My Blog List

Showing posts with label ମନୋଵିଜ୍ଞାନ. Show all posts
Showing posts with label ମନୋଵିଜ୍ଞାନ. Show all posts

Wednesday, March 25, 2026

ମାନଵ ମନର ନକାରାତ୍ମକ ଆକର୍ଷଣ ଏଵଂ ତହିଁର ଵିଵର୍ତ୍ତନ ଇତିହାସ

ମାନଵ ମନ ଏକ ଜଟିଳ ଏଵଂ ରହସ୍ୟମୟ ଯନ୍ତ୍ର। ଆମେ ପ୍ରତିଦିନ ହଜାର ହଜାର ସୂଚନା, ଅନୁଭୂତି ଓ ଘଟଣାର ସାମ୍ନା କରୁଛୁ, କିନ୍ତୁ ସବୁକିଛି ସମାନ ଭାବେ ଆମ ମନରେ ପ୍ରଭାଵ ପକାଇ ନଥାଏ। ଯଦି ଆମେ ସୂକ୍ଷ୍ମ ଭାବେ ନିରୀକ୍ଷଣ କରିଵା ତେବେ ଏକ ଆଶ୍ଚର୍ଯ୍ୟଜନକ ସତ୍ୟ ସାମ୍ନାକୁ ଆସେ ଯେ "ନକାରାତ୍ମକ ଘଟଣା, ଅନୁଭୂତି କିମ୍ଵା ସୂଚନା ସକାରାତ୍ମକ ଜିନିଷଠାରୁ ଅଧିକ ଶକ୍ତିଶାଳୀ ହୋଇଥାଏ ଏଵଂ ଆମ ମନରେ ଅଧିକ ଗଭୀର ପ୍ରଭାଵ ପକାଇଥାଏ" । ଏହି ମନୋଵୈଜ୍ଞାନିକ ପ୍ରଵୃତ୍ତିକୁ ମନୋଵିଜ୍ଞାନର ଭାଷାରେ ନକାରାତ୍ମକ ପକ୍ଷପାତ ଵା negativity bias କୁହାଯାଏ। ଏହା କେଵଳ ଏକ ମାନସିକ ଵିଶେଷତ୍ୱ ନୁହେଁ ଵରଂ ଆମର ଵିଵର୍ତ୍ତନଗତ ଇତିହାସ ସହିତ ଗଭୀର ଭାବେ ଜଡ଼ିତ ଏକ ପ୍ରାକୃତିକ ପ୍ରକ୍ରିୟା ଯାହା ଆମ ପୂର୍ଵପୁରୁଷଙ୍କ ବଞ୍ଚିଵା ଓ ଉନ୍ନତି ପାଇଁ ଅତ୍ୟନ୍ତ ଆଵଶ୍ୟକ ଥିଲା।

ନେଗେଟିଵିଟି ବାୟସ୍ ଵା ନକାରାତ୍ମକ ପକ୍ଷପାତ ମାନଵ ମନର ଏକ ପ୍ରାକୃତିକ ପ୍ରଵୃତ୍ତି ଅଟେ ଯାହାର ପ୍ରଭାଵରେ ଆମେ ନକାରାତ୍ମକ ଘଟଣା, ଅନୁଭୂତି, ସୂଚନା କିମ୍ଵା ସ୍ମୃତିକୁ ସକାରାତ୍ମକ ଜିନିଷଠାରୁ ଅଧିକ ଗୁରୁତ୍ୱ ଦେଇଥାଉ, ଅଧିକ ଧ୍ୟାନ ଦେଇଥାଉ, ଅଧିକ ଶୀଘ୍ର ପ୍ରକ୍ରିୟାକରଣ କରିଥାଉ ଏଵଂ ଅଧିକ ସମୟ ଧରି ଚିନ୍ତା କରିଥାଉ। ଏହା ଏକ ସାର୍ଵଜନୀନ ମାନଵୀୟ ଲକ୍ଷଣ ଯାହା ସମସ୍ତ ସଂସ୍କୃତି, ଵୟସ ଏଵଂ ପୃଷ୍ଠଭୂମି ମଧ୍ୟରେ ଦେଖାଯାଏ। ଏହି "ବାୟସ୍ ଵା ପକ୍ଷପାତ" ଆମର ଵିଵର୍ତ୍ତନଗତ ଇତିହାସରୁ ଆସିଛି କାରଣ ପୂର୍ଵକାଳରେ ଵିପଦ ଚିହ୍ନଟ କରିଵା ଏଵଂ ତହିଁରୁ ନିଜକୁ ରକ୍ଷା କରି ଜୀଵନ ବଞ୍ଚାଇଵା ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା। ଆମ ପୂର୍ଵପୁରୁଷଙ୍କ ପାଇଁ ଏକ ମିଠା ଫଳର ସ୍ମୃତି ଅପେକ୍ଷା ଏକ ଵିଷାକ୍ତ ଫଳ ଖାଇଵା ଦ୍ଵାରା ହେଉଥିଵା କ୍ଷତି କିମ୍ଵା ପ୍ରଜାପତିର ସୌନ୍ଦର୍ଯ୍ୟ ମନେ ରଖିଵା ଅପେକ୍ଷା ଵିପଜ୍ଜନକ ଜନ୍ତୁର ସ୍ଵରୂପ ସ୍ମରଣ କରି ରଖିଵା ଅଧିକ ମୂଲ୍ୟଵାନ ଥିଲା। ଏହି କାରଣରୁ ଯେଉଁମାନେ ନକାରାତ୍ମକ ଘଟଣାକୁ ଅଧିକ ଧ୍ୟାନରେ ରଖୁଥିଲେ ସେମାନେ ଅଧିକ ବଞ୍ଚିଵାର ସମ୍ଭାଵନା ରଖିଥିଲେ ଏଵଂ ଆଜି ସେହି ଜିନ୍ ଆସି ଆମ ପର୍ଯ୍ୟନ୍ତ ପହଞ୍ଚିଛି।

ଆଧୁନିକ ଜୀଵନରେ ଯେତେବେଳେ ଵନ୍ୟ ଜନ୍ତୁ କିମ୍ଵା ଜୀଵନ ସଂକଟର ଭୟ କମ୍ ହୋଇଛି ସେତେବେଳେ ମଧ୍ୟ ଏହି ବାୟସ୍ ଆମ ମନରେ ସକ୍ରିୟ ରହିଛି। ଏହା ଆଜିର ଦୈନନ୍ଦିନ ଜୀଵନରେ ଅନେକ ରୂପରେ ଦେଖାଯାଏ - କାର୍ଯ୍ୟକ୍ଷେତ୍ରରେ, ସମ୍ପର୍କରେ, ସାମାଜିକ ଗଣମାଧ୍ୟମରେ ଏଵଂ ଆମର ନିଜସ୍ୱ ଚିନ୍ତାଧାରାରେ ।

କେହି କେହି ଵିଚାର କରିପାରନ୍ତି ଯେ ନେଗେଟିଵିଟି ବାୟସ୍ କେଵଳ ଏକ ତାତ୍ତ୍ୱିକ ଧାରଣା କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ପ୍ରକୃତରେ ଏହା ଏକ ଵାସ୍ତଵ ତତ୍ତ୍ଵ ଯାହା ଆମର ଦୈନନ୍ଦିନ ଜୀଵନରେ ନିରନ୍ତର ପ୍ରକାଶ ପାଇଥାଏ। 

ଦୈନନ୍ଦିନ ଜୀଵନରେ ଏକ ସାଧାରଣ ଉଦାହରଣ ହେଉଛି କାର୍ଯ୍ୟକ୍ଷେତ୍ରରେ ପ୍ରତିକ୍ରିୟା ଵା ଫିଡ଼ବ୍ୟାକ୍ ପାଇଵା। ଧରନ୍ତୁ ଆପଣ ଏକ ପ୍ରୋଜେକ୍ଟ୍ ଉପରେ କାମ କରିଛନ୍ତି ଏଵଂ ଆପଣଙ୍କର ଉଚ୍ଚ ଅଧିକାରୀ, ମାଲିକ ଵା Boss ଆପଣଙ୍କୁ ଦଶଟି ସକାରାତ୍ମକ ମନ୍ତଵ୍ୟ ଦେଇଛନ୍ତି ଯେମିତି ଆପଣଙ୍କ କାମ ଉତ୍କୃଷ୍ଟ, ସମୟାନୁଵର୍ତ୍ତୀ ଏଵଂ ସୃଜନଶୀଳ। କିନ୍ତୁ ଶେଷରେ ଏକ ଛୋଟ ସୁଧାର ପରାମର୍ଶ ଦେଇଛନ୍ତି ଯେ ଏକ ନିର୍ଦ୍ଦିଷ୍ଟ ଅଂଶରେ ଆହୁରି ଉନ୍ନତି କରାଯାଇପାରିଵ। ଅଧିକାଂଶ ଲୋକଙ୍କ କ୍ଷେତ୍ରରେ କ'ଣ ଘଟେ? ସେମାନେ ସେହି ଗୋଟିଏ ନକାରାତ୍ମକ ମନ୍ତଵ୍ୟକୁ ନେଇ ଚିନ୍ତା କରିଵାକୁ ଲାଗନ୍ତି, ସେହି ଗୋଟିଏ କଥା ଯୋଗୁଁ ସମଗ୍ର ଦିନଟି ଖରାପ ଲାଗିଵାକୁ ଲାଗେ ଏଵଂ ସକାରାତ୍ମକ ପ୍ରଶଂସାଗୁଡ଼ିକ ପ୍ରାୟ ଭୁଲିଯାଆନ୍ତି। ରାତ୍ରିରେ ଶୋଇଵା ସମୟରେ ମନରେ ଵାରମ୍ଵାର ସେହି ସମାଲୋଚନା ଘୁରିବୁଲେ ଏଵଂ ଦଶଟି ପ୍ରଶଂସା ଅଦୃଶ୍ୟ ହୋଇଯାଏ। ସେହିପରି ଆପଣ ଏକ କମ୍ପାନୀରେ ସବୁ କର୍ମଚାରୀଙ୍କ ସହିତ ଭଲ ସମ୍ବନ୍ଧ ରଖି ମିଳିମିଶି ଗୁଡ଼ାଏ ମାସ କାମ କଲେ, ସମସ୍ତଙ୍କୁ ସାହାଯ୍ୟ କଲେ କିନ୍ତୁ ଗୋଟିଏ ଛୋଟିଆ ଵିଵାଦ ଵା ଭୁଲ୍ ଯୋଗୁଁ ସେମାନେ ଆପଣଙ୍କ ସହିତ ଥିଵା ତାଙ୍କର ସମସ୍ତ ସକାରାତ୍ମକ ଅନୁଭୂତି ଭୁଲି ଯାଆନ୍ତି ଏଵଂ ଆପଣଙ୍କୁ ମନ୍ଦ ଵ୍ୟକ୍ତି ଵା ଅଯୋଗ୍ୟ ଵ୍ୟକ୍ତି ଵିଚାର କରିନିଅନ୍ତି । 
ଏହା ନେଗେଟିଵିଟି ବାୟସ୍‌ର ଏକ ସ୍ପଷ୍ଟ ପ୍ରକାଶ ଯେଉଁଠାରେ ଗୋଟିଏ ନକାରାତ୍ମକ ଘଟଣା ଦଶଟି ସକାରାତ୍ମକ ଘଟଣାକୁ ଲୁଚାଇ ଦିଏ ଭୁଲାଇ ଦେଇଥାଏ।

ଵ୍ୟକ୍ତିଗତ ସମ୍ପର୍କରେ ମଧ୍ୟ ଏହି ବାୟସ୍ ବହୁତ ଦେଖାଯାଏ। ଧରନ୍ତୁ ଆପଣଙ୍କ ସାଙ୍ଗ କିମ୍ଵା ପ୍ରିୟଜନ ସହ ଏକ ବଡ଼ ଝଗଡ଼ା ହୋଇଛି ଏଵଂ ପରେ ସେମାନେ କ୍ଷମା ମାଗିଛନ୍ତି ତଥା ସବୁ ଠିକ୍ ହୋଇଯାଇଛି। କିନ୍ତୁ ଆପଣଙ୍କ ମନରେ ସେହି ଝଗଡ଼ା ସମୟରେ କହାଯାଇଥିଵା ଗାଳିଗୁଲଜ କିମ୍ଵା ଏକ କଠୋର କଥା ଵାରମ୍ଵାର ଆସିଥାଏ ଯାହା ଯୋଗୁଁ ଆପଣ ସମ୍ପର୍କରେ ଅସ୍ଥିରତା ଅନୁଭଵ କରନ୍ତି। ଵର୍ଷ ଵର୍ଷର ସୁଖଦ ମୁହୂର୍ତ୍ତଗୁଡ଼ିକ, ଅଗଣିତ ଭଲ ସ୍ମୃତି, ସାହାଯ୍ୟ ଓ ଆନନ୍ଦର ମୂହୁର୍ତ୍ତଗୁଡ଼ିକ ପ୍ରାୟ ପଛରେ ପଡ଼ିଯାଏ ଏଵଂ ସେହି ଗୋଟିଏ ନକାରାତ୍ମକ ଘଟଣା ଅଧିକ ପ୍ରଭାଵଶାଳୀ ହୋଇପଡ଼େ। କେତେକ ସମୟରେ ଲୋକେ ଏହି ଗୋଟିଏ ଘଟଣା ଯୋଗୁଁ ସମଗ୍ର ସମ୍ପର୍କକୁ ପୁନର୍ଵିଚାର କରିଵାକୁ ଲାଗନ୍ତି। ମନୋଵିଜ୍ଞାନୀ John Gottmanଙ୍କ ଗଵେଷଣା ଅନୁସାରେ ଏକ ସଫଳ ସମ୍ପର୍କ ପାଇଁ ଅନ୍ତତଃ ପାଞ୍ଚଟି ସକାରାତ୍ମକ ଅନୁଭୂତି ପ୍ରତ୍ୟେକ ନକାରାତ୍ମକ ଅନୁଭୂତି ପାଇଁ ଆଵଶ୍ୟକ ହୁଏ। ସେଥିପାଇଁ କୁହନ୍ତି ଯେ ସକାରାତ୍ମକ ଘଟଣାଠାରୁ ନକାରାତ୍ମକ ଘଟଣା ପାଞ୍ଚ ଗୁଣ ଅଧିକ ଶକ୍ତିଶାଳୀ ହୋଇଥାଏ।

ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ନେଗେଟିଵିଟି ବାୟସ୍ ବହୁତ ସ୍ପଷ୍ଟ ଭାବେ ଦେଖାଯାଏ। ଖବର ଚ୍ୟାନେଲ୍ କିମ୍ଵା ଅନଲାଇନ୍ ପୋର୍ଟାଲ୍ ସାଧାରଣତଃ ଦୁର୍ଘଟଣା, ଅପରାଧ, ରାଜନୈତିକ ଵିଵାଦ, ଦୁର୍ନୀତି, ମହାମାରୀ ଭଳି ନକାରାତ୍ମକ ଖଵରକୁ ଅଧିକ ପ୍ରଚାର କରନ୍ତି କାରଣ ଲୋକେ ସେହିସବୁ ଅଧିକ ଦେଖନ୍ତି ଏଵଂ ଶେୟାର କରନ୍ତି। "If it bleeds, it leads" ନାମକ ସାମ୍ଵାଦିକତା ନୀତି ଏହାକୁ ଆହୁରି ସ୍ପଷ୍ଟ କରେ। ଏକ ସୁଖଦ ଘଟଣା ଵିଷୟରେ ଖବର ଯେମିତି ଏକ ସମୁଦାୟ ଦାତଵ୍ୟ କାର୍ଯ୍ୟକ୍ରମ କିମ୍ଵା ଵୈଜ୍ଞାନିକ ଅଗ୍ରଗତି କମ୍ ଆକର୍ଷଣ ସୃଷ୍ଟି କରେ। ସୋସିଆଲ୍ ମିଡିଆରେ ମଧ୍ୟ ଵିଵାଦୀୟ, କ୍ରୋଧଜନକ କିମ୍ଵା ଭୟଭୀତ କରୁଥିଵା ପୋଷ୍ଟ୍ ଅଧିକ ଲାଇକ୍, କମେଣ୍ଟ୍ ଏଵଂ ଶେୟାର ପାଇଥାଏ। ଉଦାହରଣ ସ୍ୱରୂପ ଆପଣ ମାସ ମାସ ଧରି ଗଵେଷଣା କରି ଦଶଟା ବହି ପଢ଼ି ଅନେକ ତର୍ଜମା କରି ଗୋଟିଏ ପ୍ରବନ୍ଧ ଲେଖିଲେ ଏଵଂ ତାକୁ ଫେସବୁକରେ ପୋଷ୍ଟ କଲେ । ଫଳାଫଳ କ’ଣ ହେଵ ? ଲୋକେ ସେଭଳି ଲେଖାକୁ କମ୍ ପଢି଼ବେ କିନ୍ତୁ ଗୋଟିଏ ଵିଵାଦୀୟ ପୋଷ୍ଟରେ ଶହ ଶହ ସଂଖ୍ୟାରେ ଜଡ଼ିତ ରହିବେ । ସାମାଜିକ ଗଣମାଧ୍ୟମରେ ଗୋଟିଏ ଵିଵାଦୀୟ ପୋଷ୍ଟର ଵିଷ୍ଟାସମ ଗନ୍ଧ ଏକ ସୁଗନ୍ଧିତ ଗଵେଷଣାଲବ୍ଧ ପ୍ରବନ୍ଧଠାରୁ ପାଞ୍ଚଗୁଣ ଅଧିକ ଶକ୍ତିଶାଳୀ କାରଣ ତହିଁରେ ନେଗେଟିଵିଟି ବାୟସ୍‌ର ପ୍ରଭାଵ ରହିଛି । 
ସାମାଜିକ ଗଣମାଧ୍ୟମରେ ନେଗେଟିଵିଟି ବାୟସ୍‌ର ଏହି ପ୍ରଭାଵ ଯୋଗୁଁ ହିଁ ଆମେ ଅଧିକ ନକାରାତ୍ମକ ସୂଚନା ଚାରିପଟେ ଘେରି ରହିଥାଉ ଏଵଂ ଜଗତକୁ ଅଧିକ ଖରାପ ଦେଖୁଥାଉ ଯଦିଓ ଵାସ୍ତଵରେ ଅନେକ କ୍ଷେତ୍ରରେ ପରିସ୍ଥିତି ଉନ୍ନତ ହୋଇଛି।

ଵ୍ୟକ୍ତିଗତ ସ୍ମୃତିରେ ପୂର୍ଵତନ ସମ୍ପର୍କ ଵିଷୟରେ ଚିନ୍ତା କରିଵା ଏ ଧରଣର ଆଉ ଏକ ଉଦାହରଣ ଅଟେ। ଯଦି କୌଣସି ଵ୍ୟକ୍ତି ଏକ ପୁରୁଣା ସମ୍ପର୍କ ଵିଷୟରେ ଚିନ୍ତା କରେ ତେବେ ସେ ପ୍ରାୟତଃ ଝଗଡ଼ା, ଵିଶ୍ୱାସଘାତକତା, ଅପମାନ କିମ୍ଵା ଦୁଃଖଦ ମୁହୂର୍ତ୍ତଗୁଡ଼ିକୁ ଅଧିକ ମନେ ପକାଏ ଏଵଂ ସୁଖଦ ସମୟଗୁଡ଼ିକ ପଛରେ ପଡ଼ିଯାଏ। ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଵିଵାଦ ହୋଇଯାଏ ସେମାନେ ଅଲଗା ହୋଇଯାଆନ୍ତି ଏଵଂ ପରସ୍ପର ସହିତ ବିତାଇଥିଵା ଭଲ ସମୟକୁ ଗୌଣ କରି ମନ୍ଦ ସମୟକୁ ମନେ ରଖି ଅନ୍ୟ ଆଗରେ ପରସ୍ପରର ନିନ୍ଦା ଗାନ କରନ୍ତି । ମେରି କମ୍‌ଙ୍କ କ୍ଷେତ୍ରରେ ଏହା ହିଁ ଘଟିଛି । ସେ ନିଜ ପୂର୍ଵପତିଙ୍କ ଉପକାରଗୁଡ଼ିକ ଭୁଲିଗଲେ ଯେ କେମିତି ତାଙ୍କ ପୂର୍ଵ ସ୍ଵାମୀ ନିଜର କ୍ୟାରିୟରକୁ ଜଳାଞ୍ଜଳି ଦେଇ ତାଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ ସହଯୋଗ କଲେ ଏଵଂ କେଵଳ ଖରାପ ମୁହୂର୍ତ୍ତଗୁଡ଼ିକୁ ମନେ ରଖିଲେ । 
ତେବେ ଵ୍ୟକ୍ତିଗତ ସମ୍ପର୍କ କ୍ଷେତ୍ରରେ ନେଗେଟିଵିଟି ବାୟସର ଏହି ପ୍ରଭାଵ ଯୋଗୁଁ ନୂତନ ସମ୍ପର୍କ ଗଢ଼ିଵାରେ ମଧ୍ୟ ଅସୁଵିଧା ହୁଏ କାରଣ ପୁରୁଣା ନକାରାତ୍ମକ ଅଭିଜ୍ଞତା ଯୋଗୁଁ ନୂତନ ଵ୍ୟକ୍ତିଙ୍କୁ ମଧ୍ୟ ସନ୍ଦେହ ଦୃଷ୍ଟିରେ ଦେଖାଯାଏ। ଏହାକୁ "emotional scarring" କୁହାଯାଏ କାରଣ ନକାରାତ୍ମକ ଅନୁଭୂତି ଅନେକ ଗଭୀର ଘାଆ ଛାଡ଼ିଯାଏ।

ପୁଣି ରେଷ୍ଟୁରାଣ୍ଟ୍ କିମ୍ଵା ସେଵା ଵିଷୟରେ ଅଭିଯୋଗ କରିଵା ଅଧ୍ୟତମ ଉଦାହରଣ। ଭୋଜନ ଅତ୍ୟନ୍ତ ସ୍ଵାଦିଷ୍ଟ, ପରିବେଶ ସୁନ୍ଦର କିନ୍ତୁ ଯଦି ସେଵାରେ ଏକ ଛୋଟ ଭୁଲ୍ ହୋଇଥାଏ ଯଥା ଅର୍ଡର୍ ଦେଵାରେ ଵିଳମ୍ଵ ଇତ୍ୟାଦି ତେବେ ଅନେକ ଲୋକ ସେହି ଛୋଟ ଭୁଲ୍‌କୁ ନେଇ ଅଭିଯୋଗ କରନ୍ତି ଏଵଂ ସମଗ୍ର ଅଭିଜ୍ଞତାକୁ ଖରାପ ବୋଲି କହନ୍ତି। ଅନଲାଇନ୍ ରିଭ୍ୟୁରେ ମଧ୍ୟ ଦେଖାଯାଏ ଯେ ନକାରାତ୍ମକ ରିଭ୍ୟୁ ଅଧିକ ଲେଖାଯାଏ ଏଵଂ ତାହା ଅଧିକ ଲମ୍ଵା ହୋଇଥାଏ ମାତ୍ର ସକାରାତ୍ମକ ଅଭିଜ୍ଞତା ପାଇଁ ଲୋକେ କମ୍ ସମୟ ଦେଇଥାନ୍ତି। ଏହିପରି ଭାବେ ନକାରାତ୍ମକ ଅଭିଜ୍ଞତା ସକାରାତ୍ମକଠାରୁ ଅଧିକ ପ୍ରଭାଵ ପକାଇଥାଏ ଏଵଂ ଅଧିକ କାର୍ଯ୍ୟକାରିତା ସୃଷ୍ଟି କରେ।

ଏହି ଉଦାହରଣଗୁଡ଼ିକରୁ ସ୍ପଷ୍ଟ ହୁଏ ଯେ ନେଗେଟିଵିଟି ବାୟସ୍ ଆମର ମନୋଭାଵ, ସିଦ୍ଧାନ୍ତ ଗ୍ରହଣ, ସମ୍ପର୍କ, କ୍ରୟ ଆଚରଣ ଏଵଂ ଜଗତ ପ୍ରତି ଦୃଷ୍ଟିକୋଣକୁ ଗଭୀର ଭାବେ ପ୍ରଭାଵିତ କରିଥାଏ। ଏହାକୁ ବୁଝିଵା ଏଵଂ ସଚେତନ ରହିଵା ଦ୍ୱାରା ଆମେ ଅଧିକ ସନ୍ତୁଳିତ ଭାବେ ଜୀଵନକୁ ଦେଖିପାରିଵା ଏଵଂ ନକାରାତ୍ମକ ଘଟଣାକୁ ଅଧିକ ମୂଲ୍ୟ ନଦେଵାକୁ ଶିଖିପାରିଵା।

ତେବେ ମଣିଷମାନେ ଏ ନେଗେଟିଵିଟି ବାୟସ୍ ଵା ନକାରାତ୍ମକ ପକ୍ଷପାତ ଵିଷୟରେ କେମିତି ଜାଣିଲେ ? ନିଶ୍ଚିତ ଭାବରେ ଏହା ଗୋଟିଏ ଦିନରେ ଵା ଵର୍ଷରେ ଜଣାପଡ଼ିନାହିଁ ଵରଂ ଏ କ୍ଷେତ୍ରରେ ବହୁ ଵର୍ଷର ଗଵେଷଣା ନିହିତ ଅଛି । 
ନେଗେଟିଵିଟି ବାୟସ୍ (negativity bias) ଭଳି ଏକ ମନୋଵିଜ୍ଞାନୀୟ ପ୍ରଵୃତ୍ତିର ଐତିହାସିକ ଵିକାଶ ଏଵଂ ଵୈଜ୍ଞାନିକ ଆଵିଷ୍କାର ଅତ୍ୟନ୍ତ ରୋଚକ ଏଵଂ ଗଭୀର। ଏହା ପ୍ରାଚୀନ କାଳରୁ ମାନଵ ମନରେ ଉପସ୍ଥିତ ଥିଲା ଯଦିଓ ସେତେବେଳେ ଏହାକୁ ଏଭଳି ଏକ ନିର୍ଦ୍ଦିଷ୍ଟ ନାମରେ ଚିହ୍ନିତ କରାଯାଇ ନଥିଲା।

 ପ୍ରାଚୀନ କାଳରେ ମାନଵ ସମାଜରେ ଏହି ପ୍ରଵୃତ୍ତିର ପ୍ରକାଶ ଵିଭିନ୍ନ ସାହିତ୍ୟିକ, ଧାର୍ମିକ ଏଵଂ ଦାର୍ଶନିକ ରଚନାରେ ଦେଖାଯାଏ। ଉଦାହରଣ ସ୍ୱରୂପ ପ୍ରାଚୀନ ଭାରତୀୟ ଓ ଗ୍ରୀକ ଦାର୍ଶନିକ ଏଵଂ ସାହିତ୍ୟିକମାନେ ମନ୍ଦ ଘଟଣାର ଅଧିକ ପ୍ରଭାଵଶାଳୀ ହେଵାକୁ ଲକ୍ଷ୍ୟ କରିଥିଲେ। ଶେକ୍ସପିୟର୍ ଙ୍କ ରଚନାରେ ମଧ୍ୟ ଏହି ଧାରଣା ପ୍ରତିଫଳିତ ହୋଇଛି ଯହିଁରେ ଏକ ଛୋଟ ଦୋଷ ସମଗ୍ର ଗୁଣକୁ ନଷ୍ଟ କରିଦେଵାର ଉଲ୍ଲେଖ ରହିଛି। ଆର୍ଥର୍ ଶୋପେନହାୱର୍ ଭଳି ଦାର୍ଶନିକ କହିଥିଲେ ଯେ ଯନ୍ତ୍ରଣାର ଅନୁପସ୍ଥିତି ଅନୁଭଵ ହୁଏ ନାହିଁ କିନ୍ତୁ ଯନ୍ତ୍ରଣା ନିଜେ ଅତ୍ୟନ୍ତ ସ୍ପଷ୍ଟ ଭାବେ ଅନୁଭଵ ହୁଏ। ପ୍ରାଚୀନ ହିନ୍ଦୁ ଗ୍ରନ୍ଥ ନାଟ୍ୟଶାସ୍ତ୍ରରେ ଭାଵନାଗୁଡ଼ିକର ଵର୍ଣ୍ଣନାରେ ମଧ୍ୟ ନକାରାତ୍ମକ ଭାଵନାର ଵିସ୍ତୃତତା ଦେଖାଯାଏ। ଏହିସବୁରୁ ସ୍ପଷ୍ଟ ହୁଏ ଯେ ମାନଵ ମନ ପ୍ରାଚୀନ କାଳରୁ ନକାରାତ୍ମକ ଘଟଣାକୁ ଅଧିକ ଗୁରୁତ୍ୱ ଦେଇଆସିଛି।

ଵିଵର୍ତ୍ତନଗତ ଦୃଷ୍ଟିକୋଣରୁ ଦେଖିଲେ ଏହି ପ୍ରଵୃତ୍ତି ଲକ୍ଷ ଲକ୍ଷ ଵର୍ଷ ପୂର୍ବେ ଆମ ପୂର୍ଵପୁରୁଷଙ୍କ ପାଇଁ ଏକ ଅତ୍ୟନ୍ତ ଉପକାରୀ ଅସ୍ତ୍ର ଥିଲା। ସେତେବେଳେ ଵନ୍ୟ ଜନ୍ତୁ, ଵିଷାକ୍ତ ଖାଦ୍ୟ, ପ୍ରାକୃତିକ ଵିପଦ ଏଵଂ ଅନ୍ୟାନ୍ୟ ଵିପଦ ସର୍ଵଦା ଉପସ୍ଥିତ ଥିଲା। ଯେଉଁମାନେ ନକାରାତ୍ମକ ଘଟଣାକୁ ଅଧିକ ଗୁରୁତ୍ୱ ଦେଇ ତହିଁରୁ ରକ୍ଷା ପାଇଵାର କୌଶଳ ଶିଖିଥିଲେ ଏଵଂ ତାକୁ ଏଡ଼ାଇଵାକୁ ଚେଷ୍ଟା କରିଥିଲେ ସେମାନେ ଅଧିକ ଦିନ ବଞ୍ଚିଵାର ସମ୍ଭାଵନା ରଖିଥିଲେ ଏଵଂ ସେହି genes ପରଵର୍ତ୍ତୀ ପିଢ଼ିକୁ ପ୍ରସାରିତ ହୋଇଛି। ଏକ ଭୁଲ୍ ଯୋଗାତ୍ମକ ଵା false positive ଅର୍ଥାତ୍ ଵିପଦ ନଥିଵା ସମୟରେ ଵିପଦ ଦେଖିଵା ଜୀଵନ ପାଇଁ କ୍ଷତିକାରକ ନୁହେଁ କିନ୍ତୁ ଭୁଲ୍ ନକାରାତ୍ମକ ଵା false negative ଅର୍ଥାତ୍ ଵିପଦ ଥିଵା ସମୟରେ ଵିପଦ ନଦେଖିଵା ମୃତ୍ୟୁ ଘଟାଇପାରେ। ଏହି କାରଣରୁ ଵିଵର୍ତ୍ତନ ଦ୍ଵାରା ପ୍ରକୃତି ଆମକୁ ଅଧିକ ସତର୍କ ରହିଵାକୁ ପ୍ରୋଗ୍ରାମ୍ କରିଛି।

ଆଧୁନିକ ମନୋଵିଜ୍ଞାନରେ ଏହି ପ୍ରଵୃତ୍ତିର ଵ୍ୟଵସ୍ଥିତ ଆଲୋଚନା ଵିଂଶ ଶତାବ୍ଦୀର ମଧ୍ୟଭାଗରୁ ଆରମ୍ଭ ହେଲା । ପ୍ରଥମେ ଏହା impression formation ଏଵଂ ସାମାଜିକ ଵିଚାର କ୍ଷେତ୍ରରେ ଦେଖାଗଲା। ୧୯୬୦ ଓ ୧୯୭୦ ଦଶକରେ ଗଵେଷକମାନେ ଲକ୍ଷ୍ୟ କଲେ ଯେ ନକାରାତ୍ମକ ଗୁଣାଵଳୀ ସମଗ୍ର ଵ୍ୟକ୍ତିତ୍ୱ ମୂଲ୍ୟାଙ୍କନରେ ଅଧିକ ପ୍ରଭାଵ ପକାଇଥାଏ। Kanouse ଓ Hansonଙ୍କ ୧୯୭୨ର କାମରେ ଏହି ନକାରାତ୍ମକ ପ୍ରଭାଵର ଉଲ୍ଲେଖ ରହିଛି। ଏହା ପରେ ଅନେକ ଗଵେଷଣାରେ ଏହି ଧାରଣା ଵିସ୍ତୃତ ହେଲା କିନ୍ତୁ ଏହାକୁ ଏକ ସାଧାରଣ ନିୟମ ଭାବେ ପ୍ରତିଷ୍ଠା କରିଵା ପାଇଁ ଆଵଶ୍ୟକ ଥିଲା ଏକ ସମନ୍ୱିତ ସମୀକ୍ଷା।

ସର୍ଵପ୍ରଥମେ ଏହି ଶବ୍ଦ "negativity bias" ଵା ନକାରାତ୍ମକ ପକ୍ଷପାତକୁ ଏକ ନିର୍ଦ୍ଦିଷ୍ଟ ଏଵଂ ଵ୍ୟାପକ ଅର୍ଥରେ ମନୋଵିଜ୍ଞାନୀ Paul Rozin ଓ Edward Royzman ପ୍ରତିଷ୍ଠା କରିଥିଲେ। ସେମାନଙ୍କ ୨୦୦୧ ମସିହାରେ ପ୍ରକାଶିତ ପେପର୍ "Negativity Bias, Negativity Dominance, and Contagion"ରେ ଏହି ପ୍ରଵୃତ୍ତିକୁ ଚାରିଟି ମୁଖ୍ୟ ଉପାଦାନରେ ଵିଭକ୍ତ କରି ଵର୍ଣ୍ଣନା କରାଯାଇଛି। ଏହି ପେପର୍ ପ୍ରଥମେ ଏହି ଧାରଣାକୁ ଏକ ସାଧାରଣ ନିୟମ ଭାବେ ପ୍ରତିଷ୍ଠା କଲା ଯାହା ମାନଵ ଓ ପଶୁ ଉଭୟଙ୍କ ପାଇଁ ପ୍ରଯୁଜ୍ୟ। ସେହି ଵର୍ଷରେ ହିଁ Roy Baumeister ଏଵଂ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା "Bad is Stronger than Good" ନାମକ ଏକ ପ୍ରଭାଵଶାଳୀ ସମୀକ୍ଷା ପ୍ରକାଶିତ ହେଲା ଯହିଁରେ ଵିଭିନ୍ନ କ୍ଷେତ୍ରରେ ନକାରାତ୍ମକ ଘଟଣାର ଅଧିକ ପ୍ରଭାଵକୁ ଵିସ୍ତୃତ ଭାବେ ପ୍ରମାଣ କରାଯାଇଛି । ସମ୍ପର୍କ, ଭାଵନା, ସିଦ୍ଧାନ୍ତ ଗ୍ରହଣ, ସ୍ମୃତି, ସ୍ୱାସ୍ଥ୍ୟ ଏଵଂ ଅନ୍ୟାନ୍ୟ କ୍ଷେତ୍ରରେ କେମିତି Negativity biasର ପ୍ରଭାଵ ପରିଲକ୍ଷିତ ହୁଏ ତାହା ଏଥିରେ ଵର୍ଣ୍ଣିତ ହୋଇଛି। ଏହି ଦୁଇଟି ପେପର୍ ଏକତ୍ର ଏହି ଵିଷୟକୁ ଆଧୁନିକ ମନୋଵିଜ୍ଞାନରେ ଏକ ପ୍ରମୁଖ ସ୍ଥାନ ଦେଲା।

ତତ୍ପରେ ଏ ଵିଷୟରେ ଅନେକ ଅଧ୍ୟୟନ ହୋଇଛି ।neuroscience ପ୍ରମାଣ ଦେଖାଇଛି ଯେ amygdala ଭଳି ମସ୍ତିଷ୍କ ଅଂଶ ନକାରାତ୍ମକ ଉତ୍ତେଜନାକୁ ଅଧିକ ଶୀଘ୍ର ଏଵଂ ଗଭୀର ଭାବେ ପ୍ରତିକ୍ରିୟା କରିଥାଏ। fMRI ସ୍କାନ୍ ଦେଖାଏ ଯେ ନକାରାତ୍ମକ ଛବି ଦେଖିଲେ ଆମ୍ୟଗ୍ଡାଲା ଅଧିକ ସକ୍ରିୟ ହୁଏ ଯାହା ସକାରାତ୍ମକ କିମ୍ଵା ନିରପେକ୍ଷ ଛବି ସମୟରେ ହୁଏ ନାହିଁ। ଶିଶୁ ଵିକାଶରେ ମଧ୍ୟ ଏହି ବାୟସ୍ ପ୍ରଥମ ଵର୍ଷର ଦ୍ୱିତୀୟ ଭାଗରେ ଦେଖାଯାଏ ଯାହା social referencing ମାଧ୍ୟମରେ ପ୍ରମାଣିତ ହୋଇଛି। ଆଧୁନିକ ଯୁଗରେ ଏହି ବାୟସ୍ ସାମାଜିକ ଗଣମାଧ୍ୟମ, ଖବର ଓ ଦୈନନ୍ଦିନ ସିଦ୍ଧାନ୍ତରେ ପ୍ରଭାଵ ପକାଇଛି। ଏହି ଐତିହାସିକ ଯାତ୍ରା ପ୍ରାଚୀନ ସମୟର ପ୍ରାକୃତିକ ପ୍ରଵୃତ୍ତିରୁ ଆରମ୍ଭ ହୋଇ ଆଧୁନିକ ଵୈଜ୍ଞାନିକ ସମୀକ୍ଷା ପର୍ଯ୍ୟନ୍ତ ପହଞ୍ଚିଛି ଯାହା ଆମକୁ ବୁଝାଏ ଯେ କେମିତି ଏକ ଵିଵର୍ତ୍ତନଗତ ଉପକାରୀ ପ୍ରକ୍ରିୟା ଆଜି ମଧ୍ୟ ଆମର ମନୋଭାଵକୁ ନିର୍ଦ୍ଦେଶିତ କରୁଛି।

ଅଵଶ୍ୟ ନେଗେଟିଵିଟି ବାୟସ୍ ମାନଵଜାତିରେ ହଜାର ହଜାର ଵର୍ଷ ପୂର୍ଵେ ଥିଵାର ପ୍ରମାଣ ସିଧାସଳଖ ପ୍ରାଚୀନ ଜୀଵାଶ୍ମ କିମ୍ଵା ଫସିଲ୍ ରୂପରେ ନଥିଲେ ମଧ୍ୟ evolutionary ଵା ଵିଵର୍ତ୍ତନଗତ ଓ developmental ଵା ଵିକାଶମୂଳକ ଏଵଂ ନ୍ୟୁରୋସାଇନ୍ସ୍ ଆଧାରିତ ଅନେକ ପ୍ରମାଣ ରହିଛି ଯାହା ଏହାକୁ ଏକ ପ୍ରାଚୀନ ଵିଵର୍ତ୍ତନଗତ ପ୍ରକ୍ରିୟାର ଫଳ ବୋଲି ସ୍ପଷ୍ଟ କରିଥାଏ।

ଲକ୍ଷ ଲକ୍ଷ ଵର୍ଷ ପୂର୍ଵେ ଆମ ପୂର୍ଵପୁରୁଷଙ୍କ ପାଇଁ ଆଜିଠାରୁ ସମ୍ପୂର୍ଣ୍ଣ ଭିନ୍ନ ପରସ୍ଥିତି ଥିଲା ।‌ ସେତେବେଳେ ଏକ ନକାରାତ୍ମକ ଘଟଣା ମୃତ୍ୟୁର ସାମ୍ନା କରାଇ ଦେଉଥିଲା । ମନୁଷ୍ୟ ଅନ୍ଧକାରକୁ ଡରୁଥିଲା କାରଣ ଅନ୍ଧକାରରେ ନିଶାଚର ମାଂସାହାରୀ ଜୀଵଙ୍କ ହାବୁଡ଼ରେ ପଡ଼ିଵାର ସମ୍ଭାଵନା ଥିଲା କିମ୍ବା ଵିଷାକ୍ତ ପୋକ,ବୁଢ଼ିଆଣୀ,କଙ୍କଡ଼ାବିଚ୍ଛା କିମ୍ବା ସର୍ପ ଦଂଶନର ଭୟ ରହୁଥିଲା । ମନୁଷ୍ୟ ଜଳକୁ ଡରୁଥିଲା,ଅଗ୍ନିକୁ ଡରୁଥିଲା,ପର୍ଵତକୁ ଡରୁଥିଲା,ଵିଜୁଳି ଓ ଵର୍ଷାକୁ ଡରୁଥିଲା କାରଣ ସେ ଜାଣିଥିଲା ଏକ ମନ୍ଦ ପରିସ୍ଥିତିରେ ପଡ଼ି ମୃତ୍ୟୁଵରଣ କରିଵା ସାର ହେଵ । 
ସେତେବେଳେ ନକାରାତ୍ମକ ପକ୍ଷପାତର ଭାଵନା ତା ମନକୁ କଵଳିତ କରିଛି ଯାହା ପିଢ଼ି ପିଢ଼ି ଧରି ଆହୁରି ଉତ୍କଟ ହୋଇଛି । ଏହାର କିଛି ହଜାର ଵର୍ଷ ନୁହେଁ ଵରଂ ଲକ୍ଷାଧିକ ଵର୍ଷ ଧରି ମାନଵ ତଥା ସେମାନଙ୍କ ହୋମୋ ପୂର୍ଵଜଙ୍କୁ ସାମ୍ନା କରିଵାକୁ ପଡ଼ିଛି । ଏହି ସବୁ କାରଣରୁ ମଣିଷ ମନରେ ନକାରାତ୍ମକ ପକ୍ଷପାତ ଜନ୍ମ ନେଇଛି ଏଵଂ ତାହା ଜିନ୍‌ରେ ପର ପିଢ଼ିକୁ ମିଳିଛି। ମଣିଷମାନଙ୍କ ମଧ୍ୟରେ ଏହା ଏତେ ସାଧାରଣ ଯେ ତିନି ମାସର ମାନଵଶିଶୁ ମଧ୍ୟରେ ବି ଏହାର ଲକ୍ଷଣ ପ୍ରକାଶ କରିଥାଏ । ଗବେଷଣାରୁ ଜଣାପଡ଼ିଛି ଯେ ମାତ୍ର ୩ ମାସର ଶିଶୁମାନେ ସାମାଜିକ ମୂଲ୍ୟାଙ୍କନରେ ନକାରାତ୍ମକ ଘଟଣାକୁ ଅଧିକ ଧ୍ୟାନ ଦିଅନ୍ତି। Hamlin, Wynn ଓ Bloomଙ୍କ ଅଧ୍ୟୟନରେ ୩ ମାସର ଶିଶୁମାନେ ସାହାଯ୍ୟକାରୀ(helper)ଠାରୁ ବାଧାଦାୟକ (hinderer)ଏଜେଣ୍ଟକୁ ଅଧିକ ସମୟ ଦେଖିଥିଲେ। ୬ ଏଵଂ ୧୦ ମାସର ଶିଶୁମାନେ ମଧ୍ୟ ନକାରାତ୍ମକ ଏଜେଣ୍ଟକୁ ଅଧିକ ଏଡ଼ାଇଥିଲେ ଏଵଂ ସେମାନଙ୍କ ପ୍ରତି ଅଧିକ ଧ୍ୟାନ ଦେଇଥିଲେ। ଏହା ଦର୍ଶାଏ ଯେ ଏହି ବାୟସ୍ ଵା ପକ୍ଷପାତ ଜନ୍ମଗତ ଅଟେ ‌।

ମନୁଷ୍ୟ ମଧ୍ୟରେ negativity bias" ଵା ନକାରାତ୍ମକ ପକ୍ଷପାତର ଗୁଣ ଥିଵାର
ନ୍ୟୁରୋଵାୟୋଲୋଜିକାଲ୍ ପ୍ରମାଣ ମଧ୍ୟ ରହିଛି । ଆମ୍ୟଗ୍ଡାଲା (amygdala) ଭଳି ମସ୍ତିଷ୍କ ଅଂଶ ନକାରାତ୍ମକ ଉତ୍ତେଜନାକୁ ଅଧିକ ଶୀଘ୍ର ଏଵଂ ଗଭୀର ଭାବେ ପ୍ରତିକ୍ରିୟା କରିଥାଏ ଯାହା ଏକ ପ୍ରାଚୀନ ଵିଵିର୍ତ୍ତନଗତ ଵ୍ୟଵସ୍ଥାର ଅଂଶ। ଏହି ପ୍ରତିକ୍ରିୟା ପ୍ରାଣୀମାନଙ୍କରେ ମଧ୍ୟ ଦେଖାଯାଏ ଯାହା ଏହାର ପ୍ରାଚୀନତାକୁ ସମର୍ଥନ କରେ। ସେହିପରି କ୍ରସ୍-କଲ୍ଚରାଲ୍ ଅଧ୍ୟୟନରେ ଦେଖାଯାଇଛି ଯେ ଵିଭିନ୍ନ ସଂସ୍କୃତିରେ ନକାରାତ୍ମକ ଖବରକୁ ଅଧିକ ଶାରୀରିକ ପ୍ରତିକ୍ରିୟା ଦିଆଯାଏ ଯାହା ଏହାର ସାର୍ଵଜନୀନତା ଏଵଂ ଵିଵର୍ତ୍ତନ ସମ୍ବନ୍ଧୀୟ ମୂଳକୁ ପ୍ରମାଣ କରେ। ଶତାଧିକ ଵର୍ଷ ଧରି କରାଯାଇଥିଵା ସମଗ୍ର ଗଵେଷଣାରୁ ସ୍ପଷ୍ଟ ହୁଏ ଯେ ଏହି ନେଗେଟିଵିଟି ବାୟସ୍ ହଜାର ହଜାର ଵର୍ଷ ପୂର୍ବେ ଆମ ପୂର୍ଵପୁରୁଷଙ୍କ ମଧ୍ୟରେ ଥିଲା ଏଵଂ ଏହା ଜୀଵନ ରକ୍ଷା ପାଇଁ ଏକ ମୌଳିକ ପ୍ରକ୍ରିୟା ଥିଲା ଯାହା ଆଜି ମଧ୍ୟ ଆମ ମନରେ ରହିଛି।

ନେଗେଟିଵିଟି ବାୟସ୍‌ର ପ୍ରକାଶ ଓ କାର୍ଯ୍ୟପ୍ରଣାଳୀକୁ ବୁଝିଵା ପାଇଁ Paul Rozin ଓ Edward B. Royzmanଙ୍କ ୨୦୦୧ ମସିହାର ପ୍ରସିଦ୍ଧ ଗଵେଷଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନେ ଏହି ବାୟସ୍‌କୁ ଚାରିଟି ମୁଖ୍ୟ ଉପାଦାନରେ ଵିଭକ୍ତ କରିଛନ୍ତି: (କ)negative potency
(ଖ)steeper negative gradients (ଗ)negativity dominance
(ଘ)negative differentiation

ପ୍ରଥମ ଘଟକ ହେଉଛି negative potency ଅର୍ଥାତ୍ ନକାରାତ୍ମକ ଶକ୍ତି। ଏହା କହେ ଯେ ସମାନ ମାତ୍ରାର ନକାରାତ୍ମକ ଏଵଂ ସକାରାତ୍ମକ ଘଟଣା ଥିଲେ ମଧ୍ୟ ନକାରାତ୍ମକ ଘଟଣା ଅଧିକ ଶକ୍ତିଶାଳୀ ହୋଇଥାଏ ଏଵଂ ଅଧିକ ପ୍ରଭାଵ ପକାଇଥାଏ। ଉଦାହରଣ ସ୍ୱରୂପ ଯଦି ଆପଣ ୫୦୦ ଟଙ୍କା ପାଇଵା ସହ ସେହି ପରିମାଣର ଟଙ୍କା ହରାଇଵା ହୁଏ ତେବେ ହରାଇଵାର ଦୁଃଖ, ପାଇଵାର ଆନନ୍ଦଠାରୁ ଅଧିକ ହୋଇଥାଏ। ମନୋଵିଜ୍ଞାନୀ Daniel Kahneman ଓ Amos Tverskyଙ୍କ ପ୍ରସ୍ପେକ୍ଟ୍ ଥିଓରୀରେ ଏହି ଧାରଣା ଦେଖାଯାଏ ଯେ କ୍ଷତି ଲାଭଠାରୁ ପ୍ରାୟ ଦୁଇ ଗୁଣ ଅଧିକ ଶକ୍ତିଶାଳୀ ହୋଇଥାଏ। ନକାରାତ୍ମକ ଵସ୍ତୁ କିମ୍ଵା ଅନୁଭୂତିର ତୀଵ୍ରତା ସକାରାତ୍ମକ ଵସ୍ତୁର ତୀଵ୍ରତାଠାରୁ ଅଧିକ ହୋଇଥାଏ ଯାହା ଆମ ମନରେ ଅଧିକ ଗଭୀର ପ୍ରଭାଵ ପକାଇଥାଏ।

ଦ୍ୱିତୀୟ ଘଟକ ହେଉଛି steeper negative gradients। ଏହା କହେ ଯେ ନକାରାତ୍ମକ ଘଟଣା ସମୟ କିମ୍ଵା ସ୍ଥାନରେ ନିକଟତର ହେଵା ସହ ତାହାର ନକାରାତ୍ମକତା ଅଧିକ ଶୀଘ୍ର ଏଵଂ ଅଧିକ ତୀଵ୍ର ଭାବେ ବଢ଼ିଥାଏ ଫଳତଃ ସକାରାତ୍ମକ ଘଟଣାର ସକାରାତ୍ମକତା ସେତେ ଶୀଘ୍ର ବଢ଼େ ନାହିଁ। ଉଦାହରଣ ସ୍ୱରୂପ ଏକ ବଡ଼ ବିଲ୍ ଦେଵାର ତାରିଖ ନିକଟତର ହେଵା ସହ ଚିନ୍ତା ଅଧିକ ତୀଵ୍ର ହୋଇଯାଏ କିନ୍ତୁ ଏକ ବଡ଼ ପରିମାଣର ଟଙ୍କା ପାଇଵାର ତାରିଖ ନିକଟତର ହେଵା ସହ ଆନନ୍ଦ ସେତେ ତୀଵ୍ର ଭାବେ ବଢ଼େ ନାହିଁ। ନକାରାତ୍ମକ ଘଟଣା ଆମକୁ ଅଧିକ ସତର୍କ କରି ରଖିଥାଏ କାରଣ ଵିପଦ ନିକଟତର ହେଵା ସହ ତାହାର ପ୍ରଭାଵ ଅଧିକ ବଢ଼ିଯାଏ।

