ଶବ୍ଦଟିଏ ନନୀ,ଝିଅ ପ୍ରତି ଏକ ସ୍ନେହ ଆଦାରର ସମ୍ବୋଧନ । ଓଡ଼ିଶାର ଦକ୍ଷିଣାଞ୍ଚଳ, ପଶ୍ଚିମାଞ୍ଚଳ ଓ ଉତ୍ତରାଞ୍ଚଳରେ ଏହି ଶବ୍ଦଟି ପ୍ରଚଳିତ। ଏଇ ସମ୍ବୋଧନଵାଚକ 'ନନୀ' ଶବ୍ଦର ଵ୍ୟୁତ୍ପତ୍ତିକୁ ନେଇ ନାନା ମତ ପ୍ରକାଶ ପାଇଛି । ଭିନ୍ନ ଭିନ୍ନ ଲୋକେ ନନୀ ଶବ୍ଦର ଉତ୍ପତ୍ତିକୁ ନେଇ ଵିଭିନ୍ନ ମତ ରଖିଛନ୍ତି ।
ପଶ୍ଚିମ ଓଡ଼ିଶାର କିଛି ଵିଦ୍ଵାନ ସେମାନଙ୍କ ଅଞ୍ଚଳରେ ହିନ୍ଦୀର ଵର୍ତ୍ତମାନର ପ୍ରଭାଵ ଅନୁଭଵ କରି ମତ ଦିଅନ୍ତି ଯେ ବହୁତ ସମ୍ଭଵ ନନୀ ଶବ୍ଦଟି ହିନ୍ଦୀ नन्ही ଶବ୍ଦର ପରିଵର୍ତ୍ତିତ ରୂପ ହୋଇଥାଇପାରେ। ହିନ୍ଦୀରେ ପ୍ରଚଳିତ नन्हा ଓ नन्ही ଶବ୍ଦ ପ୍ରାକୃତ ଭାଷାର लण्ह ତଥା ସଂସ୍କୃତ श्लक्ष्ण (ślakṣṇá) ଶବ୍ଦ ସହିତ ସମୋଦ୍ଧୃତ ଅଟେ । ଏହି ସଂସ୍କୃତ ତଥା ପ୍ରାକୃତ ଶବ୍ଦଦ୍ଵୟର ଅର୍ଥ ଥିଲା କୋମଳ ଵା ନରମ । ପରଵର୍ତ୍ତୀ କାଳରେ ଅପଭ୍ରଂଶ ଦେଇ ଏ ଶବ୍ଦ କ୍ରମଶଃ ଶିଶୁଙ୍କ ପାଇଁ ପ୍ରଚଳିତ ହେଵାକୁ ଲାଗିଲା। ବହୁତ ପରେ ହିନ୍ଦୀରେ ନନ୍ହା ଓ ନନ୍ହୀ ଶବ୍ଦ ଚଳିଲା ଯାହାର ଅର୍ଥ ଯଥାକ୍ରମେ ଛୋଟ ପୁଅ ଓ ଛୋଟ ଝିଅ ଥିଲା । କିନ୍ତୁ ହିନ୍ଦୀଭାଷୀ କେବେହେଲେ ବି ଏହାକୁ ପୁଅ ଝିଅଙ୍କୁ ସ୍ନେହ ସମ୍ବୋଧନ ପାଇଁ ଵ୍ୟଵହାର କରନ୍ତି ନାହିଁ। ଛୋଟ ଵୟସର ଵା କ୍ଷୁଦ୍ର ଆକାରକୁ ପ୍ରକାଶ କରିଵାକୁ ଏ ଶବ୍ଦ ଵ୍ୟଵହାର କରାଯାଏ । ହିନ୍ଦୀ ତଥା ଏହା ଦ୍ଵାରା ପ୍ରଭାଵିତ କୌଣସି ଭାଖାଶୈଳୀରେ ଏଭଳି ଵ୍ୟଵହାର ନାହିଁ । ହଁ ଯେମିତି ଓଡ଼ିଶାରେ କିଛି ପିଲାଙ୍କୁ ସାନ ନାଆଁ ଦିଆଯାଏ ଠିକ୍ ସେହିପରି ହିନ୍ଦୀଭାଷୀ କିଛି ପିଲାଙ୍କୁ नन्हें ନାମରେ ଡାକନ୍ତି କିନ୍ତୁ ଏ ଶବ୍ଦଗୁଡ଼ିକ କେବେହେଲେ ବି ହିନ୍ଦୀଭାଷାଭାଷୀ ଅଞ୍ଚଳରେ ସମ୍ବୋଧନଵାଚକ ଶବ୍ଦ ରୂପେ ପ୍ରଚଳିତ ହୋଇନାହିଁ। ହିନ୍ଦୀ ଭାଷାରୁ ଏ ଶବ୍ଦ ଆସି ସମ୍ବଲପୁରୀରେ ଚଳିଵାର ସମ୍ଭାଵନା ମଧ୍ୟ କମ୍ କାରଣ ଆଜି ଭଳି ଆଜକୁ ଦୁଇଶହ କିମ୍ବା ତିନିଶହ ଵର୍ଷ ତଳେ ହିନ୍ଦୀର ଏତେ ପ୍ରଭାଵ ନଥିଲା । ଵିଗତ କିଛି ଵର୍ଷ ମଧ୍ୟରେ ହିଁ ଦିଲ୍ ଲେକିନ୍ ଭଳି କିଛି ହିନ୍ଦୀ ଶବ୍ଦ ଆସି ସମ୍ବଲପୁରୀରେ ଚଳୁଅଛି ସିନା ସମ୍ବଲପୁରୀରେ ଅନେକ ପ୍ରାଚୀନ ଓଡ଼ିଆ ଶବ୍ଦ ଏବେବି ବଞ୍ଚି ରହିଛି ।
ଆଉ କିଛି ଲୋକ କୁହନ୍ତି ନନ୍ଦିନୀ ଶବ୍ଦରୁ କ୍ରମେ ନନ୍ନିନୀ ହୋଇ ପରେ ନନୀ ହୋଇଅଛି । ନନ୍ଦିନୀ ଶବ୍ଦଟି ସଂସ୍କୃତ ଭାଷାର ଶବ୍ଦ ଏଵଂ ଏହାର ମୂଳ ଅର୍ଥ ହେଉଛି ଆନନ୍ଦ ଦାୟିନୀ ଅଥଵା ସୁଖକରିଣୀ। ସଂସ୍କୃତରେ ନନ୍ଦ୍ ଧାତୁରୁ ନନ୍ଦିନୀ ଶବ୍ଦଟି ଗଠିତ ଯାହାର ଅର୍ଥ ନନ୍ଦନ କରୁଥିଵା ଅଥଵା ଆନନ୍ଦ ପ୍ରଦାନ କରୁଥିଵା ଅଟେ। ପ୍ରାଚୀନ ଭାରତୀୟ ସାହିତ୍ୟରେ ଏହି ଶବ୍ଦଟି ଵିଶେଷ ଭାବରେ କାମଧେନୁର କନ୍ୟା ସୁରଭିର ନାମ ରୂପେ ପ୍ରଯୁକ୍ତ ହୋଇଛି ଯାହାକୁ ମହାଭାରତ ଏଵଂ ପୁରାଣଗୁଡ଼ିକରେ ନନ୍ଦିନୀ ନାମରେ ଉଲ୍ଲେଖ କରାଯାଇଛି। ଏହା ଛଡ଼ା ଏହି ଶବ୍ଦଟି ସ୍ତ୍ରୀ ନାମ ରୂପେ ମଧ୍ୟ ବହୁଳ ଭାବରେ ଵ୍ୟଵହୃତ ହେଉଥିଲା ଏଵଂ ଆଜି ମଧ୍ୟ ହିନ୍ଦୀ ଓ ଅନ୍ୟାନ୍ୟ ଭାରତୀୟ ଭାଷାମାନଙ୍କରେ ନନ୍ଦିନୀ ନାମଟି ଅପରିଵର୍ତ୍ତିତ ରୂପରେ ରହିଛି।
