୧୯୪୭ ମସିହା ଡିସେମ୍ବର ମାସରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନେତୃତ୍ଵରେ ଓଡ଼ିଶାର ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଡିସେମ୍ବର ୧୪ ଓ ୧୫ ତାରିଖରେ ଷଢ଼େଇକଳା ଓ ଖରସୁଆଁର ରାଜାମାନେ ମଧ୍ୟ ଓଡ଼ିଶା ପ୍ରଦେଶ ସହ ମିଶିଵା ପାଇଁ ମିଶ୍ରଣ ଦଲିଲ "Instrument of Accession"ରେ ସ୍ଵାକ୍ଷର କରିସାରିଥିଲେ। ନିଷ୍ପତ୍ତି ଅନୁଯାୟୀ, ୧୯୪୮ ମସିହା ଜାନୁଆରୀ ୧ ତାରିଖ ଦିନ ଓଡ଼ିଶା ପ୍ରଶାସନ ଆନୁଷ୍ଠାନିକ ଭାବେ ଖରସୁଆଁର ଶାସନ ଦାୟିତ୍ଵ ହାତକୁ ନେଵାର ଥିଲା।
ଖରସୁଆଁ ଓ ଷଢ଼େଇକଳା ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଏଵଂ ଶିଳ୍ପ ସମୃଦ୍ଧ ସିଂହଭୂମି ଅଞ୍ଚଳରେ ଥିଵାରୁ ପଡ଼ୋଶୀ ବିହାର ପ୍ରଦେଶର ନେତୃବର୍ଗ କୌଣସି ପରିସ୍ଥିତିରେ ଏହା ଓଡ଼ିଶା ହାତକୁ ଯାଉ ବୋଲି ଚାହୁଁନଥିଲେ। ଏଥିପାଇଁ ବିହାର ସରକାର ସ୍ଥାନୀୟ ଆଦିଵାସୀ ନେତା "ଜୟପାଳ ସିଂହ ମୁଣ୍ଡା"ଙ୍କୁ ଆୟୁଧ କରି ସେଠାରେ ଓଡ଼ିଶା ଵିରୋଧୀ ମାନସିକତା ସୃଷ୍ଟି କରିଵାକୁ ଏକ ଗୁପ୍ତ ଯୋଜନା ପ୍ରସ୍ତୁତ କଲେ। ଆଦିଵାସୀ ଜନସାଧାରଣଙ୍କୁ ଭ୍ରମିତ କରି କୁହାଗଲା ଯେ, ଯଦି ସେମାନେ ଓଡ଼ିଶା ସହ ମିଶନ୍ତି, ତେବେ ଓଡ଼ିଆମାନେ ସେମାନଙ୍କ ଉପରେ ଶାସନ କରିବେ ଏଵଂ ସେମାନଙ୍କର ପାରମ୍ପରିକ ଜଳ, ଜଙ୍ଗଲ ଓ ଜମିର ଅଧିକାର ଛଡ଼ାଇ ନେବେ। ଏହି ଭ୍ରମାତ୍ମକ ଓ ଉତ୍ତେଜନାପୂର୍ଣ୍ଣ ପ୍ରଚାର କାରଣରୁ ମୂଳ ଅଧିଵାସୀମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଵିରୋଧରେ ତଥା ଓଡ଼ିଆ ଲୋକଙ୍କ ଵିପକ୍ଷରେ ଆକ୍ରୋଶ ଜନ୍ମିଥିଲା।
