ଜଙ୍ଗଲରେ ଗୋଟିଏ ମୂଷା ଓ ହରିଣ ମିଶା ଜୀଵଟିଏ ଦେଖାଯାଏ ଯାହାକୁ ଓଡ଼ିଆ ଭାଷାରେ କୁରାଣ୍ଟି,ଖୁରାଣ୍ଟି,ଖୋଲଟି,କୁରୁଙ୍ଗ,ଖୁରଙ୍ଗ,ଖୁରିଙ୍ଗ,ଖୁରୁଙ୍ଗ ଓ ଚିଥଲା ଇତ୍ୟାଦି କହିଥାନ୍ତି । ସାଧାରଣ ଇଂରାଜୀ ଭାଷାରେ ଏ ଜୀଵକୁ Mouse deer ଓ chevrotain କୁହାଯାଏ । ତେବେ ଭାରତରେ ଦେଖାଯାଉଥିଵା chevrotain ଜାତୀୟ ଖୁରାଣ୍ଟି ଜୀଵର ଵୈଜ୍ଞାନିକ ନାମ Moschiola indica ଅଟେ । ସେହିପରି ଦକ୍ଷିଣ ପୂର୍ଵ ଏସିଆ ଓ ଆଫ୍ରିକାରେ ଯଥାକ୍ରମେ Tragulus ଓ
Hyemoschus ଜାତୀୟ ଖୁରାଣ୍ଟି ଦେଖାଯାଆନ୍ତି ଏଵଂ ଏମାନଙ୍କର କୁଳ ଗୋଟିଏ ଯାହାର ନାମ Tragulidae ଅଟେ । ଏହି ଖୁରାଣ୍ଟିମାନେ Artiodactyla ଵର୍ଗର ଜୀଵ ଯହିଁରେ ହରିଣଠାରୁ ଜିରାଫ ପର୍ଯ୍ୟନ୍ତ ଅନେକ ଜୀଵଙ୍କୁ ରଖାଯାଇଛି ।
ଖୁରାଣ୍ଟିମାନଙ୍କର ସଂସ୍କୃତ ନାମ ନ୍ୟଙ୍କୁ,ଚିତ୍ରମୃଗ ଓ କୁରଙ୍ଗ ଅଟେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ନ୍ୟଙ୍କୁ ଶବ୍ଦ ତଳେ ଖୁରାଣ୍ଟି ଜୀଵ ସମ୍ବନ୍ଧରେ କୁହାଯାଇଛି ଯେ ଏ ଜୀଵ ପ୍ରାୟ ଆଠ ଆଙ୍ଗୁଳ ଉଚ୍ଚ ହୁଏ। ଏହାର ଗୋଡ଼ ଅତି ସରୁ; ପଛଆଡ଼ ଉଚ୍ଚା; ଗଳାର ଲୋମ ଦେହ ଲୋମ ଅପେକ୍ଷା ବଡ଼। ଏହା ଶୃଙ୍ଗହୀନ।
ତେବେ ଭାଷାକୋଷ ଅନୁସାରେ ଓଡ଼ିଆ ଭାଷାରେ ଖୁରାଣ୍ଟି ଶବ୍ଦର ଚାରୋଟି ଅର୍ଥ ହେଲା ନ୍ୟଙ୍କୁ,ନଈକୂଳ ବନ୍ଧର ଅଗ୍ରଭାଗ,ଏକପ୍ରକାର ସାମୁଦ୍ରିକ ଲୁଣିମାଛ ଓ ହିନ୍ଦୀଭାଷା । ଅର୍ଥାତ ଆଗେ ଓଡ଼ିଆମାନେ ହିନ୍ଦୀ ଭାଷାକୁ ଖୁରାଣ୍ଟି କହୁଥିଲେ । ତେବେ ପ୍ରଶ୍ନ ଉଠେ ଏଭଳି ନାମକରଣ ପଛର କାରଣ କ'ଣ ?
