Sunday, May 1, 2022

ଭାଷାମୃତ୍ୟୁ : କାରଣ ଓ ନିରାକରଣ


ଏକ ଵ୍ୟକ୍ତି ଵା ପରିଵାର ମଧ୍ୟରେ କଥିତ ବୋଲୀକୁ ଵ୍ୟକ୍ତିବୋଲୀ କୁହାଯାଏ । ଗୋଟିଏ ଜାତି ମଧ୍ୟରେ କଥିତ ବୋଲୀକୁ
ଜାତିବୋଲୀ କୁହାଯାଏ । ଏକ ଅଞ୍ଚଳରେ ଅନେକ ପରିଵାର ଓ ଵିଭିନ୍ନ ଜାତିମାନଙ୍କ ଦ୍ଵାରା କଥିତ ଭାଖାକୁ ଉକ୍ତ ଅଞ୍ଚଳ ନାମରେ ନାମିତ କରି ମୁଖ୍ୟ ବୋଲୀ ଵିଚାର କରାଯାଏ । ଏକ ମଣ୍ଡଳ ଵା ଜିଲ୍ଲାରେ ପ୍ରଚଳିତ ଅନେକ ବୋଲୀର ସମାହାରରେ କଥିତ ଭାଖାକୁ ଭାଷାଶୈଳୀ କୁହାଯାଏ । ଅନେକ ଭାଷାଶୈଳୀକୁ ନେଇ ଗୋଟିଏ ମାନକ ଭାଷା ପୃଥିଵୀର ଏକ ବଡ଼ ଭୂଭାଗରେ କଥିତ ହୋଇଥାଏ ।

“ଗୋଟିଏ ଭାଷାର ଅୟମାରମ୍ଭ ଏକ ଵ୍ୟକ୍ତିଠାରୁ ହୋଇ ଦେଶ ଵିଶ୍ଵ ମହାକାଶ ପର୍ଯ୍ୟନ୍ତ ଵ୍ୟାପ୍ତ ହୋଇପାରେ ପୁଣି ସଂକୁଚିତ ଓ ସୀମିତ ହୋଇଯାଇ ଵ୍ୟକ୍ତିଠାରେ ହିଁ ସମାପ୍ତ ହୋଇଯାଇଥାଏ ।”

୨୦୦୦ ଗ୍ରେଗୋରୀୟ ଵର୍ଷରେ ଏକ ଅଧ୍ୟୟନରୁ ଜଣାପଡି଼ଥିଲା ଯେ ପୃଥିଵୀରେ ୭୦୦୦ରୁ ଅଧିକ ଭାଷା ଏବେ ମଧ୍ୟ କଥିତ ହେଉଛି ଏଵଂ ତନ୍ମଧ୍ୟରୁ ୯୦% ଭାଗ ଭାଷା ୨୦୫୦ ସୁଧା ଲୁପ୍ତ ହୋଇଯିଵାର ସମ୍ଭାଵନା ରହିଛି । ୨୦୫୦ ସୁଦ୍ଧା ହିନ୍ଦୀ ଓ ଇଂରାଜୀ ଭଳି କେତେକ ଭାଷାକୁ ଛାଡ଼ିଦେଲେ ଓଡ଼ିଆ ପରି ପାଞ୍ଚକୋଟି ଲୋକଙ୍କ ମଧ୍ୟରେ ସୀମିତ ଅନେକ ଭାଷା ଲୁପ୍ତ ହେଵାର ସମ୍ଭାଵନା ରହିଛି । ତେବେ ଭାଷା ମୃତ୍ୟୁର ଅନେକ କାରଣ ମଧ୍ୟରୁ କେତେକ ଵିଷୟରେ ଆଲୋଚନା କରି ଦେଖାଯାଉ ଯେ କ'ଣ ପ୍ରକୃତରେ ଓଡ଼ିଆ ଭାଷା ପ୍ରତି ଵିପଦ ଅଛି !

