Friday, October 4, 2024

ତିନୋଟି ଶ,ଷ ଓ ସ ର ଵ୍ୟଵହାର ଠିକ୍ କି ?

ବ୍ରାହ୍ମୀ ଲିପି ମୂଳର ଅଧିକାଂଶ ଭାରତୀୟ ଲିପିଗୁଡ଼ିକରେ
ତାଲଵ୍ୟ 'ଶ', ମୂର୍ଦ୍ଧନ୍ୟ 'ଷ' ଓ ଦନ୍ତ୍ୟ ସ' ଏହିପରି ତିନୋଟି ଶ,ଷ ଓ ସ ଅଛି । କେତୋଟି ମୁଖ୍ୟ ମୁଖ୍ୟ ଭାରତୀୟ ଲିପିରେ ତିନୋଟି ଯାକ 'ଶ','ଷ' ଓ 'ସ'ର ସ୍ଵରୂପ ନିମ୍ନରେ ପ୍ରଦତ୍ତ ହେଲା। 

•ଵିଭିନ୍ନ ଭାରତୀୟ ଲିପିରେ ତାଲଵ୍ୟ 'ଶ'ର ରୂପ...
-ବ୍ରାହ୍ମୀ = 𑀰
-ଓଡ଼ିଆ= ଶ
-ଦେଵନାଗରୀ = श
-କାମରୂପୀ = শ
-ଗୁରମୁଖୀ = ਸ਼
-ଗୁଜରାଟୀ = શ
-ତାମିଳ = ஶ
-ତେଲୁଗୁ= శ
-କନ୍ନଡ଼= ಶ
-ମଳୟାଳମ = ശ
-ତିବ୍ବତୀ = ཤ
-ସୌରାଷ୍ଟ୍ରୀ = ꢯ
-କୈଥୀ = 𑂬
-ମୈତୈ = ꫩ
-ଶାରଦା = 𑆯
-ନେୱା = 𑐱

•ଵିଭିନ୍ନ ଭାରତୀୟ ଲିପିରେ ମୂର୍ଦ୍ଧନ୍ୟ 'ଷ'ର ରୂପ...
-ବ୍ରାହ୍ମୀ= 𑀱
-ଓଡ଼ିଆ = ଷ
-ଦେଵନାଗରୀ = ष
-କାମରୂପୀ = ষ
-ଗୁଜରାଟୀ = ષ
-ତାମିଳ = ஷ
-ତେଲୁଗୁ = ష
-କନ୍ନଡ଼= ಷ
-ମଳୟାଳମ = ഷ
-ତିବ୍ବତୀ = ཥ
-ସୌରାଷ୍ଟ୍ରୀ = ꢰ
-କୈଥୀ = 𑂭
-ମୈତୈ = ꫪ
-ନେୱା = 𑐲
-ଶାରଦା = 𑆰

•ଵିଭିନ୍ନ ଭାରତୀୟ ଲିପିରେ ଦନ୍ତ୍ୟ 'ସ'ର ରୂପ...
-ବ୍ରାହ୍ମୀ = 𑀲
-ଓଡ଼ିଆ = ସ
-ଦେଵନାଗରୀ = स
-କାମରୂପୀ = স
-ଗୁରମୁଖୀ = ਸ
-ଗୁଜରାଟୀ= સ
-ତାମିଳ = ஸ
-ତେଲୁଗୁ = స
-କନ୍ନଡ଼ = ಸ
-ମଳୟାଳମ = സ
-ତିବ୍ବତୀ = ས
-ସୌରାଷ୍ଟ୍ରୀ = ꢱ
-କୈଥୀ = 𑂮
-ଶାରଦା = 𑆱

