My Blog List

Showing posts with label ପୁସ୍ତକ. Show all posts
Showing posts with label ପୁସ୍ତକ. Show all posts

Monday, August 3, 2026

ମୁଖା

ମୁମ୍ବାଇର ଜଣେ ପ୍ରସିଦ୍ଧ ତଥା ଧନୀ ମରାଠୀ ଶିଳ୍ପପତିଙ୍କର ଏକମାତ୍ର ଝିଅ ଥିଲା ସାୟଲୀ । ସାୟଲୀ ତା’ ପିତାମାତାଙ୍କର ପ୍ରାଣଠାରୁ ଅଧିକ ପ୍ରିୟ ଥିଲା। ସବୁ ସୁଖ-ସୁଵିଧା ଓ ଆଦର-ଯତ୍ନ ମଧ୍ୟରେ ବଢ଼ିଥିଵା ସାୟଲୀ ଜୀଵନର ପ୍ରକୃତ ସତ୍ୟ ଏଵଂ ସମାଜର ଜଟିଳତା ଵିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲା। କଲେଜରେ ପଢ଼ିଵା ସମୟରେ, ସେ ଜଣେ ପଠାଣ ଯୁଵକର ପ୍ରେମରେ ପଡ଼ିଗଲା। ପ୍ରେମର ସେହି ଆଵେଗ ଏତେ ଗଭୀର ଥିଲା ଯେ ସାୟଲୀ ନିଜ ପରିଵାର, ସଂସ୍କାର ଓ ନିଜ ସଂସ୍କୃତିକୁ ମଧ୍ୟ ଭୁଲିଵାକୁ ଲାଗିଲା।
ଯେତେବେଳେ ବାପା-ମା’ ଏହି ଵିଷୟରେ ଜାଣିଲେ ସେତେବେଳେ ସେମାନଙ୍କ ପାଦ ତଳୁ ମାଟି ଖସିଗଲା। ସେମାନେ ସାୟଲୀକୁ ଅନେକ ବୁଝାଇଵାକୁ ଚେଷ୍ଟା କଲେ କିନ୍ତୁ ପ୍ରେମରେ ଅନ୍ଧ ହୋଇସାରିଥିଵା ସାୟଲୀ ନିଜ ପିତାମାତାଙ୍କ କୌଣସି କଥା ଶୁଣିଵାକୁ ପ୍ରସ୍ତୁତ ନଥିଲା। ସେ ସ୍ପଷ୍ଟ ମନା କରିଦେଲା ଏଵଂ ନିଜ ପ୍ରେମ ପାଇଁ ନିଜ ଜନ୍ମଦାତାଙ୍କ ସହ ସମ୍ପର୍କ ଭାଙ୍ଗିଵାକୁ ମଧ୍ୟ ପଛଘୁଞ୍ଚା ଦେଲାନାହିଁ। ବାପା-ମା’ ନିଜକୁ ନିରୁପାୟ ଓ ଅସହାୟ ବୋଲି ମନେକଲେ। ନିଜ ଝିଅକୁ ଏହି ଭୁଲ୍ ରାସ୍ତାରୁ କିପରି ଫେରାଇ ଆଣିବେ, ସେମାନଙ୍କୁ କିଛି ବାଟ ଦିଶୁନଥିଲା।
ଶେଷରେ, ନିଜର ଆକୁଳତା ନିୟନ୍ତ୍ରଣ ନକରିପାରି, ବାପା ନିଜର ଜଣେ ପୁରୁଣା ଓ ଵିଶ୍ୱାସପ୍ରଦ ପରିଵାର ବନ୍ଧୁଙ୍କ ସହ ଏହି ଵିଷୟରେ ଆଲୋଚନା କଲେ। ସେହି ବନ୍ଧୁ ଜଣକ ଜଣେ ବୁଦ୍ଧିମତୀ, ଶିକ୍ଷିତା ଓ ଅନୁଭଵୀ ମହିଳା ଥିଲେ। ସେ ସମସ୍ତ କଥା ଶାନ୍ତ ଭାବେ ଶୁଣିଲେ ଏଵଂ କହିଲେ, "ଜୋର-ଜବରଦସ୍ତି କିମ୍ବା ରାଗ ଦ୍ୱାରା ପ୍ରେମର ନିଶା ଅଟକାଯାଇପାରିଵ ନାହିଁ। ଏଥିପାଇଁ ଧୈର୍ଯ୍ୟ, ବୁଦ୍ଧି ଓ ଯଥାର୍ଥ କୌଶଳର ଆଵଶ୍ୟକତା ଅଛି।"

କିଛି ଦିନ ପରେ, ସେହି ବନ୍ଧୁ ଜଣକ ଦୁଇଟି ପରିଵାର ମିଶି ଏକାଠି ବଣଭୋଜି କରି ଯିଵାର ଯୋଜନା କଲେ। ସମସ୍ତେ ସହର ବାହାରେ ଥିଵା ଏକ ସୁନ୍ଦର ପ୍ରାକୃତିକ ପରିଵେଶକୁ ଗଲେ। ବଣଭୋଜି ଚାଲିଥିଵା ଭିତରେ, ବନ୍ଧୁ ଜଣକ ସମସ୍ତଙ୍କ ସାମ୍ନାରେ ଜାଣିଶୁଣି ସାୟଲୀର ସମର୍ଥନ କଲେ। ସେ କହିଲେ, "ସବୁ ରିଲିଜନ୍-ମଜହବ୍-ଧର୍ମର ମୂଳ ଵିଚାର ସମାନ। ଯଦି ଦୁଇଜଣ ପରସ୍ପରକୁ ପ୍ରକୃତ ପ୍ରେମ କରୁଛନ୍ତି, ତେବେ ଧର୍ମ-ମଜହବ୍-ରିଲିଜନ୍ ସେମାନଙ୍କ ମାଧ୍ୟମରେ ପ୍ରତିବନ୍ଧକ ହେଵା ଉଚିତ୍ ନୁହେଁ। ପିତାମାତାମାନେ ନିଜ ଝିଅର ଖୁସି ପାଇଁ ଏହି ଵିଵାହରେ ସମ୍ମତି ଦେଵା ଦରକାର।"

ଏହି କଥା ଶୁଣି ସାୟଲୀର ମନରେ ଆଶାର ଏକ ନୂଆ କିରଣ ଜାଗ୍ରତ ହେଲା। ପୂର୍ଵରୁ ସମସ୍ତେ ତାକୁ ଵିରୋଧ କରୁଥିଲେ କିନ୍ତୁ ଏହି ସମ୍ପର୍କୀୟା ମାଉସୀ ତା’ର ପକ୍ଷ ନେଉଥିଵାରୁ, ସାୟଲୀ ତାଙ୍କୁ ନିଜର ସବୁଠାରୁ ବଡ଼ ସମର୍ଥକ ଓ ଶୁଭଚିନ୍ତକ ବୋଲି ଭାବିଵାକୁ ଲାଗିଲା। ତା’ ଆଖିରେ ସେହି ମହିଳା ଜଣକ ଜଣେ ମାର୍ଗଦର୍ଶକ ପାଲଟିଗଲେ।

ବଣଭୋଜି ଚାଲିଥିଵା ସମୟରେ ମଧ୍ୟ ସେହି ପଠାଣ ଯୁଵକର ଫୋନ୍ ସାୟଲୀ ପାଖକୁ ବାରମ୍ବାର ଆସୁଥିଲା। ସାୟଲୀ ଲୁଚି ଲୁଚି ତା’ ସହ କଥା ହେଉଥିଲା। ଏହା ଲକ୍ଷ୍ୟ କରି, ବନ୍ଧୁ ଜଣକ ସାୟଲୀକୁ ସ୍ନେହରେ ଏକାନ୍ତକୁ ଡାକି ନେଲେ। ସେ ତା’ ହାତରେ ମରାଠୀ ଭାଷାରେ ଅନୁଵାଦିତ ଏକ ବହି Not Without My Daughter ଧରାଇଦେଲେ। 

