ଏସବୁ ଓଡ଼ିଆ ଶବ୍ଦଗୁଡି଼କର ସୃଷ୍ଟି ପଛରେ ସାଧାରଣତଃ ଶବ୍ଦର ଵ୍ୟୁତ୍ପତ୍ତି ସମ୍ବନ୍ଧୀୟ ଦୀର୍ଘ ଐତିହାସିକ ଯାତ୍ରାର କାହାଣୀ ରହିଛି ଯାହା ପରେ କେବେ ଆଲୋଚନା କରାଯିଵ । ତେବେ ଜାପାନୀ ଭାଷାର Fox ଵା କୋଟିଶିଆଳ ଅର୍ଥଜ 'କିତ୍ସୁନେ' ଶବ୍ଦର ସୃଷ୍ଟି ପଛରେ ଏକ ଲୋକକଥା ରହିଛି ଏଵଂ ତାହା ଜାପାନୀ ଗ୍ରନ୍ଥ ନିହୋନ ରିଓଇକି (日本霊異記)ରେ ମିଳେ। ଏହାକୁ ଭିକ୍ଷୁ କିଓକାଇ ପ୍ରାୟ ୮୨୨ ଖ୍ରୀଷ୍ଟାବ୍ଦରେ ସଙ୍କଳନ କରିଥିଲେ । ନିମ୍ନରେ କାହାଣୀଟି ପ୍ରଦତ୍ତ ହେଲା ।
ବହୁତ ବହୁତ ଦିନ ତଳର କଥା। ଜାପାନର ମିନୋ ପ୍ରଦେଶରେ ଥିଲା ଧାନକ୍ଷେତ, ଶାନ୍ତ ନଦୀ ଓ ଘନ ଜଙ୍ଗଲର ଏକ ଗାଁ। ସେଠାରେ ରହୁଥିଲେ ଜଣେ ଯୁଵକ। ସେ ଥିଲେ ଶକ୍ତିଶାଳୀ, ସରଳ ଓ ପରିଶ୍ରମୀ। ଘର ଥିଲା, ଜମି ଥିଲା, ଖାଇଵା ପିଇଵାର ଅଭାବ ନଥିଲା। ତଥାପି ତାଙ୍କ ମନ ଖାଲି ଲାଗୁଥିଲା। ଘରେ ଦୀପ ଜଳାଇଵାକୁ କେହି ନଥିଲା, ସନ୍ଧ୍ୟାବେଳେ ଦୁଇ ପଦ କଥା ହେଵାକୁ କେହି ନଥିଲା।
ସେ ମନେ ମନେ କହୁଥିଲେ, "ଯଦି ମନ ସହ ମନ ମିଶିଯାଉଥିଵା ଜଣେ ସାଥୀ ପାଇଥାନ୍ତି ତାହେଲେ ଏ ଜୀଵନ ପୂର୍ଣ୍ଣାଙ୍ଗ ହୋଇଯାଆନ୍ତା।" ମାତ୍ର ଗାଁର ଝିଅମାନଙ୍କ ମଧ୍ୟରୁ କାହାକୁ ଦେଖି ତାଙ୍କ ହୃଦୟ ଥରି ନଥିଲା। ଶେଷରେ ଦିନେ ସେ ସ୍ଥିର କଲେ, "ଏ ଗାଁରେ ନଥିଲେ ଦୂରରେ ଖୋଜିବି।" ସେ ଘୋଡ଼ା ନ ନେଇ ପଦଯାତ୍ରାରେ ବାହାରିଲେ।
ଅନେକ ପାହାଡ଼ ଡେଇଁଲେ, ନଈ ପାର ହେଲେ। ଗାଁ ପରେ ଗାଁ ଅତିକ୍ରମ କଲେ, କିନ୍ତୁ ମନ ମାନିଲା ଭଳି କେହି ମିଳିଲେ ନାହିଁ। ଦିନେ ଅପରାହ୍ନରେ ସେ ଏକ ଵିଶାଳ ଖୋଲା ପଡ଼ିଆରେ ପହଞ୍ଚିଲେ। ସେଠାରେ ଘାସ ବତାସରେ ଢେଉ ଖେଳୁଥିଲା ଓ ଆକାଶ ଲାଲ ହୋଇ ଆସୁଥିଲା। ହଠାତ୍ ସେ ଦେଖିଲେ, ଦୂରରେ ଘାସ ମଝିରେ ଜଣେ ନାରୀ ଏକୁଟିଆ ଠିଆ ହୋଇଛି।
ତାଙ୍କ ରୂପ ସାଧାରଣ ନଥିଲା। ଲମ୍ବା କଳା କେଶ, ଶାନ୍ତ ଚାହାଣି ଓ ମୃଦୁ ହସ। ଯୁଵକ ଚମକି ପଡ଼ିଲେ, "ଏତେ ନିର୍ଜନ ପ୍ରାନ୍ତରରେ ଏହିପରି ନାରୀ କେମିତି?" ତଥାପି ସେ ସାହସ କରି ପାଖକୁ ଗଲେ ଓ କହିଲେ, "ମୁଁ ମନଲାଖି ସାଥୀ ଖୋଜୁଛି। ଆପଣ କ'ଣ ମୋ ସହ ଜୀଵନ ବିତାଇବେ?"
ନାରୀଜଣକ କିଛି କ୍ଷଣ ନୀରଵ ରହିଲେ, ତା'ପରେ ମୃଦୁ ସ୍ୱରରେ କହିଲେ, "ଆପଣଙ୍କ କଥାରେ ଛଳନା ନାହିଁ। ମୁଁ ରାଜି।" ସେହି ଦିନ ସେମାନେ ଏକାଠି ଘରକୁ ଫେରିଲେ। ଗାଁବାଲା ଚକିତ ହେଲେ, ମାତ୍ର ଵିଵାହ ହେଲା, ଘରେ ଦୀପ ଜଳିଲା। ଯୁଵକର ଜୀଵନ ପୂର୍ଣ୍ଣ ହେଲା ପରି ଲାଗିଲା। ନାରୀ ଥିଲେ ଦକ୍ଷ ଓ ସ୍ନେହୀ। ସେ ଘର ସମ୍ଭାଳିଲେ, ଖାଦ୍ୟ ରାନ୍ଧିଲେ ଓ ପ୍ରତି ସନ୍ଧ୍ୟାରେ ସ୍ୱାମୀଙ୍କ ପାଇଁ ଅପେକ୍ଷା କଲେ। କିଛି ମାସ ପରେ ତାଙ୍କ କୋଳରେ ଏକ ପୁତ୍ର ଜନ୍ମ ହେଲା।
ମାତ୍ର ଏହି ସୁଖ ଭିତରେ ଏକ ଛୋଟ କଣ୍ଟା ଥିଲା। ସେହି ଦିନ ଯୁଵକର ଘରେ ଏକ କୁକୁର ଛୁଆ ମଧ୍ୟ ଜନ୍ମ ହୋଇଥିଲା। ଧୀରେ ଧୀରେ ସେ କୁକୁର ବଡ଼ ହେଲା, ମାତ୍ର ସେ ସ୍ତ୍ରୀଙ୍କୁ ଦେଖିଲେ ହିଁ ଜୋରରେ ଭୁକୁଥିଲା, ଦାନ୍ତ ଦେଖାଉଥିଲା। ସ୍ତ୍ରୀ ପ୍ରତିଥର ଥରି ଉଠୁଥିଲେ। ତାଙ୍କ ମୁହଁ ଫିକା ପଡ଼ିଯାଉଥିଲା, ଆଖିରେ ଭୟ ଦେଖାଯାଉଥିଲା। ସ୍ୱାମୀ ଭାବୁଥିଲେ, "କୁକୁରଟା ଅଜଣା ଲୋକକୁ ଦେଖି ଏମିତି କରୁଛି।" ସେ କୁକୁରକୁ ବାନ୍ଧି ରଖିଵାକୁ ଚେଷ୍ଟା କଲେ, କିନ୍ତୁ ଦିନକୁ ଦିନ ଅଵସ୍ଥା ବିଗିଡ଼ିଲା।
ଧାନ କୁଟିବାର ଋତୁ ଆସିଲା। ଦିନେ ଗାଁର ସମସ୍ତ ମହିଳା ଧାନ କୁଟିଵା ପାଇଁ ଏକାଠି ହେଲେ। ପୂର୍ଵୋକ୍ତ ସ୍ୱାମୀଙ୍କ ସ୍ତ୍ରୀ ମଧ୍ୟ ଧାନ କୁଟାଳିକୁ ସାହାଯ୍ୟ କରିଵାକୁ ଆସିଥିଲେ, ଏଵଂ କୁକୁରଟି ସେଠାରେ ବନ୍ଧା ପଡ଼ିନଥିଲା। ଦିନ ମଧ୍ୟାହ୍ନରେ କୁକୁରଟି ହଠାତ୍ ଭୟଙ୍କର ଗର୍ଜନ କରି ସ୍ତ୍ରୀଙ୍କ ଆଡ଼କୁ ଦୌଡ଼ିଲା। ସେହି ଏକ କ୍ଷଣରେ, ସମସ୍ତଙ୍କ ସାମନାରେ, ଭୟରେ ସ୍ତ୍ରୀ ନିଜ ମାନଵ ରୂପ ଧରି ରଖି ପାରିଲେ ନାହିଁ। ସେ ଏକ ଧଳାଭଳି ପିଙ୍ଗଳ ଲୋମଶ କୋକିଶିଆଳୀରେ ପରିଣତ ହେଲେ। ସେ ଛାତ ଉପରକୁ ଡେଇଁ ପଡ଼ି ଘାସ ଛପର ଉପରେ ଥରି ଥରି ବସିଲେ।
