ଏରାଟୋସ୍ଥେନେସ୍ ଏହି ତଥ୍ୟର ସତ୍ୟାସତ୍ୟ ଜାଣିଵା ପାଇଁ ଏକ ପରୀକ୍ଷଣ କଲେ। ୨୧ ଜୁନ୍ ଦିନ ମଧ୍ୟାହ୍ନ ୧୨ଟାରେ ସେ Alexandriaରେ ଏକ ସିଧା କାଠ ଖୁଣ୍ଟ ମାଟିରେ ପୋତି ଦେଖିଲେ ଯେ ତାହାର ଛାୟା ପଡ଼ୁଛି। ଏହାର କାରଣ ଥିଲା Alexandriaରେ ସୂର୍ଯ୍ୟ ସେଦିନ ଠିକ୍ ମୁଣ୍ଡ ଉପରେ ନଥିଲା। ଏହି ପର୍ଯ୍ୟଵେକ୍ଷଣରୁ ସେ ବୁଝିଲେ ଯେ ପୃଥିଵୀ ସମତଳ ନୁହେଁ,ଵରଂ ଗୋଲାକାର, କାରଣ ଏକ ସମତଳ ପୃଷ୍ଠରେ ଏକ ସମୟରେ ଏକ ସ୍ଥାନରେ ଛାୟା ନ ପଡ଼ିଵା ଓ ଅନ୍ୟ ସ୍ଥାନରେ ଛାୟା ପଡ଼ିଵା ଅସମ୍ଭଵ।
ଏହାପରେ ସେ ନାଵିକମାନଙ୍କ ସାହାଯ୍ୟରେ Alexandria ଓ Syene ମଧ୍ୟରେ ଦୂରତ୍ୱ ମାପିଲେ, ଯାହା ପ୍ରାୟ ୫,୦୦୦ ଷ୍ଟାଡିଆ (stadia) ଥିଲା। ଏକ ଷ୍ଟାଡିଆ ପ୍ରାୟ ୧୫୭.୫ ମିଟର, ଅର୍ଥାତ୍ ମୋଟ୍ ଦୂରତ୍ୱ ଆଧୁନିକ ଏକକରେ ପ୍ରାୟ ୮୦୦ କିଲୋମିଟର। Alexandriaରେ ଛାୟାର କୋଣ ୭.୨ ଡିଗ୍ରୀ ଥିଲା, ଆଉ Syeneରେ ସୂର୍ଯ୍ୟ ମୁଣ୍ଡ ଉପରେ ଥିଵାରୁ କୋଣ ୦ ଡିଗ୍ରୀ ଥିଲା।
ଏରାଟୋସ୍ଥେନେସ୍ ଗଣନା କଲେ: ଯଦି ୭.୨ ଡିଗ୍ରୀ ଏକ ଏକକ ହୁଏ, ତେବେ ୩୬୦ ଡିଗ୍ରୀର ଏକ ବୃତ୍ତରେ ୫୦ଟି ଏକକ (୩୬୦ ÷ ୭.୨) ହେଵ। ଏକ ଏକକର ଦୂରତ୍ୱ ୫,୦୦୦ ଷ୍ଟାଡିଆ ହେଲେ, ମୋଟ ପୃଥିଵୀର ପରିଧି ହେଵ ୫,୦୦୦ × ୫୦ = ୨,୫୦,୦୦୦ ଷ୍ଟାଡିଆ, ଯାହା ଆଧୁନିକ ଏକକରେ ପ୍ରାୟ ୪୦,୦୦୦ କିଲୋମିଟର। ଏହା ଆଧୁନିକ ମାପ ସହ ଅତ୍ୟନ୍ତ ସମାନ। ଏହି ଗଣନା ତାଙ୍କର ଗାଣିତିକ ଓ ପର୍ଯ୍ୟଵେକ୍ଷଣ ଦକ୍ଷତାକୁ ପ୍ରମାଣ କରେ। ତେଣୁ ପୃଥିଵୀର ପରିଧି ପ୍ରଥମେ ମାପିଵାର ଶ୍ରେୟ ପ୍ରାଚୀନ ଗ୍ରୀକ ଗଣିତଜ୍ଞ ଓ ଜ୍ୟୋତିର୍ଵିଜ୍ଞାନୀ ଏରାଟୋସ୍ଥେନେସ୍ (Eratosthenes)ଙ୍କୁ ଦିଆଯାଏ। ଆଧୁନିକ ମାପରେ ପୃଥିଵୀର ପରିଧି ୪୦,୦୭୫ କିମି ଅଟେ ତେବେ ଏରାଟୋସ୍ଥେନେସ୍ଙ୍କ ଗଣନା ଏହାର ଅତ୍ୟନ୍ତ ନିକଟଵର୍ତ୍ତୀ ଥିଲା। ଏହା ଏରାଟୋସ୍ଥେନେସ୍ଙ୍କ ସମୟରେ ଏକ ଅସାଧାରଣ କୃତିତ୍ୱ ଥିଲା।
ଏହାର ଆଠଶହ ଵର୍ଷ ପରେ ଭାରତୀୟ ଜ୍ୟୋତିର୍ଵିଜ୍ଞାନୀ ଆର୍ଯ୍ୟଭଟ୍ଟ ତାଙ୍କ ଗ୍ରନ୍ଥ ଆର୍ଯ୍ୟଭଟୀୟମ୍ରେ ପୃଥିଵୀକୁ ଏକ ଗୋଲାକାର ଵସ୍ତୁ ଭାବେ ଵର୍ଣ୍ଣନା କରିଥିଲେ ଏଵଂ ଏହାର ଗତି ଓ ଅନ୍ୟାନ୍ୟ ଗ୍ରହମାନଙ୍କ ସହ ସମ୍ପର୍କ ଵିଷୟରେ ଆଲୋଚନା କରିଥିଲେ। ସେ ପୃଥିଵୀର ପରିଧିର ଏକ ଗଣନା ଦେଇଥିଲେ, ଯାହା ପ୍ରାୟ ୩୯,୯୬୮ କିଲୋମିଟର ଥିଲା। ଏହା ଆଧୁନିକ ମାପ (୪୦,୦୭୫ କିମି)ର ନିକଟଵର୍ତ୍ତୀ ଥିଲା। ଆର୍ଯ୍ୟଭଟ୍ଟଙ୍କ ଗଣନା ଏରାଟୋସ୍ଥେନେସ୍ଙ୍କ ପରେ ହୋଇଥିଲେ ବି ସ୍ଵାଧୀନ ଗଣନା ଥିଲା ଏଵଂ ଗ୍ରୀକ୍ ଗଣନା ଦ୍ଵାରା ପ୍ରଭାଵିତ ନଥିଲା ବୋଲି ଗଵେଷକମାନେ କୁହନ୍ତି ।
ନିଶ୍ଚିତ ଭାବରେ ଏରାଟୋସ୍ଥେନେସ୍ ଓ
ଆର୍ଯ୍ୟଭଟ୍ଟ ନିଜ ନିଜ ସମୟର ଶ୍ରେଷ୍ଠ ଗଵେଷକ ଥିଲେ କିନ୍ତୁ ମୁଁ ଦେଖୁଛି ଆଜିକାଲିର କିଛି ଅତି ଵିଦ୍ୱାନ ଲୋକେ ତାଙ୍କର ଓ ତାଙ୍କ କାର୍ଯ୍ୟର ଉଦାହରଣ ଦେଇ ମତ ରଖନ୍ତି ଯେ ଵର୍ତ୍ତମାନ ପିଢ଼ିର ଲୋକଙ୍କ ଅପେକ୍ଷା ସେତେବେଳେର ଲୋକ ଅଧିକ ବୁଦ୍ଧିମାନ ଥିଲେ ଵିଦ୍ୱାନ ଥିଲେ କିନ୍ତୁ ଏହା ପୂର୍ଣ୍ଣତଃ ସତ୍ୟ ନୁହେଁ।
ଆଜିର ଯୁବ ପିଢ଼ିର ବୁଦ୍ଧିମତ୍ତା ଓ ଯୋଗ୍ୟତାକୁ ପୂର୍ବ ପିଢ଼ି ସହ ତୁଳନା କଲେ, ଏହା ସ୍ପଷ୍ଟ ହୁଏ ଯେ ଆଧୁନିକକାଳର ଲୋକମାନେ ଅନେକ କ୍ଷେତ୍ରରେ ସମାନ ଵା ଅଧିକ ଦକ୍ଷ।
