My Blog List

Showing posts with label ଲିପି. Show all posts
Showing posts with label ଲିପି. Show all posts

Friday, October 4, 2024

ତିନୋଟି ଶ,ଷ ଓ ସ ର ଵ୍ୟଵହାର ଠିକ୍ କି ?

ବ୍ରାହ୍ମୀ ଲିପି ମୂଳର ଅଧିକାଂଶ ଭାରତୀୟ ଲିପିଗୁଡ଼ିକରେ
ତାଲଵ୍ୟ 'ଶ', ମୂର୍ଦ୍ଧନ୍ୟ 'ଷ' ଓ ଦନ୍ତ୍ୟ ସ' ଏହିପରି ତିନୋଟି ଶ,ଷ ଓ ସ ଅଛି । କେତୋଟି ମୁଖ୍ୟ ମୁଖ୍ୟ ଭାରତୀୟ ଲିପିରେ ତିନୋଟି ଯାକ 'ଶ','ଷ' ଓ 'ସ'ର ସ୍ଵରୂପ ନିମ୍ନରେ ପ୍ରଦତ୍ତ ହେଲା। 

•ଵିଭିନ୍ନ ଭାରତୀୟ ଲିପିରେ ତାଲଵ୍ୟ 'ଶ'ର ରୂପ...
-ବ୍ରାହ୍ମୀ = 𑀰
-ଓଡ଼ିଆ= ଶ
-ଦେଵନାଗରୀ = श
-କାମରୂପୀ = শ
-ଗୁରମୁଖୀ = ਸ਼
-ଗୁଜରାଟୀ = શ
-ତାମିଳ = ஶ
-ତେଲୁଗୁ= శ
-କନ୍ନଡ଼= ಶ
-ମଳୟାଳମ = ശ
-ତିବ୍ବତୀ = ཤ
-ସୌରାଷ୍ଟ୍ରୀ = ꢯ
-କୈଥୀ = 𑂬
-ମୈତୈ = ꫩ
-ଶାରଦା = 𑆯
-ନେୱା = 𑐱

•ଵିଭିନ୍ନ ଭାରତୀୟ ଲିପିରେ ମୂର୍ଦ୍ଧନ୍ୟ 'ଷ'ର ରୂପ...
-ବ୍ରାହ୍ମୀ= 𑀱
-ଓଡ଼ିଆ = ଷ
-ଦେଵନାଗରୀ = ष
-କାମରୂପୀ = ষ
-ଗୁଜରାଟୀ = ષ
-ତାମିଳ = ஷ
-ତେଲୁଗୁ = ష
-କନ୍ନଡ଼= ಷ
-ମଳୟାଳମ = ഷ
-ତିବ୍ବତୀ = ཥ
-ସୌରାଷ୍ଟ୍ରୀ = ꢰ
-କୈଥୀ = 𑂭
-ମୈତୈ = ꫪ
-ନେୱା = 𑐲
-ଶାରଦା = 𑆰

•ଵିଭିନ୍ନ ଭାରତୀୟ ଲିପିରେ ଦନ୍ତ୍ୟ 'ସ'ର ରୂପ...
-ବ୍ରାହ୍ମୀ = 𑀲
-ଓଡ଼ିଆ = ସ
-ଦେଵନାଗରୀ = स
-କାମରୂପୀ = স
-ଗୁରମୁଖୀ = ਸ
-ଗୁଜରାଟୀ= સ
-ତାମିଳ = ஸ
-ତେଲୁଗୁ = స
-କନ୍ନଡ଼ = ಸ
-ମଳୟାଳମ = സ
-ତିବ୍ବତୀ = ས
-ସୌରାଷ୍ଟ୍ରୀ = ꢱ
-କୈଥୀ = 𑂮
-ଶାରଦା = 𑆱

ରୋମାନ ଲିପିରେ 'ଶ'କୁ Śə ଵା Sha,ମୂର୍ଦ୍ଧନ୍ୟ 'ଷ'କୁ Ṣə ଵା Ssa ଓ ଦନ୍ତ୍ୟ 'ସ'କୁ Sə ଵା Sa ଲେଖାଯାଏ । ଅଶୋକଙ୍କ ବ୍ରାହ୍ମୀ ଶିଳାଲେଖରେ 'ଶ','ଷ' ଓ 'ସ'ର ବ୍ରାହ୍ମୀ ରୂପ ଵ୍ୟଵହାର ହୋଇଛି। ପୁଣି ତତ୍କାଳୀନ ସମୟରେ ୦୧୨୩୪୫୬୭୮୯ ଇତ୍ୟାଦି ଭାରତୀୟ ସଂଖ୍ୟା ଗଣନ ପଦ୍ଧତି ଥିଲେ ବି କେତେକ ନିର୍ଦ୍ଧିଷ୍ଟ ଗାଣିତିକ ସମୀକରଣ ପାଇଁ ଆର୍ଯ୍ୟଭଟ୍ଟଙ୍କ ଦ୍ଵାରା ସଂଖ୍ୟା ଗଣନ ପଦ୍ଧତି କ୍ଷେତ୍ରରେ ତାଲଵ୍ୟ 'ଶ' ତଥା ମୂର୍ଦ୍ଧନ୍ୟ 'ଷ' ଓ ଦନ୍ତ୍ୟ ସ' ଵ୍ୟଵହାର କରାଯାଇଛି। 
ଯଥା: 
ଶ = ୭୦ 
ଶି = ୭୦୦୦
ଶୁ = ୭୦୦୦୦୦ 
ଶୃ = ୭୦୦୦୦୦୦୦
ଶୢ = ୭×୧୦୯
ଶେ = ୭×୧୦୧୧
ଶୈ = ୭×୧୦୧୩ 
ଶୋ = ୭×୧୦୧୫ 
ଶୌ = ୭×୧୦୧୭

ଷ = ୮୦
ଷି = ୮୦୦୦
ଷୁ = ୮୦୦୦୦୦
ଷୃ = ୮୦,୦୦୦,୦୦୦
ଷୢ = ୮×୧୦୯ 
ଷେ = ୮×୧୦୧୧
ଷୈ = ୮×୧୦୧୩ 
ଷୋ = ୮×୧୦୧୫ 
ଷୌ = ୮×୧୦୧୭ 

ସ = ୯୦ 
ସି = ୯,୦୦୦ 
ସୁ = ୯୦୦,୦୦୦ 
ସୃ = ୯୦,୦୦୦,୦୦୦
ସୢ = ୯×୧୦୯ 
ସେ = ୯×୧୦୧୧ 
ସୈ = ୯×୧୦୧୩ 
ସୋ = ୯×୧୦୧୫ 
ସୌ = ୯×୧୦୧୭ 

ଭାରତୀୟ ତାଲଵ୍ୟ 'ଶ'ର ବ୍ରାହ୍ମୀ ରୂପ 𑀰(ଶ) ଦେଖିଵାକୁ ତୀରମୁଣ୍ଡ ପରି ଏଵଂ ଏହି ଅକ୍ଷରର ସାମଞ୍ଜସ୍ୟ ଆରମାଇକ
Shin (šīn) ସହିତ ରହିଛି । ଫୋଏନିସିଅନ୍ šīn 𐤔,ହିବ୍ରୁ šīn ש‎, ଆରାମାଇକ šīn 𐡔, ସିରିଆକ୍ šīn ܫ ଓ Arabic sīn س‎ ଓ šīn ش‎‎‎ ସହିତ ଭାରତୀୟ ତାଲଵ୍ୟ 'ଶ'ର ଲିପିତାତ୍ତ୍ଵିକ ସମ୍ପର୍କ ଥିଵା ପାଶ୍ଚାତ୍ୟ ଗଵେଷକ ଅନୁମାନ କରନ୍ତି । 

ପାଶ୍ଚାତ୍ୟ ଗଵେଷକମାନଙ୍କ ଅନୁସାରେ ଫୋଏନିସିଅନ୍ sāmek 𐤎,ହିବ୍ରୁ sāmeḵ ס‎, ଆରମାଇକ୍ samek 𐡎, ସିରିଆକ୍ semkaṯ ܣ ,ମଗରେବୀ ଆରବିକ ṣād ص ,ଗ୍ରୀକ୍ xi (Ξ) ଓ ରୋମାନ X ସହିତ ଭାରତୀୟ ମୂର୍ଦ୍ଧନ୍ୟ 'ଷ'ର ଉଚ୍ଚାରଣଗତ ତଥା ଲିପି ତତ୍ତ୍ଵ ଭିତ୍ତିକ ସାମ୍ୟ ରହିଛି ।‌ ପୁଣି ସେଇ 
 ସୁମେଖ୍ ଅକ୍ଷର ସହିତ ଭାରତୀୟ ଦନ୍ତ୍ୟ ସ' ଅକ୍ଷରର ଲିପିତାତ୍ତ୍ଵିକ ସମ୍ପର୍କ ଥିଵା ପାଶ୍ଚାତ୍ୟ ଗଵେଷକ ମତ ଦିଅନ୍ତି । 
 
