ତେବେ ଏହା ମୂଳତଃ ଏକ ପାର୍ସୀ ଶବ୍ଦ ଅର୍ଥାତ ଇରାନ ଦେଶର ଶବ୍ଦ ଅଟେ । ପାର୍ସୀ دانه (dâne) ଶବ୍ଦଟି
ପାରସ୍ୟ ଦେଶରେ ଶସ୍ୟ,ଵୀଜ,କୋଳି ଓ ଵୀର୍ଯ୍ୟ ଅର୍ଥରେ ପ୍ରୟୋଗ କରାଯାଇଥାଏ ଏଵଂ ଏହି ଶବ୍ଦଟି ଆରବୀ ଭାଷାରେ ଯାଇ ଦାନା ହୋଇ ମୁକ୍ତା ଅର୍ଥରେ ପ୍ରୟୋଗ ହେଉଅଛି।
ପାର୍ସୀ ଭାଷାର ଏହି ଦାନା ଶବ୍ଦ ଟି କିନ୍ତୁ ଭାରୋପୀୟ ଭାଷାପରିଵାରର ଶବ୍ଦ ଏଵଂ ଆଧୁନିକ ଭାଷାଵିଦମାନେ ଏହାର ପ୍ରାକ୍ ଭାରୋଇରାନୀୟ ରୂପ *dʰaHnáH ଓ ପ୍ରାକ୍ ଆର୍ଯ୍ୟରୂପ
*dʰaHnáH ନିର୍ଣ୍ଣୟ କରିଛନ୍ତି ।
ଏ ଦୃଷ୍ଟିରୁ ସଂସ୍କୃତ ଧାନ୍ୟ ଓ ଧାନା(dhānā́) ଶବ୍ଦ ସହିତ ପାର୍ସୀ دانه (dâne) ଓ ଏହାର ଆରବୀ ରୂପ دانة (dāna)ର ସଗୋତ୍ରୀୟ ସମ୍ପର୍କ ଅଛି । ପୁଣି ଏ ସମସ୍ତ ଭାରୋଇରାନୀୟ ଶବ୍ଦଗୁଡ଼ିକର ମୂଳ ଭାରୋପୀୟ ଶବ୍ଦରୂପ *dʰoHnéh₂
ନିର୍ଣ୍ଣିତ ହୋଇଛି ଯହିଁରୁ ଗୋଟିଏ ପଟେ ସଂସ୍କୃତ ଭାଷାରେ ଧାନ୍ୟ, ଓଡ଼ିଆ ଭାଷାରେ ଧାନ ଶବ୍ଦ ସୃଷ୍ଟି ହୋଇଥିଲାବେଳେ ଅନ୍ୟ ଏକ ଦିଗରେ ଲିଥୁଆନିଆରେ ବ୍ରେଡ୍ ଅର୍ଥରେ ପ୍ରୟୋଗ ହେଉଥିଵା dúona ଶବ୍ଦ ଜାତ ହୋଇଅଛି । ଲୁପ୍ତପ୍ରାୟ ଭାରୋପୀୟ ଭାଷା Tocharian Bର tāno(ଶସ୍ୟ) ଓ ଆର୍ମେନୀୟ դոն (don) ଶବ୍ଦ ମଧ୍ୟ ଏହି ଶବ୍ଦ ମୂଳର ଶବ୍ଦ ବୋଲି ଜଣାଯାଏ ।
ଭାରତରେ ସାଧାରଣତଃ ଘୋଡ଼ା; ଗୋରୁ ଆଦିଙ୍କ ଖାଇଵା ଶସ୍ୟକୁ ଦାନା କୁହନ୍ତି । ତେଣୁ ଘୋଡ଼ା ଦାନା; ବଳଦଙ୍କ ଦାନା ଇତ୍ୟାଦି କୁହାଯାଏ । କୋଳଥ, ବିରି, ବୁଟ, ଚଣା ଆଦି ଦାନାରୂପେ ଵ୍ୟଵହୃତ ହୁଏ।
ଏତଦଵ୍ୟତୀତ ସ୍ଥଳ ଵିଶେଷରେ
ମଟର ପରି ଛୋଟ ଛୋଟ ଗୋଲାକାର ବୀଜକୁ ବି ଦାନା କୁହନ୍ତି। ଛୋଟ ଛୋଟ ଗୋଲ ଵସ୍ତୁ ଵା ରୁଆକୁ କେହି କେହି ଦାନା କୁହନ୍ତି । ଖାଦ୍ୟ; ଅନ୍ନ ଵା ଭୋଜ୍ୟଵସ୍ତୁକୁ ଦାନା କୁହନ୍ତି । ମାଳା ଗୁନ୍ଥାଯିଵା ସୁନା ଆଦିର କ୍ଷୁଦ୍ର ଗୋଲକକୁ ଦାନା କୁହାଯାଏ । ଅନ୍ନସଂସ୍ଥାନଦ୍ଵାରା ଦାନା ଵା ଅନ୍ନ ଯୋଗାଡ଼ ହୁଏ ବୋଲି ଜୀଵିକାକୁ ମଧ୍ୟ ଦାନା କୁହାଯାଏ ।
ଅଵଶ୍ୟ ପାର୍ସୀରେ ଦାନା ଶବ୍ଦଟି ଶସ୍ୟ ଅର୍ଥରେ ପ୍ରୟୋଗ ହୁଏ କିନ୍ତୁ ଭାରତୀୟ ଇଣ୍ଡିକଭାଷାଗୁଡ଼ିକରେ ବି ଏହା ସହିତ ସଗୋତ୍ରୀୟ ସମ୍ପର୍କ ଥିଵା ଧାନ,ଧାନା ଓ ଧାନ୍ୟ ଭଳି ଶବ୍ଦ ଚଳୁଅଛି । ତେଣୁ ପାର୍ସୀ ଶବ୍ଦ ସହିତ ସମ୍ପର୍କ ଥିଲେ ମଧ୍ୟ ଦାନା ଶବ୍ଦଟିକୁ ଵୈଦେଶିକ କହିଵାକୁ ମନ ବଳୁନାହିଁ ।
ଅସ୍ତୁ ଓଡ଼ିଆ ଭାଷାରେ ଆଗେ
ରାକ୍ଷସ, ଅସୁର ଓ ଭୂତ ଅର୍ଥରେ ଦାନା ବୋଲି ଏକ ଶବ୍ଦ ଚଳୁଥିଲା ବୋଲି ଭାଷାକୋଷରୁ ଜଣାଯାଏ ଯାହା ସଂସ୍କୃତ ଦାନଵ ସହିତ ସମୋଦ୍ଧୃତ ।
No comments:
Post a Comment