କିନ୍ତୁ ନନ୍ଦିନୀରୁ ନନ୍ନିନୀ ହୋଇ ପରେ ନନୀ ହୋଇଥିଵାର ମତଟି ଭାଷାଵିଜ୍ଞାନ ଦୃଷ୍ଟିରୁ ଅତି ଦୁର୍ଵଳ ଏବଂ ଅଯୌକ୍ତିକ। ପ୍ରଥମତଃ ନନ୍ଦିନୀ ଶବ୍ଦଟି କେବେ ହେଲେ ବି ପ୍ରାଚୀନ ପ୍ରାକୃତ ଭାଷାଗୁଡ଼ିକରେ ଯେପରି ମାଗଧୀ ଅର୍ଦ୍ଧମାଗଧୀ ପୈଶାଚୀ ଆଦିରେ କୌଣସି ସ୍ୱାଭାଵିକ ଧ୍ୱନିଗତ ପରିଵର୍ତ୍ତନ ଦେଇ ନନୀ ଵା ଅନ୍ୟ କୌଣସି ରୂପେ ପ୍ରଚଳିତ ହୋଇନାହିଁ। ପ୍ରାକୃତ ଭାଷାଗୁଡ଼ିକରେ ସଂସ୍କୃତ ଶବ୍ଦଗୁଡ଼ିକ ସାଧାରଣତଃ ଧ୍ୱନିଗତ ସରଳୀକରଣ ଯେପରି ଦୀର୍ଘ ସ୍ୱରର ହ୍ରସ୍ୱୀକରଣ ତଥା ଵ୍ୟଞ୍ଜନ ସମୂହର ସରଳୀକରଣ ଆଦି ଦେଇ ପରିଵର୍ତ୍ତିତ ହୋଇଥାଏ। କିନ୍ତୁ ନନ୍ଦିନୀ ଶବ୍ଦଟି ଏହି ପ୍ରକ୍ରିୟାରେ କେବେ ହେଲେ ବି ଆନରୂପ ନେଇ ନାହିଁ। ଉଦାହରଣ ସ୍ୱରୂପ ସଂସ୍କୃତର ରାଜପୁତ୍ର ପ୍ରାକୃତରେ ରାୟପୁତ୍ତ ହୋଇ ପରେ ରାଜପୁତ୍ ହୋଇଛି କିନ୍ତୁ ନନ୍ଦିନୀର କୌଣସି ପ୍ରାକୃତ ରୂପ ନନୀ କିମ୍ବା ନାନୀ ନୁହେଁ। ଦ୍ୱିତୀୟତଃ ନନ୍ଦିନୀ ଶବ୍ଦଟି ପ୍ରାଚୀନ କାଳରେ ମୁଖ୍ୟତଃ ଲିଖିତ ସାହିତ୍ୟ ପୁରାଣ ଏବଂ ନାମକରଣରେ ଵ୍ୟଵହୃତ ହେଉଥିଲା। ଏହା କଥିତ ଭାଷାର ସାଧାରଣ ଶବ୍ଦ ନଥିଲା। ପ୍ରାଚୀନ ଭାରତରେ ସଂସ୍କୃତ ଥିଲା ପଣ୍ଡିତ ଓ ଧାର୍ମିକ ଗ୍ରନ୍ଥର ଭାଷା ଏବଂ ପ୍ରାକୃତ ଥିଲା ସାଧାରଣ ଲୋକଙ୍କ କଥିତ ଭାଷା। ନନ୍ଦିନୀ ଯେହେତୁ ଏକ ଵିଶେଷ୍ୟ ନାମ ଏଵଂ ତାତ୍ପର୍ଯ୍ୟପୂର୍ଣ୍ଣ ଶବ୍ଦ ତେଣୁ ଏହା କଥିତ ଭାଷାରେ ସାଧାରଣ ସମ୍ବୋଧନ ରୂପେ ପରିଣତ ହେଵାର କୌଣସି ଐତିହାସିକ ପ୍ରମାଣ ନାହିଁ। ଯଦି ଏହା କଥିତ ଭାଷାରେ ପ୍ରଚଳିତ ହୋଇଥାନ୍ତା ତେବେ ଅନ୍ୟ ଭାରତୀୟ ଭାଷାଗୁଡ଼ିକରେ ମଧ୍ୟ ଏହାର କିଛି ପରିଵର୍ତ୍ତିତ ରୂପ ଦେଖାଯିଵା ଉଚିତ୍ କିନ୍ତୁ ଏପରି କିଛି ଶବ୍ଦ ମିଳେ ନାହିଁ। ହିନ୍ଦୀଭାଷାରେ ମାତାମହୀଙ୍କୁ ନାନୀ ସମ୍ବୋଧନ କରାଯାଏ କିନ୍ତୁ ଏହା ନନ୍ଦିନୀରୁ ଉତ୍ପନ୍ନ ହୋଇନାହିଁ ଵରଂ ଏହା ପ୍ରାଚୀନ ପ୍ରାକୃତ णण्ण (ṇaṇṇa) ତଥା ପ୍ରାଚୀନ ଆର୍ଯ୍ୟଭାଷାର *𑀦𑀸𑀦𑁆𑀦 (*nānna) ମୂଳର ଏଵଂ ଏ ଶବ୍ଦଗୁଡ଼ିକ ଅତି ପ୍ରାଚୀନ କାଳରେ ମୂଳତଃ Child babbling ଯୋଗୁଁ ସୃଷ୍ଟି ହୋଇଥିଲା।
ତୃତୀୟତଃ ନନ୍ଦିନୀ ଶବ୍ଦଟି କେବେ ହେଲେ ବି ସମ୍ବୋଧନଵାଚକ ନୁହେଁ। ଏହା ଏକ ଵିଶେଷ୍ୟ ଯାହାର ଅର୍ଥ ଆନନ୍ଦଦାୟିନୀ କିମ୍ବା ନିର୍ଦ୍ଦିଷ୍ଟ ଅଲୌକିକ ଗୋରୁର ନାମ। ସମ୍ବୋଧନଵାଚକ ଶବ୍ଦଗୁଡ଼ିକ ସାଧାରଣତଃ ପରିଵାର ସମ୍ପର୍କ ସହିତ ଜଡ଼ିତ ହୋଇଥାଏ ଯେପରି ମା ବାପା ଭାଇ ଵୋହୂ ନାନୀ ଆଦି ଏଵଂ ଏସବୁ ଶବ୍ଦ ବହୁ ପ୍ରାଚୀନ ତଥା ହଜାର ହଜାର ଵର୍ଷ ଧରି ଗୋଟିଏ ସମାଜ ମଧ୍ୟରେ ପ୍ରଚଳିତ ହୋଇ ରହିଥାଏ । ନନ୍ଦିନୀ ଶବ୍ଦଟି ଏପରି କୌଣସି ସମ୍ପର୍କକୁ ସୂଚିତ କରେ ନାହିଁ ଯଦିଓ ଏହା ଏକ ସାହିତ୍ୟିକ ଶବ୍ଦ ଏଵଂ ସାହିତ୍ୟରେ ଏହାର "କନ୍ୟା" ଅର୍ଥରେ ପ୍ରୟୋଗ ହୋଇଛି। କିନ୍ତୁ ଏ ଶବ୍ଦ କେବେ ହେଲେ ବି ସମ୍ବୋଧନଵାଚକ ଶବ୍ଦ ହୋଇ ପ୍ରଚଳିତ ହୋଇଥିଵାର ପ୍ରମାଣ ମିଳେ ନାହିଁ। ଭାଷାରେ ଶବ୍ଦର ଵିକାଶ ସର୍ଵଦା ଅର୍ଥଗତ ଓ ଵ୍ୟଵହାରଗତ ଯୌକ୍ତିକତା ଉପରେ ନିର୍ଭର କରିଥାଏ। ଅତଏଵ ନନ୍ଦିନୀରୁ ନନୀ ହୋଇଛି ବୋଲି ଯେଉଁ ଯୁକ୍ତି ଦିଆଯାଏ ତାହା ଧ୍ୱନିଗତ ଭାବରେ ଅସମ୍ଭଵ, ଐତିହାସିକ ଭାବରେ ଅପ୍ରମାଣିତ ଏଵଂ ଅର୍ଥଗତ ଭାବରେ ଅଯୌକ୍ତିକ।