ଫ୍ଲିନ୍ ପ୍ରଭାବ ଵା Flynn Effect ଏହାର ସମର୍ଥନ କରେ । ନ୍ୟୁଜିଲାଣ୍ଡର ମନୋଵିଜ୍ଞାନୀ ଜେମ୍ସ ଫ୍ଲିନଙ୍କ ଗଵେଷଣା ଅନୁଯାୟୀ ଵିଂଶ ଶତାବ୍ଦୀରେ ହାରାହାରି ମାନଵ IQ ପ୍ରତି ଦଶକରେ ପ୍ରାୟ ୩ ପଏଣ୍ଟ ବୃଦ୍ଧି ପାଇଛି। ଏହାର ଵିଭିନ୍ନ କାରଣ ରହିଛି । ଆଧୁନିକ ଶିକ୍ଷା ଵ୍ୟଵସ୍ଥା ଅଧିକ ଵିସ୍ତୃତ ଓ ସୁଲଭ ହୋଇଛି, ଯାହା ଯୁଵପିଢ଼ିକୁ ଜଟିଳ ସମସ୍ୟା ସମାଧାନ କରିଵାରେ ଦକ୍ଷ କରିଛି। ଉନ୍ନତ ସ୍ୱାସ୍ଥ୍ୟ ଓ ପୁଷ୍ଟି ମାନଵ ମସ୍ତିଷ୍କର ଵିକାଶରେ ସାହାଯ୍ୟ କରିଛି। ଇଣ୍ଟରନେଟ ଓ ଡିଜିଟାଲ ମାଧ୍ୟମ ଯୁଵପିଢ଼ିକୁ ଜ୍ଞାନର ଵିସ୍ତୃତ ପ୍ରଵେଶ ଦେଇଛି, ଯାହା ସେମାନଙ୍କ ବୌଦ୍ଧିକ କ୍ଷମତାକୁ ବୃଦ୍ଧି କରିଛି।ଏହି ପ୍ରଭାବ ଦର୍ଶାଏ ଯେ ଆଜିର ପିଢ଼ିର ହାରାହାରି IQ ପୂର୍ଵ ପିଢ଼ିଠାରୁ ଅଧିକ। ଆଜିର ଯୁଵଗୋଷ୍ଠୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI), କୋଡିଂ, ଡାଟା ଵିଶ୍ଳେଷଣ ଓ ରୋବୋଟିକ୍ସ ଭଳି କ୍ଷେତ୍ରରେ ଅଗ୍ରଣୀ। ଉଦାହରଣ ସ୍ୱରୂପ, ଇସ୍ରୋର ଚନ୍ଦ୍ରଯାନ ଓ ନାସାର ମାର୍ସ ମିଶନରେ ଯୁଵ ଵୈଜ୍ଞାନିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ପୂର୍ବ ପିଢ଼ି ପ୍ରାକୃତିକ ପର୍ଯ୍ୟଵେକ୍ଷଣ ଓ ସରଳ ଗଣିତ ଉପରେ ନିର୍ଭର କରୁଥିଲେ, କିନ୍ତୁ ଆଜିର ଯୁଵପିଢ଼ି ଜଟିଳ ଅଲଗୋରିଦମ ଓ ସୁପରକମ୍ପ୍ୟୁଟର ଵ୍ୟଵହାର କରି ଅଧିକ ନିର୍ଭୁଲ୍ ଓ ଦ୍ରୁତ ଗଣନା କରୁଛନ୍ତି।
ଇଣ୍ଟରନେଟ ଓ ଡିଜିଟାଲ ପ୍ଲାଟଫର୍ମ ଯୋଗୁଁ ଆଜିର ଯୁଵଗୋଷ୍ଠୀ ପାଖରେ ଵିଜ୍ଞାନ, ଇତିହାସ ଓ ଖଗୋଳଵିଜ୍ଞାନ ସମ୍ପର୍କୀୟ ସୂଚନାର ଅପାର ଭଣ୍ଡାର ରହିଛି। ସାମାଜିକ ମାଧ୍ୟମ ଵ୍ୟଵହାର କରି ଯୁବପିଢ଼ି ଵିଜ୍ଞାନ ଓ ଖଗୋଳଵିଜ୍ଞାନ ସମ୍ପର୍କୀୟ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି, ଯାହା ପୂର୍ଵ ପିଢ଼ି ପାଇଁ ଅସମ୍ଭଵ ଥିଲା। ପୂର୍ଵ ପିଢ଼ି କୃଷି, ପଞ୍ଚାଙ୍ଗ ଓ ପ୍ରାକୃତିକ ଚକ୍ର ସହ ଜଡ଼ିତ ସମସ୍ୟାର ସମାଧାନ କରୁଥିଲେ। ଆଜିର ପିଢ଼ି ଜଳଵାୟୁ ପରିଵର୍ତ୍ତନ, ସାଇବର ସୁରକ୍ଷା ଓ ଵିଶ୍ୱାୟନ ଭଳି ଜଟିଳ ସମସ୍ୟାର ସମାଧାନ କରୁଛନ୍ତି।
ଆଧୁନିକ ମାନଵ ନଵୀକରଣୀୟ ଶକ୍ତି, ବାୟୋଟେକ୍ନୋଲୋଜି ଓ ସ୍ପେସ ଏକ୍ସପ୍ଲୋରେସନରେ ନୂତନ ଆଵିଷ୍କାର କରୁଛନ୍ତି, ଯାହା ପୂର୍ଵ ପିଢ଼ିଙ୍କର ସମୟରେ ଅକଳ୍ପନୀୟ ଥିଲା। ଆଜିର ମାନଵମାନେ ସାମାଜିକ ନ୍ୟାୟ, ପରିଵେଶ ସୁରକ୍ଷା ଓ ଵିଶ୍ୱଵ୍ୟାପୀ ସମସ୍ୟା ପ୍ରତି ଅଧିକ ସଚେତନ। ସେମାନେ ଵିଶ୍ୱବଵ୍ଯାପୀ ସମସ୍ୟାର ସମାଧାନ ପାଇଁ ଆନ୍ତର୍ଜାତିକ ସହଯୋଗ କରୁଛନ୍ତି, ଯାହା ପୂର୍ଵ ପିଢ଼ିର ସ୍ଥାନୀୟ ଦୃଷ୍ଟିକୋଣଠାରୁ ଭିନ୍ନ।
ପୂର୍ଵ ପିଢ଼ିର ମନୀଷୀମାନେ ନିଜ ସମୟରେ ଅସାଧାରଣ କାର୍ଯ୍ୟ କରିଥିଲେ, କିନ୍ତୁ ଆଜିର ପିଢ଼ି ମଧ୍ୟ ତାଙ୍କ ସମୟର ଚ୍ୟାଲେଞ୍ଜ ଅନୁଯାୟୀ ସମାନ ଵା ଅଧିକ ଦକ୍ଷତା ପ୍ରଦର୍ଶନ କରୁଛନ୍ତି। ଫ୍ଲିନ୍ ପ୍ରଭାବ ଓ ଅନ୍ୟ ଵୈଜ୍ଞାନିକ ଗଵେଷଣା ଦର୍ଶାଏ ଯେ ଆଜିର ପିଢ଼ିର IQ ଓ ବୌଦ୍ଧିକ କ୍ଷମତା ପୂର୍ଵ ପିଢ଼ିଠାରୁ କମ୍ ନୁହେଁ। ସେମାନେ ନୂତନ ପ୍ରଯୁକ୍ତି, ଜ୍ଞାନର ସୁଲଭତା ଓ ଵିଶ୍ୱଵ୍ୟାପୀ ସହଯୋଗ ମାଧ୍ୟମରେ ଅନେକ କ୍ଷେତ୍ରରେ ଅଗ୍ରଗତି କରୁଛନ୍ତି। ପ୍ରାଚୀନ କାଳରେ ଯଦି ଏରାଟୋସ୍ଥେନେସ୍ ଓ ଆର୍ଯ୍ୟଭଟ୍ଟ ହୋଇଥିଲେ ଏ ଆଧୁନିକ ଯୁଗରେ ବି ଆଲବର୍ଟ ଆଇନଷ୍ଟାଇନ, ୱର୍ନର ହାଇଜେନବର୍ଗ, ଷ୍ଟିଫେନ ହକିଂ, ଏଡୱାର୍ଡ ଉଇଟେନ, ଲିସା ରାଣ୍ଡାଲ, ଜେନିଫର ଡାଉଡନା, ଡିମିସ୍ ହାସାବିସ, ରୋଜର ପେନରୋଜ ଓ ଗ୍ରୀଗୋରୀ ପର୍ଲମାନ
