My Blog List

Showing posts with label ମହାକାଶ. Show all posts
Showing posts with label ମହାକାଶ. Show all posts

Sunday, January 25, 2026

ମଣିଷମାନଙ୍କ ଭାଗ୍ଯ ଉପରେ ନକ୍ଷତ୍ରଗୁଡ଼ିକର ପ୍ରଭାଵ ପଡ଼େ କି ?

ରାତିର ଆକାଶରେ ଝଲସି ଉଠୁଥିଵା ତାରାଗୁଡ଼ିକ ସଦା ସର୍ଵଦା ମାନଵ ମନକୁ ଆକର୍ଷିତ କରିଆସିଛନ୍ତି। ଅନେକ ମଣିଷ ଵିଶେଷତଃ ବାଳକ ବାଳିକାମାନେ ରାତି ଆକାଶକୁ ଦେଖିଲେ ତାରା ଗଣିଵା ଆରମ୍ଭ କରିଦିଅନ୍ତି । କେହି କେହି କୁହନ୍ତି ଆକାଶରେ ତାରା ଗଣିଵା ଵୃଥା କାରଣ ଅସଂଖ୍ୟ ତାରା ଗଣାଯାଇନପାରେ । କିନ୍ତୁ କ’ଣ ପ୍ରକୃତରେ ଏହା ସତ୍ୟ ? 

ପୃଥିଵୀରୁ ଖାଲି ଆଖିରେ ଦେଖାଯାଉଥିଵା ତାରାଙ୍କ ସଂଖ୍ୟା ଆମ ଧାରଣାଠାରୁ ବହୁତ କମ୍। ଏହାର ମୁଖ୍ୟ କାରଣ ହେଉଛି ଆମେ ଏକାଥରକେ ଆକାଶର କେଵଳ ଅର୍ଧଭାଗ ଦେଖିପାରୁ ଏଵଂ ଵାତାଵରଣ, ଆଲୋକ ପ୍ରଦୂଷଣ ତଥା ଚନ୍ଦ୍ରମାର ଆଲୋକ ଆମର ଦୃଷ୍ଟିକୁ ଵାଧା ଦେଇଥାଏ।

ସାଧାରଣ ଅନୁମାନ ଅନୁସାରେ ଆଧୁନିକ ସଭ୍ୟତାଠାରୁ ଦୂରରେ ଥିଵା ଗାଆଁ କିମ୍ଵା ପାହାଡ଼ ଉପରେ ଯେଉଁଠାରେ କୌଣସି ଆଲୋକ ପ୍ରଦୂଷଣ ନଥାଏ ସେଭଳି ଅତ୍ୟନ୍ତ ଅନ୍ଧକାର ଓ ପରିଷ୍କାର ଆକାଶରେ (ଯେପରି) ଜଣେ ସାଧାରଣ ଵ୍ୟକ୍ତି ପ୍ରାୟ ୨,୦୦୦ରୁ ୪,୫୦୦ ପର୍ଯ୍ୟନ୍ତ ତାରା ଦେଖିପାରନ୍ତି। ଅଧିକାଂଶ ସ୍ଥାନରେ ଏହା ୨,୫୦୦ରୁ ୩,୦୦୦ ଆଖପାଖ ହୋଇଥାଏ। କିନ୍ତୁ ଚନ୍ଦ୍ରମା ଉପସ୍ଥିତ ଥିଲେ, ସହରରେ ଵା ଆଲୋକ ପ୍ରଦୂଷଣ ଥିଲେ ଏହି ସଂଖ୍ୟା ମାତ୍ର ୧୦୦ରୁ ୫୦୦ ପର୍ଯ୍ୟନ୍ତ କମିଯାଇପାରେ। ଏହା ଆଶ୍ଚର୍ଯ୍ୟଜନକ ଯେ ଆମ ଆକାଶଗଙ୍ଗା ଗାଲାକ୍ସିରେ ପ୍ରାୟ ୨୦୦ ଵିଲିୟନ ତାରା ଅଛନ୍ତି, କିନ୍ତୁ ଆମେ ତନ୍ମଧ୍ୟରୁ କେଵଳ କିଛି ହଜାର ତାରାକୁ ଦେଖିପାରୁଛୁ।
ଖାଲି ଆଖିରେ ଦେଖାଯାଉଥିଵା ତାରାଗୁଡ଼ିକର ଦୂରତା ଵହୁତ ଭିନ୍ନ ହୋଇଥାଏ। ଅଧିକାଂଶ ତାରା (ପ୍ରାୟ ୯୦-୯୫%) ୧୦ରୁ ୧,୦୦୦ ଆଲୋକ ଵର୍ଷ ମଧ୍ୟରେ ଅଵସ୍ଥିତ। Sirius, Vega, Procyon ଓ Altair ଭଳି ଅନେକ ସୁନ୍ଦର ଉଜ୍ଜ୍ୱଳ ତାରା କେଵଳ ୪ରୁ ୩୦୦ ଆଲୋକ ଵର୍ଷ ମଧ୍ୟରେ ଅଛନ୍ତି। Deneb ଭଳି କିଛି ଅତ୍ୟନ୍ତ ଉଜ୍ଜ୍ୱଳ ହାଇପରଜାଇଣ୍ଟ୍ ତାରା ପ୍ରାୟ ୧,୫୦୦ରୁ ୨,୬୦୦ ଆଲୋକ ଵର୍ଷ ଦୂରରେ ଅଛନ୍ତି। ସର୍ବୋଚ୍ଚ ଅନୁମାନରେ କିଛି ତାରା ୮,୦୦୦ରୁ ୧୫,୦୦୦ ଆଲୋକ ଵର୍ଷ ପର୍ଯ୍ୟନ୍ତ ଦେଖାଯାଇପାରନ୍ତି। ଏହି ତାରାଗୁଡ଼ିକ ସବୁ ଆମର ଆକାଶଗଙ୍ଗା ଗାଲାକ୍ସିର ଭିତରେ ତଥା ଆମ ସୌରଜଗତର ନିକଟଵର୍ତ୍ତୀ Orion Arm ଏଵଂ ଏହାର ଆଖପାଖ ସ୍ପାଇରାଲ୍ ଆର୍ମ୍‌ଗୁଡ଼ିକରେ ଅଵସ୍ଥିତ । ଏହା ଆମ ଗାଲାକ୍ସିର ଏକ ଵହୁତ ଛୋଟ ଅଂଶ ମାତ୍ର, କାରଣ ଆକାଶଗଙ୍ଗାର ଵ୍ୟାସ ପ୍ରାୟ ୧,୦୦,୦୦୦ରୁ ୨,୦୦,୦୦୦ ଆଲୋକ ଵର୍ଷ।

ରାତି ଆକାଶରେ ତାରାଗୁଡ଼ିକୁ ସଂଯୋଗ କରି ପ୍ରାଚୀନକାଳରୁ ଆଜି ପର୍ଯ୍ୟନ୍ତ ମାନଵ ସମାଜ ମୋଟ୍ ୮୮ଟି ତାରାମଣ୍ଡଳ (constellations) ଗଠନ କରିଛି କିନ୍ତୁ ତନ୍ମଧ୍ୟରୁ ୧୨ଟି ରାଶିଚକ୍ର ଅନ୍ତର୍ଭୁକ୍ତ ତଥା ପୁରାତନ। କିନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଵୈଜ୍ଞାନିକ ସତ୍ୟ ହେଉଛି: ଏହି ରାଶିଗୁଡ଼ିକରେ ଥିଵା ତାରାଗୁଡ଼ିକ ପରସ୍ପରଠାରୁ ଅନେକ ଆଲୋକ ଵର୍ଷ ଦୂରରେ ଅଛନ୍ତି ଏଵଂ ସେମାନଙ୍କ ମଧ୍ୟରେ କୌଣସି ପ୍ରତ୍ୟକ୍ଷ ଭୌତିକ ସମ୍ପର୍କ ନାହିଁ।

ଉଦାହରଣସ୍ୱରୂପ, Orion ତାରାମଣ୍ଡଳରେ Rigel ପ୍ରାୟ ୮୬୦ ଆଲୋକ ଵର୍ଷ ଦୂରରେ ଥିଵାବେଳେ Betelgeuse ପ୍ରାୟ ୬୪୦ ଆଲୋକ ଵର୍ଷ ଦୂରରେ ଅଛି। ଅର୍ଥାତ୍ Rigel ଓ Betelgeuse ପରସ୍ପରଠାରୁ ୨୦୦+ ଆଲୋକ ଵର୍ଷ(ପ୍ରାୟ ୧.୯ quadrillion କିଲୋମିଟର) ଦୂରରେ ରହି ଆକାଶଗଙ୍ଗାର ମଧ୍ୟଭାଗକୁ ପରିକ୍ରମା କରୁଛନ୍ତି । 
ଆମେ ରାତି ଆକାଶରେ ଦେଖୁଥିଵା ତାରାଗୁଡ଼ିକ ଗାଲାକ୍ସିର ଵିଭିନ୍ନ ଅଂଶରେ ଅଛନ୍ତି। ଏକ ରାଶିରେ ଥିଵା ତାରାଗୁଡ଼ିକ କେଵଳ ପୃଥିଵୀରୁ ଦେଖିଵାର ଦୃଷ୍ଟିକୋଣରୁ ନିକଟଵର୍ତ୍ତୀ ଦେଖାଯାନ୍ତି। ଯଦି ଆପଣ ପୃଥିଵୀରୁ ବାହାରି ଯାଆନ୍ତି ତେବେ ସେହି ଆକାର ସମ୍ପୂର୍ଣ୍ଣ ଭାବେ ଅଦୃଶ୍ୟ ହୋଇଯିଵ ଏଵଂ ଭିନ୍ନ 
ଭିନ୍ନ ସ୍ଥାନରେ ଵିଭିନ୍ନ ଆକାର ଦେଖିଵାକୁ ମିଳିଵ ।

ନାସାର Hubble Space Telescope ଓ Gaia Mission ଦ୍ୱାରା ତାରାଗୁଡ଼ିକର ନିର୍ଭୁଲ ଦୂରତା ମାପାଯାଇଛି, ଯାହା ଦର୍ଶାଏ ଯେ ଏକ ରାଶିରେ ଥିଵା ଵିଭିନ୍ନ ତାରାଗୁଡ଼ିକ ପରସ୍ପରରୁ ବହୁତ ଦୂରରେ ଅଛନ୍ତି। ତାରାଗୁଡ଼ିକର ଆଲୋକର ସ୍ପେକ୍ଟ୍ରମ୍ ଵିଶ୍ଲେଷଣରୁ ଜଣାପଡ଼େ ଯେ ରାଶିଗୁଡ଼ିକରେ ତାରାଗୁଡ଼ିକର ଵୟସ ମଧ୍ୟ ସମାନ ନାହିଁ । ଗୋଟିଏ ରାଶିରେ କିଛି ତାରା ୧୦୦ ମିଲିୟନ ଵର୍ଷୀୟ ହୋଇଥିଲା ବେଳେ ଆଉ କିଛି ୧୦ ତାରା ଵିଲିୟନ୍ ଵର୍ଷୀୟ ଅଟନ୍ତି । ଏହା ସୂଚିତ କରେ ଯେ ସେ ତାରାମାନ ଏକତ୍ର ସୃଷ୍ଟି ହୋଇନାହାଁନ୍ତି। ପୁଣି ଗୋଟିଏ ରାଶି ମଧ୍ୟରେ ଥିଵା ତାରାଗୁଡ଼ିକ ମଧ୍ୟରେ ଗ୍ରାଭିଟେସନାଲ୍ ପ୍ରଭାଵର ଅଭାଵ ମଧ୍ୟ ପରିଲକ୍ଷିତ ହୋଇଥାଏ । Hipparcos satelliteର ଡାଟା ଦର୍ଶାଏ ଯେ ତାରାଗୁଡ଼ିକ ପରସ୍ପରରୁ ଦୂରେଇ ଯାଉଛନ୍ତି, ଏକଠାରେ ଘୂରୁନାହାଁନ୍ତି।

ତେଣୁ ଏହି ପାରମ୍ପରିକ ରାଶିଗୁଡ଼ିକ ଏକ ଵୈଜ୍ଞାନିକ ଵାସ୍ତଵତା ନୁହଁନ୍ତି, ଵରଂ ମାନଵୀୟ ସଂସ୍କୃତି ଏଵଂ କଳ୍ପନାର ନିର୍ମାଣ। ପ୍ରାଚୀନ ସମୟରେ ବାବିଲୋନୀୟନ୍, ଗ୍ରୀକ୍ ଏଵଂ ଭାରତୀୟ ସଂସ୍କୃତିରେ ଲୋକେ ଆକାଶରେ ତାରାଗୁଡ଼ିକୁ ଭାଗ୍ୟ ନିର୍ଦ୍ଦେଶ, ଋତୁ ପରିଵର୍ତ୍ତନର ଚିହ୍ନଟ ଏଵଂ ପୌରାଣିକ କାହାଣୀ ପାଇଁ ଵ୍ୟଵହାର କରୁଥିଲେ। ତାରାମଣ୍ଡଳ ମିଥ୍କର ଇତିହାସ ଵହୁତ ପ୍ରାଚୀନ ଏଵଂ ବହୁମୁଖୀ। ମଧ୍ୟପ୍ରାଚ୍ୟ ଵାପ୍ରାଚୀନ ମେସୋପୋଟାମିଆର ସୁମେରିଆନ୍ ଓ ବାବିଲୋନୀୟମାନେ ତାରାଗୁଡ଼ିକୁ ନାମ ଦେଇ ଦେଵତାଙ୍କ ସହ ଯୋଡ଼ିଥିଲେ (ପ୍ରାୟ ୪୦୦୦-୨୦୦୦ BCE)। ବାବିଲୋନୀୟମାନେ ୧୨ଟି ରାଶିଚକ୍ର ତିଆରି କରିଥିଲେ, ଯାହା ସୂର୍ଯ୍ୟର ଵାର୍ଷିକ ପଥ ଉପରେ ଆଧାରିତ ଥିଲା। ଠିକ୍ ସେହି ସମୟରେ ଭାରତୀୟମାନେ ଵେଦରେ ପ୍ରାରମ୍ଭିକ ଜ୍ୟୋତିର୍ଵିଜ୍ଞାନ ସମ୍ବନ୍ଧୀୟ ତଥ୍ୟ ଯୋଡ଼ିଥିଲେ ଯାହାକୁ ପାଶ୍ଚାତ୍ୟ ଗଵେଷକମାନେ ତଥା ଭାରତର ଵାମପନ୍ଥୀ ଐତିହାସିକମାନେ କେତେକ ସଂସ୍କୃତ ଶବ୍ଦର ଵ୍ୟଵହାର ଆଧାରରେ 1400–700 BCE ବୋଲି କହି ବୁଲୁଛନ୍ତି । 