ମୋଟ ଉପରେ କହିଵାକୁ ଗଲେ ଆଜକୁ ପ୍ରାୟ ଦୁଇ ହଜାର ଵର୍ଷ ପୂର୍ଵେ ବି ଭାରତରେ ତିନୋଟି "ଶ,ଷ ଓ ସ" ଵ୍ୟଵହାର ଚଳୁଥିଲା । କୃଷ୍ଣ,ସରସ ଓ ଵିଶ୍ଵ ଭଳି ଶବ୍ଦଗୁଡ଼ିକୁ ମୁଖରେ ଉଚ୍ଚାରଣ କଲେ ଆପେ ଶ,ଷ ଓ ସ କ୍ଷେତ୍ରରେ ଭିନ୍ନ ଭିନ୍ନ ସ୍ଥାନକୁ ଜିଭ ଚାଲିଯାଏ । ଆମ ପ୍ରାଚୀନ ପୂର୍ଵଜ ଏହା ଜାଣିପାରି ଗୋଟିଏ ନୁହେଁ ଵରଂ ତିନୋଟି ଶ,ଷ ଓ ସ ଅକ୍ଷର ଲିଖନ ପରମ୍ପରା ପ୍ରଚଳନ କରାଇଥିଲେ । ଯୋଉମାନେ କୁହନ୍ତି ଆଗେ 'ଶ' ଓ 'ଷ' ନଥିଲା କେଵଳ 'ସ' ଥିଲା ସେମାନଙ୍କୁ ପ୍ରଶ୍ନ; ଯଦି 'ଶ' ଓ 'ଷ' ନଥିଲା ତାହେଲେ ଦୁଇ ହଜାର ଵର୍ଷ ତଳର ବ୍ରାହ୍ମୀ ଲିପିରେ କେମିତି 𑀰(ଶ) 𑀱(ଷ) ଓ 𑀲(ସ) ଏହି ତିନୋଟି ଭିନ୍ନ ଭିନ୍ନ ଅକ୍ଷର ଥିଲା ? 
ଆଜକୁ ପନ୍ଦରଶହ ଵର୍ଷ ତଳେ ଚତୁର୍ଥ - ପଞ୍ଚମ ଶତାବ୍ଦୀର ଆର୍ଯ୍ୟଭଟ୍ଟ କେମିତି 'ଶ'କୁ ୭୦,'ଷ'କୁ ୮୦ ଓ 'ସ'କୁ ୯୦ ଵଇଚଆର କରଇ ସ୍ଵତନ୍ତ୍ର ଗଣନ ପଦ୍ଧତି ଵ୍ୟଵହାର କରିଥିଲେ । ଓଡ଼ିଆ ଲିପିର ଶ,ଷ ଓ ସ ତଥଆ ଏହାର ପ୍ରାଚୀନ ବ୍ରାହ୍ମୀ ରୂପ 𑀰(ଶ),𑀱(ଷ) ଓ 𑀲(ସ)କୁ ମିଳାଇ ଦେଖିଲେ ହୃଦବୋଧ ହୁଏ ଯେ ହଜାର ହଜାର ଵର୍ଷ ଧରି ନିରନ୍ତର ଲିଖନ ଯୋଗୁଁ କାଳକ୍ରମେ ତିନୋଟି ଯାକ ଶ,ଷ ଓ ସ ର ସ୍ବରୂପ ଅନେକାଂଶରେ ପରିଵର୍ତ୍ତିତ ହୋଇଛି। ଲିପି ଵିଵର୍ତ୍ତନକୁ ନବୁଝି
ରୋମାନ ଲିପିରେ କେଵଳ 'S' ଅଛି ଆମେ ବି 'ଶ' ଆଉ 'ଷ'କୁ କାଟି କେଵଳ 'ସ'କୁ ରଖିବୁ ବୋଲି ଯୁକ୍ତି କରୁଥିଵା ଲୋକେ ବୁଝିଵା ଉଚିତ ଯେ ଇଂରାଜୀ ଭାଷାରେ ବି ଏ ଧରଣର ଉଚ୍ଚାରଣ ଭିନ୍ନତା ରହିଛି। ଇଂରାଜୀରେ ମଧ୍ୟ s, sh, ss, sc, c, ti ଇତ୍ୟାଦି ଅନ୍ୟୁନ ଛଅଟି ପ୍ରକାରେ ଶ,ଷ,ସ ଲେଖାଯାଏ l ଇଂରାଜୀରେ cell, sail, shell, ratio ଇତ୍ୟାଦିରେ ଭିନ୍ନ ଭିନ୍ନ ସ ରହିଛି । ସେମାନେ କେବେ ସବୁ ମିଶାଇ S କରିଵାକୁ ଚିନ୍ତା କରନ୍ତି ନାହିଁ । ୟୁରୋପୀୟମାନେ ତିନୋଟି ଅକ୍ଷର କରିପାରିଲେ ନାହିଁ ବୋଲି ଆଜି ସେଇ ଦୁର୍ଭାଗ୍ୟ ଯୋଗୁଁ ଭିନ୍ନ ଭିନ୍ନ ଶବ୍ଦରେ ଵିଭିନ୍ନ ପ୍ରକାରର ଶ,ଷ,ସ ଉଚ୍ଚାରଣ ପାଇଁ S ସହିତ ଅନ୍ୟ alphabet ଯୋଡ଼ିଵାକୁ ବାଧ୍ୟ ହେଉଛନ୍ତି ପୁଣି କେତେକ କ୍ଷେତ୍ରରେ C ଓ ti ଭଳି ଭିନ୍ନ alphabet ମଧ୍ୟ ଵ୍ୟଵହାର କରୁଛନ୍ତି। ଏ ଦୃଷ୍ଟିରୁ ଦେଖିଲେ ଆମ ପୂର୍ଵଜ ତିନୋଟି ଭିନ୍ନ ଭିନ୍ନ ଶ,ଷ ଓ ସ ଅକ୍ଷର କରି ଭୁଲ୍ କରିଥିଲେ ନା ଆଜି ଯୋଉମାନେ ଶ ଓ ଷ କୁ କାଟି କେଵଳ ସ ରଖି ପିଲାଝିଲାଙ୍କ ପାଇଁ ଭାଷା ସରଳ କରିବୁ ବୋଲି ହେଣ୍ଡି ମାରୁଛନ୍ତି ସେମାନେ ଭୁଲ୍ କରୁଛନ୍ତି?

Tuesday, July 13, 2021

କ୍ତ ଓ ତ୍କ ; ଦ୍ଵନ୍ଦ୍ଵ ଓ ଭେଦ

   🔴🔴🔴କ୍ତ ଓ ତ୍କ; ଦ୍ଵନ୍ଦ୍ଵ ଓ ଭେଦ🔴🔴🔴

କ୍ତ ଓ ତ୍କ କୁ ନେଇ ଓଡ଼ିଆ ଲୋକଙ୍କ ମନରେ ଅନେକ ସମୟରେ ଦ୍ଵନ୍ଦ୍ଵ ଜାତ ହୁଏ । ଵିଶେଷତଃ ଓଡ଼ିଆ ଭାଷା ଓ ଲିପିଠାରୁ ଦୂରେଇ ଯାଇଥିଵା ଏଵଂ ହିନ୍ଦୀ ଇଂରାଜୀର ବହୁଳ ଵ୍ୟଵହାର କରୁଥିଵା ଓଡ଼ିଆ ଵଂଶୋଦ୍ଭଵମାନେ ଏହି ଦୁଇଗୋଟି ଯୁକ୍ତାକ୍ଷର କ୍ଷେତ୍ରରେ ଦ୍ଵନ୍ଦ୍ଵରେ ପଡ଼ନ୍ତି ।

ତେବେ ସାମାନ୍ୟ ଅଭ୍ୟାସକଲେ ଏହି ଦ୍ଵନ୍ଦ୍ଵ ଉପୁଜେ ନାହିଁ ।

ମନେ ରଖିଵାକୁ ହେଵ ଯେ...

