକାଇ କଥା କହିସି ଗୋ।

କାଇ କାଇ ମନ୍ତର ଆଇସି ତାଇକେ ମୂଷା ଡଇଁଶା ହୋସି ଘାଏବେ ଯେତେ ଥାଇସି କ୍ଷୀର୍ ଲହୁନୀ ଚୋରାଇ କରି ଖାଇସି ଗୋ।

(ସମ୍ବଲପୁରୀ ଲୌକିକ ଗୀତ; ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ସଂଗୃହୀତ)

ଗାଁ ଦେଢ଼ଶୁର , ଟୋକା ମଳାଶୁର , ଭଉଣୀ ଜୋଇଁ, ଏ ତିନି ଜଣଙ୍କୁ ଓଢ଼ଣୀ ନାହିଁ।

ଵା

ବୁଢ଼ା ଶଶୁର ,କଣା ଦେଢଶୁର
ଟୋକା ମଳାଶୁର ,ଗାଆଁର  ଜୋଇଁ
ଏମାନଙ୍କୁ ସେତେ ସମ୍ମାନ ନାହିଁ ॥
(ଗାଆଁ କନିଆଁ ସିଙ୍ଗାଣି ନାକୀ ନ୍ୟାୟ ସମ୍ବନ୍ଧୀୟ ସମାର୍ଥକ ଢଗ ବୋଧହୁଏ)

'କୁକୁଡା ମୁଣ୍ଡରେ ମହଣ
ଟୋକା ଫୁଟାଣି ଦେଖିବ  କଅଣ।'

ପିଲା ଖାଇଲେ  କାନ୍ଦନ୍ତି
ଟୋକା ଖାଇଲେ  ହସନ୍ତି
ବୁଢ଼ା ଖାଇଲେ ମୁଣ୍ଡରେ ହାତ ଦେଇ ବସନ୍ତି

ଟୋକା ମାଙ୍କଡ଼ ତଟୁ ଘୋଡ଼ା
ଯେବେ ହୋଇବେ ଯୋଡ଼ା ଯୋଡ଼ା
ଲାଗିବେ କାମୁଡ଼ା କାମୁଡ଼ା !

କୋଠା ଘର ବୁଢ଼ା ବର
ଲୁହ ବୋହୁ ଥାଏ ଝର ଝର ।
ଟୋକା ବର  ମାଟି ଘର
  ହସ ଝରୁ ଥାଏ କର କର।
ମନେପକା ଦିନେ
ସେହି ବେଳକୁ,
ଟୋକା ଟାଣୁଥିଲେ ବନ୍ଧ ତଳକୁ!
ରାଜା ଆଦରରେ ନେଲେ କୋଳକୁ,
ଏ ଗଭା ସହୁନାହିଁ ମଲ୍ଲୀମାଳାକୁ?

ପଥର ଭାଡି ଖସିଲା ,
ଜାତି ନବ ବୋଲି ଗୋଲାମ ଟୋକା ,
ଦୁଆର ମାଡ଼ି ବସିଲା ।

କାନ ନ ଥାଇ ସେ ଆଖିରେ ଶୁଣେ,
ବାସ ତାର ଘର, ମନ୍ଦିର,ବଣେ।
ବୁଢ଼ା ହେଲେ ଟୋକା ରୂପକୁଧରେ,
ଆପେ ମରେନାହିଁ ମାରିଲେ ମରେ।

ଟୋକା ହୋଇଯିଏ ରହେ ବାଡୁଆ
ଵିଵାହ କରଇ ଯେବେ
ହାଡୁଆ
ଵିଵାହ କରି ଯେ ନାରୀ
ଛାଡ଼ୁଆ
ଵିଵାହ କରି ଯେ
ନୁଡ଼ୁବୁଡ଼ିଆ
କହେ ଦନାଇ ଏ ଚାରି ମାଡୁଆ ।

ସାତ ଚକଟା ପୋଳୁହଘଣ୍ଟା
ଵିଭୁତି ଭୁଷଣ ଦିକାନ କଟା ଚିଲପ୍ରସାଦରୁ ତ୍ରିଭୁବନ ଭ୍ରମିଲି,
ତୁ ମତେ ଧରିଵାକୁ ମୋ ଆଗେ ହଲଉଚୁ ବନିଶ କଣ୍ଟା ହଇରେ ପଠାଣ ଟୋକା !!!

"ଟୋକା ଟାକଳିଆ ବୁଦ୍ଧି
ଆଗକୁ ପଛକୁ ଵିଚାର ନାହିଁ
ମଥାରେ ନାଉଁଛି ମୁଦି।"

ବାପ ଅଳସୁଆ
ଚହଟ ଚିକ୍କଣ
ପୁଅ ତା'ର ତଳମୁହାଁ
ନାତି ଟୋକା ବଡ଼
ଉପରମୁହାଁ
ଏମାନଙ୍କ ନାମ
କହିଵ ଯିଏ
ନାତି ସାଙ୍ଗେ
ସାଙ୍ଗ ହୋଇବ ସିଏ !!!(ନାଁଦିଆ)

ମାଛ ମାରିଗଲା ଭେଣ୍ଡିଆ ଟୋକା,
ମୋଡିମାଡି କରି ଖାଇଲା ଏକା।
ରକତ ଝରାଇଲା ମୁହଁରୁ ସଖା।

କୁରି ହେଉ ହେଉ ପାହିଲା ରାତି
କାଉ ନେଇଗଲା କଜଳପାତି
ଉଠ, ଉଠ ଟୋକା ଦିଅର,
ଚାଉଳ ଧୋଇ ନେବି ଚାଉଳ
ପଛେ ଅରୁଆ ହେଉ
ଘଇତା ମଲେ ଦିଅର ଥାଉ ।
(ପୁଚିଖେଳ ଗୀତ)

ପାଣ୍ଡବମାନଙ୍କ ଵୀରପଣ ଦେଖି
କୁରୁ ପଚାରଇ ରୋଷେ
ଲାଖ ବିନ୍ଧିବ କି ବ୍ରାହ୍ମଣ ଟୋକା ଲୋ
ବସିଛି ତ ଚଉକାଷେ ॥

ପାଚିଲା ଆମ୍ବ ଯେବେ
ଧଇଲା ପୋକ।
ବୁଢ଼ୀ ହାତ ଯେବେ
ଧଇଲା ଟୋକା
ଯେବେଟି ହୋଇଲା
ଭାତ ନକେଇ
କାମ  ଚଳେ ସତ
ତୃପତି ନାହିଁ ।

ଟୋକା ଟାକଳିଆ ମାଗୁରନିଶ, 
ଓଷାଵାର ନାହିଁ ନିତି ଆଇଁଷ ।

ଟୋକା ଦେଖାଉଛି ଚାତର...
ବୋପା ବିକୁଥିଲା ଚିଙ୍ଗୁଡ଼ି ଶୁଖୁଆ,
ମା 'ବିକୁଥିଲା ପତର   ll

ଆଲୋ  ନେଉଟିଆ ଶାଗ !
ଥିକୁଲୁ ଥାକୁଲୁ ତହିଁ ରେ ପଡ଼ିଛି କାକର ।
ତା ଭଳି ଟୋକା କେତେ ମୁଁ ଦେଖିଛି
ଯାକି ନେଇଯିବି କାଖର  ॥

