My Blog List

Showing posts with label ବାମଣ୍ଡା. Show all posts
Showing posts with label ବାମଣ୍ଡା. Show all posts

Saturday, March 11, 2023

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ବାମଣ୍ଡା



ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ବାମଣ୍ଡା ରାଜ୍ୟର ଅନେକ ସ୍ଥାନରେ ଉଲ୍ଲେଖ ଅଛି ସେହିପରି ଏ ଅଞ୍ଚଳର କେତେକ ଶବ୍ଦ ମଧ୍ୟ ଯୋଡ଼ାଯାଇଛି । ନିମ୍ନରେ ତହିଁର ସୂଚୀ ପ୍ରଦାନ କରାଗଲା :

🔴କିରା— କ'ଣ (ଏହା ଗଡ଼ଜାତରେ ପ୍ରଚଳିତ କୁହାଯାଇଥିଲେ ବି ଦେଵଗଡ଼, ଅନୁଗୋଳ ଓ ଢେଙ୍କାନାଳର କେତେକ ଅଞ୍ଚଳରେ ଅଧିକ ପରିମାଣରେ ପ୍ରଚଳିତ)

🔴କିରା ପାଇଁକି — କାହିଁକି କିମ୍ପାଇଁ

🔴ଚୂଳିଆ — ବାମଣ୍ଡା ରାଜ୍ୟର ଗୋଟିଏ ଉଚ୍ଚ ପର୍ଵତ । 

ତୁମ୍ଭ ପାରିଧିର ସ୍ଥଳୀ ଚୂଳିଆ ଅଚଳ ତଟୁଁ ଶାର୍ଦ୍ଦୂଳ ଯେସନେ, ଓହ୍ଲାନ୍ତେ ଶିକାର ଲୋଭେ ବ୍ରାହ୍ମୀତୀରଭୂମେ। (ରାଧାନାଥ, ମହାଯାତ୍ରା।)

🔴ଝୁଲ୍ପୁଲ୍— ବଡି଼ସଖାଳ

🔴ଟମରସ— ପିଜୁଳି,ଚାଉଳିଆ

🔴ଟୋପା—ଚାଉଳଧୁଆ ବାଉଁଶିଆ

🔴ତାଲ୍ —ନିରର୍ଥକ ଵାକ୍ୟାଂଶ;ତା,ଟି,ମ,ଯେ,ଵା ପରି
(ଯଥା—ଗାଡ଼ି ନିହେ ତାଲ୍ ପହଁଚେ=ଗାଡ଼ି ପହଁଚେ ନାହିଁ)

🔴ଦେଵଗଡ଼—ଓଡ଼ିଶାର ଗଡ଼ଜାତ ବାମଣ୍ଡା ରାଜ୍ୟର ରାଜଧାନୀ । କାଳିଦାସଙ୍କ ମେଘଦୂତଵର୍ଣ୍ଣିତ 'ରାମଗିରି'କୁ ପ୍ରତ୍ନତତ୍ତ୍ୱବିତ୍ମାନେ ଆଧୁନିକ ଦେବଗଡ଼ ନିକଟସ୍ଥ ପର୍ଵତ ବୋଲି ଅନୁମାନ କରିଅଛନ୍ତି ।

🔴ନୀଳମଣି ଵିଦ୍ୟାରତ୍ନ —
ସେ ଜଣେ ଓଡ଼ିଆ ବ୍ରାହ୍ମଣ । ବାମଣ୍ଡାର ସାର୍ ସୁଢ଼ଳଦେଵଙ୍କ ରାଜସଭାରେ ରହି ସେ ପ୍ରଥମେ ସମ୍ବଲପୁର ହିତୈଷିଣୀ ପରେ ଖଲ୍ଲିକୋଟର ହରିହର ମର୍ଦ୍ଦରାଜ ରାଜାଙ୍କ ନିକଟରେ ରହି ପ୍ରଜା ବନ୍ଧୁ ଓ ତତ୍ ପରେ ବଡ଼ ଖେମୁଣ୍ଡିର ରାଜା କୃପାମୟ ଅନଙ୍ଗଭୀମଦେବଙ୍କ ନିକଟରେ ରହି ଗଞ୍ଜାମ ଗୁଣଦର୍ପଣ ସଂଵାଦପତ୍ର ପ୍ରକାଶ କରିଥିଲେ । 