ଗାଁବାଲା ସ୍ତମ୍ଭିତ ହୋଇ ଚାହିଁ ରହିଲେ। ମାତ୍ର ସ୍ୱାମୀ ଭୟ କଲେ ନାହିଁ। ସେ ଦେଖିଲେ, ସେହି ଛାତ ଉପରେ ବସିଥିଵା ଜୀଵ ତାଙ୍କ ସ୍ତ୍ରୀ, ଯିଏ ତାଙ୍କ ପୁତ୍ରର ମାଆ, ଯିଏ ତାଙ୍କ ଘରକୁ ଆଲୋକିତ କରିଥିଲା। ତାଙ୍କ ହୃଦୟ ଭାଙ୍ଗିଗଲା ନାହିଁ ଵରଂ ସ୍ନେହରେ ଭରିଗଲା। ସ୍ଵାମୀ ଉଚ୍ଚ ସ୍ୱରରେ କହିଲେ, "ତୁମେ ମୋ ପୁତ୍ରର ମାଆ। ତୁମକୁ ଭୁଲିଵା ଅସମ୍ଭବ। ତୁମେ ଯିଏ ହୁଅ, ପ୍ରତି ରାତିରେ ଆସ ଓ ମୋ ସହ ଶୁଅ।"
କୋକିଶିଆଳୀ ରୂପୀ ସ୍ତ୍ରୀ ସେହି କଥା ଶୁଣିଲେ। ସେ ଛାତରୁ ଓହ୍ଲାଇ ଆସିଲେ ନାହିଁ, କିନ୍ତୁ ଗୋଟିଏ ଥର ସ୍ୱାମୀଙ୍କ ଆଡ଼କୁ ଚାହିଁଲେ, ତାଙ୍କ ଆଖିରେ ଲୁହ ଥିଲା। ତା'ପରେ ସେ ଜଙ୍ଗଲ ଆଡ଼କୁ ଦୌଡ଼ି ଅଦୃଶ୍ୟ ହୋଇଗଲେ।
ଦିନ ଗଡ଼ିଲା, ସନ୍ଧ୍ୟା ହୋଇ ରାତି ହେଲା। ଯୁଵକ ଶୂନ୍ୟ ଘରେ ପୁତ୍ରକୁ କୋଳରେ ଧରି ବସିଥିଲେ। ହଠାତ୍ କବାଟରେ ମୃଦୁ ଶବ୍ଦ ହେଲା। ସେ କବାଟ ଖୋଲିଲେ ଓ ଦେଖିଲେ, ସେହି ପୂର୍ଵ ପରି ସୁନ୍ଦର ନାରୀ ଠିଆ ହୋଇଛନ୍ତି, ନୀରଵ ଓ ଲଜ୍ଜିତ। ସ୍ୱାମୀ କିଛି କହିଲେ ନାହିଁ, କେଵଳ ଦୁଆର ଛାଡ଼ି ଦେଲେ। ସେହିଦିନଠାରୁ ପ୍ରତି ରାତିରେ ସେ ଆସୁଥିଲେ, ପୁତ୍ରକୁ ସ୍ନେହ କରୁଥିଲେ, ସ୍ୱାମୀଙ୍କ ପାଖରେ ଶୋଉଥିଲେ ଏଵଂ ଭୋର ହେଵା ପୂର୍ବରୁ ଚୁପଚାପ ଫେରିଯାଉଥିଲେ।
ଗାଁବାଲା ଏହା ଲକ୍ଷ୍ୟ କଲେ। ସେମାନେ କହିଲେ, "ସେ ପ୍ରତି ରାତି ଆସନ୍ତି।" ଅନ୍ୟମାନେ ହସି କହିଲେ, "ଆସ, ଶୁଅ। ସେହି କୋକିଶିଆଳୀ ତ ସ୍ୱାମୀଙ୍କ ଆଜ୍ଞା ପାଳନ କରୁଛି।" ଜାପାନୀ ଭାଷାରେ "ଆସ, ଶୁଅ" ବୋଲି କହିଵାକୁ କୁହାଯାଏ କିତ୍ସୁ-ନେ (来つ寝, kitsu-ne)। ଧୀରେ ଧୀରେ ଏହି ଶବ୍ଦ ସେହି ଜୀଵର ନାମ ହୋଇଗଲା। ଯେଉଁ କୋକିଶିଆଳ ପ୍ରତି ରାତି ଫେରି ଆସେ, ସେ ହେଲା କିତ୍ସୁନେ। ସେହି ପୁତ୍ରର ନାମ ମଧ୍ୟ ରଖାଗଲା କିତ୍ସୁନେ। ଲୋକକଥା କହେ, ସେ ବଡ଼ ହୋଇ ଅସାଧାରଣ ବଳଶାଳୀ ହେଲା। ତା'ର ବଂଶଧର ମଧ୍ୟରେ ଜଣେ ନାରୀ "ମିନୋ ନୋ କିତ୍ସୁନେ" ଏତେ ଶକ୍ତିଶାଳୀ ଥିଲେ ଯେ ସେ ଏକାକୀ ଅନେକ ପୁରୁଷଙ୍କୁ ପରାସ୍ତ କରୁଥିଲେ। ମିନୋର ଲୋକେ କହୁଥିଲେ, "ଏହା ସେହି କୋକିଶିଆଳୀ ମାଆର ରକ୍ତର ଗୁଣ।"
