ଅଲିସ୍ର ସମୁଦ୍ର କୂଳ ଏବେ ଏକ ଵିଶାଳ ସୈନ୍ୟଛାଉଣୀରେ ପରିଣତ ହୋଇସାରିଥିଲା । ଗ୍ରୀକ୍ର କୋଣ ଅନୁକୋଣରୁ ଆସିଥିଵା ହଜାର ହଜାର ଯୁଦ୍ଧ ଜାହାଜ ଏଵଂ ଵୀର ସୈନ୍ୟମାନଙ୍କ କୋଳାହଳରେ ସେହି ଅଞ୍ଚଳ ପ୍ରକମ୍ପିତ ହେଉଥିଲା । ଓଡସିୟସ୍ ମଧ୍ୟ ନିଜର ଅନିଚ୍ଛା ସତ୍ତ୍ୱେ କର୍ତ୍ତଵ୍ୟର ଵାଧ୍ୟଵାଧକତାରେ ଆସି ସେଠାରେ ପହଞ୍ଚିଥିଲେ । ଵର୍ତ୍ତମାନ ଗ୍ରୀକ୍ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ ଟ୍ରୟ ଉପରେ ଆକ୍ରମଣ କରିଵା ପାଇଁ । ସମସ୍ତଙ୍କ ମନରେ ଥିଲା ଅପୂର୍ଵ ଉତ୍ସାହ ଏଵଂ ପ୍ରତିଶୋଧର ନିଆଁ । କିନ୍ତୁ ଵିଧାତାଙ୍କ ଵିଧାନ କିଛି ଭିନ୍ନ ଥିଲା । ଯେଉଁ ସମୟରେ ଜାହାଜଗୁଡ଼ିକ ସମୁଦ୍ର ଯାତ୍ରା ଆରମ୍ଭ କରିଵା କଥା, ଠିକ୍ ସେତିକିବେଳେ ସମୁଦ୍ର ସମ୍ପୂର୍ଣ୍ଣ ନିସ୍ତଵ୍ଧ ହୋଇଗଲା । ପଵନର ସାମାନ୍ୟତମ ପ୍ରଵାହ ମଧ୍ୟ ବନ୍ଦ ହୋଇଗଲା ।
ସମୁଦ୍ରର ନୀଳ ଲହରୀ ଯେପରି ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହିଗଲା । ଜାହାଜର ଵିଶାଳ ପାଲଗୁଡ଼ିକ ନିର୍ଜୀଵ ଭଳି ଓହଳି ରହିଲା । ଦିନ ପରେ ଦିନ ବିତିଗଲା, ସପ୍ତାହ ପରେ ସପ୍ତାହ ବିତିଗଲା, କିନ୍ତୁ ପଵନ ବହିଵାର କୌଣସି ଲକ୍ଷଣ ଦେଖାଗଲା ନାହିଁ । ଏତେ ବଡ଼ ଵିଶାଳ ସେନା ପାଇଁ ସମୁଦ୍ର କୂଳରେ ଅଧିକ ଦିନ ରହିଵା ସହଜ ନଥିଲା । ଧୀରେ ଧୀରେ ଖାଦ୍ୟ ଓ ପାନୀୟ ଜଳର ଅଭାଵ ଦେଖାଦେଵାକୁ ଲାଗିଲା । ସୈନ୍ୟମାନଙ୍କ ମଧ୍ୟରେ ଅସନ୍ତୋଷ, ମହାମାରୀ ଓ ଗୁଞ୍ଜରଣ ସୃଷ୍ଟି ହେଲା । ସେମାନେ ଭାବିଵାକୁ ଲାଗିଲେ ଯେ ଦେଵତାମାନେ ବୋଧହୁଏ ଏହି ଯୁଦ୍ଧ ସପକ୍ଷରେ ନାହାନ୍ତି ।
ଏହି ମହାସଙ୍କଟର କାରଣ ଓ ସମାଧାନ କ’ଣ, ତାହା ଜାଣିଵା ପାଇଁ ମହାରାଜ ଆଗାମେନନ୍ ଗ୍ରୀକ୍ ସେନାର ପ୍ରଧାନ ଗଣକ ତଥା ଦ୍ରଷ୍ଟା କାଲକାସ୍ଙ୍କୁ ଆହ୍ୱାନ କଲେ । କାଲକାସ୍ ନିଜର ଦୈଵୀ ଶକ୍ତି ବଳରେ ଧ୍ୟାନମଗ୍ନ ହୋଇ ଯାହା ଜାଣିପାରିଲେ, ତାହା ସମସ୍ତଙ୍କୁ ସ୍ତଵ୍ଧ କରିଦେଲା ।
କାଲକାସ୍ ଗମ୍ଭୀର ସ୍ୱରରେ କହିଲେ, "ମହାରାଜ, ଏହି ସଙ୍କଟ କୌଣସି ପ୍ରାକୃତିକ ଵିପର୍ଯ୍ୟୟ ନୁହେଁ ଵରଂ ଶିକାରର ଦେଵୀ ଆର୍ଟେମିସ୍ଙ୍କ କ୍ରୋଧର ପରିଣାମ । ଆପଣ କିଛି ଦିନ ପୂର୍ଵେ ଦେଵୀଙ୍କ ପଵିତ୍ର ଅରଣ୍ୟରେ ଏକ ମୃଗକୁ ଵଧ କରି ନିଜକୁ ଦେଵୀଙ୍କଠାରୁ ଶ୍ରେଷ୍ଠ ଶିକାରୀ ବୋଲି ଅହଂକାର କରିଥିଲେ । ଦେଵୀଙ୍କ କ୍ରୋଧକୁ ଶାନ୍ତ ନକଲେ ଏହି ପଵନ କେବେ ବି ବହିଵ ନାହିଁ କି ଗ୍ରୀକ୍ ଜାହାଜ ଟ୍ରୟ ଅଭିମୁଖେ ଯାତ୍ରା କରିପାରିଵ ନାହିଁ ।"
ଆଗାମେନନ୍ ଵ୍ୟାକୁଳ ହୋଇ ପଚାରିଲେ, "ହେ ମହର୍ଷି, ଦେଵୀଙ୍କୁ ସନ୍ତୁଷ୍ଟ କରିଵାର ଉପାୟ କ’ଣ? ଗ୍ରୀସର ଗୌରଵ ରକ୍ଷା ପାଇଁ ମୁଁ ଯେକୌଣସି ପ୍ରାୟଶ୍ଚିତ କରିଵାକୁ ପ୍ରସ୍ତୁତ ।"
କାଲକାସ୍ କିଛି ସମୟ ନୀରଵ ରହି କହିଲେ, "ଏହାର ମୂଲ୍ୟ ଅତ୍ୟନ୍ତ ଭୟଙ୍କର, ମହାରାଜ । ଦେଵୀ ଆର୍ଟେମିସ୍ ଆପଣଙ୍କର ସବୁଠାରୁ ପ୍ରିୟ ତଥା ଜ୍ୟେଷ୍ଠା କନ୍ୟା ଇଫିଜେନିଆଙ୍କର ଵଳି ଚାହୁଁଛନ୍ତି । ତାଙ୍କ ରକ୍ତରେ ଵେଦୀ ରଞ୍ଜିତ ହେଲେ ହିଁ ସମୁଦ୍ର ପ୍ରସନ୍ନ ହେଵ ଏଵଂ ଅନୁକୂଳ ପଵନ ବହିଵ ।"
