ରାତିର ଆକାଶରେ ଝଲସି ଉଠୁଥିଵା ତାରାଗୁଡ଼ିକ ସଦା ସର୍ଵଦା ମାନଵ ମନକୁ ଆକର୍ଷିତ କରିଆସିଛନ୍ତି। ଅନେକ ମଣିଷ ଵିଶେଷତଃ ବାଳକ ବାଳିକାମାନେ ରାତି ଆକାଶକୁ ଦେଖିଲେ ତାରା ଗଣିଵା ଆରମ୍ଭ କରିଦିଅନ୍ତି । କେହି କେହି କୁହନ୍ତି ଆକାଶରେ ତାରା ଗଣିଵା ଵୃଥା କାରଣ ଅସଂଖ୍ୟ ତାରା ଗଣାଯାଇନପାରେ । କିନ୍ତୁ କ’ଣ ପ୍ରକୃତରେ ଏହା ସତ୍ୟ ?
ପୃଥିଵୀରୁ ଖାଲି ଆଖିରେ ଦେଖାଯାଉଥିଵା ତାରାଙ୍କ ସଂଖ୍ୟା ଆମ ଧାରଣାଠାରୁ ବହୁତ କମ୍। ଏହାର ମୁଖ୍ୟ କାରଣ ହେଉଛି ଆମେ ଏକାଥରକେ ଆକାଶର କେଵଳ ଅର୍ଧଭାଗ ଦେଖିପାରୁ ଏଵଂ ଵାତାଵରଣ, ଆଲୋକ ପ୍ରଦୂଷଣ ତଥା ଚନ୍ଦ୍ରମାର ଆଲୋକ ଆମର ଦୃଷ୍ଟିକୁ ଵାଧା ଦେଇଥାଏ।
ସାଧାରଣ ଅନୁମାନ ଅନୁସାରେ ଆଧୁନିକ ସଭ୍ୟତାଠାରୁ ଦୂରରେ ଥିଵା ଗାଆଁ କିମ୍ଵା ପାହାଡ଼ ଉପରେ ଯେଉଁଠାରେ କୌଣସି ଆଲୋକ ପ୍ରଦୂଷଣ ନଥାଏ ସେଭଳି ଅତ୍ୟନ୍ତ ଅନ୍ଧକାର ଓ ପରିଷ୍କାର ଆକାଶରେ (ଯେପରି) ଜଣେ ସାଧାରଣ ଵ୍ୟକ୍ତି ପ୍ରାୟ ୨,୦୦୦ରୁ ୪,୫୦୦ ପର୍ଯ୍ୟନ୍ତ ତାରା ଦେଖିପାରନ୍ତି। ଅଧିକାଂଶ ସ୍ଥାନରେ ଏହା ୨,୫୦୦ରୁ ୩,୦୦୦ ଆଖପାଖ ହୋଇଥାଏ। କିନ୍ତୁ ଚନ୍ଦ୍ରମା ଉପସ୍ଥିତ ଥିଲେ, ସହରରେ ଵା ଆଲୋକ ପ୍ରଦୂଷଣ ଥିଲେ ଏହି ସଂଖ୍ୟା ମାତ୍ର ୧୦୦ରୁ ୫୦୦ ପର୍ଯ୍ୟନ୍ତ କମିଯାଇପାରେ। ଏହା ଆଶ୍ଚର୍ଯ୍ୟଜନକ ଯେ ଆମ ଆକାଶଗଙ୍ଗା ଗାଲାକ୍ସିରେ ପ୍ରାୟ ୨୦୦ ଵିଲିୟନ ତାରା ଅଛନ୍ତି, କିନ୍ତୁ ଆମେ ତନ୍ମଧ୍ୟରୁ କେଵଳ କିଛି ହଜାର ତାରାକୁ ଦେଖିପାରୁଛୁ।
ଖାଲି ଆଖିରେ ଦେଖାଯାଉଥିଵା ତାରାଗୁଡ଼ିକର ଦୂରତା ଵହୁତ ଭିନ୍ନ ହୋଇଥାଏ। ଅଧିକାଂଶ ତାରା (ପ୍ରାୟ ୯୦-୯୫%) ୧୦ରୁ ୧,୦୦୦ ଆଲୋକ ଵର୍ଷ ମଧ୍ୟରେ ଅଵସ୍ଥିତ। Sirius, Vega, Procyon ଓ Altair ଭଳି ଅନେକ ସୁନ୍ଦର ଉଜ୍ଜ୍ୱଳ ତାରା କେଵଳ ୪ରୁ ୩୦୦ ଆଲୋକ ଵର୍ଷ ମଧ୍ୟରେ ଅଛନ୍ତି। Deneb ଭଳି କିଛି ଅତ୍ୟନ୍ତ ଉଜ୍ଜ୍ୱଳ ହାଇପରଜାଇଣ୍ଟ୍ ତାରା ପ୍ରାୟ ୧,୫୦୦ରୁ ୨,୬୦୦ ଆଲୋକ ଵର୍ଷ ଦୂରରେ ଅଛନ୍ତି। ସର୍ବୋଚ୍ଚ ଅନୁମାନରେ କିଛି ତାରା ୮,୦୦୦ରୁ ୧୫,୦୦୦ ଆଲୋକ ଵର୍ଷ ପର୍ଯ୍ୟନ୍ତ ଦେଖାଯାଇପାରନ୍ତି। ଏହି ତାରାଗୁଡ଼ିକ ସବୁ ଆମର ଆକାଶଗଙ୍ଗା ଗାଲାକ୍ସିର ଭିତରେ ତଥା ଆମ ସୌରଜଗତର ନିକଟଵର୍ତ୍ତୀ Orion Arm ଏଵଂ ଏହାର ଆଖପାଖ ସ୍ପାଇରାଲ୍ ଆର୍ମ୍ଗୁଡ଼ିକରେ ଅଵସ୍ଥିତ । ଏହା ଆମ ଗାଲାକ୍ସିର ଏକ ଵହୁତ ଛୋଟ ଅଂଶ ମାତ୍ର, କାରଣ ଆକାଶଗଙ୍ଗାର ଵ୍ୟାସ ପ୍ରାୟ ୧,୦୦,୦୦୦ରୁ ୨,୦୦,୦୦୦ ଆଲୋକ ଵର୍ଷ।
ରାତି ଆକାଶରେ ତାରାଗୁଡ଼ିକୁ ସଂଯୋଗ କରି ପ୍ରାଚୀନକାଳରୁ ଆଜି ପର୍ଯ୍ୟନ୍ତ ମାନଵ ସମାଜ ମୋଟ୍ ୮୮ଟି ତାରାମଣ୍ଡଳ (constellations) ଗଠନ କରିଛି କିନ୍ତୁ ତନ୍ମଧ୍ୟରୁ ୧୨ଟି ରାଶିଚକ୍ର ଅନ୍ତର୍ଭୁକ୍ତ ତଥା ପୁରାତନ। କିନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଵୈଜ୍ଞାନିକ ସତ୍ୟ ହେଉଛି: ଏହି ରାଶିଗୁଡ଼ିକରେ ଥିଵା ତାରାଗୁଡ଼ିକ ପରସ୍ପରଠାରୁ ଅନେକ ଆଲୋକ ଵର୍ଷ ଦୂରରେ ଅଛନ୍ତି ଏଵଂ ସେମାନଙ୍କ ମଧ୍ୟରେ କୌଣସି ପ୍ରତ୍ୟକ୍ଷ ଭୌତିକ ସମ୍ପର୍କ ନାହିଁ।
ଉଦାହରଣସ୍ୱରୂପ, Orion ତାରାମଣ୍ଡଳରେ Rigel ପ୍ରାୟ ୮୬୦ ଆଲୋକ ଵର୍ଷ ଦୂରରେ ଥିଵାବେଳେ Betelgeuse ପ୍ରାୟ ୬୪୦ ଆଲୋକ ଵର୍ଷ ଦୂରରେ ଅଛି। ଅର୍ଥାତ୍ Rigel ଓ Betelgeuse ପରସ୍ପରଠାରୁ ୨୦୦+ ଆଲୋକ ଵର୍ଷ(ପ୍ରାୟ ୧.୯ quadrillion କିଲୋମିଟର) ଦୂରରେ ରହି ଆକାଶଗଙ୍ଗାର ମଧ୍ୟଭାଗକୁ ପରିକ୍ରମା କରୁଛନ୍ତି ।
ଆମେ ରାତି ଆକାଶରେ ଦେଖୁଥିଵା ତାରାଗୁଡ଼ିକ ଗାଲାକ୍ସିର ଵିଭିନ୍ନ ଅଂଶରେ ଅଛନ୍ତି। ଏକ ରାଶିରେ ଥିଵା ତାରାଗୁଡ଼ିକ କେଵଳ ପୃଥିଵୀରୁ ଦେଖିଵାର ଦୃଷ୍ଟିକୋଣରୁ ନିକଟଵର୍ତ୍ତୀ ଦେଖାଯାନ୍ତି। ଯଦି ଆପଣ ପୃଥିଵୀରୁ ବାହାରି ଯାଆନ୍ତି ତେବେ ସେହି ଆକାର ସମ୍ପୂର୍ଣ୍ଣ ଭାବେ ଅଦୃଶ୍ୟ ହୋଇଯିଵ ଏଵଂ ଭିନ୍ନ
ଭିନ୍ନ ସ୍ଥାନରେ ଵିଭିନ୍ନ ଆକାର ଦେଖିଵାକୁ ମିଳିଵ ।