ସେ ସାୟଲୀକୁ ମୃଦୁ ହସି କହିଲେ, "ତୁମେ ଜଣେ ପଠାଣ ଯୁଵକକୁ ଵିଵାହ କରିଵାକୁ ଯାଉଛ। ତେଣୁ,ଵିଵାହ ପୂର୍ଵରୁ ତା ସଂସ୍କୃତି, ରୀତିନୀତି ଓ ସମାଜର ଵାସ୍ତଵତା ଵିଷୟରେ ତୁମର କିଛି ଜ୍ଞାନ ଥିଵା ଉଚିତ୍। ଏହି ବହିଟି ପଢ଼, ଏହା ତୁମକୁ ଅନେକ କଥା ବୁଝିଵାରେ ସାହାଯ୍ୟ କରିଵ।"

ସାୟଲୀ ବହିଟିକୁ ନେଇ ନିଜ ରୁମ୍‌କୁ ଗଲା। ରାତି ପ୍ରାୟ ୧୧:୩୦ ହୋଇଥିଲା। ଚାରିଆଡ଼ ଶାନ୍ତ, ନିଶବ୍ଦ । ସାୟଲୀ ବହିଟିର ପ୍ରଥମ କିଛି ପୃଷ୍ଠା ଓଲଟାଇ ପଢ଼ିଵା ଆରମ୍ଭ କଲା। ବହିଟିରେ ଜଣେ ଅଣ-ପଠାଣ ମହିଳାଙ୍କର ପଠାଣ ପରିଵାରରେ ଵିଵାହ ପରର ଭୟାନକ ଅନୁଭୂତି, କଠୋର ନିୟମ, ନିର୍ଯାତନା ଓ ମାନସିକ ଯନ୍ତ୍ରଣାର ଵାସ୍ତଵ ଚିତ୍ର ଅତ୍ୟନ୍ତ ଜୀଵନ୍ତ ଭାବେ ଵର୍ଣ୍ଣନା କରାଯାଇଥିଲା।
ବହିଟିର ମାତ୍ର କିଛି ପୃଷ୍ଠା ପଢ଼ୁ ପଢ଼ୁ ସାୟଲୀର ଦେହ ଶିହରି ଉଠିଲା। ତା’ର ଛାତି ଭିତରଟା କମ୍ପିଵାକୁ ଲାଗିଲା। ସେ ଯେଉଁ ସ୍ୱପ୍ନର ଦୁନିଆରେ ରହୁଥିଲା, ତାହା ଗୋଟିଏ ମୁହୂର୍ତ୍ତରେ ଭାଙ୍ଗିରୁଜି ଚୂରମାର ହୋଇଗଲା। ଭୟ ଓ ଆଶଙ୍କାରେ ତା’ ଆଖିରୁ ଲୁହ ବୋହିଵାକୁ ଲାଗିଲା।

ମାତ୍ର କିଛି ମିନିଟ୍ ମଧ୍ୟରେ, ସାୟଲୀ ଦୌଡ଼ିଯାଇ ସେହି ବନ୍ଧୁଙ୍କ ଶୋଇଵା ଘର କବାଟ ବାଡ଼େଇଲା। ବନ୍ଧୁ ଜଣକ କବାଟ ଖୋଲିଲେ। ସାୟଲୀ ଆଖିରେ ଲୁହ ନେଇ, କମ୍ପିତ ସ୍ୱରରେ କହିଲା, "ଏହା ଅତ୍ୟନ୍ତ ଭୟଙ୍କର ! ଏହା ମୋ କଳ୍ପନା ବାହାରେ। ମୁଁ ଏପରି ଜୀଵନ ବିତାଇ ପାରିବି ନାହିଁ, ମୁଁ ତାକୁ ମୋଟେ ଵିଵାହ କରିବି ନାହିଁ।"

କିନ୍ତୁ ସେହି ଚତୁର ବନ୍ଧୁ ଜଣକ ନିଜର ଆଚରଣ ବଦଳାଇଲେ ନାହିଁ। ସେ ସମ୍ପୂର୍ଣ୍ଣ ଶାନ୍ତ ରହି ସାୟଲୀକୁ ବୁଝାଇଵାକୁ ଲାଗିଲେ, "ଦେଖ ସାୟଲୀ, ଧର୍ମ-ମଜହବ-ରିଲିଜନ୍ ଇତ୍ୟାଦିର ନୀତିନିୟମ ଯାହା ବି ହୋଇଥାଉ ନା କାହିଁକି, ତୁମ ଦୁହିଁଙ୍କ ପ୍ରେମ କ’ଣ ସତ ନୁହେଁ ? ଯଦି ତୁମର ପ୍ରେମ ସତ୍ୟ, ତେବେ ଗୋଟିଏ କାମ କର। ତୁମେ ସେ ପଠାଣ ପିଲାକୁ ହିନ୍ଦୁ ଧର୍ମ ଗ୍ରହଣ କରିଵାକୁ କୁହ। ଯଦି ସେ ତୁମକୁ ସତରେ ଭଲପାଉଥାଏ ତେବେ ସେ ତୁମ ପାଇଁ ଏତିକି କରିପାରିଵ। ସେ ହିନ୍ଦୁ ହୋଇଗଲେ ମୁଁ ନିଜେ ତୁମ ବାପାଙ୍କୁ ବୁଝାଇ ତୁମର ଵିଵାହ କରାଇଦେବି।"

ଏହି ପ୍ରସ୍ତାବ ସାୟଲୀକୁ ବହୁତ ଯୁକ୍ତିଯୁକ୍ତ ଲାଗିଲା। ସେ ଭାବିଲା, "ଯଦି ମୁଁ ମୋ ପରିଵାର ଓ ଧର୍ମକୁ ଛାଡ଼ିଵାକୁ ପ୍ରସ୍ତୁତ ଥିଲି, ତେବେ ସେ ମଧ୍ୟ ମୋ ପାଇଁ ନିଜର ଧର୍ମ ବଦଳାଇ ପାରିବେ।"

ସାୟଲୀ ବିନା ଵିଳମ୍ବରେ ତୁରନ୍ତ ସେହି ଯୁଵକକୁ ଫୋନ୍ କଲା। ଫୋନ୍ ଉଠିଵା କ୍ଷଣି ସାୟଲୀ ବଡ଼ ଉତ୍ସାହର ସହ ବହିଟି ଵିଷୟରେ, ନିଜର ଭୟ ଵିଷୟରେ ଏଵଂ ଶେଷରେ ବନ୍ଧୁଙ୍କର ସେହି ପ୍ରସ୍ତାଵ ବିଷୟରେ ପଠାଣ ପିଲାକୁ ଜଣାଇଲା। ସେ କହିଲା, "ତୁମେ ହିନ୍ଦୁ ଧର୍ମ ଗ୍ରହଣ କରିନିଅ, ଆମେ ଵିଵାହ କରି ଖୁସିରେ ରହିଵା । ମୋ ବାପା ମଧ୍ୟ ରାଜି ହୋଇଯିବେ।"

