My Blog List

Showing posts with label ପରିଚୟ. Show all posts
Showing posts with label ପରିଚୟ. Show all posts

Friday, April 22, 2022

କେଵଳ କ୍ଷୀରି ଓ ପିଠା ନୁହେଁ; ଆମ ଲୁପ୍ତ ପରମ୍ପରାର ଅନ୍ୟନାମ କ୍ଷୀରିପିଠା


କ୍ଷିରୀ ଓ ପିଠା ଏହି ଦୁଇଟି ଖାଦ୍ୟ ଦରଵ ଓଡ଼ିଆ ଜାତିର ଅତି ପ୍ରିୟ । ଏମିତି କେହି ଓଡ଼ିଆ ନଥିଵ ଯିଏ କ୍ଷିରୀ ଆଉ ପିଠା ଖାଇଵାକୁ ଅମଙ୍ଗ କରିଵ । ସେଥିପାଇଁ ପ୍ରାଚୀନ ଓଡ଼ିଆ ସାହିତ୍ୟରେ କ୍ଷିରୀ ଓ ପିଠାର ଅନେକ ସ୍ଥାନରେ ଉଲ୍ଲେଖ ଥିଵା ଦୃଶ୍ୟ ହୋଇଥାଏ ।

ଏଇ ଯେମିତି କଵି ସାରଳା ଦାସ ତାଙ୍କର ସାରଳା ମହାଭାରତରେ ଲେଖିଛନ୍ତି...

“ସଂକୋଚେଣ ମୁଣୋହି ଛାଡି଼ ଉଠିଲେ ବେଗ ହୋଇ
ଵୃଷଭ ଗୁଆଣିରେ ଲୁଚାଇଲେ ନେଇ ॥

ପିଠା ଖିରି ଶାକର ପୂରୋଇଲେ କାଞ୍ଚୋଲାରେ ଆଞ୍ଚୋବନ ସାରି ଦେଵୀ ହୋଇଲେ ବାହାରେ ॥”

ସେହିପରି ଵଳରାମ ଦାସ ତାଙ୍କ  ଜଗମୋହନ ରାମାୟଣରେ କ୍ଷିରୀ ଓ ପିଠା ସହ ଅନ୍ୟ ଅନେକ ଓଡ଼ିଆ ମିଠା ତଥା ପିଠାର ନାଆଁ ଏମନ୍ତ ଲେଖିଦେଇ ଯାଇଛନ୍ତି...

“କ୍ଷୀରି କ୍ଷୀରିଷା ଶାକର ପରସନ୍ତି ଆଣି । ଏମନ୍ତେ ଅନେକ ଦ୍ରଵ୍ୟ କେ ପାରେ ବଖାଣି ॥
ନାଡୀ ସରପୁଳି ଯେ ଆରିଷା ଛେନାପୁରି । କାକରା ଛେନା ଲଡୁ ଯେ ମାଲପୁଆ ପୁରି ॥
ସଜମର ଘିଅ ଆଣି ଦ୍ୟନ୍ତି ବଢ଼ା ବଢ଼ା । ଗଜା କଚୁରି ପଣସ ଖୋସା ବିରିବରା ॥
କୋରା ରସଗୋଲା ଯେ ଅମୃତ ରସାବଳୀ । ମଣ୍ତା ନାନମାନ ଅମୃତପାଣି କଦଳୀ ॥
ଝୁମ୍ପା ଝରିରେ ଭରି ନାନାତିର୍ଥ-ଜଳ । ତହିରେ ଦେଇ ସୁଵାସ ଦ୍ରଵ୍ୟ ଯେ ସକଳ ॥
ପଣସିଆ ମଣ୍ଡା ଯେ ଲଵଣୀ ପାଣି ପଣା । କେ ଘୃତରେ ଭଜା କେହି ଘୃତରେ ଯେ ଛଣା ॥
ଫେଣା ଖୁଡୁମୁଆଁ ସର ନାନାଵର୍ନେ ପିଠା । ଖାଇ ଖାଇ ଲୋକଙ୍କୁ ଯେ ମାଡିଲାକ ଚିଟା ॥”

ହେଲେ କ୍ଷିରିପିଠା ,କ୍ଷିରୀପୁଳି ତଥା କ୍ଷିରିପୂରି  ଶବ୍ଦ ତିନୋଟି ହଠାତ୍ ଶୁଣିଲେ ଵର୍ତ୍ତମାନ ଓଡ଼ିଶାର  ଅନେକ ଯୁଵକ ଯୁଵତୀ ଭାବିବେ କ୍ଷିରୀ ଓ ପିଠା ତଥା କ୍ଷିରୀ ସହ ପୁଳି ଵା ପୂରି ।

କିନ୍ତୁ କ୍ଷିରିପିଠା ,କ୍ଷିରୀପୁଳି ତଥା କ୍ଷିରିପୂରି ଏହି ତିନୋଟି ଓଡ଼ିଶାର ସଂସ୍କୃତି ସହିତ ଜଡ଼ିତ ସାଂସ୍କୃତିକ ଶବ୍ଦ ବୋଲି ଅନେକେ ଓଡ଼ିଆ ଅଧୁନା ଜାଣିନାହାନ୍ତି ।

ଆମ ସଂସ୍କୃତିର ଅନେକ ଲୁପ୍ତ ପର୍ଵ-ପରମ୍ପରାର ଉଲ୍ଲେଖ ଆମେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପାଇଥାଉ ।ଭାଷାକୋଷରେ କ୍ଷିରୀପିଠା ଓ କ୍ଷିରୀପୁଳି ଦ୍ଵୟର ଅର୍ଥକୁ ପାଠକଲେ ଆମେ ଜାଣିପାରିଵା ଯେ ଗତ ୧୦୦ ଵର୍ଷ ମଧ୍ୟରେ ଆମ ଓଡ଼ିଶାର ପରମ୍ପରାରେ କେମିତି ଏକ ବଡ଼ ପରିଵର୍ତ୍ତନ ହୋଇଯାଇଛି ।

କ୍ଷିରୀପିଠାର ଅର୍ଥ କେଵଳ କ୍ଷିରୀ ଆଉ ପିଠା ନୁହେଁ ବୋଲି ଆମେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ହିଁ ଜାଣିପାରିଵା ।

