ଗୋଟିଏ ଦେଶିଆ ଢଗ ଅଛି :
“ଗିଆନି କେ ଗିଆନ୍ ଗାଲା ଭେଦି
ମୁରୁକ୍ କେ ଠେଙ୍ଗା ଗାଲା ଖେଦି”
ଅର୍ଥାତ୍ ଜ୍ଞାନୀକୁ ଜ୍ଞାନ କଥା କହିଲେ ବୁଝିଯାଏ,ଜ୍ଞାନୀକୁ ଜ୍ଞାନ ଦ୍ଵାରା ଵଶୀଭୂତ କରାଯାଇପାରେ କିନ୍ତୁ ମୂର୍ଖ ଆଗରେ ଜ୍ଞାନର ପ୍ରତାପ କାମ ଦିଏ ନାହିଁ । ମୂର୍ଖ ପାଇଁ ଠେଙ୍ଗାର ଆଵଶ୍ୟକତା ରହିଛି । ମୂର୍ଖ ଦଣ୍ଡ ପାଇଲେ ହିଁ କଥା ବୁଝେ ।
ଜ୍ଞାନୀ ଵ୍ୟକ୍ତିଙ୍କୁ ଢଗରେ "ଗିଆନି" କୁହାଯାଇଛି, ଯିଏ ଜ୍ଞାନକୁ ଗ୍ରହଣ କରିଵାରେ ସକ୍ଷମ। ଏହି ଵ୍ୟକ୍ତିମାନଙ୍କ ମଧ୍ୟରେ ଉଚ୍ଚ ବୌଦ୍ଧିକ କ୍ଷମତା (Cognitive Ability) ଏଵଂ ଆବେଗଗତ ବୁଦ୍ଧି (Emotional Intelligence) ଥାଏ। ସେମାନେ ଯୁକ୍ତିଯୁକ୍ତ ଚିନ୍ତା (Rational Thinking) ଏଵଂ ଆତ୍ମ-ପ୍ରତିଫଳନ (Self-Reflection) ମାଧ୍ୟମରେ ନୂଆ ତଥ୍ୟ କିମ୍ବା ଜ୍ଞାନକୁ ବୁଝିପାରନ୍ତି ଓ ତାହାକୁ ନିଜ ଜୀଵନରେ ପ୍ରୟୋଗ କରିପାରନ୍ତି। ଜ୍ଞାନୀମାନେ ମେଟାକଗନିସନ (Metacognition) ଅର୍ଥାତ୍ ନିଜର ଚିନ୍ତନ ପ୍ରକ୍ରିୟାକୁ ବୁଝିଵା ଓ ନିୟନ୍ତ୍ରଣ କରିଵାରେ ପାରଙ୍ଗମ। ସେମାନେ ନୂଆ ଜ୍ଞାନକୁ ଗ୍ରହଣ କରିଵା ପାଇଁ ମୁକ୍ତ ମନ (Open-Mindedness) ରଖନ୍ତି। ସେମାନେ ଆତ୍ମ-ନିୟନ୍ତ୍ରଣ (Self-Regulation) କ୍ଷମତା ସହିତ ନିଜ ଆଵେଗକୁ ନିୟନ୍ତ୍ରଣ କରି ଯୁକ୍ତିଯୁକ୍ତ ଆଲୋଚନାରେ ଭାଗ ନେଇପାରନ୍ତି। ଜ୍ଞାନୀ ଵ୍ୟକ୍ତି Cognitive Learning Theory) ଅନୁଯାୟୀ ଜ୍ଞାନକୁ ଅର୍ଥପୂର୍ଣ୍ଣ ଭାବେ ଗ୍ରହଣ କରନ୍ତି, ଯାହା ସେମାନଙ୍କୁ କୌଣସି ଵିଷୟକୁ ଠିକ୍ ଭାବେ ବୁଝିଵାରେ ସାହାଯ୍ୟ କରେ। ତେଣୁ ଜ୍ଞାନୀଙ୍କ ପାଇଁ "ଜ୍ଞାନ" ହେଉଛି ଏକ ପ୍ରଭାଵଶାଳୀ ଉପାୟ ଏଵଂ ଏହା ସେମାନଙ୍କ ଚିନ୍ତାଧାରାକୁ ପ୍ରଭାଵିତ କରେ ତଥା ସେମାନଙ୍କୁ ଉପଯୁକ୍ତ ଦିଗରେ ପରିଚାଳିତ କରେ।