(କ)Gradual language death
ଵା କ୍ରମିକ ଭାଷାମୃତ୍ୟୁ

ଭାଷାଗୁଡ଼ିକ ମରିଵାର ଏହା ସବୁଠାରୁ ସାଧାରଣ କାରଣ  ।  ସାଧାରଣତଃ ଏହା  ସେତେବେଳେ ଘଟେ ଯେତେବେଳେ ସେହି ଭାଷା କହୁଥିଵା ଲୋକମାନେ "ଉଚ୍ଚ ସମ୍ମାନର ଭାଷା" ବୋଲି କୌଣସି ଏକ ଵୈଦେଶିକ ଭାଷାକୁ ଗ୍ରହଣ କରିଥାନ୍ତି ଏଵଂ ପ୍ରାୟତଃ ଉକ୍ତ ଭାଷାରେ ହିଁ ଅନ୍ୟ ସହିତ କଥୋପକଥନ କରିଵାକୁ ଅଧିକ ମହତ୍ତ୍ଵ ଦିଅନ୍ତି |  ଏହି ଧରଣର ଲୋକେ ପ୍ରଥମେ ଦ୍ୱିଭାଷୀ ହୋଇଯାଆନ୍ତି ଏଵଂ ତା’ପରେ ନୂତନ ପିଢି଼ ସହିତ ମାତୃଭାଷାରେ ଦକ୍ଷତାର ସ୍ତର ଧୀରେ ଧୀରେ କମି କମି ଯାଏ ।  ଶେଷରେ କୌଣସି ଵ୍ୟକ୍ତି ଦ୍ଵାରା ବୋଲା ନଯିଵା ଯୋଗୁଁ ଗୋଟିଏ ଭାଷା ଲୁପ୍ତ ହୋଇଯାଏ । ଓଡ଼ିଶାରେ ଆଜିକାଲି ସାଧାରଣ ଲୋକଙ୍କ ମଧ୍ୟରେ ହିନ୍ଦୀ ତଥା ଧନୀକ ଲୋକଙ୍କ ମଧ୍ୟରେ ଇଂରାଜୀ ଭାଷା ଉଚ୍ଚ ସମ୍ମାନର ଭାଷା ପରିଗଣିତ ହେଉଅଛି । ଦେଶଭକ୍ତି ସହିତ ହିନ୍ଦୀକୁ ଯୋଡ଼ାଯାଉଛି ସତେ ଯେମିତି ଓଡ଼ିଆ ଭାଷାରେ ଦେଶଭକ୍ତି ପ୍ରକାଶ କରିଵା ଅସମ୍ଭଵ । ପୁନଶ୍ଚ ପାଣ୍ଡିତ୍ୟ ପ୍ରଦର୍ଶନ କରିଵା ପାଇଁ ହେଉ ଵା ଆଞ୍ଚଳିକତାଵାଦୀ ଚିନ୍ତାଧାରା ଯୋଗୁଁ କିଛି ଓଡ଼ିଶାଵାସୀ ଓଡ଼ିଆ ଜାଣି ବି ଓଡ଼ିଆ ପରିଵର୍ତ୍ତେ ଇଂରାଜୀ ଓ ହିନ୍ଦୀ ଭାଷାରେ କଥା ହେଵାକୁ ଶ୍ରେୟସ୍କର ମଣୁଛନ୍ତି । ଏହି ଜାତୀୟ ଲୋକଙ୍କ ଚିନ୍ତାଧାରା ଯୋଗୁଁ କ୍ରମିକ ଭାଷାମୃତ୍ୟୁ ହୋଇଥାଏ
। ଵର୍ତ୍ତମାନ ଓଡ଼ିଶାଵାସୀଙ୍କ ହିନ୍ଦୀ ଓ ଇଂରାଜୀ ପ୍ରେମ ଯୋଗୁଁ ଭଵିଷ୍ୟତରେ ଓଡ଼ିଆ ଭାଷା ମଧ୍ୟ ମୃତ ହୋଇପାରେ ବୋଲି ଅନେକ ଓଡ଼ିଆ ବୁଦ୍ଧିଜୀଵୀ ଚିନ୍ତା ଵ୍ଯକ୍ତ କରନ୍ତି ।