ଏହା ଶୁଣୁ ଶୁଣୁ ସେପଟୁ ସେହି ଯୁବକର ସ୍ୱର ସମ୍ପୂର୍ଣ୍ଣ ବଦଳିଗଲା। ପ୍ରେମର ସମସ୍ତ ମୁଖା ଗୋଟିଏ ମୁହୂର୍ତ୍ତରେ ଖସିପଡ଼ିଲା। ସେ ଅତ୍ୟନ୍ତ କ୍ରୋଧ ଓ ଘୃଣାର ସହ ଗର୍ଜନ କରି କହିଲା, "ତୁ ଗୋଟାଏ ଵେଶ୍ୟା ଭଳି କ'ଣ କଥାଵାର୍ତ୍ତା କରୁଛୁ କିଲୋ ? ତୋ’ ପରି ଝିଅ ପାଇଁ ମୁଁ ନିଜ ଧର୍ମ ବଦଳାଇବି ବୋଲି ତୁ ଭାବିଲୁ କିପରି?"
ଏହି ଶବ୍ଦଗୁଡ଼ିକ ସାୟଲୀର କାନରେ ଶକ୍ତ ଚଟକଣା ଭଳି ବାଜୁଥାଏ ।‌ ତା’ର ସମସ୍ତ ସ୍ୱପ୍ନ, ସମସ୍ତ ଵିଶ୍ୱାସ ଗୋଟିଏ ସେକେଣ୍ଡରେ ଭାଙ୍ଗି ଚୂରମାର ହୋଇଗଲା। ଯେଉଁ ଯୁଵକ ପାଇଁ ସେ ନିଜ ଜନ୍ମଦାତା ବାପା-ମା’ଙ୍କୁ ପର କରିଵାକୁ ବାହାରିଥିଲା, ସେହି ଯୁଵକର ନଜରରେ ତା’ର ପ୍ରକୃତ ମୂଲ୍ୟ କ’ଣ ଥିଲା, ତାହା ସେ ଅତ୍ୟନ୍ତ ସ୍ପଷ୍ଟ ଭାବେ ବୁଝିପାରିଲା।
ସେହି ଗୋଟିଏ ଆଘାତ ସାୟଲୀକୁ ଵାସ୍ତଵତା ପ୍ରତି ସଚେତନ କରିଦେଲା। ତା’ ଆଖିରୁ ପ୍ରେମର ଅନ୍ଧପୁଟୁଳି ଖସିପଡ଼ିଲା। ସେ ବୁଝିପାରିଲା ଯେ ତାହାର ଆତ୍ମସମ୍ମାନକୁ ପାଦରେ ଦଳି ଦେଇପାରେ ତା'ର ପ୍ରେମ କେବେହେଲେ ବି ସତ୍ୟ ନୁହେଁ କେଵଳ ଛଳନା ଅଟେ । ସେ ସେହି ମୁହୂର୍ତ୍ତରେ ଫୋନ୍ କାଟିଦେଲା ଏଵଂ ସେହି ଯୁଵକ ସହ ସମସ୍ତ ସମ୍ପର୍କ ସଦାସର୍ଵଦା ପାଇଁ ଶେଷ କରିଦେଲା। ନିଜ ଭୁଲ୍ ବୁଝିପାରି ସେ ନିଜ ପିତାମାତାଙ୍କ ନିକଟରେ କ୍ଷମା ମାଗିଲା ଏଵଂ ସେହି ବୁଦ୍ଧିମତୀ ବନ୍ଧୁଙ୍କୁ ଅଶ୍ରୁପୂର୍ଣ୍ଣ ଆଖିରେ କୃତଜ୍ଞତା ଜଣାଇଲା।
•••••••••••••••••••••••••••••••••••••
Not Without My Daughter ବହିଟି ବେଟି ମହମୁଦି ଓ ୱିଲିୟମ୍ ହୋଫର୍‌ଙ୍କ ଦ୍ୱାରା ଲିଖିତ ଏକ ପ୍ରସିଦ୍ଧ ଆତ୍ମଜୀଵନୀମୂଳକ ପୁସ୍ତକ ଅଟେ । ଏହି ବହିଟି ୧୯୮୭ ମସିହାରେ ପ୍ରକାଶିତ ହୋଇଥିଲା। ଏହା ବେଟି ମହମୁଦିଙ୍କ ନିଜ ଜୀଵନର ସତ୍ୟ ଘଟଣା ଉପରେ ଆଧାରିତ ଯେଉଁଥିରେ ସେ ନିଜର ଆମେରିକୀୟ ନାଗରିକତା, ଜଣେ ଇରାନୀୟ ସ୍ୱାମୀଙ୍କୁ ଵିଵାହ, ଇରାନ୍ ଭ୍ରମଣ ସମୟରେ ବନ୍ଦୀ ହୋଇ ରହିବା ଏଵଂ ଶେଷରେ ନିଜ ଝିଅ (ମାହତାବ୍) ସହ ସେଠାରୁ ନିଜ ଜୀଵନ ବାଜି ଲଗାଇ ଖସି ଆସିଵାର ସଂଘର୍ଷପୂର୍ଣ୍ଣ କାହାଣୀ ଵର୍ଣ୍ଣନା କରିଛନ୍ତି।

ବେଟି ଜଣେ ଆମେରିକୀୟ ମହିଳା ଥିଲେ। ସେ ଆମେରିକାରେ ରହୁଥିଵା ଜଣେ ଇରାନୀୟ ଡାକ୍ତର ସୟେଦ ବୁଜୋର୍ଗ ମହମୁଦିଙ୍କୁ ବିବାହ କରିଥିଲେ। ସେମାନଙ୍କର ମାହତାବ୍ ନାମ୍ନୀ ଏକ ଛୋଟ ଝିଅ ଥିଲା। ସ୍ୱାମୀ ଆମେରିକାରେ ଅନେକ ଵର୍ଷ ରହିଵା ପରେ ବହୁତ ଶାନ୍ତ ଓ ଆଧୁନିକ ମନୋଭାବର ଜଣାପଡ଼ୁଥିଲେ। ୧୯୮୪ ମସିହାରେ, ବେଟିଙ୍କୁ ସୟେଦ ନିଜ ପରିଵାର ସହିତ ଭେଟ କରାଇଵା ପାଇଁ ମାତ୍ର ଦୁଇ ସପ୍ତାହ ପାଇଁ ଇରାନ୍ ଯିଵାକୁ ପ୍ରସ୍ତାଵ ଦେଲେ। ବେଟି ପ୍ରଥମେ ସନ୍ଦେହରେ ଥିଲେ ମଧ୍ୟ, ସ୍ୱାମୀ କୁରାନ୍ ଛୁଇଁ ପ୍ରତିଶ୍ରୁତି ଦେଵାରୁ ସେ ନିଜ ଝିଅକୁ ନେଇ ଇରାନ୍ ଯିଵାକୁ ରାଜି ହୋଇଗଲେ।

ଇରାନ୍‌ରେ ପହଞ୍ଚିଵା ପରେ ସ୍ୱାମୀଙ୍କର ଆଚରଣ ସମ୍ପୂର୍ଣ୍ଣ ବଦଳିଗଲା। ଦୁଇ ସପ୍ତାହ ଶେଷ ହେଵା ପରେ, ସେ ସ୍ପଷ୍ଟ ଜଣାଇଦେଲେ ଯେ ସେମାନେ ଆଉ ଆମେରିକା ଫେରିବେ ନାହିଁ ଏଵଂ ସଦାସର୍ଵଦା ପାଇଁ ଇରାନ୍‌ରେ ରହିବେ। ବେଟିଙ୍କର ପାସପୋର୍ଟ ଓ ପଇସା ଛଡ଼ାଇ ନିଆଗଲା। ଇରାନୀୟ ନିୟମ ଅନୁସାରେ, ଜଣେ ଵିଦେଶୀ ମହିଳା ଇରାନୀୟ ପୁରୁଷଙ୍କୁ ଵିଵାହ କଲେ ସ୍ଵତଃ ଇରାନ୍‌ର ନାଗରିକ ହୋଇଯାଆନ୍ତି ଏଵଂ ସ୍ୱାମୀଙ୍କ ଅନୁମତି ବିନା ଦେଶ ଛାଡ଼ିପାରିବେ ନାହିଁ। ବେଟି ନିଜ ଶାଶୂଘରେ ଜଣେ କଏଦୀ ପାଲଟିଗଲେ। ତାଙ୍କ ଉପରେ ଶାରୀରିକ ଓ ମାନସିକ ଅତ୍ୟାଚାର ଆରମ୍ଭ ହେଲା।


ବେଟିଙ୍କୁ ଆମେରିକା ଫେରିଵାର ଗୋଟିଏ ବାଟ ମିଳୁଥିଲା, କିନ୍ତୁ ସର୍ତ୍ତ ଥିଲା ଯେ ସେ ନିଜ ଝିଅ ମାହତାବ୍‌କୁ ଇରାନ୍‌ରେ ଛାଡ଼ି ଏକା ଯିବେ। କିନ୍ତୁ ଜଣେ ମା’ ହିସାବରେ ବେଟି ନିଜ ଝିଅକୁ ସେହି ଅତ୍ୟାଚାରପୂର୍ଣ୍ଣ ପରିଵେଶରେ ଛାଡ଼ିଵାକୁ ସମ୍ପୂର୍ଣ୍ଣ ମନା କରିଦେଲେ। ସେ ସଙ୍କଳ୍ପ ନେଲେ—"ମୁଁ ଯଦି ଯିବି ଯେତେବେଳେ ବି ଯିବି ମୋ ଝିଅକୁ ସାଙ୍ଗରେ ନେଇ ଯିବି, ନଚେତ୍ ଯିବିନାହିଁ"।
ଦୀର୍ଘ ୧୮ ମାସର କଠୋର ସଂଘର୍ଷ, ଗୁପ୍ତ ଯୋଜନା ଏଵଂ କିଛି ସ୍ଥାନୀୟ ସହାୟକଙ୍କ ସାହାଯ୍ୟରେ, ୧୯୮୬ରେ ବେଟି ଓ ତାଙ୍କର ୫ ଵର୍ଷର ଝିଅ ଇରାନ୍‌ର କଠିନ ବରଫାବୃତ ପାହାଡ଼ିଆ ଆର୍କଟିକ୍ ବାଟ ଦେଇ, ଗୁପ୍ତରେ ସୀମା ପାର୍ କରି ତୁର୍କୀକୁ ପଳାୟନ କଲେ। ସେଠାରୁ ସେମାନେ ନିରାପଦରେ ଆମେରିକା ଫେରିଆସିଲେ।