ଭଳି ଅଗଣିତ ଵିଦ୍ଵାନ ପ୍ରତ୍ୟେକ କ୍ଷେତ୍ରରେ ଜାତ ହୋଇଛନ୍ତି ।
ଡେମୋକ୍ରିଟସ୍,ଏରାଟୋସ୍ଥେନେସ୍ କିମ୍ବା ଆର୍ଯ୍ୟଭଟ୍ଟଙ୍କ ସମୟରେ ସମସ୍ତେ ଵିଦ୍ଵାନ ନଥିଲେ କି ଏ ଯୁଗରେ ମଧ୍ୟ ସମସ୍ତେ ଵିଦ୍ଵାନ ନୁହନ୍ତି । ଚାରି ଆଙ୍ଗୁଠି କେବେ ସମାନ ନଥିଲାତେଣୁ, ଆଜିର ପିଢ଼ିକୁ “କମ୍ ବୁଦ୍ଧିମାନ” ଵା “ଅପାରଗ” ବୋଲି କହିଵା ଅନୁଚିତ ଓ ଭିତ୍ତିହୀନ।
ତେବେ ଵର୍ତ୍ତମାନ ପିଢ଼ିକୁ ପୂର୍ଵ ପିଢ଼ିଠାରୁ କମ୍ ବୁଦ୍ଧିମାନ ବୋଲି ଦାବି କରିଵା ମନୋଵିଜ୍ଞାନ ଦୃଷ୍ଟିରୁ କେତେକ ପକ୍ଷପାତ (bias) ଓ ଭ୍ରାନ୍ତ ଧାରଣାରୁ ଉଦ୍ଭଵ ହୋଇଥାଏ। କିଛି ଲୋକେ nostalgia bias ଯୋଗୁଁ ଅତୀତକୁ ଆଦର୍ଶ ରୂପେ ଵିଚାର କରି ଵର୍ତ୍ତମାନକୁ ନ୍ୟୂନ ହୀନ ଚିତ୍ରଣ କରନ୍ତି। ଏଭଳି ଲୋକେ ଅତୀତର ସଫଳତାକୁ ବଢ଼େଇ ଚଢ଼େଇ ଉପସ୍ଥାପନ କରନ୍ତି ଏଵଂ ଵର୍ତ୍ତମାନର ଜଟିଳତା ଓ ଅଗ୍ରଗତିକୁ ଅଣଦେଖା କରିଦିଅନ୍ତି । ଏହା ସହ, “ପତନଵାଦ” (declinism) ନାମକ ଏକ ମନୋଵୈଜ୍ଞାନିକ ପ୍ରଵୃତ୍ତି ମଧ୍ୟ କିଛି ଲୋକଙ୍କ ମନକୁ କଵଳିତ କରେ । “ପତନଵାଦ” ଦ୍ଵାରା ପ୍ରଭାଵିତ ଲୋକେ ମନେ କରନ୍ତି ଯେ ସମୟ ସହ ସମାଜ ଵା ବୁଦ୍ଧିମତ୍ତାରେ ହ୍ରାସ ଘଟୁଛି। ଏହି ଦୃଷ୍ଟିକୋଣ ଅନେକ ସମୟରେ ଅପର୍ଯ୍ୟାପ୍ତ ତଥ୍ୟ ଵା ଭ୍ରାନ୍ତ ଧାରଣା ଉପରେ ଆଧାରିତ ହୋଇଥାଏ।
ଏତଦ୍ଵ୍ୟତୀତ ଅତିସାଧାରଣୀକରଣ (overgeneralization) ଓ “ରୁଢ଼ିବଦ୍ଧତା” (stereotyping) ଭଳି ସଂଜ୍ଞାନାତ୍ମକ ପକ୍ଷପାତ (cognitive bias) ମଧ୍ୟ ଏହି ଦାବିରେ ପରିଲକ୍ଷିତ ହୁଏ। ଏକ ସମଗ୍ର ପିଢ଼ିକୁ ବିନା ପ୍ରମାଣରେ ନକାରାତ୍ମକ ଭାବେ ଚିତ୍ରଣ କରିଵ ଏକ ସରଳୀକୃତ ଓ ଭୁଲ୍ ନିଷ୍କର୍ଷ।