(ଖ) bottom to top language death ଵା ନିମ୍ନରୁ ଶୀର୍ଷ ଭାଷା ମୃତ୍ୟୁ |

ଯେତେବେଳେ ଗୋଟିଏ ଭାଷା କେଵଳ ଧାର୍ମିକ, ସାହିତ୍ୟିକ, ଆନୁଷ୍ଠାନିକ ଉଦ୍ଦେଶ୍ୟରେ ଵ୍ୟଵହୃତ ହେଵାକୁ ଲାଗେ, କିନ୍ତୁ କଥିତ ଭାଷା ରୂପରେ ପ୍ରଚଳିତ ରୁହେ  ନାହିଁ ସେତେବେଳେ ସେ ଭାଷାର ମୃତ୍ୟୁ ଘଟିଥାଏ  । ଭାରତର ସଂସ୍କୃତ ଏଵଂ ଇଟାଲୀର ଲାଟିନ୍ ଭାଷା ଏହାର ଉଦାହରଣ । ହିବ୍ରୁ ମଧ୍ୟ ଏହି କାରଣରୁ ଵିଲୁପ୍ତ ହେଵାକୁ ଯାଉଥିଲା କିନ୍ତୁ ଇସ୍ରାଏଲ ଦେଶ ଗଠନ ପରେ ଏ ଭାଷା ପୁର୍ନଜୀଵନ ଲାଭ କରିଛି । ମୁସଲମାନମାନଙ୍କ ଧାର୍ମିକ ଭାଷାହୋଇ ମଧ୍ୟ ଆରବୀ ଯେହେତୁ କଥିତ ଭାଷା ରୂପରେ ପ୍ରଚଳିତ ତେଣୁ ଏହାର ଏଯାଵତ୍ ମୃତ୍ୟୁ ଘଟିନାହିଁ । ଓଡ଼ିଶାରେ ଓଡ଼ିଆ ଭାଷା ଵର୍ତ୍ତମାନ ତାହାର ଉଚ୍ଚତମ ଶୀଖରରେ ପହଞ୍ଚି ସାରିଛି । କିନ୍ତୁ ଏ ଭାଷାକୁ ଯଦି କେଵଳ କାର୍ଯ୍ୟାଳୟ,ପୁସ୍ତକ ଓ ଧର୍ମଗ୍ରନ୍ଥର ଭାଷା ରୂପରେ ଵ୍ୟଵହାର କରି କଥିତ ଭାଷା ରୂପରେ ହିନ୍ଦୀ ଓ ଇଂରାଜୀ ଵ୍ୟଵହାର କରାଯାଏ ତେବେ ଓଡ଼ିଆ ଭାଷା ଲୁପ୍ତ ହୋଇଯାଇପାରେ । ଆମେ କଟକ ଓ ଭୁବନେଶ୍ୱରରେ ଏଭଳି  ଲୋକମାନଙ୍କର ପ୍ରାଦୁର୍ଭାଵ ବଢ଼ୁଥିଵା ଲକ୍ଷ୍ୟ କରିଥାନ୍ତି । ଯଦି ଏପରି ଲୋକଙ୍କ ପ୍ରାର୍ଦୁଭାଵ ଓଡ଼ିଶାରେ କ୍ରମାଗତ ଭାବରେ ବୃଦ୍ଧି ପାଏ ତେବେ ଓଡ଼ିଆ ଭାଷା ଲୁପ୍ତ ହେଵାର ଯଥେଷ୍ଟ ସମ୍ଭାଵନା ରହିଛି ।

(ଗ)Radical language death
ଆମୂଳ ଭାଷା ମୃତ୍ୟୁ ଵା ପୂର୍ଣ୍ଣ ଭାଷା ମୃତ୍ୟୁ

ଧମକ, ଚାପ, ନିର୍ଯ୍ୟାତନା କିମ୍ବା ଉପନିଵେଶକରଣ ହେତୁ କୌଣସି ଏକ ଭାଷାକୁ ବୋଲୁଥିଵା ଲୋକମାନେ ଉକ୍ତ ଭାଷା କହିଵା ବନ୍ଦ କରିଦେଲେ ସେ ଭାଷା ଲୁପ୍ତ ହୋଇଯାଏ । ଏହି ଜାତୀୟ ଭାଷା ମୃତ୍ୟୁକୁ ଆମୂଳ ଭାଷା ମୃତ୍ୟୁ ଵା ପୂର୍ଣ୍ଣ ଭାଷା ମୃତ୍ୟୁ କୁହାଯାଏ । ଆଣ୍ଡାମାନ ଦ୍ଵୀପର ବୋ ଭାଷା ଭାରତର ମୂଳ ଭୂଖଣ୍ଡରୁ ଆସି ବଙ୍ଗାଳୀ ହିନ୍ଦୀଭାଷୀ ଓ ତାମିଲ ଆଦି ଲୋକଙ୍କ ଦ୍ଵାରା ସେହି ଦ୍ଵୀପରେ ଵସଵାସ କରିଵା ଯୋଗୁଁ ଏହି କାରଣରୁ ଲୁପ୍ତ ହୋଇଯାଇଅଛି ।