ତୃତୀୟ ଘଟକ ହେଉଛି negativity dominance ଯାହା ନେଗେଟିଵିଟି ବାୟସ୍‌ର ସବୁଠାରୁ ସଶକ୍ତ ପ୍ରକାଶ ଅଟେ। ଯେତେବେଳେ ସକାରାତ୍ମକ ଏଵଂ ନକାରାତ୍ମକ ଘଟଣା ମିଶିଥାଏ ତେବେ ସମଗ୍ର ଅନୁଭୂତି ଵା ମୂଲ୍ୟାଙ୍କନ ନକାରାତ୍ମକ ଦିଗକୁ ଅଧିକ ଢଳିଥାଏ। ଉଦାହରଣ ସ୍ୱରୂପ ଏକ ଭଲ ଖାଦ୍ୟରେ ଏକ ଛୋଟ ଖରାପ ଅଂଶ ସମଗ୍ର ଖାଦ୍ୟକୁ ମନ୍ଦ କରିଦେଇପାରେ। ଏକ ଵ୍ୟକ୍ତିର ଅନେକ ଭଲ ଗୁଣ ଥିଲେ ମଧ୍ୟ ଗୋଟିଏ ବଡ଼ ଖରାପ ଗୁଣ ସମଗ୍ର ପ୍ରଭାଵକୁ ନକାରାତ୍ମକ କରିଦେଇପାରେ। ନକାରାତ୍ମକ ଘଟଣା ସକାରାତ୍ମକ ଘଟଣାକୁ ଲୁଚାଇ ଦେଇଥାଏ ଏଵଂ ସମଗ୍ର ପରିସ୍ଥିତିକୁ ନକାରାତ୍ମକ କରିଦିଏ। ଏହା ଦୈନନ୍ଦିନ ଜୀଵନରେ ସମ୍ପର୍କ, କାର୍ଯ୍ୟକ୍ଷେତ୍ର ଏଵଂ ସାମାଜିକ ପାରସ୍ପରିକ କାର୍ଯ୍ୟରେ ଅତ୍ୟନ୍ତ ସ୍ପଷ୍ଟ ଭାବେ ଦେଖାଯାଏ।

ଚତୁର୍ଥ ଘଟକ ହେଉଛି negative differentiation। ଏହି ଉପାଦାନ ଅନୁସାରେ ନକାରାତ୍ମକ ଵସ୍ତୁ କିମ୍ଵା ଘଟଣାଗୁଡ଼ିକ ଅଧିକ ଵିଵିଧ ହୋଇଥାଏ, ଅଧିକ ଜଟିଳ ଧାରଣା ସୃଷ୍ଟି କରିଥାଏ ଏଵଂ ଅଧିକ ଵିସ୍ତୃତ ପ୍ରତିକ୍ରିୟା ଉତ୍ପନ୍ନ କରିଥାଏ। ଅର୍ଥାତ୍ ନକାରାତ୍ମକ ଅନୁଭୂତି କିମ୍ଵା ଵିଷୟଗୁଡ଼ିକୁ ଆମେ ଵିଭିନ୍ନ ଭାଵରେ ଵର୍ଗୀକରଣ କରୁଛୁ। ଉଦାହରଣ ସ୍ୱରୂପ ଆମ ଭାଷାରେ ନକାରାତ୍ମକ ଭାଵନା ଵର୍ଣ୍ଣନା କରିଵା ପାଇଁ ଅଧିକ ଶବ୍ଦ ଅଛି ଯେମିତି କ୍ରୋଧ, ଭୟ, ଘୃଣା, ଉଦ୍ବେଗ, ଈର୍ଷା, ଦୁଃଖ ଇତ୍ୟାଦି କିନ୍ତୁ ସକାରାତ୍ମକ ଭାଵନା ପାଇଁ କମ୍ ଶବ୍ଦ ଅଛି । ଏଥିଯୋଗୁଁ ନକାରାତ୍ମକ ଘଟଣା ଆମ ମନରେ ଅଧିକ ସ୍ଥାୟୀ ଏଵଂ ଵିସ୍ତୃତ ଭାବେ ରହିଥାଏ।

ଏହି ଚାରିଟି ଘଟକ ଏକତ୍ର ନେଗେଟିଵିଟି ବାୟସ୍‌ର ସମ୍ପୂର୍ଣ୍ଣ ଚିତ୍ର ପ୍ରଦାନ କରେ ଏଵଂ ବୁଝାଏ ଯେ କାହିଁକି ନକାରାତ୍ମକ ଘଟଣା ଆମ ମନରେ ଅଧିକ ଗଭୀର, ଅଧିକ ଦୀର୍ଘସ୍ଥାୟୀ ଏଵଂ ଅଧିକ ପ୍ରଭାଵଶାଳୀ ହୋଇଥାଏ। ଏହି ଘଟକଗୁଡ଼ିକ ଵିଵର୍ତ୍ତନଗତ ଭାବେ ଆମକୁ ଵିପଦରୁ ରକ୍ଷା କରିଵା ପାଇଁ ସାହାଯ୍ୟ କରିଥିଲେ କିନ୍ତୁ ଆଧୁନିକ ଜୀଵନରେ ଏହା ଅନେକ ସମୟରେ ଆମକୁ ଅଧିକ ଚିନ୍ତାଗ୍ରସ୍ତ, ନକାରାତ୍ମକ ଏଵଂ ଅସନ୍ତୁଳିତ କରିଥାଏ।

 ନେଗେଟିଵିଟି ବାୟସ୍ ଵା ନକାରାତ୍ମକ ପକ୍ଷପାତ ଆଧୁନିକ ଜୀଵନରେ ବହୁ ପ୍ରକାରର ପ୍ରଭାଵ ପକାଇଥାଏ। ଏହା ଆମର ମାନସିକ ସ୍ୱାସ୍ଥ୍ୟ, ସମ୍ପର୍କ, କ୍ୟାରିୟର୍ ଏଵଂ ସାମଗ୍ରିକ ସୁଖକୁ ପ୍ରଭାଵିତ କରିପାରେ। ଯେଉଁମାନେ ଅଧିକ ନକାରାତ୍ମକ ଘଟଣାକୁ ଗୁରୁତ୍ୱ ଦେଇଥାନ୍ତି ସେମାନେ ଉଦ୍ବେଗ, ଅଵସାଦ ଓ ଚାପର ଶିକାର ହେଵାର ସମ୍ଭାଵନା ଅଧିକ ରଖନ୍ତି। ସମ୍ପର୍କରେ ଏହି ବାୟସ୍ ଅନାଵଶ୍ୟକ ସଂଘର୍ଷ ଏଵଂ ଭୁଲ ବୁଝାମଣା ସୃଷ୍ଟି କରିପାରେ। କାର୍ଯ୍ୟକ୍ଷେତ୍ରରେ ଏହା ଆତ୍ମଵିଶ୍ୱାସ କମାଇ ଦେଇପାରେ ଏଵଂ ଅଗ୍ରଗତିକୁ ଵାଧା ଦେଇପାରେ।

କିନ୍ତୁ ଏହାର ପ୍ରତିକାର ସମ୍ଭଵ। ପ୍ରଥମେ ଏହି ବାୟସ୍ ଵିଷୟରେ ସଚେତନତା ହିଁ ପ୍ରଥମ ପଦକ୍ଷେପ। ଯେତେବେଳେ ଆମେ ବୁଝିଵା ଯେ ଆମର ମନ ନକାରାତ୍ମକତାକୁ ଅଧିକ ଗୁରୁତ୍ୱ ଦେଇଥାଏ ତେବେ ଆମେ ସଚେତନ ଭାବେ ସକାରାତ୍ମକ ଘଟଣାଗୁଡ଼ିକୁ ମଧ୍ୟ ଧ୍ୟାନ ଦେଵାକୁ ଚେଷ୍ଟା କରିପାରିଵା। ସକାରାତ୍ମକ ମନୋଵିଜ୍ଞାନ ଵା positive psychologyର କିଛି ଅଭ୍ୟାସ ଯେମିତି କୃତଜ୍ଞତା ଡାଇରୀ ଲେଖିଵା, ପ୍ରତିଦିନର ତିନୋଟି ଭଲ ଜିନିଷ ଚିନ୍ତା କରିଵା, ସକାରାତ୍ମକ ପୁନର୍ମୂଲ୍ୟାଙ୍କନ ଵା positive reframing ଇତ୍ୟାଦି ଅଭ୍ୟାସ କରିଵା ଦ୍ଵାରା ଲାଭ ହୋଇପାରେ। ମାଇଣ୍ଡଫୁଲନେସ୍ (mindfulness) ଏଵଂ ମେଡିଟେସନ୍ ମଧ୍ୟ ଆମକୁ ଵର୍ତ୍ତମାନ ମୁହୂର୍ତ୍ତରେ ରହିଵାକୁ ଏଵଂ ନକାରାତ୍ମକ ଚିନ୍ତାର ପୁନରାଵୃତ୍ତି (rumination) କମାଇଵାକୁ ସାହାଯ୍ୟ କରେ।

ସମ୍ପର୍କରେ ଆମେ ସଚେତନ ଭାବେ ସକାରାତ୍ମକ ଅନୁଭୂତିଗୁଡ଼ିକୁ ଅଧିକ ପ୍ରକାଶ କରିପାରିଵା ଏଵଂ ନକାରାତ୍ମକ ଘଟଣାକୁ ପ୍ରସଙ୍ଗରେ ରଖିପାରିଵା। ସାମାଜିକ ଗଣମାଧ୍ୟମ ଏଵଂ ସାମାଜିକ ଗଣମାଧ୍ୟମର ଵ୍ୟଵହାରକୁ ସୀମିତ କରିଵା ମଧ୍ୟ ସାହାଯ୍ୟକାରୀ ହୋଇପାରେ କାରଣ ଏଗୁଡ଼ିକ ନକାରାତ୍ମକ ସୂଚନାର ପ୍ରମୁଖ ଉତ୍ସ। ସକାରାତ୍ମକ ସମ୍ପର୍କ ଏଵଂ ସାମାଜିକ ସହାୟତା ଵିକଶିତ କରିଵା ମଧ୍ୟ ନେଗେଟିଵିଟି ବାୟସ୍‌ର ପ୍ରଭାଵ କମାଇଦେଇପାରେ।


ନେଗେଟିଵିଟି ବାୟସ୍ ମାନଵ ମନର ଏକ ପ୍ରାକୃତିକ ଏଵଂ ଶକ୍ତିଶାଳୀ ପ୍ରଵୃତ୍ତି ଯାହା ଆମର ଵିଵର୍ତ୍ତନଗତ ଇତିହାସରେ ଗଭୀର ଭାବେ ଜଡ଼ିତ । ଏହା ପୂର୍ଵକାଳରେ ଆମ ପୂର୍ଵପୁରୁଷଙ୍କ ପାଇଁ ଏକ ଜୀଵନରକ୍ଷକ ଯନ୍ତ୍ର ଥିଲା କିନ୍ତୁ ଆଧୁନିକ ଜୀଵନରେ ଏହା ଅନେକ ସମୟରେ ଆମର ସୁଖ ଏଵଂ କଲ୍ୟାଣକୁ ବାଧା ଦେଇଥାଏ। ଦୈନନ୍ଦିନ ଜୀଵନରେ କାର୍ଯ୍ୟକ୍ଷେତ୍ର, ସମ୍ପର୍କ, ମିଡିଆ, ସ୍ମୃତି ଏଵଂ ଵିଭିନ୍ନ କ୍ଷେତ୍ରରେ ଆମେ ଏହାର ପ୍ରକାଶ ଦେଖିପାରୁଛୁ। ଏହାର ଵୈଜ୍ଞାନିକ ଆଵିଷ୍କାର ପ୍ରାଚୀନ ଦାର୍ଶନିକ ପର୍ଯ୍ୟବେକ୍ଷଣରୁ ଆରମ୍ଭ ହୋଇ ଆଧୁନିକ ନ୍ୟୁରୋସାଇନ୍ସ୍ ପର୍ଯ୍ୟନ୍ତ ଵିସ୍ତୃତ ହୋଇଛି।

Paul Rozin ଓ Roy Baumeisterଙ୍କ ଯୁଗାନ୍ତକାରୀ ଗଵେଷଣା ଏହି ପ୍ରଵୃତ୍ତିକୁ ଏକ ସ୍ପଷ୍ଟ ତଥା ଵୈଜ୍ଞାନିକ frameworkରେ ପ୍ରତିଷ୍ଠା କରିଛି। ଚାରିଟି ମୁଖ୍ୟ ଉପାଦାନ - negative potency, steeper negative gradients, negativity dominance ଏଵଂ negative differentiation - ଏକତ୍ର ଏହି ଵାୟସ୍‌ର ଜଟିଳ କାର୍ଯ୍ୟପ୍ରଣାଳୀକୁ ବୁଝାଏ। ଶିଶୁମାନଙ୍କ ମଧ୍ୟରେ ଏହାର ପ୍ରାରମ୍ଭିକ ଉପସ୍ଥିତି, ଵିଵର୍ତ୍ତନଗତ ନିର୍ଵାଚନ ତତ୍ତ୍ୱ ଓ ନ୍ୟୁରୋବାୟୋଲୋଜିକାଲ୍ ପ୍ରମାଣ ଆଦି ସମସ୍ତ ଏହାକୁ ଏକ ପ୍ରାଚୀନ ଆଉ ସାର୍ଵଜନୀନ ମାନଵୀୟ ଲକ୍ଷଣ ବୋଲି ପ୍ରମାଣ କରେ।

କିନ୍ତୁ ତଥାପି ଆଶା ଅଛି। ଏହି ବାୟସ୍ ଵିଷୟରେ ସଚେତନତା ହିଁ ପ୍ରଥମ ଏଵଂ ମୁଖ୍ୟ ପଦକ୍ଷେପ। ଯେତେବେଳେ ଆମେ ବୁଝିଵା ଯେ ଆମର ମନ ସ୍ୱାଭାଵିକ ଭାବେ ନକାରାତ୍ମକତା ପ୍ରତି ଆକର୍ଷିତ ହୁଏ ତେବେ ଆମେ ସଚେତନ ଭାବେ ସକାରାତ୍ମକ ଅନୁଭୂତିଗୁଡ଼ିକୁ ମଧ୍ୟ ସମାନ ଧ୍ୟାନ ଦେଵାକୁ ଚେଷ୍ଟା କରିପାରିଵା। କୃତଜ୍ଞତା ଅଭ୍ୟାସ, ଦୃଢ଼ ମନୋଯୁଗ, ସକାରାତ୍ମକ ପୁନର୍ମୂଲ୍ୟାଙ୍କନ ଏଵଂ ସକାରାତ୍ମକ ସାମାଜିକ ସଂଯୋଗ ସମସ୍ତ ଆମକୁ ଏହି ଵାୟସ୍‌ର ପ୍ରଭାଵ କମାଇଵାରେ ସାହାଯ୍ୟ କରିପାରେ।

ସର୍ଵୋପରି ନେଗେଟିଵିଟି ଵାୟସ୍ ଆମର ଏକ ଦୋଷ ନୁହେଁ ଵରଂ ଏକ ଵିଵର୍ତ୍ତନଗତ ଉପହାର ଯାହା ଆମ ପୂର୍ଵପୁରୁଷଙ୍କୁ ବଞ୍ଚିଵାରେ ସାହାଯ୍ୟ କରିଥିଲା। ଆଧୁନିକ ଜୀଵନରେ ଏହାକୁ ବୁଝି ଓ ସନ୍ତୁଳିତ କରି ଆମେ ଅଧିକ ସୁଖୀ, ଅଧିକ ସନ୍ତୁଳିତ ଏଵଂ ଅଧିକ ସମୃଦ୍ଧ ଜୀଵନ ଯାପନ କରିପାରିଵା। ଏହା କେଵଳ ନକାରାତ୍ମକତାକୁ ଅଣଦେଖା କରିଵା ନୁହେଁ ଵରଂ ସକାରାତ୍ମକ ଏଵଂ ନକାରାତ୍ମକ ଉଭୟକୁ ସମାନ ଏଵଂ ସନ୍ତୁଳିତ ଦୃଷ୍ଟିରେ ଦେଖିଵାର ଏକ ଚେଷ୍ଟା। ଏହି ବୁଝାମଣା ଓ ଅଭ୍ୟାସ ଆମକୁ ଅଧିକ ଵାସ୍ତଵଵାଦୀ, ଅଧିକ ସ୍ଥିର ଏଵଂ ଅଧିକ ସଚେତନ ଭାବେ ଜୀଵନ ଯାପନ କରିଵାକୁ ସାହାଯ୍ୟ କରିପାରେ।

Tuesday, February 17, 2026

ମନୋଵୈଜ୍ଞାନିକ ପ୍ରତିଘାତ: ସ୍ୱାଧୀନତା ରକ୍ଷାର ଏକ ମାନଵିକ ପ୍ରଵୃତ୍ତି

ମାନଵ ମନର ଜଟିଳତା ଏଵଂ ବହୁମୁଖୀ ପ୍ରକୃତି ସଦାସର୍ଵଦା ମନୋଵିଜ୍ଞାନୀ ଏଵଂ ଅନୁସନ୍ଧାନକାରୀମାନଙ୍କୁ ଆକର୍ଷିତ କରିଆସିଛି। ମନୁଷ୍ୟର ଵ୍ୟଵହାର ଏଵଂ ପ୍ରତିକ୍ରିୟାର ପଛରେ ଥିଵା କାରଣଗୁଡ଼ିକ ବୁଝିଵା ଏକ ଗଭୀର ଏଵଂ ଆକର୍ଷଣୀୟ ଵିଷୟ । ଏହି ଵିଷୟଗୁଡ଼ିକ ମଧ୍ୟରୁ ମନୋଵୈଜ୍ଞାନିକ ପ୍ରତିଘାତ ଵା psychological reactance ଏକ ଅତି ରୋଚକ ଏଵଂ ସର୍ଵଵ୍ୟାପୀ ପ୍ରସଙ୍ଗ ଅଟେ । ଏହା ଏମିତି ଏକ ମାନସିକ ଅଵସ୍ଥା ଯାହା ପ୍ରାୟ ପ୍ରତ୍ୟେକ ମଣିଷ ନିଜ ଜୀଵନର କୌଣସି ନା କୌଣସି ପର୍ଯ୍ୟାୟରେ ଅନୁଭଵ କରିଥାନ୍ତି। ଯେତେବେଳେ ଆମକୁ କିଛି କରିଵାକୁ ମନା କରାଯାଏ କିମ୍ଵା ଆମର ସ୍ୱାଧୀନତା ଉପରେ ବାଧା ଦୃଶ୍ୟ ହୁଏ, ସେତେବେଳେ ଆମ ଭିତରେ ଏକ ସ୍ୱାଭାଵିକ ଵିରୋଧାତ୍ମକ ଭାଵନା ଜାଗ୍ରତ ହୁଏ। ଏହି ପ୍ରତିକ୍ରିୟା କେଵଳ ଜିଦ୍ କିମ୍ଵା ଅଵାଧ୍ୟତା ନୁହେଁ, ଵରଂ ଏହା ଏକ ଗଭୀର ମନୋଵୈଜ୍ଞାନିକ ପ୍ରକ୍ରିୟା ଯାହା ଆମର ସ୍ୱାଧୀନତା ଏଵଂ ଆତ୍ମନିର୍ଣ୍ଣୟର ଅଧିକାରକୁ ସୁରକ୍ଷିତ ରଖିଵା ପାଇଁ କାର୍ଯ୍ୟ କରେ।

୧୯୬୬ ମସିହାରେ ଆମେରିକୀୟ ମନୋଵିଜ୍ଞାନୀ ଜ୍ୟାକ୍ ଵ୍ରେହମ୍ (Jack W. Brehm) ଏହି ସିଦ୍ଧାନ୍ତକୁ ପ୍ରଥମେ ଵୈଜ୍ଞାନିକ ଭାବରେ ପ୍ରସ୍ତୁତ କରିଥିଲେ। ତାଙ୍କର ମୌଳିକ ଗ୍ରନ୍ଥ "A Theory of Psychological Reactance" ଏହି କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାଵ୍ୟସ୍ତ ହୋଇଛି। ବ୍ରେହମ୍‌ଙ୍କ ଅନୁସାରେ, ମଣିଷ କେତେକ ନିର୍ଦ୍ଦିଷ୍ଟ ଵ୍ୟଵହାରକୁ ସ୍ୱାଧୀନ ଭାବେ କରିଵାର ଅଧିକାର ରଖିଥାଏ ଏଵଂ ଏହି ସ୍ୱାଧୀନତାକୁ ନିଜର ଏକ ମୌଳିକ ଅଧିକାର ବୋଲି ଵିଚାର କରିଥାଏ। ଯେତେବେଳେ ଏହି ସ୍ୱାଧୀନତା ଉପରେ ବାଧା ଦେଖାଦିଏ ସେତେବେଳେ ତାହା ମନରେ ଏକ ମାନସିକ ଚାପ ସୃଷ୍ଟି ହୁଏ ଯାହାକୁ 'ପ୍ରତିଘାତ' କୁହାଯାଏ।

ଏହି ପ୍ରତିଘାତର ତୀଵ୍ରତା ମୁଖ୍ୟତଃ ତିନୋଟି କାରକ ଉପରେ ନିର୍ଭର କରେ। ପ୍ରଥମତଃ, ସେହି ସ୍ୱାଧୀନତାର ମହତ୍ତ୍ୱ - ଯଦି ସେହି ଵିଶେଷ କାର୍ଯ୍ୟ କିମ୍ଵା ନିଷ୍ପତ୍ତି ଵ୍ୟକ୍ତି ପାଇଁ ଅଧିକ ମହତ୍ତ୍ୱପୂର୍ଣ୍ଣ ତେବେ ପ୍ରତିଘାତ ମଧ୍ୟ ଅଧିକ ତୀଵ୍ର ହେଵ। ଦ୍ୱିତୀୟତଃ, ବାଧାର ପରିମାଣ ଏଵଂ ପ୍ରକୃତି - ସ୍ୱାଧୀନତା ସମ୍ପୂର୍ଣ୍ଣରୂପେ ହରାଇଯିଵା ଅପେକ୍ଷା ଆଂଶିକ ସୀମିତ ହେଲେ ପ୍ରତିଘାତ କମ୍ ହୋଇଥାଏ। ତୃତୀୟତଃ,ବାଧା ଦେଵାର ଢଙ୍ଗ - ଯଦି ଵାଧା ଅତ୍ୟଧିକ ଆକ୍ରମଣାତ୍ମକ କିମ୍ଵା ଅନ୍ୟାୟପୂର୍ଣ୍ଣ ମନେହୁଏ ତେବେ ପ୍ରତିଘାତ ଵୃଦ୍ଧି ପାଏ।

"ନିଷିଦ୍ଧ ଫଳ ପ୍ରଭାଵ" ଵା Forbidden Fruit Effect" ଏହି "ମନୋଵୈଜ୍ଞାନିକ ପ୍ରତିଘାତ" ଵା Psychological Reactanceର ଏକ ଲୋକପ୍ରିୟ ଏଵଂ ସହଜବୋଧ୍ୟ ଉଦାହରଣ ଅଟେ। ଏହି ନାମକରଣ ବାଇବେଲର ଏକ ପ୍ରସିଦ୍ଧ କାହାଣୀରୁ ଅନୁପ୍ରାଣିତ ହୋଇ ରଖାଯାଇଛି ।‌ 
ବାଇବେଲରେ ଵର୍ଣ୍ଣିତ ସୃଷ୍ଟିର ଆରମ୍ଭ କାହାଣୀ ଅନୁଯାୟୀ, ପରମେଶ୍ୱର ପୃଥିଵୀକୁ ସୃଷ୍ଟି କରିଵା ପରେ ପ୍ରଥମ ମଣିଷ Adamଙ୍କୁ ମାଟିରୁ ସୃଷ୍ଟି କରିଥିଲେ। ତାଙ୍କୁ ଏକ ସୁନ୍ଦର ଉଦ୍ୟାନରେ ରଖାଗଲା ଯାହାକୁ ଇଡେନ୍ ଉଦ୍ୟାନ କୁହାଯାଏ। ସେହି ସ୍ୱର୍ଗୀୟ ଉଦ୍ୟାନରେ ସମସ୍ତ ପ୍ରକାରର ଫଳଵୃକ୍ଷ ଥିଲା ଏଵଂ Adam ସେଠାରେ ସୁଖରେ ରହୁଥିଲେ। ପରମେଶ୍ୱର ଦେଖିଲେ ଯେ Adam ଏକାକୀ ରହୁଛନ୍ତି, ତେଣୁ ତାଙ୍କ ପାଇଁ ଏକ ସାଥୀ ସୃଷ୍ଟି କରିଵାକୁ ନିଷ୍ପତ୍ତି ନେଲେ। Adam ଯେତେବେଳେ ଗଭୀର ନିଦ୍ରାରେ ଥିଲେ, ପରମେଶ୍ୱର ତାଙ୍କର ଏକ ପଞ୍ଜର ହାଡ଼ରୁ ପ୍ରଥମ ନାରୀ Eveଙ୍କୁ ସୃଷ୍ଟି କରିଲେ। ଏହିପରି Adam ଓ Eve ସେହି ଇଡେନ୍ ଉଦ୍ୟାନରେ ଏକାଠି ରହିବାକୁ ଲାଗିଲେ।
ପରମେଶ୍ୱର ସେମାନଙ୍କୁ କହିଥିଲେ ଯେ ଉଦ୍ୟାନର ସମସ୍ତ ଫଳ ଖାଇପାରିଵେ, କିନ୍ତୁ ଉଦ୍ୟାନର ମଧ୍ୟଭାଗରେ ଥିଵା ଜ୍ଞାନଵୃକ୍ଷର ଫଳ କେବେବି ଖାଇବେ ନାହିଁ। ଯଦି ସେମାନେ ସେହି ଫଳ ଖାଇବେ ତେବେ ସେମାନେ ମୃତ୍ୟୁର ସମ୍ମୁଖୀନ ହେବେ।
କିନ୍ତୁ ଅନ୍ୟ ସମସ୍ତ ପ୍ରାଣୀଙ୍କ ଅପେକ୍ଷା ଅଧିକ ଚତୁର ଏକ ଦୁଷ୍ଟ ସର୍ପ¹ ଥିଲା ଯେ ସିଏ Eveଙ୍କ ନିକଟକୁ ଆସି କହିଲା, "ତୁମେ ସେହି ଫଳ ଖାଇଲେ ମରିଵ ନାହିଁ। ବରଂ ତୁମର ଆଖି ଖୋଲିଯିଵ ଏଵଂ ତୁମେ ପରମେଶ୍ୱରଙ୍କ ପରି ଜ୍ଞାନୀ ହୋଇଯିଵ। ତୁମେ ଭଲ ଏବଂ ମନ୍ଦର ଜ୍ଞାନ ପାଇଵ।"
ସର୍ପର କଥାରେ ପ୍ରଭାଵିତ ହୋଇ Eve ସେହି ନିଷିଦ୍ଧ ଫଳକୁ ଦେଖିଲେ। ଫଳଟି ଅତି ସୁନ୍ଦର ଏଵଂ ଆକର୍ଷଣୀୟ ଲାଗୁଥିଲା। ଜ୍ଞାନ ପାଇଵାର ଲୋଭରେ Eve ସେହି ଫଳ ତୋଳି ଖାଇଲେ ଏଵଂ Adam ଙ୍କୁ ମଧ୍ୟ ଦେଲେ। Adam ମଧ୍ୟ ସେହି ଫଳ ଖାଇଲେ। ଫଳ ଖାଇବା ମାତ୍ରେ ସେମାନଙ୍କର ଆଖି ଖୋଲିଗଲା ଏଵଂ ସେମାନେ ଅନୁଭଵ କଲେ ଯେ ସେମାନେ ନଗ୍ନ ଅଛନ୍ତି। ଲଜ୍ଜା ଓ ଅପରାଧବୋଧ ଯୋଗୁଁ ସେମାନେ ପତ୍ର ସିଲେଇ ନିଜକୁ ଆଵୃତ କଲେ। ଯେତେବେଳେ ପରମେଶ୍ୱର ଉଦ୍ୟାନକୁ ଆସିଲେ, Adam ଓ Eve ତାଙ୍କୁ ଦେଖି ଭୟରେ ଲୁଚିଗଲେ। ପରମେଶ୍ୱର ସେମାନଙ୍କର ଅଵାଧ୍ୟତା ଜାଣି ଅତ୍ୟନ୍ତ ଦୁଃଖିତ ହେଲେ। ସେ Adam ଓ Eveଙ୍କୁ ଇଡେନ୍ ଉଦ୍ୟାନରୁ ବାହାର କରିଦେଲେ। ଏହା ପରଠାରୁ Adam ଓ Eve ପୃଥିଵୀରେ କଠିନ ପରିଶ୍ରମ କରି ଜଵନଯାପନ କଲେ। ତେଣୁ ବାଇବେଲରେ Adam ଓ Eveଙ୍କୁ ଜ୍ଞାନ ଵୃକ୍ଷର ଫଳ ଖାଇଵାକୁ ମନା କରାଯାଇଥିଲା, କିନ୍ତୁ ଏହି ନିଷେଧ ହିଁ ସେହି ଫଳକୁ ଅଧିକ ଆକର୍ଷଣୀୟ ଏଵଂ ଇଚ୍ଛନୀୟ କରିଦେଇଥିଲା।²

