My Blog List

Friday, July 3, 2026

ତୁର୍କୀ ଏକ ଏସୀୟ ଦେଶ ନା ୟୁରୋପୀୟ ଦେଶ ?

୨୦୦୨ରୁ ୨୦୦୫ ସମୟରେ ମୁଁ ଯେତେବେଳେ କନ୍ତିଓ ପୁଟସାହି ଉଚ୍ଚଵିଦ୍ୟାଳୟରେ ନଵମ ଶ୍ରେଣୀରେ ପଢ଼ୁଥିଲି ସେତେବେଳେ ଥରେ ଆମର ସାହିତ୍ୟ, ଇତିହାସ ଓ ଵିଜ୍ଞାନ ଶିକ୍ଷକ ପ୍ରମୋଦ ମିଶ୍ର ମହାଶୟ କଥା ପ୍ରସଙ୍ଗରେ କହିଲେ ଯେ ତୁର୍କୀ ଏକ ୟୁରୋପୀୟ ଦେଶ । ତେବେ ସେହି ସମୟରେ ଅଷ୍ଟମ ଶ୍ରେଣୀ ବହିରେ ପଢ଼ାଯାଉଥିଲା ଯେ ତୁର୍କୀ ଏକ ଏସୀୟ ଦେଶ ।

ପ୍ରମୋଦ ସାର୍ ଅକାରଣରେ ତୁର୍କୀକୁ ୟୁରୋପୀୟ ଦେଶ କହିନଥିଲେ । ପ୍ରକୃତରେ ତୁର୍କୀ କୌଣସି ଗୋଟିଏ ମହାଦେଶରେ ସୀମିତ ନୁହେଁ। ଏହାକୁ ଏକ ଆନ୍ତଃମହାଦେଶୀୟ ଵା Transcontinental ଦେଶ କୁହାଯାଏ । ତୁର୍କୀରଭୂଭାଗ ଏସିଆ ଓ ୟୁରୋପ ଉଭୟ ମହାଦେଶରେ ଵିସ୍ତୃତ।

ତୁର୍କୀକୁ ଦୁଇଟି ମହାଦେଶ ମଧ୍ୟରେ ବସଫରସ୍ ପ୍ରଣାଳୀ ଵା Bosporus Strait, ମାର୍ମାରା ସାଗର ଓ ଦାର୍ଦାନେଲ୍ସ ପ୍ରଣାଳୀ ଇତ୍ୟାଦି ପ୍ରାକୃତିକ ଜଳରାଶି ଵିଭକ୍ତ କରେ । ତୁର୍କୀର ପ୍ରାୟ ୯୭% ଭୂଭାଗ ଏସିଆ ମହାଦେଶରେ ଅଵସ୍ଥିତ। ଏହି ଏସୀୟ ଅଞ୍ଚଳକୁ 'ଆନାତୋଲିଆ' କୁହାଯାଏ। ଏହି ଦୃଷ୍ଟିରୁ ଆମ ସମୟର ଅଷ୍ଟମ ଶ୍ରେଣୀ ବହିରେ ତୁର୍କୀକୁ ଏସୀୟ ଦେଶ ବୋଲି ଲେଖାଯାଇଥିଲା, ଯାହା ଵୈଜ୍ଞାନିକ ଓ ଭୌଗୋଳିକ ଭାବେ ସତ୍ୟ ଅଟେ । ତୁର୍କୀର ମାତ୍ର ୩% ଭୂଭାଗ ୟୁରୋପ ମହାଦେଶରେ ଅଛି, ଯାହାକୁ 'ପୂର୍ଵ ଥ୍ରେସ୍' କୁହାଯାଏ। କିନ୍ତୁ ଏହି ୩% ଭୂଭାଗର ମହତ୍ତ୍ୱ ବହୁତ ଅଧିକ।