୧୯୪୮ ଜାନୁଆରୀ ୧ ତାରିଖ ଦିନ ଓଡ଼ିଶା ପ୍ରଶାସନର କର୍ମଚାରୀମାନେ ଖରସୁଆଁର ଶାସନ ଦାୟିତ୍ଵ ନେଵା ପାଇଁ ପହଞ୍ଚିଵାର ଥିଲା। ଏହି ସମୟରେ ଓଡ଼ିଶା ସହ ମିଶ୍ରଣକୁ ଵିରୋଧ କରି ଏଵଂ ଏକ ସ୍ଵତନ୍ତ୍ର 'ଝାଡ଼ଖଣ୍ଡ' ରାଜ୍ୟ ଦାବି କରି ଖରସୁଆଁର ଗୋଟିଏ ବଡ଼ ସାପ୍ତାହିକ ହାଟପଦା ମେଳା ପଡ଼ିଆରେ ପ୍ରାୟ ୩୦ ରୁ ୫୦ ହଜାର ଆଦିଵାସୀ ଏକାଠି ହୋଇଥିଲେ। ଲୋକଙ୍କ ହାତରେ ସେମାନଙ୍କର ପାରମ୍ପରିକ ଧନୁ-ତୀର ଥିଲା। ସେହି ସମୟରେ ସେଠାରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ବିହାର ମିଲିଟାରୀ ପୋଲିସ ମୁତୟନ ହୋଇ ସାରିଥିଲା। ଠିକ୍ ଜାଲିଆନାୱାଲାବାଗ୍ ଶୈଳୀରେ, ପଡ଼ିଆରୁ ବାହାରିଵା ପାଇଁ ଥିଵା ସଂକୀର୍ଣ୍ଣ ରାସ୍ତାକୁ ପୋଲିସ ଚାରିପଟୁ ଘେରି ଗଲା। ଭିଡ଼କୁ ନିୟନ୍ତ୍ରଣ କରିଵା ପାଇଁ ପ୍ରଶାସନ ପକ୍ଷରୁ କୌଣସି ଆଲୋଚନା କିମ୍ବା ଲାଠିଚାଳନା ପରି ପ୍ରାଥମିକ ପଦକ୍ଷେପ ନିଆ ନଯାଇ, ସ୍ଵୟଂଚାଳିତ ବନ୍ଧୁକରୁ ନିରୀହ ଜନତାଙ୍କ ଉପରେ ସିଧାସଳଖ ଗୁଳିଵର୍ଷଣ କରାଗଲା।
ସେହି ଭୟଙ୍କର ଗୁଳିକାଣ୍ଡ ପରେ ନିଜର ପାପ ଲୁଚାଇଵା ପାଇଁ ବିହାର ପ୍ରଶାସନ ଅତି ଅମାନୁଷିକ ପଦକ୍ଷେପ ଗ୍ରହଣ କରିଥିଲା। ସାରା ଅଞ୍ଚଳରେ ସଙ୍ଗେ ସଙ୍ଗେ ସାମରିକ କର୍ଫ୍ୟୁ ଜାରି କରାଗଲା, ଯେପରି ଓଡ଼ିଶାର କୌଣସି ନେତା, ସାମ୍ବାଦିକ କିମ୍ବା ସେଵାସଂସ୍ଥା ଖରସୁଆଁରେ ପ୍ରଵେଶ କରି ପ୍ରକୃତ ତଥ୍ୟ ପାଇପାରିବେ ନାହିଁ। ଶହ ଶହ ମୃତଦେହକୁ ସେମାନଙ୍କ ପରିଵାରକୁ ହସ୍ତାନ୍ତର ନକରି ରାତାରାତି ଟ୍ରକ୍ରେ ଭର୍ତ୍ତି କରାଗଲା। ପଡ଼ିଆରେ ଥିଵା ଏକ ବଡ଼ ଗଭୀର କୂଅ ଭିତରେ ଶଵଗୁଡ଼ିକୁ ଜୋରଜବରଦସ୍ତ ଭର୍ତ୍ତି କରି ମାଟି ପୋତି ଦିଆଗଲା ଏଵଂ ଅଵଶିଷ୍ଟ ଶଵକୁ ଦୂର ଜଙ୍ଗଲରେ ଵନ୍ୟଜନ୍ତୁଙ୍କ ଆହାର ପାଇଁ ଫିଙ୍ଗି ଦିଆଗଲା। ଗୁଳିମାଡ଼ରେ ଆହତ ହୋଇ ଛଟପଟ ହେଉଥିଵା ଲୋକଙ୍କୁ ଡାକ୍ତରଖାନା ନେଵାକୁ ଦିଆଗଲା ନାହିଁ। ଏପରିକି ପଡ଼ିଆରେ ପଡ଼ିଥିଵା ରକ୍ତର ଦାଗକୁ ପାଣି ଢାଳି ଏଵଂ ମାଟି ଖୋଳି ସମ୍ପୂର୍ଣ୍ଣ ରୂପେ ଲିଭାଇ ଦିଆଗଲା। ପରେ ଯେତେବେଳେ କେତେକ ସୂତ୍ରରୁ କୁଳିକାଣ୍ଡ କଥା ପଦାକୁ ଆସିଲା ସେତେବେଳେ ବିହାର ସରକାର ନିଜର ସରକାରୀ ରିପୋର୍ଟରେ ମୃତ୍ୟୁସଂଖ୍ୟା ମାତ୍ର ୩୫ ବୋଲି ଦର୍ଶାଇଥିଲା । କିନ୍ତୁ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଗୁଳିକାଣ୍ଡରେ ହଜାରେରୁ ଅଧିକ ଲୋକ ମରିଥିଲେ ।
ଏହି ହତ୍ୟାକାଣ୍ଡ ପରେ ଷଡୈକଳା ଓ ଖରସୁଆଁ ଅଞ୍ଚଳକୁ ନିଜ ନିୟନ୍ତ୍ରଣରେ ରଖିଵା ପାଇଁ ବିହାର ପ୍ରଶାସନ ସ୍ଥାନୀୟ ଓଡ଼ିଆମାନଙ୍କ ଉପରେ ଚରମ ଅତ୍ୟାଚାର ଆରମ୍ଭ କରିଥିଲା କିନ୍ତୁ ସାଧାରଣତଃ ଇତିହାସ ବହିରେ ଜାତୀୟ ସଂହିତର ଦ୍ୱାହି ଦେଇ ଏସବୁ ସତ୍ୟକୁ ସ୍ଥାନ ଦିଆଯାଏ ନାହିଁ। ବିହାରୀମାନେ ଷଡୈକଳା ଖରସୁଆଁରେ ଓଡ଼ିଆ ଭାଷାର ଉଚ୍ଛେଦ ପାଇଁ ରାତାରାତି ସମସ୍ତ ସରକାରୀ ଵିଦ୍ୟାଳୟ ଓ ପ୍ରଶାସନିକ କାର୍ଯ୍ୟାଳୟରୁ ଓଡ଼ିଆ ଭାଷାକୁ ହଟାଇ ବାଧ୍ୟତାମୂଳକ ଭାବେ ହିନ୍ଦୀ ଲାଗୁ କଲେ ଏଵଂ ଓଡ଼ିଆ ବହିଗୁଡ଼ିକୁ ସର୍ଵସାଧାରଣରେ ଜଳାଇ ଦେଲେ। ଯେଉଁ ଓଡ଼ିଆ ଶିକ୍ଷକ ଵା ସରକାରୀ କର୍ମଚାରୀ ଓଡ଼ିଶା ସହ ମିଶ୍ରଣ ସପକ୍ଷରେ ମତ ଦେଲେ, ସେମାନଙ୍କୁ ଚାକିରିରୁ ବାହାର କରି ଦିଆଗଲା ଏଵଂ ସ୍ଥାନୀୟ ଓଡ଼ିଆ ନେତୃଵୃନ୍ଦଙ୍କୁ ମିଥ୍ୟା ଦେଶଦ୍ରୋହ ମାମଲାରେ ଛନ୍ଦି ହଜାରୀବାଗ ଜେଲ୍କୁ ପଠାଇ ଦିଆଗଲା। ଓଡ଼ିଆମାନଙ୍କୁ ନିଜ ମାଟିରେ ସଂଖ୍ୟାଲଘୁ କରିଵା ପାଇଁ ବିହାରର ଆଭ୍ୟନ୍ତରୀଣ ଅଞ୍ଚଳରୁ ହଜାର ହଜାର ଅଣ-ଓଡ଼ିଆ ଲୋକଙ୍କୁ ଆଣି ସେଠାରେ ଜମି ଓ ଘର ଯୋଗାଇ ଦିଆଗଲା, ଯାହା ସେହି