ଓଡ଼ିଆ ଶିଶୁ ସାହିତ୍ୟ ତଥା ପ୍ରାଥମିକ ଶିକ୍ଷାର ସବୁଠାରୁ ଆଦ୍ୟ ଓ ପ୍ରଭାଵଶାଳୀ ପୁସ୍ତକ 'ଵର୍ଣ୍ଣବୋଧ' ଅଟେ। ଏହି କାଳଜୟୀ ଶିଶୁ-ଶିକ୍ଷା ପୁସ୍ତକଟିର ସ୍ରଷ୍ଟା ହେଉଛନ୍ତି ଭକ୍ତକଵି ମଧୁସୂଦନ ରାଓ । ସେଥିପାଇଁ ଏହା ଅଧୁନା ମଧୁ ଵର୍ଣ୍ଣବୋଧ ନାମରେ ଖ୍ୟାତ । ଏହି ଵର୍ଣ୍ଣବୋଧରେ ଗୋଟିଏ ଜଣାଶୁଣା ପଦ ରହିଛି ତାହା ହେଉଛି "ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ।" ତେବେ ଏଠାରେ ଧ୍ୟାନ ଦେଵା ଆଵଶ୍ୟକ ଯେ ପ୍ରାରମ୍ଭିକ ଵର୍ଣ୍ଣବୋଧ ସଂସ୍କରଣଗୁଡ଼ିକରେ ଏହି ପଦଟି ନଥିଲା । ଵର୍ଣ୍ଣବୋଧର ପ୍ରଥମ କିଛି ସଂସ୍କରଣରେ ହର୍ସ୍ଵ 'ଇ' ସମ୍ବନ୍ଧରେ ଶିକ୍ଷା ଦେଵା ପାଇଁ ଯେଉଁ ପଦ ଥିଲା ସେଥିରେ ଅରଣା ମଇଁଷି ସମ୍ବନ୍ଧୀୟ ପଦ ମିଳେ ନାହିଁ ।
"ହରିଣ ନ ଦିଏ ଧରା ।
ଦଉଡ଼ ନା ବଡ଼ ଖରା ।
ଛବି ବହି କିଣି ଆଣ ।
ଭଲ ପାଣି କର ପାନ ।
ହରି ଖାଇଵାର ନିଅ ।
ଭାତ ଡାଲି ଦହି ଘିଅ ।
ଭାଇ ଶିଵ ନାରାୟଣ ।
ପଢ଼ ଆଜି ରାମାୟଣ ।
ରାମର ସିତାର୍ ଧରି ।
ବଜାଅ ବଜାଅ ହରି ।
ରାତି ପାହିଲାଣି ରାବଇ କାଉ ।
ଉଠ ଉଠ ମଠ ନକର ଆଉ ।"
୧୯୪୭ରେ କଂଗ୍ରେସର ସରକାର ଶାସନକୁ ଆସିଵା ପରେ ଦେଶରେ ସବୁ କ୍ଷେତ୍ରରେ ହିନ୍ଦୁ ବାହୁଲ୍ୟ ଦରଵ ଓ ତଥ୍ୟକୁ ହ୍ରାସ କରାଗଲା । ପିଲାମାନଙ୍କର ବହିରେ ମୋଗଲମାନଙ୍କର ଗୁଣଗାନ ହେଲା । ଏହି କ୍ରମରେ ଓଡ଼ିଆ ଵର୍ଣ୍ଣବୋଧ ବହିରୁ "ଭାଇ ଶିଵ ନାରାୟଣ ।
ପଢ଼ ଆଜି ରାମାୟଣ ।" ପଦଟି କାଟି ଦିଆଗଲା । ପୁଣି କାଳେ ଦ୍ବିଅର୍ଥବୋଧକ ଲାଗିଵ ସେଥିପାଇଁ "ରାମର ସିତାର୍ ଧରି ।
ବଜାଅ ବଜାଅ ହରି ।" ପଦକୁ ବି କାଟି ଦିଆଗଲା । ତହୁଁ କାନକୁ ଶୁଣିଵାକୁ ଭଲ ଲାଗୁନଥିଲା ବୋଲି "ହରି ଖାଇଵାର ନିଅ ।