ତୁର୍କୀର ସବୁଠାରୁ ପ୍ରସିଦ୍ଧ ଏବଂ ବୃହତ୍ତମ ସହର ଇସ୍ତାନବୁଲ୍ ଏହି ଦୁଇ ମହାଦେଶର ସୀମା ଉପରେ ହିଁ ଅଵସ୍ଥିତ। ଏହି ସହରର ଗୋଟିଏ ପାଖ ୟୁରୋପରେ ଏଵଂ ଅନ୍ୟ ପାଖଟି ଏସିଆରେ ଅଛି। ଵିଶ୍ୱରେ ଏମିତି ସହର ଵିରଳ।

ଭୌଗୋଳିକ ଭାବେ ଏସିଆରେ ଅଧିକ ଥିଲେ ମଧ୍ୟ ପ୍ରମୋଦ ମିଶ୍ର ସାର୍‌ଙ୍କ ଦ୍ଵାରା ତୁର୍କୀକୁ ୟୁରୋପୀୟ ଦେଶ କହିଵା ପଛରେ ଦୃଢ଼ ରାଜନୈତିକ ଓ ଐତିହାସିକ କାରଣ ଥିଲା । ପୁରୁଣା ଓଟୋମାନ ସାମ୍ରାଜ୍ୟ ସମୟରୁ ହିଁ ତୁର୍କୀର ରାଜନୀତି ଓ ଇତିହାସ ୟୁରୋପ ସହ ଗଭୀର ଭାବେ ଜଡ଼ିତ ଥିଲା । ପୁଣି ତୁର୍କୀ ଜାତିସଂଘର ପାଶ୍ଚାତ୍ୟ ଆଭିମୁଖ୍ୟ ବିଶିଷ୍ଟ ସାମରିକ ସଂଗଠନ NATO (North Atlantic Treaty Organization)ର ଏକ ସକ୍ରିୟ ସଦସ୍ୟ। ତୁର୍କୀର ଫୁଟବଲ୍ ଦଳ ଏସିଆନ୍ କପ୍ ବଦଳରେ ୟୁରୋପୀୟ ଚାମ୍ପିଅନସିପ୍ (UEFA) ଖେଳିଥାଏ। ଏପରିକି ସେମାନେ ଦୀର୍ଘ ଦିନ ହେଵ ୟୁରୋପୀୟ ୟୁନିଅନ୍ (European Union) ର ସଦସ୍ୟ ହେବା ପାଇଁ ଚେଷ୍ଟା ମଧ୍ୟ କରୁଛନ୍ତି।
 ଯଦି ଆଧୁନିକ ଭୂରାଜନୀତି, ଅର୍ଥନୀତି ଓ ଆନ୍ତର୍ଜାତୀୟ ସମ୍ପର୍କ ଦୃଷ୍ଟିରୁ ଦେଖିବେ, ତେବେ ଏହାକୁ ଏକ ୟୁରୋପୀୟ ଦେଶ ଭାବେ ଗଣନା କରାଯାଏ।

ଯେତେବେଳେ ପ୍ରମୋଦ ସାର୍ ତୁର୍କୀକୁ ୟୁରୋପୀୟ ଦେଶ କହି ପଢ଼ାଉଥିଲେ ସେତେବେଳେ ମୁଁ ହାତ ଉଠେଇ କହିଲି ସାର୍ ତାହା ଏସୀୟ ଦେଶ ଏଵଂ ଅଷ୍ଟମ ଶ୍ରେଣୀ ବହିରେ ଏହା ପଢ଼ା ଯାଉଛି। ସେ ସମୟରେ ମୋର ଭୂଗୋଳ ଓ ଇତିହାସରେ ଭଲ ପାଠ ହେଉଥିଲା । ପ୍ରମୋଦ ସାର୍ ମୋ କଥା ଠିକ୍ କି ଭୁଲ୍ ପରୀକ୍ଷା କରିଵା ପାଇଁ ଅଷ୍ଟମ ଶ୍ରେଣୀ ବହି ଓ ଉଚ୍ଚଵିଦ୍ୟାଳୟରେ ଉପଲବ୍ଧ ମାନଚିତ୍ରମାନ ମଗାଇଲେ । 