(ଘ)Linguicide ଵା ଭାଷାଭିତ୍ତିକ ମୃତ୍ୟୁ

ଏହାକୁ  sudden death, language genocide, physical language death ଓ biological language death ମଧ୍ୟ କୁହାଯାଏ ।

କୌଣସି ଭାଷା କ୍ଷେତ୍ରରେ ଏହା ସେତେବେଳେ ଘଟିତ ହୁଏ ଯେତେବେଳେ ସେହି ଭାଷାକୁ ବୋଲୁଥିଵା ସମସ୍ତ ଵା ପ୍ରାୟ  ଅଧିକାଂଶ  ପ୍ରାକୃତିକ ଵିପର୍ଯ୍ୟୟ ଓ ଯୁଦ୍ଧ ଇତ୍ୟାଦି କାରଣରୁ ମରିଯାଆନ୍ତି । ଗଵେଷକମାନେ ଵିଶ୍ଵତାପନ ଯୋଗୁଁ
ସମୁଦ୍ର ଜଳସ୍ତର ବୃଦ୍ଧି ହେତୁକ  ଭଵିଷ୍ୟତରେ ଭାରତ ସମେତ ପୃଥିଵୀର ଵିଭିନ୍ନ ଅଞ୍ଚଳର ସମୁଦ୍ର କୂଳଵର୍ତ୍ତୀ ଭୂଭାଗ ଜଳମଗ୍ନ ହୋଇଯିଵାର ସମ୍ଭାଵନା ଵ୍ୟକ୍ତ କରନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଉପକୂଳଵର୍ତ୍ତୀ ଅଞ୍ଚଳ ହଠାତ୍ ଜଳମଗ୍ନ ହୋଇଗଲେ ଲକ୍ଷ ଲକ୍ଷ ଓଡ଼ିଆଙ୍କର ପ୍ରାଣହାନୀ ହୋଇପାରେ । ସେହିପରି ପୂର୍ଵ ଭାରତର ସମୁଦ୍ରରେ ଭୀଷଣ ଯୁଦ୍ଧ ସଂଗଠିତ ହୋଇ ଯଦି ଚୀନ ଯୋଗୁଁ ଓଡ଼ିଶାର ଭୂଭାଗ ଉପରେ ଆକ୍ରମଣ ଫଳରେ ଓଡ଼ିଆ ଲୋକଙ୍କ ନାଶ ହୋଇଯାଏ ତାହେଲେ ମଧ୍ୟ ଓଡ଼ିଆ ଭାଷା ଲୁପ୍ତ ହୋଇପାରେ । ପୂର୍ଵ ଓ ପଶ୍ଚିମ ଓଡ଼ିଶାକୁ ଜାତୀୟ ଦ୍ୱେଷ ହିଂସା ବୃଦ୍ଧି ଯୋଗୁଁ ଉଭୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଥିଵା ଵାଦଵିଵାଦ ଉଗ୍ର ରୂପ ନେଇ ଗୃହଯୁଦ୍ଧରେ ପରିଣତ ହେଲେ ମଧ୍ୟ ଓଡ଼ିଆ ଭାଷା ଲୁପ୍ତ ହୋଇଯାଇପାରେ । ସେହିପରି ଉତ୍ତର ଭାରତୀୟଙ୍କ ଦ୍ଵାରା ଓଡ଼ିଆଙ୍କ ଉପରେ ସଶସ୍ତ୍ର ଆକ୍ରମଣ ଓ  ପ୍ରାଣଦାନ ପ୍ରତିବଦଳରେ ହିନ୍ଦୀକୁ ପ୍ରଥମ ଭାଷା ରୂପେ ଗ୍ରହଣ ହେତୁ ଭୀଷଣ ଉତ୍କଟ ଚାପ ଯୋଗୁଁ ମଧ୍ୟ ଓଡ଼ିଆ ଭାଷା ଵିଲୁପ୍ତ ହୋଇପାରେ ।