ଭାତ ଡାଲି ଦହି ଘିଅ ।"କୁ ବି କାଟି ଦିଆଗଲା । ୧୯୪୭ ପରଵର୍ତ୍ତୀ ଵର୍ଣ୍ଣବୋଧ ବହିରେ ପିଲା ଶେଷରେ କେଵଳ ତିନି ପଦ ପଢ଼ିଲେ ।
"ହରିଣ ନ ଦିଏ ଧରା ।
ଦଉଡ଼ ନା ବଡ଼ ଖରା ।
ଛବି ବହି କିଣି ଆଣ ।
ଭଲ ପାଣି କର ପାନ ।
ରାତି ପାହିଲାଣି ରାବଇ କାଉ ।
ଉଠ ଉଠ ମଠ ନକର ଆଉ ।"
ପୁଣି ପରଵର୍ତ୍ତୀ ଵର୍ଷଗୁଡ଼ିକରେ ପ୍ରଥମେ "ଛବି ବହି କିଣି ଆଣ । ଭଲ ପାଣି କର ପାନ ।" ଏଵଂ ଶେଷରେ"ହରିଣ ନ ଦିଏ ଧରା ।
ଦଉଡ଼ ନା ବଡ଼ ଖରା ।" ଭଳି ପଦକୁ ଉଠେଇ ଦିଆଗଲା । ତେବେ ଏହି କଟା କଟି ମଧ୍ୟରେ ଵର୍ଣ୍ଣବୋଧରେ ଗୋଟିଏ ପଦ ଯୋଡ଼ାଗଲା ଯାହା ଲୋକପ୍ରିୟ ହୋଇଗଲା ତାହା ଥିଲା
"ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ ।"
ଏହି ପଦଟି ଶିଶୁ ମନରେ ପ୍ରାକୃତିକ ପରିଵେଶ ଏଵଂ ସାଵଧାନତାର ଏକ ଚିତ୍ର ଆଙ୍କିଵା ପାଇଁ ଏହି ପଦଟି ଉଦ୍ଦିଷ୍ଟ ଥିଲା। ମାତ୍ର ପ୍ରଥମ ଦୃଷ୍ଟିରୁ ଏହା କେଵଳ ପିଲାଙ୍କ ପାଇଁ ଏକ ସାଧାରଣ ଚେତାଵନୀ ଭଳି ମନେହେଉଥିଲେ ମଧ୍ୟ, ଏହାର ଗଠନ ପଛରେ ଏକ ଵିରାଟ ଵାସ୍ତଵ ଲୌକିକ ଇତିହାସ ଏଵଂ ଅତି ଗୂଢ଼ ଦାର୍ଶନିକ ରହସ୍ୟ ମଧ୍ୟ ଲୁଚି ରହିଛି।
ଏହି ପଦର ସରଳ ଓ ଆପାତତଃ ଦୃଶ୍ୟମାନ ଅର୍ଥ ହେଉଛି—ଜଙ୍ଗଲରେ ଏକ ବଣୁଆ ଵା ଅରଣା ମଇଁଷି ଜଣେ ଗଉଡ଼ ଵା ସାଧାରଣ ଵ୍ୟକ୍ତି 'ଦନାଇ'କୁ ହିଂସ୍ର ଆଖିରେ ଚାହିଁ ରହିଛି; ତେଣୁ ହେ ଦନାଇ, ତୁମେ ସେହି ଵିପଜ୍ଜନକ ପ୍ରାଣୀର ନିକଟଵର୍ତ୍ତୀ ହୁଅ ନାହିଁ। ଏହି ସରଳ ଚେତାଵନୀ ପଛରେ ଊନଵିଂଶ ଶତାବ୍ଦୀ ଏଵଂ ତା' ପୂର୍ଵର ଓଡ଼ିଶାର ପ୍ରାକୃତିକ ପରିଵେଶ ଓ ଜୀଵଵିଜ୍ଞାନର ଏକ ଜ୍ୱଳନ୍ତ ସତ୍ୟ ରହିଛି।
ଜୀଵଵିଜ୍ଞାନ ଦୃଷ୍ଟିରୁ ଵିଚାର କଲେ ଏଠାରେ ଵର୍ଣ୍ଣିତ ଅରଣା ମଇଁଷି ହେଉଛି ଏକ ଭାରତୀୟ ଵନ୍ୟ ଜଳ ମହିଷ ଵା Wild Water Buffalo ଯାହାର ଵୈଜ୍ଞାନିକ ନାମ Bubalus arnee ଅଟେ। ଏହା ଆମ ଘରେ ଦେଖାଯାଉଥିଵା ସାଧାରଣ ଗୃହପାଳିତ ମଇଁଷି "Bubalus bubalis"ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ଯଥେଷ୍ଟ ଅଧିକ ଵିଶାଳ।
ଵନ୍ୟ ଜଳ ମହିଷ ଵା ଅରଣା ମଇଁଷି ପୃଥିଵୀର ସବୁଠାରୁ ବଡ଼ ସ୍ତନ୍ୟପାୟୀ ତୃଣଭୋଜୀ ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ। ଏକ ପୂର୍ଣ୍ଣ ଵୟସ୍କ ଅରଣା ମଇଁଷିର ଓଜନ ପ୍ରାୟ ୬୦୦ରୁ ୧୨୦୦ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ। ଏମାନଙ୍କ ଦେହରେ କଠିନ, ଘନ ଓ କଳାବାଳ ଥାଏ ଯାହା ଵିଶେଷତଃ ବେକ ଓ ମୁହଁର ଚାରିପାଖରେ ଗୋଛା ଗୋଛା ହୋଇ ଝୁଲି ରହିଥାଏ।
ଅରଣାମଇଁଷିର ସବୁଠାରୁ ବଡ଼ ଵୈଶିଷ୍ଟ୍ୟ ହେଉଛି ଏହାର ଵିଶାଳ ଶିଙ୍ଗ। ଏମାନଙ୍କ ଶିଙ୍ଗ ଜୀଵଜଗତରେ ସବୁଠାରୁ ଦୀର୍ଘ ବୋଲି ଧରାଯାଏ, ଯାହା ପଛପଟକୁ ଚନ୍ଦ୍ରାକାରରେ ବଙ୍କେଇ ଯାଇଥାଏ। ଏହି ଶିଙ୍ଗ ଏତେ ଶକ୍ତିଶାଳୀ ଓ ଧାରୁଆ ଯେ ଏହା ସାହାଯ୍ୟରେ ସେମାନେ ଜଙ୍ଗଲର ସବୁଠାରୁ ହିଂସ୍ର ଶିକାରୀ ମହାବଳ ଵାଘ ସହ ମଧ୍ୟ ସମ୍ମୁଖ ଲଢ଼େଇ କରି ତାକୁ ପରାସ୍ତ କରିପାରନ୍ତି। ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମଧ୍ୟ ଏହାର ଉଲ୍ଲେଖ ରହିଛି ଯେ, ଏମାନେ ସିଂହ ଓ ଵାଘଙ୍କ ସଙ୍ଗେ ଲଢ଼ନ୍ତି।
୧୭୯୨ ମସିହାରେ ସ୍କଟଲାଣ୍ଡର ପ୍ରକୃତିଵିଦ୍ Robert Kerr ପ୍ରଥମ କରି ଏହି ଵନ୍ୟ ମହିଷର ଵୈଜ୍ଞାନିକ ନାମକରଣ "Bos arnee" କରିଥିଲେ । ପରେ ଯେତେବେଳେ ଜଣାପଡି଼ଲା ଯେ ଅରଣା ମଇଁଷିଟି ପ୍ରକୃତରେ