🔴ପଛ୍ରା(ପାଛୁଡ଼ା)— ଚାଦର, ବିଛଣା ଚଦର

🔴ପନ୍ତା ଲଗାଇଵା—ଭାଡ଼ି ଚହଲେଇଵା

🔴ପାଟ— ଜଳପ୍ରପାତ

🔴ପାବୁଡ଼ି(ପର୍ଵତ)—କେନ୍ଦୁଝର, ବଣେଇ, ବାମଣ୍ଡା ଓ ପାଳଲହଡ଼ା ଅଞ୍ଚଳଵାସୀ ଭୂୟାଁମାନଙ୍କ ଆବାସ ସ୍ଥାନର ନାମ; ଭୂୟାଁପୀଢ଼ । ଏ ଅଞ୍ଚଳରେ ଵନ୍ୟ ଅଵସ୍ଥାରେ ଆମ୍ବ, ପଣସ କାଗିଜିଲେମ୍ବୁ, କଦଳୀ ଓ ଚମ୍ପାଆଦିର ପ୍ରକାଣ୍ଡ ଗଛମାନ ପର୍ଯ୍ୟାପ୍ତ ପରିମାଣରେ ଜନ୍ମି ପ୍ରଚୁର ଫଳ ପୁଷ୍ପ ଜାତ ହୁଏ।

🔴 ପାଲଲହଡ଼ା —ଏହାର ଆୟତନ ଇଂରାଜୀ ଶାସନ ସମୟରେ ୪୫୨ ଵର୍ଗମାଇଲ ଥିଲା । ଏହା ବାମଣ୍ଡାର ପୂର୍ଵରେ ଅଵସ୍ଥିତ। ଏ ରାଜ୍ୟର ପ୍ରାଧାନ ପର୍ଵତ ମଳୟଗିରି। ଧାରା ନଗରର ସନ୍ତୋଷ ପାଳ ଅଷ୍ଟାଦଶ ଶତାବ୍ଦୀ ପୂର୍ଵେ ଏ ରାଜ୍ୟ ସ୍ଥାପନ କରିଥିଲେ। ଏ ରାଜାଙ୍କ ସନ୍ତକ ସର୍ପ ଅଟେ । 

🔴ପ୍ରଧାନପାଟ—ବାମଣ୍ଡା ରାଜ୍ୟର ରାଜଧାନୀ ଦେବଗଡ଼ର ସନ୍ନିକଟସ୍ଥ ଗୋଟିଏ ପ୍ରସିଦ୍ଧ ଝର । 
“ପ୍ରଧାନ ପାଟର ପ୍ରପାତ ଭୀଷଣ”
(ରାଧାନାଥ, ନନ୍ଦିକେଶ୍ୱରୀ।)
ଏହିଠାରୁ ଯନ୍ତ୍ରଦ୍ୱାରା ଜଳ ନିଆଯାଇ ଦେବଗଡ଼ଵାସୀଙ୍କୁ କଳପାଣି ଯୋଗାଯାଏ। ବାମଣ୍ଡାର ରାଜା ସ୍ୱର୍ଗୀୟ ଶ୍ରୀ ସୁଢ଼ଳ ଦେଵ ଏ ପ୍ରପାତର ଧାରେ ଧାରେ ପାହାଡ଼ର ଉପରକୁ ଉଠିଵା ପାଇଁ ପକ୍କା ସିଡ଼ି କରିଥିଵାରୁ ସେହି ସିଡ଼ି ବାଟେ ଏ ଝରଣାର ମୂଳଦେଶରୁ ପାହାଡ଼ ଉପରକୁ ଉଠି ହୁଏ। ଏହାର ଶୋଭା ଅତି ମନୋହର।