ତେବେ ମଧ୍ୟପ୍ରାଚ୍ୟ ଓ ଭାରତ ଭଳି ପ୍ରାଚୀନ ମିଶରୀୟମାନେ ମଧ୍ୟ ପ୍ରାଚୀନ ଜ୍ୟୋତିର୍ଵିଜ୍ଞାନ କ୍ଷେତ୍ରରେ କେତେକ କାର୍ଯ୍ୟ କରିଥିଲେ । ସେମାନେ Orionକୁ ଦେଵତା Osiris ଏଵଂ Siriusକୁ Sopdet (ନୀଳ ନଦୀ ଵନ୍ୟାର ସଙ୍କେତ) ଭାବେ ଦେଖୁଥିଲେ। ଗ୍ରୀକ୍‌ମାନେ ବାବିଲୋନୀୟ ତାରାମଣ୍ଡଳକୁ ଗ୍ରହଣ କରି ନିଜ ପୌରାଣିକ କାହାଣୀ ସହ ଯୋଡ଼ିଲେ, ଯେପରି Orion (ଶକ୍ତିଶାଳୀ ଶିକାରୀ), Ursa Major (ଭାଲୁରେ ପରିଣତ ନିମ୍ଫ Callisto), ଏଵଂ Pleiades (ସାତ ଭଉଣୀ)। ପ୍ରାଚୀନ ଚୀନାମାନେ ମଧ୍ୟ ତାରାଗୁଡ଼ିକୁ ଅଞ୍ଚଳ ଓ ଦେଵତାଙ୍କ ସହ ଯୋଡ଼ିଛନ୍ତି ଏଵଂ ଵିଭିନ୍ନ ସଭ୍ୟତାରେ ସମାନ ତାରାଗୁଡ଼ିକୁ ଭିନ୍ନ କାହାଣୀ ସହ ଦେଖାଯାଇଛି।

ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଏକ ପ୍ରାଚୀନ ଵିଦ୍ୟା ଯାହା ତାରା ଓ ଗ୍ରହଗୁଡ଼ିକର ଅଵସ୍ଥାନକୁ ମାନଵ ଭାଗ୍ୟ, କର୍ମା ଏଵଂ ଜୀଵନ ଘଟଣା ସହ ଯୋଡ଼ି ଦେଖେ। ଏହା ଭାରତରେ ସାଂସ୍କୃତିକ ଏଵଂ ଧାର୍ମିକ ମହତ୍ତ୍ୱ ରଖିଛି। କିନ୍ତୁ ଵୈଜ୍ଞାନିକ ଦୃଷ୍ଟିରୁ ଏହା କେତେ ଯୁକ୍ତି ଯୁକ୍ତ ?

ଆଧୁନିକ ଵିଜ୍ଞାନ ଅନୁସାରେ, ଜ୍ୟୋତିଷରେ ତାରା ଓ ଗ୍ରହଗୁଡ଼ିକ ମାନଵ ଭାଗ୍ୟ ଉପରେ ପ୍ରଭାଵ ପକାଉଥିଵା ଦାଵିର କୌଣସି ଵୈଜ୍ଞାନିକ ପ୍ରମାଣ ନାହିଁ। ଵିଜ୍ଞାନ ସମ୍ପ୍ରଦାୟ ଏହାକୁ ଛଦ୍ମଵିଜ୍ଞାନ ବୋଲି ଵିଵେଚନା କରେ। ଭାରତର ପ୍ରସିଦ୍ଧ ଆଷ୍ଟ୍ରୋଫିଜିକିଷ୍ଟ୍ ଡ. ଜୟନ୍ତ ନର୍ଲିକର୍‌ଙ୍କ ଦ୍ଵାରା ୨୦୦୮ରେ କରାଯାଇଥିଵା ପରୀକ୍ଷଣରେ ଜ୍ୟୋତିଷୀମାନେ ଜନ୍ମଚାର୍ଟ୍ ଅନୁସାରେ ଵ୍ୟକ୍ତିଙ୍କ ଗୁଣ ଚିହ୍ନଟ କରିପାରିଲେ ନାହିଁ। କାର୍ଲସନ୍‌ଙ୍କର ୧୯୮୫ର ଷ୍ଟଡି ଏଵଂ ଅନ୍ୟ ଅନୁସନ୍ଧାନରେ ଜ୍ୟୋତିଷ ଅନୁମାନଗୁଡ଼ିକ ରାଣ୍ଡମ୍ ଚାନ୍ସ୍‌ରୁ ଭଲ ନୁହେଁ ବୋଲି ଦର୍ଶାଇଛି। ଭୌତିକ କାରଣର ଅଭାଵ ମଧ୍ୟ ରହିଛି। ଗ୍ରହଗୁଡ଼ିକ ମାନଵ ଜୀଵନକୁ ପ୍ରଭାଵିତ କରିଵାର କୌଣସି ଭୌତିକ କାରଣ ନାହିଁ। ଗ୍ରାଭିଟେସନାଲ୍ କିମ୍ଵା ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଫୋର୍ସ୍ ଯାହା ଗ୍ରହଗୁଡ଼ିକରୁ ଆସେ ତାହା ବହୁତ ଦୁର୍ଵଳ ଏଵଂ ମାନଵ ଭାଗ୍ୟ ଉପରେ ପ୍ରଭାଵ ପକାଇଵା ହେତୁ ଯଥେଷ୍ଟ ନୁହେଁ। ପୁଷ୍ପା ଭାର୍ଗଵ, ରାଜା ରାମନ୍ନା ଭଳି ଭାରତୀୟ ଵିଜ୍ଞାନୀମାନେ ଜ୍ୟୋତିଷକୁ ଅନ୍ଧଵିଶ୍ୱାସ ବୋଲି କହିଛନ୍ତି ଏଵଂ ଏହାକୁ ଵିଶ୍ୱଵିଦ୍ୟାଳୟରେ ପଢ଼ାଇଵା ଵିରୋଧରେ ପ୍ରୋଟେଷ୍ଟ କରିଛନ୍ତି। ୨୦୦୧ରେ UGCର ଜ୍ୟୋତିଷ କୋର୍ସ୍ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍ କରାଯାଇଥିଲା, ଯାହା ଵିଜ୍ଞାନୀମାନଙ୍କ ମଧ୍ୟରେ ଵଡ଼ ଵିତର୍କ ସୃଷ୍ଟି କରିଥିଲା। ଜ୍ୟୋତିଷ ସମର୍ଥକମାନେ କହନ୍ତି ଯେ ଏହା ଏକ "ସାଇନ୍ସ୍ ଅଫ୍ ଲାଇଟ୍" ଏଵଂ କର୍ମା ଏଵଂ କସ୍ମିକ୍ ଇନ୍‌ଫ୍ଲୁଏନ୍ସ୍ ଉପରେ ଆଧାରିତ। ଏହା ଵେଦ ଏଵଂ ପୁରାଣରୁ ଆସିଛି ଏଵଂ ଜୀଵନ ନେଭିଗେସନ୍ ପାଇଁ ଵ୍ୟଵହାର ହୁଏ। କିଛି କୋର୍ଟ୍ ଜଜ୍‌ମେଣ୍ଟ୍ ଏହାକୁ "ଵିଜ୍ଞାନ" ବୋଲି କହିଛି, କିନ୍ତୁ ଏହା ଵୈଜ୍ଞାନିକ ପ୍ରମାଣ ଉପରେ ନୁହେଁ ଵରଂ ପ୍ରାଚୀନ ସଂଜ୍ଞା ଉପରେ ଆଧାରିତ। ଅନେକ ଲୋକ ଵ୍ୟକ୍ତିଗତ ଅନୁଭଵ ଅନୁସାରେ ଏହାକୁ ନିର୍ଭୁଲ୍ ମନେ କରନ୍ତି, କିନ୍ତୁ ଏହା ମାନସିକ ପକ୍ଷପାତ ଵା confirmation bias ଯୋଗୁଁ ହୋଇପାରେ । ଜ୍ୟୋତିଷ କ୍ଷେତ୍ରରେ confirmation biasରେ ଦେଖାଯାଏ ଯେ ଲୋକେ କେଵଳ ମେଳ ଖାଉଥିଵା ଜ୍ୟୋତିଷ ଅନୁମାନଗୁଡ଼ିକୁ ମନେରଖନ୍ତି ଏଵଂ ଭୁଲ୍ ଅନୁମାନଗୁଡ଼ିକୁ ଭୁଲିଯାଆନ୍ତି।

ଜ୍ୟୋତିଷ ଏକ ସାଂସ୍କୃତିକ ଵିଶ୍ୱାସ ଭାବେ ଜୀଵନ୍ତ ରହିଛି ଏଵଂ ଅନେକଙ୍କୁ ଆଧ୍ୟାତ୍ମିକ ମାର୍ଗଦର୍ଶନ ଦେଇଥାଏ। ଏହା ଏକ ପ୍ରାଚୀନ ଜ୍ଞାନ ପରମ୍ପରାର ଅଂଶ ଯାହା ଆତ୍ମଵିଶ୍ଲେଷଣ ଓ ମାନସିକ ଶାନ୍ତି ପାଇଁ ସହାୟକ ହୋଇପାରେ। କିନ୍ତୁ ଏହାକୁ ଵୈଜ୍ଞାନିକ ସତ୍ୟ ଭାବେ ଗ୍ରହଣ କରିଵା ଉଚିତ୍ ନୁହେଁ। ଯଦି କେହି ଜ୍ୟୋତିଷକୁ ଏକ ଟୁଲ୍ ଭାବେ ଵ୍ୟଵହାର କରନ୍ତି, ତେଵେ ଏହାକୁ ସମାଲୋଚନାତ୍ମକ ଚିନ୍ତାଧାରା ସହ ମିଶାଇ ଵ୍ୟଵହାର କରିଵା ଜରୁରୀ। ଗୁରୁତ୍ୱପୂର୍ଣ୍ଣ ଜୀଵନ ନିଷ୍ପତ୍ତି କେଵଳ ଜ୍ୟୋତିଷ ଉପରେ ଆଧାର କରି ନେଵା ଉଚିତ୍ ନୁହେଁ।

ଏଠାରେ ଖଗୋଳଶାସ୍ତ୍ର ଵା ଜ୍ୟୋତିର୍ଵିଜ୍ଞାନ ଓ ଜ୍ୟୋତିଷଶାସ୍ତ୍ର ମଧ୍ୟରେ ଥିଵା ପାର୍ଥକ୍ୟ ବୁଝିଵା ବହୁତ ଆଵଶ୍ୟକ । ଇଂରାଜୀ ଭାଷାରେ ଖଗୋଳଶାସ୍ତ୍ର ଵା ଜ୍ୟୋତିର୍ଵିଜ୍ଞାନକୁ Astronomy ଏଵଂ ଜ୍ୟୋତିଷଶାସ୍ତ୍ରକୁ Astrology କୁହାଯାଏ ଏଵଂ ଏହି ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ଵିଷୟ ଅଟେ । ଖଗୋଳଶାସ୍ତ୍ର ପ୍ରାଚୀନ ପାରମ୍ପରିକ ଵିଜ୍ଞାନ ଯାହା ତାରା, ଗ୍ରହର ଗତି ତତ୍ ଆଧାରରେ ମାନଵ ଭାଗ୍ୟ ଓ ଜଳଵାୟୁ ଆଦିର ପୂର୍ଵାନୁମାନ ପାଇଁ ଵ୍ୟଵହୃତ ହୋଇଥାଏ ଏଵଂ ଏହା ପର୍ଯ୍ୟଵେକ୍ଷଣ, ପରୀକ୍ଷଣ ଓ ଗଣିତ ଉପରେ ଆଧାରିତ। ଖଗୋଳଶାସ୍ତ୍ର ଆମକୁ ଵ୍ରହ୍ମାଣ୍ଡର ଵୟସ, ତାରାଗୁଡ଼ିକର ଜୀଵନଚକ୍ର, ଗାଲାକ୍ସିର ଗଠନ ଇତ୍ୟାଦି ବୁଝିଵାରେ ସାହାଯ୍ୟ କରେ।
ଜ୍ୟୋତିଷଶାସ୍ତ୍ର ଏକ ଵିଶ୍ୱାସ ପ୍ରଣାଳୀ ଯାହା ଗ୍ରହ ଏଵଂ ତାରାଗୁଡ଼ିକର ଅଵସ୍ଥାନକୁ ମାନଵ ଜୀଵନ ଏଵଂ ଘଟଣା ସହ ଯୋଡ଼େ। ଏହା ସାଂସ୍କୃତିକ ପରମ୍ପରା ଏଵଂ ଵିଶ୍ୱାସ ଉପରେ ଆଧାରିତ, ଵୈଜ୍ଞାନିକ ପଦ୍ଧତି ଉପରେ ପର୍ଯ୍ୟଵେସିତ ନୁହେଁ ।
ପ୍ରାଚୀନ କାଳରେ ଏହି ଦୁଇଟି ଏକତ୍ର ଥିଲା, କିନ୍ତୁ ଆଧୁନିକ ଯୁଗରେ ଖଗୋଳଶାସ୍ତ୍ର ଵା ଜ୍ୟୋତିର୍ଵିଜ୍ଞାନ ଏକ ଶୁଦ୍ଧ ଵିଜ୍ଞାନ ହୋଇଥିଵାଵେଳେ ଜ୍ୟୋତିଷଶାସ୍ତ୍ର ଏକ ସାଂସ୍କୃତିକ ପ୍ରଥା ଭାବେ ରହିଛି।

ଵୈଜ୍ଞାନିକ ସତ୍ୟ ଓ ସାଂସ୍କୃତିକ ଵିଶ୍ୱାସକୁ ନେଇ ଚର୍ଚ୍ଚା ସତ୍ତ୍ୱେ, ରାତିର ଆକାଶକୁ ଦେଖିଵାର ନିଜସ୍ୱ ଏକ ମହତ୍ତ୍ୱ ଅଛି। ତାରାଗୁଡ଼ିକ ଆମକୁ ଵ୍ରହ୍ମାଣ୍ଡର ଵିଶାଳତା, ଆମର କ୍ଷୁଦ୍ରତା ଏଵଂ ପ୍ରକୃତିର ସୌନ୍ଦର୍ଯ୍ୟ ମନେ ପକାଇ ଦିଅନ୍ତି। ଆଧୁନିକ ସହରୀ ଜୀଵନରେ ଆଲୋକ ପ୍ରଦୂଷଣ ଯୋଗୁଁ ଅଧିକାଂଶ ଲୋକ ତାରାଭରା ରାତି ଦେଖିଵାର ସୁଯୋଗରୁ ଵଞ୍ଚିତ ହେଉଛନ୍ତି। ଏହା ଏକ ଵଡ଼ କ୍ଷତି, କାରଣ ତାରା ଦର୍ଶନ କେଵଳ ଵୈଜ୍ଞାନିକ ଜ୍ଞାନ ନୁହେଁ, ଵରଂ ମାନସିକ ଶାନ୍ତି, ଦାର୍ଶନିକ ଚିନ୍ତା ଏଵଂ ପ୍ରକୃତି ସହିତ ସଂଯୋଗର ମାଧ୍ୟମ ମଧ୍ୟ ଅଟେ । 