Bubalus ଵଂଶର ଜୀଵ ସେତେବେଳେ ଏହି ଜୀଵର ଵୈଜ୍ଞାନିକ Bubalus arnee କରାହେଲା। ସେତେବେଳେ ଭାରତରେ ଥିଵା ବ୍ରିଟିଶ୍ ଶିକାରୀ ଓ ଅଫିସରମାନେ ସ୍ଥାନୀୟ ଲୋକଙ୍କଠାରୁ ଏହି ପ୍ରାଣୀର ନାମ 'ଅରଣା' (ପୁରୁଷ) କିମ୍ଵା 'ଅରଣୀ' (ସ୍ତ୍ରୀ) ଶୁଣିଵାକୁ ପାଇଥିଲେ। ସେମାନେ ନିଜ ଇଂରାଜୀ ଉଚ୍ଚାରଣ ଅନୁସାରେ 'ଅରଣୀ ଵା ଅରନୀ'କୁ "Arnee" ବୋଲି ଲେଖିଲେ ଏଵଂ ରୋବର୍ଟ କେର୍ ଏହାକୁ ହିଁ ଵୈଜ୍ଞାନିକ ଜାତି ନାମ ଭାଵେ ଗ୍ରହଣ କରିନେଲେ।
ସ୍ଵାଧୀନତା ପୂର୍ଵ ଓ ପରଵର୍ତ୍ତୀ କିଛି ଦଶନ୍ଧୀ ମଧ୍ୟରେ ଓଡ଼ିଶାର ଭୌଗୋଳିକ ସୀମାରେ, ଵିଶେଷ କରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଘଞ୍ଚ ଜଙ୍ଗଲ ଏଵଂ ନଦୀ ଅଵଵାହିକାରେ ବହୁ ସଂଖ୍ୟାରେ ଅରଣା ମଇଁଷି ଦଳ ଦଳ ହୋଇ ଵାସ କରୁଥିଲେ। ଅଶି ନବେ ଦଶକରେ ଜଙ୍ଗଲ ହ୍ରାସ ଏଵଂ ମାନଵ ଜନଵସତି ବଢ଼ିଵା ଯୋଗୁଁ ଵର୍ତ୍ତମାନ ଏହି ଜୀଵକୁ IUCN କ୍ଷେତ୍ରରେ Endangered species ଶ୍ରେଣୀରେ ରଖାଯାଇଛି ।
କିନ୍ତୁ ସ୍ଵାଧୀନତା ପୂର୍ଵରୁ ଏଵଂ ସ୍ଵାଧୀନତା ପରଵର୍ତ୍ତୀ କିଛି ଦଶନ୍ଧୀ ପର୍ଯ୍ୟନ୍ତ ଜଙ୍ଗଲ ଆଖପାଖରେ ରହୁଥିଵା ଗ୍ରାମଵାସୀ ଵା ଗୋରୁ ଚରାଉଥିଵା ଗଉଡ଼ମାନଙ୍କ ପାଇଁ ଏହି ଵନ୍ୟ ମହିଷମାନେ ଏକ ବଡ଼ ଭୟର କାରଣ ଥିଲେ। ଗୃହପାଳିତ ମଇଁଷି ଶାନ୍ତ ପ୍ରକୃତିର ହୋଇଥିଵା ଵେଳେ ଅରଣା ମଇଁଷି ଅତ୍ୟନ୍ତ ଆକ୍ରମଣାତ୍ମକ ଓ କ୍ଷିପ୍ର ହୋଇଥାନ୍ତି। ଜଙ୍ଗଲ ଭିତରେ ଯଦି କୌଣସି ମଣିଷ ଏମାନଙ୍କ ସାମ୍ନାକୁ ଚାଲିଆସେ, ତେବେ ଏମାନେ ନିଜର ଶିଙ୍ଗରେ ତାକୁ କ୍ଷତଵିକ୍ଷତ କରି ମାରିଦିଅନ୍ତି। ତେଣୁ ଲୌକିକ ଜୀଵନରେ ଏହା ଏକ ସାଧାରଣ ସତ୍ୟ ଥିଲା ଯେ, ଵନ୍ୟ ମଇଁଷିଠାରୁ ସର୍ଵଦା ଦୂରରେ ରହିଵା ଆଵଶ୍ୟକ।