ଇରାନ୍‌ରେ ବନ୍ଦୀ ଥିଵା ସମୟରେ ବେଟି ଦେଖିଥିଲେ ଯେ ତାଙ୍କ ପରି ଅନେକ ଵିଦେଶୀ ମହିଳା ନିଜ ସ୍ୱାମୀଙ୍କ ପ୍ରେମରେ ପଡ଼ି ଇରାନ୍ ଆସିଥିଲେ ଏଵଂ ସେଠାରେ ଫସି ରହି ଅତ୍ୟାଚାରିତ ହେଉଥିଲେ। ଆମେରିକା ଫେରିଵା ପରେ ସେ ଅନୁଭଵ କଲେ ଯେ ଅଜ୍ଞାନତା ଯୋଗୁଁ ଅନେକ ନିରୀହ ଝିଅ ଓ ମା’ମାନେ ଏପରି ଜାଲରେ ଫସିଯାଉଛନ୍ତି। ତେଣୁ ନିଜ ସହ ଘଟିଥିଵା ସତ୍ୟ ଘଟଣା ସାରା ଦୁନିଆ ଆଗରେ ରଖି ଅନ୍ୟମାନଙ୍କୁ ସଚେତନ କରିଵା ତାଙ୍କର ସବୁଠାରୁ ବଡ଼ ଉଦ୍ଦେଶ୍ୟ ଥିଲା।

ଅନ୍ତର୍ଜାତୀୟ ଵାଲ୍ୟ ଅପହରଣ ସମ୍ପର୍କରେ ସେତେବେଳେ ଆମେରିକା କିମ୍ବା ଅନ୍ୟ ଦେଶଗୁଡ଼ିକରେ କୌଣସି କଠୋର ଆଇନ ନଥିଲା। ବେଟି ନିଜର ଦୁଃଖଦ ଅନୁଭୂତିକୁ ବହି ମାଧ୍ୟମରେ ଉପସ୍ଥାପନ କରି ଆମେରିକା ସରକାର ଓ ସାରା ଵିଶ୍ୱର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଥିଲେ, ଯେପରି ଅନ୍ୟ କୌଣସି ପିତା କିମ୍ବା ମା’ଙ୍କୁ ନିଜ ସନ୍ତାନଠାରୁ ଏପରି ଅଲଗା ହେଵାକୁ ନପଡ଼େ।

୧୮ ମାସର ନିର୍ଯାତନା, ଭୟ ଓ ମାନସିକ ସଂଘର୍ଷ ବେଟିଙ୍କ ମନରେ ଏକ ଗଭୀର ଆଘାତ ସୃଷ୍ଟି କରିଥିଲା। ମନୋଵିଜ୍ଞାନୀ ଏଵଂ ତାଙ୍କ ଶୁଭଚିନ୍ତକମାନେ ତାଙ୍କୁ ନିଜର ଅନୁଭୂତି ଲେଖିଵାକୁ ପରାମର୍ଶ ଦେଇଥିଲେ। 

ଏପଟେ ଆମେରିକା ଫେରିଵା ପରେ ବେଟିଙ୍କର ସାହସିକ ପଳାୟନର ଖବର ସ୍ଥାନୀୟ ଗଣମାଧ୍ୟମରେ ଆଲୋଚନାର ଵିଷୟ ପାଲଟିଥିଲା। ଏହି ସମୟରେ ପ୍ରସିଦ୍ଧ ଲେଖକ ୱିଲିୟମ୍ ହୋଫର୍ ବେଟିଙ୍କ ସହ ଯୋଗାଯୋଗ କଲେ। ବେଟି ମହମୁଦି ଜଣେ ପେସାଦାର ଲେଖିକା ନଥିଲେ। ଏକ ଭୟଙ୍କର ସତ୍ୟ ଘଟଣାକୁ ପାଠକଙ୍କ ପାଖରେ ଉପଯୁକ୍ତ ସଂବେଦନଶୀଳ ଓ ଉତ୍କଣ୍ଠାପୂର୍ଣ୍ଣ ଶୈଳୀରେ ଉପସ୍ଥାପନ କରିଵା ପାଇଁ ଜଣେ ଦକ୍ଷ ଲେଖକଙ୍କ ଆଵଶ୍ୟକତା ଥିଲା।

ସେହି ସମୟରେ ବେଟିଙ୍କୁ ଭେଟି ୱିଲିୟମ୍ ହୋଫର୍ ତାଙ୍କୁ ବୁଝାଇଥିଲେ ଯେ ତାଙ୍କର ଏହି କାହାଣୀ କେଵଳ ଏକ ସାଧାରଣ ଖବର ନୁହେଁ, ଏହା ଏକ ଶକ୍ତିଶାଳୀ ବହି ହୋଇପାରିଵ ଯାହା ଲୋକଙ୍କ ଆଖି ଖୋଲିଦେଵ । ବେଟି ମହମୁଦି ରାଜି ହେଵାରୁ ବେଟିଙ୍କ ସହ ଘଟିଥିଵା ସମସ୍ତ ଘଟଣା, ତାରିଖ ଓ ଅନୁଭୂତିଗୁଡ଼ିକୁ ଶୃଙ୍ଖଳିତ ଭାବେ ଏକାଠି କରି ଏକ ଆକର୍ଷଣୀୟ ଉପନ୍ୟାସ ଆକାରରେ ଲେଖିଵାର କାମ ୱିଲିୟମ୍ ହୋଫର୍ କରିଥିଲେ। ହୋଫର୍ ବେଟିଙ୍କ ସହ ଘଣ୍ଟା ଘଣ୍ଟା ଧରି କଥାଵାର୍ତ୍ତା କରି ତାଙ୍କ ଅନୁଭୂତିକୁ ଲିପିବଦ୍ଧ କରିଥିଲେ ଏଵଂ ତାହାକୁ ଵ୍ୟାକରଣଗତ ଓ ସାହିତ୍ୟିକ ଦୃଷ୍ଟିରୁ ସୁନ୍ଦର ଭାବେ ରଚନା କରିଥିଲେ। କାହାଣୀଟି ସମ୍ପୂର୍ଣ୍ଣ ଭାବେ ବେଟି ମହମୁଦିଙ୍କର ଥିଲା କିନ୍ତୁ ସେହି କାହାଣୀକୁ ଶବ୍ଦର ରୂପ ଦେଇ ଏକ Bestseller ବହିରେ ପରିଣତ କରିଵାର ଶ୍ରେୟ ୱିଲିୟମ୍ ହୋଫର୍‌ଙ୍କୁ ଦିଆଯାଏ । ଏହିକାରଣରୁ ବହିର ପ୍ରଚ୍ଛଦପଟରେ ୱିଲିୟମ୍ ହୋଫର୍‌ଙ୍କୁ ସହ-ଲେଖକ ଭାବେ ସମ୍ମାନ ଦିଆଯାଇଛି।