କ'ଣ ଖୁରାଣ୍ଟି ଜୀଵକୁ ଦୃଷ୍ଟିରେ ରଖି ଏଭଳି ନାମକରଣ ହୋଇଥିଲା ? ଖୁରାଣ୍ଟି ଜୀଵଟି ଦେଖିଵାକୁ ମୂଷା ଓ ହରିଣ ମିଶା ଅର୍ଥାତ ଏ ଜୀଵକୁ ଦେଖିଲେ ଯେ କେହି ଭାବିଵ ହରିଣ ଓ ମୂଷାର ରୂପକୁ ପ୍ରକୃତି ଗୋଟିଏ ଜୀଵରେ ଥୋଇ ଦେଇଛି । ଠିକ୍ ସେହିପରି ହିନ୍ଦୀ ଭାଷାକୁ ଦେଖିଲେ ଲାଗେ ସତେ ଯେମିତି ଏ ଭାଷାକୁ ଆରବୀ ପାର୍ସୀ ଭଳି ଵୈଦେଶିକ ଭାଷାର ଶବ୍ଦ ଓ ଗୁଣ ଏଵଂ ସଂସ୍କୃତ ତଥା ପ୍ରାକୃତ ମୂଳର ଶବ୍ଦ ଆଉ ଗୁଣ ମିଶ୍ରଣରେ ଫେଣ୍ଟା ଫେଣ୍ଟି କରିଦିଆଯାଇଛି । ତାହେଲେ କ'ଣ ଏ ଦୃଷ୍ଟିରୁ ଆଗେ ଓଡ଼ିଆମାନେ ହିନ୍ଦୀ ଭାଷାକୁ ଖୁରାଣ୍ଟି କହୁଥିଲେ ?
ମାତ୍ର ଅନ୍ୟ ଏକ ମତ ଏହାର ଖଣ୍ଡନ କରେ । ଓଡ଼ିଆ ଭାଷାର, ଉତ୍ତରରେ ଷଡ଼ୈକଳା ଖରସୁଆଁ ସିଂହଭୂମି ମେଦିନୀପୁର ଆଦି ଜିଲ୍ଲାଠାରୁ ଆରମ୍ଭ କରି ଦକ୍ଷିଣରେ ଶ୍ରୀକାକୁଲମ ଜିଲ୍ଲା ପର୍ଯ୍ୟନ୍ତ ପ୍ରଭାଵ ରହିଛି । ଅଧୁନା ଓଡ଼ିଶାର ଉତ୍ତର ଵିଚ୍ଛିନ୍ନାଞ୍ଚଳ ଷଡ଼ୈକଳା ଖରସୁଆଁ ଅଞ୍ଚଳଟି ଝାଡ଼ଖଣ୍ଡ ରାଜ୍ୟରେ ଅଵସ୍ଥିତ । ଏହି ଝାଡ଼ଖଣ୍ଡ ରାଜ୍ୟରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଲାଗି ଏକ ଇଣ୍ଡିକ୍ ଭାଷା ପ୍ରଚଳିତ ଯାହାର ନାଆଁ ଖୋରଠା ଅଟେ । ଭାଷାଵିଦମାନଙ୍କ ଅନୁସାରେ ଏହି ଭାଷାଟି ମଗହୀ ଭାଷାର ଏକ ଶୈଳୀ ଏଵଂ ଏହାକୁ ପୂର୍ଵମଗହୀ ବି କୁହାଯାଏ । ଭାଷାଵିଦଙ୍କ ଅନୁଯାୟୀ ଖୋଟ୍ଟା ଶବ୍ଦରୁ ଖୋରଠା ଭାଷାର ନାମକରଣ ହୋଇଥିଲା । ଏ ଭାଷାଟି ଓଡ଼ିଆ ଅଞ୍ଚଳ ପାଖରେ ଚଳୁଥିଵାରୁ, ଏଥିରେ ଓଡ଼ିଆ, ସାନ୍ତାଳୀ ଏଵଂ ଅନ୍ୟାନ୍ୟ ଜନଜାତୀୟ ଭାଷାର ପ୍ରଭାଵ ପଡ଼ିଥିଲା ତେଣୁ ଏହା ମିଶ୍ର ଭାଷା ହେଵାରୁ ଏହାକୁ ଖୋଟ୍ଟା ଭାଷା କହୁଥିଲେ ଯାହା ପରେ ଲୋକମୁଖରେ ଖୋରଠା ହୋଇଅଛି । ତେବେ ଏହି ଖୋରଠା ଭାଷାର ଉଲ୍ଲେଖ ବ୍ରଜନାଥ ବଡ଼ଜେନା ତାଙ୍କ ସମରତରଙ୍ଗରେ ଏମନ୍ତ କରିଛନ୍ତି
“ସଂସ୍କୃତ ପରାକୃତ ଖୋରଠା ବୋଲି
ନାନା ଭାଷାରେ ଗୀତ କବିତା କଲି।”
ଭାଷାକୋଷ ଅନୁସାରେ ଏଠାରେ ବ୍ରଜନାଥ ବଡ଼ଜେନା ହିନ୍ଦୀ ଭାଷାକୁ ଖୋରଠା କହିଛନ୍ତି । ତେଣୁ ବହୁତ ସମ୍ଭଵ ଓଡ଼ିଆ ଅଞ୍ଚଳକୁ ଲାଗିକରି ପ୍ରଚଳିତ ଥିଵା ଖୋରଠା ଭାଷା ଆଧାରରେ ହିନ୍ଦୀ ଭାଷାର ଓଡ଼ିଆ ନାମକରଣ ପରେ ପରେ ଖୁରାଣ୍ଟି ହୋଇଥାଇପାରେ ।
ସେ ଯାହାହେଉ ଆଗେ ଓଡ଼ିଆ ଭାଷାରେ ହିନ୍ଦୀ ଵାକ୍ୟ ଵା ଶବ୍ଦ ମିଶ୍ରଣ କରିଵା କ୍ରିୟା ଵା କୁକର୍ମକୁ ଖୁରାଣ୍ଟି ଚଲାଇଵା କୁହାଯାଉଥିଲା । ସମ୍ଭଵତଃ ଆମ ପୂର୍ଵଜମାନେ ହିନ୍ଦୀରୁ ଆଣି ଓଡ଼ିଆରେ ଅବାଧରେ ଶବ୍ଦ ଓ ପଦ ମିଶ୍ରଣକୁ ନିତାନ୍ତ ଅନାଵଶ୍ୟକ ଓ ଘୃଣ୍ୟକର୍ମ ମନେ କରୁଥିବେ ସେଥିପାଇଁ ଏଭଳି ଏକ କ୍ରିୟାଶବ୍ଦ ସୃଷ୍ଟି ହୋଇଥିଵ । କିନ୍ତୁ ଆଜିର ପିଢ଼ିକୁ ଓଡ଼ିଆ ଭାଷାରେ ଅଯଥା ହିନ୍ଦୀ,ଆରବୀ,ପାର୍ସୀ ଓ ଇଂରାଜୀ ଭାଷାର ଶବ୍ଦ ତଥା ପଦ ମିଶାଇ କଥା ହେଉଥିଵାର ଦେଖି ସେମାନେ ନିଶ୍ଚୟ ଲଜ୍ଜିତ ହେଉଥିବେ । କୁଳ ବୁଡ଼ିଗଲା ବେଳେ କୁଳାଙ୍ଗାର ସନ୍ତାନ ଜନ୍ମନ୍ତି । ଜାତି ବୁଡ଼ିଗଲାବେଳେ ବି ସେହିପରି ଶାରୀରିକ,ଆର୍ଥିକ, ସାଂସ୍କୃତିକ ଓ ରାଜନୈତିକ ଇତ୍ୟାଦି ସବୁକ୍ଷେତ୍ରରେ ଆନ ଜାତିଦ୍ଵାରା ପ୍ରଭାଵିତ ହୋଇଥିଵା ଦୁର୍ଵଳ ଓ ମୂଢ଼ ବଂଶଜ ଜାତ ହୋଇଥାନ୍ତି ।
No comments:
Post a Comment