ଵର୍ଣ୍ଣବୋଧର ଏହି "ଅରଣା ମଇଁଷି ସମ୍ବନ୍ଧୀୟ" ପଦରେ ଉଲ୍ଲେଖ ଥିଵା 'ଦନାଇ' ଵା 'ଦନାଇଁ' ଶବ୍ଦଟି ଓଡ଼ିଆ ଲୋକଜୀଵନରେ ଏକ ଅତି ସାଧାରଣ ଓ ପାରମ୍ପରିକ ନାମ। ଏହା ସାଧାରଣତଃ 'ଜନାର୍ଦ୍ଦନ' କିମ୍ଵା 'ଧନଞ୍ଜୟ' ନାମର ଏକ ଗ୍ରାମ୍ୟ ଅପଭ୍ରଂଶ ଵା କେଵଳ ଏକ ସାଧାରଣ ସାଂସାରିକ ଵ୍ୟକ୍ତିର ପ୍ରତିନିଧିତ୍ୱ କରୁଥିଵା ନାମ।
ଓଡ଼ିଶାର ପାରମ୍ପରିକ ଗୋ-ପାଳନ କିମ୍ଵା ମହିଷ-ପାଳନ ସଂସ୍କୃତିରେ 'ଦନାଇ' ନାମକ ଜଣେ ଗୋପାଳ ଵା ଗଉଡ଼ ପିଲା ଜଙ୍ଗଲକୁ ନିଜର ଗୋରୁ-ମଇଁଷି ଚରାଇଵାକୁ ନେଇଥିଵାର ପରିକଳ୍ପନା କରାଯାଇପାରେ। ସେ ନିଜର ପୋଷା ମଇଁଷି ଭାବି ଭ୍ରମରେ କୌଣସି ହିଂସ୍ର 'ଅରଣା ମଇଁଷି'ର ନିକଟଵର୍ତ୍ତୀ ହୋଇଯିଵାର ଆଶଙ୍କା ଥାଏ। କାରଣ ଅରଣା ମଇଁଷି ଦେଖିଵାକୁ କିଛି ମାତ୍ରାରେ ଗୃହପାଳିତ ମଇଁଷି ପରି ହେଲେ ବି ଗୁଣରେ ସମ୍ପୂର୍ଣ୍ଣ ଭିନ୍ନ। ସେହି ଗ୍ରାମୀଣ ପରିଵେଶର ସତର୍କତାକୁ କଵି ଏଠାରେ ରୂପକ ଦେଇଛନ୍ତି—"ମଇଁଷିର ପାଖେ ନଯାଅ ଦନାଇ"। ଏହା ଥିଲା ଶିଶୁକୁ ପ୍ରକୃତିର ନିୟମ ଓ ଜଙ୍ଗଲର ଵିପଦ ଵିଷୟରେ ସଚେତନ କରିଵାର ଏକ ସରଳ ଵ୍ୟାଵହାରିକ ଶିକ୍ଷା।
ତେବେ "ଅରଣା ମଇଁଷି ରହିଛି ଅନାଇ" ପଦର ତାତ୍ତ୍ଵିକ ଵ୍ୟାଖ୍ୟା ବି ରହିଛି । ଏହି କ୍ଷୁଦ୍ର ପଦଟିକୁ ଯଦି ଆମେ ଦର୍ଶନ ଶାସ୍ତ୍ର ଓ ଵେଦାନ୍ତ ଦୃଷ୍ଟିକୋଣରୁ ଆଲୋଚନା କରିଵା, ତେବେ ମଣିଷ ଜୀଵନର ପରମ ସତ୍ୟ ଏଥିରୁ ଉଦ୍ଭାସିତ ହୋଇଥାଏ।
ଭାରତୀୟ ଦର୍ଶନ ଶାସ୍ତ୍ରରେ ମଣିଷର ମନକୁ ଏକ ଅଶାନ୍ତ ପ୍ରାଣୀ ସହ ତୁଳନା କରାଯାଇଛି। 'ଅରଣା ମଇଁଷି' ହେଉଛି ମଣିଷ ଭିତରେ ଥିଵା ସେହି ଅସଂଯତ, ଅଶାନ୍ତ ମନ, ଅନିୟନ୍ତ୍ରିତ ଇନ୍ଦ୍ରିୟ, କାମନା, ଲାଳସା ଏଵଂ ପ୍ରଭାଵଶାଳୀ ଅହଂକାରର ପ୍ରତୀକ।