ଏହିପରି ଜାପାନର ଲୋକ ସ୍ମୃତିରେ କୋକିଶିଆଳ କେଵଳ ଏକ ଚତୁର ଜନ୍ତୁ ହୋଇ ରହିଲା ନାହିଁ। ସେ ହେଲା ପ୍ରେମ, ଵିଶ୍ୱାସ ଓ ଫେରି ଆସିଵାର ପ୍ରତୀକ। ଭୟ ଓ ଲଜ୍ଜା ମଝିରେ ମଧ୍ୟ ଯିଏ ଫେରି ଆସେ, ସେ ପ୍ରକୃତରେ ଆପଣାର।
ତେବେ ପ୍ରୋକ୍ତ କାହାଣୀଟି କୋକିଶିଆଳ ଅର୍ଥଜ ଜାପାନୀ କିତ୍ସୁନେ(狐) ଶବ୍ଦର ଏକ ପ୍ରାଚୀନ ଵ୍ୟାଖ୍ୟା ମାତ୍ର ଯାହାକୁ ଭାଷାଵିଜ୍ଞାନରେ ଲୋକ-ଵ୍ୟୁତ୍ପତ୍ତି ଵା Folk Etymology କୁହାଯାଏ।
ଆଧୁନିକ ଭାଷାଵିଜ୍ଞାନରେ କିତ୍ସୁନେ(狐) ଶବ୍ଦର ଵ୍ୟୁତ୍ପତ୍ତି ଇତିହାସ ଭିନ୍ନ ଅଟେ । କିତ୍ସୁନେ(狐) ଶବ୍ଦକୁ "କି (来, ଆସିଵା) + ତ୍ସୁ(つ) କ୍ରିୟା ସମାପ୍ତି ସୂଚକ ସହାୟକ ଅଵ୍ୟୟ+ ନେ (寝, ଶୋଇଵା)" ରୂପେ ଗଠନ କରାଯାଇଛି । ଅନ୍ୟ ଏକ ସଂସ୍କରଣରେ ଏହାକୁ "କିତ୍ସୁ-ନେ (来つ根/来常), ସର୍ଵଦା ଆସୁଥିଵା" ଭାବେ ମଧ୍ୟ ବୁଝାଯାଏ। କିତ୍ସୁନେ ସମ୍ବନ୍ଧୀୟ ପ୍ରୋକ୍ତ ଲୋକକଥାଟି ନଵମ ଶତାବ୍ଦୀର ନିହୋନ ରିଓଇକିରେ ଲିପିବଦ୍ଧ। ଏହା ଶବ୍ଦର ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସାକ୍ଷୀ, କିନ୍ତୁ ଆଧୁନିକ ଭାଷାଵିଜ୍ଞାନୀମାନେ ଏହାକୁ ଶବ୍ଦର ପ୍ରକୃତ ଉତ୍ପତ୍ତି ବୋଲି ମାନନ୍ତି ନାହିଁ। ଏହି ପରି କାହାଣୀ ଦ୍ୱାରା ଶବ୍ଦକୁ ଵ୍ୟାଖ୍ୟା କରିଵାର ପ୍ରୟାସ ବହୁ ଭାଷାରେ ଦେଖାଯାଏ।