ଢଗରେ "ମୁରୁକ୍" ଵା ମୂର୍ଖ ଵ୍ୟକ୍ତିଙ୍କୁ ଜ୍ଞାନ ଦ୍ୱାରା ବୁଝାଇଵା କଷ୍ଟକର ବୋଲି କୁହାଯାଇଛି। ଏହି ଵ୍ୟକ୍ତିମାନେ ନିମ୍ନ ବୌଦ୍ଧିକ କ୍ଷମତା କିମ୍ବା ଅନମନୀୟ ଚିନ୍ତାଧାରା (Cognitive Rigidity) ରେ ଆବଦ୍ଧ ହୋଇପାରନ୍ତି। ସେମାନେ ନୂଆ ତଥ୍ୟ ଗ୍ରହଣ କରିଵାରେ ଅସୁବିଧା ଅନୁଭଵ କରନ୍ତି କିମ୍ବା ଜ୍ଞାନକୁ ଅଗ୍ରାହ୍ୟ କରନ୍ତି। ଏହି ପରିପ୍ରେକ୍ଷୀରେ ଢଗଟି Behavioral Conditioning ତତ୍ତ୍ୱ ସହିତ ଜଡ଼ିତ।
ବି. ଏଫ୍. ସ୍କିନର୍ଙ୍କ Operant Conditioning ତତ୍ତ୍ୱ ଅନୁଯାୟୀ, ଆଚରଣକୁ ପୁରସ୍କାର (Reward) କିମ୍ବା ଦଣ୍ଡ (Punishment) ମାଧ୍ୟମରେ ପରିଵର୍ତ୍ତନ କରାଯାଇପାରେ। ମୂର୍ଖ ଵ୍ୟକ୍ତିଙ୍କ କ୍ଷେତ୍ରରେ, "ଠେଙ୍ଗା" ଏକ ପ୍ରକାର ନକାରାତ୍ମକ ପୁନଃବଳନ (Negative Reinforcement) କିମ୍ବା ଦଣ୍ଡ (Punishment) ଭାବେ କାମ କରେ ଫଳତଃ ତାହା ସେମାନଙ୍କ ଆଚରଣକୁ ସଂଶୋଧନ କରିଵାକୁ ବାଧ୍ୟ କରେ। ମୂର୍ଖ ଵ୍ୟକ୍ତିଙ୍କ ମନରେ ଜ୍ଞାନର ପ୍ରଭାଵ ଅପେକ୍ଷା ଭୟ ଵା ଅପମାନ ଭଳି ଆଵେଗଗତ ଉତ୍ତେଜନା ଅଧିକ ପ୍ରଭାଵଶାଳୀ ହୋଇପାରେ। ଏହା ସେମାନଙ୍କୁ ତୁରନ୍ତ ପ୍ରତିକ୍ରିୟା କରିଵାକୁ ବାଧ୍ୟ କରେ। ଅନେକ ସମୟରେ, ମୂର୍ଖ ଵ୍ୟକ୍ତିମାନେ ସାମାଜିକ ପ୍ରଭାଵ(Social Pressure) କିମ୍ବା ଦଣ୍ଡର ଭୟ ହେତୁ ନିଜ ଆଚରଣ ପରିଵର୍ତ୍ତନ କରନ୍ତି, ଯାହା ସାମାଜିକ ଶିକ୍ଷଣ ତତ୍ତ୍ୱ ସହିତ ସମ୍ପର୍କିତ।