ତାରା ଓ ଆକାଶର ଅଧ୍ୟୟନ ଶିକ୍ଷାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଖଗୋଳଶାସ୍ତ୍ର ଵା ଜ୍ୟୋତିର୍ଵିଜ୍ଞାନ ପଢ଼ିଵା ଦ୍ୱାରା ଶିକ୍ଷାର୍ଥୀମାନେ ଵୈଜ୍ଞାନିକ ପଦ୍ଧତି, ପର୍ଯ୍ୟଵେକ୍ଷଣ, ଏଵଂ ସମାଲୋଚନାତ୍ମକ ଚିନ୍ତାଧାରା ଶିଖନ୍ତି। ଦୂରତା, ଆକାର, ଏଵଂ ଗତିର ଗଣନା ଗଣିତୀୟ ଦକ୍ଷତା ଵୃଦ୍ଧି କରେ। ଆମେ ଵ୍ରହ୍ମାଣ୍ଡର ଏକ ଅଂଶ ବୋଲି ବୁଝିଵା ଦ୍ୱାରା ଵିଶ୍ୱଦୃଷ୍ଟି ଵିସ୍ତୃତ ହୁଏ। ବ୍ରହ୍ମାଣ୍ଡର ଵିଶାଳତାକୁ ଜାଣିଲେ ମନରେ ଗର୍ଵ ଅହଂକାର ହ୍ରାସ ପାଇଥାଏ । ଵିଭିନ୍ନ ସଭ୍ୟତାର ତାରା ସମ୍ଵନ୍ଧୀୟ କାହାଣୀ ସାଂସ୍କୃତିକ ଐତିହ୍ୟ ବୁଝିଵାରେ ସାହାଯ୍ୟ କରେ। ତାରା ଦେଖିଵାକୁ ଆଗ୍ରହୀ ଵ୍ୟକ୍ତିମାନେ ଅନ୍ଧକାର ସ୍ଥାନ ବାଛନ୍ତୁ ‌ଏଵଂ ସହରଠାରୁ ଦୂରରେ, ଆଲୋକ ପ୍ରଦୂଷଣମୁକ୍ତ ସ୍ଥାନକୁ ଯାଆନ୍ତୁ। ଚନ୍ଦ୍ରହୀନ ରାତି ବାଛନ୍ତୁ ଵିଶେଷତଃ ଅମାଵାସ୍ୟା ସମୟରେ ଅଧିକ ତାରା ଦେଖାଯାଏ। ଆଖିକୁ ସମୟ ଦିଅନ୍ତୁ । ଅନ୍ଧକାରରେ ଆଖି ଅଭ୍ୟସ୍ତ ହେଵାକୁ ୨୦-୩୦ ମିନିଟ୍ ଲାଗେ। Stellarium, SkySafari ଭଳି ଆପ୍‌ ତାରାଗୁଡ଼ିକୁ ଚିହ୍ନଟ କରିଵାରେ ସାହାଯ୍ୟ କରେ।
ତାରା ଦର୍ଶନ ଏକ ଧୈର୍ଯ୍ୟଶୀଳ କାର୍ଯ୍ୟ, କିନ୍ତୁ ଅତ୍ୟନ୍ତ ଲାଭଦାୟକ।

ଵୈଜ୍ଞାନିକ ଦୃଷ୍ଟିକୋଣରୁ ତାରାଗୁଡ଼ିକୁ ଅଧ୍ୟୟନ କଲେ ମାନଵମାନେ ବ୍ରହ୍ମାଣ୍ଡର ଵିଶାଳତା, ଦୂରତା ଏଵଂ ସମୟର ଗଭୀରତା ହୃଦୟଙ୍ଗମ କରିପାରିବେ। ସେମାନେ ଜାଣିବେ ଯେ ରାଶିଚକ୍ରରେ ଥିଵା ତାରାଗୁଡ଼ିକ ପରସ୍ପରରୁ ଵହୁତ ଦୂରରେ ଅଵସ୍ଥିତ ଏଵଂ ଏହି ସତ୍ୟ ତାଙ୍କୁ ଶିକ୍ଷା ଦେଵ ଯେ ଆମେ ସମସ୍ତେ ଯାହା ଦେଖୁଛୁ ତାହା ସଦା ସତ୍ୟ ନୁହେଁ — ପରିପ୍ରେକ୍ଷୀ ଗୁରୁତ୍ୱପୂର୍ଣ୍ଣ।

ସାଂସ୍କୃତିକ ଦୃଷ୍ଟିକୋଣରୁ ରାଶିଚକ୍ର ତଥା ଜ୍ୟୋତିଷ ହଜାରେ ଵର୍ଷର ମାନଵ କଳ୍ପନା, କାହାଣୀ ଓ ଵିଶ୍ୱାସର ପ୍ରତିନିଧିତ୍ୱ କରେ। ଯଦିଓ ଏହାର କୌଣସି ଵୈଜ୍ଞାନିକ ଭିତ୍ତି ନାହିଁ, ତଥାପି ଏହା ଆମର ସାଂସ୍କୃତିକ ଐତିହ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏଵଂ ଅନେକଙ୍କ ପାଇଁ ଆଧ୍ୟାତ୍ମିକ ମାର୍ଗଦର୍ଶନର ମାଧ୍ୟମ।

ଗୁରୁତ୍ୱପୂର୍ଣ୍ଣ ହେଉଛି ଵିଜ୍ଞାନ ଓ ଵିଶ୍ୱାସ ମଧ୍ୟରେ ପାର୍ଥକ୍ୟ ବୁଝିଵା। ଵିଜ୍ଞାନ ଆମକୁ ଵସ୍ତୁନିଷ୍ଠ ସତ୍ୟ ସହିତ ପରିଚିତ କରାଏ ଯାହା ପରୀକ୍ଷଣ ଓ ପର୍ଯ୍ୟଵେକ୍ଷଣ ଦ୍ୱାରା ପ୍ରମାଣିତ ହୋଇଛି। ଵିଶ୍ୱାସ ଆମକୁ ସାନ୍ତ୍ୱନା, ଅର୍ଥ ଓ ସାଂସ୍କୃତିକ ପରିଚୟ ଦିଏ। ଦୁଇଟିର ନିଜସ୍ୱ ସ୍ଥାନ ଅଛି, କିନ୍ତୁ ସେଗୁଡ଼ିକୁ ପରସ୍ପର ସହ ମିଶାଇଵା ଉଚିତ୍ ନୁହେଁ।

ଯେତେଵେଳେ ଆମେ ରାତିର ଆକାଶକୁ ଦେଖୁଛୁ, ଆସନ୍ତୁ ଵିସ୍ମୟ ଏଵଂ କୌତୁହଳ ସହିତ ଦେଖିଵା — ଵୈଜ୍ଞାନିକ ଜ୍ଞାନର ଆଲୋକରେ, କିନ୍ତୁ ସାଂସ୍କୃତିକ ଐତିହ୍ୟର ସମ୍ମାନ ସହିତ। ତାରାଗୁଡ଼ିକ କେଵଳ ଦୂରଵର୍ତ୍ତୀ ଗ୍ୟାସ୍ ବଲ୍ ନୁହଁନ୍ତି, ଵରଂ ମାନଵ କଳ୍ପନା, ଵୈଜ୍ଞାନିକ ଅନୁସନ୍ଧାନ ଓ ଦାର୍ଶନିକ ଚିନ୍ତାର ଅସୀମ ଉତ୍ସ। ଆକାଶର ଏହି ତାରାଗୁଡ଼ିକ ଆମକୁ ମନେ ପକାଇ ଦିଅନ୍ତି ଯେ ଆମେ ଏକ ଵିଶାଳ, ରହସ୍ୟମୟ ଵ୍ରହ୍ମାଣ୍ଡର ଅତି ଅତି ଅତି ଅତି ଅତି ଅତି କ୍ଷୁଦ୍ରାତିକ୍ଷୁଦ୍ର ଅଂଶ ମାତ୍ର। 
•••••••••••••••••••••••••••••••••••••
ଏ ଵିଷୟରେ ଆହୁରି ଅଧ୍ୟୟନ ପାଇଁ ନିମ୍ନୋକ୍ତ ପୁସ୍ତକଗୁଡ଼ିକୁ ପଢ଼ନ୍ତୁ :
1.Stars: A Very Short Introduction by James B. Kaler

2.Astronomy: A Very Short Introduction by Michael Hoskin

3.Astrology: A Very Short Introduction by Patrick Curry

4.The Oxford Illustrated History of the Sky and Solar System edited by Gareth Wynn-Williams

5.Cosmology: A Very Short Introduction by Peter Coles

6.Galaxies: A Very Short Introduction by John Gribbin

7.The Stars: A New Way to See Them by H.A. Rey

8.NightWatch: A Practical Guide to Viewing the Universe by Terence Dickinson

9.Constellations: The Story of Star Patterns by Paul Murdin

10.The Mythology of the Night Sky: Greek, Roman, and Other Celestial Tales by David E. Falkner
••••••••••••••••••••••••••••••••••••••••

Thursday, March 20, 2025

ଏ ମହାକାଶର ସ୍ଵାମୀ କିଏ ?



ଗ୍ରେଗୋରୀ ନିମିଟ୍ଜ୍ ନାମକ ଜଣେ ଵ୍ୟକ୍ତି ୨୦୦୦ ମସିହାରେ ଏକ ଏପରି ସ୍ଥାନର ପଞ୍ଜୀକରଣ କରାଇଥିଲେ, ଯେଉଁଠାରେ ବଜାର ମୂଲ୍ୟରେ ପ୍ରାୟ ୫ ଲକ୍ଷ ଖରବ ଟଙ୍କାର ପ୍ଲାଟିନମ୍ ରହିଛି। ଏହି ସ୍ଥାନଟି ପୃଥିଵୀର ନୁହେଁ, ଵରଂ ପୃଥିଵୀ ଓ ମଙ୍ଗଳ ଗ୍ରହ ମଧ୍ୟରେ ଘୂରି ବୁଲୁଥିଵା ୪୩୩-ଇରୋସ୍ (433-EROS) ନାମକ ଏକ ଗ୍ରହାଣୁରେ ରହିଛି । ଏହି ଘଟଣାର ପ୍ରାୟ ୧୧ ମାସ ପରେ ନାସା (NASA) ଏହି ଗ୍ରହାଣୁ ଉପରେ ଏକ ସ୍ପେସ୍-ସଟଲ୍ ଅଵତରଣ କରାଇ ଇତିହାସ ସୃଷ୍ଟି କରିଥିଲା। ତାହା ଜାଣିପାରି ଗ୍ରେଗୋରୀ ନାସାକୁ "ତାଙ୍କ ଜମିରେ ଅନାଧିକୃତ ଅଵତରଣ" ଅଭିଯୋଗରେ ୨୦ ଡଲାରର ପାର୍କିଂ ଟିକେଟ୍ ପଠାଇ ଦେଇଥିଲେ।  

କେଡ଼େ ହାସ୍ୟାସ୍ପଦ କଥା...!!!  

କିନ୍ତୁ ନାସା ଏବଂ ଆମେରିକାର ଆଟର୍ନି ଜେନେରାଲ୍ ଗ୍ରେଗୋରୀଙ୍କ ଦାବିକୁ "ଆଉଟର୍ ସ୍ପେସ୍ ଟ୍ରିଟି" (Outer Space Treaty) ଆଧାରରେ ବେଆଇନ ଘୋଷଣା କରି ଖାରଜ କରି ଦେଇଥିଲେ। ଏହି ସନ୍ଧି ଅନୁସାରେ, କୌଣସି ଵ୍ୟକ୍ତି କିମ୍ବା ରାଷ୍ଟ୍ର ପୃଥିଵୀ ଵ୍ୟତୀତ ବ୍ରହ୍ମାଣ୍ଡର କୌଣସି ଗ୍ରହ, ଉପଗ୍ରହ, କିମ୍ବା ତାରା ଉପରେ ନିଜର ଏକଚାଟିଆ ପ୍ରଭୁତ୍ଵ ଦାବି କରିପାରିବେ ନାହିଁ।  

 "ବ୍ରହ୍ମାଣ୍ଡ ମାନବଜାତିର ସର୍ଵସାଧାରଣ ସମ୍ପତ୍ତି।"  

୧୯୬୭ରେ ହୋଇଥିବା ଏହି ସନ୍ଧିରେ ବିଶ୍ୱର ପ୍ରାୟ ୧୩୦ଟି ଦେଶ ହସ୍ତାକ୍ଷର କରିଛନ୍ତି। ମଜା କଥା ହେଲା, ଏହି ସନ୍ଧିରେ "ମହାକାଶର ଵାଣିଜ୍ୟିକ ଉପଯୋଗ" ଵିଷୟରେ କିଛି ବି ଉଲ୍ଲେଖ ନାହିଁ। ଏହି କାରଣରୁ ଅନେକ ଘରୋଇ ସଂସ୍ଥା ଵ୍ୟକ୍ତିଗତ ମିଶନ ଜରିଆରେ ବ୍ରହ୍ମାଣ୍ଡରେ ଘୂରୁଥିଵା ଗ୍ରହାଣୁ ଓ ଉଲ୍କାପିଣ୍ଡରୁ ମୂଲ୍ୟଵାନ ଖଣିଜ ଉତ୍ଖନନ ଏଵଂ ଚନ୍ଦ୍ରମାରେ ଉପଲବ୍ଧ ନ୍ୟୁକ୍ଲିୟର୍ ଇନ୍ଧନର ଉନ୍ନତ ଵିକଳ୍ପ "ହିଲିୟମ୍-୩" ପାଇଵା ପାଇଁ ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପଗୁଡ଼ିକ ଉପରେ କାମ କରୁଛନ୍ତି।  

 ଏବେ ଧରନ୍ତୁ ଆପଣଙ୍କ ପାଖରେ ଅପାର ଧନସମ୍ପତ୍ତି ଅଛି। ଆପଣ ପୃଥିଵୀ ଛାଡ଼ି ଚନ୍ଦ୍ରମାକୁ ଯାଇ ସେଠାରେ ଏକ ସୁନ୍ଦର ଘର ତିଆରି କରି ରହିପାରିବେ। ତାହେଲେ ଆପଣଙ୍କୁ ଅଟକାଇବାର ଅଧିକାର କାହାର ଅଛି?  
ସମ୍ପତ୍ତି ଓ ଶକ୍ତିର ସିଧାସଳଖ ସମ୍ପର୍କ ରହିଛି। ଦେଖାଯାଏ "ସମ୍ପତ୍ତିର ସ୍ୱାମୀତ୍ୱ" କେଵଳ ତେତେବେଳେ ସମ୍ଭଵ, ଯେତେବେଳେ କୌଣସି ଶକ୍ତିଶାଳୀ ସଂସ୍ଥା, ଯେମିତି କି "ରାଷ୍ଟ୍ର", ଆପଣଙ୍କ ସ୍ୱାମୀତ୍ୱ ଉପରେ ମୋହର ଲଗାଇ ଆଇନଗତ ମାନ୍ୟତା ଦିଏ। ସେହିପରି ଆପଣ ଚନ୍ଦ୍ରମାରେ ରହି ତାହାକୁ ନିଜର ସମ୍ପତ୍ତି ଘୋଷଣା କରିପାରନ୍ତି। ଆପଣଙ୍କୁ କେହି ଅଟକାଇ ପାରିବେ ନାହିଁ, କିନ୍ତୁ ଚନ୍ଦ୍ରମା ଉପରେ ଆପଣଙ୍କର ଅଧିକାର ସେତିକି ଦିନ ପର୍ଯ୍ୟନ୍ତ ରହିବ, ଯେତିକି ଦିନ ପର୍ଯ୍ୟନ୍ତ "ଆପଣଙ୍କଠାରୁ ଅଧିକ ଶକ୍ତିଶାଳୀ" କେହି ସେଠାରେ ପହଞ୍ଚି ନଥିବେ !!!  