(ଙ)Language attrition ଵା ଭାଷା ଆକର୍ଷଣ ଜନିତ ଭାଷାମୃତ୍ୟୁ ।

ଵ୍ୟକ୍ତିଗତ ସ୍ତରରେ ଏକ ଭାଷା ତାହାର ପାରଦର୍ଶିତା ଓ ଆକର୍ଷଣ ହରାଇଵା ଯୋଗୁଁ ସେହି ଭାଷାକୁ ବୋଲୁଥିଵା ଲୋକେ ଅନ୍ୟ ଭାଷାଦ୍ଵାରା ଆକର୍ଷିତ ହୋଇ ନିଜର ମାତୃଭାଷାକୁ ସମ୍ପୂର୍ଣ୍ଣ ଵର୍ଜନ କଲେ ଏହି ଜାତୀୟ ଭାଷା ମୃତ୍ୟୁ ଘଟିତ ହୋଇଥାଏ । ଆଜିକାଲି ଯେମିତି ହିନ୍ଦୀ ଓ ଇଂରାଜୀ ଭାଷା ପ୍ରତି ଓଡ଼ିଆ ଲୋକଙ୍କ ଆକର୍ଷଣ ବୃଦ୍ଧି ଘଟିଛି ତାହା ଯଦି ଏହିପରି ଉତ୍ତରୋତ୍ତର ବଢି଼ଚାଲେ ତେବେ ଓଡ଼ିଆ ଭାଷା ମଧ୍ୟ ଏ ଆଧାରରେ ଵିଲୁପ୍ତ ହୋଇପାରେ ।

(ଚ) ଗୋଟିଏ ଅଞ୍ଚଳରେ ମୂଳ ଭାଷାରୁ ସୃଷ୍ଟି ହୋଇଥିଵା ଵିଭିନ୍ନ ଶୈଳୀ ଵିକଶିତ ହୋଇ ମଧ୍ୟ ମୁଖ୍ୟ ଭାଷାଟି ଲୁପ୍ତ ହୋଇଯାଇଥାଏ ଏଵଂ ଏହାକୁ ଭାଷାଵିଦ୍ language change କହିଥାନ୍ତି ‌ । ମୂଳ ଭାଷାଟି ଏ କ୍ଷେତ୍ରରେ ଵିଭିନ୍ନ ଶୈଳୀ ମଧ୍ୟରେ ବଞ୍ଚି ରୁହେ ସିନା କିନ୍ତୁ ତାହାର ମୂଳ ସ୍ଵରୂପରେ କଥିତ ଭାଷା ଭାବେ ଅପ୍ରଚଳିତ ହୋଇଯାଏ ‌ । ଯେମିତି ଲାଟିନ୍ ଭାଷା କ୍ରମଶଃ ରୋମାନ୍ସ୍ ଭାଷା,ଫ୍ରେଞ୍ଚ୍, ପର୍ତ୍ତୁଗୀଜ୍,ସ୍ପାନିଶ୍ ଆଦି ଭାଷାରେ ପରିଵର୍ତ୍ତିତ ହୋଇଅଛି ।

ଵସ୍ତୁତଃ ପୃଥିଵୀର ଅଧିକାଂଶ ଭାଷା Gradual language death ଵା କ୍ରମିକ ଭାଷାମୃତ୍ୟୁର ଶିକାର ହୋଇଥାନ୍ତି ।
ଭାଷା ମୃତ୍ୟୁର  ଏହା ସବୁଠାରୁ ସାଧାରଣ ପ୍ରକ୍ରିୟା  ଯେଉଁଥିରେ ଗୋଟିଏ ଭାଷା ବୋଲୁଥିଵା ଏକ ସମ୍ପ୍ରଦାୟ ଅନ୍ୟ ଭାଷା ସହିତ ଦ୍ୱିଭାଷୀ ହୋଇଯାଏ ।  ଧୀରେ ଧୀରେ ଗୋଟାଏ ଜାତି ନିଜର ମାତୃଭାଷାରେ ସନ୍ନିହିତ ତା'ର ଵିଶ୍ୱାସ, ଜାତୀୟତାବୋଧ ଓ ଭଲପାଇଵାକୁ ସେ ଅନ୍ୟ ଏକ ଵୈଦେଶିକ ଭାଷାକୁ ସ୍ଥାନାନ୍ତରିତ କରେ ସେତେବେଳେ ସେହି ଜାତିର ମାତୃଭାଷାର ଵ୍ୟଵହାର କମିଯାଏ ।   ଏହା ଏକ assimilation ଵା ଆତ୍ମସାତ୍କରଣ ପ୍ରକ୍ରିୟା ଯାହା ସ୍ବେଚ୍ଛାକୃତ ହୋଇପାରେ କିମ୍ବା କୌଣସି ଭାଷାଭାଷୀଙ୍କ ଉପରେ ମାନସିକ ସାମାଜିକ ରାଜନୈତିକ  ଚାପ ପ୍ରୟୋଗ କରି ବାଧ୍ୟ କରିଵା ଯୋଗୁଁ ଘଟିତ ହୋଇଥାଏ । 

