My Blog List

Showing posts with label ଭାରତ. Show all posts
Showing posts with label ଭାରତ. Show all posts

Monday, August 10, 2026

ଭାରତ ସମ୍ବନ୍ଧୀୟ ପାଶ୍ଚାତ୍ୟ ଭଵିଷ୍ୟଵାଣୀ କେମିତି ଭାରତୀୟମାନେ ବାରମ୍ବାର ଭୁଲ୍ ପ୍ରମାଣିତ କରିଛନ୍ତି ?

ଭାରତ ସମ୍ବନ୍ଧୀୟ ପାଶ୍ଚାତ୍ୟ ଭଵିଷ୍ୟଵାଣୀ କେମିତି ଭାରତୀୟମାନେ ବାରମ୍ବାର ଭୁଲ୍ ପ୍ରମାଣିତ କରିଛନ୍ତି ?


କୌଣସି ପ୍ରତିଯୋଗିତା, ଯୁଦ୍ଧ ଵା ଜୀଵନର ଲଢ଼େଇରେ ଯେତେବେଳେ ଜଣେ ଵ୍ୟକ୍ତି କିମ୍ବା ଦଳ ପରାଜୟୀ ବା ଦୁର୍ଵଳ ବୋଲି ଵିଵେଚିତ ହୁଏ, କିନ୍ତୁ ଶେଷରେ ସମସ୍ତ ବାଧାଵିଘ୍ନକୁ ଅତିକ୍ରମ କରି ଆଶ୍ଚର୍ଯ୍ୟଜନକ ସଫଳତା ଲାଭ କରେ, ତାକୁ "Underdog" ଏଵଂ ତାହାର ଏଭଳି ପ୍ରେରଣାଦାୟକ କାହାଣୀକୁ "Underdog Story" କୁହାଯାଏ । ଭାରତର କାହାଣୀ ଠିକ୍ ସେହିପରି ଏକ Underdog Story ଭଳି ଆକର୍ଷିତ କରେ ।କାରଣ ଭାରତର ଇତିହାସ ହେଉଛି ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଵିଜୟୀ ହେଵାର ଏକ ଜ୍ୱଳନ୍ତ ଉଦାହରଣ। ସ୍ଵାଧୀନତା ଲାଭର ପ୍ରାରମ୍ଭିକ ଵର୍ଷଗୁଡ଼ିକରେ ଭାରତକୁ କେବେହେଲେ ସୁଯୋଗ ଦିଆଯାଉନଥିଲା, ସର୍ଵଦା ସନ୍ଦେହ କରାଯାଉଥିଲା, ବାରମ୍ବାର ଏହାର ପତନର ଆକଳନ କରାଯାଉଥିଲା—କିନ୍ତୁ ଭାରତ ପ୍ରତିଥର ନିଜର ସମାଲୋଚକ ଓ ଵିରୋଧୀମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଭୁଲ୍ ପ୍ରମାଣିତ କରିଛି। 

ଯେତେବେଳେ ୧୯୪୭ ମସିହାରେ ଭାରତ ସ୍ୱାଧୀନତା ଲାଭ କଲା, ସେତେବେଳେ ସନ୍ଦେହ କରୁଥିଵା ଵ୍ୟକ୍ତିମାନଙ୍କର ସ୍ୱର ଅତ୍ୟନ୍ତ ତୀଵ୍ର ଥିଲା। ସେମାନେ ସବୁ ପ୍ରକାରର ଵିପତ୍ତି, ଵିପର୍ଯ୍ୟୟ ଓ ସଙ୍କଟର ଭଵିଷ୍ୟଵାଣୀ କରିଥିଲେ। ଏକ ସଫଳ, ସାର୍ଵଭୌମ ତଥା ଗଣତାନ୍ତ୍ରିକ ଭାରତର ଚିତ୍ର ସେମାନଙ୍କ କଳ୍ପନାର ବାହାରେ ଥିଲା। କିନ୍ତୁ ଭାରତର ଦୃଢ଼ ଇଚ୍ଛାଶକ୍ତି ସେମାନଙ୍କ ନୈରାଶ୍ୟଵାଦଠାରୁ ଯଥେଷ୍ଟ ବଡ଼ ଥିଲା। ଭାରତୀୟମାନେ ସମାଲୋଚକମାନଙ୍କୁ କେଵଳ ଶବ୍ଦରେ ନୁହେଁ, ଵରଂ ନିଜର କର୍ମ ଏଵଂ ପରିଣାମ ମାଧ୍ୟମରେ ଉତ୍ତର ଦେଇଛନ୍ତି ।
ଇତିହାସର ସବୁଠାରୁ ବଡ଼ ଵର୍ଣ୍ଣଵୈଷମ୍ୟଵାଦୀ ନେତା ୱିନଷ୍ଟନ୍ ଚର୍ଚ୍ଚିଲ୍ ଭାରତର ସ୍ୱାଧୀନତାକୁ ଘୋର ଵିରୋଧ କରୁଥିଲେ। ତାଙ୍କ ମତରେ ଭାରତ ଆଦୌ ଏକ ଦେଶ ନଥିଲା। ସେ କହିଥିଲେ, "ଵିଷୁଵ ରେଖାର ଯେପରି କୌଣସି ରାଜନୈତିକ ଵ୍ୟକ୍ତିତ୍ୱ ନାହିଁ, ଭାରତର ମଧ୍ୟ ସେପରି କୌଣସି ପରିଚୟ ନାହିଁ।" ଏହା ଥିଲା ତାଙ୍କର ଘୋର ଅଜ୍ଞତାର ପ୍ରମାଣ । ଚର୍ଚ୍ଚିଲ୍ ଵିଶ୍ୱାସ କରୁଥିଲେ ଯେ ବ୍ରିଟିଶ୍ ଶାସନ ହିଁ ଭାରତରେ ଶୃଙ୍ଖଳା ବଜାୟ ରଖିଛି ଏଵଂ ଯଦି ସେମାନେ ଚାଲିଯାଆନ୍ତି, ତେବେ ଭାରତରେ ଅରାଜକତା ଖେଳିଯିଵ। ସ୍ୱାଧୀନତା ପୂର୍ଵରୁ ସେ ଏହା ମଧ୍ୟ କହିଥିଲେ ଯେ, "ଆମେ ଭାରତକୁ ଜବହରଲାଲ ନେହେରୁଙ୍କ ଭଳି ଦୁର୍ଵଳ ଵ୍ୟକ୍ତିମାନଙ୍କ (ଇଂରାଜୀରେ men of straw କହିଥିଲେ) ହାତରେ ଦେଇଯାଉଛୁ, ଯେଉଁମାନଙ୍କର କିଛି ଵର୍ଷ ପରେ କୌଣସି ଚିହ୍ନଵର୍ଣ୍ଣ ରହିଵ ନାହିଁ।" କିନ୍ତୁ ସେ ସମ୍ପୂର୍ଣ୍ଣ ଭୁଲ୍ ପ୍ରମାଣିତ ହେଲେ। ନେହେରୁ ପ୍ରାୟ ୧୭ ଵର୍ଷ ଧରି ଭାରତର ପ୍ରଧାନମନ୍ତ୍ରୀ ରହିଲେ ଏଵଂ ତାଙ୍କ ପରେ ଅନେକ ସାହସୀ ନେତା ଦେଶକୁ ଆଗେଇ ନେଲେ। ଆଜି ଭାରତର ନିଜସ୍ୱ ଏକ ଦୃଢ଼ ଜାତୀୟ ଓ ରାଜନୈତିକ ପରିଚୟ ରହିଛି। ଅନ୍ୟପକ୍ଷରେ, ବ୍ରିଟେନରେ ଚର୍ଚ୍ଚିଲଙ୍କ ପ୍ରତିମୂର୍ତ୍ତିଗୁଡ଼ିକୁ ଵିରୋଧ ପ୍ରଦର୍ଶନକାରୀମାନେ ଭଙ୍ଗାରୁଜା କରୁଛନ୍ତି, ଯାହା ପ୍ରମାଣ କରୁଛି ଯେ ଵାସ୍ତଵରେ ତାଙ୍କର ନିଜସ୍ୱ 'ରାଜନୈତିକ ଵ୍ୟକ୍ତିତ୍ୱ' ଏବେ ଵିପଦରେ ଅଛି।

ପାଶ୍ଚାତ୍ୟ ଗଣମାଧ୍ୟମର ଆଭିମୁଖ୍ୟ ମଧ୍ୟ ସମାନ ଥିଲା। ସେମାନେ ଏପରି ଖଵର ପ୍ରକାଶ କରୁଥିଲେ ଯେପରି ବ୍ରିଟେନ ଭାରତକୁ ସ୍ୱାଧୀନ କରି ଏକ ବଡ଼ ଉପକାର କରୁଛି।

The Observer ଲେଖିଥିଲା ଯେ ବ୍ରିଟିଶ୍ ଶାସନ ଯେଉଁ ନୈତିକ ଓ ଭୌତିକ ଲାଭ ଭାରତକୁ ଦେଇଛି, ତାହାର କୌଣସି ତୁଳନା ନାହିଁ। ଅର୍ଥାତ୍ ଭାରତୀୟମାନେ ଗୋଲାମ ହୋଇଥିଵାରୁ କୃତଜ୍ଞ ରହିଵା ଉଚିତ୍। The New York Times ଏହାକୁ ବ୍ରିଟିଶ୍ ଓ ଭାରତୀୟ ରାଜନୀତିର ଵିଜୟ ବୋଲି କହିଥିଲା। ଏହା ଠିକ୍ ସେହିପରି ଥିଲା, ଯେପରି କୌଣସି ଲୋକ ଜଣକ ଘରେ ନିଆଁ ଲଗାଇଵା ପରେ ତାକୁ ହିଁ ନିଆଁ ଲିଭାଇଵାର ଶ୍ରେୟ ଦିଆଯିଵା। Globe and Mail ଲେଖିଥିଲା ଯେ ବ୍ରିଟେନ ଭାରତ ପାଇଁ କରିଥିଵା ମହାନ ସେଵାକୁ ଭୁଲିହେଵ ନାହିଁ। ବୋଧହୁଏ ସେମାନେ ବଙ୍ଗ-ଓଡ଼ିଶାର ଦୁର୍ଭିକ୍ଷ, ଦେଶ ଵିଭାଜନ ବେଳର ରକ୍ତପାତ ଏଵଂ ଟ୍ରିଲିୟନ୍ ଡଲାରର ଲୁଣ୍ଠନକୁ 'ମହାନ ସେଵା' ବୋଲି ଭାବୁଥିଲେ।

ସ୍ବାଧୀନତା ପରେ ଵିଭାଜନ ଯୋଗୁଁ ଦଙ୍ଗା ହେଲା ଏଵଂ ହଜାର ହଜାର ଲୋକ ମଲେ । 
ଲଣ୍ଡନର The Daily Telegraph ଖବରକାଗଜ ଅଗଷ୍ଟ-ସେପ୍ଟେମ୍ବର ମାସରେ ଲଗାତାର ଶୀର୍ଷକ ଦେଉଥିଲା ଯେ କ୍ଷମତା ହସ୍ତାନ୍ତର ଏତେ ତରବରିଆ ଭାବେ କରାଗଲା ଯାହା ଭାରତୀୟମାନଙ୍କ ପାଇଁ ଏକ ଅଭିଶାପ ପାଲଟିଲା। ସେମାନଙ୍କର ସମ୍ପାଦକୀୟର ମୂଳ ସ୍ୱର ଥିଲା— "ବ୍ରିଟେନର ଉପସ୍ଥିତି ହିଁ ହିନ୍ଦୁ, ମୁସଲିମ୍ ଓ ଶିଖମାନଙ୍କ ମଧ୍ୟରେ ସନ୍ତୁଳନ ବଜାୟ ରଖିଥିଲା, ବର୍ତ୍ତମାନ ଆମେ ସେମାନଙ୍କୁ ନିଜ ନିଜ ଭିତରେ ଲଢ଼ିଵାକୁ ଛାଡ଼ିଦେଇଛୁ।"

୧୯୪୭ ସେପ୍ଟେମ୍ବର ସାସରେ ପଞ୍ଜାବ ଦଙ୍ଗା ଶୀର୍ଷରେ ଥିଵାବେଳେ 'ଦ ଟାଇମ୍ସ' ଏହାର ଏକ ସମ୍ପାଦକୀୟରେ ଲେଖିଥିଲା ଯେ ବ୍ରିଟିଶ୍ ପ୍ରଶାସନର ଶିଦାୟ ସହିତ ଭାରତରେ "ଆଇନ ଓ ଶୃଙ୍ଖଳାର ଏକ ଦୁଃଖଦ ପତନ" ଘଟିଛି। ସେମାନେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲେ ଯେ ଗୋଟିଏ ଶତାବ୍ଦୀରୁ ଅଧିକ ସମୟ ଧରି ବ୍ରିଟିଶ୍ ଶକ୍ତି ଯେଉଁ 'ଅଭୂତପୂର୍ଵ ଶାନ୍ତି' ଵା Pax Britannica ସ୍ଥାପନ କରିଥିଲା, ଭାରତୀୟ ନେତାମାନେ କ୍ଷମତା ପାଇଵାର ମାତ୍ର କିଛି ସପ୍ତାହ ମଧ୍ୟରେ ତାହା ଧ୍ୱଂସ ହୋଇଗଲା।

ଯେତେବେଳେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୧୯୪୮ ମସିହାରେ ହାଇଦ୍ରାବାଦର ନିଜାମର ଵିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ "Operation Polo" ଗ୍ରହଣ କଲେ, ସେତେବେଳେ ପାଶ୍ଚାତ୍ୟ ଗଣମାଧ୍ୟମ ଭାରତକୁ ତୀଵ୍ର ସମାଲୋଚନା କରିଥିଲା। ବ୍ରିଟିଶ୍ ପତ୍ରିକା The Economist ଏଵଂ କିଛି ଆମେରିକୀୟ ଖବରକାଗଜ ନଵଗଠିତ ଭାରତ ସରକାରଙ୍କୁ "ସାମ୍ରାଜ୍ୟଵାଦୀ" ଓ "ଆକ୍ରମଣକାରୀ" ବୋଲି ଆଖ୍ୟା ଦେଇଥିଲେ। ହାଇଦ୍ରାଵାଦର ସଂଖ୍ୟାଗରିଷ୍ଠ ଲୋକ ଯେ ଭାରତ ସହିତ ମିଶିଵାକୁ ଚାହୁଁଥିଲେ ଏଵଂ ରଜାକାରମାନଙ୍କ ଅତ୍ୟାଚାର ବୃଦ୍ଧି ପାଉଥିଲା, ସେହି ତଥ୍ୟକୁ ସେମାନେ ସମ୍ପୂର୍ଣ୍ଣ ଅଣଦେଖା କରିଥିଲେ।

୩୦ ଜାନୁଆରୀ ୧୯୪୮ରେ ଗାନ୍ଧୀଜୀଙ୍କ ମୃତ୍ୟୁ ପରେ ଅନେକ ପାଶ୍ଚାତ୍ୟ ସାମ୍ବାଦିକ ରିପୋର୍ଟ କରିଥିଲେ ଯେ ବର୍ତ୍ତମାନ ଭାରତ ଏକ ଗୃହଯୁଦ୍ଧ ଆଡ଼କୁ ଅଗ୍ରସର ହେଉଛି। ସେମାନେ ଵିଶ୍ୱାସ କରୁଥିଲେ ଯେ କେଵଳ ଗାନ୍ଧୀଜୀ ହିଁ ହିନ୍ଦୁ ଓ ମୁସଲମାନଙ୍କୁ ଏକାଠି ରଖିଥିଲେ ଏଵଂ ତାଙ୍କ ବିନା ଦେଶ ଖଣ୍ଡ ଵିଖଣ୍ଡିତ ହୋଇଯିଵ।

୧୯୪୭ ରୁ ୧୯୪୯ ମଧ୍ୟରେ ଯେତେବେଳେ ଭାରତର ସମ୍ବିଧାନ ପ୍ରସ୍ତୁତ ହେଉଥିଲା, ପାଶ୍ଚାତ୍ୟ ରାଜନୈତିକ ଵିଶ୍ଳେଷକମାନେ ଆଶ୍ଚର୍ଯ୍ୟ ପ୍ରକଟ କରୁଥିଲେ। ଗୋଟିଏ ପଟେ ଦେଶରେ ଦାରିଦ୍ର୍ୟ ଓ ନିରକ୍ଷରତା ଥିଵା ବେଳେ ଭାରତର ସବୁ ନାଗରିକଙ୍କୁ 'ସାର୍ଵଜନୀନ ଭୋଟଦାନ ଅଧିକାର' ଦେଵା ନିଷ୍ପତ୍ତିକୁ ପାଶ୍ଚାତ୍ୟ ପ୍ରେସ୍ ଏକ "ହାସ୍ୟାସ୍ପଦ ପରୀକ୍ଷଣ" ଵା ridiculous experiment ବୋଲି ଅଭିହିତ କରିଥିଲା। ସେମାନଙ୍କ ମତରେ ଅଶିକ୍ଷିତ ଲୋକମାନେ ଗଣତନ୍ତ୍ରର ମୂଲ୍ୟ ବୁଝିପାରିବେ ନାହିଁ। 

୧୯୪୭ରୁ ୧୯୫୦ ପର୍ଯ୍ୟନ୍ତ ପାଶ୍ଚାତ୍ୟ ଜଗତ କେଵଳ ଛିଦ୍ରାନ୍ୱେଷଣ କରୁଥିଲା ଏଵଂ ଅପେକ୍ଷା କରିଥିଲା ଯେ କେବେ ଭାରତୀୟ ସରକାର ଭୁଶୁଡ଼ି ପଡ଼ିଵ। କିନ୍ତୁ ଏହାର ଠିକ୍ ଵିପରୀତ ଘଟିଥିଲା; ଭାରତ ନିଜର ଦେଶୀୟ ରାଜ୍ୟଗୁଡ଼ିକୁ ଏକତ୍ରିତ କରି ଏକ ସଶକ୍ତ ଗଣତାନ୍ତ୍ରିକ ସମ୍ବିଧାନ ପ୍ରଣୟନ କରିଵାରେ ସଫଳ ହୋଇଥିଲା। 

ତେବେ ୧୯୬୦ ଦଶକ ପର୍ଯ୍ୟନ୍ତ ଏହିଭଳି ଭାରତର ଵିଖଣ୍ଡନ ଓ ଦେଶ ଵ୍ୟାପୀ ହିଂସା ଆଦି ଵିନାଶକାରୀ ଭଵିଷ୍ୟଵାଣୀ ଵିଦେଶୀ ଵ୍ୟକ୍ତି ଓ ସମ୍ବାଦପତ୍ର ଦ୍ଵାରା ଜାରି ରହିଥିଲା। 
ଆମେରିକୀୟ ଵିଦ୍ୱାନ ସେଲିଗ୍ ହ୍ୟାରିସନ୍ ନିଜ ବହି "The Most Dangerous Decades"ରେ ଚେତାବନୀ ଦେଇଥିଲେ ଯେ ନେହେରୁଙ୍କ ପରେ ଭାରତ ଛୋଟ ଛୋଟ ଖଣ୍ଡରେ ଵିଭାଜିତ ହୋଇଯିଵ (Balkanization) ଏଵଂ ସେନା ଶାସନ କ୍ଷମତାକୁ ନିଜ ହାତକୁ ନେଵ।

ଭାରତ ସ୍ୱାଧୀନ ହେଵା ପରେ ପାଶ୍ଚାତ୍ୟ ରାଜନୀତି ଵିଜ୍ଞାନୀମାନେ ମାନିଵାକୁ ପ୍ରସ୍ତୁତ ନଥିଲେ ଯେ ଶହ ଶହ ଭାଷା ଓ ବୋଲି କହୁଥିଵା ଲୋକମାନେ ଗୋଟିଏ ଦେଶରେ ଶାନ୍ତିରେ ରହିପାରିବେ। ଯେତେବେଳେ ଦକ୍ଷିଣ ଭାରତରେ ହିନ୍ଦୀ ଭାଷାକୁ ଵିରୋଧ କରାଗଲା ଏଵଂ ଭାଷାଭିତ୍ତିକ ରାଜ୍ୟ ଗଠନ ପାଇଁ ଦାବି ଉଠିଲା, ସେତେବେଳେ ପାଶ୍ଚାତ୍ୟ ଗଣମାଧ୍ୟମ ଆକଳନ କରିଥିଲେ ଯେ ଭାରତରେ ଏବେ ୟୁରୋପ ଭଳି ଭାଷା ଆଧାରରେ ଛୋଟ ଛୋଟ ଦେଶ ଗଠନ ହେଵ। କିନ୍ତୁ ଭାରତ 'ରାଜ୍ୟ ପୁନର୍ଗଠନ ଆୟୋଗ' ଗଠନ କରି ଅତି ଶାନ୍ତିପୂର୍ଣ୍ଣ ଭାବରେ ଭାଷାଭିତ୍ତିକ ରାଜ୍ୟ ସୃଷ୍ଟି କଲା ଏଵଂ ଵିଵିଧତାକୁ ନିଜର ଶକ୍ତିରେ ପରିଣତ କଲା। ସ୍ଵାଧୀନତାର ଅଶି ଵର୍ଷ ପରେ ମଧ୍ୟ ଭାରତର ଅଖଣ୍ଡତା ଆଜି ବି ଅକ୍ଷୁର୍ଣ୍ଣ ରହିଛି। ଭାରତକୁ ଵିଭାଜିତ କରିଵାର ସମସ୍ତ ଚେଷ୍ଟାକୁ ଵିଫଳ କରି ଆମେ ପ୍ରମାଣ କରିଛୁ ଯେ ଭାରତୀୟ ଗଣତନ୍ତ୍ର କେଵଳ ରାଜନେତାମାନଙ୍କ ଦ୍ୱାରା ନୁହେଁ, ଵରଂ ଦେଶର ସାଧାରଣ ଜନତାଙ୍କ ଦ୍ୱାରା ପରିଚାଳିତ।

ଏହା ପରେ ଆସିଲା ଜନସଂଖ୍ୟା ଏଵଂ ଖାଦ୍ୟ ସଙ୍କଟର ଆଶଙ୍କା। ୧୯୬୮ ମସିହାରେ ପରିଵେଶଵିତ୍ ପଲ୍ ଏର୍ଲିଚ୍ ତାଙ୍କ ବିହି "Population Bomb"ରେ ଲେଖିଲେ ଯେ ମାନଵଜାତିକୁ ଖାଦ୍ୟ ଯୋଗାଇଵାର ସମୟ ଶେଷ ହୋଇଯାଇଛି। ସେ ଦୃଢ଼ତାର ସହ କହିଥିଲେ ଯେ ୧୯୭୦ ଦଶକରେ ଲକ୍ଷ ଲକ୍ଷ ଭାରତୀୟ ଭୋକରେ ମରିବେ। କିନ୍ତୁ ଭାରତ ପୁଣିଥରେ ତାଙ୍କୁ ଭୁଲ୍ ପ୍ରମାଣିତ କଲା। ଭାରତ ନିଜର 'ସବୁଜ ଵିପ୍ଳଵ' ଵା Green Revolution ମାଧ୍ୟମରେ ନୂତନ ଜ୍ଞାନକୌଶଳ, ଉନ୍ନତ ଵିହନ ଓ ଜଳସେଚନ ଵ୍ୟଵସ୍ଥା ଆପଣାଇଲା। ଫଳସ୍ୱରୂପ, ଦେଶ ଖାଦ୍ୟାଭାବରୁ ବାହାରି ଖାଦ୍ୟଶସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇପାରିଲା। ଆଜି ଭାରତ ଵିଶ୍ଵର ଅନେକ ଖାଦ୍ୟଶସ୍ୟ ଉତ୍ପାଦନ ତଥା ରପ୍ତାନି କ୍ଷେତ୍ରରେ ପ୍ରଥମ ତିନି କିମ୍ବା ପ୍ରଥମ ପାଞ୍ଚ ସ୍ଥାନରେ ରହିଛି । 

୧୯୬୭ ମସିହାରେ 'ଦି ଟାଇମ୍ସ'ର ସାମ୍ଵାଦିକ ନେଭିଲ୍ ମ୍ୟାକ୍ସୱେଲ୍ ଘୋଷଣା କରିଥିଲେ ଯେ ୧୯୬୭ର ସାଧାରଣ ନିର୍ଵାଚନ ହେଉଛି ଭାରତର ଶେଷ ନିର୍ଵାଚନ ଏଵଂ ଏହା ପରେ ଗଣତନ୍ତ୍ର ଧ୍ୱଂସ ପାଇଵ। କିନ୍ତୁ ଆମେ ୨୦୨୪ ମସିହାରେ ଆମର ଅଷ୍ଟାଦଶ ସାଧାରଣ ନିର୍ଵାଚନ ଶେଷ କରିଛୁ, ଯାହା ମାନଵ ଇତିହାସର ସର୍ଵଵୃହତ୍ ନିର୍ଵାଚନ ପ୍ରକ୍ରିୟା ଅଟେ। ଏହା ଵ୍ୟତୀତ ୧୯୭୫ ମସିହାରେ ଯେତେବେଳେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଗଲା, ପାଶ୍ଚାତ୍ୟ ଜଗତ ଭାବିନେଲା ଯେ ଭାରତୀୟ ଗଣତନ୍ତ୍ରର ଅନ୍ତ ଘଟିଲା। କିନ୍ତୁ ୧୯୭୭ ନିର୍ଵାଚନରେ ଜନସାଧାରଣ ନିଜ ମତାଧିକାର ସାଵ୍ୟସ୍ତ କରି ସରକାର ବଦଳାଇ ଦେଲେ। ସେହିପରି ୧୯୯୦ ଦଶକର ଭୟଙ୍କର ଅର୍ଥନୈତିକ ସଙ୍କଟ ସମୟରେ ଭାରତର ଅର୍ଥଵ୍ୟଵସ୍ଥା ଭୁଶୁଡ଼ି ପଡ଼ିଵ ବୋଲି କୁହାଯାଉଥିଲା । ୧୯୯୧ ମସିହାରେ ଭାରତ ପାଖରେ ମାତ୍ର କିଛି ଦିନର ଆମଦାନୀ ପାଇଁ ଵିଦେଶୀ ମୁଦ୍ରା ଭଣ୍ଡାର ଵାକି ଥିଲା। ସେହି ସମୟରେ ଭାରତର ସବୁଠାରୁ ବଡ଼ ସାଥୀ ସୋଭିଏତ୍ ସଂଘ (USSR) ର ମଧ୍ୟ ପତନ ଘଟିଲା। ପାଶ୍ଚାତ୍ୟ ଅର୍ଥନୀତିଜ୍ଞମାନେ ସେତେବେଳେ କହିଥିଲେ ଯେ ଭାରତ ଏବେ ଅନ୍ତର୍ଜାତୀୟ ସ୍ତରରେ ଏକାକୀ ହୋଇଯାଇଛି ଏଵଂ ଆର୍ଥିକ ଦୃଷ୍ଟିରୁ ଏକ ଵିଫଳ ରାଷ୍ଟ୍ର ଵା Failed Stateରେ ପରିଣତ ହେଵ। କିନ୍ତୁ ଭାରତ ସହଜରେ ହାରିଯାଇ ନଥିଲା। ଏହି ସଙ୍କଟ ସମୟରେ ଭାରତ ଉଦାରୀକରଣ, ଘରୋଇକରଣ ଓ ଜଗତୀକରଣ ନୀତି ଆପଣାଇ ସାରା ଵିଶ୍ୱକୁ ନିଜର ଆର୍ଥିକ କ୍ଷମତା ଦେଖାଇଲା, ଯାହା ଆଜିର ୫ ଟ୍ରିଲିୟନ୍ ଡଲାର୍ ଅର୍ଥନୀତିର ମୂଳଦୁଆ ପକାଇଥିଲା। ୧୯୮୧ରେ ଆମେ ଆମର ଅର୍ଥନୀତିକୁ ଉନ୍ମୁକ୍ତ କରି ସାରା ଵିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଲୁ।