ଅଧିକନ୍ତୁ, ଏହାକୁ “ପ୍ରସଙ୍ଗବଦ୍ଧତା” (framing) ଭାବେ ମଧ୍ୟ ଦେଖାଯାଇପାରେ, ଯେଉଁଠି ସୂଚନାକୁ ଏକ ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣରୁ ଉପସ୍ଥାପନ କରାଯାଇ ପାଠକଙ୍କ ମନରେ ନକାରାତ୍ମକ ଭାବନା ଜାଗ୍ରତ କରାଯାଏ। ଏହା ଅନେକ ସମୟରେ ଭାବନାତ୍ମକ ପ୍ରତିକ୍ରିୟା ସୃଷ୍ଟି କରିଵାକୁ ଵା ପ୍ରେରଣା ଦେଵାକୁ ଉଦ୍ଦିଷ୍ଟ ହୋଇପାରେ। ଵୈଜ୍ଞାନିକ ଦୃଷ୍ଟିରୁ, IQ ଏକ ଜଟିଳ ମାପକ ଯାହା ପରିଵେଶ, ଶିକ୍ଷା, ଓ ସାମାଜିକ ପରିସ୍ଥିତି ଉପରେ ନିର୍ଭର କରେ। ଫ୍ଲିନ୍ ପ୍ରଭାବ ଦର୍ଶାଏ ଯେ ଆଧୁନିକ ଯୁଗରେ ହାରାହାରି IQ ବୃଦ୍ଧି ପାଇଛି, ଯାହା ଉନ୍ନତ ଶିକ୍ଷା, ପୁଷ୍ଟି ଓ ପ୍ରଯୁକ୍ତିର ସୁଲଭତା ଦ୍ୱାରା ସମ୍ଭଵ ହୋଇଛି। ତେଣୁ, ବର୍ତ୍ତମାନ ପିଢ଼ିକୁ କମ୍ ବୁଦ୍ଧିମାନ ବୋଲି ଦାବି କରିବା “ମିଥ୍ୟାସୂଚନା ପକ୍ଷପାତ (misinformation bias)ର ଏକ ଉଦାହରଣ, ଯାହା ତଥ୍ୟଗତ ଭାବେ ଭୁଲ୍ ଓ ମନୋଵୈଜ୍ଞାନିକ ପକ୍ଷପାତରୁ ଉଦ୍ଭବ।
ସଂକ୍ଷେପରେ କହିଵାକୁ ଗଲେ ଵର୍ତ୍ତମାନ ପିଢ଼ିର ବୌଦ୍ଧିକ କ୍ଷମତାକୁ ଅଵମୂଲ୍ୟାୟନ କରିଵା ଏକ ଅନୁଚିତ ଓ ଭ୍ରାନ୍ତ ଧାରଣା, ଯାହା ମନୋବିଜ୍ଞାନରେ ନଷ୍ଟାଲଜିଆ, ପତନଵାଦ, ଓ ରୁଢ଼ିବଦ୍ଧତା ଭଳି ପକ୍ଷପାତଦ୍ୱାରା ପ୍ରଭାଵିତ। ଆଜିର ଯୁବ ପିଢ଼ି ନିଜର ସମୟର ଚ୍ୟାଲେଞ୍ଜକୁ ଅତ୍ୟାଧୁନିକ ପ୍ରଯୁକ୍ତି ଓ ଵିଶ୍ୱଵ୍ୟାପୀ ଜ୍ଞାନର ସହାୟତାରେ ସାମ୍ନା କରୁଛି । ଆଜିର ପିଢ଼ି ଅତୀତର ସଫଳତାକୁ ସମ୍ମାନ ଦେଵା ସହ ନିଜର ସ୍ୱତନ୍ତ୍ର ଯୋଗଦାନ ପ୍ରମାଣ କରୁଛି।
No comments:
Post a Comment