ରୋମାନ ଲିପିରେ 'ଶ'କୁ Śə ଵା Sha,ମୂର୍ଦ୍ଧନ୍ୟ 'ଷ'କୁ Ṣə ଵା Ssa ଓ ଦନ୍ତ୍ୟ 'ସ'କୁ Sə ଵା Sa ଲେଖାଯାଏ । ଅଶୋକଙ୍କ ବ୍ରାହ୍ମୀ ଶିଳାଲେଖରେ 'ଶ','ଷ' ଓ 'ସ'ର ବ୍ରାହ୍ମୀ ରୂପ ଵ୍ୟଵହାର ହୋଇଛି। ପୁଣି ତତ୍କାଳୀନ ସମୟରେ ୦୧୨୩୪୫୬୭୮୯ ଇତ୍ୟାଦି ଭାରତୀୟ ସଂଖ୍ୟା ଗଣନ ପଦ୍ଧତି ଥିଲେ ବି କେତେକ ନିର୍ଦ୍ଧିଷ୍ଟ ଗାଣିତିକ ସମୀକରଣ ପାଇଁ ଆର୍ଯ୍ୟଭଟ୍ଟଙ୍କ ଦ୍ଵାରା ସଂଖ୍ୟା ଗଣନ ପଦ୍ଧତି କ୍ଷେତ୍ରରେ ତାଲଵ୍ୟ 'ଶ' ତଥା ମୂର୍ଦ୍ଧନ୍ୟ 'ଷ' ଓ ଦନ୍ତ୍ୟ ସ' ଵ୍ୟଵହାର କରାଯାଇଛି। 
ଯଥା: 
ଶ = ୭୦ 
ଶି = ୭୦୦୦
ଶୁ = ୭୦୦୦୦୦ 
ଶୃ = ୭୦୦୦୦୦୦୦
ଶୢ = ୭×୧୦୯
ଶେ = ୭×୧୦୧୧
ଶୈ = ୭×୧୦୧୩ 
ଶୋ = ୭×୧୦୧୫ 
ଶୌ = ୭×୧୦୧୭

ଷ = ୮୦
ଷି = ୮୦୦୦
ଷୁ = ୮୦୦୦୦୦
ଷୃ = ୮୦,୦୦୦,୦୦୦
ଷୢ = ୮×୧୦୯ 
ଷେ = ୮×୧୦୧୧
ଷୈ = ୮×୧୦୧୩ 
ଷୋ = ୮×୧୦୧୫ 
ଷୌ = ୮×୧୦୧୭ 

ସ = ୯୦ 
ସି = ୯,୦୦୦ 
ସୁ = ୯୦୦,୦୦୦ 
ସୃ = ୯୦,୦୦୦,୦୦୦
ସୢ = ୯×୧୦୯ 
ସେ = ୯×୧୦୧୧ 
ସୈ = ୯×୧୦୧୩ 
ସୋ = ୯×୧୦୧୫ 
ସୌ = ୯×୧୦୧୭ 

ଭାରତୀୟ ତାଲଵ୍ୟ 'ଶ'ର ବ୍ରାହ୍ମୀ ରୂପ 𑀰(ଶ) ଦେଖିଵାକୁ ତୀରମୁଣ୍ଡ ପରି ଏଵଂ ଏହି ଅକ୍ଷରର ସାମଞ୍ଜସ୍ୟ ଆରମାଇକ
Shin (šīn) ସହିତ ରହିଛି । ଫୋଏନିସିଅନ୍ šīn 𐤔,ହିବ୍ରୁ šīn ש‎, ଆରାମାଇକ šīn 𐡔, ସିରିଆକ୍ šīn ܫ ଓ Arabic sīn س‎ ଓ šīn ش‎‎‎ ସହିତ ଭାରତୀୟ ତାଲଵ୍ୟ 'ଶ'ର ଲିପିତାତ୍ତ୍ଵିକ ସମ୍ପର୍କ ଥିଵା ପାଶ୍ଚାତ୍ୟ ଗଵେଷକ ଅନୁମାନ କରନ୍ତି । 

