My Blog List

Showing posts with label ଵ୍ୟଞ୍ଜନ. Show all posts
Showing posts with label ଵ୍ୟଞ୍ଜନ. Show all posts

Wednesday, December 29, 2021

ଆଣ୍ଟାନି, ସନ୍ତୁଳା,ଠୁକ୍‌ଠୁକା ଓ ଚୁଟ୍‌ଚୁଟି : ଓଡ଼ିଶାର ନିଆରା ଖାଦ୍ୟ ଵିଭଵ


ଅଵିଭକ୍ତ କୋରାପୁଟର କେତେକ ଅଞ୍ଚଳରେ ଵିନା ତେଲରେ ପ୍ରସ୍ତୁତ ହେଉଥିଵା ଏକ ଜାତୀୟ ଵ୍ୟଞ୍ଜନକୁ ଆଣ୍ଟାନି କୁହାଯାଏ ବୋଲି ଦେଶିଆ ଜ୍ଞାନକୋଷରେ ଉଲ୍ଲେଖ କରାଯାଇଛି । ଆଣ୍ଟାନି ଵ୍ୟଞ୍ଜନ ଵିନା ତେଲରେ ପ୍ରସ୍ତୁତ କରାଯାଏ ‌ । ଏହାର ଵିଧି ସରଳ । ଲୁଣ, ମରିଚ, ଦେଇ ଶାଗ ଓ ପନିପରିବାକୁ ପାଣି ଦେଇ ସିଝାଯାଏ । ସିଝିଯିଵା ପରେ ଏବଂ ପାଣି ଶୁଖିଯିଵା ପରେ ଏହାକୁ ଖିଆଯାଏ । ଏହିପରି ଯେଉଁ ତୁଣ ତେଲ ନପଡ଼ି ପ୍ରସ୍ତୁତ କରାଯାଏ ତାକୁ ଖୋର୍ଦ୍ଧା ଜିଲ୍ଲାରେ ମାଖେରା ତୁଣ କହିଥାନ୍ତି ‌। 


ଆଣ୍ଟାନି ଅଵିଭକ୍ତ କୋରାପୁଟ ଜନଜାତି ସମାଜର ଏକ ସାର୍ଵଜନୀନ ପ୍ରିୟ ଖାଦ୍ୟ । ଏହି ତେଲ ଵିହୀନ ରନ୍ଧନ କଳା କୋରାପୁଟ ଜନଜାତି ସମାଜର ଅମୂଲ୍ୟ ସମ୍ପଦ କହିଲେ ଅତ୍ୟୁକ୍ତି ହେଵନାହିଁ କାରଣ ପୃଥିଵୀରେ ତୈଳ ଵିହୀନ ତୁଣ ପ୍ରକାର ଅଳ୍ପ ଦୃଶ୍ୟ ହୋଇଥାଏ । 

ସନ୍ତୁଳା ଓଡ଼ିଆମାନଙ୍କର ଆଉ ଏକ ନିଆରା ଵ୍ୟଞ୍ଜନ । ସନ୍ତୁଳା ଶବ୍ଦ ତତ୍ସମ ସନ୍ତୋଳନ ସହିତ ସମୋଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଲେଖାଅଛି । ସାମାନ୍ଯ ମାତ୍ର ତୈଳ ଦ୍ବାରା ଅର୍ଦ୍ଧଭର୍ଜିତ କରାଯାଇ ଅଳ୍ପ ଜଳ ଦ୍ବାରା ଯେଉଁ ନିର୍ଜଳ ଵ୍ୟଞ୍ଜନ ସିଦ୍ଧ କରାଯାଏ ତାକୁ ସନ୍ତୁଳା କୁହାଯାଏ ‌ । ଏଭଳି ଵ୍ୟଞ୍ଜନରୁ ସମ୍ପୂର୍ଣ୍ଣ ରସପାଣି ମାରି ପ୍ରସ୍ତୁତ କଲେ ତାକୁ ଠୁକୁଠୁକା କୁହନ୍ତି ।



 ବାଇଗଣ ଓ ଆଳୁର ଚୁଟ୍‌ଚୁଟା/ଚୁଟ୍‌ଚୁଟି ଵା ଭରତା ମଧ୍ୟ ଠୁକୁଠୁକା ଜାତୀୟ ଵ୍ୟଞ୍ଜନ । ଆମ ଭାଷାରେ ଶିଘ୍ର ଅର୍ଥରେ ଚୁଟ୍‌ଚୁଟ୍ ଶବ୍ଦ ଵ୍ୟଵହାର ହୋଇଥାଏ । ଯଥା— ସେ ଚୁଟ୍‌ଚୁଟ୍ ଝାଡ଼ାଫେରି ଦଉଡ଼ିଛି । ଭରତା ମଧ୍ୟ ଶିଘ୍ର ହୋଇଯାଏ ବୋଲି ବୋଧହୁଏ ଏହାର ନାମକରଣ ଦେଵଗଡ଼ ଓ ସମ୍ବଲପୁର ଆଦି ଅଞ୍ଚଳରେ ଚୁଟ୍‌ଚୁଟ୍‌ରୁ ଚୁଟ୍‌ଚୁଟି ହୋଇଥିଵ । ମତାନ୍ତରେ 
ଜଳମିଶ୍ରିତ କୌଣସି କ୍ଷୁଦ୍ର ବସ୍ତୁକୁ ନିଆଁରେ ଭାଜିଲେ ତାହା ଚୁଟ୍‌ଚୁଟ‌୍ ଭଳି ଅନୁଚ୍ଚ ଶବ୍ଦ କରେ ।‌ ଯେହେତୁ ବାଇଗଣ କିଂଵା ଆଳୁର ଭରତା କଲାବେଳେ ତହିଁରେ ଅଳ୍ପ ଜଳ ଦେଇ ପାକସିଦ୍ଧ କରାଯାଏ ତେଣୁ ସେହିପରି ଶବ୍ଦ ସୃଷ୍ଟି ହୋଇଥାଏ । ଉତ୍ତର ଓଡ଼ିଶାରେ ଭଜାକୁ ଏହି ଆଧାରରେ ଚୁଟ୍‌ଚୁଟା କୁହାଯାଇଥାଏ । 



