ପ୍ରାଚୀନ ଓଡ଼ିଶାରେ ମଧ୍ୟ ପୁରୁଷମାନେ ସେହିଭଳି ଦୀର୍ଘ କେଶ ରଖୁଥିଲେ ଯାହାକୁ 'ପେଣ୍ଡାବାଳ' କୁହାଯାଉଥିଲା । କେଵଳ ଓଡ଼ିଶା ନୁହେଁ ଵରଂ ବ୍ରିଟିଶ୍ ଶାସନ ପୂର୍ଵରୁ ସମଗ୍ର ଭାରତର ପୁରୁଷମାନଙ୍କ ପାଇଁ ଲମ୍ବା କେଶ ରଖିଵା ଏକ ସାଧାରଣ ସାମାଜିକ ନିୟମ ଓ ଗୌରଵର ପ୍ରତୀକ ଥିଲା ।
ଵ୍ୟାସକଵି ଫକୀରମୋହନ ସେନାପତି ତାଙ୍କ ଆତ୍ମଚରିତର ପରିଚ୍ଛେଦ ୧୨ "ସମାଜର ରୀତିନୀତି ପରିଵର୍ତ୍ତନ"ରେ ଏ ସମ୍ବନ୍ଧରେ ସୂଚନା ଦେଵାକୁ ଯାଇ ଲେଖିଛନ୍ତି :
“ଇଂରାଜୀ ଶିକ୍ଷା ତଥା ଵିଦେଶୀୟମାନଙ୍କ ସଂସର୍ଗ ହେତୁରୁ ବାଲେଶ୍ୱରସ୍ଥ ଉତ୍କଳୀୟ ସମାଜ ମଧ୍ୟରେ ଗୋଟାଏ ଭୟଙ୍କର ପରିଵର୍ତ୍ତନର ସମୟ ଉପସ୍ଥିତ ହେଲାଣି । ବେଶଭୂଷା, ଆହାର-ଵିହାର, ରୀତିନୀତି, ପାପପୁଣ୍ୟ ପ୍ରଭୃତି ସବୁ ଵିଷୟରେ ପରିଵର୍ତ୍ତନର ଆରମ୍ଭ । ଆଗେ ବାଳକଠାରୁ ଵୃଦ୍ଧଯାଏ ସମସ୍ତଙ୍କ ମୁଣ୍ଡରେ ପେଣ୍ଡାବାଳ(ଦୀର୍ଘ କେଶଗୁଚ୍ଛ) ଥିଲା । ଏହି ପେଣ୍ଡାବାଳ ଉଚ୍ଛେଦନ ପ୍ରଥା ପ୍ରଥମେ ସ୍କୁଲ ପଢୁଆଙ୍କଠାରୁ ଆରମ୍ଭ ହେଲା । ସେମାନଙ୍କ ଦେଖାଦେଖି ସହରଵାସୀ ଅନ୍ୟାନ୍ୟ ନଵଯୁଵକଙ୍କ ମସ୍ତକରୁ ପେଣ୍ଡାବାଳ କ୍ରମଶଃ ଅଦୃଶ୍ୟ ହେଵାକୁ ଲାଗିଲା । କେଵଳ ଥୋକେ ଧର୍ମପ୍ରାଣ, ଅଭିଭାଵକଙ୍କ ଭୟରେ ଅତି ସୂକ୍ଷ୍ମକାର କେରାଏ ମାତ୍ର ବାଳ ଚୁର୍କି(ଶିଖା/ଚୁଟି/ମୁଣ୍ଡରେ ମଝିରେ ଥିଵା ଲମ୍ବା ଚୁଟି) ନାମ ଧାରଣପୂର୍ଵକ ପ୍ରଚ୍ଛନ୍ନ ଭାବରେ କେତେକ ଵର୍ଷ ଯାଏ ଥୋକେ ଯୁଵକଙ୍କ ମସ୍ତକ ଉପରେ ଵିରାଜିତ ଥିଲା । କାରଣ କୁଶ ବେଣ୍ଟିରେ(ମୁକୁଳା ବାଳର ଅଗରେ ଗଣ୍ଠି) ଗଣ୍ଠି ନ ପଡ଼ିଲେ ପିତୃଲୋକ ଜଳଗ୍ରହଣ କରିବେ ନାହିଁ । ପରେ ଦୀର୍ଘକାଳ ପର୍ଯ୍ୟନ୍ତ ନିତାନ୍ତ ହିନ୍ଦୁଧର୍ମପରାୟଣ ମହାତ୍ମାମାନ ମସ୍ତକରେ ଚୁର୍କିର ଅସ୍ତିତ୍ୱ ଦୃଶ୍ୟ ହେଉଥିଲା । ଏବେ ଦେଖାଯାଉଅଛି ଯେ, ସ୍କୁଲ ପିଲାମାନଙ୍କ ଆଗରେ ଚୁର୍କି ଵା ପେଣ୍ଡାବାଳ ଶବ୍ଦ ଉଚ୍ଚାରଣ କଲେ କେଜାଣି ଵା ସେମାନେ ସେଥିର ଅର୍ଥ ବୁଝିଵା ସକାଶେ ଅଭିଧାନ ପୁଡ଼ା" ଅଣ୍ଡାଳି ବସିବେ ।”