ଯେପରି ଏକ ଵଣୁଆ ଅରଣା ମଇଁଷି କୌଣସି ସାମାଜିକ ନିୟମ ମାନେନାହିଁ ଏଵଂ ନିଜର ପ୍ରଚଣ୍ଡ ଶକ୍ତି ବଳରେ ସବୁକିଛି ଧ୍ୱଂସ କରିଦେଵାକୁ ଚେଷ୍ଟା କରେ, ସେହିପରି ମଣିଷ ଭିତରେ ଥିଵା ବାସନା ଓ କ୍ରୋଧ ଅମାନିଆ ହୋଇଥାନ୍ତି। ଯେତେବେଳେ ମଣିଷ ଭିତରେ ଏହି ପାଶଵିକ ପ୍ରଵୃତ୍ତି ଜାଗ୍ରତ ହୁଏ, ତାହା ଵ୍ୟକ୍ତିର ଵିଵେକ, ବୁଦ୍ଧି ଓ ସଦଗୁଣକୁ ସମ୍ପୂର୍ଣ୍ଣ ନଷ୍ଟ କରିଦିଏ। ଏହି ଅରଣା ମଇଁଷି ରୂପକ ମନ ସର୍ଵଦା ନିଜର ଇଚ୍ଛା ଅନୁସାରେ ଧାଇଁଵାକୁ ଚାହେଁ, ଯାହା ଶେଷରେ ମଣିଷକୁ ପତନର ଗର୍ତ୍ତକୁ ଠେଲିଦିଏ।
ଏହି ଆଧ୍ୟାତ୍ମିକ ପ୍ରେକ୍ଷାପଟରେ 'ଦନାଇ' ହେଉଛି ସ୍ୱୟଂ 'ଜୀଵାତ୍ମା' ଵା ସାଧାରଣ ସାଂସାରିକ ମଣିଷ। ସଂସାରର ମାୟାଜାଲ ଭିତରେ ଛନ୍ଦି ହୋଇ ରହିଥିଵା ମାନଵ ହିଁ ଏଠାରେ ଦନାଇ। ଜୀଵାତ୍ମା ନିଜର ଅଜ୍ଞାନତା ହେତୁ ଏହି ସଂସାରକୁ ହିଁ ସର୍ଵସ୍ୱ ମାନି ନେଇଥାଏ ଏଵଂ ନିଜ ଭିତରେ ତଥା ବାହାରେ ଥିଵା ଵିପଦ ପ୍ରତି ଅଜ୍ଞ ରହେ। ସେ ଅତି ସହଜରେ ଵାହ୍ୟ ଆକର୍ଷଣ ଦ୍ୱାରା ପ୍ରଲୋଭିତ ହୋଇଯାଏ ଏଵଂ ନିଜର ସାଵଧାନତା ହରାଇ ଵିପଦଗ୍ରସ୍ତ ହୁଏ। କଵି ପ୍ରତ୍ୟେକ ଜୀଵାତ୍ମାକୁ 'ଦନାଇ' ବୋଲି ସମ୍ବୋଧନ କରି ସଂସାରର ଏହି ମହାଭୟ ପ୍ରତି ସଚେତନ କରାଇଛନ୍ତି।
ପଦରେ ଥିଵା "ରହିଛି ଅନାଇ" ଵାକ୍ୟାଂଶଟି ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ମାୟା, କାମ, କ୍ରୋଧ, ଲୋଭ, ମୋହ ଓ ମାତ୍ସର୍ଯ୍ୟ ଭଳି ଷଡ଼ରିପୁ ଏଵଂ ଦୁର୍ଗୁଣଗୁଡ଼ିକ ସବୁବେଳେ ଜୀଵାତ୍ମାକୁ ଶିକାର କରିଵା ପାଇଁ ଆଖି ପତେଇ ବସିଛନ୍ତି। ସେମାନେ କେଵଳ ଗୋଟିଏ ସୁଯୋଗ ଅପେକ୍ଷାରେ ଥାଆନ୍ତି।