ଆନ୍ଥ୍ରୋପୋଲୋଜିଷ୍ଟ୍ Akira Yamamoto କେତେକ ଉପାୟରେ ଭଵିଷ୍ୟତରେ ମୃତ୍ୟୁ ହେଵାକୁ ଯାଉଥିଵା ଭାଷାକୁ ମରିଵାରୁ ରକ୍ଷା କରିଵାରେ ସାହାଯ୍ୟ କରିଵ ବୋଲି ମତ ଦେଇଥିଲେ ।
ତେବେ ଓଡ଼ିଆ ଭାଷାକୁ ହିନ୍ଦୀ ଇଂରାଜୀ ଭଳି ଵୈଦେଶିକ ଭାଷାଠାରୁ ରକ୍ଷା କରିଵା ପାଇଁ ନିମ୍ନୋକ୍ତ ପଦ୍ଧତି ଅବଲମ୍ବନ କରାଯାଇପାରେ...

୧) ଭାଷାଗତ ଵିଵିଧତାକୁ ସମର୍ଥନ !
ଗୋଟିଏ ଭାଷାର ଵିଭିନ୍ନ ଶୈଳୀର ସମ୍ମାନ ସହ ତହିଁରେ ଥିଵା ସଦଗୁଣକୁ ଅଙ୍ଗୀକାର । ଓଡ଼ିଆ ଭାଷାର ଵିଭିନ୍ନ ଶୈଳୀର ଶବ୍ଦର ସଦୁପଯୋଗ ଦ୍ଵାରା ଓଡ଼ିଆ ଭାଷାକୁ ସୁରକ୍ଷିତ ରଖାଯାଇପାରିଵ । ଵୈଦେଶିକ ଶବ୍ଦ ଗ୍ରହଣ ଅପେକ୍ଷା ଦେଶଜ ଓ ତଦ୍ଭଵ ଶବ୍ଦକୁ ପ୍ରାଧାନ୍ୟ ଦେଲେ ଓଡ଼ିଆ ଭାଷାର କେହି କ୍ଷତି କରିପାରିବେ ନାହିଁ ।‌

୨)ଵିପଦ ସଙ୍କୁଳ ସମ୍ପ୍ରଦାୟର ଏକ ଜାତିଗତ ପରିଚୟ ରହିଵା ଆବଶ୍ୟକ ଯାହା ଭାଷା ସଂରକ୍ଷଣକୁ ଉତ୍ସାହିତ କରିଵା ପାଇଁ ଯଥେଷ୍ଟ ଶକ୍ତିଶାଳୀ । ଯେତେଦିନ ପର୍ଯ୍ୟନ୍ତ ଓଡ଼ିଆ ଜାତି ତାହାର ଓଡ଼ିଆତ୍ବ ବଞ୍ଚାଇ ରଖିଥିଵ ଓଡ଼ିଆ ଭାଷାର କେହି କ୍ଷତି କରିପାରିବେ ନାହିଁ ।

(୩)ଭାଷା ମୃତ୍ୟୁ ନହେଉ ସେଥିପାଇଁ
ନିଜ ଭାଷାକୁ ରକ୍ଷା ହେତୁକ ଉକ୍ତ ଭାଷାରେ ପଠନ ପାଠନ ଲିଖନ ପ୍ରତି ସର୍ଵାଧିକ ପ୍ରୋତ୍ସାହନ ବୃଦ୍ଧି କରିଵାକୁ ହେଵ ।  ଛାତ୍ରଛାତ୍ରୀମାନଙ୍କୁ ନିଜ ଭାଷା ଏଵଂ ସଂସ୍କୃତି ସମ୍ବନ୍ଧରେ ଅଧିକରୁ ଅଧିକ ଶିକ୍ଷା ଦେଵା ଦ୍ଵାରା ଓଡ଼ିଆ ଭାଷାକୁ ଭଵିଷ୍ୟତରେ ହେଵାକୁ ଵିପତ୍ତିରୁ ରକ୍ଷା କରାଯାଇପାରେ ।