ଶହେ ବର୍ଷ ତଳର ଓଡ଼ିଶାରେ ଗୃହସ୍ଥର ଜାତିଭୋଜନରେ ଭାତ ଡ଼ାଲି ଇତ୍ୟାଦି ଖାଇ ସାରିଵା ସଙ୍ଗେ ସଙ୍ଗେ ଦୁଧରେ ଆଉଟା ହୋଇ ସିଦ୍ଧ ହୋଇଥିଵା ଚାଉଳଚୂନା ଵା କ୍ଷିରି ଓ ଗୁଡ଼ରେ ତିଆରି ହୋଇଥିଵା ଘୃତପକ୍ବ ମିଷ୍ଟାନ୍ନ ଵା ପିଠା ଦିଆଯାଉଥିଲା । ସେଥିପାଇଁ ତାକୁ କ୍ଷିରୀପିଠା କୁହାଯାଉଥିଲା । ଵିଵାହାଦି ଶୁଭାନୁଷ୍ଠାନମାନଙ୍କରେ ନିମନ୍ତ୍ରିତ ଵ୍ୟକ୍ତିମାନଙ୍କୁ ଦିଆ ୟିବା ଭୋଜନକୁ ଏହି କାରଣରୁ କ୍ଷିରୀପିଠା କୁହାଯାଉଥିଲା ।

ଶୁଣିଲେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଆଜକୁ ପ୍ରାୟ ପଚାଶ ଶହେ ଵର୍ଷେ ତଳେ "କ୍ଷିରୀପିଠା" ଶବ୍ଦଟି  “ଭୋଜି” ଶବ୍ଦର ଏକ ପର୍ଯ୍ୟାୟଵାଚୀ ଶବ୍ଦ ଥିଲା ।

ଆଗକାଳର ଓଡ଼ିଆ ଭୋଜିରେ କ୍ଷିରି ଓ ପିଠା ପ୍ରଧାନ ଉଲ୍ଲେଖ ଯୋଗ୍ୟ ଉପକରଣ ଥିଵାରୁ ଆମ ଓଡ଼ିଶାରେ ଭୋଜିକୁ କ୍ଷିରୀପିଠା କୁହାଯାଉଥିଲା । ଯେକୌଣସି ପାରିଵାରିକ ମଙ୍ଗୋଳତ୍ସଵରେ କ୍ଷିରୀପିଠା ହେଉଥିଵାରୁ କୌଣସି ବି ମଙ୍ଗଳୋତ୍ସଵକୁ କ୍ଷିରୀପିଠା ବୋଲି ସ୍ଥଳଵିଶେଷରେ ଉଲ୍ଲେଖ କରାଯାଉଥିଲା ।

ବାହାଘରକୁ ଯିଵାକୁ ଵିଶେଷତଃ ଭୋଜି ଖାଇଵାକୁ ଯିଵା ପାଇଁ ଆଗେ ଓଡ଼ିଶାରେ ଘରେ ଘରେ ଡକା ଯାଉଥିଲା "ଆସ କ୍ଷୀରିପିଠା ଖାଇଵାକୁ ଯିଵ ହୋ”

ଏହି ଧରଣର ଅନ୍ୟ ଏକ ଶବ୍ଦ  କ୍ଷିରିପୁଳି ଅଟଇ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏ ଶବ୍ଦ ସ୍ଥାନିତ ହୋଇଛି ।  କ୍ଷିରି ଓ ବିରି ମିଶା ଚାଉଳବଟାରେ ତିଆରି ହେଇଥିବା ମିଠା ଦିଆଯାଇ ନଥିବା ଏକ ଜାତୀୟ ପିଠା ପୁଳିମିଳୁଥିଵାରୁ ଏହାକୁ କ୍ଷିରୀପୁଳି କୁହାଯାଉଥିଲା ।

କ୍ଷିରୀପୁଳି ଶବ୍ଦଟି ପୁରୀ ଜିଲ୍ଲାରେ ଵ୍ୟଵହାର ହେଉଥିଵା ଭାଷାକୋଷରେ କୁହାଯାଇଛି ।  ଵିଵାହ ଉତ୍ସଵରେ ପୁଅ ଵିଭା ହେଵାକୁ କନ୍ଯାଘରକୁ ଗଲା ପରେ ପୁତ୍ରର ଜନନୀ ଆତ୍ମୀୟସ୍ବଜନରମଣୀ ମାନଙ୍କୁ ଓ ପ୍ରତିଵେଶିନୀମାନଙ୍କୁ ନିମନ୍ତ୍ରଣ କରି ଦେଵା ଭୋଜୀକୁ ପୁରୀ ଅଞ୍ଚଳରେ ଆଗେ  କ୍ଷିରୀପୁଳି କୁହାଯାଉଥିଲା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କଥିତ ଅଛି ।

ସମ୍ଭଵତଃ ଅଶି ନବେ ଦଶ ଯାଏଁ ଭୋଜି ଶବ୍ଦର ଏକ ପ୍ରତିଶବ୍ଦ ରୂପରେ କ୍ଷିରୀପୁଳି ତଥା କ୍ଷୀରିପିଠା ଶବ୍ଦଦ୍ଵୟ ପ୍ରଚଳିତ ଥିଲା ।  ମାତ୍ର ପରଵର୍ତ୍ତୀ ପିଢ଼ି କ୍ଷିରୀ ଓ ପିଠା ସହିତ ଓଡ଼ିଆ ଭୋଜିର କ'ଣ ସମ୍ପର୍କ ତାହା ହୃଦୟଙ୍ଗମ କରିପାରିନଥିଵାରୁ ଏଵଂ ଭୋଜିରେ କ୍ଷୀରିପିଠା ପରିଶିଵାର ପରମ୍ପରା ସର୍ଵତ୍ର ଅପ୍ରଚଳିତ ହୋଇଯିଵାରୁ ଧୀରେ ଧୀରେ ଏ ଶବ୍ଦଦ୍ଵୟ କଥିତ ଭାଷାରୁ ଲୁପ୍ତ ହୋଇ କେଵଳ ଊନଵିଂଶ ଶତାବ୍ଦୀରେ ଜନ୍ମଲଭିଥିଵା ଲୋକଙ୍କ ସ୍ମତିରେ ତଥା ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭଳି ପୁରାତନ encyclopaedia ଭିତରେ ବଞ୍ଚି ରହିଗଲା ।

ଓଡ଼ିଶାର ସାଧାରଣ ଭୋଜି ମଧ୍ୟରେ ମୁଖ୍ୟତଃ ଚାରିଗୋଟି ଖାଦ୍ୟ ଦରଵ ପ୍ରସ୍ତୁତ ହେଉଥିଲା ଏଵଂ ଏବେ ବି ଗ୍ରାମାଞ୍ଚଳରେ ପ୍ରାୟତଃ  କାନିକା,ପାୟସ,ଘାଣ୍ଟତୁଣ ଓ ପାଚଳ(ଖଟା ତୁଣ) ଏହି ଚାରୋଟି ମୁଖ୍ୟ ଖାଦ୍ୟ ଭାବରେ ପ୍ରସ୍ତୁତ କରାଯାଏ । ପ୍ରକାଶ ଥାଉ କି କାନିକା ଵା ଓରିଆ ଭାତ, ପାୟସ  ଓ ଘାଣ୍ଟତିଅଣ ଏହି ଚାରୋଟି ଵ୍ୟଞ୍ଜନ ଶ୍ରୀଜଗନ୍ନାଥଙ୍କୁ ଅର୍ପିତ ହୋଇଥାଏ । କାନିକା,ପାୟସ ଓ ଘାଣ୍ଟତିଅଣ ଆଦିର ଆୟୋଜନ କଲାବେଳେ ଅଧିକ ଅର୍ଥ ଵ୍ୟୟ ହେଉଥିଵା ଯୋଗୁଁ ହେଉ ଵା କ୍ଷିରୀପିଠାରେ ଵିଶେଷ ଅତିରିକ୍ତ ଶ୍ରମ ମଧ୍ୟ ଵ୍ୟୟ ହେଉଥିଵା କାରଣରୁ ହୁଏତ ଭୋଜି ଶେଷରେ କ୍ଷିରୀପିଠା ପରିଶିଵାର ପରମ୍ପରା ଲୁପ୍ତ ହୋଇଯାଇଅଛି ।

Friday, June 14, 2019

ରାୟଗଡ଼ା ନଗରର ନାମକରଣ କେମିତି ହେଲା

ରାୟଗଡ଼ା ପୂର୍ଵେ ଅଵିଭକ୍ତ କୋରାପୁଟ ଜିଲ୍ଲାର ଏକ ସଵଡିଵିଜନ୍ ଥିଲା । ଏହା ନାଗାଵଳୀ ଓ ଝଞ୍ଜାଵତୀ ନଦୀକୂଳରେ ଅଵସ୍ଥିତ ଓଡ଼ିଶାର  ଅନ୍ଯତମ ଶିଳ୍ପନଗରୀ । ୧୫୧୬ ବେଳକୁ ଏହା ନଵରଙ୍ଗପୁର ରାଜ୍ଯର ରାଜଧାନୀ ଭାଵରେ ସ୍ଥାପିତ ହୋଇଥିଲା ।

ରାୟଗଡ଼ା ନଗରର ନାମକରଣ ପଛରେ ଏକ କିମ୍ବଦନ୍ତୀ ରହିଛି

ଜନସୃତି କହେ, ଆଦ୍ୟରେ ‘ରାୟ ଜାନି’ ନାମକ ଜଣେ କନ୍ଧ ଶାସକ ମୁଖିଆ ଭାଵରେ ଏହି ଅଞ୍ଚଳରେ ଶାସନ କରୁଥିଲେ । ନନ୍ଦପୁରର ରାଜା ଯୁଦ୍ଧରେ ରାୟ ଜାନିକୁ ପରାସ୍ତ କରି ଏ ଅଞ୍ଚଳ ନିଜ ଅଧୀନକୁ ଆଣିଥିଲେ ହେଁ ସେ ରାୟ ଜାନି ଦ୍ଵାରା ଵାରମ୍ଵାର ଲୁଚାଛପାରେ ଆକ୍ରାନ୍ତ ହୋଇ
ବହୁ ଧନଜୀଵନ କ୍ଷୟର  ସମ୍ମୁଖୀନ ହୋଇଥିଲେ ।
ତେଣୁ ସେ ରାୟ ଜାନି ସହ ମିତ୍ରତା କରିଵାକୁ ଵାଧ୍ୟ ହେଲେ ଏଵଂ ତାଙ୍କ ଆଦେଶରେ ଏ ଅଞ୍ଚଳର ନାମକରଣ ରାୟଗଡ଼ା ରଖାଗଲା । ଏହାର ପ୍ରମାଣ ସ୍ବରୂପ ରାୟଗଡ଼ା ର ଗଡ଼ ମଧ୍ୟରେ ରାୟ ଜାନିଙ୍କ ସ୍ମୃତିରେ ଆଜି ବି ରହିଛି ‘ଜାନିପଥର’ । କେହି କେହି ମାନନ୍ତି ଯେ ରାୟଗଡ଼ା ନଗରର ଇଷ୍ଟଦେବୀ ମଝିଘରିଆଣୀ ହେଉଛନ୍ତି ସେହି “ରାୟ ଜାନୀ” ଙ୍କ କୁଳଦେଵୀ । କେତେକ ଅଞ୍ଚଳର କିମ୍ବଦନ୍ତୀରେ ରାୟ ଜାନୀଙ୍କୁ ପରାଜିତ ହୋଇଥିଵାର ବି ବର୍ଣ୍ଣନା କରାଯାଇଛି ।

ଏ ଵିଷୟରେ ରାୟଗଡ଼ା ଗେଜେଟର୍ ରେ ଉଲ୍ଲେଖ ରହିଥିଵା ତଥ୍ୟ ଏଠାରେ ଉଦ୍ଧାର କରାଗଲା

...

“Legend  says  that  one  Ray  Jani  was  the  traditional  chieftain.    The  ruler of  Nandapur  failed  to  subdue  Ray  Jani  even  though  the  latter  was  defeated in  open  war.    Finally  the  ruler  of  Nandapur  and  Ray  Jani  entered  into  an agreement  after  which  a  „fort‟  was  built  which  was  known  as  Rayagada.  There  is  a  stone  described  as  „Jani  Pathar‟,  believed  to  have  been  inside  the fort, which is  worshipped till  date  by  the tribals  in reverence of  Ray  Jani. There  is  another  story  by  which  it  is  believed  that  after  surrender  in  war with  the  ruler  of  Nandapur,  Ray  Jani  invoked  his  last  wish  to  be  killed  inside the  fort  as  a  symbol  of  supreme  sacrifice  for  the  welfare  of  his  kingdom. Even  today,  the  Paikas  are  believed  to  be  the  descendants  of  Ray  Jani  who continue  to  live  in  Biriguda,  the  supposed  entrance  to  the  fort.  They  are  also the  traditional  worshippers  of  Goddess  Majhi  Ghariani,  believed  to  be  the family  deity  of  Ray  Jani  who  is  also  worshipped  as  the  presiding  diety  of Rayagada  town.”

...