ପାଶ୍ଚାତ୍ୟ ଗଵେଷକମାନଙ୍କ ଅନୁସାରେ ଫୋଏନିସିଅନ୍ sāmek 𐤎,ହିବ୍ରୁ sāmeḵ ס‎, ଆରମାଇକ୍ samek 𐡎, ସିରିଆକ୍ semkaṯ ܣ ,ମଗରେବୀ ଆରବିକ ṣād ص ,ଗ୍ରୀକ୍ xi (Ξ) ଓ ରୋମାନ X ସହିତ ଭାରତୀୟ ମୂର୍ଦ୍ଧନ୍ୟ 'ଷ'ର ଉଚ୍ଚାରଣଗତ ତଥା ଲିପି ତତ୍ତ୍ଵ ଭିତ୍ତିକ ସାମ୍ୟ ରହିଛି ।‌ ପୁଣି ସେଇ 
 ସୁମେଖ୍ ଅକ୍ଷର ସହିତ ଭାରତୀୟ ଦନ୍ତ୍ୟ ସ' ଅକ୍ଷରର ଲିପିତାତ୍ତ୍ଵିକ ସମ୍ପର୍କ ଥିଵା ପାଶ୍ଚାତ୍ୟ ଗଵେଷକ ମତ ଦିଅନ୍ତି । 
 
ମୋଟ ଉପରେ କହିଵାକୁ ଗଲେ ଆଜକୁ ପ୍ରାୟ ଦୁଇ ହଜାର ଵର୍ଷ ପୂର୍ଵେ ବି ଭାରତରେ ତିନୋଟି "ଶ,ଷ ଓ ସ" ଵ୍ୟଵହାର ଚଳୁଥିଲା । କୃଷ୍ଣ,ସରସ ଓ ଵିଶ୍ଵ ଭଳି ଶବ୍ଦଗୁଡ଼ିକୁ ମୁଖରେ ଉଚ୍ଚାରଣ କଲେ ଆପେ ଶ,ଷ ଓ ସ କ୍ଷେତ୍ରରେ ଭିନ୍ନ ଭିନ୍ନ ସ୍ଥାନକୁ ଜିଭ ଚାଲିଯାଏ । ଆମ ପ୍ରାଚୀନ ପୂର୍ଵଜ ଏହା ଜାଣିପାରି ଗୋଟିଏ ନୁହେଁ ଵରଂ ତିନୋଟି ଶ,ଷ ଓ ସ ଅକ୍ଷର ଲିଖନ ପରମ୍ପରା ପ୍ରଚଳନ କରାଇଥିଲେ । ଯୋଉମାନେ କୁହନ୍ତି ଆଗେ 'ଶ' ଓ 'ଷ' ନଥିଲା କେଵଳ 'ସ' ଥିଲା ସେମାନଙ୍କୁ ପ୍ରଶ୍ନ; ଯଦି 'ଶ' ଓ 'ଷ' ନଥିଲା ତାହେଲେ ଦୁଇ ହଜାର ଵର୍ଷ ତଳର ବ୍ରାହ୍ମୀ ଲିପିରେ କେମିତି 𑀰(ଶ) 𑀱(ଷ) ଓ 𑀲(ସ) ଏହି ତିନୋଟି ଭିନ୍ନ ଭିନ୍ନ ଅକ୍ଷର ଥିଲା ? 
ଆଜକୁ ପନ୍ଦରଶହ ଵର୍ଷ ତଳେ ଚତୁର୍ଥ - ପଞ୍ଚମ ଶତାବ୍ଦୀର ଆର୍ଯ୍ୟଭଟ୍ଟ କେମିତି 'ଶ'କୁ ୭୦,'ଷ'କୁ ୮୦ ଓ 'ସ'କୁ ୯୦ ଵଇଚଆର କରଇ ସ୍ଵତନ୍ତ୍ର ଗଣନ ପଦ୍ଧତି ଵ୍ୟଵହାର କରିଥିଲେ । ଓଡ଼ିଆ ଲିପିର ଶ,ଷ ଓ ସ ତଥଆ ଏହାର ପ୍ରାଚୀନ ବ୍ରାହ୍ମୀ ରୂପ 𑀰(ଶ),𑀱(ଷ) ଓ 𑀲(ସ)କୁ ମିଳାଇ ଦେଖିଲେ ହୃଦବୋଧ ହୁଏ ଯେ ହଜାର ହଜାର ଵର୍ଷ ଧରି ନିରନ୍ତର ଲିଖନ ଯୋଗୁଁ କାଳକ୍ରମେ ତିନୋଟି ଯାକ ଶ,ଷ ଓ ସ ର ସ୍ବରୂପ ଅନେକାଂଶରେ ପରିଵର୍ତ୍ତିତ ହୋଇଛି। ଲିପି ଵିଵର୍ତ୍ତନକୁ ନବୁଝି
ରୋମାନ ଲିପିରେ କେଵଳ 'S' ଅଛି ଆମେ ବି 'ଶ' ଆଉ 'ଷ'କୁ କାଟି କେଵଳ 'ସ'କୁ ରଖିବୁ ବୋଲି ଯୁକ୍ତି କରୁଥିଵା ଲୋକେ ବୁଝିଵା ଉଚିତ ଯେ ଇଂରାଜୀ ଭାଷାରେ ବି ଏ ଧରଣର ଉଚ୍ଚାରଣ ଭିନ୍ନତା ରହିଛି। ଇଂରାଜୀରେ ମଧ୍ୟ s, sh, ss, sc, c, ti ଇତ୍ୟାଦି ଅନ୍ୟୁନ ଛଅଟି ପ୍ରକାରେ ଶ,ଷ,ସ ଲେଖାଯାଏ l ଇଂରାଜୀରେ cell, sail, shell, ratio ଇତ୍ୟାଦିରେ ଭିନ୍ନ ଭିନ୍ନ ସ ରହିଛି । ସେମାନେ କେବେ ସବୁ ମିଶାଇ S କରିଵାକୁ ଚିନ୍ତା କରନ୍ତି ନାହିଁ । ୟୁରୋପୀୟମାନେ ତିନୋଟି ଅକ୍ଷର କରିପାରିଲେ ନାହିଁ ବୋଲି ଆଜି ସେଇ ଦୁର୍ଭାଗ୍ୟ ଯୋଗୁଁ ଭିନ୍ନ ଭିନ୍ନ ଶବ୍ଦରେ ଵିଭିନ୍ନ ପ୍ରକାରର ଶ,ଷ,ସ ଉଚ୍ଚାରଣ ପାଇଁ S ସହିତ ଅନ୍ୟ alphabet ଯୋଡ଼ିଵାକୁ ବାଧ୍ୟ ହେଉଛନ୍ତି ପୁଣି କେତେକ କ୍ଷେତ୍ରରେ C ଓ ti ଭଳି ଭିନ୍ନ alphabet ମଧ୍ୟ ଵ୍ୟଵହାର କରୁଛନ୍ତି। ଏ ଦୃଷ୍ଟିରୁ ଦେଖିଲେ ଆମ ପୂର୍ଵଜ ତିନୋଟି ଭିନ୍ନ ଭିନ୍ନ ଶ,ଷ ଓ ସ ଅକ୍ଷର କରି ଭୁଲ୍ କରିଥିଲେ ନା ଆଜି ଯୋଉମାନେ ଶ ଓ ଷ କୁ କାଟି କେଵଳ ସ ରଖି ପିଲାଝିଲାଙ୍କ ପାଇଁ ଭାଷା ସରଳ କରିବୁ ବୋଲି ହେଣ୍ଡି ମାରୁଛନ୍ତି ସେମାନେ ଭୁଲ୍ କରୁଛନ୍ତି?

No comments:

Post a Comment

ଵିପନ୍ନର ଉଦ୍ଧାର(ଶ୍ରୀରାମକୃଷ୍ଣ ନନ୍ଦ)

ଵିଦ୍ୟାଳୟରେ ପଢୁଥିଵା ବେଳେ ଆମକୁ ସାହିତ୍ୟ ବହିରେ ସ୍ବର୍ଗତ ଶ୍ରୀରାମକୃଷ୍ଣ ନନ୍ଦଙ୍କ ଏକ ପ୍ରବନ୍ଧ ପଢାଯାଉଥିଲା #ଵିପନ୍ନରଉଦ୍ଧାର .....!!!! ଏହି ପ୍ରବନ୍ଧଟିରେ ୧୯୩୭ ...