ଇଂରେଜମାନଙ୍କର ଆଗମନ ପୂର୍ଵରୁ ଓଡ଼ିଶାର ପୁରୁଷମାନେ ମୁଣ୍ଡର ଚାରିପାଖର ବାଳକୁ ସମ୍ପୂର୍ଣ୍ଣ ବଢ଼ାଉଥିଲେ। ବାଳ ବହୁତ ଲମ୍ବା ହେଵା ପରେ ତାହାକୁ ମୁଣ୍ଡର ପଛପଟେ ଵା ମଝିରେ ଏକ ସ୍ୱତନ୍ତ୍ର ଢଙ୍ଗରେ ବନ୍ଧାଯାଉଥିଲା । ବାଳକୁ କୁଣ୍ଡାଇ ଏକାଠି କରିଵା ପରେ ଯେଉଁ ମୁଣ୍ଡା ଵା ଗୁଚ୍ଛ ତିଆରି ହୁଏ, ତାକୁ ଓଡ଼ିଆରେ 'ପେଣ୍ଡା' କୁହାଯାଏ । ଯେମିତି ସୁତାର ପେଣ୍ଡା ଵା ଖେଳିଵା ପେଣ୍ଡୁ ସେହିପରି ପେଣ୍ଡା ଗୋଲାକାର ହେଉଥିଵାରୁ ଏଭଳି ନାମକରଣ ହେଉଥିଲା । ସେଥିପାଇଁ ଏହାର ନାମ 'ପେଣ୍ଡାବାଳ'। ପୁରୁଷମାନେ ଏହି ଲମ୍ବା କେଶକୁ ନେଇ ମୁଣ୍ଡ ଉପରେ ବା ପଛପଟେ ଚୁଟି ବାନ୍ଧୁଥିଲେ କିମ୍ବା ଜୁଡ଼ା (ଖୋସା) କରୁଥିଲେ।
ଯଦି ଆପଣ କୋଣାର୍କ, ପୁରୀ ଜଗନ୍ନାଥ ମନ୍ଦିର କିମ୍ବା ଭୁବନେଶ୍ୱରର ପ୍ରାଚୀନ ମନ୍ଦିରଗୁଡ଼ିକର କାନ୍ଥରେ ଖୋଦିତ ହୋଇଥିଵା ପୁରୁଷ, ରାଜା, ସୈନିକ ଵା ପୁରୁଷ ନୃତ୍ୟଶିଳ୍ପୀମାନଙ୍କ ମୂର୍ତ୍ତିକୁ ଧ୍ୟାନର ସହ ଦେଖିବେ, ତେବେ ଏହାର ସ୍ପଷ୍ଟ ଚିତ୍ର ପାଇପାରିବେ। ସେହି ମୂର୍ତ୍ତିଗୁଡ଼ିକରେ ପୁରୁଷମାନଙ୍କ ମୁଣ୍ଡ ପଛପଟେ ଏକ ବଡ଼ ଜୁଡ଼ା ଵା ଖୋସା ଦେଖିଵାକୁ ମିଳେ। ଯୁଦ୍ଧ ସମୟରେ ପାଇକ ଓ ସୈନିକମାନେ ନିଜର ଏହି ଲମ୍ବା ପେଣ୍ଡାବାଳକୁ ମୁଣ୍ଡ ଉପରେ ଶକ୍ତ କରି ବାନ୍ଧୁଥିଲେ, ଯାହା ଉପରେ ସେମାନେ ଯୁଦ୍ଧର ଶିରସ୍ତ୍ରାଣ (Helmet) ପିନ୍ଧୁଥିଲେ। ଖଣ୍ଡାୟତମାନଙ୍କର ଏକ ଜାତୀୟ ଵିଶେଷ ଜୁଡ଼ା ରହୁଥିଲା ଯାହାକୁ ଖଣ୍ଡାୟତ ଜୁଡ଼ା କୁହାଯାଉଥିଲା ।
ଓଡ଼ିଶାରେ ପୁରୁଷମାନେ ଶ୍ରାଦ୍ଧ କିମ୍ବା ଶୋକ ସମୟକୁ ଛାଡ଼ି ସାଧାରଣତଃ ମୁଣ୍ଡ ଖୁଅର ହେଉନଥିଲେ । ସେମାନେ ସମ୍ପୂର୍ଣ୍ଣ ବାଳକୁ ପଛକୁ ନେଇ ବାନ୍ଧୁଥିଲେ କିମ୍ବା ମୁଣ୍ଡର ବାମ/ଡାହାଣ କଡ଼କୁ ଢଳାଇ ଏକ ସୁନ୍ଦର ଗଣ୍ଠି ପକାଉଥିଲେ। ଏଥିରେ ସୁଗନ୍ଧିତ ତେଲ ଲଗାଇଵା ସାମାଜିକ ପ୍ରଥା ଥିଲା ।
