ଊନଵିଂଶ ଶତାବ୍ଦୀର ଶେଷ ଭାଗ, ଅର୍ଥାତ୍ ୧୮୭୦ ଦଶକର କଥା। ବ୍ରିଟିଶ୍ ଗଵେଷଣା ଜାହାଜ 'ଏଚ୍.ଏମ୍.ଏସ୍. ଚ୍ୟାଲେଞ୍ଜର' ସେହି ସମୟରେ ଵିଶ୍ୱର ଵିଭିନ୍ନ ମହାସାଗରଗୁଡ଼ିକର ଗଭୀରତା ମାପିଵା ଏଵଂ ସମୁଦ୍ର ଶଯ୍ୟାର ଅଜଣା ରହସ୍ୟ ଖୋଜିଵା ପାଇଁ ଏକ ଐତିହାସିକ ଵିଶ୍ୱ ଯାତ୍ରାରେ ବାହାରିଥିଲା। ଏହି ଅଭିଯାନ ସମୟରେ ଜଣେ ପ୍ରଖ୍ୟାତ ପ୍ରକୃତିଵିଦ୍ ତଥା ମହାସାଗର ଵିଜ୍ଞାନୀ 'ଜନ୍ ମୁରେ' ସମୁଦ୍ରର ଅତଳ ଗଭୀରତାରୁ ଉଦ୍ଧାର କରାଯାଇଥିଵା ନାଲି ରଙ୍ଗର କାଦୁଅକୁ ଅଣୁଵୀକ୍ଷଣ ଯନ୍ତ୍ର ସାହାଯ୍ୟରେ ପରୀକ୍ଷା କରୁଥିଲେ। ସେହି କାଦୁଅକୁ ସୂକ୍ଷ୍ମ ଭାବେ ନିରୀକ୍ଷଣ କରିଵା ସମୟରେ ସେ ସେଥିରେ କିଛି ଅତି କ୍ଷୁଦ୍ର, ଚମକଦାର ଚୁମ୍ବକୀୟ ଗୋଲକ ଦେଖିଵାକୁ ପାଇଲେ। ସେହି କଣିକାଗୁଡ଼ିକ ପୃଥିଵୀର କୌଣସି ସାଧାରଣ ପଥର ଵା ମାଟିର ଅଂଶ ଭଳି ମନେ ହେଉନଥିଲେ। ମୁରେ ସେତେବେଳେ ଏକ ଦୂରଦୃଷ୍ଟିସମ୍ପନ୍ନ ତଥା ଆଶ୍ଚର୍ଯ୍ୟଜନକ ଅନୁମାନ କରିଥିଲେ । ସେ ଅନୁମାନ କରିଥିଲେ ଯେ ଏହି କ୍ଷୁଦ୍ର ଗୋଲକଗୁଡ଼ିକ ପ୍ରକୃତରେ ମହାକାଶରୁ ଖସୁଥିଵା ଉଲ୍କାପିଣ୍ଡର ପାଉଁଶ, ଯାହା ହଜାର ହଜାର ଵର୍ଷ ଧରି ଵାୟୁମଣ୍ଡଳ ଦେଇ ଆସି ସମୁଦ୍ର ଗର୍ଭରେ ଜମା ହୋଇଛି। ମାନଵ ଇତିହାସରେ ଏହା ଥିଲା 'ଅନ୍ତରୀକ୍ଷୀୟ ଧୂଳି' ଵା Micrometeorites ଚିହ୍ନଟ କରିଵାର ପ୍ରଥମ ପ୍ରାରମ୍ଭିକ ପଦକ୍ଷେପ।
ତେବେ ଦୀର୍ଘ ଦଶନ୍ଧି ଧରି ଵୈଜ୍ଞାନିକ ସମୁଦାୟର ଏକ ଦୃଢ଼ ଧାରଣା ଥିଲା ଯେ ଏହି ମହାକାଶରୁ ଆସୁଥିଵା ଧୂଳି କେଵଳ ପ୍ରଦୂଷଣମୁକ୍ତ ଗଭୀର ସମୁଦ୍ର କିମ୍ବା ଆଣ୍ଟାର୍କଟିକାର ଜନଶୂନ୍ୟ ବରଫ ଚାଦର ତଳେ ହିଁ ମିଳିପାରିଵ। ସାଧାରଣ ମାନଵ ଜନଵସତି, କଳକାରଖାନା ଓ ଆମ ଘର ଚାରିପାଖରେ ଏହାକୁ ଖୋଜିଵା ସମ୍ପୂର୍ଣ୍ଣ ଅସମ୍ଭଵ, କାରଣ ସେଠାରେ ଗାଡ଼ିମୋଟରର ଧୂଆଁ, କଳକାରଖାନାର ପାଉଁଶ ଏଵଂ ନିର୍ମାଣ କାର୍ଯ୍ୟରୁ ବାହାରୁଥିଵା କୃତ୍ରିମ ଧୂଳି ମହାକାଶର ଏହି ସୂକ୍ଷ୍ମ ଧୂଳିକୁ ସମ୍ପୂର୍ଣ୍ଣ ରୂପେ ଘୋଡ଼ାଇ ଦିଏ। ଏହି ପାରମ୍ପରିକ ଧାରଣାକୁ ବଦଳାଇଵା ପାଇଁ ଦ୍ୱିତୀୟ ବଡ଼ ସଫଳତା ୧୯୭୦ ମସିହାରେ ମିଳିଥିଲା। ଆମେରିକାର ଜ୍ୟୋତିର୍ଵିଜ୍ଞାନୀ ଡୋନାଲ୍ଡ ବ୍ରାଉନଲି ନାସାର ଉଚ୍ଚ-ଉଚ୍ଚତା ଵିଶିଷ୍ଟ U-2 ଵିମାନ ସାହାଯ୍ୟରେ ପୃଥିଵୀର ଵାୟୁମଣ୍ଡଳର Stratosphere ସ୍ତରରୁ ଧୂଳି ସଂଗ୍ରହ କରିଵାର ଏକ ସ୍ୱତନ୍ତ୍ର ପଦ୍ଧତି ଵିକଶିତ କଲେ। ସେଠାରେ ସେ ଯେଉଁ କ୍ଷୁଦ୍ର କଣିକାଗୁଡ଼ିକ ପାଇଲେ ସେଗୁଡ଼ିକୁ ପରଵର୍ତ୍ତୀ ସମୟରେ 'ବ୍ରାଉନଲି ପାର୍ଟିକଲ୍ସ' କୁହାଗଲା। ଏହା ପ୍ରମାଣିତ କଲା ଯେ ଆମ ସୌରମଣ୍ଡଳର ସୃଷ୍ଟିକାଳରୁ ବ୍ରହ୍ମାଣ୍ଡରେ ଭାସୁଥିଵା ପ୍ରାଚୀନ ଧୂଳି ଆମ ଵାୟୁମଣ୍ଡଳରେ ନିରନ୍ତର ପ୍ରଵେଶ କରୁଛି।
ତଥାପି, ଆମ ନିତିଦିନିଆ ଘର ଭିତରେ ଉଡ଼ୁଥିଵା ସାଧାରଣ ଧୂଳିରେ ଯେ ମହାକାଶର ଅଂଶ ଥାଇପାରେ, ତାହା କେହି କଳ୍ପନା ସୁଦ୍ଧା କରିନଥିଲେ। ଏହି ରହସ୍ୟ ଉପରୁ ପରଦା ହଟାଇଵାର ଶ୍ରେୟ ନରୱେର ଜଣେ ସଙ୍ଗୀତଜ୍ଞ ତଥା ସୌଖୀନ ଵୈଜ୍ଞାନିକ ଜନ୍ ଲାରସେନଙ୍କୁ ଦିଆଯାଏ। ୨୦୧୦ ମସିହାରେ ଜନ୍ ଲାରସେନ୍ Project Stardust ଆରମ୍ଭ କଲେ। ଦିନେ ସେ ବାହାରେ ବସି ଜଳଖିଆ ଖାଉଥିଵା ସମୟରେ ଟେବୁଲ ଉପରେ ଏକ ଅତି ଚମକଦାର କ୍ଷୁଦ୍ର କଣିକା ଦେଖିଲେ ଏଵଂ ତାଙ୍କ ମନରେ ପ୍ରଶ୍ନ ଉଠିଲା—ଏହା ମହାକାଶରୁ ଆସିଥିଵା କୌଣସି ତାରକାର ଅଵଶେଷ ହୋଇଥାଇପାରେ କି? ଵୃତ୍ତିଗତ ଵୈଜ୍ଞାନିକମାନେ ପ୍ରଥମେ ତାଙ୍କ କଥାକୁ ହସରେ ଉଡ଼ାଇ ଦେଇଥିଲେ। କିନ୍ତୁ ଲାରସେନ ହାର୍ ମାନିଲେ ନାହିଁ। ସେ ଵିଶ୍ୱର ଵିଭିନ୍ନ ପ୍ରମୁଖ ସହରର ଘର ଛାତ, ଝରକାର କୋଣ ଓ ରାସ୍ତାକଡ଼ରୁ ବହୁ ପରିମାଣର ଧୂଳି ସଂଗ୍ରହ କରି ଵର୍ଷ ଵର୍ଷ ଧରି ତାହାକୁ ଵିଶ୍ଳେଷଣ କଲେ। ଶେଷରେ, ଲଣ୍ଡନର ଇମ୍ପେରିଆଲ କଲେଜର ମାଥ୍ୟୁ ଗେଞ୍ଜ (Matthew Genge)ଙ୍କ ସହ ମିଶି ସେ ଵୈଜ୍ଞାନିକ ସ୍ତରରେ ପ୍ରମାଣ କଲେ ଯେ, ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ତଥା ଆମ ଘର ଆଖପାଖରେ ଉଡ଼ୁଥିଵା ସାଧାରଣ ଧୂଳି ଭିତରେ ମଧ୍ୟ ବ୍ରହ୍ମାଣ୍ଡର କ୍ଷୁଦ୍ର ଗୋଲକାକାର ମାଇକ୍ରୋମେଟିଓରାଇଟ୍ସ୍ ଲୁଚି ରହିଥାଏ।
ଏହି ମହାଜାଗତିକ ଆଵିଷ୍କାର ସହିତ ସମାନ୍ତରାଳ ଭାବେ, ଜୀଵଵିଜ୍ଞାନ ଓ ଚର୍ମ ଵିଜ୍ଞାନ କ୍ଷେତ୍ରରେ ମଧ୍ୟ ଏକ ଵିରାଟ ସତ୍ୟ ପ୍ରକାଶ ପାଇଥିଲା। ଵିଂଶ ଶତାବ୍ଦୀର ମଧ୍ୟଭାଗରେ ଯେତେବେଳେ ଚିକିତ୍ସା ଵିଜ୍ଞାନୀମାନେ ମାନବ ଶରୀରର ଚର୍ମ ଏବଂ କୋଷ ନଵୀକରଣ ପ୍ରକ୍ରିୟା ଉପରେ ଗଵେଷଣା କଲେ, ସେମାନେ ଜାଣିଵାକୁ ପାଇଲେ ଯେ ଆମ ଶରୀରର ଵାହ୍ୟ ଚର୍ମ ଏକ ସ୍ଥିର ଆସ୍ତରଣ ନୁହେଁ। ଏହା ପ୍ରତି ମୁହୂର୍ତ୍ତରେ ନିଜକୁ ନୂତନ କରିଥାଏ ଏଵଂ ନିର୍ଜୀଵ କୋଷଗୁଡ଼ିକୁ ଶରୀରରୁ ବାହାର କରିଦିଏ। ୧୯୬୪ ମସିହାରେ ଓଲନ୍ଦାଜ୍ ଵୈଜ୍ଞାନିକ ଆଣ୍ଟନ୍ ଵୋରହୋଷ୍ଟ ଏଵଂ ତାଙ୍କ ସହଯୋଗୀମାନେ ଆଵିଷ୍କାର କଲେ ଯେ ଘରର ଧୂଳିରେ ଥିଵା ଏହି ମୃତ ଚର୍ମ କୋଷଗୁଡ଼ିକୁ ଖାଇ ଏକ ଅଦୃଶ୍ୟ ଜୀଵ ଵଂଶବୃଦ୍ଧି କରେ, ଯାହାକୁ ଆମେ 'Dust Mites' ବୋଲି କହୁ। ଏହି ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ଭିନ୍ନ ଦିଗରୁ ହୋଇଥିଵା ଆଵିଷ୍କାର—ଗୋଟିଏ ପଟେ ମହାକାଶରୁ ଆସୁଥିଵା ବ୍ରହ୍ମାଣ୍ଡୀୟ ଧୂଳି ଏଵଂ ଅନ୍ୟପଟେ ଆମ ନିଜ ଶରୀରରୁ ଝଡ଼ୁଥିଵା ଜୈଵିକ ଧୂଳି—ଆମକୁ ଏହି ସତ୍ୟ ସହ ପରିଚିତ କରାଇଲା ଯେ, ଆମ ଆଖପାଖରେ ଥିଵା ଧୂଳିକଣା ପ୍ରକୃତରେ ସୂକ୍ଷ୍ମ ଜୀଵଵିଜ୍ଞାନ ଓ ଵିଶାଳ ଜ୍ୟୋତିର୍ଵିଜ୍ଞାନର ଏକ ଅଦ୍ଭୁତ ସଙ୍ଗମ ସ୍ଥଳ।
ପ୍ରତି ଏକ ଘଣ୍ଟାରେ ଆମ ଶରୀରର ପ୍ରତ୍ୟେକ ଵର୍ଗ ସେଣ୍ଟିମିଟରରୁ ପ୍ରାୟ ୧୦୦୦ ଚର୍ମ କୋଷ ଝଡ଼ିପଡ଼ିଥାଏ। ଧରନ୍ତୁ ଜଣେ ଵୟସ୍କ ଵ୍ୟକ୍ତିଙ୍କ ଶରୀରର ହାରାହାରି ପୃଷ୍ଠ ଭାଗ ୨ ଵର୍ଗ ମିଟର, ତେବେ ପ୍ରତି ଘଣ୍ଟାରେ ପ୍ରାୟ ୨୦ କୋଟି କୋଷ ଆପଣଙ୍କ ଶରୀର ତ୍ୟାଗକରି ପରିଵେଶରେ ମିଶିଯାଏ ଏଵଂ ଏହି ସଂଖ୍ୟା ଵର୍ଷକୁ ୧୮୦ ବିଲିଅନ ଅତିକ୍ରମ କରିଥାଏ । ଅର୍ଥାତ୍ ପ୍ରତିଵର୍ଷ ଆମ ଶରୀରରୁ ନିର୍ଗତ ହେଉଥିଵା ପ୍ରାଣହୀନ କୋଷସଂଖ୍ୟା Milky way ଆକାଶଗଙ୍ଗାରେ ଥିଵା ସମୁଦାୟ ନକ୍ଷତ୍ର ସଂଖ୍ୟାଠାରୁ ମଧ୍ୟ ବହୁତ ଅଧିକ ହୋଇଥାଏ। ଆପଣଙ୍କ ଘରର ଝରକା ଦେଇ ବାହାରୁ ଆସୁଥିଵା ଆଲୋକରେ ଉଡୁଥିଵା ତନ୍ତୁଯୁକ୍ତ ଧୂଳିକୁ ଦେଖନ୍ତୁ । ଏହି ଧୂଳିର ଅଧାରୁ ଅଧିକ ଭାଗ ଆମ ଶରୀରର ନିର୍ଜୀଵ କୋଷଯୁକ୍ତ ହୋଇଥାଏ।
ଏ ମୃତ ଜୀଵକୋଷଗୁଡ଼ିକୁ Dust mites ନାମକ ଅଣୁଜୀଵ ଖାଇଥାନ୍ତି ଓ ଏମାନଙ୍କ ଆକାର ପିମ୍ପୁଡ଼ିଠାରୁ ମଧ୍ୟ ୧୦ ଗୁଣ ଛୋଟ ହୋଇଥାଏ। ହୁଏତ ସେମାନଙ୍କୁ ଖାଲି ଆଖିରେ ଦେଖିଵା ସମ୍ଭଵପର ହୋଇନପାରେ, କିନ୍ତୁ ଵର୍ତ୍ତମାନ ଆମ୍ଭମାନଙ୍କର ଖଟ ପଲଙ୍କରେ ପଡ଼ିଥିଵା କନ୍ଥା ଓ ଗଦିରେ ପାଖାପାଖି ୧ କୋଟିରୁ ଅଧିକ ଡଷ୍ଟ୍ ମାଇଟ୍ ଥାଇପାରନ୍ତି । ଡଷ୍ଟମାଇଟ୍ମାନେ ଆପଣଙ୍କର କିମ୍ବା ଆପଣଙ୍କ ଗୃହପାଳିତ ପଶୁଙ୍କର ଶରୀରରୁ ଝଡ଼ିପଡ଼ୁଥିଵା ନିର୍ଜୀଵ କୋଷଗୁଡ଼ିକରେ ପ୍ରଜନନ କରନ୍ତି । ବେଳେବେଳେ ଏମାନଙ୍କ ଯୋଗୁଁ ଆମ ଦେହ କୁଣ୍ଡେଇ ହୁଏ ଏଵଂ ଆଲର୍ଜି ମଧ୍ୟ ହୋଇଯାଏ । ତେବେ ଡଷ୍ଟ ମାଇଟମାନେ ଆମ କନ୍ଥା ଵସନ,ଖଟ ପଲଙ୍କ ଓ ଧୂଳିରେ ଥିଵା ନିର୍ଜୀଵ ଜୀଵକୋଷଗୁଡ଼ିକୁ ସେମାନଙ୍କର ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ମନେ କରି ଜନ୍ମ ନିଅନ୍ତି,ପ୍ରଜନନ କରନ୍ତି ଓ ଶେଷରେ ସେଇଠାରେ ହିଁ ପ୍ରାଣ ତ୍ୟାଗ ମଧ୍ୟ କରନ୍ତି ।
ଘର ଭିତରେ ଉଡ଼ୁଥିଵା ଏହି ଧୂଳିରେ ଉକ୍ତ ଘରେ ରହୁଥିଵା ଲୋକ ତଥା ତାହାର ଗୃହପାଳିତ ପଶୁର ନିର୍ଜୀଵ କୋଷ ଥାଏ । ଏତଦ୍ଵ୍ୟତୀତ ଶିଳ୍ପୋଦ୍ୟଗରୁ ନିର୍ଗତ ସିମେଣ୍ଟ ପାଉଡର, ପଥର କ୍ଷୟ ଦ୍ୱାରା ଉତ୍ପନ୍ନ ମାଟି, ବାଲି, ଆଗ୍ନେୟଗିରିର ପାଉଁଶ, କୋଇଲା ଅଵଶିଷ୍ଟ ସମେତ ଟେକ୍ସଟାଇଲ ଫାଇବର ଇତ୍ୟାଦି ମଧ୍ୟ ଏହି ଧୂଳିରେ ମିଳିଥାଏ । ଆଙ୍ଗୁଠିଚିହ୍ନ ଭଳି ଆମ ସମସ୍ତଙ୍କ ଘରର ଧୂଳିରେ ଏକ ନିଆରା ସ୍ଵରୂପ ରହିଛି। ଭଵିଷ୍ୟତରେ ଫୋରେନସିକ୍ ଵିଶେଷଜ୍ଞମାନେ ଘଟଣାସ୍ଥଳର ଧୂଳିକୁ ଵିଶ୍ଳେଷଣ କରି ଅନେକ ସମାଧାନ ହୋଇନଥିଵା ସମସ୍ୟା ତଥା ଦୁର୍ଘଟଣାର ସମାଧାନ କରିଵାରେ ସକ୍ଷମ ହେବେ ବୋଲି ଆଶା କରାଯାଉଛି। ଏହା ଆଶ୍ଚର୍ଯ୍ୟଜନକ ନୁହେଁ କି? ତେବେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି କେଵଳ ଏହି ପୃଥିଵୀ ହିଁ ନୁହେଁ ଵରଂ ପୃଥିଵୀ ବାହାରର ଭିନ୍ନ ଗ୍ରହ, ସୌରମଣ୍ଡଳ ଓ ଆକାଶଗଙ୍ଗାର ଅଵଶେଷ ମଧ୍ୟ ଏହି ଧୂଳିରେ ମିଳିଛି ।