Thursday, June 13, 2019

କଵି ଓ ତାଙ୍କ ଉପାଧି

ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍ତି ।

(୧) କଵିଚନ୍ଦ୍ର ନାରାୟଣ ଶର୍ମା

●କଵିଚନ୍ଦ୍ର ନାରାୟଣ ଶର୍ମା ଅଷ୍ଟମ ଶତାଦ୍ଦୀର ଜନୈକ କଵି । ଏ 'ଏକାମ୍ରଚନ୍ଦ୍ରିକା' ଗ୍ରନ୍ଥର ପ୍ରଣେତା ଅଟନ୍ତି ।

(୨) କଵିଚନ୍ଦ୍ର ରଘୁନାଥ ପରୀକ୍ଷା

●କଵିଚନ୍ଦ୍ର ରଘୁନାଥ ପରୀକ୍ଷା ଜଣେ ଓଡ଼ିଆ ପ୍ରାଚୀନ କବି । ଏହାଙ୍କ ବାସସ୍ଥାନ ଅଵିଭକ୍ତ ଗଞ୍ଜାମ ଜିଲାର ପାରଳାଖେମଣ୍ଡି ଅଟେ । ସେ 'ଗୋପୀନାଥ— ବଲ୍ଲଭ' ନାମକ ନାଟକର ରଚୟିତା ଅଟନ୍ତି ।

(୩)କଵିଚନ୍ଦ୍ର ବାସୁଦେବ ବଡ଼ ପଣ୍ଡା

●କଵିଚନ୍ଦ୍ର ଵାସୁଦେବ ବଡ଼ପଣ୍ଡା ତତ୍କାଳୀନ କେନ୍ଦୁଝର ରାଜ୍ୟର ଆନନ୍ଦପୁର ଅନ୍ତର୍ଗତ ବଳଭଦ୍ରପୁର ଶାସନଵାସୀ ଜନୈକ ସ୍ବର୍ଗୀୟ ପଣ୍ଡିତ ଥିଲେ । ଏ ସରସ ସଙ୍ଗୀତ ରଚନାରେ ଓ ପ୍ରାଚୀନ ଓଡ଼ିଆ ଗୀତମାନଙ୍କର ଅର୍ଥ କରିବାରେ ପଟୁଥିଲେ। ଶ୍ରୀଯୁକ୍ତ କେଶଵ ମିଶ୍ର ତାଙ୍କ ବୈତରଣୀ ପଦ୍ଯର ତୃତୀୟ ସର୍ଗରେ ଏହାଙ୍କ ଵିଷୟରେ ଵର୍ଣ୍ଣନା କରି ଅଛନ୍ତି ।

(୪) କଵିଚନ୍ଦ୍ର ଭୁବନେଶ୍ବର

●ଏ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟ ହିଞ୍ଜଳ ଗ୍ରାମର ଲୋକ, ଜାତିରେ ବ୍ରାହ୍ମଣ । ସେ ୧୮୪୬ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରି ୧୮୯୨ ଖ୍ରୀଷ୍ଟାବ୍ଦରେ ସ୍ବର୍ଗାରୋହଣ କରିଥିଲେ । ତାଙ୍କ ଚରିତ ଗ୍ରନ୍ଥମାନଙ୍କ ମଧ୍ଯରେ 'ସୀତାବିଳାସ' 'ଵାସୁଦେଵ ଵିଳାସ' ମହାଦେଵ ଓ ଵିଷ୍ଣୁଙ୍କ ସ୍ତଵ ପୁସ୍ତିକା ଓ 'ପ୍ରବନ୍ଧମାଳା' ପ୍ରଧାନ ଅଟେ ।

କବିଚନ୍ଦ୍ରର ଭାଵାର୍ଥ କବିଶ୍ରେଷ୍ଠ ଅଟେ । ଯେ କଵିମାନଙ୍କ ମଧ୍ୟରେ ଶ୍ରେଷ୍ଠ ଵିଵେଚିତ ହେଉଥିଲେ ତାଙ୍କୁ ଏ ଉପାଧି ପ୍ରଦାନ କରାଯାଉଥିଲା । କଵିରଵି,କଵିସୂର୍ଯ୍ୟ ଓ କଵିଗୁରୁ ଆଦି ଉପାଧିରେ ମଧ୍ୟ ଏହି ଭାଵାର୍ଥ ରହିଛି ।

କଵିରଵି/କଵିସୂର୍ଯ୍ୟ କହିଲେ ସାଧାରଣତଃ କଵି ଵଳଦେଵ ରଥଙ୍କୁ ବୁଝାଇ ଥାଏ ତେବେ ଆଉ ଜଣେ କଵିସୂର୍ଯ୍ୟ ମଧ୍ୟ ଏ ମାଟିରେ ଜନ୍ମଲାଭ କରିଥିଲେ ସେ ହେଉଛନ୍ତି କଵିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା । ସେ ୧୮ଶ ଶତାବ୍ଦୀର ଶେଷ ଭାଗରେ ନୂଆଗଡ଼ ଗଡ଼ଜାତରେ ଜନ୍ମଲାଭ କରିଥିଲେ । ସେ ଜଣେ ବ୍ରାହ୍ମଣ ଵୈଷ୍ଣଵ କଵି ଥିଲେ । ସେ 'ନାମଚିନ୍ତାମଣି', 'ପ୍ରେମପଞ୍ଚାମୃତ' ଓ 'ପ୍ରେମଲହରୀ' ପ୍ରଭୃତି ଗ୍ରନ୍ଥର ପ୍ରଣେତା ଅଟନ୍ତି ।
କଵିଜ୍ୟୈଷ୍ଠ ଓ କଵିଗୁରୁ ଆଦି ଉପାଧି ଆଦିକଵି ଵାଲ୍ମିକୀଙ୍କୁ ପ୍ରଦାନ କରାଯାଇଛି । ତାଙ୍କ ସମ ଵିଦ୍ଵାନ କଵିମାନଙ୍କୁ ଏ ଉପାଧି ପ୍ରାପ୍ତ ହୋଇଥାଏ ।