ସେତେବେଳେ ପୁରୁଷମାନଙ୍କ ପାଇଁ କେଶ କାଟିଵା ଏକ ଅପମାନଜନକ କାର୍ଯ୍ୟ ଭାବେ ଗଣାଯାଉଥିଲା। କେଵଳ କୌଣସି ଅପରାଧ ପାଇଁ ଦଣ୍ଡ ସ୍ୱରୂପ କିମ୍ବା ପରିଵାରରେ କାହାର ମୃତ୍ୟୁ ହେଲେ ହିଁ ପୁରୁଷମାନେ ମୁଣ୍ଡନ ହେଉଥିଲେ। ଜଣେ ଭଦ୍ର ଓ ସଭ୍ୟ ଓଡ଼ିଆ ପୁରୁଷର ପରିଚୟ ଥିଲା ତାଙ୍କର ସୁନ୍ଦର ଭାବେ ବନ୍ଧାଯାଇଥିଵା 'ପେଣ୍ଡାବାଳ'।
ଫକୀରମୋହନ ଯେଉଁ ସମୟ କଥା ଲେଖିଛନ୍ତି, ସେତେବେଳେ ଇଂରେଜମାନଙ୍କର Crop cut ଵା ଛୋଟ ବାଳ ରଖିଵା ଶୈଳୀ ଓଡ଼ିଶାକୁ ଆସିଲା ଏଵଂ ଓଡ଼ିଆ ପୁରୁଷମାନେ ନିଜର ଏହି ହଜାର ହଜାର ବର୍ଷର ପାରମ୍ପରିକ ଦୀର୍ଘ କେଶ ରଖିଵା ଶୈଳୀକୁ ସମୟ ସହିତ ଧୀରେ ଧୀରେ ତ୍ୟାଗ କରିଦେଲେ।
ଏବେ ସମସ୍ତେ ଛୋଟ ବାଳ ରଖୁଥିଲେ ମଧ୍ୟ ପିତୃପୁରୁଷଙ୍କ ଶ୍ରାଦ୍ଧ, ତର୍ପଣ କିମ୍ବା ଶୁଦ୍ଧିକ୍ରିୟା ସଂସ୍କାର ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ। ଏବେ ଏହି ସମସ୍ୟାର ସମାଧାନ ପାଇଁ ସମାଜ ଓ ଶାସ୍ତ୍ରଜ୍ଞମାନେ କିଛି ଵିକଳ୍ପ ବାଟ ବାହାର କରିଛନ୍ତି।
ଆଗେ ପୂଜା ଵା କର୍ମକାଣ୍ଡ ସମୟରେ ବାଳର ଅଗରେ କୁଶ ଗୁଡ଼ାଇ ଯେଉଁ ଗଣ୍ଠି ଦିଆଯାଉଥିଲା, ତାକୁ 'କୁଶ ବେଣ୍ଟି' ଵା 'ଶିଖାବନ୍ଧନ' କୁହାଯାଉଥିଲା। ଏବେ ବାଳ ଛୋଟ ଥିଵାରୁ ଭୌତିକ ରୂପେ ଏଭଳି ଗଣ୍ଠି ପକାଇଵା ସମ୍ଭଵ ହେଉନାହିଁ; ତେଣୁ ମନ୍ତ୍ରୋଚ୍ଚାରଣ ପୂର୍କଵ ଅଭିମନ୍ତ୍ରିତ ଜଳରେ ମୁଣ୍ଡର ପଛପଟକୁ (ଶିଖା ସ୍ଥାନକୁ) ସ୍ପର୍ଶ କରି ଏକ 'ମାନସିକ ଶିଖାବନ୍ଧନ'ର ସଙ୍କଳ୍ପ କରାଯାଉଛି। କିନ୍ତୁ ଏହା ସହିତ କର୍ମ ସମୟରେ ପଵିତ୍ରତା ଓ ସଙ୍କଳ୍ପ ରକ୍ଷା ପାଇଁ ହାତର ଅନାମିକା ଆଙ୍ଗୁଠିରେ ପିନ୍ଧାଯାଉଥିଵା କୁଶ ଗଛର ସ୍ୱତନ୍ତ୍ର ମୁଦି ଵା 'କୁଶ ବଟୁ' (ଯାହାକୁ 'ପଵିତ୍ରୀ' ମଧ୍ୟ କୁହାଯାଏ), ତାହାର ଵ୍ୟଵହାର ଓ ପାରମ୍ପରିକ ମହତ୍ତ୍ୱ ଆଜି ବି ପୂର୍ଵପରି ଅକ୍ଷୁର୍ଣ୍ଣ ରହିଛି।