ମଣିଷ ଯେତେବେଳେ ନିଜର ଆଧ୍ୟାତ୍ମିକ ସାଧନାରୁ ଟିକିଏ ଵିଚ୍ୟୁତ ହୁଏ, କିମ୍ଵା ସାଂସାରିକ ଭୋଗଵିଳାସ ମଧ୍ୟରେ ବୁଡ଼ି ରହି ନିଜର ଆତ୍ମିକ ସାଵଧାନତା ହରାଇ ବସେ, ସେହି ଦୁର୍ଵଳ ମୁହୂର୍ତ୍ତରେ ଏହି ପାଶଵିକ ପ୍ରଵୃତ୍ତିଗୁଡ଼ିକ ତାକୁ ଗ୍ରାସ କରିନିଅନ୍ତି। ଅରଣା ମଇଁଷି ଯେପରି ଜଙ୍ଗଲର ବଣ ବୁଦା ଆଢ଼ୁଆଳରେ ଲୁଚି ରହି ହିଂସ୍ର ଦୃଷ୍ଟିରେ ଅନାଇଥାଏ, ଠିକ୍ ସେହିପରି ଆମ ଭିତରେ ଥିଵା ବାସନା ମଧ୍ୟ ସୁପ୍ତ ଅଵସ୍ଥାରେ ରହି ସୁଯୋଗ ମିଳିଵା ମାତ୍ରେ ଜାଗ୍ରତ ହୋଇଉଠେ।
ଭାରତୀୟ ପୁରାଣ ଓ ଆଧ୍ୟାତ୍ମିକ ପରମ୍ପରାରେ ମଇଁଷି ଵା ମହିଷ ହେଉଛି ନ୍ୟାୟର ଦେଵତା ତଥା ମୃତ୍ୟୁର ଅଧିପତି ଯମରାଜ ଵା 'କାଳ'ର ଵାହନ। ତେଣୁ ଗଭୀର ଦୃଷ୍ଟିକୋଣରୁ ଵିଚାର କଲେ, "ଅରଣା ମହିଁଷି" ସ୍ୱୟଂ କାଳ ଵା ମୃତ୍ୟୁକୁ ହିଁ ସୂଚାଇଥାଏ।
ଜୀଵନ ଅସ୍ଥାୟୀ ଏଵଂ ପ୍ରତିଟି ମୁହୂର୍ତ୍ତରେ ମୃତ୍ୟୁ ଜୀଵକୁ ଅନାଇ ରହିଛି। ସଂସାରର ସମସ୍ତ ଐଶ୍ୱର୍ଯ୍ୟ, ଶକ୍ତି ଓ ଅହଂକାର ମୃତ୍ୟୁର ଗୋଟିଏ ପ୍ରହାରରେ ଧୂଳିସାତ ହୋଇଯାଏ। ଏହି କାଳ ରୂପକ ଅରଣା ମଇଁଷି କେତେବେଳେ କାହା ଉପରକୁ ଧାଇଁଆସିଵ, ତାହା କେହି କହିପାରିବେ ନାହିଁ। ତେଣୁ ମଣିଷ ନିଜର କ୍ଷଣଭଙ୍ଗୁର ଶରୀର ଓ ସମ୍ପତ୍ତିକୁ ନେଇ ଅହଂକାର କରିଵାର କୌଣସି କାରଣ ନାହିଁ। ଏହା ଜୀଵକୁ ଅନଵରତ ଜାଗ୍ରତ ରହିଵା ପାଇଁ ଏକ ନିରନ୍ତର ଚେତାଵନୀ।
"ମଇଁଷିର ପାଖେ ନଯାଅ" ହେଉଛି ସନାତନ ଶାସ୍ତ୍ର, ସଦଗୁଣୀ ଗୁରୁ ଏଵଂ ପରମେଶ୍ୱରଙ୍କର ଶ୍ରେଷ୍ଠ ଆଦେଶ ଵା ଚେତାଵନୀ। ଏହାର ଅର୍ଥ ହେଉଛି—ନିଜକୁ କୁସଙ୍ଗ, ଖରାପ ଵିଚାର, ଅହଂକାର ଏଵଂ ଇନ୍ଦ୍ରିୟାସକ୍ତି ଠାରୁ ଦୂରରେ ରଖ।