ସେହିପରି କଵିରାଜ ଉପାଧିରେ ଶ୍ରୀ କେଶଵ ରଥ ଓ ଶ୍ରୀହରେକୃଷ୍ଣ ପୁରୋହିତ
ଭୁଷିତ ହୋଇଅଛନ୍ତି । ଏହାର ଭାଵାର୍ଥ ମଧ୍ୟ ଶ୍ରେଷ୍ଠ କବି ଅଟେ । ତେବେ ବୈଦ୍ଯ; ଆୟୁର୍ବେଦୀୟ ଚିକିତ୍ସକ,ଆୟୁର୍ବେଦିକ ପଣ୍ଡିତ ଓ ଆଶୁକଵି ଵା ଭାଟ ମାନଙ୍କୁ ମଧ୍ୟ କଵିରାଜ ଉପାଧି ପ୍ରଦାନ କରାଯାଉଥିଲା । ସଂସ୍କୃତଜ କଵି ଶବ୍ଦର 'ଭବିଷ୍ଯଦ୍ଦ୍ରଷ୍ଟା ବ୍ଯକ୍ତି'(ପ୍ରାଚୀନ କାଳରୁ ଗୁଣିଗାରେଡି ସାଧକମାନେ ଭଵିଷ୍ୟଵକ୍ତା ହେଵା ସହିତ ଔଷଧ ଶାସ୍ତ୍ରରେ ପାରଙ୍ଗମ ହେଉଥିଲେ ।),ବିଦ୍ବାନ,ପଣ୍ଡିତ,ସର୍ବଜ୍ଞ,ଚିନ୍ତାଶୀଳ, ଜ୍ଞାନବାନ୍,ବହୁଦର୍ଶୀ,ପ୍ରଶଂସ୍ଯ,ଚତୁର ଓ ପାରଗ ଆଦି ଅର୍ଥ ଆଧାରରେ ବହୁଶାସ୍ତ୍ର ଵିଶେଷତଃ ଜ୍ୟୋତିଷ ଓ ଆୟୁର୍ବେଦ ଶାସ୍ତ୍ରର ଜ୍ଞାତା ପଣ୍ଡିତ ମାନଙ୍କୁ ମଧ୍ୟ କଵିରାଜ ଉପାଧି ପ୍ରଦାନ କରାଯାଉଥିଲା ।

ଓଡ଼ିଶାର କଵିମାନଙ୍କ ମଧ୍ୟରେ ଉପେନ୍ଦ୍ର ଭଞ୍ଜ ସର୍ଵାଧିକ ପାଞ୍ଚଗୋଟି ଉପାଧି ଲାଭ କରିଥିଲେ ।

(୧)ପ୍ରଥମେ ଗଜପତି ଦିବ୍ୟସିଂହ ଦେବଙ୍କ ଦ୍ଵାରା ଉପେନ୍ଦ୍ର ଭଞ୍ଜ 'ଵୀରଵର' ଉପାଧିରେ ଭୁଷିତ ହୋଇଥିଲେ ।
(୨)ଓଡ଼ିଶାର କଵିମାନଙ୍କ ମଧ୍ୟରେ ରାଜା ଉପେନ୍ଦ୍ର ଭଞ୍ଜଙ୍କୁ ଶ୍ରେଷ୍ଠ ମନେକରି ତାଙ୍କୁ କଵି ସମ୍ରାଟ ଉପାଧି ପ୍ରଦାନ କରାଯାଇଥିଲା ।

(୩)ଓଡ଼ିଶାର କଵିମାନଙ୍କ ମଙ୍ଗୁଆଳ ଵିଵେଚନା କରି ଉପେନ୍ଦ୍ର ଭଞ୍ଜଙ୍କୁ ମଙ୍ଗରାଜ ଉପାଧି ପ୍ରଦାନ କରାଯାଇଥିଲା।

(୪)ଓଡ଼ିଶାର ଶ୍ରେଷ୍ଠ କଵିଙ୍କ ମଧ୍ୟରେ ଉପେନ୍ଦ୍ର ଭଞ୍ଜଙ୍କ ରଚନା ଶୈଳୀ ଅତି ଉଚ୍ଚକୋଟୀର ହୋଇଥିଵାରୁ ତାଙ୍କୁ କଵି ସାର୍ବଭୌମ ଉପାଧି ପ୍ରଦାନ କରାଯାଇଥିଲା।

(୫)ଓଡ଼ିଆ ସାହିତ୍ୟର କଵିଙ୍କ ମଧ୍ୟରେ ଉପେନ୍ଦ୍ର ଭଞ୍ଜଙ୍କୁ ରାଜା ଭାଵେ ଵିଵେଚନା କରାଯାଇ ତାଙ୍କୁ କଵିକୁଳ କେଶରୀ ଉପାଧି ପ୍ରଦାନ କରାଯାଇଥିଲା।

ଆଉ କେତେକ ଉପାଧି ଓ ଉକ୍ତ ଉପାଧିଧାରୀ କଵିମାନଙ୍କ ନାମୋଲ୍ଲେଖ କରାଗଲା ।

●ଆଦି କବି ସାରଳା ଦାସ
●ବ୍ୟାସ କବି ଫକୀରମୋହନ ସେନାପତି
●ସ୍ଵଭାବ କବି ଗଙ୍ଗାଧର ମେହେର
●କବି ବର ରାଧାନାଥ ରାୟ
●କବି ଶେଖର ଚିନ୍ତାମଣୀ ମହାନ୍ତି
●କବି ମଞ୍ଜୁଳ କୃଷ୍ଣ ପ୍ରସାଦ ବାସୁ
●କିଶୋର କବି ଶ୍ୟାମସୁନ୍ଦର ଦାସ
●କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
●ଜାତୀୟ କବି ବୀରକିଶୋର ଦାସ
●ପ୍ରେମ କବି ମାୟାଧର ମାନସିଂହ
●ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର
●ସନ୍ଥ କବି ଭୀମ ଭୋଇ
●ଗଣ କବି ବୈଷ୍ଣବ ପାଣି
●ଗୀତ କବି ଗୋପାଳ କୃଷ୍ଣ ପଟ୍ଟନାୟକ
●ଭକ୍ତ କବି ମଧୁସୂଦନ ରାଓ
●ଉତ୍କଳ ଘଣ୍ଟ ଯଦୁମଣୀ ମହାପାତ୍ର
●ଅତିବଡ଼(ଡୀ଼) ଜଗନ୍ନାଥ ଦାସ
●ପଲ୍ଲୀ କବି ନନ୍ଦ କିଶୋର ବଳ
●ଗାଥା କବି ଗୋଦାବରୀଶ ମିଶ୍ର
●ନାରୀ କବି କୁନ୍ତଳା କୁମାରୀ ସାବତ
●କୋକିଳ କବି ଭଗବାନ ପତି
●ବ୍ୟଙ୍ଗ କବି ଗୋଦାବରିଶ ମହାପାତ୍ର
●ବିପ୍ଳବୀ କବି ରବି ସିଂହ
●କବି ରତ୍ନ ପୁରୁଷୋତ୍ତମ ମିଶ୍ର
●କବି ଭୂଷଣ ଗୋପୀନାଥ ପାତ୍ର
●କବି କଳାହଂସ ଗୋପାଳ କୃଷ୍ଣ ପଟ୍ଟନାୟକ

(ତଥ୍ୟ;ଉପସ୍ଥାପନା―ଶିଶିର ସାହୁ ମନୋଜ )