ସନାତନ ଧର୍ମର ଏକ ନିୟମ ରହିଛି— "ଦେଶ କାଳ ପାତ୍ର"। ଅର୍ଥାତ୍, ସମୟ ଓ ପରିସ୍ଥିତି ଅନୁସାରେ ନିୟମରେ କୋହଳ କରାଯାଇପାରେ। ଆଜିର ସମାଜରେ ଯେତେବେଳେ କେଶ ରଖିଵା ସମ୍ଭଵା ନୁହେଁ, ସେତେବେଳେ ଵାହ୍ୟ ବେଶଭୂଷା ଅପେକ୍ଷା ମାନସିକ ଶ୍ରଦ୍ଧା, ଭକ୍ତି ଓ ସଂକଳ୍ପକୁ ଶାସ୍ତ୍ର ଅଧିକ ଗୁରୁତ୍ୱ ଦେଉଛି। ମନ୍ତ୍ର ପଢ଼ିଵା ସମୟରେ ବାଳରେ ଗଣ୍ଠି ପକାଇଵାର ଭାବନା ଵା ମାନସିକ ସଂକଳ୍ପ କରାଯାଇ କାର୍ଯ୍ୟ ସମ୍ପନ୍ନ କରାଯାଉଛି।
ତେବେ ଲମ୍ବାବାଳ ରଖିଵା ଏସିଆର ଅନେକ ଅଞ୍ଚଳରେ ପ୍ରଚଳିତ ଥିଲା । ପ୍ରାଚୀନ ଚୀନ୍ରେ କନ୍ଫୁସିଅସ୍ଙ୍କ ଵିଚାରଧାରା ଅନୁସାରେ ଶରୀର ଓ କେଶ ମାତାପିତାଙ୍କ ଠାରୁ ମିଳିଥିଵା ଏକ ଉପହାର। ତେଣୁ ବାଳ କାଟିଵାକୁ ଏକ ପାପ ବୋଲି ଭାବୁଥିଲେ। ସେଥିପାଇଁ ପୁରୁଷମାନେ ବାଳକୁ ବଢ଼ାଇ ମୁଣ୍ଡ ଉପରେ ଏକ ଜୁଡ଼ା ବାନ୍ଧୁଥିଲେ, ଯାହାକୁ 'ଗୁଆନ୍' କୁହାଯାଉଥିଲା। ଚିଙ୍ଗ୍ ସାମ୍ରାଜ୍ୟ ସମୟରେ ମାଞ୍ଚୁ ଶାସକମାନେ ଚୀନ୍ ଜୟ କରିଵା ପରେ ପୁରୁଷମାନଙ୍କ ପାଇଁ 'କ୍ୟୁ' ପ୍ରଥା ବାଧ୍ୟତାମୂଳକ କରିଥିଲେ ଯହିଁରେ ମୁଣ୍ଡର ଆଗପଟ ଖିଅର ହୋଇ ପଛପଟେ ଏକ ଲମ୍ବା ବେଣୀ ଝୁଲାଇ ରଖାଯାଉଥିଲା।
କୋରିଆର ଜୋସନ୍ ରାଜଵଂଶ ସମୟରେ ଵିଵାହିତ ପୁରୁଷମାନେ ସେମାନଙ୍କର ଲମ୍ବା କେଶକୁ ଉପରକୁ ନେଇ ମୁଣ୍ଡ ମଝିରେ ଏକ ଶକ୍ତ ଜୁଡ଼ା ବାନ୍ଧୁଥିଲେ, ଯାହାକୁ 'ସାଙ୍ଗ୍ତୁ' କୁହାଯାଉଥିଲା । ଏହା ପୁରୁଷତ୍ୱ ଓ ସାମାଜିକ ଦାୟିତ୍ୱବୋଧର ପ୍ରତୀକ ଥିଲା।
ଜାପାନର ସାମୁରାଇ ଯୋଦ୍ଧା ଓ ସାଧାରଣ ପୁରୁଷମାନେ ମଧ୍ୟ ଲମ୍ବା ବାଳ ରଖୁଥିଲେ। ସେମାନେ ମୁଣ୍ଡର ମଝି ଭାଗକୁ ଖିଅର କରି ପାର୍ଶ୍ୱଵର୍ତ୍ତୀ ଲମ୍ବା ବାଳକୁ ପଛକୁ ନେଇ ଏକ କଡ଼ା ଗଣ୍ଠି ବାନ୍ଧୁଥିଲେ ଏବଂ ତାହାକୁ ମୁଣ୍ଡ ଉପରକୁ ଓଲଟାଇ ରଖୁଥିଲେ। ଏହି ଶୈଳୀକୁ 'ଚୋନ୍ମାଗେ' କୁହାଯାଉଥିଲା, ଯାହା ଏବେ ବି ସୁମୋ କୁସ୍ତିଯୋଦ୍ଧାମାନଙ୍କ ମୁଣ୍ଡରେ ଦେଖିଵାକୁ ମିଳେ।
