ଏକ ସମୟରେ, ଫ୍ରାନ୍ସର ଏକ ଛୋଟ ସହରରେ ପିଏରେ ନାମେ ଜଣେ ଯୁଵକ ରହୁଥିଲେ। ପିଏରେ ଥିଲେ ଖୁଵ୍ ଚତୁର ଓ କୌତୁହଳୀ। ସେ ଵିଜ୍ଞାନ ଓ ଅଜଣା ରହସ୍ୟ ଵିଷୟରେ ସବୁବେଳେ ଚିନ୍ତା କରୁଥିଲେ। ତାଙ୍କର ଜଣେ ଵୈଜ୍ଞାନିକ ସାଙ୍ଗ ଥିଲେ, ଡକ୍ଟର ମାଥିଉ। ମାଥିଉ ଥିଲେ ଏକ ଅଜଣା ଗଵେଷଣାରେ ନିୟୋଜିତ, ଯାହା ଥିଲା ସମୟ ଯାତ୍ରାର ଏକ ମେସିନ୍ ତିଆରି କରିଵା। ମାଥିଉ ଆଵିଷ୍କାର କରିଥିଲେ ଏକ ଅଜଣା ରସାୟନ, ଯାହା ମଣିଷକୁ ସମୟରେ ଆଗପଛ ଯାତ୍ରା କରାଇ ପାରୁଥିଲା। ଏହି ରସାୟନର ନାମ ଥିଲା "ନୋଏଲିଟ୍"।
ପିଏରେ ମାଥିଉଙ୍କ ସାଙ୍ଗରେ ତାଙ୍କ ଲାବୋରେଟୋରୀରେ କାମ କରୁଥିଲେ। ମାଥିଉ ତାଙ୍କୁ ନୋଏଲିଟ୍ ଵିଷୟରେ କହିଥିଲେ। ଏହା ଥିଲା ଏକ ଏମିତି ପଦାର୍ଥ, ଯାହାକୁ ଶରୀରରେ ପ୍ରୟୋଗ କଲେ ମଣିଷ ସମୟରେ ଯାତ୍ରା କରି ପାରୁଥିଲା। କିନ୍ତୁ ଏହା ଅତ୍ୟନ୍ତ ଵିପଜ୍ଜନକ ଦରଵ ଥିଲା, କାରଣ ଏହାର ପ୍ରଭାଵ କେତେ ସମୟ ରହିଵ କି କେମିତି କାମ କରିଵ, ତାହା ସମ୍ପୂର୍ଣ୍ଣ ଜଣା ନଥିଲା। ପିଏରେ ଏହି ଆଵିଷ୍କାରରେ ଵିଶେଷ ଉତ୍ସାହିତ ହେଲେ। ସେ ଭାବିଲେ, “ଯଦି ମୁଁ ଅତୀତକୁ ଯାଇ ପାରେ, ତେଵେ ମୁଁ ଇତିହାସରେ କ’ଣ ହେଉଛି ତାହା ନିଜ ଆଖିରେ ଦେଖି ପାରିବି।”
କିନ୍ତୁ ମାଥିଉ ପିଏରେଙ୍କୁ ସତର୍କ କରିଥିଲେ, “ପିଏରେ, ସମୟ ଯାତ୍ରା ଏକ ଖେଳ ନୁହେଁ। ଅତୀତରେ କିଛି ବଦଳାଇଲେ ଭଵିଷ୍ୟତ ସମ୍ପୂର୍ଣ୍ଣ ବଦଳି ଯାଇପାରେ।” କିନ୍ତୁ ପିଏରେଙ୍କ କୌତୁହଳ ତାଙ୍କୁ ଅଟକାଇ ପାରିଲା ନାହିଁ। ସେ ନୋଏଲିଟ୍ ଵ୍ୟଵହାର କରି ଅତୀତକୁ ଯିଵାକୁ ନିଷ୍ପତ୍ତି ନେଲେ।