ଖୁଁ ଖୁ କାଶ
ଖର ନିଶ୍ବାସ
ନଈ ତଳିଆ ଵାସ
ନଈ ପାରିଆ ଚାଷ
ମଇ ତଳିଆ ଟେକା
କଚେରି ତଳିଆ ଟୋକା
ବେଳ ଆସିଲେ ଏମାନେ
କରିଦିଅନ୍ତି ବୋକା।

ଚତୁରେଈ,
ବିରି ଦେଇଥାଏ ବତୁରେଇ,
ଏଣେ ତେଣେ ଚାହିଁ ଗୋଟିଏ ଗୋଟିଏ,
ଟୋକୀ ଦଉଥାଏ ସୁତୁରେଇ।

ଜନ୍ତୁ ଜାନୁଆର ମାରଣା ଷଣ୍ଢ
ଲାଞ୍ଚୁଆ ମିଛୁଆ ଖଚୁଆ ଭାଣ୍ଡ
ଖୋସାମଦିଆ ଯେ ଵିଟପୀ ନାରୀ
କଳିହୁଡ଼ି ଆଉ ଠକ ବେପାରୀ
ବାଳ ଵିଧଵା ଯେ ଠକ ମ‌ଇତ୍ର
କୋରଧୀ ବ୍ରାହ୍ମଣ ଯେ ଭଙ୍ଗା କାନ୍ଥ
ଶତ୍ରୁ ସଙ୍ଗେ ଯେ କରେ କାରବାର
ଟୋକୀ ଶାଳୀ ହୋଇଥିଲେ ସୁନ୍ଦର
ଅଵିଵାହୀ ଯୁଵା ସାଵତ ପୁଅ
ମଦୁଆ ମିଛୁଆ ଭୁଷଡ଼ା କୂଅ
ପହଳି ଵଚନେ ଦନାଇ କହି
ଏମାନଙ୍କ ପାଖ ମାଡ଼ିଵ ନାହିଁ ।।

ଦଇବ କଲା ,
ଟୋକୀ କପାଳକୁ ପାକୁଆ ବୁଢା।

ଦଇଵ !
ଦହିଭାତ କିଏ ଖାଇଵ ?
ଦରବୁଢା଼ଟାକୁ ଟୋକି ପରଷୁଛି
ୟା କି ଏ ଦିହ ସହିଵ ?

ନଈରେ କୋଚିଆ ଗାତ ଲୋ ବଉଳ
ନଈରେ କୋଚିଆ ଗାତ
ସମୁଦୀ ବୋଲି ମୁଁ ଧରିପକାଇଲି
ଟୋକି ସମୁଦୁଣିହାତ ॥

ନଇ କୁ ମାରିଲି ଗିଲ,
ଟୋକି ଶାଳୀ ସାଥେ ହୋଇଲି ଗେଲ ଲୋ, ଛାମ୍ପି ନେଇ ଗଲା ଚିଲ ॥

🟣ସେହିପରି  ପ୍ରାଚୀନ ଓଡ଼ିଆ ଲିଖିତ ସାହିତ୍ୟରେ ମଧ୍ୟ ଟୋକା ଶବ୍ଦକୁ ଵ୍ୟଙ୍ଗାର୍ଥକ ପ୍ରୟୋଗ କରାଯାଇଛି !

“ତୁ ପରା ଟୋକୀ ତାଡ଼କାମରା ଟୋକା ଭାଙ୍ଗିଛୁ ଧନୁ ଖଣ୍ଡେ ପୁରୁଣା ପୋକା ରେ”—

(ଵିଶ୍ବନାଥ ଖୁଣ୍ଟିଆଙ୍କ ଵିଚିତ୍ର ରାମାୟଣରେ ରାମଚନ୍ଦ୍ରଙ୍କୁ ପର୍ଶୁରାମଙ୍କ କଥନ )

“ଵନକୁ ଏକାକୀ କେଭେଁ ନ ଯିବୁ ଅମ୍ବିକା ଜନେ ମିଶି ପେଟ କରି ଦେବେ ଋଷି ଟୋକା”
(କୃଷ୍ଣସିଂହ କୃତ କୃଷ୍ଣ ମହାଭାରତରେ ଅମ୍ବିକାକୁ ତାହାର ପିତୃଵ୍ୟ ଜନୈକ ଋଷିଙ୍କ ଉପଦେଶ ଵଚନ)।

“ସେ ଟୋକା ମାଇକିନିଆଙ୍କ ସଙ୍ଗରେ ସବୁବେଳେ ରଜଘଷ ହେଵାରୁ ଭାରି ଝିଟି ହୋଇ ଯାଇଅଛି। ”
(ଫକୀରମୋହନଙ୍କ ଗଳ୍ପସ୍ବଳ୍ପ।)

“ଆସାମ ଚା ବଗିଚା ମେନେଜର ସାହେବ ଗୋଟାଏ କୁଲି ଟୋକାକୁ ବାବୁଚି କାମରେ ବାହାଲ କରିଥିଲେ।

(ଫକୀରମୋହନଙ୍କ ଗଳ୍ପସ୍ବଳ୍ପ)

ମାସେ ଦୁଇମାସରେ ଚାରିମାସ ଛମାସରେ ଟୋକୀଠାରୁ ବୁଢ଼ୀ ଟୋକାଠାରୁ ବୁଢ଼ାଯାଏ ସାଙ୍ଗ ମନ ମିଳାପୀ ଲୋକ ଦେଖିଲେ x x x x ପରସ୍ପରକୁ ସାଵଧାନ କରାଇ ଦିଅନ୍ତି। (ଫକୀରମୋହନଙ୍କ ଛମାଣ ଆଠଗୁଣ୍ଠ।)

ସାଧାରଣତଃ ତତ୍କାଳୀନ ଉପକୂଳ ଓଡ଼ିଶାର ଲୋକେ ହିଁ ଅଧିକ ଓଡ଼ିଆ ସାହିତ୍ୟ ଲେଖୁଥିଲେ ତେଣୁ ସେମାନେ ତାଙ୍କ ଅଞ୍ଚଳରେ ପ୍ରଚଳିତ ଟୋକା ଟୋକୀ ଶବ୍ଦର ଵ୍ୟଙ୍ଗାର୍ଥକ ପ୍ରୟୋଗକୁ ସାହିତ୍ୟରେ ମଧ୍ୟ ସ୍ଥାନ ଦେଇଛନ୍ତି ‌ । ଫଳତଃ ଉପକୂଳ ଓଡ଼ିଶାରେ "ପୁଅ,ଝିଅ,ଯୁଵକ,ଯୁଵା ,ନହୁଲୀ” ଆଦି ଶବ୍ଦକୁ ଶ୍ଳୀଳ ଶବ୍ଦ ଵିଵେଚନା କରି ଟୋକା ତଥା ଟୋକୀ ଶବ୍ଦକୁ ଵ୍ୟଙ୍ଗାର୍ଥକ ପ୍ରୟୋଗ କରିଵାର ପରମ୍ପରା ଶହ ଶହ ଵର୍ଷ ଧରି ପୂର୍ଵାଞ୍ଚଳ ତଥା ଉପାନ୍ତ ଓଡ଼ିଶାରେ ରହିଥିଲା ଯାହା ଆଜି ଅତି ଉତ୍କଟ ହେଵାରୁ ଟୋକା ଶବ୍ଦକୁ ଅନେକେ ଅଶ୍ଳୀଳ ଵିଚାର କରୁଅଛନ୍ତି ।