ଵିଭିନ୍ନ ପ୍ରକାରର ସନ୍ତୁଳା ଓଡ଼ିଶାରେ ପ୍ରସ୍ତୁତ କରାଯାଏ ଯଥା ସବୁ ପନିପରିବା ମିଶା ସନ୍ତୁଳା ଵା ସାଧାରଣ ସନ୍ତୁଳା’ ଏଥିରେ ସବୁଜାତୀୟ ପନିପରିଵା ପଡେ଼, ବଡ଼ି ସନ୍ତୁଳା, ମାଛ ସନ୍ତୁଳା, ଭଜା ସନ୍ତୁଳା,ସିଝା ସନ୍ତୁଳା, ଚୁଡ଼ା ସନ୍ତୁଳା,କ୍ଷୀର ସନ୍ତୁଳା,ପାଣି ସନ୍ତୁଳା,ଶୁଖିଲା ଵା କାଦୁଅ ସନ୍ତୁଳା,ବାଇଗଣ ସନ୍ତୁଳା ଓ ଆଳୁ ରସୁଣ ସନ୍ତୁଳା ଇତ୍ୟାଦି । 

କେତେକ ଅଞ୍ଚଳରେ ପଞ୍ଚୁଫୁଟଣରେ ଅଳ୍ପ ତେଲ ଦ୍ଵାରା ସନ୍ତୁଳା ବଘରାଯାଇଥାଏ । କେତେକ ଅଞ୍ଚଳରେ ଵିନା ତେଲରେ କେଵଳ ପଞ୍ଚୁଫୁଟଣଦ୍ଵାରା ସନ୍ତୁଳା ବଘରାଯାଉଥିଵା ମଧ୍ୟ ଶୁଣାଯାଏ । ଆଣ୍ଟାନି ଓ ସନ୍ତୁଳା ତୁଣ ଓଡ଼ିଶା ଛଡ଼ା ଅନ୍ୟତ୍ର ହେଉଥିଵା ପ୍ରାୟ ଜଣାଯାଏ ନାହିଁ । 



ସେହିପରି ଯେଉଁ ଡାଲି ଵା ତୁଣ ତେଲରେ ବଘରା ଵା ଫୁଟାଯାଏ ନାହିଁ ତାକୁ ଆମ ଓଡ଼ିଶାରେ ଅଣଫୁଟା,ଅଫୁଟା,ଅକଶା ଓ ଅବଘରା ଇତ୍ୟାଦି କହିଥାନ୍ତି । ଓଡ଼ିଶାରେ ଦଶକ୍ରିୟା ସମୟରେ ଵ୍ୟକ୍ତି ମୃତ୍ୟୁ ହେଵାର ନଅ ଦିନ ଯାଏଁ ତେଲ ଵ୍ୟଵହାର କରିଵା ବାରଣ ଥିଵାରୁ ଏକ ଜାତୀୟ ଅଫୁଟା ବିରିଡାଲି କରାଯାଏ ଯାହାକୁ ଆମ ଢେଙ୍କାନାଳସ୍ଥ ପାରିମାଳ ପ୍ରଗଣାରେ ମିଠଡାଲି କହିଥାନ୍ତି । 
ଆପଣଙ୍କ ଅଞ୍ଚଳରେ ଅଵିଭକ୍ତ କୋରାପୁଟର ଆଣ୍ଟାନି ଵ୍ୟଞ୍ଜନ ଭଳି ତୈଳହୀନ ତୁଣ ପ୍ରସ୍ତୁତ ହୁଏ କି ? ଅଳ୍ପ ତେଲରେ ପ୍ରସ୍ତୁତ ସନ୍ତୁଳାକୁ ଆପଣଙ୍କ ଅଞ୍ଚଳରେ କ'ଣ କୁହାଯାଏ ? ଆପଣଙ୍କ ଅଞ୍ଚଳରେ କେଉଁ କେଉଁ ଜାତୀୟ ସନ୍ତୁଳା ପ୍ରସ୍ତୁତ ହୋଇଥାଏ ?