ମଣିଷ ଯେତେବେଳେ କୌଣସି ଜିନିଷର ପ୍ରକୃତ ଵୈଜ୍ଞାନିକ ସତ୍ୟ ଜାଣିନଥାଏ, ସେତେବେଳେ ସେ ଅତ୍ୟନ୍ତ ଆତ୍ମଵିଶ୍ୱାସର ସହ ଗୋଟିଏ ସୁନ୍ଦର କଳ୍ପନାପ୍ରସୂତ ଗପ ତିଆରି କରିଦିଏ । ପ୍ରାଚୀନ କାଳରେ ମଣିଷ ସୂର୍ଯ୍ୟ ଚନ୍ଦ୍ର ପୃଥିଵୀର ସୃଷ୍ଟି ସମ୍ବନ୍ଧରେ ପ୍ରକୃତ ଵୈଜ୍ଞାନିକ କାରଣ ଜାଣିନଥିଲା ତେଣୁ ନିଜ କଳ୍ପନା ଶକ୍ତିର ପ୍ରୟୋଗ କରି ଅନେକ କାହାଣୀ ଗଢ଼ିଥିଲା । ରୋଗର କାରଣ ଜାଣିନଥିଲା ତେଣୁ ଭୂତପ୍ରେତ ଯୋଗୁଁ ରୋଗ ହୁଏ ବୋଲି ଭାରତ ଵ୍ୟତୀତ ପୃଥିଵୀର ଅନେକ ଦେଶରେ ଅନୁମାନ କରାଯାଇଥିଲା(ଭାରତରେ ଵାତ କଫ ପିତ୍ତର
ଅସାନତା ଯୋଗୁଁ ରୋଗ ହୁଏ ବୋଲି ଅନୁମାନ କରାଯାଇଥିଲା) । ମଣିଷ ଭୂମିକମ୍ପ କାହିଁକି ହୁଏ ତାହା ଜାଣିନଥିଲା ତେଣୁ ଜାପାନ ଭଳି ଦେଶରେ ଏକ ଵିଶାଳ କ୍ୟାଟଫିଶ୍ 'ନମାଜୁ' ଯୋଗୁଁ ଭୂମିକମ୍ପ ହୁଏ ବୋଲି ଵିଶ୍ଵାସ କରାଯାଉଥିଲା। ଭାରତରେ ଅକୂପାର କୂର୍ମ,ଅଷ୍ଟହସ୍ତି ଓ ଶେଷନାଗ ପୃଥିଵୀକୁ ଧାରଣ କରିଥିଵାର ପୌରାଣିକ ଵର୍ଣ୍ଣନା ରହିଛି । ଏମାନେ ହଲଚଲ ହେଲେ ଭୂମିକମ୍ପ ହୁଏ ବୋଲି ଭାରତର ଲୋକେ ଵିଶ୍ୱାସ କରୁଥିଲେ । ଚୀନରେ ୟିନ୍ ଓ ୟାଙ୍ଗ୍ର ଅସନ୍ତୁଳନ ଯୋଗୁଁ ଭୂମିକମ୍ପ ହୁଏ ବୋଲି କଳ୍ପିତ ହୋଇଥିଲା । ପ୍ରାଚୀନ ଗ୍ରୀକ୍ ଲୋକମାନେ ସମୁଦ୍ର ଦେଵତା 'ପୋସାଇଡନ୍'ଙ୍କୁ ଭୂମିକମ୍ପର କାରଣ ମାନୁଥିଲେ। ପ୍ରାଚୀନ ମଣିଷ ଯେତେବେଳେ ଵିଜ୍ଞାନର ପ୍ରକୃତ କାରଣ ଜାଣିନଥିଲା ସେତେବେଳେ ସେ ନିଜର କଳ୍ପନା ଶକ୍ତି ପ୍ରୟୋଗ କରି ନିଜେ ହିଁ ତାହାର ଉତ୍ତର ଅନୁମାନ କରିଦେଉଥିଲା । ଆଜି ବି ମଣିଷ ଅନେକ ସମୟରେ ନିଜ କଳ୍ପନା ଶକ୍ତିର ପ୍ରୟୋଗ କରି ଏମିତି ଅନେକ ଅନୁମାନ କରିଥାଏ । ଶବ୍ଦ କ୍ଷେତ୍ରରେ ମଧ୍ୟ ଏହିପରି ଉଦାହରଣ ଦେଖିଵାକୁ ମିଳେ । ଜଣେ ସାଧାରଣ ଵ୍ୟକ୍ତି ପାଠଶାଠ ପଢିନଥିଲା ତେଣୁ ସେ କହିଦେଲା ଯେ ଡିବିରି ଧରାଯାଏ ଵାମ ହାତରେ ବୋଲି ଵାମ ହାତକୁ ଡେଭିରି କୁହାଗଲା । ତେବେ ଏହା ଏକ ଅନୁମାନ ମାତ୍ର କାରଣ ପ୍ରାୟ ଅନେକ ଭାରତୀୟ ଭାଷାରେ ଏହି ଶବ୍ଦ ସହିତ ସଗୋତ୍ରୀୟ ଅନେକ ଶବ୍ଦ ରହିଛି । ପ୍ରାକୃତ ଭାଷାରେ ḍavva ଶବ୍ଦ ଥିଲା ଏଵଂ ସେଥିରୁ ଅନ୍ୟାନ୍ୟ ଆର୍ଯ୍ୟଭାଷାରେ ଵାମ ଅର୍ଥରେ ନାନା ଶବ୍ଦ ସୃଷ୍ଟି ହୋଇଛି କିନ୍ତୁ ଏହା ମୂଳତଃ ଦ୍ରାଵିଡ଼ି ଭାଷାପରିଵାରର ଶବ୍ଦ ଅଟେ ।
ସେହିପରି ନିକଟରେ କେହି ଜଣେ ମହାନୁଭଵ ଅତ୍ୟନ୍ତ ଗମ୍ଭୀରତାର ସହ ଲେଖିଲେ ଯେ ୟୁରୋପରେ ଋତୁଗୁଡ଼ିକ ସମୁଦ୍ର ଉପରେ ନିର୍ଭରଶୀଳ ଏଵଂ ପ୍ରାଚୀନ ଇଂଲଣ୍ଡର ଲୋକମାନେ ସମୁଦ୍ରର ଏହି ଚମତ୍କାର ଅନୁଭଵ କରି 'Sea' (ସମୁଦ୍ର) ଓ 'Son' (ପୁଅ) ଶବ୍ଦକୁ ଯୋଡ଼ି 'Season' ଶବ୍ଦ ଗଢ଼ିଦେଲେ, ଅର୍ଥାତ୍ ସମୁଦ୍ରର ସନ୍ତାନ ହେଉଛି ଋତୁ । ଏହି ଅଦ୍ଭୁତ ଆଵିଷ୍କାର ଶୁଣିଵା ପରେ ମନେହୁଏ, ପ୍ରାଚୀନ କାଳରେ ବୋଧହୁଏ ଇଂଲଣ୍ଡର ଆଙ୍ଗ୍ଲୋ-ସାକ୍ସନ୍ମାନେ କାମଦାମ ଛାଡ଼ି ସମୁଦ୍ର କୂଳରେ ବସି ଅକ୍ଷର ପସରା ମେଲାଇ ଖେଳୁଥିଲେ ଏଵଂ ଯେତେବେଳେ ବି କୌଣସି ନୂଆ ଋତୁ ଆସୁଥିଲା, ସେତେବେଳେ ସେମାନେ ସମୁଦ୍ର ଆଡ଼କୁ ଆଙ୍ଗୁଠି ଦେଖାଇ ଆନନ୍ଦରେ ନାଚି ଉଠୁଥିଲେ । ଯଦି ଏହି ଯୁକ୍ତିକୁ ସତ ବୋଲି ଧରିନିଆଯାଏ, ତେବେ କାଲି ସକାଳେ କେହି ମଧ୍ୟ ଦାବି କରିପାରନ୍ତି ଯେ 'Mushroom' ଶବ୍ଦଟି 'Mush' (କାଦୁଅ) ଏଵଂ 'Room' (ଘର ଵା ବସା)ରୁ ଆସିଛି, କାରଣ ଛତୁ କାଦୁଅରେ ଗୋଟିଏ ଘର ପରି ଠିଆ ହୁଏ, କିମ୍ବା 'Kidney' ଶବ୍ଦଟି ଗୋଟିଏ Kid ଵା ଛୋଟ ପିଲା ନିଜ Knee ଵା ଆଣ୍ଠୁରେ ଚାଲିଵା ଦୃଶ୍ୟରୁ ସୃଷ୍ଟି ହୋଇଛି । ମଣିଷର ଏପରି ଭ୍ରାନ୍ତ କଳ୍ପନାଶକ୍ତି ପ୍ରଶଂସନୀୟ ହୋଇପାରେ, କିନ୍ତୁ ଭାଷା ଵିଜ୍ଞାନ ଓ ଇତିହାସ କ୍ଷେତ୍ରରେ ଏହା କେଵଳ ହାସ୍ୟରସର ଖୋରାକ ଯୋଗାଏ । ସମୁଦ୍ର ଏଵଂ ତା'ର ପୁଅର ଏହି ସୁନ୍ଦର ସମ୍ପର୍କର କାହାଣୀ ଶୁଣିଵାକୁ ନିଶ୍ଚିତ ଭାବେ ଭଲ ଲାଗେ, କିନ୍ତୁ ଏହାର ଵାସ୍ତଵତା ସହ କୌଣସି ଦୂରସମ୍ପର୍କ ନାହିଁ । ଭାଷାର ଇତିହାସ କୌଣସି ଆଳସ୍ୟପରାୟଣ ସମୁଦ୍ରଯାତ୍ରୀର ଶବ୍ଦକ୍ରୀଡ଼ା ନୁହେଁ ଵରଂ ଏହା ମାନଵ ସଭ୍ୟତାର କ୍ରମଵିକାଶ, କୃଷି, ଯୁଦ୍ଧ, ଭାଷାଗତ ମିଶ୍ରଣ ଓ ସାମାଜିକ ପରିଵର୍ତ୍ତନର ଏକ ଦୀର୍ଘ ଜୀଵନ୍ତ କାହାଣୀ । ଋତୁ କିମ୍ବା 'Season' ଶବ୍ଦର ଜନ୍ମ ସମୁଦ୍ରର ନୀଳ ଜଳରାଶିରେ ହୋଇନଥିଲା ଵରଂ ହୋଇଥିଲା ଚାଷୀର ହାତରେ, ମାଟିର ଗନ୍ଧରେ ଏଵଂ ଵିହନ ବୁଣିଵାର ପ୍ରକ୍ରିୟାରେ । ଏହି ଶବ୍ଦର ପ୍ରକୃତ ଐତିହାସିକ ଯାତ୍ରା ବୁଝିଵାକୁ ହେଲେ ଆମକୁ କାଳର ସ୍ରୋତରେ ହଜାର ହଜାର ଵର୍ଷ ପଛକୁ, ମାନଵ ସଭ୍ୟତାର ଆଦ୍ୟ ପର୍ଯ୍ୟାୟକୁ ଫେରିଯିଵାକୁ ହେଵ ।
ସେତେବେଳେ ଇଂଲଣ୍ଡ କିମ୍ବା ୟୁରୋପ ବୋଲି କୌଣସି ଆଧୁନିକ ରାଷ୍ଟ୍ର ନଥିଲା, ନଥିଲା କୌଣସି ଇଂରାଜୀ ଭାଷା । ଏହାର କାହାଣୀ ଆରମ୍ଭ ହୋଇଥିଲା ହଜାର ହଜାର ଵର୍ଷ ତଳେ ଏକ ପ୍ରାଚୀନ ଶବ୍ଦରୁ ଯାହାକୁ ଭାଷାଵିତ୍ମାନେ *seh₁- ବୋଲି ଚିହ୍ନଟ କରିଛନ୍ତି । ଏହି ଆଦି-ଧାତୁର ପ୍ରାଥମିକ ଅର୍ଥ ଥିଲା "ବିହନ ବୁଣିଵା" କିମ୍ବା "ମାଟିରେ ରୋପଣ କରିଵା" । କୃଷିର ଆଵିଷ୍କାର ସହିତ ମାନଵ ସଭ୍ୟତା ଯେତେବେଳେ ଵନ୍ୟ ଜୀଵନ ଓ ଶିକାର ଛାଡ଼ି ମାଟି ସହ ଯୋଡ଼ିହେଲା, ସେତେବେଳେ ତା' ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିଲା ଠିକ୍ ସମୟରେ ମାଟିରେ ଵିହନ ବୁଣିଵା । ମାଟିରେ ଵିହନ ଗଜା ହେଵା ଏଵଂ ଫସଲ ଅମଳ ହେଵା ଉପରେ ସେମାନଙ୍କର ଆହାର ଓ ଜୀଵନ ନିର୍ଭର କରୁଥିଲା । ତେଣୁ 'ବୁଣିଵା' ଵା 'ରୋପଣ' କ୍ରିୟାଟି ମାନଵ ସଂସ୍କୃତି ଓ ଚେତନାରେ ଏକ ପ୍ରାଥମିକ ସ୍ଥାନ ଗ୍ରହଣ କରିଥିଲା ।
ଭାରତଵର୍ଷରେ ଏହି ମୂଳ *seh₁ ଧାତୁ ଶବ୍ଦରୁ *sáHyakas ହେଲା ଏଵଂ ପରେ ତାହା 'ସାୟକ' ହେଲା , ଯାହାର ଅର୍ଥ ‘ଲକ୍ଷ୍ୟରେ ପ୍ରଵେଶ କରୁଥିଵା ତୀର’ ଅଟେ ।
କିନ୍ତୁ ଏପଟେ ରୋମାନ୍ ସଭ୍ୟତାର ଵିକାଶ ସହ ଲାଟିନ୍ରେ ଏହି *seh₁- ଧାତୁଟି ରୂପାନ୍ତରିତ ହୋଇ 'serō' କ୍ରିୟାପଦରେ ପରିଣତ ହେଲା, ଯାହାର ଅର୍ଥ ଥିଲା ଵିହନ ବୁଣିଵା । ଏହି କ୍ରିୟାର ଅତୀତ କୃଦନ୍ତ ଵା past participle ରୂପ ଥିଲା 'satum' । ଏହି 'satum' ରୁ ନିର୍ଗତ ହେଲା ଏକ ଵିଶେଷ୍ୟ ପଦ, ଯାହା ହେଉଛି 'satiō' । ଲାଟିନ୍ ଭାଷାରେ 'satiō' ର ଅର୍ଥ ଥିଲା "ବିହନ ବୁଣିଵାର କାର୍ଯ୍ୟ" କିମ୍ବା "ରୋପଣ ସମୟ" । ରୋମାନ୍ କୃଷକମାନଙ୍କ ପାଇଁ ଵର୍ଷର ସବୁ ସମୟ ସମାନ ନଥିଲା । ଯେଉଁ ନିର୍ଦ୍ଦିଷ୍ଟ ସମୟରେ ମାଟି ଓ ପାଣିପାଗ ଵିହନ ବୁଣିଵା ପାଇଁ ସବୁଠାରୁ ଉପଯୁକ୍ତ ଥିଲା, ସେହି ବୁଣିଵା ସମୟକୁ ସେମାନେ 'satiō' ବୋଲି କହିଵାକୁ ଲାଗିଲେ । ଏଠାରେ ଗୋଟିଏ କଥା ସ୍ପଷ୍ଟ ଯେ ଶବ୍ଦଟି ଏପର୍ଯ୍ୟନ୍ତ ସମଗ୍ର ଵର୍ଷର ଛଅଗୋଟି ଋତୁକୁ ବୁଝାଉ ନଥିଲା ଵରଂ ଏହା କେଵଳ ଫସଲ ଆରମ୍ଭର ସେହି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚାଷ ସମୟକୁ ସୂଚାଉଥିଲା ।
କ୍ରମଶଃ ରୋମାନ୍ ସାମ୍ରାଜ୍ୟର ଵିଶାଳ ଵିସ୍ତାର ଘଟିଲା । ରୋମାନ୍ ସୈନ୍ୟ,ଵ୍ୟଵସାୟୀ, ଶାସକ ଏଵଂ କୃଷକମାନଙ୍କ ମୁଖରେ ଲାଟିନ୍ ଭାଷା ସମଗ୍ର ପଶ୍ଚିମ ୟୁରୋପକୁ ଵ୍ୟାପିଗଲା । ସମୟକ୍ରମେ ରୋମାନ୍ ସାମ୍ରାଜ୍ୟର ପତନ ଘଟିଲା ସତ, କିନ୍ତୁ ଲାଟିନ୍ ଭାଷା ଵିଭିନ୍ନ ପ୍ରାନ୍ତରେ ଆଞ୍ଚଳିକ ରୂପ ନେଇ ନୂତନ ଭାଷାସମୂହର ଜନ୍ମ ଦେଲା, ଯାହାକୁ ଆମେ ଆଜି ରୋମାନ୍ସ ଭାଷାସମୂହ ବୋଲି କହୁ— ଯଥା ଫ୍ରେଞ୍ଚ, ସ୍ପାନିଶ୍, ଇଟାଲୀୟ ଓ ପର୍ତ୍ତୁଗୀଜ୍ । ଭୌଗୋଳିକ ଦୂରତା, ଉଚ୍ଚାରଣର ପରିଵର୍ତ୍ତନ ଏଵଂ ସ୍ଥାନୀୟ ପ୍ରଭାବ ସହିତ ଲାଟିନ୍ ଶବ୍ଦ 'satiō' ଗାଲୋ-ରୋମାନ୍ ପରିଵେଶ ଦେଇ ପ୍ରାଚୀନ ଫ୍ରେଞ୍ଚ ଭାଷାରେ ପ୍ରଵେଶ କଲା । ସେଠାରେ ଏହା ରୂପାନ୍ତରିତ ହୋଇ 'seson' କିମ୍ବା 'saison' ରେ ପରିଣତ ହେଲା । ପ୍ରାଚୀନ ଫ୍ରାନ୍ସରେ 'saison' ର ଅର୍ଥ ହେଲା "ଵିହନ ବୁଣିଵାର ସମୟ" କିମ୍ବା "ଚାଷ କାର୍ଯ୍ୟର ନିର୍ଦ୍ଦିଷ୍ଟ ଋତୁ" । ସେତେବେଳକୁ ମାନଵ ସମାଜ ବୁଝିସାରିଥିଲା ଯେ ଵର୍ଷଟି କେତେକ ନିର୍ଦ୍ଦିଷ୍ଟ ପ୍ରାକୃତିକ ଚକ୍ରରେ ଵିଭକ୍ତ ଏଵଂ ଵିହନ ବୁଣିଵାର ସମୟଟି ହେଉଛି ସେହି ସମଗ୍ର ପ୍ରାକୃତିକ ଚକ୍ରର ପ୍ରଥମ ଓ ପ୍ରଧାନ ପର୍ଯ୍ୟାୟ ।
ଏହି ସମୟରେ ବ୍ରିଟିଶ୍ ଦ୍ୱୀପରେ କ’ଣ ଘଟୁଥିଲା? ସେତେବେଳେ ଇଂଲଣ୍ଡର ଆଙ୍ଗ୍ଲୋ-ସାକ୍ସନ୍ ଲୋକମାନେ 'season' ଶବ୍ଦ ଵିଷୟରେ କିଛି ହେଲେ ଜାଣିନଥିଲେ । ସେମାନେ ଯେଉଁ ଭାଷା କହୁଥିଲେ, ତାହାକୁ ଆମେ ପ୍ରାଚୀନ ଇଂରାଜୀ ବୋଲି କହୁ, ଯାହା ଏକ ଜର୍ମାନୀୟ ଭାଷା ଥିଲା । ପ୍ରାଚୀନ ଇଂରାଜୀରେ ଋତୁ କିମ୍ବା ସମୟଖଣ୍ଡକୁ ବୁଝାଇଵା ପାଇଁ ସମ୍ପୂର୍ଣ୍ଣ ଭିନ୍ନ, ନିଜସ୍ୱ ଶବ୍ଦସମ୍ଭାର ରହିଥିଲା । ସେମାନେ ଵ୍ୟଵହାର କରୁଥିଲେ 'sǣl', ଯାହାର ଅର୍ଥ ଥିଲା ସମୟ, ଉପଯୁକ୍ତ ସୁଯୋଗ କିମ୍ବା ଋତୁ । ମଧ୍ୟ-ଇଂରାଜୀ ପର୍ଯ୍ୟନ୍ତ ଏହା 'sele' ରୂପରେ ଜୀଵିତ ଥିଲା । ସେହିପରି ଅନ୍ୟ ଏକ ମୂଳ ଶବ୍ଦ ଥିଲା 'tīd', ଯାହାର ଅର୍ଥ ଥିଲା ସମୟ, ସମୟସୀମା କିମ୍ବା ଋତୁ । ଆଜିର ଆଧୁନିକ ଇଂରାଜୀରେ ଆମେ ଯେଉଁ 'eventide' (ସନ୍ଧ୍ୟା ସମୟ), 'springtide'(ଵସନ୍ତ କାଳ) କିମ୍ବା 'Christmastide' (ବଡ଼ଦିନ ସମୟ) ଶବ୍ଦ ଦେଖୁ, ସେହି 'tide' ପ୍ରକୃତରେ ସମୁଦ୍ରର ଜୁଆର-ଭାଟାରୁ ଆସିନଥିଲା ଵରଂ ଏହି ପ୍ରାଚୀନ 'tīd' (ସମୟ/ଋତୁ)ରୁ ଆସିଥିଲା, ଯାହା ପରଵର୍ତ୍ତୀ ସମୟରେ ନିୟମିତ ଵ୍ୟଵଧାନରେ ଆସୁଥିଵା ସମୁଦ୍ର ଜଳସ୍ତର ପାଇଁ ମଧ୍ୟ ଵ୍ୟଵହୃତ ହେଲା । ଏହା ସହିତ, ସେହି ଆଦି ଇଣ୍ଡୋ-ୟୁରୋପୀୟ *seh₁- ଧାତୁଟି ଜର୍ମାନୀୟ ଶାଖା ଦେଇ ପ୍ରାଚୀନ ଇଂରାଜୀରେ ମଧ୍ୟ ଏକ ନିଜସ୍ୱ ରୂପ ନେଇସାରିଥିଲା । ସେଗୁଡ଼ିକ ଥିଲା 'sāwan' (ବିହନ ବୁଣିଵା) ଓ 'sǣd' (ଵିହନ) । ଅର୍ଥାତ୍ ଆଜିର ଆଧୁନିକ ଇଂରାଜୀ ଶବ୍ଦ 'seed' (ଵିହନ) ଏଵଂ ଲାଟିନ୍ରୁ ଫ୍ରେଞ୍ଚ ଦେଇ ଆସିଥିଵା 'season' ପ୍ରକୃତରେ ଗୋଟିଏ ମୂଳ ଧାତୁଶବ୍ଦର ଦୁଇଟି ଭିନ୍ନ ଶାଖାରେ ସୃଷ୍ଟି ହୋଇଥିଵା ସମୋଦ୍ଧୃତ ରୂପ ।
ତେବେ ଫ୍ରେଞ୍ଚ ଭାଷାର ଏହି 'saison' କିପରି ଇଂଲଣ୍ଡକୁ ଆସି ଇଂରାଜୀ ଭାଷାର ନିଜସ୍ୱ ଶବ୍ଦଗୁଡ଼ିକୁ ହଟାଇ ନିଜର ଆଧିପତ୍ୟ ଵିସ୍ତାର କଲା ?