Sir. Ralph Lilly Turnerଙ୍କ ଵ୍ୟୁତ୍ପତ୍ତିକୋଷ “A comparative dictionary of Indo-Aryan languages”ର ୩୯୮ତମ ପୃଷ୍ଠାରେ ଉଲ୍ଲେଖ ଅଛି ଯେ "ନଜାନତ" ଯାହାର ଆକ୍ଷରିକ ଅର୍ଥ "ଅଜ୍ଞାନ" ଏଥିରୁ ଭାରତର ପଶ୍ଚିମ ଭାଗରେ ଅନେକ ଭାଷାରେ ନନୀ ଶବ୍ଦ ସହିତ ସାମଞ୍ଜସ୍ୟ ଥିଵା ଅନେକ ଶବ୍ଦ ସୃଷ୍ଟି ହୋଇଛି । ଉଦାହରଣ ସ୍ୱରୂପ
ସିନ୍ଧୀ ଭାଷାରେ ଏ ନଜାନତ ଶବ୍ଦରୁ niāṇo ଶବ୍ଦ ସୃଷ୍ଟି ହୋଇଛି ଯାହାର ଅର୍ଥ ଯ୍ବାଇଁ ଅଟେ । ସେହିପରି ଏ ଭାଷାରେ niāṇīର ଅର୍ଥ ଝିଅ ଵା କନ୍ୟା ଅଟଇ । ଲୁଧିଆନ୍ଵୀରେ ଏହି ଶବ୍ଦରୁ niāṇī˜ ଶବ୍ଦ ସୃଷ୍ଟି ହୋଇଛି ଏଵଂ ଭଉଣୀ ଵା ନାନୀର ଝିଅ ପ୍ରତି ପ୍ରୟୋଗ କରାଯାଏ । ପଞ୍ଜାବୀ ଭାଷାରେ ଏହି ଶବ୍ଦମୂଳରୁ niāṇā ଓ niānā̃ ଭଳି ଶବ୍ଦ ସୃଷ୍ଟି ହୋଇଛି ତଥା ସାନ,ନାବାଳକ ଓ ଯୁଵା ଆଦି ଅର୍ଥରେ ଵ୍ୟଵହୃତ ହେଉଅଛି । କେହି କେହି ମୂଳ ଅଜାନତ ଶବ୍ଦରୁ ସମ୍ବଲପୁରୀ ନନୀ ଶବ୍ଦ ସୃଷ୍ଟି ହୋଇପାରେ ବୋଲି ଅନୁମାନ କରିପାରନ୍ତି ତେବେ ଏହାର ସମ୍ଭାଵନା ଅଳ୍ପ । ଉଲ୍ଲେଖଯୋଗ୍ୟ ଯେ ଓଡ଼ିଆ ଭାଷାରେ ମଧ୍ୟ ଏହି 'ନଜାନତ' ପରି ଏକ ଶବ୍ଦ ଏବେବି ଚଳୁଅଛି ଏଵଂ ତାହା 'ଅଜାଣତ' ଅଟେ ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି ଯେ ଓଡ଼ିଶାର କେତେକ ଅଞ୍ଚଳରେ ଲହୁଣୀକୁ ମଧ୍ୟ ନନୀ କୁହାଯାଏ ଯାହା ଲବଣୀ ଵା ଲହୁଣୀ ପରି ସଂସ୍କୃତ ନଵନୀତ ସହିତ ସମୋଦ୍ଧୃତ । କେହି କେହି ଅନୁମାନ କରନ୍ତି ଯେ ହୁଏତ ଝିଅକୁ ଲଵଣୀ ପରି ଵା ନଵନୀତ ପରି କୋମଳ ଜ୍ଞାନ କରି ଲୋକେ ତାକୁ ନନୀ ଡାକିଥିବେ ଯାହା ପରେ ଏକ ସମ୍ବୋଧନଵାଚକ ଶବ୍ଦ ହୋଇଯାଇଥିଵ ତେବେ ଏହାର କୌଣସି ପ୍ରମାଣ ମିଳେ ନାହିଁ କି ମିଳିଵାର ସମ୍ଭାଵନା ମଧ୍ୟ ନାହିଁ। ପୂର୍ଵରୁ ଆଲୋଚିତ ହୋଇଛି ଯେ ସମ୍ବୋଧନଵାଚକ ଶବ୍ଦଗୁଡ଼ିକ ବହୁତ ପ୍ରାଚୀନ ଏଵଂ ନୂଆ ସମ୍ବୋଧନଵାଚକ ଶବ୍ଦ କ୍ଵଚିତ ଏହିପରି ଆଧୁନିକ କାଳର ଶବ୍ଦରୁ ସୃଷ୍ଟି ହୋଇ ବହୁପ୍ରଚଳିତ ହୋଇପାରେ।
ତେବେ ଆଉ ଏକ ଶବ୍ଦ ଅଛି ଯହିଁରୁ ଏହି ନନୀ ଶବ୍ଦର ଉତ୍ପତ୍ତି ହୋଇଥିଵାର ସମ୍ଭାଵନା ସର୍ଵାଧିକ ଏଵଂ ସେହି ଶବ୍ଦଟି 'ନନା' ଅଟେ । କିନ୍ତୁ ଏହା କେମିତି ସମ୍ଭଵ ଜାଣିଵାକୁ ହେଲେ ଆମକୁ ପ୍ରଥମେ ନନା ଶବ୍ଦ ସହିତ ପରିଚିତ ହେଵାକୁ ପଡ଼ିଵ ।
ଇଣ୍ଡିକ୍ ଭାଷାପରିବାରର ଅନେକ ଭାଷାରେ ପାରିଵାରିକ ସମ୍ପର୍କ ବୁଝାଇବା ପାଇଁ ଵ୍ୟଵହୃତ ହେଉଥିବା ଶବ୍ଦଗୁଡ଼ିକ ମଧ୍ୟରୁ ଅତ୍ୟନ୍ତ ପୁରାତନ ଓ ଵ୍ୟାପକ 'nānna' ଶବ୍ଦ ଅଟେ । ପ୍ରାଚୀନ କାଳରେ ଏହି ଶବ୍ଦଟି ସାଧାରଣତଃ ବଡ଼ ଆତ୍ମୀୟଙ୍କ ପ୍ରତି ସମ୍ମାନସୂଚକ ସମ୍ବୋଧନ ଭାବରେ ଵ୍ୟଵହୃତ ହେଉଥିଲା ଏଵଂ ପ୍ରାଚୀନ ଭାରତୀୟ ଗ୍ରନ୍ଥ ଋଗ୍ବେଦରେ ନାନାଁ (nanā̃) ରୂପରେ ମାତା ଅର୍ଥରେ ଏହାର ଵ୍ୟଵହାର ଦେଖାଯାଏ ।