'କ୍' ସହିତ 'ତ' ଯୁକ୍ତ ହେଲେ #କ୍ତ ହୁଏ
କ୍+ତ = କ୍ତ

ଏଵଂ

'ତ୍' ସହିତ 'କ' ଯୁକ୍ତ ହେଲେ #ତ୍କ ହୋଇଥାଏ
ତ୍+କ = ତ୍କ

ତାହେଲେ ଆମ ଭାଷାରେ  ଏଭଳି ଦୁଇଗୋଟି ଚିହ୍ନ ଯୁକ୍ତିଯୁକ୍ତ କି ? ଏହା ଅଵୈଜ୍ଞାନିକ କି ?

ଏହାର ଉତ୍ତର ...

ଆଦୌ ନୁହେଁ !

ଓଡ଼ିଆ ଲିପିକୁ ଗୂଢ଼ଭାଵରେ ଜାଣିଵାକୁ ହେଲେ ବ୍ରାହ୍ମୀ ଓ ଅନ୍ୟ ଭାରତୀୟ ଲିପିଗୁଡି଼କୁ ଜାଣିଵାକୁ ହେଵ । କାରଣ ବ୍ରାହ୍ମୀ ଭାରତର ପୁରାତନ ଲିପି ଏଵଂ ଓଡ଼ିଆ ଲିପି ମଧ୍ୟ ଅନ୍ୟ ଅଧିକାଂଶ ଲିପିପରି ବ୍ରାହ୍ମୀଲିପି ମୂଳର ଏଣୁ ବ୍ରାହ୍ମୀ ଲିପିରୁ ଜାତ ପ୍ରତ୍ୟେକ ଭାରତୀୟ ଲିପି ସହିତ ଓଡ଼ିଆ ଲିପିର କିଛି କିଛି ସାମଞ୍ଜସ୍ୟ ଦୃଶ୍ୟ ହୁଏ ।

ବ୍ରାହ୍ମୀଲିପିରେ
କ୍ତ = 𑀓𑁆𑀢
ଏଠାରେ 𑀓  = କ
ଏଵଂ 𑀢 = ତ
ଯୁକ୍ତାକ୍ଷର ଲେଖିଵା ସମୟରେ ବ୍ରାହ୍ମୀଲିପିରେ ଯେଉଁ ପ୍ରଥମ ଅକ୍ଷର ସହ ଅନ୍ୟ ଅକ୍ଷର ଯୁକ୍ତ ହୁଏ ସେହି ପ୍ରଥମ ଅକ୍ଷର ଉପରେ ଗାରଟିଏ ଟଣାଯାଏ । ଦକ୍ଷିଣ ବ୍ରାହ୍ମୀରେ ପ୍ରଥମ ଅକ୍ଷର ଉପରେ ଗାର ନଦେଇ ଉଭୟ ଅକ୍ଷର ମଝିରେ ବିନ୍ଦୁଟିଏ ଦିଆଯାଏ ।  ଏହି ଗାର ଵା ଵିନ୍ଦୁ, ହଳନ୍ତ ଚିହ୍ନ ଓ ଦୁଇଟିଯାକ ଅକ୍ଷର ଯୁକ୍ତ ହୋଇଥିଵାର ସଂକେତ ମଧ୍ୟ ଅଟଇ ।

ବ୍ରାହ୍ମୀ ଲିପି ଏଥିପାଇଁ ଲିଖନ ଦୃଷ୍ଟିରୁ ସହଜ ଏଵଂ ପୂର୍ଵେ ଅକ୍ଷର ଲିଖନ ସରଳ ଥିଲା କିନ୍ତୁ ବ୍ରାହ୍ମୀ ଲିପିରେ ଅଞ୍ଚଳ ଭେଦରେ ପରିଵର୍ତ୍ତନ ହେଵାରୁ ଧିରେଧିରେ ତାହା କଳିଙ୍ଗ, ଗୁପ୍ତ,କାମରୂପୀ, କଦମ୍ବ ଓ ନାଗରୀ ଆଦି ରୂପ ଘେନି ପ୍ରଚଳିତ ହେଲା ।

ତେବେ ମୂଳ ପ୍ରସଙ୍ଗ ହେଲା କ ତଳେ ତ ପାଇଁ ଦିଆଯାଉଥିଵା ସାଂକେତିକ "୨ ସଂଖ୍ୟା ଚିହ୍ନ" ଠିକ୍ କି ?

ଏହାର ଉତ୍ତର ଜାଣିଵାକୁ ହେଲେ ଭାରତର ଵିଭିନ୍ନ ଲିପିରେ 'ତ' ଅକ୍ଷରର ସ୍ଵରୂପକୁ ଜାଣିଵାକୁ ହେଵ ।

ବ୍ରାହ୍ମୀ ଲିପିରେ  '𑀢(ତ)'  ଉପରେ ଧ୍ୟାନ ଦିଅନ୍ତୁ  । ଏହି ଅକ୍ଷରଟି ପରଵର୍ତ୍ତୀ ସମୟରେ ଓଡ଼ିଆ ଲିପିରେ ଅକ୍ଷରଚିହ୍ନ ଭାବେ ଲିଖନ ସୁଵିଧା ହେତୁକ ଓଡ଼ିଆ "ଦୁଇସଂଖ୍ୟା—୨" ରୂପ ଧାରଣ କରିଛି ।‌ ବ୍ରହ୍ମୀ
'𑀢(ତ)' ଅକ୍ଷର ହେଉ କି ଓଡ଼ିଆ 'ତ'
ଅକ୍ଷର ସାମାନ୍ୟ ପରିଵର୍ତ୍ତନ କଲେ ତାହା '୨(ଦୁଇ)' ସଂଖ୍ୟା ପରି ଦୃଶ୍ୟ ହୋଇପାରେ । କିନ୍ତୁ ଅନେକଙ୍କୁ ସହଜରେ ଵିଶ୍ଵାସ ହୁଏନାହିଁ ଯେ “ ଓଲଟା 'Y' ” = '𑀢(ତ)' ରୁ କେମିତି 'ତ'ର ଯୁକ୍ତାକ୍ଷର ଚିହ୍ନଟି ଓଡ଼ିଆ '୨(ଦୁଇ)' ସଂଖ୍ୟା ପରି ହେଵ ?

ମୈଥିଳୀ ଭାଷାର ତ୍ରିହୂତ ଲିପିର ଉଦାହରଣ ଦେଲେ ଆମ ଲିପିରେ 'କ୍ତ' ତଳେ କାହିଁକି କେମିତି 'ତ' ପାଇଁ '୨' ସଂଖ୍ୟା ପରି ଚିହ୍ନ ହେଲା ତାହା ସହଜରେ ଜାଣିହେଵ ।

ତ୍ରିହୂତ ଲିପିରେ ତ = 𑒞(ত)
ତ୍ରିହୂତ ଲିପିର 𑒞 ଦେଖିଵାକୁ  ବଙ୍ଗାଳୀ - ଅହମିୟା ଅକ୍ଷର 'ত' ଭଳି । 

ସେହିପରି ଓଡ଼ିଆ ଲିପିର 'ତ'ରୁ ମୁଣ୍ଡୁଳା ହଟେଇ ଦେଲେ ରହିଯାଏ ତାହାର ମୂଳ ଅର୍ଦ୍ଧଚନ୍ଦ୍ରାକାର ରୂପ ଏଵଂ ସେହି ରୂପ ମୂଳ ବ୍ରାହ୍ମୀଲିପିର ଓଲଟା Y = '𑀢(ତ)'ରେ ମଧ୍ୟ ଥିଲା ।

ବଙ୍ଗାଳୀ, ଅହମିୟା ଓ ମୈଥିଳୀର ତ୍ରିହୂତ ଲିପିରେ ପ୍ରଚଳିତ ত('ତ') ଉପରେ ଗାର ନଦେଇ ମୁଣ୍ଡୁଳା ବୁଲାଇ ଦେଲେ ତାହା ଓଡ଼ିଆ 'ତ' ଭଳି ହୋଇଯାଏ ।

ତେଣୁ 'କ୍ତ' ଲେଖିଵା ଆଦୌ ଅଵୈଜ୍ଞାନିକ ନୁହେଁ ଵରଂ 'କ'  ଅକ୍ଷର ତଳେ 'ତ' ର ମୂଳ ରୂପ '୨' ରହିଛି ଏଵଂ ଏହି ଦୁଇ ସଂଖ୍ୟାକୃତି ସାଂକେତିକ 'ତ' ଚିହ୍ନ ଉପରେ ମୁଣ୍ଡୁଳା ବୁଲାଇ ଦେଲେ ତାହା 'ତ' ହୋଇଯାଏ ।

ଆମ୍ଭମାନଙ୍କର ଦ୍ଵିତୀୟ ଦ୍ଵନ୍ଦ ଥିଲା,
'ତ୍' ଅକ୍ଷର ସହିତ 'କ' ଯୁକ୍ତ ହେଲେ 'ତ୍କ' ହୁଏ କିନ୍ତୁ ଏହା କ'ଣ ଠିକ୍ ଓ ଵୈଜ୍ଞାନିକ ଅଟେ ?

ବ୍ରାହ୍ମୀ ଲିପିରେ
ତ = 𑀢
ଏଵଂ
କ = 𑀓
ଏ ଲିପିରେ 'ତ୍କ' ଏହିପରି '𑀢𑁆𑀓'(ତ୍କ) ଲେଖାଯାଏ ।

ଏଠାରେ "ଓଲଟା Y" ଵା 𑀢(ତ) ରୁ ଉପର ଲାଞ୍ଜ କାଟିଦେଲେ ରହିଯାଏ 'ତ'ର ସାଂକେତିକ ହଳାକାରଚିହ୍ନ ।

ସେହିପରି ଦେଵନାଗରୀରେ
ତ = त
ଏଵଂ ଦେଵନାଗରୀରେ
ତ୍+କ = त्क

ଏବେ ଆପଣ त्क ଓ ତ୍କ ମଧ୍ୟରେ ସମାନତା ଦେଖିପାରୁଛନ୍ତି କି ?

"त्क ଓ ତ୍କ"କୁ ଦେଖିଲେ ଜଣାଯାଉଛି ଯେ ଏଠାରେ ଦେଵନାଗରୀ ଅକ୍ଷର ଉପରୁ ଗାର ଏଵଂ ଓଡ଼ିଆ ଅକ୍ଷର ଉପରୁ ମୁଣ୍ଡଳା ହଟାଇଦେଲେ ଉଭୟର ଆକାର ପ୍ରାୟତଃ ସମାନ ହୋଇଯିଵ ।

ଏଠାରେ ଅନ୍ୟ ଭାରତୀୟ ଲିପିଗୁଡି଼କରେ 'ତ୍କ'ର ସ୍ଵରୂପ କେମିତି ତାହାର ଉଦାହରଣ ଦିଆଗଲା

ଅହମିୟା—ৎক
ବାଲିନିଜ୍—ᬢ᭄ᬓ
ଗୁଜରାଟୀ— ત્ક
ବର୍ମୀଜ୍— တ္က
ବଙ୍ଗାଳୀ— ৎক
ଚାମ୍— ꩅꨆ
ଗ୍ରନ୍ଥ ଲିପି— 𑌤𑍍𑌕
ଗ୍ରନ୍ଥ ଲିପି—ത്ക(ପାଣ୍ଡ୍ୟ)
ଜାଭାନିଜ୍—ꦠ꧀ꦏ
କୈଥୀ—𑂞𑂹𑂍(ହିନ୍ଦୀର ପୁରୁଣା ଲିପି)
କନ୍ନଡ଼—ತ್ಕ
ଖରୋଷ୍ଠି—𐨟𐨿𐨐
ଲାଓ—ຕ຺ກ(ପାଲୀ),ຕກະ(ଆଧୁନିକ)
ମଳୟାଳମ—ത്ക
ନେୱା—𑐟𑑂𑐎(ନେପାଳ ଭାଷା)
ଗୁରମୁଖି—ਤ੍ਕ
ସୌରାଷ୍ଟ୍ର ଲିପି— ꢡ꣄ꢒ
ଶାରଦା ଲିପି—𑆠𑇀𑆑
ସୈଲହଟୀ ନାଗରୀ—ꠔ꠆ꠇ
ତାମିଲ—த்க
ତେଲୁଗୁ—త్క
ଥାଇ—ตฺก
ତିବେତାନ୍—ཏྐ
ତ୍ରିହୂତ—𑒞𑓂𑒏(ପ୍ରାଚୀନ ମୈଥିଳୀ ଲିପି)

ଵିଭିନ୍ନ ଲିପିରେ ତ୍କ ପାଇଁ ଥିଵା ଯୁକ୍ତାକ୍ଷରଗୁଡି଼କୁ ଅନୁଧ୍ୟାନ କଲେ
ଗୁଜରାଟୀ ଲିପିରେ ତ୍କ =  ત્ક,
ନେୱା ଵା ନେପାଳ ଭାଷାର ଲିପିରେ ତ୍କ = 𑐟𑑂𑐎
କୈଥୀ ଲିପିରେ ତ୍କ = 𑂞𑂹𑂍
ଏଵଂ ଦେଵନାଗରୀରେ ତ୍କ = त्क
ଏତିକି ମାତ୍ର ଭାଷାର ଯୁକ୍ତାକ୍ଷର ત્ક,𑐟𑑂𑐎,𑂞𑂹𑂍,त्क ସହିତ ଓଡ଼ିଆ ଲିପିର 'ତ୍କ' ସାମଞ୍ଜସ୍ୟ ସର୍ଵାଧିକ ରହିଛି ।

ତେବେ ଦେଵନାଗରୀରେ ତ୍ ସହିତ ଯେଉଁ ଅକ୍ଷର ବି ଯୁକ୍ତ କଲେ ସେହି ସମାନ ରୂପେ ହୋଇଥାଏ
ଯଥା—
त्क,त्ख,त्ग,त्घ,त्ज,त्थ,त्म ଇତ୍ୟାଦି

त्र(ତ୍ର) ଓ त्त(ତ୍ତ) ଏହାର ଵ୍ୟତିକ୍ରମ

କିନ୍ତୁ ଓଡ଼ିଆ ଲିପିରେ ଲେଖିଲାବେଳେ କେଵଳ
ତ୍କ,ତ୍ନ,ତ୍ପ,ତ୍ମ,ତ୍ସ ଏତିକି ଯୁକ୍ତାକ୍ଷରରେ ହିଁ 'କ' ଅକ୍ଷର ତଳେ 'ତ' ର ସାଂକେତିକ ହଳାକାର ଚିହ୍ନ ରହିଥାଏ ।

ବାକି ତ୍ଖ,ତ୍ଗ,ତ୍ଘ,ତ୍ଙ,ତ୍ଚ,ତ୍ଛ,ତ୍ଝ,ତ୍ଟ,ତ୍ଠ,ତ୍ଡ,ତ୍ଣ,ତ୍ଥ,ତ୍ଦ,ତ୍ଧ,ତ୍ଫ,ତ୍ଭ,ତ୍ଶ,ତ୍ଷ,ତ୍ହ
ଆଦିରେ ଦ୍ଵିତୀୟ ଅକ୍ଷର ପୂର୍ଣ୍ଣତଃ ଚିହ୍ନ ରୂପେ ଵ୍ୟଵହାର ହୁଏ ।

ପୁନଶ୍ଚ ଓଡ଼ିଆ ଲିପିରେ 'ତ' ସହ କେତେକ ଅକ୍ଷର ଯୁକ୍ତ ହେଲେ ସ୍ଵତନ୍ତ୍ର ଫଳା ଚିହ୍ନ ହୁଏ ଯଥା...
ଢ=ତ୍ଢ(ତ୍+ଢ)
ବ=ତ୍ବ(ତ୍+ବ)
ଵ=ତ୍ଵ(ତ୍+ଵ)
ଯ=ତ୍ଯ(ତ୍+ଯ)
ର=ତ୍ର(ତ+ର)
ଳ=ତ୍ଳ(ତ୍+ଳ)
ଲ= ତ୍ଲ(ତ୍+ଲ)

ସେହିଭଳି 'ତ୍' ସହିତ 'ତ' ମିଶିଲେ ଆମ ଲିପିରେ ଯୁକ୍ତାକ୍ଷର 'ତ୍ତ' ହୁଏ ।

ଓଡ଼ିଆ ଲିପିରେ କ୍ତ ଓ ତ୍କ ଯୁକ୍ତାକ୍ଷର ସହିତ ଅନ୍ୟ ଭାରତୀୟ ଲିପିର ସମାନ ଯୁକ୍ତାକ୍ଷର ମେଳ କରି ଆମେ ଜାଣିଲେ ଯେ ଦୁଇଗୋଟି ଭିନ୍ନ ଭିନ୍ନ ଦିଗରୁ 'ତ' ର  ସାଂକେତିକ ଚିହ୍ନ ପରିଵର୍ତ୍ତିତ ହୋଇଅଛି ଫଳତଃ ଏହା ଅଵୈଜ୍ଞାନିକ ନୁହେଁ ଵରଂ ଲିପି ମାନକୀକରଣର ଏକ ଉଦାହରଣ ।