ପୁଣି ଏଠାରେ ଆଉ ଏକ ପ୍ରଶ୍ନ ଉଠୁଛି ଯେ, ଆମେ ମଣିଷମାନେ ବ୍ରହ୍ମାଣ୍ଡର କୌଣସି ଗ୍ରହର ପ୍ରଭୁତ୍ବ କରିଵାକୁ କିଏ ? ଆମର ଜନ୍ମ ତ ପୃଥିଵୀରେ ଉପଲବ୍ଧ ଉପାଦାନଗୁଡ଼ିକ ଦ୍ୱାରା ହୋଇଛି ତାହେଲେ ଆମକୁ ଏହି ଅଧିକାର କିଏ ଦେଇଛି ଯେ ଆମେ ବ୍ରହ୍ମାଣ୍ଡର ଅନ୍ୟ କୌଣସି ପିଣ୍ଡ ଉପରେ ନିଜର ସ୍ଵାମୀତ୍ବ ଦାବି କରିବୁ? ୪୫୦କୋଟି ଵର୍ଷ ଵୟସ୍କ ପୃଥିଵୀଗ୍ରହରେ ଆମେ ଏଇ ମାତ୍ର କିଛି ଵର୍ଷର ଜୀଵ । ତାହେଲେ ଆମକୁ ଏ ଗ୍ରହର କୌଣସି ଭୂମିଖଣ୍ଡକୁ କିଣା ବିକା କରିଵାର ଅଧିକାର ବି ଆମକୁ କିଏ ଦେଲା ? ଏକ ଭୂଭାଗ ଵିଶେଷକୁ କିଣା ବିକା ବେଳେ ଆମେ କ'ଣ ସେହି ଜମିରେ ରହୁଥିବା ପଶୁ, କୀଟପତଙ୍ଗଙ୍କ ଅନୁମତି ନେଉଛୁ?  

ମନେ କରନ୍ତୁ ,ବ୍ରହ୍ମାଣ୍ଡରେ ଅତିବିକଶିତ ଓ ଅତିଵିଶାଳ ଅନେକ ପରଗ୍ରହୀ ସଭ୍ୟତା ରହୁଛନ୍ତି। ଯଦି ଆମରି ଆକାଶଗଙ୍ଗା Milky Wayର ସ୍ୱାମୀତ୍ୱ ତନ୍ମଧ୍ୟରେ କୌଣସି ଏକ ପରଗ୍ରହୀ ସଭ୍ୟତା ପୂର୍ଵରୁ କିଣି ରଖିଛି ତାହେଲେ କ'ଣ ହେଵ ?  
ଯଦି କାଲିକୁ କୌଣସି ଏଲିୟନ୍ ସଭ୍ୟତା ଆସି ଆମ ସମ୍ପଦ ଉପରେ ନିଜର ପ୍ରଭୁତ୍ବ ଦାବି କରି ମଣିଷମାନଙ୍କୁ ପୃଥିଵୀ ଖାଲି କରିଦେବାକୁ ଆଦେଶ ଦିଏ, ତେବେ କ’ଣ ହେଵ?  
ଆମେ ସେମାନଙ୍କର କିପରି ପ୍ରତିକାର କରିବୁ ?  
ଆମେ ଆମର ଧର୍ମଗ୍ରନ୍ଥର କାହାଣୀଗୁଡ଼ିକୁ ପଢ଼ାଇ ସେମାନଙ୍କ ମନରେ ଵିଶ୍ୱାସ ଜନ୍ମାଇ ପାରିବୁ କି ଯେ ଆମେ ଈଶ୍ୱରଙ୍କ ପ୍ରିୟ ସନ୍ତାନ ଏଵଂ ଏହି ସମଗ୍ର ସଂସାର ଆମର ଉପଭୋଗ ପାଇଁ ସୃଷ୍ଟି ହୋଇଛି ?  
 
କିମ୍ବା ଏମନ୍ତ ବି ହୋଇପାରେ ଯେ ସେହି ପରଗ୍ରହୀମାନେ ଆମ ସହ କଥାଵାର୍ତ୍ତା କରିଵାର ଆଵଶ୍ୟକତା ହିଁ ଅନୁଭଵ ନ କରିପାରନ୍ତି ଏଵଂ ବିନା ଚେତାବନୀରେ ମଣିଷମାନଙ୍କୁ ନାଶ କରିଵାର ଵ୍ୟଵସ୍ଥା କରିପାରନ୍ତି। ଠିକ୍ ଯେମିତି ଆମେ ମଣିଷମାନେ ଗୋଟିଏ ସ୍ଥାନରେ ଘର ତୋଳିଲା ବେଳେ ଉକ୍ତ ସ୍ଥାନରେ ରହୁଥିଵା ଗଛ,ଜୀଵଜନ୍ତୁ ଓ କୀଟପତଙ୍ଗ ଆଦିଙ୍କୁ ମାରି ତଡ଼ି ଦିଅନ୍ତି ହୁଏତ ଅତିଵିକଶିତ କୌଣସି ପରଗ୍ରହୀ ମଧ୍ୟ ଆମ ସହିତ ସେତେବେଳେ ସେହିପରି ଵ୍ୟଵହାର ପ୍ରଦର୍ଶନ କରିପାରନ୍ତି । 


ଏହି ପ୍ରଶ୍ନଗୁଡ଼ିକ ଯେତେ ଅଜଣା ଓ ଅଦ୍ଭୁତ, ସେତେ ଗମ୍ଭୀର ମଧ୍ୟ। ଯଦି ଆମକୁ ପ୍ରକୃତରେ ଏକ ପାଦ ଆଗକୁ ବଢ଼ାଇ ବ୍ରହ୍ମାଣ୍ଡର ନାୟକ ଭାବେ ପ୍ରତିଷ୍ଠିତ ହେଵାକୁ ହୁଏ, ତେବେ ଆଜି ନୁହେଁ ତ କାଲି... ଏହି ପ୍ରଶ୍ନଗୁଡ଼ିକ ଉପରେ ଵିଶ୍ୱର ସମସ୍ତ ରାଷ୍ଟ୍ରଙ୍କୁ ଚିନ୍ତନ କରିବାକୁ ହେଵ।  

ମନେ ରଖନ୍ତୁ...  
ଆମେ ବ୍ରହ୍ମାଣ୍ଡରେ ଏକାକୀ ବୁଦ୍ଧିମାନ ଜୀଵ ହୋଇଥିଲେ ଅଥଵା ମାନବ ସାମ୍ରାଜ୍ୟର ସୁରକ୍ଷା ପାଇଁ ଯଥେଷ୍ଟ ଶକ୍ତିଶାଳୀ ହୋଇଥିଲେ ହିଁ କେଵଳ ଏ ବ୍ରହ୍ମାଣ୍ଡର ସ୍ୱାମୀ ହୋଇପାରିଵା ଅନ୍ୟଥା ଆମର ଅସ୍ଥିତ୍ଵ ଏ ବ୍ରହ୍ମାଣ୍ଡର ଅତିଶକ୍ତିଶାଳୀ ପରଗ୍ରହୀ ଜାତିମାନଙ୍କ ଆଗରେ ଆମ ଘରେ ରହୁଥିଵା ପିମ୍ପୁଡ଼ି ପରି ତୁଚ୍ଛ ଓ ଅସାର । 

ପ୍ରକୃତରେ ଆମେ କେଵଳ ତେବେ ହିଁ ବ୍ରହ୍ମାଣ୍ଡର ପ୍ରକୃତ ଶାସକ ହୋଇପାରିବୁ, ଯଦି ଆମ ପାଖରେ ଶକ୍ତି ସହ ତାହା ଲାଗୁ କରିଵାର କ୍ଷମତା ବି ରହିଥିଵ । ନଚେତ୍ ଶୀଘ୍ର କିମ୍ବା ବିଳମ୍ବରେ, କେଉଁଠି ନା କେଉଁଠି କେହି ଆମର,ଆମ ଗ୍ରହର ଅଥଵା ଆମର ଆକାଶଗଙ୍ଗାର ଭାଗ୍ୟ ଲେଖି ସାରିଥିବେ ଆଉ ଆମେ କିଛି ନଜାଣିପାରି କୋଉଠି ଯାଗା କିଣି ଘର ତୋଳିଵା ସକାଶେ ସେଠାରେ ପୂର୍ଵରୁ ଵସଵାସ କରୁଥିଵା ଜୀଵଜନ୍ତୁ କୀଟପତଙ୍ଗ ମାରି ଖେଦି ଚାଲିଥିଵା ଗଛବୃଚ୍ଛକୁ ହାଣି ଚାଲିଥିଵା...

Wednesday, September 6, 2023

●ଅନାଥ ଗ୍ରହ କ’ଣ ଏଵଂ ଗୋଟିଏ ସାଧାରଣ ଗ୍ରହ କିପରି ଏକ ଅନାଥ ଗ୍ରହରେ ପରିଣତ ହୋଇଯାଏ ?●

୨୦୦୯ ମସିହାରେ ନେଚର୍ ପତ୍ରିକାରେ ପ୍ରକାଶିତ ଏକ ଅନୁସନ୍ଧାନ ଅନୁଯାୟୀ, ପୃଥିଵୀ, ବୁଧ, ଶୁକ୍ର ଏଵଂ ମଙ୍ଗଳ ଗ୍ରହର କକ୍ଷପଥ ଵିଷୟରେ ଆମ ପାଖରେ ଥିଵା ସମସ୍ତ ତଥ୍ୟକୁ ନେଇ ଏକ ଵୈଜ୍ଞାନିକ ଗୋଷ୍ଠୀ ଗୋଟିଏ ସୁପର୍ କମ୍ପ୍ୟୁଟରରେ ତହିଁର ପ୍ରାୟ ୨୫୦୦ ସିମୁଲେସନ୍ କରିଥିଲେ । ପ୍ରତ୍ୟେକ ସିମ୍ୟୁଲେସନରେ ଵୈଜ୍ଞାନିକମାନେ ବୁଧ ଗ୍ରହର କକ୍ଷପଥରେ ମାତ୍ର ଏକ ମିଲିମିଟର ପରିଵର୍ତ୍ତନ କରିଥିଲେ ଯଦ୍ଵାରା ସେମାନେ ପରିଵର୍ତ୍ତିତ ଅଵସ୍ଥାରେ ଆଗାମୀ ୫ ବିଲିୟନ ଵର୍ଷ ମଧ୍ୟରେ ଏହି ଗ୍ରହଗୁଡ଼ିକର ଭଵିଷ୍ୟତ କ’ଣ ଜାଣିପାରିବେ। କୌତୁହଳର ଵିଷୟ, ଭଵିଷ୍ଯତରେ ସୌରମଣ୍ଡଳର ଗ୍ରହଗୁଡ଼ିକ ପରସ୍ପର ସହ ମୁହାଁମୁହିଁ ହେଵା ଏଵଂ ନଷ୍ଟ ହେଵା ପାଇଁ ଏକ ପ୍ରତିଶତ ସମ୍ଭାଵନା ରହିଛି ବୋଲି ଏହି ପରୀକ୍ଷଣରୁ ଜଣାଗଲା । ତେବେ କ'ଣ ୯୯% ପ୍ରତିଶତ ଆତ୍ମଵିଶ୍ୱାସ ସହିତ ଏହା କୁହାଯାଇପାରିଵ କି ଆମର ସୌରମଣ୍ଡଳ ସ୍ଥିର, ନିୟନ୍ତ୍ରିତ ଓ ସୁରକ୍ଷିତ ?  

ସେତେବେଳେ ଆମେ ସୌରମଣ୍ଡଳର ମାତ୍ର ୩-୪ଟି ଗ୍ରହ ଉପରେ ଧ୍ୟାନ ଦେଇଥିଲୁ । ଏବେ ଅନ୍ୟ ଗ୍ରହଗୁଡ଼ିକୁ ମଧ୍ୟ ଏହି ଗଣନାରେ ରଖାଯାଉ । ଆଷ୍ଟ୍ରୋଏଡ୍ ବେଲ୍ଟ ତଥା ଓର୍ଟ କ୍ଲାଉଡରେ ଥିଵା ଲକ୍ଷ ଲକ୍ଷ କ୍ଷୁଦ୍ର ଏଵଂ ବୃହତ ଵସ୍ତୁକୁ ମଧ୍ୟ ଏହି ସମୀକରଣରେ ଯୋଡ଼ାଯାଉ । ଏହା ସହ ମନେ ରଖନ୍ତୁ ଯେ ପୃଥିଵୀ, ସୂର୍ଯ୍ୟଙ୍କ ସହ ମିଲ୍କି ୱେ ଆକାଶଗଙ୍ଗାକୁ ପରିକ୍ରମା କରୁଛି ଏବଂ ୨୫ କୋଟି ଵର୍ଷରେ ପୂର୍ଣ୍ଣ ହେଉଥିଵା ଏହି ସୌର କକ୍ଷପଥରେ ଅସଂଖ୍ୟ ନକ୍ଷତ୍ର- ଗ୍ରହ, ନେବୁଲା ଇତ୍ୟାଦି ସୌରମଣ୍ଡଳର ନିକଟତର ହୋଇ ଆମ ସୌରମଣ୍ଡଳୀୟ ଗ୍ରହଗୁଡ଼ିକର କକ୍ଷପଥକୁ ପ୍ରଭାବିତ କରିଥାନ୍ତି । 

ତେବେ ସତ କହିଵାକୁ ଗଲେ ଏହି ସବୁ କଥାକୁ ଧ୍ୟାନରେ ରଖି ଭଵିଷ୍ୟତରେ ଆମ ସୌରମଣ୍ଡଳ କେତେ ସ୍ଥିର ରହିଵ ତାହା ଜାଣିଵାକୁ ଚେଷ୍ଟା କରିଵାର ପ୍ରୟାସ ନିରର୍ଥକ । ବ୍ରହ୍ମାଣ୍ଡରେ ଏମିତି କୌଣସି ଉପାୟ,ଯନ୍ତ୍ର ଵା କମ୍ପ୍ୟୁଟର ସୃଷ୍ଟି କରିଵା ଅସମ୍ଭଵ, ଯାହା ଆପଣଙ୍କୁ ଅନେକ ସମ୍ଭାଵନାକୁ ଧ୍ୟାନରେ ରଖି ଏକ ଉପଯୁକ୍ତ ଫଳାଫଳ କହିପାରିବ । ଦୁଇଟିରୁ ଅଧିକ ମହାକାଶୀୟ ପିଣ୍ଡର ଗୁରୁତ୍ବାକର୍ଷଣ ପ୍ରଭାଵକୁ ଠିକ୍ ଭାଵରେ ଗଣନା କରିଵା ଏଵଂ ସେଗୁଡ଼ିକର କକ୍ଷପଥକୁ ଶତ ପ୍ରତିଶତ ଆକଳନ କରିଵାର ଅସମର୍ଥତାକୁ ଵିଜ୍ଞାନରେ N body problem କୁହାଯାଏ । 

