ଭାରାତୀୟ ସାହିତ୍ୟ ଓ ସଂସ୍କୃତିରେ ପ୍ରଵଚନ ତଥା ଲୋକକଥାଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ଏହି ପ୍ରଵଚନଗୁଡ଼ିକ କେଵଳ ଭାଷାର ସୌନ୍ଦର୍ଯ୍ୟକୁ ଵୃଦ୍ଧି କରେ ନାହିଁ ଵରଂ ଜୀଵନର ଗଭୀର ଦାର୍ଶନିକ ଓ ଵ୍ୟାଵହାରିକ ଶିକ୍ଷାକୁ ମଧ୍ୟ ସଂକେତ ଦିଏ। ଏହି ପ୍ରସଙ୍ଗରେ “ଗଜଭୁକ୍ତ କପିତ୍ଥ ଵତ୍” ପ୍ରଵଚନଟି ଏକ ଅନନ୍ୟ ଉଦାହରଣ।
ସମ୍ପୂର୍ଣ୍ଣ ସଂସ୍କୃତ ସୁଭାଷିତଟି ହେଲା :
“ଆଜଗାମ ଯଦା ଲକ୍ଷ୍ମୀର୍ନାରିକେଳଫଳାମ୍ବୁଵତ୍ ।
ନିର୍ଜଗାମ ଯଦା ଲକ୍ଷ୍ମୀର୍ଗଜଭୁକ୍ତକପିତ୍ଥଵତ୍ ॥
ଅର୍ଥାତ୍ ଯେତେବେଳେ ଲକ୍ଷ୍ମୀ (ଧନ/ସମ୍ପତ୍ତି) ଆସନ୍ତି, ସେତେବେଳେ ନଡ଼ିଆ ଫଳରେ ପାଣି ଭରିଵା ପରି ଧୀରେ ଧୀରେ ଆସନ୍ତି। ଗଜ କଇଁଥ ଫଳ ଖାଇ ତାକୁ ଗୋଟା ଲଣ୍ଡିରେ ବାହାର କରି ଦିଏ । କିନ୍ତୁ ସେ କଇଥ ଭିତରେ ଆଉ ଶସ ନଥାଏ । ଠିକ୍ ସେହିପରି ଲକ୍ଷ୍ମୀ ଯେତେବେଳେ ଛାଡ଼ି ଯାଆନ୍ତି ପରି ଅତି ଶୀଘ୍ର ଓ ସହସା ଚାଲିଯାଆନ୍ତି।
ପରଵର୍ତ୍ତୀ କାଳରେ ଲୋକମାନେ “ଗଜଭୁକ୍ତ କପିତ୍ଥ ଵତ୍” ପଦଟିକୁ ଲୋକଵାଣୀ ରୂପେ ଵ୍ୟଵହାର କରିଵାକୁ ଲାଗିଲେ ଏଵଂ ଏହା ସାହିତ୍ୟରେ ଏକ ଜନପ୍ରିୟ ଉକ୍ତି ହୋଇଗଲା । ଯେତେବେଳେ “ଗଜଭୁକ୍ତ କପିତ୍ଥ ଵତ୍” ପଦଟି ଏକ ଲୋକଵାଣୀ ରୂପେ ଵ୍ୟଵହାର କରାଗଲା ସେତେବେଳେ ଏହାକୁ ସାମାନ୍ୟ ଭିନ୍ନ ଅର୍ଥରେ ପ୍ରୟୋଗ କରାଗଲା ।'ଗଜ', କଇଥ ଫଳକୁ ଗୋଟା ଖାଇ ତା’ର ଲଣ୍ଡିରେ ଅକ୍ଷୁଣ୍ଣ ଵାହାର କରେ, ସେହି ଫଳ ଵାହାରୁ ଅକ୍ଷୁଣ୍ଣ ଦେଖାଯାଏ କିନ୍ତୁ ଭିତରୁ ସମ୍ପୂର୍ଣ୍ଣ ଫମ୍ପା ହୋଇଯାଏ। ଏହା ଏକ ପ୍ରତୀକାତ୍ମକ ଉପମା ଯାହା ମାନଵ ଜୀଵନରେ ଵାହ୍ୟ ଚାକଚକ୍ୟ ଓ ଆଭ୍ୟନ୍ତରୀଣ ଶୂନ୍ୟତାକୁ ନିର୍ଦ୍ଦେଶ କରେ। ଏହି ପ୍ରଵଚନ ମାଧ୍ୟମରେ ସମାଜରେ ଥିଵା ଏପରି ଵ୍ୟକ୍ତି ଵା ପରିସ୍ଥିତିକୁ ବୁଝାଯାଏ, ଯେଉଁମାନେ ବାହାରୁ ସଫଳ, ସମୃଦ୍ଧ ଵା ସୁନ୍ଦର ଦେଖାଯାନ୍ତି, କିନ୍ତୁ ଭିତରୁ ସେମାନେ ମୂଲ୍ୟହୀନ ଵା ଶୂନ୍ୟ।
ଏହି ପ୍ରଵଚନ ଵା ଲୋକଵାଣୀରେ ହାତୀ ଓ କଇଥ ଫଳର ଉପମା ଅତ୍ୟନ୍ତ ପ୍ରତୀକାତ୍ମକ। ହାତୀ, ଯାହା ଶକ୍ତି, ଵୃହତ୍ତ୍ୱ ଓ ପ୍ରଭାଵର ପ୍ରତୀକ, ଏକ ଛୋଟ ଫଳକୁ ଗିଳି ଦେଇ ତାହାର ଭିତରକୁ ନଷ୍ଟ କରିଦିଏ। ଏହା ସମାଜରେ ଥିଵା କିଛି ଶକ୍ତିଶାଳୀ ଵ୍ୟକ୍ତି ଵା ପରିସ୍ଥିତିକୁ ସୂଚାଏ, ଯେଉଁମାନେ ଵାହ୍ୟରୂପେ ଆକର୍ଷଣୀୟ ହେଲେ ମଧ୍ୟ ଆଭ୍ୟନ୍ତରୀଣ ମୂଲ୍ୟକୁ ନଷ୍ଟ କରିଦିଅନ୍ତି। ଅନ୍ୟପକ୍ଷରେ, କଇଥ ଫଳ ଏକ ସାଧାରଣ ଓ ସରଳ ଜୀଵନର ପ୍ରତୀକ, ଯାହା ଵାହାରୁ ସୁନ୍ଦର ହେଲେ ମଧ୍ୟ ଶକ୍ତିଶାଳୀ ପ୍ରଭାଵରେ ନଷ୍ଟ ହୋଇଯାଏ।
ଏହି ପ୍ରଵଚନର ଵୈଜ୍ଞାନିକ ଦିଗକୁ ଵିଚାର କଲେ, ଏହାର ମୂଳ ଧାରଣାଟି କିଛି ପରିମାଣରେ ପରୀକ୍ଷାମୂଳକ ଅନୁସନ୍ଧାନ ଦ୍ୱାରା ଖଣ୍ଡନ କରାଯାଇଛି। ପ୍ରଵଚନ ଅନୁଯାୟୀ, ହାତୀ କଇଥ ଫଳକୁ ଗୋଟା ଗିଳି ଦେଇ ତାହାର ଲଣ୍ଡିରେ ଅକ୍ଷୁଣ୍ଣ ରୂପରେ ବାହାର କରେ ହେଲେ ତା ଭିତର ଫମ୍ପା ଥାଏ । କିନ୍ତୁ, କେତେକ ପରୀକ୍ଷା ଓ ପର୍ଯ୍ୟଵେକ୍ଷଣରୁ ଜଣାଯାଇଛି ଯେ ହାତୀ କଇଥ ଫଳକୁ ଚୋବାଇ ଖାଏ, ଯାହା ଫଳରେ ଫଳଟି ଖଣ୍ଡ ଖଣ୍ଡ ହୋଇଯାଏ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷର 2069ତମ ପୃଷ୍ଠାରେ
"ଗଜଭୁକ୍ତ କପିତ୍ଥ ଵତ୍" ପ୍ରଵଚନଟି ସ୍ଥାନ ପାଇଛି ଏଵଂ ଦ୍ରଷ୍ଟଵ୍ୟରେ ଉଲ୍ଲେଖ ଅଛି:
“କେହି କେହି କହନ୍ତି ଏହି "ଗଜଭୁକ୍ତ କପିତ୍ଥ ଵତ୍" ପ୍ରଵଚନଟି ସତ୍ୟ । କିନ୍ତୁ ପରୀକ୍ଷା କରି ହାତୀକୁ କଇଥ ଖାଇଵାକୁ ଦେଇ ଲେଖକ ଦେଖିଅଛନ୍ତି ଯେ ପ୍ରଥମେ ହାତୀ ସେ କଇଥଟିକୁ ମଡ଼ ମଡ଼ କରି ଚୋବାଇ ଖାଏ ଓ ହାତୀ ଲଣ୍ଡିରେ ଖଣ୍ଡ ଖଣ୍ଡ କଇଥର ଖୋଳ ବାହାରେ।”
ଏଥିରୁ ସ୍ପଷ୍ଟ ହୁଏ ଯେ ଶ୍ରୀଗୋପାଳଚନ୍ଦ୍ର ପ୍ରହରାଜ ସମ୍ଭଵତଃ ଏ ପ୍ରଵଚନକୁ ପରୀକ୍ଷା କରି ଦେଖିଛନ୍ତି ତେଣୁ ତାହା ସେ ଭାଷାକୋଷରେ ଉଲ୍ଲେଖ କରିଯାଇଛନ୍ତି।
କେହି କେହି ଯୁକ୍ତି କରନ୍ତି ଯେ ହାତୀର ପାକସ୍ଥଳୀରେ କଇଥ (କପିତ୍ଥ) ଫଳର ଶସ ଅସ୍ମୋସିସ (Osmosis) ପ୍ରକ୍ରିୟା ମାଧ୍ୟମରେ ଖୋଳ ଦେଇ ବାହାରିଯାଏ, ଯାହା ଫଳରେ ଫଳଟି ବାହାରୁ ଅକ୍ଷୁଣ୍ଣ ଦେଖାଯାଏ କିନ୍ତୁ ଭିତରୁ ଫମ୍ପା ହୋଇଯାଏ।
ତେବେ ଏହି ଅସ୍ମୋସିସ କ’ଣ ?
ଅସ୍ମୋସିସ ଏମିତି ଏକ ଜୈଵିକ ପ୍ରକ୍ରିୟା, ଯହିଁରେ ଏକ ଅର୍ଦ୍ଧଭେଦ୍ୟ (semi-permeable) ଝିଲ୍ଲୀ ମାଧ୍ୟମରେ ଦ୍ରଵଣ (solvent),ସାଧାରଣତଃ ଜଳ, ଅଧିକ ଘନତ୍ୱ (high concentration) ଅଞ୍ଚଳରୁ କମ ଘନତ୍ୱ (low concentration) ଅଞ୍ଚଳକୁ ପ୍ରଵାହିତ ହୁଏ। ଏହି ପ୍ରକ୍ରିୟା ସାଧାରଣତଃ ଜୀଵକୋଷରେ ଜଳ ଓ ଅନ୍ୟାନ୍ୟ ଦ୍ରଵଣର ଗତିବିଧି ପାଇଁ ଦାୟୀ। କିନ୍ତୁ ଏହି ପ୍ରକ୍ରିୟା କେଵଳ ଅର୍ଦ୍ଧଭେଦ୍ୟ ଝିଲ୍ଲୀରେ ହିଁ ସମ୍ଭଵ, ଯେଉଁଥିରେ କେଵଳ ନିର୍ଦ୍ଦିଷ୍ଟ ଅଣୁ (ଯଥା ଜଳ) ପାର ହୋଇପାରେ, ଅନ୍ୟ ଵୃହତ୍ ଅଣୁ ନୁହେଁ।