ତେବେ ମନେ ରଖିଵାକୁ ହେଵ ଯେ ଟୋକା ତଥା ଟୋକୀ ଶବ୍ଦ ଓଡ଼ିଆରେ ପ୍ରଚଳିତ ଦିଅକ୍ଷରିଆ ଗାଳି ଶବ୍ଦ ଭଳି ଅତ୍ୟନ୍ତ ଅଶ୍ଳୀଳ ନୁହେଁ ଵରଂ ଏ ଶବ୍ଦକୁ ବେଳେ ବେଳେ ସ୍ଵାଭାଵିକ ତଥା ଆଉ କେବେ କେବେ ଵ୍ୟଙ୍ଗାର୍ଥକ ପ୍ରୟୋଗ କରାଯାଏ ‌। 

ଯେମିତି ଇଂରାଜୀରେ ଛୋଟ ଛୁଆଙ୍କୁ ବୈବୀ କହିଲେ ତାହା ଅଶ୍ଳୀଳ ନୁହେଁ କିନ୍ତୁ ପ୍ରାପ୍ତଵୟସ୍କ ଯୁଵତୀଙ୍କୁ ବୈବୀ ସମ୍ବୋଧନ କାମୁକ ଇଙ୍ଗିତ ରଖେ ତେଣୁ ଅଶ୍ଳୀଳ ।

ସେହିପରି  ଉପକୂଳଵର୍ତ୍ତୀ ଓଡ଼ିଶାରେ ମଧ୍ୟ କୁନି କୁନିି ପିଲାଙ୍କୁ ଏ ଟୋକା ଟା ଭାରି ଦୁଷ୍ଟ ହେଉଛି କହିଲେ ଚଳେ କିନ୍ତୁ ତାରୁଣ୍ୟ ଛୁଇଁଲା ପରେ ଟୋକୀ ଟୁକେଲ୍ କହିଲେ ଶୁଣିଵାକୁ ଭଲ ଲାଗେନାହିଁ , ଏଥିରେ କିଛିଟା କାୟିକ ଦୁର୍ଗନ୍ଧ ଆସେ ବୋଲି ଉପକୂଳର ନହୁଲୀ ସୁନ୍ଦରୀମାନେ ତଥା ଵୀର ଯୁଵକମାନେ ଅନୁଭଵ କରନ୍ତି । ତେଣୁ ଉପକୂଳିଆ ତାଙ୍କ କଥିତ ଭାଷାରେ ପୁଅ ତଥା ଝିଅ ଶବ୍ଦ ପ୍ରୟୋଗ କରିଵାକୁ ଅଧିକ ଶ୍ରେୟସ୍କର ମନେ କରନ୍ତି ଟୋକା କିମ୍ବା ଟୋକୀ ନୁହେଁ ।

ମାତ୍ର ପୂର୍ଵାଞ୍ଚଳର ଲୋକେ ସେହି ପୁଅ ତଥା ଝିଅ ଶବ୍ଦଦ୍ଵୟ ଦକ୍ଷିଣ ଓଡ଼ିଶା ଵିଶେଷତଃ ଗଞ୍ଜାମ ଜିଲ୍ଲାରେ କୌଣସି ଯୁଵକ ଯୁଵତୀକୁ ସମ୍ବୋଧନ କରି ଡାକିଲେ ତାହା ଅଶ୍ଳୀଳ ଵିଵେଚିତ ହୋଇଥାଏ ‌ । କାରଣ ଦକ୍ଷିଣ ଓଡ଼ିଶାରେ କେଵଳ ନିଜ ପୁଅ ଝିଅଙ୍କୁ ହିଁ ପୁଅ ତଥା ଝିଅ ସମ୍ବୋଧନ କରାଯାଏ ।

ସେହିପରି ଉପକୂଳଵର୍ତ୍ତୀ ଅଞ୍ଚଳରେ ଵିଶେଷତଃ କଟକ ଓ ଏହାର ଆଖପାଖ ଅଞ୍ଚଳରେ ବଡ଼ମାଆଙ୍କୁ ମମା ତଥା ମାମା ସମ୍ବୋଧନ କରାଯାଏ ହେଲେ ଦକ୍ଷିଣ ଓଡ଼ିଶାରେ ମାତୃସ୍ତନକୁ ମମା ଓ ମାମା କୁହାଯାଏ । ଫଳତଃ ଦକ୍ଷିଣ ଓଡ଼ିଶାର ଲୋକମାନଙ୍କ ପାଇଁ ଏ ସମ୍ବୋଧନଵାଚକ ଶବ୍ଦଟି ଅଶ୍ଳୀଳ ଅଟଇ ।

କେହି କେହି କହନ୍ତି କୌଣସି ଅଞ୍ଚଳରେ ଯଦି ଏକ ଶବ୍ଦ ଅଶ୍ଳୀଳ ହୋଇଥାଏ ତେବେ ତାହା ମାନକ ଭାଷାରେ ଗ୍ରହଣଯୋଗ୍ୟ ହୋଇନପାରେ ‌।

ଏ ଦୃଷ୍ଟିରୁ ଦେଖିଲେ ଦକ୍ଷିଣ ଓଡ଼ିଶାରେ ପୁଅ ଓ ଝିଅ ପୂର୍ଵ ଓଡ଼ିଶାରେ ଟୋକା ଓ ଟୋକୀ,ମମା ଇତ୍ୟାଦି ଶବ୍ଦ ଭିନ୍ନ ଭିନ୍ନ ଅଞ୍ଚଳରେ  ଅଶ୍ଳୀଳ ମନେ କରାଯାଉଥିଵାରୁ ଏସବୁ ଶବ୍ଦ ମାନକ ଓଡ଼ିଆ ଭାଷାରେ ଗ୍ରହଣୀୟ ହେଵା ଅନୁଚିତ୍ । ସେହିପରି ଏସବୁ ଶବ୍ଦ ଯେଉଁ ଅଞ୍ଚଳରେ କଥିତ ହେଉଛି ସେସବୁ ଅଞ୍ଚଳର ଲୋକେ ବି ଛାଡି଼ଦେଲେ ହିଁ ମଙ୍ଗଳ !

ତା'ହେଲେ ମାନକ ଓଡ଼ିଆରେ ଆଉ କୋଉ ଶବ୍ଦ ଅଛି ?

ଯୁଵକଙ୍କୁ ଵୟସ୍କମାନେ ବାପ,ବାପା ଆଉ ଯୁବତୀମାନଙ୍କୁ ମାଆ ସମ୍ବୋଧନ କରିପାରନ୍ତି ...