ଏହାର ବ୍ୟୁତ୍ପତ୍ତିଗତ ମୂଳ ଅତ୍ୟନ୍ତ ଆକର୍ଷଣୀୟ କାରଣ ଏହା ପ୍ରୋଟୋ-ଇଣ୍ଡୋ-ଇଉରୋପୀୟ (Proto-Indo-European) ଭାଷାର *nan(n)-eh₂- ରୁ ଉତ୍ପନ୍ନ ହୋଇଛି ଯାହାର ଅର୍ଥ ମାତା କିମ୍ବା ବଡ଼ ମହିଳା ଆତ୍ମୀୟା ଥିଲା । ଏହି ମୂଳଧାତୁଟି ଶିଶୁମାନଙ୍କର ପ୍ରାକୃତିକ ବୋଲି (baby-talk) ର ଅନୁକରଣରୁ ସୃଷ୍ଟି ହୋଇଥିଵା ଏକ ଅନୁକାରୀ (imitative) ଶବ୍ଦ ଅଟେ । ଶିଶୁମାନେ ପ୍ରଥମେ ଯେଉଁ ସରଳ ଧ୍ୱନିଗୁଡ଼ିକ ଉଚ୍ଚାରଣ କରନ୍ତି ସେଥିରୁ ନା-ନା ଭଳି ଧ୍ୱନି ମାତା କିମ୍ବା ଯତ୍ନକାରିଣୀଙ୍କୁ ସମ୍ବୋଧନ କରିଵା ପାଇଁ ବ
ଵ୍ୟଵହାର ହେଉଥିଲା ଏଵଂ ଏହା ଵିଭିନ୍ନ ଇଣ୍ଡୋ-ଇଉରୋପୀୟ ଭାଷାପରିବାରର ଶାଖାଗୁଡ଼ିକରେ ପ୍ରଵେଶ କରିଛି । ଉଦାହରଣସ୍ୱରୂପ ଆଲବାନିଆନ୍ ଭାଷାରେ nënë ଶବ୍ଦଟି ମାତା ଅର୍ଥରେ ରହିଛି ଏଵଂ ଶୁଘ୍ନି ଭାଷାରେ на̄н (nān) ମଧ୍ୟ ମାତାକୁ ବୁଝାଏ । ସର୍ବୋ-କ୍ରୋଏସିଆନ୍ ଭାଷାରେ nána ମାତା ଅର୍ଥରେ ଵ୍ୟଵହୃତ ହୁଏ ସେହିପରି ଇଂରାଜୀର nanny ଶବ୍ଦଟି ଯତ୍ନକାରିଣୀ ଧାତ୍ରୀ ଅର୍ଥରେ ଚଳୁଅଛି । ପ୍ରାଚୀନ ଗ୍ରୀକ୍ ଭାଷାରେ νίννη (nínnē) ଓ νάννη (nánnē) ଶବ୍ଦଗୁଡ଼ିକ ସମାନ ଅର୍ଥ ଵହନ କରୁଥିଲା । ମେସାପିକ୍ ଭାଷାରେ ana ଓୟେଲ୍ସ୍ ଭାଷାରେ nain ପର୍ସିଆନ୍ ଭାଷାରେ ننه (nane) ଇଉକ୍ରେନିଆନ୍ ଭାଷାରେ неня (nenja) ଏଵଂ ରୁସିଆନ୍ ଭାଷାରେ няня (njanja) ଇତ୍ୟାଦି ଶବ୍ଦଗୁଡ଼ିକ *nan(n)-eh₂- ମୂଳଧାତୁରୁ ଉତ୍ପନ୍ନ ହୋଇଛନ୍ତି ଯାହା ଦର୍ଶାଏ ଯେ ଏହି ଧ୍ୱନିଗତ ରୂପଟି ମାନବ ସଭ୍ୟତାର ଅତି ପ୍ରାଚୀନ ସାଧାରଣ ଅନୁଭବର ଫଳ ।
ମୂଳ ଭାରୋପୀୟ ଶବ୍ଦ *nan(n)-eh₂- କାଳକ୍ରମେ ଭାରତଵର୍ଷରେ *nānna ରୂପେ ପ୍ରଚଳିତ ହେଲା ଏଵଂ ଇଣ୍ଡୋ-ଆର୍ଯ୍ୟ ଭାଷାଗୋଷ୍ଠୀର ଵିଭିନ୍ନ ସ୍ତରରେ ରୂପାନ୍ତରିତ ହୋଇ ଵିଭିନ୍ନ ପାରିଵାରିକ ସମ୍ପର୍କକୁ ବୁଝାଇଵା ପାଇଁ ଵ୍ୟଵହୃତ ହେଲା । ପ୍ରାକୃତ ଭାଷାରେ ଏହା ṇaṇṇa- ରୂପ ନେଇ ବଡ଼ ଭାଇ ଅର୍ଥରେ ପରିଣତ ହେଲା ଯାହା ଦର୍ଶାଏ ଯେ ସମ୍ମାନସୂଚକ ସମ୍ବୋଧନରୁ ଏହା ନିର୍ଦ୍ଦିଷ୍ଟ ଆତ୍ମୀୟତା ଅର୍ଥ ଗ୍ରହଣ କଲା । ଡ଼ୁମାକି ଭାଷାରେ nΛna ଜେଜେମାଆ ଅର୍ଥରେ ରହିଛି ଯାହା ମାତୃପକ୍ଷୀୟ ବଡ଼ ମହିଳା ଆତ୍ମୀୟଙ୍କୁ ସୂଚିତ କରୁଛି । ଆଶ୍କୁନ୍ ଭାଷାରେ nänī́ ପିତୃପକ୍ଷୀୟ ଭଉଣୀ ଅର୍ଥରେ ଵ୍ୟଵହୃତ ହେଉଛି ଏଵଂ କାତେ̈ ଭାଷାରେ nanī́ ବା nū̃ ମାତୃପକ୍ଷୀୟ ଭଉଣୀକୁ ବୁଝାଏ । ପ୍ରାସୁନ୍ ଭାଷାରେ nan ଵା nän ମାତା କିମ୍ବା ଶାଶୁ ଅର୍ଥରେ ରହିଛି । ଡାମେଲି ଭାଷାରେ nan ମାତୃପକ୍ଷୀୟ ଭଉଣୀକୁ ସୂଚିତ କରୁଛି । ଏହି ସବୁ ଉଦାହରଣରୁ ଦେଖାଯାଏ ଯେ ଦାର୍ଦିକ୍ ଓ ନୂରିସ୍ତାନି ଭଳି ଉତ୍ତର-ପଶ୍ଚିମ ଇଣ୍ଡୋ-ଆର୍ଯ୍ୟ ଶାଖାଗୁଡ଼ିକରେ ଏହି ଶବ୍ଦଟି ମୁଖ୍ୟତଃ ମହିଳା ଆତ୍ମୀୟଙ୍କ ପାଇଁ ଵ୍ୟଵହୃତ ହେଉଥିଲା ଏଵଂ ପ୍ରାୟଶଃ ମାତୃପକ୍ଷୀୟ ସମ୍ପର୍କକୁ ଗୁରୁତ୍ୱ ଦେଉଥିଲା ।