ନାସାର Hubble Space Telescope ଓ Gaia Mission ଦ୍ୱାରା ତାରାଗୁଡ଼ିକର ନିର୍ଭୁଲ ଦୂରତା ମାପାଯାଇଛି, ଯାହା ଦର୍ଶାଏ ଯେ ଏକ ରାଶିରେ ଥିଵା ଵିଭିନ୍ନ ତାରାଗୁଡ଼ିକ ପରସ୍ପରରୁ ବହୁତ ଦୂରରେ ଅଛନ୍ତି। ତାରାଗୁଡ଼ିକର ଆଲୋକର ସ୍ପେକ୍ଟ୍ରମ୍ ଵିଶ୍ଲେଷଣରୁ ଜଣାପଡ଼େ ଯେ ରାଶିଗୁଡ଼ିକରେ ତାରାଗୁଡ଼ିକର ଵୟସ ମଧ୍ୟ ସମାନ ନାହିଁ । ଗୋଟିଏ ରାଶିରେ କିଛି ତାରା ୧୦୦ ମିଲିୟନ ଵର୍ଷୀୟ ହୋଇଥିଲା ବେଳେ ଆଉ କିଛି ୧୦ ତାରା ଵିଲିୟନ୍ ଵର୍ଷୀୟ ଅଟନ୍ତି । ଏହା ସୂଚିତ କରେ ଯେ ସେ ତାରାମାନ ଏକତ୍ର ସୃଷ୍ଟି ହୋଇନାହାଁନ୍ତି। ପୁଣି ଗୋଟିଏ ରାଶି ମଧ୍ୟରେ ଥିଵା ତାରାଗୁଡ଼ିକ ମଧ୍ୟରେ ଗ୍ରାଭିଟେସନାଲ୍ ପ୍ରଭାଵର ଅଭାଵ ମଧ୍ୟ ପରିଲକ୍ଷିତ ହୋଇଥାଏ । Hipparcos satelliteର ଡାଟା ଦର୍ଶାଏ ଯେ ତାରାଗୁଡ଼ିକ ପରସ୍ପରରୁ ଦୂରେଇ ଯାଉଛନ୍ତି, ଏକଠାରେ ଘୂରୁନାହାଁନ୍ତି।
ତେଣୁ ଏହି ପାରମ୍ପରିକ ରାଶିଗୁଡ଼ିକ ଏକ ଵୈଜ୍ଞାନିକ ଵାସ୍ତଵତା ନୁହଁନ୍ତି, ଵରଂ ମାନଵୀୟ ସଂସ୍କୃତି ଏଵଂ କଳ୍ପନାର ନିର୍ମାଣ। ପ୍ରାଚୀନ ସମୟରେ ବାବିଲୋନୀୟନ୍, ଗ୍ରୀକ୍ ଏଵଂ ଭାରତୀୟ ସଂସ୍କୃତିରେ ଲୋକେ ଆକାଶରେ ତାରାଗୁଡ଼ିକୁ ଭାଗ୍ୟ ନିର୍ଦ୍ଦେଶ, ଋତୁ ପରିଵର୍ତ୍ତନର ଚିହ୍ନଟ ଏଵଂ ପୌରାଣିକ କାହାଣୀ ପାଇଁ ଵ୍ୟଵହାର କରୁଥିଲେ। ତାରାମଣ୍ଡଳ ମିଥ୍କର ଇତିହାସ ଵହୁତ ପ୍ରାଚୀନ ଏଵଂ ବହୁମୁଖୀ। ମଧ୍ୟପ୍ରାଚ୍ୟ ଵାପ୍ରାଚୀନ ମେସୋପୋଟାମିଆର ସୁମେରିଆନ୍ ଓ ବାବିଲୋନୀୟମାନେ ତାରାଗୁଡ଼ିକୁ ନାମ ଦେଇ ଦେଵତାଙ୍କ ସହ ଯୋଡ଼ିଥିଲେ (ପ୍ରାୟ ୪୦୦୦-୨୦୦୦ BCE)। ବାବିଲୋନୀୟମାନେ ୧୨ଟି ରାଶିଚକ୍ର ତିଆରି କରିଥିଲେ, ଯାହା ସୂର୍ଯ୍ୟର ଵାର୍ଷିକ ପଥ ଉପରେ ଆଧାରିତ ଥିଲା। ଠିକ୍ ସେହି ସମୟରେ ଭାରତୀୟମାନେ ଵେଦରେ ପ୍ରାରମ୍ଭିକ ଜ୍ୟୋତିର୍ଵିଜ୍ଞାନ ସମ୍ବନ୍ଧୀୟ ତଥ୍ୟ ଯୋଡ଼ିଥିଲେ ଯାହାକୁ ପାଶ୍ଚାତ୍ୟ ଗଵେଷକମାନେ ତଥା ଭାରତର ଵାମପନ୍ଥୀ ଐତିହାସିକମାନେ କେତେକ ସଂସ୍କୃତ ଶବ୍ଦର ଵ୍ୟଵହାର ଆଧାରରେ 1400–700 BCE ବୋଲି କହି ବୁଲୁଛନ୍ତି ।
