ସନ୍ଧ୍ୟା ସାତଟାରେ ଭଗିଆଟା ଗାଆଁ ଚାନ୍ଦିନୀ ଉପରେ ବସି ମୋବାଇଲି କେଞ୍ଚୁଛି ଏତିକିବେଳେ କୋଉଠେ ଥିଲା କେଜାଣି ମାଧିଆ ଆସି ସେଠି ପହଞ୍ଚିଗଲା। ଭଗିଆ ଜାଣିଥିଲା ,ମାଧଵ ଆସିଛି ମାନେ କିଛି ନା କିଛି ପଚାରିଵ ନିଶ୍ଚୟ । ମାଧଵ କଥା ଭିନ୍ନ,ତା ମୁହଁ ଶୁଖିଯାଇଥାଏ ଯେ ମଣ୍ଡପରେ ମନ ଦୁଃଖରେ ବସିଗଲା କିନ୍ତୁ କିଛି କହିଲା ନାହିଁ । ଭଗିଆଟା ମାଧଵର ଏମନ୍ତ ଅଵସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲା, ପଚାରିଲା- “କ'ଣ ହେଇଛି କିରେ ?
କାଇଁ ଏମିତି ବଇଚୁ ? କିଏ ମାଇଲା ନା ଗାଳିମନ୍ଦ କଲା ଵା ?”
ମାଧଵ ସେହିପରି ମୁହଁ ଶୁଖେଇ କହିଲା -“ନାଇଁ ମ ଭାଇ ଆଜି କଲେଜରେ ବଡ଼ ଝଗଡ଼ାଟେ ହେଇଗଲା ସେଥିପାଇଁ ମନଟା ଭାରି ଦୁଃଖ । ଦେଖୁନା ସେ ଅପର୍ତ୍ତି ପୁଅ ନରିଆ ବଡ଼ ବଦମାସ୍, ତା'ର ସାହସ କମ୍ ନୁହଁ ମ କହୁଛି କ'ଣ ନା ଆମ 'ନିଆଁ' ଶବ୍ଦଟା କୁଆଡେ଼ ଗୋଟେ ଆରବୀ ଶବ୍ଦ । ମୁଁ ବି କୋଉ ଛାଡ଼ିଵା ଯନ୍ତୁ ? ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦେଖେଇ ଦେଲି ଆଉ କହିଲି ଦେଖବେ ନରି ନା ନାରୀ ଏଠି କ'ଣ ଲେଖା ହେଇଛି ନା "ଅଗ୍ନିର ଵିପର୍ଯ୍ୟସ୍ତ ରୂପ ହେଲା ଗ୍ନିଅ ଆଉ କ୍ରମେ ସେଇ ଗ୍ନିଅ ଶବ୍ଦରୁ ଓଡ଼ିଆ ଭାଷାରେ ନିଆଁ ଶବ୍ଦ ସୃଷ୍ଟି ହୋଇଛି । ନା କ'ଣ କହୁଛ କହିଲ ! ମୁଁ କ'ଣ ଭୁଲ୍ କହିଥିଲି କି ? ଏଇ କଥାକୁ ସେ ଅପର୍ତ୍ତି ପୁଅ ମୋ ଉପରେ ରାଗି ବାଡ଼େଇଵାକୁ ବାହାରି ପଡ଼ିଲା !”