କେହି କେହି କଇଥ ଫଳର ଖୋଳକୁ ଏକ ଟୀ-ବ୍ୟାଗ୍ ସହ ତୁଳନା କରି କୁହନ୍ତି ଯେ ଏହା ଛିଦ୍ରଯୁକ୍ତ (porous) ଏଵଂ ଅର୍ଦ୍ଧଭେଦ୍ୟ ଝିଲ୍ଲୀ ଭଳି କାର୍ଯ୍ୟ କରେ। ଏହା ସତ୍ୟ ଯେ କଇଥ ଫଳର ଖୋଳ ନିଶ୍ଚିତ ଭାବେ କଠିନ ଓ ଛିଦ୍ରଯୁକ୍ତ ହୋଇଥାଏ ଯାହା ଫଳରେ କେତେକ ପୋକମାନେ ଏହା ଭିତରେ ପ୍ରଵେଶ କରିପାରନ୍ତି। ତେବେ ଏହାକୁ ଅର୍ଦ୍ଧଭେଦ୍ୟ ଝିଲ୍ଲୀ ଭାବରେ ଗ୍ରହଣ କରିଵା ସମ୍ପୂର୍ଣ୍ଣ ଭାବେ ଠିକ୍ ନୁହେଁ। ଅର୍ଦ୍ଧଭେଦ୍ୟ ଝିଲ୍ଲୀ ସାଧାରଣତଃ ଜୈଵିକ ଝିଲ୍ଲୀ (ଯଥା କୋଷ ଝିଲ୍ଲୀ) ହୋଇଥାଏ, ଯେଉଁଥିରେ ଅଣୁଗୁଡ଼ିକର ଗତିଵିଧି ନିୟନ୍ତ୍ରିତ ହୁଏ। କଇଥର ଖୋଳ ଏକ କଠିନ, ଲିଗ୍ନିନ୍ଯୁକ୍ତ ଆଵରଣ, ଯାହା ଅସ୍ମୋସିସ ପାଇଁ ଆଵଶ୍ୟକ ନିୟନ୍ତ୍ରିତ ଛିଦ୍ର ପ୍ରଦାନ କରେ ନାହିଁ। ତେଣୁ, କଇଥର ଶସ ଅସ୍ମୋସିସ ମାଧ୍ୟମରେ ଖୋଳ ଦେଇ ବାହାରିଵ ବୋଲି କରାଯାଉଥିଵା ଦାବି ଵୈଜ୍ଞାନିକ ଦୃଷ୍ଟିରୁ ଅସମ୍ଭଵ।
ହାତୀ ଏକ ଵୃହତ୍ ତୃଣଭୋଜୀ ପ୍ରାଣୀ, ଯାହାର ପାଚନତନ୍ତ୍ର ଅତ୍ୟନ୍ତ ଶକ୍ତିଶାଳୀ। ହାତୀର ପାକସ୍ଥଳୀରେ ହାଇଡ୍ରୋକ୍ଲୋରିକ୍ ଏସିଡ୍ ଓ ଏଞ୍ଜାଇମ୍ ଥାଏ, ଯାହା ଖାଦ୍ୟକୁ ଭାଙ୍ଗିଵାରେ ସହାୟକ ହୁଏ। କଇଥ ଫଳର ଶସ ନରମ ଓ ପାଚନଯୋଗ୍ୟ, କିନ୍ତୁ ଖୋଳଟି ଅତ୍ୟନ୍ତ କଠିନ। ଲୋକେ ଦାବି କରନ୍ତି ଯେ ହାତୀ କଇଥକୁ ଗୋଟା ଗିଳି ଦେଇ ଶସକୁ “ପାକସ୍ଥଳୀ ମଧ୍ୟରେ ନିଏ କିନ୍ତୁ କଇଥ ଖୋଳ ଯଥାଵତ୍ ରହେ ,” । ଏହି ଦାବି ଵୈଜ୍ଞାନିକ ଦୃଷ୍ଟିରୁ ଠିକ୍ ନୁହେଁ। ହାତୀର ପାଚନତନ୍ତ୍ର ଖାଦ୍ୟକୁ ଗୁଣ୍ଡ କରେ ଏଵଂ ପାଚନ କରିଥାଏ, ତେଣୁ କଇଥର ଖୋଳ ଅକ୍ଷୁଣ୍ଣ ରହିଵାର ସମ୍ଭାଵନା କମ୍। ଅଧିକନ୍ତୁ, ହାତୀର ଲଣ୍ଡିରେ ସାଧାରଣତଃ ଅପଚିତ ଖାଦ୍ୟର ଅଵଶେଷ ଖଣ୍ଡ ଖଣ୍ଡ ହୋଇ ବାହାରେ, ଗୋଟାଏ ଫଳ ଭାବରେ ନୁହେଁ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷର 2069ତମ ପୃଷ୍ଠାରେ ଏହି ପ୍ରଵଚନ ସମ୍ବନ୍ଧରେ ଲେଖାଯାଇଛି: “କେହି କେହି କହନ୍ତି ଯେ ଗଜନାମକ ଏକଜାତୀୟ ପୋକ କଇଥ ଫଳ ମଧ୍ୟରେ ପଶି କଇଥର ଶସକୁ ଏପରି ଖାଆନ୍ତି ଯେ କଇଥର ଆକାରଟି ପୂର୍ଵପରି ଥାଏ କିନ୍ତୁ ଭିତରଟି ଫମ୍ପା ହେଇଯାଏ ।”
ସମ୍ଭଵତଃ ଗଜନାମକ ଏହି ପୋକ ଏକ ଜାତୀୟ “Fruit Borer” ଯାହାର ଵୈଜ୍ଞାନିକ ନାମ Meridarchis scyrodes ଅଟେ । Meridarchis scyrodes ପ୍ରକୃତରେ ଏକ ଜାତୀୟ Moth ଅଟେ ଏଵଂ ଏହା ନିଜର ପୋକରୂପ ସମୟରେ କଇଥ ଫଳର ଭିତରକୁ ପ୍ରଵେଶ କରି ଶସକୁ ଖାଇଦିଏ, ଯାହା ଫଳରେ ଫଳଟିର ଵାହ୍ୟ ଆକୃତି ଅକ୍ଷୁଣ୍ଣ ରହେ କିନ୍ତୁ ଭିତରୁ ଶୂନ୍ୟ ହୋଇଯାଏ। ଏହା ପ୍ରଵଚନର ମୂଳ ଧାରଣାକୁ ଆଂଶିକ ସମର୍ଥନ କରେ, ଯଦିଓ ଏହା ହାତୀ ସହ ସମ୍ପୃକ୍ତ ନୁହେଁ।
ତେବେ ଭାରତୀୟ ସଂସ୍କୃତିରେ "ଗଜଭୁକ୍ତ କପିତ୍ଥ ଵତ୍" ପ୍ରଵଚନଟି ଅନେକ ସାମାଜିକ ଓ ଦାର୍ଶନିକ ଅର୍ଥ ଵହନ କରେ। ଏହା ସମାଜରେ ଥିଵା ଦମ୍ଭ, ଵାହ୍ୟ ଚାକଚକ୍ୟ ଓ ଆଭ୍ୟନ୍ତରୀଣ ଶୂନ୍ୟତାକୁ ଵ୍ୟଙ୍ଗ୍ୟ କରେ। ଉଦାହରଣ ସ୍ୱରୂପ, କେହି ଵ୍ୟକ୍ତି ବାହାରୁ ଧନୀ, ସଫଳ ଵା ସମ୍ମାନିତ ଦେଖାଯାଇପାରେ, କିନ୍ତୁ ତା'ର ଜୀଵନରେ ନୈତିକତା, ମୂଲ୍ୟଵୋଧ ଵା ଆନ୍ତରିକତାର ଅଭାଵ ଥାଇପାରେ। ଏହା ସମାଜରେ ଥିଵା ଦ୍ୱିମୁଖୀ ଚରିତ୍ରକୁ ମଧ୍ୟ ସୂଚାଏ।