ତେବେ ମଧ୍ୟପ୍ରାଚ୍ୟ ଓ ଭାରତ ଭଳି ପ୍ରାଚୀନ ମିଶରୀୟମାନେ ମଧ୍ୟ ପ୍ରାଚୀନ ଜ୍ୟୋତିର୍ଵିଜ୍ଞାନ କ୍ଷେତ୍ରରେ କେତେକ କାର୍ଯ୍ୟ କରିଥିଲେ । ସେମାନେ Orionକୁ ଦେଵତା Osiris ଏଵଂ Siriusକୁ Sopdet (ନୀଳ ନଦୀ ଵନ୍ୟାର ସଙ୍କେତ) ଭାବେ ଦେଖୁଥିଲେ। ଗ୍ରୀକ୍ମାନେ ବାବିଲୋନୀୟ ତାରାମଣ୍ଡଳକୁ ଗ୍ରହଣ କରି ନିଜ ପୌରାଣିକ କାହାଣୀ ସହ ଯୋଡ଼ିଲେ, ଯେପରି Orion (ଶକ୍ତିଶାଳୀ ଶିକାରୀ), Ursa Major (ଭାଲୁରେ ପରିଣତ ନିମ୍ଫ Callisto), ଏଵଂ Pleiades (ସାତ ଭଉଣୀ)। ପ୍ରାଚୀନ ଚୀନାମାନେ ମଧ୍ୟ ତାରାଗୁଡ଼ିକୁ ଅଞ୍ଚଳ ଓ ଦେଵତାଙ୍କ ସହ ଯୋଡ଼ିଛନ୍ତି ଏଵଂ ଵିଭିନ୍ନ ସଭ୍ୟତାରେ ସମାନ ତାରାଗୁଡ଼ିକୁ ଭିନ୍ନ କାହାଣୀ ସହ ଦେଖାଯାଇଛି।
ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଏକ ପ୍ରାଚୀନ ଵିଦ୍ୟା ଯାହା ତାରା ଓ ଗ୍ରହଗୁଡ଼ିକର ଅଵସ୍ଥାନକୁ ମାନଵ ଭାଗ୍ୟ, କର୍ମା ଏଵଂ ଜୀଵନ ଘଟଣା ସହ ଯୋଡ଼ି ଦେଖେ। ଏହା ଭାରତରେ ସାଂସ୍କୃତିକ ଏଵଂ ଧାର୍ମିକ ମହତ୍ତ୍ୱ ରଖିଛି। କିନ୍ତୁ ଵୈଜ୍ଞାନିକ ଦୃଷ୍ଟିରୁ ଏହା କେତେ ଯୁକ୍ତି ଯୁକ୍ତ ?
ଆଧୁନିକ ଵିଜ୍ଞାନ ଅନୁସାରେ, ଜ୍ୟୋତିଷରେ ତାରା ଓ ଗ୍ରହଗୁଡ଼ିକ ମାନଵ ଭାଗ୍ୟ ଉପରେ ପ୍ରଭାଵ ପକାଉଥିଵା ଦାଵିର କୌଣସି ଵୈଜ୍ଞାନିକ ପ୍ରମାଣ ନାହିଁ। ଵିଜ୍ଞାନ ସମ୍ପ୍ରଦାୟ ଏହାକୁ ଛଦ୍ମଵିଜ୍ଞାନ ବୋଲି ଵିଵେଚନା କରେ। ଭାରତର ପ୍ରସିଦ୍ଧ ଆଷ୍ଟ୍ରୋଫିଜିକିଷ୍ଟ୍ ଡ. ଜୟନ୍ତ ନର୍ଲିକର୍ଙ୍କ ଦ୍ଵାରା ୨୦୦୮ରେ କରାଯାଇଥିଵା ପରୀକ୍ଷଣରେ ଜ୍ୟୋତିଷୀମାନେ ଜନ୍ମଚାର୍ଟ୍ ଅନୁସାରେ ଵ୍ୟକ୍ତିଙ୍କ ଗୁଣ ଚିହ୍ନଟ କରିପାରିଲେ ନାହିଁ। କାର୍ଲସନ୍ଙ୍କର ୧୯୮୫ର ଷ୍ଟଡି ଏଵଂ ଅନ୍ୟ ଅନୁସନ୍ଧାନରେ ଜ୍ୟୋତିଷ ଅନୁମାନଗୁଡ଼ିକ ରାଣ୍ଡମ୍ ଚାନ୍ସ୍ରୁ ଭଲ ନୁହେଁ ବୋଲି ଦର୍ଶାଇଛି। ଭୌତିକ କାରଣର ଅଭାଵ ମଧ୍ୟ ରହିଛି। ଗ୍ରହଗୁଡ଼ିକ ମାନଵ ଜୀଵନକୁ ପ୍ରଭାଵିତ କରିଵାର କୌଣସି ଭୌତିକ କାରଣ ନାହିଁ। ଗ୍ରାଭିଟେସନାଲ୍ କିମ୍ଵା ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଫୋର୍ସ୍ ଯାହା ଗ୍ରହଗୁଡ଼ିକରୁ ଆସେ ତାହା ବହୁତ ଦୁର୍ଵଳ ଏଵଂ ମାନଵ ଭାଗ୍ୟ ଉପରେ ପ୍ରଭାଵ ପକାଇଵା ହେତୁ ଯଥେଷ୍ଟ ନୁହେଁ। ପୁଷ୍ପା ଭାର୍ଗଵ, ରାଜା ରାମନ୍ନା ଭଳି ଭାରତୀୟ ଵିଜ୍ଞାନୀମାନେ ଜ୍ୟୋତିଷକୁ ଅନ୍ଧଵିଶ୍ୱାସ ବୋଲି କହିଛନ୍ତି