ମାଧଵ କଥା ଶୁଣି ଭଗିଆ କହିଲା - ଆରବୀ କ'ଣ ଵା ପୃଥିଵୀର ଅନେକ ଭାଷାରେ 'ନ' ଆଦ୍ୟରୁ ଅଗ୍ନିର ନାମ ଅଛି । ଉଦାହରଣ ସ୍ୱରୂପ ଅଗ୍ନିକୁ ଅରବୀରେ نَار (nār) ,Amis ଭାଷାରେ namal,ହିବ୍ରୁରେ נורא (nūrā’),Aymara ଭାଷାରେ nina ଓ Quechua ଭାଷାରେ ବି nina କୁହନ୍ତି । ଏହି ଭାଷାମାନ ଭିନ୍ନ ଭିନ୍ନ ଭାଷାପରିଵାରର ତେଣୁ ଅଗ୍ନି ଅର୍ଥଜ ପ୍ରୋକ୍ତ ଶବ୍ଦଗୁଡ଼ିକର ମୂଳ ଶବ୍ଦଉତ୍ସ ମଧ୍ୟ ଭିନ୍ନ ଭିନ୍ନ । ଆରବୀ ନାର ଶବ୍ଦରୁ ଓଡ଼ିଆ ଭାଷାରେ ନିଆଁ ହୋଇଛି କହିଵା ଠିକ୍ ନୁହେଁ । ସମାନତା ଦୃଷ୍ଟିରୁ ଵରଂ ବାଲିଭିଆରେ ବୋଲାଯାଉଥିଵା ଜନଜାତୀୟ ଭାଷା Aymara ଓ ପେରୁ ଦେଶର ଭାଷା Quechuaରେ ନିଆଁକୁ nina କୁହନ୍ତି ଯାହାର ଆମ ଓଡ଼ିଆ ନିଆଁ ଶବ୍ଦ ସହିତ ସର୍ଵାଧିକ ଵାହ୍ୟ ସାମ୍ୟ ରହିଛି । ତାହେଲେ କିଏ କାହାଠୁ କୋଉ ଶବ୍ଦ ନେଇଛି ? ଦକ୍ଷିଣ ଆମେରିକାର ଲୋକଙ୍କଠୁ ଓଡ଼ିଆ ଲୋକେ nina ଶବ୍ଦ ନେଇ ନିଆଁ କରିଛନ୍ତି ନା ଓଡ଼ିଆ ଲୋକଙ୍କଠୁ ନିଆଁ ଶବ୍ଦ ନେଇ ଦକ୍ଷିଣ ଆମେରିକାର ଲୋକେ nina କରିଛନ୍ତି ? ପୁଣି ଏତେ ଦୂରକୁ ଯିଵା କ'ଣ ଦରକାର ଆମ ରାଇଜରେ ପରା କୁଈ ଭାଷାରେ ନିଆଁକୁ ନାଣି ଓ ନାଡି କୁହନ୍ତି ଆଉ ଆମ ପଡ଼ୋଶୀ ରାଜ୍ୟର ପେଙ୍ଗୋ ଭାଷାରେ ବି ନିଆଁକୁ nāṇi(ନାଣି) କୁହନ୍ତି ତାହେଲେ ନିଆଁ ଶବ୍ଦଟା କୁଈ ଆଦି ଦ୍ରାଵିଡ଼ଭାଷାରୁ କାହିଁକି ଆସିନଥିଵ ?
ମାଧିଆ ଏସବୁ ଶୁଣି ଦ୍ଵନ୍ଦ୍ଵରେ ପଡ଼ିଲା ନା କ'ଣ ପୁଣି ପଚାରିଲା -"ତାହେଲେ ଭାଇ ତମକୁ କ'ଣ ଲାଗୁଛି ଏଇ ଓଡ଼ିଆ 'ନିଆଁ' ଶବ୍ଦଟି କେମିତି ସୃଷ୍ଟି ହୋଇଛି ? କୋଉ ଭାଷାରୁ ଆସିଛି ? "
ଭଗିଆ କହିଲା - “ଆଜକୁ ଆଠ ଦଶ ଵର୍ଷ ତଳେ ତୋ ପରି ମୁଁ ବି ଏଇ ପ୍ରଶ୍ନଟା ଦୀପାଵଳୀ ଦିନ ବଡ଼ବଡ଼ୁଆ ଡାକିଲାବେଳେ ହରିମାଷ୍ଟ୍ରେଙ୍କୁ ସନ୍ତିଆଘର ଦାଣ୍ଡ ଆଗରେ ପଚାରିଥିଲି । ସେଦିନ ସେ କହିଥିଲେ ନିଆଁ ଶବ୍ଦଟି ଓଡ଼ିଆ ଭାଷାର ମୌଳିକ ଶବ୍ଦ । ହିନ୍ଦୀ ବଙ୍ଗଳା ଇଂରାଜୀରେ ଏହି ଶବ୍ଦ ଉଣ୍ଡିଲେ ପାଇଵନି । ନି ମାନେ ନାହିଁ ଆଉ 'ହା', 'ହାଁ', 'ଆଁ' ଏସବୁ ସତର୍କଵାଚକ ଶବ୍ଦ । ସେଥିରୁ ହେଲା ନିଆଁ ! ମାନେ ତାଙ୍କ କହିଵା କଥା ଥିଲା ନିଆଁ ବଡ଼ ଵିପଜ୍ଜନକ ଦରଵ ତେଣୁ ନିଆଁଠୁ ଦୂରେଇ ରୁହ । ସେତେବେଳକୁ ଆମେ ବାଣ ଫୁଟାଉଥିଲୁ ସେଥିପାଇଁ ବୋଧେ ଆମକୁ ଏମିତି କହିଥିବେ ।”
ସଞ୍ଜୁ ମାଆ ଚାନ୍ଦିନୀ ପାଖରେ ବସି ମାଧଵ ଭଗିଆଙ୍କ କଥାଵାର୍ତ୍ତା ଶୁଣୁଥାଇ । ସେ ଆଉ ରହିନପାରି ପଛପଟୁ କହିଲା "ହଇରେ ଭଗିଆ ତୁ ଏତେ କିସ ଗପଚୁ କିରେ ? ଉଁ ଏଡ଼ିକି ବକଟେ ପିଲା ତା'ର ପୁଣି ଗପ ଲମ୍ବିଛି ଇନ୍ଦ୍ରପୁରୀ ଯାଏଁ ! ଆରେ ସିଧା କଥା ତ କହିବୁ ଏତେ ବୁଲେଇ ବଙ୍କେଇ କହିଲେ କଅଁଟା ଲାଭ ହଵ ? ପାଟିରେ ଅହରହ ଅଗ୍ନି ଅଗ୍ନି ଜପୁନୁ ଜପେ ଦେଖିବୁ ଆପେ ଆପେ ସେଇ ଶବ୍ଦଟା ନିଆଁ ପରି ହେଇଯାଉଛି କି ନାହିଁ !!!”