ଆଧ୍ୟାତ୍ମିକ ପଥରେ ଆଗେଇଵାକୁ ହେଲେ ଜଣକୁ ଵିଵେକ ଓ ଵୈରାଗ୍ୟ ଅଵଲମ୍ଵନ କରିଵାକୁ ପଡ଼ିଵ। ଯଦି ଆମେ ଜାଣିଶୁଣି ଆମର ଲାଳସା କିମ୍ଵା ଉତ୍ତେଜନା ସହ ଖେଳିଵାକୁ ଚେଷ୍ଟା କରିଵା (ଅର୍ଥାତ୍ ମଇଁଷିର ପାଖକୁ ଯିଵା), ତେଵେ ଆମର ଵିନାଶ ସୁନିଶ୍ଚିତ। ତେଣୁ ଇନ୍ଦ୍ରିୟଗୁଡ଼ିକୁ ଭୋଗ୍ୟ ଵସ୍ତୁଠାରୁ ଦୂରେଇ ରଖିଵା ହିଁ ଆତ୍ମ-ରକ୍ଷାର ଏକମାତ୍ର ଉପାୟ।
ଵର୍ଣ୍ଣବୋଧର ଏହି ଦୁଇଟି ଧାଡ଼ି ଵାସ୍ତଵରେ ମାନଵ ଜୀଵନ ଦର୍ଶନର ଏକ ମହାନ୍ ସାରସଂକ୍ଷେପ। ବାହାର ଜଗତରେ ଥିଵା ହିଂସ୍ର ପ୍ରାଣୀ ଵା ଵନ୍ୟ ଅରଣା ମଇଁଷିଠାରୁ ନିଜ ଶରୀରକୁ ରକ୍ଷା କରିଵା ଯେତିକି ଜରୁରୀ, ତା'ଠାରୁ ହଜାରେ ଗୁଣ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ନିଜ ଭିତରେ ଲୁଚି ରହିଥିଵା 'ଅରଣା' ଵା ଅନିୟନ୍ତ୍ରିତ ଅହଂକାର, କ୍ରୋଧ ଓ କାମନା ରୂପକ ଅଦୃଶ୍ୟ ମହିଷ ଠାରୁ ନିଜ ଆତ୍ମାକୁ ସୁରକ୍ଷିତ ରଖିଵା।
ଵାହ୍ୟ ଜଙ୍ଗଲର ଵିପଦ ଆମକୁ କେଵଳ ଶାରୀରିକ ମୃତ୍ୟୁ ଦେଇପାରେ କିନ୍ତୁ ଆନ୍ତରିକ ଅଜ୍ଞାନତା ଓ ବାସନାର ଜଙ୍ଗଲ ଆମର ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପତନର କାରଣ ସାଜିଥାଏ। ଜୀଵନର ପ୍ରକୃତ ସାର୍ଥକତା ବାହାରର ଶତ୍ରୁକୁ ଜିତିଵାରେ ନାହିଁ ଵରଂ ନିଜ ଭିତରେ ଥିଵା ଏହି ଅମାନିଆ ପାଶଵିକ ପ୍ରଵୃତ୍ତିକୁ ଚିହ୍ନି, ତା'ଠାରୁ ଦୂରତ୍ୱ ବଜାୟ ରଖି ଆତ୍ମ-ସଂଯମ ଓ ଵିଵେକ ଦ୍ୱାରା ନିଜକୁ ଈଶ୍ୱର ଅଭିମୁଖୀ କରିଵାରେ ହିଁ ନିହିତ। ଏହିପରି ଭାବରେ, ଵର୍ଣ୍ଣବୋଧର ଏହି ସରଳ ଶିଶୁ-ଗୀତ ପ୍ରତ୍ୟେକ ମାନଵ ଜୀଵାତ୍ମା ପାଇଁ ଏକ ଶାଶ୍ୱତ ଜୀଵନ-ଜିଜ୍ଞାସାର ଦିଗଦର୍ଶନ ପ୍ରଦାନ କରିଥାଏ।
No comments:
Post a Comment