My Blog List

Showing posts with label କୋରାପୁଟ. Show all posts
Showing posts with label କୋରାପୁଟ. Show all posts

Monday, June 26, 2023

•ମକା ପରଵ୍ ଓ ଅସା ପରଵ୍ ନୂଆଖାଈ•

ଭାଦ୍ରଵ ମାସର ଶୁକ୍ଳପକ୍ଷ ଦଶମୀରେ ମକା ପରଵ୍ ହୁଏ । ଏହାକୁ ଅସାପରଵ୍ ଓ ମକା ନୂଆଖାଈ ମଧ୍ୟ କୁହାଯାଏ । ଏହି ପରଵରେ ଦେଶିଆମାନେ ଧାନପତ୍ର, ସାରୁପତ୍ର, କୁମୁଡ଼ାପତ୍ର, ସାରୁ, ନୂଆ ତେନ୍ତୁଳି ଏସବୁକୁ ସିଝେଇ କରି ଭାତ ସଙ୍ଗେ ଚରୁରାନ୍ଧି ଖାଇଥାନ୍ତି । ଏହି ନୂଆଖିଆ ପରେ ଯାଇ ମକା, ନୂଆଧାନ, ନୂଆ ତେନ୍ତୁଳି,
କୁମୁଡ଼ା ଓ ସାରୁ ଇତ୍ୟାଦି ଖୁଆଯାଇ ପାରିଵ । ପ୍ରତି ଘରେ ଵିଧିଵିଧାନ ଅନୁସାରେ 
ଆନିଦାଦିମାନଙ୍କର ନାମ ଧରି କରି ବୀରୁ ହୁଏ । କୁକୁଡ଼ା ଥିଵା ଲୋକ କୁକୁଡ଼ା ପୂଜନ୍ତି
ନ ହେଲେ ନଡ଼ିଆ ଭାଙ୍ଗନ୍ତି । ଏଥରେ ଦିଶାରୀ ଲୋଡ଼ା ପଡ଼େ ନାହିଁ । ଏଥିରେ ଘରର ମୁରବୀ ପୂଜା କରନ୍ତି । ଚରୁ ରାନ୍ଧିବା ଦାୟିତ୍ଵ କିନ୍ତୁ ସ୍ତ୍ରୀ ଲୋକମାନଙ୍କର ହୋଇଥାଏ । ଚରୁ ରାନ୍ଧିଵା ପରେ ସମସ୍ତ ଘରଲୋକ ଏକତ୍ର ବସି ଖାଆନ୍ତି । ଘରର ଝିଅ ବିଭା ହୋଇଯାଇଥିଲେ ତଥା କୌଣସି ବାହାର ଲୋକ କୁଣିଆ ଆସିଥିଲେ ସେ ଏ‌ହି ଚରୁ ଖାଇବେ ନାହିଁ ବୋଲି ନିୟମ ମଧ୍ୟ ଅଛି । ସାଧାରଣତଃ ଭାଦ୍ରଵ ମାସ ଶୁକ୍ଳ ଦଶମୀରେ ଏହି ପର୍ଵ ପାଳନ କରାଯାଏ କିନ୍ତୁ ଦିଶାରୀମାନଙ୍କ ମତ ଅନୁସାରେ ଵିଭିନ୍ନ ଗାଁରେ ଵିଭିନ୍ନ ତିଥିରେ ଏହା ପାଳିତ ହୋଇଥାଏ। 