🔴 ଫକୀରମୋହନ—ସେ ଜଣେ ପ୍ରକୃତ ଓଡ଼ିଆ ସ୍ବାଭିମାନୀ ଓ ଉଦାରମନା ଓଡ଼ିଆ ଥିଲେ । ପର ଦୁଃଖରେ ତାଙ୍କର ହୃଦୟ ତରଳି ପଡ଼ୁଥିଲା। ତାଙ୍କର ଗୁଣ ଚିହ୍ନି ବାମଣ୍ଡାର ରାଜା ତାଙ୍କୁ "ସରସ୍ୱତୀ" (ଵା ଉତ୍କଳସରସ୍ଵତୀ )ଉପାଧି ଦେଇଥିଲେ। ତାଙ୍କର ଉତ୍କଳଖଣ୍ଡରେ ସୁପରିଚିତ ଆଉ ଗୋଟିଏ ଉପାଧି ଉତ୍କଳର ଵ୍ୟାସକଵି। ଦେହାଵସାନର ତିନି ମାସ ପୂର୍ଵରୁ ଫକୀରମୋହନ କଟକରେ ଉତ୍କଳ ସମ୍ମିଳନୀର ସଭାପତି ଆସନ ଅଳଙ୍କୃତ କରିଥିଲେ । 

🔴ଫଲଛି—ସାନ ଘର

🔴ଫାଳସିଆ(ସଂ. ପରଶୁ)— ଅସ୍ତ୍ର ଵିଶେଷ ;ପର୍ଶୁ (ବଳଭଦ୍ର ଗ୍ରନ୍ଥାଵଳି)

🔴ଫାଲିସା— ଫାରସା(Battle axe.)

🔴ଫୁର୍ଲା— ଛଚିନ୍ଦ୍ରା

🔴ଫେକାରୀ(ସଂ. ଫେରୁ=ବିଲୁଆ)— କୋକିଶିଆଳି(Fox)

🔴ବଂଶା(ବଂଶ= ବାଉଁଶ)—ଚାଳର ରୁଅ

🔴ବବା—ବାପର ବଡ଼ଭାଇ; ଦଦେଇ; ବଡ଼ ବାପା(ବାମଣ୍ଡା, ଢେଙ୍କାନାଳ, ସମ୍ବଲପୁରରେ ଏ ଶବ୍ଦ ପ୍ରଚଳିତ)

🔴ଵରାହ ଲେଣ୍ଡି ସାରୁ— ଏକ ପ୍ରକାରର ଛୋଟ ସାରୁ

🔴ବଲେନ—ଛୋଟ ପାଣି ନାଳ

🔴ବାଦାମ—ପିଜୁଳି(ଏ ଶବ୍ଦ ବାମଣ୍ଡା ରାଜ୍ୟରେ ଚଳୁଥିଲା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି)

🔴ବାରେଣୀ—ପହଁରା; ଝାଡ଼ୁ

🔴ବିନ୍ପାଣିଆ/ବିନ୍ପାନିଆ— ଏକ ପ୍ରକାରର ମିଷ୍ଟାନ୍ନ; ଏଥିରେ ଆଦୌ ପାଣି ଦିଆଯାଏ ନାହିଁ ବୋଲି ଏଭଳି ନାମକରଣ

🔴ବିରଙ୍ଗା—କନ୍ଧମାନେ ଜଙ୍ଗଲ ପୋଡ଼ି ଯେଉଁ ଜମିରେ ମକା ଆଦି ଫସଲ କରନ୍ତି; ତଇଲା ଜମି

🔴ବୀଜା(ବୀଜସାଳ)— ପିଆଶାଳ

🔴ବେଙ୍ଗୁଲି—ଶିଶୁମାନଙ୍କର ଖେଳ ଵିଶେଷ

🔴ବେଧନ୍(ଓ-ବେଧୂଣ) —ନିହଣ

🔴ଭଇଁଷି— ମଇଁଷି

🔴ଭଟା—ବାହାର; ଘରର ଵହିର୍ଦେଶ

🔴ଭୁଗୁଲି— ସାନ ଟୋକେଇ

🔴ଭେଁଣ୍ଡି— ମେଣ୍ଢା,ଭେଣ୍ଡି

🔴ମଇଆ— ପିଜୁଳି(ଅଵିଭକ୍ତ ସମ୍ବଲପୁର ଓ ବାମଣ୍ଡାରେ ପିଜୁଳିକୁ ମଇଆ ଓ ଅଵିଭକ୍ତ ସମ୍ବଲପୁରରେ ଆତକୁ ମଇଆ କୁହାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି )

🔴ମତ୍ତ—ବୀର୍ଯ୍ଯ; ବଳ

🔴ମବେଷି(ସଂ-ଗୋମେଷ)—ଗୋମେଷାଦି ପଶୁ

🔴ମୟୂରଝାଲି,ମୟୂରଝାଲିଆ—ମୟୂରଚନ୍ଦ୍ରିକାଯୁକ୍ତ ପକ୍ଷ

🔴ମଶାର—ବଢିଥିଵା ନଦୀରେ ଭାତ ଫୁଟିଲା ପରି ଫୁଟୁଥିଵା ପାଣି

🔴ମାଲପା/ମାଲପି—ରାଶିତେଲ
(ପ୍ରାଚୀନ ଓଡ଼ିଆ ସାହିତ୍ୟରେ ତେଲ ଅର୍ଥରେ ମାଲପା ଶବ୍ଦ ପ୍ରୟୋଗ କରାଯାଇଛି)

🔴ମୁଗାରି—ମହିଷଙ୍କ ପ୍ରିୟ ଆରଣ୍ୟ ଘାସଵିଶେଷ

🔴ମୁଣ୍ଡା—ଶାରଦ ଜମି

🔴ମେଞ୍ଚା— ବାମଣ୍ଡା ରାଜ୍ୟରେ ହେଉଥିଵା ଏକ ଜାତୀୟ ମିଷ୍ଟାନ୍ନ

🔴ମେଣ୍ଢାଇଵା—ପାଖରେ ପହଞ୍ଚାଇ ଦେଵା, ଅନ୍ୟର ଅନିଚ୍ଛାସତ୍ୱେ ଜୋର୍ ଜବରଦସ୍ତି କରି ତାହାର ମୁଣ୍ଡରେ କୌଣସି କାର୍ଯ୍ୟ ଚପାଇ ଦେଵା(ଏ ଶବ୍ଦ ଢେଙ୍କାନାଳରେ ମଧ୍ୟ ପ୍ରଚଳିତ)

🔴ମେଣ୍ଢା ଶିଙ୍ଗା— ଭେଣ୍ଡି,ମହୁରା

🔴ମେର୍ହା—ଆଖୁ ଗଛକୁ ସିଧା ରଖିଵା ପାଇଁ ଵ୍ୟଵହୃତ ସରୁ ବାଉଁଶ ଖୁଣ୍ଟି

🔴ମେଲ୍ଛା—ଖାସୀ ହୋଇଥିଵା (ଜୀଵ)

🔴ଯବ— ବହୁତ(ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏ ଯବ ଶବ୍ଦଟି ବାମଣ୍ଡାରେ ଵ୍ୟଵହାର କରାଯାଉଥିଲା ବୋଲି ଲେଖା ଅଛି । ଏହାର ନିକଟତମ ସମାର୍ଥକ ଶବ୍ଦ ଯହ ଓ ଜବର)