ଏଵଂ ଏହାକୁ ଵିଶ୍ୱଵିଦ୍ୟାଳୟରେ ପଢ଼ାଇଵା ଵିରୋଧରେ ପ୍ରୋଟେଷ୍ଟ କରିଛନ୍ତି। ୨୦୦୧ରେ UGCର ଜ୍ୟୋତିଷ କୋର୍ସ୍ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍ କରାଯାଇଥିଲା, ଯାହା ଵିଜ୍ଞାନୀମାନଙ୍କ ମଧ୍ୟରେ ଵଡ଼ ଵିତର୍କ ସୃଷ୍ଟି କରିଥିଲା। ଜ୍ୟୋତିଷ ସମର୍ଥକମାନେ କହନ୍ତି ଯେ ଏହା ଏକ "ସାଇନ୍ସ୍ ଅଫ୍ ଲାଇଟ୍" ଏଵଂ କର୍ମା ଏଵଂ କସ୍ମିକ୍ ଇନ୍ଫ୍ଲୁଏନ୍ସ୍ ଉପରେ ଆଧାରିତ। ଏହା ଵେଦ ଏଵଂ ପୁରାଣରୁ ଆସିଛି ଏଵଂ ଜୀଵନ ନେଭିଗେସନ୍ ପାଇଁ ଵ୍ୟଵହାର ହୁଏ। କିଛି କୋର୍ଟ୍ ଜଜ୍ମେଣ୍ଟ୍ ଏହାକୁ "ଵିଜ୍ଞାନ" ବୋଲି କହିଛି, କିନ୍ତୁ ଏହା ଵୈଜ୍ଞାନିକ ପ୍ରମାଣ ଉପରେ ନୁହେଁ ଵରଂ ପ୍ରାଚୀନ ସଂଜ୍ଞା ଉପରେ ଆଧାରିତ। ଅନେକ ଲୋକ ଵ୍ୟକ୍ତିଗତ ଅନୁଭଵ ଅନୁସାରେ ଏହାକୁ ନିର୍ଭୁଲ୍ ମନେ କରନ୍ତି, କିନ୍ତୁ ଏହା ମାନସିକ ପକ୍ଷପାତ ଵା confirmation bias ଯୋଗୁଁ ହୋଇପାରେ । ଜ୍ୟୋତିଷ କ୍ଷେତ୍ରରେ confirmation biasରେ ଦେଖାଯାଏ ଯେ ଲୋକେ କେଵଳ ମେଳ ଖାଉଥିଵା ଜ୍ୟୋତିଷ ଅନୁମାନଗୁଡ଼ିକୁ ମନେରଖନ୍ତି ଏଵଂ ଭୁଲ୍ ଅନୁମାନଗୁଡ଼ିକୁ ଭୁଲିଯାଆନ୍ତି।
ଜ୍ୟୋତିଷ ଏକ ସାଂସ୍କୃତିକ ଵିଶ୍ୱାସ ଭାବେ ଜୀଵନ୍ତ ରହିଛି ଏଵଂ ଅନେକଙ୍କୁ ଆଧ୍ୟାତ୍ମିକ ମାର୍ଗଦର୍ଶନ ଦେଇଥାଏ। ଏହା ଏକ ପ୍ରାଚୀନ ଜ୍ଞାନ ପରମ୍ପରାର ଅଂଶ ଯାହା ଆତ୍ମଵିଶ୍ଲେଷଣ ଓ ମାନସିକ ଶାନ୍ତି ପାଇଁ ସହାୟକ ହୋଇପାରେ। କିନ୍ତୁ ଏହାକୁ ଵୈଜ୍ଞାନିକ ସତ୍ୟ ଭାବେ ଗ୍ରହଣ କରିଵା ଉଚିତ୍ ନୁହେଁ। ଯଦି କେହି ଜ୍ୟୋତିଷକୁ ଏକ ଟୁଲ୍ ଭାବେ ଵ୍ୟଵହାର କରନ୍ତି, ତେଵେ ଏହାକୁ ସମାଲୋଚନାତ୍ମକ ଚିନ୍ତାଧାରା ସହ ମିଶାଇ ଵ୍ୟଵହାର କରିଵା ଜରୁରୀ। ଗୁରୁତ୍ୱପୂର୍ଣ୍ଣ ଜୀଵନ ନିଷ୍ପତ୍ତି କେଵଳ ଜ୍ୟୋତିଷ ଉପରେ ଆଧାର କରି ନେଵା ଉଚିତ୍ ନୁହେଁ।