କୋକିଶିଆଳର ଜାପାନୀ ନାମ କିତ୍ସୁନେ ଶବ୍ଦଟି ପ୍ରାଚୀନ ଜାପାନୀ ଯୁଗରୁ ଵ୍ୟଵହୃତ। ନଵମ-ଦଶମ ଶତାବ୍ଦୀର ଅଭିଧାନ ୱାମ୍ୟୋ ରୁଇଜୁଶୋ (和名類聚抄)ରେ ଏହା ଧ୍ୱନି-ଲିପି (man'yōgana) ରୂପେ "କିତୁନେ (kitune)" ଭାବେ ଲିଖିତ ମିଳେ। ଚୀନା ଅକ୍ଷର 狐 ଜାପାନ ଚୀନରୁ ଗ୍ରହଣ କରିଥିଲା, ଯାହାର ଅର୍ଥ କୋକିଶିଆଳ। ଏହି ଅକ୍ଷରକୁ ଜାପାନୀ ଦେଶୀୟ ଶବ୍ଦ କିତୁନେ ସହ ମିଶାଇ ପଢ଼ାଗଲା। ପରେ ଧ୍ୱନି ବଦଳି "କିତ୍ସୁନେ (kitsune)" ହେଲା।
ଏକ ବହୁ-ଚର୍ଚ୍ଚିତ ମତ ଅନୁସାରେ, "କିତ୍ସୁ (kitsu)" ଅଂଶଟି କୋକିଶିଆଳର ଡାକର ଅନୁକରଣରୁ ଆସିଛି, ଯେପରି ତୀକ୍ଷ୍ଣ "କିଁ-କିଁ" ସ୍ୱର। ସେହିପରି "ନେ (ne)" ଅଂଶ ପ୍ରାଚୀନ ଜାପାନୀରେ ଅନେକ ଜନ୍ତୁ ନାମରେ ଦେଖାଯାଏ (ଯେପରି ନେକୋ- ବିଲେଇ, ନେଜୁମି- ମୂଷା)। ଅନେକ ପଣ୍ଡିତ ଏହାକୁ ଜୀଵ ଵା ଧ୍ୱନି-ସୂଚକ ପ୍ରତ୍ୟୟ ଭାବେ ଦେଖନ୍ତି, ଯଦିଓ ଏହାର ଠିକ୍ ଅର୍ଥ ନେଇ ସମ୍ପୂର୍ଣ୍ଣ ଐକମତ୍ୟ ନାହିଁ।
ଏଡୋ ଯୁଗର କେତେକ ପଣ୍ଡିତ ଏହି କିତ୍ସୁନେ ଶବ୍ଦର ଵ୍ୟୁତ୍ପତ୍ତି ଖୋଜିଵାକୁ ଚେଷ୍ଟା କରିଥିଲେ । ସେହି ଯୁଗର ଅରାଇ ହାକୁସେକି "କି (黄, ହଳଦିଆ)" ସହ ସମ୍ପର୍କ ଖୋଜିଥିଲେ, କାରଣ କୋକିଶିଆଳର ଲୋମ ହଳଦିଆ-ବାଦାମୀ ଦିଶେ। ଏହି ମତ ଆକର୍ଷଣୀୟ, କିନ୍ତୁ ଭାଷାତାତ୍ତ୍ୱିକ ପ୍ରମାଣ ଦୁର୍ଵଳ ବୋଲି ଵିଵେଚିତ। ପ୍ରକୃତରେ କିତ୍ସୁନେ ଶବ୍ଦର ନିଶ୍ଚିତ ଉତ୍ପତ୍ତି ଆଜି ମଧ୍ୟ ଵିଵାଦୀୟ। ଏହା ଧ୍ୱନି, ରଙ୍ଗ କିମ୍ବା ପ୍ରାଚୀନ ପ୍ରତ୍ୟୟ ଯେକୌଣସି ଉତ୍ସରୁ ଆସିଥାଇପାରେ। ଯାହା ନିଶ୍ଚିତ, ତାହା ହେଉଛି ଏହି ଶବ୍ଦ ଏକ ପ୍ରାଚୀନ ଦେଶୀୟ ଜାପାନୀ ଶବ୍ଦ ଏଵଂ ଏହାର ଲୋକକଥା ଜାପାନୀ ସଂସ୍କୃତିରେ କୋକିଶିଆଳକୁ ପ୍ରେମ, ରହସ୍ୟ ଓ ରୂପାନ୍ତରର ପ୍ରତୀକ କରିଛି।
ଜାପାନରେ ଆଜି ମଧ୍ୟ ଵନ୍ୟ କୋକିଶିଆଳ ବଞ୍ଚିଛନ୍ତି। ମୁଖ୍ୟତଃ ଲାଲ୍ କୋକିଶିଆଳ (Red Fox)ର ଦୁଇଟି ଉପଜାତି (Subspecies) ଜାପାନରେ ଦେଖାଯାଆନ୍ତି। କିତା-କିତ୍ସୁନେ ଵା Vulpes vulpes schrencki ଏଵଂ ହୋଣ୍ଡୋ-ଗିତ୍ସୁନେ ଵା Vulpes vulpes japonica ।