🔴ଯୁନାଁ(ଜୀର୍ଣ୍ଣ,ଝୁନା) —ପୁରୁଣା

🔴ରଇସା—ଝୁଡ଼ଙ୍ଗ ଛୁଇଁ

🔴ରଣଘଣ୍ଟା— ବାଦୁଡ଼ି

🔴ରାମଗିରି—କାଳିଦାସଙ୍କ ମେଘଦୂତରେ ଯକ୍ଷ ଏହିଠାରେ ନିର୍ଵାସିତ ହୋଇ ପ୍ରିୟାଵିଚ୍ଛେଦଜନିତ ଦୁଃଖ ଭୋଗ କରୁଥିଵା ଵର୍ଣ୍ଣିତ ହୋଇଅଛି। କେହି କେହି ପଣ୍ଡିତ ଏହାକୁ ଓଡ଼ିଆ ବାମଣ୍ଡା ରାଜ୍ୟ ଅନ୍ତର୍ଗତ ପର୍ଵତ ବୋଲି ସିଦ୍ଧାନ୍ତ କରି ଅଛନ୍ତି। କେହି କେହି କହନ୍ତି ଏହାର ଆଧୁନିକ ନାମ ରାମଟେକ୍ ଓ ଏହା ମଧ୍ୟପ୍ରଦେଶର ନାଗପୁର ଜିଲ୍ଲାରେ ଅଵସ୍ଥିତ। କେହି କେହି ଚିତ୍ରକୂଟକୁ ରାମଗିରି କହନ୍ତି।

🔴ରୁଗୁଡି଼—ଗୋଡି଼(ଢେଙ୍କାନାଳରେ ଛୋଟ ପର୍ଵତକୁ ରଗଡ଼ି କୁହାଯାଏ, କେତେକ ଅଞ୍ଚଳରେ ରୁଗୁଡ଼ି ମଧ୍ୟ କହିଥାନ୍ତି)

🔴ରେଙ୍ଗାଳ—କାଠର ମଞ୍ଜ

🔴ରୋଜାନା—ନୀଳ ଗାଈ ଜାତୀୟ ପଶୁ(ହିନ୍ଦୀରେ ରୋଜାନା ମାନେ ପ୍ରତ୍ୟେକ ଦିନ )

🔴ଲକ୍ରା—ପେଣ୍ଡ୍ରା; ହେଟାବାଘ(Hyena ତୁଳନା : ହିନ୍ଦୀରେ ଲକଡ଼ବଗ୍ଘା)

🔴ଲୁଗା ବେଣ୍ଟା— ଏକ ଜାତୀୟ ଖେଳ

🔴ଲୁଣ ଚୋର(ରି)— ଭୂଇଁରେ 12।13 ଘର କାଟି ଦୁଇ ଦଳ ମଧ୍ୟରେ ଖେଳାଯିଵା ଖେଳଵିଶେଷ(ଏହିପରି ଏକ ଖେଳ ଢେଙ୍କାନାଳରେ ଖେଳାଯାଏ ତାକୁ ଛୁରୀ କହିଥାନ୍ତି)

🔴ଲେଞ୍ଜା— ହେଟାବାଘ,ରାମଶିଆଳ

🔴ଶିକ(ଶିଖା)—ଅଗ୍ରଭାଗ

🔴ସଙ୍ଗାତ—କୌଣସି ପୁରୁଷର ଆପଣା ଶାଳୀକି ସମ୍ବୋଧନ କଲାବେଳେ ଵ୍ଯଵହୃତ ଡାକ(ସଈ ସଙ୍ଗାତ ଡାକ ଓଡ଼ିଶାର ପ୍ରାଚୀନ ପରମ୍ପରା। ଶାଳୀର ପତିଙ୍କୁ ସେହିପରି ପୁରୁଷମାନେ ସଈ ଓ ସଈଙ୍କ ପତ୍ନୀଙ୍କୁ ସଈଆଣୀ ସମ୍ବୋଧନ କରିଥାନ୍ତି)

🔴ଶ୍ରୀସଚ୍ଚିଦାନନ୍ଦ ତ୍ରିଭୁଵନ ଦେଵ—
ବାମଣ୍ଡାର ସୁନାମ ଧନ୍ୟ ସ୍ୱର୍ଗତ ରାଜା । ସଚ୍ଚିଦାନନ୍ଦତ୍ରିଭୁବନ ଦେଵ ବାମଣ୍ଡା ରାଜ୍ୟର ସ୍ୱର୍ଗୀୟ ଅଧିଶ୍ୱର। ଜନ୍ମ 3/5/1872; ଲୋକାନ୍ତର— 11/3/1916।
ଊନବିଂଶ ଶତାବ୍ଦୀର ଉତ୍କଳୀୟ ଦେଶୀୟ ରାଜାଗଣଙ୍କ ଅଗ୍ରଣୀ ଗଙ୍ଗବଂଶ ଭାସ୍କର ଲୋକୋତ୍ତର ପ୍ରତିଭାନ୍ୱିତ ବାମଣ୍ଡାଧିପ ପ୍ରଥିତଯଶା ସାର୍ ବାସୁଦେଵ ସୁଢ଼ଳଦେବଙ୍କର ଯୋଗ୍ୟ ଜ୍ୟୋଷ୍ଠାତ୍ମଜ ସଚ୍ଚିଦାନନ୍ଦ ତ୍ରିଭୁବନ ଦେଵଙ୍କ ପଵିତ୍ର ନାମ ଉତ୍କଳର ପୁରପଲ୍ଲୀରେ ଗୃହେ ଗୃହେ କୀର୍ତ୍ତତ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହାଙ୍କ ଵିଷୟରେ ଦୀର୍ଘ ଆଲେଖ୍ୟ ରହିଛି। 