ଏଠାରେ ଖଗୋଳଶାସ୍ତ୍ର ଵା ଜ୍ୟୋତିର୍ଵିଜ୍ଞାନ ଓ ଜ୍ୟୋତିଷଶାସ୍ତ୍ର ମଧ୍ୟରେ ଥିଵା ପାର୍ଥକ୍ୟ ବୁଝିଵା ବହୁତ ଆଵଶ୍ୟକ । ଇଂରାଜୀ ଭାଷାରେ ଖଗୋଳଶାସ୍ତ୍ର ଵା ଜ୍ୟୋତିର୍ଵିଜ୍ଞାନକୁ Astronomy ଏଵଂ ଜ୍ୟୋତିଷଶାସ୍ତ୍ରକୁ Astrology କୁହାଯାଏ ଏଵଂ ଏହି ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ଵିଷୟ ଅଟେ । ଖଗୋଳଶାସ୍ତ୍ର ପ୍ରାଚୀନ ପାରମ୍ପରିକ ଵିଜ୍ଞାନ ଯାହା ତାରା, ଗ୍ରହର ଗତି ତତ୍ ଆଧାରରେ ମାନଵ ଭାଗ୍ୟ ଓ ଜଳଵାୟୁ ଆଦିର ପୂର୍ଵାନୁମାନ ପାଇଁ ଵ୍ୟଵହୃତ ହୋଇଥାଏ ଏଵଂ ଏହା ପର୍ଯ୍ୟଵେକ୍ଷଣ, ପରୀକ୍ଷଣ ଓ ଗଣିତ ଉପରେ ଆଧାରିତ। ଖଗୋଳଶାସ୍ତ୍ର ଆମକୁ ଵ୍ରହ୍ମାଣ୍ଡର ଵୟସ, ତାରାଗୁଡ଼ିକର ଜୀଵନଚକ୍ର, ଗାଲାକ୍ସିର ଗଠନ ଇତ୍ୟାଦି ବୁଝିଵାରେ ସାହାଯ୍ୟ କରେ।
ଜ୍ୟୋତିଷଶାସ୍ତ୍ର ଏକ ଵିଶ୍ୱାସ ପ୍ରଣାଳୀ ଯାହା ଗ୍ରହ ଏଵଂ ତାରାଗୁଡ଼ିକର ଅଵସ୍ଥାନକୁ ମାନଵ ଜୀଵନ ଏଵଂ ଘଟଣା ସହ ଯୋଡ଼େ। ଏହା ସାଂସ୍କୃତିକ ପରମ୍ପରା ଏଵଂ ଵିଶ୍ୱାସ ଉପରେ ଆଧାରିତ, ଵୈଜ୍ଞାନିକ ପଦ୍ଧତି ଉପରେ ପର୍ଯ୍ୟଵେସିତ ନୁହେଁ ।
ପ୍ରାଚୀନ କାଳରେ ଏହି ଦୁଇଟି ଏକତ୍ର ଥିଲା, କିନ୍ତୁ ଆଧୁନିକ ଯୁଗରେ ଖଗୋଳଶାସ୍ତ୍ର ଵା ଜ୍ୟୋତିର୍ଵିଜ୍ଞାନ ଏକ ଶୁଦ୍ଧ ଵିଜ୍ଞାନ ହୋଇଥିଵାଵେଳେ ଜ୍ୟୋତିଷଶାସ୍ତ୍ର ଏକ ସାଂସ୍କୃତିକ ପ୍ରଥା ଭାବେ ରହିଛି।
ଵୈଜ୍ଞାନିକ ସତ୍ୟ ଓ ସାଂସ୍କୃତିକ ଵିଶ୍ୱାସକୁ ନେଇ ଚର୍ଚ୍ଚା ସତ୍ତ୍ୱେ, ରାତିର ଆକାଶକୁ ଦେଖିଵାର ନିଜସ୍ୱ ଏକ ମହତ୍ତ୍ୱ ଅଛି। ତାରାଗୁଡ଼ିକ ଆମକୁ ଵ୍ରହ୍ମାଣ୍ଡର ଵିଶାଳତା, ଆମର କ୍ଷୁଦ୍ରତା ଏଵଂ ପ୍ରକୃତିର ସୌନ୍ଦର୍ଯ୍ୟ ମନେ ପକାଇ ଦିଅନ୍ତି। ଆଧୁନିକ ସହରୀ ଜୀଵନରେ ଆଲୋକ ପ୍ରଦୂଷଣ ଯୋଗୁଁ ଅଧିକାଂଶ ଲୋକ ତାରାଭରା ରାତି ଦେଖିଵାର ସୁଯୋଗରୁ ଵଞ୍ଚିତ ହେଉଛନ୍ତି। ଏହା ଏକ ଵଡ଼ କ୍ଷତି, କାରଣ ତାରା ଦର୍ଶନ କେଵଳ ଵୈଜ୍ଞାନିକ ଜ୍ଞାନ ନୁହେଁ, ଵରଂ ମାନସିକ ଶାନ୍ତି, ଦାର୍ଶନିକ ଚିନ୍ତା ଏଵଂ ପ୍ରକୃତି ସହିତ ସଂଯୋଗର ମାଧ୍ୟମ ମଧ୍ୟ ଅଟେ ।