ମନେ ରଖିଵାକୁ ହେଵ ଯେ ଏଠାରେ ଅଶିକ୍ଷିତ ଵ୍ୟକ୍ତିଙ୍କୁ ମୂର୍ଖ କୁହାଯାଉନାହିଁ ।ଶାସ୍ତ୍ରରେ ମୂର୍ଖଙ୍କ ସମ୍ବନ୍ଧରେ ଅନେକ ଵ୍ୟଖ୍ୟା ରହିଛି । ତେବେ ସାଧାରଣତଃ ଗର୍ଵୀ,ଦୁର୍ଵଚନୀ,ଜିଦ୍ଖୋର,ଅପ୍ରିୟଵାଦୀ ଓ ସତ୍ ଉପଦେଶ ଗ୍ରହଣ କରୁନଥିଵା ଲୋକଙ୍କୁ ମୂର୍ଖ କୁହାଯାଏ । ଏ ସମ୍ବନ୍ଧରେ ଏକ ପ୍ରସିଦ୍ଧ ଶ୍ଳୋକ ରହିଛି:
“ମୂର୍ଖସ୍ଯ ପଞ୍ଚ ଚିହ୍ନାନି ଗର୍ଵୋ ଦୁର୍ଵଚନଂ ତଥା ।
କ୍ରୋଧଶ୍ଚ ଦୃଢଵାଦଶ୍ଚ ପରଵାକ୍ଯେଷ୍ଵନାଦରଃ ॥”
ଅର୍ଥାତ୍ ମୂର୍ଖର ପାଞ୍ଚଟି ଲକ୍ଷଣ ହେଲା— ଅହଙ୍କାର, କଟୁ କଥା, କ୍ରୋଧ, ଜିଦ୍ଖୋର ସ୍ୱଭାବ ଓ ଅନ୍ୟର କଥାକୁ ଅଗ୍ରାହ୍ୟ କରିଵା। ତେଣୁ ଏହି ସବୁ ଗୁଣ ଯାହାଠାରେ ଥିଵ ସିଏ ମୂର୍ଖ ଵିଦିତ ହୁଏ ।
ଏପରି ଲୋକଙ୍କଠାରୁ ଦୂରେଇ ରହିଵାକୁ ଚାଣକ୍ୟ ନୀତିରେ ଉପଦେଶ ଦିଆଯାଇଛି ।
“ମୂର୍ଖସ୍ତୁ ପରିହର୍ତ୍ତଵ୍ଯଃ ପ୍ରତ୍ଯକ୍ଷୋ ଦ୍ଵିପଦଃ ପଶୁଃ।
ଭିନତ୍ତି ଵାକ୍ଯଶୂଳେନ ଅଦୃଶ୍ଯଂ କଣ୍ଟକଂ ଯଥା॥”
ଅର୍ଥାତ୍ ମୂର୍ଖ ଵ୍ୟକ୍ତିକୁ ପରିତ୍ୟାଗ କରିବା ଉଚିତ୍, କାରଣ ସେ ଦୁଇପାଦ ଵିଶିଷ୍ଟ ପଶୁ ସଦୃଶ। ସେ ଅଦୃଶ୍ୟ କଣ୍ଟକ ପରି କଟୁ ଵାକ୍ୟରେ ହୃଦୟକୁ ବିଦ୍ଧ କରେ। ମୂର୍ଖଙ୍କର କଟୁ କଥା ଅଦୃଶ୍ୟ କଣ୍ଟକ ପରି ଆଘାତ ଦିଏ, ତେଣୁ ସେମାନଙ୍କୁ ଏଡ଼ାଇ ଚଳିଵା ଉଚିତ୍।
ପଣ୍ଡିତ ପାଖରେ ଏକ ଵା ଏକାଧିକ ସୁଗୁଣ ରହିଥାଏ, ମୂର୍ଖ ପାଖରେ କେଵଳ ଦୋଷ ହିଁ ଭରି ରହିଥାଏ। ତେଣୁ ହଜାରେ ମୂର୍ଖ ମଧ୍ୟରେ ଏକ ପ୍ରାଜ୍ଞ ଵ୍ୟକ୍ତି ଶ୍ରେଷ୍ଠ। ମୂର୍ଖଙ୍କର ମୁଖ୍ୟ ଲକ୍ଷଣ ହେଉଛି ଦୋଷପୂର୍ଣ୍ଣ ସ୍ୱଭାଵ ଯାହା ସେମାନଙ୍କୁ ଅନ୍ୟମାନଙ୍କଠାରୁ ସ୍ଵତଃ ନ୍ୟୂନ କରିଦିଏ। ଏକଥା ଚାଣକ୍ୟ ନୀତିରେ ଏମନ୍ତ ଭାବେ ଉଲ୍ଲେଖ ଅଛି:
ପାଣ୍ଡିତେ ଚ ଗୁଣାଃ ସର୍ଵେ ମୂର୍ଖେ ଦୋଷା ହି କେଵଳମ୍ ।
ତସ୍ମାନ୍ମୂର୍ଖସହସ୍ରେଷୁ ପ୍ରାଜ୍ଞା ଏକୋ ଵିଶିଷ୍ଯତେ ॥
ମୂର୍ଖଙ୍କର ବହୁଳତା କୌଣସି ଲାଭ ଦିଏ ନାହିଁ, ସେମାନେ ଅନ୍ଧକାର ପରି ଅନୁପଯୋଗୀ। ଏକଥାକୁ ଚାଣକ୍ୟ ନୀତିରେ ସ୍ପଷ୍ଟ ଭାବରେ ପ୍ରକାଶ କରି ଦିଆଯାଇଛି ।
“ଵରମେକୋ ଗୁଣୀ ପୁତ୍ରୋ ନ ଚ ମୂର୍ଖଶତାନ୍ଯପି ।
ଏକଶ୍ଚନ୍ଦ୍ରସ୍ତମୋ ହନ୍ତି ନ ଚ ତାରଗଣୋଽପିଚ ॥”
ଅର୍ଥାତ୍ ଏକ ଗୁଣଵାନ୍ ପୁତ୍ର ଶ୍ରେୟସ୍କର, ହଜାରେ ମୂର୍ଖ ପୁତ୍ର ନୁହେଁ। ଏକ ଚନ୍ଦ୍ର ଅନ୍ଧକାର ନାଶ କରେ, କିନ୍ତୁ ହଜାରେ ତାରା ନୁହେଁ।
ମୂର୍ଖଙ୍କର ମୌନ ହିଁ ସେମାନଙ୍କର ଶୋଭା ବଢ଼ାଏ କିନ୍ତୁ ତାଙ୍କ ମୁଖରୁ କଥା ସ୍ପୁରଣ ମାତ୍ରେ ସେମାନଙ୍କର ଅଜ୍ଞାନତା ପ୍ରକାଶ ପାଏ । ଚାଣକ୍ୟ ନୀତିରେ ଚାଣକ୍ୟ ଏକଥାକୁ ବଡ଼ ସୁନ୍ଦର ଭାବରେ ବୁଝାଇ ଲେଖିଛନ୍ତି।
“ଦୂରତଃ ଶୋଭତେ ମୂର୍ଖୋ ଲମ୍ବଶାଟପଟାଵୃତଃ ।
ତାଵଚ୍ଚ ଶୋଭତେ ମୂର୍ଖୋ ଯାଵତ୍କିଞ୍ଚିନ୍ନ ଭାଷତେ ॥”
ଅର୍ଥାତ୍ ଦୂରରୁ ମୂର୍ଖ ଵ୍ୟକ୍ତି ଭଲ ଵସ୍ତ୍ର ପରିଧାନ କରି ଶୋଭାମୟ ଦିଶେ, କିନ୍ତୁ ତାହାର ସେହି ଶୋଭା ସେ ପର୍ଯ୍ୟନ୍ତ ବଞ୍ଚି ରହେ ଯେ ପର୍ଯ୍ୟନ୍ତ ସେ କିଛି କଥାଭାଷା ହୁଏ ନାହିଁ । ଥରେ ମୁଖରୁ କିଛି ଵାକ୍ୟ ଉଚ୍ଚାରଣ ହୋଇଗଲେ ତାହାର ପ୍ରକୃତ ରୂପ ସମସ୍ତେ ଜାଣି ଯାଆନ୍ତି ।
ମୂର୍ଖଙ୍କର ମୁଖ୍ୟ ବଳ ହେଉଛି ମୌନତା, କାରଣ କଥା କହିଵା ଦ୍ଵାରା ସେମାନଙ୍କର ଅଜ୍ଞାନ ପ୍ରକାଶ ପାଏ। ଏକଥାକୁ ଚାଣକ୍ୟ ବୁଝାଇ ଲେଖିଛନ୍ତି:
ଦୁର୍ଵଳସ୍ଯ ଵଳଂ ରାଜା ଵାଳାନାଂ ରୋଦନଂ ଵଳମ୍ ।
ଵଳଂ ମୂର୍ଖସ୍ଯ ମୌନିତ୍ଵଂ ଚୌରାଣାମନୃତଂ ଵଳମ୍ ॥