ଅଞ୍ଚଳର ସାମାଜିକ ସ୍ଥିତିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା। ସ୍ଥାନୀୟ ଓଡ଼ିଆ ଲୋକଙ୍କୁ ବାହାରିଆ ଆଖ୍ଯା ଦିଆଗଲା । ଓଡ଼ିଆ ଲୋକଙ୍କ ଗାଆଁ ଗଣ୍ଡା ଘରକୁ ବିହାରୀ ଗୁଣ୍ଡା ଓ ପୋଲିସ ଆସି ଧମକ ଚମକ ଦେଉଥିଲେ । କେତେକ ଓଡ଼ିଆ ଲୋକଙ୍କ ଘର ଲୁଣ୍ଠନ ହେଲା, କିଛି ଓଡ଼ିଆ ଝିଅଙ୍କର ଅସ୍ମତ ଲୁଣ୍ଠନ ହେଲା । ଏତେ ସବୁ ଅତ୍ୟାଚାର ମଧ୍ୟରେ ଷଡୈକଳା ଖରସୁଆଁ ଅଞ୍ଚଳରେ ରହୁଥିଵା ଓଡ଼ିଆମାନଙ୍କ ସ୍ଵରକୁ ଦବେଇ ଦେଵାକୁ ପ୍ରୟାସ କରାଗଲା । ତତ୍କାଳୀନ ବିହାରୀ ପ୍ରଶାସନିକ ଅନ୍ୟାୟ ଵିରୋଧରେ ଷଢ଼େଇକଳାର ମହାରାଜା ଆଦିତ୍ୟ ପ୍ରତାପ ସିଂହ ଦେଓ ଆଇନଗତ ଲଢ଼େଇ ଲଢ଼ିଵାକୁ ନିଷ୍ପତ୍ତି ନେଇଥିଲେ।
ଭାରତୀୟ ସମ୍ବିଧାନ ଲାଗୁ ହେଵାର ଏଵଂ ସୁପ୍ରିମକୋର୍ଟ ଗଠନ ହେଵାର ଠିକ୍ କିଛି ଦିନ ପୂର୍ଵରୁ ଷଡୈକଳା ଖରସୁଆଁର ଅନ୍ୟାୟ ମିଶ୍ରଣ ଵିପକ୍ଷରେ ୧୫ ଜାନୁଆରୀ ୧୯୫୦ ମସିହାରେ ତତ୍କାଳୀନ Federal Court of Indiaରେ ଏକ କେଶ୍ ଦାୟର କରାଯାଇଥିଲା । ୨୮ ଜାନୁଆରୀ ୧୯୫୦ ମସିହାରେ ଭାରତର ସୁପ୍ରିମକୋର୍ଟ ଵା ଉଚ୍ଚତମ ନ୍ୟାୟାଳୟ ସ୍ଥାପିତ ହୋଇଥିଲା। ଭାରତ ଗଣତନ୍ତ୍ର ହେଵାର ଠିକ୍ ଦୁଇ ଦିନ ପରେ ସୁପ୍ରିମକୋର୍ଟ କାର୍ଯ୍ୟକାରୀ ହୋଇଥିଲା ଏଵଂ ଏହାର ପ୍ରଥମ ଵୈଠକ ସଂସଦ ଭବନର "Chamber of Princes"ଠାରେ ବସିଥିଲା। ସୁପ୍ରିମକୋର୍ଟ ପ୍ରତିଷ୍ଠା ହେଵା ପରେ ସମ୍ବିଧାନର ଅନୁଚ୍ଛେଦ ୩୭୪(୨) ଅନୁଯାୟୀ ଷଡୈ଼କଳା ଓ ଖରସୁଆଁ ଅନ୍ୟାୟ ମିଶ୍ରଣ ସମ୍ବନ୍ଧୀୟ କେଶ୍କୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତରିତ କରାଯାଇ ‘Original Suit No. 1 of 1950’ ଭାବେ ନାମିତ କରାଗଲା । ଏହି ମାମଲାର ଆଇନଗତ ନାମ ଥିଲା State of Seraikella vs. Union of India & Others (1950) ଏଵଂ ଏହା ସୁପ୍ରିମକୋର୍ଟ ଇତିହାସରେ Original Suit No. 1 of 1950 ଭାବେ ଲିପିବଦ୍ଧ ହେଲା। ସୁପ୍ରିମକୋର୍ଟର ପ୍ରଥମ ପ୍ରଧାନ ବିଚାରପତି ଜଷ୍ଟିସ୍ ହରିଲାଲ ଜେକିସୁନ୍ଦାସ କାନିଆ ଏଵଂ ଏକ ସ୍ୱତନ୍ତ୍ର ବେଞ୍ଚ୍ ସାମ୍ନାରେ ମହାରାଜା ଯୁକ୍ତି ବାଢ଼ିଥିଲେ ଯେ ୧୯୪୭ ଡିସେମ୍ବରର 'ମିଶ୍ରଣ ଦଲିଲ' ଅନୁସାରେ ଓଡ଼ିଶା ସହ ମିଶ୍ରଣ ଚୂଡ଼ାନ୍ତ ହୋଇଥିଵା ବେଳେ କେନ୍ଦ୍ର ସରକାର ବଳପୂର୍ଵକ ଏହାକୁ ବିହାରରେ ମିଶାଇ ଚୁକ୍ତି ଭଙ୍ଗ କରିଛନ୍ତି।
ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ବେଞ୍ଚ୍ ଏହି ମାମଲାର ଦୀର୍ଘ ଶୁଣାଣି କରିଥିଲେ ମଧ୍ୟ ସମ୍ବିଧାନର ଧାରା ୩୬୩ର ଦୁର୍ଵଳତାକୁ ଦର୍ଶାଇ ଓଡ଼ିଶା ଵିପକ୍ଷରେ ରାୟ ଦେଇଥିଲେ। ଅଦାଲତ କହିଥିଲେ ଯେ, ସ୍ଵାଧୀନତା ପୂର୍ଵରୁ ଦେଶୀୟ ରାଜ୍ୟ ଓ ଭାରତ ସରକାରଙ୍କ ମଧ୍ୟରେ ହୋଇଥିଵା କୌଣସି ରାଜନୈତିକ ଚୁକ୍ତି ଉପରେ ହସ୍ତକ୍ଷେପ କରିଵାର ଅଧିକାର ସୁପ୍ରିମକୋର୍ଟଙ୍କ ଆଇନଗତ ପରିସରଭୁକ୍ତ ନୁହେଁ ଏଵଂ ଏହା ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଏକ ପ୍ରଶାସନିକ ନିଷ୍ପତ୍ତି। କେହି କେହି ଐତିହାସିକ ଆକ୍ଷେପ କରି କୁହନ୍ତି ବିହାରୀ ମୂଳର ରାଷ୍ଟ୍ରପତିଙ୍କ ପକ୍ଷପାତିତା ଓ ଚାପ ଯୋଗୁଁ ଓଡ଼ିଶାର ଦୁଇଟି ଅଞ୍ଚଳ ବିହାରକୁ ଚାଲିଗଲା ।
ଯଦିଓ ସେହି ସମୟରେ କେନ୍ଦ୍ର ସରକାରଙ୍କ ରାଜନୈତିକ ପ୍ରଭାବ ଆଗରେ ଆଇନଗତ ଲଢ଼େଇ ହାରିଯାଇ ଓଡ଼ିଶା ନିଜର ଏହି ଦୁଇଟି ସମୃଦ୍ଧ ଅଞ୍ଚଳକୁ ସବୁଦିନ ପାଇଁ ହରାଇଲା, ତଥାପି ଭାରତର ସର୍ଵୋଚ୍ଚ ନ୍ୟାୟାଳୟର ଇତିହାସ ବହିର ସର୍ଵପ୍ରଥମ ପୃଷ୍ଠାରେ ଓଡ଼ିଆ ଅସ୍ମିତାର ଏହି ସଂଘର୍ଷ 'କେସ୍ ନମ୍ବର ୧' ଭାବେ ଅମର ହୋଇ ରହିଗଲା। ଖରସୁଆଁର ମାଟିରେ ବହିଯାଇଥିଵା ନିରୀହ ଆଦିଵାସୀ ଓ ଓଡ଼ିଆଙ୍କ ରକ୍ତ ଏଵଂ ସୁପ୍ରିମକୋର୍ଟର ପ୍ରଥମ ଆଇନଗତ ସଂଗ୍ରାମ ଆମକୁ ସ୍ମରଣ କରାଇଦିଏ ଯେ, ଓଡ଼ିଶାର ଆଧୁନିକ ମାନଚିତ୍ର ପଛରେ କେତେ ଶହ ନିରୀହ ଆତ୍ମାର ବଳିଦାନ ଏଵଂ ସୀମାନ୍ତ ଓଡ଼ିଆଙ୍କ କରୁଣ ଅଶ୍ରୁ ଲୁଚି ରହିଛି।
ତେବେ ଇତିହାସର ଏକ ଶାଶ୍ଵତ ନିୟମ ରହିଛି ଯେ ଅନ୍ୟ ପାଇଁ ଖୋଳିଥିଵା ଗାତରେ ଦିନେ ନା ଦିନେ ନିଜକୁ ହିଁ ପଡ଼ିଵାକୁ ହୋଇଥାଏ। ଷଢ଼େଇକଳା ଓ ଖରସୁଆଁକୁ ଓଡ଼ିଶାରୁ ଛଡ଼ାଇ ନେଵା ପାଇଁ ଏବଂ ସେଠାକାର ଓଡ଼ିଆ ସ୍ଵାଭିମାନକୁ ଦଵାଇଵା ପାଇଁ ତତ୍କାଳୀନ ବିହାର ପ୍ରଶାସନ ଓ ସେମାନଙ୍କ ସହଯୋଗୀ ଯେଉଁ ରାଜନୈତିକ ଓ କୂଟନୈତିକ ଚକ୍ରାନ୍ତର ଗାତ ଖୋଳିଥିଲେ, ପରଵର୍ତ୍ତୀ ସମୟରେ ସେମାନେ ନିଜେ ସେହି ଗାତରେ ପଡ଼ିଥିଲେ।
ବିହାର ସରକାର ଓଡ଼ିଶା ଵିରୁଦ୍ଧରେ ଆଦିଵାସୀମାନଙ୍କୁ ଉସୁକାଇଵା ପାଇଁ ଯେଉଁ ଆଦିଵାସୀ ନେତା ଜୟପାଳ ସିଂହ ମୁଣ୍ଡାଙ୍କୁ ଆୟୁଧ କରିଥିଲେ, ସେହି ଜୟପାଳ ସିଂହ ହିଁ ପରଵର୍ତ୍ତୀ ସମୟରେ ବିହାର ପାଇଁ ସବୁଠାରୁ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଲେ। ବିହାର ସରକାର ଭାବିଥିଲେ ଯେ ଓଡ଼ିଶା ହାତରୁ ଏହି ଅଞ୍ଚଳକୁ ଛଡ଼ାଇ ଆଣିଵା ପରେ ସେମାନେ ସେଠାରେ ଆରାମରେ ଶାସନ କରିବେ। କିନ୍ତୁ ଖରସୁଆଁ ଗୁଳିକାଣ୍ଡ ପରେ ସେଠାକାର ଆଦିଵାସୀମାନେ ବୁଝିପାରିଲେ ଯେ ବିହାର ପ୍ରଶାସନ ସେମାନଙ୍କର ନିଜର ନୁହେଁ।