କିନ୍ତୁ ଓକାମି (狼) ଵା ଜାପାନୀ ଗଧିଆ ଆଜି ଆଉ ଜାପାନରେ ଦେଖାଯାଆନ୍ତି ନାହିଁ । ପାରମ୍ପରିକ ଶିଣ୍ଟୋ ଵିଶ୍ୱାସରେ ଜାପାନୀ ଗଧିଆଙ୍କୁ ଅନେକ ସ୍ଥାନରେ ଦେଵତାଙ୍କ ଦୂତ ଓ ରକ୍ଷକ ଭାବେ ଗ୍ରହଣ କରାଯାଉଥିଲା।
ଵିଶେଷତଃ ଏହାକୁ Ōguchi no Magami (大口真神) ବୋଲି ସମ୍ମାନ ଦିଆଯାଉଥିଲା। ଏହାର ଅର୍ଥ ମୋଟାମୋଟି 'ଵିଶାଳ ମୁଖବିଶିଷ୍ଟ ପଵିତ୍ର ଦେଵତା' ଅଟେ।
ଗଧିଆଙ୍କୁ ପୂଜା କରିଵାର କେତେକ କାରଣ ଥିଲା । ଗଧିଆମାନେ ହରିଣ ଓ ବଣୁଆ ଘୁଷୁରିଙ୍କୁ ଶିକାର କରୁଥିଲେ। ଏହି ପ୍ରାଣୀମାନେ ଚାଷଜମି ନଷ୍ଟ କରୁଥିଵାରୁ ଗଧିଆଙ୍କୁ ଫସଲର ରକ୍ଷକ ମନେ କରାଯାଉଥିଲା। ଗଧିଆକୁ ଅଗ୍ନିକାଣ୍ଡ, ଚୋରି ଓ ଅନ୍ୟାନ୍ୟ ଵିପଦରୁ ରକ୍ଷାକାରୀ ଭାବେ ଵିଶ୍ୱାସ କରାଯାଉଥିଲା। କେତେକ ଅଞ୍ଚଳରେ ଗଧିଆଙ୍କୁ ଦେଵତାଙ୍କ ଵାର୍ତ୍ତାଵହ ମନେ କରାଯାଉଥିଲା । ଜାପାନରେ ଦୁଇ ଜାତୀୟ ଗଧିଆ ରହୁଥିଲେ ।
ଜାପାନୀ ଗଧିଆ(Canis lupus hodophilax) ଓ
ଏଜୋ ଗଧିଆ (Canis lupus hattai) । ଜାପାନୀ ଗଧିଆ ସାଧାରଣତଃ ହୋନ୍ଶୁ, ଶିକୋକୁ ଓ କ୍ୟୁଶୁ ଦ୍ୱୀପରେ ରହୁଥିଲେ। ୧୯୦୫ ମସିହାରେ ନାରା ଅଞ୍ଚଳରେ ଶେଷ ଜଣାଶୁଣା ଗଧିଆଟି ଧରାପଡ଼ିଥିଲା ।
ଏଜୋ ଗଧିଆ ହୋକାଇଡୋ ଦ୍ୱୀପରେ ବାସ କରୁଥିଲେ। ୧୯ଶ ଶତାବ୍ଦୀର ଶେଷ ଭାଗରେ ଏହା ଲୁପ୍ତ ହୋଇଗଲା।
କିନ୍ତୁ ଏହି ଦୁଇ ଜାତିର ଗଧିଆ ଲୋପ ପାଇଯିଵା ଜାପାନର ପ୍ରାକୃତିକ ଇତିହାସର ଏକ ଅତ୍ୟନ୍ତ ଵିଡ଼ମ୍ବନାପୂର୍ଣ୍ଣ ଅଧ୍ୟାୟ। ଯେଉଁ ଗଧିଆଙ୍କୁ ଦିନେ ଦେଵତାଙ୍କ ଦୂତ ଓ ଫସଲର ରକ୍ଷକ ଭାବେ ପୂଜା କରାଯାଉଥିଲା, ଆଧୁନିକ ଜାପାନରେ ସେହି ଗଧିଆଙ୍କୁ ମଣିଷ ନିଜ ହାତରେ ନିଶ୍ଚିହ୍ନ କରିଦେଲା! ଏହା ପଛରେ ଧାର୍ମିକ ଵିଶ୍ୱାସର ପରିଵର୍ତ୍ତନ, ଆର୍ଥିକ ସ୍ୱାର୍ଥ, ଔପନିଵେଶିକ ପ୍ରଭାଵ ଓ ସରକାରୀ ନୀତି ଆଦି ଅନେକ କାରଣ ଥିଲା।