“ଆଲୋ ଆଈ ତୋର ତ ବହେ ବୁଦ୍ଧି ଆଉ ଏଥରକ ଭଗିଆ ଭାଇ ନଥିଲେ ତୋତେ ପଚାରିବି ଯେ !!” ସଞ୍ଜୁମାଆ ଲେଖାରେ ମାଧଵର ଆଈ ଲେଖା ତେଣୁ ସେ ଗମାତରେ କହିଲା ।
ସେଇଠୁ ଭଗିଆ ଟିକେ ଗମ୍ଭୀର ହେଇ ପୁଣି କହିଵା ଆରମ୍ଭ କଲା । ନିଆଁ ଶବ୍ଦଟି କୋଉଠୁ ଆସିଛି ଵା ନିଆଁ ଶବ୍ଦର ଵ୍ୟୁତ୍ପତ୍ତି କ'ଣ ତତ୍ ସମ୍ବନ୍ଧୀୟ ଦୁଇଗୋଟି ସମ୍ଭାଵିତ ମତ ଅଛି । କିନ୍ତୁ ଏହି ଦୁଇଗୋଟି ଵ୍ୟୁତ୍ପତ୍ତି ମତ ମଧ୍ୟରୁ କୋଉଟି ଠିକ୍ କୋଉଟି କେଵଳ ଅନୁମାନ ତାହା ଅସ୍ପଷ୍ଟ । ପ୍ରଥମତଃ ଅଗ୍ନି ଶବ୍ଦରୁ ନିଆଁ ଶବ୍ଦଟି ସୃଷ୍ଟି ହୋଇଛି ବୋଲି ଅନୁମାନ କରାଯାଏ । ଯେହେତୁ ସିଂହଳୀ ଭାଷାରେ ଅଗ୍ନି ଶବ୍ଦଟି ପରିଵୃତ୍ତ ହୋଇ ගින්න (ginna) ଓ අග්නිය(agniya) ରୂପେ ନିଆଁ ଅର୍ଥରେ ଚଳୁଅଛି ତେଣୁ ଏ ଦୁଇଟି ଶବ୍ଦକୁ ଦେଖିଲେ ଯେକେହି କହିଵ ଯେ ହଁ ଅଗ୍ନି ଶବ୍ଦରୁ ହିଁ ଓଡ଼ିଆ ଭାଷାରେ ନିଆଁ ଶବ୍ଦଟି ସୃଷ୍ଟି ହୋଇଥିଵ ।
Sir. Ralph Lilley Turner ତାଙ୍କ ଵ୍ୟୁତ୍ପତ୍ତିକ ଅଭିଧାନ A comparative dictionary of Indo-Aryan languagesର ୪୧୧ତମ ପୃଷ୍ଠାରେ ନିଆଁ ଶବ୍ଦଟି ତତ୍ସମ ନିଦାଘ ଶବ୍ଦ ସହିତ ସମୋଦ୍ଧୃତ ବୋଲି ଉଲ୍ଲେଖ କରିଯାଇଛନ୍ତି । ତେବେ ସିଧାସଳଖ ସଂସ୍କୃତ ନିଦାଘ ଶବ୍ଦଟି ଓଡ଼ିଆ ଭାଷାରେ ନିଆଁ ହୋଇନାହିଁ । ତତ୍ସମ ନିଦାଘ ଶବ୍ଦଟି ମୂଳ ପ୍ରାକୃତ ଭାଷାରେ ଣିଆହ ହୋଇଛି ଏଵଂ ପରେ