ଅତଃ "ନିଷିଦ୍ଧ ଫଳ ପ୍ରଭାଵ" (Forbidden Fruit Effect) ଏଵଂ "ମନୋଵୈଜ୍ଞାନିକ ପ୍ରତିଘାତ" (Psychological Reactance) ମଧ୍ୟରେ ଏକ ଗଭୀର ଏବଂ ସିଧାସଳଖ ସମ୍ପର୍କ ରହିଛି। ଏହି ଦୁଇଟି ଧାରଣା ମନୋଵିଜ୍ଞାନରେ ଏକାଠି ବ୍ୟାଖ୍ୟା କରାଯାଏ କାରଣ ମନୁଷ୍ୟର ସ୍ୱାଧୀନତା ଉପରେ କୌଣସି ବାଧା ଆସିଲେ ତାହା ପ୍ରତିକ୍ରିୟା ସୃଷ୍ଟି କରିଥାଏ ଏଵଂ ସେହି ପ୍ରତିକ୍ରିୟା ଦ୍ୱାରା ନିଷିଦ୍ଧ ଵସ୍ତୁ ଅଧିକ ଆକର୍ଷଣୀୟ ହୋଇପଡ଼େ। 

ନିଷିଦ୍ଧ ଫଳ ପ୍ରଭାଵ ପ୍ରାୟତଃ ମନୋଵୈଜ୍ଞାନିକ ପ୍ରତିଘାତର ଏକ ପରିଣାମ ଵା ପ୍ରକାଶ ଅଟେ । ଯେତେବେଳେ କୌଣସି ଵସ୍ତୁକୁ ନିଷିଦ୍ଧ କରାଯାଏ ସେତେବେଳେ ଵ୍ୟକ୍ତିର ସ୍ୱାଧୀନତା ଉପରେ ଆଘାତ ଲାଗେ ଏଵଂ ପ୍ରତିଘାତ ସୃଷ୍ଟି ହୁଏ। ଏହି ପ୍ରତିଘାତ ଵ୍ୟକ୍ତିକୁ ସେହି ନିଷିଦ୍ଧ ଵସ୍ତୁକୁ ଅଧିକ ମୂଲ୍ୟବାନ ଭାବିଵାକୁ ପ୍ରେରଣା ଦିଏ ଏଵଂ ତାହାକୁ ପ୍ରାପ୍ତ କରିବାର ଇଚ୍ଛା ବଢ଼ାଇଦିଏ। ଅର୍ଥାତ୍ ପ୍ରତିଘାତ ହେଉଛି ମୂଳ କାରଣ ଏବଂ ନିଷିଦ୍ଧ ଫଳ ପ୍ରଭାବ ହେଉଛି ତାହାର ଦୃଶ୍ୟମାନ ଫଳାଫଳ। 

କେତେକ ଗଵେଷଣାରେ ଦେଖାଯାଇଛି ଯେ ଯେତେବେଳେ କୌଣସି ଵ୍ୟକ୍ତିଙ୍କୁ ଅନ୍ୟ ଆକର୍ଷଣୀୟ ଵ୍ୟକ୍ତିଙ୍କ ପ୍ରତି ଦୃଷ୍ଟି ଦେଵାରୁ ଅଜାଣତରେ ବାଧା ଦିଆଯାଏ ସେତେବେଳେ ସେହି ଵ୍ୟକ୍ତିମାନଙ୍କ ପ୍ରତି ଆଗ୍ରହ ବଢ଼ିଯାଏ ଏଵଂ ସମ୍ପର୍କରେ ଅସନ୍ତୋଷ ବଢ଼େ – ଏହାକୁ "forbidden fruit hypothesis" ବୋଲି କୁହାଯାଏ ଏଵଂ ଏହା ସିଧାସଳଖ ମନୋଵୈଜ୍ଞାନିକ ପ୍ରତିଘାତ ସହିତ ଜଡ଼ିତ। ଏହିପରି ଅନେକ ପରିସ୍ଥିତିରେ ଦେଖାଯାଏ ଯେ ନିଷିଦ୍ଧତା ସୃଷ୍ଟି କରିଵା ଦ୍ୱାରା ଵିରୋଧୀ ପ୍ରତିକ୍ରିୟା ସୃଷ୍ଟି ହୁଏ ଏଵଂ ତାହା ପ୍ରତିଘାତର ମାଧ୍ୟମରେ ନିଷିଦ୍ଧ ଫଳକୁ ଅଧିକ ଲୋଭନୀୟ କରିଥାଏ।

ଏହି "ନିଷିଦ୍ଧ ଫଳ ପ୍ରଭାଵ" ଆମ ଦୈନନ୍ଦିନ ଜୀଵନରେ ଅନେକ କ୍ଷେତ୍ରରେ ଦେଖାଯାଏ। ଯେତେବେଳେ କୌଣସି ଵସ୍ତୁ, ସୂଚନା କିମ୍ଵା ଅଭିଜ୍ଞତାକୁ ନିଷିଦ୍ଧ କିମ୍ଵା ସୀମିତ କରାଯାଏ, ତାହା ସ୍ୱାଭାଵିକଭାବେ ଅଧିକ ଆକର୍ଷଣୀୟ ଓ ମୂଲ୍ୟଵାନ ମନେହୁଏ। ଉଦାହରଣସ୍ୱରୂପ, ଯେଉଁ ପୁସ୍ତକଗୁଡ଼ିକୁ ନିଷିଦ୍ଧ କରାଯାଏ ସେଗୁଡ଼ିକ ପ୍ରାୟତଃ ଅଧିକ ଲୋକପ୍ରିୟ ହୋଇଯାଆନ୍ତି। ଚଳଚ୍ଚିତ୍ର ଯଦି ଵୟସ ସୀମା ସହିତ ପ୍ରଦର୍ଶିତ ହୁଏ, ତେବେ ସେହି ସୀମା ତଳେ ଥିଵା ଦର୍ଶକମାନେ ତାକୁ ଦେଖିଵାକୁ ଅଧିକ ଉତ୍ସୁକ ହୁଅନ୍ତି। 

କିନ୍ତୁ ଏହି ପ୍ରଭାଵ କେଵଳ ଵସ୍ତୁଗତ ଜିନିଷ ମଧ୍ୟରେ ସୀମିତ ନୁହେଁ। ସାମାଜିକ ସମ୍ପର୍କରେ ମଧ୍ୟ ଏହା ଦେଖାଯାଏ। ଯେତେବେଳେ ପିତାମାତା କୌଣସି ନିର୍ଦ୍ଦିଷ୍ଟ ଵ୍ୟକ୍ତିଙ୍କ ସହିତ ସମ୍ପର୍କ ରଖିଵାକୁ ନିଜ ସନ୍ତାନକୁ ମନା କରନ୍ତି, ପ୍ରାୟତଃ ସେହି ସମ୍ପର୍କ ଅଧିକ ଆକର୍ଷଣୀୟ ଲାଗିଥାଏ। ଏହା "ରୋମିଓ ଓ ଜୁଲିଏଟ୍ ପ୍ରଭାଵ"⁴ ନାମରେ ମଧ୍ୟ ଜଣାଶୁଣା ଏଵଂ ଏହି ପ୍ରଭାଵ କ୍ଷେତ୍ରରେ ପାରିଵାରିକ ଵିରୋଧ ସତ୍ତ୍ୱେ ପ୍ରେମ ଅଧିକ ଗଭୀର ହୋଇଥାଏ।

ତେବେ ମନୋଵୈଜ୍ଞାନିକ ପ୍ରତିଘାତ ଵା Psychological Reactance କେଵଳ ମାତ୍ର ଏକ ମାନସିକ ଵିଶେଷତ୍ୱ ନୁହେଁ, ଵରଂ ଏହା ମାନଵ ଵିକାଶର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ମଧ୍ୟ ଅଟଇ । ଵିଵର୍ତ୍ତନଗତ ମନୋଵିଜ୍ଞାନର ଦୃଷ୍ଟିକୋଣରୁ ଦେଖିଲେ, ଏହି ପ୍ରଵୃତ୍ତି ମାନଵ ଜାତିର ଵଞ୍ଚିଵା ଓ ସମୃଦ୍ଧି ପାଇଁ ଅତ୍ୟନ୍ତ ଆଵଶ୍ୟକ ସାଵ୍ୟସ୍ତ ହୋଇଛି।

ଆମର ପୂର୍ଵପୁରୁଷମାନେ ଜଙ୍ଗଲ ଓ ପ୍ରାକୃତିକ ପରିଵେଶରେ ଵଞ୍ଚିଥିଲେ ଯେଉଁଠାରେ ସ୍ୱାଧୀନ ନିଷ୍ପତ୍ତି ନେଵାର କ୍ଷମତା ଅଧିକାଂଶତଃ ଜୀଵନ ଓ ମରଣର ପ୍ରଶ୍ନ ହୋଇଯାଉଥିଲା। କେଉଁ ଖାଦ୍ୟ ସୁରକ୍ଷିତ, କେଉଁଠାରେ ଆଶ୍ରୟ ନେଵା, କେତେବେଳେ ପଳାଇଵା କିମ୍ଵା ଲଢ଼ିଵା - ଏସବୁ ନିଷ୍ପତ୍ତି ସେମାନଙ୍କୁ ସ୍ୱତନ୍ତ୍ର ଭାବରେ ନେଵାକୁ ପଡ଼ୁଥିଲା। ଯଦି କୌଣସି ଵାହ୍ୟ ଶକ୍ତି କିମ୍ଵା ସାମାଜିକ ନିୟମ ଏହି ଵ୍ୟକ୍ତିଗତ ନିଷ୍ପତ୍ତି ନେଵାର କ୍ଷମତାକୁ ଅତ୍ୟଧିକ ସୀମିତ କରିଦେଉଥିଲା ତେବେ ତାହା ଅନେକ ସମୟରେ ଵ୍ୟକ୍ତି ଓ ଗୋଷ୍ଠୀର ଵଞ୍ଚିଵା ପାଇଁ ଵିପଜ୍ଜନକ ହୋଇଯାଉଥିଲା। ଅନ୍ୟାନ୍ୟ ଜୀଵଙ୍କ ଅପେକ୍ଷା ଏକ ଦୁର୍ଵଳ ଜୀଵ ହୋଇଥିଵାରୁ ତଥା ଅତ୍ୟନ୍ତ ବୁଦ୍ଧିମାନ ହୋଇଥିଵାରୁ ମାନଵଜାତି ମଧ୍ୟରେ ଏହା ଅଧିକ ସମ୍ବେଦନଶୀଳ ଵିଷୟ ଥିଲା । 

ଏହି କାରଣରୁ, ସ୍ୱାଧୀନତା ରକ୍ଷା କରିଵାର ପ୍ରଵୃତ୍ତି ଵିଵର୍ତ୍ତନଗତ କାରଣ ଯୋଗୁଁ ଏକ ସୁରକ୍ଷା ପ୍ରଣାଳୀ ରୂପରେ ଵିକଶିତ ହୋଇଛି। ଯେଉଁ ଵ୍ୟକ୍ତିମାନେ ନିଜର ସ୍ୱାଧୀନତାକୁ ରକ୍ଷା କରିଵାରେ ଅଧିକ ସଫଳ ଥିଲେ, ସେମାନେ ଵଞ୍ଚିଵା ଓ ଵଂଶଵୃଦ୍ଧି କରିଵା ହେତୁ ଅଧିକ ସୁଯୋଗ ପାଇଥିଲେ। ଏହିପରି, ପୀଢ଼ୀ ପରେ ପୀଢ଼ୀ ହଜାର ହଜାର ପୀଢ଼ିଧରି ଏହି ଵୈଶିଷ୍ଟ୍ୟ ଶକ୍ତିଶାଳୀ ହୋଇଅଛି। ଏହି ମନୋଵୈଜ୍ଞାନିକ ପ୍ରତିଘାତ ଆଜି ମଧ୍ୟ ମଣିଷକୁ ଅତ୍ୟଧିକ ନିୟନ୍ତ୍ରଣ, ଶୋଷଣ ଏଵଂ କ୍ଷମତାର ଦୁରୁପୟୋଗରୁ ରକ୍ଷା କରିଵାରେ ସହାୟକ ହୋଇଥାଏ। ଏହା ଵ୍ୟକ୍ତିଗତ ସ୍ୱାଧୀନତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ମାନଵ ଅଧିକାର ରକ୍ଷା କରିଵାର ଏକ ପ୍ରାକୃତିକ ପ୍ରଣାଳୀ ଭାଵରେ କାର୍ଯ୍ୟ କରେ।

ମନୋଵୈଜ୍ଞାନିକ ପ୍ରତିଘାତ ଵିଭିନ୍ନ ଵୟସରେ ଭିନ୍ନ ଭିନ୍ନ ରୂପରେ ପ୍ରକାଶ ପାଏ। ଶିଶୁମାନେ ମଧ୍ୟ ବହୁତ କମ୍ ଵୟସରୁ ହିଁ ଏହି ପ୍ରତିଘାତ ପ୍ରଦର୍ଶନ କରିଵା ଆରମ୍ଭ କରନ୍ତି। ଦୁଇ-ତିନି ଵର୍ଷ ଵୟସରେ ଶିଶୁମାନେ ପ୍ରାୟତଃ "ନା" କହିଵା ଆରମ୍ଭ କରନ୍ତି ଏଵଂ ନିଜର ଇଚ୍ଛା ପ୍ରକାଶ କରିଵାକୁ ଚେଷ୍ଟା କରନ୍ତି। ଏହା ସେମାନଙ୍କର ସ୍ୱାଧୀନତା ଏଵଂ ଆତ୍ମପରିଚୟ ଵିକଶିତ ହେଵାର ଏକ ସଙ୍କେତ ଅଟେ।

ପିତାମାତା ଏଵଂ ଅଭିଭାଵକମାନେ ଏହି ପର୍ଯ୍ୟାୟରେ ପ୍ରାୟତଃ ଚ୍ୟାଲେଞ୍ଜର ସମ୍ମୁଖୀନ ହୁଅନ୍ତି। ଯେତେବେଳେ ସେମାନେ ଶିଶୁମାନଙ୍କୁ କିଛି କରିଵାକୁ ମନା କରନ୍ତି, ଶିଶୁମାନେ ଠିକ୍ ସେହି କାମଟିକୁ କରିଵାକୁ ଅଧିକ ଆଗ୍ରହୀ ହୋଇପଡ଼ନ୍ତି। ଉଦାହରଣସ୍ୱରୂପ, ଯଦି କୌଣସି ଖେଳନାକୁ ସ୍ପର୍ଶ କରିଵାକୁ ଵା ପାଟିରେ ପୂରେଇଵାକୁ ମନା କରାଯାଏ, ତେବେ ସେହି ଖେଳନା ପ୍ରତି ଶିଶୁର ଆଗ୍ରହ ଵୃଦ୍ଧି ପାଏ ଏଵଂ ସେ ବାରମ୍ବାର ତାକୁ ଧରିଵାକୁ କିମ୍ବା ପାଟିରେ ପୂରେଇଵାକୁ ଚେଷ୍ଟା କରେ ।
କିଶୋର ଏଵଂ ଯୁଵାଵସ୍ଥାରେ ଏହି ପ୍ରତିଘାତ ଆହୁରି ତୀଵ୍ର ରୂପ ଧାରଣ କରେ । ଏହି ସମୟରେ କିଶୋର-କିଶୋରୀ ତଥା ଯୁଵକ-ଯୁଵତୀମାନେ ନିଜର ପରିଚୟ ଖୋଜିଵା ଏଵଂ ସ୍ୱାଧୀନତା ପ୍ରତିଷ୍ଠା କରିଵାର ପ୍ରକ୍ରିୟାରେ ଥାଆନ୍ତି। ପିତାମାତା କିମ୍ଵା ସମାଜ ଦ୍ୱାରା ଲଗାଯାଇଥିଵା ନିୟମ ଏଵଂ ସୀମା ପ୍ରତି ସେମାନେ ପ୍ରାୟତଃ ଵିରୋଧ କରନ୍ତି। କିଶୋରମାନଙ୍କୁ ଯଦି କୌଣସି ନିର୍ଦ୍ଦିଷ୍ଟ ପୋଷାକ ପିନ୍ଧିଵାକୁ, ନିର୍ଦ୍ଦିଷ୍ଟ ସଙ୍ଗୀ ରଖିଵାକୁ, କିମ୍ଵା ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପରେ ଯୋଗଦେଵାକୁ ମନା କରାଯାଏ, ସେମାନେ ପ୍ରାୟତଃ ଏହାର ଵିରୋଧରେ ଵିଦ୍ରୋହ କରନ୍ତି। ଏଥିଯୋଗୁଁ ବେଳେବେଳେ ସେମାନେ ଭୁଲ୍ ନିଷ୍ପତ୍ତି ନେଇଯାଆନ୍ତି ଯାହା ସେମାନଙ୍କ ଜୀଵନ ପ୍ରତି କ୍ଷତିକାରକ ସାଵ୍ୟସ୍ତ ହୁଏ । 

ଏହି ପ୍ରତିଘାତ କିଶୋରମାନଙ୍କ ଵିକାଶର ଏକ ସାଧାରଣ ଏଵଂ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ସେମାନଙ୍କୁ ନିଜର ମତାମତ ଗଠନ କରିଵା, ସ୍ୱାଧୀନ ଚିନ୍ତା କରିଵା ଏଵଂ ନିଜର ନିଷ୍ପତ୍ତି ନେଵାରେ ସହାୟତା କରେ। ତଥାପି, ଏହା ପିତାମାତା ଏଵଂ ସନ୍ତାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱର କାରଣ ମଧ୍ୟ ହୋଇପାରେ।

 ମନୋଵୈଜ୍ଞାନିକ ପ୍ରତିଘାତ ଵ୍ୟକ୍ତିଗତ ସ୍ତରରୁ ବାହାରି ସାମାଜିକ ଏଵଂ ରାଜନୈତିକ କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ଵାହ କରେ। ଇତିହାସ ଏହାର ଅନେକ ଉଦାହରଣରେ ପରିପୂର୍ଣ୍ଣ ରହିଛି।

ସରକାର ଯେତେବେଳେ ଅତ୍ୟଧିକ କଡ଼ା ନିୟମ ପ୍ରଣୟନ କରେ କିମ୍ଵା ଜନସାଧାରଣଙ୍କ ସ୍ୱାଧୀନତା ଉପରେ ଅଯଥା ବାଧା ସୃଷ୍ଟି କରେ, ତେବେ ଜନସାଧାରଣଙ୍କ ମଧ୍ୟରେ ଵିରୋଧ,ଵିଦ୍ରୋହ ଓ ପ୍ରତିକ୍ରିୟା ସୃଷ୍ଟି ହୁଏ। ନିଷେଧାଜ୍ଞା ଯୁଗରେ ଆମେରିକାରେ ମଦ ନିଷିଦ୍ଧ କରିଵାର ଫଳ ସ୍ୱରୂପ ଅଵୈଧ ମଦ ଵ୍ୟଵସାୟର ଵୃଦ୍ଧି ହୋଇଥିଲା । ସେନସରସିପ୍ ଓ ସୂଚନା ସୀମିତକରଣ ପ୍ରାୟତଃ ଲୋକଙ୍କୁ ସେହି ସୂଚନା ପାଇଵାକୁ ଅଧିକ ଆଗ୍ରହୀ କରିଦିଏ।

ସ୍ୱାଧୀନତା ଆନ୍ଦୋଳନ, ଗଣତାନ୍ତ୍ରିକ ଵିପ୍ଳଵ ଏଵଂ ମାନଵାଧିକାର ସଂଗ୍ରାମ ସବୁ ମନୋଵୈଜ୍ଞାନିକ ପ୍ରତିଘାତର ଵୃହତ୍ ସାମାଜିକ ଅଭିଵ୍ୟକ୍ତି। ଯେତେବେଳେ ଜନସାଧାରଣଙ୍କ ମୌଳିକ ସ୍ୱାଧୀନତା ଉପରେ ଆକ୍ରମଣ ହୁଏ, ସେମାନେ ତାକୁ ପୁନଃପ୍ରତିଷ୍ଠା କରିଵାକୁ ଏକତ୍ରିତ ହୁଅନ୍ତି।

ଭାରତର ସ୍ୱାଧୀନତା ସଂଗ୍ରାମ ଏହାର ଏକ ଉଜ୍ଜ୍ୱଳ ଉଦାହରଣ। ଵ୍ରିଟିଶ ଶାସନ ଦ୍ୱାରା ଲଗାଯାଇଥିଵା ଅନ୍ୟାୟପୂର୍ଣ୍ଣ ନିୟମ ଏଵଂ ସୀମାଵଦ୍ଧତା ଭାରତୀୟମାନଙ୍କର ସ୍ୱାଧୀନତା ପାଇଵାର ଇଚ୍ଛାକୁ ଆହୁରି ପ୍ରଜ୍ୱଳିତ କରିଥିଲା। ଲଵଣ ସତ୍ୟାଗ୍ରହ ଏହାର ଏକ ପ୍ରତୀକାତ୍ମକ ଉଦାହରଣ ଅଟେ । ଲଵଣ ତିଆରି ଉପରେ କଠୋର କଟକଣା ଯୋଗୁଁ ୧୮୮୮ରେ ପ୍ରଥମେ କଟକଠାରେ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଶାନ୍ତିପ୍ରିୟ ଵିରୋଧ ସଭା ହୋଇଥିଲା କିନ୍ତୁ ସେତେବେଳେ କଂଗ୍ରେସ ଏହାକୁ ଆଞ୍ଚଳିକ ସମସ୍ୟା କହି ଧ୍ୟାନ ଦେଇନଥିଲା । ବହୁତ ପରେ ଯେତେବେଳେ ଏହି ସମସ୍ୟା ଦେଶଵ୍ୟାପୀ ଵିକଟ ରୂପ ନେଲା ସେତେବେଳେ ଏହା ପ୍ରତିରୋଧର ମାଧ୍ୟମ ହୋଇଥିଲା।