କାଶ୍ମୀରୀ ଭାଷାରେ nāñ ପିତା କିମ୍ବା ମାତାଙ୍କ ମାତା ଅର୍ଥାତ୍ ଠାକୁରମା ଅର୍ଥରେ ଵ୍ୟଵହୃତ ହେଉଛି ଯାହା ପୂର୍ଵଵର୍ତ୍ତୀ ଉଦାହରଣଗୁଡ଼ିକ ସହ ସମାନତା ଦର୍ଶାଏ । ସିନ୍ଧୀ ଭାଷାରେ nāno ମାତୃପକ୍ଷୀୟ ମାତାମହ ଵା ଅଜା ଅର୍ଥରେ nānī, ମାତାମହୀ ଅର୍ଥରେ ଏଵଂ nānāṇo ମାତୃପକ୍ଷୀୟ ପରିବାର ସହ ସମ୍ବନ୍ଧିତ ଅର୍ଥରେ ରହିଛି । ଲାହନ୍ଦା ଓ ପଞ୍ଜାବୀ ଭାଷାରେ nānā ମାତୃପକ୍ଷୀୟ ମାତମହ ଅର୍ଥରେ ଏଵଂ nānī ମାତାମହୀ ଅର୍ଥରେ ଵ୍ୟଵହୃତ ହେଉଛି । ନେପାଳୀ ଭାଷାରେ nāni ଶିଶୁ କିମ୍ବା କନିଷ୍ଠ ମହିଳାଙ୍କୁ ସମ୍ବୋଧନ କରିଵାର ଶବ୍ଦ ହୋଇଛି ଯାହା ଏହି ଧାତୁର ସ୍ନେହସୂଚକ ରୂପକୁ ଦର୍ଶାଏ । ବଙ୍ଗଳା ଭାଷାରେ nānā ଅଜା ଏବଂ nāni ଆଈଙ୍କୁ ସମ୍ବୋଧନ କରିଵା ପାଇଁ ଵ୍ୟଵହୃତ ହେଉଛି । ହିନ୍ଦୀ ଭାଷାରେ nānā ମାତାମହ ଏବଂ nānī ମାତାମହୀ ଅର୍ଥରେ ସମ୍ବୋଧନ କରାଯିଵା ସୁପରିଚିତ । ଏହି ସବୁ ଉଦାହରଣରୁ ସ୍ପଷ୍ଟ ହେଉଛି ଯେ ମଧ୍ୟ ଏବଂ ପଶ୍ଚିମ ଇଣ୍ଡୋ-ଆର୍ଯ୍ୟ ଭାଷାଗୁଡ଼ିକରେ ଏହି ଶବ୍ଦଟି ମୁଖ୍ୟତଃ ଅଜା ଓ ଆଈଙ୍କୁ ସମ୍ବୋଧନ କରିଵା ପାଇଁ ଵ୍ୟଵହୃତ ହୋଇଛି ଯାହା ଭାରତୀୟ ଉପମହାଦେଶର ପାରିଵାରିକ ସଂସ୍କୃତିରେ ମାତୃପକ୍ଷୀୟ ଆତ୍ମୀୟଙ୍କ ପ୍ରତି ଵିଶେଷ ସ୍ନେହ ଓ ସମ୍ମାନକୁ ପ୍ରତିଫଳିତ କରୁଛି ।
ତେବେ ମୂଳ ଆର୍ଯ୍ୟ ସମ୍ବୋଧନ ଵାଚକ ଶବ୍ଦ *nānna ଯଦି କୌଣସି ଭାଷାରେ ସର୍ଵାଧିକ ଵିଵର୍ତ୍ତିତ ହୋଇଥାଏ ସେହି ଭାଷାଟି ଓଡ଼ିଆ ଭାଷା ଅଟେ । ଆମ ଭାଷାରେ ଜ୍ୟେଷ୍ଠଭ୍ରାତା ଵାଷ ବଡ଼ଭାଇଙ୍କୁ କେହି କେହି ଭାଇନନା,ଭାଇନା ଓ ନନା ସମ୍ବୋଧନ କରିଥାନ୍ତି । ଗଞ୍ଜାମର କଵି କୃଷ୍ଣସିଂହଙ୍କ କୃଷ୍ଣ ମହାଭାରତର ଵନପର୍ଵରେ ଜ୍ୟେଷ୍ଠଭ୍ରାତା ଅର୍ଥରେ ନନା ଶବ୍ଦ ପ୍ରୟୋଗ ହୋଇଛି।
“ଡାକିଵାରୁ ସିନା ଯେ ଯୁଧିଷ୍ଠିର ନନା
ହାରିଲେ ଖେଳେ ଭାଇ ତୁଲେ ପ୍ରିୟାଙ୍ଗନା।”
ଜ୍ୟେଷ୍ଠଭ୍ରାତାଙ୍କ ପ୍ରତି ଏହି ନନା ସମ୍ବୋଧନ ବ୍ରାହ୍ମଣ ପରିଵାରରେ ଅଧିକ ଦେଖାଯାଏ ତେବେ ଅନ୍ୟାନ୍ୟ ଜାତିରେ ମଧ୍ୟ ଊଣାଅଧିକେ ଏହାର ପ୍ରଚଳନ ରହିଛି । ଆଗେ ସବୁ ଜାତିର ଲୋକଙ୍କୁ ନନା ସମ୍ବୋଧନ କରାଯାଉଥିଲା । ସେଥିପାଇଁ ଦୀନକୃଷ୍ଣ ଦାସଙ୍କ ନାଵକେଳିରେ କେଉଟ ଵ୍ୟକ୍ତିଙ୍କୁ ନନା ସମ୍ବୋଧନ କରାଯାଇଛି।
“ପଣେ ପଣେ ଦେଲେ ଅଣ୍ଟଇ ସିନା ।
କାହିଁକି ଭାବୁଛ କେଉଟ ନନା ।”
ଏହିପରି ଭାବେ କଵି ଅଚ୍ୟୁତାନନ୍ଦ ଦାସଙ୍କ ହରିଵଂଶ ତୃତୀୟ ଖଣ୍ଡରେ ମଧ୍ୟ କେଉଟଙ୍କୁ ନନା ସମ୍ବୋଧନ କରି ପଦ ରହିଛି।
“ଗୋପୀଏ ବୋଇଲେ ଶୁଣ କଇବର୍ତ୍ତ ନନା
ଦୁଇଜଣ ଲେଖା ପାରି କରିଦିଅ କିନା ।”
କେଵଳ ମନୁଷ୍ୟ ହିଁ ନୁହନ୍ତି ବିଲୁଆ ଭଳି ହିଂସ୍ର ଜୀଵଙ୍କୁ ମଧ୍ୟ ବଡ଼ଭାଇ ଵିଚାର କରି ନନା ସମ୍ବୋଧନ କରୁଥିଵା ବୋଧହୁଏ ଏକମାତ୍ର ଭାରତୀୟ ଜାତି ଏହି ଓଡ଼ିଆ ଜାତି ଅଟଇ । କଥାପ୍ରସଙ୍ଗରେ ଯାହାକୁ ବଡ଼ଭାଇ ବୋଲି ସମ୍ବୋଧନ କରାଯାଏ ସିଏ ଏଇ ଧରଣର ନନା ଅଟନ୍ତି ।