ମହାରାଷ୍ଟ୍ରୀ ପ୍ରାକୃତରେ 𑀡𑀺𑀆𑀳 (ṇiāha) ତଥା ଉଡ୍ର ପ୍ରାକୃତରେ ନିଆହ ହୋଇ ଶେଷକୁ ତାହା ଆଧୁନିକ ଓଡ଼ିଆ ଭାଷାରେ ନିଆଁ ହୋଇଯାଇଛି। ମୂଳ ପ୍ରାକୃତ ଭାଷାରେ ଣିଆହ ଶବ୍ଦଟି ଗ୍ରୀଷ୍ମକାଳ, ଗ୍ରୀଷ୍ମଋତୁ,ଉଷ୍ଣ,ଘର୍ମ,ଗରମ ଓ ତବତ ଆଦି ଅର୍ଥରେ ପ୍ରୟୋଗ ହେଉଥିଵା ହରଗୋଵିନ୍ଦ ଦାସଙ୍କ ସଂକଳିତ ପଇଅ ସଦ୍ଦ ମାହଣ୍ଣବୋ ଅଭିଧାନରୁ ଜଣାଯାଏ । ଏହି ପ୍ରାକୃତ ଣିଆହ ଶବ୍ଦଟି କ୍ରମେ ପଞ୍ଜାବୀରେ ਨਿੱਘ (niggha) ଓ ରୋମାନୀ ଭାଷାରେ
nilaj ହୋଇଛି । ତେଣୁ ବହୁତ ସମ୍ଭଵ ଅଗ୍ନି ଶବ୍ଦରୁ ନୁହେଁ ଵରଂ ଓଡ଼ିଆ ନିଆଁ ଶବ୍ଦଟି ପ୍ରାକୃତ ଣିଆହ ଓ ସଂସ୍କୃତ ନିଦାଘ ଶବ୍ଦ ସହିତ ସମୋଦ୍ଧୃତ।
ଭଗିଆ କଥାମାନ ଶୁଣି ତେଣେ ସଞ୍ଜୁ ମାଆ ତାଟକା । ଭାଵଵିହ୍ଵଳ ହୋଇ କହୁ କହୁ କହିଦେଲା ଆରେ ଭଗିଆ ତୁ ଏତେ କଥା ସବୁ କେମିତି ଜାଣିଲୁ ? ଇସ୍କୁଲରେ ଆଜିକାଲି ଏତେ ପାଠ ପଢ଼ଉଛନ୍ତି କି ନା ? ଏ ବାପ ! ଆମ ବେଳେ ଏତେ ପାଠ ଥିଲେ ମୁଁ କିସ ପଢ଼ା ଛାଡ଼ି ଥାନ୍ତି ନା ? ସଞ୍ଜୁ ମାଆ କଥା ଶୁଣି ଭଗିଆ ଓ ମାଧଵ ଉଭୟେ ହସି ଦେଲେ । ଏତିକିବେଳେ ପାର ଅପାର ପାଟି ଶୁଭିଲା। ଭଗିଆ ଯେମିତି ପାର ଅପା ପାଟି ଶୁଣିଛି ଘିଡ଼ିପିଡ଼ି ହୋଇ ଘରକୁ ଧାଇଁଗଲା । ସଞ୍ଜୁ ମାଆ ଦେଖି ବୋଇଲା "ମଲା ମଲା ଏ ପାରଟାର ଏତେ ପାବାର ! ପିଲାଟାକୁ କୋଉଠି ବସେଇ ଉଠେଇ ଦଉନି !" ତହୁଁ ମାଧିଆ ଆଉ କରେ କିସ ମଣ୍ଡପ ଉପରେ ଗଡ଼ି ପଡ଼ି ତାରାକୁ ଦେଖି କେତେ କ'ଣ ଭାବୁଥାଏ। ତା'ର ତ ଅନେକ ପ୍ରଶ୍ନର ଏବେ ବି ଉତ୍ତର ମିଳିନାହିଁ । ତେଣୁ ସେଇ ମଣ୍ଡପ ଉପରେ ଗଡ଼ି ପଡ଼ି ସେ ବି ଏକାକୀ କିଛି ପ୍ରଶ୍ନର ଉତ୍ତର ଉଣ୍ଡିଵାକୁ ଲାଗିଲା ।
ପୁଣି କେବେ...
*****************************
No comments:
Post a Comment