ମାତ୍ର ସମସ୍ତ ଅନିଶ୍ଚିତତା ମଧ୍ୟରେ ଵୈଜ୍ଞାନିକମାନେ ଏ କଥାରେ ଏକମତ ଯେ ଆମ ସୌରମଣ୍ଡଳ ବାଲିଗଦା ଉପରେ ରହିଥିଵା କୌଣସି ଵସ୍ତୁ ଭଳି ଏଵଂ ଏହା ଯେକୌଣସି ସମୟରେ ଭୁଶୁଡ଼ି ଯାଇପାରେ। ଅନେକ ସର୍ଵେକ୍ଷଣ ଆଧାରରେ ଯଦି କୌଣସି ନକ୍ଷତ୍ର ନେପଚ୍ୟୁନ୍‌ର କକ୍ଷପଥକୁ ମାତ୍ର ୦.୧% ପରିଵର୍ତ୍ତନ କରିଦିଏ, ତେବେ ତହିଁରୁ ସୃଷ୍ଟି ହୋଇଥିବା ଶୃଙ୍ଖଳାବଦ୍ଧ ପ୍ରତିକ୍ରିୟା ଯୋଗୁଁ ସୌରମଣ୍ଡଳକୁ ଏତେ ଅନିୟନ୍ତ୍ରଣ ହୋଇଯିଵ ଯେ ଶୁକ୍ର-ପୃଥିଵୀ-ମଙ୍ଗଳ ଭଳି ଗ୍ରହଗୁଡ଼ିକ ପରସ୍ପର ସହିତ ହାବୁଡ଼ା ଖାଇବେ କିମ୍ବା ଏତେ ବେଗ ଲାଭ କରିବେ ଯେ ସେଗୁଡ଼ିକ ସୌରମଣ୍ଡଳର ମହାକର୍ଷଣ ଶକ୍ତିକୁ କାଟିଦେଇ ବ୍ରହ୍ମାଣ୍ଡର ମୁକ୍ତ ଯାତ୍ରାରେ ବାହାରି ଯିବେ। ଵର୍ତ୍ତମାନ ସମୟରେ ଆମ ପୃଥିଵୀ ଗୋଟିଏ ସେକେଣ୍ଡରେ ପ୍ରାୟ ୩୦ କିଲୋମିଟର ବେଗରେ ଗତି କରୁଛି । ଯଦି ଏହା ୧୨ କିଲୋମିଟରର ଅତିରିକ୍ତ ଧକ୍କା ପାଏ, ଅର୍ଥାତ୍ ପୃଥିଵୀର ବେଗ ୪୨ କିଲୋମିଟର/ସେକେଣ୍ଡ ହୋଇଯାଏ, ତେବେ ନିଶ୍ଚିତ ଭାବରେ ପୃଥିଵୀ ମଧ୍ୟ ସୂର୍ଯ୍ୟଙ୍କ ଛତ୍ରଛାୟାକୁ ତ୍ୟାଗକରି ସବୁଦିନ ପାଇଁ ସୌରମଣ୍ଡଳରୁ ବାହାରକୁ ଚାଲିଯିଵ ।
ଏଠାରେ ଆପଣ ଯୁକ୍ତି ପାଇଁ କହିପାରିବେ ଯେ ଏହି ସବୁ କଥା ଆଉ କିଛି ନୁହେଁ କେଵଳ ମାତ୍ର କେତେକ ଗାଣିତିକ ଭୁର୍କୁଟି(କୌତୁକ)। ସୌରମଣ୍ଡଳ ନିଶ୍ଚିତ ଭାବରେ କୋଟି କୋଟି ଵର୍ଷ ଧରି ସ୍ଥିର ରହି ଆସିଛି, ତେଣୁ ଏହାର ଭଵିଷ୍ୟତରେ ସନ୍ତୁଳନ ହରାଇଵାର କୌଣସି ପ୍ରକୃଷ୍ଟ ପ୍ରମାଣ ଅଛି କି ? ହଁ !! ଏହାର ପ୍ରମାଣ ସମଗ୍ର ବ୍ରହ୍ମାଣ୍ଡରେ ରହିଛି ଆପଣଙ୍କୁ କେଵଳ ଉପରକୁ ଦେଖିଵାର ଆଵଶ୍ୟକତା ଅଛି । 

ଆମ ସମସ୍ତଙ୍କ ମନରେ ବ୍ରହ୍ମାଣ୍ଡର ଏକ ଚିର ପରିଚିତ ଚିତ୍ର ଅଛି, ଏଥିରେ ଆକାଶଗଙ୍ଗା ଅଛି,ତା ଭିତରେ ଅନେକ ନକ୍ଷତ୍ର ଅଛନ୍ତି ଏଵଂ ଏହି ସବୁ ନକ୍ଷତ୍ର ଚାରିପଟେ ଅଗଣିତ ଗ୍ରହ ସ୍ୱଚ୍ଛନ୍ଦରେ ପରିକ୍ରମା କରୁଛନ୍ତି । ତେବେ ଏହି ସୁନ୍ଦର ଚିତ୍ରରେ କିଛି ତ୍ରୁଟି ରହିଯାଇଛି । ଆଜି ତାତ୍ତ୍ଵିକ ପ୍ରତିମାନମ(ଥିଓରେଟିକଲ୍ ମଡେଲ), ପ୍ରତ୍ୟକ୍ଷ ପର୍ଯ୍ୟଵେକ୍ଷଣ ଏବଂ ସଙ୍ଗଣକ ଅନୁକରଣକ୍ରିୟା(କମ୍ପ୍ୟୁଟର ସିମୁଲେସନ୍) ଆଧାରରେ ଆମେ ପୂର୍ଣ୍ଣ ଵିଶ୍ୱାସ ସହିତ ଜାଣିଛୁ ଯେ ପ୍ରତ୍ୟେକ ଆକାଶଗଙ୍ଗାରେ କୌଣସି ନକ୍ଷତ୍ର ଚାରିପଟେ ପରିକ୍ରମଣ କରୁଥିଵା ଗ୍ରହଗୁଡ଼ିକ ତୁଳନାରେ ଅତ୍ୟଳ୍ପେ ୧୦୦ ଗୁଣ ଅଧିକ ଅନାଥ ଗ୍ରହ ରହିଛି ।  
ଯେଉଁ ଗ୍ରହଗୁଡ଼ିକ କୌଣସି ନକ୍ଷତ୍ରର ମହାକର୍ଷଣ ଶକ୍ତି ଦ୍ଵାରା ଆବଦ୍ଧ ହୋଇ ନିର୍ଦ୍ଦିଷ୍ଟ ନକ୍ଷତ୍ରର ପରିକ୍ରମଣ କରନ୍ତି ନାହିଁ ଏଵଂ ସ୍ଵତନ୍ତ୍ର ଭାବେ ଆକାଶଗଙ୍ଗାରେ ଵିଚରଣ କରୁଥାନ୍ତି ସେଭଳି ଗ୍ରହଗୁଡ଼ିକୁ ଅନାଥଗ୍ରହ କୁହାଯାଏ । ଇଂରାଜୀ ଭାଷାରେ ଏହି ଜାତୀୟ ଗ୍ରହକୁ rogue planet, free-floating planet ଵା ସଂକ୍ଷେପରେ FFP planet, interstellar planet, nomad planet, orphan planet, starless planet, unbound planet ଓ Wanderer ଵା wandering planet କୁହାଯାଏ ।‌
ଓଡ଼ିଆ ଭାଷାରେ ମଧ୍ୟ ଆମେ ଏହି ଜାତୀୟ ଗ୍ରହଗୁଡ଼ିକୁ ସ୍ଵାଧୀନ ଗ୍ରହ,ଅନାଥ ଗ୍ରହ,ନକ୍ଷତ୍ରହୀନ ଗ୍ରହ,ତାରକାଵିହୀନ ଗ୍ରହ,ଯାଯାବର ଗ୍ରହ,ଅବାଧ ଗ୍ରହ ଓ ଦୁଷ୍ଟଗ୍ରହ କହିପାରିଵା । ଏଭଳି ଗ୍ରହ କୌଣସି ନକ୍ଷତ୍ର ଦ୍ଵାରା ଗୁରୁତ୍ବାକର୍ଷଣ ଶକ୍ତି ବଳରେ ବନ୍ଧା ହୋଇନଥିଵା ଅବାଧ ଗ୍ରହ ଅଭିହିତ ହୋଇଥାନ୍ତି ପୁଣି ଏଭଳି ଗ୍ରହ ଵିଭିନ୍ନ ସୌରଜଗତ ମଧ୍ୟରେ ଭ୍ରମଣ କଲାବେଳେ ଅନ୍ୟ ଗ୍ରହ ସହିତ ବାଧାପ୍ରାପ୍ତ ହୋଇ ଭୟଙ୍କର ଵିନାଶ ଲୀଳା ମଧ୍ୟ ସୃଷ୍ଟି କରିପାରନ୍ତି। ପୃଥିଵୀ ସହିତ ଏଭଳି କୌଣସି ଯାଯାବର ଗ୍ରହ ଆସି ପିଟି ହୋଇଗଲେ ସମ୍ପୂର୍ଣ୍ଣ ଜୀଵଜଗତ ଧ୍ଵଂସ ପାଇଯିଵ ଏଵଂ ପୃଥିଵୀ ଆଉଥରେ ୪୦୦ କୋଟି ଵର୍ଷ ପଛକୁ ଫେରିଯିଵ । ତେଣୁ ଏଭଳି ଗ୍ରହଙ୍କୁ ଏ ଦୃଷ୍ଟିରୁ ଦୁଷ୍ଟଗ୍ରହ ବି କୁହାଯାଇଥାଏ ।


କେଵଳ ଗ୍ରହ ହିଁ ନୁହେଁ ଵରଂ ମହାକାଶରେ କୋଟି କୋଟି Rogue Objects ଘୂରି ବୁଲୁଛି । କୌଣସି କାରଣରୁ ଗୁରୁତ୍ବାକର୍ଷଣ ଶକ୍ତି ଯୋଗୁଁ ଛିଟିକି ଯାଇ ସ୍ଵାଧୀନ ଭାବରେ ଵିଚରଣ କରୁଥିଵା ତାରକା,ଗ୍ରହ,ଗ୍ରହାଣୁ ଓ ଧୂମକେତୁଗୁଡି଼କୁ Rogue Objects କୁହାଯାଏ । ଗୋଟିଏ ତାରକା କୌଣସି କାରଣରୁ ବାଧା ପାଇ ନିଜର ଆକାଶଗଙ୍ଗାର ନିର୍ଦ୍ଧିଷ୍ଟ ପରିକ୍ରମଣ ପଥକୁ ଛାଡ଼ି ଅନ୍ୟତ୍ର ବୁଲିଲେ ତାହା Rogue Objectsରେ ଗଣା ଯାଇଥାଏ । ସେହିପରି ଗୋଟିଏ ଗ୍ରହ ମଧ୍ୟ ଗୁରୁତ୍ବାକର୍ଷଣ ଶକ୍ତି ପ୍ରଭାବରେ ନିଜ ତାରକାଠାରୁ ଦୂରେଇ ଯାଇ Rogue Planetରେ ପରିଣତ ହୋଇଯାଏ । ଏହିପରି ଭାବେ ଅନେକ ଧୂମକେତୁ,ଗ୍ରହାଣୁ ଓ ଉପଗ୍ରହ ଆକାରର ମହାକାଶୀୟ ପିଣ୍ଡ ମଧ୍ୟ ଆମ ଆକାଶଗଙ୍ଗାରେ ସ୍ଵାଧୀନ ଭାଵରେ ଵିଚରଣ 
କରୁଛନ୍ତି। 

 ଜ୍ୟୋତିର୍ଵିଜ୍ଞାନୀମାନେ କୁହନ୍ତି ଆମ ଆକାଶଗଙ୍ଗାରେ ପ୍ରାୟ ୪୦୦ ବିଲିୟନ ସୂର୍ଯ୍ୟ, ୪୦୦୦ ବିଲିୟନ ଗ୍ରହ ଅଛି, କିନ୍ତୁ ଆଵିଷ୍କୃତ ଗ୍ରହସଂଖ୍ୟାଠାରୁ ବହୁତ ଅଧିକ ଅର୍ଥାତ୍ ପ୍ରାୟ ୪୦୦ ବିଲିୟନ ସଂଖ୍ୟକ ଅନାଥଗ୍ରହ ମଧ୍ୟ ସ୍ଵାଧୀନ ଭାଵରେ ଵିଚରଣ କରୁଛନ୍ତି । ସ୍ଵାଧୀନ ନକ୍ଷତ୍ର, ଧୂମକେତୁ,ଉପଗ୍ରହ ଓ ଗ୍ରହାଣୁ ଆଦି rogue objects ଦୃଷ୍ଟିରୁ ଵିଚାର କଲେ ଏହି ସଂଖ୍ୟା ଆହୁରି ଅଧିକ ହେଵ । 
 
ପୁଣି ଏପରି ଅଗଣିତ ଅନାଥ ଗ୍ରହ ମଧ୍ୟ ଅଛନ୍ତି ଯେଉଁମାନେ ଦୁଇଗୋଟି ଆକାଶଗଙ୍ଗା ମଧ୍ୟରେ ଥିବା ବିରାଟ ଶୂନ୍ୟସ୍ଥାନ ମଧ୍ୟରେ ବିନା ଉଦ୍ଦେଶ୍ୟରେ କିନ୍ଦ୍ରି ବୁଲୁଛନ୍ତି । ଯେକୌଣସି ନକ୍ଷତ୍ର ମହାକାର୍ଷଣ। ଶକ୍ତିର ସୀମାଠାରୁ ବହୁ ଦୂରରେ ଅନନ୍ତ ଅନ୍ଧକାରରେ ଆଚ୍ଛାଦିତ ଏହି ଗ୍ରହମାନଙ୍କର ଅନନ୍ତ ଭାଗ୍ୟ ହେଉଛି ବ୍ରହ୍ମାଣ୍ଡର ଶୂନ୍ୟତାରେ ଉଦ୍ଦେଶ୍ୟହୀନ ଭ୍ରମଣ ।

ତେବେ ଏତେ ସଂଖ୍ୟକ ଅନାଥ ଗ୍ରହ କୁଆଡ଼ୁ ଆସିଲେ ? 