କିନ୍ତୁ ଏ କଳିଯୁଗରେ କୌଣସି ଛୋଟକନ୍ୟାକୁ ମାଆ ସମ୍ବୋଧନ ବି ଅଶ୍ଳୀଳ ହୋଇପାରେ କାରଣ ଯଦି "ଶ୍ରୀମନ୍ଦିର ଆଗରେ ନୃତ୍ୟ କରୁଥିଵା ଉଦ୍ଧତ କନ୍ୟା" ଶ୍ରେଣୀୟ କେହି ଯୁଵତୀ ଓଲଟା ପ୍ରଶ୍ନ କରେ

“ହଇରେ ପୋଡ଼ାମୁହାଁ ମୁଁ ତ ବୋପାର ମାଇପ ଯେ ମୋତେ ତୁ ମାଆ ଡାକୁଛୁ ?”

ତାହେଲେ ଡାକିଲାଲୋକର ସବୁ ମହତ ଯିଵ

ତାଛଡ଼ା ଆଜିକାଲିକା ହୁରୁମା ଯୁଵକମାନଙ୍କୁ ସୁଦ୍ଧା ବାପ କି ବାପା ଡାକିଵା ଭୟଙ୍କର ଭୁଲ୍ ହୋଇଯାଇପାରେ କାରଣ ଆଜିକାଲିର ଯୁଵକ ଏତେ ଉଦ୍ଧତ ହୋଇଗଲେଣି ଯେ ଵୟସ୍କ ଵ୍ଯକ୍ତି ତାଙ୍କୁ ବାପ କି ବାପା ଡାକିଲେ ସେମାନେ ଓଲଟା ପୁଅରେ ବୋଲି ସ୍ନେହ ସମ୍ବୋଧନ କରିପାରନ୍ତି !

ତାହେଲେ ଏବେ କ'ଣ କରାଯିଵ ?

ଓଡ଼ିଆ ଭାଷାର ଟୋକା,ଟୋକୀ ,ପୁଅ,ଝିଅ ,ବାପ,ବାପା ଓ ମାଆ ଆଦି ଯେତେ ସମ୍ବୋଧନଵାଚକ ଶବ୍ଦ ତାହା କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଅଶ୍ଳୀଳ ବୋଲି ଛାଡ଼ି ଦେଵା ଆଉ ଇଂରେଜମାନଙ୍କର Boy girl mom dad ତଥା ହାଣ୍ଡିଆଙ୍କ लेड़का,लेड़की,छोरा,छोरी,बेटा,बेटी ଭଳି ଶବ୍ଦକୁ ନେଇ କାମ ଚଳେଇଵା କି ?

Sunday, May 1, 2022

ଭାଷାମୃତ୍ୟୁ : କାରଣ ଓ ନିରାକରଣ


ଏକ ଵ୍ୟକ୍ତି ଵା ପରିଵାର ମଧ୍ୟରେ କଥିତ ବୋଲୀକୁ ଵ୍ୟକ୍ତିବୋଲୀ କୁହାଯାଏ । ଗୋଟିଏ ଜାତି ମଧ୍ୟରେ କଥିତ ବୋଲୀକୁ
ଜାତିବୋଲୀ କୁହାଯାଏ । ଏକ ଅଞ୍ଚଳରେ ଅନେକ ପରିଵାର ଓ ଵିଭିନ୍ନ ଜାତିମାନଙ୍କ ଦ୍ଵାରା କଥିତ ଭାଖାକୁ ଉକ୍ତ ଅଞ୍ଚଳ ନାମରେ ନାମିତ କରି ମୁଖ୍ୟ ବୋଲୀ ଵିଚାର କରାଯାଏ । ଏକ ମଣ୍ଡଳ ଵା ଜିଲ୍ଲାରେ ପ୍ରଚଳିତ ଅନେକ ବୋଲୀର ସମାହାରରେ କଥିତ ଭାଖାକୁ ଭାଷାଶୈଳୀ କୁହାଯାଏ । ଅନେକ ଭାଷାଶୈଳୀକୁ ନେଇ ଗୋଟିଏ ମାନକ ଭାଷା ପୃଥିଵୀର ଏକ ବଡ଼ ଭୂଭାଗରେ କଥିତ ହୋଇଥାଏ ।

“ଗୋଟିଏ ଭାଷାର ଅୟମାରମ୍ଭ ଏକ ଵ୍ୟକ୍ତିଠାରୁ ହୋଇ ଦେଶ ଵିଶ୍ଵ ମହାକାଶ ପର୍ଯ୍ୟନ୍ତ ଵ୍ୟାପ୍ତ ହୋଇପାରେ ପୁଣି ସଂକୁଚିତ ଓ ସୀମିତ ହୋଇଯାଇ ଵ୍ୟକ୍ତିଠାରେ ହିଁ ସମାପ୍ତ ହୋଇଯାଇଥାଏ ।”

୨୦୦୦ ଗ୍ରେଗୋରୀୟ ଵର୍ଷରେ ଏକ ଅଧ୍ୟୟନରୁ ଜଣାପଡି଼ଥିଲା ଯେ ପୃଥିଵୀରେ ୭୦୦୦ରୁ ଅଧିକ ଭାଷା ଏବେ ମଧ୍ୟ କଥିତ ହେଉଛି ଏଵଂ ତନ୍ମଧ୍ୟରୁ ୯୦% ଭାଗ ଭାଷା ୨୦୫୦ ସୁଧା ଲୁପ୍ତ ହୋଇଯିଵାର ସମ୍ଭାଵନା ରହିଛି । ୨୦୫୦ ସୁଦ୍ଧା ହିନ୍ଦୀ ଓ ଇଂରାଜୀ ଭଳି କେତେକ ଭାଷାକୁ ଛାଡ଼ିଦେଲେ ଓଡ଼ିଆ ପରି ପାଞ୍ଚକୋଟି ଲୋକଙ୍କ ମଧ୍ୟରେ ସୀମିତ ଅନେକ ଭାଷା ଲୁପ୍ତ ହେଵାର ସମ୍ଭାଵନା ରହିଛି । ତେବେ ଭାଷା ମୃତ୍ୟୁର ଅନେକ କାରଣ ମଧ୍ୟରୁ କେତେକ ଵିଷୟରେ ଆଲୋଚନା କରି ଦେଖାଯାଉ ଯେ କ'ଣ ପ୍ରକୃତରେ ଓଡ଼ିଆ ଭାଷା ପ୍ରତି ଵିପଦ ଅଛି !

(କ)Gradual language death
ଵା କ୍ରମିକ ଭାଷାମୃତ୍ୟୁ

ଭାଷାଗୁଡ଼ିକ ମରିଵାର ଏହା ସବୁଠାରୁ ସାଧାରଣ କାରଣ  ।  ସାଧାରଣତଃ ଏହା  ସେତେବେଳେ ଘଟେ ଯେତେବେଳେ ସେହି ଭାଷା କହୁଥିଵା ଲୋକମାନେ "ଉଚ୍ଚ ସମ୍ମାନର ଭାଷା" ବୋଲି କୌଣସି ଏକ ଵୈଦେଶିକ ଭାଷାକୁ ଗ୍ରହଣ କରିଥାନ୍ତି ଏଵଂ ପ୍ରାୟତଃ ଉକ୍ତ ଭାଷାରେ ହିଁ ଅନ୍ୟ ସହିତ କଥୋପକଥନ କରିଵାକୁ ଅଧିକ ମହତ୍ତ୍ଵ ଦିଅନ୍ତି |  ଏହି ଧରଣର ଲୋକେ ପ୍ରଥମେ ଦ୍ୱିଭାଷୀ ହୋଇଯାଆନ୍ତି ଏଵଂ ତା’ପରେ ନୂତନ ପିଢି଼ ସହିତ ମାତୃଭାଷାରେ ଦକ୍ଷତାର ସ୍ତର ଧୀରେ ଧୀରେ କମି କମି ଯାଏ ।  ଶେଷରେ କୌଣସି ଵ୍ୟକ୍ତି ଦ୍ଵାରା ବୋଲା ନଯିଵା ଯୋଗୁଁ ଗୋଟିଏ ଭାଷା ଲୁପ୍ତ ହୋଇଯାଏ । ଓଡ଼ିଶାରେ ଆଜିକାଲି ସାଧାରଣ ଲୋକଙ୍କ ମଧ୍ୟରେ ହିନ୍ଦୀ ତଥା ଧନୀକ ଲୋକଙ୍କ ମଧ୍ୟରେ ଇଂରାଜୀ ଭାଷା ଉଚ୍ଚ ସମ୍ମାନର ଭାଷା ପରିଗଣିତ ହେଉଅଛି । ଦେଶଭକ୍ତି ସହିତ ହିନ୍ଦୀକୁ ଯୋଡ଼ାଯାଉଛି ସତେ ଯେମିତି ଓଡ଼ିଆ ଭାଷାରେ ଦେଶଭକ୍ତି ପ୍ରକାଶ କରିଵା ଅସମ୍ଭଵ । ପୁନଶ୍ଚ ପାଣ୍ଡିତ୍ୟ ପ୍ରଦର୍ଶନ କରିଵା ପାଇଁ ହେଉ ଵା ଆଞ୍ଚଳିକତାଵାଦୀ ଚିନ୍ତାଧାରା ଯୋଗୁଁ କିଛି ଓଡ଼ିଶାଵାସୀ ଓଡ଼ିଆ ଜାଣି ବି ଓଡ଼ିଆ ପରିଵର୍ତ୍ତେ ଇଂରାଜୀ ଓ ହିନ୍ଦୀ ଭାଷାରେ କଥା ହେଵାକୁ ଶ୍ରେୟସ୍କର ମଣୁଛନ୍ତି । ଏହି ଜାତୀୟ ଲୋକଙ୍କ ଚିନ୍ତାଧାରା ଯୋଗୁଁ କ୍ରମିକ ଭାଷାମୃତ୍ୟୁ ହୋଇଥାଏ
। ଵର୍ତ୍ତମାନ ଓଡ଼ିଶାଵାସୀଙ୍କ ହିନ୍ଦୀ ଓ ଇଂରାଜୀ ପ୍ରେମ ଯୋଗୁଁ ଭଵିଷ୍ୟତରେ ଓଡ଼ିଆ ଭାଷା ମଧ୍ୟ ମୃତ ହୋଇପାରେ ବୋଲି ଅନେକ ଓଡ଼ିଆ ବୁଦ୍ଧିଜୀଵୀ ଚିନ୍ତା ଵ୍ଯକ୍ତ କରନ୍ତି ।

(ଖ) bottom to top language death ଵା ନିମ୍ନରୁ ଶୀର୍ଷ ଭାଷା ମୃତ୍ୟୁ |

ଯେତେବେଳେ ଗୋଟିଏ ଭାଷା କେଵଳ ଧାର୍ମିକ, ସାହିତ୍ୟିକ, ଆନୁଷ୍ଠାନିକ ଉଦ୍ଦେଶ୍ୟରେ ଵ୍ୟଵହୃତ ହେଵାକୁ ଲାଗେ, କିନ୍ତୁ କଥିତ ଭାଷା ରୂପରେ ପ୍ରଚଳିତ ରୁହେ  ନାହିଁ ସେତେବେଳେ ସେ ଭାଷାର ମୃତ୍ୟୁ ଘଟିଥାଏ  । ଭାରତର ସଂସ୍କୃତ ଏଵଂ ଇଟାଲୀର ଲାଟିନ୍ ଭାଷା ଏହାର ଉଦାହରଣ । ହିବ୍ରୁ ମଧ୍ୟ ଏହି କାରଣରୁ ଵିଲୁପ୍ତ ହେଵାକୁ ଯାଉଥିଲା କିନ୍ତୁ ଇସ୍ରାଏଲ ଦେଶ ଗଠନ ପରେ ଏ ଭାଷା ପୁର୍ନଜୀଵନ ଲାଭ କରିଛି । ମୁସଲମାନମାନଙ୍କ ଧାର୍ମିକ ଭାଷାହୋଇ ମଧ୍ୟ ଆରବୀ ଯେହେତୁ କଥିତ ଭାଷା ରୂପରେ ପ୍ରଚଳିତ ତେଣୁ ଏହାର ଏଯାଵତ୍ ମୃତ୍ୟୁ ଘଟିନାହିଁ । ଓଡ଼ିଶାରେ ଓଡ଼ିଆ ଭାଷା ଵର୍ତ୍ତମାନ ତାହାର ଉଚ୍ଚତମ ଶୀଖରରେ ପହଞ୍ଚି ସାରିଛି । କିନ୍ତୁ ଏ ଭାଷାକୁ ଯଦି କେଵଳ କାର୍ଯ୍ୟାଳୟ,ପୁସ୍ତକ ଓ ଧର୍ମଗ୍ରନ୍ଥର ଭାଷା ରୂପରେ ଵ୍ୟଵହାର କରି କଥିତ ଭାଷା ରୂପରେ ହିନ୍ଦୀ ଓ ଇଂରାଜୀ ଵ୍ୟଵହାର କରାଯାଏ ତେବେ ଓଡ଼ିଆ ଭାଷା ଲୁପ୍ତ ହୋଇଯାଇପାରେ । ଆମେ କଟକ ଓ ଭୁବନେଶ୍ୱରରେ ଏଭଳି  ଲୋକମାନଙ୍କର ପ୍ରାଦୁର୍ଭାଵ ବଢ଼ୁଥିଵା ଲକ୍ଷ୍ୟ କରିଥାନ୍ତି । ଯଦି ଏପରି ଲୋକଙ୍କ ପ୍ରାର୍ଦୁଭାଵ ଓଡ଼ିଶାରେ କ୍ରମାଗତ ଭାବରେ ବୃଦ୍ଧି ପାଏ ତେବେ ଓଡ଼ିଆ ଭାଷା ଲୁପ୍ତ ହେଵାର ଯଥେଷ୍ଟ ସମ୍ଭାଵନା ରହିଛି ।

(ଗ)Radical language death
ଆମୂଳ ଭାଷା ମୃତ୍ୟୁ ଵା ପୂର୍ଣ୍ଣ ଭାଷା ମୃତ୍ୟୁ

ଧମକ, ଚାପ, ନିର୍ଯ୍ୟାତନା କିମ୍ବା ଉପନିଵେଶକରଣ ହେତୁ କୌଣସି ଏକ ଭାଷାକୁ ବୋଲୁଥିଵା ଲୋକମାନେ ଉକ୍ତ ଭାଷା କହିଵା ବନ୍ଦ କରିଦେଲେ ସେ ଭାଷା ଲୁପ୍ତ ହୋଇଯାଏ । ଏହି ଜାତୀୟ ଭାଷା ମୃତ୍ୟୁକୁ ଆମୂଳ ଭାଷା ମୃତ୍ୟୁ ଵା ପୂର୍ଣ୍ଣ ଭାଷା ମୃତ୍ୟୁ କୁହାଯାଏ । ଆଣ୍ଡାମାନ ଦ୍ଵୀପର ବୋ ଭାଷା ଭାରତର ମୂଳ ଭୂଖଣ୍ଡରୁ ଆସି ବଙ୍ଗାଳୀ ହିନ୍ଦୀଭାଷୀ ଓ ତାମିଲ ଆଦି ଲୋକଙ୍କ ଦ୍ଵାରା ସେହି ଦ୍ଵୀପରେ ଵସଵାସ କରିଵା ଯୋଗୁଁ ଏହି କାରଣରୁ ଲୁପ୍ତ ହୋଇଯାଇଅଛି ।

(ଘ)Linguicide ଵା ଭାଷାଭିତ୍ତିକ ମୃତ୍ୟୁ

ଏହାକୁ  sudden death, language genocide, physical language death ଓ biological language death ମଧ୍ୟ କୁହାଯାଏ ।

କୌଣସି ଭାଷା କ୍ଷେତ୍ରରେ ଏହା ସେତେବେଳେ ଘଟିତ ହୁଏ ଯେତେବେଳେ ସେହି ଭାଷାକୁ ବୋଲୁଥିଵା ସମସ୍ତ ଵା ପ୍ରାୟ  ଅଧିକାଂଶ  ପ୍ରାକୃତିକ ଵିପର୍ଯ୍ୟୟ ଓ ଯୁଦ୍ଧ ଇତ୍ୟାଦି କାରଣରୁ ମରିଯାଆନ୍ତି । ଗଵେଷକମାନେ ଵିଶ୍ଵତାପନ ଯୋଗୁଁ
ସମୁଦ୍ର ଜଳସ୍ତର ବୃଦ୍ଧି ହେତୁକ  ଭଵିଷ୍ୟତରେ ଭାରତ ସମେତ ପୃଥିଵୀର ଵିଭିନ୍ନ ଅଞ୍ଚଳର ସମୁଦ୍ର କୂଳଵର୍ତ୍ତୀ ଭୂଭାଗ ଜଳମଗ୍ନ ହୋଇଯିଵାର ସମ୍ଭାଵନା ଵ୍ୟକ୍ତ କରନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଉପକୂଳଵର୍ତ୍ତୀ ଅଞ୍ଚଳ ହଠାତ୍ ଜଳମଗ୍ନ ହୋଇଗଲେ ଲକ୍ଷ ଲକ୍ଷ ଓଡ଼ିଆଙ୍କର ପ୍ରାଣହାନୀ ହୋଇପାରେ । ସେହିପରି ପୂର୍ଵ ଭାରତର ସମୁଦ୍ରରେ ଭୀଷଣ ଯୁଦ୍ଧ ସଂଗଠିତ ହୋଇ ଯଦି ଚୀନ ଯୋଗୁଁ ଓଡ଼ିଶାର ଭୂଭାଗ ଉପରେ ଆକ୍ରମଣ ଫଳରେ ଓଡ଼ିଆ ଲୋକଙ୍କ ନାଶ ହୋଇଯାଏ ତାହେଲେ ମଧ୍ୟ ଓଡ଼ିଆ ଭାଷା ଲୁପ୍ତ ହୋଇପାରେ । ପୂର୍ଵ ଓ ପଶ୍ଚିମ ଓଡ଼ିଶାକୁ ଜାତୀୟ ଦ୍ୱେଷ ହିଂସା ବୃଦ୍ଧି ଯୋଗୁଁ ଉଭୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଥିଵା ଵାଦଵିଵାଦ ଉଗ୍ର ରୂପ ନେଇ ଗୃହଯୁଦ୍ଧରେ ପରିଣତ ହେଲେ ମଧ୍ୟ ଓଡ଼ିଆ ଭାଷା ଲୁପ୍ତ ହୋଇଯାଇପାରେ । ସେହିପରି ଉତ୍ତର ଭାରତୀୟଙ୍କ ଦ୍ଵାରା ଓଡ଼ିଆଙ୍କ ଉପରେ ସଶସ୍ତ୍ର ଆକ୍ରମଣ ଓ  ପ୍ରାଣଦାନ ପ୍ରତିବଦଳରେ ହିନ୍ଦୀକୁ ପ୍ରଥମ ଭାଷା ରୂପେ ଗ୍ରହଣ ହେତୁ ଭୀଷଣ ଉତ୍କଟ ଚାପ ଯୋଗୁଁ ମଧ୍ୟ ଓଡ଼ିଆ ଭାଷା ଵିଲୁପ୍ତ ହୋଇପାରେ ।

(ଙ)Language attrition ଵା ଭାଷା ଆକର୍ଷଣ ଜନିତ ଭାଷାମୃତ୍ୟୁ ।

ଵ୍ୟକ୍ତିଗତ ସ୍ତରରେ ଏକ ଭାଷା ତାହାର ପାରଦର୍ଶିତା ଓ ଆକର୍ଷଣ ହରାଇଵା ଯୋଗୁଁ ସେହି ଭାଷାକୁ ବୋଲୁଥିଵା ଲୋକେ ଅନ୍ୟ ଭାଷାଦ୍ଵାରା ଆକର୍ଷିତ ହୋଇ ନିଜର ମାତୃଭାଷାକୁ ସମ୍ପୂର୍ଣ୍ଣ ଵର୍ଜନ କଲେ ଏହି ଜାତୀୟ ଭାଷା ମୃତ୍ୟୁ ଘଟିତ ହୋଇଥାଏ । ଆଜିକାଲି ଯେମିତି ହିନ୍ଦୀ ଓ ଇଂରାଜୀ ଭାଷା ପ୍ରତି ଓଡ଼ିଆ ଲୋକଙ୍କ ଆକର୍ଷଣ ବୃଦ୍ଧି ଘଟିଛି ତାହା ଯଦି ଏହିପରି ଉତ୍ତରୋତ୍ତର ବଢି଼ଚାଲେ ତେବେ ଓଡ଼ିଆ ଭାଷା ମଧ୍ୟ ଏ ଆଧାରରେ ଵିଲୁପ୍ତ ହୋଇପାରେ ।

(ଚ) ଗୋଟିଏ ଅଞ୍ଚଳରେ ମୂଳ ଭାଷାରୁ ସୃଷ୍ଟି ହୋଇଥିଵା ଵିଭିନ୍ନ ଶୈଳୀ ଵିକଶିତ ହୋଇ ମଧ୍ୟ ମୁଖ୍ୟ ଭାଷାଟି ଲୁପ୍ତ ହୋଇଯାଇଥାଏ ଏଵଂ ଏହାକୁ ଭାଷାଵିଦ୍ language change କହିଥାନ୍ତି ‌ । ମୂଳ ଭାଷାଟି ଏ କ୍ଷେତ୍ରରେ ଵିଭିନ୍ନ ଶୈଳୀ ମଧ୍ୟରେ ବଞ୍ଚି ରୁହେ ସିନା କିନ୍ତୁ ତାହାର ମୂଳ ସ୍ଵରୂପରେ କଥିତ ଭାଷା ଭାବେ ଅପ୍ରଚଳିତ ହୋଇଯାଏ ‌ । ଯେମିତି ଲାଟିନ୍ ଭାଷା କ୍ରମଶଃ ରୋମାନ୍ସ୍ ଭାଷା,ଫ୍ରେଞ୍ଚ୍, ପର୍ତ୍ତୁଗୀଜ୍,ସ୍ପାନିଶ୍ ଆଦି ଭାଷାରେ ପରିଵର୍ତ୍ତିତ ହୋଇଅଛି ।