ପୁଣି ଭାଷାକୋଷ ଅନୁସାରେ ପ୍ରଵଚନଟି ଲକ୍ଷ୍ମୀଙ୍କ ସହ ମଧ୍ୟ ସମ୍ପର୍କିତ। ଲୋକଵିଶ୍ୱାସ ଅନୁଯାୟୀ, ଲକ୍ଷ୍ମୀ ଯେତେବେଳେ ଘରେ ପ୍ରଵେଶ କରନ୍ତି, ସେତେଵେଳେ ଘରଟି ସମୃଦ୍ଧିରେ ପୂର୍ଣ୍ଣ ହୁଏ, ଯେପରି ନଡ଼ିଆରେ ପାଣି ପଶିଲେ ତାହା ସମ୍ପୂର୍ଣ୍ଣ ହୁଏ। କିନ୍ତୁ ଲକ୍ଷ୍ମୀ ଯେତେଵେଳେ ଘର ଛାଡ଼ି ଚାଲିଯାଆନ୍ତି, ସେତେଵେଳେ ଘରଟି “ଗଜଭୁକ୍ତ କପିତ୍ଥ” ପରି ଫମ୍ପା ହୋଇଯାଏ। ଏହା ମାନଵ ଜୀଵନର ଅନିଶ୍ଚିତତା ଓ ସମୃଦ୍ଧିର ଅସ୍ଥାୟୀ ପ୍ରକୃତିକୁ ସୂଚାଇଥାଏ ।
ଏହି ପ୍ରଵଚନଟି ସାମାଜିକ ପରିପ୍ରେକ୍ଷୀରେ ଅନେକ ପରିସ୍ଥିତିରେ ଵ୍ୟଵହୃତ ହୁଏ। ଉଦାହରଣ ସ୍ୱରୂପ, କେହି ଵ୍ୟକ୍ତି ଵାହାରୁ ଅତ୍ୟନ୍ତ ଧନୀ ଓ ସଫଳ ଦେଖାଯାଇପାରେ, କିନ୍ତୁ ତାଙ୍କ ପାରିଵାରିକ ଜୀଵନ ଵା ଵ୍ୟକ୍ତିଗତ ସୁଖ ଶୂନ୍ୟ ହୋଇପାରେ। ଏହା ସମାଜରେ ଥିଵା ଦୃଶ୍ୟମାନ ସଫଳତା ଓ ଅଦୃଶ୍ୟ ଖାଲିପଣ ମଧ୍ୟରେ ଥିଵା ଵ୍ୟଵଧାନକୁ ସୂଚାଏ। ଏହି ପ୍ରଵଚନ ଆମକୁ ଶିକ୍ଷା ଦିଏ ଯେ ଵାହ୍ୟ ଚାକଚକ୍ୟ ଉପରେ ଵିଶ୍ୱାସ କରିଵା ପୂର୍ଵରୁ ଆଭ୍ୟନ୍ତରୀଣ ମୂଲ୍ୟକୁ ପରୀକ୍ଷା କରିଵା ଆଵଶ୍ୟକ। ତେବେ ଆମ ଓଡ଼ିଆ ଭାଷାରେ ମଧ୍ୟ ଏଭଳି ଅନେକ ଲୋକଵାଣୀ ରହିଛି ଯାହାର ଅର୍ଥ ଗଜଭୁକ୍ତ କପିତ୍ଥ ଵତ୍ ସହିତ ସାମ୍ୟ ରଖିଥାଏ ।
ଯଥା :
•ଦେଖାସୁନ୍ଦର ପଲାଶ ଫୁଲ, ବାସ ଗୁଣ ନାହିଁ ଅମୂଲ ମୂଲ।
•ଦେଖାସୁନ୍ଦର କଖାରୁବଡ଼ି
•ଦେଖା ସୁନ୍ଦରୀ ବଉଳାଗାଈ
•ଦେଖନ ସୁନ୍ଦର ଫୁଲଗୁଭା
ଭିତରେ ଭିତରେ ରୁବରୁବା
•ଦେଖା ସୁନ୍ଦର ମହାକାଳ ଫଳ
•ଦେଖା ସୁନ୍ଦର କଲରେଇ ଫୁଲ
ଏସବୁ ଲୋକଵାଣୀରେ "ଦେଖା ସୁନ୍ଦର" ଵିଶେଷଣ ରହିଛି। ଦେଖିଵାକୁ ସୁନ୍ଦର ଅଥଚ ନିର୍ଗୁଣ ଵା ଦୁର୍ଵଳ ହୋଇଥିଲେ, ବାହାରକୁ ଛାପ ଚିକଣ ଅଥଚ ଭିତରେ ଫମ୍ପା ହୋଇଥିଲେ ଦେଖା ସୁନ୍ଦର ଵିଶେଷଣ ପ୍ରୟୋଗ କରାଯାଏ । ଏତଦଵ୍ୟତୀତ ଆଉ କିଛି ଲୋକଵାଣୀ ମଧ୍ୟ ସମାନ ଭାବ ଓ ଅର୍ଥ ଘେନି ଵ୍ୟଵହାର କରାଯାଏ ।