ଭୂଗୋଳ ସମ୍ବନ୍ଧୀୟ ଏକ ଵିତର୍କ ଚାଲିଛି ଜାଣି ସେ ସମୟର ମୋର ପ୍ରିୟ ଶିକ୍ଷକ ରଵି ସାର୍ ମଧ୍ୟ ସେଠାରେ ଆସି ଉପସ୍ଥିତ ହେଲେ । ପ୍ରମୋଦ ସାର୍ ଅଷ୍ଟମ ଶ୍ରେଣୀ ବହି ଦେଖିଲେ ଏଵଂ ସେଥିରେ ଏସୀୟ ଦେଶ ସୂଚୀରେ ତୁର୍କୀ ଥିଲା । ମାନଚିତ୍ରରେ ମଧ୍ୟ ଏସିଆ ମଧ୍ୟରେ ତୁର୍କୀ ଥିଲା । ଶେଷରେ ମନୋଜ ସାର୍ ନିଜର ଭୁଲ୍ ମାନିଲେ ଏଵଂ ରଵି ସାର୍ ମାନଚିତ୍ର ଉପରେ ଏକ ବାଡ଼ିଦ୍ଵାରା ଇଙ୍ଗିତ କରି କହିଲେ ଯେ ଯଦିଓ ତୁର୍କୀ ଏକ ଏସୀୟ ଦେଶ ବୋଲି ପଢ଼ାଯାଉଛି ତେବେ ଏହାର କିଛି ଅଂଶ ୟୁରୋପରେ ମଧ୍ୟ ଅଛି ତେଣୁ ଏହା ଗୋଟିଏ ନୁହେଁ ଵରଂ ଉଭୟ ଦେଶର ମହାଦେଶ । 
 
ଅସ୍ତୁ ତୁର୍କୀକୁ ଏକ ଏସୀୟ ଦେଶ ଭାବେ ଗଣନା କରିଵା ପଛରେ କେଵଳ ଭୂଗୋଳ ନୁହେଁ ଵରଂ ଏହାର ଇତିହାସ, ସଂସ୍କୃତି, ଭାଷା ଓ ଜନସଂଖ୍ୟାର ଗଠନ ମଧ୍ୟ ମୁଖ୍ୟ କାରଣ ଅଟେ । 

ତୁର୍କୀ ଏକ ଏସୀୟ ଦେଶ ବୋଲି ସବୁଠାରୁ ବଡ଼ ଓ ଅକାଟ୍ୟ କାରଣ ହେଉଛି ଏହାର ଭୂଗୋଳ। ତୁର୍କୀର ପ୍ରାୟ ୯୭% ଭୂଭାଗ ଏସିଆ ମହାଦେଶରେ ଅଵସ୍ଥିତ, ଯାହାକୁ 'ଆନାତୋଲିଆ' ବା 'ଏସିଆ ମାଇନର୍' କୁହାଯାଏ। ମାତ୍ର ୩% ଭାଗ ୟୁରୋପରେ ଅଛି। ତେଣୁ କ୍ଷେତ୍ରଫଳ ଦୃଷ୍ଟିରୁ ଏହା ମୁଖ୍ୟତଃ ଏକ ଏସୀୟ ଦେଶ।

କୌଣସି ଦେଶର ରାଜନୈତିକ କେନ୍ଦ୍ରବିନ୍ଦୁ ତାର ରାଜଧାନୀ ହୋଇଥାଏ। ତୁର୍କୀର ରାଜଧାନୀ ଆଙ୍କାରା ସମ୍ପୂର୍ଣ୍ଣ ଭାବେ ଏସିଆ ମହାଦେଶରେ ଵା ଆନାତୋଲିଆ ଅଞ୍ଚଳରେ ଅବସ୍ଥିତ। ରାଜଧାନୀ ଏସିଆ ମଧ୍ୟରେ ଥିଵାରୁ ଏହାକୁ ଏସୀୟ ଦେଶ ଵିଚାର କରାଯାଏ । 
କୌଣସି ଦେଶର ଆତ୍ମା ସେ ଦେଶର ଜନସଂଖ୍ୟା ଅଟେ । ତୁର୍କୀର ପ୍ରାୟ ୮୦% ରୁ ୮୫% ଜନସଂଖ୍ୟା ଏସୀୟ ଭୂଭାଗରେ ହିଁ ଵାସ କରନ୍ତି। ଦେଶର ଅଧିକାଂଶ ବଡ଼ ସହର, ଶିଳ୍ପାଞ୍ଚଳ ଓ କୃଷିଭୂମି ଏସିଆ ପାଖରେ ରହିଛି। ଏହି କାରଣରୁ ମଧ୍ୟ ତୁର୍କୀ ଏକ ଏସୀୟ ଦେଶ ପଦଵାଚ୍ୟ । 

ଗ୍ରୀକ୍ ମୂଳର ୟୁରୋପୀୟ ଜନସଂଖ୍ୟାକୁ ବାଦ୍ ଦେଲେ ସଂଖ୍ୟାଗରିଷ୍ଠ ତୁର୍କ ଲୋକଙ୍କର ମୂଳ ପୂର୍ଵପୁରୁଷ ମଧ୍ୟ-ଏସିଆର ଯାଯାଵର ଜାତି ଥିଲେ। ଐତିହାସିକ ଭାବେ ତୁର୍କୀର ଏକ ବଡ଼ ଅଂଶ ଗ୍ରୀକ୍ ସଭ୍ୟତାର ଅଂଶ ଥିଲା । ତୁର୍କୀରେ ହିଁ ଟ୍ରୟ ନଗର ଥିଲା ଏଵଂ ସେହି ନଗରର ଉଲ୍ଲେଖ ହୋମରଙ୍କ ଇଲିୟାଡ଼ ମହାକାଵ୍ୟରେ ରହିଛି । ଏହି ଟ୍ରୟ ନଗରର ରାଜକୁମାର ପ୍ୟାରିସ୍ ସ୍ପାର୍ଟା ନଗରର ରାଜା ମେନେନାଉସ୍‌ଙ୍କ ପତ୍ନୀ ହେଲେନଙ୍କୁ ଦୈଵୀ ଆଶିର୍ଵାଦ ବଳରେ ଭୁଲାଇ ଟ୍ରୟ ନଗର ନେଇଯାଇଥିଲେ । ଏହି ଘଟଣାକୁ ନେଇ ପରେ ପ୍ରସିଦ୍ଧ ଟ୍ରୋଜିନ ଯୁଦ୍ଧ ଆରମ୍ଭ ହୋଇଥିଲା।
 
ପ୍ରାଚୀନ ଟ୍ରୟ ନଗର ଯେଉଁ ଅଞ୍ଚଳରେ ଥିଲା, ସେଠାରେ ପ୍ରଥମେ ଵିଭିନ୍ନ ଆନାତୋଲୀୟ ଜାତି ଵସଵାସ କରୁଥିଲେ। ପରେ ଏହି ଅଞ୍ଚଳରେ ପ୍ରାଚୀ ଗ୍ରୀକର ପ୍ରଭାବ ବଢ଼ିଲା ଏଵଂ ଅନେକ ଗ୍ରୀକ ନଗର ଗଢ଼ିଉଠିଲା। ତା'ପରେ ଏହା ଆକାମେନିଡ୍ ସାମ୍ରାଜ୍ୟ, ଆଲେକଜାଣ୍ଡାରଙ୍କ ସାମ୍ରାଜ୍ୟ, ରୋମାନ ସାମ୍ରାଜ୍ୟ ଏଵଂ ପରେ ବାଇଜାଣ୍ଟାଇନ୍ ସାମ୍ରାଜ୍ୟର ଅଂଶ ହେଲା।

ତୁର୍କମାନେ ମୂଳତଃ ମଧ୍ୟ ଏସିଆର ତୁର୍କିକ ଜନଜାତି ଥିଲେ। ଖ୍ରୀଷ୍ଟାବ୍ଦ ୧୧ଶ ଶତାବ୍ଦୀରେ ସେଲଜୁକ୍ ସାମ୍ରାଜ୍ୟର ତୁର୍କମାନେ ପଶ୍ଚିମ ଦିଗକୁ ଅଗ୍ରସର ହେଲେ। ୧୦୭୧ ମସିହାର ମାଞ୍ଜିକେର୍ଟ ଯୁଦ୍ଧରେ ବାଇଜାଣ୍ଟାଇନ୍ ସାମ୍ରାଜ୍ୟ ପରାଜିତ ହେଵା ପରେ ଆନାତୋଲିଆରେ ତୁର୍କମାନଙ୍କ ଵସଵାସ ଦ୍ରୁତ ଭାବେ ବଢ଼ିଲା।
ପରେ ୧୩–୧୪ଶ ଶତାବ୍ଦୀରେ ଅଟୋମାନ ସାମ୍ରାଜ୍ୟର ଉଦୟ ହେଲା। ଅଟୋମାନ୍ ତୁର୍କମାନେ ସମଗ୍ର ଆନାତୋଲିଆ, ଦକ୍ଷିଣ-ପୂର୍ଵ ୟୁରୋପ୍, ପଶ୍ଚିମ ଏସିଆ ଓ ଉତ୍ତର ଆଫ୍ରିକାର ଵିଶାଳ ଅଞ୍ଚଳ ଶାସନ କଲେ। ଏହି ଦୀର୍ଘ ଶାସନକାଳରେ ଆନାତୋଲିଆର ଭାଷା, ସଂସ୍କୃତି ଓ ଜନସଂଖ୍ୟାର ଧୀରେ ଧୀରେ ତୁର୍କୀକରଣ ହୋଇଗଲା। ତୁର୍କଲୋକମାନେ ମୁସଲମାନ ଥିଲେ । ସେମାନେ ଶାସକ ହେଵାରୁ ଧର୍ମାନ୍ତରୀକରଣ ଓ ଵଂଶବୃଦ୍ଧି କ୍ଷୀପ୍ର ଗତିରେ ଚାଲିଲା । ଆଜିର ତୁର୍କୀର ଅଧିକାଂଶ ମୁସଲମାନଙ୍କ ପୂର୍ଵଜମାନେ ପ୍ରାଚୀନ କାଳରେ ଖ୍ରୀଷ୍ଟିଆନ କିମ୍ବା ଅନ୍ୟ ଧର୍ମାଵଲମ୍ବୀ ଥିଲେ। ଶତାବ୍ଦୀ ଧରି ଘଟିଥିଵା ଧର୍ମାନ୍ତର ଓ ଜନସଂଖ୍ୟା ପରିଵର୍ତ୍ତନ ଫଳରେ ଆଜିର ତୁର୍କୀର ପ୍ରାୟ ୯୯% ଜନସଂଖ୍ୟା ଇସଲାମ ଧର୍ମାଵଲମ୍ବୀ। ତେଣୁ ସାଂସ୍କୃତିକ ଓ ପାରମ୍ପରିକ ଦୃଷ୍ଟିକୋଣରୁ ସେମାନଙ୍କର ରୀତିନୀତି, ପର୍ଵପର୍ଵାଣୀ ଓ ସାମାଜିକ ଜୀଵନଶୈଳୀ ଏସିଆର ଅଂଶ ମଧ୍ୟ-ପ୍ରାଚ୍ୟର ଦେଶଗୁଡ଼ିକ ସହ ଅଧିକ ମେଳ ଖାଏ। ଏହି କାରଣରୁ ମଧ୍ୟ ତୁର୍କୀକୁ ଏକ ଏସୀୟ ଦେଶ ବୋଲି ଵିଚାର କରାଯାଏ । 

କୌଣସି ଦେଶ ଵା ଜାତିର ପରିଚୟ ସେ ଦେଶର ଭାଷା ଆଧାରରେ କରାଯାଏ । ତୁର୍କୀର ସରକାରୀ ଭାଷା 'ତୁର୍କୀଶ୍' ଅଟେ। ଏହି ଭାଷାର ଉତ୍ପତ୍ତି 'ଅଲ୍ତାଇକ୍ ଭାଷା ପରିଵାର'ରୁ ହୋଇଛି, ଯାହାର ସମ୍ପର୍କ ମଧ୍ୟ-ଏସିଆ, ମଙ୍ଗୋଲିଆ ଓ ସାଇବେରିଆର ଭାଷା ସହିତ ଅଛି ।‌ ୟୁରୋପୀୟ ଭାଷାଗୁଡ଼ିକ ସହିତ ତୁର୍କୀଶ଼ ଭାଷାର କୌଣସି ସଗୋତ୍ରୀୟ ସମ୍ପର୍କ ନାହିଁ । ଏ ଦୃଷ୍ଟିରୁ ମଧ୍ୟ ତୁର୍କୀ ଏକ ଏସୀୟ ଦେଶ ଅଟେ । 

ପୁଣି ତୁର୍କୀର ସବୁଠାରୁ ଲମ୍ବା ସୀମା ଏସିଆର ସିରିଆ, ଇରାକ୍, ଇରାନ, ଜର୍ଜିଆ ଓ ଆର୍ମେନିଆ ଆଦି ଦେଶଗୁଡ଼ିକ ସହ ଯୋଡ଼ି ହୋଇଛି । ଏହି କାରଣରୁ ଏହାର ସୁରକ୍ଷା ଓ ଵାଣିଜ୍ୟିକ ନୀତି ଏସୀୟ ଭୂରାଜନୀତି ଦ୍ୱାରା ବହୁଳ ଭାବେ ପ୍ରଭାଵିତ ହୋଇଥାଏ। ଏଥିପାଇଁ ତୁର୍କୀ ଏକ ଏସୀୟ ଦେଶ ଭାବେ Asian Infrastructure Investment Bank,Organization of Islamic Cooperation ଓ Conference on Interaction and Confidence-Building Measures in Asia,Organization of Turkic States ଓ Economic Cooperation Organization ଭଳି ଏସିଆର ଅନେକ ସଂଗଠନ ସହିତ ଜଡ଼ିତ ରହିଛି ।  

ଯଦ୍ୟପି ଆଧୁନିକ ସମୟରେ ତୁର୍କୀ ନିଜକୁ ଏକ ପାଶ୍ଚାତ୍ୟ ଵା ୟୁରୋପୀୟ ଶୈଳୀର ଦେଶ ଭାବେ ଗଢ଼ିଵାକୁ ଚେଷ୍ଟା କରିଛି, ତଥାପି ତାର ଭୂଗୋଳ, ଜନସଂଖ୍ୟା, ଇତିହାସ, ସଂସ୍କୃତି ଓ ଭାଷା ଆଦିର ପ୍ରକୃତ ଚେର ଏସିଆ ମହାଦେଶ ସହିତ ହିଁ ଶକ୍ତ ଭାବେ ଜଡ଼ିତ। ସେଥିପାଇଁ ଆମ ସମୟର ଅଷ୍ଟମ ଶ୍ରେଣୀ ବହିରେ ତୁର୍କୀକୁ ଏକ ଏସୀୟ ଦେଶ ଭାବେ ଲେଖାଯିଵା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ଥିଲା।

No comments:

Post a Comment