ଵସ୍ତୁତଃ ପୃଥିଵୀର ଅଧିକାଂଶ ଭାଷା Gradual language death ଵା କ୍ରମିକ ଭାଷାମୃତ୍ୟୁର ଶିକାର ହୋଇଥାନ୍ତି ।
ଭାଷା ମୃତ୍ୟୁର  ଏହା ସବୁଠାରୁ ସାଧାରଣ ପ୍ରକ୍ରିୟା  ଯେଉଁଥିରେ ଗୋଟିଏ ଭାଷା ବୋଲୁଥିଵା ଏକ ସମ୍ପ୍ରଦାୟ ଅନ୍ୟ ଭାଷା ସହିତ ଦ୍ୱିଭାଷୀ ହୋଇଯାଏ ।  ଧୀରେ ଧୀରେ ଗୋଟାଏ ଜାତି ନିଜର ମାତୃଭାଷାରେ ସନ୍ନିହିତ ତା'ର ଵିଶ୍ୱାସ, ଜାତୀୟତାବୋଧ ଓ ଭଲପାଇଵାକୁ ସେ ଅନ୍ୟ ଏକ ଵୈଦେଶିକ ଭାଷାକୁ ସ୍ଥାନାନ୍ତରିତ କରେ ସେତେବେଳେ ସେହି ଜାତିର ମାତୃଭାଷାର ଵ୍ୟଵହାର କମିଯାଏ ।   ଏହା ଏକ assimilation ଵା ଆତ୍ମସାତ୍କରଣ ପ୍ରକ୍ରିୟା ଯାହା ସ୍ବେଚ୍ଛାକୃତ ହୋଇପାରେ କିମ୍ବା କୌଣସି ଭାଷାଭାଷୀଙ୍କ ଉପରେ ମାନସିକ ସାମାଜିକ ରାଜନୈତିକ  ଚାପ ପ୍ରୟୋଗ କରି ବାଧ୍ୟ କରିଵା ଯୋଗୁଁ ଘଟିତ ହୋଇଥାଏ । 

ଆନ୍ଥ୍ରୋପୋଲୋଜିଷ୍ଟ୍ Akira Yamamoto କେତେକ ଉପାୟରେ ଭଵିଷ୍ୟତରେ ମୃତ୍ୟୁ ହେଵାକୁ ଯାଉଥିଵା ଭାଷାକୁ ମରିଵାରୁ ରକ୍ଷା କରିଵାରେ ସାହାଯ୍ୟ କରିଵ ବୋଲି ମତ ଦେଇଥିଲେ ।
ତେବେ ଓଡ଼ିଆ ଭାଷାକୁ ହିନ୍ଦୀ ଇଂରାଜୀ ଭଳି ଵୈଦେଶିକ ଭାଷାଠାରୁ ରକ୍ଷା କରିଵା ପାଇଁ ନିମ୍ନୋକ୍ତ ପଦ୍ଧତି ଅବଲମ୍ବନ କରାଯାଇପାରେ...

୧) ଭାଷାଗତ ଵିଵିଧତାକୁ ସମର୍ଥନ !
ଗୋଟିଏ ଭାଷାର ଵିଭିନ୍ନ ଶୈଳୀର ସମ୍ମାନ ସହ ତହିଁରେ ଥିଵା ସଦଗୁଣକୁ ଅଙ୍ଗୀକାର । ଓଡ଼ିଆ ଭାଷାର ଵିଭିନ୍ନ ଶୈଳୀର ଶବ୍ଦର ସଦୁପଯୋଗ ଦ୍ଵାରା ଓଡ଼ିଆ ଭାଷାକୁ ସୁରକ୍ଷିତ ରଖାଯାଇପାରିଵ । ଵୈଦେଶିକ ଶବ୍ଦ ଗ୍ରହଣ ଅପେକ୍ଷା ଦେଶଜ ଓ ତଦ୍ଭଵ ଶବ୍ଦକୁ ପ୍ରାଧାନ୍ୟ ଦେଲେ ଓଡ଼ିଆ ଭାଷାର କେହି କ୍ଷତି କରିପାରିବେ ନାହିଁ ।‌

୨)ଵିପଦ ସଙ୍କୁଳ ସମ୍ପ୍ରଦାୟର ଏକ ଜାତିଗତ ପରିଚୟ ରହିଵା ଆବଶ୍ୟକ ଯାହା ଭାଷା ସଂରକ୍ଷଣକୁ ଉତ୍ସାହିତ କରିଵା ପାଇଁ ଯଥେଷ୍ଟ ଶକ୍ତିଶାଳୀ । ଯେତେଦିନ ପର୍ଯ୍ୟନ୍ତ ଓଡ଼ିଆ ଜାତି ତାହାର ଓଡ଼ିଆତ୍ବ ବଞ୍ଚାଇ ରଖିଥିଵ ଓଡ଼ିଆ ଭାଷାର କେହି କ୍ଷତି କରିପାରିବେ ନାହିଁ ।

(୩)ଭାଷା ମୃତ୍ୟୁ ନହେଉ ସେଥିପାଇଁ
ନିଜ ଭାଷାକୁ ରକ୍ଷା ହେତୁକ ଉକ୍ତ ଭାଷାରେ ପଠନ ପାଠନ ଲିଖନ ପ୍ରତି ସର୍ଵାଧିକ ପ୍ରୋତ୍ସାହନ ବୃଦ୍ଧି କରିଵାକୁ ହେଵ ।  ଛାତ୍ରଛାତ୍ରୀମାନଙ୍କୁ ନିଜ ଭାଷା ଏଵଂ ସଂସ୍କୃତି ସମ୍ବନ୍ଧରେ ଅଧିକରୁ ଅଧିକ ଶିକ୍ଷା ଦେଵା ଦ୍ଵାରା ଓଡ଼ିଆ ଭାଷାକୁ ଭଵିଷ୍ୟତରେ ହେଵାକୁ ଵିପତ୍ତିରୁ ରକ୍ଷା କରାଯାଇପାରେ ।

(୪) ଛାତ୍ରଛାତ୍ରୀମାନଙ୍କୁ ଵୈଦେଶିକ ଭାଷା ଶିଖାଇଵା ସମୟରେ ମଧ୍ୟ ନିଜ ମାତୃଭାଷା ସମ୍ବନ୍ଧରେ ଶିକ୍ଷା ଦେଵା ଦ୍ଵାରା ମାତୃଭାଷା ପ୍ରତି ଭଲପାଇଵା ବୃଦ୍ଧି ହୋଇପାରିଵ । ଯେଉଁ ଛାତ୍ରଛାତ୍ରୀମାନେ ଇଂରାଜୀ ଓ ହିନ୍ଦୀ ଭାଷା ଶିଖିଵାକୁ ଇଚ୍ଛୁକ ସେମାନଙ୍କୁ ସେହି ଵୈଦେଶିକ ଭାଷାରେ ପ୍ରସ୍ତୁତ ପୁସ୍ତକରେ ଓଡ଼ିଆ ଭାଷା ସଂସ୍କୃତି ସମ୍ବନ୍ଧରେ ଲିଖିତ ଵ୍ୟାକରଣ,ପ୍ରବନ୍ଧ ଆଦି ପଠନ ପାଠନ କରାଇଲେ ଓଡ଼ିଆ ଭାଷା ପ୍ରତି ଆଦର ଓ ସମ୍ମାନ ହ୍ରାସ ହେଵ ନାହିଁ।