ଏହାର ଉତ୍ତର ଲୁଚି ରହିଛି ୧୦୬୬ ମସିହାର ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ମୋଡ଼ରେ, ଯାହାକୁ 'ନୋରମାନ୍ ଵିଜୟ' ଵା Norman Conquest କୁହାଯାଏ । ଯେତେବେଳେ ଫ୍ରାନ୍ସର ନୋରମାଣ୍ଡିର ଡ୍ୟୁକ୍ 'William the Conqueror' ଇଂଲଣ୍ଡ ଆକ୍ରମଣ କରି ହେଷ୍ଟିଙ୍ଗସ୍ ଯୁଦ୍ଧରେ ସାକ୍ସନ୍ ରାଜାଙ୍କୁ ପରାସ୍ତ କଲେ, ସେତେବେଳେ ଇଂଲଣ୍ଡର ସାମାଜିକ, ରାଜନୈତିକ ଓ ଭାଷାଗତ ଢାଞ୍ଚା ସମ୍ପୂର୍ଣ୍ଣ ବଦଳିଗଲା । ଵିଜୟୀ ନୋରମାନ୍ ଶାସକମାନେ ଇଂଲଣ୍ଡର ରାଜଦରବାର, ଶାସନ, ଆଇନ୍ ଓ ଆଭିଜାତ୍ୟର ଭାଷା ଭାବେ ଆଂଗ୍ଲୋ-ନୋରମାନ୍ ଫ୍ରେଞ୍ଚ ଭାଷାକୁ ପ୍ରତିଷ୍ଠିତ କଲେ ।
ଫଳରେ, ସାଧାରଣ ଆଙ୍ଗ୍ଲୋ-ସାକ୍ସନ୍ ଲୋକମାନେ ତଳ ସ୍ତରରେ ପ୍ରାଚୀନ ଇଂରାଜୀ କହୁଥିଵା ବେଳେ ଶାସକ ଓ ଉଚ୍ଚଶ୍ରେଣୀର ଲୋକମାନେ ଫ୍ରେଞ୍ଚ କହୁଥିଲେ । ଦୁଇ ଶତାବ୍ଦୀରୁ ଅଧିକ ସମୟ ଧରି ଏହି ଦୁଇଟି ଭାଖା ପାଖାପାଖି ରହିଵା ପରେ ଉଭୟର ମିଶ୍ରଣରେ ସୃଷ୍ଟି ହେଲା ମଧ୍ୟ-ଇଂରାଜୀ ଵା Middle English । ଏହି ଭାଷାଗତ ମିଶ୍ରଣର ପରିଣାମ ସ୍ୱରୂପ, ସହସ୍ରାଧିକ ଫ୍ରେଞ୍ଚ ଶବ୍ଦ ଇଂରାଜୀ ଶବ୍ଦକୋଷରେ ପ୍ରଵେଶ କଲେ । ସେହିପରି ଏକ ଶବ୍ଦ ଥିଲା ଓଲ୍ଡ ଫ୍ରେଞ୍ଚର 'seson' କିମ୍ବା 'saison' । ମଧ୍ୟ-ଇଂରାଜୀ ଭାଷାରେ ଏହା ଗ୍ରହଣ କରାଗଲା 'sesoun' କିମ୍ବା 'seson' ରୂପରେ ।
ଇଂଲଣ୍ଡର ସାମାଜିକ ଜୀଵନରେ ଜଡ଼ିତ ହେଵା ପରେ ଏହି ଶବ୍ଦଟି ନିଜର ଅର୍ଥକୁ ଆହୁରି ସମ୍ପ୍ରସାରିତ କଲା । ପ୍ରଥମେ ଯାହା କେଵଳ "ଵିହନ ବୁଣିଵାର ସମୟ" କିମ୍ବା "ଚାଷର ନିର୍ଦ୍ଦିଷ୍ଟ କାଳ" ଥିଲା, ତାହା କ୍ରମଶଃ ଵର୍ଷର ଯେକୌଣସି ପ୍ରାକୃତିକ ଋତୁ— ଗ୍ରୀଷ୍ମ, ଵର୍ଷା, ଶରତ, ଶୀତ— ପାଇଁ ଵ୍ୟଵହୃତ ହେଵାକୁ ଲାଗିଲା । କାରଣ କୃଷିପ୍ରଧାନ ସମାଜରେ ପ୍ରତ୍ୟେକ ଋତୁର ନିଜସ୍ୱ କୃଷି ସମ୍ବନ୍ଧୀୟ ଦାୟିତ୍ୱ ରହିଥିଲା— ଵିହନ ବୁଣିଵା, ଫସଲର ରକ୍ଷଣାବେକ୍ଷଣ କରିଵା, ଅମଳ କରିଵା ଏଵଂ ଜମିକୁ ପରଵର୍ତ୍ତୀ ଵର୍ଷ ପାଇଁ ଵିଶ୍ରାମ ଦେଵା । ଫଳରେ 'sesoun' ଶବ୍ଦଟି ନିଜର ବୁଣିଵା ଅର୍ଥରୁ ଆଗକୁ ବଢ଼ି ଵର୍ଷର ସମସ୍ତ ପ୍ରାକୃତିକ ଵିଭାଜନକୁ ନିଜ ମଧ୍ୟରେ ସମାହିତ କରିନେଲା ।