ସନାତନ ପରମ୍ପରାରେ କେଶକୁ ଜୀଵନ ଶକ୍ତିର ପ୍ରତୀକ ମାନୁଥିଲେ। ଋଷିମୁନିମାନଙ୍କ ଜଟାଠାରୁ ଆରମ୍ଭ କରି କ୍ଷତ୍ରିୟ ଯୋଦ୍ଧାମାନଙ୍କ ପର୍ଯ୍ୟନ୍ତ ଅନେକେ ଲମ୍ବା ବାଳ ରଖୁଥିଲେ। ଓଡ଼ିଶାରେ ଏହାକୁ 'ପେଣ୍ଡାବାଳ' କୁହାଯାଉଥିଵା ବେଳେ ଉତ୍ତର ଓ ପଶ୍ଚିମ ଭାରତର ରାଜପୁତ୍ ଓ ମରାଠା ଯୋଦ୍ଧାମାନେ ମଧ୍ୟ ଲମ୍ବା କେଶ ରଖି ଜୁଡ଼ା ବାନ୍ଧୁଥିଲେ।
ଵିଶେଷତଃ ଶିଖ୍ ପନ୍ଥରେ କେଶ କାଟିଵା ନିଷେଧ ହୋଇଥିଵାରୁ, ଆଜି ବି ସେମାନେ ନିଜର ଦୀର୍ଘ କେଶକୁ ମୁଣ୍ଡ ଉପରେ ଜୁଡ଼ା ବାନ୍ଧି ପଗଡ଼ି ଭିତରେ ସୁରକ୍ଷିତ ରଖନ୍ତି। ତେବେ ଭାରତରେ ସମସ୍ତେ ଲମ୍ବା ବାଳ କରୁନଥିଲେ।
ମିଆଁମାର/ବର୍ମା, ଥାଇଲ୍ୟାଣ୍ଡ ଓ କାମ୍ବୋଡିଆ ଆଦି ଦକ୍ଷିଣ-ପୂର୍ଵ ଏସିଆର ଦେଶଗୁଡ଼ିକରେ
ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ପୂର୍ଵରୁ ପୁରୁଷମାନେ ଭାରତୀୟ ତଥା ଚୀନ ଦେଶୀୟ ସଂସ୍କୃତି ଦ୍ୱାରା ପ୍ରଭାଵିତ ହୋଇ ଲମ୍ବା କେଶ ରଖୁଥିଲେ। ବର୍ମାର ପୁରୁଷମାନେ ମୁଣ୍ଡର ଗୋଟିଏ ପାଖରେ କିମ୍ବା ମଝିରେ ବାଳକୁ ଗୁଡ଼ାଇ ଏକ ସୁନ୍ଦର ଖୋସା କରୁଥିଲେ, ଯାହାକୁ 'Yaung' କୁହାଯାଉଥିଲା।
ମଙ୍ଗୋଲିଆରେ ଚେଙ୍ଗିଜ୍ ଖାନ୍ଙ୍କ ସମୟର ମଙ୍ଗୋଲ୍ ଯୋଦ୍ଧାମାନେ ଏକ ସ୍ୱତନ୍ତ୍ର ଶୈଳୀର ଲମ୍ବା ବାଳ ରଖୁଥିଲେ, ଯାହାକୁ 'କେହୁଲ୍' କୁହାଯାଉଥିଲା । ସେମାନେ ମୁଣ୍ଡର ଉପର ଭାଗକୁ ଲଣ୍ଡା କରି ଦୁଇ କଡ଼ରେ କିମ୍ବା ପଛପଟେ ଲମ୍ବା ବାଳ ବଢ଼ାଉଥିଲେ ଏଵଂ ତାକୁ ବେଣୀ ଆକାରରେ ବାନ୍ଧୁଥିଲେ, ଯେମିତି ଯୁଦ୍ଧ ଓ ଘୋଡ଼ା ଚଢ଼ିଵା ସମୟରେ ବାଳ ଆଖି ଆଗକୁ ଆସିଵ ନାହିଁ।