ପାଶ୍ଚାତ୍ୟ ଦେଶମାନେ ନିଜେ ଶିଳ୍ପ ଵିପ୍ଳଵ ଜରିଆରେ ଵିଶ୍ୱର ଅଧିକାଂଶ ପ୍ରଦୂଷଣ କରିସାରିଵା ପରେ, ୨୦୦୦ ଦଶକରେ ସେମାନେ ଭାରତ ଉପରେ ଚାପ ପକାଇଵା ଆରମ୍ଭ କଲେ। ସେମାନେ ଯୁକ୍ତି କଲେ ଯେ ଭାରତ ନିଜର ଶିଳ୍ପ ଓ କୋଇଲା ଵ୍ୟଵହାର ବନ୍ଦ କରୁ, ନଚେତ୍ ପୃଥିଵୀ ଧ୍ୱଂସ ହୋଇଯିଵ। ସେମାନେ ଆକଳନ କରୁଥିଲେ ଯେ ଭାରତ କେବେହେଲେ ବି ସବୁଜ ଶକ୍ତି ଆପଣାଇ ପାରିଵ ନାହିଁ। କିନ୍ତୁ ଭାରତ 'ଅନ୍ତର୍ଜାତୀୟ ସୌର ମେଣ୍ଟ' ଵା International Solar Alliance (ISA) ଗଠନ କରି ଏଵଂ ସୌରଶକ୍ତି ଉତ୍ପାଦନରେ ନିଜର ଲକ୍ଷ୍ୟଠାରୁ ଆଗୁଆ ସଫଳତା ଲଭି ସେମାନଙ୍କୁ ପ୍ରମାଣ କରିଦେଲା ଯେ ପରିଵେଶ ସୁରକ୍ଷାରେ ଭାରତ ଵିଶ୍ୱକୁ ଵାଟ ଦେଖାଇପାରିଵ।

୨୦୦୮ ମସିହାରେ ଆମେରିକାରେ ଲେହମ୍ୟାନ୍ ବଦର୍ସ ବ୍ୟାଙ୍କ୍ ବୁଡ଼ିଯିଵା ପରେ ସମଗ୍ର ପାଶ୍ଚାତ୍ୟ ଦେଶଗୁଡ଼ିକର ଅର୍ଥନୀତି ଧରାଶାୟୀ ହୋଇଥିଲା। ସେତେବେଳେ ଭଵିଷ୍ୟଵାଣୀ କରାଯାଇଥିଲା ଯେ ଭାରତ ଭଳି ଵିକାଶଶୀଳ ଦେଶ ଯେହେତୁ ଆମେରିକା ଓ ୟୁରୋପ ଉପରେ ରପ୍ତାନି ପାଇଁ ନିର୍ଭରଶୀଳ, ତେଣୁ ଭାରତରେ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇବେ ଏଵଂ ଆର୍ଥିକ ଵିପର୍ଯ୍ୟୟ ଦେଖାଦେଵ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ, ଭାରତର ପାରମ୍ପରିକ ବ୍ୟାଙ୍କିଙ୍ଗ୍ ଵ୍ୟଵସ୍ଥା ଏଵଂ ଦେଶଵାସୀଙ୍କର ଘରୋଇ ଖର୍ଚ୍ଚ ଭାରତକୁ ଏହି ଵିଶ୍ୱସ୍ତରୀୟ ସଙ୍କଟରୁ ଵଞ୍ଚାଇଦେଲା। ପାଶ୍ଚାତ୍ୟ ଦେଶଗୁଡ଼ିକ ଯେତେବେଳେ ମାନ୍ଦାଵସ୍ଥାରେ ସଢ଼ୁଥିଲେ, ଭାରତ ସେତେବେଳେ ଦ୍ରୁତ ଅଭିଵୃଦ୍ଧି ଲାଭ କରୁଥିଲା।

୨୦୧୪ ମସିହାରେ ଯେତେବେଳେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗଠନ ହେଲା, ସେତେବେଳେ ପାଶ୍ଚାତ୍ୟ ଜଗତ, ଵିଶେଷତଃ ଆମେରିକା ଓ ୟୁରୋପର ପ୍ରମୁଖ ଗଣମାଧ୍ୟମଗୁଡ଼ିକ ଅନେକ ନକାରାତ୍ମକ ଭଵିଷ୍ୟଵାଣୀ କରିଥିଲେ। ମୋଦୀଙ୍କ ପୂର୍ଵ ଇତିହାସ ଏଵଂ ରାଜନୈତିକ ଛବିକୁ ନେଇ ସେମାନେ ଆକଳନ କରିଥିଲେ ଯେ ଭାରତରେ ଅରାଜକତା ଖେଳିଯିଵ ଏଵଂ ଵିଶ୍ୱ ସ୍ତରରେ ଭାରତ ଏକଘରକିଆ ହୋଇଯିଵ।

୨୦୧୪ ସାଧାରଣ ନିର୍ଵାଚନର ଠିକ୍ ପୂର୍ଵରୁ ଏପ୍ରିଲ୍ ମାସରେ ବ୍ରିଟେନର ପ୍ରସିଦ୍ଧ ଵିଶ୍ୱସ୍ତରୀୟ ପତ୍ରିକା 'The Economist' "Can anyone stop Narendra Modi?" (ନରେନ୍ଦ୍ର ମୋଦୀଙ୍କୁ କେହି ଅଟକାଇ ପାରିବେ କି?) ନାମକ ଏକ ସମ୍ପାଦକୀୟ ପ୍ରକାଶ କରିଥିଲା। ସେଥିରେ ସେମାନେ ଖୋଲାଖୋଲି ଭାବେ ଲେଖିଥିଲେ ଯେ ମୋଦୀ କ୍ଷମତାକୁ ଆସିଲେ ଭାରତରେ ସାମ୍ପ୍ରଦାୟିକ ହିଂସା ଵୃଦ୍ଧି ପାଇଵ। ସେମାନେ ତାଙ୍କୁ "ଵିଭାଜନକାରୀ" ଆଖ୍ୟା ଦେଇ ଘୋଷଣା କରିଥିଲେ ଯେ ସେମାନେ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ସମର୍ଥନ କରିପାରିବେ ନାହିଁ ଏଵଂ "ଭାରତ ଏହାଠାରୁ ଜଣେ ଭଲ ନେତା ପାଇଵାକୁ ଯୋଗ୍ୟ"।

ଆମେରିକାର ଅଗ୍ରଣୀ ଖଵରକାଗଜ 'The New York Times'ରେ ମୋଦୀଙ୍କ ଵିଜୟ ପରେ ଏଵଂ ନିର୍ଵାଚନ ସମୟରେ ନ୍ୟୁୟର୍କ ଟାଇମ୍ସର ସମ୍ପାଦକୀୟ ପୃଷ୍ଠାରେ ବାରମ୍ଵାର ଲେଖାଯାଇଥିଲା ଯେ ମୋଦୀଙ୍କ ଵିଜୟ ଭାରତର 'ଧର୍ମନିରପେକ୍ଷତା' ପାଇଁ ସବୁଠାରୁ ବଡ଼ ଵିପଦ। ସେମାନେ ଆକଳନ କରିଥିଲେ ଯେ ଭାରତର ବହୁଳଵାଦୀ ଗଣତନ୍ତ୍ର ସଙ୍କଟରେ ପଡ଼ିଵ ଏଵଂ ଅଳ୍ପସଂଖ୍ୟକମାନଙ୍କ ଅଧିକାର କ୍ଷୁର୍ଣ୍ଣ ହେଵ।

୨୦୦୫ ମସିହାରେ ଆମେରିକା ମୋଦୀଙ୍କୁ ନିଜ ଦେଶକୁ ଆସିଵା ପାଇଁ ଭିସା (Visa) ଦେଵାକୁ ମନା କରିଦେଇଥିଲା ଏଵଂ ୟୁରୋପୀୟ ୟୁନିୟନ ମଧ୍ୟ ତାଙ୍କୁ ଵର୍ଜନ କରିଥିଲା। ଏହି ତଥ୍ୟକୁ ଆଧାର କରି The Washington Post ଓ Time Magazine ଭଳି ପାଶ୍ଚାତ୍ୟ ଗଣମାଧ୍ୟମ ଭଵିଷ୍ୟଵାଣୀ କରିଥିଲେ ଯେ ଯଦି ମୋଦି ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ପାଶ୍ଚାତ୍ୟ ଦେଶଗୁଡ଼ିକ ତାଙ୍କ ସହ କାମ କରିବେ ନାହିଁ। ଭାରତ ଆନ୍ତର୍ଜାତିକ ସ୍ତରରେ ଏକଘରକିଆ ହୋଇଯିଵ ଏଵଂ ଭାରତ-ଆମେରିକା ସମ୍ପର୍କ ସବୁଦିନ ପାଇଁ ଖରାପ ହୋଇଯିଵ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଥିଲେ।

ବ୍ରିଟେନର ଖଵରକାଗଜ 'The Guardian'' ୨୦୧୪ ନିର୍ଵାଚନ ପୂର୍ଵରୁ ଏହି ଖବରକାଗଜରେ ସଲମାନ ରୁସଦୀ ଏଵଂ ଅନିଶ କପୁରଙ୍କ ଭଳି ପ୍ରସିଦ୍ଧ ପାଶ୍ଚାତ୍ୟ ବୁଦ୍ଧିଜୀଵୀ ଓ କଳାକାରମାନେ ଏକ ଖୋଲା ଚିଠି ଵା Open Letter ପ୍ରକାଶ କରିଥିଲେ। ସେମାନେ ଚେତାବନୀ ଦେଇଥିଲେ ଯେ ମୋଦୀ କ୍ଷମତାକୁ ଆସିଵା ଅର୍ଥ ହେଉଛି ଭାରତରେ ଏକଛତ୍ରଵାଦ ଆଡ଼କୁ ଏକ ପାଦ, ଯାହା ଦେଶର ଵାକ୍ ସ୍ୱାଧୀନତା ଓ ଗଣତନ୍ତ୍ର ପାଇଁ ଏକ ଅନ୍ଧକାରମୟ ଭଵିଷ୍ୟତ ଆଣିଵ।

କିନ୍ତୁ ପରଵର୍ତ୍ତୀ ସମୟରେ ଵାସ୍ତଵିକ ପରିଣାମ କ'ଣ ହେଲା?