ଏହା ଶୁଣି ଆଗାମେନନ୍ଙ୍କ ପାଦତଳୁ ମାଟି ଖସିଗଲା । ଜଣେ ଶକ୍ତିଶାଳୀ ରାଜା ହେଲେ ମଧ୍ୟ ସେ ପ୍ରଥମେ ଜଣେ ପିତା ଥିଲେ । ନିଜ ପ୍ରାଣପ୍ରିୟା କନ୍ୟାକୁ ନିଜ ହାତରେ ମୃତ୍ୟୁମୁଖକୁ ଠେଲିଦେଵା କଥା ସେ ଚିନ୍ତା ସୁଦ୍ଧା କରିପାରୁନଥିଲେ । ସେ କ୍ରୋଧ ଓ ଦୁଃଖରେ ଭାଙ୍ଗିପଡ଼ି କହିଲେ, "ମୁଁ ଏହି ମହାସମର ଚାହେଁନାହିଁ । ମୋ କନ୍ୟାର ଜୀଵନ ବଦଳରେ ମତେ ଵିଶ୍ୱଵିଜୟର ସୁଖ ମଧ୍ୟ ଦରକାର ନାହିଁ । ଆମେ ସମସ୍ତେ ନିଜ ନିଜ ରାଜ୍ୟକୁ ଫେରିଯିଵା ।"
କିନ୍ତୁ ମେନେଲସ୍ ଏଵଂ ଚତୁର ଓଡସିୟସ୍ ତାଙ୍କୁ ବୁଝାଇଵାକୁ ଲାଗିଲେ । ସେମାନେ ଆଗାମେନନ୍ଙ୍କୁ ମନେ ପକାଇ ଦେଲେ ଯେ, ଯଦି ଏହି ଵିଶାଳ ଗ୍ରୀକ୍ ସେନା ଏଭଳି ଅପମାନିତ ହେଵା ପରେ ଯୁଦ୍ଧ ନକରି ଫେରିଯାଏ, ତେବେ ସାରା ପୃଥିଵୀରେ ଗ୍ରୀକ୍ ଵୀରମାନଙ୍କର କୌଣସି ସମ୍ମାନ ରହିଵ ନାହିଁ । ଟ୍ରୟର ଲୋକମାନେ ସେମାନଙ୍କ କାପୁରୁଷତାକୁ ନେଇ ଉପହାସ କରିବେ । ଗ୍ରୀସର ଗୌରଵ ଓ ସମ୍ମାନ ରକ୍ଷା ପାଇଁ ଏହି ତ୍ୟାଗ ଅପରିହାର୍ଯ୍ୟ । ସୈନ୍ୟମାନେ ମଧ୍ୟ ଵଳିଦାନ ଵିଷୟରେ ଜାଣିଵା ପରେ ଵିଦ୍ରୋହ କରିଵାକୁ ପ୍ରସ୍ତୁତ ହେଉଥିଲେ ।
ଶେଷରେ, ରାଜକୀୟ ଅହଂକାର, ସେନାର ଚାପ ଏଵଂ କର୍ତ୍ତଵ୍ୟର ଦ୍ୱାହି ଆଗରେ ଜଣେ ପିତୃହୃଦୟ ପରାଜିତ ହେଲା । ଆଗାମେନନ୍ ଅତ୍ୟନ୍ତ ଭାରି ଅନ୍ତଃକରଣରେ ଏହି ଵଳିଦାନ ପାଇଁ ସମ୍ମତି ଦେଲେ । କିନ୍ତୁ କନ୍ୟା ଇଫିଜେନିଆଙ୍କୁ ସେଠାକୁ ଆଣିଵା ପାଇଁ ଏକ କପଟ ଯୋଜନା ପ୍ରସ୍ତୁତ କରାଗଲା, ଯେଉଁଥିରେ ଚତୁର ଓଡସିୟସ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଆଗାମେନନ୍ ନିଜ ପତ୍ନୀ କ୍ଲାଇଟେମନେଷ୍ଟ୍ରାଙ୍କ ପାଖକୁ ଏକ ଗୁପ୍ତ ସନ୍ଦେଶ ପଠାଇଲେ । ସେଥିରେ ଲେଖାଥିଲା ଯେ, ଗ୍ରୀସର ସବୁଠାରୁ ମହାନ ଵୀର ତଥା ଦେଵୀପୁତ୍ର ଆଚିଲେସ୍ଙ୍କ ସହ ରାଜକୁମାରୀ ଇଫିଜେନିଆଙ୍କର ଵିଵାହ ସ୍ଥିର ହୋଇଛି । ଯୁଦ୍ଧକୁ ଯିଵା ପୂର୍ଵରୁ ଆଚିଲେସ୍ ଏହି ଶୁଭକାର୍ଯ୍ୟ ସମ୍ପନ୍ନ କରିଵାକୁ ଚାହୁଁଛନ୍ତି, ତେଣୁ ଵିଵାହ ଉତ୍ସଵ ପାଇଁ ତୁରନ୍ତ ଇଫିଜେନିଆଙ୍କୁ ଅଲିସ୍ ସମୁଦ୍ର କୂଳକୁ ପଠାଇ ଦିଆଯାଉ ।
ମହାନ ଵୀର ଆଚିଲେସ୍ ଏହି ସମଗ୍ର ଛଳନା ଵିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ । ସେପଟେ ମାଇସେନ୍ ରାଜପ୍ରାସାଦରେ ଏହି ସନ୍ଦେଶ ପହଞ୍ଚିଵା ମାତ୍ରେ ଆନନ୍ଦର ଲହରୀ ଖେଳିଗଲା । ମା’ କ୍ଲାଇଟେମନେଷ୍ଟ୍ରା ନିଜର ସୁନ୍ଦରୀ କନ୍ୟାକୁ ଵଧୂ ଵେଶରେ ସଜାଇଲେ । ମନରେ ଅନେକ ଆଶା ଓ ସ୍ୱପ୍ନ ନେଇ ଇଫିଜେନିଆ ନିଜ ମା’ଙ୍କ ସହିତ ଅଲିସ୍ ଅଭିମୁଖେ ଯାତ୍ରା କଲେ ।
ଯେତେବେଳେ ରାଜକୁମାରୀଙ୍କ ରଥ ଅଲିସ୍ର ସୈନ୍ୟଛାଉଣୀରେ ପହଞ୍ଚିଲା, ସେତେବେଳେ ସେଠାକାର ଦୃଶ୍ୟ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । ସେଠାରେ କୌଣସି ଉତ୍ସଵର ପରିଵେଶ ନଥିଲା ଵରଂ ଚାରିଆଡ଼େ ଏକ ଶ୍ମଶାନ ସଦୃଶ ନୀରଵତା ଖେଳିଯାଇଥିଲା । ସୈନ୍ୟମାନଙ୍କ ଆଖିରେ ଲୁହ ଛଳଛଳ ହୋଇଗଲା, କାରଣ ସେମାନେ ଜାଣିଥିଲେ ଯେ ଏହି ନିଷ୍ପାପ କନ୍ୟା ଵିଵାହ ଵେଦୀକୁ ନୁହେଁ ଵରଂ ମୃତ୍ୟୁ ମଞ୍ଚକୁ ଆସିଛି ।
ଠିକ୍ ସେହି ସମୟରେ ଆଚିଲେସ୍ଙ୍କୁ ଯେତେବେଳେ ଏହି ଷଡ଼ଯନ୍ତ୍ର ଵିଷୟରେ ଜାଣିଵାକୁ ମିଳିଲା ସେ କ୍ରୋଧରେ ଗର୍ଜନ କରିଉଠିଲେ । ତାଙ୍କ ଭଳି ଜଣେ ମହାନ ଯୋଦ୍ଧାର ନାମକୁ ଵ୍ୟଵହାର କରି ଏଭଳି ଜଘନ୍ୟ ମିଛ କୁହାଯାଇଥିଵାରୁ ସେ ନିଜକୁ ଅପମାନିତ ମନେକଲେ ।
ସେ ଆଗାମେନନ୍ଙ୍କ ସାମ୍ନାକୁ ଯାଇ ନିଜର ଅସି ଉତ୍ତୋଳନ କରି କହିଲେ, "ମହାରାଜ, ଆପଣଙ୍କର ଏହି ନୀଚ ପ୍ରତାରଣା ପାଇଁ ମୁଁ ଆପଣଙ୍କୁ କେଵେ କ୍ଷମା କରିବି ନାହିଁ । ମୁଁ ଜୀଵିତ ଥିଵା ପର୍ଯ୍ୟନ୍ତ ଏହି ନିରୀହ କନ୍ୟାର ରକ୍ତପାତ ହେଵାକୁ ଦେବିନାହିଁ । ଯଦି କାହାର ସାହସ ଅଛି, ତେଵେ ମୋ ସହ ଯୁଦ୍ଧ କରି ରାଜକୁମାରୀଙ୍କୁ ସ୍ପର୍ଶ କରୁ ।"
ଆଚିଲେସ୍ଙ୍କ କ୍ରୋଧ ଦେଖି ସେଠାରେ ଉପସ୍ଥିତ ସମସ୍ତ ରାଜା ଭୟଭୀତ ହୋଇଗଲେ । କିନ୍ତୁ ପରିସ୍ଥିତି ଅତ୍ୟନ୍ତ ଜଟିଳ ଥିଲା । ସମଗ୍ର ଗ୍ରୀକ୍ ସେନା ଯୁଦ୍ଧ ପାଇଁ ଉନ୍ମୁକ୍ତ ଥିଲେ ଏଵଂ ସେମାନେ ଵିଜୟ ପାଇଁ ଯେକୌଣସି ମୂଲ୍ୟ ଦେଵାକୁ ପ୍ରସ୍ତୁତ ଥିଲେ ।
ଏହି ରକ୍ତପାତ ଏଵଂ ଉତ୍ତେଜନା ମଧ୍ୟରେ ରାଜକୁମାରୀ ଇଫିଜେନିଆଙ୍କ ଭିତରେ ଏକ ଅଦ୍ଭୁତ ପରିଵର୍ତ୍ତନ ଦେଖାଦେଲା । ସେ ନିଜ ପିତାଙ୍କ ଆଖିର ଲୁହ, ମା’ଙ୍କର ଵିକଳ ଚିତ୍କାର ଏଵଂ ସମଗ୍ର ଗ୍ରୀସ୍ର ସମ୍ମାନକୁ ବୁଝିପାରିଲେ । ସେ ନିଜେ ଆଗକୁ ଆସି ମହାନ ଵୀର ଆଚିଲେସ୍ଙ୍କୁ ଶାନ୍ତ କରି କହିଲେ, "ହେ ମହାନ ଵୀର, ଆପଣ ମୋ ପାଇଁ ନିଜ ଦେଶର ସେନା ଵିରୁଦ୍ଧରେ ଅସି ଚାଳନା କରନ୍ତୁ ନାହିଁ । ଯଦି ମୋର ଗୋଟିଏ ଜୀଵନ ବଦଳରେ ହଜାର ହଜାର ଗ୍ରୀକ୍ ଵୀରଙ୍କ ସମ୍ମାନ ରକ୍ଷା ହୋଇପାରିଵ ଏଵଂ ଟ୍ରୟ ଵିଜୟ ସମ୍ଭଵ ହେଵ, ତେଵେ ମୁଁ ହସି ହସି ନିଜକୁ ଦେଵୀଙ୍କ ଚରଣରେ ସମର୍ପଣ କରିଵାକୁ ପ୍ରସ୍ତୁତ । ମୋର ମୃତ୍ୟୁ ଗ୍ରୀସର ଵିଜୟର କାରଣ ହେଉ ।"
ଇଫିଜେନିଆଙ୍କର ଏହି ଅଦ୍ଭୁତ ଦେଶପ୍ରେମ ଏଵଂ ଅପୂର୍ଵ ସାହସ ଦେଖି ସେଠାରେ ଉପସ୍ଥିତ ପ୍ରତ୍ୟେକ ଯୋଦ୍ଧାଙ୍କ ମସ୍ତକ ଶ୍ରଦ୍ଧାରେ ଅଵନତ ହୋଇଗଲା । ଆଚିଲେସ୍ ମଧ୍ୟ କ୍ଷୋଭର ସହ ନିଜର ଅସି ଆଵଦ୍ଧ କଲେ ।
ଶେଷରେ ସେହି କରୁଣ ତଥା ଭୟଙ୍କର ମୁହୂର୍ତ୍ତ ଉପନୀତ ହେଲା । ଇଫିଜେନିଆଙ୍କୁ ଦେଵୀ ଆର୍ଟେମିସ୍ଙ୍କ ଵଳିଵେଦୀ ଉପରେ ଛିଡ଼ା କରାଗଲା । ପ୍ରଧାନ ଗଣକ କାଲକାସ୍ ହାତରେ ଏକ ତୀକ୍ଷ୍ଣ ଛୁରୀ ଧରି ମନ୍ତ୍ରପାଠ କରିଵାକୁ ଲାଗିଲେ । ସମଗ୍ର ପରିଵେଶ ନୀରଵ ଓ ଗମ୍ଭୀର ହୋଇଗଲା । ଆଗାମେନନ୍ ନିଜ କନ୍ୟାର ମୃତ୍ୟୁ ଦେଖିଵାକୁ ଅସମର୍ଥ ହୋଇ ନିଜ ଵସ୍ତ୍ରରେ ଆଖି ଵନ୍ଦ କରିଦେଲେ ।
ଯେମିତି ହିଁ କାଲକାସ୍ ଛୁରୀଟିକୁ ଉଠାଇ ଇଫିଜେନିଆଙ୍କ ବେକରେ ଆଘାତ କରିଵାକୁ ଗଲେ, ସେତିକିବେଳେ ସେଠାରେ ଏକ ଅଲୌକିକ ଚମତ୍କାର ଘଟିଲା । ଆକାଶରୁ ଏକ ଦୈଵୀ ଆଲୋକ ଆସି ସମଗ୍ର ଵେଦୀକୁ ଆଲୋକିତ କରିଦେଲା ଏଵଂ କିଛି ସମୟ ପାଇଁ ସମସ୍ତଙ୍କ ଆଖି ଝଲସିଗଲା ।
ଯେତେବେଳେ ସେହି ଦୈଵୀ ଆଲୋକ ଧୀରେ ଧୀରେ ଦୂର ହେଲା, ସମସ୍ତେ ଦେଖିଲେ ଯେ ଵେଦୀ ଉପରେ ରାଜକୁମାରୀ ଇଫିଜେନିଆ ନାହାନ୍ତି, ଵରଂ ତାଙ୍କ ସ୍ଥାନରେ ଏକ ସୁନ୍ଦର ମୃଗ (ହରିଣ) ରକ୍ତାକ୍ତ ଅଵସ୍ଥାରେ ପଡ଼ିରହିଛି । ପ୍ରକୃତରେ, ଦେଵୀ ଆର୍ଟେମିସ୍ ରାଜକୁମାରୀଙ୍କ ସାହସ ଓ ତ୍ୟାଗରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ତାଙ୍କୁ ଆକାଶ ମାର୍ଗରେ ନିଜ ସହିତ ଟରିସ୍ (Tauris) ଦେଶକୁ ନେଇଯାଇଥିଲେ ଏଵଂ ସେଠାରେ ତାଙ୍କୁ ନିଜ ମନ୍ଦିରର ପ୍ରଧାନ ପୂଜାରିଣୀ କରିଦେଇଥିଲେ ।