ପ୍ରାଚୀନ ପାରସ୍ୟ ଓ ଆସିରିଆର ରାଜା ତଥା ସୈନିକମାନେ କେଵଳ ଲମ୍ବା ବାଳ ନୁହେଁ, ଵରଂ ଲମ୍ବା ଓ କୁଞ୍ଚୁକୁଞ୍ଚିଆ ଦାଢ଼ି ମଧ୍ୟ ରଖୁଥିଲେ। ସେମାନଙ୍କ ପାଇଁ ସୁସଜ୍ଜିତ ଦୀର୍ଘ କେଶ ରାଜକୀୟ ସମ୍ମାନ ଓ ଵୀରତ୍ୱର ପ୍ରତୀକ ଥିଲା। ଏମନ୍ତକି ପ୍ରାଚୀନ ୟୁରୋପର ଅଧିକାଂଶ ସଂସ୍କୃତିରେ ପୁରୁଷମାନେ ପ୍ରଚୁର ଲମ୍ବା ବାଳ ଓ ଦାଢ଼ି ରଖୁଥିଲେ।
ପ୍ରାଚୀନ ଗ୍ରୀକ୍ ଯୋଦ୍ଧାମାନେ ଯୁଦ୍ଧକୁ ଯିଵା ପୂର୍ଵରୁ ନିଜର ଦୀର୍ଘ କେଶକୁ ବହୁତ ଯତ୍ନର ସହ କୁଣ୍ଡାଉଥିଲେ। ସେମାନଙ୍କ ପାଇଁ ଲମ୍ବା ବାଳ ଵୀରତ୍ୱର ପ୍ରତୀକ ଥିଲା। ୟୁରୋପର ମୂଳ ଅଧିଵାସୀ 'କେଲ୍ଟସ୍' ଓ 'ଗଲ୍ସ'ମାନେ ମଧ୍ୟ ଅଣ୍ଟା ପର୍ଯ୍ୟନ୍ତ ଲମ୍ବା ବାଳ ଓ ନିଶ ରଖୁଥିଲେ।
ଉତ୍ତର ୟୁରୋପର ସ୍କାଣ୍ଡିନେଭିଆର ଵାଇକିଙ୍ଗ୍ ଯୋଦ୍ଧାମାନେ ସେମାନଙ୍କର ଲମ୍ବା ବାଳକୁ ସୁନ୍ଦର ଭାବେ ବେଣୀ ଗୁନ୍ଥି ବାନ୍ଧୁଥିଲେ।
ରୋମାନ୍ ସାମ୍ରାଜ୍ୟ ବାହାରେ ଥିଵା ଜର୍ମାନୀ ଅଞ୍ଚଳର ପୁରୁଷମାନଙ୍କ ପାଇଁ ଲମ୍ବା ବାଳ ସ୍ୱାଧୀନତାର ଚିହ୍ନ ଥିଲା। ସେମାନଙ୍କ ରାଜାମାନଙ୍କୁ "ଲମ୍ବା ବାଳର ରାଜା" ଵା Long-haired kings କୁହାଯାଉଥିଲା। ଗୋଲାମ ଵା କ୍ରୀତଦାସମାନଙ୍କର ବାଳକୁ ଜବରଦସ୍ତି କାଟି ଛୋଟ କରିଦିଆଯାଉଥିଲା, ଯାହାଦ୍ୱାରା ଜଣାପଡ଼ିଵ ଯେ ସେମାନଙ୍କର କୌଣସି ସାମାଜିକ ପ୍ରତିଷ୍ଠା ନାହିଁ।
ତେବେ ୟୁରୋପରେ ପ୍ରଥମେ ଛୋଟ ବାଳ ରଖିଵାର ଶୃଙ୍ଖଳା ପ୍ରାଚୀନ ରୋମାନ୍ ସାମ୍ରାଜ୍ୟ ପ୍ରଣୟନ କରିଥିଲା । ରୋମାନ୍ ସେନା ଥିଲା ଦୁନିଆର ସବୁଠାରୁ ସଂଗଠିତ ସେନା। ସେମାନେ ଅନୁଭଵ କଲେ ଯେ ହାତପ୍ରତିହାତ ଯୁଦ୍ଧ ସମୟରେ ଶତ୍ରୁ ସହଜରେ ଜଣେ ସୈନିକର ଲମ୍ବା ବାଳ ଵା ଦାଢ଼ିକୁ ଧରି ତଣ୍ଟି କାଟିଦେଇପାରେ। ତେଣୁ ସୁରକ୍ଷା ଦୃଷ୍ଟିରୁ ଏଵଂ ମୁଣ୍ଡରେ ଲୁହାର ହେଲମେଟ୍ ଠିକ୍ ଭାବେ ପିନ୍ଧିଵା ପାଇଁ ରୋମାନ୍ ସୈନିକମାନଙ୍କ ପାଇଁ ବାଳ କାଟି ଛୋଟ କରିଵା ଏଵଂ କ୍ଲିନ୍-ସେଭ୍ ହେଵା ବାଧ୍ୟତାମୂଳକ କରାଗଲା।