ଯେପରି ଭାରତ ଐତିହାସିକ ଭାବରେ ପାଶ୍ଚାତ୍ୟ ଆକଳନକୁ ଭୁଲ୍ ପ୍ରମାଣିତ କରିଆସିଛି, ୨୦୧୪ ପରେ ମଧ୍ୟ ତାହା ହିଁ ହେଲା । ଯେଉଁ ଆମେରିକା ମୋଦୀଙ୍କୁ ଭିସା ଦେଇନଥିଲା, ସେହି ଦେଶର ରାଷ୍ଟ୍ରପତିମାନେ ତାଙ୍କୁ ସମ୍ମାନର ସହ ସ୍ୱାଗତ କଲେ। ମୋଦୀ ଆମେରିକୀୟ କଂଗ୍ରେସ (ସଂସଦ)ରେ ଦୁଇଥର ଉଦ୍‌ବୋଧନ ଦେଵାର ଵିରଳ ସମ୍ମାନ ପାଇଲେ। ୟୁଏଇ, ସାଉଦି ଆରଵ, ଫ୍ରାନ୍ସ ଓ ଋଷିଆ ଭଳି ଦେଶ ତାଙ୍କୁ ନିଜର ସର୍ଵୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କଲେ। ଜି-୨୦ (G-20) ଶିଖର ସମ୍ମିଳନୀର ସଫଳ ଆୟୋଜନ ଏଵଂ ଭାରତୀୟ ଅର୍ଥନୀତି 'ଫ୍ରାଜାଇଲ୍ ଫାଇଭ୍' (ଦୁର୍ଵଳ ପାଞ୍ଚ)ରୁ ଉଠି ଦୁନିଆର ପଞ୍ଚମ ଵୃହତ୍ତମ ଅର୍ଥନୀତିରେ ପହଞ୍ଚିଵା, ପାଶ୍ଚାତ୍ୟ ଜଗତର ସମସ୍ତ ନକାରାତ୍ମକ ଆକଳନ ପାଇଁ ଏକ କଡ଼ା ଜଵାଵ ଥିଲା।
କିନ୍ତୁ ପାଶ୍ଚାତ୍ୟ ଦେଶଗୁଡ଼ିକର ଏହି ନକାରାତ୍ମକ ଦୃଷ୍ଟିକୋଣ କେଵଳ ରାଜନୀତି କିମ୍ଵା ଇତିହାସରେ ସୀମିତ ନଥିଲା, ଵରଂ ଆଧୁନିକ ଵିଜ୍ଞାନ, ପ୍ରଯୁକ୍ତିଵିଦ୍ୟା ଏଵଂ ଵିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ସେମାନେ ଭାରତକୁ କମ୍ ଆକଳନ କରିଥିଲେ ।

ଯେତେବେଳେ ଭାରତ ନିଜର ମହାକାଶ ଗଵେଷଣା ଆରମ୍ଭ କଲା, ପାଶ୍ଚାତ୍ୟ ଦେଶମାନେ ଏହାକୁ ଉପହାସ କରିଥିଲେ। ଏପରିକି ୨୦୧୪ ମସିହାରେ ଯେତେବେଳେ ଭାରତ 'ମଙ୍ଗଳଯାନ' ପ୍ରେରଣ କଲା ସେତେବେଳେ ଆମେରିକାର ପ୍ରସିଦ୍ଧ ଖବରକାଗଜ 'ନ୍ୟୁୟର୍କ ଟାଇମ୍ସ' (NYT) ଏକ ଵ୍ୟଙ୍ଗ୍ୟଚିତ୍ର ପ୍ରକାଶ କରିଥିଲା। ସେଥିରେ ଦେଖାଯାଇଥିଲା ଯେ ପାଶ୍ଚାତ୍ୟ ଦେଶର ଧନୀ ଲୋକମାନେ ଏକ "Elite Space Club" ଭିତରେ ବସିଛନ୍ତି ଏଵଂ ଜଣେ ଭାରତୀୟ କୃଷକ ଏକ ଗାଈ ଧରି ସେହି କ୍ଲବ୍‌ର କବାଟ ବାଡ଼ଉଛି। କିନ୍ତୁ ଭାରତ ପ୍ରଥମ ପ୍ରୟାସରେ ହିଁ ମଙ୍ଗଳ ଗ୍ରହରେ ପହଞ୍ଚି ଵିଶ୍ୱ ରେକର୍ଡ ସୃଷ୍ଟି କଲା। ତା'ର କିଛି ଵର୍ଷ ପରେ, ୨୦୨୩ ମସିହାରେ 'ଚନ୍ଦ୍ରଯାନ-୩' ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅଵତରଣ କଲା—ଯାହା ଵିଶ୍ୱର କୌଣସି ଵିକଶିତ ରାଷ୍ଟ୍ର କରିପାରିନଥିଲେ। ଆଜି ସେହି ପାଶ୍ଚାତ୍ୟ ଦେଶଗୁଡ଼ିକ ନିଜର ଉପଗ୍ରହ (satellites) ମହାକାଶକୁ ପଠାଇଵା ପାଇଁ ଇସ୍ରୋ (ISRO) ଉପରେ ନିର୍ଭର କରୁଛନ୍ତି।

ସେହିପରି ଯେତେବେଳେ ଭାରତ ସରକାର ଡିଜିଟାଲ୍ ପେମେଣ୍ଟ ଉପରେ ଗୁରୁତ୍ୱ ଦେଲେ, ପାଶ୍ଚାତ୍ୟ ଅର୍ଥନୀତିଜ୍ଞମାନେ କହିଲେ ଯେ ଯେଉଁ ଦେଶରେ ସାକ୍ଷରତା ହାର କମ୍, ଇଣ୍ଟରନେଟ୍ ସୁବିଧା ନାହିଁ ଏଵଂ ଅଧିକାଂଶ ଲୋକଙ୍କ ପାଖରେ ବ୍ୟାଙ୍କ ଖାତା ନାହିଁ, ସେଠାରେ ଡିଜିଟାଲ୍ ଅର୍ଥନୀତି ସମ୍ପୂର୍ଣ୍ଣ ଅସମ୍ଭଵ। କିନ୍ତୁ ଆଜି ଭାରତର ୟୁନିଫାଇଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ଵା UPI ସାରା ଵିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଛି। ଭାରତର ଛୋଟ ଗାଁରୁ ଆରମ୍ଭ କରି ସହରର ରାସ୍ତା କଡ଼ରେ ଚାହା ବିକୁଥିଵା ଦୋକାନୀ ମଧ୍ୟ ଆଜି QR କୋଡ୍ ସ୍କାନ୍ କରି ଟଙ୍କା ଗ୍ରହଣ କରୁଛନ୍ତି। ଆଜି ଵିଶ୍ୱର ମୋଟ୍ Real-time digital କାରବାରର ପ୍ରାୟ ୪୬% କେଵଳ ଭାରତରେ ହିଁ ହେଉଛି। ପାଶ୍ଚାତ୍ୟ Banking ଵ୍ୟଵସ୍ଥା ଆଜି ଭାରତର ଏହି ସଫଳତାକୁ ଦେଖି ନିଜ ଦେଶରେ ଏହାକୁ ଲାଗୁ କରିଵାକୁ ଚେଷ୍ଟା କରୁଛନ୍ତି।

୨୦୨୦ ମସିହାରେ କରୋନା ମହାମାରୀ ଆସିଵା ବେଳେ BBC ଓ CNN ଭଳି ପାଶ୍ଚାତ୍ୟ ଗଣମାଧ୍ୟମ ପୁଣି ଥରେ ନିଜର ପୁରୁଣା ଭାରତ ଵିରୋଧୀ ଗୀତ ଗାଇଵା ଆରମ୍ଭ କରିଦେଲେ। ସେମାନେ ଆକଳନ କଲେ ଯେ ଭାରତର ସ୍ୱାସ୍ଥ୍ୟ ଵ୍ୟଵସ୍ଥା ଭୁଶୁଡ଼ି ପଡ଼ିଵ, ରାସ୍ତାଘାଟରେ ଲକ୍ଷ ଲକ୍ଷ ଶଵ ପଡ଼ିଵ ଏଵଂ ଭାରତ ଭଳି ଵିଶାଳ ଜନସଂଖ୍ୟା ଥିଵା ଦେଶ କେବେହେଲେ ଟିକାକରଣ କରିପାରିଵ ନାହିଁ। କିନ୍ତୁ ଭାରତ କେଵଳ ନିଜ ଦେଶରେ 'Covaxin' ଭଳି ସ୍ୱଦେଶୀ ଟିକା ଵିକଶିତ କଲା ନାହିଁ, ଵରଂ 'CoWIN' ଆପ୍ ମାଧ୍ୟମରେ ଦୁଇ ଶହ କୋଟିରୁ ଊର୍ଦ୍ଧ୍ୱ ଡୋଜ୍ ସୁରୁଖୁରୁରେ ପ୍ରଦାନ କଲା। କେଵଳ ଏତିକି ନୁହେଁ, "Vaccine Maitri" ଯୋଜନା ଜରିଆରେ ଵିଶ୍ୱର ଶତାଧିକ ଦେଶକୁ ମାଗଣାରେ କୋଭିଡ୍ ଟିକା ଯୋଗାଇ ଵିଶ୍ୱଗୁରୁ ହେଵାର ପ୍ରମାଣ ମଧ୍ୟ ଦେଲା।

୧୯୯୦ ଦଶକରେ ପାଶ୍ଚାତ୍ୟ କମ୍ପାନୀମାନେ ଭାରତକୁ କେଵଳ ଶସ୍ତା ଶ୍ରମିକ ଓ "Call center'" ହିସାବରେ ଦେଖୁଥିଲେ। ସେମାନେ ଭାବୁଥିଲେ ଯେ ଭାରତୀୟମାନେ କେଵଳ ଆଜ୍ଞାଵହ କର୍ମଚାରୀ ହୋଇପାରିବେ, ଟେକ୍ନୋଲୋଜିରେ ନେତୃତ୍ୱ ନେଇପାରିବେ ନାହିଁ। କିନ୍ତୁ ଆଜି ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ଗୁଗଲ୍ (ସୁନ୍ଦର ପିଚାଇ), ମାଇକ୍ରୋସଫ୍ଟ (ସତ୍ୟ ନାଦେଲା), ଆଇବିଏମ୍ (ଅରଵିନ୍ଦ କ୍ରିଷ୍ଣା)ଠାରୁ ଆରମ୍ଭ କରି ଵିଶ୍ୱର ଵୃହତ୍ତମ ଟେକ୍ନୋଲୋଜି କମ୍ପାନୀଗୁଡ଼ିକର ଶୀର୍ଷ ପଦଵୀରେ ଆଜି ଭାରତୀୟମାନେ ହିଁ ଅଵସ୍ଥାପିତ।

ତେବେ ଭାରତ ପ୍ରତି ପାଶ୍ଚାତ୍ୟ ଦେଶମାନଙ୍କର ଏତେ ନୈରାଶ୍ୟଵାଦ ଏଵଂ ଘୃଣାଭାଵ କାହିଁକି ଥିଲା ଵା ଏବେବି ରହିଛି ?

ଏହାର ପ୍ରଥମ କାରଣ ହେଉଛି ଵର୍ଣ୍ଣଵୈଷମ୍ୟଵାଦ (Racism)। ୧୯୪୦ ଓ ୫୦ ଦଶକରେ ପାଶ୍ଚାତ୍ୟ ନେତାମାନେ ଭାରତୀୟମାନଙ୍କୁ ନୀଚ ଦୃଷ୍ଟିରେ ଦେଖୁଥିଲେ ଏଵଂ ଭାବୁଥିଲେ ଯେ ସେମାନେ ନିଜେ ନିଜର ଶାସନ କରିଵାକୁ ଅସମର୍ଥ। ଆଜି ବି ଊଣା ଅଧିକେ ସେହି ଵର୍ଣ୍ଣଵୈଷମ୍ୟଵାଦ ଯୋଗୁଁ କିଛି ଵିଦେଶୀ ଭାରତକୁ ଓ ଭାରତୀୟଙ୍କୁ ଘୃଣା କରନ୍ତି । 

ତେବେ ଭାରତ ସ୍ଵାଧୀନତା ପାଇଵା ସମୟରେ ଭାରତ ଓ ଭାରତୀୟଙ୍କ ଵିପକ୍ଷରେ ଯେଉଁ ଭଳି ଭାବରେ ନକାରାତ୍ମକ ଭଵିଷ୍ୟଵାଣୀ କରାଯାଇଥିଲା ତହିଁର ସବୁଠାରୁ ବଡ଼ କାରଣ 'ଭୟ' ହିଁ ଥିଲା । ବ୍ରିଟିଶ୍ ଏଵଂ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକ ଉପନିଵେଶଵାଦକୁ ଯଥାର୍ଥ ପ୍ରମାଣିତ କରିଵା ପାଇଁ ଏକ ମିଥ୍ୟା କାହାଣୀ ଗଢ଼ିଥିଲେ। ସେମାନେ ଦାବି କରୁଥିଲେ ଯେ ମୂଳ ନିଵାସୀମାନେ 'ଅସଭ୍ୟ' ଏଵଂ ଶାସନ ପରିଚାଳନା ପାଇଁ ଅଯୋଗ୍ୟ। ସେମାନେ ନିଜର ଲୁଣ୍ଠନକୁ ଘୋଡ଼ାଇଵା ପାଇଁ କହୁଥିଲେ ଯେ ସେମାନେ ଭାରତୀୟମାନଙ୍କୁ 'ସଭ୍ୟ' କରିଵାକୁ ଆସିଛନ୍ତି। ଯଦି ଭାରତ ନିଜକୁ ଏକ ସଫଳ ଏଵଂ ଆଧୁନିକ ରାଷ୍ଟ୍ର ଭାବରେ ଗଢ଼ି ତୋଳିଵାରେ ସକ୍ଷମ ହୁଏ, ତେବେ ଉପନିଵେଶଵାଦର ସେହି ମିଥ୍ୟା ଆଵରଣ ଖୋଲିଯିଵ ବୋଲି ସେମାନଙ୍କର ଭୟ ଥିଲା। ଏଥିପାଇଁ ହିଁ ସେମାନେ ଭାରତର ସଫଳତାକୁ ଭୟ କରୁଥିଲେ। କାରଣ ଭାରତର ସଫଳତାର ଅର୍ଥ ଥିଲା ସାମ୍ରାଜ୍ୟଵାଦୀମାନଙ୍କର ଦୁଇଥର ପରାଜୟ—ପ୍ରଥମେ ସେମାନେ ସେମାନଙ୍କର 'ଉପନିଵେଶ' ହରାଇଲେ, ଏଵଂ ଦ୍ୱିତୀୟରେ ସେମାନେ ଗଢ଼ିଥିଵା ସେହି ମିଥ୍ୟା 'କାହାଣୀ' ମଧ୍ୟ ହାରିଗଲା। ଯେହେତୁ ଭାରତର ସ୍ବାଧୀନତା ଲାଭ ପରଠାରୁ ଅର୍ଥାତ୍ ୮୦ ଵର୍ଷ ତଳୁ ଭାରତ ପ୍ରତି ନକାରାତ୍ମକ ଭଵିଷ୍ୟଵାଣୀ କରିଵା ଵର୍ଷ ଵର୍ଷ ଧରି ଜାରି ରହିଲା ତେଣୁ କ୍ରମେ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଏକ କୁ-ପରମ୍ପରାରେ ପରିଣତ ହୋଇଯାଇଛି । 