Tuesday, September 12, 2017

ଆଗସ୍ତ୍ୟ ମୁନିଙ୍କ ନାମରେ ପ୍ରାଚୀନ କଳିଙ୍ଗୀ ମାନଙ୍କ ଇତିହାସ ଲେଖାଯାଇଛି ପୁରାଣରେ

ଆଗସ୍ତ୍ୟ ବା ଅଗସ୍ତି ଋଷିଙ୍କର ଜନ୍ମକୁ ନେଇ ଭିନ୍ନ ଭିନ୍ନ ପୁରାଣ ରେ ବିଭିନ୍ନ କଥାମାନ ଅଛି ।

ତେବେ ପୁରାଣରେ ଯେଉଁ କଥା ଅଛି ତହିଁର ସାର ହେଉଛି,
ଆଗସ୍ତ୍ୟ ଋଷି ଅଭିଶାପ ପାଇ
ପୃଥିବୀରେ ଏକ ବୈଶ୍ୟକୁଳରେ ଜନ୍ମିଲେ ....
ତାପରେ ସେ ନିଜ ଅଧ୍ଯବସାୟ ବଳରେ କାଶୀରେ ବ୍ରହ୍ମତ୍ବ ଲାଭ କଲେ ।
କାଶୀ ର ବ୍ରାହ୍ମଣ ମାନେ ଜାଣିଲେ ଅଗସ୍ତ୍ୟ ମୁନି କିଛି ଵି ଅସାଧ୍ୟ ସାଧନ କରିପାରିବେ
ତେଣୁ ସେ ତାଙ୍କୁ ବିନ୍ଧ୍ୟଗିରି ପର୍ବତର ସୂର୍ଯ୍ୟଙ୍କ ସହ ଦ୍ଵେଷ ରଖି ଉର୍ଦ୍ଧ୍ଵକୁ ବଢିବା କଥା କହି ଏହାର ସମାଧାନ ପାଇଁ ତାଙ୍କ ପାଖରେ ନିଵେଦନ କଲେ ।

ନିଜ ବୁଦ୍ଧି ବଳରେ ଅଗସ୍ତ୍ୟ ମୁନି ବିନ୍ଧ୍ୟଗିରି ସବୁଦିନ ପାଇଁ ସେହିଠାରେ ନଇଁ ରହିବାକୁକହି
ସେଠାରୁ ସେ ଦକ୍ଷିଣ ଭାରତ ଯାଇ
ସମୁଦ୍ର ପିଇ ଦେଇଥିଲେ ।
ସେ ସାଗରପାନ କଲାରୁ ସମୁଦ୍ର ପାରର ଯେତେ ଦେଶ ସଂସ୍କୃତମୟ ହୋଇଗଲା .....

ଭିତରି ତଥ୍ୟ:-
ବୈଶ୍ୟ:-ସାଧବ=ଓଡ଼ିଆ ଲୋକେ
କାଶୀର ଲୋକେ ଆଗେ ଓଡ଼ିଆ ଙ୍କୁ ମ୍ଲେଛ କହୁଥିଲେ (ପ୍ରମାଣ ମନୁସ୍ମୃତିର କେତେକ ଶ୍ଳୋକ)
ପରେ ବ୍ରହ୍ମତ୍ବ ମିଳିଲା
ଓଡ଼ିଆ ଲୋକେ ଧନୀ ହେଲାରୁ ସମାଜରେ ସମ୍ମାନ ମିଳିଲା....
ଓଡ଼ିଆ ମାନେ ଯୋଗ୍ୟ ହେଲାରୁ ତାଙ୍କ ପ୍ରଚେଷ୍ଟାରେ ଉତ୍ତର ଓ ଦକ୍ଷିଣ ଭାରତର ଭେଦ ସ୍ଵରୂପ ବିନ୍ଧ୍ୟଗିରି ପର୍ବତକୁ ନୁଆଇଁ ସାରା ଭାରତକୁ ଏକତାର ସୂତ୍ରରେ ବାନ୍ଧି ଦେଇଥିଲେ ।
ଓଡ଼ିଆ ମାନେ ଦକ୍ଷିଣ ବିଜୟ କଲେ ଉଭୟ ସାଂସ୍କୃତିକ ରାଜନୈତିକ....
ତା ପରେ ସାଗର ପାନକଲେ...
ଅର୍ଥାତ୍ ସାଗରର ସବୁଦିଗକୁ ବୋଇତ ଯୋଗେ ଖେଦିଗଲେ..

ତାଙ୍କ ସାଗରପାନ ଯୋଗୁଁ ସେ ପାରର ଦେଶ ସଂସ୍କୃତମୟ ହୋଇଗଲା ମାନେ ଓଡ଼ିଆ ମାନେ ବାହାର ଦେଶ ସହ ସାଂସ୍କୃତିକ ରାଜନୈତିକ ସମ୍ପର୍କ ସ୍ଥାପନ କରି ତାଙ୍କୁ ମଧ୍ୟ ସଂସ୍କୃତମୟ କରିଦେଲେ
ସେମାନେ ସଂସ୍କୃତର ଏବଂ ଭାରତୀୟ ସଂସ୍କୃତି ର ପ୍ରଚାର ପ୍ରସାର କଲେ

ତେବେ ଏଠାରେ ସହଜ ପ୍ରଶ୍ନ ଉଠେ ଯେ ପୁରାଣରେ ଏକଥା କାହିଁକି ସିଧାସଳଖ କୁହାଯାଇନାହିଁ ଏହାର ଉତ୍ତର ହେଲା
ପୁରାଣ ରେ ସବୁକଥା ଏଇଭଳି ଗୁପ୍ତ ରଖି ଲେଖାଯାଇଥାଏ ।

Friday, September 1, 2017

●●ବ୍ରଜରାଜ୍ ବଡ଼ଜେନା ଙ୍କ ହାସ ବିନୋଦରୁ ●●

କବି ବ୍ରଜରାଜ୍ ବଡ଼ଜେନାଙ୍କ ଦ୍ବାରା ରଚିତ ହାସ ବିନୋଦ ର ପ୍ରଥମାଂଶରୁ ପଢନ୍ତୁ ।
ଓଡ଼ିଆ ଭାଷାରେ କି ଚମତ୍କାର ଭାବେ ସଂସ୍କୃତ ଛନ୍ଦର ସ୍ବର ଝଙ୍କାର ମିଶ୍ରଣ କରିଛନ୍ତି
- ଏ କେବଳ ହାସ୍ୟରସ ନୁହେଁ, ଆତ୍ମ-ସମାଲୋଚନା ର ଏକ ଅପୂର୍ବ
ଉଦାହରଣ ।

“ବୈଦ୍ୟ ବାପୁଡା଼ର କରାମତି କିନ୍ତୁ କମ୍ ନୁହେଁ,ତା କଥା ଶୁଣନ୍ତୁ ..”