ଏହି ଅସା ପରଵ୍‌କୁ ମଧ୍ୟ ନୂଆଖିଆ ପରଵ୍ କୁହାଯାଏ ଯେହେତୁ ଏହି ଦିନ ନୂଆଖିଆ ଯାଇଥାଏ। ନୂଆଶସ୍ୟ ଖାଇଵା ପୂର୍ଵରୁ
ଭୂମିଆ ସଂପ୍ରଦାୟର ଲୋକ ଅସାପର୍ଵ ପାଳନ କରନ୍ତି । ଦିଶାରୀ ଯୋଗ ଠିକ୍ କରି ଗାଁ ପୂଜାରୀକୁ ପର୍ଵପାଳନ କରିବାକୁ ନିର୍ଦ୍ଦେଶ ଦିଏ । ପୂଜାରୀ ମାହେନ୍ଦ୍ର ଲଗ୍ନ ଦେଖି ଧାନକେଣ୍ଡା ପାଚିଲା କ୍ଷେତରୁ ଆଣେ I ପର୍ଵଦନ ପ୍ରତ୍ୟୁଷରୁ ଗାଧୋଇ ଗ୍ରାମ ପୂଜାରୀ
ନୂଆଧାନର ଚାଉଳ ଓ ପୁରୁଣା ଚାଉଳ ମିଶାଇ ଅନ୍ନ ପ୍ରସ୍ତୁତ କରନ୍ତି । ଉକ୍ତ ଅନ୍ନକୁ
ଗ୍ରାମ ଠାକୁରାଣୀଙ୍କୁ ଭୋଗ କରାଯାଏ । ଏହାଛଡ଼ା ଅସା ପର୍ଵଦିନ ପ୍ରତ୍ୟେକ ଘରେ
ତେନ୍ତୁଳି, କୁମୁଡ଼ା, ସାରୁ ଓ କଞ୍ଚାମାଛ ମିଶାଇ ଚରୁ ରନ୍ଧାଯାଏ । ଏହା ଘରର ଇଷ୍ଟ
ଦେଵତାଙ୍କୁ ଅର୍ପଣ କରାଯିଵା ପରେ ଅନ୍ୟମାନେ ଖାଆନ୍ତି । ଏଥିପାଇଁ କୁରେଇ ଗଛର ପତ୍ର ଵ୍ଯଵହାର କରାଯାଏ । ପର୍ଵ ପାଳନର ପରଦିନ ଏହି ଭାତକୁ ମଞ୍ଚା ଉପରେ ରଖାଯାଏ, ଯେପରିକି ତାହା ପକ୍ଷୀମାନଙ୍କର ଆହାର ହୋଇପାରିଵ ।

(ଦେଶିଆ ଜ୍ଞାନକୋଷରୁ ଏହି ତଥ୍ୟ ଗୃହୀତ ହୋଇଛି ।)

Saturday, June 11, 2022

ଢେଲାପିଟାଣି ଓ ରଜୋତ୍ସଵ

କୁହାଯାଏ ବାରମାସର ତେର ପରଵ କିନ୍ତୁ ସମଗ୍ର ଓଡ଼ିଶାରେ ବାର ମାସରେ ଶତାଧିକ ପର୍ଵ ପାଳିତ ହୋଇଥାଏ ।

ସେହିପରି ଏକ ପର୍ଵ ହେଉଛି ଢେଲାପିଟାଣି ପରଵ୍ । ଏହା ଦେଶିଆ ସମାଜ ମଧ୍ୟରେ ସୀମିତ ଏକ ପର୍ଵ ଵିଶେଷ । ଵର୍ଷାମାସ ପୂର୍ଵରୁ ଏହା ପାଳନ କରାଯାଏ ।

ଢେଲାପିଟାଣି ପରଵ୍‌ରେ ଗାଁର ଧାଙ୍ଗଡ଼ା ଧାଙ୍ଗିଡ଼ୀମାନେ ନୂତନ ଵସ୍ତ୍ର ପରିଧାନ କରି ଜମିକୁ ଯାଇ ଚାଷ କରାଯାଇଥିଵା ଜମିକୁ ପୂଜାର୍ଚ୍ଚନା କରନ୍ତି । ପୂଜାପରେ ଜମିର ମାଟିକୁ କୋଡ଼ଣ ଦ୍ବାରା ଗୁଣ୍ଡ କରାଯାଏ । ଲଟାବୁଟା କଟାଯାଏ । ମାଟିକୁ ଗୁଣ୍ଡ କରିଵାବେଳେ ସେମାନେ ସେମାନଙ୍କର ଗୋଷ୍ଠୀ ନୃତ୍ୟର ଆଶ୍ରା ନିଅନ୍ତି । ମାଟିର ଉର୍ଵରତା କାମନା କରନ୍ତି ଓ ଆନନ୍ଦରେ ଢୋଲ ମହୁରୀର ତାଳେତାଳେ ଗାଇ ଉଠନ୍ତି