କିନ୍ତୁ ଭାରତ ଓ ଭାରତୀୟଙ୍କ ଵିପକ୍ଷରେ ଯେତେ ନକାରାତ୍ମକ ଟୀକା ଟିପ୍ପଣୀ ଓ ଭୟାନକ ଭଵିଷ୍ୟଵାଣୀ କଲେ ବି ଭାରତର କିଛି କ୍ଷତି ହୋଇନାହିଁ ‌। ଭାରତ ଆଜି କେଵଳ ତିଷ୍ଠି ରହିନାହିଁ, ଵରଂ ଵିଶ୍ୱ ଦରବାରରେ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ଉଭା ହୋଇଛି। ଯେଉଁ ଦେଶ ଦିନେ ଖାଦ୍ୟ ପାଇଁ ଅନ୍ୟ ଉପରେ ନିର୍ଭର କରୁଥିଲା, ସେ ଆଜି ଵିଶ୍ୱକୁ ଖାଦ୍ୟ ଯୋଗାଉଛି। ଯେଉଁ ଦେଶରେ ଗଣତନ୍ତ୍ର ବଞ୍ଚିଵ ନାହିଁ ବୋଲି ଭଵିଷ୍ୟଵାଣୀ କରାଯାଇଥିଲା, ସେ ଦେଶ ଆଜି "Mother of Democracy" ଭାବେ ସମଗ୍ର ଵିଶ୍ୱକୁ ପଥ ପ୍ରଦର୍ଶନ କରୁଛି।

ପାଶ୍ଚାତ୍ୟ ଜଗତ ଯେତେଥର ଭାରତର ପତନର ଆକଳନ କରିଛି, ଭାରତ ପ୍ରତିଥର ନିଜର କର୍ମ, ସଂକଳ୍ପ ଓ ଏକତା ବଳରେ ତାହାକୁ ଭୁଲ୍ ପ୍ରମାଣିତ କରିଛି। ଏହା ହିଁ ହେଉଛି ଭାରତର ପ୍ରକୃତ କାହାଣୀ—ଏକ Underdogର କାହାଣୀ, ଯିଏ କଦାପି ପରାଜୟ ଵରଣ କରେନାହିଁ। ଆଜିର ସମୃଦ୍ଧ, ଆତ୍ମନିର୍ଭର ଓ ଡିଜିଟାଲ୍ ଭାରତ ହେଉଛି ସେହି ସମସ୍ତ ନକାରାତ୍ମକ ଭଵିଷ୍ୟଵାଣୀ ପ୍ରତି ସବୁଠାରୁ କଡ଼ା ତଥା ଯୋଗ୍ୟ ଜବାବ ।


Monday, June 2, 2025

•ସ୍ଵାଧୀନତା ପରଵର୍ତ୍ତୀ ଭାରତର ଅର୍ଥନୈତିକ ଓ ସାମାଜିକ ଯାତ୍ରା•

ଇଂରେଜମାନେ ଗଲାବେଳେ ଭାରତକୁ ପୂରା କାଙ୍ଗାଳ କରି ଛାଡ଼ି ଯାଇଥିଲେ । ପ୍ରଖ୍ୟାତ ଅର୍ଥନୀତିଜ୍ଞ ଉତ୍ସା ପଟ୍ଟନାୟକ (Utsa Patnaik) ଙ୍କ ଗଵେଷଣା ଅନୁସାରେ, ୧୭୬୫ ରୁ ୧୯୩୮ ମଧ୍ୟରେ ଇଂରେଜମାନେ ଭାରତରୁ ପ୍ରାୟ ୪୫ ଟ୍ରିଲିୟନ ଡଲାର (ଆଜିର ମୂଲ୍ୟରେ) ଲୁଟି ନେଇଥିଲେ। ଏହି ଅଙ୍କ ବ୍ରିଟେନର ଵର୍ତ୍ତମାନର ବାର୍ଷିକ GDP ର ପ୍ରାୟ ୧୫-୧୭ ଗୁଣ ଅଟେ। ଏ ଟଙ୍କା ଏତେ ଅଧିକ ଯେ ଲଣ୍ଡନକୁ ଚାରିଥର ପଚାଶ ପାଉଣ୍ଡ ନୋଟରେ ଆଚ୍ଛାଦିତ କରାଯାଇପାରେ। 

ଅଵଶ୍ୟ କେତେକ ଇତିହାସବିଦ୍, ଯେପରିକି ନିଆଲ୍ ଫର୍ଗୁସନ୍, ଦାବି କରନ୍ତି ଯେ ବ୍ରିଟିଶ ଶାସନ ଭାରତକୁ କିଛି ଵିକାଶରେ ସାହାଯ୍ୟ କରିଥିଲା (ଯେପରିକି ରେଳବାଇ ଓ ଶିକ୍ଷା)। କିନ୍ତୁ ଉତ୍ସା ପଟ୍ଟନାୟକ ଓ ଅନ୍ୟମାନେ ଏହାକୁ ଖଣ୍ଡନ କରି କହିଛନ୍ତି ଯେ ଏହି ବିକାଶ ମୁଖ୍ୟତଃ ବ୍ରିଟିଶ ସ୍ୱାର୍ଥ ପାଇଁ ଥିଲା, ଏବଂ ଭାରତୀୟମାନଙ୍କ ପାଇଁ ଏହାର ଲାଭ ନଗଣ୍ୟ ଥିଲା। ଯୋଉମାନେ ଇଂରେଜମାନଙ୍କ ସପକ୍ଷରେ କୁହନ୍ତି ସେମାନେ ୧୦୦୦ ଵର୍ଷ ପୂର୍ଵର ଭାରତ ଓ ୧୦୦ ଵର୍ଷ ତଳର ଭାରତର ଅଵସ୍ଥା ସମ୍ବନ୍ଧରେ ଅଧ୍ୟୟନ କରିଵା ଆଵଶ୍ୟକ ।‌ ତେବେ ଏତେ ପଛକୁ ନଯାଇ 
ଇଂରେଜମାନଙ୍କ ଶାସନ ପୂର୍ଵ ସମୟର ଭାରତୀୟ ଅର୍ଥନୈତିକ ସ୍ଥିତିକୁ ଵିଚାର କରି ଦେଖିଲେ ବି ସେମାନଙ୍କର ଆଖି ଖୋଲିଯିଵ । ଇଂରେଜମାନଙ୍କ ଭାରତ ଅଧିକାର ପୂର୍ଵରୁ ଅର୍ଥାତ୍ ୧୭୫୭ ମସିହା ପୂର୍ଵରୁ, ଭାରତ ଅର୍ଥନୀତି କ୍ଷେତ୍ରରେ ଵିଶ୍ୱର ସବୁଠାରୁ ଵୃହତ ଅର୍ଥନୀତି ଥିଲା ।‌ ଵିଶ୍ଵରେ ଭାରତ ସବୁଠାରୁ ସମୃଦ୍ଧ ଦେଶ ଭାବେ ପ୍ରଥମ ସ୍ଥାନରେ ଥିଲା। ଅର୍ଥନୀତିଜ୍ଞ ଆଙ୍ଗସ୍ ମାଡିସନ୍ (Angus Maddison) ଙ୍କ ଗଵେଷଣା ଅନୁସାରେ, ୧୭୦୦ ମସିହାରେ ଭାରତର ଅର୍ଥନୀତି ଵିଶ୍ୱର ମୋଟ GDPର ୨୪.୪% ଥିଲା, ଯାହା ଚୀନ (୨୨.୩%) ଓ ପଶ୍ଚିମ ଇଉରୋପର ସମସ୍ତ ଅର୍ଥନୀତିକୁ ମିଶାଇ ଅପେକ୍ଷା ଅଧିକ ଥିଲା। କିନ୍ତୁ ଇଂରେଜମାନଙ୍କ ଆଗମନ ପରେ ପରେ ଭାରତ ପୃଥିଵୀର ଏକ ଦରିଦ୍ର ଦେଶରେ ପରିଣତ ହୋଇଥିଲା । ଉଦାହରଣ ସ୍ଵରୂପ ଭାରତର ପ୍ରତି ଵ୍ୟକ୍ତି ଆୟ ୧୯୦୦ରୁ ୧୯୪୬ ମଧ୍ୟରେ ପ୍ରାୟ ସ୍ଥିର ରହିଥିଲା (୧୯୦୦ରେ ୧୯୬.୧ ଟଙ୍କା ଥିଵା ବେଳେ ୧୯୪୬ରେ ୨୦୧.୯ ଟଙ୍କା)। ୧୭୫୦ରେ ଭାରତ ଵିଶ୍ୱର ୨୫% ଶିଳ୍ପ ଉତ୍ପାଦନ କରୁଥିଲା, କିନ୍ତୁ ୧୯୦୦ ବେଳକୁ ଏହା ୨% କୁ ହ୍ରାସ ପାଇଥିଲା, ଯାହା ବ୍ରିଟିଶ ସୁରକ୍ଷାବାଦୀ ନୀତି (protectionist policies) ଯୋଗୁଁ ହୋଇଥିଲା। ଇଂରେଜମାନଙ୍କର ଉଚ୍ଚ କର, ଖାଦ୍ୟ ରପ୍ତାନି, ଓ ଅନାଵଶ୍ୟକ ଋଣ ଯୋଗୁଁ ଭାରତରେ ଦୁର୍ଭିକ୍ଷ ଓ ଦାରିଦ୍ର୍ୟ ବୃଦ୍ଧି ପାଇଥିଲା। ୧୯୧୧ରେ ଭାରତୀୟଙ୍କର ଜୀଵନ ଆୟୁ ମାତ୍ର ୨୨ ଵର୍ଷ ଥିଲା। ତେବେ ଇଂରେଜମାନେ ଭାରତକୁ ଆଖୁ ଚିପୁଡ଼ିଲା ଭଳି ଚିପୁଡ଼ି ଦେଇ ଗଲାପରେ ଏ ଦେଶ ସେବେଠାରୁ ଆଜି ପର୍ଯ୍ୟନ୍ତ ଅନେକ ଉନ୍ନତି କରିଛି । ଏମିତି ଶହେଟିରୁ ଅଧିକ କ୍ଷେତ୍ରରେ ଭାରତ ଶୀର୍ଘ ୫ ସ୍ଥାନରେ ରହିଛି ତେବେ ସେ ସମସ୍ତ ଵିଷୟକୁ ଏଠାରେ ଏକାବେଳକେ ଉଲ୍ଲେଖ କରିଵା କଷ୍ଟକର । ତଥାପି ଭାରତର କେତେକ ମୁଖ୍ୟ ମୁଖ୍ୟ ଉପଲବ୍ଧି ଵିଷୟରେ ନିମ୍ନରେ ଉଲ୍ଲେଖ କରାଗଲା । 


ଭାରତ ଏବେ ଵିଶ୍ୱର ଚତୁର୍ଥ ଵୃହତ୍ତମ ଅର୍ଥନୀତି । ଆମେରିକା, ଚୀନ୍, ଜାପାନ, ଓ ଜର୍ମାନୀ ପରେ ଭାରତ ଚତୁର୍ଥ । IMF ଏବଂ ଵିଶ୍ୱ ବ୍ୟାଙ୍କର ତଥ୍ୟ ଅନୁଯାୟୀ, ୨୦୨୪-୨୫ରେ ଭାରତର GDP ପ୍ରାୟ $୩.୯ ଟ୍ରିଲିୟନ୍ ଅଟେ।

ଭାରତ ଵିଶ୍ୱରେ ସର୍ଵାଧିକ ଦୁଗ୍ଧ ଉତ୍ପାଦକ (ର‍୍ୟାଙ୍କ ୧)। FAO ତଥ୍ୟ ଅନୁଯାୟୀ, ଭାରତ ପ୍ରାୟ ୨୨% ଵିଶ୍ୱ ଦୁଗ୍ଧ ଉତ୍ପାଦନ କରେ, ଯାହା ଅମୁଲ ଓ ଶ୍ୱେତ ବିପ୍ଲବ ଦ୍ୱାରା ସମ୍ଭଵ ହୋଇଛି।

ଭାରତ ଵିଶ୍ୱରେ IT ଓ ସଫ୍ଟୱେର ସେବା ରପ୍ତାନିରେ ଶୀର୍ଷ ସ୍ଥାନରେ (ର‍୍ୟାଙ୍କ ୧ କିମ୍ବା ୨)। NASSCOM ଅନୁଯାୟୀ, ଭାରତୀୟ IT ଶିଳ୍ପର ରପ୍ତାନି ମୂଲ୍ୟ $୧୯୦ ବିଲିୟନ୍‌ରୁ ଅଧିକ (୨୦୨୪)।