ଫଳସ୍ୱରୂପ, ଜୟପାଳ ସିଂହଙ୍କ ନେତୃତ୍ଵରେ ଆରମ୍ଭ ହୋଇଥିଵା "ସ୍ଵତନ୍ତ୍ର ଝାଡ଼ଖଣ୍ଡ ରାଜ୍ୟ ଆନ୍ଦୋଳନ" ଓଡ଼ିଶା ଵିରୁଦ୍ଧରେ ନୁହେଁ ଵରଂ ସିଧାସଳଖ ବିହାର ସରକାରଙ୍କ ଵିରୁଦ୍ଧରେ ହିଁ ମୁଣ୍ଡ ଟେକିଲା। ଯେଉଁ ଅସ୍ତ୍ରକୁ ଓଡ଼ିଶାକୁ କ୍ଷତଵିକ୍ଷତ କରିଵା ପାଇଁ ବିହାର ପ୍ରଶାସନ ଵ୍ୟଵହାର କରିଥିଲା, ସେହି ଅସ୍ତ୍ର ହିଁ ବିହାରକୁ ଦୁଇ ଭାଗ କରିଵାର ମୂଳଦୁଆ ସାଜିଲା।
ବିହାର ରାଜ୍ୟରେ ପ୍ରଶାସନ ସ୍ଵାଧୀନତା ପାଇଵା ପରଠାରୁ ହିଁ ଏଭଳି ନୀଚ୍ଚ କାର୍ଯ୍ୟରେ ଲିପ୍ତ ରହିଥିଵାରୁ ସେଠାକାର ପ୍ରଶାସନିକ ଵ୍ୟଵସ୍ଥା ଅତି ନିମ୍ନସ୍ତରର ହୋଇଗଲା । ଅଧିକାରୀ ଭ୍ରଷ୍ଟ ହେଲେ, ଅତ୍ୟାଚାରୀ ହେଲେ ଏଵଂ ବିହାର ଦଶନ୍ଧି ଧରି ଗୁଣ୍ଡା,ଅପରାଧୀ,ଅତ୍ୟାଚାରୀ ଓ ଉତ୍କଚଗ୍ରାସୀ ଆରକ୍ଷୀ ଏଵଂ ଭ୍ରଷ୍ଟ ଅମଲାଙ୍କର ଗଡ଼ ହୋଇଗଲା ।
୧୯୪୭-୪୮ ମସିହାରେ ବିହାର ସରକାର କୂଟ କପଟ କରି ଷଢ଼େଇକଳା ଓ ଖରସୁଆଁକୁ ଓଡ଼ିଶା ପ୍ରଦେଶରେ ମିଶିଵାକୁ ଦେଇନଥିଲେ, କାରଣ ଏହି ଅଞ୍ଚଳଗୁଡ଼ିକ ଖଣିଜ ସମ୍ପଦ, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶିଳ୍ପ ଦୃଷ୍ଟିରୁ ଅତି ସମୃଦ୍ଧ ସିଂହଭୂମିର ଅଂଶ ଥିଲା । ବିହାରର ଲୋଭ ଥିଲା ସେଠାକାର ସମ୍ପତ୍ତି ଉପରେ।
କିନ୍ତୁ ଇତିହାସର ଚକ ଏପରି ଘୂରିଲା ଯେ, ଯେଉଁ ଖଣିଜ ସମ୍ପଦ ଲୋଭରେ ବିହାର ଓଡ଼ିଆମାନଙ୍କ ଉପରେ ଅତ୍ୟାଚାର କରିଥିଲା, ସେହି ସମ୍ପଦ ହିଁ ବିହାର ହାତରୁ ଚାଲିଗଲା।
ସେହି ଅଞ୍ଚଳରୁ ସୃଷ୍ଟି ହୋଇଥିଵା ଆନ୍ଦୋଳନ ତୀଵ୍ର ରୂପ ନେଲା ଏଵଂ ଶେଷରେ ୨୦୦୦ ମସିହାରେ ବିହାରକୁ ବାଧ୍ୟ ହୋଇ ଦୁଇ ଭାଗ ହେଵାକୁ ପଡ଼ିଲା। ବିହାରର ସବୁଠାରୁ ଧନୀ ଓ ସମୃଦ୍ଧ ଅଞ୍ଚଳକୁ ନେଇ "ଝାଡ଼ଖଣ୍ଡ" ନାମକ ଏକ ସ୍ଵତନ୍ତ୍ର ରାଜ୍ୟ ଗଠିତ ହେଲା ଏଵଂ ଷଢ଼େଇକଳା-ଖରସୁଆଁ ସେହି ଝାଡ଼ଖଣ୍ଡର ଅଂଶ ପାଲଟିଗଲା। ଏହି ଵିଭାଜନ ପରେ ବିହାର ଆର୍ଥିକ ସ୍ତରରେ ସମ୍ପୂର୍ଣ୍ଣ ରୂପେ ଦୁର୍ଵଳ ହୋଇଗଲା।