“ମାଟିମା ମାଟିମା ଜୁହାର ଆମର ଢୋକେ ପରୁର୍ କାଜେ, ଶାଗ୍ ଭାତ ଦେ’ ନଇଲେ ମରିବୁ ଭୁକେ ।”

ପୂର୍ଵ, ଦକ୍ଷିଣ, ମଧ୍ୟ ତଥା ଉତ୍ତର ଓଡ଼ିଶାରେ ପାଳିତ ହେଉଥିଵା ରଜପର୍ଵ ସହିତ ଏହି ଢେଲାପିଟାଣି ପରଵ୍‌ର ସମ୍ପର୍କ ଥାଇପାରେ କାରଣ...

(କ)ଉଭୟ ପର୍ଵ ଵର୍ଷା ଆଗମନ ପୂର୍ଵରୁ ହୋଇଥାଏ

(ଖ)ଉଭୟ ପର୍ଵରେ ଵର୍ଷା ଆଗମନ ପୂର୍ଵରୁ ଓଡ଼ିଶାଵାସୀମାନେ ପୃଥିଵୀ ମାତାଙ୍କୁ ଆରାଧନା କରନ୍ତି

(ଗ)ଉଭୟ ପର୍ଵରେ ଓଡ଼ିଶାଵାସୀ କୃଷକ କୃଷିକ୍ଷେତ୍ରକୁ ଯାଇ ଧରିତ୍ରୀମାତାର ପୂଜାର୍ଚ୍ଚନା କରେ ।

(ଘ) ରଜ ପରଵ ପୂର୍ଵରୁ ଭୂମିରେ ହଳ କରି ମାଟି ପିଟି ସମତୁଲ କରାଯାଏ ଏଵଂ ପର୍ଵ ପାଳନ ଉତ୍ତାରୁ ଵର୍ଷା ହେଵା ପରେ ପରେ ଵିହନ ଶୁଣାଯାଏ (ଅଵଶ୍ୟ ଆଜିକାଲି ଵିଶ୍ଵତାପନ ଯୋଗୁଁ ଵର୍ଷା ଅନିୟମିତତା ଲାଗି କୃଷକ ଵର୍ଷା ଅଧିକ ହେଵା ପରେ ହିଁ ମଞ୍ଜି ବୁଣନ୍ତି) ।

"ଢେଲାପିଟାଣି ପରଵ୍"‌ ନାମକରଣ "ଢେଲା ଓ ପିଟିଵା" ଏହି ଦୁଇ ଶବ୍ଦକୁ ନେଇ କରାଯାଇଛି ।

ଆମ ଭାଷାରେ
ଢେଲା ଶବ୍ଦଟି  ବଡ଼ ଟେକା ଵା ଟେଳା, ବଡ଼ ବଡ଼ ମାଟି ପିଣ୍ଡୁଳା ଓ ଢେଗା(ବର୍ତ୍ତୁଳ ଓ ବଡ଼, ଡିମ୍ବାକୃତି,ଗୋଟିକିଆ କାଠି, ବଡ଼ କଉଡ଼ି) ଆଦି ଅର୍ଥରେ ପ୍ରୟୋଗ ହୋଇଥାଏ ସେହିପରି କୋବା(ଭୂଇଁ ପିଟି ସମତୁଲ କରିଵାର ମୁଗୁର) ତଥା  ମାଡ଼ ଵା ପ୍ରହାରକୁ ପିଟଣା/ପିଟଣି କୁହାଯାଏ ।

ଢେଲାପିଟାଣି ଆଉ ରଜ ପର୍ଵ ଉଦାହରଣ ମାତ୍ର, ଏହିପରି ଅନେକ ପର୍ଵ ପର୍ଵାଣୀ ଚାଲିଚଳଣି ରହିଛି । ପାର୍ଵତ୍ୟାଞ୍ଚଳର କଳିଙ୍ଗୀଲୋକଙ୍କ ସହିତ ଉପକୂଳ ଓଡ଼ିଶାର କଳିଙ୍ଗୀମାନଙ୍କ ସାଂସ୍କୃତିକ ସମ୍ପର୍କ ପ୍ରାଚୀନ କାଳରୁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।