“ହଉଛି, ଖରା ହଉଛି, ବିଲୁଆ ନନା ବାହା ହଉଛି।”
(ନାନାବାୟା ଲୋକଗୀତ)
“ବିଲୁଆନନା ଘର ପୋଡ଼ିଗଲା ପଛକୁ ଅନା।”
(ନାନାବାୟା ଲୋକଗୀତ)
ଓଡ଼ିଶାରେ ପୁଣି ବ୍ରାହ୍ମଣଙ୍କ ପ୍ରତି ବ୍ରାହ୍ମଣେତର ଜାତିର ସାଧାରଣ ସମ୍ବୋଧନ ଭାବେ ନନା ଶବ୍ଦ ପ୍ରୟୋଗ କରାଯାଏ । ପୁରୀ ଜିଲ୍ଲାରେ ତଥା ଅନ୍ୟାନ୍ୟ କେତେକ ଅଞ୍ଚଳର ବ୍ରାହ୍ମଣ ଶାସନରେ ପିତା ଵା ବାପାଙ୍କୁ ବ୍ରାହ୍ମଣ ପରିଵାରରେ ନନା ସମ୍ବୋଧନ କରାଯାଏ । ଗଞ୍ଜାମକୁ ଲାଗିଥିଵା ଶ୍ରୀକାକୁଲମର ଓଡ଼ିଆ ବ୍ରାହ୍ମଣ ତଥା ତେଲୁଗୁ ବ୍ରାହ୍ମଣ ପରିଵାରରେ ସୁଦ୍ଧା ଏଭଳି ସମ୍ବୋଧନ ଆଗେ ଥିଵାର ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ । ଭାଷାକୋଷ ଅନୁସାରେ ତେଲୁଗୁ ବ୍ରାହ୍ମଣମାନେ ନିଜ ପିତାଙ୍କୁ ନାଇନା ସମ୍ବୋଧନ କରୁଥିଲେ ।
ତେଲୁଗୁ ଓ ଓଡ଼ିଆ ଅଞ୍ଚଳରେ ଵିଶେଷକରି ଦ୍ରାଵିଡ଼ ଜନଜାତିଗୁଡ଼ିକରେ ଆଗେ ପିଉସୀଙ୍କୁ ନନା ସମ୍ବୋଧନ କରୁଥିଲେ ବୋଲି ମଧ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି । ସମ୍ବଲପୁରର ଉଲ୍ଲେଖ ସହିତ ଭାଷାକୋଷରେ କୁହାଯାଇଛି ଯେ ଆଗେ ଏହି ଗଡ଼ଜାତରେ କିଛି ଲୋକ ପିଉସୀଙ୍କୁ ନନା ସମ୍ବୋଧନ କରୁଥିଲେ ।
ପୁଣି ଆଗେ କେତେକ ଅଞ୍ଚଳରେ ଗୃହକର୍ତ୍ତାଙ୍କୁ ବି ନନା ସମ୍ବୋଧନ କରୁଥିଲେ । ଓଡ଼ିଆ ଢଗରେ ଏହି ଅର୍ଥରେ ନନା ଶବ୍ଦ ପ୍ରୟୋଗ ହୋଇଛି।
“ନନାଙ୍କର ପାଠେ ତ ନାନୀଙ୍କର ପାଠେ।”
ଓଡ଼ିଶାରେ ପୁଣି ସାଧାରଣ ବ୍ରାହ୍ମଣଙ୍କ ପ୍ରତି ସମ୍ବୋଧନ
ନନା ଓ ନନା ଗୋସାଇଁ ସମ୍ବୋଧନ ଦେଖାଯାଏ ।
ନନା ଶବ୍ଦର ଆଉ ଏକ ରୂପ ଅଟଇ । ଉତ୍ତର ଭାରତରେ ତଥା ହିନ୍ଦୀଭାଷୀ ଅଞ୍ଚଳ ସହିତ ସଂଯୁକ୍ତ ଉତ୍ତର ଓଡ଼ିଆ ଵିଚ୍ଛିନ୍ନାଞ୍ଚଳରେ ଅଜାଙ୍କୁ ନନା ସମ୍ବୋଧନ କରୁଥିଲେ ବୋଲି ଭାଷାକୋଷରେ ଉଲ୍ଲେଖ ଅଛି । କେତେକ ଅଞ୍ଚଳରେ ବଡ଼ ଭଉଣୀଙ୍କୁ ନାନା ସମ୍ବୋଧନ କରାଯାଏ । କେତେକ ଅଞ୍ଚଳରେ ଆଈଙ୍କୁ ମଧ୍ୟ ନାନା ସମ୍ବୋଧନ କରାଯାଏ । ସିଂହଭୂମ ଵିଚ୍ଛିନ୍ନାଞ୍ଚଳରେ ଆଗେ ବ୍ରାହ୍ମଣମାନଙ୍କ ଦ୍ବାରା ବଡ଼ ଭାଇଙ୍କୁ ନନା ସମ୍ବୋଧନ କରାଯାଉଥିଲା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି ।
ନନା ଶବ୍ଦର ସ୍ତ୍ରୀଵାଚକ ରୂପ ନାନୀ ।ହିନ୍ଦୀଭାଷୀ ନିଜ ଆଈ ଵା ମାତାମହୀଙ୍କୁ नानी ସମ୍ବୋଧନ କରନ୍ତି । ଓଡ଼ିଶାରେ କିନ୍ତୁ ବଡ ଭଉଣୀଙ୍କୁ ନାନୀ ସମ୍ବୋଧନ କରାଯାଏ । ପିଉସୀ ଵା ପିତୃସ୍ପସାଙ୍କୁ ମଧ୍ୟ ଓଡ଼ିଶାରେ ନାନୀ ସମ୍ବୋଧନ କରାଯାଏ । ସେହିପରି ଗୃହସ୍ୱାମିନୀ ଵା Housewiveଙ୍କୁ ଵ୍ୟଙ୍ଗ୍ୟାତ୍ମକ ଢଙ୍ଗରେ ନାନୀ ସମ୍ବୋଧନ କରାଯାଉଥିଲା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି ।
“ନନାଙ୍କର ବାଟେ ତ ନାନୀଙ୍କର ବାଟେ।” ଢଗରେ ଏହାର ପ୍ରୟୋଗ ରହିଛି ପୁଣି “ବିଲୁଆ ନନାରେ ବିଲୁଆ ନନା! ନାନୀ ପିନ୍ଧିଅଛି ତୋ ଚିରାକନା” ଭଳି ଶିଶୁ ଗୀତରେ ମଧ୍ୟ ଏହାର ପ୍ରୟୋଗ ଥିଵା ଦେଖାଯାଏ ।