ଭାରତ ଵିଶ୍ୱରେ ଜେନେରିକ୍ ଔଷଧ ଉତ୍ପାଦନରେ ତୃତୀୟ ଵୃହତ୍ତମ (ର‍୍ୟାଙ୍କ ୩) ଏଵଂ ପରିମାଣ ଅନୁଯାୟୀ ପ୍ରଥମ ଦେଶ ଅଟେ । ଏହା "ଵିଶ୍ୱର ଫାର୍ମାସି" ଭାବେ ପରିଚିତ, ଯାହା ଵିଶ୍ୱକୁ ୬୦% ଟୀକା ଯୋଗାଇଥାଏ।

ଭାରତ ଧାନ ଉତ୍ପାଦନରେ ଵିଶ୍ୱରେ ଦ୍ୱିତୀୟ (ଚୀନ୍ ପରେ) ଏଵଂ ଗହମ ଉତ୍ପାଦନରେ ମଧ୍ୟ ଦ୍ୱିତୀୟ। ଏହା ଵିଶ୍ୱରେ ଅନ୍ୟତମ ପନିପରିବା ଓ ଫଳ ଉତ୍ପାଦକ (FAO ତଥ୍ୟ) ଦେଶ।

ଇସ୍ରୋ (ISRO) ବିଶ୍ୱରେ ଅନ୍ୟତମ ଶୀର୍ଷ ୫ଟି ଅନ୍ତରୀକ୍ଷ ସଂସ୍ଥା ମଧ୍ୟରେ ସ୍ଥାନ ପାଇଛି। ମଙ୍ଗଳଯାନ ଓ ଚନ୍ଦ୍ରଯାନ-୩ ଭଳି ମିଶନ ଭାରତକୁ ଅନ୍ତରୀକ୍ଷ ଗଵେଷଣାରେ ଚତୁର୍ଥ କିମ୍ବା ପଞ୍ଚମ ସ୍ଥାନରେ ରଖିଛି।

ଵିଶ୍ୱର ଦ୍ୱିତୀୟ ସର୍ଵଧିକ ଇଣ୍ଟରନେଟ ଵ୍ୟଵହାରକାରୀ (୮୦୦ ମିଲିୟନ୍‌ରୁ ଅଧିକ) ଏଵଂ ମୋବାଇଲ ଫୋନ୍ ଵ୍ୟଵହାରକାରୀ ଭାରତରେ ରହିଛନ୍ତି, ଯାହା ଡିଜିଟାଲ ଅଵସଂସ୍ଥାନରେ ଭାରତର ଉନ୍ନତି ଓ ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ଦର୍ଶାଏ ।‌

ଭାରତ ଵିଶ୍ୱରେ ନଵୀକରଣୀୟ ଶକ୍ତି ଉତ୍ପାଦନରେ (ବିଶେଷତଃ ସୌର ଓ ପଵନ ଶକ୍ତି) ଚତୁର୍ଥ ସ୍ଥାନରେ ରହିଛି। ୨୦୨୪ ସୁଦ୍ଧା ଭାରତର ସୌର ଶକ୍ତି କ୍ଷମତା ୮୫ GW ଅତିକ୍ରମ କରିଛି ଏଵଂ ମୋଟ ନଵୀକରଣୀୟ ଶକ୍ତି କ୍ଷମତା ୧୪୦ GWରୁ ଅଧିକ ।

ଭାରତ ଵିଶ୍ୱରେ ଦ୍ୱିତୀୟ ଵୃହତ୍ତମ ସ୍ମାର୍ଟଫୋନ ଉତ୍ପାଦକ ଦେଶ (ଚୀନ୍ ପରେ) ଅଟେ। "ମେକ୍ ଇନ୍ ଇଣ୍ଡିଆ" କାର୍ଯ୍ୟକ୍ରମ ଅଧୀନରେ ସାମସଙ୍ଗ, ଶାଓମି, ଓ ଆପଲ୍ ଭଳି କମ୍ପାନୀ ଭାରତରେ ଵୃହତ୍ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିଛନ୍ତି। ୨୦୨୪ରେ ଭାରତ ପ୍ରାୟ ୩୩୦ ମିଲିୟନ୍ ସ୍ମାର୍ଟଫୋନ ଉତ୍ପାଦନ କରିଛି।

ଭାରତର ସ୍ଟାର୍ଟଅପ୍ ଇକୋସିଷ୍ଟମ ଵିଶ୍ୱରେ ତୃତୀୟ ଵୃହତ୍ତମ (ଆମେରିକା ଓ ଚୀନ୍ ପରେ)। ୨୦୨୫ ସୁଦ୍ଧା ଭାରତରେ ୧୦୦,୦୦୦ରୁ ଅଧିକ ସ୍ଟାର୍ଟଅପ୍ ଏବଂ ୧୦୦ରୁ ଅଧିକ Unicorn (ମୂଲ୍ୟ $୧ ବିଲିୟନ୍‌ରୁ ଅଧିକ) ରହିଛି, ଯେମିତି Byju’s, Paytm, ଓ Zomato ଇତ୍ୟାଦି ।‌

ଭାରତ ବିଶ୍ୱରେ ପଞ୍ଚମ ବୃହତ୍ତମ ପ୍ରତିରକ୍ଷା ବଜେଟ ଥିଵା ଦେଶ ଅଟେ (SIPRI ତଥ୍ୟ, ୨୦୨୪)। ଏହା ବ୍ରହ୍ମୋସ କ୍ଷେପଣାସ୍ତ୍ର, ତେଜସ ଯୁଦ୍ଧବିମାନ, ଆକାଶ ମିସାଇଲ ସିଷ୍ଟମ୍ ଓ ଅଗ୍ନି ଶ୍ରେଣୀର ବାଲିଷ୍ଟିକ୍ ମିସାଇଲ୍ ଭଳି ସ୍ୱଦେଶୀ ପ୍ରଯୁକ୍ତିରେ ଅଗ୍ରଣୀ।

ଭାରତ ଵିଶ୍ୱରେ ସର୍ଵାଧିକ ଚଳଚ୍ଚିତ୍ର ଉତ୍ପାଦନ କରୁଥିଵା ଦେଶ (ର‍୍ୟାଙ୍କ ୧)। ବଲିଉଡ୍, ଟଲିଉଡ୍, ଓ ଅନ୍ୟ ଆଞ୍ଚଳିକ ଚଳଚ୍ଚିତ୍ର ଶିଳ୍ପ ମିଳିତ ଭାବେ ଵର୍ଷକୁ ୧,୫୦୦-୨,୦୦୦ ଚଳଚ୍ଚିତ୍ର ନିର୍ମାଣ କରେ, ଯାହା ହଲିଉଡ୍ ଓ ଅନ୍ୟ ଶିଳ୍ପଠାରୁ ଅଧିକ।

ଭାରତ ଵିଶ୍ୱରେ ସର୍ଵାଧିକ ମସଲା ଉତ୍ପାଦକ ଓ ରପ୍ତାନିକାରୀ (ର‍୍ୟାଙ୍କ ୧)। ଏହା ଵିଶ୍ୱ ମସଲା ବଜାରର ପ୍ରାୟ ୭୦% ଯୋଗାଇଥାଏ, ଯେଉଁଥିରେ ହଳଦୀ, ମରିଚ, ଓ ଅଳେଇଚ ଇତ୍ୟାଦି ପ୍ରମୁଖ।

ଭାରତ ବିଶ୍ୱରେ ପ୍ରଥମ ପାଞ୍ଚଟି ସ୍ଥାନ (ର‍୍ୟାଙ୍କ ୧ରୁ ୫) ମଧ୍ୟରେ ଥିବା ଅନ୍ୟ କିଛି ଉଲ୍ଲେଖନୀୟ କ୍ଷେତ୍ର ନିମ୍ନଲିଖିତ ଅଟେ (ପୂର୍ବରୁ ଉଲ୍ଲେଖିତ କ୍ଷେତ୍ରଗୁଡ଼ିକ ବ୍ୟତୀତ):

ଭାରତ ଵିଶ୍ୱରେ ଟେକ୍ସଟାଇଲ୍ ଓ ପୋଷାକ ରପ୍ତାନିରେ ଚତୁର୍ଥ ଵୃହତ୍ତମ ଦେଶ। ୨୦୨୪ ସୁଦ୍ଧା, ଭାରତର ଟେକ୍ସଟାଇଲ୍ ରପ୍ତାନି ମୂଲ୍ୟ ପ୍ରାୟ $୪୦ ବିଲିୟନ୍, ଯେଉଁଥିରେ ତୁଳା, ଓ ହସ୍ତଶିଳ୍ପ ପୋଷାକ ପ୍ରମୁଖ (ଭାରତ ସରକାରର ଟେକ୍ସଟାଇଲ୍ ମନ୍ତ୍ରଣାଳୟ ତଥ୍ୟ)।

ଭାରତ ଵିଶ୍ୱରେ ଚତୁର୍ଥ ବୃହତ୍ତମ ଅଟୋମୋବାଇଲ ଉତ୍ପାଦକ (ଯାତ୍ରୀବାହୀ ଗାଡ଼ି ଓ ଦୁଇଚକିଆ ସହିତ)। ଭାରତ ଦୁଇଚକିଆ ଗାଡ଼ି ଉତ୍ପାଦନ କ୍ଷେତ୍ରରେ ଵିଶ୍ୱରେ ଦ୍ୱିତୀୟ (ଚୀନ୍ ପରେ), ଯେଉଁଥିରେ ବାର୍ଷିକ ୨୨-୨୫ ମିଲିୟନ୍ ଗାଡ଼ି ଉତ୍ପାଦନ ହୁଏ (SIAM ତଥ୍ୟ, ୨୦୨୪)।

ଭାରତ ଵିଶ୍ୱରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ପଞ୍ଚମ ସ୍ଥାନରେ ରହିଛି। ଏହା ମସଲା, ଶସ୍ୟ, ଓ ପ୍ରକ୍ରିୟାକୃତ ଖାଦ୍ୟ (ଯେମିତି ଫଳ ରସ ଓ ପ୍ୟାକେଜ୍‌ଡ୍ ଖାଦ୍ୟ) ରପ୍ତାନିରେ ଅଗ୍ରଣୀ, ଯାହାର ବଜାର ମୂଲ୍ୟ $୫୦ ବିଲିୟନ୍‌ରୁ ଅଧିକ (APEDA ତଥ୍ୟ)।

 ଭାରତ ଵିଶ୍ୱରେ ତୃତୀୟ ବୃହତ୍ତମ ପେଟ୍ରୋଲିୟମ ରିଫାଇନିଂ କ୍ଷମତା ଥିଵା ଦେଶ। ରିଲାଏନ୍ସ ଜାମନଗର ରିଫାଇନାରୀ ଵିଶ୍ୱରେ ସର୍ଵଵୃହତ୍ ଏକକ ରିଫାଇନାରୀ କମ୍ପ୍ଲେକ୍ସ ଅଟେ, ଯାହା ଵାର୍ଷିକ ୬୮ ମିଲିୟନ୍ ଟନ୍ କ୍ଷମତା ରଖିଛି । 

ଭାରତ ଵିଶ୍ୱରେ ଡିଜିଟାଲ ପେମେଣ୍ଟ ନେଣଦେଣରେ ପ୍ରଥମ ସ୍ଥାନରେ ରହିଛି। UPI (Unified Payments Interface) ମାଧ୍ୟମରେ ଭାରତ ୨୦୨୪ରେ ମାସିକ ୧୫ ବିଲିୟନ୍‌ରୁ ଅଧିକ ନେଣଦେଣ କରିଛି, ଯାହା ଵିଶ୍ୱରେ ଅନ୍ୟ କୌଣସି ଦେଶଠାରୁ ଅଧିକ (NPCI ତଥ୍ୟ)।

ଇସ୍ରୋ ଵିଶ୍ୱରେ ସର୍ଵାଧିକ ଖର୍ଚ୍ଚ-ଦକ୍ଷ ଉପଗ୍ରହ ଉତ୍କ୍ଷେପଣ ସଂସ୍ଥା ଭାବେ ପ୍ରଥମ ସ୍ଥାନରେ ରହିଛି। ଉଦାହରଣ ସ୍ୱରୂପ, ମଙ୍ଗଳଯାନ ($୭୪ ମିଲିୟନ୍) ଓ ଚନ୍ଦ୍ରଯାନ-୩ ($୭୫ ମିଲିୟନ୍) ନାସା ଓ ଅନ୍ୟ ସଂସ୍ଥାଙ୍କ ତୁଳନାରେ ଅତ୍ୟନ୍ତ କମ୍ ଖର୍ଚ୍ଚରେ ସଫଳ ହୋଇଛି।