ରୋମାନ୍ମାନେ ନିଜକୁ ଅତି ସଭ୍ୟ ମନେ କରୁଥିଲେ। ସେମାନେ ନିଜର ଛୋଟ ବାଳକୁ 'ଶୃଙ୍ଖଳା ଓ ସଭ୍ୟତା'ର ପ୍ରତୀକ ଭାବେ ଦେଖାଇଲେ ଏଵଂ ଲମ୍ବା ବାଳ ରଖୁଥିଵା ଅନ୍ୟ ୟୁରୋପୀୟମାନଙ୍କୁ Barbarians,ବର୍ବର ଵା ଅସଭ୍ୟ ଓ ଵନ୍ୟ ଜାତି ବୋଲି ଆଖ୍ୟା ଦେଲେ। ଧୀରେ ଧୀରେ ରୋମର ସାଧାରଣ ନାଗରିକମାନେ ମଧ୍ୟ ଛୋଟ ବାଳ ରଖିଵା ଆରମ୍ଭ କଲେ।
ରୋମାନ୍ ସାମ୍ରାଜ୍ୟର ପତନ ପରେ ୟୁରୋପରେ ପୁଣି ଲୋକେ ଲମ୍ବା ବାଳ ଓ ଦାଢ଼ି ରଖିଲେ । ଏପରିକି ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀରେ ଫ୍ରାନ୍ସ ଓ ଇଂଲଣ୍ଡର ରାଜା ଓ ବାବୁମାନେ ମୁଣ୍ଡରେ କୁତ୍ରିମ ଲମ୍ବା ଧଳା ବାଳର ଟୋପି ଵା Wig ପିନ୍ଧିଵାକୁ ସାମାଜିକ ପ୍ରତିଷ୍ଠା ଭାବୁଥିଲେ। କିନ୍ତୁ ଫ୍ରାନ୍ସ ଵିପ୍ଳଵ ପରେ ଏହି ସାମନ୍ତଵାଦୀ ପ୍ରଥାର ଅନ୍ତ ଘଟିଲା। ଊନଵିଂଶ ଶତାବ୍ଦୀର ଶେଷ ଆଡ଼କୁ ଏଵଂ ଵିଂଶ ଶତାବ୍ଦୀରେ ଛୋଟ ବାଳ ରଖିଵା ପ୍ରଥା ସାରା ଵିଶ୍ୱର ପୁରୁଷମାନଙ୍କ ପାଇଁ ଏକ "Universal Standard" ପାଲଟିଗଲା।
ଇଂରେଜ, ଫରାସୀ ଓ ଓଲନ୍ଦାଜମାନେ ଯେତେବେଳେ ଏସିଆ ଓ ଆଫ୍ରିକାର ଅନେକ ଦେଶକୁ ପରାଧୀନ କଲେ ସେତେବେଳେ ସେମାନେ ନିଜର ଶିକ୍ଷା ଵ୍ୟଵସ୍ଥା ଲାଗୁ କଲେ। ସେମାନଙ୍କ ସ୍କୁଲ ଓ ସରକାରୀ ଚାକିରିରେ ପ୍ରଵେଶ କରିଵାକୁ ହେଲେ ପାଶ୍ଚାତ୍ୟ ପୋଷାକ ଓ ଛୋଟ ବାଳ ରଖିବା ବାଧ୍ୟତାମୂଳକ ଥିଲା। ସ୍ଥାନୀୟ ଲୋକେ ଭାବିଲେ, ସାହେବମାନଙ୍କ ଭଳି ବାଳ କାଟିଲେ ହିଁ ସେମାନେ "ଶିକ୍ଷିତ ଓ ଆଧୁନିକ" ପରିଗଣିତ ହେବେ । ଫକୀରମୋହନ ଲେଖିଥିଵା 'ସ୍କୁଲ ପଢୁଆ' ପିଲାମାନେ ଏହି ଶ୍ରେଣୀର ଥିଲେ।
୧୯ଶ ଶତାବ୍ଦୀରେ ଵିଶ୍ୱରେ କାରଖାନା ସଂଖ୍ୟା ବଢ଼ିଲା। ବଡ଼ ବଡ଼ ଯନ୍ତ୍ରପାତିରେ କାମ କଲାବେଳେ ପୁରୁଷମାନଙ୍କ ଲମ୍ବା ବାଳ ଯନ୍ତ୍ର ଭିତରେ ପଶିଯାଇ ଭୟଙ୍କର ଦୁର୍ଘଟଣା ଘଟିଵାର ଆଶଙ୍କା ଥିଲା। କାରଖାନାର ମାଲିକମାନେ ଶ୍ରମିକମାନଙ୍କ ସୁରକ୍ଷା ଓ ଦ୍ରୁତ କାମ ପାଇଁ ବାଳ ଛୋଟ ରଖିଵାକୁ ନିୟମ କଲେ।