 ପୁଣି ଦେଖାଯାଏ ଯେ ଵ୍ୟଵସାୟୀ ଏଵଂ ଵିପଣନକାରୀମାନେ ମନୋଵୈଜ୍ଞାନିକ ପ୍ରତିଘାତର ଏହି ସିଦ୍ଧାନ୍ତକୁ ନିଜର ଉତ୍ପାଦ ଵିକ୍ରୟ ଵଢ଼ାଇଵା ପାଇଁ ଵ୍ୟଵହାର କରନ୍ତି। ସୀମିତ ସଂସ୍କରଣ, ସୀମିତ ସମୟ, କେଵଳ ଚୟନିତ ଗ୍ରାହକଙ୍କ ପାଇଁ - ଏହି ସବୁ କୌଶଳ ମୂଳତଃ କୃତ୍ରିମ ସୀମା ସୃଷ୍ଟି କରି ଗ୍ରାହକଙ୍କ ଇଚ୍ଛା ଵଢ଼ାଇଥାଏ। "କେଵଳ ସଦସ୍ୟଙ୍କ ପାଇଁ" କିମ୍ଵା "କେଵଳ VIP ଗ୍ରାହକଙ୍କ ପାଇଁ" ଭଳି ଲେବଲ୍ ଲଗାଇ ଉତ୍ପାଦକୁ ଅଧିକ ଆକର୍ଷଣୀୟ କରାଯାଏ। ଏକ୍ସକ୍ଲୁସିଵିଟି ଵା ଵିଶେଷତ୍ୱ ସୃଷ୍ଟି କରି ଗ୍ରାହକମାନେ ଅନୁଭଵ କରନ୍ତି ଯେ ସେମାନଙ୍କର ପସନ୍ଦ ସୀମିତ ହୋଇଯାଉଛି, ଯାହା ସେମାନଙ୍କର କିଣିଵାର ଇଚ୍ଛାକୁ ଵଢ଼ାଇଥାଏ। ଵିଜ୍ଞାପନରେ "ଯାହା ଆପଣ ପାଇପାରିବେ ନାହିଁ" ଭଳି ଵାର୍ତ୍ତା ପ୍ରଦାନ କରି ମନୋଵୈଜ୍ଞାନିକ ପ୍ରତିଘାତ ସୃଷ୍ଟି କରାଯାଏ। କେତେକ ବ୍ରାଣ୍ଡ ଜାଣିଶୁଣି ଵିଵାଦାତ୍ମକ କିମ୍ଵା ନିଷିଦ୍ଧ ପ୍ରସଙ୍ଗ ଉଠାନ୍ତି କାରଣ ସେମାନେ ଜାଣନ୍ତି ଯେ ଏହା ଅଧିକ ଆଗ୍ରହ ଏଵଂ ଆଲୋଚନା ସୃଷ୍ଟି କରିଵ।
ତଥାପି, ଏହି କୌଶଳ ସର୍ଵଦା ସଫଳ ହୁଏ ନାହିଁ। ଯଦି ଗ୍ରାହକମାନେ ବୁଝିଯାଆନ୍ତି ଯେ ସେମାନଙ୍କୁ ମନସ୍ତାତ୍ତ୍ୱିକ ଭାବେ ନିୟନ୍ତ୍ରଣ କରିଵାକୁ ଚେଷ୍ଟା କରାଯାଉଛି, ତେବେ ସେମାନେ ଵିରକ୍ତ ହୋଇ ବ।ବ୍ରାଣ୍ଡଠାରୁ ଦୂରେଇ ଯାଇପାରନ୍ତି।

 ସେହିପରି ସ୍ୱାସ୍ଥ୍ୟ ସେଵା ଏଵଂ ଶିକ୍ଷା କ୍ଷେତ୍ରରେ ମନୋଵୈଜ୍ଞାନିକ ପ୍ରତିଘାତ ବୁଝିଵା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଡାକ୍ତର ରୋଗୀଙ୍କୁ ଅତ୍ୟଧିକ କଡ଼ା ନିର୍ଦ୍ଦେଶ ଦିଅନ୍ତି କିମ୍ଵା ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ଅତ୍ୟଧିକ ସୀମାଵଦ୍ଧ କରନ୍ତି ସେତେବେଳେ ପ୍ରାୟତଃ ଵିରୋଧାତ୍ମକ ପ୍ରତିକ୍ରିୟା ଦେଖାଯାଏ। ସ୍ୱାସ୍ଥ୍ୟ କ୍ଷେତ୍ରରେ, ରୋଗୀମାନଙ୍କୁ ଯଦି ସେମାନଙ୍କର ଚିକିତ୍ସା ସମ୍ଵନ୍ଧରେ ନିଷ୍ପତ୍ତି ନେଵାର ସୁଯୋଗ ଦିଆଯାଏ ତେବେ ସେମାନେ ଚିକିତ୍ସା ପ୍ରତି ଅଧିକ ପ୍ରତିଵଦ୍ଧ ହୁଅନ୍ତି। ଏହାର ଵିପରୀତରେ, ଯଦି ଡାକ୍ତର କେଵଳ ଆଦେଶ ଦିଅନ୍ତି ଏଵଂ ରୋଗୀଙ୍କର ମତାମତ ଶୁଣନ୍ତି ନାହିଁ, ତେବେ ରୋଗୀମାନେ ପ୍ରାୟତଃ ସେହି ନିର୍ଦ୍ଦେଶାଵଳୀ ପାଳନ କରିଵାରେ ଅନିଚ୍ଛା ପ୍ରକାଶ କରିଥାନ୍ତି। ଧୂମପାନ ଵିରୋଧୀ ଅଭିଯାନର ଅଧ୍ୟୟନ ଦର୍ଶାଇଛି ଯେ ଅତ୍ୟଧିକ ଭୟ ଦେଖାଇଵା କିମ୍ଵା ଆଦେଶାତ୍ମକ ଭାଷା ଵ୍ୟଵହାର କରିଵା ପ୍ରାୟତଃ ଵିପରୀତ ଫଳାଫଳ ଦେଇଥାଏ। ଯୁଵକମାନେ ଏହାକୁ ନିଜର ସ୍ୱାଧୀନତା ଉପରେ ଆକ୍ରମଣ ଭାବରେ ଦେଖନ୍ତି ଏଵଂ ଅଧିକ ଵିଦ୍ରୋହୀ ହୋଇପଡ଼ନ୍ତି। ଶିକ୍ଷା କ୍ଷେତ୍ରରେ, ଅତ୍ୟଧିକ କଡ଼ା ନିୟମ ଏଵଂ ସୀମାଵଦ୍ଧତା ମଧ୍ୟ ଛାତ୍ରଛାତ୍ରୀମାନଙ୍କର ସୃଜନଶୀଳତା ଏଵଂ ଆଗ୍ରହକୁ ହ୍ରାସ କରିପାରେ। ଯେତେବେଳେ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଧୀନତା ଏଵଂ ପସନ୍ଦର ସୁଯୋଗ ଦିଆଯାଏ ସେତେବେଳେ ସେମାନେ ଅଧିକ ପ୍ରେରିତ ଏଵଂ ଜଡ଼ିତ ହୁଅନ୍ତି।

 ଯଦିଓ ମନୋଵୈଜ୍ଞାନିକ ପ୍ରତିଘାତ ଏକ ପ୍ରାକୃତିକ ଏଵଂ ଅନେକ କ୍ଷେତ୍ରରେ ଉପକାରୀ ପ୍ରଵୃତ୍ତି ତେବେ ଏହାର କେତେକ ନକାରାତ୍ମକ ପରିଣାମ ମଧ୍ୟ ଦେଖାଯାଏ। କେତେକ ପରିସ୍ଥିତିରେ ଏହା ଅଯୌକ୍ତିକ କିମ୍ଵା କ୍ଷତିକାରକ ଵ୍ୟଵହାରକୁ ଉତ୍ସାହିତ କରିପାରେ। ଉଦାହରଣସ୍ୱରୂପ, କେତେକ ଯୁଵକ କେଵଳ ପ୍ରତିଘାତର କାରଣରୁ ଵିପଜ୍ଜନକ କାର୍ଯ୍ୟକଳାପରେ ଜଡ଼ିତ ହୋଇପାରନ୍ତି। ମାଦକ ଦ୍ରଵ୍ୟ ସେଵନ, ଅତ୍ୟଧିକ ଦ୍ରୁତଗତିରେ ଗାଡ଼ି ଚଳାଇଵା କିମ୍ଵା ଅନ୍ୟାନ୍ୟ ଵିପଦପୂର୍ଣ୍ଣ ଵ୍ୟଵହାର ପ୍ରାୟତଃ ନିଷେଧର ପ୍ରତିକ୍ରିୟାରେ ଆରମ୍ଭ ହୋଇଥାଏ। ପାରିଵାରିକ ସମ୍ପର୍କରେ ମଧ୍ୟ ଅତ୍ୟଧିକ ପ୍ରତିଘାତ ସମସ୍ୟା ସୃଷ୍ଟି କରିପାରେ। ଯେତେବେଳେ ପିତାମାତା ଏଵଂ ସନ୍ତାନ ମଧ୍ୟରେ କେଵଳ ନିୟନ୍ତ୍ରଣ ଏଵଂ ପ୍ରତିରୋଧର ଚକ୍ର ଚାଲୁଥାଏ ସେତେବେଳେ ସମ୍ପର୍କ ଖରାପ ହୋଇଯାଏ ଏଵଂ ସମ୍ପ୍ରେଷଣ ଵିଚ୍ଛିନ୍ନ ହୋଇଯାଏ। ସାମାଜିକ ଏଵଂ ରାଜନୈତିକ କ୍ଷେତ୍ରରେ, ପ୍ରତିଘାତ ପ୍ରାୟତଃ ଲୋକଙ୍କୁ ନିଜର ଦୀର୍ଘକାଳୀନ ସ୍ୱାର୍ଥ ଵିରୁଦ୍ଧରେ ମତଦାନ କିମ୍ଵା କାର୍ଯ୍ୟ କରିଵାକୁ ପ୍ରେରିତ କରିପାରେ। ଯଦି ସେମାନେ ଅନୁଭଵ କରନ୍ତି ଯେ କେହି ସେମାନଙ୍କୁ ନିର୍ଦ୍ଦିଷ୍ଟ ଦିଗରେ ନିଷ୍ପତ୍ତି ନେଵାକୁ ଵାଧ୍ୟ କରୁଛନ୍ତି ତେବେ ସେମାନେ ଵିପରୀତ ଦିଗରେ ଯାଇପାରନ୍ତି ମାତ୍ର ଏହା ସେମାନଙ୍କ ପାଇଁ ଉପକାରୀ ହୋଇନଥାଏ ।

ଏହି ମନୋଵୈଜ୍ଞାନିକ ପ୍ରତିଘାତକୁ ସାମ୍ନା କରିଵାର ଅନେକ ଉପାୟ ରହିଛି । ମନୋଵୈଜ୍ଞାନିକ ପ୍ରତିଘାତକୁ ବୁଝିଵା ଏଵଂ ସେହି ଅନୁଯାୟୀ କାର୍ଯ୍ୟ କରିଵା ଵିଭିନ୍ନ କ୍ଷେତ୍ରରେ ଉପକାରୀ ହୋଇପାରେ। ପ୍ରଭାଵଶାଳୀ ସମ୍ପ୍ରେଷଣ ଏଵଂ ମନୋଭାଵର ମାଧ୍ୟମରେ ପ୍ରତିଘାତକୁ ହ୍ରାସକରିଵା ସମ୍ଭଵ।

ପସନ୍ଦର ସ୍ୱାଧୀନତା ପ୍ରଦାନ କରିଵା ଅତ୍ୟନ୍ତ ଆଵଶ୍ୟକ। ଆଦେଶ ଦେଵା ପରିଵର୍ତ୍ତେ ଵିକଳ୍ପ ପ୍ରଦାନ କରିଵା ପ୍ରତିଘାତ କମାଇଥାଏ। ଉଦାହରଣସ୍ୱରୂପ, ପିତାମାତା ଶିଶୁକୁ ଡରାଇ ଧମକାଇ ଆଦେଶ ଦେଵା ଶୈଳୀରେ କହିଵା ପରିଵର୍ତ୍ତେ ତାକୁ ବୁଝାଇ ଠିକ୍ ବାଟ ଦେଖାଇ ପାରନ୍ତି । ଧରନ୍ତୁ ଜଣେ ଝିଅ ଲଵ୍ ଜିହାଦ୍ କଵଳରେ ପଡ଼ିଯାଇଛି ତେବେ ତାକୁ ବାଡ଼େଇ ପିଟି ସାବାଡ଼ କଲେ ସିଏ କୌଣସି ଭୁଲ୍ ନିଷ୍ପତ୍ତି ନେଇଯାଇପାରେ । ତେଣୁ ତାକୁ ଯଦି ଲଵ୍ ଜିହାଦ୍‌ର ଭୟାଵହତା ଏଵଂ ତଥାକଥିତ ଶାନ୍ତିପ୍ରିୟ ସମ୍ପ୍ରଦାୟର ସମାଜ ମଧ୍ୟରେ ଥିଵା ତିନ୍ ତଲାକ୍ ଓ ହଲାଲା ଭଳି ଵିସଙ୍ଗତି ତଥା ସମାଜ ପ୍ରତି କରାଯାଇଥିଵା ଆତଙ୍କଵାଦୀ କାର୍ଯ୍ୟକଳାପ ସମ୍ବନ୍ଧରେ ବୁଝାଇ ଦେଖାଇ ଜଣାଇ ଦିଆଯାଏ ତେବେ ହୁଏତ ତାହାର ଆଖି ଖୋଲିଯିଵ । 

ତେଣୁ କାରଣ ଵ୍ୟାଖ୍ୟା କରିଵା ମହତ୍ତ୍ୱପୂର୍ଣ୍ଣ। ଯେତେବେଳେ ଲୋକେ ବୁଝନ୍ତି କାହିଁକି କୌଣସି ନିୟମ କିମ୍ଵା ସୀମା ଆଵଶ୍ୟକ, ସେମାନେ ଏହାକୁ ଅଧିକ ଗ୍ରହଣ କରନ୍ତି। କେଵଳ "କାରଣ ମୁଁ କହୁଛି ତେଣୁ ତୁ ଵା ତମେ ମାନିଵାକୁ ଵାଧ୍ୟ" କହିଵା ଦ୍ଵାରା ପ୍ରତିଘାତ ଵଢ଼ିଥାଏ। ପୁଣି ସହଯୋଗୀ ମନୋଭାଵ ଗ୍ରହଣ କରିଵା ସହାୟକ ହୋଇଥାଏ। ସମାନ ଭାବେ କଥାଵାର୍ତ୍ତା କରିଵା ଏଵଂ ଅନ୍ୟର ମତାମତକୁ ସମ୍ମାନ ଦେଵା ପ୍ରତିଘାତକୁ ହ୍ରାସ କରେ। ଏ କ୍ଷେତ୍ରରେ ଧୀରେ ଧୀରେ ପରିଵର୍ତ୍ତନ ଆଣିଵା ଉଚିତ୍। ହଠାତ୍ ଏଵଂ କଠୋର ସୀମାଵଦ୍ଧତା ଅପେକ୍ଷା ଧୀରେ ଧୀରେ ସ୍ୱାଧୀନତା ହ୍ରାସ କରିଵା କମ୍ ପ୍ରତିଘାତ ସୃଷ୍ଟି କରେ। ସକାରାତ୍ମକ ଭାବେ ସମ୍ପ୍ରେଷଣ କରିଵା ଗୁରୁତ୍ୱପୂର୍ଣ୍ଣ। "କର ନାହିଁ" କହିଵା ପରିଵର୍ତ୍ତେ "ଏହା କରିଵା ଉତ୍ତମ" କହିଵା ଅଧିକ ପ୍ରଭାଵଶାଳୀ ହୋଇଥାଏ।

 ଆଜିର ଡିଜିଟାଲ୍ ଯୁଗରେ ମନୋଵୈଜ୍ଞାନିକ ପ୍ରତିଘାତର ନୂତନ ରୂପ ଦେଖାଯାଉଛି। ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଯେତେବେଳେ ଵିଷୟଵସ୍ତୁକୁ ନିୟନ୍ତ୍ରଣ କିମ୍ଵା ସେନସର୍ କରିଵାକୁ ଚେଷ୍ଟା କରନ୍ତି, ଉପଭୋକ୍ତାମାନେ ପ୍ରାୟତଃ ଵିରୋଧ କରନ୍ତି ଏଵଂ ସେହି ଵିଷୟଵସ୍ତୁକୁ ଅଧିକ ଭାଇରାଲ୍ କରିଦିଅନ୍ତି। ଅପରେସନ ସିନ୍ଦୂର ସମୟରେ ପାକିସ୍ତାନର ୟୁଟ୍ୟୁବ ଚ୍ୟାନେଲଗୁଡ଼ିକୁ ସରକାର ବ୍ୟାନ୍ କଲାପରେ ଅନେକ ଭାରତୀୟ VPN ଲଗେଇ ଦେଖିଥିଲେ ଏଵଂ ଏବେବି ଦେଖୁଛନ୍ତି। କିଛି ଦିନ ତଳେ ପାକିସ୍ତାନରେ ଧୂରନ୍ଧର ଚଳଚ୍ଚିତ୍ର ଉପରେ ବ୍ୟାନ୍ ଲାଗିଥିଲା । ଏହାର ଫଳାଫଳ ହାସ୍ୟାସ୍ପଦ ଥିଲା କାରଣ ପାକିସ୍ତାନୀ ଜନତା ଲକ୍ଷାଧିକ ସଂଖ୍ୟାରେ ଧୂରନ୍ଧରର ପାଇରେଟେଟ୍ କପିକୁ ଇଣ୍ଟରନେଟରୁ ଡାଉନଲୋଡ କରି ଦେଖିଥିଲେ । 

ସେହିପରି ଅନଲାଇନ୍ ଗୋପନୀୟତା ଏଵଂ ତଥ୍ୟ ସୁରକ୍ଷା ସମ୍ଵନ୍ଧରେ ଵର୍ତ୍ତମାନ ଅନେକ ଆଲୋଚନା ହେଉଛି। ଯେତେବେଳେ କମ୍ପାନୀଗୁଡ଼ିକ ଅତ୍ୟଧିକ ତଥ୍ୟ ସଂଗ୍ରହ କରନ୍ତି କିମ୍ଵା ଉପଭୋକ୍ତାଙ୍କର ଅନଲାଇନ୍ ସ୍ୱାଧୀନତାକୁ ସୀମିତ କରନ୍ତି, ଲୋକେ ପ୍ରତିରୋଧ କରନ୍ତି। କୋଵିଡ୍-୧୯ ମହାମାରୀ ସମୟରେ ଵିଭିନ୍ନ ଦେଶରେ ଲଗାଯାଇଥିଵା ଲକଡାଉନ୍ ଏଵଂ ପ୍ରତିଵନ୍ଧକ ପ୍ରତି କେତେକ ଲୋକଙ୍କର ପ୍ରତିଘାତ ମଧ୍ୟ ଦେଖାଯାଇଥିଲା। ଏହି ପଦକ୍ଷେପଗୁଡ଼ିକ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଆଵଶ୍ୟକ ଥିଲା କିନ୍ତୁ କେତେକ ଲୋକେ ଏହାକୁ ନିଜର ସ୍ୱାଧୀନତା ଉପରେ ଆକ୍ରମଣ ଭାବରେ ଦେଖି ଵିରୋଧ କରିଥିଲେ। Evangeline Lilly ଭଳି ହଲିଉଡ୍ ଅଭିନେତ୍ରୀ କୋଵିଡ୍ ଟୀକାର ଵିରୋଧ କରିଥିଲେ ।³

ଏହା ମଧ୍ୟ ଧ୍ୟାନ ଦେଵା ଆଵଶ୍ୟକ ଯେ ମନୋଵୈଜ୍ଞାନିକ ପ୍ରତିଘାତର ତୀଵ୍ରତା ଏଵଂ ଅଭିଵ୍ୟକ୍ତି ଵିଭିନ୍ନ ସଂସ୍କୃତିରେ ଭିନ୍ନ ହୋଇପାରେ। ପାଶ୍ଚାତ୍ୟ ଦେଶଗୁଡ଼ିକରେ ଵ୍ୟକ୍ତିଵାଦୀ ସଂସ୍କୃତି , ଵ୍ୟକ୍ତିଗତ ସ୍ୱାଧୀନତା ଏଵଂ ଅଧିକାରକୁ ଅଧିକ ମହତ୍ତ୍ୱ ଦିଆଯାଏ ତେଣୁ ସେଠାରେ ପ୍ରତିଘାତ ଅଧିକ ତୀଵ୍ର ହୋଇପାରେ। କିନ୍ତୁ ଅନେକ ପୂର୍ଵୀୟ ସଂସ୍କୃତି ମୁଖ୍ୟତଃ ସମୂହଵାଦୀ ସଂସ୍କୃତି ହୋଇଥିଵାରୁ ସାମାଜିକ ସଦ୍ଭାଵନା ଏଵଂ ସମୂହର ସ୍ୱାର୍ଥକୁ ଅଧିକ ମହତ୍ତ୍ୱ ଦିଆଯାଏ ତେଣୁ ପ୍ରତିଘାତ କମ୍ ତୀଵ୍ର ହୋଇପାରେ। ତଥାପି, ଏହା ସବୁବେଳେ ଓ ସମସ୍ତଙ୍କ କ୍ଷେତ୍ରରେ ସମାନ ଭାବରେ ଦେଖାଯାଏ ନାହିଁ ଏଵଂ ପ୍ରତ୍ୟେକ ଵ୍ୟକ୍ତିର ପ୍ରତିକ୍ରିୟା ଵିଭିନ୍ନ କାରକ ଉପରେ ନିର୍ଭର କରେ।

ମନୋଵୈଜ୍ଞାନିକ ପ୍ରତିଘାତ ମାନଵ ମନୋଵିଜ୍ଞାନର ଏକ ମୌଳିକ ଏଵଂ ସର୍ଵଵ୍ୟାପୀ ଦିଗ। ଏହା କେଵଳ ଏକ ମାନସିକ ଵିଶେଷତ୍ୱ ନୁହେଁ, ଵରଂ ମାନଵ ଵିକାଶର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଯାହା ଆମକୁ ସ୍ୱାଧୀନତା ଏଵଂ ଆତ୍ମନିର୍ଣ୍ଣୟର ଅଧିକାର ରକ୍ଷା କରିଵାରେ ସହାୟତା କରେ। ଏହି ପ୍ରଵୃତ୍ତିର ଗଭୀର ବୋଧଗମ୍ୟ ଵିଭିନ୍ନ କ୍ଷେତ୍ରରେ ଉପକାରୀ ହୋଇପାରେ। ପିତାମାତା ଏହାକୁ ବୁଝିଵା ଦ୍ୱାରା ନିଜ ସନ୍ତାନଙ୍କୁ ଅଧିକ ପ୍ରଭାଵଶାଳୀ ଭାବରେ ମାର୍ଗଦର୍ଶନ କରିପାରିବେ। ଶିକ୍ଷକମାନେ ଏହାକୁ ଵ୍ୟଵହାର କରି ଛାତ୍ରଛାତ୍ରୀମାନଙ୍କର ପ୍ରେରଣା ବଢ଼ାଇପାରିବେ। ନେତାମାନେ ଏହାକୁ ବୁଝିଵା ଦ୍ୱାରା ଅଧିକ ଗ୍ରହଣଯୋଗ୍ୟ ନୀତି ନିର୍ଦ୍ଧାରଣ କରିପାରିବେ।


ତଥାପି,ମନୋଵୈଜ୍ଞାନିକ ପ୍ରତିଘାତ ଵା psychological reactanceକୁ କେଵଳ ଏକ ସମସ୍ୟା ଭାବରେ ଵିଵେଚିତ କରିଵା ଠିକ୍ ନୁହେଁ। ମନୋଵୈଜ୍ଞାନିକ ପ୍ରତିଘାତ ହେଉଛି ମାନଵ ସ୍ୱାଧୀନତାର ଏକ ସ୍ୱାଭାଵିକ ପ୍ରହରୀ। ଏହା ଆମକୁ ଅନ୍ୟାୟ ନିୟନ୍ତ୍ରଣ, ଶୋଷଣ ଏଵଂ କ୍ଷମତାର ଦୁରୁପୟୋଗରୁ ରକ୍ଷା କରେ। ଏହା ଵ୍ୟକ୍ତିଗତ ସ୍ୱାଧୀନତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ମାନଵ ଅଧିକାର ରକ୍ଷା କରିଵାର ଏକ ପ୍ରାକୃତିକ ଯନ୍ତ୍ର ଅଟେ। ଜ୍ୟାକ୍ ବ୍ରେହମ୍‌ଙ୍କର ଏହି ସିଦ୍ଧାନ୍ତ ଆଜି ମଧ୍ୟ ସମାନ ଭାବେ ପ୍ରାସଙ୍ଗିକ, ଯଦିଓ ତାଙ୍କ ସମୟଠାରୁ ଆଜିର ସମାଜ ଏଵଂ ପ୍ରଯୁକ୍ତିଵିଦ୍ୟାରେ ଵିରାଟ ପରିଵର୍ତ୍ତନ ଆସିଛି। ଆଜିର ଆଧୁନିକ ଯୁଗରେ ଯେହେତୁ ସୂଚନା, ଗୋପନୀୟତା ଏଵଂ ଵ୍ୟକ୍ତିଗତ ସ୍ୱାଧୀନତା ଉପରେ ନୂତନ ଚ୍ୟାଲେଞ୍ଜ ଦେଖାଦେଇଛି ତେଣୁ ମନୋଵୈଜ୍ଞାନିକ ପ୍ରତିଘାତକୁ ବୁଝିଵା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।

ମନୋଵୈଜ୍ଞାନିକ ପ୍ରତିଘାତ ମାନଵୀୟ ସ୍ୱାଧୀନତା ପ୍ରେମର ଏକ ଗଭୀର ଏଵଂ ସ୍ୱାଭାଵିକ ଅଭିଵ୍ୟକ୍ତି । ଏହା ଆମକୁ ମନେ ପକାଇଦିଏ ଯେ ମଣିଷ କେଵଳ ନିଷ୍ପତ୍ତି ନେଵାର ଯନ୍ତ୍ର ନୁହେଁ, ଵରଂ ସେ ଏକ ସ୍ୱାଧୀନ ଇଚ୍ଛାଶକ୍ତି ସମ୍ପନ୍ନ ପ୍ରାଣୀ ଅଟେ। ନିଜର ଜୀଵନ, ପସନ୍ଦ ଏଵଂ ଭଵିଷ୍ୟତ ଉପରେ ନିୟନ୍ତ୍ରଣ ରଖିଵାର ଇଚ୍ଛା ମାନଵୀୟ ଅସ୍ତିତ୍ଵର ଏକ ମୌଳିକ ଅଂଶ ଏଵଂ ମନୋଵୈଜ୍ଞାନିକ ପ୍ରତିଘାତ ଏହି ମୌଳିକ ଅଧିକାରର ସୁରକ୍ଷାକଵଚ ପରି କାର୍ଯ୍ୟ କରିଥାଏ ।
••••••••••••••••••••••••••••••••••••••
ସୂଚନା:
¹(ମଧ୍ୟଯୁଗରେ ଏହି ସର୍ପକୁ ସଇତାନ୍ ଵା ଲୁସିଫର୍ ସହିତ ଯୋଡ଼ାଯାଇଥିଲା କିନ୍ତୁ ମୂଳ ବାଇବେଲରେ କେଵଳ ସର୍ପ ଉଲ୍ଲେଖ ଅଛି) 

²(ବାଇବେଲରେ ଥିଵା Genesisର ଅଧ୍ୟାୟ ୨ରୁ ଅଧ୍ୟାୟ ୩ ପର୍ଯ୍ୟନ୍ତ Adam ଓ Eveଙ୍କ କାହାଣୀ ରହିଛି।)

³(Ant-Man and the Wasp ଚଳଚ୍ଚିତ୍ରରେ ଅଭିନୟ କରିଥିଵା Evangeline Lilly ଜଣେ ପ୍ରସିଦ୍ଧ ଅଭିନେତ୍ରୀ। ସେ ୨୦୨୨ ମସିହାରେ Washington, D.C.ରେ ଆୟୋଜିତ “Defeat the Mandate” ନାମକ ଏକ ରାଲିରେ ଯୋଗ ଦେଇଥିଲେ ଏଵଂ Instagramରେ ପୋଷ୍ଟ କରି କହିଥିଲେ ଯେ କାହାକୁ ଜବରଦସ୍ତି ଶରୀରରେ କିଛି ଇଞ୍ଜେକ୍ଟ କରାଯିଵା ଉଚିତ୍ ନୁହେଁ।)

⁴("ରୋମିଓ ଓ ଜୁଲିଏଟ୍ ପ୍ରଭାବ" ମନୋଵିଜ୍ଞାନ କ୍ଷେତ୍ରରେ ଏକ ଵିଶେଷ ଧାରଣା ଭାବରେ ପରିଚିତ, ଯାହା ପ୍ରଥମେ ଏକ ପ୍ରସିଦ୍ଧ ଅଧ୍ୟୟନରେ ପ୍ରସ୍ତାଵିତ ହୋଇଥିଲା । ଏହି ପ୍ରଭାଵ ଅନୁସାରେ ଯେତେବେଳେ କୌଣସି ପ୍ରେମ ସମ୍ପର୍କରେ ଵାହ୍ୟ ଵିରୋଧ ଵା ବାଧା ଆସେ, ଵିଶେଷକରି ପିତାମାତାଙ୍କ ପକ୍ଷରୁ ଵିରୋଧ କିମ୍ବା ହସ୍ତକ୍ଷେପ ହୁଏ, ସେତେବେଳେ ସେହି ଦମ୍ପତିଙ୍କ ମଧ୍ୟରେ ପ୍ରେମର ତୀଵ୍ରତା ଓ ଆକର୍ଷଣ ଵୃଦ୍ଧି ପାଇଥାଏ। ଏହାକୁ ପ୍ରଥମେ ବ୍ରିଟିଶ୍ ଅଭିନେତା ଓ ନିର୍ଦ୍ଦେଶକ Richard Driscollଙ୍କ ଦ୍ୱାରା ନାମକରଣ କରାଯାଇଥିଲା ଯିଏ William Shakespeareଙ୍କ ନାଟକ Romeo and Julietର ପ୍ରଧାନ ଚରିତ୍ରଙ୍କ ନାମରେ ଏହି ଧାରଣାକୁ ଵ୍ୟାଖ୍ୟା କରିଥିଲେ। ଏହି ନାଟକରେ ଦୁଇ ପ୍ରେମିକଙ୍କ ପରିଵାରର ଶତ୍ରୁତା ଯୋଗୁଁ ସେମାନଙ୍କ ପ୍ରେମ ଆହୁରି ତୀଵ୍ର ହୋଇଥିଲା, ଯାହା ଏହି ମନୋଵିଜ୍ଞାନୀୟ ପ୍ରଭାଵର ଏକ ସାହିତ୍ୟିକ ଉଦାହରଣ ଅଟେ। ଏହି ଧାରଣାର ମୂଳ ଅଧ୍ୟୟନ ୧୯୭୨ ମସିହାରେ ହୋଇଥିଲା, ଯେଉଁଥିରେ Richard Driscoll, Keith Davis ଓ Milton Lipetz ଆଦି ଗଵେଷକମାନେ ୧୪୦ ଯୋଡ଼ି ପ୍ରେମିକ-ପ୍ରେମିକାଙ୍କୁ ଅଧ୍ୟୟନ କରିଥିଲେ। ସେମାନେ ଦେଖିଲେ ଯେ ପିତାମାତାଙ୍କ ହସ୍ତକ୍ଷେପ ଵା ଵିରୋଧ ଯେତେ ବଢ଼ିଥାଏ ତତୋଽଧିକ ଦମ୍ପତିଙ୍କ ମଧ୍ୟରେ ପ୍ରେମର ମାତ୍ରା ବୃଦ୍ଧି ପାଇଥାଏ ଏଵଂ ଵିଵାହର ଇଚ୍ଛା ମଧ୍ୟ ଅଧିକ ହୁଏ। ଏହି ଫଳାଫଳ ଅନୁସାରେ ପରିଵାରର ଵିରୋଧ ପ୍ରେମକୁ ଆହୁରି ଗଭୀର କରିଥାଏ ଏଵଂ ଏହାକୁ ଏକ ସ୍ଥାୟୀ ପ୍ରଭାଵ ଭାବରେ ଵର୍ଣ୍ଣନା କରାଯାଇଥିଲା। ଏହି ପ୍ରଭାବର ମୂଳ କାରଣ ଭାବରେ ଗଵେଷକମାନେ reactance theoryକୁ ଉଲ୍ଲେଖ କରିଥିଲେ । କିନ୍ତୁ ଏହି ଧାରଣାର ସ୍ଥାୟୀତ୍ୱ ଓ ଵ୍ୟାପକତା ଉପରେ ପରଵର୍ତ୍ତୀ ଗଵେଷଣାରେ ପ୍ରଶ୍ନ ଉଠିଛି। ଅନେକ ପରଵର୍ତ୍ତୀ ଅଧ୍ୟୟନରେ ଏହି ପ୍ରଭାଵର ପୁନରାଵୃତ୍ତି ହୋଇନାହିଁ ଵରଂ ଵିପରୀତ ଫଳାଫଳ ମଧ୍ୟ ଦେଖାଯାଇଛି। ଉଦାହରଣ ସ୍ୱରୂପ, ୨୦୧୪ ମସିହାରେ ଏକ ଵିସ୍ତୃତ ପୁନରାବୃତ୍ତି ଅଧ୍ୟୟନରେ Colleen Sinclair ଓ ତାଙ୍କ ସହଯୋଗୀମାନେ ଦେଖିଲେ ଯେ ପରିଵାର ଓ ବନ୍ଧୁମାନଙ୍କର ଵିରୋଧ ପ୍ରେମ, ଵିଶ୍ୱାସ, ପ୍ରତିଵଦ୍ଧତା ଆଦିକୁ ହ୍ରାସ କରିଥାଏ ଏଵଂ ସମ୍ପର୍କର ଗୁଣଵତ୍ତା ଖରାପ ହୁଏ। ଏହି ଅଧ୍ୟୟନରେ ମୂଳ ଅଧ୍ୟୟନର ସ୍କେଲ୍ ଵ୍ୟଵହାର କରି ମଧ୍ୟ କୌଣସି Romeo and Juliet effect ଦେଖାଯାଇନଥିଲା। ଏହି ଅଧ୍ୟୟନ ଵରଂ social network effectକୁ ସମର୍ଥନ କରୁଥିଲା, ଯେଉଁଥିରେ ପରିଵାର ଓ ସାମାଜିକ ସମର୍ଥନ ସମ୍ପର୍କକୁ ଶକ୍ତିଶାଳୀ କରେ ଏଵଂ ବିରୋଧ ଏହାକୁ ଦୁର୍ଵଳ କରେ।)

ଏ ଵିଷୟରେ ଅଧିକ ଜାଣିଵା ପାଇଁ ନିମ୍ନୋକ୍ତ ବହିଗୁଡି଼କୁ ପଢ଼ନ୍ତୁ:

1.A Theory of Psychological Reactance - Jack W. Brehm

2.Psychological Reactance: A Theory of Freedom and Control - Sharon S. Brehm ଏବଂ Jack W. Brehm

3.Freedom and Reactance - Robert A. Wicklund

4.The Role of Psychological Reactance in Human-Computer Interaction - Patrick Ehrenbrink
•••••••••••••••••••••••••••••••••••••

Wednesday, November 5, 2025

ମୋଦି ଓ ବିଜେପିକୁ କିଛି ଲୋକ ଅଯଥା ଘୃଣା କାହିଁକି କରନ୍ତି ?

ମହାଭାରତ ଯୁଦ୍ଧରେ କେହି ମଧ୍ୟ ନିରପେକ୍ଷ ରହି ପାରିନଥିଲେ । ସମସ୍ତଙ୍କୁ କୌଣସି ନା କୌଣସି ପକ୍ଷରେ ରହିଵାକୁ ହୋଇଥିଲା । ମହାଭାରତ ଯୁଦ୍ଧରେ ପ୍ରାୟ ସମସ୍ତ ପ୍ରମୁଖ ଚରିତ୍ରଙ୍କୁ କୌରଵ କିମ୍ବା ପାଣ୍ଡଵ ପକ୍ଷରେ ରହିଵାକୁ ହୋଇଥିଲା, କାରଣ ଏହି ଯୁଦ୍ଧ ନୈତିକ, ରାଜନୈତିକ ଓ ପାରିଵାରିକ ସମ୍ପର୍କର ଏକ ଜଟିଳ ଜାଲ ଥିଲା। ତଥାପି କେହି କେହି କୁହନ୍ତି ବଳରାମ ଓ ଵିଦୁର ନିରପେକ୍ଷ ଥିଲେ । ଵିଦୁରଙ୍କୁ ନିରପେକ୍ଷ କହିଵା ଠିକ୍ ନୁହେଁ କାରଣ ତାଙ୍କର ପକ୍ଷ ସବୁବେଳେ ଧର୍ମ ସହିତ ଥିଲା ଏଵଂ ସେ ଧର୍ମରାଜଙ୍କ ଅଵତାର ଥିଲେ । ଏ ଦୃଷ୍ଟିରୁ ଯେହେତୁ ସ୍ଵୟଂ ଭଗଵାନ ପାଣ୍ଡଵଙ୍କ ପକ୍ଷରେ ଥିଲେ ତେଣୁ ଧର୍ମ ମଧ୍ୟ ପାଣ୍ଡଵଙ୍କ ସହିତ ଥିଲା । ବଳରାମଙ୍କ କଥା ଭିନ୍ନ,ସେ ଯୁଦ୍ଧ ଚାହୁଁନଥିଲେ ତେଣୁ ତୀର୍ଥ କରିଯିଵା ବାହାନାରେ ଦୂରେଇ ଯାଇଥିଲେ ।‌ ଆଜିର ଭାରତରେ ମଧ୍ୟ ଦୁଇଗୋଟି ପକ୍ଷ ରହିଛି ତନ୍ମଧ୍ୟରୁ ଗୋଟିଏକୁ ସମର୍ଥନ କରିଵାକୁ ହିଁ ହେଵ । ଗୋଟିଏ ପକ୍ଷରେ ଅଛି ଜାତୀୟତାଵାଦୀ ଧର୍ମରକ୍ଷକ ଗୋଷ୍ଠୀ ଆଉ ଗୋଟିଏ ପକ୍ଷରେ ଭାରତ ଵିରୋଧି ସନାତନଧର୍ମ ଵିରୋଧି ପଠାଣ ତୁଷ୍ଟିକରଣ ଗୋଷ୍ଠୀ । ଏ କଳିଯୁଗରେ କିଏ ପାଣ୍ଡଵ କିଏ କୌରଵ ସମସ୍ତଙ୍କୁ ଜଳଜଳ ହୋଇ ଦିଶୁଛି । ତମେ ବଳରାମଙ୍କ ଭଳି ରାଜନୈତିକ ନାସ୍ତିକ ହୋଇ ନିଜକୁ ନିର୍ଦଳୀୟ ଘୋଷଣା କରୁଛ ପୁଣି ଯୋଉ ଦଳଟି ଦେଶ ପାଇଁ ହିତକର କାର୍ଯ୍ୟ କରୁଛି କେଵଳ ତାକୁ ହିଁ ସମାଲୋଚନା କରୁଛ ଅର୍ଥ ତମେ ନିଜର ଅଜାଣତରେ କୌରଵଙ୍କର ସମର୍ଥକ ହୋଇଯାଇଛ । ବଳରାମ, କର୍ଣ୍ଣଙ୍କ ପରି ମହାଭାରତର ପାତ୍ର ମଧ୍ୟ ଧର୍ମ ଅଧର୍ମ ମଧ୍ୟରେ ଦ୍ଵନ୍ଦରେ ପଡ଼ିଯାଇଥିଲେ ଏଵଂ ଶିଷ୍ୟ ଓ ବନ୍ଧୁ ଦୁର୍ଯୋଧନକୁ ମହତ୍ତ୍ୱ ଦେଇଥିଲେ । ଫଳ କ’ଣ ହେଲା ? ବଳରାମଙ୍କୁ ଆଜି ବି ଥୋକେ ଯୁଦ୍ଧ ଭୀରୁ ଭାବୁଛନ୍ତି ଆଉ କର୍ଣ୍ଣକୁ ‌ ହତଭାଗା । 
କାହାକୁ ସମର୍ଥନ କର କି ନକର ଧର୍ମ ଓ ସତ୍ୟକୁ ସଦା ସର୍ଵଦା ସମର୍ଥନ କର । ଆଜି ସତ୍ୟ ଧର୍ମ ଯାହା ସହିତ ଅଛି ଭାରତର ସଂଖ୍ୟାଧିକ ସନାତନୀ ସେହି ସରକାରକୁ ତିନି ତିନି ଧର ଜିତାଇ ଦେଇଛନ୍ତି । ଏ ଦେଶର ଜନତା ଏବେ ଜାଗି ସାରିଛି ଏ ଦେଶର ଜନତା ଦେଶଭକ୍ତ, ଦେଶପ୍ରେମୀ ବୋଲି ଏମିତି ଏକ ସରକାର ଗଢ଼ିଛି । 

ଭାରତରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜକୁ କୌଣସି ରାଜନୈତିକ ଦଳର ସମର୍ଥକ ନୁହନ୍ତି ବୋଲି ଦାବି କରନ୍ତି, କିନ୍ତୁ ସେମାନଙ୍କର ଆଚରଣ ଓ କଥାଵାର୍ତ୍ତାରୁ ଜଣାପଡ଼େ ଯେ ସେମାନେ ଉଦ୍ଦେଶ୍ୟମୂଳକ ଭାବେ ବିଜେପିର ପ୍ରତ୍ୟେକ କାର୍ଯ୍ୟକୁ ଵିରୋଧ କରନ୍ତି, ଏପରିକି ସେହି ଦଳର ସମର୍ଥକମାନଙ୍କୁ ମଧ୍ୟ ଗାଳିଗୁଲଜ ଵା ଅପମାନ କରିଵାକୁ ପଛାନ୍ତି ନାହିଁ। ଏହି ମାନସିକତା ମନୋଵିଜ୍ଞାନର ଦୃଷ୍ଟିକୋଣରୁ ଏକ ଜଟିଳ ଆଚରଣଗତ ପ୍ରଵୃତ୍ତି ଯାହାକୁ ବିପରୀତ ପକ୍ଷପାତ (Contrarian Bias) ଵା ବିରୋଧାତ୍ମକ ମାନସିକତା (Oppositional Mindset) ରୂପେ ପ୍ରତିପାଦିତ କରାଯାଇପାରେ। ଏହା ଏକ ପ୍ରକାରର ମନୋଵୈଜ୍ଞାନିକ ପକ୍ଷପାତ, ଯହିଁରେ ଜଣେ ଵ୍ୟକ୍ତି କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀ, ଵିଚାରଧାରା କିମ୍ବା ରାଜନୈତିକ ଦଳ ପ୍ରତି ସ୍ୱତଃସ୍ଫୂର୍ତ ଭାବେ ଅନେକ ସମୟରେ ଯୁକ୍ତି ଵା ତଥ୍ୟ ଉପରେ ଆଧାରିତ ଵିଶ୍ଲେଷଣ ବିନା ଵିରୋଧୀ ମନୋଭାବ ପୋଷଣ କରନ୍ତି। 

ଏହି ମାନସିକତାର ମୂଳରେ ଅନେକ ମନୋଵୈଜ୍ଞାନିକ ଓ ସାମାଜିକ କାରଣ ରହିପାରେ। ଉଦାହରଣ ସ୍ୱରୂପ, କୌଣସି ଵ୍ୟକ୍ତି ବିଜେପି ଵା ତାଙ୍କ ସମର୍ଥକମାନଙ୍କ ସହ ଜଡ଼ିତ କୌଣସି ନକାରାତ୍ମକ ଅଭିଜ୍ଞତା ଵା ଘଟଣା ଯୋଗୁଁ ଆପଣା ମନରେ ଏକ ଭ୍ରମଧାରଣା ଗଢ଼ି ନେଇପାରନ୍ତି। ଏହା ସେମାନଙ୍କୁ ଦଳର ପ୍ରତ୍ୟେକ କାର୍ଯ୍ୟକୁ ସନ୍ଦେହରେ ଦେଖିଵାକୁ ବାଧ୍ୟ କରେ, ଏପରିକି ଯେଉଁ କାର୍ଯ୍ୟଗୁଡ଼ିକ ଉପକାରୀ ହୋଇପାରେ, ତାହାକୁ ମଧ୍ୟ ସେମାନେ ନକାରାତ୍ମକ ଦୃଷ୍ଟିରେ ଦେଖନ୍ତି। ଏହା ଛଡ଼ା, ସାମାଜିକ ଗଣମାଧ୍ୟମ ଵା ମିଡିଆର ପ୍ରଭାବ ମଧ୍ୟ ଏହି ମାନସିକତାକୁ ଉସକାଇ ଦେଇପାରେ। ଉଦାହରଣ ସ୍ୱରୂପ, ଯଦି କୌଣସି ଵ୍ୟକ୍ତି ବାରମ୍ବାର ଏକ ନିର୍ଦ୍ଦିଷ୍ଟ ଦଳ ଵିରୋଧୀ ଵିଷୟଵସ୍ତୁରେ ନିଜକୁ ଉନ୍ମୁକ୍ତ କରନ୍ତି, ତେବେ ତାଙ୍କ ମନରେ ଏକ ଏକପାଖିଆ ଦୃଷ୍ଟିକୋଣ ଗଢ଼ି ଉଠିପାରେ। ଏହା ସେମାନଙ୍କୁ ସେହି ଦଳର ସମସ୍ତ କାର୍ଯ୍ୟକୁ ସ୍ୱତଃସ୍ଫୂର୍ତ ଭାବେ ଵିରୋଧ କରିଵାକୁ ପ୍ରେରିତ କରେ। 

ମନୋଵିଜ୍ଞାନର ଦୃଷ୍ଟିକୋଣରୁ, ଏହା ଏକ ପ୍ରକାରର ଜ୍ଞାନାତ୍ମକ ଅସଙ୍ଗତି (Cognitive Dissonance) ସହ ଜଡ଼ିତ ହୋଇପାରେ। ଯେତେବେଳେ ଜଣେ ଵ୍ୟକ୍ତି ନିଜକୁ "ନିରପେକ୍ଷ" ବୋଲି ଦାବି କରନ୍ତି, କିନ୍ତୁ ସେମାନଙ୍କର ଆଚରଣ ଏକ ନିର୍ଦ୍ଦିଷ୍ଟ ଦଳ ଵିରୋଧୀ ପକ୍ଷପାତ ଦେଖାଏ, ତେବେ ଏହା ସେମାନଙ୍କ ମନରେ ଜ୍ଞାନାତ୍ମକ ଅସଙ୍ଗତି ସୃଷ୍ଟି କରେ। ଏହି ଅସଙ୍ଗତିକୁ ଦୂର କରିଵା ପାଇଁ ସେମାନେ ଆଵେଗମୂଳକ ପ୍ରତିକ୍ରିୟା, ଯେପରି ଗାଳି ଵା ଅପମାନ, ମାଧ୍ୟମରେ ନିଜର ଵିରୋଧ ପ୍ରକାଶ କରନ୍ତି। ଏହା ସେମାନଙ୍କୁ ନିଜର "ନିରପେକ୍ଷ" ପରିଚୟକୁ ବଜାୟ ରଖିଵାରେ ସାହାଯ୍ୟ କରେ, ଯଦିଓ ଵାସ୍ତଵରେ ସେମାନେ ଏକପାଖିଆ ମନୋଭାବ ଦେଖାନ୍ତି। 

ଏହା ଵ୍ୟତୀତ, ଏହି ମାନସିକତା ସାମାଜିକ ପରିଚୟ ଵା Social Identity ସହ ମଧ୍ୟ ଜଡ଼ିତ ହୋଇପାରେ। ଅନେକ ସମୟରେ ଵ୍ୟକ୍ତି ନିଜକୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଵା ଵିଚାରଧାରାଠାରୁ ଅଲଗା ରଖିଵାକୁ ଚାହିଁ ଅନ୍ୟ ଗୋଷ୍ଠୀକୁ ଵିରୋଧ କରନ୍ତି। ଉଦାହରଣ ସ୍ୱରୂପ, ଯଦି ଜଣେ ଵ୍ୟକ୍ତି ନିଜକୁ "ବୁଦ୍ଧିଜୀଵୀ" ଵା "ମୁକ୍ତ ଚିନ୍ତକ" ଭାବେ ଦେଖାଇଵାକୁ ଚାହାନ୍ତି, ତେବେ ସେ ବିଜେପି ଭଳି ଏକ ଜନପ୍ରିୟ ଦଳକୁ ଵିରୋଧ କରି ନିଜର ଏହି ପରିଚୟକୁ ସ୍ଥାପନ କରିଵାକୁ ଚେଷ୍ଟା କରିପାରନ୍ତି। ଏହା ସେମାନଙ୍କୁ ସାମାଜିକ ସ୍ୱୀକୃତି ଵା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀରେ ସ୍ଥାନ ଦେଇପାରେ, ଯେଉଁମାନେ ସମାନ ଵିରୋଧୀ ମନୋଭାବ ପୋଷଣ କରନ୍ତି। 

ଏହି ଵିରୋଧାତ୍ମକ ମାନସିକତା କେତେକ କ୍ଷେତ୍ରରେ ଵିରୋଧୀ ଅଵାଧ୍ୟତା ଵ୍ୟାଧି ଵା Oppositional Defiant Disorderର ଲକ୍ଷଣ ସହ ମେଳ ଖାଇପାରେ, ଅଵଶ୍ୟ ଏହା ଏକ ଚିକିତ୍ସାଗତ ରୋଗ ଏଵଂ ସମସ୍ତ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ। ତେବେ ଏହି ମାନସିକତା ଥିଵା ଵ୍ୟକ୍ତିମାନେ ଅନେକ ସମୟରେ କୌଣସି କାରଣ ବିନା ଵିରୋଧ କରିଵାକୁ ପସନ୍ଦ କରନ୍ତି, ଯାହା ସେମାନଙ୍କର ଆଵେଗମୂଳକ ପ୍ରତିକ୍ରିୟା ଵା ଅସନ୍ତୋଷରୁ ଉତ୍ପନ୍ନ ହୋଇପାରେ। ଏହା ସେମାନଙ୍କୁ ଯୁକ୍ତିଯୁକ୍ତ ଆଲୋଚନାରୁ ଦୂରେଇ ରଖେ ଏଵଂ ଅନ୍ୟ ଦୃଷ୍ଟିକୋଣକୁ ଗ୍ରହଣ କରିଵାରେ ଅସୁବିଧା ସୃଷ୍ଟି କରେ। 

ଏହାର କାରଣ ଅନୁସନ୍ଧାନ କଲେ, ଆମେ ଦେଖୁ ଯେ ଏହା ଅନେକ ସମୟରେ ଅଜ୍ଞତା ଵା ତଥ୍ୟର ଅଭାବ ଯୋଗୁଁ ହୋଇପାରେ। ଯଦି ଜଣେ ଵ୍ୟକ୍ତି କୌଣସି ଦଳର କାର୍ଯ୍ୟକ୍ରମ ଵା ନୀତି ଵିଷୟରେ ସମ୍ପୂର୍ଣ୍ଣ ତଥ୍ୟ ନ ରଖନ୍ତି, ତେବେ ସେ ଗୋଟିଏ ଵା ଏକାଧିକ ଭ୍ରମଧାରଣା ଆଧାରରେ ଵିରୋଧ କରିପାରନ୍ତି। ଏହା ସହିତ, ସାମାଜିକ ପରିଵେଶ ଵା ସାଙ୍ଗସାଙ୍ଗୀଙ୍କ ପ୍ରଭାବ ମଧ୍ୟ ଏହି ମାନସିକତାକୁ ଆହୁରି ଗାଢ଼ କରିଦେଇପାରେ। ଉଦାହରଣ ସ୍ୱରୂପ, ଧରନ୍ତୁ ଯଦି ଜଣେ ଵ୍ୟକ୍ତି ଏକ ଏମିତି ଗୋଷ୍ଠୀରେ ରହୁଛନ୍ତି,ଯେଉଁଠାରେ ବିଜେପି ଵିରୋଧୀ ମନୋଭାବ ପ୍ରଵଳ, ତେବେ ସେ ସେହି ମନୋଭାବକୁ ଅନୁସରଣ କରିପାରନ୍ତି। 

ଏହି ମାନସିକତାର ସମାଧାନ କରିଵା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆତ୍ମ-ସଚେତନତା। ଵ୍ୟକ୍ତିଙ୍କୁ ନିଜର ପକ୍ଷପାତ ଵିଷୟରେ ଚିନ୍ତନ ମନନ କରିଵାକୁ ହେଵ ଏଵଂ ନିଜକୁ ନିଜେ ପ୍ରଶ୍ନ କରିଵାକୁ ହେଵ ଯେ ସେମାନେ କାହିଁକି ଏକ ନିର୍ଦ୍ଦିଷ୍ଟ ଦଳକୁ ଵିରୋଧ କରୁଛନ୍ତି ଏଵଂ ସେହି ଵିରୋଧ କ’ଣ ପ୍ରକୃତରେ ଠିକ୍ କି ନୁହେଁ । ଏହା ସହିତ, ଖୋଲା ମନରେ ଆଲୋଚନା କରିଵା ଓ ଵିଭିନ୍ନ ଦୃଷ୍ଟିକୋଣକୁ ଗ୍ରହଣ କରିଵା ଏହି ମାନସିକତାକୁ ହ୍ରାସ କରିପାରେ। ନିର୍ଭରଯୋଗ୍ୟ ସୂତ୍ରରୁ ତଥ୍ୟ ସଂଗ୍ରହ କରିଵା ଏଵଂ ସମାଲୋଚନାତ୍ମକ ଚିନ୍ତନ ଵା Critical Thinking ଅଭ୍ୟାସ କରିଵା ମଧ୍ୟ ଅତ୍ୟନ୍ତ ଜରୁରୀ ଅଟେ। ଏହା ଦ୍ୱାରା ଵ୍ୟକ୍ତି ନିଜର ଵିରୋଧାତ୍ମକ ମନୋଭାବକୁ ନିୟନ୍ତ୍ରଣ କରି ଅଧିକ ଯୁକ୍ତିଯୁକ୍ତ ଓ ନିରପେକ୍ଷ ଦୃଷ୍ଟିକୋଣ ଗଢ଼ିପାରିଵ। 

ମୋଟାମୋଟି ଭାବେ କହିଵାକୁ ଗଲେ, ଏହି ମାନସିକତା ଏକ ଜଟିଳ ମିଶ୍ରଣ ଅଟେ ଏଵଂ ଏଥିରେ ଵ୍ୟକ୍ତିଗତ ଅଭିଜ୍ଞତା, ସାମାଜିକ ପ୍ରଭାବ, ଆଵେଗମୂଳକ ପ୍ରତିକ୍ରିୟା ଓ ତଥ୍ୟର ଅଭାବ ମିଶି ଏକ ଵିରୋଧାତ୍ମକ ମନୋଭାବ ସୃଷ୍ଟି କରେ। ଏହାକୁ ବୁଝିଵା ଓ ସମାଧାନ କରିଵା ପାଇଁ ଧୈର୍ଯ୍ୟ, ଆତ୍ମ-ଵିଶ୍ଲେଷଣ ଓ ଖୋଲା ମନର ଆଵଶ୍ୟକତା ରହିଛି।


 

Saturday, October 25, 2025

ଆଗକାଳ ଲୋକ ଆଜିକାଲିର ଲୋକଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ ଥିଲେ କି ?