୧୮୬୮ ମସିହାରେ ଜାପାନରେ ମେଇଜି ଯୁଗ ଆରମ୍ଭ ହେଲା। ଏହାପରେ ଜାପାନ ଦ୍ରୁତଗତିରେ ପାଶ୍ଚାତ୍ୟ ଶୈଳୀର ଆଧୁନିକୀକରଣ ଆରମ୍ଭ କଲା।
ବିଶେଷତଃ ହୋକାଇଡୋରେ ଆମେରିକୀୟ ଶୈଳୀର ପଶୁପାଳନ ଓ କୃଷି ଵ୍ୟଵସ୍ଥା ଆରମ୍ଭ ହେଲା। ଘୋଡ଼ା, ଗାଈ, ମେଣ୍ଢା ଆଦି ପାଳନ ବଢ଼ିଲା । ଗଧିଆମାନେ ଗୃହପାଳିତ ପଶୁଙ୍କୁ ଆକ୍ରମଣ କରିଵା ଆରମ୍ଭ କଲେ।
ଜଙ୍ଗଲ ଓ ପ୍ରାକୃତିକ ଵାସସ୍ଥାନ ନଷ୍ଟ ହେଲା।
ଶିକାର ଯୋଗୁଁ ହରିଣ ଓ ଅନ୍ୟାନ୍ୟ ଵନ୍ୟପ୍ରାଣୀଙ୍କ ସଂଖ୍ୟା କମିଲା। ଫଳରେ ଗଧିଆମାନେ ମଣିଷର ଶତ୍ରୁ ଭାବେ ଵିଵେଚିତ ହେଲେ। ମେଇଜି ସରକାର ଗଧିଆଙ୍କୁ କୃଷି ଓ ପଶୁପାଳନର ଶତ୍ରୁ ଭାବେ ଦେଖି ସେମାନଙ୍କୁ ନିଶ୍ଚିହ୍ନ କରିଵା ନୀତି ଗ୍ରହଣ କଲେ। ସେତେବେଳେ ଗଧିଆ ମାରିଲେ ଆର୍ଥିକ ପୁରସ୍କାର ମିଳୁଥିଲା।
ହୋକାଇଡୋରେ ଵିଷ ମିଶା ଖାଦ୍ୟ ରଖାଯାଉଥିଲା। ସରକାରୀ କର୍ମଚାରୀ ଓ ଶିକାରୀମାନେ ଗଧିଆ ମାରିଵାରେ ନିୟୋଜିତ ହେଉଥିଲେ। ଏକ ଗଵେଷଣା ଅନୁସାରେ, ୧୮୭୮ରୁ ୧୮୮୬ ମଧ୍ୟରେ କେଵଳ ହୋକାଇଡୋରେ ପ୍ରାୟ ୬୩୦ଟି ଗଧିଆ ମରାଯାଇଥିଲା। ଅନ୍ୟ ଏକ ଗଵେଷଣାରେ ଇୱାତେ ପ୍ରଦେଶରେ ୧୮୭୫ରୁ ୧୮୮୦ ମଧ୍ୟରେ ୨୦୧ଟି ଗଧିଆ ମରାଯାଇଥିଵା ଉଲ୍ଲେଖ ଅଛି।
ଏହାଛଡ଼ା ରୋଗ ଯୋଗୁଁ ମଧ୍ୟ ଅନେକ ଗଧିଆ ମରିଯାଇଥିଲେ । ୟୁରୋପୀୟ ଦେଶମାନଙ୍କ ସହିତ ସମ୍ପର୍କ ବଢ଼ିଵା ପରେ ଜାପାନରେ କେତେକ ସଂକ୍ରାମକ ରୋଗ ବ୍ୟାପିଲା। ଵିଶେଷତଃ Rabies (ଜଳାତଙ୍କ) ଓ Canine Distemper (କୁକୁରମାନଙ୍କର ଏକ ଗୁରୁତର ଭୂତାଣୁଜନିତ ରୋଗ) ରୋଗଗୁଡ଼ିକ କୁକୁରଙ୍କଠାରୁ ଗଧିଆଙ୍କ ମଧ୍ୟରେ ଵ୍ୟାପିଥିଲା ବୋଲି ଗଵେଷଣାରେ ଆଲୋଚନା ହୋଇଛି।
ତାହେଲେ ଗଧିଆଆଙ୍କୁ ପୂଜା କରୁଥିଵା ଗୋଟିଏ ସମାଜ ହଠାତ୍ କାହିଁକି ଗଧିଆ ଵିରୋଧୀ ହୋଇଗଲା?
ଏହାର ଉତ୍ତର ସାମାଜିକ ଓ ସାଂସ୍କୃତିକ ପରିଵର୍ତ୍ତନରେ ରହିଛି। ପୂର୍ଵରୁ ଗଧିଆମାନେ କୃଷକଙ୍କ ପାଇଁ ଉପକାରୀ ଥିଲା। କିନ୍ତୁ ନୂତନ ପଶୁପାଳନ ଵ୍ୟଵସ୍ଥାରେ ତାହା ଆର୍ଥିକ କ୍ଷତିର କାରଣ ହେଲା। ଏହା ସହିତ ମେଇଜି ସରକାରଙ୍କ ଆଧୁନିକୀକରଣ ନୀତି ପୁରୁଣା ଲୋକଵିଶ୍ୱାସ ଓ ପ୍ରକୃତିକେନ୍ଦ୍ରିକ ଧାର୍ମିକ ପରମ୍ପରାକୁ ମଧ୍ୟ ଦୁର୍ଵଳ କରିଥିଲା। ତେଣୁ ଗଧିଆଙ୍କ ପୂର୍ଵର ଦୈଵୀ ମର୍ଯ୍ୟାଦା ମଧ୍ୟ କ୍ଷୟ ହେଲା।
ଅଵଶ୍ୟ ଜାପାନୀମାନେ ଜାପାନୀ ଗଧିଆମାନଙ୍କ ଵଂଶ ଲୋପ କରିଦେଇଛନ୍ତି କିନ୍ତୁ ହାସ୍ୟାସ୍ପଦ ଭାବେ ଆଜି ମଧ୍ୟ ଜାପାନରେ ଗଧିଆଙ୍କ ପୂଜା ହୁଏ !
ଜାପାନରେ ଆଜି ମଧ୍ୟ କେତେକ ଶିଣ୍ଟୋ ମନ୍ଦିରରେ ଗଧିଆଙ୍କୁ ଦେଵତାଙ୍କ ରକ୍ଷକ ଓ ଦୂତ ଭାବେ ସ୍ମରଣ କରାଯାଏ। ଵିଶେଷତଃ ସାଇତାମା ପ୍ରଦେଶର ମିତ୍ସୁମିନେ ମନ୍ଦିର ଗଧିଆ ଉପାସନା ପାଇଁ ପ୍ରସିଦ୍ଧ। ସେଠାରେ ଗଧିଆଙ୍କ ପ୍ରତିମୂର୍ତ୍ତି ଓ ଚିତ୍ର ଥିଵା ଧାର୍ମିକ ତାବିଜ ମିଳେ।
କେହି କେହି ଜାପାନୀ ଗମାତ କରି କୁହନ୍ତି କିତ୍ସୁନେ(କୋକିଶିଆଳ)ମାନେ ମଣିଷ ରୂପ ଧାରଣ କରି ପାରନ୍ତି ବୋଲି ସେମାନଙ୍କ ଵଂଶ ବଞ୍ଚି ଯାଇଛି କିନ୍ତୁ ଓକାମି(ଗଧିଆ)ମାନେ ତାହା ନକରି ପାରିଵାରୁ ଲୋପ ପାଇଯାଇଛନ୍ତି ।
ତେବେ ପ୍ରକୃତରେ ଦେଖିଵାକୁ ଗଲେଷମଣିଷର ଆର୍ଥିକ ସ୍ୱାର୍ଥ, ସରକାରୀ ନିଶ୍ଚିହ୍ନୀକରଣ ନୀତି, ଶିକାର, ଵାସସ୍ଥାନ ହ୍ରାସ ଓ ସଂକ୍ରାମକ ରୋଗର ମିଳିତ ପ୍ରଭାବ ଯୋଗୁଁ ଜାପାନୀ ଗଧିଆ ଆଜି ଜାପାନରୁ ହିଁ ଵିଲୁପ୍ତ ହୋଇ ଯାଇଛନ୍ତି ।
ଏହା ଆମକୁ ଏକ ବଡ଼ ଶିକ୍ଷା ଦିଏ !
ମଣିଷ ଯେତେବେଳେ ପ୍ରକୃତିର କୌଣସି ପ୍ରାଣୀକୁ ନିଜର ଉପକାରୀ ଭାବେ ଦେଖେ, ତାକୁ ଦେଵତା କରିଦିଏ; ଆଉ ଯେତେବେଳେ ତାହା ନିଜର ଆର୍ଥିକ ସ୍ୱାର୍ଥରେ ବାଧା ସୃଷ୍ଟି କରେ, ତାକୁ ନିଶ୍ଚିହ୍ନ କରିଵାକୁ ମଧ୍ୟ ପଛାଏ ନାହିଁ।
No comments:
Post a Comment