Not Without My Daughter ବହିଟି ପ୍ରକାଶିତ ହେଵା ପରେ ସାରା ଵିଶ୍ୱରେ ଚହଳ ସୃଷ୍ଟି କରିଥିଲା। ଏହା ନାରୀର ସାହସ, ମାତୃତ୍ୱର ଶକ୍ତି ଓ ସ୍ୱାଧୀନତା ପାଇଁ ସଂଘର୍ଷର ଏକ ଅମର ପ୍ରତୀକ ପାଲଟିଗଲା। ୧୯୯୧ ମସିହାରେ ଏହି ବହି ଉପରେ ଆଧାରିତ ଏକ ହଲିଉଡ୍ ଚଳଚ୍ଚିତ୍ର ମଧ୍ୟ ନିର୍ମିତ ହୋଇଥିଲା, ଯେଉଁଥିରେ ଅଭିନେତ୍ରୀ ସାଲି ଫିଲ୍ଡ୍ ବେଟିଙ୍କ ଭୂମିକାରେ ଅଭିନୟ କରିଥିଲେ।

Wednesday, October 22, 2025

"Le Voyageur Imprudent" ଉପନ୍ୟାସର କାହାଣୀ: ସମୟର ଅଜଣା ଯାତ୍ରୀ

ଏକ ସମୟରେ, ଫ୍ରାନ୍ସର ଏକ ଛୋଟ ସହରରେ ପିଏରେ ନାମେ ଜଣେ ଯୁଵକ ରହୁଥିଲେ। ପିଏରେ ଥିଲେ ଖୁଵ୍‌ ଚତୁର ଓ କୌତୁହଳୀ। ସେ ଵିଜ୍ଞାନ ଓ ଅଜଣା ରହସ୍ୟ ଵିଷୟରେ ସବୁବେଳେ ଚିନ୍ତା କରୁଥିଲେ। ତାଙ୍କର ଜଣେ ଵୈଜ୍ଞାନିକ ସାଙ୍ଗ ଥିଲେ, ଡକ୍ଟର ମାଥିଉ। ମାଥିଉ ଥିଲେ ଏକ ଅଜଣା ଗଵେଷଣାରେ ନିୟୋଜିତ, ଯାହା ଥିଲା ସମୟ ଯାତ୍ରାର ଏକ ମେସିନ୍‌ ତିଆରି କରିଵା। ମାଥିଉ ଆଵିଷ୍କାର କରିଥିଲେ ଏକ ଅଜଣା ରସାୟନ, ଯାହା ମଣିଷକୁ ସମୟରେ ଆଗପଛ ଯାତ୍ରା କରାଇ ପାରୁଥିଲା। ଏହି ରସାୟନର ନାମ ଥିଲା "ନୋଏଲିଟ୍‌"।

ପିଏରେ ମାଥିଉଙ୍କ ସାଙ୍ଗରେ ତାଙ୍କ ଲାବୋରେଟୋରୀରେ କାମ କରୁଥିଲେ। ମାଥିଉ ତାଙ୍କୁ ନୋଏଲିଟ୍‌ ଵିଷୟରେ କହିଥିଲେ। ଏହା ଥିଲା ଏକ ଏମିତି ପଦାର୍ଥ, ଯାହାକୁ ଶରୀରରେ ପ୍ରୟୋଗ କଲେ ମଣିଷ ସମୟରେ ଯାତ୍ରା କରି ପାରୁଥିଲା। କିନ୍ତୁ ଏହା ଅତ୍ୟନ୍ତ ଵିପଜ୍ଜନକ ଦରଵ ଥିଲା, କାରଣ ଏହାର ପ୍ରଭାଵ କେତେ ସମୟ ରହିଵ କି କେମିତି କାମ କରିଵ, ତାହା ସମ୍ପୂର୍ଣ୍ଣ ଜଣା ନଥିଲା। ପିଏରେ ଏହି ଆଵିଷ୍କାରରେ ଵିଶେଷ ଉତ୍ସାହିତ ହେଲେ। ସେ ଭାବିଲେ, “ଯଦି ମୁଁ ଅତୀତକୁ ଯାଇ ପାରେ, ତେଵେ ମୁଁ ଇତିହାସରେ କ’ଣ ହେଉଛି ତାହା ନିଜ ଆଖିରେ ଦେଖି ପାରିବି।” 

କିନ୍ତୁ ମାଥିଉ ପିଏରେଙ୍କୁ ସତର୍କ କରିଥିଲେ, “ପିଏରେ, ସମୟ ଯାତ୍ରା ଏକ ଖେଳ ନୁହେଁ। ଅତୀତରେ କିଛି ବଦଳାଇଲେ ଭଵିଷ୍ୟତ ସମ୍ପୂର୍ଣ୍ଣ ବଦଳି ଯାଇପାରେ।” କିନ୍ତୁ ପିଏରେଙ୍କ କୌତୁହଳ ତାଙ୍କୁ ଅଟକାଇ ପାରିଲା ନାହିଁ। ସେ ନୋଏଲିଟ୍‌ ଵ୍ୟଵହାର କରି ଅତୀତକୁ ଯିଵାକୁ ନିଷ୍ପତ୍ତି ନେଲେ।

ପିଏରେ ନୋଏଲିଟ୍‌ର ଏକ ଛୋଟ ଡୋଜ୍‌ ନେଲେ ଓ ମନେ ମନେ ଏକ ସମୟ ଚିନ୍ତା କଲେ—୧୮ଶ ଶତାବ୍ଦୀ, ଯେତେଵେଳେ ଫରାସୀ ଵିପ୍ଲଵ ଆରମ୍ଭ ହୋଇନଥିଲା। ସେ ନିଜକୁ ଏକ ପୁରୁଣା ସହରରେ ପାଇଲେ, ଯେଉଁଠି ଲୋକମାନେ ଅଜଣା ପୋଷାକ ପିନ୍ଧି ଘୋଡ଼ାଗାଡ଼ିରେ ଯାଉଥିଲେ। ପିଏରେ ବହୁତ ଆଶ୍ଚର୍ଯ୍ୟ ହେଲେ। ସେ ଚାରିଆଡ଼େ ଦେଖିଲେ ଏଵଂ ଲୋକମାନଙ୍କ ସାଙ୍ଗରେ କଥା ହେଵାକୁ ଚେଷ୍ଟା କଲେ। କିନ୍ତୁ କିଛି ସମୟ ମଧ୍ୟରେ ହିଁ ସେ ବୁଝିଗଲେ ଯେ ତାଙ୍କ ଆଧୁନିକ କଥାଵାର୍ତ୍ତା ଓ ପୋଷାକ ଲୋକମାନଙ୍କୁ ଅଜଣା ଲାଗୁଛି।

ସେ ଏକ ଛୋଟ ଗାଁରେ ପହଞ୍ଚିଲେ, ଯେଉଁଠି ସେ ଜଣେ ଯୁଵକଙ୍କୁ ଭେଟିଲେ, ଯାହାଙ୍କ ନାମ ଥିଲା ଜିନ୍‌। ଜିନ୍‌ ଥିଲେ ତାଙ୍କ ପୂର୍ଵଜ—ଅର୍ଥାତ୍‌ ପିଏରେଙ୍କ ଜେଜେଙ୍କ ଜେଜେ। ଜିନ୍‌ ଥିଲେ ଏକ ସାଧାରଣ ଚାଷୀ, କିନ୍ତୁ ବହୁତ ଉଦାର। ପିଏରେ ଜିନ୍‌ଙ୍କ ସାଙ୍ଗରେ କିଛି ସମୟ କାଟିଲେ ଏଵଂ ତାଙ୍କ ଜୀଵନ ଵିଷୟରେ ଜାଣିଲେ। ଜିନ୍‌ ତାଙ୍କୁ କହିଲେ ଯେ ସେ ଏକ ମହିଳାଙ୍କୁ ଵିଵାହ କରିଵାକୁ ଚାହୁଁଛନ୍ତି, କିନ୍ତୁ ଗାଁର ଜମିଦାର ଅନେକ ଅସୁଵିଧା ସୃଷ୍ଟି କରୁଛନ୍ତି।

ପିଏରେ ଭାବିଲେ, “ଯଦି ମୁଁ ଜିନ୍‌ଙ୍କୁ ସାହାଯ୍ୟ କରେ, ତେବେ ମୋ ପରିଵାରର ଭାଗ୍ୟ ଵଦଳି ଯାଇପାରେ।” ସେ ଜମିଦାରଙ୍କ ଵିରୁଦ୍ଧରେ ଜିନ୍‌ଙ୍କୁ ସାହାଯ୍ୟ କରିଵାକୁ ନିଷ୍ପତ୍ତି ନେଲେ। କିନ୍ତୁ ଏହି ସାହାଯ୍ୟ କରିଵା ପାଇଁ ସେ ଏକ ଵିପଜ୍ଜନକ ଯୋଜନା କଲେ। ସେ ଜମିଦାରଙ୍କ ଘରେ ଚୋରି କରିଵାକୁ ଯୋଜନା କଲେ, ଯାହା ଜିନ୍‌ଙ୍କୁ ଆର୍ଥିକ ସାହାଯ୍ୟ ଦେଇ ପାରିଵ।

ପିଏରେଙ୍କ ଯୋଜନା ସଫଳ ହେଲା, କିନ୍ତୁ ଏହାର ପରିଣାମ ଭୟଙ୍କର ହେଲା। ଜମିଦାରଙ୍କ ଘରେ ଚୋରି ହେଵା ପରେ ଗାଁରେ ଏକ ବଡ଼ ଧରଣର ଵିଵାଦ ଦେଖାଦେଲା। ଶେଷରେ ଜିନ୍‌ଙ୍କୁ ସନ୍ଦେହ କରାଗଲା ଆଉ ତାଙ୍କୁ ଧରି ଶାସ୍ତି ଦିଆଗଲା। ପିଏରେ ଵୁଝିଲେ ଯେ ତାଙ୍କ ହସ୍ତକ୍ଷେପ ଜିନ୍‌ଙ୍କ ଜୀଵନକୁ ଆହୁରି ଖରାପ କରିଦେଲା। ସେ ମନେ ମନେ ଭାବିଲେ, “ମୁଁ ଅତୀତକୁ ବଦଳାଇଵାକୁ ଚେଷ୍ଟା କଲି, କିନ୍ତୁ ଏହା ଆହୁରି ଖରାପ କରିଦେଲା।”

ପିଏରେ ଆଉ ଏକ ନୋଏଲିଟ୍‌ ଡୋଜ୍‌ ନେଇ ଆହୁରି ଅତୀତକୁ ଯାତ୍ରା କଲେ, ଯେଉଁଠି ସେ ଜିନ୍‌ଙ୍କୁ ୱଞ୍ଚାଇଵାକୁ ଚେଷ୍ଟା କରିଵେ। ଏଥର ସେ ଆହୁରି ପଛକୁ ଗଲେ—୧୭ଶ ଶତାବ୍ଦୀ। ଏଠାରେ ସେ ଜିନ୍‌ଙ୍କ ପୂର୍ଵଜଙ୍କୁ ଭେଟିଲେ, ଯାହାଙ୍କ ନାମ ଥିଲା ଫ୍ରାଙ୍କୋଇସ। ଫ୍ରାଙ୍କୋଇସ ଥିଲେ ଜିନ୍‌ଙ୍କ ଵାପା। ପିଏରେ ଭାବିଲେ, “ଯଦି ମୁଁ ଫ୍ରାଙ୍କୋଇସଙ୍କୁ କିଛି କରିଦେବି, ତେବେ ଜିନ୍‌ ଜନ୍ମ ନେବେ ନାହିଁ, ଆଉ ତାଙ୍କ ଯୋଗୁଁ ସମସ୍ୟା ମଧ୍ୟ ମୃଉ ହେଵ ନାହିଁ।”

ପିଏରେ ଏକ ଵିପଜ୍ଜନକ ନିଷ୍ପତ୍ତି ନେଲେ। ସେ ଫ୍ରାଙ୍କୋଇସଙ୍କୁ ମାରିଵାକୁ ଯୋଜନା କଲେ, ଯାହା ଜିନ୍‌ଙ୍କ ଜନ୍ମକୁ ଅଟକାଇ ଦେଵ । କିନ୍ତୁ ଯେତେଵେଳେ ସେ ଫ୍ରାଙ୍କୋଇସଙ୍କୁ ମାରିଵାକୁ ଚେଷ୍ଟା କଲେ, ତାଙ୍କ ମନରେ ଏକ ଅଜଣା ଭୟ ଜାଗିଲା। ସେ ଭାବିଲେ, “ଯଦି ମୁଁ ଫ୍ରାଙ୍କୋଇସଙ୍କୁ ମାରିଦେବି, ତେବେ ଜିନ୍‌‌ଙ୍କ ଜନ୍ମ ହେବ ନାହିଁ। ଜିନ୍‌ ଜନ୍ମ ନନେଲେ, ମୋ ପରିଵାରର କେହି ଜନ୍ମ ହେବେ ନାହିଁ। ଆଉ ମୁଁ ନିଜେ ମଧ୍ୟ ଜନ୍ମ ହେବି ନାହିଁ। ତେବେ ମୁଁ ଏଠାକୁ ଆସିଲି କିପରି?”

ଏହି ଚିନ୍ତା ତାଙ୍କ ମନକୁ ଗୁନ୍ଦଲେଇ ଦେଲା। ସେ ବୁଝିଲେ ଯେ ଅତୀତରେ କିଛି ବଦଳାଇଵା ଦ୍ବାରା ଏକ ଅଜଣା ଚକ୍ର ସୃଷ୍ଟି ହୁଏ, ଯାହା ତାଙ୍କ ନିଜର ଅସ୍ତିତ୍ୱ ଉପରେ ହିଁ ପ୍ରଶ୍ନଵାଚୀ ସୃଷ୍ଟି କରେ । ଏହାକୁ GrandFather Paradox କୁହାଯାଏ । ପିଏରେ ଶେଷରେ ଫ୍ରାଙ୍କୋଇସଙ୍କୁ ମାରିଵା ବନ୍ଦ କଲେ, କାରଣ ସେ ଏହାର ପରିଣାମ ପ୍ରତି ଭୟ କଲେ।

ଅତୀତରେ ବହୁତ ଅସୁବିଧା ଦେଖି ପିଏରେ ନିଷ୍ପତ୍ତି ନେଲେ ଯେ ସେ ଭଵିଷ୍ୟତକୁ ଯିଵେ। ସେ ନୋଏଲିଟ୍‌ର ଆଉ ଏକ ଡୋଜ୍‌ ନେଲେ ଓ ୩୦୦୦ ସାଲକୁ ଯାତ୍ରା କଲେ। ଭଵିଷ୍ୟତରେ ସେ ଏକ ଅଜଣା ଦୁନିଆ ଦେଖିଲେ, ଯେଉଁଠି ମଣିଷମାନେ ଆକାଶରେ ଉଡ଼ୁଥିଲେ, ରୋବୋଟ୍‌ମାନେ ସବୁକାମ କରୁଥିଲେ ଏଵଂ ପୃଥିଵୀ ଏକ ଅଜଣା ରୂପ ନେଇଥିଲା। କିନ୍ତୁ ଏହି ଦୁନିଆରେ ମଣିଷମାନେ ବହୁତ ଏକାକୀ ଥିଲେ ତଥା ଯନ୍ତ୍ର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲେ।

ପିଏରେ ଏକ ଵୈଜ୍ଞାନିକଙ୍କୁ ଭେଟିଲେ, ଯିଏ ତାଙ୍କୁ କହିଲେ ଯେ ନୋଏଲିଟ୍‌ ଏକ ଵିପଜ୍ଜନକ ଆଵିଷ୍କାର ଥିଲା, ଯାହା ଅନେକ ସମୟରେ ଅସଙ୍ଗତି ସୃଷ୍ଟି କରିଥିଲା। ସେ ପିଏରେଙ୍କୁ ସତର୍କ କଲେ ଯେ ସେ ଯେଉଁ ସମୟରେ ଅଛନ୍ତି, ତାହା ତାଙ୍କ ମୂଳ ଟାଇମଲାଇନ୍‌ ନୁହେଁ। ପିଏରେଙ୍କ ଅତୀତରେ କରା ପରିଵର୍ତ୍ତନ ଏକ ନୂଆ ଟାଇମଲାଇନ୍‌ ସୃଷ୍ଟି କରିଛି।

ପିଏରେ ବୁଝିଲେ ଯେ ସେ ଅତୀତ ଓ ଭଵିଷ୍ୟତରେ ଅନେକ ଭୁଲ୍‌ କରିଛନ୍ତି। ସେ ନିଜ ମୂଳ ସମୟକୁ ଫେରିଵାକୁ ଚେଷ୍ଟା କଲେ, କିନ୍ତୁ ନୋଏଲିଟ୍‌ର ପ୍ରଭାଵ ଧୀରେ ଧୀରେ କମି ଯାଉଥିଲା। ସେ ଡକ୍ଟର ମାଥିଉଙ୍କ ସାଙ୍ଗରେ ଯୋଗାଯୋଗ କରିଵାକୁ ଚେଷ୍ଟା କଲେ, କିନ୍ତୁ ତାଙ୍କ ମୂଳ ଟାଇମଲାଇନ୍‌ ବଦଳି ଯାଇଥିଲା।

ଶେଷରେ, ପିଏରେ ଏକ କଠିନ ନିଷ୍ପତ୍ତି ନେଲେ। ସେ ନୋଏଲିଟ୍‌ର ଵ୍ୟଵହାର ଵନ୍ଦ କରି ଏକ ନୂଆ ଜୀଵନ ଆରମ୍ଭ କଲେ। ସେ ଵୁଝିଲେ ଯେ ସମୟ ଏକ ଜଟିଳ ନିୟମରେ ଚାଲେ, ଯାହାକୁ ବଦଳାଇଵା ମଣିଷ ହାତରେ ନାହିଁ।
ଫରାସୀ ଲେଖକ René Barjavel ୧୯୪୩ରେ ତାଙ୍କ ଉପନ୍ୟାସ "Le Voyageur Imprudent" (The Imprudent Traveller)ର ଏହା ହେଉଛି ସଂକ୍ଷିପ୍ତ କାହାଣୀ । ଏହି ଉପନ୍ୟାସର ଏକ ଟେଲିଭିଜନ୍‌ ଆଧାରିତ ଅଡାପ୍ଟେସନ୍‌ (téléfilm) ୧୯୮୨ ମସିହାରେ ଫ୍ରାନ୍ସରେ ନିର୍ମିତ ହୋଇଥିଲା ଏଵଂ ପ୍ରଥମେ ୧୯୮୨ରେ ଟେଲିଭିଜନ୍‌ରେ ପ୍ରସାରିତ ହୋଇଥିଲା। 
୧୯୮୨ର ଟେଲିଭିଜନ୍‌ ଚଳଚ୍ଚିତ୍ର (Téléfilm) "Le Voyageur Imprudent"ରେ କାହାଣୀକୁ କିଛିଟା ପରିଵର୍ତ୍ତନ କରାଯାଇଥିଲା ଏଵଂ ପିଏରେଙ୍କୁ ଦ୍ୱିତୀୟ ଵିଶ୍ୱଯୁଦ୍ଧ ସମୟର ଏକ ସୈନିକ ଭାବେ ଦର୍ଶାଯାଇଥିଲା। ଏହା ଉପନ୍ୟାସରୁ ଏକ ଭିନ୍ନ ଅଡାପ୍ଟେସନ୍‌ ଥିଲା, ଯେଉଁଥିରେ କାହାଣୀକୁ ସମୟୋପଯୋଗୀ କରିଵା ପାଇଁ ଏହି ପରିଵର୍ତ୍ତନ କରାଯାଇଥିଲା। ତେବେ Le Voyageur Imprudent ଉପନ୍ୟାସର କାହାଣୀ Grandfather Paradox ସମ୍ବନ୍ଧୀୟ ପ୍ରଶ୍ନ ଉପସ୍ଥାପନ କରିଥାଏ ।

Grandfather Paradox ସମୟ ଯାତ୍ରା (Time Travel) ସମ୍ବନ୍ଧୀୟ ଏକ ଦାର୍ଶନିକ ଓ ଵୈଜ୍ଞାନିକ ପରାଡକ୍ସ (Paradox)। ଏହା ଏକ ଏମିତି ପରିସ୍ଥିତିକୁ ବୁଝାଏ ଯେଉଁଠି ଜଣେ ଵ୍ୟକ୍ତି ଅତୀତକୁ ଯାତ୍ରା କରି ତାଙ୍କ ଜେଜେ କିମ୍ବା ଅଜା(Grandfather)ଙ୍କୁ ମାରିଦିଏ। ଯଦି ଜେଜେ/ଅଜା ମରିଯାଆନ୍ତି, ତେବେ ସେହି ଵ୍ୟକ୍ତିଙ୍କ ବାପା କିମ୍ବା ମା’ ଜନ୍ମ ନେବେ ନାହିଁ, ଆଉ ତାଙ୍କ ବାପା/ମା’ ଜନ୍ମ ନନେଲେ ସେ ନିଜେ ମଧ୍ୟ ଜନ୍ମ ହେବେ ନାହିଁ। କିନ୍ତୁ ଯଦି ସେ ଜନ୍ମ ହୋଇନଥାନ୍ତି, ତେବେ ସେ ଅତୀତକୁ ଯାଇ ଜେଜେ ଵା ଅଜାଙ୍କୁ ମାରିବେ କିପରି? ଏହା ଏକ ତାର୍କିକ ଚକ୍ର (Logical Loop) ସୃଷ୍ଟି କରେ, ଯାହା ସମୟ ଯାତ୍ରାର ସମ୍ଭାଵନା ଉପରେ ପ୍ରଶ୍ନ ଉଠାଏ।

Grandfather Paradox ପ୍ରଥମେ ୧୯୩୧ ମସିହାରେ Nathaniel Schachner ନାମକ ଜଣେ ଵିଜ୍ଞାନ କାଳ୍ପନିକ ଲେଖକଙ୍କ ଦ୍ୱାରା ତାଙ୍କର ଏକ କାଳ୍ପନିକ ଗଳ୍ପରେ ଉପସ୍ଥାପନ କରାଯାଇଥିଲା। ପରେ René Barjavel ନାମକ ଜଣେ ଫରାସୀ ଲେଖକ ୧୯୪୩ରେ ତାଙ୍କ ଉପନ୍ୟାସ "Le Voyageur Imprudent"(The Imprudent Traveller)ରେ ଏହି ପରାଡକ୍ସକୁ ଆହୁରି ସ୍ପଷ୍ଟ ଭାବେ ଵର୍ଣ୍ଣନା କରିଥିଲେ। ପ୍ରୋକ୍ତ କାହାଣୀଟି "Le Voyageur Imprudent"ର ମୁଖ୍ୟ କଥାଵସ୍ତୁ ଅଟେ ।

ପରେ ବୈଜ୍ଞାନିକ ଓ ଦାର୍ଶନିକମାନଙ୍କ ମଧ୍ୟରେ Grandfather Paradox ଏକ ଜନପ୍ରିୟ ଆଲୋଚନାର ଵିଷୟ ହୋଇଛି।
Grandfather Paradox ସମ୍ବନ୍ଧରେ ଉଭୟ ସପକ୍ଷଵାଦୀ ଓ ଵିପକ୍ଷଵାଦୀ ମତ ରହିଛି । ସପକ୍ଷଵାଦୀମାନେ କୁହନ୍ତି ଯେ ଅତୀତରେ କିଛି ବଦଳାଇଲେ ଭଵିଷ୍ୟତରେ ଏକ ଅସଙ୍ଗତି ଵା Inconsistency ସୃଷ୍ଟି ହେଵ। ଯେମିତି, ଜେଜେ ଵା ଅଜାଙ୍କୁ ମାରିଲେ ଯାତ୍ରୀ ନିଜେ ଅସ୍ତିତ୍ୱରେ ରହିଵ ନାହିଁ, ଯାହା ଏକ ତାର୍କିକ ଅସମ୍ଭଵତା। ଯଦି ସମୟ ଏକ ସରଳରେଖାରେ ଚାଲେ, ତେବେ ଅତୀତରେ କିଛି ବଦଳାଇବା ଦ୍ଵାରା ତାହା ସମ୍ପୂର୍ଣ୍ଣ ଭବିଷ୍ୟତକୁ ବଦଳାଇ ଦେଵ ଏଵଂ ଏହା ପରାଡକ୍ସ ସୃଷ୍ଟି କରେ। କେତେକ ଵିଜ୍ଞାନୀ କୁହନ୍ତି ଯେ ଏହି ପରାଡକ୍ସ ଦର୍ଶାଏ ଯେ ଅତୀତକୁ ଯାତ୍ରା କରିଵା ଵୈଜ୍ଞାନିକ ଦୃଷ୍ଟିକୋଣରୁ ଅସମ୍ଭଵ, କାରଣ ଏହା କାର୍ଯ୍ୟ-କାରଣ ନିୟମ ଵା Law of Causalityକୁ ଭାଙ୍ଗି ଦିଏ ।

ଅଵଶ୍ୟ କେତେକ ଵୈଜ୍ଞାନିକ ଓ ଦାର୍ଶନିକ କୁହନ୍ତି ଯେ ଅତୀତରେ କିଛି ବଦଳାଇଲେ ଏକ ନୂଆ ସମାନ୍ତରାଳ ଵିଶ୍ୱ ଵା Parallel Universe ସୃଷ୍ଟି ହୁଏ। ଅର୍ଥାତ୍‌, ଜେଜେ ଵା ଅଜାଙ୍କୁ ମାରିଲେ ଏକ ନୂଆ ଟାଇମଲାଇନ୍‌ ତିଆରି ହେଵ, କିନ୍ତୁ ମୂଳ ଟାଇମଲାଇନ୍‌ ଅପରିଵର୍ତ୍ତିତ ରହିଵ। ଏହା ପରାଡକ୍ସକୁ ନିଷ୍କ୍ରିୟ କରେ।

ନୋଭିକୋଵ୍‌ଙ୍କ ଆତ୍ମସଙ୍ଗତି ନୀତି ଵା Novikov’s Self-Consistency Principle ଉପସ୍ଥାପନ କରି ରୁଷୀୟ ଭୌତିକ ଵିଜ୍ଞାନୀ ଇଗୋର ନୋଭିକୋଵ୍ ପ୍ରସ୍ତାଵ ଦେଇଥିଲେ ଯେ ଅତୀତରେ କୌଣସି ଘଟଣା ଘଟିଵ ନାହିଁ ଯାହା ଭଵିଷ୍ୟତକୁ ଅସଙ୍ଗତ କରିଵ। ଅର୍ଥାତ୍‌, ଯଦି ଆପଣ ଅତୀତକୁ ଯାଆନ୍ତି, ତେବେ ଆପଣ ନିଜ ଜେଜେ ଵା ଅଜାଙ୍କୁ ମାରି ପାରିବେ ନାହିଁ, କାରଣ ସମୟର ନିୟମ ଏହାକୁ ଅଟକାଇ ଦେଵ । କେତେକ ଵୈଜ୍ଞାନିକ କୁହନ୍ତି ଯେ କ୍ୱାଣ୍ଟମ୍‌ ମେକାନିକ୍ସ ଅନୁସାରେ ସମୟ ଯାତ୍ରା ଏକ ଅନିଶ୍ଚିତ ଫଳାଫଳ (Probabilistic Outcome) ଦେଇପାରେ, ଯେଉଁଠି ପରାଡକ୍ସ ସୃଷ୍ଟି ହୁଏ ନାହିଁ। 

Grandfather Paradox ଓ ସମୟ ଯାତ୍ରା ଆଧାରିତ ଅନେକ ଚଳଚ୍ଚିତ୍ର ନିର୍ମିତ ହୋଇଛି। 
ସମୟଯାତ୍ରା ସମ୍ବନ୍ଧୀୟ ସବୁଠାରୁ ଜଣାଶୁଣା ଚଳଚ୍ଚିତ୍ର ହେଲା Back to the Future (1985) ଏଵଂ ଏହାର ତିନୋଟି ଭାଗ ମୁକ୍ତିଲାଭ କରିଥିଲା । ଅନେକ ଚଳଚ୍ଚିତ୍ର ଓ ୱେବସିରିଜ୍ ଏହି ଚଳଚ୍ଚିତ୍ରର କାହାଣୀରୁ ପ୍ରଭାଵିତ ହୋଇ ପରେ ନିର୍ମିତ ହୋଇଛି । ଏହି ଚଳଚ୍ଚିତ୍ରରେ ମାର୍ଟି ମ୍ୟାକ୍‌ଫ୍ଲାଇ ଅତୀତକୁ ଯାଇ ତା’ର ପିତାମାତାଙ୍କ ଵିଵାହକୁ ବାଧା ଦେଵାର ଆଶଙ୍କା ସୃଷ୍ଟି କରେ, ଯାହା ତା’ର ନିଜର ଅସ୍ତିତ୍ୱକୁ ଵିପଦରେ ପକାଏ। ଏହା ପରାଡକ୍ସର ଏକ ଜନପ୍ରିୟ ଉଦାହରଣ।
ସେହିପରି ସମୟଯାତ୍ରା ସମ୍ବନ୍ଧୀୟ The Terminator (1984) ଚଳଚ୍ଚିତ୍ରରେ ଏକ ରୋବୋଟ୍‌ ଅତୀତକୁ ଯାଇ ଜନ୍‌ କନର୍‌ଙ୍କ ମା’ଙ୍କୁ ମାରିଵାକୁ ଚେଷ୍ଟା କରେ, ଯାହା ଜନ୍‌ଙ୍କ ଜନ୍ମକୁ ଅଟକାଇ ଦେଵ । ଏହା ମଧ୍ୟ ପରାଡକ୍ସର ଏକ ରୂପ। Looper (2012) ଚଳଚ୍ଚିତ୍ରରେ ସମୟ ଯାତ୍ରା ମାଧ୍ୟମରେ ନିଜର ଭଵିଷ୍ୟତ ସଂସ୍କରଣକୁ ମାରିବାର ଚେଷ୍ଟା ଦେଖାଯାଏ, ଯାହା ପରାଡକ୍ସର ଏକ ଭିନ୍ନ ରୂପ ଉପସ୍ଥାପନ କରେ। Predestination (2014) ଚଳଚ୍ଚିତ୍ର ସମୟ ଯାତ୍ରାର ଏକ ଜଟିଳ ଚକ୍ର ଦେଖାଏ ଯେଉଁଠି ପରାଡକ୍ସର ସମାଧାନ ଏକ ଆତ୍ମସଙ୍ଗତି ଚକ୍ର (Self-Consistent Loop) ମାଧ୍ୟମରେ ହୁଏ। Marvel Cinematic Universeର Avengers: Endgame (2019) ଚଳଚ୍ଚିତ୍ରରେ ସମୟ ଯାତ୍ରା ସମାନ୍ତରାଳ ଵିଶ୍ୱ ତତ୍ତ୍ୱ ଆଧାରରେ ବ୍ୟାଖ୍ୟା କରାଯାଇଛି ଯେଉଁଠି ଅତୀତରେ ପରିଵର୍ତ୍ତନ ନୂଆ ଟାଇମଲାଇନ୍‌ ସୃଷ୍ଟି କରେ।

Grandfather Paradox ସମୟ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଦାର୍ଶନିକ ଓ ଵୈଜ୍ଞାନିକ ପ୍ରଶ୍ନ। ଏହା କାର୍ଯ୍ୟ-କାରଣ ନିୟମ, ସମୟର ପ୍ରକୃତି ଓ ଅସ୍ତିତ୍ୱ ଉପରେ ଆଲୋଚନା କରିଵାକୁ ଆହ୍ଵାନ କରେ। ସପକ୍ଷଵାଦୀମାନେ ଏହାକୁ ସମୟ ଯାତ୍ରାର ଅସମ୍ଭଵତାର ପ୍ରମାଣ ଭାବେ ଦେଖନ୍ତି ଆଉ ଵିପକ୍ଷବାଦୀମାନେ ସମାନ୍ତରାଳ ଵିଶ୍ୱ କିମ୍ବା ଆତ୍ମସଙ୍ଗତି ତତ୍ତ୍ୱ ମାଧ୍ୟମରେ ଏହାର ସମାଧାନ ସମ୍ଭଵ ବୋଲି କୁହନ୍ତି। ଏହି ପରାଡକ୍ସ ଵିଜ୍ଞାନ ଓ କାଳ୍ପନିକ ଗଳ୍ପରେ ଅନେକ ଆକର୍ଷଣୀୟ ଚଳଚ୍ଚିତ୍ର ଓ ଆଲୋଚନାର ଜନ୍ମ ଦେଇଛି।