ଆମ ସୂର୍ଯ୍ୟଠାରୁ ଆକାରରେ ବଡ଼ ତଥା ଅଧିକ ଭାରୀ କୌଣସି ନକ୍ଷତ୍ର ଏହାର ଜୀଵନକାଳର ଶେଷ ସମୟରେ ନିଜ କେନ୍ଦ୍ରରେ ଅମ୍ଳଜାନ,ଅଙ୍ଗାରକଠାରୁ ଆରମ୍ଭ କରି ଲୌହ ପର୍ଯ୍ୟନ୍ତ ଭାରୀ ଉପାଦାନ ସୃଷ୍ଟି କରିଥାଏ । ଯେତେବେଳେ ଉକ୍ତ ନକ୍ଷତ୍ରର ଵୟସ ବଢ଼ିଯାଏ, ଏହା ଏକ ସୁପରନୋଵା ରେ ପରିଣତ ହୁଏ ଏଵଂ ଵିରାଟ ଵିସ୍ଫୋରଣ ସହିତ ଏହାର ମୂଳରେ ସୃଷ୍ଟି ହୋଇଥିଵା ଏହି ଜୈଵିକ ତତ୍ତ୍ୱ ବ୍ରହ୍ମାଣ୍ଡରେ ଦୂର ଦୂରାନ୍ତରେ ଵିସ୍ତାରିତ ହୁଏ ତଥା ଧୂଳିର ବାଦଲ ରୂପେ ମହାକାଶରେ ଭାସୁଥାଏ । ଆକାଶଗଙ୍ଗାର କେନ୍ଦ୍ରକୁ ଆମ ସୂର୍ଯ୍ୟ ସହିତ ପ୍ରାୟ ୨୫କୋଟି ଵର୍ଷରେ ଥରେ ପରିକ୍ରମା ସମ୍ପୂର୍ଣ୍ଣ କରୁଥିଵାବେଳେ ପୃଥିଵୀ ପ୍ରାୟତଃ ଏହି ବାଦଲ ଦେଇ ଗତି କରିଥାଏ ଏଵଂ ସେତେବେଳେ ଏହି ବାଦଲରେ ଥିଵା ଵିରଳ ଉପାଦାନ ପୃଥିଵୀର ଵାୟୁମଣ୍ଡଳରେ ପ୍ରଵେଶ କରିଥାଏ ।
ଵୈଜ୍ଞାନିକମାନେ କୁହନ୍ତି ପୃଥିଵୀର ପ୍ରାରମ୍ଭିକ ସମୟକାଳରେ ଜୀଵନ ଗଠନ ପାଇଁ ଆଵଶ୍ୟକ ଜୈଵିକ ଉପାଦାନ ଏଭଳି ନକ୍ଷତ୍ରୀୟ ଧୂଳିର ବାଦଲରୁ ପୃଥିଵୀପୃଷ୍ଠରେ ପହଞ୍ଚିଥିଲା । ହୁଏତ ଏହି ଉପାଦାନଗୁଡ଼ିକ
ପୃଥିଵୀରେ ଜୀଵନ ପ୍ରକ୍ରିୟା ଆରମ୍ଭ କରିଵାରେ ବି ସାହାଯ୍ୟ କରିଥିବେ । ଆଜି ବି ପ୍ରତିଵର୍ଷ ପୃଥିଵୀର ଵାୟୁମଣ୍ଡଳରେ ଏଭଳି ଚାଳିଶ ହଜାର ଟନ୍ ଅନ୍ତରୀକ୍ଷୀୟ ଧୂଳି ପ୍ରଵେଶ କରୁଛି। ପୃଥିଵୀର କୋରିଓଲିସ୍ ପ୍ରଭାବ ଯୋଗୁଁ ଏହି ଧୂଳି ଵାୟୁମଣ୍ଡଳରେ ଭଲ ଭାବରେ ଏକତ୍ରିତ ହୋଇଯାଏ ଏଵଂ ପ୍ରାୟତଃ ଏହି ସୌର ଧୂଳିର କିଛି ଅଂଶ ଆପଣଙ୍କର ଘରେ ପ୍ରଵେଶ କରି ଆପଣଙ୍କ ଘରର ଧୂଳିର ଅଂଶ ପାଲଟିଯାଏ ।
ନିଜ ଘରର ଧୂଳିକୁ ହାତପାପୁଲିରେ ଉଠାନ୍ତୁ ଏଵଂ ଏହି ଧୂଳିକୁ ଧ୍ୟାନ ଦେଇ ଦେଖନ୍ତୁ।
ଏହି ଧୂଳିରେ ପୃଥିଵୀଲୋକ ମଧ୍ୟ ଅଛି, ଏଵଂ ଦ୍ୟୁଲୋକ ମଧ୍ୟ ...
ଏଥିରେ ଦୈନନ୍ଦିନ ଜୀଵନର ମଧ୍ୟ ଅଂଶ ରହିଛି ଏଵଂ ସାର୍ବଜନୀନ ଜୀଵନ ମଧ୍ୟ...
ଏହି ଧୂଳିରେ ଜୀଵନ ମଧ୍ୟ ଅଛି ଏଵଂ ଜୈଵିକ ମୃତାଂଶ ମଧ୍ୟ...
ସୂକ୍ଷ୍ମଠାରୁ ଆରମ୍ଭ କରି ଵିରାଟ ବ୍ରହ୍ମାଣ୍ଡ ପର୍ଯ୍ୟନ୍ତ ସମସ୍ତଙ୍କର ଅଵଶେଷ ଏହି ଧୂଳି ରୂପରେ ଆପଣଙ୍କ ମୁଠିରେ ବନ୍ଦ ହୋଇ ରହିଛି। ଧୂଳିରୁ ଆରମ୍ଭ ହୋଇଥିଵା ଜୀଵନ ଦିନେ ଧୂଳିରେ ହିଁ ମିଶିଯିବ।
ଜୀଵନ ଆଉ କିଛି ନୁହେଁ, କେଵଳ ଧୂଳିରୁ ଧୂଳି ହେଵାର ଏକ ଚକ୍ର ଏଵଂ ଏହାକୁ ହିଁ କୁହାଯାଏ DUST TO DUST । ଧୂଳିରୁ ସୃଷ୍ଟି ଏଵଂ ଶେଷରେ ଧୂଳିରେ ହିଁ ଵିଲୟ ନିଶ୍ଚିତ ।
ଏହି ଚିନ୍ତାଧାରା କେଵଳ ମୃତ୍ୟୁର ଵାର୍ତ୍ତା ଵହନ କରେନାହିଁ ଵରଂ ଜୀଵନର ସମଗ୍ର ସ୍ୱରୂପ, ସୃଷ୍ଟିର ନିୟମ ଏଵଂ ବ୍ରହ୍ମାଣ୍ଡ ସହ ଆମର ଗଭୀର ସମ୍ପର୍କକୁ ବୁଝାଏ।
ଆମ ରକ୍ତରେ ଥିଵା ଲୌହ, ଆମ ହାଡ଼ରେ ଥିବା କ୍ୟାଲସିୟମ୍ ଏଵଂ ଆମ ପ୍ରଶ୍ୱାସରେ ଗ୍ରହଣ କରାଉଥିଵା ଅମ୍ଳଜାନ ଆଦି ସମସ୍ତ ଉପାଦାନ କୋଟି କୋଟି ଵର୍ଷ ପୂର୍ଵେ ମହାକାଶରେ ଵିସ୍ଫୋରିତ ହୋଇଥିଵା ପ୍ରାଚୀନ ନକ୍ଷତ୍ରର Supernovaରୁ ଜାତ ପାଉଁଶ ଵା ଧୂଳିରୁ ସୃଷ୍ଟି। ସେଥିପାଇଁ ପ୍ରଖ୍ୟାତ ଜ୍ୟୋତିର୍ଵିଜ୍ଞାନୀ କାର୍ଲ ସାଗାନ୍ କହିଥିଲେ:
"We are made of star-stuff."
(ଆମେ ସମସ୍ତେ ମହାକାଶର ନକ୍ଷତ୍ରୀୟ ଧୂଳିରେ ଗଢ଼ା।)
ଅର୍ଥାତ୍, ଆମର ପ୍ରଥମ ଅସ୍ତିତ୍ୱ ଏହି ପୃଥିଵୀରେ ନୁହେଁ ଵରଂ କୋଟି କୋଟି ଵର୍ଷ ପୂର୍ଵେ ବ୍ରହ୍ମାଣ୍ଡର ଗଭୀରତାରେ ସୃଷ୍ଟି ହୋଇଥିଲା। ଆମେ ଯାହାକୁ ଆମର 'ଶରୀର' ବୋଲି ଭାବୁଛୁ, ତାହା ପ୍ରକୃତରେ ଏକାଠି ହୋଇଥିଵା ମହାଜାଗତିକ ଧୂଳିର ଏକ ସୁନ୍ଦର ରୂପ ମାତ୍ର। ଆମେ ଜୀଵିତ ଥିଵା ସମୟରେ ମଧ୍ୟ ପ୍ରତିମୁହୂର୍ତ୍ତରେ ନିଜ ଶରୀରର ମୃତ କୋଷଗୁଡ଼ିକୁ ଧୂଳି ରୂପରେ ପରିଵେଶକୁ ଫେରାଇ ଦେଉଛେ। ଆମେ ଶ୍ୱାସ ନେଵା, ଚାଲିଵା ଓ ଜୀଵନ ଜୀଇଁଵା ସମୟରେ ନିଜ ଅଜାଣତରେ ନିଜକୁ ଧୂଳିରେ ପରିଣତ କରୁଛେ। ପୁଣି ଜୀଵନର ଶେଷରେ, ଯେତେବେଳେ ଚେତନା ଶରୀର ଛାଡ଼ିଦିଏ, ଏହି ପଞ୍ଚଭୂତରେ ଗଢ଼ା ଶରୀର ପୁଣି ମାଟି,ଵାୟୁ ଓ ଧୂଳିରେ ମିଶିଯାଏ। ଏହି ଧୂଳି ପୁଣି ଗଛଲତା ପାଇଁ ପୋଷକ ତତ୍ତ୍ୱ ସାଜେ। ସେହି ଗଛରୁ ଫଳ ଓ ଶସ୍ୟ ସୃଷ୍ଟି ହୁଏ।