ପିଏରେ ନୋଏଲିଟ୍ର ଏକ ଛୋଟ ଡୋଜ୍ ନେଲେ ଓ ମନେ ମନେ ଏକ ସମୟ ଚିନ୍ତା କଲେ—୧୮ଶ ଶତାବ୍ଦୀ, ଯେତେଵେଳେ ଫରାସୀ ଵିପ୍ଲଵ ଆରମ୍ଭ ହୋଇନଥିଲା। ସେ ନିଜକୁ ଏକ ପୁରୁଣା ସହରରେ ପାଇଲେ, ଯେଉଁଠି ଲୋକମାନେ ଅଜଣା ପୋଷାକ ପିନ୍ଧି ଘୋଡ଼ାଗାଡ଼ିରେ ଯାଉଥିଲେ। ପିଏରେ ବହୁତ ଆଶ୍ଚର୍ଯ୍ୟ ହେଲେ। ସେ ଚାରିଆଡ଼େ ଦେଖିଲେ ଏଵଂ ଲୋକମାନଙ୍କ ସାଙ୍ଗରେ କଥା ହେଵାକୁ ଚେଷ୍ଟା କଲେ। କିନ୍ତୁ କିଛି ସମୟ ମଧ୍ୟରେ ହିଁ ସେ ବୁଝିଗଲେ ଯେ ତାଙ୍କ ଆଧୁନିକ କଥାଵାର୍ତ୍ତା ଓ ପୋଷାକ ଲୋକମାନଙ୍କୁ ଅଜଣା ଲାଗୁଛି।
ସେ ଏକ ଛୋଟ ଗାଁରେ ପହଞ୍ଚିଲେ, ଯେଉଁଠି ସେ ଜଣେ ଯୁଵକଙ୍କୁ ଭେଟିଲେ, ଯାହାଙ୍କ ନାମ ଥିଲା ଜିନ୍। ଜିନ୍ ଥିଲେ ତାଙ୍କ ପୂର୍ଵଜ—ଅର୍ଥାତ୍ ପିଏରେଙ୍କ ଜେଜେଙ୍କ ଜେଜେ। ଜିନ୍ ଥିଲେ ଏକ ସାଧାରଣ ଚାଷୀ, କିନ୍ତୁ ବହୁତ ଉଦାର। ପିଏରେ ଜିନ୍ଙ୍କ ସାଙ୍ଗରେ କିଛି ସମୟ କାଟିଲେ ଏଵଂ ତାଙ୍କ ଜୀଵନ ଵିଷୟରେ ଜାଣିଲେ। ଜିନ୍ ତାଙ୍କୁ କହିଲେ ଯେ ସେ ଏକ ମହିଳାଙ୍କୁ ଵିଵାହ କରିଵାକୁ ଚାହୁଁଛନ୍ତି, କିନ୍ତୁ ଗାଁର ଜମିଦାର ଅନେକ ଅସୁଵିଧା ସୃଷ୍ଟି କରୁଛନ୍ତି।
ପିଏରେ ଭାବିଲେ, “ଯଦି ମୁଁ ଜିନ୍ଙ୍କୁ ସାହାଯ୍ୟ କରେ, ତେବେ ମୋ ପରିଵାରର ଭାଗ୍ୟ ଵଦଳି ଯାଇପାରେ।” ସେ ଜମିଦାରଙ୍କ ଵିରୁଦ୍ଧରେ ଜିନ୍ଙ୍କୁ ସାହାଯ୍ୟ କରିଵାକୁ ନିଷ୍ପତ୍ତି ନେଲେ। କିନ୍ତୁ ଏହି ସାହାଯ୍ୟ କରିଵା ପାଇଁ ସେ ଏକ ଵିପଜ୍ଜନକ ଯୋଜନା କଲେ। ସେ ଜମିଦାରଙ୍କ ଘରେ ଚୋରି କରିଵାକୁ ଯୋଜନା କଲେ, ଯାହା ଜିନ୍ଙ୍କୁ ଆର୍ଥିକ ସାହାଯ୍ୟ ଦେଇ ପାରିଵ।