(୫) ଓଡ଼ିଆ ଭାଷାକୁ ପିଲାଙ୍କୁ ଭଲ ଭାବରେ ଶିଖାଇଵା ତଥା ଉତ୍ତମ ରୂପେ ଜଣାଇଵା  ପାଇଁ ଉତ୍ତମ ଶିକ୍ଷକ ନିଯୁକ୍ତ କରିଵାକୁ ହେଵ । ଏଥିପାଇଁ ପ୍ରଶାସନ ପକ୍ଷରୁ ଦୃଢ଼ ପ୍ରଦକ୍ଷେପ ନେଇ ଶିକ୍ଷକମାନଙ୍କୁ ଵିଶେଷ ଭାବେ ତାଲିମ୍ ଦେଇ ସୁଦକ୍ଷ କରିଵାକୁ ହେଵ ।

(୬) ଓଡ଼ିଆ ଲୋକଙ୍କୁ ଓଡ଼ିଆ ଭାଷାକୁ ହିନ୍ଦୀ ଇଂରାଜୀ ଭଳି ଭାଷାଠାରୁ ରକ୍ଷାର୍ଥ ସମ୍ପୂର୍ଣ୍ଣ ଭାବରେ ଜଡି଼ତ ହୋଇ ଆପ୍ରାଣ ଉଦ୍ୟମ କରିଵାକୁ ହେଵ ‌ । ଏକମାତ୍ର ଓଡ଼ିଆ ଜାତି ହିଁ ନିଜର ଓଡ଼ିଆ ଭାଷାକୁ ବଞ୍ଚାଇ ପାରେ ।

(୭) ଓଡ଼ିଆ ଭାଷାକୁ ସମ୍ପୂର୍ଣ୍ଣ ଭାବେ ପ୍ରଶାସନିକ ଭାଷା ଭାବରେ ପ୍ରତିଷ୍ଠିତ କରିଵାକୁ ହେଵ । ଅଧୁନା ପ୍ରଶାସନିକ କ୍ଷେତ୍ରରେ ଓଡ଼ିଆ ଭାଷାର ଵ୍ୟଵହାର ସୀମିତ ତେଣୁ ହିନ୍ଦୀ ଓ ଇଂରାଜୀ ପରିଵର୍ତ୍ତେ
ଓଡ଼ିଶାରେ ଓଡ଼ିଆ ଭାଷାକୁ ଅଧିକ ଗୁରୁତ୍ବ ଦେଵା ଦ୍ଵାରା ତାହା ରାଜନୈତିକ ଶକ୍ତି ଲାଭ କରି ବଞ୍ଚି ରହିଵ ‌।

(୮) ଓଡ଼ିଆ ଭାଷାରେ ନୂତନ, କାଳଜୟୀ ଓ ଉତ୍କୃଷ୍ଟ ସାହିତ୍ୟ ରଚନା ଏଵଂ ତହିଁର ପ୍ରଚାର ପ୍ରସାର ତଥା ଵିଶ୍ଵସ୍ତରରେ ଲୋକପ୍ରିୟ କରି ଓଡ଼ିଆ ଭାଷାର ଭଵିଷ୍ୟତ ସୁରକ୍ଷିତ କରାଯାଇପାରେ । ସେହିପରି ପୁରାତନ ଓଡ଼ିଆ ସାହିତ୍ୟର ପଠନ ପାଠନ ଓ ସଂରକ୍ଷଣ ତଥା ପ୍ରଚାର ପ୍ରସାର ହେତୁକ କାର୍ଯ୍ୟ ଓଡ଼ିଆମାନଙ୍କୁ କରିଵାକୁ ହେଵ ।

(୯) ଯେଉଁ ଭାଷା ପ୍ରତି ଓଡ଼ିଆ ଭାଷାକୁ ଵିପଦ ରହିଛି ତାକୁ ଯଥା ସମ୍ଭଵ ଓଡ଼ିଆଞ୍ଚଳରେ ଲୋକଙ୍କ ଦ୍ଵାରା ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଭାବରେ ପ୍ରୟୋଗ ବନ୍ଦ କରାଇଵାକୁ  ହେଵ । ଵୈଦେଶିକ ଭାଷାଗୁଡି଼କ ପ୍ରତି ଯେମିତି ଓଡ଼ିଆଲୋକେ ଅତ୍ୟଧିକ ଆକର୍ଷଣ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିଵା ଵିହିତ କର୍ତ୍ତଵ୍ୟ ।

ପୃଥିଵୀର endangered languages ଵା ଲୁପ୍ତପ୍ରାୟ ଭାଷାମାନଙ୍କ ମଧ୍ୟରେ ୫୦%ରୁ ଅଧିକ ଭାଷା ଭାରତ, ବ୍ରାଜିଲ, ମେକ୍ସିକୋ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ,ନାଇଜେରିଆ,ପପୁଆ ନିଉଗିନି ଓ କାମେରୋନ୍ ଆଦି ଆଠୋଟି ଦେଶର ବୋଲି ଜଣାଯାଏ । ସର୍ଵାପେକ୍ଷା ଭାରତର ଅଧିକାଂଶ ଭାଷା ଭଵିଷ୍ୟତରେ ମୃତ ହେଵାର ଯଥେଷ୍ଟ ସମ୍ଭାଵନା ଅଛି ।
ଓଡ଼ିଆ ଭାଷାକୁ ବଞ୍ଚାଇଵାକୁ ହେଲେ ଓଡ଼ିଆ ଲୋକଙ୍କୁ ସବୁ କ୍ଷେତ୍ରରେ ଭୀଷଣ ସଂଗ୍ରାମ ଚଳାଇଵାକୁ ହିଁ ହେଵ । ସବୁ ଜଗନ୍ନାଥଙ୍କ ଇଚ୍ଛା କହି ପଖାଳ ଭାତ ଖାଇ ଶୋଇ ପଡି଼ଲେ ଓଡ଼ିଆ ଭାଷା ବଞ୍ଚିଯିଵନି ଵରଂ ନିଜ ଭାଷା ସଂସ୍କୃତିକୁ ବଞ୍ଚାଇଵା ପାଇଁ ପଖାଳ ଖାଇ ଜୟ ଜଗନ୍ନାଥ ଉଦ୍ଘୋଷ ପୂର୍ଵକ ରଣକ୍ଷେତ୍ରରେ ସିଂହ ସମ ଗର୍ଜନ କରି ଝାସ ଦେଵାକୁ ହେଵ ।

××××××××××××××××
ଶିଶିର ସାହୁ ମନୋଜ
××××××××××××××××