ଭାରତ ବିଶ୍ୱରେ ଦ୍ୱିତୀୟ ବୃହତ୍ତମ ଚା’ ଉତ୍ପାଦକ (ଚୀନ୍ ପରେ)। ଆସାମ, ଦାର୍ଜିଲିଂ, ଓ ନୀଳଗିରିରୁ ଉତ୍ପାଦିତ ଚା’ ଵିଶ୍ୱଵ୍ୟାପୀ ପ୍ରସିଦ୍ଧ। ୨୦୨୪ରେ ଭାରତ ପ୍ରାୟ ୧.୩୫ ବିଲିୟନ୍ କିଲୋଗ୍ରାମ ଚା’ ଉତ୍ପାଦନ କରିଛି, ଯାହା ଵିଶ୍ୱ ଉତ୍ପାଦନର ୨୫%ରୁ ଅଧିକ ।

ଭାରତ ଵିଶ୍ୱରେ ମେଡିକାଲ ଟୁରିଜମରେ ପଞ୍ଚମ ସ୍ଥାନରେ ରହିଛି। ଉଚ୍ଚମାନର ସ୍ୱାସ୍ଥ୍ୟସେଵା, କମ୍ ଖର୍ଚ୍ଚ, ଓ ଆଧୁନିକ ହସ୍ପିଟାଲ (ଯେମିତି AIIMS, Apollo, Fortis) ଯୋଗୁଁ ପ୍ରତିଵର୍ଷ ୨ ମିଲିୟନ୍‌ରୁ ଅଧିକ ଵିଦେଶୀ ରୋଗୀ ଭାରତରେ ଚିକିତ୍ସା ପାଇଁ ଆସୁଛନ୍ତି। ଏହି ଶିଳ୍ପର ମୂଲ୍ୟ ୨୦୨୪ରେ $୯ ବିଲିୟନ୍‌ରୁ ଅଧିକ ।‌

ଭାରତ ଵିଶ୍ୱରେ ଦ୍ୱିତୀୟ ଵୃହତ୍ତମ ସିମେଣ୍ଟ ଉତ୍ପାଦକ ଦେଶ (ଚୀନ୍ ପରେ)। ୨୦୨୪ରେ ଭାରତର ସିମେଣ୍ଟ ଉତ୍ପାଦନ କ୍ଷମତା ପ୍ରାୟ ୫୫୦ ମିଲିୟନ୍ ଟନ୍, ଯାହା ଵିଶ୍ୱ ଉତ୍ପାଦନର ୮-୧୦% ଅଟେ।

ଭାରତ ଵିଶ୍ୱରେ ଜୈଵିକ ସାର(Organic Fertilizers) ଉତ୍ପାଦନରେ ତୃତୀୟ ସ୍ଥାନରେ ରହିଛି। ସରକାରୀ ଯୋଜନା ଓ ଜୈଵିକ ଚାଷକୁ ପ୍ରୋତ୍ସାହନ ଯୋଗୁଁ ଏହାର ବଜାର ୨୦୨୪ରେ $୧.୫ ବିଲିୟନ୍‌ରୁ ଅଧିକ ହୋଇଛି, ଯାହା କୃଷିରେ ଅଗ୍ରଣୀ ଭୂମିକା ନେଇଛି।

ଭାରତ ଵୈ-ବର୍ଜ୍ୟ (Electronic Waste - ଵୈଦୁତିକ ଵର୍ଜ୍ୟଵସ୍ତୁ) ପୁନର୍ଵ୍ୟଵହାର କ୍ଷେତ୍ରରେ ଵିଶ୍ୱର ପଞ୍ଚମ ଅଗ୍ରଣୀ ଦେଶ। ସ୍ୱଚ୍ଛ ଭାରତ ଅଭିଯାନ ଓ ସରକାରୀ ନୀତି ଯୋଗୁଁ ୨୦୨୪ରେ ଭାରତ ପ୍ରାୟ ୧.୫ ମିଲିୟନ୍ ଟନ୍ ଵୈ-ବର୍ଜ୍ୟ ପରିଚାଳନା କରିଛି (Global E-waste Monitor)।


ଭାରତ ଵିଶ୍ୱରେ ଦ୍ୱିତୀୟ ଵୃହତ୍ତମ ଆଖୁ ଉତ୍ପାଦକ (ବ୍ରାଜିଲ ପରେ)। ୨୦୨୪ରେ ଭାରତ ପ୍ରାୟ ୪୦୦ ମିଲିୟନ୍ ଟନ୍ ଆଖୁ ଉତ୍ପାଦନ କରିଛି, ଯାହା ବିଶ୍ୱ ଉତ୍ପାଦନର ୨୦%ରୁ ଅଧିକ ।

ଭାରତର ପୋଷ୍ଟାଲ ସେଵା, India Post,ଵିଶ୍ୱରେ ସର୍ଵଵୃହତ୍ ଡାକ ନେଟୱାର୍କ (ର‍୍ୟାଙ୍କ ୧)। ଏହାର ୧.୫୫ ଲକ୍ଷରୁ ଅଧିକ ଡାକଘର ରହିଛି, ଯାହା ଗ୍ରାମୀଣ ଓ ସହରୀ ଅଞ୍ଚଳକୁ ସଂଯୋଗ କରେ ।

ଭାରତ ଵିଶ୍ୱରେ ଵୈଦ୍ୟୁତିକ ଦ୍ୱିଚକ୍ରୀ ଯାନ ଉତ୍ପାଦନ ଓ ବିକ୍ରିରେ ତୃତୀୟ ସ୍ଥାନରେ ରହିଛି। Ola Electric, Ather Energy ଭଳି କମ୍ପାନୀ ୨୦୨୪ରେ ୧.୨ ମିଲିୟନ୍‌ରୁ ଅଧିକ ଇ-ସ୍କୁଟର ବିକ୍ରି କରିଛନ୍ତି ।

ଭାରତ ଵିଶ୍ୱରେ ଦ୍ୱିତୀୟ ଵୃହତ୍ତମ ଷ୍ଟୀଲ ଉତ୍ପାଦକ (ଚୀନ୍ ପରେ)। ୨୦୨୪ରେ ଭାରତ ୧୪୦ ମିଲିୟନ୍ ଟନ୍‌ରୁ ଅଧିକ ଷ୍ଟୀଲ ଉତ୍ପାଦନ କରିଛି, ଯାହା ଵିଶ୍ୱ ଉତ୍ପାଦନର ୮% ଅଟେ।

ଭାରତ ଵିଶ୍ୱରେ ଦ୍ୱିତୀୟ ଵୃହତ୍ତମ ମାଛ ଉତ୍ପାଦକ (ଚୀନ୍ ପରେ)। ୨୦୨୪ରେ ଭାରତର ମାଛ ଉତ୍ପାଦନ (ମୁଖ୍ୟତଃ ଅନ୍ତର୍ଦେଶୀୟ ଓ ସାମୁଦ୍ରିକ) ୧୪ ମିଲିୟନ୍ ଟନ୍‌ରୁ ଅଧିକ, ଯାହା ଵିଶ୍ୱର ୧୦% ।

ଭାରତ ଵିଶ୍ୱରେ ମୋବାଇଲ ଆପ୍ ଡେଵଲପମେଣ୍ଟରେ ତୃତୀୟ ସ୍ଥାନରେ ରହିଛି। Google Play Store ଓ App Storeରେ ଭାରତୀୟ ଡେଭେଲପରଙ୍କ ଦ୍ୱାରା ନିର୍ମିତ ଆପ୍‌ଗୁଡ଼ିକର ଡାଉନଲୋଡ ୨୦୨୪ରେ ୨୫ ବିଲିୟନ୍‌ରୁ ଅଧିକ ।

ଭାରତ ବିଶ୍ୱରେ ମହିଳା ଉଦ୍ୟୋଗୀଙ୍କ ସଂଖ୍ୟାରେ ଚତୁର୍ଥ ସ୍ଥାନରେ। ୨୦୨୪ ସୁଦ୍ଧା ଭାରତରେ ୧୫ ମିଲିୟନ୍‌ରୁ ଅଧିକ ମହିଳା-ନେତୃତ୍ୱାଧୀନ ସ୍ଟାର୍ଟଅପ୍ ଓ ଵ୍ୟଵସାୟ ରହିଛି ।

ଭାରତ ଵିଶ୍ୱରେ କୃଷି ଉତ୍ପାଦ ରପ୍ତାନିରେ ପଞ୍ଚମ ସ୍ଥାନରେ ଅଛି । ମସଲା, ମାଂସ, ଓ ଚା’ ଭଳି ଉତ୍ପାଦର ରପ୍ତାନି ୨୦୨୪ରେ $୫୦ ବିଲିୟନ୍‌ରୁ ଅଧିକ ।‌

ଭାରତର ଆଧାର ଵିଶ୍ୱରେ ସର୍ଵଵୃହତ୍ ବାୟୋମେଟ୍ରିକ ପରିଚୟ ପ୍ରଣାଲୀ (ର‍୍ୟାଙ୍କ ୧)। ୧.୪ ବିଲିୟନ୍‌ରୁ ଅଧିକ ଲୋକଙ୍କୁ ଏହା ଏକ ଅନନ୍ୟ ଡିଜିଟାଲ ପରିଚୟ ପ୍ରଦାନ କରିଛି, ଯାହା ସରକାରୀ ସେଵା ଓ ଆର୍ଥିକ ନେଣଦେଣରେ ଵ୍ୟଵହୃତ ହୁଏ । 

କାର୍ପାସ ଉତ୍ପାଦନ କ୍ଷେତ୍ରରେ ଵିଶ୍ଵରେ ଭାରତ ପ୍ରଥମ ଦେଶ । ୨୦୨୪ରେ ଭାରତ ପ୍ରାୟ ୬.୫ ମିଲିୟନ୍ ଟନ୍ କାର୍ପାସ ଉତ୍ପାଦନ କରିଛି, ଯାହା ଵିଶ୍ୱ ଉତ୍ପାଦନର ୨୫% ଅଟେ।

ଭାରତର ମେଟ୍ରୋ ରେଳ ନେଟୱାର୍କ ଵିଶ୍ୱରେ ପଞ୍ଚମ ଵୃହତ୍ତମ। ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଆଦି ସହରରେ ୮୦୦ କିଲୋମିଟରରୁ ଅଧିକ ମେଟ୍ରୋ ଲାଇନ୍ କାର୍ଯ୍ୟକ୍ଷମ ହୋଇଛି ।

ଭାରତ ଵିଶ୍ୱରେ ଦ୍ୱିତୀୟ ସର୍ଵାଧିକ ମୋବାଇଲ ଡାଟା ଵ୍ୟଵହାରକାରୀ ଦେଶ । ଭାରତରେ ପ୍ରାୟ ୧୨ ବିଲିୟନ୍ GB ଡାଟା ମାସିକ ଵ୍ୟଵହୃତ ହୁଏ, ଯାହା Jio ଓ ଅନ୍ୟ ଟେଲିକମ୍ ସେଵା ଯୋଗୁଁ ସମ୍ଭଵ ହୋଇପାରିଛି । 

 ପାରମାଣଵିକ ଅସ୍ତ୍ର ସଂଖ୍ୟା ଅନୁଯାୟୀ ଭାରତ ଵିଶ୍ୱରେ ପଞ୍ଚମ ସ୍ଥାନରେ ରହିଛି । ଭାରତ ପାଖରେ ପ୍ରାୟ ୧୬୦-୧୭୦ ପାରମାଣଵିକ ଅସ୍ତ୍ର ରହିଛି ।

ଭାରତ ଵିଶ୍ୱରେ ତୃତୀୟ ଵୃହତ୍ତମ ଘରୋଇ ଵିମାନ ଚଳାଚଳ ବଜାର ଅଟେ । ୨୦୨୪ରେ ୧୫୩ ମିଲିୟନ୍ ଯାତ୍ରୀ ଯାତାୟାତ କରିଛନ୍ତି । 

ଭାରତରେ ଵିଶ୍ୱରେ ଦ୍ୱିତୀୟ ଵୃହତ୍ତମ ଇଞ୍ଜିନିୟରିଂ ଶିକ୍ଷା ଵ୍ୟଵସ୍ଥା ପ୍ରତିଷ୍ଠିତ ହୋଇ ପାରିଛି । ଭାରତର IIT ଓ ଅନ୍ୟ ପ୍ରତିଷ୍ଠାନରୁ ଵାର୍ଷିକ ୧.୫ ମିଲିୟନ୍ ଛାତ୍ରଛାତ୍ରୀ ଇଞ୍ଜିନିୟର ଭାବେ ଉତ୍ତୀର୍ଣ୍ଣ ହୋଇଥାନ୍ତି । 

ଭାରତ ଵିଶ୍ୱରେ ଦ୍ୱିତୀୟ ବୃହତ୍ତମ କୋଇଲା ଉତ୍ପାଦକ। ୨୦୨୪ରେ ୯୫୦ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ କରିଛି ।‌

ଭାରତ ଵିଶ୍ୱରେ ପଞ୍ଚମ ବୃହତ୍ତମ ସୌର ପ୍ୟାନେଲ ଉତ୍ପାଦକ ଦେଶ। ୨୦୨୪ରେ ୧୦ GW କ୍ଷମତାର ପ୍ୟାନେଲ ଉତ୍ପାଦନ କରାଯାଇଛି ।

ଭାରତ ଵିଶ୍ୱରେ ଆୟୁର୍ବେଦୀୟ ଔଷଧ ରପ୍ତାନିରେ ପ୍ରଥମ। ପ୍ରାୟ $୨ ବିଲିୟନ୍‌ର ଆୟୁର୍ଵେଦ ଉତ୍ପାଦ ୧୫୦ରୁ ଅଧିକ ଦେଶକୁ ରପ୍ତାନି ହୁଏ ।