ଏହି ଦୈଵୀ ଚମତ୍କାର ପରେ ତୁରନ୍ତ ସମୁଦ୍ରରେ ଏକ ଶକ୍ତିଶାଳୀ ଏଵଂ ଅନୁକୂଳ ପଵନ ବହିଵାକୁ ଲାଗିଲା । ସ୍ତଵ୍ଧ ହୋଇ ରହିଥିଵା ହଜାର ହଜାର ଜାହାଜଗୁଡ଼ିକର ପାଲ ପଵନରେ ଫୁଲି ଉଠିଲା । ସମଗ୍ର ଗ୍ରୀକ୍ ସେନା ଆନନ୍ଦରେ ହରିବୋଲ ଓ ଜୟଧ୍ୱନି କରିଉଠିଲେ । ଆଗାମେନନ୍ ନିଜ କନ୍ୟାକୁ ହରାଇ ମଧ୍ୟ ଦେଵୀଙ୍କ କୃପାରୁ ତା’ର ଜୀଵନ ରକ୍ଷା ହୋଇଥିଵାରୁ ଭଗଵାନଙ୍କୁ କୃତଜ୍ଞତା ଜଣାଇଲେ ।
ଵର୍ତ୍ତମାନ ସମୟ ଆସିଯାଇଥିଲା । ସହସ୍ରାଧିକ ବୋଇତ ସମୁଦ୍ରର ବୁକୁ ଚିରି ଟ୍ରୟ ଅଭିମୁଖେ ଅଗ୍ରସର ହେଲା । ଗ୍ରୀସର ସବୁଠାରୁ ବଡ଼ ସାମରିକ ଅଭିଯାନ ଆରମ୍ଭ ହୋଇସାରିଥିଲା, ଯାହା ଇତିହାସରେ 'ଟ୍ରୟ ଯୁଦ୍ଧ' ନାମରେ ଅମର ହେଵାକୁ ଯାଉଥିଲା । କିନ୍ତୁ ଏହି ଯାତ୍ରା ସହଜ ନଥିଲା, ସମୁଦ୍ର ପଥରେ ସେମାନଙ୍କୁ ଆହୁରି ଅନେକ ଅଜ୍ଞାତ ଵିପଦର ସାମ୍ନା କରିଵାକୁ ଥିଲା ।
ଜାହାଜଗୁଡ଼ିକ ଆଗକୁ ବଢ଼ିଵା ସହିତ ଵୀରମାନଙ୍କ ମନରେ ଉତ୍ସାହ ଓ ଆଶଙ୍କା ଉଭୟ ଭାଵ ଜାତ ହେଉଥିଲା । ଚତୁର ଓଡସିୟସ୍ ଏଵଂ ମହାନ ଵୀର ଆଚିଲେସ୍ ଜାଣିଥିଲେ ଯେ, ଟ୍ରୟର ପ୍ରାଚୀର ଏତେ ସହଜରେ ଭାଙ୍ଗିଵା ସମ୍ଭଵ ନୁହେଁ । ସେଠାରେ ଟ୍ରୟର ମହାନ ଯୋଦ୍ଧା ତଥା ରାଜକୁମାର ହେକ୍ଟର ସେମାନଙ୍କ ପ୍ରତିରୋଧ ପାଇଁ ନିଜ ସେନା ସହ ପ୍ରସ୍ତୁତ ହୋଇ ରହିଛନ୍ତି । ଟ୍ରୟ ମାଟିରେ ଗ୍ରୀକ୍ ସେନାର ପ୍ରଥମ ପଦାର୍ପଣ କେମିତି ହେଵ, ତାହା ହିଁ ଥିଲା ସବୁଠାରୁ ବଡ଼ ପ୍ରଶ୍ନ ।
କ୍ରମଶଃ...
No comments:
Post a Comment