•ଚହଟ ଚମ୍ପା,
ତଳେ ପାଟ ଫୁଲି ଉପରେ ଝୁମ୍ପା
ବାହାର ସୁନ୍ଦର ଭିତର ଫମ୍ପା
•ଓଡ଼ିଆ ଢମ,
ତଳେ ଛିଣ୍ଡା କନା
ଉପରେ କମ।
•ପଳାସ ଫୁଲ ଟି ଦେଖ କେଡ଼େ ମନୋହର।
ବାସ ନାହିଁ ବୋଲି ସେ ତ ପାଏନା ଆଦର
•ସଳଖ ସୁନ୍ଦର ଭେଣ୍ଡିଆଟା
ହାତ ଗୋଡ଼ ନାହିଁ ଖଣ୍ଡିଆଟା
•ମହାକାଳ ଫଳ କି ମନୋହର
ଭିତରୁ ଦେଖିଲେ ପୋଡ଼ା ଅଙ୍ଗାର( କେତେକ ଅଞ୍ଚଳରେ ପୋଡ଼ା ଅଙ୍ଗାର ପରିଵର୍ତ୍ତେ ପୂରା ନାରଖାର ମଧ୍ୟ କୁହାଯାଏ )
ଇଂରାଜୀ ଭାଷାରେ ମଧ୍ୟ କୁହାଯାଏ “All that glitters is not gold” ଅର୍ଥାତ୍ ବାହାରୁ ଯାହା ଭଲ କିମ୍ବା ଆକର୍ଷଣୀୟ ଲାଗେ, ସେ ସବୁବେଳେ ଭଲ ହୋଇ ନଥାଏ । ଏହି ଧରଣର ଆଉ ତିନୋଟି ଜଣାଶୁଣା ଇଂରାଜୀ ଲୋକଵାଣୀ ହେଲା :
•Appearances can be deceptive.
•Don’t judge a book by its cover.
•Looks can be deceiving.
ଏହି ସମସ୍ତ ପ୍ରବଚନରେ ଏକାଇ ମୂଳ ସନ୍ଦେଶ ରହିଛି – ବାହ୍ୟ ରୂପ, ଚାକଚକ୍ୟ କିମ୍ବା ପ୍ରଥମ ଛବି ଉପରେ ଭରସା କରିଵା ଵିପଜ୍ଜନକ ହୋଇପାରେ। ଅଵଶ୍ୟ "ଗଜଭୁକ୍ତ କପିତ୍ଥ ଵତ୍" ଏହାଠାରୁ କିଛି ପରିମାଣରେ ଭିନ୍ନ କାରଣ ଏହା ଅଧିକ ନାଟକୀୟ ଓ ପ୍ରତୀକାତ୍ମକ – ଏଥିରେ ଏକ ଜୀଵନ୍ତ ପ୍ରାଣୀ (ହାତୀ ଵା ଗଜକୀଟ) ଓ ଏକ ଫଳର ସମ୍ପୂର୍ଣ୍ଣ ନଷ୍ଟ ହେଵାର ଚିତ୍ର ଅଛି, ଯାହା କେଵଳ ଦେଖାକୁ ନୁହେଁ ଵରଂ ଭିତରର ଶୂନ୍ୟତାର ଏକ ନିର୍ମମ ଚିତ୍ରଣ କରେ। ଆଧୁନିକ ସମୟରେ ଏହି ପ୍ରବଚନର ପ୍ରାସଙ୍ଗିକତା ଆହୁରି ବଢ଼ିଛି। ଆଜିର ଡିଜିଟାଲ୍ ଦୁନିଆରେ ଲୋକେ ସୋସିଆଲ୍ ମିଡ଼ିଆରେ ନିଜର ଜୀଵନର କେଵଳ ଉଜ୍ଜ୍ୱଳ ମୁହୂର୍ତ୍ତକୁ ଦେଖାନ୍ତି – ସୁନ୍ଦର ଫଟୋ,ଵିଦେଶ ଭ୍ରମଣ, ଵିଲାସବହୁଳ ଜୀଵନଶୈଳୀ ଇତ୍ୟାଦି। କିନ୍ତୁ ପରଦା ପଛରେ ଅନେକ ଥର ମାନସିକ ଯନ୍ତ୍ରଣା, ଅର୍ଥନୈତିକ ସଙ୍କଟ, ସମ୍ପର୍କର ଅଭାବ ଓ ଏକାକୀତ୍ଵ ରହିଥାଏ। ଏହା ପୂରାପୂରି "ଗଜଭୁକ୍ତ କପିତ୍ଥ" ପରି – ବାହାରୁ ପୂର୍ଣ୍ଣ ଓ ଆକର୍ଷଣୀୟ, ଭିତରୁ ଫମ୍ପା ଓ ଶୂନ୍ୟ।
ଏହି ପ୍ରବଚନଗୁଡ଼ିକ ଆମକୁ କେଵଳ ଅନ୍ୟମାନଙ୍କୁ ନୁହେଁ, ନିଜକୁ ମଧ୍ୟ ପରୀକ୍ଷା କରିଵାକୁ ଶିଖାଏ। ଆମେ ନିଜେ କ’ଣ ବାହାରେ ଚାକଚକ୍ୟ ଦେଖାଇ ଭିତରେ କିଛି ନଥିଵା ଅଵସ୍ଥାରେ ରହିଛୁ? ଆମ ସମ୍ପର୍କ, କାର୍ଯ୍ୟ ଓ ଜୀଵନଶୈଳୀରେ କ’ଣ ଆମେ ସତ୍ୟ ଓ ଆନ୍ତରିକତାକୁ ପ୍ରାଧାନ୍ୟ ଦେଉଛୁ, ନା କେଵଳ ଲୋକ ଦେଖାଣିଆ ଭଲ ହେଵାକୁ ଚେଷ୍ଟା କରୁଛୁ?
ଅସ୍ତୁ "ଗଜଭୁକ୍ତ କପିତ୍ଥ ଵତ୍" ପୁରାତନ ଲୋକଜ୍ଞାନର ଏକ ଅମୂଲ୍ୟ ରତ୍ନ। ଏହା ଆମକୁ ସତର୍କ କରେ, ଚିନ୍ତନ କରାଏ ଏଵଂ ସତ୍ୟର ଅନୁସନ୍ଧାନ କରିବାକୁ ପ୍ରେରଣା ଦିଏ। ଏ କଇଥ ଫଳ ପରି – କଠିନ ବାହାର ଆଵରଣ ତଳେ ଏକ ଗଭୀର ସତ୍ୟ ଲୁଚି ରହିଛି। ତେଣୁ ଜୀବନରେ ଆଗକୁ ବଢ଼ିବା ସମୟରେ ଆମେ ସମସ୍ତେ "ଦେଖାସୁନ୍ଦର" ରେ ନୁହେଁ, ପ୍ରକୃତ ସୁନ୍ଦରତା ଓ ମୂଲ୍ୟକୁ ଖୋଜିଵା – କାରଣ ସତ୍ୟ ସବୁବେଳେ ଭିତରେ ଲୁଚି ରହିଥାଏ, ବାହାରେ ନୁହେଁ।
"ଗଜଭୁକ୍ତ କପିତ୍ଥ ଵତ୍" ପ୍ରଵଚନ ଆଜିରେ ମଧ୍ୟ ଆମ ସମାଜକୁ, ଆମ ଵ୍ୟକ୍ତିତ୍ୱକୁ ଏବଂ ଆମ ସଂସ୍କୃତିକୁ ଏକ ଆଦର୍ଶ ଦିଗଦର୍ଶନ ଦେଇ ଚାଲିଛି। ଏହା ଏକ ସରଳ ଉକ୍ତି ନୁହେଁ, ଏହା ଏକ ଜୀଵନ ଦର୍ଶନ।
No comments:
Post a Comment