ଇଂରେଜମାନଙ୍କ ଦ୍ଵାରା ଦୁଇଶହ ଵର୍ଷ ଧରି ପରାଧୀନ ହୋଇଥିଵା ଆଉ କୌଣସି ଦେଶ ଭାରତ ଭଳି ଏତେ ଵିକାଶ କରିପାରିନାହାନ୍ତି(USA ଛଡ଼ା) । ଅନେକ କାରଣ ଯୋଗୁଁ ଭାରତ ମାତ୍ର ୭୦ ଵର୍ଷ ମଧ୍ୟରେ ଏତେ ପ୍ରତିଷ୍ଠା ଲଭିଛି ତନ୍ମଧ୍ୟରେ ପ୍ରାକୃତିକ କାରଣଗୁଡ଼ିକ ହେଲା ଭାରତର ଉର୍ଵର ଭୂମି,ଵିଵିଧ କିନ୍ତୁ ଅପେକ୍ଷାକୃତ ସ୍ଥିର ଜଳଵାୟୁ ଓ ଜୈଵ ଵିଵିଧତା । 
ଵିଶ୍ୱରେ ଜୈଵ ଵିଵିଧତା କ୍ଷେତ୍ରରେ ଚତୁର୍ଥ ସ୍ଥାନରେ ରହିଛି । ଭାରତରେ ପ୍ରାୟ ୮୯,୦୦୦ ଜାତିର ପଶୁ ଓ ୪୫,୦୦୦ ଜାତିର ଦେଶୀ ଉଦ୍ଭିଦ ଅଛନ୍ତି । ଭୌଗୋଳିକ ଦୃଷ୍ଟିକୋଣରୁ ପୃଥିଵୀର ଏକ ଶ୍ରେଷ୍ଠ ଭୂଭାଗ ହୋଇଥିଵାରୁ ଭାରତରେ ଜନସଂଖ୍ୟା ଅନ୍ୟାନ୍ୟ ଅଞ୍ଚଳ ଅପେକ୍ଷା ସର୍ଵାଧିକ । ମନୁଷ୍ୟମାନେ ଯେଉଁ ଚାରି ପାଞ୍ଚୋଟି ସ୍ଥାନରେ ପ୍ରାଚୀନ ସଭ୍ୟତା ଗଢ଼ିଥିଲେ ତନ୍ମଧ୍ୟରେ ଗୋଟିଏ ଅଞ୍ଚଳ ଭାରତରେ ବି ରହିଛି । ଭାରତର ସଂସ୍କୃତି ସର୍ଵଶ୍ରେଷ୍ଠ ଓ ସମୃଦ୍ଧ ।‌ ଭାରତରେ ରଚିତ ସମସ୍ତ ପୁରାଣ ଗ୍ରନ୍ଥ ପୃଥିଵୀରେ ଅଦ୍ୱିତୀୟ। ମହାଭାରତୀୟ ସଂସ୍କୃତିର ପ୍ରଭାଵ ସାରା ଵିଶ୍ଵରେ ଉପରେ ପଡ଼ିଛି । ଭାରତୀୟ ପ୍ରାଚୀନ ଵିଜ୍ଞାନ ଓ ଗଣିତାଦି ଜ୍ଞାନର ମୂଳ ଭିତ୍ତି ଉପରେ ଆଧୁନିକ ଵିଜ୍ଞାନ ଓ ଗଣିତ ପ୍ରତିଷ୍ଠିତ। ମହାଭାରତୀୟ ସଂସ୍କୃତି ଅତି ସମୃଦ୍ଧ ହେଵାର କାରଣ ଭାରତୀୟ ଜନତାଙ୍କ ମଧ୍ୟରେ ଜାତୀୟ ଵିଵିଧତା ଅଟେ । ଭାରତରେ ଭାଷା ସଂସ୍କୃତି ଓ ମାନଵଗୋଷ୍ଠୀ ଦୃଷ୍ଟିରୁ ଅନେକ ଜାତି ଅଛି । ଭାରତରେ ୭୦୦ରୁ ଅଧିକ ଅନୁସୂଚୀଭୁକ୍ତ ଜନଜାତି ଅଛନ୍ତି। ଏତଦଵ୍ୟତୀତ ଅନେକ ଅଣ-ଜନଜାତି ମାନଵଗୋଷ୍ଠୀ ବି ଭାରତରେ ରହୁଛନ୍ତି, ଯେଉଁମାନେ ଆଞ୍ଚଳିକ, ଧାର୍ମିକ ଓ ସାଂସ୍କୃତିକ ପରିଚୟ ଅନୁସାରେ ଭିନ୍ନ ଭିନ୍ନ ଜାତି ରୂପେ ପ୍ରତିଷ୍ଠିତ । Ethnologue ଓ ଅନ୍ୟାନ୍ୟ ଅନୁସନ୍ଧାନ ଅନୁସାରେ, ଭାରତରେ ପ୍ରାୟ ୨,୦୦୦ରୁ ୩,୦୦୦ ଭିନ୍ନ ଜାତିଗତ ଗୋଷ୍ଠୀ ରହିପାରନ୍ତି, ଯେଉଁମାନେ ଭାଷା, ସଂସ୍କୃତି ଓ ଜୀବନଶୈଳୀ ଦୃଷ୍ଟିରୁ ପୃଥକ। ଏତେ ଜାତି ଥିଵାରୁ ସେମାନଙ୍କର ଅନେକ ଉପଜାତି ଏଵଂ ପ୍ରତ୍ୟେକ ଜାତି ଓ ଉପଜାତିର ଅନେକ ଭାଷା ରହିଥିଵା ସ୍ଵାଭାଵିକ କଥା । ଭାରତରେ ୧୯,୫୦୦ରୁ ଅଧିକ ମାତୃଭାଷା ଓ ଉପଭାଷା ରହିଛି । ଏହା ମଧ୍ୟରୁ ୧୨୧ଟି ଭାଷା ପ୍ରମୁଖ ଭାଷା ଭାବେ ଚିହ୍ନଟ ହୋଇଛି, ଯେଉଁଥିରେ ୨୨ଟି ସମ୍ବିଧାନରେ ଅନୁସୂଚୀଭୁକ୍ତ ଭାଷା (ଯଥା: ହିନ୍ଦୀ, ବଙ୍ଗଳା, ତାମିଲ, ତେଲୁଗୁ, ଓଡ଼ିଆ, ଆସାମୀୟା ଇତ୍ୟାଦି) ।‌

ତେବେ ଯେତେବେଳେ କୌଣସି ଦେଶ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ହୁଏ ଓ ଏକ ଵିଶାଳ ଜନସଂଖ୍ୟାର ଵାସଭୂମି ହୋଇଥାଏ ସେତେବେଳେ ସେ ଦେଶର ସେନା ମଧ୍ୟ ଆପଣାଛାଏଁ ଶକ୍ତିଶାଳୀ ହୋଇଥାଏ । 
 
୨୦୨୫ ଗ୍ଲୋବାଲ୍ ଫାୟାରପାୱାର (Global Firepower) ସୂଚକାଙ୍କ ଅନୁଯାୟୀ, ଭାରତୀୟ ସେନା ଵିଶ୍ୱରେ ଚତୁର୍ଥ ଶକ୍ତିଶାଳୀ ସେନା ଅଟେ (Power Index: 0.1025), ଆମେରିକା, ରୁଷିଆ, ଓ ଚୀନ୍ ପରେ ଭାରତୀୟ ସେନା ଚତୁର୍ଥ ଶକ୍ତିଶାଳୀ ସେନା ଭାବେ ପ୍ରତିଷ୍ଠା ଲଭିଛି । ଭାରତୀୟ ସେନାର ୫.୧୩୭ ମିଲିୟନ୍ ସୈନିକ (୧.୨୩୭ ମିଲିୟନ୍ ସକ୍ରିୟ ଓ ୯.୬ ଲକ୍ଷ ରିଜର୍ଭ), ଆଧୁନିକ ଅସ୍ତ୍ରଶସ୍ତ୍ର (ବ୍ରହ୍ମୋସ, ଅଗ୍ନି, ପୃଥ୍ୱୀ ମିସାଇଲ୍), ଓ $୯୦ ବିଲିୟନ୍ ପ୍ରତିରକ୍ଷା ବଜେଟ୍ ଏହାର ସାମର୍ଥ୍ୟକୁ ଦର୍ଶାଇଛି। ତେବେ ଆକାର ଦୃଷ୍ଟିରୁ ପୃଥିଵୀରେ ଭାରତୀୟ ସେନାର ର‍୍ୟାଙ୍କ ଚୀନ ପରେ ୨ୟ ସ୍ଥାନରେ ରହିଛି । Global Firepower Index (2025) ଅନୁଯାୟୀ, ଭାରତୀୟ ସେନା ପୃଥିଵୀରେ ୨ୟ ବୃହତ୍ତମ ସୈନ୍ୟଵାହିନୀ ଅଟେ, ଯାହାର ପ୍ରାୟ ୧୪.୫ ଲକ୍ଷ ସକ୍ରିୟ ସୈନିକ ଅଛନ୍ତି। ଏହା ଚୀନ (ପ୍ରାୟ ୨୦ ଲକ୍ଷ ସୈନିକ) ପରେ ଦ୍ୱିତୀୟ ସ୍ଥାନରେ ରହିଛି । Global Firepower Naval Strength Ranking ଅନୁଯାୟୀ, ଭାରତର ନୌସେନା ଯୁକ୍ତରାଷ୍ଟ୍ର, ଚୀନ ଓ ରୁଷିଆ ପରେ ଚତୁର୍ଥ ଶକ୍ତିଶାଳୀ ନୌସେନା ଭାରତ ପାଖରେ ଅଛି । ଭାରତୀୟ ନୌସେନାରେ ପ୍ରାୟ ୧୫୦ଟି ଜାହାଜ ଏବଂ ପାଣିପାଗ ନିରୋଧକ ଜାହାଜ (ଯୁଦ୍ଧଜାହାଜ, ସବମାରିନ, ଏୟାରକ୍ରାଫ୍ଟ କ୍ୟାରିୟର ଆଦି) ଅଛି, ଯାହା ଏହାକୁ ଏକ ଶକ୍ତିଶାଳୀ ନୌସେନା ରୂପେ ପ୍ରତିଷ୍ଠିତ କରିଥାଏ । ସେହିପରି Global Firepower Air Strength Ranking ଅନୁଯାୟୀ, ଭାରତର ଵାୟୁସେନା ଯୁକ୍ତରାଷ୍ଟ୍ର, ରୁଷିଆ, ଓ ଚୀନ ପରେ ଚତୁର୍ଥ ଶକ୍ତିଶାଳୀ ଵାୟୁସେନା ଅଟେ । ଏହାର ପ୍ରାୟ ୨,୧୦୦ ଵିମାନ (ଯୁଦ୍ଧଵିମାନ, ହେଲିକପ୍ଟର ଓ ଟ୍ରାନ୍ସପୋର୍ଟ ଵିମାନ ସମେତ) ଅଛି, ଯାହା ଏହାକୁ ଏକ ଶକ୍ତିଶାଳୀ ଵାୟୁସେନାରେ ପରିଗଣିତ କରେ।

ଅସ୍ତୁ ଭାରତ ଆହୁରି ଅନେକ କ୍ଷେତ୍ରରେ ଵିଶ୍ଵର ଏକ ଅଗ୍ରଣୀ ଦେଶ ରୂପେ ପ୍ରତିଷ୍ଠିତ। ଭାରତର ଏହି ଉପଲବ୍ଧି ଦେଖି ଭାରତ ଵିରୋଧିଙ୍କ ଦେହ ମନ ଜଳାପୋଡ଼ା ହୁଏ । ଭାରତରେ ରହୁଥିଵା ଭାରତଵିରୋଧି ଦେଶଦ୍ରୋହୀଙ୍କର ବି ଦେହ ମନ ଜଳିଯାଏ । ଭାରତ କୌଣସି କ୍ଷେତ୍ରରେ ଅଗ୍ରଣୀ ଦେଶ ରୂପେ ପ୍ରତିଷ୍ଠିତ ହୋଇଛି ଜାଣିଲେ ସେହି ଦେଶଦ୍ରୋହୀମାନେ ଵିଭିନ୍ନ ଆଳ ଦେଖାଇ ଲୋକଙ୍କ ମନୋବଳ ଭାଙ୍ଗିଵାକୁ ଚେଷ୍ଟା କରନ୍ତି ।‌ ତେବେ ଆମ୍ବଗଛରେ black fungus ଵା sooty mold ଭଳି ଏହି ଦେଶଦ୍ରୋହୀ ତତ୍ତ୍ଵ ଆମ ଦେଶ ପାଇଁ ଵିପଜ୍ଜନକ । ଏମାନଙ୍କ ଵିନାଶରେ ହିଁ ଏ ଦେଶର ଉନ୍ନତି ସମ୍ଭଵ ଅନ୍ୟଥା ଯେମିତି mealybug,aphids,hoppers ଓ scale insectsଙ୍କ ଯୋଗୁଁ ଆମ୍ବଗଛ ରୋଗିଣା ହୋଇଯାଏ ଠିକ୍ ସେହିପରି ଦେଶ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ ।