ସାମାଜିକ ଗଣମାଧ୍ୟମଗୁଡ଼ିକରେ ସେହି ପାଞ୍ଚୋଟି ଓରାଙ୍ଗୋଟାଙ୍ଗ ଛୁଆମାନଙ୍କର ମୁଖମଣ୍ଡଳର ଗାମ୍ଭୀର୍ଯ୍ୟ ଦେଖି କିଛି ଵିରୋଧୀ ତ ପ୍ରଚାର କଲେଣି ଯେ ସେମାନେ ଜନ୍ମରୁ ହିଁ କୌଣସି ରାଷ୍ଟ୍ରୀୟ ସ୍ୱୟଂସେଵକ ସଂଘର ଶାଖାରୁ କଠୋର ପ୍ରଶିକ୍ଷଣ ନେଇ ଆସିଛନ୍ତି ଏବଂ ତାଙ୍କ ଦେହର ଗେରୁଆ ରଙ୍ଗ ହିଁ ତାଙ୍କର ସବୁଠାରୁ ବଡ଼ ରାଜନୈତିକ ଯୋଗ୍ୟତା ପ୍ରମାଣପତ୍ର। ଓରାଙ୍ଗୋଟାଙ୍ଗମାନଙ୍କୁ ଓଡ଼ିଶାକୁ ଆଣି ଡବଲ ଇଞ୍ଜିନ୍ ସରକାର କେମିତି ହିନ୍ଦୁଧର୍ମ ଓ ହିନ୍ଦୁତ୍ଵ ପାଇଁ କାର୍ଯ୍ୟ କରୁଛି ତାହାର ଏହା ଏକ ରାଜନୈତିକ ପ୍ରଦର୍ଶନ ମାତ୍ର ।
କିନ୍ତୁ ସତ କହିଵାକୁ ଗଲେ, ଏହି ଵିଚରା ଓରାଙ୍ଗୁଟାଙ୍ଗମାନଙ୍କର ଆମ ଦେଶର ରାଜନୀତି, ଆଦର୍ଶଵାଦ କିମ୍ବା ସନାତନ ଧର୍ମ ସହ କୌଣସି ସମ୍ପର୍କ ନାହିଁ।
ହଁ ସେମାନଙ୍କ ପୂର୍ଵଜ ଶିଵାପିଥିକସ୍ ନିଶ୍ଚୟ ଭାରତୀୟ ଥିଲେ । ପ୍ରାୟ ୮–୮.୫ ନିୟୁତ ଵର୍ଷ ପୂର୍ଵେ ଜଳଵାୟୁ ପରିଵର୍ତ୍ତନ ଯୋଗୁଁ ଶିଵାପିଥିକସ୍ ଭାରତରେ ଆଉ ରହିପାରିଲେ ନାହିଁ । ଜଳବାୟୁ ବଦଳିଲା, ଜଙ୍ଗଲ କମିଲା—ପ୍ରକୃତି ମଧ୍ୟ କହିଦେଲା, “ବାବୁମାନେ, ଏଠି ଆଉ ଜାଗା ନାହିଁ!”
ସେଇଠୁ ଶିଵାପିଥିକସ୍ ଦକ୍ଷିଣ ପୂର୍ଵ ଏସିଆକୁ ଚାଲିଗଲେ ଏଵଂ ସେମାନଙ୍କ ପରଵର୍ତ୍ତୀ ଵଂଶଧର ସେହି ଅଞ୍ଚଳରେ ତଥା ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରେ ଵାସ କଲେ । ପରଵର୍ତ୍ତୀ କାଳରେ କେଵଳ ଓରାଙ୍ଗଓଟାଙ୍ଗଙ୍କ ପୂର୍ଵଜ ହିଁ ରହିଗଲେ ଏଵଂ ଦକ୍ଷିଣ ପୂର୍ଵ ଏସିଆ ତଥା ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରେ ବାକି ସବୁ Great apeମାନେ ଲୋପ ପାଇଗଲେ ।
କିନ୍ତୁ ଆଜି ନିଜର ପୂର୍ଵଜଙ୍କ ପୂର୍ଵଜଙ୍କର ଜନ୍ମଭୂମି ଭାରତରେ ଆସି ପହଞ୍ଚିଗଲାପରେ ଏହି ଓରାଙ୍ଗଓଟାଙ୍ଗମାନଙ୍କର ପ୍ରାକୃତିକ ରଙ୍ଗକୁ ଏକ ରାଜନୈତିକ ପତାକା ସହ ତୁଳନା କରାଯାଇ ସେମାନଙ୍କୁ ଦଳୀୟ କର୍ମୀ ସଜାଇ ଦିଆଯାଉଛି। ପ୍ରକୃତରେ ସେମାନଙ୍କର ଏହି ଗେରୁଆ ଵା କମଳା ରଙ୍ଗ ପଛରେ କୌଣସି ରାଜନୈତିକ କାରଣ ଲୁଚି ରହିନାହିଁ ଵରଂ ଅଛି ପ୍ରକୃତିର ଏହି ନିର୍ଦ୍ଦୟ ରଣଭୂମିରେ ବଞ୍ଚିରହିଵାର ଏକ ଅଦ୍ଭୁତ କୌଶଳ। ଆମ ଦେଶର ନେତାମାନେ ଯେମିତି ନିଜର ଅସଲି କଳା କାରନାମା ଲୁଚାଇଵା ପାଇଁ ଧଳା ଖଦଡ଼ ପିନ୍ଧନ୍ତି, ଠିକ୍ ସେମିତି ଓରାଙ୍ଗୁଟାଙ୍ଗମାନେ ଜଙ୍ଗଲରେ ନିଜକୁ ଶତ୍ରୁ କବଳରୁ ଲୁଚାଇଵା ପାଇଁ ଏହି କମଳା ରଙ୍ଗର ପୋଷାକ ପିନ୍ଧି ଜନ୍ମ ହୋଇଥାନ୍ତି। ଏହାକୁ ଇଂରାଜୀରେ କାମୋଫ୍ଲେଜ୍ ଵା ଛଦ୍ମାଵରଣ କୁହାଯାଏ। ଵୈଜ୍ଞାନିକମାନେ ଦୀର୍ଘ ଵର୍ଷ ଧରି ପରୀକ୍ଷାଗାରରେ ବସି, ଧାଆଁ ଦଉଡ଼ି କରି ଏଵଂ ଶହ ଶହ ବହି ପଢ଼ୁ ପଢ଼ୁ ନିଜ ମୁଣ୍ଡର ବାଳ ଛିଣ୍ଡାଇ ଏହି ରହସ୍ୟ ଉନ୍ମୋଚନ କରିଛନ୍ତି। ଵୈଜ୍ଞାନିକମାନଙ୍କର ତ କାମ ହେଲା ଖାଲି ଅଯଥା ସମୟ ନଷ୍ଟ କରିଵା। ଯେଉଁ କଥା ଆମ ରାଜନେତା ଓ ରାଜନୈତିକ ଦଳୀୟ ସମର୍ଥକମାନେ କ୍ଷଣିକ ମଧ୍ୟରେ ଦେଖି ବୁଝିଗଲେ ଯେ ଓରାଙ୍ଗୋଟାଙ୍ଗ୍ ଦେହର ରଙ୍ଗ ଏକ ଦଳର ପଵିତ୍ର ରଙ୍ଗ, ସେହି ସାଧାରଣ କଥାଟିକୁ ବୁଝିଵା ପାଇଁ ଏହି ମୂର୍ଖ ଵୈଜ୍ଞାନିକମାନଙ୍କୁ ଶହ ଶହ ଵର୍ଷ ଲାଗି ଯାଇଥିଲା।
ଉନବିଂଶ ଶତାବ୍ଦୀର କଥା। ଆଲଫ୍ରେଡ୍ ରସେଲ୍ ୱାଲେସ୍ ନାମକ ଜଣେ ବ୍ରିଟିଶ୍ ବାବୁ ଥିଲେ। ଵିଶ୍ଵସାରା ଲୁଣ୍ଠନ କରିଥିଵା ବ୍ରିଟେନର ନାଗରିକ ହୋଇଥିଵାରୁ ଧନ ସମ୍ପତ୍ତି ପାଇଁ ଚିନ୍ତା ନଥିଲା କିମ୍ବା ରସେଲଙ୍କର ତାଙ୍କ ସ୍ତ୍ରୀଙ୍କ ସହ ଝଗଡ଼ା ହୋଇଯାଇଥିଲା । କୌଣସି ଏକ କାରଣରୁ ରସେଲ୍ ନିଜ ଘରୁ ବାହାରି ଯାଇ ବୋର୍ନିଓର ମାରାତ୍ମକ ଘଞ୍ଚ ଜଙ୍ଗଲରେ ବୁଲିଵାକୁ ଲାଗିଲେ। ସେଠାରେ ସେ ଉପରକୁ ଅନାଇ ଦେଖିଲେ ଯେ ଵିଶାଳକାୟ ଗେରୁଆ ରଙ୍ଗର ଓରାଙ୍ଗୋଟାଙ୍ଗ୍ ମହାଵାନରମାନେ ଗଛ ଉପରେ ବସି ଆରାମରେ ଫଳ ଖାଉଛନ୍ତି। ପ୍ରଥମେ ସେ ଭାବିଲେ, ଆରେ ଏତେ ଉଜ୍ଜ୍ୱଳ ରଙ୍ଗର ପ୍ରାଣୀ ଏତେ ସବୁଜ ଜଙ୍ଗଲରେ ତ ଅତି ସହଜରେ ଦୂରରୁ କାହା ଆଖିରେ ବି ପଡ଼ିଯିଵା କଥା, ଏମାନେ ବଞ୍ଚୁଛନ୍ତି କେମିତି? କିନ୍ତୁ ସେ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ସେ ଲକ୍ଷ୍ୟ କଲେ ଯେ ସୂର୍ଯ୍ୟାଲୋକ ପଡ଼ୁନଥିଵା ଗଛର ଉପର ଭାଗରେ ଏହି କମଳା ରଙ୍ଗ ସମ୍ପୂର୍ଣ୍ଣ ରୂପେ ଅଦୃଶ୍ୟ ହୋଇଯାଉଛି। ଯେମିତି ଏକ ଵିରାଟ ଆର୍ଥିକ ଦୁର୍ନୀତି କଲା ପରେ ଜଣେ ପ୍ରଭାଵଶାଳୀ ଵ୍ୟକ୍ତି ଵିଦେଶ ପଳାଇଲେ ଆଇନର ଲମ୍ବା ହାତ ଆଗରୁ ଅଦୃଶ୍ୟ ହୋଇଯାଆନ୍ତି ଏଵଂ ତାଙ୍କୁ ଖୋଜିଵା ଅସମ୍ଭଵ ହୋଇପଡ଼େ, ଠିକ୍ ସେମିତି। ସୂର୍ଯ୍ୟ ଆଲୋକର ଅଭାଵରେ କମଳା ରଙ୍ଗ ଆଲୁଅକୁ ଶୋଷିନିଏ ଏଵଂ ପ୍ରାୟତଃ କଳା କିମ୍ବା ମାଟିଆ ଦେଖାଯାଏ। ୱାଲେସ୍ ମହାଶୟ ବହୁତ ଖୁସି ହୋଇଗଲେ ଯେ ସେ ନିଜ ଡାଏରୀରେ ଗୋଟିଏ ବଡ଼ ଆଵିଷ୍କାର ଲେଖିଦେଲେ।
ତା'ପରେ ଏହି ଗଵେଷଣାକୁ ଆହୁରି ଆଗକୁ ନେଵାକୁ ଆସିଲେ ଆଉ ଜଣେ ମହାନ ଗଵେଷିକା, ଡଃ ବିରୁଟେ ଗାଲ୍ଡିକାସ୍। ଏହି ସାହସୀ ମହିଳା ଜଣକ ୧୯୭୧ ମସିହାରୁ ସିଧା ଯାଇ ବୋର୍ନିଓ ଜଙ୍ଗଲରେ ନିଜର ଟେଣ୍ଟ୍ ପକାଇଦେଲେ। ପଚାଶ ଵର୍ଷରୁ ଅଧିକ ସମୟ ସେ ନିଜ ପରିଵାରଠାରୁ ଦୂରରେ କେଵଳ ଓରାଙ୍ଗୁଟାନ୍ ମାନଙ୍କ ସହ ବିତାଇଦେଲେ। ଆମ ଦେଶରେ ଗୋଟିଏ ମେଣ୍ଟ ସରକାର ପାଞ୍ଚ ଵର୍ଷ ବିନା କଳି ଝଗଡ଼ାରେ ତିଷ୍ଠିଵା କଷ୍ଟକର ହୋଇପଡୁଥିବା ବେଳେ, ଏହି ମହିଳା ପଚାଶ ଵର୍ଷ ଧରି ଵାନର ଓ ମହାଵାନରମାନଙ୍କ ସମାଜକୁ ବିନା ଦ୍ୱିଧାରେ ଅଧ୍ୟୟନ କଲେ। ସେ ଅନୁଧ୍ୟାନ କରି ଦେଖିଲେ ଯେ ଜଙ୍ଗଲର ଘଞ୍ଚ ଛାଇ ଭିତରେ ଓରାଙ୍ଗୋଟାଙ୍ଗ୍ମାନଙ୍କର ଏହି ଗେରୁଆ ରଙ୍ଗ ହିଁ ସେମାନଙ୍କର ପ୍ରକୃତ ସୁରକ୍ଷା କବଚ, କୌଣସି ରାଜନୈତିକ କବଚ ନୁହେଁ।
ଯେମିତି କିଛି ଲୋକ ଧର୍ମ ନାମରେ ଗେରୁଆ ଵସ୍ତ୍ର ପିନ୍ଧି,ମୁଣ୍ଡରେ 'ଠ' ଆକାରର ଟୋପି ପିନ୍ଧି ତଥା ହାତେ ଲମ୍ବା ନିଶହୀନ ଦାଢ଼ି ରଖି କିମ୍ବା କୌଣସି ଧାର୍ମିକ ଚିହ୍ନ ଗଳାରେ ପିନ୍ଧି ନିଜର ସବୁ ପାପ ଓ ଦୁର୍ନୀତିକୁ ଲୁଚାଇ ଧାର୍ମିକ ସାଧୁ ଵ୍ୟକ୍ତିର ଛଦ୍ମଵେଶ ଧାରଣ କରିଦିଅନ୍ତି, ଠିକ୍ ସେହିପରି ପ୍ରକୃତି ମଧ୍ୟ ତା’ର ଏହି ନିରୀହ ପ୍ରାଣୀମାନଙ୍କୁ ଗେରୁଆ ରଙ୍ଗରେ ସଜାଇ ଦେଇଛି। ଉଦ୍ଦେଶ୍ୟ ଗୋଟିଏ—ଶିକାରୀଙ୍କ ଆଖିରେ ଧୂଳି ଦେଇ, ସେମାନଙ୍କୁ ସହଜରେ ଚିହ୍ନଟ ହେଵାରୁ ବଞ୍ଚାଇବା ଏଵଂ ନିରାପଦରେ ବଞ୍ଚିଵାର ସୁଯୋଗ ଦେଵା !
ଡଃ ଗାଲ୍ଡିକାସ୍ ପ୍ରମାଣ କଲେ ଯେ ଓରାଙ୍ଗୋଟାଙ୍ଗ୍ମାନେ ପ୍ରକୃତରେ ଅତ୍ୟନ୍ତ ଶାନ୍ତିପ୍ରିୟ ପ୍ରାଣୀ ଏଵଂ ସେମାନେ ନିଜକୁ ଗଛ ଡାଳରେ ଲୁଚାଇ ରଖିଵାକୁ ହିଁ ପସନ୍ଦ କରନ୍ତି। ସେମାନେ ନିଜର ଗେରୁଆ ରଙ୍ଗକୁ ନେଇ କୌଣସି ରାଜରାସ୍ତାରେ ଶୋଭାଯାତ୍ରା କରନ୍ତି ନାହିଁ, ସ୍ଲୋଗାନ ଦିଅନ୍ତି ନାହିଁ କିମ୍ବା ନିଜ ରଙ୍ଗକୁ ଶ୍ରେଷ୍ଠ କହି ଅନ୍ୟ କୌଣସି ଵାନରଜାତି ସହ ଧାର୍ମିକ ଦଙ୍ଗା ମଧ୍ୟ କରନ୍ତି ନାହିଁ।
ଏହାପରେ ଗଵେଷଣା ଦୁନିଆରେ ଆହୁରି ଏକ ବଡ଼ କଥା ଜଣାଗଲା। ନବେ ଦଶକରେ ଜେରାଲ୍ଡ ଜ୍ୟାକବସ୍ ନାମକ ଜଣେ ଵୈଜ୍ଞାନିକ ପ୍ରାଣୀମାନଙ୍କର ଦୃଷ୍ଟିଶକ୍ତି ଅର୍ଥାତ୍ ଆଖିର କ୍ଷମତା ଉପରେ ଗଵେଷଣା ଆରମ୍ଭ କଲେ। ଆଖିକୁ କିଏ କେମିତି ଦେଖେ ଏଵଂ ରଙ୍ଗକୁ କେମିତି ଚିହ୍ନେ, ସେଇଟା ପ୍ରକୃତିର ଗୋଟିଏ ବଡ଼ ରହସ୍ୟ। ଆମ ଭାରତୀୟ ଭୋଟରମାନେ ଯେମିତି ନିର୍ଵାଚନ ଆସିଲେ ହଠାତ୍ ଦୃଷ୍ଟିହୀନ ହୋଇଯାଆନ୍ତି, ପ୍ରାର୍ଥୀଙ୍କ ଦୋଷ ଦୁର୍ଵଳତା କିଛି ଦେଖିପାରନ୍ତି ନାହିଁ, ସବୁ କିଛି କେଵଳ ପ୍ରତିଶ୍ରୁତିର ସବୁଜ ଓ ସୁନ୍ଦର ରଙ୍ଗରେ ହିଁ ଦେଖାଯାଏ, ଠିକ୍ ସେମିତି ଜଙ୍ଗଲର ବଡ଼ ବଡ଼ ଦୁର୍ଦ୍ଧର୍ଷ ଶିକାରୀ ଯଥା ବାଘ ଵା କଲରାପତ୍ରିଆ ବାଘମାନେ ମଧ୍ୟ ଜନ୍ମରୁ ଗୋଟିଏ ପ୍ରକାରର ରଙ୍ଗ ଅନ୍ଧକାରର ଶିକାର ହୋଇଥାନ୍ତି। ଵୈଜ୍ଞାନିକ ଭାଷାରେ ଏହି ଅଵସ୍ଥାକୁ 'ଡାଇକ୍ରୋମାଟିକ୍' ଵା ଦ୍ୱି-ଵର୍ଣ୍ଣ ଦୃଷ୍ଟି କୁହାଯାଏ। ଏହାର ସିଧାସଳଖ ଅର୍ଥ ହେଲା ଯେ ଏହି ମହାବଳୀ ଶିକାରୀମାନେ ନାଲି ଓ ସବୁଜ ରଙ୍ଗ ଭିତରେ ଥିଵା ପାର୍ଥକ୍ୟ କଦାପି ଜାଣିପାରନ୍ତି ନାହିଁ। ଆମ ମଣିଷମାନଙ୍କୁ ଯେଉଁ ଓରାଙ୍ଗୋଟାଙ୍ଗ୍ ଦେହର ରଙ୍ଗ ଏକ ନିର୍ଦ୍ଦିଷ୍ଟ ଶାସକ ଦଳର ପତାକା ଭଳି ଉଜ୍ଜ୍ୱଳ ଗେରୁଆ ଦେଖାଯାଏ, ସେହି ସମାନ ରଙ୍ଗ ଗୋଟିଏ ବାଘକୁ ଗଛର ଶୁଖିଲା ମାଟିଆ ପତ୍ର କିମ୍ବା ସବୁଜ ପତ୍ର ଭଳି ହିଁ ଦେଖାଯାଏ। ବାଘ ଵିଚରା ଭୋକିଲା ପେଟରେ ତଳେ ଥାଇ ଉପରକୁ ଅନାଏ, ତାକୁ ଲାଗେ ଯେମିତି ଉପରେ କିଛି ନାହିଁ କେଵଳ ଗଛରେ ପତ୍ର ହିଁ ପତ୍ର ଅଛି। ଏଣେ ଉପରେ ଓରାଙ୍ଗୋଟାଙ୍ଗ୍ ମହାଶୟ ଡାଳରେ ବସି ନିଜର ଗେରୁଆ ରଙ୍ଗର ସମ୍ପୂର୍ଣ୍ଣ ଲାଭ ପାଇ ମହା ଆନନ୍ଦରେ ଫଳ ଗେମ୍ଫୁଥାନ୍ତି ଆଉ ତଳେ ବାଘର ମୂର୍ଖାମୀକୁ ଦେଖି ମନେ ମନେ ହସୁଥାନ୍ତି। ଏହାକୁ କହନ୍ତି ପ୍ରକୃତିର ସର୍ଵଶ୍ରେଷ୍ଠ କୂଟନୀତି ଵା ରାଜନୀତି। ଶତ୍ରୁ ଭାବୁଛି ସବୁ ଠିକ୍ ଅଛି, ଅଥଚ ତା ଆଖି ଆଗରେ ହିଁ ସବୁ ଖେଳ ଚାଲିଛି ଆଉ ସେ କିଛି ଧରିପାରୁନି।
ଆଜିକାଲିର ଆଧୁନିକ ଯୁଗରେ କମ୍ପ୍ୟୁଟର ଏଵଂ ଉନ୍ନତ ଧରଣର କ୍ୟାମେରା ମାଧ୍ୟମରେ ମଧ୍ୟ ଵୈଜ୍ଞାନିକମାନେ ଏହି କଥାକୁ ଶତ ପ୍ରତିଶତ ପ୍ରମାଣିତ କରିଦେଇଛନ୍ତି। ବ୍ରିଷ୍ଟଲ୍ ଵିଶ୍ୱଵିଦ୍ୟାଳୟର Visual Ecologyର ଗଵେଷକମାନେ କମ୍ପ୍ୟୁଟରରେ ଶିକାରୀ ପ୍ରାଣୀଙ୍କ ଆଖିର ଗୋଟିଏ ସିମ୍ୟୁଲେସନ୍ ଵା ମଡେଲ୍ ତିଆରି କରି ଦେଖିଲେ ଯେ ସତକୁ ସତ ସବୁଜ ପତ୍ରଭରା ଜଙ୍ଗଲ ଭିତରେ କମଳା ରଙ୍ଗ ସମ୍ପୂର୍ଣ୍ଣ ଭାବେ ଲୁଚିଯାଏ। ଏହି ଆଧୁନିକ ଗଵେଷଣାରୁ ଗୋଟିଏ କଥା ସମ୍ପୂର୍ଣ୍ଣ ସ୍ପଷ୍ଟ ହେଲା ଯେ ଓରାଙ୍ଗୋଟାଙ୍ଗ୍ମାନେ ନିଜେ ଜାଣିଶୁଣି ଏହି ଗେରୁଆ ରଙ୍ଗ ବାଛି ନାହାଁନ୍ତି କିମ୍ବା କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଷ୍ଟ୍ରଵାଦୀ ହୋଇ ରଙ୍ଗ ମାଖି ଗେରୁଆଵର୍ଣ୍ଣ ଵାନର ହୋଇନାହାନ୍ତି। ଏହା କେଵଳ ଓରାଙ୍ଗଓଟାଙ୍ଗମାନଙ୍କର ଜଙ୍ଗଲରେ ବଞ୍ଚିଵାର ଏକ ସାଧାରଣ ସଂଘର୍ଷ, ଗୋଟିଏ ଜୈଵିକ ଆଵଶ୍ୟକତା। କିନ୍ତୁ ଵିଡ଼ମ୍ବନା ଦେଖନ୍ତୁ, ଭାରତ ଭଳି ଦେଶରେ,ଵିଶେଷ କରି ଆମ ଓଡ଼ିଶାରେ ଧରାପଡ଼ିଥିଵା ଏହି ପାଞ୍ଚୋଟି ନିରୀହ ଓରାଙ୍ଗୋଟାଙ୍ଗ୍ ଛୁଆଙ୍କ ପାଇଁ ଏହି ରଙ୍ଗ ହିଁ ଵର୍ତ୍ତମାନ ସବୁଠାରୁ ବଡ଼ ସମସ୍ୟା ହୋଇଯାଇଛି। ସେମାନେ ନିଜ ଦେଶ ବୋର୍ନିଓର ଜଙ୍ଗଲରେ ଥିଲେ ବାଘ କବଳରୁ ହୁଏତ ରକ୍ଷା ପାଇଥାନ୍ତେ, କିନ୍ତୁ ଭାରତ ଭୂଇଁରେ ପାଦ ଦେଉ ଦେଉ ସେମାନେ ଵ୍ୟଙ୍ଗକାର ଓ ରାଜନେତାମାନଙ୍କ ତୀକ୍ଷ୍ଣ ଆଖିରୁ ବର୍ତ୍ତି ପାରିଲେ ନାହିଁ। ବୋଧହୁଏ ସେମାନେ ଏବେ ଚିଡ଼ିଆଖାନାରେ ବସି ନିଜ ନିଜ ଭିତରେ ନିଜ ଭାଷାରେ ଆଲୋଚନା କରୁଥିବେ ଯେ, ହେ ଭଗଵାନ, ଆମେ ତ ଜଙ୍ଗଲରେ ଶତ୍ରୁଠାରୁ ଲୁଚିଵା ପାଇଁ ଏହି ରଙ୍ଗ ପାଇଥିଲୁ, କିନ୍ତୁ ଏହି ଆଶ୍ଚର୍ଯ୍ୟଜନକ ଦେଶରେ ଏହି ରଙ୍ଗ ତ ଲୁଚାଇଵା ପରିଵର୍ତ୍ତେ ସମସ୍ତଙ୍କୁ ଆକର୍ଷିତ କରୁଛି। ଯଦି ଆମେ ଜନ୍ମରୁ ଜାଣିଥାନ୍ତୁ ଯେ ଭାରତରେ ଗେରୁଆ ରଙ୍ଗର ଏତେ ଚାହିଦା ଏଵଂ ଏହାକୁ ଦେଖିଲେ ଲୋକେ ରାଜନୀତି କରନ୍ତି, ତେବେ ଆମେ ନିଶ୍ଚୟ ଆଉ କୌଣସି ନିରପେକ୍ଷ ରଙ୍ଗ ବାଛିଥାନ୍ତୁ। ଅନ୍ତତଃ ପକ୍ଷେ ଧଳା କିମ୍ବା କଳା, ଯାହାକୁ କେହି ଅଯଥା ରାଜନୀତି ସହ ଯୋଡ଼ି ନଥାନ୍ତେ। ତେବେ ଯାହା ବି ହେଉ, ଓରାଙ୍ଗୋଟାଙ୍ଗମାନଙ୍କର ଏହି କାହାଣୀ ଆମକୁ ଶିଖାଏ ଯେ ପ୍ରକୃତିର ଖେଳ ଏଵ ମଣିଷର ରାଜନୀତି ଉଭୟ ବଡ଼ ଵିଚିତ୍ର। ଯାହା ଗୋଟିଏ ଜାଗାରେ ଜୀଵନ ରକ୍ଷାକାରୀ ଅଟେ, ଅନ୍ୟ ଜାଗାରେ ତାହା ବିନା କାରଣରେ ହାସ୍ୟସ୍ପଦ ଆଲୋଚନାର ଵିଷୟ ପାଲଟିଯାଏ। ଏହି ଵିଚରା ମହାଵାନରମାନେ ନିଶ୍ଚୟ ପ୍ରାର୍ଥନା କରୁଥିବେ ଯେ ଖୁବ୍ ଶୀଘ୍ର ଆମ ଦେଶର ଏହି ରାଜନୈତିକ ପରିଵେଶ ଶାନ୍ତ ପଡ଼ୁ ଏଵଂ ସେମାନେ ନିଜର ପ୍ରାକୃତିକ ପରିଵେଶକୁ ସକୁଶଳ ଫେରିଯାଆନ୍ତୁ । ଓରାଙ୍ଗୋଟାଙ୍ଗ୍ମାନଙ୍କ ରଙ୍ଗ ତାଙ୍କୁ ଗଛ ଗହଳିରେ ଲୁଚାଇଵାରେ ସାହାଯ୍ୟ କରିଵ, ଖବରକାଗଜର ମୁଖ୍ୟ ପୃଷ୍ଠାରେ ଶିରୋନାମା ପାଲଟିଵାରେ ନୁହେଁ।
କିନ୍ତୁ ଏହି ଵିଚରା ଓରାଙ୍ଗୋଟାଙ୍ଗ୍ମାନେ ଓଡ଼ିଶାର ରାଜନୈତିକ ଝଡ଼ରୁ ବଞ୍ଚି ନିଜ ମୂଳ ନିଵାସ 'ବୋର୍ଣିଓ' ଜଙ୍ଗଲକୁ ଫେରିଗଲେ କ’ଣ ସେଠାରେ ସୁରକ୍ଷିତ ରହିପାରିବେ? ଆଦୌ ନୁହେଁ!
ଭାରତରେ ହୁଏତ ସେମାନଙ୍କୁ ଦଳୀୟ କର୍ମୀ, ଗେରୁଆ ପ୍ରଚାରକ କିମ୍ବା ଶାସକ ଦଳର ରାଜନୈତିକ ବ୍ରାଣ୍ଡ ଆମ୍ବାସାଡାର ବୋଲି ଆଖ୍ୟା ଦିଆଯାଉଛି; କିନ୍ତୁ ନିଜ ଘର ବୋର୍ଣିଓରେ ସେମାନଙ୍କ ପାଇଁ ଆଉ ଗୋଟିଏ ବଡ଼ ଆହ୍ୱାନ ଅପେକ୍ଷା କରିଛି—ତାହା ହେଉଛି ‘ତାଳ ତେଲ’ ଵା Palm Oilର ଦୈତ୍ୟ ଏଵଂ ମଣିଷର ଅସୀମ ପେଟ ଓ ପକେଟ୍।
ବୋର୍ଣିଓ ଓ ସୁମାତ୍ରାର ଘଞ୍ଚ ଜଙ୍ଗଲରେ ହୁଏତ ସଭା-ସମିତି ନାହିଁ କି ଶାସକ-ଵିରୋଧୀଙ୍କ ଚିତ୍କାର ନାହିଁ, କିନ୍ତୁ ସେଠାରେ ଦିନରାତି ଶୁଭୁଛି 'Chainsaw'ର ଵିକଟାଳ ଶବ୍ଦ।
ପ୍ରକୃତିପ୍ରେମୀ ମଣିଷ ନିଜର ଚିପ୍ସ, ବିସ୍କୁଟ, ସାବୁନ୍, କ୍ରିମ୍ ଓ ଜଙ୍କ୍ ଫୁଡ୍ ତିଆରି କରିଵା ପାଇଁ ବୋର୍ଣିଓର ହଜାର ହଜାର ହେକ୍ଟର ପୁରାତନ ଵର୍ଷାରଣ୍ୟକୁ କାଟି ପଦା କରିଦେଉଛି, ଯାହାଫଳରେ 'Palm Oil' ଵା ତେଲତାଳ ଚାଷ ପାଇଁ ପଥ ପରିଷ୍କାର ହୋଇପାରିଵ। ଯେଉଁ ଓରାଙ୍ଗୋଟାଙ୍ଗ୍ମାନେ ଗଛ ଉପରେ ବସି ନିଜର ଗେରୁଆ ରଙ୍ଗ ବଳରେ ଶତ୍ରୁ ଆଖିରୁ ଲୁଚିଵାକୁ ଚେଷ୍ଟା କରୁଛନ୍ତି, ମଣିଷ ସେହି ଗଛକୁ ହିଁ ମୂଳରୁ ହାଣି ଶେଷ କରିଦେଉଛି।
ଆଲଫ୍ରେଡ୍ ୱାଲେସ୍ ଏଵଂ ଡଃ ବିରୁଟେ ଗାଲ୍ଡିକାସ୍ ଗଵେଷଣା କରି ପ୍ରମାଣ କରିଥିଲେ ଯେ ଓରାଙ୍ଗୋଟାଙ୍ଗ୍ଙ୍କ ଗେରୁଆ ରଙ୍ଗ ବାଘ ଓ କଲରାପତ୍ରିଆ ବାଘଙ୍କ ଆଖିରୁ ସେମାନଙ୍କୁ ରକ୍ଷା କରିଥାଏ, କାରଣ ବାଘ ପାଖରେ 'ଦ୍ୱି-ଵର୍ଣ୍ଣ ଦୃଷ୍ଟି' (Dichromatic vision) ଥାଏ। କିନ୍ତୁ ଵିଜ୍ଞାନ ଵିଚରା ଏତିକି ଆକଳନ କରିପାରିନଥିଲା ଯେ ବୋର୍ଣିଓର କାଠ ମାଫିଆ, ଶିଳ୍ପପତି ଓ ବୁଲ୍ଡୋଜର୍ ଚାଳକଙ୍କ ଆଖିରେ କେଵଳ 'ସବୁଜ ନୋଟ୍'ର ରଙ୍ଗ ହିଁ ଦିଶେ !
ବୁଲ୍ଡୋଜର୍ର ଲୁହା ଦାନ୍ତ ଆଗରେ ପ୍ରକୃତିର କାମୋଫ୍ଲେଜ୍ ଵା ଛଦ୍ମାଵରଣର ଶକ୍ତି ସମ୍ପୂର୍ଣ୍ଣ ନିଷ୍ଫଳ। ଜଙ୍ଗଲରେ ନିଆଁ ଲଗାଇ ଯେତେବେଳେ ରାକ୍ଷସ ଭଳି ବୁଲ୍ଡୋଜର୍ଗୁଡ଼ିକ ମାଡ଼ିଆସନ୍ତି, ଓରାଙ୍ଗୋଟାଙ୍ଗ୍ ମା’ମାନେ ନିଜ ଛୁଆଙ୍କୁ ଛାତିରେ ଜାକି ଭୟରେ ଏଗଛରୁ ସେଗଛକୁ ଦୌଡ଼ନ୍ତି। ସେତିକି ବେଳେ ଵନ୍ୟପ୍ରାଣୀ ଚୋରାଚାଲାଣକାରୀମାନେ ନିରୀହ ମା’କୁ ଗୁଳି କରି ହତ୍ୟା କରନ୍ତି ଏଵଂ ଏହି ଅନାଥ ଛୁଆମାନଙ୍କୁ କାଠ ବାକ୍ସରେ ପୂରାଇ ଅନ୍ତର୍ଜାତୀୟ କଳାବଜାରକୁ ବିକ୍ରି କରିଦିଅନ୍ତି। ଏହିପରି ଭାବେ ହିଁ ଅନ୍ତର୍ଜାତୀୟ ସୀମା ପାର ହୋଇ ଏହି ପାଞ୍ଚୋଟି ଅତିଥି ଆମ ଓଡ଼ିଶା ମାଟିରେ ଆସି ପହଞ୍ଚିଗଲେ ଏଵଂ ଆମ ସୃଜନଶୀଳ ରାଜନେତା ଓ ନେଟିଜେନ୍ଙ୍କ ପାଇଁ 'ଗେରୁଆ ରାଜନୀତି'ର ଏକ ରୋଚକ କାହାଣୀ ସାଜିଗଲେ! ତେଣୁ ନିରପେକ୍ଷ ଭାବେ ଦେଖିଵାକୁ ଗଲେ, ଏହି ଵିଚରା ଓରାଙ୍ଗୋଟାଙ୍ଗ୍ମାନଙ୍କ ପାଇଁ ପୃଥିଵୀର କୌଣସି କୋଣରେ ବି ଶାନ୍ତି ନାହିଁ।
ନିଜ ଘର ବୋର୍ଣିଓରେ ମଣିଷ ସେମାନଙ୍କ ‘ଘର’ ଵା ଆଵାସସ୍ଥଳୀ ଛଡ଼ାଇ ନେଉଛି,
ଆଉ ଇଆଡ଼େ ଭାରତରେ ମଣିଷ ସେମାନଙ୍କ ‘ରଙ୍ଗ’ କୁ ନେଇ ରାଜନୀତି କରୁଛି। ବୋର୍ଣିଓରେ ସେମାନେ "ତାଳ ତେଲ" ପାଇଁ ବଳି ପଡୁଛନ୍ତି, ଆଉ ଓଡ଼ିଶାରେ "ହିନ୍ଦୁତ୍ୱ ଭୋଟ୍ ବ୍ୟାଙ୍କ" ପାଇଁ ନୂଆ ପ୍ରଚାରକ ବୋଲାଉଛନ୍ତି।
ବୋର୍ଣିଓ ଜଙ୍ଗଲ ଆଜି ସୁରକ୍ଷିତ ନୁହେଁ। ଯଦି ଏହିପରି ଭାବେ ଜଙ୍ଗଲ କଟା ଚାଲେ, ତେବେ ଆଗାମୀ କିଛି ଦଶନ୍ଧି ମଧ୍ୟରେ ବୋର୍ଣିଓରୁ ଓରାଙ୍ଗୋଟାଙ୍ଗ୍ମାନେ ସମ୍ପୂର୍ଣ୍ଣ ଲୋପ ପାଇଯିବେ। ବୋଧହୁଏ ଚିଡ଼ିଆଖାନାର ପିଞ୍ଜରା ଭିତରେ ବସି ଏହି ପାଞ୍ଚୋଟି ଓରାଙ୍ଗୋଟାଙ୍ଗ୍ ଛୁଆ ନିଜ ମନ ଭିତରେ ପ୍ରାର୍ଥନା କରୁଥିବେ—"ହେ ଈଶ୍ୱର! ବୋର୍ଣିଓର କାଠକଟା କୁରାଢ଼ୀଠାରୁ ଆମକୁ ବଞ୍ଚାଅ, ନଚେତ୍ ଭାରତର ସୃଜନଶୀଳ ରାଜନେତା, କାର୍ଟୁନିଷ୍ଟ ଓ ଟ୍ରୋଲରଙ୍କ କଲମଠାରୁ ଆମକୁ ମୁକ୍ତି ଦିଅ!"
No comments:
Post a Comment