ତାରା ଓ ଆକାଶର ଅଧ୍ୟୟନ ଶିକ୍ଷାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଖଗୋଳଶାସ୍ତ୍ର ଵା ଜ୍ୟୋତିର୍ଵିଜ୍ଞାନ ପଢ଼ିଵା ଦ୍ୱାରା ଶିକ୍ଷାର୍ଥୀମାନେ ଵୈଜ୍ଞାନିକ ପଦ୍ଧତି, ପର୍ଯ୍ୟଵେକ୍ଷଣ, ଏଵଂ ସମାଲୋଚନାତ୍ମକ ଚିନ୍ତାଧାରା ଶିଖନ୍ତି। ଦୂରତା, ଆକାର, ଏଵଂ ଗତିର ଗଣନା ଗଣିତୀୟ ଦକ୍ଷତା ଵୃଦ୍ଧି କରେ। ଆମେ ଵ୍ରହ୍ମାଣ୍ଡର ଏକ ଅଂଶ ବୋଲି ବୁଝିଵା ଦ୍ୱାରା ଵିଶ୍ୱଦୃଷ୍ଟି ଵିସ୍ତୃତ ହୁଏ। ବ୍ରହ୍ମାଣ୍ଡର ଵିଶାଳତାକୁ ଜାଣିଲେ ମନରେ ଗର୍ଵ ଅହଂକାର ହ୍ରାସ ପାଇଥାଏ । ଵିଭିନ୍ନ ସଭ୍ୟତାର ତାରା ସମ୍ଵନ୍ଧୀୟ କାହାଣୀ ସାଂସ୍କୃତିକ ଐତିହ୍ୟ ବୁଝିଵାରେ ସାହାଯ୍ୟ କରେ। ତାରା ଦେଖିଵାକୁ ଆଗ୍ରହୀ ଵ୍ୟକ୍ତିମାନେ ଅନ୍ଧକାର ସ୍ଥାନ ବାଛନ୍ତୁ ଏଵଂ ସହରଠାରୁ ଦୂରରେ, ଆଲୋକ ପ୍ରଦୂଷଣମୁକ୍ତ ସ୍ଥାନକୁ ଯାଆନ୍ତୁ। ଚନ୍ଦ୍ରହୀନ ରାତି ବାଛନ୍ତୁ ଵିଶେଷତଃ ଅମାଵାସ୍ୟା ସମୟରେ ଅଧିକ ତାରା ଦେଖାଯାଏ। ଆଖିକୁ ସମୟ ଦିଅନ୍ତୁ । ଅନ୍ଧକାରରେ ଆଖି ଅଭ୍ୟସ୍ତ ହେଵାକୁ ୨୦-୩୦ ମିନିଟ୍ ଲାଗେ। Stellarium, SkySafari ଭଳି ଆପ୍ ତାରାଗୁଡ଼ିକୁ ଚିହ୍ନଟ କରିଵାରେ ସାହାଯ୍ୟ କରେ।
ତାରା ଦର୍ଶନ ଏକ ଧୈର୍ଯ୍ୟଶୀଳ କାର୍ଯ୍ୟ, କିନ୍ତୁ ଅତ୍ୟନ୍ତ ଲାଭଦାୟକ।
ଵୈଜ୍ଞାନିକ ଦୃଷ୍ଟିକୋଣରୁ ତାରାଗୁଡ଼ିକୁ ଅଧ୍ୟୟନ କଲେ ମାନଵମାନେ ବ୍ରହ୍ମାଣ୍ଡର ଵିଶାଳତା, ଦୂରତା ଏଵଂ ସମୟର ଗଭୀରତା ହୃଦୟଙ୍ଗମ କରିପାରିବେ। ସେମାନେ ଜାଣିବେ ଯେ ରାଶିଚକ୍ରରେ ଥିଵା ତାରାଗୁଡ଼ିକ ପରସ୍ପରରୁ ଵହୁତ ଦୂରରେ ଅଵସ୍ଥିତ ଏଵଂ ଏହି ସତ୍ୟ ତାଙ୍କୁ ଶିକ୍ଷା ଦେଵ ଯେ ଆମେ ସମସ୍ତେ ଯାହା ଦେଖୁଛୁ ତାହା ସଦା ସତ୍ୟ ନୁହେଁ — ପରିପ୍ରେକ୍ଷୀ ଗୁରୁତ୍ୱପୂର୍ଣ୍ଣ।
ସାଂସ୍କୃତିକ ଦୃଷ୍ଟିକୋଣରୁ ରାଶିଚକ୍ର ତଥା ଜ୍ୟୋତିଷ ହଜାରେ ଵର୍ଷର ମାନଵ କଳ୍ପନା, କାହାଣୀ ଓ ଵିଶ୍ୱାସର ପ୍ରତିନିଧିତ୍ୱ କରେ। ଯଦିଓ ଏହାର କୌଣସି ଵୈଜ୍ଞାନିକ ଭିତ୍ତି ନାହିଁ, ତଥାପି ଏହା ଆମର ସାଂସ୍କୃତିକ ଐତିହ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏଵଂ ଅନେକଙ୍କ ପାଇଁ ଆଧ୍ୟାତ୍ମିକ ମାର୍ଗଦର୍ଶନର ମାଧ୍ୟମ।