ପ୍ରଥମ ଓ ଦ୍ୱିତୀୟ ଵିଶ୍ୱଯୁଦ୍ଧ ସମୟରେ ପୃଥିଵୀର ପ୍ରାୟ ପ୍ରତ୍ୟେକ ଦେଶର କୋଟି କୋଟି ଯୁଵକ ସେନାରେ ଭର୍ତ୍ତି ହେଲେ। ଯୁଦ୍ଧକ୍ଷେତ୍ରରେ ପରିଷ୍କାର-ପରିଚ୍ଛନ୍ନତା ରକ୍ଷା କରିଵା, ମୁଣ୍ଡରେ ଉକୁଣି ନହେଵା ଏଵଂ ଗ୍ୟାସ୍ ମାସ୍କ ଠିକ୍ ଭାବେ ଫିଟ୍ ହେଵା ପାଇଁ ସମସ୍ତଙ୍କ ବାଳକୁ ସମ୍ପୂର୍ଣ୍ଣ ଛୋଟ କରି କଟାଗଲା, ଯାହାକୁ "Military Cut" କୁହାଗଲା। ଯୁଦ୍ଧ ସରିଵା ପରେ ଯେତେବେଳେ ସୈନିକମାନେ ଘରକୁ ଫେରିଲେ, ସେମାନେ ସେହି ଛୋଟ ବାଳର ଅଭ୍ୟାସକୁ ସାଧାରଣ ଜୀଵନରେ ମଧ୍ୟ ଜାରି ରଖିଲେ।
ଵିଂଶ ଶତାବ୍ଦୀର ଆରମ୍ଭରେ ଜୀଵାଣୁ ଵିଜ୍ଞାନର ବିକାଶ ହେଲା। ଲୋକେ ବୁଝିଲେ ଯେ ଲମ୍ବା ବାଳକୁ ପ୍ରତିଦିନ ସଫା ନକଲେ ସେଥିରେ ଅଳିଆ ଜମି ରୋଗ ଵ୍ୟାପିପାରେ। ସେତେବେଳେ ଆଜି ଭଳି ଆଧୁନିକ ସାମ୍ପୁ ନଥିଲା କି ଅନ୍ୟାନ୍ୟ ସୁବିଧା ନଥିଲା, ତେଣୁ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଛୋଟ ବାଳ ରଖିଵା ସହଜ ମନେହେଲା। ଵିଂଶ ଶତାବ୍ଦୀର ମଧ୍ୟଭାଗରେ ସିନେମା, ଟେଲିଭିଜନ ଓ ପତ୍ରପତ୍ରିକାର ପ୍ରସାର ହେଲା। ହଲିଉଡ୍ର ନାୟକମାନେ କୋଟ୍-ପ୍ୟାଣ୍ଟ୍ ଓ ସୁସଜ୍ଜିତ ଛୋଟ ବାଳରେ ପରଦାକୁ ଆସିଲେ। ଗଣମାଧ୍ୟମ ଦ୍ୱାରା ଏହି ଵାର୍ତ୍ତା ପ୍ରସାରିତ ହେଲା ଯେ, ଜଣେ ଜେଣ୍ଟଲମ୍ୟାନ୍ ଵା ଭଦ୍ରଲୋକର ଅର୍ଥ ହେଉଛି ଛୋଟ ବାଳ। ସାରା ପୃଥିଵୀର ଯୁଵପିଢ଼ି ନିଜ ପ୍ରିୟ ଗ୍ଲୋବାଲ୍ ଷ୍ଟାର୍ମାନଙ୍କୁ ଅନୁକରଣ କରି ନିଜର ପାରମ୍ପରିକ ରୂପକୁ ଭୁଲିଗଲେ।
ଯେଉଁ ପେଣ୍ଡାବାଳ ଦିନେ ଏସିଆ ଓ ୟୁରୋପରେ ପୁରୁଷତ୍ୱ ଓ ସମ୍ମାନର ପ୍ରତୀକ ଥିଲା, ସମୟର ଚକ୍ରରେ ତାହା 'ଅସଭ୍ୟତା' ଓ 'ପୁରୁଣା କାଳିଆ'ର ଚିହ୍ନ ପାଲଟିଗଲା। ଆଜି ଆମେ ଯେଉଁ ହେୟାର-ଷ୍ଟାଇଲ୍ ରଖୁଛୁ, ତାହା ପ୍ରକୃତରେ ପ୍ରାଚୀନ ରୋମାନ୍ ସୈନିକମାନଙ୍କର ଯୁଦ୍ଧ-ପୋଷାକର ଏକ ଆଧୁନିକ ସଂସ୍କରଣ ମାତ୍ର !
No comments:
Post a Comment