ଅର୍ଥାତ୍ ଦୁର୍ଵଳର ବଳ ରାଜା, ବାଳକର ବଳ ରୋଦନ, ମୂର୍ଖର ବଳ ମୌନତା ଏଵଂ ଚୋରର ବଳ ମିଛ ଅଟେ । ମୂର୍ଖ ସର୍ଵଵିଧ ଶତ୍ରୁ ସଦୃଶ, କାରଣ ସେମାନଙ୍କର ଅଜ୍ଞାନତା ଵ୍ୟକ୍ତି ଓ ସମାଜ ସମସ୍ତଙ୍କ ପାଇଁ ଅନିଷ୍ଟକାରୀ। ଏହାକୁ ବୁଝାଇଵାକୁ ଯାଇ ଚାଣକ୍ୟ କହି ଯାଇଛନ୍ତି:
“ନାସ୍ତି ମୂର୍ଖସମଃ ଶତ୍ରୁର୍ନ ଚ ଜ୍ଞାନସମଂ ବଳମ୍।
ନ ଚ ସତ୍ଯସମୋ ଧର୍ମୋ ନ ଚ ତ୍ଯାଗସମଂ ସୁଖମ୍॥”
ଅର୍ଥାତ୍ ମୂର୍ଖ ପରି ଶତ୍ରୁ ନାହିଁ, ଜ୍ଞାନ ପରି ବଳ ନାହିଁ, ସତ୍ୟ ପରି ଧର୍ମ ନାହିଁ ଏଵଂ ତ୍ୟାଗ ପରି ସୁଖ ନାହିଁ।
ଦେଶିଆ ଢଗ ଓ ଚାଣକ୍ୟ ନୀତିରେ ଵର୍ଣ୍ଣିତ ଜ୍ଞାନୀ ଓ ମୂର୍ଖଙ୍କ ମଧ୍ୟରେ ଥିଵା ମୌଳିକ ପାର୍ଥକ୍ୟ ମାନଵ ସ୍ୱଭାଵ ଓ ଆଚରଣର ଏକ ଗଭୀର ଵିଶ୍ଳେଷଣ ପ୍ରଦାନ କରେ। ଜ୍ଞାନୀ ଵ୍ୟକ୍ତି ଜ୍ଞାନ, ଯୁକ୍ତି ଓ ଆତ୍ମ-ନିୟନ୍ତ୍ରଣ ମାଧ୍ୟମରେ ନିଜକୁ ଓ ସମାଜକୁ ଉନ୍ନତ କରିଥାଏ । ମୂର୍ଖ ଵ୍ୟକ୍ତି ଅଜ୍ଞାନତା, ଅହଙ୍କାର ଓ ଅନମନୀୟତା ହେତୁ ନିଜ ଓ ଅନ୍ୟମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥାଏ। ଦେଶିଆ ଢଗ ତଥା ଚାଣକ୍ୟ ନୀତିର ପ୍ରୋକ୍ତ ସମସ୍ତ ଶ୍ଳୋକଗୁଡ଼ିକରୁ ଆମକୁ ଏହି ଶିକ୍ଷା ମିଳେ ଯେ ଜ୍ଞାନ ହେଉଛି ଏକ ଶକ୍ତିଶାଳୀ ଉପକରଣ, ଯାହା ଜ୍ଞାନୀଙ୍କୁ ପଥ ପ୍ରଦର୍ଶନ କରେ, କିନ୍ତୁ ମୂର୍ଖଙ୍କ ପାଇଁ ଦଣ୍ଡ କିମ୍ବା ସାମାଜିକ ଚାପ ହିଁ ଆଚରଣ ସଂଶୋଧନର ଏକମାତ୍ର ଉପାୟ ହୋଇପାରେ। ଏହା ଆମକୁ ମୌନତାର ମହତ୍ତ୍ୱ ଓ ଜ୍ଞାନର ମୂଲ୍ୟ ବୁଝାଇଵା ସହିତ ମୂର୍ଖଙ୍କଠାରୁ ଦୂରେଇ ରହିଵାକୁ ପ୍ରେରଣା ଦେଇଥାଏ।
No comments:
Post a Comment