(୪) ଛାତ୍ରଛାତ୍ରୀମାନଙ୍କୁ ଵୈଦେଶିକ ଭାଷା ଶିଖାଇଵା ସମୟରେ ମଧ୍ୟ ନିଜ ମାତୃଭାଷା ସମ୍ବନ୍ଧରେ ଶିକ୍ଷା ଦେଵା ଦ୍ଵାରା ମାତୃଭାଷା ପ୍ରତି ଭଲପାଇଵା ବୃଦ୍ଧି ହୋଇପାରିଵ । ଯେଉଁ ଛାତ୍ରଛାତ୍ରୀମାନେ ଇଂରାଜୀ ଓ ହିନ୍ଦୀ ଭାଷା ଶିଖିଵାକୁ ଇଚ୍ଛୁକ ସେମାନଙ୍କୁ ସେହି ଵୈଦେଶିକ ଭାଷାରେ ପ୍ରସ୍ତୁତ ପୁସ୍ତକରେ ଓଡ଼ିଆ ଭାଷା ସଂସ୍କୃତି ସମ୍ବନ୍ଧରେ ଲିଖିତ ଵ୍ୟାକରଣ,ପ୍ରବନ୍ଧ ଆଦି ପଠନ ପାଠନ କରାଇଲେ ଓଡ଼ିଆ ଭାଷା ପ୍ରତି ଆଦର ଓ ସମ୍ମାନ ହ୍ରାସ ହେଵ ନାହିଁ।

(୫) ଓଡ଼ିଆ ଭାଷାକୁ ପିଲାଙ୍କୁ ଭଲ ଭାବରେ ଶିଖାଇଵା ତଥା ଉତ୍ତମ ରୂପେ ଜଣାଇଵା  ପାଇଁ ଉତ୍ତମ ଶିକ୍ଷକ ନିଯୁକ୍ତ କରିଵାକୁ ହେଵ । ଏଥିପାଇଁ ପ୍ରଶାସନ ପକ୍ଷରୁ ଦୃଢ଼ ପ୍ରଦକ୍ଷେପ ନେଇ ଶିକ୍ଷକମାନଙ୍କୁ ଵିଶେଷ ଭାବେ ତାଲିମ୍ ଦେଇ ସୁଦକ୍ଷ କରିଵାକୁ ହେଵ ।

(୬) ଓଡ଼ିଆ ଲୋକଙ୍କୁ ଓଡ଼ିଆ ଭାଷାକୁ ହିନ୍ଦୀ ଇଂରାଜୀ ଭଳି ଭାଷାଠାରୁ ରକ୍ଷାର୍ଥ ସମ୍ପୂର୍ଣ୍ଣ ଭାବରେ ଜଡି଼ତ ହୋଇ ଆପ୍ରାଣ ଉଦ୍ୟମ କରିଵାକୁ ହେଵ ‌ । ଏକମାତ୍ର ଓଡ଼ିଆ ଜାତି ହିଁ ନିଜର ଓଡ଼ିଆ ଭାଷାକୁ ବଞ୍ଚାଇ ପାରେ ।

(୭) ଓଡ଼ିଆ ଭାଷାକୁ ସମ୍ପୂର୍ଣ୍ଣ ଭାବେ ପ୍ରଶାସନିକ ଭାଷା ଭାବରେ ପ୍ରତିଷ୍ଠିତ କରିଵାକୁ ହେଵ । ଅଧୁନା ପ୍ରଶାସନିକ କ୍ଷେତ୍ରରେ ଓଡ଼ିଆ ଭାଷାର ଵ୍ୟଵହାର ସୀମିତ ତେଣୁ ହିନ୍ଦୀ ଓ ଇଂରାଜୀ ପରିଵର୍ତ୍ତେ
ଓଡ଼ିଶାରେ ଓଡ଼ିଆ ଭାଷାକୁ ଅଧିକ ଗୁରୁତ୍ବ ଦେଵା ଦ୍ଵାରା ତାହା ରାଜନୈତିକ ଶକ୍ତି ଲାଭ କରି ବଞ୍ଚି ରହିଵ ‌।