 ସମସ୍ତ ଵୈଜ୍ଞାନିକ ସର୍ଵେକ୍ଷଣ ସୂଚାଇ ଦିଏ ଯେ ଅଧିକାଂଶ ନକ୍ଷତ୍ରମଣ୍ଡଳରେ ସମୟ କ୍ରମେ ଗ୍ରହଗୁଡ଼ିକର କକ୍ଷପଥର ଅସନ୍ତୁଳନ କାରଣରୁ ଏକ ଵା ଏକାଧିକ ଧକ୍କା ପାଇ ନିଜ ନକ୍ଷତ୍ରମଣ୍ଡଳରୁ ଭିନ୍ନ ହୋଇଯାଆନ୍ତି ଏଵଂ 
 ବ୍ରହ୍ମାଣ୍ଡର ଏକ ଅଜଣା ଯାତ୍ରାରେ ସର୍ଵଦା ଏକାକୀ ଭ୍ରମଣରେ ବାହାରି ଯାଆନ୍ତି । 

ଆଜି ଶକ୍ତି ଉତ୍ପାଦନ ପ୍ରକ୍ରିୟାରେ କ୍ରମାଗତ ଭାଵରେ ଵସ୍ତୁତ୍ଵ ହରାଉଥିଵା ସୂର୍ଯ୍ୟର ମହାକର୍ଷଣ ଶକ୍ତି ସମୟ ସହ ହ୍ରାସ ପାଉଛି ଏଵଂ ଏହା ଗ୍ରହଗୁଡ଼ିକର କକ୍ଷପଥକୁ ଶନୈ ଶନୈ ପରିଵର୍ତ୍ତନ ମଧ୍ୟ କରୁଛି । ଆକାଶଗଙ୍ଗାରେ ଭ୍ରମଣ ସମୟରେ କେବେ କିପରି କେମିତି କୌଣସି ନକ୍ଷତ୍ର ଏକ ଅନ୍ୟ ଏକ ସୌରମଣ୍ଡଳର ନିକଟତର ହୋଇ ଗ୍ରହମାନଙ୍କର ପରିକ୍ରମଣ ପଥକୁ ପ୍ରଭାଵିତ କରିଛି ଓ ତନ୍ମଧ୍ୟରୁ କେତେକୁ ଅନାଥ ଗ୍ରହ ହେଵାକୁ ବାଧ୍ୟ କରିଛି ତାହାର ପ୍ରମାଣ ଆମ ପାଖରେ ନାହିଁ ତେବେ ଏହି ସମ୍ଭାଵନାକୁ ମଧ୍ୟ ସମ୍ପୂର୍ଣ୍ଣ ଏଡ଼ାଇ ଦିଆଯାଇ ନପାରେ । 

ଗୋଟିଏ ସୌରମଣ୍ଡଳରେ କେତେବେଳେ ଗ୍ରହଗୁଡ଼ିକର ଅକ୍ଷପଥ ଅସନ୍ତୁଳିତ ହୋଇ ଵିପର୍ଯ୍ୟୟର ସମ୍ମୁଖୀନ ହୁଅନ୍ତି ତାହାର ପୂର୍ଵାନୁମାନ କରିଵା ଵର୍ତ୍ତମାନ ଯୁଗରେ ଅସମ୍ଭଵ ପ୍ରତୀତ ହୁଏ । 

ଗ୍ରହଗୁଡ଼ିକର ଆଶ୍ଚର୍ଯ୍ୟଜନକ ଲୟବଦ୍ଧତା ଦେଖି ଆଶ୍ଚର୍ଯ୍ୟ ହୋଇ ଆଇଜାକ୍ ନ୍ୟୁଟନ୍ ଥରେ କହିଥିଲେ ଯେ ଗ୍ରହମାନଙ୍କର ଏହି ସନ୍ତୁଳିତ ଗତି କୌଣସି ବୁଦ୍ଧିମାନ ହସ୍ତକ୍ଷେପ ବିନା ସମ୍ଭଵ ନୁହେଁ । ଯଦି ଆଜି ନ୍ୟୁଟନ୍ ଆମ ଗହଣରେ ଥାଆନ୍ତେ, ତେବେ ସେ ଜାଣିପାରିଥାନ୍ତେ ଯେ ଗ୍ରହମାନଙ୍କର ଏହି ତାରତମ୍ୟତା ମଧ୍ୟ ଏକ ସାମୟିକ ସଂଯୋଗ ହୋଇପାରେ । କିଛି ହଜାର କିମ୍ବା ଏକ ଲକ୍ଷ ଵର୍ଷରେ ଯାହା ଅସମ୍ଭଵ ମନେ ହୁଏ, କୋଟି କୋଟି ଵର୍ଷ ଵ୍ୟଵଧାନରେ ସମାନ ଘଟଣା ଅନିଵାର୍ଯ୍ୟ ମନେ ହୁଏ । ଭଵିଷ୍ୟତରେ ଯଦି ସୂର୍ଯ୍ୟ ନିଜର ଆକାର ବୃଦ୍ଧି ନ କରି ନିଜ ଜୀଵନର ଶେଷ ପର୍ଯ୍ୟାୟରେ ପୃଥିଵୀକୁ ଗିଳି ନ ଦିଅନ୍ତି, ତେବେ ଏହା ନିଶ୍ଚିତ ଯେ ଯଦି ଆଜି ନୁହେଁ, ତେବେ ଦୂର ଭଵିଷ୍ୟତରେ ପୃଥିଵୀର ଭାଗ୍ୟରେ ମଧ୍ୟ ଅନାଥ ଗ୍ରହ ଭାବରେ ବ୍ରହ୍ମାଣ୍ଡରେ ଚିରକାଳ ଭ୍ରମଣ କରିଵାର ନିୟତି ରହିଛି । ବ୍ରହ୍ମାଣ୍ଡର ସ୍ଥାନରେ ଉଦ୍ଦେଶ୍ୟହୀନ ସ୍ୱଚ୍ଛନ୍ଦରେ ଵିଚରଣ କରୁଥିଵା ଟ୍ରିଲିୟନ୍ ଟ୍ରିଲିୟନ୍ ଅନାଥ ଗ୍ରହଗୁଡ଼ିକ ଏହାର ଜୀଵନ୍ତ ପ୍ରମାଣ । ଏହା ହିଁ ବ୍ରହ୍ମାଣ୍ଡର ଅନେକ ଗ୍ରହର ଅନ୍ତିମ ଗତି। 

ହୁଏ ଆପଣ ନିଜର ଜୀଵନ ଯୁଦ୍ଧରେ ପରାଜୟ ଵରଣ କରିଛନ୍ତି ଵା ବାରମ୍ବାର ଅସଫଳ ହୋଇଛନ୍ତି ତଥାପି ନିଜକୁ ଭାଗ୍ୟଵାନ ମନେ କରନ୍ତୁ । ହଁ ଆପଣ ଭାଗ୍ୟଵାନ ଯେ ପୃଥିଵୀର ସେହି ସମୟକାଳରେ ଜନ୍ମ ନେଇଛନ୍ତି ଯୋଉ କାଳଖଣ୍ଡରେ ପୃଥିଵୀ ଉପରେ ଉଜ୍ଜ୍ୱଳ ଓ ଵିପଦହୀନ ସୂର୍ଯ୍ୟକିରଣ ପଡ଼ୁଛି,ରାତିରେ ଚନ୍ଦ୍ର ତା'ର ଶୀତଳ ଆଲୋକ ସିଞ୍ଚନ କରୁଛନ୍ତି, ପକ୍ଷୀ କଳରଵ କରୁଛନ୍ତି,ଵୃକ୍ଷମାନେ ସ୍ଵାଦିଷ୍ଟ ଫଳ ଦେଉଛନ୍ତି ଏବଂ ଆପଣ ତାକୁ ଭୁଞ୍ଜି ବିଛଣାରେ ଶୋଇ ଵା ଆସନ ଉପରେ ଆରାମରେ ବସି ଏହି ଆଲେଖ୍ୟକୁ ପଢୁଛନ୍ତି । ସ୍ଵର୍ଗସମ ପୃଥିଵୀର ଏହି ଅନୁପମ କାଳଖଣ୍ଡରେ ଜୀଵନର ଵିଭିନ୍ନ ରଙ୍ଗକୁ ଉପଭୋଗ କରନ୍ତୁ କାରଣ ବ୍ରହ୍ମାଣ୍ଡର ଏମିତି ୯୯.୯୯% ଅନାଥଗ୍ରହ ବି ଅଛନ୍ତି ଯେଉଁ ଗ୍ରହଗୁଡ଼ିକର ରଙ୍ଗହୀନ ଭାଗ୍ୟରେ ଅନନ୍ତ ଅନ୍ଧକାର ଵ୍ୟତୀତ ଆଉ କିଛି ବଞ୍ଚି ନାହିଁ । 




Wednesday, August 23, 2023

where is everybody ? : ଆମେ ଆଜି ପର୍ଯ୍ୟନ୍ତ କୌଣସି ବୁଦ୍ଧିମାନ ପରଗ୍ରହୀ ସଭ୍ୟତାର ସନ୍ଧାନ କାହିଁକି କରିପାରି ନାହାନ୍ତି ?


ଆମର ଏ ବ୍ରହ୍ମାଣ୍ଡ ଅନନ୍ତ ଅସୀମ ବୋଲି ଭାରତୀୟ ବୁଦ୍ଧିଜୀଵୀମାନେ ବହୁ ପ୍ରାଚୀନ କାଳରେ କହିଦେଇଥିଲେ ‌। ପୁଣି ୧୪ଟି ବ୍ରହ୍ମାଣ୍ଡ ଥିଵାର ମତ ମଧ୍ୟ ଭାରତୀୟମାନେ ପ୍ରାଚୀନ କାଳରେ ରଖିଥିଲେ । ସେହିପରି ଓଡ଼ିଆ ଭାଗଵତରେ କୁହାଯାଇଛି “ବ୍ରହ୍ମାଣ୍ଡ ମାଳ ମାଳ ହୋଇ, ତୋ ଲୋମକୂପେ ଝୁଲୁଥାଇ” । ଅର୍ଥାତ୍ ଭଗଵାନଙ୍କର ପ୍ରତ୍ୟେକ ଲୋମକୂପରେ ବ୍ରହ୍ମାଣ୍ଡ ମାଳ ମାଳ ହୋଇ ଝୁଲୁଅଛି । ଏ ମତ ସହିତ ଭାରତୀୟମାନେ ଈଶ୍ଵର ଓ ବ୍ରହ୍ମାଣ୍ଡକୁ ଏକ ଓ ଅଭିନ୍ନ ରୂପେ କଳ୍ପନା କରିଥିଲେ । ଆଧୁନିକ ଯୁଗରେ ଵୈଜ୍ଞାନିକମାନେ ଦୃଶ୍ୟ ବ୍ରହ୍ମାଣ୍ଡକୁ ଆକଳନ କରି ଆମ ଚାରିପାଖରେ ପ୍ରାୟ 2×10¹¹ ଵା ୨୦୦ ବିଲିଅନ ଆକାଶଗଙ୍ଗା ଥିଵା ମତ ଦିଅନ୍ତି । କିନ୍ତୁ ଅନେକ ଆଧୁନିକ ଗଵେଷକ କୁହନ୍ତି ଆମକୁ ବ୍ରହ୍ମାଣ୍ଡର ଏକ କ୍ଷୁଦ୍ରାତିକ୍ଷୁଦ୍ର ଅଂଶ ହିଁ ଦୃଶ୍ୟ ହେଉଅଛି ଏଵଂ ଏହି ବ୍ରହ୍ମାଣ୍ଡ ଏହାଠାରୁ ଆହୁରି ଵିଶାଳ ହୋଇଥିଵାର ସମ୍ଭାଵନାକୁ ଏଡ଼ାଇ ଦେଇ ହେଵ ନାହିଁ । 

ଆମକୁ ଦୃଶ୍ୟ ହେଉଥିଵା ୨୦୦ ବିଲିଅନ ଆକାଶଗଙ୍ଗା ମଧ୍ୟରେ ପ୍ରତ୍ୟେକଟିରେ କୋଟି କୋଟି ତାରକା ଓ ଗ୍ରହ ରହିଛି । ଆମ ନିଜର Milky way ଆକାଶଗଙ୍ଗାରେ ୧୦୦ରୁ ୨୦୦ ବିଲିଅନ ତାରକା , ଏହାର ଦୁଇ ଵା ତତୋଽଧିକ ଗୁଣ ଗ୍ରହ ଅଛି । ତେଣୁ ବହୁତ ସମ୍ଭଵ ପୃଥିଵୀ ଭଳି ଅନ୍ୟ କୌଣସି ଗ୍ରହରେ ମଧ୍ୟ ଜୀଵଜଗତ ଥାଇପାରେ । ଆମରି ଆକାଶଗଙ୍ଗାରେ ପୁଣି କିଛି ତାରକା
ଆମ ସୂର୍ଯ୍ୟଠାରୁ ବି ଅଧିକ ପୁରାତନ ବୋଲି ଜଣାପଡ଼ିଛି। ଯଦି ଏଭଳି କୌଣସି ତାରକାମଣ୍ଡଳରେ ପୃଥିଵୀ ପରି ଜୀଵନ୍ତ ଗ୍ରହ ଥାଏ ତେବେ ତନ୍ମଧ୍ୟରୁ କେତେକ ଗ୍ରହରେ ବହୁତ ପୂର୍ଵରୁ ହିଁ ବୁଦ୍ଧିମାନ ଜୀଵନ ଵିକଶିତ ହୋଇ ସାରିଥିବେ । ଯଦି ଆମଠାରୁ ଅଧିକ ଉନ୍ନତ ପ୍ରାଚୀନ ଜୀଵମାନେ ଆମ ଆକାଶଗଙ୍ଗା ଅଥଵା ଆମର ପଡ଼ୋଶୀ ଆକାଶଗଙ୍ଗାଗୁଡ଼ିକରେ ଥାଆନ୍ତି ତାହେଲେ ସେମାନେ ବହୁତ ପୂର୍ଵରୁ ହିଁ ନିଶ୍ଚୟ ଅନ୍ତତରତାରକୀୟ ଯାତ୍ରା ଵିକଶିତ କରିଥିବେ । ହୁଏତ ଏଭଳି କୌଣସି ପ୍ରାଚୀନ ଓ ଉନ୍ନତ ପରଗ୍ରହୀ ସଭ୍ୟତା ହଜାର ହଜାର ଵା ଲକ୍ଷ ଲକ୍ଷ ଵର୍ଷ ପୂର୍ଵରୁ ପୃଥିଵୀକୁ ବୁଲି ଆସିଥାଇ ପାରନ୍ତି । କିନ୍ତୁ ପୃଥିଵୀକୁ ପରଗ୍ରହୀମାନେ ଆସିଥିଵାର ଏଯାଵତ୍ ସେଭଳି କୌଣସି ସ୍ପଷ୍ଟ ପ୍ରମାଣ ମିଳିପାରିନାହିଁ । ତେବେ ଯଦି ଆମଭଳି ଵା ଆମଠାରୁ ଉନ୍ନତ ସଭ୍ୟତାର ପରଗ୍ରହୀ ଏ ବ୍ରହ୍ମାଣ୍ଡରେ ଅଛନ୍ତି ତାହେଲେ ଆମେ ଆଜି ପର୍ଯ୍ୟନ୍ତ ସେମାନଙ୍କ ସହିତ କୌଣସି ସମ୍ପର୍କ କାହିଁକି ସ୍ଥାପନ କରିପାରି ନାହାନ୍ତି ? 