ତେବେ ଭାଷାକୋଷର ଉଲ୍ଲେଖ ଅନୁସାରେ ଆଗେ ବ୍ରାହ୍ମଣ ପରିଵାରରେ ବଡ ଭଉଣୀକୁ ନାନୀ ତଥା ବ୍ରାହ୍ମଣେତର ପରିଵାରରେ ବଡ ଭଉଣୀକୁ ଦେଈ ଵା ଅପା ଡାକୁଥିଲେ । ହୁଏତ ବ୍ରାହ୍ମଣଙ୍କ ଵ୍ୟତୀତ ଅନ୍ୟାନ୍ୟ ଜାତିରେ ମଧ୍ୟ କେହି କେହି
ଏହି ସମ୍ବୋଧନ କରୁଥିଲେ । କାଳକ୍ରମେ ଅନ୍ୟାନ୍ୟ ଜାତିରେ ମଧ୍ୟ ଏହି ସମ୍ବୋଧନ ସାଧାରଣ ହୋଇଅଛି । ଆପଣାଠାରୁ ଅଧିକ ଵୟସ୍କ ବ୍ରାହ୍ମଣ ମହିଳାଙ୍କୁ ଅନ୍ୟ ଵ୍ୟକ୍ତିମାନଙ୍କର ଦ୍ଵାରା ଆଦର ସମ୍ବୋଧନ ନାନୀ ଥିଲା ବୋଲି ଭାଷାକୋଷରେ ଉଲ୍ଲେଖ ରହିଛି । ରାଜାନ୍ତଃପୁରରେ ପାଚିକାରୂପେ ନିଯୁକ୍ତା ଵିଧଵା ବ୍ରାହ୍ମଣୀଙ୍କୁ ସମ୍ମାନ ସହକାରେ ନାନୀ ସମ୍ବୋଧନ କରାଯାଉଥିଲା ବୋଲି ଭାଷାକୋଷରେ ଉଲ୍ଲେଖ ଅଛି । ବ୍ରାହ୍ମଣ କନ୍ୟାଙ୍କୁ ମଧ୍ୟ ଅନ୍ୟ ଜାତିର ଲୋକମାନେ ନାନୀ ସମ୍ବୋଧନ କରୁଥିଲେ ଯାହାର ପ୍ରମାଣ ଓଡ଼ିଆ ଢଗରେ ଦେଖାଯାଏ ।
“ମଲ୍ଲିଫୁଲ ଫୁଟିଲା,ଗେହ୍ଲେଇନାନୀ ଗାଧୋଇ ଯାଇଁ ମାମୁଁ ଘରେ ଉଠିଲା । ଯୌଵନେ ମର୍କଟୀ ରମ୍ୟା। ପଦିନାନୀ ଵିଵର୍ଜିତା ॥”(ଓଡ଼ିଆ ଵ୍ୟଙ୍ଗ୍ୟ ଢଗ)
ବ୍ରାହ୍ମଣ କନ୍ୟା ଵା ଅନ୍ୟାନ୍ୟ ଉଚ୍ଚଜାତିର କନ୍ୟାମାନଙ୍କ ପାଇଁ ସମ୍ବୋଧନ କରାଯାଉଥିଵା ଏହି ନାନୀ ଶବ୍ଦର ଆଉ ଏକ ସ୍ତ୍ରୀଵାଚକ ଗଡ଼ଜାତ ରୂପ 'ନନୀ' ଅଟେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଆଗେ ରଜାଝିଅ ଵା ଜେମାଦେଈଙ୍କୁ ତଥା ଦୁଲଣା ଵା ଗେହ୍ଲାଝିଅକୁ ନନୀ କୁହାଯାଉଥିଲା । ଏ ଶବ୍ଦ ଗଡ଼ଜାତର କ୍ଷତ୍ରିୟ(ଖଣ୍ଡାୟତ ଇତ୍ୟାଦି) ଓ କରଣ କୁଳରେ ଚଳୁଥିଲା । ସେହିପରି ଭାଷାକୋଷ ଅନୁସାରେ ବ୍ରାହ୍ମଣକନ୍ୟାଙ୍କୁ ଗଡ଼ଜାତରେ ନନୀ ସମ୍ବୋଧନ କରାଯାଉଥିଲା । ଏ ଶବ୍ଦଜ୍ଞାନକୋଷରେ ନନୀ ଶବ୍ଦ ତଳେ ଦ୍ରଷ୍ଟଵ୍ୟରେ ଲେଖାଅଛି ଯେ ଅଵିଭକ୍ତ ସମ୍ବଲପୁରର କେତେକ ଅଞ୍ଚଳରେ ବ୍ରାହ୍ମଣ କନ୍ୟାକୁ 'ନନୀ' ଓ ଶୂଦ୍ର କନ୍ୟାକୁ 'ବୁଈ' ବୋଲି ଡାକୁଥିଲେ । ହୁଏତ ପ୍ରଥମେ ପ୍ରଥମେ କେଵଳ ବ୍ରାହ୍ମଣ କନ୍ୟା ପାଇଁ ନନୀ ସମ୍ବୋଧନ କରାଯାଉଥିଲା ଯେମିତି ଉପକୂଳରେ ବ୍ରାହ୍ମଣ ପାଇଁ ନନା ଓ ବ୍ରାହ୍ମଣ କନ୍ୟା ପାଇଁ ନାନୀ ସମ୍ବୋଧନ ରହିଥିଲା । ସେଥିପାଇଁ ବ୍ରାହ୍ମଣେତ୍ତେର ଜାତିମାନଙ୍କରେ ବୁଈ ସମ୍ବୋଧନ କରାଯାଉଥିଲା । ଠିକ୍ ସେହିପରି ଉପକୂଳରେ ସ୍ନେହାର୍ଥେ ଛୋଟ ଝିଅଙ୍କୁ ମାଆ ଓ ବୁଢ଼ୀ ସମ୍ବୋଧନ କରାଯାଉଥିଲା ଏଵଂ ଏବେ ମଧ୍ୟ ରହିଛି । ତେବେ ପରଵର୍ତ୍ତୀ କାଳରେ ଗଡ଼ଜାତ ଅଞ୍ଚଳରେ ଏହି ନନୀ ଶବ୍ଦ ବ୍ରାହ୍ମଣେତ୍ତର ଜାତିଗୁଡ଼ିକରେ ମଧ୍ୟ ପ୍ରଚଳିତ ହୋଇଅଛି ।