ଆଜକୁ ପ୍ରାୟ ୨୩୦୦ ଵର୍ଷ ପୂର୍ଵେ ପ୍ରାଚୀନ ଗ୍ରୀକ ସଭ୍ୟତାର Alexandria(ଵର୍ତ୍ତମାନର ମିଶର)ରେ ଏରାଟୋସ୍ଥେନେସ୍ ନାମକ ଜଣେ ଗଣିତଜ୍ଞ ଓ ଜ୍ୟୋର୍ତିଵିଜ୍ଞାନୀ ହୋଇଥିଲେ। ସେ ଏକ ପୁସ୍ତକରେ ପଢ଼ିଥିଲେ ଯେ Syene (ବର୍ତ୍ତମାନର ଲିବିଆରେ ଅଵସ୍ଥିତ) ନାମକ ସହରରେ ୨୧ ଜୁନ୍ ଦିନ ମଧ୍ୟାହ୍ନ ୧୨ଟା ସମୟରେ ଯଦି ଏକ କାଠ ଖୁଣ୍ଟକୁ ସିଧା ଭାବେ ମାଟିରେ ପୋତାଯାଏ ତେବେ ତାହାର ଛାୟା ପଡ଼େ ନାହିଁ। ଅର୍ଥାତ୍ ସୂର୍ଯ୍ୟ ସେହି ଦିନ ସାଇନୀରେ ଠିକ୍ ମୁଣ୍ଡ ଉପରେ ( ଵା ଜେନିଥ୍‌ରେ) ଥାଏ। 
ଏରାଟୋସ୍ଥେନେସ୍ ଏହି ତଥ୍ୟର ସତ୍ୟାସତ୍ୟ ଜାଣିଵା ପାଇଁ ଏକ ପରୀକ୍ଷଣ କଲେ। ୨୧ ଜୁନ୍ ଦିନ ମଧ୍ୟାହ୍ନ ୧୨ଟାରେ ସେ Alexandriaରେ ଏକ ସିଧା କାଠ ଖୁଣ୍ଟ ମାଟିରେ ପୋତି ଦେଖିଲେ ଯେ ତାହାର ଛାୟା ପଡ଼ୁଛି। ଏହାର କାରଣ ଥିଲା Alexandriaରେ ସୂର୍ଯ୍ୟ ସେଦିନ ଠିକ୍ ମୁଣ୍ଡ ଉପରେ ନଥିଲା। ଏହି ପର୍ଯ୍ୟଵେକ୍ଷଣରୁ ସେ ବୁଝିଲେ ଯେ ପୃଥିଵୀ ସମତଳ ନୁହେଁ,ଵରଂ ଗୋଲାକାର, କାରଣ ଏକ ସମତଳ ପୃଷ୍ଠରେ ଏକ ସମୟରେ ଏକ ସ୍ଥାନରେ ଛାୟା ନ ପଡ଼ିଵା ଓ ଅନ୍ୟ ସ୍ଥାନରେ ଛାୟା ପଡ଼ିଵା ଅସମ୍ଭଵ। 

ଏହାପରେ ସେ ନାଵିକମାନଙ୍କ ସାହାଯ୍ୟରେ Alexandria ଓ Syene ମଧ୍ୟରେ ଦୂରତ୍ୱ ମାପିଲେ, ଯାହା ପ୍ରାୟ ୫,୦୦୦ ଷ୍ଟାଡିଆ (stadia) ଥିଲା। ଏକ ଷ୍ଟାଡିଆ ପ୍ରାୟ ୧୫୭.୫ ମିଟର, ଅର୍ଥାତ୍ ମୋଟ୍ ଦୂରତ୍ୱ ଆଧୁନିକ ଏକକରେ ପ୍ରାୟ ୮୦୦ କିଲୋମିଟର। Alexandriaରେ ଛାୟାର କୋଣ ୭.୨ ଡିଗ୍ରୀ ଥିଲା, ଆଉ Syeneରେ ସୂର୍ଯ୍ୟ ମୁଣ୍ଡ ଉପରେ ଥିଵାରୁ କୋଣ ୦ ଡିଗ୍ରୀ ଥିଲା। 

ଏରାଟୋସ୍ଥେନେସ୍ ଗଣନା କଲେ: ଯଦି ୭.୨ ଡିଗ୍ରୀ ଏକ ଏକକ ହୁଏ, ତେବେ ୩୬୦ ଡିଗ୍ରୀର ଏକ ବୃତ୍ତରେ ୫୦ଟି ଏକକ (୩୬୦ ÷ ୭.୨) ହେଵ। ଏକ ଏକକର ଦୂରତ୍ୱ ୫,୦୦୦ ଷ୍ଟାଡିଆ ହେଲେ, ମୋଟ ପୃଥିଵୀର ପରିଧି ହେଵ ୫,୦୦୦ × ୫୦ = ୨,୫୦,୦୦୦ ଷ୍ଟାଡିଆ, ଯାହା ଆଧୁନିକ ଏକକରେ ପ୍ରାୟ ୪୦,୦୦୦ କିଲୋମିଟର। ଏହା ଆଧୁନିକ ମାପ ସହ ଅତ୍ୟନ୍ତ ସମାନ। ଏହି ଗଣନା ତାଙ୍କର ଗାଣିତିକ ଓ ପର୍ଯ୍ୟଵେକ୍ଷଣ ଦକ୍ଷତାକୁ ପ୍ରମାଣ କରେ। ତେଣୁ ପୃଥିଵୀର ପରିଧି ପ୍ରଥମେ ମାପିଵାର ଶ୍ରେୟ ପ୍ରାଚୀନ ଗ୍ରୀକ ଗଣିତଜ୍ଞ ଓ ଜ୍ୟୋତିର୍ଵିଜ୍ଞାନୀ ଏରାଟୋସ୍ଥେନେସ୍ (Eratosthenes)ଙ୍କୁ ଦିଆଯାଏ। ଆଧୁନିକ ମାପରେ ପୃଥିଵୀର ପରିଧି ୪୦,୦୭୫ କିମି ଅଟେ ତେବେ ଏରାଟୋସ୍ଥେନେସ୍‌ଙ୍କ ଗଣନା ଏହାର ଅତ୍ୟନ୍ତ ନିକଟଵର୍ତ୍ତୀ ଥିଲା। ଏହା ଏରାଟୋସ୍ଥେନେସ୍‌ଙ୍କ ସମୟରେ ଏକ ଅସାଧାରଣ କୃତିତ୍ୱ ଥିଲା।
ଏହାର ଆଠଶହ ଵର୍ଷ ପରେ ଭାରତୀୟ ଜ୍ୟୋତିର୍ଵିଜ୍ଞାନୀ ଆର୍ଯ୍ୟଭଟ୍ଟ ତାଙ୍କ ଗ୍ରନ୍ଥ ଆର୍ଯ୍ୟଭଟୀୟମ୍‌ରେ ପୃଥିଵୀକୁ ଏକ ଗୋଲାକାର ଵସ୍ତୁ ଭାବେ ଵର୍ଣ୍ଣନା କରିଥିଲେ ଏଵଂ ଏହାର ଗତି ଓ ଅନ୍ୟାନ୍ୟ ଗ୍ରହମାନଙ୍କ ସହ ସମ୍ପର୍କ ଵିଷୟରେ ଆଲୋଚନା କରିଥିଲେ। ସେ ପୃଥିଵୀର ପରିଧିର ଏକ ଗଣନା ଦେଇଥିଲେ, ଯାହା ପ୍ରାୟ ୩୯,୯୬୮ କିଲୋମିଟର ଥିଲା। ଏହା ଆଧୁନିକ ମାପ (୪୦,୦୭୫ କିମି)ର ନିକଟଵର୍ତ୍ତୀ ଥିଲା। ଆର୍ଯ୍ୟଭଟ୍ଟଙ୍କ ଗଣନା ଏରାଟୋସ୍ଥେନେସ୍‌ଙ୍କ ପରେ ହୋଇଥିଲେ ବି ସ୍ଵାଧୀନ ଗଣନା ଥିଲା ଏଵଂ ଗ୍ରୀକ୍ ଗଣନା ଦ୍ଵାରା ପ୍ରଭାଵିତ ନଥିଲା ବୋଲି ଗଵେଷକମାନେ କୁହନ୍ତି । 

ନିଶ୍ଚିତ ଭାବରେ ଏରାଟୋସ୍ଥେନେସ୍ ଓ 
 ଆର୍ଯ୍ୟଭଟ୍ଟ ନିଜ ନିଜ ସମୟର ଶ୍ରେଷ୍ଠ ଗଵେଷକ ଥିଲେ କିନ୍ତୁ ମୁଁ ଦେଖୁଛି ଆଜିକାଲିର କିଛି ଅତି ଵିଦ୍ୱାନ ଲୋକେ ତାଙ୍କର ଓ ତାଙ୍କ କାର୍ଯ୍ୟର ଉଦାହରଣ ଦେଇ ମତ ରଖନ୍ତି ଯେ ଵର୍ତ୍ତମାନ ପିଢ଼ିର ଲୋକଙ୍କ ଅପେକ୍ଷା ସେତେବେଳେର ଲୋକ ଅଧିକ ବୁଦ୍ଧିମାନ ଥିଲେ ଵିଦ୍ୱାନ ଥିଲେ କିନ୍ତୁ ଏହା ପୂର୍ଣ୍ଣତଃ ସତ୍ୟ ନୁହେଁ।

ଆଜିର ଯୁବ ପିଢ଼ିର ବୁଦ୍ଧିମତ୍ତା ଓ ଯୋଗ୍ୟତାକୁ ପୂର୍ବ ପିଢ଼ି ସହ ତୁଳନା କଲେ, ଏହା ସ୍ପଷ୍ଟ ହୁଏ ଯେ ଆଧୁନିକକାଳର ଲୋକମାନେ ଅନେକ କ୍ଷେତ୍ରରେ ସମାନ ଵା ଅଧିକ ଦକ୍ଷ। 

ଫ୍ଲିନ୍ ପ୍ରଭାବ ଵା Flynn Effect ଏହାର ସମର୍ଥନ କରେ । ନ୍ୟୁଜିଲାଣ୍ଡର ମନୋଵିଜ୍ଞାନୀ ଜେମ୍ସ ଫ୍ଲିନଙ୍କ ଗଵେଷଣା ଅନୁଯାୟୀ ଵିଂଶ ଶତାବ୍ଦୀରେ ହାରାହାରି ମାନଵ IQ ପ୍ରତି ଦଶକରେ ପ୍ରାୟ ୩ ପଏଣ୍ଟ ବୃଦ୍ଧି ପାଇଛି। ଏହାର ଵିଭିନ୍ନ କାରଣ ରହିଛି । ଆଧୁନିକ ଶିକ୍ଷା ଵ୍ୟଵସ୍ଥା ଅଧିକ ଵିସ୍ତୃତ ଓ ସୁଲଭ ହୋଇଛି, ଯାହା ଯୁଵପିଢ଼ିକୁ ଜଟିଳ ସମସ୍ୟା ସମାଧାନ କରିଵାରେ ଦକ୍ଷ କରିଛି। ଉନ୍ନତ ସ୍ୱାସ୍ଥ୍ୟ ଓ ପୁଷ୍ଟି ମାନଵ ମସ୍ତିଷ୍କର ଵିକାଶରେ ସାହାଯ୍ୟ କରିଛି। ଇଣ୍ଟରନେଟ ଓ ଡିଜିଟାଲ ମାଧ୍ୟମ ଯୁଵପିଢ଼ିକୁ ଜ୍ଞାନର ଵିସ୍ତୃତ ପ୍ରଵେଶ ଦେଇଛି, ଯାହା ସେମାନଙ୍କ ବୌଦ୍ଧିକ କ୍ଷମତାକୁ ବୃଦ୍ଧି କରିଛି।ଏହି ପ୍ରଭାବ ଦର୍ଶାଏ ଯେ ଆଜିର ପିଢ଼ିର ହାରାହାରି IQ ପୂର୍ଵ ପିଢ଼ିଠାରୁ ଅଧିକ। ଆଜିର ଯୁଵଗୋଷ୍ଠୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI), କୋଡିଂ, ଡାଟା ଵିଶ୍ଳେଷଣ ଓ ରୋବୋଟିକ୍ସ ଭଳି କ୍ଷେତ୍ରରେ ଅଗ୍ରଣୀ। ଉଦାହରଣ ସ୍ୱରୂପ, ଇସ୍ରୋର ଚନ୍ଦ୍ରଯାନ ଓ ନାସାର ମାର୍ସ ମିଶନରେ ଯୁଵ ଵୈଜ୍ଞାନିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ପୂର୍ବ ପିଢ଼ି ପ୍ରାକୃତିକ ପର୍ଯ୍ୟଵେକ୍ଷଣ ଓ ସରଳ ଗଣିତ ଉପରେ ନିର୍ଭର କରୁଥିଲେ, କିନ୍ତୁ ଆଜିର ଯୁଵପିଢ଼ି ଜଟିଳ ଅଲଗୋରିଦମ ଓ ସୁପରକମ୍ପ୍ୟୁଟର ଵ୍ୟଵହାର କରି ଅଧିକ ନିର୍ଭୁଲ୍ ଓ ଦ୍ରୁତ ଗଣନା କରୁଛନ୍ତି।

ଇଣ୍ଟରନେଟ ଓ ଡିଜିଟାଲ ପ୍ଲାଟଫର୍ମ ଯୋଗୁଁ ଆଜିର ଯୁଵଗୋଷ୍ଠୀ ପାଖରେ ଵିଜ୍ଞାନ, ଇତିହାସ ଓ ଖଗୋଳଵିଜ୍ଞାନ ସମ୍ପର୍କୀୟ ସୂଚନାର ଅପାର ଭଣ୍ଡାର ରହିଛି। ସାମାଜିକ ମାଧ୍ୟମ ଵ୍ୟଵହାର କରି ଯୁବପିଢ଼ି ଵିଜ୍ଞାନ ଓ ଖଗୋଳଵିଜ୍ଞାନ ସମ୍ପର୍କୀୟ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି, ଯାହା ପୂର୍ଵ ପିଢ଼ି ପାଇଁ ଅସମ୍ଭଵ ଥିଲା। ପୂର୍ଵ ପିଢ଼ି କୃଷି, ପଞ୍ଚାଙ୍ଗ ଓ ପ୍ରାକୃତିକ ଚକ୍ର ସହ ଜଡ଼ିତ ସମସ୍ୟାର ସମାଧାନ କରୁଥିଲେ। ଆଜିର ପିଢ଼ି ଜଳଵାୟୁ ପରିଵର୍ତ୍ତନ, ସାଇବର ସୁରକ୍ଷା ଓ ଵିଶ୍ୱାୟନ ଭଳି ଜଟିଳ ସମସ୍ୟାର ସମାଧାନ କରୁଛନ୍ତି। 
 ଆଧୁନିକ ମାନଵ ନଵୀକରଣୀୟ ଶକ୍ତି, ବାୟୋଟେକ୍ନୋଲୋଜି ଓ ସ୍ପେସ ଏକ୍ସପ୍ଲୋରେସନରେ ନୂତନ ଆଵିଷ୍କାର କରୁଛନ୍ତି, ଯାହା ପୂର୍ଵ ପିଢ଼ିଙ୍କର ସମୟରେ ଅକଳ୍ପନୀୟ ଥିଲା। ଆଜିର ମାନଵମାନେ ସାମାଜିକ ନ୍ୟାୟ, ପରିଵେଶ ସୁରକ୍ଷା ଓ ଵିଶ୍ୱଵ୍ୟାପୀ ସମସ୍ୟା ପ୍ରତି ଅଧିକ ସଚେତନ। ସେମାନେ ଵିଶ୍ୱବଵ୍ଯାପୀ ସମସ୍ୟାର ସମାଧାନ ପାଇଁ ଆନ୍ତର୍ଜାତିକ ସହଯୋଗ କରୁଛନ୍ତି, ଯାହା ପୂର୍ଵ ପିଢ଼ିର ସ୍ଥାନୀୟ ଦୃଷ୍ଟିକୋଣଠାରୁ ଭିନ୍ନ।

ପୂର୍ଵ ପିଢ଼ିର ମନୀଷୀମାନେ ନିଜ ସମୟରେ ଅସାଧାରଣ କାର୍ଯ୍ୟ କରିଥିଲେ, କିନ୍ତୁ ଆଜିର ପିଢ଼ି ମଧ୍ୟ ତାଙ୍କ ସମୟର ଚ୍ୟାଲେଞ୍ଜ ଅନୁଯାୟୀ ସମାନ ଵା ଅଧିକ ଦକ୍ଷତା ପ୍ରଦର୍ଶନ କରୁଛନ୍ତି। ଫ୍ଲିନ୍ ପ୍ରଭାବ ଓ ଅନ୍ୟ ଵୈଜ୍ଞାନିକ ଗଵେଷଣା ଦର୍ଶାଏ ଯେ ଆଜିର ପିଢ଼ିର IQ ଓ ବୌଦ୍ଧିକ କ୍ଷମତା ପୂର୍ଵ ପିଢ଼ିଠାରୁ କମ୍ ନୁହେଁ। ସେମାନେ ନୂତନ ପ୍ରଯୁକ୍ତି, ଜ୍ଞାନର ସୁଲଭତା ଓ ଵିଶ୍ୱଵ୍ୟାପୀ ସହଯୋଗ ମାଧ୍ୟମରେ ଅନେକ କ୍ଷେତ୍ରରେ ଅଗ୍ରଗତି କରୁଛନ୍ତି। ପ୍ରାଚୀନ କାଳରେ ଯଦି ଏରାଟୋସ୍ଥେନେସ୍ ଓ ଆର୍ଯ୍ୟଭଟ୍ଟ ହୋଇଥିଲେ ଏ ଆଧୁନିକ ଯୁଗରେ ବି ଆଲବର୍ଟ ଆଇନଷ୍ଟାଇନ, ୱର୍ନର ହାଇଜେନବର୍ଗ, ଷ୍ଟିଫେନ ହକିଂ, ଏଡୱାର୍ଡ ଉଇଟେନ, ଲିସା ରାଣ୍ଡାଲ, ଜେନିଫର ଡାଉଡନା, ଡିମିସ୍ ହାସାବିସ, ରୋଜର ପେନରୋଜ ଓ ଗ୍ରୀଗୋରୀ ପର୍ଲମାନ
ଭଳି ଅଗଣିତ ଵିଦ୍ଵାନ ପ୍ରତ୍ୟେକ କ୍ଷେତ୍ରରେ ଜାତ ହୋଇଛନ୍ତି । 

ଡେମୋକ୍ରିଟସ୍,ଏରାଟୋସ୍ଥେନେସ୍ କିମ୍ବା ଆର୍ଯ୍ୟଭଟ୍ଟଙ୍କ ସମୟରେ ସମସ୍ତେ ଵିଦ୍ଵାନ ନଥିଲେ କି ଏ ଯୁଗରେ ମଧ୍ୟ ସମସ୍ତେ ଵିଦ୍ଵାନ ନୁହନ୍ତି । ଚାରି ଆଙ୍ଗୁଠି କେବେ ସମାନ ନଥିଲାତେଣୁ, ଆଜିର ପିଢ଼ିକୁ “କମ୍ ବୁଦ୍ଧିମାନ” ଵା “ଅପାରଗ” ବୋଲି କହିଵା ଅନୁଚିତ ଓ ଭିତ୍ତିହୀନ।

ତେବେ ଵର୍ତ୍ତମାନ ପିଢ଼ିକୁ ପୂର୍ଵ ପିଢ଼ିଠାରୁ କମ୍ ବୁଦ୍ଧିମାନ ବୋଲି ଦାବି କରିଵା ମନୋଵିଜ୍ଞାନ ଦୃଷ୍ଟିରୁ କେତେକ ପକ୍ଷପାତ (bias) ଓ ଭ୍ରାନ୍ତ ଧାରଣାରୁ ଉଦ୍ଭଵ ହୋଇଥାଏ। କିଛି ଲୋକେ nostalgia bias ଯୋଗୁଁ ଅତୀତକୁ ଆଦର୍ଶ ରୂପେ ଵିଚାର କରି ଵର୍ତ୍ତମାନକୁ ନ୍ୟୂନ ହୀନ ଚିତ୍ରଣ କରନ୍ତି। ଏଭଳି ଲୋକେ ଅତୀତର ସଫଳତାକୁ ବଢ଼େଇ ଚଢ଼େଇ ଉପସ୍ଥାପନ କରନ୍ତି ଏଵଂ ଵର୍ତ୍ତମାନର ଜଟିଳତା ଓ ଅଗ୍ରଗତିକୁ ଅଣଦେଖା କରିଦିଅନ୍ତି । ଏହା ସହ, “ପତନଵାଦ” (declinism) ନାମକ ଏକ ମନୋଵୈଜ୍ଞାନିକ ପ୍ରଵୃତ୍ତି ମଧ୍ୟ କିଛି ଲୋକଙ୍କ ମନକୁ କଵଳିତ କରେ । “ପତନଵାଦ” ଦ୍ଵାରା ପ୍ରଭାଵିତ ଲୋକେ ମନେ କରନ୍ତି ଯେ ସମୟ ସହ ସମାଜ ଵା ବୁଦ୍ଧିମତ୍ତାରେ ହ୍ରାସ ଘଟୁଛି। ଏହି ଦୃଷ୍ଟିକୋଣ ଅନେକ ସମୟରେ ଅପର୍ଯ୍ୟାପ୍ତ ତଥ୍ୟ ଵା ଭ୍ରାନ୍ତ ଧାରଣା ଉପରେ ଆଧାରିତ ହୋଇଥାଏ।
ଏତଦ୍‌ଵ୍ୟତୀତ ଅତିସାଧାରଣୀକରଣ (overgeneralization) ଓ “ରୁଢ଼ିବଦ୍ଧତା” (stereotyping) ଭଳି ସଂଜ୍ଞାନାତ୍ମକ ପକ୍ଷପାତ (cognitive bias) ମଧ୍ୟ ଏହି ଦାବିରେ ପରିଲକ୍ଷିତ ହୁଏ। ଏକ ସମଗ୍ର ପିଢ଼ିକୁ ବିନା ପ୍ରମାଣରେ ନକାରାତ୍ମକ ଭାବେ ଚିତ୍ରଣ କରିଵ ଏକ ସରଳୀକୃତ ଓ ଭୁଲ୍ ନିଷ୍କର୍ଷ। 
ଅଧିକନ୍ତୁ, ଏହାକୁ “ପ୍ରସଙ୍ଗବଦ୍ଧତା” (framing) ଭାବେ ମଧ୍ୟ ଦେଖାଯାଇପାରେ, ଯେଉଁଠି ସୂଚନାକୁ ଏକ ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣରୁ ଉପସ୍ଥାପନ କରାଯାଇ ପାଠକଙ୍କ ମନରେ ନକାରାତ୍ମକ ଭାବନା ଜାଗ୍ରତ କରାଯାଏ। ଏହା ଅନେକ ସମୟରେ ଭାବନାତ୍ମକ ପ୍ରତିକ୍ରିୟା ସୃଷ୍ଟି କରିଵାକୁ ଵା ପ୍ରେରଣା ଦେଵାକୁ ଉଦ୍ଦିଷ୍ଟ ହୋଇପାରେ। ଵୈଜ୍ଞାନିକ ଦୃଷ୍ଟିରୁ, IQ ଏକ ଜଟିଳ ମାପକ ଯାହା ପରିଵେଶ, ଶିକ୍ଷା, ଓ ସାମାଜିକ ପରିସ୍ଥିତି ଉପରେ ନିର୍ଭର କରେ। ଫ୍ଲିନ୍ ପ୍ରଭାବ ଦର୍ଶାଏ ଯେ ଆଧୁନିକ ଯୁଗରେ ହାରାହାରି IQ ବୃଦ୍ଧି ପାଇଛି, ଯାହା ଉନ୍ନତ ଶିକ୍ଷା, ପୁଷ୍ଟି ଓ ପ୍ରଯୁକ୍ତିର ସୁଲଭତା ଦ୍ୱାରା ସମ୍ଭଵ ହୋଇଛି। ତେଣୁ, ବର୍ତ୍ତମାନ ପିଢ଼ିକୁ କମ୍ ବୁଦ୍ଧିମାନ ବୋଲି ଦାବି କରିବା “ମିଥ୍ୟାସୂଚନା ପକ୍ଷପାତ (misinformation bias)ର ଏକ ଉଦାହରଣ, ଯାହା ତଥ୍ୟଗତ ଭାବେ ଭୁଲ୍ ଓ ମନୋଵୈଜ୍ଞାନିକ ପକ୍ଷପାତରୁ ଉଦ୍ଭବ।
ସଂକ୍ଷେପରେ କହିଵାକୁ ଗଲେ ଵର୍ତ୍ତମାନ ପିଢ଼ିର ବୌଦ୍ଧିକ କ୍ଷମତାକୁ ଅଵମୂଲ୍ୟାୟନ କରିଵା ଏକ ଅନୁଚିତ ଓ ଭ୍ରାନ୍ତ ଧାରଣା, ଯାହା ମନୋବିଜ୍ଞାନରେ ନଷ୍ଟାଲଜିଆ, ପତନଵାଦ, ଓ ରୁଢ଼ିବଦ୍ଧତା ଭଳି ପକ୍ଷପାତଦ୍ୱାରା ପ୍ରଭାଵିତ। ଆଜିର ଯୁବ ପିଢ଼ି ନିଜର ସମୟର ଚ୍ୟାଲେଞ୍ଜକୁ ଅତ୍ୟାଧୁନିକ ପ୍ରଯୁକ୍ତି ଓ ଵିଶ୍ୱଵ୍ୟାପୀ ଜ୍ଞାନର ସହାୟତାରେ ସାମ୍ନା କରୁଛି । ଆଜିର ପିଢ଼ି ଅତୀତର ସଫଳତାକୁ ସମ୍ମାନ ଦେଵା ସହ ନିଜର ସ୍ୱତନ୍ତ୍ର ଯୋଗଦାନ ପ୍ରମାଣ କରୁଛି।


Thursday, October 9, 2025

Closed-Mindedness କ’ଣ ? ଏହାର ପ୍ରକାର ଭେଦ କ’ଣ ?