ପିଏରେଙ୍କ ଯୋଜନା ସଫଳ ହେଲା, କିନ୍ତୁ ଏହାର ପରିଣାମ ଭୟଙ୍କର ହେଲା। ଜମିଦାରଙ୍କ ଘରେ ଚୋରି ହେଵା ପରେ ଗାଁରେ ଏକ ବଡ଼ ଧରଣର ଵିଵାଦ ଦେଖାଦେଲା। ଶେଷରେ ଜିନ୍ଙ୍କୁ ସନ୍ଦେହ କରାଗଲା ଆଉ ତାଙ୍କୁ ଧରି ଶାସ୍ତି ଦିଆଗଲା। ପିଏରେ ଵୁଝିଲେ ଯେ ତାଙ୍କ ହସ୍ତକ୍ଷେପ ଜିନ୍ଙ୍କ ଜୀଵନକୁ ଆହୁରି ଖରାପ କରିଦେଲା। ସେ ମନେ ମନେ ଭାବିଲେ, “ମୁଁ ଅତୀତକୁ ବଦଳାଇଵାକୁ ଚେଷ୍ଟା କଲି, କିନ୍ତୁ ଏହା ଆହୁରି ଖରାପ କରିଦେଲା।”
ପିଏରେ ଆଉ ଏକ ନୋଏଲିଟ୍ ଡୋଜ୍ ନେଇ ଆହୁରି ଅତୀତକୁ ଯାତ୍ରା କଲେ, ଯେଉଁଠି ସେ ଜିନ୍ଙ୍କୁ ୱଞ୍ଚାଇଵାକୁ ଚେଷ୍ଟା କରିଵେ। ଏଥର ସେ ଆହୁରି ପଛକୁ ଗଲେ—୧୭ଶ ଶତାବ୍ଦୀ। ଏଠାରେ ସେ ଜିନ୍ଙ୍କ ପୂର୍ଵଜଙ୍କୁ ଭେଟିଲେ, ଯାହାଙ୍କ ନାମ ଥିଲା ଫ୍ରାଙ୍କୋଇସ। ଫ୍ରାଙ୍କୋଇସ ଥିଲେ ଜିନ୍ଙ୍କ ଵାପା। ପିଏରେ ଭାବିଲେ, “ଯଦି ମୁଁ ଫ୍ରାଙ୍କୋଇସଙ୍କୁ କିଛି କରିଦେବି, ତେବେ ଜିନ୍ ଜନ୍ମ ନେବେ ନାହିଁ, ଆଉ ତାଙ୍କ ଯୋଗୁଁ ସମସ୍ୟା ମଧ୍ୟ ମୃଉ ହେଵ ନାହିଁ।”
ପିଏରେ ଏକ ଵିପଜ୍ଜନକ ନିଷ୍ପତ୍ତି ନେଲେ। ସେ ଫ୍ରାଙ୍କୋଇସଙ୍କୁ ମାରିଵାକୁ ଯୋଜନା କଲେ, ଯାହା ଜିନ୍ଙ୍କ ଜନ୍ମକୁ ଅଟକାଇ ଦେଵ । କିନ୍ତୁ ଯେତେଵେଳେ ସେ ଫ୍ରାଙ୍କୋଇସଙ୍କୁ ମାରିଵାକୁ ଚେଷ୍ଟା କଲେ, ତାଙ୍କ ମନରେ ଏକ ଅଜଣା ଭୟ ଜାଗିଲା। ସେ ଭାବିଲେ, “ଯଦି ମୁଁ ଫ୍ରାଙ୍କୋଇସଙ୍କୁ ମାରିଦେବି, ତେବେ ଜିନ୍ଙ୍କ ଜନ୍ମ ହେବ ନାହିଁ। ଜିନ୍ ଜନ୍ମ ନନେଲେ, ମୋ ପରିଵାରର କେହି ଜନ୍ମ ହେବେ ନାହିଁ। ଆଉ ମୁଁ ନିଜେ ମଧ୍ୟ ଜନ୍ମ ହେବି ନାହିଁ। ତେବେ ମୁଁ ଏଠାକୁ ଆସିଲି କିପରି?”
ଏହି ଚିନ୍ତା ତାଙ୍କ ମନକୁ ଗୁନ୍ଦଲେଇ ଦେଲା। ସେ ବୁଝିଲେ ଯେ ଅତୀତରେ କିଛି ବଦଳାଇଵା ଦ୍ବାରା ଏକ ଅଜଣା ଚକ୍ର ସୃଷ୍ଟି ହୁଏ, ଯାହା ତାଙ୍କ ନିଜର ଅସ୍ତିତ୍ୱ ଉପରେ ହିଁ ପ୍ରଶ୍ନଵାଚୀ ସୃଷ୍ଟି କରେ । ଏହାକୁ GrandFather Paradox କୁହାଯାଏ । ପିଏରେ ଶେଷରେ ଫ୍ରାଙ୍କୋଇସଙ୍କୁ ମାରିଵା ବନ୍ଦ କଲେ, କାରଣ ସେ ଏହାର ପରିଣାମ ପ୍ରତି ଭୟ କଲେ।
ଅତୀତରେ ବହୁତ ଅସୁବିଧା ଦେଖି ପିଏରେ ନିଷ୍ପତ୍ତି ନେଲେ ଯେ ସେ ଭଵିଷ୍ୟତକୁ ଯିଵେ। ସେ ନୋଏଲିଟ୍ର ଆଉ ଏକ ଡୋଜ୍ ନେଲେ ଓ ୩୦୦୦ ସାଲକୁ ଯାତ୍ରା କଲେ। ଭଵିଷ୍ୟତରେ ସେ ଏକ ଅଜଣା ଦୁନିଆ ଦେଖିଲେ, ଯେଉଁଠି ମଣିଷମାନେ ଆକାଶରେ ଉଡ଼ୁଥିଲେ, ରୋବୋଟ୍ମାନେ ସବୁକାମ କରୁଥିଲେ ଏଵଂ ପୃଥିଵୀ ଏକ ଅଜଣା ରୂପ ନେଇଥିଲା। କିନ୍ତୁ ଏହି ଦୁନିଆରେ ମଣିଷମାନେ ବହୁତ ଏକାକୀ ଥିଲେ ତଥା ଯନ୍ତ୍ର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲେ।
ପିଏରେ ଏକ ଵୈଜ୍ଞାନିକଙ୍କୁ ଭେଟିଲେ, ଯିଏ ତାଙ୍କୁ କହିଲେ ଯେ ନୋଏଲିଟ୍ ଏକ ଵିପଜ୍ଜନକ ଆଵିଷ୍କାର ଥିଲା, ଯାହା ଅନେକ ସମୟରେ ଅସଙ୍ଗତି ସୃଷ୍ଟି କରିଥିଲା। ସେ ପିଏରେଙ୍କୁ ସତର୍କ କଲେ ଯେ ସେ ଯେଉଁ ସମୟରେ ଅଛନ୍ତି, ତାହା ତାଙ୍କ ମୂଳ ଟାଇମଲାଇନ୍ ନୁହେଁ। ପିଏରେଙ୍କ ଅତୀତରେ କରା ପରିଵର୍ତ୍ତନ ଏକ ନୂଆ ଟାଇମଲାଇନ୍ ସୃଷ୍ଟି କରିଛି।
ପିଏରେ ବୁଝିଲେ ଯେ ସେ ଅତୀତ ଓ ଭଵିଷ୍ୟତରେ ଅନେକ ଭୁଲ୍ କରିଛନ୍ତି। ସେ ନିଜ ମୂଳ ସମୟକୁ ଫେରିଵାକୁ ଚେଷ୍ଟା କଲେ, କିନ୍ତୁ ନୋଏଲିଟ୍ର ପ୍ରଭାଵ ଧୀରେ ଧୀରେ କମି ଯାଉଥିଲା। ସେ ଡକ୍ଟର ମାଥିଉଙ୍କ ସାଙ୍ଗରେ ଯୋଗାଯୋଗ କରିଵାକୁ ଚେଷ୍ଟା କଲେ, କିନ୍ତୁ ତାଙ୍କ ମୂଳ ଟାଇମଲାଇନ୍ ବଦଳି ଯାଇଥିଲା।
ଶେଷରେ, ପିଏରେ ଏକ କଠିନ ନିଷ୍ପତ୍ତି ନେଲେ। ସେ ନୋଏଲିଟ୍ର ଵ୍ୟଵହାର ଵନ୍ଦ କରି ଏକ ନୂଆ ଜୀଵନ ଆରମ୍ଭ କଲେ। ସେ ଵୁଝିଲେ ଯେ ସମୟ ଏକ ଜଟିଳ ନିୟମରେ ଚାଲେ, ଯାହାକୁ ବଦଳାଇଵା ମଣିଷ ହାତରେ ନାହିଁ।
ଫରାସୀ ଲେଖକ René Barjavel ୧୯୪୩ରେ ତାଙ୍କ ଉପନ୍ୟାସ "Le Voyageur Imprudent" (The Imprudent Traveller)ର ଏହା ହେଉଛି ସଂକ୍ଷିପ୍ତ କାହାଣୀ । ଏହି ଉପନ୍ୟାସର ଏକ ଟେଲିଭିଜନ୍ ଆଧାରିତ ଅଡାପ୍ଟେସନ୍ (téléfilm) ୧୯୮୨ ମସିହାରେ ଫ୍ରାନ୍ସରେ ନିର୍ମିତ ହୋଇଥିଲା ଏଵଂ ପ୍ରଥମେ ୧୯୮୨ରେ ଟେଲିଭିଜନ୍ରେ ପ୍ରସାରିତ ହୋଇଥିଲା।
୧୯୮୨ର ଟେଲିଭିଜନ୍ ଚଳଚ୍ଚିତ୍ର (Téléfilm) "Le Voyageur Imprudent"ରେ କାହାଣୀକୁ କିଛିଟା ପରିଵର୍ତ୍ତନ କରାଯାଇଥିଲା ଏଵଂ ପିଏରେଙ୍କୁ ଦ୍ୱିତୀୟ ଵିଶ୍ୱଯୁଦ୍ଧ ସମୟର ଏକ ସୈନିକ ଭାବେ ଦର୍ଶାଯାଇଥିଲା। ଏହା ଉପନ୍ୟାସରୁ ଏକ ଭିନ୍ନ ଅଡାପ୍ଟେସନ୍ ଥିଲା, ଯେଉଁଥିରେ କାହାଣୀକୁ ସମୟୋପଯୋଗୀ କରିଵା ପାଇଁ ଏହି ପରିଵର୍ତ୍ତନ କରାଯାଇଥିଲା। ତେବେ Le Voyageur Imprudent ଉପନ୍ୟାସର କାହାଣୀ Grandfather Paradox ସମ୍ବନ୍ଧୀୟ ପ୍ରଶ୍ନ ଉପସ୍ଥାପନ କରିଥାଏ ।
Grandfather Paradox ସମୟ ଯାତ୍ରା (Time Travel) ସମ୍ବନ୍ଧୀୟ ଏକ ଦାର୍ଶନିକ ଓ ଵୈଜ୍ଞାନିକ ପରାଡକ୍ସ (Paradox)। ଏହା ଏକ ଏମିତି ପରିସ୍ଥିତିକୁ ବୁଝାଏ ଯେଉଁଠି ଜଣେ ଵ୍ୟକ୍ତି ଅତୀତକୁ ଯାତ୍ରା କରି ତାଙ୍କ ଜେଜେ କିମ୍ବା ଅଜା(Grandfather)ଙ୍କୁ ମାରିଦିଏ। ଯଦି ଜେଜେ/ଅଜା ମରିଯାଆନ୍ତି, ତେବେ ସେହି ଵ୍ୟକ୍ତିଙ୍କ ବାପା କିମ୍ବା ମା’ ଜନ୍ମ ନେବେ ନାହିଁ, ଆଉ ତାଙ୍କ ବାପା/ମା’ ଜନ୍ମ ନନେଲେ ସେ ନିଜେ ମଧ୍ୟ ଜନ୍ମ ହେବେ ନାହିଁ। କିନ୍ତୁ ଯଦି ସେ ଜନ୍ମ ହୋଇନଥାନ୍ତି, ତେବେ ସେ ଅତୀତକୁ ଯାଇ ଜେଜେ ଵା ଅଜାଙ୍କୁ ମାରିବେ କିପରି? ଏହା ଏକ ତାର୍କିକ ଚକ୍ର (Logical Loop) ସୃଷ୍ଟି କରେ, ଯାହା ସମୟ ଯାତ୍ରାର ସମ୍ଭାଵନା ଉପରେ ପ୍ରଶ୍ନ ଉଠାଏ।
Grandfather Paradox ପ୍ରଥମେ ୧୯୩୧ ମସିହାରେ Nathaniel Schachner ନାମକ ଜଣେ ଵିଜ୍ଞାନ କାଳ୍ପନିକ ଲେଖକଙ୍କ ଦ୍ୱାରା ତାଙ୍କର ଏକ କାଳ୍ପନିକ ଗଳ୍ପରେ ଉପସ୍ଥାପନ କରାଯାଇଥିଲା। ପରେ René Barjavel ନାମକ ଜଣେ ଫରାସୀ ଲେଖକ ୧୯୪୩ରେ ତାଙ୍କ ଉପନ୍ୟାସ "Le Voyageur Imprudent"(The Imprudent Traveller)ରେ ଏହି ପରାଡକ୍ସକୁ ଆହୁରି ସ୍ପଷ୍ଟ ଭାବେ ଵର୍ଣ୍ଣନା କରିଥିଲେ। ପ୍ରୋକ୍ତ କାହାଣୀଟି "Le Voyageur Imprudent"ର ମୁଖ୍ୟ କଥାଵସ୍ତୁ ଅଟେ ।
ପରେ ବୈଜ୍ଞାନିକ ଓ ଦାର୍ଶନିକମାନଙ୍କ ମଧ୍ୟରେ Grandfather Paradox ଏକ ଜନପ୍ରିୟ ଆଲୋଚନାର ଵିଷୟ ହୋଇଛି।
Grandfather Paradox ସମ୍ବନ୍ଧରେ ଉଭୟ ସପକ୍ଷଵାଦୀ ଓ ଵିପକ୍ଷଵାଦୀ ମତ ରହିଛି । ସପକ୍ଷଵାଦୀମାନେ କୁହନ୍ତି ଯେ ଅତୀତରେ କିଛି ବଦଳାଇଲେ ଭଵିଷ୍ୟତରେ ଏକ ଅସଙ୍ଗତି ଵା Inconsistency ସୃଷ୍ଟି ହେଵ। ଯେମିତି, ଜେଜେ ଵା ଅଜାଙ୍କୁ ମାରିଲେ ଯାତ୍ରୀ ନିଜେ ଅସ୍ତିତ୍ୱରେ ରହିଵ ନାହିଁ, ଯାହା ଏକ ତାର୍କିକ ଅସମ୍ଭଵତା। ଯଦି ସମୟ ଏକ ସରଳରେଖାରେ ଚାଲେ, ତେବେ ଅତୀତରେ କିଛି ବଦଳାଇବା ଦ୍ଵାରା ତାହା ସମ୍ପୂର୍ଣ୍ଣ ଭବିଷ୍ୟତକୁ ବଦଳାଇ ଦେଵ ଏଵଂ ଏହା ପରାଡକ୍ସ ସୃଷ୍ଟି କରେ। କେତେକ ଵିଜ୍ଞାନୀ କୁହନ୍ତି ଯେ ଏହି ପରାଡକ୍ସ ଦର୍ଶାଏ ଯେ ଅତୀତକୁ ଯାତ୍ରା କରିଵା ଵୈଜ୍ଞାନିକ ଦୃଷ୍ଟିକୋଣରୁ ଅସମ୍ଭଵ, କାରଣ ଏହା କାର୍ଯ୍ୟ-କାରଣ ନିୟମ ଵା Law of Causalityକୁ ଭାଙ୍ଗି ଦିଏ ।
ଅଵଶ୍ୟ କେତେକ ଵୈଜ୍ଞାନିକ ଓ ଦାର୍ଶନିକ କୁହନ୍ତି ଯେ ଅତୀତରେ କିଛି ବଦଳାଇଲେ ଏକ ନୂଆ ସମାନ୍ତରାଳ ଵିଶ୍ୱ ଵା Parallel Universe ସୃଷ୍ଟି ହୁଏ। ଅର୍ଥାତ୍, ଜେଜେ ଵା ଅଜାଙ୍କୁ ମାରିଲେ ଏକ ନୂଆ ଟାଇମଲାଇନ୍ ତିଆରି ହେଵ, କିନ୍ତୁ ମୂଳ ଟାଇମଲାଇନ୍ ଅପରିଵର୍ତ୍ତିତ ରହିଵ। ଏହା ପରାଡକ୍ସକୁ ନିଷ୍କ୍ରିୟ କରେ।
ନୋଭିକୋଵ୍ଙ୍କ ଆତ୍ମସଙ୍ଗତି ନୀତି ଵା Novikov’s Self-Consistency Principle ଉପସ୍ଥାପନ କରି ରୁଷୀୟ ଭୌତିକ ଵିଜ୍ଞାନୀ ଇଗୋର ନୋଭିକୋଵ୍ ପ୍ରସ୍ତାଵ ଦେଇଥିଲେ ଯେ ଅତୀତରେ କୌଣସି ଘଟଣା ଘଟିଵ ନାହିଁ ଯାହା ଭଵିଷ୍ୟତକୁ ଅସଙ୍ଗତ କରିଵ। ଅର୍ଥାତ୍, ଯଦି ଆପଣ ଅତୀତକୁ ଯାଆନ୍ତି, ତେବେ ଆପଣ ନିଜ ଜେଜେ ଵା ଅଜାଙ୍କୁ ମାରି ପାରିବେ ନାହିଁ, କାରଣ ସମୟର ନିୟମ ଏହାକୁ ଅଟକାଇ ଦେଵ । କେତେକ ଵୈଜ୍ଞାନିକ କୁହନ୍ତି ଯେ କ୍ୱାଣ୍ଟମ୍ ମେକାନିକ୍ସ ଅନୁସାରେ ସମୟ ଯାତ୍ରା ଏକ ଅନିଶ୍ଚିତ ଫଳାଫଳ (Probabilistic Outcome) ଦେଇପାରେ, ଯେଉଁଠି ପରାଡକ୍ସ ସୃଷ୍ଟି ହୁଏ ନାହିଁ।
Grandfather Paradox ଓ ସମୟ ଯାତ୍ରା ଆଧାରିତ ଅନେକ ଚଳଚ୍ଚିତ୍ର ନିର୍ମିତ ହୋଇଛି।
ସମୟଯାତ୍ରା ସମ୍ବନ୍ଧୀୟ ସବୁଠାରୁ ଜଣାଶୁଣା ଚଳଚ୍ଚିତ୍ର ହେଲା Back to the Future (1985) ଏଵଂ ଏହାର ତିନୋଟି ଭାଗ ମୁକ୍ତିଲାଭ କରିଥିଲା । ଅନେକ ଚଳଚ୍ଚିତ୍ର ଓ ୱେବସିରିଜ୍ ଏହି ଚଳଚ୍ଚିତ୍ରର କାହାଣୀରୁ ପ୍ରଭାଵିତ ହୋଇ ପରେ ନିର୍ମିତ ହୋଇଛି । ଏହି ଚଳଚ୍ଚିତ୍ରରେ ମାର୍ଟି ମ୍ୟାକ୍ଫ୍ଲାଇ ଅତୀତକୁ ଯାଇ ତା’ର ପିତାମାତାଙ୍କ ଵିଵାହକୁ ବାଧା ଦେଵାର ଆଶଙ୍କା ସୃଷ୍ଟି କରେ, ଯାହା ତା’ର ନିଜର ଅସ୍ତିତ୍ୱକୁ ଵିପଦରେ ପକାଏ। ଏହା ପରାଡକ୍ସର ଏକ ଜନପ୍ରିୟ ଉଦାହରଣ।
ସେହିପରି ସମୟଯାତ୍ରା ସମ୍ବନ୍ଧୀୟ The Terminator (1984) ଚଳଚ୍ଚିତ୍ରରେ ଏକ ରୋବୋଟ୍ ଅତୀତକୁ ଯାଇ ଜନ୍ କନର୍ଙ୍କ ମା’ଙ୍କୁ ମାରିଵାକୁ ଚେଷ୍ଟା କରେ, ଯାହା ଜନ୍ଙ୍କ ଜନ୍ମକୁ ଅଟକାଇ ଦେଵ । ଏହା ମଧ୍ୟ ପରାଡକ୍ସର ଏକ ରୂପ। Looper (2012) ଚଳଚ୍ଚିତ୍ରରେ ସମୟ ଯାତ୍ରା ମାଧ୍ୟମରେ ନିଜର ଭଵିଷ୍ୟତ ସଂସ୍କରଣକୁ ମାରିବାର ଚେଷ୍ଟା ଦେଖାଯାଏ, ଯାହା ପରାଡକ୍ସର ଏକ ଭିନ୍ନ ରୂପ ଉପସ୍ଥାପନ କରେ। Predestination (2014) ଚଳଚ୍ଚିତ୍ର ସମୟ ଯାତ୍ରାର ଏକ ଜଟିଳ ଚକ୍ର ଦେଖାଏ ଯେଉଁଠି ପରାଡକ୍ସର ସମାଧାନ ଏକ ଆତ୍ମସଙ୍ଗତି ଚକ୍ର (Self-Consistent Loop) ମାଧ୍ୟମରେ ହୁଏ। Marvel Cinematic Universeର Avengers: Endgame (2019) ଚଳଚ୍ଚିତ୍ରରେ ସମୟ ଯାତ୍ରା ସମାନ୍ତରାଳ ଵିଶ୍ୱ ତତ୍ତ୍ୱ ଆଧାରରେ ବ୍ୟାଖ୍ୟା କରାଯାଇଛି ଯେଉଁଠି ଅତୀତରେ ପରିଵର୍ତ୍ତନ ନୂଆ ଟାଇମଲାଇନ୍ ସୃଷ୍ଟି କରେ।
Grandfather Paradox ସମୟ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଦାର୍ଶନିକ ଓ ଵୈଜ୍ଞାନିକ ପ୍ରଶ୍ନ। ଏହା କାର୍ଯ୍ୟ-କାରଣ ନିୟମ, ସମୟର ପ୍ରକୃତି ଓ ଅସ୍ତିତ୍ୱ ଉପରେ ଆଲୋଚନା କରିଵାକୁ ଆହ୍ଵାନ କରେ। ସପକ୍ଷଵାଦୀମାନେ ଏହାକୁ ସମୟ ଯାତ୍ରାର ଅସମ୍ଭଵତାର ପ୍ରମାଣ ଭାବେ ଦେଖନ୍ତି ଆଉ ଵିପକ୍ଷବାଦୀମାନେ ସମାନ୍ତରାଳ ଵିଶ୍ୱ କିମ୍ବା ଆତ୍ମସଙ୍ଗତି ତତ୍ତ୍ୱ ମାଧ୍ୟମରେ ଏହାର ସମାଧାନ ସମ୍ଭଵ ବୋଲି କୁହନ୍ତି। ଏହି ପରାଡକ୍ସ ଵିଜ୍ଞାନ ଓ କାଳ୍ପନିକ ଗଳ୍ପରେ ଅନେକ ଆକର୍ଷଣୀୟ ଚଳଚ୍ଚିତ୍ର ଓ ଆଲୋଚନାର ଜନ୍ମ ଦେଇଛି।
No comments:
Post a Comment