(୮) ଓଡ଼ିଆ ଭାଷାରେ ନୂତନ, କାଳଜୟୀ ଓ ଉତ୍କୃଷ୍ଟ ସାହିତ୍ୟ ରଚନା ଏଵଂ ତହିଁର ପ୍ରଚାର ପ୍ରସାର ତଥା ଵିଶ୍ଵସ୍ତରରେ ଲୋକପ୍ରିୟ କରି ଓଡ଼ିଆ ଭାଷାର ଭଵିଷ୍ୟତ ସୁରକ୍ଷିତ କରାଯାଇପାରେ । ସେହିପରି ପୁରାତନ ଓଡ଼ିଆ ସାହିତ୍ୟର ପଠନ ପାଠନ ଓ ସଂରକ୍ଷଣ ତଥା ପ୍ରଚାର ପ୍ରସାର ହେତୁକ କାର୍ଯ୍ୟ ଓଡ଼ିଆମାନଙ୍କୁ କରିଵାକୁ ହେଵ ।

(୯) ଯେଉଁ ଭାଷା ପ୍ରତି ଓଡ଼ିଆ ଭାଷାକୁ ଵିପଦ ରହିଛି ତାକୁ ଯଥା ସମ୍ଭଵ ଓଡ଼ିଆଞ୍ଚଳରେ ଲୋକଙ୍କ ଦ୍ଵାରା ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଭାବରେ ପ୍ରୟୋଗ ବନ୍ଦ କରାଇଵାକୁ  ହେଵ । ଵୈଦେଶିକ ଭାଷାଗୁଡି଼କ ପ୍ରତି ଯେମିତି ଓଡ଼ିଆଲୋକେ ଅତ୍ୟଧିକ ଆକର୍ଷଣ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିଵା ଵିହିତ କର୍ତ୍ତଵ୍ୟ ।

ପୃଥିଵୀର endangered languages ଵା ଲୁପ୍ତପ୍ରାୟ ଭାଷାମାନଙ୍କ ମଧ୍ୟରେ ୫୦%ରୁ ଅଧିକ ଭାଷା ଭାରତ, ବ୍ରାଜିଲ, ମେକ୍ସିକୋ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ,ନାଇଜେରିଆ,ପପୁଆ ନିଉଗିନି ଓ କାମେରୋନ୍ ଆଦି ଆଠୋଟି ଦେଶର ବୋଲି ଜଣାଯାଏ । ସର୍ଵାପେକ୍ଷା ଭାରତର ଅଧିକାଂଶ ଭାଷା ଭଵିଷ୍ୟତରେ ମୃତ ହେଵାର ଯଥେଷ୍ଟ ସମ୍ଭାଵନା ଅଛି ।
ଓଡ଼ିଆ ଭାଷାକୁ ବଞ୍ଚାଇଵାକୁ ହେଲେ ଓଡ଼ିଆ ଲୋକଙ୍କୁ ସବୁ କ୍ଷେତ୍ରରେ ଭୀଷଣ ସଂଗ୍ରାମ ଚଳାଇଵାକୁ ହିଁ ହେଵ । ସବୁ ଜଗନ୍ନାଥଙ୍କ ଇଚ୍ଛା କହି ପଖାଳ ଭାତ ଖାଇ ଶୋଇ ପଡି଼ଲେ ଓଡ଼ିଆ ଭାଷା ବଞ୍ଚିଯିଵନି ଵରଂ ନିଜ ଭାଷା ସଂସ୍କୃତିକୁ ବଞ୍ଚାଇଵା ପାଇଁ ପଖାଳ ଖାଇ ଜୟ ଜଗନ୍ନାଥ ଉଦ୍ଘୋଷ ପୂର୍ଵକ ରଣକ୍ଷେତ୍ରରେ ସିଂହ ସମ ଗର୍ଜନ କରି ଝାସ ଦେଵାକୁ ହେଵ ।

××××××××××××××××
ଶିଶିର ସାହୁ ମନୋଜ
××××××××××××××××

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...