🔴ସଦରି କୋଲ—ବାମଣ୍ଡାର କୋହ୍ଲ ଜାତୀୟ ଲୋକଙ୍କ କଥିତ ଭାଷା

🔴ସନ୍ତକ —ବାମଣ୍ଡା ରାଜବଂଶର ସନ୍ତକ ହେଉଛି ଶଙ୍ଖ।

🔴ସ(ସୁ)ପୁର୍ ଚକୁଲି—ସରୁ ଚକୁଳି

🔴ସାର୍ ବାସୁଦେଵ ସୁଢ଼ଳଦେଵ C.I.E
ବାମଣ୍ଡାର ସ୍ୱର୍ଗତ ଭାରତପ୍ରସିଦ୍ଧ ରାଜା । ଏ ଜଣେ ସଂସ୍କୃତଜ୍ଞ ପଣ୍ଡିତ ଥିଲେ। ଏହାଙ୍କ ରଚିତ 'ଅଳଙ୍କାର ବୋଧୋଦୟ' ନାମକ ଅଳଙ୍କାର ପୁସ୍ତକ ଏବଂ 'ବୀରବାମା' ଓ 'ଚିତ୍ରୋତ୍ପଳା' କାବ୍ୟ ଓଡ଼ିଶାରେ ସୁପରିଚିତ ‌ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହାଙ୍କ ଵିଷୟରେ ଦୀର୍ଘ ଆଲେଖ୍ୟ ରହିଛି । 

🔴 ସରସ୍ଵତୀ —ପଣ୍ଡିତମାନଙ୍କୁ ଦିଆଯିବା ଉପାଧି ଵିଶେଷ
[ଦ୍ର—ସ୍ୱର୍ଗତ ଫକୀରମୋହନ ସେନାପତିଙ୍କୁ ବାମଣ୍ଡାର ସ୍ୱର୍ଗତ ରାଜା ସଚ୍ଚିଦାନନ୍ଦ ତ୍ରିଭୁବନଦେଵ ସରସ୍ୱତୀ ଉପାଧି ଦେଇଥିଲେ।]

🔴ସୁଇ— ବାମଣ୍ଡାରେ ଦେଖାଯାଉଥିଵା ଏକ ଜାତୀୟ ପକ୍ଷୀ 

🔴ସୁଢ଼ଳଦେଵ —ବାମଣ୍ଡା ରାଜବଂଶରେ ଏକପୁରୁଷ ଛଡ଼ା ରାଜାଙ୍କର ଉପାଧି
[ଯଥା—ରାଜା ସର୍ ବାସୁଦେବ ସୁଢଳଦେଵ, ତାଙ୍କ ପୁତ୍ର ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେଵ, ତାଙ୍କ ପୁତ୍ର ରାଜା ଭାନୁଗଙ୍ଗ ତ୍ରିଭୁବନ ଦେଵ]

🔴ସୁଵର୍ଣ୍ଣମୁଣ୍ଡି —କଳରବକାରୀ ପକ୍ଷିବିଶେଷ [ଦ୍ର—ଏହି ପକ୍ଷୀଙ୍କ ନାମରୁ ବାମଣ୍ଡାର ସୁନାମୁଣ୍ଡା ପର୍ଵତର ନାମ ହୋଇଅଛି। ଏହି ପକ୍ଷୀର ମୁଣ୍ଡ ହଳଦିଆ।—ବଳଭଦ୍ର ଗ୍ରନ୍ଥାଵଳୀ]

🔴 ସୁଲୋଚନା ଦେଈ —ଏ ବାମଣ୍ଡା ରାଜ-ମୁଦ୍ରାଯନ୍ତ୍ରର ସ୍ୱର୍ଗତ ମାନେଜର ଶ୍ରୀ ଦୀନବନ୍ଧୁ ଗଡ଼ନାୟକଙ୍କ କନ୍ଯା। ସ୍ୱର୍ଗତ ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେଵ ଓ ରାଜ୍ଞୀ ଶ୍ରୀମତୀ ଡମରୁଧର ପ୍ରିୟା ମହାଦେଵୀଙ୍କ ସାହାଯ୍ୟରେ ଏ ଦେଵଗଡ଼ ରାଜଧାନୀରେ ଶିକ୍ଷାଲାଭ କରିଥିଲେ ଓ ବାମଣ୍ଡାର କନ୍ୟାମାନଙ୍କ ମଧ୍ୟରେ ପ୍ରଥମେ ମିଡିଲ୍ ଭର୍ଣ୍ଣାକୁଲର୍ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣା ହୋଇଥିଲେ। ଘରେ ବଙ୍ଗଳା ଓ ଉଚ୍ଚାଙ୍ଗ ଓଡ଼ିଆ ପୁସ୍ତକମାନ ପାଠ କରି ଏ ବହୁଜ୍ଞାନାର୍ଜ୍ଜନ କରିଅଛନ୍ତି। ଅବକାଶମଞ୍ଜରୀ (କଵିତା), ଚିତ୍ତଵିକାଶ (ଗଦ୍ୟ ଓ ପଦ୍ଯ), ବଣମଲ୍ଲୀ (ଗଦ୍ୟ ଓ ପଦ୍ଯ), ଦମୟନ୍ତୀ (ଗଦ୍ୟ), ସାବିତ୍ରୀ (ଗଦ୍ୟ), ବିବାହମଙ୍ଗଳ ଆଦି କେତେଗୁଡ଼ିଏ ପୁସ୍ତକ ଏ ରଚନା କରିଅଛନ୍ତି। ଭାଷାକୋଷ ଲେଆଗଲା ସମୟରେ ସେ ତାଙ୍କ ଗ୍ରାମ ବାମଣ୍ଡା ରାଜ୍ୟର ସଇଡ଼ାରେ ବାସ କରୁଥିଲେ । 1938 ସାଲ ଫେବୃୟାରୀ ମାସରେ ଭାଷାକୋଷର ସଂଗ୍ରାହକ ତାଙ୍କର ଗ୍ରାମରେ ଥିଵା ଘରକୁ ଯାଇ ତାଙ୍କୁ ଭେଟିଥିଲେ। ସେ ବାମଣ୍ଡା ରାଜଦରବାରରୁ 'କଵିତା ମନୋରମା' ଉପାଧି ପାଇ ଅଛନ୍ତି। ଲେଖିକା-କଵିୟତ୍ରୀ ଭାବେ ସୁଲୋଚନା ଦେଈ ବାମଣ୍ଡାର ଗୌରଵ ବୋଲି ବାମଣ୍ଡାର ରାଜ ପିତାମହୀ ଶ୍ରୀମତୀ ଡମରୁଧର ପ୍ରିୟାଦେଵୀ ପ୍ରକାଶ କରିଅଛନ୍ତି। ଏ 1998 ସାଲରେ ଜନ୍ମଗ୍ରହଣ କରିଥିଲେ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଲେଖାଯିଵା ସମୟରେ ଏହାଙ୍କର ଵୟସ 40 ଵର୍ଷ ହୋଇଥିଲା । 