ଜଣେ ବିଦ୍ଵାନ ରାଜଦରବାରରେ ତିନୋଟି ଖପୁରୀ ଆଣି ତାର ଗଳାଇ ପରୀକ୍ଷା କଲେ। ପ୍ରଥମ ଖପୁରୀରେ ତାରଟା ଗୋଟିଏ କାନ ବାଟେ ପଶି ଅନ୍ୟ କାନ ଦେଇ ବାହାରିଗଲା। ଦ୍ଵିତୀୟ ଖପୁରୀରେ ତାର ଗଳାଇଵାରୁ ଗୋଟିଏ କାନରେ ପଶି ମୁହଁ ପଟେ ବାହାରିଗଲା। ତୃତୀୟ ଖପୁରୀର ଗୋଟିଏ ପଟ କାନରେ ତାର ପଶିଲା ଯେ ଆଉ କୌଣସି ବାଟେ ବାହାରିଲା ନାହିଁ। ଵିଦ୍ୱାନ ଏହାର ଅର୍ଥ ବୁଝାଇ ଦେଵାକୁ ପଣ୍ଡିତ ମଣ୍ଡଳୀଙ୍କୁ ଅନୁରୋଧ କଲେ । ସବୁ ପଣ୍ଡିତ ଵିଫଳ ହେଲାପରେ କାଳିଦାସ କହିଲେ, "ପ୍ରଥମ ଖପୁରୀ ଅଧମ, ଦ୍ଵିତୀୟ ମଧ୍ୟମ, ଓ ତୃତୀୟ ଉତ୍ତମ।" ରାଜା ଏହାର କାରଣ ପଚାରିଲେ। କାଳିଦାସ ବୁଝାଇଲେ: ଅଧମ ଖପୁରୀ ଯୋଉ ଵ୍ୟକ୍ତିର ଥିଲା ସେ ନିଜ କାନ ବାଟେ ଜ୍ଞାନ ଶୁଣେ, କିନ୍ତୁ ଗ୍ରହଣ ନକରି ଭୁଲିଯାଉଥିଲା । ମଧ୍ୟମ ଖପୁରୀ ଯୋଉ ମଣିଷର ସେ ଜ୍ଞାନ ଶୁଣୁଥିଲା ଵା ଗ୍ରହଣ କରୁଥିଲା କିନ୍ତୁ ଆତ୍ମସାତ ନକରି ଅନ୍ୟକୁ କେଵଳ କହିଦେଇ ଭୁଲି ଯାଉଥିଲା ।  
ଉତ୍ତମ ଖପୁରୀ ଯୋଉ ଵ୍ୟକ୍ତିର ଥିଲା ସେ ଜ୍ଞାନ ଗ୍ରହଣ କରି ଆତ୍ମସାତ କରୁଥିଲା ଏଵଂ ଜୀଵନରେ ତହିଁର ପ୍ରୟୋଗ ମଧ୍ୟ କରୁଥିଲା । 
ତେବେ ମୁଁ କହୁଛି କାଳିଦାସ ଯୁଗର ସେ “ବିଦ୍ଵାନଙ୍କୁ ଚତୁର୍ଥ ପ୍ରକାରର ଖପୁରୀ ମିଳି ହିଁ ନଥିଲା। ଏ ଧରଣର ଖପୁରୀ ବହୁତ ଵିରଳ କାରଣ ତହିଁରେ କାନର କଣା ହିଁ ନଥାଏ । କଣା ଥିଲେ ତ ଖପୁରୀ ମଧ୍ୟରେ ତାର ଗଳାଇଵ ! ଏ ଖପୁରୀ ଯାହାର ସେ ଅଧମଠାରୁ ବି ହୀନ, କାରଣ ସେ ଜ୍ଞାନ ଆହରଣ କରିଵାକୁ ନୂଆ କଥା ଜାଣିଵାକୁ ଘୃଣା କରେ। ଏଭଳି ଲୋକ ଜ୍ଞାନ ଵା ଵିଜ୍ଞାନର କଥା ଶୁଣିଵାକୁ ଆଦୌ ରାଜି ହୁଏ ନାହିଁ, ସମ୍ପୂର୍ଣ୍ଣ ଅଜ୍ଞାନୀ ଓ ମୂର୍ଖ ହୋଇ ରହିଥାଏ।"

ଚତୁର୍ଥ ଖପୁରୀ ଯୁକ୍ତ ମଣିଷର ମାନସିକ ଅଵସ୍ଥା "Closed-Mindedness" ଜାତୀୟ ଅଟେ । ଏହି ମାନସିକ ଅଵସ୍ଥା ନୂତନ ଦୃଷ୍ଟିକୋଣ ଵା ଜ୍ଞାନକୁ ଗ୍ରହଣ କରିଵାର ଅନିଚ୍ଛା ସୃଷ୍ଟି କରେ ଯାହା ଫଳରେ ଵ୍ୟକ୍ତି ଜ୍ଞାନ ଵିଜ୍ଞାନର କଥା ଶୁଣିଵାକୁ ଆଦୌ ରାଜି ହୁଏ ନାହିଁ ଏଵଂ ଅଜ୍ଞାନୀ ରହିଯାଏ। ଏହା ଅଧମ ପ୍ରକାରଠାରୁ ବି ହୀନ କାରଣ ଏହି ଅଵସ୍ଥାରେ ଵ୍ୟକ୍ତି ନୂଆ କଥା ଜାଣିଵାର ସବୁ ପ୍ରଵେଶପଥ (ଲକ୍ଷଣାର୍ଥ : କାନ) ହିଁ ବନ୍ଦ କରିଦିଏ।

Closed-Mindedness ମନର ଏମିତି ଏକ ଅଵସ୍ଥା ଯାହାଦ୍ଵାରା ପ୍ରଭାଵିତ ବ୍ୟକ୍ତି ନୂଆ କଥା, ଧାରଣା, ମତ ଵା ଜ୍ଞାନକୁ ଶୁଣିଵାକୁ ଵା ଗ୍ରହଣ କରିଵାକୁ ଆଦୌ ରାଜି ହୁଏ ନାହିଁ। ସେ ନିଜର ପୁରୁଣା ଵିଶ୍ୱାସ, ଅଭ୍ୟାସ ଵା ଚିନ୍ତାଧାରାରେ ଏତେ ଅଟଳ ରହେ ଯେ କୌଣସି ନୂଆ ପରିଵର୍ତ୍ତନକୁ ଵିରୋଧ କରେ । ସରଳ ଭାଷାରେ କହିଵାକୁ ଗଲେ ଏହା ବନ୍ଦ ମନର ମାନସିକ ଅଵସ୍ଥା ଯେଉଁଥିରେ ନୂଆ କଥା ପଶିଵାର କୌଣସି ବାଟ ହିଁ ନଥାଏ। ଫଳରେ ଏଭଳି ଲୋକମାନେ ଅଜ୍ଞାନୀ ରହିଯାଆନ୍ତି ଏଵଂ ଜୀଵନରେ ସେମାନଙ୍କର ବୌଦ୍ଧିକ ଵିକାଶ ଆଶାନୁରୂପ ହୋଇପାରେନାହିଁ। ଏହା ବୁଦ୍ଧିଜୀବୀବିରୋଧିତାର ଏକ ମୁଖ୍ୟ ରୂପ, ଯେଉଁଠାରେ ଜ୍ଞାନ ଆହରଣର ସମ୍ଭାବନା ହିଁ ବନ୍ଦ ହୋଇଯାଏ।

ମନେ କରନ୍ତୁ ଜଣେ ଵୃଦ୍ଧ ଵ୍ୟକ୍ତି ସ୍ମାର୍ଟଫୋନ୍‌ ଵ୍ୟଵହାର କରିଵାକୁ ଆଦୌ ସହମତ ହେଉନାହାନ୍ତି। ସେ କହନ୍ତି, "ପୁରୁଣା ଫୋନ୍‌ ହିଁ ଭଲ, ନୂଆ ଜିନିଷ ଶିଖିଵା କ’ଣ ଦରକାର ?" ଵୃଦ୍ଧଙ୍କ ପରିଵାର ଲୋକେ ମୋବାଇଲ ରଖିଵାର ଲାଭ ସମ୍ବନ୍ଧରେ ତାଙ୍କୁ ଅନେକ ଥର ବୁଝାଇଛନ୍ତି କିନ୍ତୁ ସେ ଶୁଣିଵାକୁ ଆଦୌ ଚେଷ୍ଟା କରନ୍ତି ନାହିଁ ଵରଂ ବେଳେ ବେଳେ କ୍ରୋଧାନ୍ୱିତ ହୋଇଯାଆନ୍ତି। ଏହା Closed-Mindednessର ଏକ ସରଳ ଉଦାହରଣ – ନୂଆ ଜ୍ଞାନର ଦ୍ୱାର ବନ୍ଦ ରହିଵାରୁ ସେ ପଛରେ ପଡ଼ିଯାଆନ୍ତି। ଵିଭିନ୍ନ ପ୍ରକାରର Closed-Mindedness ରହିଛି । 

Religious Closed-Mindedness ଦ୍ଵାରା ପୀଡ଼ିତ ଵ୍ୟକ୍ତି ନିଜର ଧାର୍ମିକ ଵିଶ୍ୱାସରେ ଏତେ ଅଟଳ ରହେ ଯେ ଅନ୍ୟ ଧର୍ମ ଵା ଦୃଷ୍ଟିକୋଣକୁ ଶୁଣିଵାକୁ ଵା ବୁଝିଵାକୁ ରାଜି ହୁଅନ୍ତି ନାହିଁ। ସେ ନିଜର ଧର୍ମକୁ ଏକମାତ୍ର ସତ୍ୟ ମନେ କରେ। ପଠାଣ ଓ ଖିରସ୍ତାନୀମାନେ ଏଧରଣର ମାନସିକ ଅଵସ୍ଥା ଦ୍ଵାରା ବହୁଧା ପୀଡ଼ିତ ହୋଇଥାଆନ୍ତି। 

ଜଣେ ଵ୍ୟକ୍ତି ନିଜର ରାଜନୈତିକ ଦଳର ଵିଶ୍ୱାସରେ ଏତେ ଅଟଳ ଯେ ଵିରୋଧୀ ପକ୍ଷର କୌଣସି ଭଲ କଥାକୁ ଶୁଣିଵାକୁ ରାଜି ହୁଏ ନାହିଁ। ଉଦାହରଣ ସ୍ୱରୂପ, ସେ କହନ୍ତି, "ମୁଁ କେବେ ବି ତାଙ୍କର କଥା ଶୁଣିବି ନାହିଁ, ସେମାନେ ସବୁ ଭୁଲ୍‌।" ଏହାର ଫଳରେ ସେ ନୂଆ ଦୃଷ୍ଟିକୋଣ ଗ୍ରହଣ କରି ପାରନ୍ତି ନାହିଁ କି ସତ୍ୟର ପଥରେ ଚାଲିପାରନ୍ତି ନାହିଁ । ଭାରତରେ ଵର୍ତ୍ତମାନ ଵିରୋଧୀ ଦଳର ନେତା ଓ ସଦସ୍ୟମାନେ ଏହି ମାନସିକ ଅଵସ୍ଥା ଦ୍ଵାରା ବହୁଧା ପ୍ରଭାଵିତ । ଏହାକୁ Political Closed-Mindedness କୁହାଯାଏ । 

Scientific Closed-Mindedness ଦ୍ଵାରା ମଧ୍ୟ ଅନେକ ମନୁଷ୍ୟ ପୀଡ଼ିତ ଜଣାପଡ଼ନ୍ତି । ଏହି ମାନସିକ ଅଵସ୍ଥାରେ ପୀଡ଼ିତ ଵ୍ୟକ୍ତି ଵୈଜ୍ଞାନିକ ପ୍ରମାଣ ଵା ନୂଆ ଆଵିଷ୍କାରକୁ ପ୍ରତ୍ୟାଖ୍ୟାନ କରନ୍ତି କାରଣ ଏହା ତାଙ୍କର ପୂର୍ଵ ଵିଶ୍ୱାସ ଵା ଅଭ୍ୟାସକୁ ଵିରୋଧ କରେ। ଏମାନେ ଵୈଜ୍ଞାନିକ ତଥ୍ୟକୁ ଅଵିଶ୍ୱାସ କରନ୍ତି। ନୂଆ ନୂଆ ଡାକବାଜି ଉଦ୍ଭାଵନ ହେଵାରୁ ତତ୍କାଳୀନ ସମୟର ପଠାଣମାନେ ଏହାକୁ ସୈତାନର କଣ୍ଠସ୍ଵର ବୋଲି କହି ଵିରୋଧ କରିଥିଲେ । ଆଜି ଭାରତ ଭଳି ସହିଷ୍ଣୁ ହିନ୍ଦୁଙ୍କ ଦେଶରେ ଦିନକୁ ପାଞ୍ଚଥର ନମାଜ ଡାକବାଜି ଯୋଗେ ବାଜୁଛି । ଜୀଵାଶ୍ମଵିଜ୍ଞାନ ହେଉ ଵା ଵିଵର୍ତ୍ତନ ଵିଜ୍ଞାନ ଲକ୍ଷ ଲକ୍ଷ ଲୋକ ଅଛନ୍ତି ଯୋଉମାନେ ଆଧୁନିକ ଯୁଗରେ ଏତେ ଵୈଜ୍ଞାନିକ ଅନୁସନ୍ଧାନ ପରେ ମଧ୍ୟ ମାନନ୍ତି ନାହିଁ। Flat earther ହୁଅନ୍ତୁ ଵା ସାତ ଦିନରେ ବ୍ରହ୍ମାଣ୍ଡ ସୃଷ୍ଟି ହୋଇଛି ବୋଲି ଗପୁଥିଵା ଧାର୍ମିକ ଅନ୍ଧ ହୁଅନ୍ତୁ ଵିଜ୍ଞାନକୁ ମାନୁନଥିଵା Scientific Closed-Mindednessର ଶିକାର ଲକ୍ଷ ଲକ୍ଷ ଲୋକ ମିଳିଯାଆନ୍ତି । 

ଏ ଧରଣର ଆଉ ଏକ ମାନସିକ ଅଵସ୍ଥା Social Closed-Mindedness ଅଟେ । ଏଥିରେ ପୀଡ଼ିତ ଵ୍ୟକ୍ତିମାନେ ଲୋକଙ୍କ ଵୟସ,ଜାତି, ଲିଙ୍ଗ, ସଂସ୍କୃତି ଵା ସାମାଜିକ ଅଵସ୍ଥା ଆଧାରରେ ସେମାନଙ୍କର ଯୋଗ୍ୟତା ଓ ସାମର୍ଥ୍ୟର ଆକଳନ କରି ଦିଅନ୍ତି ଏବଂ ସେମାନଙ୍କୁ ଛୋଟ ମଣି ତାଙ୍କ ମତକୁ ଗ୍ରହଣ କରନ୍ତି ନାହିଁ। ଏମାନେ ନିଜର ଗୋଷ୍ଠୀ ଵା ସଂସ୍କୃତିକୁ ଶ୍ରେଷ୍ଠ ମନେ କରନ୍ତି। ଉଦାହରଣ ସ୍ବରୂପ ଜଣେ ଵ୍ୟକ୍ତି ଗାଁରୁ ଆସିଥିବା ଲୋକଙ୍କୁ “ଅଜ୍ଞାନୀ” ମନେ କରନ୍ତି ଏଵଂ ସେମାନଙ୍କର ଅଭିଜ୍ଞତା ଵା ମତକୁ ଶୁଣିଵାକୁ ଆଗ୍ରହୀ ହୁଅନ୍ତି ନାହିଁ। କୌଣସି ମହିଳା ଗାଡ଼ି ଚାଳନାରେ ଯେତେ ଦକ୍ଷ ହୋଇଥାଉ ସେ ଗାଡ଼ି ଚଳାଇ କାଳେ ଦୂର୍ଘଟଣା କରି ଦେଵ ବୋଲି ଏ ଧରଣର ଲୋକେ ସବୁବେଳେ ସନ୍ଦେହ କରିଥାନ୍ତି । ଅଳ୍ପ ଵୟସ୍କ ଵ୍ୟକ୍ତି ଯେତେ ସତ କହୁ ତା କଥାକୁ Social Closed-Mindedness ଦ୍ଵାରା ପୀଡ଼ିତ ଵୟସ୍କମାନେ ଶୁଣନ୍ତି ନାହିଁ। 

Personal Closed-Mindedness ଜାତୀୟ ଵ୍ୟକ୍ତି ବି ଅଛନ୍ତି ଏଵଂ ନିଜର ଵ୍ୟକ୍ତିଗତ ଅଭ୍ୟାସ, ଜୀଵନଶୈଳୀ ଵା ଚିନ୍ତାଧାରାରେ ଅଟଳ ରହନ୍ତି ତଥା ନୂଆ ପରିଵର୍ତ୍ତନକୁ ସହଜରେ ଗ୍ରହଣ କରନ୍ତି ନାହିଁ। ଏମାନେ ନିଜର ଅଜ୍ଞାନତାକୁ ଅସ୍ୱୀକାର କରନ୍ତି। ଉଦାହରଣ ସ୍ୱରୂପ ଏ ମାନସିକ ଅଵସ୍ଥାଯୁକ୍ତ ଜଣେ ଵ୍ୟକ୍ତି ସ୍ମାର୍ଟଫୋନ୍‌ ବା ଇଣ୍ଟରନେଟକୁ “ଅନାଵଶ୍ୟକ” ମନେ କରନ୍ତି ଏଵଂ ପୁରୁଣା ଫୋନ୍‌ ଵ୍ୟଵହାର ଜାରି ରଖନ୍ତି । ନୂଆ ପ୍ରଯୁକ୍ତି ତାଙ୍କ ଜୀଵନକୁ ସରଳ କରିପାରେ କିନ୍ତୁ ସେ ସେଥିପ୍ରତି ଆଗ୍ରହୀ ହୋଇନଥାନ୍ତି । 

Cultural Closed-Mindedness ଜାତୀୟ ଲୋକେ ବି ଅଛନ୍ତି ଯୋଉମାନେ ନିଜର ସଂସ୍କୃତି ଵା ପରମ୍ପରାକୁ ହିଁ ପୃଥିଵୀରେ ଏକମାତ୍ର ଉପଯୁକ୍ତ ଓ ଯଥାର୍ଥ ମନେ କରନ୍ତି ଏଵଂ ଅନ୍ୟ ସଂସ୍କୃତିର ରୀତିନୀତିକୁ ବୁଝିଵାକୁ ଚେଷ୍ଟା କରନ୍ତି ନାହିଁ ଵରଂ ଆଵଶ୍ୟକ ହେଲେ ତହିଁର ଵିରୋଧ କରିଵାକୁ ପଛାନ୍ତି ନାହିଁ । ଉଦାହରଣ ସ୍ୱରୂପ ଆବ୍ରାହାମିକ ସମ୍ପ୍ରଦାୟ ଵିଶେଷତଃ ପଠାଣ ଓ ଖିରସ୍ଥାନୀମାନେ ନିଜ ଧର୍ମ ଓ ସଂସ୍କୃତିକୁ ହିଁ ଶ୍ରେଷ୍ଠ ବୋଲି ପ୍ରଚାର କରି ଅନ୍ୟର ଧର୍ମ ସଂସ୍କୃତିକୁ ନ୍ୟୂନ ହୀନ ଦର୍ଶାଇଵାକୁ ସର୍ଵଦା ଚେଷ୍ଟା କରିଥାନ୍ତି ।‌

Educational Closed-Mindedness ଦ୍ଵାରା ପ୍ରଭାଵିତ ଲୋକ ମଧ୍ୟ ଦେଖାଯାଆନ୍ତି । 
ଏହି ଜାତୀୟ ଵ୍ୟକ୍ତି ନୂଆ ଶିକ୍ଷଣ ପଦ୍ଧତି, ଜ୍ଞାନ ଵା ଶିକ୍ଷାର ଉତ୍ସକୁ ଗ୍ରହଣ କରନ୍ତି ନାହିଁ। ଏମାନେ ନିଜର ପୁରୁଣା ଜ୍ଞାନକୁ ହିଁ ଶ୍ରେଷ୍ଠ ମନେ କରନ୍ତି। ଉଦାହରଣ ସ୍ୱରୂପ ଆଜି ବି ଅନେକ ଶିକ୍ଷକ ଅଛନ୍ତି ଯୋଉମାନେ ନୂଆ ଡିଜିଟାଲ୍‌ ଶିକ୍ଷଣ ପଦ୍ଧତିକୁ “ଅନୁପଯୋଗୀ” ମନେ କରନ୍ତି ଏଵଂ ପୁରୁଣା କଳାପଟା ପଦ୍ଧତିରେ ହିଁ ପଢ଼ାଇଵା ଜାରି ରଖନ୍ତି ‌। ନୂଆ ଶିକ୍ଷା ପଦ୍ଧତି ଛାତ୍ରଙ୍କ ପାଇଁ ଅଧିକ ସହାୟକ ହୋଇପାରେ କିନ୍ତୁ Educational Closed-Mindednessର ଶିକାର ଶିକ୍ଷକ ତାହା ହେଵାକୁ ଦିଅନ୍ତି ନାହିଁ ।

ଏହିପରି ଵିଭିନ୍ନ ଜାତୀୟ Closed-Mindednessର ଶିକାର ମଣିଷ ଅଛନ୍ତି। Closed-Mindedness ଜୀଵନର ଵିଭିନ୍ନ କ୍ଷେତ୍ରରେ ଅଜ୍ଞାନତା ଓ ଵିଭାଜନକୁ ବଢ଼ାଇଥାଏ। ଏହା ମାନଵଜାତିର ଉତ୍ତରୋତ୍ତର ଉନ୍ନତି ଦିଗରେ କଣ୍ଟା ଭଳି କାର୍ଯ୍ୟ କରେ ‌। ପ୍ରାଚୀନ କାଳରୁ ଏଯାଵତ୍ ନୂଆ କିଛି ଜାଣିଵା, ନୂଆ କିଛି କରିଵାର ନିରଵଚ୍ଛିନ୍ନ ପ୍ରୟାସ ଯୋଗୁଁ ମାନଵ ଜାତି ଆଜି Type i civilization ନହୋଇଥିଲେ ବି Type 0.7 civilization ନିଶ୍ଚୟ ହୋଇପାରିଛି । ଚିନ୍ତା କରନ୍ତୁ ଯଦି ସମସ୍ତ ମାନଵଜାତିରେ ନୂଆ କଥା, ଧାରଣା, ମତ ଵା ଜ୍ଞାନକୁ ଶୁଣିଵାକୁ ଵା ଗ୍ରହଣ କରିଵାକୁ ଆଦୌ ଚାହୁଁନଥିଵା Closed-Mindednes ଜାତୀୟ ମନୁଷ୍ୟଙ୍କ ସଂଖ୍ୟାଧିକ୍ୟ ହୋଇଗଲା ତେବେ କ’ଣ ହେଵ ? ମାନଵ ସମାଜ ପୁଣି ଜଙ୍ଗଲି ହୋଇଯିଵ ଏଵଂ ବାଘ ଭାଲୁ ଵାନରଙ୍କ ପରି ଅସଭ୍ୟ ହୋଇ ରହିଯିଵ । ଅତଃ Closed-Mindedness ଦ୍ଵାରା ପୀଡ଼ିତ ମାନଵମାନେ ମାନଵଜାତି ପାଇଁ ଅଟା ମଧ୍ୟରେ ଗୋଡ଼ି ସଦୃଶ ।‌ ମାନଵସମାଜରୁ Closed-Mindednessର ଵିନାଶରେ ମାନଵଜାତିର ମଙ୍ଗଳ !