୧୯୪୮ ମସିହାରେ ପ୍ରଶାସନିକ ଶକ୍ତିର ଅପଵ୍ୟଵହାର କରି ବିହାରର ତତ୍କାଳୀନ ଶାସକ ଗୋଷ୍ଠୀ ଭାବିଥିଲେ ଯେ ସେମାନେ ଜଣେ ଓଡ଼ିଆ ରାଜା (ଆଦିତ୍ୟ ପ୍ରତାପ ସିଂହ ଦେଓ) ଏଵଂ ଓଡ଼ିଶାର ଦାବିକୁ ସୁପ୍ରିମକୋର୍ଟରେ ହରାଇ ଵିଜୟୀ ହୋଇଗଲେ। କିନ୍ତୁ ସେହି ସମୟର ଶାସକ କଂଗ୍ରେସ ଦଳ ପରଵର୍ତ୍ତୀ ସମୟରେ ସେହି ସିଂହଭୂମି ଅଞ୍ଚଳରେ ନିଜର ସମସ୍ତ ରାଜନୈତିକ ସ୍ଥିତି ହରାଇ ବସିଲା। ସ୍ଥାନୀୟ ଜନସାଧାରଣ ଓ ଆଦିଵାସୀମାନେ ସେମାନଙ୍କୁ ଚିରଦିନ ପାଇଁ ପ୍ରତ୍ୟାଖ୍ୟାନ କଲେ। ବିହାର ସରକାର ଓଡ଼ିଶା ପ୍ରଦେଶକୁ ଦୁର୍ଵଳ କରିଵା ପାଇଁ, ଓଡ଼ିଆ ଭାଷାକୁ ନିଶ୍ଚିହ୍ନ କରିଵା ପାଇଁ ଏଵଂ ଷଢ଼େଇକଳା-ଖରସୁଆଁର ଭୂଖଣ୍ଡକୁ ଆତ୍ମସାତ କରିଵା ପାଇଁ ଚକ୍ରାନ୍ତର ଯେଉଁ ବିରାଟ ଗାତ ଖୋଳିଥିଲେ, ସେହି ଗାତରୁ ହିଁ ଝାଡ଼ଖଣ୍ଡ ଆନ୍ଦୋଳନର ନିଆଁ ବାହାରିଥିଲା। ସେହି ନିଆଁ ଶେଷରେ ବିହାରକୁ ହିଁ ଦୁଇ ଭାଗ କରିଦେଲା। ବିହାରୀ ସବୁବେଳେ ଗୋଟିଏ ପଦ କହି ନିଜର ମହିମା ଗାଆନ୍ତି ଯେ "एक बिहारी सौ पर भारी" କିନ୍ତୁ ଧର୍ମର ନ୍ୟାୟ ଆଗରେ ଲକ୍ଷେ କୋଟିଏ ବିହାରୀଙ୍କ ମଧ୍ୟ ନଇଁଵାକୁ ପଡ଼ିଥିଲା ଏଵଂ ଏହା ହିଁ ଶାଶ୍ଵତ ସତ୍ୟ-ଧର୍ମ-ନ୍ୟାୟର କଠୋର ଵାସ୍ତଵିକତା ଅଟେ ।
ଓଡ଼ିଶା ନିଜର ମାଟି ହରାଇ ଲୁହ ଗଡ଼ାଇଥିଲା ସତ, କିନ୍ତୁ ପ୍ରକୃତିର ନ୍ୟାୟରେ ଯେଉଁମାନେ ଅନ୍ୟାୟ କରିଥିଲେ, ସେମାନେ ନିଜେ ଖୋଳିଥିଵା ସେହି ରାଜନୈତିକ ଗାତରେ ପଡ଼ି ଓଡ଼ିଶାର ଅପହୃତ ଭୂଖଣ୍ଡକୁ ସବୁଦିନ ପାଇଁ ହରାଇ ବସିଲେ। ସେଥିପାଇଁ କୁହାଯାଏ ଅନ୍ୟାୟ ଵ୍ୟକ୍ତି,ଜାତି ଵା ଏକ ଦେଶର ସାମୁହିକ ଜନତା ଯିଏ ବି କରୁ ଶେଷରେ ଧର୍ମଯୁକ୍ତ ଦଣ୍ଡ ଭୋଗିଵାକୁ ହିଁ ହୁଏ ।
No comments:
Post a Comment