ଏହି ପ୍ରକ୍ରିୟାରେ, ଇଂରାଜୀ ଭାଷାର ନିଜସ୍ୱ ପ୍ରାଚୀନ ଜର୍ମାନୀୟ ଶବ୍ଦଗୁଡ଼ିକ ଧୀରେ ଧୀରେ ପଛେଇ ଗଲେ । ମଧ୍ୟ-ଇଂରାଜୀର 'sele' (ଯାହା Old English ର 'sǣl' ରୁ ଆସିଥିଲା) କାଳକ୍ରମେ ଵ୍ୟଵହାରରୁ ବାହାରି ଯାଇ ସମ୍ପୂର୍ଣ୍ଣ ଅବଲୁପ୍ତ ହୋଇଗଲା । ସେହିପରି 'tide' ଶବ୍ଦଟି ଋତୁ ଵା ସାଧାରଣ ସମୟର ଵ୍ୟାପକ ଅର୍ଥ ହରାଇ କେଵଳ ସମୁଦ୍ରର ଜଳସ୍ତରର ଉତ୍ଥାନ-ପତନ କିମ୍ବା କେତେକ ନିର୍ଦ୍ଦିଷ୍ଟ ପାରମ୍ପରିକ ପର୍ଵପର୍ଵାଣିର ସମୟସୀମା ମଧ୍ୟରେ ସୀମିତ ହୋଇରହିଗଲା । ଫ୍ରେଞ୍ଚ ଆଗନ୍ତୁକ 'sesoun' ଆସି ଏହି ପ୍ରାଚୀନ ଶବ୍ଦଗୁଡ଼ିକୁ ସ୍ଥାନଚ୍ୟୁତ କଲା ଏଵଂ ପରଵର୍ତ୍ତୀ ସମୟରେ ବନାନର ପରିଵର୍ତ୍ତନ ଘଟି ଆଧୁନିକ ଇଂରାଜୀରେ 'season' ଭାବେ ସ୍ଥାୟୀ ଆସନ ଗ୍ରହଣ କଲା ।
ଏହା ଥିଲା Season ଶବ୍ଦର ପ୍ରକୃତ ଐତିହାସିକ ଯାତ୍ରାର କାହାଣୀ ଯାହା ନଜାଣି କେଵଳ ଶବ୍ଦର ବନାନକୁ ଦେଖି 'Sea' (ସମୁଦ୍ର) ଓ 'Son' (ପୁଅ)ର ଗପ ବାନ୍ଧୁଥିଲେ ଆମର ଜଣେ କଳ୍ପନାପ୍ରିୟ ବନ୍ଧୁ !
ଯଦି ଶବ୍ଦର ଉତ୍ପତ୍ତି ମଣିଷର କଳ୍ପନା ପରି ଏତେ ସହଜ ହୋଇଥାନ୍ତା, ତେବେ ବୋଧହୁଏ ପୃଥିଵୀର ସବୁ ଭାଷାଵିତ୍ ସମୁଦ୍ର କୂଳରେ ବସି କଵିତା ଲେଖୁଥାଆନ୍ତେ ଏଵଂ ଅତୀତର ସମସ୍ତ କୃଷକମାନେ ମାଟିରେ ଵିହନ ନବୁଣି କେଵଳ ସମୁଦ୍ରର ସନ୍ତାନମାନଙ୍କୁ ଗ୍ରହଣ କରିଵା ପାଇଁ ଅପେକ୍ଷା କରୁଥାଆନ୍ତେ । ପ୍ରକୃତିର ନିୟମ, ମାଟିର ଗନ୍ଧ ଏଵଂ ସଭ୍ୟତାର ଶ୍ରମରୁ ଜନ୍ମ ନେଇଥିବା ଏକ ଜୀଵନ୍ତ ଶବ୍ଦକୁ ଏପରି ଜଳଜାତ କାହାଣୀରେ ପରିଣତ କରିବା ନିଶ୍ଚିତ ଭାବେ ମାନଵୀୟ ଅଜ୍ଞତା ଓ କଳ୍ପନାଶକ୍ତିର ଏକ ରୋଚକ ନମୁନା ।