ପିଉସା ଦେହେ ମୋ ପିତ୍ତ ବଢି଼ଲା ପ୍ରବଳେ
ପକାଇଲୁଁ ତାହାଙ୍କୁ ପହଡେ଼ ଖରାବେଳେ ।

ପଳେ ସଜନା ଟାଙ୍କରେ ଦେଲୁଁ ଚିତାମୂଳ
ପାଟି ପାକୁ ପାକୁ କରି ପିଉସା ନିଶ୍ଚଳ ।

ପିତ୍ତ ନାଶିରେ,
ପତି ପତି ବୋଲି ପୁଣି କାନ୍ଦନ୍ତି ମାଉସୀ ରେ ।।୧।।

ଆମବାତ ଧରିଥିଲା ମୋ ଦାଦୀର ଅଣ୍ଟା
ଆଠଦିନ ବିର୍ହୀ ଡାଲି ତେଲୀ ସାରୁ ଘଣ୍ଟା ।

ଖୁଡି଼ ଆଣି ଦିଅନ୍ତି ମଇଁଷି ଘୋଳ  ଦହି
ଆଖିବାଟେ ବାତ ଗଲା ଧଇଁସଇଁ ହୋଇ ।

ଆହେ ଶୁଣ ହେ,
ଆମବାତ ମଳୁଖିଆ ନାମ ଏ ପାଚନ ହେ ।।୨।।

ଦୂର୍ବଳ ଦେହ ବଢ଼ଇ ଏ ଔଷଧ ବଳେ
ଦିବସରେ ଖାଇବ ମୃତ୍ତିକା ପଳେ ପଳେ ।

ଦୁଇ ଦିନ ଘୋଳ ଦହି ନିଶିରେ ପିଇବ
ଦେଖୁ ଦେଖୁ ଗଣେଷ ଥନ୍ତଲ ପେଟ ହେବ ।
ଦେଢ଼ ମାସରେ ,
ଦଶ ଦଶ କି ତା' ଖଟ ଉଠାଇବେ ଲେଶରେ ।

Wednesday, March 15, 2017

ଏଡଲଫ୍ ହିଟଲରଙ୍କ ପିଲାଦିନ

ଏଡଲୋଫ୍ ହିଟଲର୍ ତାଙ୍କ ପିଲାବେଳେ ଅତ୍ଯନ୍ତ ଗୂଢ଼ଚେତା (ଅନ୍ତର୍ମନାଃ) ବାଳକ ଥିଲେ ।

ପଢାଲେଖାରେ ଦୁର୍ବଳ ହିଟଲର ବିଦ୍ଯାଳୟରେ ସଦସର୍ବଦା ଉପହାସର ପାତ୍ର ହୋଇଯାଉଥିଲେ ।
ନିଜ ବ୍ଯକ୍ତିଗତ ଜୀବନ ବିଷୟରେ ହିଟଲର ପ୍ରାୟଃ ଆଜୀବନ ଚୁପ ରହିଥିଲେ ।
ତେବେ
ଜଣେ ଏକଛତ୍ରବାଦୀ ଶାସକ ରୂପେ ବିଶ୍ବରେ ପରିଚିତ ହେବା ପୂର୍ବରୁ ୧୯୨୩ ମସିହାରେ ସେ ଜଣେ
ଆମେରିକାନ୍
ପତ୍ରକାର ଜର୍ଜ ସିଲ୍ବେଷ୍ଟରଙ୍କୁ ଏକ ସାକ୍ଷାତକାର ଦେଇଥିଲେ ।
୧୯୨୩  ବେଳକୁ ଜର୍ମାନୀ ପ୍ରଥମ ବିଶ୍ବଯୁଦ୍ଧର ପେନାଲ୍ଟି ଭରି ଭରି ଦେବାଳିଆ ଅର୍ଥତନ୍ତ୍ର ଆଡକୁ ଗତି କରୁଥିଲା  ।
ଏଭଳି
ପରିସ୍ଥିତିରେ ରେ ରାଷ୍ଟ୍ରିୟ ରାଜନୀତିରେ କୌଣସି ବୃହତ୍ତ କ୍ଷମତାରେ
ନଥାଇ ମଧ୍ଯ ହିଟଲରଙ୍କର ବିଶ୍ବ ବିଜୟ ର ହୁଙ୍କାର ଅନେକଙ୍କୁ ସେବେ ଆଶ୍ଚର୍ଯ୍ୟଜନକ ଲାଗିଥିଲା ।

ଜର୍ଜ ସିଲ୍ବେଷ୍ଟର ଯେତେବେଳେ ସେଇ ସାକ୍ଷାତକାରରେ
ହିଟଲରଙ୍କର ଏତାଦୃଶ ଆତ୍ମବିଶ୍ବାସର ଉତ୍ସ କଣ ତଥା ସେ କାହା ସଂସ୍ପର୍ଶରେ ଆସି ଏଭଳି ସ୍ବାଭିମାନୀ ହୋଇଛନ୍ତି ବୋଲି ପ୍ରଶ୍ନ କଲେ

ହିଟଲର ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲେ

"ମୁଁ ଯେତେବେଳେ ଛୋଟଥିଲି ମୋ ସାଙ୍ଗପିଲା ମାନେ ମୋର IQ କୁ ନେଇ
ମୋତେ ଖୁବ୍ ଚିଡାଉଥିଲେ ।
ମୁଁ ଯେତେବେଳେ ଅଧିକ ଉଦାସ ହୋଇଯାଉଥିଲି
ସେତେବେଳେ ମୋ ମାଆ ମୋତେ କାହାଣୀ ଶୁଣଉ ଥିଲେ...
.ଡାହାଣୀ ସହ ଲଢୁଥିବା
ରାଜକୁମାର ର କାହାଣୀ,ଯୁଦ୍ଧରେ ଲଢୁଥିବା ଯୋଦ୍ଧାର କାହାଣୀ ।
ପ୍ରତ୍ଯେକ କାହାଣୀରେ ବିଷୟବସ୍ତୁ ଏବଂ ଅନ୍ଯ ସମସ୍ତ ପାତ୍ର ଭିନ୍ନ ଭିନ୍ନ ହେଉଥିଲେ
କିନ୍ତୁ
ସବୁ ଗପ ମାନଙ୍କରେ ଗୋଟିଏ କଥା ସାମାନ୍ଯତଃ ସମାନ ରହୁଥିଲା ଥିଲା  !