🔴ହଡ଼ହଡ଼ିଘାଟ(ହରହରିଘାଟ)
ଏଠାରେ ହର ଓ ହରିଙ୍କ ମୂର୍ତ୍ତି ଥିଵାରୁ ଏଭଳି ନାମକରଣ । କଟକ ସହରର ଚାନ୍ଦନୀଚୌକରେ କମିଶନ ସାହେବଙ୍କ କୋଠି ହତାରୁ ପଶ୍ଚିମକୁ ଲାଗିଥିଵା କାଠଯୋଡ଼ି ନଦୀର ଗୋଟିଏ ସ୍ନାନ ଘାଟ । 
ଏହି ଘାଟରୁ ଲକ୍ଷିତ ପ୍ରାକୃତିକ ଦୃଶ୍ୟକୁ ବାମଣ୍ଡାର କଳାକୁଶଳ ସ୍ୱର୍ଗତ ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେଵ "ଦେଵଦ୍ୱାରରେ ସନ୍ଧ୍ୟା" ରୂପେ ଏହି ଘାଟରେ ବସି 1913 ସାଲରେ ଚିତ୍ରରେ ଅଙ୍କିତ କରିଥିଲେ ଓ ଏହି ଚିତ୍ର କଲିକତାର ବଙ୍ଗୀୟ ପତ୍ରିକା 'ଭାରତବର୍ଷ'ରେ ଓ କଟକର 'ଉତ୍କଳ ସାହିତ୍ୟ' ପତ୍ରିକାରେ ମୁଦ୍ରିତ ହୋଇଥିଲା ।

🔴ହଳ — ବଳଦ(ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଆଗେ ବାମଣ୍ଡାରେ ବଳଦଙ୍କୁ ଏ ରାଜ୍ୟରେ ହଳ କୁହାଯାଉଥିଲା)

🔴ହାକା କରିଵା—ଭାଡ଼ି ଚହଲେଇଵା

🔴ହିତୈଷିଣୀ—ବାମଣ୍ଡାର ଭୂତପୂର୍ଵ ନରପତି ସ୍ୱର୍ଗୀୟ ସର୍ ବାସୁଦେଵ ସୁଢ଼ଳ ଦେଵଙ୍କ ଆନୁକୁଲ୍ୟରେ ଦେଵଗଡ଼ ରାଜଧାନୀରୁ ପୂର୍ଵେ 'ସମ୍ବଲପୁର ହିତୈଷିଣୀ' ନାମରେ ଖଣ୍ଡିଏ ଓଡ଼ିଆ ସାପ୍ତାହିକ ସମ୍ବାଦ ପତ୍ର ପ୍ରକାଶିତ ହେଉଥିଲା। ଏଥିରେ ଦେଶର ସମ୍ବାଦ ଛଡ଼ା ସାହିତ୍ୟ ଵିଷୟକ ଚର୍ଚ୍ଚା ହେଉଥିଲା। ସାର୍ ବାସୁଦେଵ ନିଜେ ମଧ୍ୟ ଏଥିରେ ପ୍ରବନ୍ଧ ମାନ ଲେଖୁଥିଲେ। ସ୍ୱର୍ଗୀୟ ନୀଳମଣି ଵିଦ୍ୟାରତ୍ନଙ୍କ ସମ୍ପାଦକତ୍ୱରେ ଏ ପତ୍ରିକା ସଵିଷେଶ ଉନ୍ନତି ଲାଭ କରିଥିଲା । 

🔴ହୁଳି— ଛୋଟ ପାହାଡ଼ 

ତେବେ ଆମ ବାମଣ୍ଡା ଵା ଆଧୁନିକ ଦେଵଗଡ଼ର ଶବ୍ଦ ସମ୍ଭାର ବହୁତ ଵିଶାଳ । କଥିତ ଓଡ଼ିଆ ଶବ୍ଦକୋଷରେ ଦେଵଗଡ଼ର ସହସ୍ରାଧିକ ଶବ୍ଦ ସ୍ଥାନିତ ହୋଇଅଛି । ଭଵିଷ୍ୟତରେ କଥିତ ଓଡ଼ିଆ ଶବ୍ଦକୋଷରେ ଥିଵା ଦେଵଗଡ଼ର ଶବ୍ଦସମ୍ଭାରର ସୂଚୀ ପ୍ରଦତ୍ତ ହେଵ ।