ହିନ୍ଦୀ ଭାଷାଭାଷୀ ଅଞ୍ଚଳର ହିନ୍ଦୀ ଓ ଇଂରାଜୀ NCERT ପାଠବହିଗୁଡ଼ିକୁ ଓଡ଼ିଆ ଭାଷାରେ ଉଦ୍ଦେଶ୍ୟମୂଳକ ଭାବେ ଉତ୍ତାରି ପାଠ୍ୟପୁସ୍ତକ ପ୍ରଣୟନ କରି ଦିଆଯାଇଛି । ମୁଖ୍ୟତଃ ଛଅଗୋଟି ଉଦ୍ଦେଶ୍ୟ ନେଇ ଏହା କରାଯାଇଛି ବୋଲି କୁହାଯାଉଛି ।
ପ୍ରଥମ ଉଦ୍ଦେଶ୍ୟ ହେଉଛି ସରକାରୀ ସ୍କୁଲର ମାନହ୍ରାସ କରିଵା ଯାହା ଫଳରେ ଲୋକମାନେ ବେସରକାରୀ ସ୍କୁଲ ପ୍ରତି ଆଗ୍ରହୀ ହେବେ । ସରକାରୀ ସ୍କୁଲର ମାନ ଯେତେ ହ୍ରାସ ଘଟିଵ ନେତା ମନ୍ତ୍ରୀ ଆଉ ତାଙ୍କ ଚେଲା ଚାମୁଣ୍ଡାଙ୍କର ବେସରକାରୀ ସ୍କୁଲ ସେତେ ଭଲ ଚାଲିଵ ।
ଦ୍ଵିତୀୟ ଉଦ୍ଦେଶ୍ୟଟି ହେଲା ହିନ୍ଦୀ ଭାଷାର ପ୍ରଚାର ପ୍ରସାର ତଥା ଓଡ଼ିଶାରୁ ଓଡ଼ିଆ ଭାଷା ପ୍ରତି ଆଗ୍ରହ କମ୍ କରେଇ କ୍ରମଶଃ ଦଶ କୋଡ଼ିଏ ଵର୍ଷ ମଧ୍ୟରେ ପାଠ୍ୟପୁସ୍ତକରୁ ଓଡ଼ିଆ ଭାଷାକୁ ସମ୍ପୂର୍ଣ୍ଣ ଉଠେଇ ଦେଵାର ଷଡ଼ଯନ୍ତ୍ର କରାଯାଇଛି । ଏଭଳି ଷଡ଼ଯନ୍ତ୍ର ଛତିଶଗଡ଼ ଓ ଝାଡ଼ଖଣ୍ଡରେ କରି ଓଡ଼ିଆ ଭାଷାକୁ ଏବେ ସମ୍ପୂର୍ଣ୍ଣ ମାରି ସାରିଛନ୍ତି ସେଠାକାର ଓଡ଼ିଆ ଵିଚ୍ଛିନ୍ନାଞ୍ଚଳରୁ ...!
ତୃତୀୟ ଉଦ୍ଦେଶ୍ୟ, ଉତ୍ତର ଭାରତୀୟ ଲୋକଙ୍କ ଵିଚାରକୁ ଓଡ଼ିଆ ପିଲାଙ୍କୁ ପଢ଼ାଇ ସେମାନଙ୍କର Mind wash କରିଵା ଯାହା ଫଳରେ ସେମାନେ ଭଵିଷ୍ୟତରେ ମାନସିକ ଗୋଲାମ ହୋଇପାରିବେ ।
ଚତୁର୍ଥ ଉଦ୍ଦେଶ୍ୟ ହେଉଛି ଓଡ଼ିଆ ଲୋକ ଯେମିତି ସ୍ଵାଭିମାନୀ ନହୁଅନ୍ତୁ ସେଥିପାଇଁ ଜାଣିଶୁଣି ଅନେକ କଥା ଯୋଡ଼ାଯାଇଛି । ମରାଠାଙ୍କ ପ୍ରଶଂସା ଏଵଂ ଅନେକ ହିନ୍ଦୀ ଗୀତ କଵିତା ଯୋଡ଼ିଵା ଏହାର କିଛି ଉଦାହରଣ ।
ପଞ୍ଚମ ଉଦ୍ଦେଶ୍ୟ ହେଉଛି ଓଡ଼ିଆ ଲୋକଙ୍କ ସର୍ଵଭାରତୀୟ ସ୍ତରରେ ଦକ୍ଷତା ହ୍ରାସ କରି ସେମାନଙ୍କୁ ଦେଶ ମଧ୍ୟରେ ଆଗକୁ ବଢ଼ିଵାକୁ ନଦେଵା ପାଇଁ ଷଡ଼ଯନ୍ତ୍ର କରାଯାଇଛି । ଆମ ଭଵିଷ୍ୟତ ପିଢ଼ି ଯଦି ଭୁଲ୍ ପାଠ ପଢ଼ିବେ ସେମାନେ କେବେହେଲେ ବି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସଫଳ ହୋଇପାରିବେ ନାହିଁ ।
ଷଷ୍ଠ ଉଦ୍ଦେଶ୍ୟ ଓଡ଼ିଶାର ଲୋକଙ୍କୁ ଏକ ନିର୍ଦ୍ଦିଷ୍ଟ ଦଳର ଵିଚାରର ପକ୍ଷଧର କରିଵା ପାଇଁ ବାଲ୍ୟକାଳରୁ ହିଁ Mind wash ଆରମ୍ଭ କରି ଦିଆଯାଇଛି । ଆଉ ଆଠ ଦଶ ଵର୍ଷ ପରେ ଏହି ପିଲାମାନେ ଏହି ନିର୍ଦ୍ଦିଷ୍ଟ ଦଳକୁ ଵୋଟ୍ ଦେଇ ଜିତେଇବେ ।
ଶିକ୍ଷା ଓ ଭାଷାର ଏହି ସାଂପ୍ରତିକ ସଂକଟ କେଵଳ ପାଠ୍ୟପୁସ୍ତକ ବଦଳିଵାର ପ୍ରକ୍ରିୟା ନୁହେଁ ଵରଂ ଏହା ଏକ ଜାତିର ସାଂସ୍କୃତିକ ଚେତନା ଓ ମୌଳିକ ସ୍ୱାଭିମାନ ଉପରେ ସୂକ୍ଷ୍ମ ଆଘାତ। ଦାର୍ଶନିକ ଦୃଷ୍ଟିକୋଣରୁ ଦେଖିଲେ, ଏହାର ପରିଣାମ ବହୁତ ଗମ୍ଭୀର ହେଵ ।
ଭାଷା କେଵଳ ଯୋଗାଯୋଗର ମାଧ୍ୟମ ନୁହେଁ, ଏହା ହେଉଛି ଗୋଟିଏ ସମାଜର ସ୍ମୃତି, ସଂସ୍କୃତି ଓ ଦର୍ଶନର ଵାହକ। ଯେତେବେଳେ କୌଣସି ଜାତିର ଶିଶୁକୁ ତା'ର ମାତୃଭାଷା ଓ ମାଟିର ଚିନ୍ତାଧାରାରୁ ଵିଚ୍ଛିନ୍ନ କରି ଅନ୍ୟ ଏକ ଆଦର୍ଶର ଅନୁଵାଦ ପଢ଼ାଯାଏ, ସେତେବେଳେ ସେ ନିଜ ସ୍ଥିତିକୁ ନେଇ ସନ୍ଦେହୀ ହୋଇପଡ଼େ। ସେ ନିଜ ମାଟିରେ ଥାଇ ମଧ୍ୟ ଜଣେ "ସାଂସ୍କୃତିକ ଶରଣାର୍ଥୀ" ପାଲଟିଯାଏ।
ସାମ୍ରାଜ୍ୟବାଦ କେଵଳ ଭୂଖଣ୍ଡ ଜୟ କରିବାରେ ନଥାଏ ଵରଂ ମନକୁ ଜୟ କରିଵାରେ ଥାଏ। ଇଂରେଜମାନେ ଭାରତ ଛାଡ଼ି ଚାଲିଯାଇଛନ୍ତି ସତ, କିନ୍ତୁ ଆଜି ଶିକ୍ଷା ଵ୍ଯଵସ୍ଥାର କେନ୍ଦ୍ରୀୟକରଣ ମାଧ୍ୟମରେ ଏକ ନୂତନ ଵୈଚାରିକ ଉପନିବେଶଵାଦର ଜନ୍ମ ହେଉଛି। ଏହା ଏଭଳି ଏକ ମାନସିକ ଗୋଲାମୀ ପ୍ରସ୍ତୁତ କରୁଛି ଯାହା ଯୋଗୁଁ ଓଡ଼ିଆ ପିଲାଏ ନିଜ ଗୌରଵକୁ ଭୁଲି ଅନ୍ୟର ଚିନ୍ତାଧାରାକୁ ଶ୍ରେଷ୍ଠ ବୋଲି ଭାବିବେ ଏଵଂ ନିଜ ଅଜାଣତରେ ସେହି ଵ୍ୟଵସ୍ଥାର ଦାସ ପାଲଟିବେ।
ଭାରତର ସୌନ୍ଦର୍ଯ୍ୟ ତା'ର ଵିଵିଧତା ମଧ୍ୟରେ ଅଛି। ସାରା ଦେଶକୁ ଗୋଟିଏ ଚିନ୍ତାଧାରା, ଗୋଟିଏ ଭାଷା ଓ ଗୋଟିଏ ଵୈଚାରିକ ଢାଞ୍ଚାରେ ବାନ୍ଧିବାକୁ ଚେଷ୍ଟା କରିଵା ଏକ ସାଂସ୍କୃତିକ ଅପରାଧ। ଏହାଦ୍ୱାରା ଆଞ୍ଚଳିକ ପ୍ରତିଭା ଓ ମୌଳିକ ଚିନ୍ତାଧାରାର ମୃତ୍ୟୁ ଘଟିଵ।
ଇତିହାସ ସାକ୍ଷୀ ଅଛି, ଯେଉଁ ଜାତି ନିଜ ଇତିହାସ ଓ ଭାଷାକୁ ଭୁଲିଯାଇଛି, ସେ ସଂସାରରୁ ସଂପୂର୍ଣ୍ଣ ଵିଲୀନ ହୋଇଯାଇଛି। ଆଜି ଯଦି ଆମେ ଆମର ପରଵର୍ତ୍ତୀ ପିଢ଼ିକୁ ଓଡ଼ିଶାର ମାଟି ଓ ଭାଷାର ଚେତନାରୁ ଦୂରେଇ ରଖିଵା, ତେବେ ଆଗାମୀ ଦିନରେ ଆମେ ଏକ ବୌଦ୍ଧିକ ଭାବେ ଅକ୍ଷମ ଓ ସ୍ୱାଭିମାନଶୂନ୍ୟ ପିଢ଼ି ପାଇଵା, ଯେଉଁମାନେ ଶରୀରରେ ଓଡ଼ିଆ ହୋଇଥିବେ ସତ, କିନ୍ତୁ ମାନସିକତାରେ ପରପଦାନତ ହୋଇ ରହିଥିବେ।
ସୂର୍ଯ୍ୟଙ୍କ ଆଲୋକ ସଭିଙ୍କ ପାଇଁ ଏକ, କିନ୍ତୁ ପ୍ରତିଟି ମାଟିର ନିଜସ୍ୱ ସୁଗନ୍ଧ ଥାଏ। ଶିକ୍ଷାର ମାନ ସର୍ଵଭାରତୀୟ ହେଵା ସ୍ୱାଗତଯୋଗ୍ୟ, କିନ୍ତୁ ତାହା ଯଦି ସ୍ଥାନୀୟ ସ୍ଵାଭିମାନକୁ ପୋଡ଼ି ପାଉଁଶ କରିଦିଏ, ତେବେ ସେହି ଜ୍ଞାନ ଆଲୋକ ନୁହେଁ ଵରଂ ଏକ ଦାହକ ଅଗ୍ନି । ନିଜ ଭାଷା ଓ ସଂସ୍କୃତିକୁ ସୁରକ୍ଷିତ ରଖି ଵିଶ୍ୱ ଅଭିମୁଖେ ଆଗେଇଵା ହିଁ ପ୍ରକୃତ ପ୍ରଗତି ଅଟେ । ଅନ୍ୟର ପାଦଚିହ୍ନକୁ ନିଜର ଭାଗ୍ୟ ବୋଲି ଗ୍ରହଣ କରିଵାକୁ ପ୍ରଗତି ନୁହେଁ ଅଵଗତି ହିଁ କୁହାଯାଏ ।