୧୯୫୦ ମସିହାରେ Enrico Fermi ମଧ୍ୟ ଏକ ଵିଜ୍ଞାନ ସମ୍ବନ୍ଧୀୟ ଚର୍ଚ୍ଚାରେ ଭାଗ ନେଇ ଏହି ସମାନ ପ୍ରଶ୍ନ ପଚାରିଥିଲେ "But where is everybody?" 
ପରେ ତାଙ୍କ ନାମରେ Fermi paradox(ଫର୍ମୀ ଵିରୋଧାଭାସ)ର ନାମକରଣ ହୋଇଥିଲା । 
ଏଯାଵତ୍ କୌଣସି ଉନ୍ନତ ପରଗ୍ରହୀ ସଭ୍ୟତା ସହିତ ଆମର ସମ୍ପର୍କ 
ନହୋଇପାରିଵାର କାରଣକୁ ନେଇ ଵୈଜ୍ଞାନିକମାନେ ଵିଭିନ୍ନ Hypothesis(ପ୍ରକଳ୍ପନ) ଉପସ୍ଥାପନ କରିଛନ୍ତି । ନିମ୍ନରେ ସେହିପରି କିଛି Hypothesis(ପ୍ରକଳ୍ପନ) ଵିଷୟରେ ଉଲ୍ଲେଖ କରାଗଲା । 

(କ)Rare Earth hypothesis
 ଏହି ପ୍ରକଳ୍ପନ ଅନୁଯାୟୀ ବୁଦ୍ଧିମାନ ପରଗ୍ରହୀ ସଭ୍ୟତା ଵିରଳ କାରଣ ଜୀଵନର ଵିଵର୍ତ୍ତନ ପାଇଁ କିମ୍ବା ଅନ୍ତତଃ ପକ୍ଷେ ଜୈଵ ଜଟିଳତାର ଵିଵର୍ତ୍ତନ ପାଇଁ ଆଵଶ୍ୟକ ଅଵସ୍ଥା ପୃଥିଵୀ ଭଳି ଅତି ଅଳ୍ପ ଗ୍ରହରେ ହିଁ ସମ୍ଭଵ ହୋଇଥାଇପାରେ । ଆମ ପୃଥିଵୀ ନିଜ ନକ୍ଷତ୍ର ସୂର୍ଯ୍ୟଠାରୁ ଏକ ସୁରକ୍ଷିତ ଦୂରତାରେ ଅଵସ୍ଥିତ,ଏହାକୁ ବଡ଼ ବଡ଼ ଗ୍ରହାଣୁଠାରୁ ରକ୍ଷା କରିଵା ପାଇଁ ବୃହସ୍ପତି ଓ ଶନି ଭଳି ଵିଶାଳ ଗ୍ରହ ଵିଦ୍ୟମାନ । ଆମ ସୌରମଣ୍ଡଳ ଆକାଶଗଙ୍ଗାର ଏକ ସୁରକ୍ଷିତ galactic habitable zoneରେ ରହିଛି। ଆମ ପୃଥିଵୀର ଚନ୍ଦ୍ର ଭଳି ଏକ ବଡ଼ ଉପଗ୍ରହ ବି ଅଛି। କିନ୍ତୁ ଏକ ଆକାଶଗଙ୍ଗାର ସବୁ ତାରକାମଣ୍ଡଳରେ ଥିଵା ସମସ୍ତ ଗ୍ରହର ଭାଗ୍ୟ ଆମ ପୃଥିଵୀ ଭଳି ଆଦୌ ନୁହେଁ ତେଣୁ ଯଦି ଏକ ଆକାଶଗଙ୍ଗାରେ ଏଭଳି କୌଣସି ଗ୍ରହ galactic center କିମ୍ବା outer galactic fieldରେ ଥାଏ ସେଭଳି ଗ୍ରହରେ ପୃଥିଵୀ ଭଳି ଜୀଵଜଗତ ସୃଷ୍ଟି ହେଵା କଷ୍ଟସାଧ୍ୟ ହେଵାର ସମ୍ଭାଵନା ଅଧିକ । 

(ଖ)Firstborn hypothesis
ଏହି ପ୍ରକଳ୍ପନଟି ଖଗୋଳଭୌତିକିଵିଦ ଓ ବ୍ରହ୍ମାଣ୍ଡଵିଜ୍ଞାନୀ Avi Loeb ପ୍ରଥମେ ରଖିଥିଲେ । ତାଙ୍କ ଅନୁସାରେ ବ୍ରହ୍ମାଣ୍ଡ ଵର୍ତ୍ତମାନର ଏମିତି ଏକ ସ୍ଥିତିରେ ପହଞ୍ଚିଛି ଯେଉଁଥିରେ ଜୀଵନ ସମ୍ଭଵ ହୋଇପାରିଵ ଏଵଂ ଏହି କାରଣରୁ ଆମ୍ଭେମାନେ ଉନ୍ନତ ପରଗ୍ରହୀ ସଭ୍ୟତା ଜୀଵନ ଚିହ୍ନଟ କରି ପାରି ନାହାନ୍ତି। ଅନ୍ୟ ଗ୍ରହରେ ମଧ୍ୟ ପୃଥିଵୀ ଭଳି ଜୀଵନ ସୃଷ୍ଟି ହୋଇଥାଇପାରେ କିନ୍ତୁ ସେମାନଙ୍କ ସ୍ଥିତି ଆମ ଭଳି ଵା ଆମଠାରୁ ପଛରେ ରହିଥାଇପାରେ । 

(ଗ)berserker hypothesis
ଏହି ପ୍ରକଳ୍ପନ ଅନୁଯାୟୀ ମନୁଷ୍ୟମାନେ ଆଜି ପର୍ଯ୍ୟନ୍ତ କୌଣସି ବୁଦ୍ଧିମାନ ପରଗ୍ରହୀ ଜୀଵନର ଅନୁସନ୍ଧାନ କରି ନପାରିଵାର କାରଣ ନିଜର ସ୍ଵତଃ ପ୍ରତିକୃତି ନିର୍ମାଣ କରିପାରୁଥିଵା ସ୍ଵଚାଳିତ Von Neumann probes ଦ୍ଵାରା ଶ୍ରେଣୀବଦ୍ଧ ଭାବରେ ଵିନାଶନ । ଏହି ପ୍ରକଳ୍ପନ ଦ୍ଵାରା ଅନୁମାନ କରାଯାଏ ଯେ ହୁଏତ କୌଣସି ଗ୍ରହରେ ପୃଥିଵୀ ଭଳି ଜୀଵନ ସୃଷ୍ଟି ହୋଇଥିଵ କିନ୍ତୁ ଏହି ସ୍ଵଚାଳିତ Von Neumann probes ଦ୍ଵାରା ସେଗୁଡ଼ିକୁ ଧ୍ଵଂସ କରି ଦିଆଯାଉଥିଵ । ଫଳତଃ ମାନଵମାନେ କେବେ ବି କୌଣସି ଗ୍ରହରେ ଆଜି ପର୍ଯ୍ୟନ୍ତ ଜୀଵନର ସନ୍ଧାନ ପାଇ ପାରି ନାହାନ୍ତି ।‌ 

(ଘ)Dark forest hypothesis
ଡାର୍କ ଫରେଷ୍ଟ ହାଇପୋଥେସିସ୍ ଅନୁସାରେ ଯେ ବ୍ରହ୍ମାଣ୍ଡରେ ଅନେକ ପରଗ୍ରହୀ ସଭ୍ୟତା ନିଶ୍ଚୟ ଵିଦ୍ୟମାନ ଅଛି, କିନ୍ତୁ ସେହି ସଭ୍ୟତା ଆମର ଉଭୟ ଶାନ୍ତିପୂର୍ଣ୍ଣ ଏଵଂ ଶତ୍ରୁ ମଧ୍ୟ ହୋଇଥାଇପାରନ୍ତି । ଅନ୍ୟ ଏକ ଅଜ୍ଞାତ ପରଗ୍ରହୀ ସଭ୍ୟତା ଦ୍ୱାରା ନଷ୍ଟ ହେଵାର ଭୟ ହେତୁ ଵା ଅନ୍ୟ ଗ୍ରହକୁ ଧ୍ଵଂସ କରିଵା ପୂର୍ଵରୁ ସେମାନଙ୍କୁ ନିଜର ଉପସ୍ଥିତି ଜଣାଇଵାକୁ ଚାହୁଁନଥିଵା ବୁଦ୍ଧିମାନ ପରଗ୍ରହୀ ସଭ୍ୟତାମାନେ ନିଜର ପରିଚୟ ଗୁପ୍ତ ରଖିଵାକୁ ଚେଷ୍ଟା କରନ୍ତି । ଏଭଳି କୌଣସି ବୁଦ୍ଧିମାନ ପରଗ୍ରହୀ ସଭ୍ୟତା ଥିଲେ ସେ ନିଜ ଉପସ୍ଥିତିର ସବୁ ପ୍ରମାଣ ନଷ୍ଟ କରି ଦେଵାକୁ ଚେଷ୍ଟା କରିଵ ଠିକ୍ ଯେମିତି “ଅନ୍ଧକାର ଜଙ୍ଗଲ” ରେ “ସଶସ୍ତ୍ର ଶିକାରୀମାନେ ଭୂତ ପରି ଶିକାରର ଅନୁସରଣ କରନ୍ତି” । 

(ଙ)Self distruction hypothesis
ଏହି ପ୍ରକଳ୍ପନ ଅନୁସାରେ ଜୈଵ ଵିଵିଧତାରେ ପରିପୂର୍ଣ୍ଣ କୌଣସି ଗ୍ରହରେ ଏକ କୋଷୀ ଜୀଵ ସୃଷ୍ଟି ହୁଅନ୍ତି ତାପରେ ବହୁକୋଷୀ ଜୀଵନ ହୋଇ ଶେଷରେ ମାନଵ ଭଳି ବୁଦ୍ଧିମାନ ଜୀଵନ ସୃଷ୍ଟି ଲଭନ୍ତି । କିନ୍ତୁ ଏହି ବୁଦ୍ଧିମାନ ସଭ୍ୟତାର ଜୀଵ ପରସ୍ପର ମଧ୍ୟରେ କଳି କନ୍ଦଳି କରି ନିଜ ସହିତ ନିଜ ଗ୍ରହର ଜୀଵଜଗତର ଧ୍ଵଂସ ସାଧନର କାରଣ ହୁଅନ୍ତି । ତେଣୁ ସମ୍ଭଵତଃ ଆମ ଆଖପାଖରେ ପୃଥିଵୀ ଭଳି କୌଣସି ଗ୍ରହ ଥାଇପାରେ ଵା ପୂର୍ଵେ ଥିଲା କିନ୍ତୁ ସେ ଗ୍ରହର ବୁଦ୍ଧିମାନ ଜୀଵମାନେ ନିଜେ ନିଜର ଧ୍ଵଂସ ସାଧନର କାରଣ ହୋଇଯାଇଛନ୍ତି ଫଳତଃ ଆମେ ଆମ ଆଖପାଖରେ ଏଭଳି କୌଣସି ପରଗ୍ରହୀ ସଭ୍ୟତା ଠାବ କରିପାରି ନାହାନ୍ତି । 

(ଚ)Zoo hypothesis ଓ laboratory hypothesis

ଏହି ଦୁଇଗୋଟି ପ୍ରକଳ୍ପନ ଅନୁସାରେ ହୁଏତ ବ୍ରହ୍ମାଣ୍ଡରେ ଆମଠାରୁ ଅଧିକ ଵିକଶିତ ବୁଦ୍ଧିମାନ ପରଗ୍ରହୀ ଜୀଵ ଥିବେ ଏଵଂ ସେମାନେ ପୃଥିଵୀର ମାନଵ ସଭ୍ୟତାକୁ ଦୂରରେ ରହି ନିରୀକ୍ଷଣ ଓ ପରୀକ୍ଷଣ ବି କରୁଥିବେ ଠିକ୍ ଚିଡ଼ିଆଖାନା ଓ ପ୍ରୟୋଗଶାଳାରେ ବନ୍ଦ ରହିଥିଵା ଜୀଵଙ୍କ ଭଳି ! 

(ଛ)planetarium hypothesis
୨୦୦୧ରେ Stephen Baxterଙ୍କ ଦ୍ଵାରା ପ୍ରସ୍ତାଵିତ ଏହି ପ୍ରକଳ୍ପନ ଅନୁସାରେ ଆମର ଜ୍ୟୋତିର୍ଵିଜ୍ଞାନ ସମ୍ବନ୍ଧୀୟ ପର୍ଯ୍ୟବେକ୍ଷଣଗୁଡ଼ିକ ଏକ ଭ୍ରମକୁ ପ୍ରତିପାଦିତ କରେ, ଯାହା ଏକ type III Civilization ଦ୍ୱାରା ସୃଷ୍ଟି ହୋଇଅଛି । ଏହି ଅତି ଉନ୍ନତ ସଭ୍ୟତା ଏକ ଗ୍ୟାଲେକ୍ଟିକ୍ ସ୍କେଲରେ ପଦାର୍ଥ ଏଵଂ ଶକ୍ତିକୁ ନିୟନ୍ତ୍ରଣ କରିଵରେ ସକ୍ଷମ ହୋଇଥିବେ । ଫଳତଃ ଆମେ ଅତିରିକ୍ତ ଜୀଵନର ପ୍ରମାଣ ଦେଖିପାରୁନାହୁଁ କାରଣ ବ୍ରହ୍ମାଣ୍ଡ ଏପରି ଭାବରେ ଇଞ୍ଜିନିୟରିଂ ହୋଇଛି ଯେ ଆମକୁ ବ୍ରହ୍ମାଣ୍ଡରେ ଅନ୍ୟତ୍ର ଜୀଵନ ଥିଵାର ପ୍ରମାଣ ମିଳିପାରୁନାହିଁ । 

(ଜ)Aestivation hypothesis
୨୨ ଏପ୍ରିଲ ୨୦୧୭ରେ ତିନିଜଣ ଗଵେଷକ ଆଣ୍ଡର୍ସ୍ ସାଣ୍ଡବର୍ଗ୍,ଷ୍ଟ୍ରୁଆଟ୍ ଆର୍ମଷ୍ଟ୍ରଙ୍ଗ୍ ଓ ମିଲାନ୍ ଏମ୍ ସର୍କୋଵିକ୍‌ଙ୍କ ଦ୍ଵାରା Aestivation hypothesis ପ୍ରକାଶିତ ହୋଇଥିଲା । ଏହି ପ୍ରକଳ୍ପନ ଅନୁସାରେ ଯଦି ବ୍ରହ୍ମାଣ୍ଡରେ ମନୁଷ୍ୟମାନଙ୍କଠାରୁ ମଧ୍ୟ କୌଣସି ଉନ୍ନତ ପରଗ୍ରହୀ ସଭ୍ୟତା ଥାଏ ତେବେ ସେମାନେ ବ୍ରହ୍ମାଣ୍ଡ ଶକ୍ତିହୀନ ହେଵା ପୂର୍ଵରୁ ଶକ୍ତି ସଂରକ୍ଷଣ କରୁଥିବେ ଵା କରି ସାରିଥିବେ ଏଵଂ ଵର୍ତ୍ତମାନ ପ୍ରାୟତଃ ସୁପ୍ତାଵସ୍ଥାରେ ଥିବେ ସେଥିପାଇଁ ସେମାନଙ୍କୁ ଆମେ ଏଯାଏଁ ଠାବ କରି ପାରିନାହାନ୍ତି । 