ଗୁରୁତ୍ୱପୂର୍ଣ୍ଣ ହେଉଛି ଵିଜ୍ଞାନ ଓ ଵିଶ୍ୱାସ ମଧ୍ୟରେ ପାର୍ଥକ୍ୟ ବୁଝିଵା। ଵିଜ୍ଞାନ ଆମକୁ ଵସ୍ତୁନିଷ୍ଠ ସତ୍ୟ ସହିତ ପରିଚିତ କରାଏ ଯାହା ପରୀକ୍ଷଣ ଓ ପର୍ଯ୍ୟଵେକ୍ଷଣ ଦ୍ୱାରା ପ୍ରମାଣିତ ହୋଇଛି। ଵିଶ୍ୱାସ ଆମକୁ ସାନ୍ତ୍ୱନା, ଅର୍ଥ ଓ ସାଂସ୍କୃତିକ ପରିଚୟ ଦିଏ। ଦୁଇଟିର ନିଜସ୍ୱ ସ୍ଥାନ ଅଛି, କିନ୍ତୁ ସେଗୁଡ଼ିକୁ ପରସ୍ପର ସହ ମିଶାଇଵା ଉଚିତ୍ ନୁହେଁ।
ଯେତେଵେଳେ ଆମେ ରାତିର ଆକାଶକୁ ଦେଖୁଛୁ, ଆସନ୍ତୁ ଵିସ୍ମୟ ଏଵଂ କୌତୁହଳ ସହିତ ଦେଖିଵା — ଵୈଜ୍ଞାନିକ ଜ୍ଞାନର ଆଲୋକରେ, କିନ୍ତୁ ସାଂସ୍କୃତିକ ଐତିହ୍ୟର ସମ୍ମାନ ସହିତ। ତାରାଗୁଡ଼ିକ କେଵଳ ଦୂରଵର୍ତ୍ତୀ ଗ୍ୟାସ୍ ବଲ୍ ନୁହଁନ୍ତି, ଵରଂ ମାନଵ କଳ୍ପନା, ଵୈଜ୍ଞାନିକ ଅନୁସନ୍ଧାନ ଓ ଦାର୍ଶନିକ ଚିନ୍ତାର ଅସୀମ ଉତ୍ସ। ଆକାଶର ଏହି ତାରାଗୁଡ଼ିକ ଆମକୁ ମନେ ପକାଇ ଦିଅନ୍ତି ଯେ ଆମେ ଏକ ଵିଶାଳ, ରହସ୍ୟମୟ ଵ୍ରହ୍ମାଣ୍ଡର ଅତି ଅତି ଅତି ଅତି ଅତି ଅତି କ୍ଷୁଦ୍ରାତିକ୍ଷୁଦ୍ର ଅଂଶ ମାତ୍ର।
•••••••••••••••••••••••••••••••••••••
ଏ ଵିଷୟରେ ଆହୁରି ଅଧ୍ୟୟନ ପାଇଁ ନିମ୍ନୋକ୍ତ ପୁସ୍ତକଗୁଡ଼ିକୁ ପଢ଼ନ୍ତୁ :
1.Stars: A Very Short Introduction by James B. Kaler
2.Astronomy: A Very Short Introduction by Michael Hoskin
3.Astrology: A Very Short Introduction by Patrick Curry
4.The Oxford Illustrated History of the Sky and Solar System edited by Gareth Wynn-Williams
5.Cosmology: A Very Short Introduction by Peter Coles
6.Galaxies: A Very Short Introduction by John Gribbin
7.The Stars: A New Way to See Them by H.A. Rey
8.NightWatch: A Practical Guide to Viewing the Universe by Terence Dickinson
9.Constellations: The Story of Star Patterns by Paul Murdin
10.The Mythology of the Night Sky: Greek, Roman, and Other Celestial Tales by David E. Falkner
••••••••••••••••••••••••••••••••••••••••
No comments:
Post a Comment