ଅଵିଭକ୍ତ କୋରାପୁଟ ଜିଲ୍ଲାରେ ଏହି ସ୍ତ୍ରୀଵାଚକ 'ନାନୀ' ଶବ୍ଦ ଆହୁରି ଵିଵର୍ତ୍ତିତ ହୋଇ ନାନା ରୂପ ଧାରଣ କରିଛି । ଦକ୍ଷିଣ ପଶ୍ଚିମ ଓଡ଼ିଶାରେ 'ନନୀ' ଶବ୍ଦ ଛଡ଼ା 'ନୋନି' ଓ 'ନିନି' ଶବ୍ଦ ମଧ୍ୟ ଝିଅ ପ୍ରତି ସ୍ନେହ ସମ୍ବୋଧନଵାଚକ ଶବ୍ଦ ରୂପେ ଵ୍ୟଵହୃତ ହୁଏ । ଅଵିଭକ୍ତ କୋରାପୁଟରେ ନିନି ଶବ୍ଦ ଵିଶେଷ ଭାବେ ଝିଅ ଅର୍ଥରେ ହିଁ ପ୍ରୟୋଗ କରାଯାଏ। ଅର୍ଥାତ୍ ଅଵିଭକ୍ତ କୋରାପୁଟରେ କାହାଘରେ ଦୁଇଟି ଝିଅ ଥିଲେ ଜଣକୁ "ବଡ଼ନିନି" ଓ ଆର ଜଣକୁ "ସାନନିନି" ବୋଲି ନାଆଁ ଦିଆଯାଇଥାଏ । କଳାହାଣ୍ଡିର କେତେକ ଅଞ୍ଚଳରେ ଝିଅକୁ ନୁନୀ ଡକାଯାଇଥାଏ ବୋଲି କଥିତ ଓଡ଼ିଆ ଶବ୍ଦକୋଷର ୬୮୬ତମ ପୃଷ୍ଠାରେ ଉଲ୍ଲେଖ ଅଛି । କନ୍ଧମାଳର କେତେକ ଅଞ୍ଚଳରେ ଝିଅକୁ ନିନି ଏଵଂ ପୁଅକୁ ନୁନା ଡକାଯାଇଥାଏ ବୋଲି ମଧ୍ୟ ସେହି ପୃଷ୍ଠାରେ ଲେଖାଅଛି । ପୁଣି ଗଞ୍ଜାମର କେତେକ ରାଜପରିଵାରରେ ବଡ଼ଭାଇଙ୍କୁ ନିନା ସମ୍ବୋଧନ କରୁଥିଲେ ବୋଲି ଏହି ଶବ୍ଦକୋଷର ୬୭୫ତମ ପୃଷ୍ଠାରେ ଲେଖାଅଛି । ଗଜପତିରେ ଶିଶୁ ଅର୍ଥରେ ନିନା ଶବ୍ଦ ଚଳୁଥିଲା ତେଣୁ ନିନାଗୀତ କହିଲେ ଶିଶୁଗୀତକୁ ବୁଝାଏ ବୋଲି କଥିତ ଓଡ଼ିଆ ଶବ୍ଦକୋଷର ସେହି ପୃଷ୍ଠାରେ ଉଲ୍ଲେଖ ଅଛି ।
ଏହି ଆଲୋଚନାରୁ ଆମେ ଯେମିତି ଏହି ମତରେ ଉପନୀତ ହେଲେ ଯେ ମୂଳ ଆର୍ଯ୍ୟଶବ୍ଦ *nānnaରୁ
ଓଡ଼ିଆ ଭାଷାରେ ନନା ଓ ନାନୀ ଶବ୍ଦ ସୃଷ୍ଟି ହୋଇ ପରେ ନାନା ରୂପ ଧାରଣ କରିଛି । ଠିକ୍ ସେହିପରି
Sir. Ralph Lilly Turnerଙ୍କ ଵ୍ୟୁତ୍ପତ୍ତିକୋଷ “A comparative dictionary of Indo-Aryan languages”ର ୪୦୫ତମ ପୃଷ୍ଠାରେ ଇଂରେଜ ଭାଷାଵିତ ମଧ୍ୟ ମୂଳ ଆର୍ଯ୍ୟଶବ୍ଦ *nānnaରୁ ଓଡ଼ିଆ ଭାଷାରେ nānā(ଅଜା),nāni(ଆଈ,ପିଉସୀ,ବଡ଼ଭଉଣୀ),nāna(ପୁଅ),nanā(ବଡ଼ଭାଇ,ମାଆ,ଝିଅ) ଇତ୍ୟାଦି ଶବ୍ଦ ସୃଷ୍ଟି ହୋଇଛି ବୋଲି ଉଲ୍ଲେଖ କରିଛନ୍ତି । ଶେଷରେ 'nani(ନାନୀ ଵା ନନୀ) ଶବ୍ଦ ଉଲ୍ଲେଖ କରି ଦ୍ରଷ୍ଟଵ୍ୟରେ Sir. Ralph Lilly Turner ଏହା "term of address for a Brahman's daughter" ଵା ବ୍ରାହ୍ମଣ କନ୍ୟା ପ୍ରତି କରାଯାଉଥିଵା ସମ୍ବୋଧନ ବୋଲି ଲେଖିଛନ୍ତି ।
ତେଣୁ ଏହି ଵିସ୍ତୃତ ଆଲୋଚନାରୁ ସ୍ପଷ୍ଟ ହୋଇଯାଏ ଯେ ଓଡ଼ିଆ ଭାଷାରେ 'ନନୀ' ଶବ୍ଦର ଉତ୍ପତ୍ତି ହିନ୍ଦୀର 'ନନ୍ହୀ' କିମ୍ବା ସଂସ୍କୃତ 'ନନ୍ଦିନୀ'ରୁ ନୁହେଁ ଵରଂ ପ୍ରାଚୀନ ଆର୍ଯ୍ୟ ଶବ୍ଦ *nānnaରୁ କ୍ରମେ ଵିକଶିତ ହୋଇଛି, ଯାହା ମୂଳତଃ ଶିଶୁଙ୍କ ପ୍ରାକୃତିକ ଧ୍ୱନିରୁ ଉଦ୍ଭୂତ ଏକ ସାର୍ଵଜନୀନ ସମ୍ବୋଧନଵାଚକ ଶବ୍ଦ। ଏହା ଓଡ଼ିଆ ସଂସ୍କୃତିରେ ସ୍ନେହ ଓ ଆଦରର ଏକ ଅନନ୍ୟ ପ୍ରତିଫଳନ, ଯାହା ଦକ୍ଷିଣାଞ୍ଚଳରୁ ଉତ୍ତରାଞ୍ଚଳ ପର୍ଯ୍ୟନ୍ତ ଵ୍ୟାପ୍ତ।
ଏହି ଵ୍ୟୁତ୍ପତ୍ତିଗତ ସମ୍ପର୍କ ରାଲ୍ଫ୍ ଲିଲି ଟର୍ନରଙ୍କ ଭଳି ଭାଷାଵାଜ୍ଞାନୀମାନଙ୍କ ଅନୁସନ୍ଧାନରେ ପ୍ରମାଣିତ ହୋଇଛି । ନନା,ନାନୀ ଓ ନନୀ ଭଳି ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଆଲୋଚନାରୁ ଏହା ମଧ୍ୟ ସ୍ପଷ୍ଟ ହୋଇଯାଏ ଯେ ଓଡ଼ିଆ ଭାଷାରେ ଏହି ଶବ୍ଦଗୁଡ଼ିକର ଵିଵିର୍ତ୍ତନ କେମିତି ସର୍ଵାଧିକ ଵୈଚିତ୍ର୍ୟମୟ। ଏଥିରୁ ଆମେ ଓଡ଼ିଆ ଭାଷାର ପ୍ରାଚୀନତା ଓ ଵିଵର୍ତ୍ତନଶୀଳତାର ସ୍ପଷ୍ଟ ପ୍ରମାଣ ମଧ୍ୟ ପାଇଥାନ୍ତି ଯାହା ଆମ ଭାଷାକୁ ଭାରତୀୟ ଉପମହାଦେଶର ଅନ୍ୟତମ ସମୃଦ୍ଧ ଓ ଗଭୀର ଭାଷା ଭାବେ ପ୍ରତିଷ୍ଠିତ କରୁଛି।
No comments:
Post a Comment