ମୋ ମାଆଙ୍କର ପ୍ରତ୍ଯେକ କହାଣୀରେ ହିରୋ ବା ନାୟକର ନାମ ସଦା ଏଡଲଫ୍ ହିଁ ହେଉଥିଲା ।"

ଏଇ ମାତୃଦତ୍ତ ସ୍ବାଭିମାନ ଯୋଗୁଁ ହିଁ
କଠିନ ରୁ କଠିନ ପରିସ୍ଥିତିରେ ମଧ୍ଯ ହିଟଲର କେବେ ପଛଘୁଞ୍ଚା ଦେଇନଥିଲେ ।

ଏମିତି କି ଶେଷ ସମୟରେ ନିଜ ସାଥୀ ମାନଙ୍କ ଦ୍ବାରା ବିଶ୍ବାସଘତକତାର ଶିକାର ହୋଇ ମଧ୍ଯ ଆତ୍ମ ସମର୍ପଣ କରିନଥିବା ହିଟଲର ପ୍ରତ୍ଯେକ
ସ୍ବାଭିମାନୀ ଜାତିପ୍ରେମୀ ବ୍ଯକ୍ତି ମାନଙ୍କ ପାଇଁ ପ୍ରେରଣାର ଉତ୍ସ !!!!

ହିଟଲରଙ୍କ ଯେତେବେଳେ ଯୁବାକାଳ ତାଙ୍କ ମାତା ବ୍ରେଷ୍ଟ୍ କ୍ଯାନସରର ଶିକାର ହୋଇଯାଇଥିଲେ ।
ମାଆଙ୍କ ରୋଗ ଭଲ କରିବା ପାଇଁ ଘରବାଡି ବିକି ମଧ୍ଯ ଅକୃତକାର୍ଯ୍ୟ ହୋଇଥିଲେ ।
ତାଙ୍କର ଫ୍ଯାମିଲୀ ଡାକ୍ତର
ଏବଂ ଅନେକ ବନ୍ଧୁ
"ସଂପଦେ ସର୍ବେ ସଖା ବିପଦେ ନଦିଅନ୍ତି ଦେଖା" ନ୍ଯାୟରେ ସାହାଯ୍ୟ କରିନଥିଲେ ।

ସେମାନଙ୍କ ମଧ୍ଯରୁ ଅଧିକାଂଶ jews ଥିଲେ ।
ସେମାନେ ଆଡମ୍ବରପୂର୍ଣ ଜୀବନଯାପନ କରୂଥିଲେ ସତ କିନ୍ତୁ ଜର୍ମାନୀର ସାଧାରଣ ନାଗରିକ ହିସାବରେ ପରସ୍ପରକୁ ସାହାଯ୍ୟ ସହଯୋଗ କରିବା ପ୍ରବୃତ୍ତି ଅଧିକାଂଶଙ୍କ ପାଖରେ ନଥିଲା ।
ହିଟଲର ତାଙ୍କ ମୋ ସଂଘର୍ଷ ପୁସ୍ତକରେ ଏ ବିଷୟରେ ପୁରା ଗୋଟାଏ ଚ୍ଯାପ୍ଟର ଲେଖିଛନ୍ତି ।
ହିଟଲର ନିଜ ଜୀବନର ସେଇ ଦୁଃଖାନ୍ତ ମୂହୁର୍ତ୍ତରେ ଯେଉଁ ତିକ୍ତ ଅନୁଭୁତି କରିଥିଲେ
ସେଥିଯୋଗୁଁ jews ମାନଙ୍କ ପ୍ରତି ତାଙ୍କର ଘୃଣା ଆହୁରି ବୃଦ୍ଧି ହୋଇଥିଲା ।

Thursday, February 2, 2017

ଶ୍ରୀ ଗୋପାଳପ୍ରସାଦ ବ୍ୟାସ

ହସ କଦଳୀର ଚୋପା ନୁହଁ
ସଡ଼କରେ ଫିଙ୍ଗିଦେବ
ମଣିଷଟେ ତହୁଁ ଖସି ପଡିଯିବ ।।

ବ୍ଯଙ୍ଗ ଅସଭ୍ଯଙ୍କ ମୁଖଭାଷା ନୁହଁ
କା ଆଗରେ କହି
ତା'ର ସମ୍ବେଦନାକୁ ଦଳିଦେବ ।।

ହାସ୍ଯ ନୁହେଁ କୌଣସି ଅଳୁସୁଆର
ଜୁଡାରେ ସଜ୍ଜିତ ଟମାଟର,

ସେ ତ ଶ୍ରୀକୃଷ୍ଣଙ୍କ ନାୟିକାର
ମଥାରେ ଶୋଭିତ ମଥାମଣି ।।
କିନ୍ତୁ
ସେମାନେ ବା ଏହା କେମିତି ବୁଝିବେ
ସାହିତ୍ୟ ଯା ପାଇଁ ବ୍ଯାପାର ସାଧନ,
ହାସ୍ଯ ଜଲଜୀରା ପାଣି ।।

गोपालप्रसाद व्यास ଙ୍କ ଏକ କବିତାର କିଛି ଅଂଶର ଭାବାନୁବାଦ

ପଣ୍ଡିତ  गोपालप्रसाद व्यास ଙ୍କ ଜନ୍ମ
13 ଫେବୃଆରୀ 1915ରେ ଗୋବର୍ଧନପୀଠ,ମଥୁରା ଜିଲ୍ଲାରେ ହୋଇଥିଲା ।
((ମୃତ୍ୟୁ 28 ମଇ 2005,ନୂଆଦିଲ୍ଲୀ))

ସେ ହିନ୍ଦୀର ପ୍ରମୁଖ ସାହିତ୍ଯକାର ମଧ୍ଯରେ ଜଣେ ଥିଲେ ।
ତାଙ୍କର ବ୍ରଜଭାଷା ଏବଂ ପିଙ୍ଗଳ ବୋଲୀ  ବିଷୟକ ଗଭୀର ଜ୍ଞାନ ଥିଲା ।
ଶ୍ରୀव्यासଙ୍କୁ ଭାରତ ସରକାରଙ୍କ ଦ୍ବାରା ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ
କରାଯାଇଅଛି ।
ଦିଲ୍ଲୀ ସରକାରଙ୍କ ଦ୍ବାରା ଶଲାକା ପୁରସ୍କାର ମିଳିଥିଲାବେଳେ ଉତ୍ତରପ୍ରଦେଶ ସରକାର ୟଶ୍ ଭାରତୀ
ଉପାଧୀରେ ବିଭୂଷିତ କରିଛନ୍ତି ।
ଦିଲ୍ଲୀରେ ହିନ୍ଦୀଭବନ ନିର୍ମାଣରେ ତାଙ୍କର ମହତ୍ଵପୂର୍ଣ୍ଣ ଭୂମିକା ଥିଲା ।