ତାହାକୁ ଖାଇ ଅନ୍ୟ ଏକ ନୂତନ ଜୀବ ଜନ୍ମ ନିଏ। ତେଣୁ, 'DUST TO DUST' କୌଣସି ଅନ୍ତ ନୁହେଁ; ଏହା ହେଉଛି ଜୀଵନ ଓ ପ୍ରକୃତିର ଏକ ଅଵିରତ, ଚିରନ୍ତନ ପୁନଶ୍ଚକ୍ରୀକରଣ ।
ମାନଵ ସଭ୍ୟତା ନିଜର ଜ୍ଞାନ, ପ୍ରଯୁକ୍ତିଵିଦ୍ୟା, ରାଜ୍ୟ ଓ ସମ୍ପତ୍ତିକୁ ନେଇ ଯେତେ ଅହଂକାର କଲେ ବି, ବ୍ରହ୍ମାଣ୍ଡୀୟ ଦୃଷ୍ଟିକୋଣରୁ ଆମେ ସମସ୍ତେ ଏକା ଭଳି। ଜଣେ ରାଜା ହୁଅନ୍ତୁ ଵା ପ୍ରଜା, ଧନୀ ହୁଅନ୍ତୁ ବା ଦରିଦ୍ର—ଶେଷରେ ସମସ୍ତଙ୍କର ଭାଗ୍ୟ ସେହି ସମାନ ଧୂଳିରେ ପରିଣତ ହେଵା ହିଁ ଅଟେ । ଆମର ଜନ୍ମ, ଆମର ସଂଘର୍ଷ, ଆମର ପ୍ରେମ ଏଵଂ ଆମର ଶେଷ ପରିଣତି ସବୁକିଛି ଏହି ମହାଜାଗତିକ ଧୂଳିର ନୃତ୍ୟ ମାତ୍ର। ଏହି ସତ୍ୟକୁ ବୁଝିଵା ଦ୍ୱାରା ମଣିଷ ଭିତରୁ କୃତ୍ରିମ ଅହଂକାର ନଷ୍ଟ ହୋଇଯାଏ ଏଵଂ ଏକ ଗଭୀର ନମ୍ରତା ଜାଗ୍ରତ ହୁଏ।
"ଧୂଳି କେଵଳ ମଇଳା ଆଵର୍ଜନା ନୁହେଁ, ଏହା ସମଗ୍ର ବ୍ରହ୍ମାଣ୍ଡର ଜୀଵନ୍ତ ସ୍ମୃତିସୌଧ।"
'DUST TO DUST' ଆମକୁ ଏହି ଗୂଢ଼ ଦର୍ଶନ ଶିଖାଏ ଯେ, ଆମେ ଏହି ବ୍ରହ୍ମାଣ୍ଡଠାରୁ ଅଲଗା କେହି ନୁହେଁ; ଆମେ ନିଜେ ହିଁ ଏକ ଜୀଵନ୍ତ ବ୍ରହ୍ମାଣ୍ଡ। ଆପଣଙ୍କ ହାତପାପୁଲିରେ ଥିଵା ସାଧାରଣ ଧୂଳିରେ ଯେପରି କୋଟି କୋଟି ଆଲୋକଵର୍ଷ ଦୂରରୁ ଆସିଥିଵା ନକ୍ଷତ୍ରର ଅଂଶ ରହିଛି, ସେହିପରି ଆପଣଙ୍କ ନିଜ ଶରୀରର ଜୈଵିକ ଅଂଶ ମଧ୍ୟ ରହିଛି। ଏହା ପ୍ରମାଣ କରେ ଯେ କ୍ଷୁଦ୍ରତମ ଜୀଵ ଏଵଂ ଵିଶାଳତମ ବ୍ରହ୍ମାଣ୍ଡ ଗୋଟିଏ ସୂତ୍ରରେ ବନ୍ଧା।
ଜୀଵନ କେଵଳ ଧୂଳିରୁ ଗଢ଼ି ଉଠିଥିଵା ଏକ ଚେତନାର ତରଙ୍ଗ, ଯାହା କିଛି ସମୟ ପାଇଁ ନାଚିସାରିଵା ପରେ ପୁଣି ସେହି ଶାନ୍ତ ମହାଜାଗତିକ ସମୁଦ୍ରରେ ମିଶିଯାଏ। ଏହି ଚକ୍ରକୁ ସହଜ ଭାବେ ଗ୍ରହଣ କରିଵା ହିଁ ପ୍ରକୃତ ଜ୍ଞାନ—ଯାହା ଆମକୁ ଅହଂକାରମୁକ୍ତ କରିଵା ସହ, ଜୀଵନର ପ୍ରତିଟି ମୁହୂର୍ତ୍ତକୁ ଆଶ୍ଚର୍ଯ୍ୟ, ଶ୍ରଦ୍ଧା ଓ ଵିସ୍ମୟର ସହ ଦେଖିଵାକୁ ପ୍ରେରଣା ଦିଏ।
No comments:
Post a Comment