(ଝ) Great filter hypothesis
ଏହି ପ୍ରକଳ୍ପନ ଅନୁସାରେ ହୁଏତ ଅନେକ ଗ୍ରହରେ ପୃଥିଵୀ ଭଳି ଜୀଵନ ସୃଷ୍ଟି ହୋଇଥିଲା ତେବେ ସେମାନେ ନିଜ ଗ୍ରହରେ ଉନ୍ନତିର ଚରମ ସୀମାରେ ପହଞ୍ଚିଲା ପରେ ଵିଭିନ୍ନ କାରଣରୁ ଵିନାଶୋନ୍ମୁଖ ହୋଇଯାଇଛନ୍ତି ଫଳତଃ ପୃଥିଵୀ ଭଳି ଵିକାଶଶୀଳ ସଭ୍ୟତାର ଜୀଵମାନେ ଏଭଳି କୌଣସି ଅତି ଵିକଶିତ ବୁଦ୍ଧିମାନ ପରଗ୍ରହୀ ସଭ୍ୟତାକୁ ଠାବ କରିପାରନ୍ତି ନାହିଁ । Great filter ଅନୁଯାୟୀ ସଭ୍ୟତା ଵିକାଶର ଗୋଟିଏ ନିର୍ଦ୍ଧାରିତ ସୀମା ରହିଛି ଏଵଂ ତତ୍ପରେ ଉକ୍ତ ସଭ୍ୟତା ଵିଭିନ୍ନ ଖଗୋଳୀୟ ଦୁର୍ଘଟଣା କିମ୍ବା ସ୍ଵତଃ ଵିନାଶ ଯୋଗୁଁ ଲୁପ୍ତ ହୋଇଯାଏ । 

(ଣ)Extraterrestrial UFO hypothesis
ଏହି ପ୍ରକଳ୍ପନ ଅନୁସାରେ ପୃଥିଵୀରେ ପୂର୍ଵରୁ ହିଁ ପରଗ୍ରହୀ ବୁଦ୍ଧିମାନ ସଭ୍ୟତା ରହିଛନ୍ତି କିନ୍ତୁ ଆମେ ସେମାନଙ୍କର ଉପସ୍ଥିତି ଵିଷୟରେ ଏଯାଵତ୍ ଜାଣିପାରିନାହୁଁ । 

ଏତଦଵ୍ୟତୀତ Fermi paradox ସମ୍ଭନ୍ଧୀୟ ଆହୁରି ଅନେକ ପ୍ରକଳ୍ପନ ମଧ୍ୟ ଅଛି ।‌ କେହି କେହି ଗଵେଷକ କୁହନ୍ତି ହୁଏତ ବ୍ରହ୍ମାଣ୍ଡରେ ଅନ୍ୟତ୍ର ମଧ୍ୟ ବୁଦ୍ଧିମାନ ଜୀଵ ଥିବେ କିନ୍ତୁ ହୁଏତ ସେମାନେ ଆମ ଭଳି ଵିକଶିତ ନହୋଇ ଭିନ୍ନ ଭାବରେ ଵିକଶିତ ହୋଇଥିବେ । ସେମାନଙ୍କର ଯୋଗାଯୋଗ ପଦ୍ଧତି ହୁଏତ ଆମଠାରୁ ଭିନ୍ନ ହୋଇଥିଵ । ହୁଏତ କେତେକ ଗ୍ରହରେ ପରଗ୍ରହୀମାନେ ଆମ ଭଳି ବୁଦ୍ଧିମାନ ହୋଇଥିଲେ ବି ଆମ୍ଭମାନଙ୍କ ପରି ଯାନ୍ତ୍ରିକ ଅଗ୍ରଗତି କରିନଥିବେ । ଏମନ୍ତ ମଧ୍ୟ ସମ୍ଭଵ ଯେ ବୁଦ୍ଧିମାନ ପରଗ୍ରହୀ ଜୀଵ ଅନ୍ୟ ଗ୍ରହରେ ମାଟି ତଳେ ଵା ଜଳ ମଧ୍ୟରେ ଵାସ କରୁଥିଵେ ଫଳତଃ ସେମାନେ ଅନ୍ତରୀକ୍ଷ ସମ୍ବନ୍ଧରେ ଵିଶେଷ ଅଧ୍ୟୟନ କରୁନଥିବେ । ଏ ବ୍ରହ୍ମାଣ୍ଡ ଅତି ଵିଶାଳ ହୁଏତ ଆମେ ସେଥିପାଇଁ ସେମାନଙ୍କ ସମ୍ବନ୍ଧରେ କୌଣସି ପ୍ରମାଣ ପାଇପାରୁ ନାହାନ୍ତି । ପୁଣି କେହି କେହି କୁହନ୍ତି ଆମ୍ଭେମାନେ ବହୁତ ଅଳ୍ପ ଦିନ ହେଲା ଏ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି କିନ୍ତୁ ବହୁତ ସମ୍ଭଵ ପରଗ୍ରହୀ ବୁଦ୍ଧିମାନ ଜୀଵଙ୍କ ଦ୍ଵାରା ପ୍ରାପ୍ତ ସନ୍ଦେଶ ଆମ୍ଭେମାନେ ଭଲ ଭାବରେ ଗ୍ରହଣ କରିପାରୁନାହାନ୍ତି। କେତେକଙ୍କ ଅନୁସାରେ ଗଵେଷକଙ୍କ ଦ୍ଵାରା ହୁଏତ ଏଭଳି କୌଣସି ସନ୍ଦେଶ ପ୍ରାପ୍ତ ବି ହୋଇଥିଵ କିନ୍ତୁ ଲୋକମାନେ ଭୟଭୀତ ହେଵା ଡରରେ ସରକାରମାନେ ତାହା ଲୁଚାଉଥିବେ । ପ୍ରୋକ୍ତ ସମସ୍ତ ପ୍ରକଳ୍ପନ ଓ ମତକୁ ଭିତ୍ତିକରି Paul,Et the extraterrestrial,Absolutely Anything,the day the earth stood still, independence day, attack the blook,the abyss, district 9,men in black, avatar,the war of the worlds, contact, Pacific rim,prey, cowboys and aliens,signs,the worlds end,bad taste,the thing,nope,the hitchhikers guide to the galaxy,super 8, oblivion, monsters vs aliens, escape from the planet Earth, planet 51,the invasion, Skyline,pixels,the tomorrow war,Extinction,home,Prometheus,Captive State,A Quiet Place,10 Cloverfield,Lane,Arrival,The 5th Wave,Dark Skies ,The Fourth Kind,The Mist,Stepsister from Planet Weird,The Iron Giant,My Favorite Martian,The Faculty, alien, aliens, predator,Mars Attacks ଓ Battle: Los Angeles ଭଳି ଅନେକ ଚଳଚ୍ଚିତ୍ର ନିର୍ମିତ ହୋଇଛି ‌। 

ମୋଟ ଉପରେ କହିଵାକୁ ଗଲେ Enrico Fermiଙ୍କର ପୂର୍ଵୋକ୍ତ ପ୍ରଶ୍ନ 
where is everybody?"ର ଅନେକ ସମ୍ଭାଵିତ ସମାଧାନ ଗଵେଷକମାନେ ଉପସ୍ଥାପନ କରିଥିଲେ ହେଁ ଏହି ପ୍ରଶ୍ନର ଠିକ୍ ଉତ୍ତର ଜାଣିଵାକୁ ହେଲେ ମଣିଷକୁ ଏଭଳି ଉନ୍ନତ ମହାକାଶ ଯାନ ନିର୍ମାଣ କରିଵାକୁ ହେଵ ଯାହା କିଛି କ୍ଷଣ ,ମିନିଟ୍ ଵା ଘଣ୍ଟା ମଧ୍ୟରେ ଗୋଟିଏ ଆକାଶଗଙ୍ଗା ମଧ୍ୟରେ ଭ୍ରମଣ କରିପାରୁଥିଵ । ତାହେଲେ ଯାଇ ମନୁଷ୍ୟ ଜାତିର ଅନ୍ତରୀକ୍ଷରେ ଜୀଵନ ଅନୁସନ୍ଧାନ ସଂକ୍ରାନ୍ତୀୟ ଏହି ପ୍ରଶ୍ନର ଉପଯୁକ୍ତ ଉତ୍ତର ମିଳି ପାରିଵ ।

Monday, April 17, 2023

ପୃଥିଵୀରେ ଜୀଵନ ଅନେକ ସୌଭାଗ୍ୟର ଅଵଦାନ : ସୌଭାଗ୍ୟ ୧

ଆଗେ ପୃଥିଵୀଵାସୀ ଭାବୁଥିଲେ ସେମାନେ ହିଁ ବ୍ରହ୍ମାଣ୍ଡର କେନ୍ଦ୍ରଭାଗରେ ରହୁଛନ୍ତି ତଥା ଚନ୍ଦ୍ର, ସୂର୍ଯ୍ୟ, ବୃହସ୍ପତି ,ଶୁକ୍ର ଆଦି ଗ୍ରହ ଆଉ ତାରକା ଆଦି ସେମାନଙ୍କୁ ପ୍ରଦକ୍ଷିଣା କରୁଛନ୍ତି । ସେ ସମୟର ମନୁଷ୍ୟ ଏହାକୁ ନେଇ ସାହିତ୍ୟ ଲେଖିଲା , ଜ୍ୟୋତିର୍ଵିଜ୍ଞାନୀମାନେ ଜ୍ୟୋତିଷଶାସ୍ତ୍ରର ପ୍ରଣୟନ କଲେ । ତେବେ ଯୁଗ ସହିତ ନୂତନ ତଥ୍ୟ ଲାଭ ଯୋଗୁଁ ଅଵଧାରଣା ବଦଳିଲା । କ୍ରମେ ପୃଥିଵୀଵାସୀ ଜାଣିଲେ ଯେ ସୌରମଣ୍ଡଳର କେନ୍ଦ୍ର ହେଉଛନ୍ତି ସୂର୍ଯ୍ୟ । ହଁ ହଉ ସୌରଜଗତରେ ନହେଲା ନାହିଁ କିନ୍ତୁ Milky way galaxyର ମଧ୍ୟଭାଗରେ ତ ଆମ ସୌରଜଗତ ଥିଵା କଥା ଯେହେତୁ ଆମ ପୃଥିଵୀ ଚାରିପାଖରେ ସବୁ ତାରକା ପ୍ରଦକ୍ଷିଣା କରୁଛନ୍ତି । 



ସାତରୁ ଛଅ ନିୟୁତ ଵର୍ଷର ମାନଵ ଵିର୍ଵତ୍ତନକାଳ ମଧ୍ୟରେ ଏଇ ମାତ୍ର କିଛି ଵର୍ଷ ତଳେ ହିଁ ମାନଵମାନେ ଜାଣିପାରିଛନ୍ତି ଯେ ସେମାନେ ଯୋଉ Milky way ଛାୟାପଥରେ ରହୁଛନ୍ତି ସେ ଛାୟାପଥର ମଧ୍ୟଭାଗ ତାଙ୍କଠାରୁ ୨୬୦୦୦ରୁ ୨୭୦୦୦ ଆଲୋକଵର୍ଷ ଦୂରରେ ଅଵସ୍ଥିତ । କିନ୍ତୁ ଏହା ମନୁଷ୍ୟମାନଙ୍କ ପାଇଁ ଵରଦାନ ସଦୃଶ କାରଣ ସେମାନେ ଆକାଶଗଙ୍ଗାର ଅପେକ୍ଷାକୃତ କମ୍ ଵିପଦଜନକ ସ୍ଥାନରେ ଅଛନ୍ତି । ଯଦି ଆମ ପୃଥିଵୀ ଆମରି ଆକାଶଗଙ୍ଗାର ମଧ୍ୟଭାଗର ଆଖ ପାଖରେ ଥାଆନ୍ତା ତେବେ ଏ ଗ୍ରହରେ ଜୀଵନ ସୃଷ୍ଟି କଷ୍ଟକର ହୋଇପଡ଼ନ୍ତା । ଯେକୌଣସି ଛାୟାପଥର ମଧ୍ୟଭାଗରେ ଗୁରୁତ୍ବାକର୍ଷଣ ଶକ୍ତିର ଭୀଷଣ ପ୍ରଭାଵ ରହିଥାଏ, ସେଠାରେ ଏକ ଵିଶାଳକାୟ କୃଷ୍ଣଵିଵର(blackhole) ଥାଏ ଏଵଂ ଏହି ସବୁ ଅଞ୍ଚଳରେ ସବୁବେଳେ Supernova explosion, gamma-ray bursts ଯୋଗୁଁ ପ୍ରଳୟଙ୍କରୀ ଵିତ୍ପାତ ଲାଗିରହିଥାଏ । ସେହିପରି ଆମରି ପୃଥିଵୀ ଗ୍ରହ ଯଦି ଆମ ଆକାଶଗଙ୍ଗାର ପୁରା ସୀମାନ୍ତରେ ଅଵସ୍ଥିତ ଥାଆନ୍ତା ଯଦି ତାହେଲେ ଵାହ୍ୟ ଆକାଶଗଙ୍ଗାଠାରୁ ଆସୁଥିଵା Rogue objects ,gamma-ray burstsର ଶିକାର ଶୀଘ୍ର ଓ ସହଜରେ ହୋଇଯାଆନ୍ତା ପୁଣି କୌଣସି ଅନ୍ୟ ଆକାଶଗଙ୍ଗାର ଗୁରୁତ୍ବାକର୍ଷଣ ଯୋଗୁଁ ନିଜ ଆକାଶଗଙ୍ଗାରୁ ଛିଟିକି ବ୍ରହ୍ମାଣ୍ଡରେ ସୃଷ୍ଟି ଧ୍ଵଂସ ପାଇଲା ପର୍ଯ୍ୟନ୍ତ ଏକ Rogue Planets ଵା ଅନାଥ ଗ୍ରହ ଭଳି ଘୂରି ବୁଲୁଥାନ୍ତା ।

ତେଣୁ ଆମ ଗ୍ରହ ପୃଥିଵୀର ଆକାଶଗଙ୍ଗାରେ ଏମିତି ଏକ ଅଳ୍ପ ଵିପଜ୍ଜନକ ସ୍ଥାନରେ ରହିଵା ହିଁ ଏ ଗ୍ରହର ପ୍ରଥମ ସୌଭାଗ୍ୟ ଯାହା ଫଳରେ ଏ ଗ୍ରହରେ ଜୀଵନ ସୃଷ୍ଟି ହୋଇ ଶହ ଶହ କୋଟି ଵର୍ଷ ଧରି ବଞ୍ଚି ରହିପାରିଛି !!!

ହଁ ଏଥିପାଇଁ ତ କୁହାଯାଏ ପୃଥିଵୀ ଏଵଂ ଏ ପୃଥିଵୀର ପ୍ରତ୍ୟେକଟି ଜୀଵନ ବହୁତ ମୂଲ୍ୟଵାନ ଓ ଵିରଳ !!!